ଆଧୁନିକ ଓଡ଼ିଆ ସାହିତ୍ୟର ଅନନ୍ୟ ଅସାଧାରଣ ବ୍ୟକ୍ତିତ୍ୱ ରେବା ରାୟ

ଡକ୍ଟର ବିଧୁପ୍ରଭା ରଥ
42 Views
17 Min Read

ନାରୀର ଅନ୍ୟନାମ ବିଦ୍ରୋହ ବିପ୍ଲବ। ସଂଘର୍ଷ ନାରୀ ଜୀବନର ଏକ ଅନିବାର୍ଯ୍ୟ ପ୍ରକ୍ରିୟା ହୋଇ ରହି ଆସିଛି। ପିତୃତାନ୍ତ୍ରିକ ସମାଜ ବ୍ୟବସ୍ଥାରେ ନାରୀ ସର୍ବଦା ନିୟନ୍ତ୍ରଣ ମଧ୍ୟରେ ଜୀବନ ନିର୍ବାହ କରିବାକୁ ବାଧ୍ୟ ହୋଇଛି। ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନାରୀକୁ ଆର୍ଥିକ, ସାମାଜିକ, ଅସମାନତା, ପାରମ୍ପରିକ ପ୍ରଥା ପରମ୍ପରା ନାମରେ ଶୋଷଣ, ଧର୍ମ ନାମରେ ଯୌନ ନିର୍ଯ୍ୟାତନା ସହ୍ୟ କରିବାକୁ ହେଉଛି। ଇତିହାସର ପୃଷ୍ଠା ଓଲଟାଇଲେ ଦେଖିବାକୁ ମିଳେ ସମାଜର ନିର୍ମାଣ ପ୍ରକ୍ରିୟାରେ ନାରୀମାନଙ୍କର ଅବଦାନ ଅବିସ୍ମରଣୀୟ ହୋଇ ରହିଛି। ଭାରତର ସ୍ୱାଧୀନତା ସଂଗ୍ରାମରେ ନିଜକୁ ଆତ୍ମ ବଳିଦାନ ଦେଇଥିବା ଯଶସ୍ୱୀ ବୀରାଙ୍ଗନାମାନଙ୍କର ସଂଖ୍ୟା କମ୍ ନୁହେଁ। ଐତିହାସିକମାନଙ୍କର ଇତିହାସ ଲେଖନ ସମୟରେ ଏକଦେଶଦର୍ଶୀ ଦୃଷ୍ଟିଭଙ୍ଗୀ ପାଇଁ ମହିଳା ମାନଙ୍କର ଆତ୍ମୋତ୍ସର୍ଗର ବିଶଦ ତଥ୍ୟ ସ୍ଥାନ ପାଇ ନାହିଁ। ବାସ୍ତବରେ ଭାରତର ମୁକ୍ତି ସଂଗ୍ରାମ ତଥା ସାହିତ୍ୟ ରଚନା କ୍ଷେତ୍ରରେ ଭାରତୀୟ ନାରୀମାନଙ୍କର ଅବଦାନ ଅତୁଳନୀୟ। ନାରୀଟିଏ ନିଜକୁ ଶତଧା ବିଭକ୍ତ କରି ଦେଇ ମହଣମହଣ ଦୁଃଖ, ଅପ୍ରାପ୍ତି, ଅଶାନ୍ତି, ଯନ୍ତ୍ରଣାକୁ ନିଜ ଅସ୍ତିତ୍ୱରେ ଗଣ୍ଠି ପକେଇ ସଂସାର ଜଞ୍ଜାଳରେ ବାରମ୍ବାର ମରି ମରି ବି ଜୀଇଁଥାଏ। ଏବଂ ସେଇ ଦୁଃଖର ପିରାମିଡ଼କୁ ନିଜ କାନ୍ଧରେ ବୋହୁଥାଏ ଯୁଗ ଯୁଗ ଧରି।

ବ୍ୟାକୁଳ ହୃଦୟରୁ ସୃଜନର ସ୍ୱପ୍ନଟିଏ ଅଙ୍କୁରି ଯାଇ ଲଟେଇ ଯାଏ ତା’ର ମନ ଅଗଣାରେ। ହେଲେ କେତେ କେତେ ଝୁଙ୍କ ଆକୁଳତା ନାରୀର ମନକୁ ଅସ୍ଥିର ଅଥୟ କରିଦିଏ। ଆଖି ଲୁହରେ ତକିଆ ଭିଜି ଯାଇଥାଏ। ସବୁ ଅଭିମାନ ଅପମାନକୁ ଚିପୁଡ଼ି ଚିପୁଡ଼ି ସେ ସୃଜନର ସିଞ୍ଚନରେ ପୁଣି ବିଭୋର ହୋଇଯାଏ। ଶବ୍ଦ ଓ ଭାବର ଆବେଗରେ ତା’ର ମଗ୍ନ ଝୁରିଲାପଣ ଆହୁରି ଆହୁରି ମଥିତ ଉଚ୍ଚାଟିତ ହୁଏ। ସୃଷ୍ଟିର କୁଆଁ ରାବ ଶୁଭେ। ଇଏ ସେହି ଲେଖିକା ଯେଉଁମାନଙ୍କର ନାଁ ମଧ୍ୟ ଆମକୁ ଜଣାନାହିଁ। ଯେତେ ଢଗଢମାଳି, ଲୋକଗୀତ, ପ୍ରବଚନ, ଗଉଡ଼ଗୀତ, ଧାନରୁଆ ଗୀତ, କାନ୍ଦଣା, ଓଷାକଥା, ବ୍ରତକଥା, ବୁଢ଼ୀ ମା’ କାହାଣୀ, ପରୀକଥା, ବୁଢ଼ୀ ଅସୁରୁଣୀ କଥା, ରାଜାପୁଅ କଟୁଆଳପୁଅ କଥା, ଅବଲୋକରା କଥା, ଚକୁଳିଆ ପଣ୍ଡା କଥା, ଗାଈ ଚରେଇବା ଗୀତ ସବୁ ସୃଷ୍ଟି କରିଥିଲେ ଏହି ନାରୀମାନେ। ମନକୁ ମନ ଫାନ୍ଦି ପଦକୁ ପଦ ଯୋଡ଼ି ଗୀତ ସବୁ ପିଲାକୁ ଖୁଆଇଲା ବେଳେ, ଶୋଇଲାବେଳେ, ଦୋଳି ଝୁଲାଇ ଝୁଲାଇ ଗାଉଥିଲେ। କିନ୍ତୁ ସେମାନଙ୍କୁ କେହି ମନେ ରଖି ନାହାନ୍ତି।

ନାରୀ ଯେ ଆଜନ୍ମ ବିଦ୍ରୋହୀ, ବିପ୍ଲବିଣୀ। ତାକୁ କିଏ ପଚାରୁ ନପଚାରୁ ସେ ତା’ର କାମ କରିଚାଲିଛି। ସାରଳା ଦାସଙ୍କର ସାହିତ୍ୟ ରଚନା ପୂର୍ବରୁ ଧାରାବାହିକ ଭାବରେ ଲିଖିତ ସାହିତ୍ୟର ସ୍ପଷ୍ଟ ରୂପ ପ୍ରକାଶିତ ହୋଇ ନ ଥିଲା। ଅଥଚ ସାରଳାଙ୍କ ମହାଭାରତରେ ଅଜସ୍ର ଲୋକକଥା, ଢଗଢମାଳି, ରୂଢ଼ିର ପ୍ରୟୋଗ ହୋଇଛି। ଲୋକ ସାହିତ୍ୟର ଆଦ୍ୟ ସ୍ରଷ୍ଟା ନାରୀମାନଙ୍କ ପାଇଁ ହିଁ ସାହିତ୍ୟ ଜୀବନ୍ତ ହୋଇଛି। ଗୁରୁବାରରେ ଘର ଲିପା ପୋଛା କରି ଝୋଟି ପକାଇବା, ମୁରୁଜ ପକେଇବା, ପିଠାପଣା କରିବା, ରଜଦୋଳି ଗୀତ, କୁଆଁରପୁନେଇଁ ଗୀତ, ପୁଚିଖେଳ ଗୀତ, ତଅପୋଇ ଗୀତ, ଜହ୍ନିଓଷା ଗୀତ, ବୋଇତ ବନ୍ଦାଣ ଗୀତ, ପିଲା ଜନ୍ମ, ଏକୋଇଶିଆ ଗୀତ ଏ ସମସ୍ତ ମୌଖିକ ଭାବରେ ନାରୀ କଣ୍ଠରୁ ସଂଚରି ଯାଇ ସୃଜନର ମହାବେଦୀ ତିଆରି କରି ଦେଇଥିଲା। ଓଡ଼ିଆ ସାହିତ୍ୟ ଏହି ମହାନ୍ ନାରୀମାନଙ୍କର ଅଭୂତପୂର୍ବ ସୃଷ୍ଟିର ବ୍ୟାପ୍ତି ପାଇଁ ହିଁ ସମୃଦ୍ଧ ହୋଇଛି।

ଊନବିଂଶ ଶତାବ୍ଦୀ ର ଆଦ୍ୟପର୍ବରେ ଇଉରୋପରେ ରେନେସାଁ ବା ନବଜାଗରଣ ଫଳରେ ସାମାଜିକ ସାଂସ୍କୃତିକ ଆନ୍ଦୋଳନର ସୂତ୍ରପାତ ହୋଇଥିଲା। ନାରୀମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ତଥା ଚେତନାର ବିକାଶ ସମ୍ଭବ ହୋଇଥିଲା। ଏହି ସମୟରେ ଭାରତରେ ଉପନିବେଶବାଦୀ ଇଂରେଜ ଶାସକ, ଇଂରାଜୀ ଭାଷାର ଓ ଶିକ୍ଷାର ପ୍ରଚଳନ ଆରମ୍ଭ କରିଥିଲେ। ଯାହା ଫଳରେ ଇଂରାଜି ଶିକ୍ଷା ଓ ସାହିତ୍ୟ ଦ୍ୱାରା ଭାରତୀୟ ଯୁବକମାନେ ଯଥେଷ୍ଟ ଅନୁପ୍ରାଣିତ ହୋଇଥିଲେ। କୁସଂସ୍କାର ଗ୍ରସ୍ତ ଅଶିକ୍ଷା ଦ୍ୱାରା ନିପୀଡିତ ମହିଳା ମାନଙ୍କର ଉନ୍ନତି ପାଇଁ ରାଜା ରାମମୋହନ ରାୟ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ଜ୍ୟୋତିବା ଫୁଲେ, ଅରବିନ୍ଦ ଘୋଷ, ଦୟାନନ୍ଦ ସରସ୍ୱତୀ, ବିବେକାନନ୍ଦ ପ୍ରମୁଖ ଆଗେଇ ଆସିଥିଲେ। ଏମାନେ ସମସ୍ତେ ନାରୀ ଶକ୍ତିର ଉତ୍‌ଥାନ ପାଇଁ ବଳିଷ୍ଠ ସଂଗ୍ରାମ ଜାରି ରଖିଥିଲେ। ବ୍ରାହ୍ମ ସମାଜର ପ୍ରତିଷ୍ଠା ଦ୍ୱାରା ନାରୀ ଶିକ୍ଷାର ପ୍ରସାର ହେଲା। ରାମମୋହନ ଓ ବିଦ୍ୟାସାଗର ସତୀଦାହ ପ୍ରଥା ଓ ବାଲ୍ୟବିବାହ ପ୍ରଥାକୁ ଉଠାଇବାରେ ପ୍ରଗାଢ ଉଦ୍ୟମ କରିଥିଲେ। ବିଧବା ବିବାହକୁ ପ୍ରଚଳନ କରାଇଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ନାରୀ ଶିକ୍ଷାର ପ୍ରସାର ଊନବିଂଶ ଶତାବ୍ଦୀର ଶେଷ ଭାଗରେ ହୋଇଥିଲା। ବ୍ରାହ୍ମଧର୍ମରେ ଦୀକ୍ଷିତ ହୋଇଥିବା ବିଶ୍ୱନାଥ କର ଏବଂ ପ୍ରସିଦ୍ଧ କବି ମଧୁସୂଦନ ରାଓ ଓଡ଼ିଶାରେ ବ୍ରାହ୍ମଧର୍ମର ପ୍ରଚାର ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ମଧୁସୂଦନ ରାଓଙ୍କର ଭାଇ ଜଗନ୍ନାଥ ରାଓଙ୍କର କନ୍ୟା ଭାବରେ ଓଡ଼ିଶାର ବରେଣ୍ୟା ଲେଖିକା ରେବା ରାୟ ୧୮୭୬ ମସିହାରେ କଟକ ସହରରେ ଜନ୍ମଗ୍ରହଣ କରିଥିଲେ। ପିତା ଜଗନ୍ନାଥ ରାଓ ବ୍ରାହ୍ମଧର୍ମ ଗ୍ରହଣ କରିଥିବାରୁ ତାଙ୍କର ପରିବାରରେ ରେବା ରାୟଙ୍କର ଉଚ୍ଚ ଶିକ୍ଷା ଲାଭ କରିବାରେ ଏକ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇ ସାରିଥିଲା। ବଙ୍ଗଳା ସେତେବେଳେ ବ୍ରାହ୍ମଧର୍ମର ପ୍ରଚାର କେନ୍ଦ୍ର ହୋଇଥିବାରୁ ଓଡ଼ିଶାର ବ୍ରାହ୍ମମାନଙ୍କର ବଙ୍ଗାଳିମାନଙ୍କ ସହିତ ବିଭିନ୍ନ ସୂତ୍ରରେ ସମ୍ପର୍କ ସ୍ଥାପିତ ହୋଇଥିଲା। ବିଶେଷ ଭାବରେ ମଧୁସୂଦନଙ୍କର ପୁତ୍ର କନ୍ୟାମାନେ ବଙ୍ଗଳାର ବିଶିଷ୍ଟ ବ୍ରାହ୍ମ ପରିବାର ମାନଙ୍କ ସହିତ ବୈବାହିକ ସୂତ୍ରରେ ଆବଦ୍ଧ ହୋଇଥିଲେ। ଊନବିଂଶ ଶତାବ୍ଦୀର ଶେଷ ଭାଗରେ ମିଶନାରୀ ମାନଙ୍କ ସହିତ ମିଶି ବ୍ରାହ୍ମମାନେ ହିଁ ନାରୀ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ଉତ୍କଳ ସାହିତ୍ୟ ପତ୍ରିକାର ସ୍ୱନାମଧନ୍ୟ ସମ୍ପାଦକ ବିଶ୍ୱନାଥ କରଙ୍କର କନ୍ୟା ସୁପ୍ରଭା, ପ୍ରତିଭା, ନର୍ମଦା, ମଧୁସୂଦନଙ୍କର କନ୍ୟା ବାସନ୍ତୀ, ଅବନ୍ତୀ ତଥା ଜଗନ୍ନାଥ ରାଓ ଙ୍କର ଦୁଇକନ୍ୟା ରେବା ଓ ସରସ୍ୱତି ସାମାଜିକ ରକ୍ଷଣଶୀଳତାକୁ ପରିହାର କରି ଆଧୁନିକ ଇଂରାଜୀ ଶିକ୍ଷା ଗ୍ରହଣ କ୍ଷେତ୍ରରେ ଆଗେଇ ଯାଇଥିଲେ। କିନ୍ତୁ ରେବାଙ୍କର ଉଚ୍ଚ ଶିକ୍ଷା ଅଭିଳାଷ ଯଥେଷ୍ଟ ଥିଲେ ମଧ୍ୟ ଓଡ଼ିଶାରେ ବାଳିକାମାନଙ୍କ ପାଇଁ ଏଥି ନିମନ୍ତେ ଆବଶ୍ୟକୀୟ ସୁବିଧା ସୁଯୋଗ ନ ଥିବାରୁ ସେ ବାଧ୍ୟ ହୋଇ ମଧ୍ୟ ଇଂରାଜୀ ଶିକ୍ଷା ପରେ ଅଟକି ଯାଇଥିଲେ।

Samadhwani Support us

କିନ୍ତୁ ରେବା ରାୟଙ୍କର ସାହିତ୍ୟ ପ୍ରତି ପ୍ରବଳ ଅନୁରାଗ ଥିଲା। ସେ ଗଳ୍ପ, କବିତା ରଚନା ଦିଗରେ ନିଜର ପାରଦର୍ଶିତା ଦେଖାଇଥିଲେ। ଯାଜପୁରର ବ୍ରାହ୍ମ ଆଦର୍ଶ ଶିକ୍ଷକ ସାଧୁଚରଣଙ୍କୁ ରେବା ବିବାହ କରିଥିଲେ। ଶାଶୁ ଘରେ ଏକ ଶୈକ୍ଷିକ ବାତାବରଣ ରହିଥିଲା। ସ୍ୱାମୀ ସାଧୁଚରଣ ରାୟ ନାରୀ ଶିକ୍ଷାକୁ ଉତ୍ସାହିତ କରୁଥିଲେ। ତାଙ୍କର ସାହିତ୍ୟ ଚରନା ପ୍ରତି ଆଗ୍ରହ ରହିଥିଲା। ସେ ପ୍ରୀତି କୁସୁମ, ଭାବ କୁସୁମ, ଧ୍ରୁବ ଚରିତ, କୌତୁକ କାହାଣୀ ପ୍ରଭୃତି କେତେକ ପୁସ୍ତକ ରଚନା କରିଥିଲେ। ସାଧୁ ଚରଣଙ୍କର ଏହି ଅନୁରାଗ ରେବାଙ୍କୁ ଲେଖିବା ପାଇଁ ପ୍ରେରଣା ଦେଇଥିଲା। ଏପରିକି ସାଧୁଚରଣ ନାରୀ ଶିକ୍ଷାର ଉନ୍ନତି ପାଇଁ ୧୮୮୯ ମସିହାରେ ବ୍ରାହ୍ମସମାଜ ମାଧ୍ୟମରେ ‘ଆଶା’ ନାମକ ଗୋଟିଏ ମାସିକ ପତ୍ରିକା ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ରେବା ଏହି ‘ଆଶା’ ପତ୍ରିକାର ସମ୍ପାଦନା ଦାୟିତ୍ୱ ଗ୍ରହଣ କରିଥିଲେ। ‘ଆଶା’ ପତ୍ରିକାଟି ସମ୍ପୂର୍ଣ୍ଣ ନାରୀଧର୍ମୀ ବିଷୟବସ୍ତୁ ଆଧାରିତ ଥିଲା। ତତ୍‌କାଳୀନ ସମୟର ନାରୀମାନଙ୍କର ଶିକ୍ଷା, ସଂସ୍କାର, ଚାରିତ୍ରିକ ଆଦର୍ଶ, ସେମାନଙ୍କର ସ୍ୱାଧୀନତା ତଥା ଆର୍ଥିକ ସ୍ୱାବଲମ୍ବନଶୀଳତା ସମ୍ପର୍କରେ ରେବା ରାୟ ଅନେକ ପ୍ରବନ୍ଧ ଲେଖିଥିଲେ। ରେବା ରାୟ ବାସ୍ତବରେ ଜଣେ ସଂସ୍କାର ପ୍ରବଣା ବ୍ୟକ୍ତିତ୍ୱ ଥିଲେ।

ନିଜର ଉଚ୍ଚ ଶିକ୍ଷା ଅଭିଳାଷକୁ ସେ ଚରିତାର୍ଥ କରି ପାରି ନ ଥିଲେ ବୋଲି ବହୁ ଶ୍ରମ ସ୍ୱୀକାର କରି ଝିଅ ମାନଙ୍କ ପାଇଁ ୧୯୦୫ ମସିହାରେ ଗୋଟିଏ ଉଚ୍ଚ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ପରବର୍ତ୍ତୀ ସମୟରେ ଏହି ବାଳିକା ବିଦ୍ୟାଳୟଟି ରେଭେନ୍‌ସା ବାଳିକା ବିଦ୍ୟାଳୟ ସହିତ ମିଶି ଯାଇଥିଲା। ଏହି ବିଦ୍ୟାଳୟର ପ୍ରଥମ ବ୍ୟାଚର ଛାତ୍ରୀମାନେ ହେଲେ ଚନ୍ଦ୍ରମୁଖୀ ଷଡ଼ଙ୍ଗୀ ଏବଂ ଜ୍ୟୋତିର୍ମୟୀ ଘୋଷ। ସେମାନେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଚନ୍ଦ୍ରମୁଖୀ ଷଡ଼ଙ୍ଗୀ କଲିକତାର ବେଥୁନ କଲେଜରେ ବି.ଏ. ପର୍ଯ୍ୟନ୍ତ ଅଧ୍ୟୟନ କରି କଟକର ସେହି ବାଳିକା ବିଦ୍ୟାଳୟରେ ଶିକ୍ଷକତା କରିଥିଲେ। ଊନବିଂଶ ଶତାବ୍ଦୀରେ ଓଡ଼ିଶାର ଝିଅ, ମହିଳାମାନଙ୍କର ଯେଉଁଭଳି ଦୟନୀୟ ସ୍ଥିତି ରହିଥିଲା ତାହାର ନିରାକରଣ ପାଇଁ ଅତ୍ୟନ୍ତ ସାହାସର ସହିତ ସାମ୍ନା କରିବାକୁ ରେବା ରାୟ ଦୃଢ଼ ସଂକଳ୍ପବଦ୍ଧ ହୋଇଥିଲେ। ଜଣେ ମହିଳା ପରାଧୀନ ଭାରତର ଓଡ଼ିଶା ଭଳି ଆହୁରି ଅନଗ୍ରସର ରାଜ୍ୟରେ ଏକ ବାଳିକା ବିଦ୍ୟାଳୟ ସ୍ଥାପନ କରିବା ଯଥାର୍ଥରେ ଅକଳ୍ପନୀୟ ଥିଲା। ଖାଲି ସେତିକିରେ ସେ ସନ୍ତୁଷ୍ଟ ହୋଇ ନ ଥିଲେ। ସ୍ୱାମୀ ସାଧୁରଚଣଙ୍କର ମୃତ୍ୟୁ ପରେ ସେ ଅଧିକ ସମୟ ସମାଜ ସେବା ଓ ସାହିତ୍ୟ ଲିଖନରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଯାଜପୁରର ଗୁହାଳିଠାରେ ମଧ୍ୟ ଗୋଟିଏ ମଧ୍ୟ ଇଂରାଜି ବିଦ୍ୟାଳୟ ବାଳିକାମାନଙ୍କ ପାଇଁ ସ୍ଥାପନ କରିଥିଲେ।

୧୯୦୦ ମସିହାରେ ତାଙ୍କର ଗଳ୍ପ ‘ଶକୁନ୍ତଳା’ ପ୍ରକାଶିତ ହୋଇଥିଲା। ଏହି ଗଳ୍ପଟି ଓଡ଼ିଆ ସାହିତ୍ୟରେ ଓଡ଼ିଆ ଲେଖିକା ରେବା ରାୟଙ୍କ ଦ୍ୱାରା ଲେଖା ଯାଇଥିବା ପ୍ରଥମ ଓଡ଼ିଆ କ୍ଷୁଦ୍ର ଗଳ୍ପ। ‘ଶକୁନ୍ତଳା’ ଏକ ସାମାଜିକ କ୍ଷୁଦ୍ର ଗଳ୍ପ ଥିଲା। କିନ୍ତୁ ବଡ ପରିତାପର ବିଷୟ ଏହି ଯେ, ‘ଶକୁନ୍ତଳା’ ଗଳ୍ପକୁ ଯେତିକି ଗୁରୁତ୍ୱ ମିଳିବା କଥା ତାହା ମିଳି ନାହିଁ। ରେବା ରାୟ ସାହିତ୍ୟରେ ନିଜର ସୃଜନମନସ୍କତାର ଛାପ ଛାଡି ଯାଇଛନ୍ତି। ୧୯୦୦ ମସିହାରେ ତାଙ୍କର ‘ଶକୁନ୍ତଳା’ ଗଳ୍ପ ପ୍ରକାଶିତ ହେଲା ପରେ ତାହା ଆଜି ୧୨୫ ବର୍ଷରେ ପଦାର୍ପଣ କରିଛି। ୧୮୯୮ ମସିହାରେ ଫକୀର ମୋହନ ସେନାପତିଙ୍କର ‘ରେବତୀ’ ଗଳ୍ପ ପ୍ରକାଶିତ ହୋଇଥିଲା। ‘ରେବତୀ’ ଠାରୁ ‘ଶକୁନ୍ତଳା’ ମାତ୍ର ଦୁଇବର୍ଷ ସାନ। ‘ରେବତୀ’ ଯେତେ ଚର୍ଚ୍ଚିତ ତଥା ଆଲୋଚନାର ବିଷୟବସ୍ତୁ ହୋଇଛି ସେତିକି ‘ଶକୁନ୍ତଳା’ ପାଇ ନାହିଁ। ‘ଶକୁନ୍ତଳା’ ଓ ‘ରେବତୀ’ ଗଳ୍ପର ପରିଣତି ବିୟୋଗାନ୍ତକ ହୋଇଛି। ‘ଶକୁନ୍ତଳା’ ଗଳ୍ପରେ ନାୟକ ନାୟିକା ପ୍ରେମ କରିଛନ୍ତି କିନ୍ତୁ ସମାଜର କଟକଣା, ପରମ୍ପରା ନାମରେ ସେମାନଙ୍କୁ ଗ୍ରହଣ କରାଯାଇ ନାହିଁ। ଯାହା ଫଳରେ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି। ପ୍ରେମ ଜାତି ମାନେ ନାହିଁ, ଉଚ୍ଚ ନୀଚର ପାର୍ଥକ୍ୟ ଦେଖେ ନାହିଁ। ନାୟକ ନାୟିକାଙ୍କ ମୃତ୍ୟୁ ମାଧ୍ୟମରେ ରେବା ରାୟ ସମାଜର ରୂଢ଼ିବାଦୀ ଚିନ୍ତାଧାରା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଫକୀର ମୋହନଙ୍କ ‘ରେବତୀ’ରେ ରେବତୀ ଶେଷରେ ଆତ୍ମହତ୍ୟା କରିଛି। କିନ୍ତୁ ‘ରେବତୀ’ ଓଡ଼ିଆ ସାହିତ୍ୟରେ ପ୍ରଥମ ଗଳ୍ପ ଭାବରେ ସ୍ୱୀକୃତ ହୋଇଛି। ‘ରେବତୀ’ ଲୋକପ୍ରିୟତାର ଶୀର୍ଷରେ ରହିଆସିଛି।

‘ରେବତୀ’ ୨୪ଟି ଭାରତୀୟ ଭାଷା ଓ ୧୨ଟି ବିଦେଶୀ ଭାଷାରେ ଅନୁଦିତ ହୋଇ ପୁସ୍ତକ ଭାବରେ ମିଳୁଛି। ରେବତୀକୁ ଉପଜୀବ୍ୟ କରି ‘ପୁନରାୟ ରେବତୀ’ ନାମରେ ଫ୍ରେଣ୍ଡସ୍ ପବ୍ଲିଶର୍ସଙ୍କ ଦ୍ୱାରା ୨୭୪ ପୁଷ୍ଠାରେ ୩୩ଟି ଗଳ୍ପ ସଙ୍କଳିତ ହୋଇ ପ୍ରକାଶିତ ହୋଇଛି। ଓଡ଼ିଆର ପ୍ରଥମ କ୍ଷୁଦ୍ର ଗଳ୍ପ ଭାବରେ ରେବତୀ ପରେ ଯେତେ କ୍ଷୁଦ୍ର ଗଳ୍ପ ଲେଖା ଯାଇଛି ଭାରତର ଅନ୍ୟ ପ୍ରାଦେଶିକ ଭାଷାର ପ୍ରଥମ ଗଳ୍ପ ପରେ ସେହି ଛାୟାରେ ପ୍ରାୟତଃ ଗଳ୍ପ ଲେଖାଯାଇ ନାହିଁ। କିନ୍ତୁ ରେବା ରାୟଙ୍କର ‘ଶକୁନ୍ତଳା’ ଗଳ୍ପର ଆଖ୍ୟାନରେ ସମସ୍ତ ବିଭବ ଥିବା ସତ୍ତ୍ୱେ ତାହା ରେବତୀ ସ୍ତରର ମର୍ଯ୍ୟାଦା ପାଇ ନାହିଁ। ୧୯୦୪ ମସିହାରେ ‘ଶକୁନ୍ତଳା’ ଗଳ୍ପ ସଙ୍କଳନ ପ୍ରକାଶିତ ହୋଇଥିଲା। ରେବା ରାୟ ଊନବିଂଶ ଶତାବ୍ଦୀର ଅନ୍ଧକାରାଚ୍ଛନ୍ନ କୁସଂସ୍କାର ଗ୍ରସ୍ତ ଅଶିକ୍ଷା ପୂର୍ଣ୍ଣ ଜଗତରେ ମହିଳାମାନେ ସଢ଼ୁଥିଲାବେଳେ ଏକ ଆଲୋକବର୍ତ୍ତିକା ସଦୃଶ ଆବିର୍ଭାବ ହୋଇ ନବ ସୃଜନର ଆଲୋକ ଦେଖାଇଥିଲେ।

ମାତ୍ର ୧୩ ବର୍ଷ ବୟସରୁ ରେବା ରାୟ କବିତା ଲେଖା ଆରମ୍ଭ କରିଥିଲେ। ତାଙ୍କର କବିତା ସମଗ୍ର ‘ଅଞ୍ଜଳି’ ନାମକ ଏକ ପୁସ୍ତକରେ ପ୍ରକାଶିତ ହୋଇଛି। ଓଡ଼ିଆ ସାହିତ୍ୟର ଯାତ୍ରା ପଥରେ ଯେତେ ସଂଖ୍ୟକ ଲେଖକ ଲେଖିକାଙ୍କ ଅବଦାନ ଅବିସ୍ମରଣୀୟ ହୋଇ ରହିଛି ସେହି ଭିତରୁ ରେବା ରାୟ ଅଗ୍ରଗଣ୍ୟା। ଓଡ଼ିଆ ସାହିତ୍ୟରେ ଶିଶୁ ସାହିତ୍ୟ ଦିଗଟି ଆଜି ବି ଅବହେଳିତ ହୋଇ ରହିଛି। ଶିଶୁ ସାହିତ୍ୟର ଇତିହାସ ସମ୍ପର୍କରେ ଆଲୋଚନା କଲାବେଳେ ରେବା ରାୟଙ୍କର ଅପ୍ରତିମ କୃତିକୁ ସ୍ମରଣ କରିବା ନିହାତି ଆବଶ୍ୟକ। ୧୯୦୯ ମସିହାରେ ଏପ୍ରିଲ୍ ମାସରେ ରେବା ରାୟଙ୍କର ସମ୍ପାଦନାରେ କଟକରୁ ମାସିକ ଓଡ଼ିଆ ପତ୍ରିକା ‘ପ୍ରଭାତ’ ସର୍ବ ପ୍ରଥମେ ପ୍ରକାଶ ପାଇଥିଲା। ୨୦୦୯ ମସିହାରେ ଓଡ଼ିଆ ଶିଶୁ ପତ୍ରିକାର ଶତବାର୍ଷିକୀ ପାଳନ ହୋଇସାରିଛି। ପତ୍ରିକାଟି ଅବଶ୍ୟ ଦୀର୍ଘଜୀବୀ ହୋଇ ପାରିନଥିଲା। ଅନିୟମିତ ଭାବରେ ପାଞ୍ଚଟି ବର୍ଷ ଚାଲିଲା ପରେ ୧୯୧୪ ବେଳକୁ ଏହାର ମୃତ୍ୟୁ ଘଟିଥିଲା। ଓଡ଼ିଆ ଶିଶୁ ସାହିତ୍ୟର ଇତିହାସରେ ‘ପ୍ରଭାତ’ ଏକ ଉଜ୍ଜ୍ୱଳ ତାରକା କହିଲେ ଅତ୍ୟୁକ୍ତି ହେବ ନାହିଁ।

‘ପ୍ରଭାତ’ର ପ୍ରଥମ ସଂଖ୍ୟାରେ ତା’ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବାକୁ ଯାଇ ସମ୍ପାଦିକା ରେବା ରାୟ ଭାବ ବିହ୍ୱଳ ସ୍ୱରରେ ଉଲ୍ଲେଖ କହିଥିଲେ – ‘ପ୍ରଭାତର ନବ ସୂର୍ଯ୍ୟ ଯେତେବେଳେ ପୂର୍ବ ଆକାଶକୁ ରଞ୍ଜିତ କରି ଧୀରେ ଧୀରେ ଆଲୋକିତ କରେ, ନିଦ୍ରିତା ଧରଣୀକୁ ଜାଗ୍ରତ କରି ସମସ୍ତଙ୍କ ପ୍ରାଣରେ ନବ ଆଶା, ନବ ଶକ୍ତି, ନବ ଉତ୍ସାହ ସଞ୍ଚାରିତ କରେ, ସେତେବେଳେ ବାଳ ବୃଦ୍ଧ ଯୁବକ କିଏ ଅଛି ଯାହାର ପ୍ରାଣ ଆନନ୍ଦାଭିଭୂତ ନ ହୁଏ। ପ୍ରଭାତ କେଉଁ କରୁଣାମୟ ବିଧାତାଙ୍କ ପ୍ରେମର ଗୋଟିଏ କଣିକା ବୋଲି ଜାଣି ଆଜି ଉତ୍କଳର ବାଳକ ବାଳିକାଙ୍କର ଶ୍ରୀକରରେ ଅର୍ପଣ କରୁଅଛୁଁ। ପ୍ରଭାତ ଯେପରି ତରୁଣ ଅରୁଣ ଘେନି ବିଶ୍ୱବିଧାତାଙ୍କର ରାଜ୍ୟରେ ନିତ୍ୟ ନିୟମିତ ରୂପେ ପ୍ରକାଶିତ ହୋଇ ପୃଥିବୀକୁ ଆଲୋକ ଦାନ କରୁଅଛି, ଜୀବ ଜଗତକୁ ସଞ୍ଜିବିତ କରି ରଖିଅଛି, ସେହିରୂପ ଆମ୍ଭ ମାନଙ୍କର ଏହି ଶିଶୁ ‘ପ୍ରଭାତ’ ଉତ୍କଳରେ ପ୍ରକାଶିତ ହୋଇ ଉତ୍କଳର ବାଳକ ବାଳିକା ମାନଙ୍କର ହୃଦୟରେ ଆନନ୍ଦ, ଉତ୍ସାହ, ଜ୍ଞାନ, ପୁଣ୍ୟ, ପ୍ରେମ ସଞ୍ଚାରିତ କରି ତାହାର କ୍ଷୁଦ୍ର ଜୀବନକୁ ଧନ୍ୟ ଓ କୃତାର୍ଥ କରୁ, ପରମ ପିତାଙ୍କ ଚରଣ ତଳେ ଏହାହିଁ ଆମ୍ଭ ମାନଙ୍କର ଏକାନ୍ତ ପ୍ରାର୍ଥନା। ସମ୍ପାଦିକା ରେବା ରାୟଙ୍କର ଏହି ଅଭିବ୍ୟକ୍ତି ଅତ୍ୟନ୍ତ ଉଚ୍ଛ୍ୱାସମୟ ହୋଇଥିଲା ପତ୍ରିକାର ପ୍ରଥମ ସଂଖ୍ୟାର ପ୍ରଥମ ପୃଷ୍ଠାରେ ମୁଦ୍ରିତ ‘ପ୍ରଭାତ’ ଶୀର୍ଷକ କବିତାରେ –

“ଉଠ ଉଠ ଜାଗ ବାଳକେ

ଦେଖ ଫେଡ଼ି ନୟନ

ପାହିଛି ଅନ୍ଧାର ରଜନୀ

ଧୀରେ ଉଇଁ ତପନ

ନବୀନ ଆଶାର ଆଲୋକ

ଆଙ୍କି ନୂତନ ଛବି

ପ୍ରକାଶେ ବିଭୁଙ୍କ ମହିମା

ସେହି ପରମ କବି

ବିହଙ୍ଗ ମଧୁର କଣ୍ଠରେ

ମୋହି ହୃଦୟ ମନ

ଡାକଇ ଆଦରେ ବାଳକେ

ଜାଗ ଜାଗ ବହନ

ପ୍ରଭାତ ସମୀର ଦୋହଲି

ମଲ୍ଲି ଗୋଲାପ ଯୂଇ

ସୁରଭି ଆଘ୍ରାଣେ ଡାକନ୍ତି

ଜାଗ ଭଗିନୀ ଭାଇ। (ପ୍ରଭାତ ପ୍ରଥମ ସଂଖ୍ୟା)

ପ୍ରତି ସଂଖ୍ୟାରେ ପ୍ରଭାତ ସମ୍ପର୍କୀୟ ଗୋଟିଏ ଲେଖାଏଁ ସୁନ୍ଦର ସରଳ ଭାବପୂର୍ଣ୍ଣ କବିତା ପ୍ରକାଶ ପାଉଥିଲା। ପ୍ରଥମ ସଂଖ୍ୟାରେ ପ୍ରଥମ କବିତା ବ୍ୟତୀତ ପ୍ରଭାତ ସମ୍ପର୍କରେ ଆହୁରି କେତେ ଗୁଡ଼ିଏ କବିତା ପ୍ରକାଶିତ ହୋଇଥିଲା। କିନ୍ତୁ ସେଥିରେ ଲେଖକ ଲେଖିକାମାନଙ୍କର ନାମ ନ ଥିଲା।

‘ପ୍ରଭାତ’ର ପ୍ରଥମ ସଂଖ୍ୟାଟି ବୈଶାଖ ୧୩୧୬ ବା ୧୯୦୯ ଏପ୍ରିଲ୍‌-ମେ ମାସରେ ଓଡ଼ିଶା ପାଟ୍ରିୟଟ୍ ପ୍ରେସ୍‌ରେ ଛପାଯାଇ ପ୍ରକାଶିତ ହୋଇଥିଲା। ପତ୍ରିକାଟି ପ୍ରକାଶ ପାଇବା ପୂର୍ବରୁ ‘ଉତ୍କଳ ଦୀପିକା’ ଅପ୍ରେଲ୍ ୧୦ ତାରିଖ ସଂଖ୍ୟାରେ ଗୋଟିଏ ସମ୍ବାଦ ଏହିପରି ପ୍ରକାଶ ପାଇଥିଲା। ତାହା ହେଉଛି “ଏ ନଗରର ଶ୍ରୀମତୀ ରେବା ରାୟଙ୍କର ଅନୁରୋଧ ମତେ ପ୍ରକାଶ କରୁଅଛୁଁ କି ସେ ଆସନ୍ତା ବୈଶାଖ ମାସରୁ ‘ପ୍ରଭାତ’ ନାମରେ ଖଣ୍ଡିଏ ଓଡ଼ିଆ ପତ୍ରିକା ବାହାର କରିବେ। ଏଥିରେ ବାଳକ, ବାଳିକାଙ୍କ ସୁଶିକ୍ଷା ନିମନ୍ତେ ନୀତି ଜ୍ଞାନ, ନିର୍ଦ୍ଦୋଷ କୌତୁକାଦି ଗଦ୍ୟ, ପଦ୍ୟ ଓ ପ୍ରବନ୍ଧ ପ୍ରକାଶ ହେବ। ଫୁଲ୍‌ସ୍କେପ୍ ସାଇଜ୍ ରେ ପତ୍ରିକା ଟି ଥିଲା ମୋଟ ୧୨ ପୃଷ୍ଠା ବିଶିଷ୍ଟ। ମଲାଟ ପୃଷ୍ଠାରେ ପ୍ରଭାତ କାଳର ପ୍ରସ୍ଫୁଟିତ ପଦ୍ମ ଫୁଲର ହାଫ୍ ଟୋନ୍ ଛବି ମୁଦ୍ରିତ ହୋଇଥିଲା। ଏହାର ସୂଚିପତ୍ରରେ ବିଷୟ ଗୁଡ଼ିକ ଥିଲା – ପ୍ରଭାତ (ପଦ୍ୟ), ପ୍ରଭାତର କଥା, ସେକାଳର କଥା, ପ୍ରାର୍ଥନା (ପଦ୍ୟ) ଧୂଳିର ଆଶ୍ଚର୍ଯ୍ୟ କାର୍ଯ୍ୟ, ସୃଷ୍ଟି ଓ ପ୍ରଳୟର କଥା, ଅପଚୟ କର ନାହିଁ, ଅଭାବ ହେବ ନାହିଁ (ଗପ), ସାକ୍ଷୀ ଶୃଗାଳ (ଗପ), ନବବର୍ଷ (ପଦ୍ୟ), କେ ଗୋ ତୁମେ (ପଦ୍ୟ), କୌତୁକ ପ୍ରଶ୍ନ।

‘ପ୍ରଭାତ’ ପତ୍ରିକାର ଲେଖକମାନେ ସେତେବେଳର ସ୍ୱନାମଧନ୍ୟ ଲେଖକ ଭାବରେ ସାହିତ୍ୟ ଜଗତରେ ପ୍ରତିଷ୍ଠିତ ଥିଲେ। ସେମାନେ ହେଲେ ବିପିନ ବିହାରୀ ସରକାର, ଏମ୍‌.ବି. ସୁଧୀରକାନ୍ତ ରାୟ, ପ୍ରଶାନ୍ତ ରାଓ, ଉପେନ୍ଦ୍ର କିଶୋର ରାୟ ଚୌଧୁରୀ, ଫକୀର ମୋହନ ସେନାପତି, ନୀଳମଣି ଧଳ, ଜିତେନ୍ଦ୍ର ଲାଲ ବସୁ, ହେମପ୍ରଭା ଦାସ, ଲକ୍ଷ୍ମୀନାରାୟଣ ସାହୁ, ବ୍ରହ୍ମାନନ୍ଦ ଷଡଙ୍ଗୀ, ମଦନ ମୋହନ ପଟ୍ଟନାୟକ, ପ୍ରାଣକୃଷ୍ଣ ପରିଜା, ସଚ୍ଚିଦାନନ୍ଦ ରାୟ, ବାଙ୍କନିଧି ପଟ୍ଟନାୟକ, ମୃତ୍ୟୁଞ୍ଜୟ ରଥ, ଜୟକୃଷ୍ଣ ମହାପାତ୍ର, ନାରାୟଣ ମୋହନ ଦେ। ଏତଦ୍‌ବ୍ୟତୀତ ଶିଶୁ ଲେଖକମାନଙ୍କୁ ମଧ୍ୟ ପ୍ରଭାତ ପୃଷ୍ଠାରେ ଉତ୍ସାହିତ କରାଯାଉଥିଲା। ଏପରିକି ପ୍ରଥମ ବର୍ଷର ଦ୍ୱିତୀୟ ସଂଖ୍ୟାଠାରୁ ସୁକାନ୍ତ ରାଓଙ୍କର ଐତିହାସିକ ଉପନ୍ୟାସ ‘ଖଣ୍ଡଗିରି ଉଦୟଗିରି’ ଧାରାବାହିକ ଭାବରେ ପ୍ରକାଶ ପାଉଥିଲା। କିନ୍ତୁ ଦୁଃଖର କଥା ପତ୍ରିକାଟି ଅନିୟମିତତା ପୂର୍ବକ ବନ୍ଦ ହେବାକୁ ବାଧ୍ୟ ହେବାରୁ ପ୍ରଥମ ଓଡ଼ିଶା ଶିଶୁ ଉପନ୍ୟାସ ପୂର୍ଣ୍ଣାଙ୍ଗ ରୂପରେ ଓଡ଼ିଶାର ପାଠକମାନେ ଦେଖିବାର ସୁଯୋଗରୁ ବଞ୍ଚିତ ହୋଇଥିଲେ। ପତ୍ରିକାଟି ପ୍ରଥମ ଚାରୋଟି ସଂଖ୍ୟା ନିୟମିତ ପ୍ରତି ମାସରେ ପ୍ରକାଶ ପାଇବା ପରେ ପରବର୍ତ୍ତୀ ସମୟରେ କେତୋଟି ସଂଖ୍ୟା ଦ୍ୱିମାସିକ ଭାବରେ ପ୍ରକାଶିତ ହୋଇଥିଲା। ପାଠକ ସଂଖ୍ୟା ସୀମିତ ହୋଇଥିଲେ ମଧ୍ୟ ‘ପ୍ରଭାତ’ ପତ୍ରିକା ଲୋକପ୍ରିୟ ହୋଇଥିଲା। ଏହାର ନିୟମିତ ଗ୍ରାହକମାନଙ୍କ ମଧ୍ୟରେ ଫକୀର ମୋହନ ସେନାପତି, ରାଧା ଚରଣ ଦାସ, ମହେଶ ଚନ୍ଦ୍ର ପ୍ରଧାନ, ଗୋପବନ୍ଧୁ ଦାସ, ପାର୍ବତି ଚରଣ ରାୟ, ପଣ୍ଡିତ ହରିହର ରଥ ପ୍ରମୁଖ ସେ ସମୟର ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ଥିଲେ। ‘ଉତ୍କଳ ଦୀପିକା’, ‘ପ୍ରଭାତ’ ସମ୍ପର୍କରେ ନିଜ ପତ୍ରିକାରେ ଲେଖିଥିଲେ – ‘ଆମ୍ଭେମାନେ ପ୍ରଭାତ ନାମକ ମାସିକ ପତ୍ରିକାର ଗତ କାର୍ତ୍ତିକ ଓ ମାର୍ଗଶୀର ସଂଖ୍ୟା ଏକତ୍ର ଏହି ମଇମାସ ପ୍ରଥମ ଭାଗରେ ପାଇ ଆନନ୍ଦିତ ହୋଇଅଛୁ। ସରଳମତି ବାଳକ ବାଳିକାମାନଙ୍କ ନିମିତ୍ତ ପତ୍ରିକା ଖଣ୍ଡିକ ସୁଖପାଠ୍ୟ କରିବାରେ ସମ୍ପାଦିକା ରେବା ରାୟ ଯତ୍ନରେ କିଛି ମାତ୍ର ତ୍ରୁଟି କରି ନାହାନ୍ତି। ପିଲାମାନଙ୍କୁ ଧର୍ମ ଏବଂ କର୍ତ୍ତବ୍ୟ ଜ୍ଞାନ ଶିକ୍ଷା ଦେବା ଏଥିର ପ୍ରଧାନ ଉଦ୍ଦେଶ୍ୟ ଏବଂ ନାନା ପ୍ରକାର ପ୍ରାକୃତିକ ଓ ଐତିହାସିକ କଥାମାନ ବର୍ଣ୍ଣନା କରି ବିଦ୍ୟାର୍ଥୀମାନଙ୍କ ଉତ୍ସାହ ବୃଦ୍ଧି କରିବାରେ ତ୍ରୁଟି ଦେଖା ନ ଯାଏ। ଏଥିରେ ଉପରର ଛବି ଯେମନ୍ତ ସୁନ୍ଦର କାଗଜ ତେମନ୍ତ ମସୃଣ। (ଉତ୍କଳ ଦୀପିକା – ୪ ଜୁନ୍ ୧୯୧୦)

ରେବା ରାୟ ଅସାଧାରଣ ଭାବରେ ସାହିତ୍ୟ, ସଂସ୍କୃତି, ଶିକ୍ଷା, ପତ୍ରିକା ସମ୍ପାଦନ, ବିଦ୍ୟାଳୟ ପ୍ରତିଷ୍ଠା କରିବା, ସମାଜ ସେବା ଭଳି ଅତ୍ୟନ୍ତ କଠିନ କାର୍ଯ୍ୟ ଗୁଡ଼ିକୁ ଅତ୍ୟନ୍ତ ଦକ୍ଷତାର ସହିତ ସମ୍ପାଦନ କରିଥିଲେ। ଅର୍ଥର ଘୋର ଅଭାବ, ସମାଜର ଯାବତୀୟ କଟକଣା, ଅସମାନତା, ଭେଦଭାବ ପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ରେ ମହିଳାମାନଙ୍କୁ ଦେଖାଯାଉଥିଲା ବେଳେ ରେବା ରାୟ ଜଣେ ଅସୀମ ସାହାସିନୀ ବୀରାଙ୍ଗନା ଭଳି ଏହି ସମସ୍ତ ପ୍ରତିବନ୍ଧକର ଶୃଙ୍ଖଳକୁ ଛିଣ୍ଡାଇ ବୀର ଦର୍ପରେ କାର୍ଯ୍ୟ କରି ଚାଲିଥିଲେ। ‘ପ୍ରଭାତ’ ଶିଶୁ ପତ୍ରିକା, ‘ଶକୁନ୍ତଳା’ ଗଳ୍ପ, ‘ବାଳିକା ବିଦ୍ୟାଳୟ’ ଯେତିକି ଦିନ ଚାଲି ବନ୍ଦ ହୋଇଯାଉ ପଛକେ ରେବା ରାୟ କେଉଁଠାରେ ଥକିପଡ଼ି ଯାଇ ନ ଥିଲେ କି ଅଟକି ଯାଇ ନ ଥିଲେ। ଓଡ଼ିଆ ସାହିତ୍ୟର ଇତିହାସରେ ଡକ୍ଟର ନଟବର ସାମନ୍ତରାୟ ସେଥିପାଇଁ ଉଲ୍ଲେଖ କରିଛନ୍ତି – “‘ଶକୁନ୍ତଳା’ ନାରୀଙ୍କ ଦ୍ୱାରା ଲିଖିତ ସର୍ବ ପ୍ରଥମ ସାମାଜିକ କ୍ଷୁଦ୍ରଗଳ୍ପ। ଦୁର୍ଭାଗ୍ୟର କଥା ଓଡ଼ିଆ ଗଳ୍ପ ସାହିତ୍ୟର ଯାତ୍ରା ପଥରେ ତାଙ୍କର ନାମକୁ ଯଥୋଚିତ ଭାବରେ ଉଲ୍ଲେଖ କରାଯାଇ ନାହିଁ।”

ରେବା ରାୟଙ୍କର ‘ଶକୁନ୍ତଳା’ ଠାରୁ ହିଁ ନାରୀ କଥାକାର ମାନଙ୍କର ଜୟଯାତ୍ରା ଆରମ୍ଭ ହୋଇ ବର୍ତ୍ତମାନର ୧୨୫ ବର୍ଷର ଇତିହାସକୁ ଆଲୋଚନା କଲେ ଜଣାଯାଏ ଏହା ନାରୀ ଚେତନା, ଚିନ୍ତାଧାରା, ସାମାଜିକ ସ୍ଥିତି, ମନସ୍ତତ୍ତ୍ୱ, ଲେଖନଶୈଳୀ, ଦର୍ଶନ, ଉପସ୍ଥାପନା ସବୁଥିରେ ଏକ ନୂତନ ସମ୍ଭାବନା ନୂତନ ପୃଥିବୀର ହିଂସାମୁକ୍ତ, ଅସମାନତା ରହିତ, ଲିଙ୍ଗ ବୈଷମ୍ୟରୁ ଊର୍ଦ୍ଧ୍ୱରେ ସମାଜର କଥା ଦୃଢ଼ ଆତ୍ମ ବିଶ୍ୱାସର ସହିତ ଓଡ଼ିଆ ସାହିତ୍ୟରେ ପରିବେଷଣ କରିଦେଇଛି। କୁନ୍ତଳା କୁମାରୀ ସାବତ, ସୁପ୍ରଭା ଦେବୀ, ସରଳା ଦେବୀ, ସୀତାଦେବୀ ଖାଡ଼ଙ୍ଗା, ପ୍ରତିଭା ଦେବୀ, ଶୈଳବାଳା ଦାସ, ସତ୍ୟଭାମା ଦେବୀ, ରମାଦେବୀ, ପୀତାମ୍ବରୀ ଦେବୀ, କୋକିଳ ଦେବୀ, କ୍ଷୀରୋଦ୍ରା ପରିଜା, ଲବଙ୍ଗଲତା ଦେବୀ ପ୍ରମୁଖ ବିଦୁଷୀ ନାରୀମାନଙ୍କର ଗଳ୍ପ, କବିତା, ଉପନ୍ୟାସ, ପ୍ରବନ୍ଧ, ଅନୁବାଦ ପ୍ରଭୃତି ଓଡ଼ିଆ ସାହିତ୍ୟକୁ ପରିପୁଷ୍ଟ କରିଛି। ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଲେଖିକାମାନେ ଆହୁରି ଶାଣିତ ହୋଇ ଆତ୍ମପ୍ରକାଶ କରିଛନ୍ତି। ମହିଷ୍ମତି ମୃତ୍ୟୁଷ୍ମତି ଲେଖିକା ରେବା ରାୟ ତାଙ୍କର ଅକ୍ଷୟୀ ଲେଖନୀର ଅମୃତସ୍ରାବୀ ବିଚାରରେ ଯେଉଁ ଆଗ୍ନେୟ ସ୍ଫୁରଣ କରିଯାଇଛନ୍ତି ତାହା କାଳଜୟୀ ବହ୍ନିମାନ ଶିଖା ଭାବରେ ଓଡ଼ିଆ ଜୀବନକୁ ଓଡ଼ିଆ ସାହିତ୍ୟକୁ ଆଲୋକିତ ଉତ୍‌ପ୍ରେକ୍ଷିତ କରୁଥିବ।

ସହାୟକ ଗ୍ରନ୍ଥସୂଚୀ :

୧.         ପ୍ରଭାତ ଓ ରେବା ରାୟ, ସଂଗ୍ରାହକ ଓ ସଙ୍କଳକ – ଡକ୍ଟର ମହେଶ୍ୱର ମହାନ୍ତି।

୨.         ଶହେ ପଚିଶ ବର୍ଷର ଆଧୁନିକ, ଓଡ଼ିଆ କ୍ଷୁଦ୍ରଗଳ୍ପ ଏକ ତାତ୍ତ୍ୱିକ ବିଶ୍ଲେଷଣ – ଡକ୍ଟର କବିତା ବାରିକ।

୩.         ଅଲିଭା ଅନଳ ଶିଖା ସରଳା ଦେବୀ, ବନଜ ଦେବୀ।

୪.         ଓଡ଼ିଆ ଉପନ୍ୟାସ ପରିଚିତି – ପ୍ରଫେସର୍ ଡକ୍ଟର ନାରାୟଣ ସାହୁ।

ଗାନ୍ଧୀ ନଗର ୪ର୍ଥ ସରଣୀ, ବ୍ରହ୍ମପୁର-୧, ମୋ : ୯୪୩୭୨୬୦୬୯୬

 

Share This Article