କଳ୍ପନା କରନ୍ତୁ, ଆପଣ ଏକ ନାଟକ ଦେଖୁଛନ୍ତି। ମଞ୍ଚ ଉପରେ ଜଣେ ମା’ ନିଜ ମୃତ ପୁଅ ପାଖରେ ଠିଆ ହୋଇଛନ୍ତି। ଆପଣ ଭାବପ୍ରବଣ ହୋଇ କାନ୍ଦିବାକୁ ଯାଉଛନ୍ତି, ଠିକ୍ ସେତିକିବେଳେ ହଠାତ୍ ମଞ୍ଚର ଆଲୋକ ପ୍ରଖର ହୋଇଉଠେ, ସଙ୍ଗୀତ ବାଜିବାକୁ ଲାଗେ ଏବଂ ଅଭିନେତ୍ରୀଜଣକ ଅଭିନୟ ବନ୍ଦ କରି ସିଧାସଳଖ ଆପଣଙ୍କ ସହ କଥା ହୁଅନ୍ତି। ଆପଣ ପ୍ରଥମେ ଆଶ୍ଚର୍ଯ୍ୟ ହୁଅନ୍ତି ଏବଂ ଧୀରେ ଧୀରେ ଆପଣଙ୍କ ମୋହଭଙ୍ଗ ହୁଏ। ଦୁଃଖ ଅନୁଭବ କରିବା ପରିବର୍ତ୍ତେ, ଆପଣ ହଠାତ୍ ଚିନ୍ତା କରିବାକୁ ଲାଗନ୍ତି ଯେ ସେହି ପୁଅର ମୃତ୍ୟୁ ପାଇଁ ପ୍ରକୃତରେ ଦାୟୀ କିଏ; ଯୁଦ୍ଧ, ଦାରିଦ୍ର୍ୟ, ନା ଆମେ ରହୁଥିବା ଏହି ବ୍ୟବସ୍ଥା?
ଏହି କ୍ରିୟା କୌଣସି ଭୁଲ୍ ନଥିଲା, ବରଂ ଏହା ଥିଲା ଏକ ସୁଚିନ୍ତିତ ରଣନୀତି ଯାହାକୁ ‘ଏଲିନେସନ୍ ଇଫେକ୍ଟ’ (Alienation Effect) କୁହାଯାଏ। ଏହାର ଉଦ୍ଦେଶ୍ୟ ଦର୍ଶକଙ୍କୁ କେବଳ ଆବେଗରେ ଭସାଇ ଦେବା ନୁହଁ, ବରଂ ସେମାନଙ୍କୁ କୂଳରେ ଠିଆ କରି ଶାନ୍ତ ମନରେ ପରିସ୍ଥିତିର ବିଶ୍ଳେଷଣ କରିବାକୁ ବାଧ୍ୟ କରିବା।
ସତ୍ତାକୁ ଦୋହଲାଇ ଦେଇଥିବା ଏକ ‘ପରୀକ୍ଷା’
ଯେତେବେଳେ ବିଶ୍ୱରେ ଏକଛତ୍ରବାଦ ଶାସନ ପ୍ରଚଳିତ ଥିଲା, ଠିକ ସେତିକିବେଳେ ଜଣେ ବ୍ୟକ୍ତି ଥିଏଟରକୁ କେବଳ ଏକ ‘ମନୋରଞ୍ଜନର ସ୍ଥାନ’ ଭାବରେ ଗ୍ରହଣ କରିବାକୁ ମନା କରିଦେଇଥିଲେ। ତାଙ୍କ ଲେଖା ଏତେ ତୀକ୍ଷଣ ଥିଲା ଯେ, ଶାସକ ଗୋଷ୍ଠୀ ଭୟଭୀତ ହୋଇପଡ଼ିଲେ। ତାଙ୍କୁ ନିଜ ଦେଶ ଛାଡ଼ିବାକୁ ପଡ଼ିଲା, ତାଙ୍କ ବହି ଗୁଡ଼ିକୁ ପୋଡ଼ି ଦିଆଗଲା ଏବଂ ସେ ବହୁ ବର୍ଷ ନିର୍ବାସନରେ ବିତାଇଲେ। ହିଟଲରଙ୍କ ନାଜି ଶାସନଠାରୁ ଆରମ୍ଭ କରି ଆମେରିକାର ‘ହାଉସ୍ ଅନ୍-ଆମେରିକାନ୍ ଆକ୍ଟିଭିଟିଜ୍ କମିଟି’ ପର୍ଯ୍ୟନ୍ତ, ପ୍ରତ୍ୟେକ କ୍ଷମତାଶାଳୀ ଗୋଷ୍ଠୀ ତାଙ୍କୁ ଚୁପ୍ କରିବାକୁ ଚେଷ୍ଟା କଲେ। କିନ୍ତୁ ସେ ଯୁଆଡ଼େ ଗଲେ, ସେ
ଯେତେବେଳେ ପ୍ରଶ୍ନଉଠିଲା ଅନ୍ଧକାର ସମୟରେ ବି କ’ଣ ସଙ୍ଗୀତ ଗାନ କରାଯିବ? ସେ
ଶିଖାଇଲେ ଯେ: ହଁ, ସେହି ଅନ୍ଧକାର ସମୟ ବିଷୟରେ ହିଁ ସଙ୍ଗୀତ ଗାନ କରାଯିବ।
ବର୍ଲିନର ଏନସେମ୍ବଲ୍: ବିଚାରର ଏକ ପ୍ରୟୋଗଶାଳା
ଅନେକ ସଂଘର୍ଷ ପରେ ସେ ‘ବର୍ଲିନର ଏନସେମ୍ବଲ୍’ ପ୍ରତିଷ୍ଠା କଲେ, ଯାହା କେବଳ ଏକ ଥିଏଟର ଗ୍ରୁପ୍ ନଥିଲା ବରଂ ଏକ କ୍ରାନ୍ତିକାରୀ ପ୍ରୟୋଗଶାଳା ଥିଲା। ସେଠିକାର ଅଭ୍ୟାସ ପ୍ରଣାଳୀ ବିଶ୍ୱର ଅନ୍ୟ ସ୍ଥାନଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ନିର୍ଦ୍ଦେଶକ କଳାକାରମାନଙ୍କୁ ନିଜ ଚରିତ୍ର ସହିତ ସମ୍ପୂର୍ଣ୍ଣ ରୂପେ ‘ଏକାକାର’ ନହେବାକୁ କହୁଥିଲେ, ବରଂ ଜଣେ ସମାଲୋଚକ ଭଳି ଚରିତ୍ରକୁ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଉଥିଲେ।
ଏଠାରେ ‘ଜେଷ୍ଟସ୍’ (Gestus) ଭଳି ପରୀକ୍ଷଣ କରାଯାଉଥିଲା, ଯେଉଁଠାରେ ଅଭିନେତ୍ରୀଙ୍କ ଏକ ଶାରୀରିକ ଅଙ୍ଗଭଙ୍ଗୀ ସମ୍ପୂର୍ଣ୍ଣ ସାମାଜିକ ଏବଂ ରାଜନୈତିକ ପ୍ରସଙ୍ଗକୁ ପ୍ରକାଶ କରୁଥିଲା। ଉଦାହରଣ ସ୍ୱରୂପ, ତାଙ୍କର ପ୍ରସିଦ୍ଧ ନାଟକ ‘ମଦର କରେଜ୍’ରେ, ଯେତେବେଳେ ସେ ନିଜ ମୃତ ପୁଅକୁ ଚିହ୍ନିବାକୁ ମନା କରନ୍ତି, ତାଙ୍କ ଚେହେରା ଏକ ‘ନୀରବ ଚିତ୍କାର’ (Silent Scream) ପାଲଟିଯାଏ, ଏହା ଏକ ଶାରୀରିକ ସଙ୍କେତ ଥିଲା ଯାହା ବିନା କଥାରେ ଯୁଦ୍ଧର ନିଷ୍ଠୁରତାକୁ ବୁଝାଇ ଦେଉଥିଲା।
ସତ୍ୟ ଏବଂ ସତ୍ତା ମଧ୍ୟରେ ସଂଘର୍ଷ: ଗାଲିଲିଓଙ୍କ ଉଦାହରଣ
କବି ବର୍ଟୋଲ୍ଟ ବ୍ରେଖ୍ଟ (Bertolt Brecht)ଙ୍କ ନାଟକ ‘ଦି ଲାଇଫ୍ ଅଫ୍ ଗାଲିଲିଓ’ ବିଜ୍ଞାନ, ନୈତିକତା ଏବଂ କ୍ଷମତା ମଧ୍ୟରେ ଥିବା ଜଟିଳ ସମ୍ପର୍କକୁ ଉନ୍ମୋଚିତ କରେ। ଏଠାରେ ବ୍ରେଖ୍ଟ ‘ଏଲିନେସନ୍ ଇଫେକ୍ଟ’ ବ୍ୟବହାର କରି ଦର୍ଶାଇଛନ୍ତି ଯେ ଜଣେ ବୁଦ୍ଧିଜୀବୀଙ୍କ ପତନ ସମାଜ ପାଇଁ କେତେ କ୍ଷତିକାରକ ହୋଇପାରେ।
ନାଟକ ଶେଷରେ, ଚର୍ଚ୍ଚର ଚାପରେ ଆସି ଗାଲିଲିଓ ସାର୍ବଜନୀନ ଭାବେ ନିଜର ବୈଜ୍ଞାନିକ ତଥ୍ୟକୁ (ଯେ ପୃଥିବୀ ସୂର୍ଯ୍ୟ ଚାରିପଟେ ଘୁରୁଛି) ଅସ୍ୱୀକାର କରନ୍ତି। ସାଧାରଣତଃ ନାଟକ ଗୁଡ଼ିକରେ ନାୟକମାନଙ୍କୁ ‘ଶହୀଦ’ ଭାବରେ ଦେଖାଯାଏ ଯେଉଁମାନେ ସତ୍ୟ ପାଇଁ ପ୍ରାଣବଳି ଦିଅନ୍ତି, କିନ୍ତୁ ବ୍ରେକ୍ଟଙ୍କ ଗାଲିଲିଓ ତାହା କରନ୍ତି ନାହାନ୍ତି । ସେ ନିଜ ଜୀବନ ବଞ୍ଚାଇବା ପାଇଁ ଆଣ୍ଠୁ ମାଡ଼ି ବସନ୍ତି।
ବ୍ରେକ୍ଟଙ୍କ ପ୍ରୟୋଗ ଏବଂ ସନ୍ଦେଶ:
ଯେତେବେଳେ ଗାଲିଲିଓଙ୍କ ଶିଷ୍ୟ ଆନ୍ଦ୍ରିଆ କ୍ରୋଧରେ କୁହନ୍ତି, “ଅଭିଶପ୍ତ ସେହି ଦେଶ ଯେଉଠି ନାୟକ ନଥାନ୍ତି,” ସେତେବେଳେ ଗାଲିଲିଓ ଉତ୍ତର ଦିଅନ୍ତି, “ନା, ଅଭିଶପ୍ତ ସେହି ଦେଶ ଯାହାକୁ ନାୟକର ଆବଶ୍ୟକତା ପଡ଼େ।”
ଏଠାରେ ବ୍ରେକ୍ଟ ଦର୍ଶକଙ୍କୁ ଗାଲିଲିଓଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଦିଅନ୍ତି ନାହିଁ। ସେ ଗାଲିଲିଓଙ୍କୁ ଜଣେ ‘ଦୁର୍ବଳ ମଣିଷ’ ଭାବରେ ଉପସ୍ଥାପନ କରନ୍ତି, ଯିଏ ନିଜର ଆରାମ ଏବଂ ଜୀବନ ପାଇଁ ବିଜ୍ଞାନର ଭବିଷ୍ୟତକୁ ବିପଦରେ ପକାଇ ଦିଏ । ବ୍ରେକ୍ଟ ଏଠାରେ ସନ୍ଦେଶ ଦେଉଥିଲେ ଯେ ବ୍ୟକ୍ତିଗତ ବୀରତ୍ୱ ଉପରେ ନିର୍ଭରଶୀଳ ସମାଜ ଦୁର୍ବଳ ଅଟେ। ସମାଜ ନାୟକଙ୍କୁ ପୂଜା କରିବା ଉଚିତ ନୁହେଁ, ବରଂ ଏପରି ଏକ ବ୍ୟବସ୍ଥା ଗଠନ କରିବା ଉଚିତ ଯେଉଁଠାରେ ସତ୍ୟ କହିବା ପାଇଁ କାହାକୁ ‘ନାୟକ’ ହେବାକୁ ବା ପ୍ରାଣବଳି ଦେବାକୁ ପଡ଼ିବ ନାହିଁ।
କିଏ ଥିଲେ ସେହି ବିପ୍ଳବୀ?
ଏହି ମହାନ ବ୍ୟକ୍ତିତ୍ୱଙ୍କ ନାମ ଥିଲା ବର୍ଟୋଲ୍ଟ ବ୍ରେକ୍ଟ। ତାଙ୍କ ଚିନ୍ତାଧାରା ମାର୍କ୍ସବାଦୀ ଆଦର୍ଶରେ ଗଭୀର ଭାବେ ନିହିତ ଥିଲା, ଯେଉଁଠାରେ କଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶୋଷିତ ଶ୍ରେଣୀ ମଧ୍ୟରେ ସଚେତନତା ସୃଷ୍ଟି କରିବା। ବ୍ରେକ୍ଟ ଶିଖାଇଥିଲେ ଯେ, ଏକ ଭଲ ନାଟକ ତାହା ନୁହେଁ ଯାହା କରତାଳି ସହିତ ଶେଷ ହୁଏ, ବରଂ ସେଇଟା ଯାହା ଦର୍ଶକଙ୍କୁ ଥିଏଟରରୁ ବାହାରିବା ସମୟରେ ସମାଜକୁ କିପରି ବଦଳାଯିବ ସେଥିପାଇଁ ଚିନ୍ତା ତଥା ଯୋଜନା କରିବାକୁ ବାଧ୍ୟ କରେ।
ବ୍ରେକ୍ଟଙ୍କ ଅମର ଉତ୍ତରାଧିକାର
ବର୍ଟୋଲ୍ଟ ବ୍ରେକ୍ଟ ଥିଏଟରକୁ ସମାଜକୁ ସନ୍ଦେଶ ବା ଉପଦେଶ ଦେବାର ସ୍ଥାନ ପରିବର୍ତ୍ତେ ‘ଶିକ୍ଷା’ ଗ୍ରହଣର ସ୍ଥାନରେ ପରିଣତ କରିଥିଲେ। ତାଙ୍କ ନାଟକରେ କୌଣସି ଚରିତ୍ର ସମ୍ପୂର୍ଣ୍ଣ ଠିକ୍ କିମ୍ବା ଭୁଲ୍ ନୁହଁନ୍ତି; ସେମାନେ କେବଳ ନିଜ ପରିସ୍ଥିତିର ପରିଣାମ। ସେ ବିଶ୍ୱକୁ ମାର୍କ୍ସବାଦୀ ଦୃଷ୍ଟିକୋଣରୁ ଦେଖୁଥିଲେ ଏବଂ ଅନୁଭବ କରିଥିଲେ ଯେ – ଯେତେଦିନ ଯାଏ ସମାଜର ଅର୍ଥନୈତିକ ଏବଂ ସାମାଜିକ ଗଠନ ନ ବଦଳିଛି, ସେ ପର୍ଯ୍ୟନ୍ତ ନୈତିକତା କେବଳ ଏକ ବିଳାସ ହୋଇ ରହିବ।
ଆଜିର ସୂଚନା ବହୁଳ ଯୁଗରେ, ବ୍ରେକ୍ଟଙ୍କ ‘ଏଲିନେସନ୍ ଇଫେକ୍ଟ’ ଆମକୁ ମନେ ପକାଇ ଦିଏ ଯେ ଯାହା ଦେଖାଯାଏ ତାହା ସବୁବେଳେ ସତ୍ୟ ନୁହେଁ। ଆମକୁ ଟିକେ ଅଟକିବା ଉଚିତ, ଚିନ୍ତା କରିବା ଉଚିତ ଏବଂ ପ୍ରଶ୍ନ ପଚାରିବା ଉଚିତ।
