ଆମ ଲୋକନାଟ୍ୟ ସଂସ୍କୃତି

16 Min Read

ଗୋଟିଏ ଦେଶ ବା ଜାତିର ସାଂସ୍କୃତିକ ଇତିହାସ ଅନୁଧ୍ୟାନ କରିବାକୁ ହେଲେ ତାହାର ଲୋକସଂସ୍କୃତିର ପର୍ଯ୍ୟାଲୋଚନା ଏକାନ୍ତ ଆବଶ୍ୟକ । ଯେକୌଣସି ସାହିତ୍ୟର ଆଦ୍ୟ ଉତ୍ସ ତାହାର ଲୋକସାହିତ୍ୟରେ ନିହିତ ଥିବା ପରି ଗୋଟିଏ ସଂସ୍କୃତିର ଆଦ୍ୟ ସତ୍ତା ତାହାର ଲୋକସଂସ୍କୃତି ମଧ୍ୟରେ ଲୁକ୍କାୟିତ ହୋଇ ରହିଥାଏ ।

ଲୋକ ସଂସ୍କୃତିର ଏକ ବିଶିଷ୍ଟ ବିଭାଗ ରୂପେ ଲୋକସାହିତ୍ୟ ସ୍ୱୀକୃତ। ଲୋକଗୀତ, ଲୋକକଥା, ଲୋକଉକ୍ତି ପରି ଲୋକନାଟକ ହେଉଛି ଲୋକସାହିତ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଲୋକସଂସ୍କୃତିର ଆଦ୍ୟ ଉନ୍ମେଷ ସମ୍ପର୍କରେ ପ୍ରାମାଣିକ ତଥ୍ୟ ପ୍ରଦାନ କରିବା ଯେପରି କଷ୍ଟସାଧ୍ୟ ବ୍ୟାପାର, ଲୋକନାଟକର ଆଦ୍ୟ ରୂପ ସମ୍ପର୍କରେ ବିବରଣୀ ପ୍ରଦାନ କରିବା ସେହିପରି ଆୟାସ ସାଧ୍ୟ କାର୍ଯ୍ୟ । ତେବେ ଆମ ଲୋକନାଟ୍ୟ ପରମ୍ପରା ଆମ ଉକ୍ରଳୀୟ ସଂସ୍କୃତିର ଯେ ଏକ ପ୍ରାଚୀନ ଅଧ୍ୟାୟ, ଏଥିରେ ଦ୍ୱିମତ ହେବାର ଅବକାଶ ନାହିଁ।

ଓଡ଼ିଶାରେ ଲୋକନାଟ୍ୟ ସଂସ୍କୃତିର ପ୍ରାଚୀନତା ସାବ୍ୟସ୍ତ କରିବାକୁ ହେଲେ ଓଡ଼ିଆ ଜାତିର ଆଦ୍ୟ ଉନ୍ମେଷ ଓ ପ୍ରାଚୀନ ଉକ୍ରଳ ଭୂଖଣ୍ଡର ଭୌଗୋଳିକ ଅବସ୍ଥିତି ବିଷୟ ଅନୁଧ୍ୟାନ କରିବାକୁ ପଡ଼ିବ । ଭାରତରେ ଆର୍ଯ୍ୟ ସଭ୍ୟତାର ବିକାଶ ଘଟିବା ପୂର୍ବରୁ ଯେଉଁ ଉନ୍ନତ ଶବର ସଭ୍ୟତା ବା ଦ୍ରାବିଡ଼ ସଭା ତା ପ୍ରଚଳିତ ଥିଲା ତାହାର ବିଭିନ୍ନ ପୀଠସ୍ଥଳୀ ମଧ୍ୟରୁ ଉଡ଼୍ରଦେଶ ବା ଓଡ଼ିଶା ପ୍ରାଚୀନତମ । ସୁତରାଂ ସମୟର ନିରବଚ୍ଛିନ୍ନ ସ୍ରୋତରେ ବହି ଆସିଥିବା ସାଂସ୍କୃତିକ ପରମ୍ପରା ପ୍ରାଚୀନତାର ଛାପ ବହନ କରିବା ସ୍ୱାଭାବିକ । ଜଗନ୍ନାଥ ଧର୍ମ, ଓଡ଼ିଶୀ ନୃତ୍ୟ, ଛଉନୃତ୍ୟ, ପାଟୁଆ ଯାତ୍ରା, ଦଣ୍ଡଯାତ୍ରା ଇତ୍ୟାଦିର ଇତିହାସ ଏହି ସତ୍ୟ ଉଦ୍ଘାଟନ କରେ । ବେଦରେ ବର୍ଣ୍ଣିତ କେତେକ ଲୋକଯାତ୍ରା, ପର୍ବପର୍ବାଣି ଭାରତର ଅନ୍ୟାନ୍ୟ ସ୍ଥାନ ଅପେକ୍ଷା ଓଡ଼ିଶାରେ ଅଧିକ ପ୍ରଚଳିତ ଥିବାରୁ ସେଥିରୁ ମନେହୁଏ ସମ୍ଭବତଃ ପ୍ରାକ୍ବୈଦିକ ଯୁଗରୁ ଓଡ଼ିଶାରେ ତାହା ପାଳିତ ହୋଇ ଆସୁଅଛି ।

ଋକବେଦରେ ବର୍ଣ୍ଣିତ ହୋଇଛି ଯେ ଇନ୍ଦ୍ର, ମରୁତ, ଅଶ୍ୱିନୀକୁମାର, ଉଷା ପ୍ରଭୃତିଙ୍କ ଠାରୁ ନୃତ୍ୟର ବିକାଶ ସାଧନ ହୋଇଥିଲା ଏବଂ ବିବାହ, ଶସ୍ୟ-ଅମଳ-ସମୟ, ଯଜ୍ଞ ଇତ୍ୟାଦି ସାଧାରଣ ଜୀବନଯାତ୍ରାରେ ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିଲା । ଡକ୍ଟର କପିଳା ବାତ୍ସାୟନ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି –

‘In the Samaveda, references to dancing other than those already mentioned in Rigveda are few, but this Veda contributes greatly to this art by stating the concept of the Margi and Desi type Music and Dancing.’

କଠୋପନିଷଦରେ ଉଲ୍ଲିଖିତ ହୋଇଛି, ମୃତ୍ୟୁ ରହସ୍ୟ ଜାଣିବାରୁ ନଚୀକେତାକୁ କ୍ଷାନ୍ତ କରିବା ପାଇଁ ଯମରାଜ ତାଙ୍କୁ ନୃତ୍ୟପ୍ରବୀଣା ଦାସୀ ପ୍ରଦାନ କରି ପ୍ରଲୁବ୍ଧ କରାଇଥିଲେ । ଏହି ସବୁ ବର୍ଣ୍ଣନାରୁ ଜଣାଯାଏ ଯେ ବୈଦିକ ଯୁଗରେ ଆର୍ଯ୍ୟସମାଜ ନୃତ୍ୟ-ଗୀତ-ବାଦ୍ୟ ସମ୍ବଳିତ ‘ତୌର୍ଯ୍ୟତ୍ରିକ’ ବିଦ୍ୟାରେ ସୁସମୃଦ୍ଧ ଥିଲେ ।

ବିଭିନ୍ନ ଦେବୋତ୍ସବରେ ଦେବବିଗ୍ରହଙ୍କ ଶୋଭାଯାତ୍ରାରୁ ଓଡ଼ିଆ ଲୋକନାଟ୍ୟର ଉଦ୍ଭବ ହୋଇଛି । ପ୍ରାଚୀନ କାଳରେ ଗୀତ-ବାଦ୍ୟ-ନୃତ୍ୟ ସମ୍ବଳତ ଶୋଭାଯାତ୍ରାରେ ଦେବବିଗ୍ରହଙ୍କୁ ନିଆଯାଉ ଥିଲା । ଏହି ଶୋଭାଯାତ୍ରାରୁ ହିଁ ପରବର୍ତ୍ତୀ କାଳରେ ଯାତ୍ରାର ସୃଷ୍ଟି । ଏହି ଲେଖକ ତା’ର ‘ଓଡ଼ିଆ ଯାତ୍ରା ଓ ଲୋକନାଟକ’ ପୁସ୍ତକରେ ଏ ସମ୍ବନ୍ଧରେ ବିଶଦଭାବରେ ଆଲୋଚନା କରିଛି । ଏବେବି ଓଡ଼ିଶାର ପଲ୍ଲୀ ଅଞ୍ଚଳର ଯାତ୍ରା, ନାଚ, ନାଟ, ସଙ୍ଗୀତ, ଲୀଳା, ସମାଜ, ସୁଆଙ୍ଗ ଇତ୍ୟାଦି ଏକ ଅର୍ଥରେ ପ୍ରୟାଗ କରିଥାନ୍ତି ।

ଓଡ଼ିଆ ଲୋକନାଟକ ସମ୍ପର୍କରେ ପ୍ରାଚୀନତମ ଲିଖିତ ପ୍ରମାଣ ହେଉଛି ଐରବୀର ସମ୍ରାଟ ଖାରବେଳଙ୍କ ‘ହାତୀଗୁମ୍ଫା ଶିଳାଲେଖ ।’ ଏଥିରେ ପାଲି ଭାଷାରେ ଯାହା ଉଲ୍ଲେଖ ଅଛି, ତାହାର ସଂସ୍କୃତ ଅନୁବାଦ ହେଲା । ‘ତୃତୀୟେ ପୁନର୍ବକ୍ଷେ ଗନ୍ଧର୍ବ-ବେଦ-ବୁଧଃ ଦର୍ପନୃତ୍ତ-ଗୀତ ବାଦିତ୍ର ସନ୍ଦର୍ଶନୈରୁତ୍ସବଃ ସମାଜ – କାରଣାଭିଶ୍ଚ କ୍ରିଡ଼ୟତି ନଗୀମ୍…’ ଅର୍ଥାତ ‘ପୁଣି ତୃତୀୟ ବର୍ଷରେ ଗନ୍ଧର୍ବ-ବିଦ୍ୟା-ନିପୁଣ ମହାରାଜ ଦର୍ପ ନୃତ୍ୟ ଗୀତ ବାଦିକ୍ରର ସନ୍ଦର୍ଶନ କରାଇ ଓ ନାନା ସମାଜ ଉତ୍ସବର ଆୟୋଜନ କରି ନଗରୀକୁ ଆନନ୍ଦ ପ୍ରଦାନ କରିଥିଲେ ।’

ଏଠାରେ ପ୍ରୟୋଗ ହୋଇଥିବା ‘ସମାଜ’ଶବ୍ଦଟି ଯାତ୍ରା ବା ଲୋକନାଟକ ଅର୍ଥରେ ଯେ ବ୍ୟବହ୍ୟତ ହୋଇଛି ତାହା କହିବା ବାହୁଲ୍ୟ ମାତ୍ର । ଏହି ଶିଳାଲେଖଟି ଭାରତର ଗୀତ-ବାଦ୍ୟ-ନୃତ୍ୟ ସମ୍ପର୍କରେ ଏବଂ ଓଡ଼ିଆ ଜାତିର ଗାନ୍ଧର୍ବୀୟ ପାରଦର୍ଶିତା ବିଷୟରେ ପ୍ରାଚୀନତମ ପ୍ରମାଣ ଉପସ୍ଥାପନ କରେ । ନାଟ୍ୟତତ୍ତ୍ୱ ସମ୍ପର୍କୀୟ ସର୍ବପ୍ରଥମ ଗ୍ରନ୍ଥ ‘ନାଟ୍ୟଶାସ୍ତ୍ର’ର ପ୍ରଣେତା ଭରତ ମୁନିଙ୍କ ଜନ୍ମକାଳ ଏବେ ବି ସନ୍ଦେହପୂର୍ଣ୍ଣ । କେତେକ ତାଙ୍କୁ ଖ୍ରୀଷ୍ଟ ପ୍ରଥମ ଆଉ କେତେକ ତାଙ୍କୁ ଖ୍ରୀଷ୍ଟ ଚତୁର୍ଥ ଶତାବ୍ଦୀରେ ଅବସ୍ଥାପିତ କରନ୍ତି । ମାତ୍ର ଐର ସମ୍ରାଟ ଖାରବେଳଙ୍କ ସମୟ, ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀ ରୂପେ ଗୃହିତ ହୋଇଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହୁଏ ଯେ ଭରତମୁନିଙ୍କ ନାଟ୍ୟଶାସ୍ତ୍ର ରଚନା ହେବାର ପ୍ରାୟ ତିନିଶହ ବା ଛ’ଶହ ବର୍ଷ ପୂର୍ବରୁ ଓଡ଼ିଶାରେ ଗୀତ-ବାଦ୍ୟ-ନୃତ୍ୟ କଳା ଏକ ଶୃଙ୍ଖଳିତ କଳା ରୂପେ ପ୍ରବର୍ତ୍ତିତ ହୋଇ ସାରିଥିଲା । କେବଳ ସେତିକି ନୁହେଁ ଖାରବେଳ ରାଣୀଗୁମ୍ଫା ଠାରେ ନାଟ୍ୟ ଶାସ୍ତ୍ରାନୁମୋଦିତ ବିକୃଷ୍ଟ, ମଧ୍ୟମ ପ୍ରେକ୍ଷାବେଶ ଆକୃତିର ପ୍ରୋକ୍ଷାଗୃହ ଓ ଚତୁଃପାଶ୍ୱର୍ରେ ସୋପାନୀକୃତ ପୀଠକ ବା ଗ୍ୟାଲେରୀ ନିର୍ମାଣ କରି ଯଥାକ୍ରମେ ଚାରିଶହ ଓ କୋଡ଼ିଏ ହଜାର ଦର୍ଶକଙ୍କର ମନୋରଞ୍ଜନ ପାଇଁ ବ୍ୟବସ୍ଥା କରିଥିଲେ । ହାତୀଗୁମ୍ଫାର ମୁକ୍ତାକାଶ ପ୍ରେକ୍ଷାଗୃହ ଦର୍ଶନ କଲେ ମନେ ହୁଏ ‘ନାଟ୍ୟଶାସ୍ତ୍ର’ ରଚୟତା ଭରତ ମୁନି ସମ୍ଭବତଃ ଓଡ଼ିଶାର ଅଧିବାସୀ ଥିଲେ ଅଥବା ଓଡ଼ିଶାର ଗୀତ-ବାଦ୍ୟ-ନୃତ୍ୟ, ନାଟ୍ୟକଳା ଓ ମଞ୍ଚ-ନିର୍ମାଣ-କଳାର ସୁଦୀର୍ଘ ପରମ୍ପରା ସହିତ ପରିଚିତ ଥିଲେ ।

ତକ୍ରାଳୀନ ଭାରତରେ ପ୍ରଚଳିତ ନାଟ୍ୟ-ପ୍ରବୃତ୍ତି ବା ନାଟ୍ୟଶୈଳୀକୁ ଚାରି ଭାଗରେ ବିଭକ୍ତ କରି ଭରତ ମୁନି ‘ନାଟ୍ୟଶାସ୍ତ୍ର’ରେ ଯେଉଁ ନାମୋଲ୍ଲେଖ କରିଛନ୍ତି ସେଥି ମଧ୍ୟରୁ ପୂର୍ବ ଭାରତରେ ପ୍ରଚଳିତ ଉଡ଼୍ର-ମାଗଧୀ ବା ଉକ୍ରଳୀୟ ଶୈଳୀ ଅନ୍ୟତମ । ସେ ଲେଖିଛନ୍ତି –

‘ଚତୁର୍ବିଧା ପ୍ରବୃତ୍ତିଶ୍ଚ ପ୍ରୋକ୍ତା ନାଟ୍ୟ ପ୍ରୟୋକ୍ତୃଭିଃ ।

ଅବନ୍ତୀ ଦାକ୍ଷିଣାତ୍ୟା ଚ ପାଞ୍ଚାଳୀ ଉଡ଼୍ର-ମାଗଧୀ ।’

ଡଃ ସତ୍ୟନାରାୟଣ ରାଜଗୁରୁ ଭରତ ମୁନିଙ୍କ ସମୟକୁ ଖ୍ରୀଷ୍ଟ ଚତୁର୍ଥ ଶତାବ୍ଦୀରେ ଅବସ୍ଥାପିତ କରି ଦାକ୍ଷିଣାତ୍ୟ ପ୍ରବୃତ୍ତିରେ କଳିଙ୍ଗ-ଶୈଳୀକୁ ଅନ୍ତର୍ଭୁକ୍ତ କରିଛନ୍ତି । ତାଙ୍କ ମତ ଅନୁସାରେ ସମଗ୍ର ଦକ୍ଷିଣ ଭାରତ ଓ ପୂର୍ବ ଭାରତରେ ଉକ୍ରଳୀୟ ନାଟ୍ୟ ଶୈଳୀ ସେତେବେଳେ ଖ୍ୟାତି ଅର୍ଜନ କରିଥିଲା ।

ଓଡ଼ିଆ ଲୋକନାଟ୍ୟ ପରମ୍ପରାରେ ନୃତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏ ପ୍ରସଙ୍ଗରେ ଉଡ଼୍ର ନୃତ୍ୟ ବା ଓଡ଼ିଶୀ ନୃତ୍ୟର ପ୍ରାଚୀନତା ବିଚାର୍ଯ୍ୟ। ଗଜପତି ମୁକୁନ୍ଦଦେବ (୧୫୫୯-୬୮)ଙ୍କ ସଭାପଣ୍ଡିତ ତଥା ମୋଗଲ ବାଦସାହା ଆକବରଙ୍କ ଦିଲ୍ଲୀ ଦରବାରରେ ସମ୍ମାନିତ ଭାରତ ବିଖ୍ୟାତ ସଙ୍ଗୀତଜ୍ଞ କୃଷ୍ଣଦାସ ବଡ଼ଜେନା ମହାପାତ୍ର ଏବଂ ମହେଶ୍ୱର ମହାପାତ୍ର ଯଥାକ୍ରମେ ସ୍ୱରଚିତ ‘ଗୀତପ୍ରକାଶ’ ଓ ‘ଅଭିନୟଚନ୍ଦ୍ରିକା’ ଗ୍ରନ୍ଥରେ ଉଡ଼୍ର ନୃତ୍ୟ ବା ଓଡ଼ିଶୀ ନୃତ୍ୟର ଉତ୍ପତ୍ତି, ବିକାଶ ଓ ବୈଶିଷ୍ଟ୍ୟ ସମ୍ବନ୍ଧରେ ବହୁ ମୂଲ୍ୟବାନ ତଥ୍ୟ ଉପସ୍ଥାପନ କରିଛନ୍ତି ।

‘ଅଭିନୟଚନ୍ଦ୍ରିକା’ରେ ଉଲ୍ଲିଖିତ ହୋଇଛି ‘ଅଟ୍ଟହାସ ମହାନ ପ୍ରାଜ୍ଞ ଉଡ଼୍ର ନୃତ୍ୟ ବିଶାରଦଃ ।’ ଏହି ଅଟ୍ଟହାସ ହେଉଛନ୍ତି ଉକ୍ରଳର ରାଜକୁମାର ତଥା ଜ୍ଞାନ ସଂଗ୍ରହୀ ମହାନ ପ୍ରାଜ୍ଞ ଉଡ଼୍ର ନୃତ୍ୟ ବିଶାରଦ । ସମ୍ରାଟ ଚୋଳଗଙ୍ଗ ଦେବ (୧୧୧୨-୧୧୪୭ ଖ୍ରୀଷ୍ଟାବ୍ଦ)ଙ୍କ ରାଜତ୍ୱ କାଳରେ ଜଗନ୍ନାଥ ମନ୍ଦିର ନିର୍ମାଣ ପରେ ତଦୀୟ ପୁତ୍ର ଅଟ୍ଟହାସ ଦେବଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟର ବିକାଶ ସାଧନ ହୋଇଥିବା ସମ୍ଭବପର ବୋଲି ଗବେଷକମାନେ ମତବ୍ୟକ୍ତ କରନ୍ତି । କାବ୍ୟ ଶାସ୍ତ୍ରାନୁସାରେ ଓଡ଼ିଶୀ ନୃତ୍ୟ କିପରି ପ୍ରଚଳନ କରାଯାଉଥିଲା ସେ ସମ୍ପର୍କରେ ‘ଅଭିନୟ ଚନ୍ଦ୍ରିକା’ରେ କୁହାଯାଇଛି –

‘କାବ୍ୟ ଶାସ୍ତ୍ରାନୁସାରେଣ ରତି ନୃତ୍ୟେ ସମାଚାରେତ୍

ଉଡ଼୍ର ଦେଶେ ସଦା ଶ୍ରେଷ୍ଠଂ ନୃତ୍ୟା ଭିନୟ ପ୍ରକ୍ରିୟା ।’

ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟତା ପ୍ରତିପାଦନ କରାଯାଇ ଏହାର ଅଙ୍ଗଭୂଷଣ, ବେଶବିନ୍ୟାସ ସମ୍ପର୍କରେ ଏହି ଗ୍ରନ୍ଥରେ ସୂଚନା ଦିଆଯାଇଛି –

‘ବେଶବିନ୍ୟାସ ଯୁକ୍ତେନ ହୁଡ଼ାଦି କାଞ୍ଚଲାଦୟଃ

କ୍ରିକଚ୍ଛାଦି ସମାଯୁକ୍ତେ ଶୋଭା ଅଙ୍ଗ ବିଭୂଷଣଂ ।’

‘ଅଭିନୟ ଚନ୍ଦ୍ରିକା’ ଗ୍ରନ୍ଥ ଦ୍ୱାରା ଭାରତର ବିଭିନ୍ନ ନୃତ୍ୟ ମଧ୍ୟରେ ଓଡ଼ିଶୀ ନୃତ୍ୟର ପ୍ରାଚୀନତା ସାବ୍ୟସ୍ତ ହୋଇଛି । ଓଡ଼ିଶୀ ନୃତ୍ୟର ତ୍ରିଭଙ୍ଗୀ, ଠାଣି, ମୁଦ୍ରା ଭାରତରେ ଏହି ନୃତ୍ୟର କେବଳ ବୈଶିଷ୍ଟ୍ୟ ପ୍ରତିପାଦନ କରେନାହିଁ ଏହାର ପ୍ରାଚୀନତା ପ୍ରମାଣ କରେ । ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କଳା ସମୀକ୍ଷକ ଡକ୍ଟର ଚାର୍ଲସ୍ ଫାବ୍ରୀ, ଭାରତ ନାଟ୍ୟମ୍ ଠାରୁ ଓଡ଼ିଶୀ ନୃତ୍ୟକୁ ପ୍ରାଚୀନତର ବୋଲି ମତ ଦେଇ କହିଛନ୍ତି – ‘ଓ ଷବଙ୍ଖର ବକ୍ଷଗ୍ଦକ୍ଟ କ୍ସରବଗ୍ଦକ୍ଟଦ୍ଭଗ୍ଦ ଗ୍ଧକ୍ଟ ମକ୍ଟଦ୍ଭମକ୍ଷଙ୍କୟର ଗ୍ଧଷବଗ୍ଧ ଙୟସଗ୍ଦଗ୍ଦସ ସଗ୍ଦ ବ ଜ୍ଞକ୍ଟକ୍ସର କ୍ଟ୍ରକ୍ସସଗ୍ଦଗ୍ଧସଦ୍ଭର ବ ଜ୍ଞକ୍ଟକ୍ସର ମବକ୍ସରଲଙ୍କକ୍ଷକ୍ଷଚ୍ଚ କ୍ଟ୍ରକ୍ସରଗ୍ଦରକ୍ସଙ୍ଖରୟ କ୍ଟ୍ରକ୍ସସଦ୍ଭଗ୍ଦସଗ୍ଧସଙ୍ଖର ଲକ୍ଟକ୍ସଜ୍ଞ କ୍ଟଲ ଘବଗ୍ଧଚ୍ଚବ.’

ଓଡ଼ିଶାରେ ଏହି ଗୀତ-ବାଦ୍ୟ-ନୃତ୍ୟ ପରମ୍ପରା କେବଳ ଗୀତ ଓ ନୃତ୍ୟକୁ ବିଧିବଦ୍ଧ ଶାସ୍ତ୍ରୀୟ ରୂପ ଦେଇ ନଥିଲା କାଳକ୍ରମେ ନାଟକର ବିକାଶରେ ମଧ୍ୟ ଭିତ୍ତିଭୂମି ସ୍ଥାପନ କରିଥିଲା । ଏହି ନାଟ୍ୟଶୈଳୀ ମାର୍ଗୀ ବା ଶାସ୍ତ୍ରୀୟ ଏବଂ ଦେଶୀ ବା ଲୋକ ପ୍ରଚଳିତ ଶୈଳୀରେ ବିଭକ୍ତ ହୋଇ ଏକକାଳୀନ ଯଥାକ୍ରମେ ଶିଷ୍ଟ ଦର୍ଶକମଣ୍ଡଳୀ ଓ ସାଧାରଣ ଦର୍ଶକମଣ୍ଡଳୀଙ୍କୁ ଆମୋଦ ପ୍ରଦାନ କରୁଥିଲା । ଲୋକନାଟକ ଏହି ଦେଶୀ-ଶ୍ରେଣୀର ଅନ୍ତର୍ଭୁକ୍ତ ।

ଓଡ଼ିଶାରେ ସଂସ୍କୃତ ନାଟକ ରଚନା ଓ ମଞ୍ଚାଭିନୟର ସୁଦୀର୍ଘ ଇତିହାସ ଏହି ମାର୍ଗୀ ଶୈଳୀର ସାକ୍ଷ୍ୟ ବହନ କରେ । ମୁରାରି ମିଶ୍ର (୯ମ ଶତାବ୍ଦୀ)ଙ୍କ ଅନର୍ଘ ରାଘବ ନାଟକ ଠାରୁ ଆରମ୍ଭ କରି ଚୈତନ୍ୟଙ୍କ ଦୀକ୍ଷାଗୁରୁ ଭକ୍ତକବି ରାୟ ରାମାନନ୍ଦ ପଟ୍ଟନାୟକଙ୍କ ଶ୍ରୀଜଗନ୍ନାଥ ବଲ୍ଲଭ ନାଟକ ବିଭିନ୍ନ ସମୟରେ ଶ୍ରୀକ୍ଷେତ୍ର ପୁରୀରେ ଅଭିନୀତ ହୋଇ ଓଡ଼ିଶାର ମାର୍ଗୀ-ନାଟ୍ୟ ପରମ୍ପରାକୁ ସୁଦୃଢ଼ କରିଥିଲା ।

ଓଡ଼ିଶାରେ ଲୋକନାଟ୍ୟର ପ୍ରଭାବ ଏତେ ସୁଦୁରପ୍ରସାରୀ ଥିଲା ଯେ ସଂସ୍କୃତ କବି ଓ ନାଟ୍ୟକାରମାନେ ଶିଷ୍ଟଦର୍ଶକଙ୍କ ନିମନ୍ତେ ଲୋକନାଟ୍ୟ ପଦ୍ଧତିରେ ସଂସ୍କୃତ ନାଟକ ମାନ ରଚନା କରୁଥିଲେ ।

ଜୟଦେବଙ୍କ ‘ଶ୍ରୀ ଗୀତଗୋବିନ୍ଦ’ ଏ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଉଦାହରଣ । ସେଥିପାଇଁ କାଳୀଚରଣ ପଟ୍ଟନାୟକ ଯଥାର୍ଥରେ କହିଛନ୍ତି ‘ଦ୍ୱାଦଶ ଶତାବ୍ଦୀରେ ଆମେ ପାଉଁ ଉକ୍ରଳର ପ୍ରଥମ ଗୀତିନାଟ୍ୟ ଶ୍ରୀ ଗୀତଗୋବିନ୍ଦ, ଏହା ଏକ ସୁନ୍ଦର ଗୀତାଭିନୟ ଢଢ ଗୀତଗୋବିନ୍ଦର ଦ୍ୱାଦଶ ସର୍ଗ ମଧ୍ୟରେ ନାଟକୀୟ ଦୃଶ୍ୟ ଓ ଅଙ୍କ ବିଭାଗ କଳ୍ପନାର ଅଭିପ୍ରାୟାନୁସାରୀ ବିଭକ୍ତିର ସମସ୍ତ ବ୍ୟବସ୍ଥା ସୁସଜ୍ଜିତ ।’ ଅଧ୍ୟାପକ ବୁଜେନ୍ଦ୍ର ଚନ୍ଦ୍ର ଭଟ୍ଟାଚାର୍ଯ୍ୟ ଏ ପ୍ରସଙ୍ଗରେ କହିଛନ୍ତି ‘ମନେ ହୁଏ, ଏଇ ଗାନଗୁଲି (ଗୀତଗୋବିନ୍ଦ) ଲଇୟା ପ୍ରଥମେ ଯାତ୍ରାପାଲାର ମତ ଗୀତିନାଟ୍ୟ ରଚିତ ହଇୟାଚିଲ ।

ପରେ ସର୍ବଗନ୍ଧ ‘ମହାକାବ୍ୟ’- ଏର ରୂପ ଦେଓୟା ହଇୟାଛେ ।’ ବଙ୍ଗଳା ସାହିତ୍ୟର ପ୍ରଖ୍ୟାତ ସମୀକ୍ଷକ ଡଃ ସୁକୁମାର ସେନ୍ ଶ୍ରୀ ଗୀତଗୋବିନ୍ଦର ପ୍ରଥମ ସର୍ଗରେ ଶ୍ରୀ ଜୟଦେବ ପ୍ରୟୋଗ କରିଥିବା ‘ବୟମ’ ଶବ୍ଦର ତର୍ଜମା କରି କହିଛନ୍ତି ଯେ ସମ୍ଭବତଃ ଶ୍ରୀ ଜୟଦେବଙ୍କର ନାଟ୍ୟ ଦଳ ଥିଲା ଏବଂ ଦଳର କଳାକାରମାନଙ୍କୁ ଲକ୍ଷ୍ୟ କରି ସେ ‘ବୟମ’ ଶବ୍ଦ ବ୍ୟବହାର କରିଛନ୍ତି । ଶ୍ରୀ ଜୟଦେବଙ୍କ ଉକ୍ତିଟି ହେଲା –

‘ତମ ଚରଣେ ପ୍ରଣତା ବୟମିତି ଭାବୟ

କୁରୁ କୁଶଳଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ।’

ଓଡ଼ିଶାର ପୂର୍ବକାଳରେ କେଉଁ ପ୍ରକାରର ଓଡ଼ିଆ ଲୋକନାଟକ ପ୍ରଚଳିତ ଥିଲା ସମ୍ରାଟ କପିଳେନ୍ଦ୍ର ଦେବଙ୍କ ରାଜତ୍ୱ ପୂର୍ବରୁ ତାହାର ଲିଖିତ ପ୍ରମାଣ ପ୍ରାୟ ମିଳେ ନାହିଁ । ସମ୍ଭବତଃ ତାହା ମୁଖରୁ ମୁଖକୁ ଅଭ୍ୟାସ ବଳରେ ଚଳି ଆସୁଥିଲା । କାରଣ ସଂସ୍କୃତ ପଣ୍ଡିତଙ୍କ ଭୟରେ କେତେବେଳେ ପ୍ରାନ୍ତୀୟ ଭାଷାରେ କୌଣସି ନାଟକ ଲେଖିବାକୁ ପ୍ରାନ୍ତୀୟ କବିମାନେ ସାହସ କରୁନଥିଲେ । କାବ୍ୟ ବା ନାଟକର ଏକମାତ୍ର ଭାଷା ଥିଲା ସଂସ୍କୃତ । ମାତ୍ର ସମ୍ରାଟ କପିଳେନ୍ଦ୍ର ଦେବଙ୍କ ପୃଷ୍ଠପୋଷତା, ପ୍ରେରଣା ଓ କ୍ରାନ୍ତିକାରୀ ପଦକ୍ଷେପ ଯୋଗୁଁ ସାରଳାଦାସ ପ୍ରଭୃତି ବରେଣ୍ୟ କବିମାନେ ଓଡ଼ିଆରେ ମହାକାବ୍ୟ ଓ କାବ୍ୟ ଲେଖିବା ପାଇଁ ସାହସ କରିଥିଲେ । ଏପରିକି କପିଳେନ୍ଦ୍ରଙ୍କ ନାମରେ ଭଣିତ ‘ପରଶୁରାମ ବ୍ୟାୟୋଗ’ ସଂସ୍କୃତ ନାଟକରେ ସର୍ବପ୍ରଥମେ ପ୍ରାନ୍ତୀୟ ଓଡ଼ିଆ ଗୀତ ସନ୍ନିବେଶ କରି କପିଳେନ୍ଦ୍ର ଦେବ ସମଗ୍ର ଭାରତବର୍ଷରେ ସଂସ୍କୃତ ସାହିତ୍ୟ ଓ ପ୍ରାନ୍ତୀୟ ପରମ୍ପରାରେ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲେ । କପିଳେନ୍ଦ୍ର ଦେବଙ୍କ ଏହି ବୈପ୍ଳବିକ ପଦକ୍ଷେପ ଓଡ଼ିଆ କବି, ନାଟ୍ୟକାର, ଲୋକନାଟ୍ୟକାରଙ୍କୁ ଉତ୍ସାହିତ କରିଥିଲା ଓଡ଼ିଆରେ ଲେଖିବା ପାଇଁ।

ନାଟ୍ୟବସ୍ତୁ ପରିବେଷଣ କଳା, ରଚନା ଶୈଳୀ ପ୍ରଭୃତି ଦୃଷ୍ଟିରୁ ଓଡ଼ିଶାରେ ପ୍ରଚଳିତ ଥିବା ଓଡ଼ିଆ ଲୋକନାଟକକୁ ମୁଖ୍ୟତଃ ପାଞ୍ଚଭାଗରେ ବିଭକ୍ତ କରାଯାଇପାରେ, ଯଥା- (୧) ନାଚ, ନାଟ, ସୁଆଙ୍ଗ, (୨) ଲୀଳା, (୩) ଗୀତାଭିନୟ ଓ ଗୀତିନାଟ୍ୟ, (୪) ଫାର୍ସ, ତାମସା, ପ୍ରହସନ, (୫) ଆଧୁନିକ ଯାତ୍ରା ବା ଯାତ୍ରାନାଟକ । ନାଚ ବା ନାଟ ମଧ୍ୟରେ ଗୋଟିପୁଅ ନାଚ, ଦଣ୍ଡନାଟ, ଚଢ଼େୟା ନାଟ, ସଖୀ ନାଚ, କଣ୍ଢେଇ ନାଚ ଇତ୍ୟାଦି ଅନ୍ତର୍ଭୁକ୍ତ ।

ଆଲୋଚକଙ୍କ ମତରେ ଦଣ୍ଡନାଟର ମୂଳଉତ୍ସ ହେଉଛି ତନ୍ତ୍ରବାଦ । ଲୀଳା, ଗୀତାଭିନୟ, ଗୀତିନାଟ୍ୟର ଆଦ୍ୟାବସ୍ଥା ରୂପେ ସୁଆଙ୍ଗକୁ ସାଧାରଣତଃ ଗ୍ରହଣ କରାଯାଏ । ଓଡ଼ିଆ ଲୀଳା ମୁଖ୍ୟତଃ ରାମଲୀଳା ଓ କୃଷ୍ଣଲୀଳାକୁ ଆଧାର କରି ଗଢ଼ିଉଠିଛି । ରାମ ଏବଂ କୃଷ୍ଣଙ୍କର ଅଲୌକିକ କୃତିତ୍ୱକୁ ରାଗଯୁକ୍ତ ଛନ୍ଦୋବଦ୍ଧ ପଦରେ ଲୀଳାରେ ବର୍ଣ୍ଣନା କରାଯାଏ । ପ୍ରସିଦ୍ଧ ଲୀଳାକାର କବି କୃଷ୍ଣକାନ୍ତ ଦାସ ନିଜସ୍ୱ ରାମଲୀଳାକୁ ଆକର୍ଷଣୀୟ କରିବା ନିମନ୍ତେ ରାବଣ, ମହୀରାବଣ, ବିଭୀଷଣ, ହନୁମାନ ପ୍ରଭୃତି ଚରିତ୍ରର ମୁଖା ପ୍ରଚଳନ କରିଥିଲେ । ଓଡ଼ିଆ ଲୀଳାଭିନୟ ଇତିହାସରେ କୃଷ୍ଣକାନ୍ତଙ୍କ ମୁଖା ପ୍ରଚଳନ ସମ୍ପୂର୍ଣ୍ଣ ନୂତନ ପଦକ୍ଷେପ । ଏପରିକି ପ୍ରସିଦ୍ଧ ଲୀଳାକାର ଜଗନ୍ନାଥ ପାଣି ଓ ବୈଷ୍ଣବ ପାଣିଙ୍କ ସମ୍ପୃକ୍ତ ଲୀଳାଭିନୟରେ ମୁଖା ପ୍ରଚଳନ କରାଯାଏ ନାହିଁ । କୃଷ୍ଣଲୀଳା ମଧ୍ୟରେ ରାସଲୀଳା ଓଡ଼ିଶାରେ ବିଶେଷ ଜନପ୍ରିୟ ଥିଲା । ଓଡ଼ିଆ କବି, କଳାକାର, ପଣ୍ଡିତମାନେ ବିଭିନ୍ନ ଯୁଗରେ ଯେଉଁ ଚିନ୍ତା, ଚେତନା, ଦର୍ଶନ ପ୍ରକଟ ବା ପ୍ରଚାର କରିଛନ୍ତି ତାହା ସର୍ବଦା ଭାରତୀୟ ପରମ୍ପରାସମ୍ମତ ହୋଇଛି ଓ ବୈଦିକ ଦର୍ଶନ ଉପରେ ଆଧାରିତ ହୋଇଛି ।

ପ୍ରାକ୍ ବୈଦିକ ଯୁଗରେ ଉକ୍ରଳୀୟ ଭୂଖଣ୍ଡର ଧର୍ମୀୟ ଓ ସାମାଜିକ ଚେତନା ଆର୍ଯ୍ୟମାନଙ୍କୁ ପ୍ରଭାବିତ କରିଥିବାର ବହୁ ପ୍ରମାଣ ବେଦରେ ମଧ୍ୟ ଦେଖିବାକୁ ମିଳେ । ଉପନିଷଦରେ ନିରାକାର ବ୍ରହ୍ମଙ୍କୁ ରସର ଆଧାର ବୋଲି କଳ୍ପନା କରାଯାଇ କୁହାଯାଉଛି ‘ରସୋ ବୈସଃ’ ଅର୍ଥାତ୍ ସେହି ପରଂବ୍ରହ୍ମ ହେଉଛନ୍ତି ରସ । ଲୀଳାଧାରିତ ବିଷୟବସ୍ତୁ, ପରମାତ୍ମା ବିଷ୍ଣୁ ବା ତାଙ୍କ ଅଂଶାବତାରର ଲୀଳା ଉପରେ ପର୍ଯ୍ୟବସିତ ହୋଇଥିବାରୁ ଏହାର ପଠନ ଓ ଦର୍ଶନ ଦିବ୍ୟାନନ୍ଦ ପ୍ରଦାନ କରେ । ଏତାଦୃଶ ସାହିତ୍ୟାନନ୍ଦ ବା କାବ୍ୟାନନ୍ଦକୁ ଲକ୍ଷ୍ୟ କରି କୁହାଯାଇଛି ବ୍ରହ୍ମାସ୍ୱାଦ ସହୋଦର ରସଃ ।

ଯେଉଁମାନେ ଲୀଳାଭିନୟ ଦର୍ଶନ କରିଛନ୍ତି ସେମାନେ ନିଶ୍ଚୟ ଉପଲବ୍ôଧ କରିଥିବେ ଦର୍ଶକଙ୍କ ହୃଦୟରେ ଭକ୍ତିରସ ସଞ୍ଚାର କରିବାରେ ଓ ଅପାର ଆନନ୍ଦ ଭରିଦେବାରେ ଏହା କିପରି ପ୍ରଭାବଶାଳୀ ଭୂମିକା ଗ୍ରହଣ କରେ । ପ୍ରାୟ ପଚାଶବର୍ଷ ପୂର୍ବେ ବାଲ୍ୟ ଓ କିଶୋର ଅବସ୍ଥାରେ ଏହି ଲେଖକ, ବାଲେଶ୍ୱର ଜିଲ୍ଲାର ପୂର୍ବତନ ମଙ୍ଗଳପୁର ଜିଲ୍ଲାରେ ପ୍ରସିଦ୍ଧ କବି, ଲୀଳାକାର, ସଙ୍ଗୀତଜ୍ଞ, ଅଭିନେତା, ନିର୍ଦ୍ଦେଶକ ତଥା ବହୁଭାଷୀ ପଣ୍ଡିତ କୃଷ୍ଣକାନ୍ତଙ୍କ ରଚିତ ରାମଲୀଳା, କୃଷ୍ଣଲୀଳା, ଗୀତିନାଟ୍ୟ, ଫାର୍ସ, ତାମସା, ସୁଆଙ୍ଗ ପ୍ରଭୃତିର ଅଭିନୟକୁ ଛ’ସାତହଜାର ଦର୍ଶକ ମଶାଲର ମ୍ଳାନ୍ତ ଆଲୋକାରେ ଉପଭୋଗ କରି ଆଧ୍ୟାତ୍ମକି ଭାବନାରେ ତନ୍ମୟ ଓ ଆନନ୍ଦରେ ଉଦ୍ବେଳିତ ହୋଇ ଉଠୁଥିବାର ଲକ୍ଷ୍ୟ କରିଛି । ଲୀଳା କ୍ଷେତ୍ରରେ କୃଷ୍ଣକାନ୍ତ ଦାସ, ଜଗନ୍ନାଥ ପାଣି, ବୈଷ୍ଣବ ପାଣି, ବାଳକୃଷ୍ଣ ମହାନ୍ତି ଓ ରାସଲୀଳାରେ ଗୋବିନ୍ଦ ଚନ୍ଦ୍ର ଶୂରଦେଓ, ଡଃ କାଳୀଚରଣ ପଟ୍ଟନାୟକ ପ୍ରଭୃତି ଅମର ସ୍ରଷ୍ଟାମାନେ ଯେଉଁ ଅବଦାନ ଦେଇ ଯାଇଛନ୍ତି ତାହା ଓଡ଼ିଆଜାତି କେବେ ଭୁଲିପାରିବ ନାହିଁ । ବିଭିନ୍ନ ରାଗରାଗିଣୀ ସମ୍ବଳିତ ଛାନ୍ଦଗାନ ଦ୍ୱାରା ଲୀଳାବସ୍ତୁକୁ ପରିବେଷଣ କରାଯାଏ । ମାତ୍ର ପରେ ଗାନ ସହିତ ଅଲିଖିତ ସଂଳାପ ସଂଯୋଗ କରାଗଲା ।

ଲୀଳାର ପରବର୍ତ୍ତୀ ସଂସ୍କାର ହେଉଛି ଗୀତିନାଟ୍ୟ । ଏହା ଗୀତ ଓ ନାଟ ଅର୍ଥାତ ସଙ୍ଗୀତ ଓ ସଂଳାପର ସମିଶ୍ରଣ । ଫାର୍ସ, ତାମସା, ପ୍ରହସନ ହେଉଛି ସମଧର୍ମୀ ଲୋକନାଟକ । ଏହାର ପ୍ରଧାନ ଆଭିମୁଖ୍ୟ ହେଲା ଦର୍ଶକଙ୍କ ମଧ୍ୟରେ ହାସ୍ୟରସ ପରିବେଷଣ କରିବା । ଏଗୁଡ଼ିକର ଅଧ୍ୟୟନ ଅପେକ୍ଷା ଦର୍ଶନରୁ ଅଧିକ ହାସ୍ୟ-ଭାବ ଉପଲବ୍ôଧ କରିହୁଏ । ସେଥିପାଇଁ ଏହାର ଅଭିନେତାଙ୍କ ପୋଷାକ, ଚେହେରା, ଭାଷା, କଣ୍ଠଧ୍ୱନି, ବନ୍ତ୍ରୋକ୍ତି ପ୍ରଭୃତି ଦର୍ଶକଙ୍କ ହାସ୍ୟରସାନୁଭୂତିରେ ବେଶି ସାହାଯ୍ୟ କରେ । ଲୀଳା, ଗୀତିନାଟ୍ୟର ମଞ୍ଚାଭିନୟ ମଧ୍ୟରେ ଫାର୍ସ ମାଧ୍ୟମରେ ହାସ୍ୟରସ ପରିବେଷଣ କରାଯାଏ । ହାସ୍ୟରସର ଅପରିହାର୍ଯ୍ୟ ଆବଶ୍ୟକତାକୁ ଉପଲବ୍ôଧ କରି ସଂସ୍କୃତ-ନାଟ୍ୟକାରମାନେ ମଧ୍ୟ ନାଟକର ବିଦୂଷକ ଚରିତ୍ର ଅନ୍ତର୍ଭୁକ୍ତ କରିଛନ୍ତି ।

ଓଡ଼ିଆ ଯାତ୍ରାନାଟକ ଏକ ଅର୍ବାଚୀନ ଲୋକନାଟକ ହୋଇଥିଲେ ମଧ୍ୟ ସୁଆଙ୍ଗ, ଲୀଳା, ଗୀତିନାଟ୍ୟର ଏକ ଯୁଗୋପଯୋଗୀ ସଂସ୍କାର । ଅପେରା, ଗଣନାଟ୍ୟ, ଜନନାଟ୍ୟ ନାମରେ ଏହା ମଧ୍ୟ ପରିଚିତ ହୋଇଥାଏ । ସଙ୍ଗୀତ, ସଂଳାପ ଓ ହାସ୍ୟରସର ମଧୁର ସମନ୍ୱୟ ମାଧ୍ୟମରେ ଏହା ହଜାର ହଜାର ଦର୍ଶକଙ୍କୁ ମୁଗ୍ଧ କରିଥାଏ । ଏକାଧିକ ସୁସଜ୍ଜିତ ରଙ୍ଗମଞ୍ଚ, ରଙ୍ଗୀନ ବିଦ୍ୟୁତ ଆଲୋକର ଅପୂର୍ବ ବିଳାସ, ସର୍ବାଧୁନିକ ବାଦ୍ୟଯନ୍ତ୍ରର ମନମତାଣିଆ ସଙ୍ଗୀତ ଝଙ୍କାର ଆଜି ଯାତ୍ରାନାଟକକୁ ଚଳଚ୍ଚିତ୍ର ଅପେକ୍ଷା ଅଧିକ ଆକର୍ଷଣୀୟ କରିପାରିଛି । ଯାତ୍ରାନାଟକ ଆଜି କେବଳ ପଲ୍ଲୀବାସୀଙ୍କର ନୁହେଁ ସହରବାସୀଙ୍କ ମନୋରଞ୍ଜନର ଏକ ମାଧ୍ୟମ ରୂପେ ଗୃହିତ ହୋଇଛି ।

ଲୋକନାଟକ ଗୁଡ଼ିକ ମୁଖ୍ୟତଃ ଚତୁର୍ମୁଖୀ ରଙ୍ଗମଞ୍ଚରେ ଅଭିନୀତ ହୁଏ । ଅପେରା, ମୋଗଲତାମସା, ରାସଲୀଳା ପ୍ରଭୃତି ଲୋକନାଟକ ପାଇଁ ଏକମୁଖୀ ରଙ୍ଗମଞ୍ଚ ଆବଶ୍ୟକ । ରାଣୀଗୁମ୍ଫାରୁ ପ୍ରମାଣ ମିଳେ ଯେ ପ୍ରାଚୀନକାଳରେ ମୁକ୍ତାକାଶ ପ୍ରେକ୍ଷାମଞ୍ଚରେ କ୍ରମୋଚ୍ଚ ସୋପାନୀକୃତ ଦର୍ଶକ-ପୀଠ ଥିଲା । ଓଡ଼ିଶାର କେତେକ ଗଡ଼ଜାତ ରାଜ୍ୟ, ଜିଲ୍ଲା ଓ ଜମିଦାରୀ ଅନ୍ତର୍ଗତ ଯାତ୍ରାସ୍ଥଳୀକୁ ଅନୁଧ୍ୟାନ କଲେ ଲକ୍ଷ୍ୟ କରିହେବ ଯେ ବହୁବର୍ଷ ଧରି ସେଠାରେ ଚର୍ତୁଃର୍ମୁଖୀ ରଙ୍ଗମଞ୍ଚର ଚତୁଃପାଶ୍ୱର୍ରେ କ୍ରମୋଚ୍ଚ ଦର୍ଶକପୀଠ ବିଦ୍ୟମାନ ଥିଲା । ମାତ୍ର ଆଜି ଯାତ୍ରାନାଟକରେ ଉଚ୍ଚ ଚତୁର୍ମୁଖୀ ରଙ୍ଗମଞ୍ଚ ବ୍ୟବହୃତ ହେଉଛି ଏବଂ ଚତୁଃପାଶ୍ୱର୍ସ୍ଥ ନିମ୍ନ ସମତଳ ଭୂମିରେ ଅଥବା ଚେୟାରରେ ଦର୍ଶକମାନେ ଉପବେଶନ କରୁଛନ୍ତି । ଲୋକନାଟକର ବାଦ୍ୟ ଝଙ୍କାରରେ ଓ ଆଲୋକ ସମ୍ପାତରେ ବିପୁଳ ପରିବର୍ତ୍ତନ ସଙ୍ଗଠିତ ହୋଇଛି । ମଶାଲ ଆଲୋକରୁ ଆରମ୍ଭ ହୋଇ ଗ୍ୟାସ ଲାଇଟ୍, ଡେ ଲାଇଟ୍, ମାକ୍ସ ଲାଇଟ୍ ଯୁଗରେ ପ୍ରବେଶ କରି ବର୍ତ୍ତମାନ ଏହା ବିଦ୍ୟୁତ ଆଲୋକଯୁଗରେ ଉପନୀତ ହୋଇଛି । ଶହ ଶହ ବର୍ଷ ବ୍ୟାପୀ ବ୍ୟବହୃତ ହେଉଥିବା ବାଦ୍ୟଯନ୍ତ୍ର ଯଥା ପଖାଉଜ, ମୃଦଙ୍ଗ, ଢୋଲକ, ଝାଞ୍ଜ, କରତାଳ, ମନ୍ଦିରା ଇତ୍ୟାଦି ଆଜି ପରିତ୍ୟକ୍ତ ନହେଲେ ମଧ୍ୟ ବେଞ୍ଜୋ, ଗୀଟାର୍, ଏକାର୍ଡ଼ିଆନ୍, ବଙ୍ଗୋ, ଟ୍ରାଙ୍ଗୋ, ସେକ୍ସୋଫୋନ୍ ଇତ୍ୟାଦି ନୂତନ ବାଦ୍ୟଯନ୍ତ୍ର ଲୋକନାଟକର ସ୍ୱରଝଙ୍କାରରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି ।

ମୌଖିକ ପରମ୍ପରା ଉପରେ ପ୍ରତିଷ୍ଠିତ ହୋଇ ସାଧାରଣ ଦର୍ଶକଙ୍କ ନିମନ୍ତେ ଲୋକନାଟକ ଉଦ୍ଦିଷ୍ଟ ହେଲେ ମଧ୍ୟ ଶାସ୍ତ୍ରୀୟ ସଙ୍ଗୀତ, ନୃତ୍ୟ ଓ ନାଟକ ପରି ଏହାର କେତେକ ମୌଳିକ ଆଦର୍ଶ, ଆଭିମୁଖ୍ୟ ଓ ଆଦର୍ଶ ରହିଛି । ଲୋକନାଟ୍ୟ ରଚନା ଓ ଅଭିନୟରେ ନିର୍ଦ୍ଦିଷ୍ଟ ନୀତି, ନିୟମ ଓ ପଦ୍ଧତି ଅନୁସୃତ ହୋଇଥାଏ । କାବ୍ୟ, ମହାକାବ୍ୟରେ କବିମାନେ ଯେପରି ‘ଆଦୌ ନମସ୍କ୍ରିୟା’ ଇତାଦି ପଦ୍ଧତି ଅବଲମ୍ବନ କରନ୍ତି – ଲୀଳା, ଗୀତିନାଟ୍ୟ, ମୋଗଲ ତାମସା ପରି କେତେକ ଲୋକନାଟକରେ କବିମାନେ ‘ମଙ୍ଗଳାଚରଣ’ ଇତ୍ୟାଦି ସନ୍ନିବେଶ କରିଥାନ୍ତି ।

‘ବାକ୍ୟଂ ରସାତ୍ମକଂ କାବ୍ୟଂ’ ନ୍ୟାୟରେ ଲୋକନାଟକରେ ବିଭିନ୍ନ ପ୍ରକାର ରସର ସମାବେଶ ଘଟିଥାଏ । ନାଟକରେ ରସ ପରିବେଷଣ ଏକ ମନସ୍ତାତ୍ତ୍ୱିକ ଆବଶ୍ୟକତା । ଏଣୁ ଏହା ଶାସ୍ତ୍ରାନୁମୋଦିତ ନାଟ୍ୟ ଉପାଦାନ ରୂପେ ଗୃହିତ ହୋଇଛି । ସେଥିପାଇଁ ମଧ୍ୟ କୁହାଯାଇଛି ‘କାବ୍ୟୋଷୁ ନାଟକଂ ରମ୍ୟମ୍’ । ନାଟ୍ୟରସ ସମ୍ବନ୍ଧରେ ସୂଚନା ଦିଆଯାଇ ‘ଅଳଙ୍କାର ସଂଗ୍ରହ’ରେ କୁହାଯାଇଛି –

‘ଶୃଙ୍ଗାର-ହାସ୍ୟ-କରୁଣ-ରୌଦ୍ର-ବୀର-ଭୟାନକାଃ

ବୀଭତ୍ସୋଦ୍ଦ୍ଭୁତ-ଶାନ୍ତାଶ୍ଚ-ନବନାଟ ରସାସୃତାଃ ।’

ଲୀଳାଦି ଲୋକନାଟକରେ ଏ ସମସ୍ତ ପ୍ରକାର ରସର ପରିବେଷଣ କରାଯାଇଥାଏ ।

ବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ଓଡ଼ିଆ ଲୋକନାଟ୍ୟ ପରମ୍ପରାର ଚରମ ଆଭିମୁଖ୍ୟ ଥିଲା ଭକ୍ତିରସ-ସଞ୍ଚାର, ଆମୋଦ ପ୍ରଦାନ, ଜାତୀୟ ସଂହତି ପ୍ରତିଷ୍ଠା । ଖ୍ରୀ ୧୫୬୮ରେ ଓଡ଼ିଶା ପରାଧୀନ ହେବାପରେ ବିପର୍ଯ୍ୟସ୍ତ -ବିଖଣ୍ଡିତ-ଲୁଣ୍ଠିତ ଓଡ଼ିଶାରେ ଧର୍ମ-ସଂସ୍କୃତି-ସଂହତି ରକ୍ଷା କରିବା ପାଇଁ ଓଡ଼ିଆ ଲୋକନାଟ୍ୟକାରମାନେ ସାରସ୍ୱତ ରଚନା ଓ ସେଗୁଡ଼ିକର ମଞ୍ଚାଭିନୟ ମାଧ୍ୟମରେ ଯେଉଁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି, ତାହା ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।

ଜମିଦାରୀ, ଗଡ଼ଜାତ ରାଜ୍ୟ ଶାସନ ଉଚ୍ଛେଦ ପରେ ପୃଷ୍ଠପୋଷକତା ଅଭାବରୁ ଲୀଳା, ସୁଆଙ୍ଗ, ଗୀତିନାଟ୍ୟ, ଦଣ୍ଡନାଟ, ଚଢ଼େୟାନାଟ ଇତ୍ୟାଦି ମ୍ଳାନ ପଡ଼ିଯାଇଥିଲେ ମଧ୍ୟ ପାରମ୍ପରିକ ନାଟକ ଓ ଚଳଚ୍ଚିତ୍ର ସହିତ ପ୍ରତିଦ୍ୱନ୍ଦ୍ୱିତା କରି ବର୍ତ୍ତମାନ ଯାତ୍ରାନାଟକ ବା ଗଣନାଟ୍ୟ ଦର୍ଶକ ମହଲରେ ସଗର୍ବେ ଶିର ଉତ୍ତୋଳନ କରି ଦଣ୍ଡାୟମାନ ହୋଇଛି । ସୌଭାଗ୍ୟର ବିଷୟ ଯେ ସମ୍ପୃକ୍ତ ଅଞ୍ଚଳର ଉଦ୍ୟୋକ୍ତାମାନେ ମୋଗଲ ତାମସା, ଚଢ଼େୟାନାଟ, ଦଣ୍ଡନାଟ ଇତ୍ୟାଦି କେତେକ ଲୁପ୍ତ ଲୋକନାଟକର ପୁନଃରୁଦ୍ଧାର କରି ମିଶ୍ରିତ ଆଧୁନିକ ଶୈଳୀରେ ପରିବେଷଣ କରୁଛନ୍ତି ।

ଓଡ଼ିଶାର ସାଂସ୍କୃତିକ ପରମ୍ପରା ପୁସ୍ତକରୁ ଉଧୃତ

Share This Article
ସାହିତ୍ୟିକ, ଲେଖକ
Exit mobile version