ଥରେ ଆମ ଗାଁ ଇତିହାସ ଟିମ ପଦମପୁର ଯାଇଥାଉ । ବିଶିଷ୍ଟ ନାଟ୍ୟକାର ଶ୍ରୀଯୁକ୍ତ କେଶରଞ୍ଜନ ପ୍ରଧାନ ଆମକୁ ପଦମପୁର ସ୍ଥିତ କନ୍ୟାଶ୍ରମର ଛାତ୍ରୀମାନଙ୍କୁ ଭେଟିବା ପାଇଁ ପରାମର୍ଶ ଦେଲେ । ଆମେ କେଶରଞ୍ଜନ ସାରଙ୍କ ସହିତ ଡିସେମ୍ବର ମାସରେ କନ୍ୟାଶ୍ରମର ଛାତ୍ରୀମାନଙ୍କୁ ଭେଟିବାକୁ ଗଲୁ । ସେଦିନ ଆମେ କନ୍ୟାଶ୍ରମର ୪୦୦ ଛାତ୍ରୀଙ୍କୁ ଭେଟି “ଆମ ଗାଁ ଆମ ଜୀବନ” କାର୍ଯ୍ୟକ୍ରମ ସମ୍ପର୍କରେ ଜଣେଇଥିଲୁ । ଛାତ୍ରୀମାନଙ୍କ ମନରେ ଏହି ବିଷୟରେ ଆଗ୍ରହ ଦେଖି ଆମକୁ ବହୁତ ଖୁସି ଲାଗିଲା । ବିଶେଷକରି ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପର୍ଶୁରାମ ଧରୁଆ ଓ ସାମାଜିକ ବିଜ୍ଞାନର ଶିକ୍ଷୟିତ୍ରୀ ଶ୍ରୀମତୀ ସବିତା ପଣ୍ଡାଙ୍କ ଆଗ୍ରହ ଓ ସହଯୋଗ ଅକୁଣ୍ଠ ରହିଥିଲା । କିନ୍ତୁ ସେଠାରେ ସବୁଠାରୁ ବଡ ସମସ୍ଯା ଥିଲା ଯେ, ଛାତ୍ରୀମାନେ ସମସ୍ତେ ହଷ୍ଟେଲରେ ରହୁଥିଲେ । ନିଜ ଗାଁ ଉପରେ ସେମାନେ ଲେଖିବା ପାଇଁ ଖରାଛୁଟି ପର୍ଯ୍ୟନ୍ତ ଅପେକ୍ଷା କଲେ । ୨୦୨୪ ମସିହା ଖରାଛୁଟି ପୂର୍ବରୁ ଏପ୍ରିଲ ମାସ ଶେଷ ସପ୍ତାହରେ “ଗୋପବନ୍ଧୁ ସିକା” (ଆମ ଗାଁ ଇତିହାସ ଟିମର ଜଣେ ସଦସ୍ୟ) କିଛି ପ୍ରଶ୍ନ ପ୍ରିଣ୍ଟ୍ କରି ସେମାନଙ୍କ ସ୍କୁଲରେ ନେଇ ଦେଇଥିଲେ ।
ପ୍ରିୟାଂସି ସେଠ୍ ଏହି କନ୍ୟାଶ୍ରମର ଜଣେ ଛାତ୍ରୀ । ସେତେବେଳେ ସେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ସେ ଖରା ଛୁଟିରେ ନିଜ ଗାଁ’କୁ ଯାଇଥିବା ସମୟରେ ଏହି ଲେଖାଟି ପ୍ରସ୍ତୁତ କରିଥିଲେ । ତାଙ୍କ ଗାଁ ହେଉଛି ବଲାଙ୍ଗୀର ଜିଲ୍ଲାର ଆଗଲପୁର ବ୍ଲକର ନଅ ଗାଁ ଗ୍ରାମପଞ୍ଚାୟତର ଏକ ଛୋଟ ଗାଁ ନଅ ଗାଁ (କ) । ଏହି ଛାତ୍ରୀମାନଙ୍କୁ ଗୋଟିଏ ଥର ଭେଟି ଆମେ ଯେତିକି ସୂଚନା ଦେଇଥିଲୁ ସେଥିରେ ପ୍ରିୟାଂସି ସେଠ୍ ଏହି ଗାଁ’ର ଜୀବନୀ ପ୍ରସ୍ତୁତ କରିଛନ୍ତି । କେବଳ ପ୍ରିୟାଂସି କାହିଁକି ପଦମପୁର କନ୍ୟାଶ୍ରମର ୮୩ ଜଣ ଛାତ୍ରୀ ଆମ ନିକଟକୁ ନିଜ ନିଜ ଗାଁ’ର ଜୀବନୀ ଲେଖି ପଠେଇଛନ୍ତି । – ସମ୍ପାଦକ (ସ୍ଵୟଂପ୍ରଭା ପାଢୀ)
(ପ୍ରିୟାଂସି ସେଠ୍ ଙ୍କର ପିତାଙ୍କ ନାମ – ମାର୍କଣ୍ଡ ସେଠ୍, ମାତାଙ୍କ ନାମ – ସନ୍ତୋଷୀନି ସେଠ୍, ଗାଁ – ନଅଗାଁ (କ), ଗ୍ରାମ ପଞ୍ଚାୟତ ନାମ – ନଅ ଗାଁ (କ), ବ୍ଲକ – ଆଗଲପୁର, ଜିଲ୍ଲା – ବଲାଙ୍ଗୀର, ରାଜ୍ୟ – ଓଡ଼ିଶା, ଦେଶ ଭାରତ)
ଆମ ଗାଁ’ର ନାମ ନଅଗାଁ (କ) । ଆମ ଗାଁ’ର ନାମକରଣ ଏପରି ହେବାର କାରଣ ହେଲା, ଆମ ଗାଁ ନଅଟି ଗାଁ’ରେ ସୁ-ସଂଗଠିତ ଥିଲା । ପରେ ପରେ ତାହା ବିଭାଜିତ ହୋଇଛି । ଏହା ହିଁ ଏହା ପଛରେ କଥା ବା କାହାଣୀ । ଆମ ଗାଁ ପ୍ରତିଷ୍ଠା ହେବାର ଠିକ୍ ମସିହା ଜଣା ନାହିଁ କିନ୍ତୁ ଆମ ଗାଁ’ର ଅତି ପୁରୁଣା ବାସିନ୍ଦାମାନେ ହେଲେ ବ୍ରାହ୍ମଣ ଓ କୁଇଲତା ।
ପୂର୍ବରୁ ଆମ ଗାଁ’ର ପରିବେଶ ଓ ଜଳବାୟୁ ବିଷୟରେ ଜାଣିବା ପାଇଁ ଚେଷ୍ଟା କଲି । ବୟସ୍କ ଲୋକଙ୍କ ମତରେ ଗାଁ’ରେ ଗଛବୃକ୍ଷ, ସବୁଜିମା ଭରିରହିଥିଲା । ଜଳବାୟୁରେ ବର୍ତ୍ତମାନ ଭଳି ଅସମାନତା ଦେଖାଯାଉ ନଥିଲା । ଠିକ୍ ସମୟରେ ଠିକ୍ ଋତୁ ପରିବର୍ତ୍ତନ ଦେଖା ଦେଉଥିଲା । ଏବେ ଗାଁ ବୟସ୍କ ଲୋକଙ୍କୁ ଭଲ ଲାଗୁନାହିଁ ବୋଲି ସେମାନେ ମତ ଦେଇଛନ୍ତି । ସେମାନଙ୍କ ମତରେ ପରିବର୍ତ୍ତିନ ବହୁତ ହୋଇଛି, କିନ୍ତୁ ମୁଖ୍ୟ ପରିବର୍ତ୍ତନ ମା, ମାଉସୀ ମାନଙ୍କ ସଚ୍ଚୋଟ ପଣିଆ । ଆମ ଗାଁ’ର ସବୁଠାରୁ ପୁରୁଣା ଲୋକ ବା ବୟସ୍କ ଲୋକ ହେଉଛନ୍ତି ଜନେକ୍ ଓ ବୟସ୍କା ମଉସୀ ହେଉଛନ୍ତି ଶ୍ରୀମତୀ ମୟାବତୀ ସେଠ୍ । ତାଙ୍କ ପିଲାବେଳେ ଗାଁ’ଟି ଭଲ ପରିବେଶରେ ପୂର୍ଣ୍ଣ ଥିଲା । ଯାହାଦ୍ୱାରା ଗାଁ ଦାଣ୍ଡରେ ସେମାନେ ଖେଳୁଥିଲେ । ପୂର୍ବ କାଳରେ ଗାଁ’ରେ ପାଳନ କରୁଥିବା ପର୍ବପର୍ବାଣୀ ଗୁଡ଼ିକ ହେଲା; ଫଗୁନ ପୁନି, କୋଦ ଯାତ୍ରା, ନୂଆଖାଇଁ ଇତ୍ୟାଦି । ଏବେ ଆମ ଗାଁ’ରେ ପାଳନ କରାଯାଉ ଥିବା ପର୍ବପର୍ବାଣୀ ହେଲା; ରଜ ସଂକ୍ରାନ୍ତି, ଧନୁଯାତ୍ରା, ନୂଆଖାଇଁ ଇତ୍ୟାଦି । ଗାଁ ଏବେ ଅତିଶୟ ଗରମ ଲାଗୁଛି । ପୂର୍ବରୁ ଜାମୁକୋଳି, ଆମ୍ୱ ଖାଇବା କଥା ଏବେ ବି ମନେରହିଛି ।
ଆମ ଗାଁ’ର ଲୋକ ସଂଖ୍ୟା ହାରାହାରି ୧୦୦୦ । ଆମ ଗାଁ’ରେ ଏବେ ୭୦୦ ଟି ଘର ଅଛି । ଆମ ଗାଁ’ର ସବୁଠାରୁ ସୁନ୍ଦର ଘରଟି ଜମିଦାରଙ୍କର । ସେ ଚାଷ କରନ୍ତି । ଆମ ଗାଁ’ର ସବୁଠାରୁ ଛୋଟ ଘରଟି ଆମ ସାହିରେ ଥିବା ଜଣେ ପିଇସାଙ୍କର । ସେ ହଳ କରନ୍ତି । ଆମ ଗାଁ’ରେ ଧୋବା, କେଉଟ ଓ ବ୍ରାହ୍ମଣ, କୁଇଲତା ତଥା ମେହେର ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି । ଗାଁ’ର ଲୋକମାନଙ୍କ ମଧ୍ୟରେ ଭଲ ସମ୍ପର୍କ ଅଛି । ଗାଁ ଲୋକ ମିଳିମିଶି ପାଳନ କରୁଥିବା ପର୍ବ ହେଲା :- ଅଁଣାନବମୀ, ଭାଇଜିଉଁତିଆ ଓ ପୁଅ ଜିଉଁତିଆ । ଆମ ଗାଁ, ଆମ ଗାଁ’ରେ ଥିବା ଲୁଗା ବା ବସ୍ତ୍ର ଦୋକାନ ଗୁଡିକ ପାଇଁ ଚାରିଆଡେ ପରିଚିତ । ଗାଁ’ରେ ବୁଣାବୁଣି ଓ ଚିତ୍ରକଳା କାମ ହୁଏ । ଗାଁ’ରେ ୩ଟି ସ୍କୁଲ, ୩ଟି ଅଙ୍ଗନୱାଡି କେନ୍ଦ୍ର ଓ ଗୋଟିଏ କଲେଜ ଭଳି ଶିକ୍ଷାନୁଷ୍ଠାନ ରହିଛି । ସ୍କୁଲରେ ୨୦୦ ରୁ ୩୦୦ ମଧ୍ୟରେ ପିଲା ପାଠ ପଢୁଛନ୍ତି । ଗାଁ’ରେ ସମସ୍ତ ପିଲା ପାଠପଢୁ ଛନ୍ତି । ଆମ ଗାଁ’ରେ ଅତୀତରେ ପାଣିର ଉତ୍ସ ନଦୀ ଓ କୂଅ । ଏବେ ଗାଁ’ରେ ପାଣିର ଉତ୍ସ ହେଉଛି ନଳକୂପ, ପୋଖରୀ, ନଦୀ । ଆମ ଗାଁ ପାଖରେ ଜଙ୍ଗଲ ନାହିଁ । ଆମ ଗାଁ’ରେ ପିଲାମାନେ କ୍ରିକେଟ, ଫୁଟବଲ ଗାଁ ଖେଳ ପଡିଆରେ ଖେଳନ୍ତି । ଗାଁ’ରେ ଖେଳ ପଡ଼ିଆ ମଧ୍ୟ ଅଛି । ଗାଁ’ର ଝିଅମାନେ ଖେଳ ପଡିଆରେ ଖେଳନ୍ତି ନାହିଁ ।
ପୂର୍ବ କାଳରେ ଆମ ଗାଁ’ରେ ମାଣ୍ଡିଆ ଓ ଧାନ ଚାଷ କରୁଥିଲେ । ତତ୍ ସହିତ ପନିପରିବା ମଧ୍ୟ ଚାଷ କରୁଥିଲେ ଯେମିତିକି ଭେଣ୍ଡି ଓ ଫଳ ସଦୃଶ ତରଭୁଜ । ଏବେ ସେସବୁ ଖାଦ୍ୟଶସ୍ୟ କମ୍ ଗାଁ’ରେ ଉତ୍ପାଦନ ହେଉଛି । ଅତ୍ୟଧିକ ଅନ୍ୟ ଗାଁ’ରୁ ଅଣା ଯାଉଛି – ଏବେ ମୁଖ୍ୟତଃ ଧାନ ଚାଷ କରାଯାଉଛି । ଆମ ଗାଁର ଲୋକମାନେ ପୁଷ୍ଟିଶସ୍ୟ ଚାଷ କରନ୍ତି । ମୁଗ, ବିରି ଭଳି ପୁଷ୍ଟିଶସ୍ୟ ଚାଷ କରନ୍ତି । ପୂର୍ବରୁ ମଧ୍ୟ ଏହି ପୁଷ୍ଟିଶସ୍ୟ ଆମ ଗାଁରେ ହେଉଥିଲା । କିନ୍ତୁ ମାଣ୍ଡିଆ ଭଳି ଏକ ପୁଷ୍ଟିଶସ୍ୟ ଏବେ ଆଉ ହେଉ ନାହିଁ । ଆମ ଜେଜେବାପା ଓ ଜେଜେ ମା’ ତାଙ୍କ ପିଲାଦିନେ ପୋଡ ପିଠା, କୁଦୋ ଚାଉଲର ଭାତ, ହରଡ ଡାଲି ଭଳି ଖାଦ୍ୟ ଖାଉଥିଲେ । ଏବେ ପୋଡ ପିଠା ଲୋକେ କମ୍ ମାତ୍ରାରେ ଖାଉଛନ୍ତି । ଗାଁ’ର ପିଲାମାନେ ଏବେ ବରା, ସିଙ୍ଗିଡା ଭଳି ତେଲିଆ ଦ୍ରବ୍ୟ ସହ ଖାଇବାକୁ ପସନ୍ଦ କରୁଛନ୍ତି । ଗାଁରେ ପର୍ବପର୍ବାଣୀରେ ଖିରି, ଆରିସା ରନ୍ଧା ସହ ଅରୁଆ ଭାତ ଓ ଆମିଳ ରନ୍ଧା ହୁଏ । ବିଶେଷ କରି ନୂଆଖାଇରେ ଖିରି ରନ୍ଧା ହୁଏ । ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ୧ମ – ଭାତ ପ୍ରଥମେ ଡେକଚୀରେ କିଛି ପାଣି ନେବା ଜଳ ଲଗାଇ ପାଣି ଫୁଟାଇବା । ଏବଂ ପାଣି ଫୁଟିବା ପରେ ଚାଉଳ ଲଗାଇବା କିଛି ସମୟରେ ଭାତ ହୋଇଯିବ । ଡାଲି ପ୍ରସ୍ତୁତି – ପାଣିକୁ ଡେକଚିରେ ନେବା । ପାଣି ଫୁଟାଇବା । ଫୁଟା ପାଣିରେ ହଳଦୀ ଗୁଣ୍ଡ ଦେବ । ଡାଲିକୁ ଧୋଇ ଲଗାଇବା ସିଝି ଯିବ । ପରେ ତାକୁ ତେଲ ଗରମ କରି ସୋରିଷ, ରସୁଣ, ଲଙ୍କା ଦେଇ ପରଝି ଦେବା ପରେ ଖାଇବା ଉତ୍ତମ ହୋଇଥା ।
ଆମ ଗାଁର ମୂଳ ସମସ୍ୟା ଗୁଡିକ ହେଲା ଅତ୍ୟଧିକ ଜନସାଧାରଣଙ୍କ ଦ୍ୱାରା ସେବନ ହେଉଥିବା ନିଶାଯୁକ୍ତ ଦ୍ରବ୍ୟ । ଗାଁ ଲୋକମାନେ ବିଲରେ କାମ କରନ୍ତି । ସବୁଠାରୁ ଅଧିକ ଲୋକ ବିଲ କାମ କରନ୍ତି । ଯୁବକ ଯୁବତୀମାନେ କାମ ପାଇଁ ବାହାରକୁ ଯାଆନ୍ତି । ଯେପରି ରାୟପୁର, କେରଳ ଇତ୍ୟାଦି ସ୍ଥାନକୁ ଦାଦନ ଯାଆନ୍ତି । ଆମ ଗାଁ’ର ମୂଳତଃ ସୁଗାର ରୋଗ ଦେଖାଯାଏ । ଗାଁ’ର ଲୋକମାନେ ଦେହ ଖରାପ ହେଲେ ଡାକ୍ତରଙ୍କ ପାଖକୁ ଯାଆନ୍ତି । ଗାଁ’ରେ ହିଁ ଡାକ୍ତରଖାନା ଅଛି ।
ଗାଁରେ ଦେଖା ଯାଉଥିବା ଗଛ ଗୁଡିକ ହେଲା ; ମହୁଲ, ବରକୋଳି, ପଲାସ, ଅଶ୍ୱସ୍ତ, ବର, ଜାମୁକୋଳି, କୃଷ୍ଣଚୂଡା, ତା ସହିତ ବିଭିନ୍ନ ଔଷଧ ଜାତୀୟ ବୃକ୍ଷ ମଧ୍ୟ ଦେଖିବାକୁ ମିଳେ । ପୂର୍ବେ ଗାଁରେ ମହୁଲ ଗଛ ଦେଖାଯାଉଥିଲା । ଯାହା ଏବେ ହଜିଯାଇଛି। ଗାଁ’ରେ ଗାଈ, ଛେଳି, ମେଣ୍ଢା, କୁକୁଡା, ପାରା, ମଇଁଷି, କୁକୁର ଆଦି ପଶୁପକ୍ଷୀ ଦେଖିବାକୁ ମିଳନ୍ତି । ଆଗରୁ ଦେଖାଯାଉଥିବା ଘର ଚଟିଆ ଏବେ ଦେଖାଯାଉ ନାହାଁନ୍ତି ହଜିଗଲେଣି ।
ମୋତେ ଗାଁ ଭଲ ଲାଗେ । ଗାଁ’ରେ ପର୍ବପର୍ବାଣୀ ପାଳନ କଥା ଭଲ ଲାଗେ କିନ୍ତୁ କଳିଝଗଡା ହେବା କଥା ମନେ ଭାରି କଷ୍ଟ ଦେଇଥାଏ । ଗାଁ ଲୋକ ଦାଦନ ଖଟି ଯିବା କଥା ସମସ୍ତେ ଜାଣି ଗାଁ’ରେ ରୋଜଗାର ପାଇଁ କିଛି ବ୍ୟବସ୍ଥା କାହିଁକି ନାହିଁ, ଏହା ମୋ ମନର ପ୍ରଶ୍ନ ସୃଷ୍ଟି ହୁଏ । ଗାଁ’ରେ କିମ୍ୱା ଓଡିଶା ରାଜ୍ୟ ମଧ୍ୟରେ ରୋଜଗାର ପାଇଁ କିଛି ବ୍ୟବସ୍ଥା ଦେବା ଏକାନ୍ତ ଜରୁରୀ ।
ଗାଁ ସମ୍ପର୍କରେ ଏତେ ସବୁ କଥା ଜାଣିବା ପରେ ଓ ଗାଁ ବିଷୟରେ ଗବେଷଣା କରିବା ପରେ ମୁଁ ଗାଁ ବିଷୟରେ ଭାବୁଛି ଯେ, ଗାଁ ବହୁତ ପରିବର୍ତ୍ତନ ହୋଇଛି । ମୋ ଭଳି ଅନ୍ୟ ସବୁ ଗାଁ’ର ସମସ୍ତ ଛାତ୍ରଛାତ୍ରୀ ନିଜ ଗାଁ’କୁ ଓ ଗାଁ’ର ଅତୀତର ଇତିହାସ, ସଂସ୍କୃତି ଓ ଖାଦ୍ୟ ପେୟକୁ ଭଲ ଭାବେ ଜାଣିବା ଜରୁରୀ ଯତ୍ ଦ୍ୱାରା ଆମ ଗାଁ ଅତୀତ ଇତିହାସ ବଜାଇ ରହିବ । ଭବିଷ୍ୟତରେ ମୁଁ ଗାଁ’ର ଉନ୍ନତି ପାଇଁ ଗାଁ’ରେ ଗୋଟିଏ କୋଚିଂଙ୍ଗ ସେଣ୍ଟର ଖୋଲିବି ଯଦି ସେ ସମୟ ପର୍ଯ୍ୟନ୍ତ କୌଣସି କୋଚିଂଙ୍ଗ ସେଣ୍ଟର ହୋଇ ନଥିବ । ମୁଁ ଯେମିତି ଗାଁ ସମ୍ପର୍କରେ ଜାଣବା ପାଇଁ ପାଇଛି ଅନ୍ୟ ସ୍କୁଲ୍ ଓ ଗାଁ’ର ଛାତ୍ରଛାତ୍ରୀ ମାନେ ବି ଏମିତି ସୁଯୋଗ ପାଇବା ଆବଶ୍ୟକ । ଗାଁ ସମ୍ପର୍କରେ ଭଲ ଭାବେ ଜାଣବା ଆବଶ୍ୟକ କାରଣ ଆମେ ଗାଁ’ରେ ଜନ୍ମ ନେଇଛେ । ଜନ୍ମ ମାଟି ସମ୍ପର୍କରେ ନ ଜାଣିଲେ ତା’ର ଉନ୍ନତି ଅସମ୍ଭବ ।