ଲକ୍ଷ୍ମୀ ପୂରାଣ

43 Min Read

ଲକ୍ଷ୍ମୀପୂରାଣର ରଚୟିତା କବି ବଳରାମ ଦାସ ତତ୍କାଳୀନ ସମୟରେ ପ୍ରଚଳିତ ପୁରୁଷପ୍ରଧାନ ବ୍ରାହ୍ମଣ୍ୟବାଦୀ ବ୍ୟବସ୍ଥାର ଜଣେ ଦୃଢ ସମାଲୋଚକ ବୋଲି ନିଜ ସାହିତ୍ୟ କୃତି ମାଧ୍ୟମରେ ପ୍ରମାଣିତ କରିଦେଇଛନ୍ତି । ପୁରୁଷ ପ୍ରଧାନ ସମାଜ ବ୍ୟବସ୍ଥାକୁ ଲକ୍ଷ୍ମୀ ପୂରାଣ ମାଧ୍ୟମରେ ପ୍ରଶ୍ନ କରିବା ସହିତ ଜାତିପ୍ରଥା ବିରୁଦ୍ଧରେ ମଧ୍ୟ ସେ ସ୍ଵର ଉତ୍ତ୍ୱୋଳନ କରିଛନ୍ତି । ଉକ୍ତ ଲେଖାରେ ଲକ୍ଷ୍ମୀପୁରାଣର ବିଷୟବସ୍ତୁ ସମ୍ପର୍କରେ ଏକ ବର୍ଣ୍ଣନା ଉପସ୍ଥାପନ କରିଛନ୍ତି ଓଡିଆ ଅଧ୍ୟାପକ ଓ ଲୋକନାଟକ ଗବେଷକ ଡକ୍ଟର ଅଜିତ କୁମାର ମୁନୀ । ଲେଖାଟିକୁ ନେଇ ଯଦି ପାଠକ ମାନଙ୍କ ମନରେ କିଛି ପ୍ରଶ୍ନ ଥାଏ ତାହେଲେ ଆମେ ସେହି ପ୍ରଶ୍ନକୁ ସମଧ୍ଵନି ତରଫରୁ ସ୍ଵାଗତ କରିବୁ । – ସମ୍ପାଦକ

ନମସ୍ତେ କମଳା ମାଗୋ ସାଗର ଦୁଲ୍ଲଣୀ || ନମସ୍ତେ ନମସ୍ତେ ମାଗୋ ବିଷ୍ଣୁ୍‌ଙ୍କ ଘରଣୀ ||

ନମସ୍ତେ କମଳା ମାଗୋ ଅତି ଦୟାବତୀ ||ସ୍ଥାବର ଜଙ୍ଗମ କୀଟ ଆଦି ପାଳୁ ନିତି ||

ତୋର ଦୟାବଳେ ମାଗୋ ଦରିଦ୍ର ଜନର || ହୁଅଇ ଅଚଳ ବିତ୍ତ ଜିଣଇ କୁବେର ||

ତୋର ଦ୍ରୋହିଜନେ ମାଗୋ ଅନ୍ନ ନମିଳଇ || ଯେତେ ଅରଜିଲେ କେବେ ପେଟ ନପୁରଇ ||

ତୋହର ଚରିତ ମନ ଦେଇ ଯେ ଶୁଣଇ || କିଅବା ଭକତି ଭାବେ ସର୍ବଦା ଗୁଣଇ ||

ତାହାର ଦରିଦ୍ର ପଣ ଯାଏ ଦୁର ହୋଇ || ସର୍ବଦା ତାକୁ ପ୍ରସନ୍ନ ହେଉ ମହାମାୟୀ ||

ଏଣୁ ତୋ ଚରଣେ ମାଗୋ ଅଶେଷ ପ୍ରଣାମ || କରୁଛି ପୁରାଅ ବାରେ ମୋର ମନସ୍କାମ ||

ତୋ ଚରିତ କିଞ୍ଚିତେ ମୁଁ କରିବି ବର୍ଣ୍ଣନ || ଜଗତ ଜନନୀ ବାରେ ଦିଅ ଦିବ୍ୟଜ୍ଞାନ ||

ଭକ୍ତ ବଳରାମ ଦାସ ଭାରତୀୟ ସାହିତ୍ୟ ରଚନା ପରମ୍ପରାର ପାରମ୍ପରିକତାକୁ ରକ୍ଷାକରି ଲକ୍ଷ୍ମୀପୂରାଣ ରଚନାର ପ୍ରାରମ୍ଭରେ ମା’ ଲକ୍ଷ୍ମୀଙ୍କର କୃପା ଭିକ୍ଷା ବା ଆଶୀର୍ବାଦ କାମନା କରିଛନ୍ତି । ପ୍ରାଚ୍ୟ ଭାରତୀୟ ସାହିତ୍ୟରେ ବହୁ ପୂରାଣ ପ୍ରଶ୍ନ ଉତ୍ତର ଶୈଳୀରେ ରଚନା କରାଯାଇଛି । କେଉଁଠି ପାର୍ବତୀ ଶିବଙ୍କୁ ପ୍ରଶ୍ନ କରୁଛନ୍ତି, ତ ପୁଣି କେଉଁଠି ଶୁକ ପରିକ୍ଷିତଙ୍କ ପ୍ରଶ୍ନର ଉତ୍ତର ପ୍ରଦାନ ପୂର୍ବକ ପୂରାଣ ଗାନ କରୁଛନ୍ତି, ଆଉ କେଉଁଠି ଯଦୁ ରାଜାଙ୍କୁ ଅବଧୁତ ସନ୍ଦେହ ମୋଚନ କରୁଛନ୍ତି ଏପରିକି କେତେକ ସ୍ଥଳରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପୂରାଣ କଥା ବୁଝାଇ କହୁଛନ୍ତି । ଠିକ୍ ସେହି ସମାନ ଶୈଳୀରେ ବଳରାମ ଦାସ ତାଙ୍କର ଲକ୍ଷ୍ମୀ ପୂରାଣକୁ ଦେବର୍ଷୀ ନାରଦ ଓ ପରାଶର ମୁନିଙ୍କ ଆଲୋଚନା ମାଧ୍ୟ୍ୟମରେ ବର୍ଣ୍ଣନା କରିଛନ୍ତି । ପୂରାଣ ଯୁଗରେ ଦିନେ ମାର୍ଗଶିର ମାସର ଗୁରୁବାର ଦିନ ନାରଦ ଓ ପରାଶର ମର୍ତ୍ତ୍ୟଲୋକରେ ଭ୍ରମଣ କରୁଥିବା ସମୟରେ ଗୋଟିଏ ଗ୍ରାମରେ ପ୍ରବେଶ କଲେ । ସେହି ଗ୍ରାମର ନାରୀ ମାନଙ୍କୁ ସ୍ନାନକରି ଝୀନ ବସ୍ତ୍ର ପରିଧାନ ପୂର୍ବକ ଘରଦ୍ୱାର ଗୋବରରେ ଲିପାପୋଛା କରି ଘର ସମ୍ମୁଖରେ ମା ଲକ୍ଷ୍ମୀଙ୍କ ପାଦପଦ୍ମରେ ଚିତା ପକାଇ ବ୍ରାହ୍ମଣଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତେ ମା ଲକ୍ଷ୍ମୀଙ୍କୁ ପୂଜା କରୁଥିବାର ଦେଖିଲେ । ଏହି ଭଳି ଏକ ଧର୍ମିୟ ପରମ୍ପରାର ସୁନ୍ଦର ପରିବେଶ ଦେଖି ନାରଦଙ୍କ ମନରେ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ଏହା କି ପ୍ରକାର ବ୍ରତ ? ଏହି ପୂଜାର ନୀତି ନିୟମ ସବୁ କ’ଣ ? ଏବଂ ଏହାକୁ କାହିଁକି ଓ କିଭଳି ପାଳନ କରାଯାଏ ? ନାରଦଙ୍କ ମନରେ ସୃଷ୍ଟି ହୋଇଥିବା ଏହି ସବୁ ପ୍ରଶ୍ନ ସେ ପରାଶରକୁ ପଚାରିଲେ ।

ବ୍ରାହ୍ମଣଙ୍କଠାରୁ ଯେ ଚଣ୍ଡାଳ ପରିଯନ୍ତେ || ଲକ୍ଷ୍ମୀଙ୍କ ପୂଜାରେ ରତ ଅଛନ୍ତି ସମସ୍ତେ ||

ହୁଳହୁଳି ଶବଦରେ ପୁରିଛି ଗଗନ || ଦେଖି ଏ ଉତ୍ସବ ରୀତି ବିଧାତା ନନ୍ଦନ ||

ପଚାରନ୍ତି ପରାଶର ମୁନିଙ୍କୁ ଉଦନ୍ତ || କହ କହ ତପୀବର ଏ କିସ ଚରିତ ||

ବ୍ରାହ୍ମଣ ଚଣ୍ଡାଳ ଆଦି ସମସ୍ତ ଜାତିର || କରୁଛନ୍ତି କି ଉତ୍ସବ ଆନନ୍ଦ ମତିରେ ||

କେଉଁ ବ୍ରତ କି ଉପାସ ଅଟେ ଏହା || କରନ୍ତି କାହାକୁ ପୂଜା ତାର କି ନିୟମ ||

ନାରଦ ପଚାରିଥିବା ପ୍ରଶ୍ନର ଉତ୍ତର ପ୍ରଦାନ କରିବାକୁ ଯାଇ ପରାଶର ଏହି ବ୍ରତ ସମ୍ବନ୍ଧରେ ସୂଚନା ପ୍ରଦାନ କରିଛନ୍ତି । ଧାନ ମାଣ ପୂଜା କରାଯାଇଥିବା ଏହି ଗୁରୁବାର ଦିନ ଜଗତ ଜନନୀ ଲକ୍ଷ୍ମୀଙ୍କର ବ୍ରତ ଅଟେ । ଏହି ବ୍ରତକୁ ସାଧାରଣତଃ ମାସ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ମାସ ବୋଲାଯାଉଥିବା ମାର୍ଗଶୀର ମାସର ପ୍ରତ୍ୟେକ ଗୁରୁବାର ଦିନ ପାଳନ କରାଯାଇଥାଏ । ତା ମଧ୍ୟରେ ପୁଣି ସବୁଠାରୁ ଆଦ୍ୟ ବା ପ୍ରଥମ ଗୁରୁବାରଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତତ୍ ସହିତ ଯଦି ଗୋଟିଏ ଦିନରେ ଶୁକ୍ଳ ଦଶମୀ ଓ ଗୁରୁବାର ଏକତ୍ର ପଡ଼େ ତେବେ ତାହାକୁ ସୁଦଶା ବ୍ରତ କୁହାଯାଏ ।

ପରାଶର ମୁନିଙ୍କଠାରୁ ଏହିଭଳି ପ୍ରତ୍ୟୁତ୍ତର ଶୁଣି ସାରିବା ପରେ ନାରଦଙ୍କ ମନରେ ପୂଣିଥରେ ପ୍ରଶ୍ନ ସୃଷ୍ଟି ହୋଇଛି । ଏହି ମର୍ତ୍ତ୍ୟ ମଣ୍ଡଳରେ ପ୍ରଥମେ କେଉଁ ନର ଲକ୍ଷ୍ମୀ ବ୍ରତ କରିଥିଲା ଏବଂ ଏହା କରିବା ଦ୍ୱାରା କ’ଣ ସବୁ ଶୁଭ ଫଳ ମାନ ପ୍ରାପ୍ତ ହୋଇଛି ? ତତ୍ ସହିତ ମର୍ତ୍ତ୍ୟ ଲୋକରେ ଯେଉଁମାନେ ସବୁ ଲକ୍ଷ୍ମୀଙ୍କର ଦ୍ରୋହ ଆଚରଣ କରନ୍ତି ସେମାନେ ସବୁ କି କି ଦୁଃଖ ପ୍ରାପ୍ତ କରିଛନ୍ତି ?

ତାହାଙ୍କୁ ପୁଛିଲେ ପୁଣି ବ୍ରହ୍ମାଙ୍କ କୁମର || ଲକ୍ଷ୍ମୀ ବ୍ରତ କରିଥିଲା ମର୍ତ୍ତ୍ୟେ କେଉଁ ନର ||

ତହିଁରୁ ସେ ଶୁଭଫଳ କିସ ଳଭିଅଛି || ଲକ୍ଷ୍ମୀ ଦ୍ରେହି ହୋଇକରି କେ ଦୁଃଖ ପାଇଛି ||

ଏହା ସବୁ ମୋ ଆଗରେ କହ ତପି ସାଇଁ || ଶୁଣିବାକୁ ତାହା ଚିତ୍ତେ ଶ୍ରଦ୍ଧା ଉପୁଜଇ ||

ନାରଦଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପରାଶର ମାର୍ଗଶୀର ମାସ ଗୁରୁବାର ପାଳନର ବିଧି ସମ୍ବନ୍ଧରେ ସବିଶେଷ ବର୍ଣ୍ଣନା କରୁଛନ୍ତି । ଦିନେ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ମା ଲକ୍ଷ୍ମୀ ବସିଥିଲେ । ସେହି ଦିନଟି ପବିତ୍ର ମାର୍ଗଶିର ମାସର ଗୁରୁବାର ଥିଲା । ମା ଲକ୍ଷ୍ମୀ ତାଙ୍କର ଭକ୍ତ ମାନଙ୍କୁ ଦର୍ଶନ ଦେବା ଉଦ୍ଦେଶ୍ୟରେ ସ୍ୱାମୀଙ୍କଠାରୁ ଅନୁମତି ନେଲେ । ସେହି ଦିନଟି ଦଶମୀ ଥିବାରୁ ମା ଲକ୍ଷ୍ମୀ ସ୍ୱହସ୍ତରେ ଜଗନ୍ନାଥ ଓ ବଳରାମଙ୍କ ନିମନ୍ତେ ସୁମିଷ୍ଟ ଅନ୍ନ ରାନ୍ଧି ଦେଇ ନାନାବିଧ ମୁଲ୍ୟବାନ ସ୍ୱର୍ଣ୍ଣାଳଙ୍କାର ପରିଧାନ କରି ନଗର ଭ୍ରମଣ କରିବା ଲକ୍ଷ୍ୟରେ ବାହାରିଲେ । ଏହି ସମୟରେ ମା ଲକ୍ଷ୍ମୀ ସାଧବ ଘର ଆଗରେ ଛିଡା ହୋଇଥିବା ସାଧବାଣୀ ପାଖରେ ଯାଇ ଉଭା ହୋଇଛନ୍ତି । ସାଧବାଣୀ ଘରଦ୍ୱାର ଲିପାପୋଛା କରିନାହିଁ। ଏହା ଦେଖି ମା ଲକ୍ଷ୍ମୀ ଆଶ୍ଚର୍ଯ୍ୟାନ୍ୱିତ ହୋଇଯାଇଛନ୍ତି । ସାଧବାଣୀ ମଧ୍ୟ ମା ଲକ୍ଷ୍ମୀଙ୍କୁ ଏହି ବ୍ରତ ପାଳନର ବିଧି ସମ୍ବନ୍ଧରେ ପଚାରି ବୁଝିଛି । ମା ଲକ୍ଷ୍ମୀ ତାକୁ ମାର୍ଗଶୀର ମାସର ଗୁରୁବାର ପାଳନର ବିଧି ସମ୍ବନ୍ଧରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି ।

ମାର୍ଗଶୀର ମାସର ପ୍ରଥମ ଗୁରୁବାର ଦିନ ବ୍ରହ୍ମ ମୁହୁର୍ତ୍ତରୁ ବା ଭୋର୍‌ରୁ ଉଠି ଶଯ୍ୟା ତ୍ୟାଗ କରି ଘର ଦ୍ୱାର ସବୁ ଗୋବରରେ ଲିପା ପୋଛା କରିବ । ଘର ଭିତରେ ଓ ବାହାରେ ମା ଲକ୍ଷ୍ମୀଙ୍କ ପାଦ ପଦ୍ମର ଚିତା ବା ଝୋଟି ଆଙ୍କି ଘରକୁ ସୁନ୍ଦର ଭାବେ ସଜାଇବ । ଗୋଟିଏ ନୂଆଁ ମାଣ ଆଣି ତାକୁ ଧୋଇ ସେଥିରେ ଚାଉଳ ବଟା ପିଠଉ ଦ୍ୱାରା ନାନା ଚିତ୍ରମାନ ଲେଖିବ । ଏହାପରେ ଗୁରୁବାର ଦିନ ସକାଳୁ ସକାଳୁ ସ୍ନାନ ଶୈାଚ ସାରି ଗୋଟିଏ ଖଟୁଳି ଆଣି ତାକୁ ଧୋଇ ତା’ ଭିତରେ ଶୁକ୍ଲ ବର୍ଣ୍ଣର ଧାନ ପୂରା କରି ରଖିବ । ସେହି ଧାନ ମାଣ ଉପରେ ପୁଣି ହଳଦୀ ପାଣିରେ ଧୁଆଯାଇଥିବା ତିନୋଟି ଗୁଆ ସ୍ଥାପନ କରିବ । ପୁନଶ୍ଚ ଶୁକ୍ଳ ବର୍ଣ୍ଣର ଧାନ ଶିଂସାକୁ ମେଣ୍ଟାକରି ସେହି ଧାନ ମାଣ ଉପରେ ରଖିବ । ଚୂଳ, ଆଖୁ, ମୂଳା, କଦଳୀ ଆଦି ନାନାବିଧ ଫଳ ଯୋଗାଡିବା ସହ ନାଲି ପାଟ ଏବଂ ପୁଷ୍ପ ଦ୍ୱାରା ତାକୁ ସୁନ୍ଦର ଭାବରେ ସଜାଡିବ । ଏହାପରେ ମା ଲକ୍ଷ୍ମୀଙ୍କୁ ଧାନମାଣରେ ସୁସଜ୍ଜିତ ହୋଇଥିବା ଖଟୁଳି ମଧ୍ୟକୁ ଆବାହନ କରାଯିବ । ନାନାଦି ପ୍ରକାରର ଗନ୍ଧ, ପୁ୍‌ଷ୍ପ, ଧୂପ, ଦୀପ ଆଦି ସମର୍ପଣ ସହ ବାଳଧୁପ, ସଙ୍କୁଡ଼ି ଭୋଗ ଆଦି ସମସ୍ତ ପ୍ରକାର ଭୋଗକୁ ସଜାଡ଼ି ପୂଜା କରିବ । ଏହା ସହିତ ମା ଲକ୍ଷ୍ମୀ ସାଧବାଣୀକୁ ସୁଦଶା ବ୍ରତ ସମ୍ବନ୍ଧରେ ସମସ୍ତ ସୂଚନା ପ୍ରଦାନ କରିଛନ୍ତି । ଯଦି ମାର୍ଗଶୀର ମାସର ଶୁକ୍ଳ ପକ୍ଷର ଦଶମୀ ଦିନ ଗୁରୁବାର ପଡ଼େ ତେବେ ତାହାକୁ ସୁଦଶା ବ୍ରତ ଭାବରେ ପାଳନ କରାଯାଏ । ସେହିଦିନ ମଧ୍ୟ ଉଷାକାଳରୁ ଉଠି ସ୍ନାନ ଶୌଚ ସାରି, ଘରଦ୍ୱାର ଲିପି ଘର ଭିତରେ ନାନାବିଧ ଝୋଟି ବା ଚିତା ଆଙ୍କି ଗୃହ ମଧ୍ୟରେ ପଦ୍ମ ମଣ୍ଡଳ ଅଙ୍କାଯାଏ । ତାହାପରେ ଏକ ଖଟୁଳି ରଖି ପୂର୍ବରୁ ମା ଲକ୍ଷ୍ମୀଙ୍କ ପାଖରେ ପୂଜା ହୋଇଥିବା ଗୁଆକୁ ରଖି ପଞ୍ଚାମୃତ ସହ ଶୁଦ୍ଧ ଜଳରେ ସ୍ନାନ କରାଇବ । ମା ଲକ୍ଷ୍ମୀଙ୍କ ଦଶଗୋଟି ନାମରେ ଦଶ ଗୋଟି ଗଣ୍ଠି ପକାଇବ । ଦଶକେରା ଦୁବରେ ତାକୁ ଗୁଡା଼ଇ ମା ଲ୍‌କ୍ଷ୍ମୀଙ୍କ ପାଖରେ ରଖି ପୂଜା କରିବ । ବିଭିନ୍ନ ପ୍ରକାର ଧୂପ, ଦୀପ, ଭୋଗ, ନୈବେଦ୍ୟ ସମର୍ପଣ ପୂର୍ବକ ମା ଲକ୍ଷ୍ମୀଙ୍କ ପୂଜା ଆରାଧନା କରିବ ।

ଏହିପରି ସାଧବାଣୀକୁ ମାଣପୂଜନର ସମସ୍ତ ବିଧି କଥା ବୁଝାଇ ମା ଲକ୍ଷ୍ମୀ ସେଠାରୁ ନଗର ପରିକ୍ରମା ନିମନ୍ତେ ବାହାର ହେଲେ । ଏହି ସମୟରେ ସେ ଦେଖିବାକୁ ପାଇଛନ୍ତିଯେ ନଗର ସାରା କାହାରି ମଧ୍ୟ ଘର ଶୂଚି ବା ପବିତ୍ର ଅଥବା ନିର୍ମଳ ଦେଖାଯାଉନାହିଁ । କାହାଘରେ ଯୁବତୀ ଅଚେତନ ଅବସ୍ଥାରେ ନିଦ୍ରା ଯାଇଛି ତ କାହାଘରେ ଯୁବତୀ ମାନେ କେଶ ବାସ ମୁକୁଳା କରି ଶୟନ କରିଛନ୍ତି । ଏହି ସବୁ ଦୃଶ୍ୟମାନ ମା ଲକ୍ଷ୍ମୀଙ୍କୁ ବିଚଳିତ କରିପକାଇଛି ।

ଶୁଣହେ ନାରଦ ଠାକୁରାଣୀ ଏହା କହି || ସେଠାବରୁ କେତେ ଦୂର ପଥ ଗଲେ ବାହି ||

ଘରେ ଘରେ ପୁରେ ପୁରେ ଲକ୍ଷ୍ମୀ ବିଜେ କଲେ || କାହାରି ଦୁଆରେ ସେ ଶୂଚୀ ନଦେଖିଲେ ||

କେବଣ ଯୁବତୀ ନିଦେ ହୋଇ ଅଚେତନ || କାହାରି ଫିଟିଯାଇଛି ପିନ୍ଧିଲା ବସନ ||

କାହାର ଶରୀର କେଶ ମୁକୁଳିତ ହୋଇ || ଭୂମିପରେ ପଡ଼ିଅଛି କେରିକେରି ହୋଇ ||

ଉପର ବର୍ଣ୍ଣିତ ଏହି ସବୁ ଦୃଶ୍ୟ ଦେଖି ମ୍ରିୟମାଣ ହୋଇ ମା ଲକ୍ଷ୍ମୀ ନଗର ଉପାନ୍ତରେ ଥିବା ଚଣ୍ଡାଳ ସାହିରେ ପ୍ରବେଶ କରିଛନ୍ତି । ସେହି ଚଣ୍ଡାଳ ସାହିର ଶ୍ରୀୟା ଚଣ୍ଡାଳୁଣି ଜଣେ ଦୁଃଖି, ଦରିଦ୍ର, ପୁତ୍ରହୀନା ଚଣ୍ଡାଳୁଣି ପ୍ରତିଦିନ ଗୁଣ୍ଡିଚା ନଗରକୁ ସଫାକରି ତାର ପରିବାର ପ୍ରତିପୋଷଣ କରୁଛି । ବିଷ୍ଣୁ ଭକ୍ତ ଶ୍ରୀୟା ଚଣ୍ଡାଳୁଣୀ ପ୍ରତିଦିନ ରାତି ଦିଘଡ଼ିରୁ ଶଯ୍ୟା ତ୍ୟାଗ କରି ଏକବର୍ଣ୍ଣି ଗାଈର ଗୋବର ଆଣି ଘର ଦ୍ୱାର ଲିପା ପୋଛା କରି, ଛଡ଼ା ପାଣିରେ ଦୁଆର ସମ୍ମୁଖ ଶୁଦ୍ଧି କରି ଅରୁଆ ଚାଉଳ ବଟା ପିଠଉରେ ସୁନ୍ଦର ସୁନ୍ଦର ପଦ୍ମ ଚିତା ମାନ ଆଙ୍କିଛି । ଦଶମୁଖା ଦିପାଳି ମଣ୍ଡଳରେ ଥାପି ଦଶବର୍ଣ୍ଣର ଫଳର ଭୋଗ ବାଢ଼ି, ଧୂପ ଦୀପ, ଗନ୍ଧ ପୁଷ୍ପ, ନୈବେଦ୍ୟ ସମର୍ପଣ ପୂର୍ବକ ଭକ୍ତି ପୂର୍ଣ୍ଣ ଚିତ୍ତରେ ମା ଲକ୍ଷ୍ମୀଙ୍କୁ ସ୍ମରଣ କରିଛି ।

ନମସ୍ତେ ନମସ୍ତେ ମାଗୋ ହରିର ଘରଣୀ || ମୁହିଁ ଛାର ହୀନ ଜାତି ନଜାଣଇ ପୁଣି ||

ଚଣ୍ଡାଳ ସାହିରେ ଘର ପୁଣି ଚଣ୍ଡାଳୁଣୀ || କିଞ୍ଚିତେ ଭକତି ମୋର ଘେନ କମଳିନୀ ||

ଘର ଭିତରେ ଧ୍ୟାନ ସହକାରେ ବସି ଶ୍ରୀୟା ଚଣ୍ଡାଳୁଣୀ ମା ଲକ୍ଷ୍ମୀଙ୍କୁ ଆବାହନ କରିଛି । ସେହି ସମୟରେ ଲକ୍ଷ୍ମୀ ଶ୍ରୀୟାର ଘର ଆଗ ଦାଣ୍ଡ ଅତିକ୍ରମ ଯାଉଥିବା ସମୟରେ ତାଙ୍କ କାନରେ ଶ୍ରୀୟାର ଆକୁଳ ପ୍ରାର୍ଥନା ବାଜିଛି । ସେଇଠି ମା ଲକ୍ଷ୍ମୀଙ୍କର ପାଦ ଅଟକି ଯାଇଛି । ଚଣ୍ଡାଳୁଣୀର ଘରକୁ ଚାହିଁ ଦେଲାବେଳକୁ ଦୁଆର ସମ୍ମୁଖରେ ଅଙ୍କାଯାଇଥିବା ପଦ୍ମ ଫୁଲର ଚିତା ମାଙ୍କ ନଜରରେ ପଡ଼ିଛି । ପଦ୍ମ ଫୁଲକୁ ଦେଖି ମା ଅତ୍ୟନ୍ତ ଆନନ୍ଦିତ ହୋଇଯାଇଛନ୍ତି । ଶ୍ରୀୟାର ବିକଳ ପ୍ରାର୍ଥନା ମା ସହିପାରିନାହାନ୍ତି । ସଙ୍ଗେ ସଙ୍ଗେ ତା ଗୃହରେ ପ୍ରବେଶ କରିଛନ୍ତି ।

ଦାଣ୍ଡେ ଦାଣ୍ଡେ ଯାଉଥିଲେ ବିଷ୍ଣୁ ପାଟରାଣୀ || ସହି ନପାରିଲେ ଚଣ୍ଡାଳୁଣୀର ଦୟିନୀ ||

ପଦ୍ମଫୁଲ ଦେଖି ତାଙ୍କ ବଳିଲା ଶରଧା || ଦୁଇପାଦ ଦେଇ ମାତ ପଦ୍ମେ ହେଲେ ଉଭା ||

 

ଶ୍ରୀୟା ଚଣ୍ଡାଳୁଣୀର ଗରିବ ଘରର ଦୁଆର ସମ୍ମୁଖରେ ଅଙ୍କା ଯାଇଥିବା ପଦ୍ମ ଫୁଲର ଚିତା ଉପରେ ମା ଲକ୍ଷ୍ମୀଙ୍କର ଆବିର୍ଭାବ ଦେଖି ଚଣ୍ଡାଳୁଣୀ ନିଜକୁ ଧନ୍ୟ ମନେ କରିଛି । ଚଣ୍ଡାଳୁଣୀର ଭକ୍ତିରେ ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରୀତ ହୋଇ ଇଛା ମୁତାବକ ବର ମାଗିବାକୁ କହିଛନ୍ତି । ଖୁସିରେ ଆତ୍ମହରା ହୋଇ ଚଣ୍ଡାଳୁଣୀ କି ବର ମାଗିବ ସ୍ଥିର କରିପାରିନାହିଁ । ତଥାପି ସେ ମାଗିଛି ।

ଚଣ୍ଡାଳୁଣୀ କହୁଅଛି ଶୀରେ କର ଦେଇ || କି ବର ମାଗିବି ମାଗୋ ମାଗି ଜାଣିନାହିଁ ||

ଗୋଗୋଷ୍ଠକୁ ଦେବ ମୋର ଲକ୍ଷେ ପଦ୍ମ ଗାଈ || କୁବେର ସମାନ ମାତ ଧନ ଦେବୁ ତୁହି ||

କୋଳକୁ ନନ୍ଦନ ଯେ ହସ୍ତକୁ ସୁନାବାହି || ଚାରିଯୁଗେ ବସିବି ଅମର ବର ପାଇ ||

ନିଜ ସମସ୍ୟାବହୁଳ ଜୀବନରେ ସମସ୍ତ ସମସ୍ୟାକୁ କ୍ଷଣକ ଭିତରେ ଦୂର କରି ଏକ ସୁଖମୟ ଜୀବନ ଆଶାରେ ଅପୁତ୍ରିକ ତଥା ଦରିଦ୍ର ଶ୍ରୀୟା ଯେତେବେଳେ ମା ଲକ୍ଷ୍ମୀଙ୍କୁ ଏକ ଲକ୍ଷ ପଦ୍ମ ଗାଈ, କୁବେର ସମାନ ଧନ, ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ନନ୍ଦନ ଏବଂ ନିଜ ପାଇଁ ଅମର ବର ମାଗିଛି । ମା ଲକ୍ଷ୍ମୀ ସେତେବେଳେ ଅମର ବରକୁ ଛାଡ଼ି ଅନ୍ୟ ସମସ୍ତ ବର ପ୍ରଦାନ କରି ତାକୁ ଆଶିର୍ବାଦ ପ୍ରଦାନ କରିଛନ୍ତି । ତତ୍ ସହିତ ଅମର ବର ପ୍ରତି ବଦଳରେ ଶ୍ରୀୟାକୁ କହିଛନ୍ତି ଏ ସଂସାରରେ ବଞ୍ଚିଥିବା ପର୍ଯ୍ୟନ୍ତ ଲକ୍ଷ୍ମୀଙ୍କ କୃପାରୁ ସମସ୍ତ ଐଶ୍ୱର୍ଯ୍ୟ ଭୋଗ କରୁଥିବ ଏବଂ ଯେତେବେଳେ ମୃତ୍ୟୁ ବରଣ କରିବ ସେତେବେଳେ ବିଷ୍ଣୁ୍‌ଙ୍କ ପଞ୍ଜରେ ଯାଇ ବାସ କରିବ । ଏହା ସହିତ ତାକୁ ଏହା ମଧ୍ୟ କହିଛନ୍ତି ଯେ ଯେତେଦିନ ପର୍ଯ୍ୟନ୍ତ ଶ୍ରୀୟା ଉଭୟ ଲକ୍ଷ୍ମୀ ନାରାୟଣଙ୍କ ପାଦପଦ୍ମରେ ଧ୍ୟାନ ରଖିଥିବ ସେତେ ଦିନ ପର୍ଯ୍ୟନ୍ତ ତାଙ୍କର କୃପା ତା ଉପରେ ବରଷୁଥିବ ।

ଠିକ୍ ଏହି ସମୟରେ ଅପର ପଟରେ ଅଗ୍ରଜ ବଳରାମ ଓ ଅନୂଜ ଜଗନ୍ନାଥ ଘୋର ବନସ୍ତ ଭିତରକୁ ମୃଗୟା ବିନୋଦ ପାଇଁ ଯାଇ ଏକ ନିର୍ଜନ ସ୍ଥାନରେ ବିଶ୍ରାମ କରୁଛନ୍ତି । ହଠାତ୍ ବଳରାମ ଯୋଗସ୍ଥ ହୋଇ ତାଙ୍କ ନଗରର ନାଗରିକ ମାନଙ୍କ କଥା ଚିନ୍ତାକରିଛନ୍ତି । ଧ୍ୟାନ ବଳରେ ଲକ୍ଷ୍ମୀଙ୍କୁ ନଗର ଉପାନ୍ତରେ ଥିବା ଚଣ୍ଡାଳ ସାହିରେ ଶ୍ରୀୟା ଚଣ୍ଡାଳୁଣୀ ଘରେ ଦେଖିପାରିଛନ୍ତି । ଏହା ଦେଖି ବଳରାମ କ୍ରୋଧରେ ଜର୍ଜରିତ ହୋଇ ଜଗନ୍ନାଥଙ୍କୁ କହିଛନ୍ତି ।

ଦେଖ ଦେଖ କହ୍ନାଇ ତୋ ଭାରିଯା ଆଚର || ପଶିଅଛି ଆଜ ସେହୁ ଚଣ୍ଡାଳୁଣୀ ଘର ||

ହାଡି ଘରେ ଥିବ ଲକ୍ଷ୍ମୀ ପାଣ ଘରେ ଥିବ || ସ୍ନାନ ନ କରିଣ ବଡ଼ ଦେଉଳେ ପଶିବ ||

ଏହି ରୂପେ ସବୁ ଦିନେ ଦେଉଳେ ପଶୁଛି || ଦୁଇଗୋଟି ଭାଇକୁ ବିଟାଳ କରୁଅଛି ||

ଜ୍ୟେଷ୍ଠଭ୍ରାତ ବଳରାମଙ୍କଠାରୁ ଏହିଭଳି ଭର୍ତ୍ସନା ଶୁଣି ଅନୂଜ ଜଗନ୍ନାଥ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ ଭାଇ, ଲକ୍ଷ୍ମୀ “ଭାଇ , ଲକ୍ଷ୍ମୀ ଦାରିଦ୍ର‌୍ୟ ଭଞ୍ଜନୀ ନାମ ବହନ କରିଥିବାରୁ ଦରିଦ୍ର ମାନଙ୍କ ଦୁଃଖ କଷ୍ଟ ସହ୍ୟ କରିପାରୁନାହାନ୍ତି । ତେଣୁ ତାଙ୍କର ଏହି ସୁଦଶା ବ୍ରତରେ ସେ ତାଙ୍କୁ ଭକ୍ତି ଚିତ୍ତରେ ପୂଜା କରୁଥିବା ଚଣ୍ଡାଳୁଣୀକୁ ଦର୍ଶନ ଦେବା ଲାଗି ସେଠାକୁ ଗମନ କରିଛନ୍ତି । ” ଜଗନ୍ନାଥଙ୍କ ଏହି କଥା ଶୁଣି ବଳରାମ ପୁନଶ୍ଚ କ୍ରୋଧାନ୍ୱିତ ହୋଇ ଗାଳି କରି କହିଛନ୍ତି ଯେ “ଯଦି ତୋ ଜୀବନରେ ଭାରିଯାର ଅଧିକ ଗୁରୁତ୍ୱ ରହିଛି ତେବେ ମୋତେ ଛାଡ଼ି ଚଣ୍ଡାଳ ସାହିରେ ନଗ୍ର ନିର୍ମାଣ କରି ଲକ୍ଷ୍ମୀ ସହ ବାସ କର । କାରଣ ଏହି ସବୁ ଲକ୍ଷଣ ଥିଲେ ଜୀବନରେ ଭଲ ଗତି ନାହିଁ। ତେଣୁ ମୋ କଥା ରଖି ତାକୁ ଘରୁ ବାହାର କରିଦିଅ ।

ଭାରିଯାରେ କାର୍ଯ୍ୟ ଯେବେ ଅଛିରେ କହ୍ନାଇ || ଚଣ୍ଡାଳ ସାହିରେ ନଗର ତୋଳ ବେଗେ ଯାଇ ||

ଆମ୍ଭ ବାକ୍ୟ ମାନି ତାକୁ ଦିଅ ଘଉଡା଼ଇ || ଏପରି ଘରଣୀ ଥିଲେ ଭଲ ଗତି ତତେ ନାହିଁ ||

ବଳରାମଙ୍କଠାରୁ ଏହା ଶୁଣି ଜଗନ୍ନାଥ ଦ୍ୱନ୍ଦରେ ପଡ଼ିଯାଇଛନ୍ତି । କ’ଣ କରିବେ ନ କରିବେ ମନରେ କିଛି ସ୍ଥିର କରି ପାରୁନାହାନ୍ତି । ଲକ୍ଷ୍ମୀଙ୍କ ଭଳି ସହ ଧର୍ମିଣୀକୁ ଘରୁ ବିଦା କରିଦେଲେ ତା ଭଳି ଭାରିଯା ଆଉ ପାଇବାନି । ଯଦି ଚଣ୍ଡାଳୁଣୀ ଘରେ ବିଜେକରି ସେ ଦୋଷ କରିଛନ୍ତି ତେବେ ତାର ସମାଧାନ ପୂର୍ବକ ସ୍ୱର୍ଗରୁ ଦେବତା ମାନଙ୍କୁ ଡାକି ସମାଧାନ କରିବା । ତାଙ୍କୁ ସେହି ସଭାରେ ସର୍ବ ସମ୍ମତି କ୍ରମେ ପାଞ୍ଚଲକ୍ଷ ଟଙ୍କା ଜୋରିମନା ଦେଇ ଜାତି କରାଇବା । ଏହା ସହିତ ଜୀବନରେ ଏହଭଳି କାର୍ଯ୍ୟ ନକରିବାକୁ ବାରଣ କରିବା । ଭବିଷ୍ୟତରେ ଯଦି ଆମ କଥା ପୁନଶ୍ଚ ଅବମାନନା କରନ୍ତି ତେବେ ତାଙ୍କୁ ଘରୁ ଘଉଡା଼ଇ ଦେବା । ଏହିଭଳି କଥା କହି ଜଗନ୍ନାଥ ଯେତେବେଳେ ବଳରାମଙ୍କୁ ଗୁହାରି କରିଛନ୍ତି । ବଳରାମ ଜଗନ୍ନାଙ୍କ କଥା ଶୁଣି ଆହୁରି ଅଧିକ ଉତ୍ୟକ୍ତ ହୋଇଯାଇଛନ୍ତି । ଜଗନ୍ନାଥଙ୍କୁ ସ୍ପଷ୍ଟ ଭାବରେ ଶୁଣାଇଦେଇଛନ୍ତି ଯେ, ଯେତେଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ବଡ଼ ଦେଉଳରେ ଥିବେ ସେତଦିନ ପର୍ଯ୍ୟନ୍ତ ସେ ଜଗନ୍ନାଥଙ୍କ ପାଖ ମାଡ଼ିବେ ନାହିଁ । ତାଙ୍କ ମତରେ ଭାରିଯା ପାଦର ପାଣ୍ଡେଇ ସମାନ ଅଟେ । ଭାଇର ସ୍ଥାନ ଭାରିଯାଠାରୁ ବହୁତ ଉଚ୍ଚରେ ଅଟେ । ଗୋଟିଏ ଭାଇ ଥିଲେ କୋଟିଏ ଭାରିଯା ମିଳିପାରେ । ତେଣୁ ଜଗନ୍ନାଥଙ୍କ ପାଇଁ ଯଦି ତାଙ୍କର ଭାରିଯା ସବୁକିଛି ତେବେ ତାଙ୍କ ସହ ଚଣ୍ଡାଳ ସାହିରେ ନଗର ନିର୍ମାଣ କରି ଲକ୍ଷ୍ମୀଙ୍କ ସହ ରହିବାକୁ ବଳରାମ କହିଛନ୍ତି । ଏପରିକି ଶେଷଥର ପାଇଁ ମଧ୍ୟ କଡ଼ା ତାଗିଦ୍ କରି କହିଦେଇଛନ୍ତି ଯେ, ତୋ ଜୀବନର ସର୍ବସ୍ୱ ପ୍ରାଣପ୍ରୀୟା ଭାରିାଯା ସହ ସାରା ଜୀବନ ମନ୍ଦିର ବାହାରେ ରହିବୁ । ଆଜିଠାରୁ ଏହି ମୁହୁର୍ତ୍ତରୁ ଦେଉଳ ଭିତରକୁ ଆଉ ଆସିବୁ ନାହିଁ।

ବଳରାମ ବୋଲୁଛନ୍ତି ଶୁଣ ଭାବଗ୍ରାହି || ତୋର ଲକ୍ଷ୍ମୀ ଥିଲେ ମୁହିଁ ରହିବିଟି ନାହିଁ ||

ଭାରିଯାଟି ଅଟେ ସିନା ପାଦର ପାଣ୍ଡୋଇ || ଗୋଟି ଭାଇ ଥିଲେ କୋଟି ଭାରିଯା ମିଳଇ ||

ଭାର୍ଯ୍ୟାଠାରେ ଲୋଭ ଯେବେ ଅଛିରେ କହ୍ନାଇ || ଚଣ୍ଡାଳ ସାହିରେ ନଗ୍ର ତୋଳ ବେଗେଯାଇ ||

ମୋର ବଡ଼ ଦେଉଳକୁ ଆଉ ନଆସିବୁ || ଭାରିଯାକୁ ଘେନି ତୁହି ବାହାରେ ରହିବୁ ||

ବଳରାମଙ୍କର ଏହିଭଳି ଧିକ୍କାର ବଚନ ଶୁଣି ଜଗନ୍ନାଥଙ୍କର କାନମୁଣ୍ଡ ଭାଁ ଭାଁ ହୋଇଯାଇଛି । ବଡ଼ ଦେଉଳର ସିଂହ ଦ୍ୱାରରେ ପ୍ରବେଶକରି ଉପରମୁଖା ହୋଇ ବସିପଡ଼ି ବାରମ୍ବାର ଦୀର୍ଘ ନିଃଶ୍ୱାସ ଛାଡ଼ିବାକୁ ଲାଗିଲେ । ଗୋଟିଏ ପଟରେ ପ୍ରାଣପ୍ରୀୟା ଲକ୍ଷ୍ମୀ ଓ ଅପରପଟରେ ଭାତୃସୋଦର ବଳରାମ । ସେ କାହାକୁ ଗ୍ରହଣ କରିବେ ? କାହାକୁ ପରିତ୍ୟାଗ କରିବେ ? ଏହି ସମୟରେ ଚଣ୍ଡାଳୁଣୀର ଭକ୍ତିରେ ସନ୍ତୁଷ୍ଟ ହୋଇ ମା ଲକ୍ଷ୍ମୀ ତାକୁ ବର ପ୍ରଦାନ ପୂର୍ବକ ତାର ସମସ୍ତ ମନସ୍କାମନା ପୂର୍ଣ୍ଣ କରି ଆତ୍ମତୃପ୍ତିରେ ବଡ଼ ଦେଉଳକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ସିଂହଦ୍ୱାର ନିକଟରେ କ୍ରୋଧ ଜର୍ଜରିତ ହୋଇ ଜଗତର ନାଥ ଜଗନ୍ନାଥ ବସିଛନ୍ତି । ମା ଲକ୍ଷ୍ମୀ ଜଗନ୍ନାଥଙ୍କୁ ଦେଉଳ ଭିତରକୁ ଯିବାପାଇଁ ବାଟ ଛାଡ଼ିବାକୁ ଅନୁରୋଧ କରିଛନ୍ତି । ଏହି ସମୟରେ ଜଗନ୍ନାଥ କୋପାନଳ ହୋଇ ପଚାରିଛନ୍ତି ତୁମେ ବାୟାଣୀ ହୋଇଗଲକି ଲକ୍ଷ୍ମୀ ? କୁହ , ଚଣ୍ଡାଳ ସାହିକି କାହିଁକି ଯାଇଥିଲ ? ମୁଁ ଏକୁଟିଆ ତୁମକୁ ଦେଖିଥିଲେ ଅଲଗା କଥା କିନ୍ତୁ ବଡ଼ଭାଇ ଦେଖିଲାପରେ କ’ଣ ହେବ ତୁମର ଅବସ୍ଥା ? ଯାଅ, ଏହି ମୁହୁର୍ତ୍ତରୁ ତୁମଠାରେ ମୋର କୌଣସି କାର୍ଯ୍ୟ ନାହିଁ।

ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ହୋଇଲକି ବାଇ || ଚଣ୍ଡାଳ ସାହିକି ଯାଇଥିଲ କାହିଁପାଇଁ ||

ଆମ୍ଭେ ନଦେଖୁଣୁ ଯେ ଦେଖିଲେ ବଡ଼ଭାଇ || ଧିକ୍କାର ମୋତେ କଲେ ବହୁତ ଜ୍ୟେଷ୍ଠଭାଇ ||

*********************************************************

ଏକଘର କରାଉ ସହସ୍ର ଘର ଭାଙ୍ଗି || ସହସ୍ର ଘର କରାଉ ଏକ ଘର ଭ୍‌ଙ୍ଗି ||

ଜଗନ୍ନାଥଙ୍କଠାରୁ ଏଭଳି ଗାଳି ଶୁଣିବା ସହ ଘରଭାଙ୍ଗିର ଅପମାନ ଶୁଣିସାରିବା ପରେ ମା ଲକ୍ଷ୍ମୀଙ୍କ ମନରେ କ୍ରୋଧ ସୃଷ୍ଟି ହୋଇଛି । ଲକ୍ଷ୍ମୀ ଜଗନ୍ନାଙ୍କୁ ଅସହ୍ୟ ଗାଳି କରିବା ପରିବର୍ତ୍ତେ ଛାଡ଼ପତ୍ର ଦେଇଦେବାକୁ କହିଛନ୍ତି । କାରଣ ଯେତେବେଳେ ସମୁଦ୍ର ମନ୍ଥନରୁ ମା ଲକ୍ଷ୍ମୀ ସମ୍ଭୁତ ହେଲେ ସେତେବେଳେ ଲୀଳାମୟ ବିଷ୍ଣୁ ବା ଜଗତର ନାଥ ଜଗନ୍ନାଥ ତାଙ୍କୁ ବିବାହ କରିବା ନିମନ୍ତେ ଆଗ୍ରହ ପ୍ରକାଶ କଲେ । ବରୁଣ ରାଜା ସେତେବେଳେ ସୁସଜ୍ଜିତ କନକ ବେଦିରେ ଜଗନ୍ନାଥଙ୍କ କର କମଳରେ ଲକ୍ଷ୍ମୀଙ୍କର କରକୁ ଛନ୍ଦିଦେଲେ । ଏହି ସମୟରେ ବରୁଣ ରାଜା ଜାମାତା ଜଗନ୍ନାଥଙ୍କୁ ତାଙ୍କ କନ୍ୟାର ଦଶଦୋଷ କ୍ଷମା କରିବା ନିମନ୍ତେ ଅନୂରୋଧ କରିଥିଲେ । ପୁନଶ୍ଚ ଯେତେବେଳେ ବିବାହ ପରଦିନ ସାତକଡ଼ା କଉଡ଼ିରେ ଜଗନ୍ନାଥ ଓ ଲକ୍ଷ୍ମୀ ବସି ଜୁଆ ଖେଳିଥିଲେ ସେତେବେଳେ ଲକ୍ଷ୍ମୀଙ୍କ ହାତରୁ ସୁବର୍ଣ୍ଣ କଉଡ଼ି ଛଡ଼ାଇନପାରି ଜଗନ୍ନାଥ ହାରିଯାଇଥିଲେ । ସେଠାରେ ଉପସ୍ଥିତ ସମସ୍ତଙ୍କ ଆଗରେ ସେ ଲକ୍ଷ୍ମୀଙ୍କୁ ଗୋଟିଏ ବର ମାଗିବାକୁ କହିଥିଲେ । ଏହି ସୁଯୋଗରେ ମା ଳକ୍ଷ୍ମୀ କରପତ୍ର ଯୋଡ଼ି ବିନୟର ସହ ବ୍ରହ୍ମାଣ୍ଡ ଠାକୁର ଜଗନ୍ନାଥଙ୍କୁ ମାର୍ଗଶୀର ମାସ ଗୁରୁବାର ଦିନ ବ୍ରାହ୍ମଣଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତ ଭକ୍ତଙ୍କ ଘରକୁ ଯିବାକୁ ଅନୁମତି ମାଗୁଛନ୍ତି ।

ମୋର ପିତା ବରୁଣଯେ ତୁମ୍ଭଙ୍କୁ ବରିଲେ || କନକ ବେଦିରେ ନେଇ ବିଭା କରାଇଲେ ||

ଝିଅ ଦେଇ ଶରଣ ପଶିଲେ ତୁମ୍ଭ ତହିଁ || ଦଶ ଦୋଷ ମୋର କ୍ଷମା କରିବାର ପାଇଁ ||

ଦଶଗୋଟି ଦୋଷରୁ ଗୋଟିକ ନସହିଲ || ପ୍ରଥମରେ ଚଣ୍ଡାଳୁଣୀ ବୋଲି ଗାଳିଦେଲ ||

ବିଭାବାସି ଦିନ ଜୁଆ ଖେଳିବାରବେଳେ || ସାତକଡ଼ା କଉଡ଼ିଯେ ପାତିଲଇ ତଳେ ||

ତୁମ୍ଭେ ଢାଳିଦିଅ ନାଥ ମୋହର ହସ୍ତରେ || ସୁବର୍ଣ୍ଣ କଉଡ଼ି ମୁହିିଁ ଯାକିଲଇଁ କରେ ||

ଛଡାଇନପାରି ତୁମ୍ଭେ ବ୍ରହ୍ମାଣ୍ଡ ଠାକୁର || ମୋତେ ବୋଇଲ ଯା ଇଛା ମାଗି ଘେନିବର ||

ଯାହା ମନେ ବାଞ୍ଛା ଗୋ କରିବୁ ଚାନ୍ଦମୁହିଁ || ତାହା ମୁଁ ଅବଶ୍ୟ ଦେବି ତୋତେ ପ୍ରାଣସହୀ ||

କରପତ୍ର ଯୋଡ଼ିଣ ବୋଇଲି ଉତ୍ତର || ପଡ଼ି ଚରଚିବି ମୁହିଁ ସବୁ୍‌ଙ୍କର ଘର ||

ଲକ୍ଷ୍ମୀଙ୍କର ଏହିଭଳି ଅନୁନୟ ଶୁଣି ଜଗନ୍ନାଥ ନରମିବା ବଦଳରେ ଆହୁରି ଉତ୍ୟକ୍ତ ହୋଇ ଆପଣାର ଧର୍ମପତ୍ନୀଙ୍କୁ ଟେରୀ କହି ଭର୍ତ୍ସନା ଦେଇଛନ୍ତି । ଶଶୁର ବରୁଣଙ୍କୁ ଲୁଣିଆ କହି ନିନ୍ଦା ମଧ୍ୟ କରିଛନ୍ତି । ଏପରି ଲକ୍ଷ୍ମୀଙ୍କର ଜାତି, କୂଳ, ଗୋତ୍ରକୁ ମଧ୍ୟ ଉପହାସ କରିଛନ୍ତି । ଜଗତର ନାଥ ଜଗନ୍ନାଥଙ୍କ ଭଳି ସ୍ୱାମିଙ୍କର ମୁଖରୁ ନିଜ ପିତାଙ୍କର ନିନ୍ଦା ଅପବାଦ ଲକ୍ଷ୍ମୀ ସହ୍ୟ କରିପାରି ନାହାନ୍ତି । ଲକ୍ଷ୍ମୀ ମଧ୍ୟ ଜଗନ୍ନାଥଙ୍କ ଦୋଷ ତ୍ରୁଟି କଥା ସ୍ମରଣ କରାଇ ପ୍ରତିବାଦ କରିବାକୁ ପଛଘୁଞ୍ଚା ଦେଇ ନାହାନ୍ତି । ଜଗନ୍ନାଥ ବଳଭଦ୍ର ଦୁଇଭାଇ କିପରି ଗଉଡ଼ ଘରେ ରହିଥିଲେ ସେକଥା ଲକ୍ଷ୍ମୀ ପଚାରିଛନ୍ତି । ଗୋଲକ ଜାତିର ନିମାଘରେ ଜଗନ୍ନାଥ କିଭଳି ଅନ୍ନ ଭକ୍ଷଣ କରିଥିଲେ ? ଅରଣ୍ୟରେ ଜରାଶବର ଘରେ ବର୍ଷ ବର୍ଷ କାହିଁକି ଯାପନ କରିଥିଲେ ? ଶବରୀର ଅଇଁଠା ଖାଇବାକୁ କାହିଁକି ଜଗତର ନାଥ ଜଗନ୍ନାଥ ଆଗ୍ରହ ପ୍ରକାଶ କରିଥିଲେ ? ଲକ୍ଷ୍ମୀଙ୍କର ପ୍ରତିବାଦ ଶୁଣି ଜଗନ୍ନାଥ ନିମିଷକ ପାଇଁ ସ୍ଥିର ହୋଇଯାଇଛନ୍ତି । ପରିତ୍ୟକ୍ତା ପତ୍ନୀଙ୍କ ପାଇଁ ପଡ଼ି ଖଞ୍ଜିଦେବା ପାଇଁ କହିଛନ୍ତି ? କିନ୍ତୁ ମା ଲକ୍ଷ୍ମୀ ସ୍ୱାମୀଙ୍କର ସ୍ନେହ ସମ୍ମାନ ବ୍ୟତୀତ କୌଣସି ପ୍ରକାର ଅନୁକମ୍ଫା ଗ୍ରହଣ କରିବାକୁ ଲକ୍ଷ୍ମୀ ଇଛା ପ୍ରକାଶ କରିନାହାନ୍ତି । ଜଗନ୍ନାଥଙ୍କ ଭୁଲ୍ ନିଷ୍ପତ୍ତିକୁ ପ୍ରତିବାଦ କରି ଆପଣାର ସ୍ୱାଭିମାନକୁ ବଜାୟ ରଖି ଲକ୍ଷ୍ମୀ ବଡ଼ ଦେଉଳରୁ ବାହାରିଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତା ପୂର୍ବରୁ ବିବାହ ସମୟରେ ସ୍ୱାମୀଙ୍କଠାରୁ ଉପହାର ସ୍ୱରୂପ ପାଇଥିବା ସମସ୍ତ ସ୍ୱର୍ଣ୍ଣାଳଙ୍କାରମାନ ଫେରାଇଦେବାକୁ ଚାହିଁଛନ୍ତି।

ଶୀରରୁ କାଢ଼ିଲେ ମାଏ ମୁକୁତାର ମାଳି || ହୃଦରୁ କାଢିଲେ ଇନ୍ଦ୍ର ଗୋବିନ୍ଦ କାଞ୍ଚୁଲି ||

ଅଣ୍ଟାରୁ କାଢ଼ିଲେ ମାୟେ ରତ୍ନର ଓଢ଼ଣୀ || ନାସକାରୁ କାଢ଼ିଲେଯେ ମୁକୁତା ବସଣୀ ||

ଦୁଇ କର୍ଣ୍ଣରୁ କାଢ଼ିଲେ ହୀରକ କୁଣ୍ଡଳ || ଗଳାରୁ କାଢ଼ିଲେ ଯେ ଦୋସରି ଚିନାମାଳ ||

ପାଦରୁ କାଢିଲେ ଦେବୀ ବାଜେଣୀ ନୂପୁର || ଅଙ୍ଗୁଷ୍ଠିରୁ କାଢିଲେଯେ ଝୁଣ୍ଟିଆ ସତ୍ୱର ||

ଅନ୍ୟ ଅଳଙ୍କାର ମାନ କିକହିବି ଆଉ || ରୁଣ୍ଡ କଲାରୁ ଦିଶିଲା ସବୁ ଦାଉ ଦାଉ ||

ସବୁ ଅଳଙ୍କାରମାନ ଏକଠାବ କଲେ || ରଖ ଦୀନବନ୍ଧୁ ବୋଲି ଏହା ସମର୍ପିଲେ ||

ଲକ୍ଷ୍ମୀଙ୍କର ଏତାଦୃଶ କାର୍ଯ୍ୟକଳାପ ଦେଖି ଜଗନ୍ନାଥ ବିସ୍ମିତ ହୋଇଯାଇଛନ୍ତି । ସେ ଲକ୍ଷ୍ମୀଙ୍କୁ ଅଳଙ୍କାର ନେଇ କଣ କରିବେ ବୋଲି ପଚାରିଛନ୍ତି । ଲକ୍ଷ୍ମୀ ତାଙ୍କୁ ତାଙ୍କର ବିକଳ୍ପ ଭାବରେ ଅନ୍ୟ ଯେଉଁ ପତ୍ନୀ ଆଣିବ ତାକୁ ସେସବୁ ସମର୍ପିବ ବୋଲି ପ୍ରତ୍ୟୁତ୍ତରରେ କହିଛନ୍ତି । ଏହିଭଳି କଟୁବାଣୀ ସହ ଲକ୍ଷ୍ମୀ ଜଗନ୍ନାଥ ଓ ବଳରାମଙ୍କୁ ଅଭିଶାପ ଦେଇ ବଡ଼ଦେଉଳରୁ ଲକ୍ଷ୍ମୀ ବାହାରିଯାଇଛନ୍ତି ।

ମୁହିଁ ଯାଉଅଛି ହୀନ ଅରକ୍ଷିତ ହୋଇ || ମୋର ଅଭିଶାପ ଘେନ ପ୍ରଭୂ ଭାବଗ୍ରାହୀ ||

ସତ୍ୟ ଯେବେ ଚନ୍ଦ୍ର ସୂର୍ଯ୍ୟ ହୋନ୍ତି ଆତଯାତ || ତୁମ୍ଭଙ୍କୁ ଅନ୍ନ ନମିଳୁ ଆହେ ଜଗନ୍ନାଥ ||

ବାରବର୍ଷ ଯାଏଁ ତୁମ୍ଭେ ଦରିଦ୍ର ହୋଇବ || ଅନ୍ନ ବସ୍ତ୍ର୍ର ଜଳ ଯେ ତୁମ୍ଭଙ୍କୁ ନମିଳିବ ||

ମୁହିଁ ଚଣ୍ଡାଳୁଣୀ ଯେବେ ଟେକିଦେବି ଅନ୍ନ || ଭୋଜନ କରିବ ତୁମ୍ଭେ କାଳୀୟ ଦଳନ ||

 

ଏହି ଭଳି ଭାବରେ ଲକ୍ଷ୍ମୀ ଜଗନ୍ନାଥଙ୍କୁ ଅଭିଶାପ ଦେଇ ଦେଉଳରୁ ବାହାରିଗଲେ । ଲକ୍ଷ୍ମୀଙ୍କ ପଛେପଛେ ଜଗନ୍ନାଥ ମଧ୍ୟ ଗୋଡ଼ାଇଗଲେ । ମା ଲକ୍ଷ୍ମୀ ଚିନ୍ତାକଲେ ଏହି ସମୟରେ ଯଦି ସେ ବାପ ଘରକୁ ଯିବେ ତେବେ ଜଗନ୍ନାଥଙ୍କ ଅନୁରୋଧକ୍ରମେ ବାପା ତାଙ୍କର ଏହି ସମସ୍ୟାର ତୁରନ୍ତ ସମାଧାନ କରି ତାଙ୍କୁ ପୁନଶ୍ଚ ଜଗନ୍ନାଥଙ୍କ ହସ୍ତରେ ସମର୍ପଣ କରିଦେବେ । ଫଳରେ ଲକ୍ଷ୍ମୀ ଦେଇଥିବା ଅଭିଶାପ ସବୁ ଅକାରଣ ହୋଇଯିବ । ତେଣୁ ସେ ପିତାଙ୍କ ଗୃହକୁ ଯାଇ ଆଶ୍ରୟ ନନେଇ ସ୍ୱର୍ଗର ଶିଳ୍ପୀ ବିଶ୍ୱକର୍ମାଙ୍କ ଦ୍ୱାରା ଏକ ସୁନ୍ଦର ସୁସଜ୍ଜିତ ଉଆସ ନିର୍ମାଣ କରାଇଲେ । ନିଦ୍ରାବତୀଙ୍କୁ ଆଦେଶ ଦେଇ ଜଗନ୍ନାଥ ବଳରାମ ଦୁଇଭାଙ୍କୁ ନିଦ୍ରାଗତ କରାଇ ଅଷ୍ଟବେତାଳଙ୍କ ଦ୍ୱାରା ତାଙ୍କର ଷାଠିଏ ପଉଟି ଖାଦ୍ୟ ସାରିଦେଇଛନ୍ତି । ଏପରିକି ଶ୍ରୀମନ୍ଦିରର ସମସ୍ତ ମୂଲ୍ୟବାନ ଦ୍ରବ୍ୟ, ଧନରତ୍ନ ବୋହି ଆଣିଲେ ଏହା ସହିତ ଜଗନ୍ନାଥ ବଳରାମ ଶୋଇଥିବା ରତ୍ନ ପଲଙ୍କକୁ ମଧ୍ୟ ଆଣିବାକୁ ପଛଘୁଞ୍ଚା ଦେଲେ ନାହିଁ । ଲକ୍ଷ୍ମୀଙ୍କର ଏହି ଭଳି କାର୍ଯ୍ୟକଳାପ ପଛରେ ଲୁଚି ରହିଥିବା ଆଭିମୂଖ୍ୟ ହେଲା ସେ ଜଗନ୍ନାଥଙ୍କୁ ଅନୁଭବ କରାଇବାକୁ ଚାହୁଁଥିଲେ ଯେ ନାରୀ ପୁରୁଷର ସହକର୍ମିଣୀ, ସହଧର୍ମିଣୀ ଓ ସହଭାଗିନୀ । ସେ ପୁରୁଷ ଦ୍ୱାରା ନିର୍ଯ୍ୟାତିତ ହେଉଥିବା ଏକ ଗୌଣ ଜୀବ ନୁହେଁ ।

ଜଗନ୍ନାଥ ପ୍ରଭୂ ଯେବେ ମୋତେ ନଖୋଜିବେ || ନାରୀଙ୍କି ପୁରୁଷ ମାନେ ଆଉ ନ ଲୋଡିବେ ||

ମୋତେ ଛାଡ଼ି ପ୍ରଭୂ ଯେବେ କରିବେଟି ଘର || କଳିଯୁଗେ ନାରୀଙ୍କିଯେ ନଖୋଜିବେ ନର ||

ସକାଳୁ ଯେତେବେଳେ ଶ୍ରୀମନ୍ଦିର ଭିତରେ ଜଗନ୍ନାଥ ବଳରାମ ଶଯ୍ୟା ତ୍ୟାଗ କରିଛନ୍ତି ସେତେବେଳେ ଦେଖିଛନ୍ତି ସେମାନେ ଶୟନ କରିଥିବା ରତ୍ନ ପଲଙ୍କ ନାହିଁ , ଶ୍ରୀମନ୍ଦିରରେ କୌଣସି ଧନରତ୍ନ ଅଳଙ୍କାର ନାହିଁ , ଷାଠିଏ ପଉଟି ଭୋଗ ନାହିଁ , ପଣ୍ଡା, ପଢ଼ିଆରି, ସେବକ, ପୂଜାରୀ କାହାର ବି ପାଟି ଶୁଭୁନାହିଁ , ଏପରିକି ଶ୍ରୀମନ୍ଦିରରେ ବାସି ମୁଖ ପଖାଳିବାକୁ ସଜ ପାଣିମୁନ୍ଦାଏ ମଧ୍ୟ ନାହିଁ । ସେମାନଙ୍କର ସେହି ଦିନଟି ସାରା ସେମିତି ଉପବାସରେ କଟିଗଲା । ବାଧ୍ୟହୋଇ ତାପରଦିନ ବଡ଼ କଷ୍ଟରେ କାନ୍ଧରେ ଛିଣ୍ଡା ଉତ୍ତରିୟ ପଇତା ପକାଇ ହାତରେ ଗୋଟିଏ ଗୋଟିଏ ଠେଙ୍ଗା ସାଙ୍ଗକୁ ଛତାଧରି ନଗରକୁ ଭିକ୍ଷା କରିବା ଉଦ୍ଦେଶ୍ୟରେ ବାହାରି ପଡ଼ିଲେ । ନଗ୍ରବାସି ଜଗନ୍ନାଥ ବଳରାମ ଦୁଇଭାଇଙ୍କୁ ଚୋର ଖଣ୍ଟ କହି ଘଉଡାଇ ଦେଉଥାନ୍ତି । ଦେଖିଲା ମାତ୍ରକେ ଘରର କବାଟ କିଳି ଦେଉଥାନ୍ତି । କିଏ କିଏ ଲକ୍ଷ୍ମୀ ଦ୍ରୋହୀ କହି ଗାଳି ମଧ୍ୟ କରୁଥାନ୍ତି । ଖାଇବା ନିମନ୍ତେ

ଯୋଗାଡ଼ କରାଯାଇଥିବା ଖଇକୁ ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ପବନ ଉଡା଼ଇ ନେଇଯାଇଛି । ରୋଷେଇ କରିବା ନିମନ୍ତେ କାଠରେ ଅଗ୍ନି ସଂଯୋଗ କରିବାର ଚେଷ୍ଟା କଲେ ଲକ୍ଷ୍ମୀଙ୍କ ଅଜ୍ଞାରେ ଅଗ୍ନ ଜଳି ନାହିଁ । ଏପରିକି ଯେତେବେଳେ ଜଗନ୍ନାଥ ବଳରାମ ବେନିଭାଇ ଚାଲି ଚାଲି ଗ୍ରାମ ଗ୍ରାମ ନଗ୍ର ନଗ୍ର ବୁଲୁଥିଲେ ସେସେତବେଳେ ମା ଲକ୍ଷ୍ମୀ ସୂର୍ଯ୍ୟଙ୍କୁ କହି ରାସ୍ତାର ବାଲି ମାଟିକୁ ଅଧିକ ଉତ୍ତପ୍ତ କରି ସେମାନଙ୍କୁ ଆହୁରି କଷ୍ଟ ପ୍ରଦାନ କରିଛନ୍ତି । ଏହିଭଳି ଭାବରେ ଦୁଇଭାଇ ଲକ୍ଷ୍ମୀଛଡା ହୋଇ ନାନା ସମସ୍ୟାର ସମ୍ମୁଖିନ ହୋଇ ଶେଷରେ ମା କମଳାଙ୍କ ନବ ନିର୍ମିତ ଉଆସର ସିଂହଦ୍ୱାର ସମ୍ମୁଖରେ ଉଭା ହୋଇଯାଇଛନ୍ତି । ବଳରାମ ପ୍ରଥମେ କିଛି ଅନ୍ନଭିକ୍ଷା ଉଦ୍ଦେଶ୍ୟରେ ଜଣେ ଦାସୀକୁ ଡାକଦେଲେ । ଦାସୀ ଜଣକ ଚାହିଁ ନଚାହିଁଲା ପରି ଚାଲିଗଲା । ଜଗନ୍ନାଥ ବଳରାମ ଉଆସର ସିଂହଦ୍ୱାର ସମ୍ମୁଖରେ ଛିଡା଼ହୋଇ କଣ କରିବେ ଚିନ୍ତା କରୁଛନ୍ତି । ଏହି ସମୟରେ ବଳରାମ ଜଗନ୍ନାଥଙ୍କୁ ବେଦମନ୍ତ୍ର୍ର ଗାନ କରିବାକୁ କହିଛନ୍ତି । ଦାଣ୍ଡର ଭିକାରୀ ସାଜିଥିବା ଜଗତର ନାଥ ଜଗନ୍ନାଥ ସିଂହଦ୍ୱାର ସମ୍ମୁଖରେ ଛିଡାହୋଇ ଉଚ୍ଚସ୍ୱରରେ ବେଦପାଠ କରିଛନ୍ତି । ଏହି ସମୟରେ ମା ଲକ୍ଷ୍ମୀ ଅନ୍ତଃପୁରରେ ପଲଙ୍କ ଉପରେ ଶୟନ କରିଛନ୍ତି । ତାଙ୍କ କାନରେ ଯେତେବେଳେ ବେଦଧ୍ୱନି ବାଜିଛି ସେତେବେଳେ ମା ଲକ୍ଷ୍ମୀ ପଲଙ୍କ ତ୍ୟାଗ କରି ଉଠିପଡିଛନ୍ତି ଏବଂ ପାଗଳିନୀ ଭଳିଆ ନିସ୍ତରିଲି ନିସ୍ତରିଲି ବୋଲି ଚିତ୍କାର କରିଛନ୍ତି । ତତ୍‌କ୍ଷଣାତ୍ ସେ ଦାସୀମାନଙ୍କୁ ଡାକି ଦ୍ୱାର ସମ୍ମୁଖରେ ଛିଡା ହୋଇଥିବା ଭିକାରୀ ମାନଙ୍କ କଥା ବୁଝିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦାସୀମାନେ ଜାଣିବାକୁ ପାଇଛନ୍ତି ଯେ କ୍ଷୁଧାତୁର ବ୍ରାହ୍ମଣମାନେ ଅନ୍ନଭିକ୍ଷା କରୁଛନ୍ତି । ପୁନଶ୍ଚ ମାଲକ୍ଷ୍ମୀ ଦାସୀ ମାନଙ୍କ ଦ୍ୱାରା ସେମାନଙ୍କୁ ଚଣ୍ଡାଳୁଣୀ ଘରୁ ଅନ୍ନ ଗ୍ରହଣ କରିପାରିବେକି ବୋଲି ପ୍ରଶ୍ନ କରିଛନ୍ତି । ଏହାଶୁଣି ଜଗନ୍ନାଥ ଓ ବଳରାମଙ୍କ ମନରେ ପୁଣିଥରେ ଶୋକର ଛାୟା ଖେଳି ଯାଇଛି । ତଥାପି ବଳରାମ ତାଙ୍କୁ ନୂଆ ହାଣ୍ଡି, ନୂଆ ସଞ୍ଚା, ଖାଦ୍ୟ ସାମଗ୍ରୀ ସବୁ ପ୍ରଦାନ କଲେ ସେମାନେ ନିଜ ହାତରେ ରାନ୍ଧି ଖାଇବେ ବୋଲି ଅନୂରୋଧ କରିଛନ୍ତି । ଏକଥା ଦାସୀମାନେ ଯାଇ ମା ଲକ୍ଷ୍ମୀଙ୍କୁ ଜଣାଇଦେଇଛନ୍ତି । ମହାଲକ୍ଷ୍ମୀ ସନ୍ତୋଷ ମନରେ ଦାସୀମାଙ୍କ ହାତରେ ହାଣ୍ଡି ଦଶଗୋଟି, ଚାଉଳ ପଉଟିଏ, ଶାଗ, ପନିପରିବା, କ୍ଷୀର, ଦହି, ଶାକର, ଛେନା ଆଦି ସମସ୍ତ ପ୍ରକାର ଦ୍ରବ୍ୟମାନ ପହଞ୍ଚାଇ ଦେଲେ । କିନ୍ତୁ ଅନ୍ତଃପୁର ମଧ୍ୟରେ ମା ଲକ୍ଷ୍ମୀ ମନରେ ବିଚାର କରୁଛନ୍ତି । ଆପଣାର ସ୍ୱାମୀ ଓ ଦେଢ଼ଶୁର ଯଦି ନିଜେ ରାନ୍ଧି ନିଜେ ଭୋଜନ କରିବାରେ ସଫଳ ହେବେ ତେବେ ସେମାନେ କାହିିଁକି ମୋଭଳି ପତ୍ନୀ ମାଙ୍କୁ ଲୋଡିବେ । ଏହା ଭାବି ହଠାତ୍ ସ୍ତମ୍ଭନ ମନ୍ତ୍ର ପାଠକରି ଅଗ୍ନି ଦେବତାଙ୍କୁ ସ୍ତମ୍ଭିଭୂତ କରିଦେଇଛନ୍ତି । ଯେତେଚେଷ୍ଟା କଲେ ମଧ୍ୟ ଜଗନ୍ନାଥ ବଳରାମଙ୍କ ଚୁଲିର କାଷ୍ଠରେ ଅଗ୍ନ ସଂଯୋଗ ହୋଇପାରିନାହିଁ ।

ଋାନ୍ଧିଣ ଭୁ୍‌ଞ୍ଜିବେ ଯେବେ ଏହି ଦୁଇ ଭାଇ || ନାରୀଙ୍କି ପୁରୁଷ ଆଉ ଲୋଡ଼ିବେ କିମ୍ପାଇ ||

ଲକ୍ଷ୍ମୀଦେବୀ କାଠଖଣ୍ଡେ ହାତରେ ଧଇଲେ || ଅଗ୍ନିର ସ୍ତମ୍ଭନ ମନ୍ତ୍ର୍ର ଦେବୀ ପାଠ କଲେ ||

କଦାପି ଅଗ୍ନି ଦେବତା ତେଜ ନହୋଇବ || ହାଣ୍ଡି ନପୋଡିବ ଆଉ ପାଣି ନତାତିବ ||

ଯେତେ କାଠ ଜଳୁଥିବ ଭସ୍ମ ହୋଇଯିବ || କୁହୁଳି କରିଣ ତହୁଁ ଧୁଆଁ ହେଉଥିବ ||

ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ କାଠ ଜଳିନାହିଁ, ଅଗ୍ନ ଜାତ ହୋଇପାରିନାହିଁ ଫଳରେ ବଳରାମ ଜଗନ୍ନାଥ ବେନି ଭାଇ ଶତଚେଷ୍ଟା କରି ମଧ୍ୟ ଖାଦ୍ୟ ରନ୍ଧନ କରିପାରିନାହାନ୍ତି । ପ୍ରବଳ କ୍ଷୁଧାରେ ଡ଼ହଳ ବିକଳ ହୋଇ ଜଗନ୍ନାଥ ବଳରାମଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଛି । ଶେଷ ମୁହୁର୍ତ୍ତରେ କ୍ଷୁଧା କଷ୍ଟ ସହିନପାରି ବେନି ଭାଇ ଚଣ୍ଡାଳୁଣୀ ଘରେ ଅନ୍ନ ଭକ୍ଷଣ କରିବାର ନିଷ୍ପତ୍ତି ନେଇଛନ୍ତି ଏବଂ ଦାସୀକୁ ଡାକି ସାଆନ୍ତାଣୀଙ୍କ ଘରୁ ଅନ୍ନ ଆଣିଦେବା ପାଇଁ ଅନୁନୟ କରିଛନ୍ତି ।

ଖୁଧାରେ ଯେ ଦୁଇଭାଇ ଆକୁଳ ହୋଇଲେ || କି ବୁଦ୍ଧି କରିବା ଜଗନ୍ନାଥଙ୍କୁ ବୋଇଲେ ||

ଜଗନ୍ନାଥ କହନ୍ତିଯେ ବୁଦ୍ଧି ଦିଶୁନାହିଁ || କ୍ଷୂଧାରେ ଆତୁରେ ହୋଉଅଛି ମୋର ଦେହି ||

ଇଳରାମ କହୁଛନ୍ତି ଶୁଣ ଜଗନ୍ନାଥ || ଜାତି ଯାଉ ପଛେ ତାର ଘରେ ଖାଉ ଭାତ ||

ଯେବେ ଏହି ଘରୁ ଭାତ ଆମ୍ଭଙ୍କୁ ନଦେବ || ଆମ୍ଭ ଦୁଇଭାଇଙ୍କର ମରଣ ହୋଇବ ||

ଏହି କଥା ଯେତେବେଳେ ଲକ୍ଷ୍ମୀ ଶୁଣିଛନ୍ତି ସେତେବେଳେ ତାଙ୍କ ମନରୁ ସମସ୍ତ କ୍ରୋଧ ଦୁର ହୋଇଯାଇଛି । ଲକ୍ଷ୍ମୀ ତୁରନ୍ତ ତାଙ୍କ ପାକଶାଳାକୁ ଯାଇ ସୁବର୍ଣ୍ଣର ଚଟୁ ହସ୍ତରେ ଧରି ନାନାବିଧ ସୁମିଷ୍ଟ ବ୍ୟଞ୍ଜନ ଯଥା ବଗଡା ଭାତର ଅନ୍ନ, ମଧୁରୁଚୁ କ୍ଷୀରି, ଆମ୍ବିଳ, ଶାକର, ଦୁଧପୁଳି, ଘୃତପୁଳି, ଛେନା, ପଣା ଆଦି ସମସ୍ତ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିଛନ୍ତି । ଦାସୀମାନଙ୍କ ଦ୍ୱାରା ଜଗନ୍ନାଥ ଓ ବଳରାମଙ୍କୁ ଉଆସ ଭିତରକୁ ଡାକି ସ୍ନାନ କରିବା ନିମନ୍ତେ ସୁବାସିତ ଜଳ ଓ ଅଙ୍ଗବସ୍ତ୍ର ପ୍ରଦାନ କରିଛନ୍ତି । ସେମାନଙ୍କୁ ପିନ୍ଧିବାକୁ ପିତାମ୍ବରୀ ପାଟ ଅର୍ପଣ କରିବାକୁ ମଧ୍ୟ ଭୁଲିନାହାନ୍ତି । ଆପଣାର ହସ୍ତରେ ଲକ୍ଷ୍ମୀ ଘର ପୋଛିଦେଇଛନ୍ତି । ଖାଦ୍ୟ ଭକ୍ଷଣ ନିମନ୍ତେ ପ୍ରଭୂ୍‌ଙ୍କ ପାଇଁ ସୁବର୍ଣ୍ଣ ଥାଳି, ଗିନା, ପାତ୍ର ସବୁ ପ୍ରସ୍ତୁତ ଦାସୀଙ୍କ ସହାୟତାରେ ସେମାନଙ୍କୁ ଭିତରକୁ ଡାକିଛନ୍ତି । ଲକ୍ଷ୍ମୀଙ୍କ ଅତ୍ୟଧିକ ଆତିଥ୍ୟରେ ଭୟଭୀତ ହୋଇ ଜଗନ୍ନାଥ ବଳରାମ ଡ଼ରିଡ଼ରି ଉଆସ ମଧ୍ୟକୁ ପ୍ରବେଶ କରିଛନ୍ତି । ଦେଢ଼ଶୁର ବଳରାମଙ୍କ ଉପସ୍ଥିତି କାରଣରୁ ମା ଲକ୍ଷ୍ମୀ ତୁଳସୀ ନାମକ ବ୍ରାହ୍ମଣୀଙ୍କ ଦ୍ୱାରା ଭିତରୁ ରହି ସେମାନଙ୍କୁ ଖାଦ୍ୟ ପରସିଛନ୍ତି । କ୍ଷୁଧାର୍ତ୍ତ ଜଗନ୍ନାଥ ଓ ବଳରାମ ପ୍ରଫୁଲ୍ଲିତ ମନରେ ନାନାବିଧ ସୁମିଷ୍ଟ ଖାଦ୍ୟ ଭକ୍ଷଣ କରି ନିଜର କ୍ଷୁଧା ନିବାରଣ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଖାଦ୍ୟ ଭକ୍ଷଣ କରୁଥିବା ସମୟରେ ଜଗନ୍ନାଥ ବଳରାମ ଖାଦ୍ୟର ସ୍ୱାଦରୁ ଲକ୍ଷ୍ମୀଙ୍କ ହାତରନ୍ଧାକୁ ମନେପକାଇ ମନରେ କ୍ଷୋଭ ପ୍ରକାଶ କରୁଥିଲେ । ଏପରିକି ଶେଷରେ ବଳରାମ କହିଛନ୍ତି –

ଭୋଜନ ଶେଷକୁ ବୋଲନ୍ତି ଯେ ବଳରାମ || ଲକ୍ଷ୍ମୀଙ୍କ ରାନ୍ଧଣା ପରି ଲାଗୁଛି ଉତ୍ତମ ||

ଜଗନ୍ନାଥ କହୁଛନ୍ତି ବଳରାମ ଭାଇ || ଲକ୍ଷ୍ମୀପରା ଭାର୍ଯ୍ୟାକୁ ପାଇବା ଆଉକାହିଁ ||

ଲକ୍ଷ୍ମୀଙ୍କୁ ଭର୍ôସନା କରି ଦେଲେ ଘଉଡା଼ଇ || ବାହାରିଗଲେ ସେ ତାଙ୍କ ଇଛା ହେଲା ଯହିଁ ||

 

ଠିକ୍ ଏହି ସମୟରେ ଦାସୀ ଲକ୍ଷ୍ମୀଙ୍କ ହସ୍ତରୁ ପୋଡ଼ପିଠା ନେଇ ସେମାନଙ୍କ ଥାଳିରେ ପରସି ଦେଇଛନ୍ତି । ତାପରେ ପୁଣି କର୍ପୁର ତାମ୍ବୁଳ ନେଇ ସେମାନଙ୍କ ହସ୍ତରେ ଯାଚିଦେଇଛନ୍ତି । ଜଗନ୍ନାଥ ବଳରାମ ଅତ୍ୟନ୍ତ ଆନନ୍ଦିତ ହୋଇ ମନରେ ଭୋଜନ, ପାନ, ଆଚମନ ସାରି ତୃପ୍ତିଲାଭ କରିଛନ୍ତି । ଭୋଜନାନ୍ତେ ଅବସର ପରେ ଦାସୀ ଜଣକ ଯେତେବେଳେ ସେମାନଙ୍କୁ ତାଙ୍କର ଘର, ପରିବାର, ପୁତ୍ର କନ୍ୟା ସମ୍ବନ୍ଧରେ ପଚାରି ବୁଝିଛନ୍ତି ସେତେବେଳେ ପ୍ରତ୍ୟୁତ୍ତରରେ ଜଗନ୍ନାଥ କୋହଭରା କଣ୍ଠରେ କହିଛନ୍ତି –

ଜଗନ୍ନାଥ କହୁଛନ୍ତି ଶୁଣ ଦାସୀ ତୁହି || ବିବାହ ହେବାକୁ ଦ୍ରବ୍ୟ ଆମ୍ଭର ଯେ କାହିଁ ||

ଗୁଆବାଡ଼ି ଶାସନ ପାଇବୁ ଆମ୍ଭେ କାହିଁ || ଲକ୍ଷ୍ମୀ ପରି ଭାରିଯାକୁ ଦେଲୁ ଘଉଡା଼ଇ ||

କପାଳ ମନ୍ଦ ଆମ୍ଭର ଦୁଇ ଭାଇ ବୁଲୁ || ଲକ୍ଷ୍ମୀ ଭଉଡା଼ଇ ଆମ୍ଭେ ଏ ଦୁଃଖ ପାଇଲୁ ||

ପ୍ରଭୂ ଜଗନ୍ନାଥ ମନରେ ସନ୍ଦେହ ପ୍ରକଟ କରି ଯେତେବେଳେ ଦାସୀକୁ ତାଙ୍କ ସାଆନ୍ତାଣୀ କଥା ପଚାରିଛନ୍ତି ସେତେବେଳେ ବଳରାମ ମନରେ ଭୟ ପ୍ରକାଶ କରି ଦାସୀକୁ କ୍ଷମା ପ୍ରାର୍ଥନା କରିପକାଇଛନ୍ତି । ତତ୍‌କ୍ଷଣାତ୍ ଦାସୀଜଣକ ବେନି ଭାଇଙ୍କୁ ସେମାନେ ବସିଥିବା ଉଆସ ଓ ଭକ୍ଷଣ କରିଥିବା ଖାଦ୍ୟ ପଦାର୍ଥ ମା ଲକ୍ଷ୍ମୀଙ୍କର ବୋଲି କହିଛନ୍ତି ଉଭୟେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବଳରାମ କାଳ ବିଳମ୍ବ ନକରି ମା ଲକ୍ଷ୍ମୀଙ୍କର କର ଧରି କ୍ଷମା ପ୍ରାର୍ଥନା କରିବାକୁ ଜଗନ୍ନାଥଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 

ବଳରାମ କହୁଛନ୍ତି ବାବୁ ଚକ୍ରଧର || ତୁମ୍ଭେ ଯାଇ ହସ୍ତଧର ମହାଲକ୍ଷ୍ମୀଙ୍କର ||

ଆମ୍ଭେ ଦୋଷକଲୁ ବୋଲି କହ ତାଙ୍କୁଯାଇ || ଯହିଁ ଇଛା ତହିଁ ଯାଅ ଆମ୍ଭ ମନା ନାହିଁ ||

ଅଗ୍ରଜ ବଳରାମଙ୍କଠାରୁ ଏଭଳି ଅନୂମତି ପାଇସାରିବାପରେ ଜଗନ୍ନାଥ ତରତରରେ ଯାଇ ଅନ୍ତଃପୁର ମଧ୍ୟରେ ପ୍ରବେଶ କରିଛନ୍ତି । ଜଗତର ନାଥ ଜଗନ୍ନାଥଙ୍କୁ ଦେଖି ମା ଲକ୍ଷ୍ମୀ ପାଣିଝରି ଆଣି ଆପଣାର ସ୍ୱାମିଙ୍କ ପାଦ ଧୋଇଦେଇ ପାଦୋଦକ ଗ୍ରହଣପୂର୍ବକ ପଞ୍ଚୁବର୍ଣ୍ଣର ପୁଷ୍ପ ଅର୍ପଣ କରିପାଦପୂଜା କରିଛନନ୍ତି । ଏହି ସମୟରେ ସହାସ୍ୟ ବଦନରେ ମା ଲକ୍ଷ୍ମୀ ଜଗନ୍ନାଥଙ୍କୁ ଅନ୍ତରର ସବୁ ରାଗ ଅଭିମାନ ବଖାଣି ଦେଇଛନ୍ତି ।

ମହାଲକ୍ଷ୍ମୀ କହୁଛନ୍ତି ପ୍ରଭୂଙ୍କୁ ଅନାଇ || ଚଣ୍ଡାଳୁଣୀ ବୋଲି ମୋତେ ଦେଲ ଘଉଡାଇ ||

ଚଣ୍ଡାଳୁଣୀ ଘରେ ଏବେ ଭୁ୍‌ଞ୍ଜିଲ ଗୋସାଇଁ || ଚଣ୍ଡାଳ ବିଟାଳ ହେଲ ଦୁଇଗୋଟି ଭାଇ ||

ଧିକ ତୁମ୍ଭ ବଡ଼ପଣ ଧିକ ତୁମ୍ଭ କଥା || ପୋଡୁ ତୁମ୍ଭର ପ୍ରତିଜ୍ଞା ଧିକ ତୁମ୍ଭ ଭ୍ରାତା ||

 

ମହାଲକ୍ଷ୍ମୀଙ୍କ କଥାରେ ନିଜକୁ ଲଜ୍ଜିତ ଅନୁଭବ କରି ଜଗନ୍ନାଥ ଲକ୍ଷ୍ମୀଙ୍କୁ ବଡ଼ଦେଉଳକୁ ତାଙ୍କ ସହ ବାହୁଡ଼ିଯିବାକୁ ଅନୂରୋଧ କରିଛନ୍ତି । ଏହି ସମୟରେ ମହାଲକ୍ଷ୍ମୀ ପୁନଶ୍ଚ ଜଗନ୍ନାଥଙ୍କ ଆଗରେ ଏକ ସର୍ତ୍ତ ରଖିଛନ୍ତି । ଯେତେବେଳେ ଚଣ୍ଡାଳଠାରୁ ବ୍ରାହ୍ମଣ ପର୍ଯ୍ୟନ୍ତ ମା ଲକ୍ଷ୍ମୀଙ୍କ ଅନ୍ନ ପ୍ରସାଦ ସେବନ କରିବେ । ହାଡ଼ିର ହସ୍ତରୁ ବ୍ରାହ୍ମଣ ଲକ୍ଷ୍ମୀଙ୍କ ଅନ୍ନ ପ୍ରସାଦ ଛଡାଇ ଭକ୍ଷଣ କରିବେ ତତ୍ ସହିତ ପସାଦ ସେବନ କରିସାରି ସମସ୍ତେ ମୁଣ୍ଡରେ ହାତ ପୋଛୁଥିବେ ସେତେବେଳେ ସେ ବଡ଼ ଦେଉଳକୁ ପ୍ରବେଶ କରିବେ । ଲକ୍ଷ୍ମୀଙ୍କ ସର୍ତ୍ତରେ ଜଗନ୍ନାଥ ସହମତି ପ୍ରକାଶ କରିଛନ୍ତି ଏବଂ ହାତଧରି ସ୍ନେହର ପ୍ରଣପ୍ରିୟା ଲକ୍ଷ୍ମୀଙ୍କୁ ଟାଣି ଟାଣି ନେଇଯାଇଛନ୍ତି ।

ଏତେ କହି ଗୋବିନ୍ଦ ଧଇଲେ ଲକ୍ଷ୍ମୀ ହସ୍ତ || ଜଗତ ମାତ ବୋଇଲେ ତୁମ୍ଭେ କର ସତ୍ୟ ||

ଚଣ୍ଡାଳୁ ବ୍ରାହ୍ମଣ ଯାଏଁ ଖୁଆଖୋଇ ହେବେ || ସମସ୍ତେ ଖାଇଣ ହସ୍ତ ଜଳେ ନ ଧୋଇବ ||

ହାଡ଼ିର ହସ୍ତୁ ବ୍ରାହ୍ମଣ ଛଡା଼ଇ ଖାଇବେ || ବ୍ରାହ୍ମଣ ଖାଇଣ ହସ୍ତ ମୁଣ୍ଡରେ ପୋଛିବେ ||

ଅନ୍ନଖାଇ ସର୍ବେ ମୁଣ୍ଡ ପୋଛୁଥିବ ହସ୍ତେ || ତେବେ ବଡ଼ ଦେଉଳକୁ ଯିବି ଜଗନ୍ନାଥ ||

ଯେତେବେଳେ ମା ଲକ୍ଷ୍ମୀ ଜଗନ୍ନାଥ ବଳରାମଙ୍କ ସହ ବଡ଼ ଦେଉଳରେ ପ୍ରବେଶ କରିଛନ୍ତି ସେତେବେଳେ ପୁଣିଥରେ ଶ୍ରୀରେ ପୂର୍ଣ୍ଣ ହୋଇ ଶ୍ରୀମନ୍ଦିର ପାଲଟି ଯାଇଛି । ସମସ୍ତଙ୍କ ଆନନ୍ଦ କୋଳାହଳରେ ବଡ଼ଦେଉଳ ପୁରି ଉଠିଛି । ସମସ୍ତ ଦେବତା ଆନନ୍ଦିତ ହୋଇ ଭକ୍ତି କରିଛନ୍ତି ଏବଂ ଅପ୍ସରା ତଥା ଗନ୍ଧର୍ବ ମାନେ ନୃତ୍ୟ ଗୀତରେ ପୁଷ୍ପ ବର୍ଷଣ କରି ସମସ୍ତଙ୍କୁ ସ୍ୱାଗତ କରିଛନ୍ତି ।

ସାରସ୍ୱତ ସାଧକ ବଳରାମ ଦାସ

ପ୍ରାଚୀନ ଉତ୍କଳର ଆଧ୍ୟାତ୍ମିକ ରାଜଧାନି ପୁରିରେ ଜଗନ୍ନାଥ ଧର୍ମର ପ୍ରତ୍ୟକ୍ଷ ପ୍ରଭାବରେ ଏବଂ ଚୈତନ୍ୟଦେବଙ୍କ ପ୍ରେରଣାରେ ଓଡ଼ିଆ ପୂରାଣ ରବନା ପରମ୍ପରା ସାଙ୍ଗକୁ ଏକ ଆଧ୍ୟାତ୍ମିକ ଚିନ୍ତାଚେତନାର ନବଜାଗରଣ ସୃଷ୍ଟି ହୋଇଥିଲା । ସେତେବେଳେ ଯେଉଁ ସାହିତ୍ୟ ସାରଥିମାନେ ସାହିତ୍ୟ ରଚନା କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସେମାନେ ପ୍ରାଚୀନ ଯୁଗିୟ ଓଡିଆ ସାହିତ୍ୟର ପଞ୍ଚସଖା ଭାବରେ ପରିଚିତ ଥିଲେ । ସେମାନେ ହେଲେ ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଅନନ୍ତ ଦାସ ଓ ଯଶୋବନ୍ତ ଦାସ । ଏମାନଙ୍କ ଭିତରୁ ବଳରାମ ଦାସଙ୍କୁ ଜ୍ୟେଷ୍ଠ ତଥା ଶ୍ରେଷ୍ଠ ସାରସ୍ୱତ ପ୍ରତିଭା ଭାବରେ ବର୍ଣ୍ଣନା ଆଦୌ ଅତ୍ୟୁକ୍ତି ହେବ ନାହିିଁ । ପୁରି ମହାରାଜ ଶ୍ରୀ ପ୍ରତାପରୁଦ୍ରଦେବଙ୍କ ଶାସନ ସମୟରେ ମନ୍ତ୍ର୍ରୀ ସୋମନାଥ ମହାପାତ୍ରଙ୍କ ଔରସରୁ ଏବଂ ତାଙ୍କର ଧର୍ମପ୍ରାଣା ପତ୍ନୀ ଯମୁନାଦେବୀଙ୍କ ଗର୍ଭରୁ ବଳରାମ ଦାସ ଜନ୍ମ ଗ୍ରହଣ କରିଥିଲେ । ୧୫୧୦ ଖ୍ରୀଷ୍ଟାବ୍ଦ ବେଳକୁ ଚୈତନ୍ୟଙ୍କ ପୁରି ଆଗମନ ପରେ ବଳରାମ ଦାସ ଓ ଚୈତନ୍ୟଙ୍କ ମିଳନ ନିବିଡ଼ ବନ୍ଧୁତାର ରୂପ ନେଇଥିଲା । ବଳରାମଙ୍କ ଆଖିରେ ଚୈତନ୍ୟ ଥିଲେ ଶ୍ରୀକୃଷ୍ଣଙ୍କ ଅବତାର । ତାଙ୍କର ପ୍ରେରଣା, ଦିଗ୍‌ଦର୍ଶନ ତଥା ଆଧ୍ୟାତ୍ôମିକ ପ୍ରଭାବ ବଳରାମ ଦାସଙ୍କୁ ଜଣେ ସୁପଣ୍ଡିତ ତଥା କବି ଭାବରେ ଗଢ଼ିତୋଳିବାରେ ସଫଳ ହୋଇଥିଲା । ଫଳରେ ବଳରାମଙ୍କ ଲେଖନୀ ମୁନରୁ ଯେଉଁ ସବୁ କାଳଜୟୀ ପ୍ରଭାବଶାଳି ସାରସ୍ୱତ ସମ୍ପଦ ଜନ୍ମ ନେଇଥିଲା ତନ୍ମଧ୍ୟରୁ ଜଗମୋହନ ରାମାୟଣ, ବଟ ଅବକାଶ, ଭାବ ସମୁଦ୍ର, ଲକ୍ଷ୍ମୀ ପୂରାଣ, ଶ୍ରୀମଦ୍ ଭାଗବତ ଗୀତା, ଛତିଶ ଗୁପ୍ତଗୀତା, ଗୁପ୍ତଗୀତା, ବିରାଟ ଗୀତା, ଦୀପ୍ତିସାର ଗୀତା, ବ୍ରହ୍ମାଣ୍ଡ ଭୂଗୋଳ, ବିଲଙ୍କା ରାମାୟଣ ଆଦି ପ୍ରମୂଖ ଥିଲା । ପଞ୍ଚସଖା ସାହିତ୍ୟର ପୂର୍ବବର୍ତ୍ତି ସମୟକୁ ଆଲୋଚନା କଲେ ଜଣାଯାଏଯେ ସାରଳା ଦାସ ଯେ ଥିଲେ ଓଡିଆ ବାଣୀ ଭଣ୍ଡାରର ଅଗ୍ରପୂଜ୍ୟ ଅଧିନାୟକ । ତାଙ୍କର ରଚନାରେ ନାୟୀକା ମାନଙ୍କର ପ୍ରଭାବ ଅତ୍ୟନ୍ତ ସ୍ପଷ୍ଟ । ମହାଭାରତର ଦ୍ରୌପଦୀ, ଚଣ୍ଡୀପୂରାଣର ମହିଷାମର୍ଦ୍ଦିନୀ ମା ଦୁର୍ଗା ଏବଂ ବିଲଙ୍କା ରାମାୟଣର ଜଗତ ଜନନୀ ମା ସୀତା ଏହାର ଚାକ୍ଷୁସ ପ୍ରମାଣ । ସାରଳାଙ୍କ ସେହି ପ୍ରଭାବ ବଳରାମଙ୍କ ସାହିତ୍ୟରେ ମଧ୍ୟ ବାରି ହୋଇପଡେ । ବଳରାମ ଦାସଙ୍କ ଲକ୍ଷ୍ମୀ ପୂରାଣ ଏହାର ସବୁଠାରୁ ଶ୍ରେଷ୍ଠ ନିଦର୍ଶନ । ମା ଲକ୍ଷ୍ମୀଙ୍କୁ ବିଷୟବସ୍ତୁର କେନ୍ଦ୍ରରେ ରଖି ବଳରାମ ଦାସ ରଚନା କରିଥିବା ଲକ୍ଷ୍ମୀପୂରାଣ ଓଡ଼ିଶାର ଲକ୍ଷ ଲକ୍ଷ ପରିବାରର ସାଂସ୍କୃତିକ ପ୍ରେରଣା ଧର୍ମିୟ ଚିନ୍ତାଚେତନାର ପ୍ରମୂଖ ମାଧ୍ୟମ ଭାବରେ ପ୍ରାଚୀନ କାଳରୁ ଆରମ୍ଭ କରି ଆଜିର ଆଧୁନିକ ଯୁଗ ପର୍ଯ୍ୟନ୍ତ କାର୍ଯ୍ୟ କରିଆସୁଛି । ସେଥିପାଇଁ ଏହାକୁ ଓଡ଼ିଆ ଜନ ଜୀବନର ଧର୍ମିୟ ଆଦର୍ଶ ତଥା ପାରମ୍ପରିକ ମୂଲ୍ୟବୋଧର ବାର୍ତ୍ତାବହ ଭାବରେ ଆଜି ମଧ୍ୟ ସମ୍ମାନ ପ୍ରଦାନ କରାଯାଏ ।

ଲକ୍ଷ୍ମୀପୂରାଣ

କୃଷି ପ୍ରଧାନ ରାଜ୍ୟ ଉତ୍କଳ ବା ଓଡ଼ିଶାର ପ୍ରମୂଖ କୃଷିକର୍ମ ଭାବରେ ଧାନ ଚାଷକୁ ଗ୍ରହଣ କରାଯାଏ । ଧାନକୁ ଏଠି ଲକ୍ଷ୍ମୀ ଭାବରେ ପୂଜା କରାଯାଏ । ସନାତନ ଧର୍ମର ଧର୍ମିୟ ଆଦର୍ଶ ଅନୂସାରେ କ୍ଷେତରୁ ନୂତନ ଭାବରେ ଅମଳ ହୋଇଥିବା ଖାଦ୍ୟଶସ୍ୟକୁ ଶସ୍ୟର ଦେବୀ, ସିଦ୍ଧିର ଦେବୀ, ଧନର ଦେବୀ ମା ଲକ୍ଷ୍ମୀଙ୍କ ପାଖରେ ସମର୍ପଣ କରି ତାଙ୍କ ଉଦ୍ଦେଶ୍ୟରେ ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର ଦିନ କୃଷକ ପରିବାରର ତଥା ସମାଜର ମଙ୍ଗଳ କାମନା କରିବା ଜଗନ୍ନାଥର ଦେଶ ଉତ୍କଳର ପ୍ରତ୍ୟେକ ଓଡିଆଣୀର ଧର୍ମିୟ ଓ ପାରମ୍ପରିକ ବିଶ୍ୱାସ ତଥା କର୍ତ୍ତବ୍ୟ ଅଟେ । ଏହି ମହତ ପରମ୍ପରା କାହିିଁଁ କେଉଁ ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ଚଳି ଆସୁଛି । ଏହା ସହିତ ଯୋଡ଼ିହୋଇଯାଇଛି ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୂରାଣର ପଠନ ପରମ୍ପରା । ବଳରାମ ଦାସଙ୍କ ରଚିତ ଏହି ଲକ୍ଷ୍ମୀପୂରାଣ କିଛି ଧର୍ମିୟ ତଥା ପୌରାଣିକ ଚରିତ୍ରର ସାଧାରଣ ବର୍ଣ୍ଣନା ନୁହେଁ । ଏହା ଏ ଜାତିର ଜନ ଜୀବନର ପାରିବାରିକ, ସାମଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ ତଥା ଜୀବିକା ଆଧାରିତ ସୂକ୍ଷ୍ମ ଚେତନାର ସାଶ୍ୱତ ପ୍ରବାହ । ଏହା ସେହିଭଳି ଏକ ସାହିତ୍ୟ ଯାହାକୁ ଆମେ ଆମ ପାରିବାରିକ ତଥା ଦାମ୍ପତ୍ୟ ଜୀବନରେ ଉପଯୋଗ କରି ଏକ ସଂସ୍କାରଶୀଳ, ପ୍ରଗତିଶୀଳ ତଥା ଶାନ୍ତି ପ୍ରତୀଭରା ସୁନ୍ଦର ଲକ୍ଷ୍ମୀବନ୍ତ ଜୀବନର ପରିକଳ୍ପନା କରିଥାଉ । ସର୍ବଶେଷରେ ଏହାର ବିଷୟ ବସ୍ତୁ ଏକ ସୁଖି, ସଫଳ ତଥା ଆଦର୍ଶ ଦାମ୍ପତ୍ୟ ଜୀବନ ବଞ୍ଚିବାର ପ୍ରେରଣା ଆମକୁ ମା ଲକ୍ଷ୍ମୀ ଏବଂ ଜଗତପିତା ଜଗନ୍ନାଥଙ୍କ ମାଧ୍ୟମରେ ପ୍ରଦାନ କରିଥାଏ । ଏହାହିିଁ ଲକ୍ଷ୍ମୀପୂରାଣର ମୂଳକଥା ଅଟେ ।

ସମୀକ୍ଷା

୧. ସାରଳା ଦାସଙ୍କ ଲକ୍ଷ୍ମୀନାରାୟଣ ବଚନିକା ପ୍ରଭାବରେ ରଚିତ ବଳରାମ ଦାସଙ୍କ ଏହି ଲକ୍ଷ୍ମୀ ପୂରାଣର କାହାଣୀ ଜଗନ୍ନାଥ, ବଳରାମ ଏବଂ ଲକ୍ଷ୍ମୀଙ୍କୁ ଆଧାର କରି ରଚିତ ହୋଇଥିବା ଏକ କ୍ଷୁଦ୍ର ପୂରାଣ ଅଟେ । ଏହାର କାହାଣୀ ବା ବିଷୟବସ୍ତୁକୁ ତନ୍ନତନ୍ନ କରି ବିଶ୍ଲେଷଣ କଲେ ଜଣାଯାଏଯେ ତତ୍କାଳୀନ ସମାଜରେ ନାରୀ ସ୍ୱାଧିନତା ସପକ୍ଷରେ ଏକ ପୁରୁଷ ପ୍ରାଧାନ୍ୟ ସମାଜର ପୁରୁଷ ବିପକ୍ଷରେ ଏକ ସ୍ପଷ୍ଟ ପ୍ରତିବାଦ ବୋଲି ଜଣାପଡ଼େ । ଜଗତର ନାଥ ଜଗନ୍ନାଥ ବ୍ରାହ୍ମଣଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ତାଙ୍କୁ ଭଲପାଉଥିବା ପ୍ରତ୍ୟେକ ଭକ୍ତର ଭକ୍ତିରେ ବନ୍ଧା ପଡିଥିବାର ପୂରାଣ ତଥା କିମ୍ବଦନ୍ତିରୁ ପ୍ରମାଣ ମିଳେ । ବିଦୁରର ଶାଗ ଭଜା, ଶବରୀର ଅଇଁଠା କୋଳି, ମାଣିକ ଗଉଡ଼ୁଣୀର ଦହି, ଦାସିଆ ବାଉରିର ନଡ଼ିଆ, ବଳରାମର ବାଲିରଥ ଏ ସବୁର ପ୍ରତ୍ୟକ୍ଷ ପ୍ରମାଣ ଅଟେ । କିନ୍ତୁ ସେହି ଜଗନ୍ନାଥ ଯେତେବେଳେ ମା ଲକ୍ଷ୍ମୀ ତାଙ୍କର ସମ୍ମତି କ୍ରମେ ତାଙ୍କର ଭକ୍ତ ଶ୍ରୀୟା ଚଣ୍ଡାଳୁଣୀ ଘରେ ପ୍ରବେଶ କରିଛନ୍ତି ଏବଂ ତାର ଭକ୍ତିଭରା ନୈବେଦ୍ୟ ଗ୍ରହଣ କରିଛନ୍ତି ସେତେବେଳେ ବଳରାମଙ୍କ ଆଖିରେ ସେ ଘୃଣାର ପାତ୍ରୀ ସାଜିଛନ୍ତି । ସ୍ୱାମି ଏବଂ ଦେଢ଼ଶୁରଙ୍କଠାରୁ ମାନସିକ ନିର୍ଯ୍ୟାତନା ପାଇଛନ୍ତି । ଏପରିକି ବଡ଼ଦେଉଳରୁ ବିତାଡ଼ିତା ହୋଇଛନ୍ତି । କିନ୍ତୁ ରାମାୟଣର ସୀତା ଭଳି ସେ ଅପବାଦକୁ ମଥାପାତି ସହ୍ୟ କରିନାହାନ୍ତି । ନାରୀ ଯେ ଅବଳା ନୁହେଁ ସବଳା ସେକଥା ପ୍ରମାଣ କରିଛନ୍ତି । ଜଗନ୍ନାଥଙ୍କୁ ସିଧା ସଳଖ ପ୍ରତିବାଦ କରିଛନ୍ତି । ଜଗନ୍ନାଥଙ୍କ ସହ ଯୁକ୍ତି କରିଛନ୍ତି । ଜଗନ୍ନାଥ ଯାଚିଥିବା ଅନୁକମ୍ପା ମୂଳକ ପଡ଼ିକୁ ଲକ୍ଷ୍ମୀ ପାଦରେ ଆଡ଼େଇ ଦେଇଛନ୍ତି । ସ୍ୱାମିଙ୍କଠାରୁ ପାଇଥିବା ମୂଲ୍ୟବାନ ଅଳଙ୍କାର ମଧ୍ୟ ତାଙ୍କ ପାଦତଳେ ଫୋପାଡ଼ିଦେଇ ଆତ୍ମସ୍ୱାଭିମାନଙ୍କୁ ପାଥେୟ କରି ଏକାକୀ ବଡ଼ଦେଉଳରୁ ବାହାରି ଯାଇଛନ୍ତି ଏବଂ ଜଗନ୍ନାଥଙ୍କୁ ଅଭିଶାପ ଦେଇଛନ୍ତି ।

ସତ୍ୟ ଯେବେ ଚନ୍ଦ୍ର ସୂର୍ଯ୍ୟ ହୋନ୍ତି ଆତଯାତ || ତୁମ୍ଭଙ୍କୁ ଅନ୍ନ ନମିଳୁ ଆହେ ଜଗନ୍ନାଥ ||

ବାରବର୍ଷ ଯାଏଁ ତୁମ୍ଭେ ଦରିଦ୍ର ହୋଇବ || ଅନ୍ନବସ୍ତ୍ର ଜଳ ଯେ ତୁମ୍ଭଙ୍କୁ ନମିଳିବ ||

ମୁହିଁ ଚଣ୍ଡାଳୁଣୀ ଯେବେ ଟେକିଦେବି ଅନ୍ନ || ଭୋଜନ କରିବ ତୁମ୍ଭେ କାଳୀୟ ଦଳନ ||

ଏହାପରେ ମା ଲକ୍ଷ୍ମୀ ଜଣେ ନାରୀ ହୋଇ ତାଙ୍କର ସମସ୍ତ ଶକ୍ତି ଓ ସାମର୍ଥ୍ୟକୁ ବିନିଯୋଗ କରିଛନ୍ତି । ପୁରୁଷର ମିଥ୍ୟା ଅହଙ୍କାର ବିରୁଦ୍ଧରେ ସ୍ୱର ଶାଣିତ କରିଛନ୍ତି । ବିଶ୍ୱକର୍ମାଙ୍କ ସହାୟତାରେ ଏକ ସୁନ୍ଦର ତଥା ସୁଦୀର୍ଘ ଉଆସ ନିର୍ମାଣ କରିଛନ୍ତି । ଅଷ୍ଟବେତାଳ ମାଧ୍ୟମରେ ଶ୍ରୀମନ୍ଦିରରୁ ଧନ ସମ୍ପଦ ସବୁ ଆଣି ତାକୁ ଶ୍ରୀହିନ କରିଦେଇଛନ୍ତି । ବାକ୍ୟଦେବୀ ମା ସରସ୍ୱତୀଙ୍କ ସହାୟତାରେ ଜଗନ୍ନାଥ ଓ ବଳରାମଙ୍କ ପ୍ରତି ସମସ୍ତଙ୍କ ମନରେ ଘୃଣ୍ୟ ଭାବନା ସୃଷ୍ଟି କରିଛନ୍ତି । ଜଗନ୍ନାଥ ଓ ବଳରାମଙ୍କୁ ସମ୍ପୂର୍ଣ୍ଣ ଭାବରେ ଦାଣ୍ଡର ଭିକାରି ସଜାଇଦେଇଛନ୍ତି । ଜଗନ୍ନାଥ ବଳରାମ ଘର ଘର, ଗ୍ରାମ ଗ୍ରାମ, ନଗ୍ର ନଗ୍ର ବୁଲି ମଧ୍ୟ ନିଜର ପେଟ ଚାଖଣ୍ଡକର କ୍ଷୁଧା ନିବାରଣ କରିବାରେ ସଫଳ ହୋଇପାରିନାହାନ୍ତି । ସମାଜରେ ଲୋକ ମାନଙ୍କଠାରୁ ଲକ୍ଷ୍ମୀଛଡ଼ାର ଅପବାଦ ପାଇଛନ୍ତି । ଶେଷରେ ଭିକ୍ଷା ମାଗି ମାଗି ଭୋକ ବିକଳରେ ଲକ୍ଷ୍ମୀଙ୍କ ଉଆସ ଆଗରେ ଛିଡ଼ାହୋଇ ବେଦପାଠ କରିଛନ୍ତି । ଜଗନ୍ନାଥଙ୍କ ବେଦଧ୍ୱନି ଲକ୍ଷ୍ମୀଙ୍କ କାନରେ ପଡ଼ିବା ମାତ୍ରକେ ନାରୀ ସୁଲଭ ଦୟା, ପ୍ରେମ, ସ୍ନେହ ଓ କ୍ଷମାର ବାରିଧାରା ସୃଷ୍ଟି ହୋଇଛି । ବହୁଦିନର ବିତାଡ଼ିତା ଓ ନିର୍ଯ୍ୟାତିତା ଲକ୍ଷ୍ମୀଙ୍କ ମନରେ ହୁତୁହୁତୁ ହୋଇ ଜଳୁଥିବା ପ୍ରତିଶୋଧର ବହ୍ନି କ୍ଷଣିକ ଭିତରେ ସ୍ନେହ ଓ ପ୍ରେମର ବର୍ଷାରେ ରୂପାନ୍ତରିତ ହୋଇଯାଇଛି । ଆପଣାର ସ୍ୱାମି ଓ ଦେଢ଼ଶୁରଙ୍କୁ ଉଆସ ଭିତରକୁ ଡ଼କାଇ ସ୍ୱର୍ଗିୟ ତଥା ରାଜକୀୟ ଆତିଥ୍ୟ ପ୍ରଦାନ କରି ତାଙ୍କର କ୍ଷୁଧା କଷ୍ଟ ଲାଘବ କରିଛନ୍ତି । ବଳରାମ ଜଗନ୍ନାଥ ଲକ୍ଷ୍ମୀଙ୍କୁ ପରିତ୍ୟାଗ କରିଥିବା କାରଣରୁ ଅନୁତାପ କରିଛନ୍ତି । ଘଟଣାକ୍ରମରେ ଲକ୍ଷ୍ମୀଙ୍କ ପରିଚୟ ପାଇଛନ୍ତି । ଶେଷରେ ପ୍ରାଣପ୍ରୀୟା ଲକ୍ଷ୍ମୀଙ୍କର କର ଧରି କ୍ଷମା ପ୍ରାର୍ଥନା କରିଛନ୍ତି । ବଳରାମ ଜଗନ୍ନାଥ ଲକ୍ଷ୍ମୀଙ୍କୁ ବଡ଼ଦେଉଳକୁ ଫେରିଯିବାକୁ ଅନୂରୋଧ କରିଛନ୍ତି । ଏହି ସମୟରେ ସେମାନଙ୍କ ପାଖରେ ଲକ୍ଷ୍ମୀ ଏକ ସର୍ତ୍ତ ରଖିଛନ୍ତି ।

ଏତେକରି ଗୋବିନ୍ଦ ଧଇଲେ ଲକ୍ଷ୍ମୀ ହସ୍ତ || ଜଗତମାତ ବେଇଲେ ତୁମ୍ଭେ କର ସତ୍ୟ ||

ଚଣ୍ଡାଳୁ ବ୍ରାହ୍ମଣ ଯାଏଁ ଖୁଆଖୋଇ ହେବେ || ସମସ୍ତେ ଖାଇଣ ହସ୍ତ ଜଳେ ନଧୋଇବେ ||

ହାଡ଼ିର ହସ୍ତୁ ବ୍ରାହ୍ମଣ ଛଡା଼ଇ ଖାଇବେ || ବ୍ରାହ୍ମଣେ ଖାଇଣ ହସ୍ତ ମୁଣ୍ଡରେ ପୋଛିବେ ||

ଅନ୍ନଖାଇ ସର୍ବେ ମୁଣ୍ଡ ପୋଛୁଥିବେ ହସ୍ତ || ତେବେ ବଡ଼ ଦେଉଳକୁ ଯିବି ଜଗନ୍ନାଥ ||

ହେଉ ହେଉ ବୋଲି ଆଜ୍ଞା ଦେଲେ ମହାବାହୁ || ଯୁଗେ ଯୁଗେ ଲକ୍ଷ୍ମୀ ତୁମ୍ଭ ଏହି ଯଶ ରହୁ ||

ଲକ୍ଷ୍ମୀଙ୍କ ହସ୍ତ ଧରିଣ ଜଗନ୍ନାଥ ନେଲେ || ବଡ଼ଦେଉଳକୁ ପ୍ରଭୁ ବିଜେ କରିଗଲେ ||

ତତ୍କାଳୀନ ସମାଜ ବ୍ୟବସ୍ଥାରେ ନାରୀର ଆଚରଣ, ଉଚ୍ଚାରଣ ଓ ବିଚରଣକୁ ଆମ ପୁରୁଷ ପ୍ରାଧାନ୍ୟ ସମାଜ ଘରର ଚାରିକାନ୍ଥ ମଧ୍ୟରେ ସୀମିତ କରି ରଖିଥିଲା । ବିପ୍ଲବୀ ବଳରାମ ଏଠାରେ ଏକ ସାରସ୍ୱତ ବିପ୍ଲବ ମାଧ୍ୟମରେ ବଡ଼ଦେଉଳର ମା ସାଆନ୍ତାଣୀଙ୍କୁ ନଗର ବାହାରର ଏକ ଅଛୁଆଁ ଚଣ୍ଡାଳୁଣୀର କୁଡ଼ିଆ ପର୍ଯ୍ୟନ୍ତ ବିଚରଣ କରିବାର ସୁଯୋଗ ସୃଷ୍ଟି କରିଛନ୍ତି । ମହାରାଜା ପ୍ରତାପରୁଦ୍ରଦେବଙ୍କ ଶାସନ ସମୟରେ ଓଡିଶାର ବା ଉତ୍କଳୀୟ ସମାଜର ନାରୀର ସାମାଜିକ ସ୍ଥିତିକୁ ଅନୁଧ୍ୟାନ କକେଲ ଜଣାଯାଏଯେ ନାରୀ ଥିଲା ତା ପରିବାରର ଏକ ଆଦର୍ଶ ସେବିକା, ତା ସ୍ୱାମୀର ଉପଭୋଗ୍ୟା ଏବଂ ଘରର ଜଣେ ପୂର୍ଣ୍ଣ ସମର୍ପିତା ପରାଧିନା ଚରିତ୍ର । ସ୍ୱାମି, ଦେଢ଼ଶୁର ଓ ଶ୍ୱଶୁରଙ୍କ ମୁଖନିଃସୃତ ଆଦେଶକୁ ବିନମ୍ରତାର ସହ ପାଳନ କରିବା ନାରୀର ପରମ ଧର୍ମ ଥିଲା । କିନ୍ତୁ ତତ୍କାଳୀନ ସମାଜର ସାମାଜିକ ପରମ୍ପରା ବିରୁଦ୍ଧରେ ବଳରାମ ଦାସ ଦୃଢ଼ ଭାବରେ ସ୍ୱର ଉତ୍ତୋଳନ କରିଛନ୍ତି । ଲକ୍ଷ୍ମୀ ପୂରାଣରେ ଲକ୍ଷ୍ମୀଙ୍କୁ ଏକ ସଶକ୍ତ ସ୍ୱାଭିମାନିନୀ ତଥା ବିପ୍ଲବିନୀ ନାରୀ ଚରିତ୍ର ଭାବରେ ପ୍ରତିପାଦନ କରିବାର ପ୍ରୟାସ କରିଛନ୍ତି । ଯେତେବେଳେ ବଳରାମ ଜଗନ୍ନାଥଙ୍କୁ କହିଛନ୍ତି

ବଳରାମ ବୋଲୁଛନ୍ତି ଶୁଣ ଭାବଗ୍ରାହୀ || ତୋର ଲକ୍ଷ୍ମୀ ଥିଲେ ମୁହିଁ ରହିବଇଁ ନାହିଁ ||

ଭାରିଯାଟି ଅଟେ ସିନା ପାଦର ପାଣ୍ଡୋଇ || ଭାଇ ଥିଲେ କୋଟିଭାର୍ଯ୍ୟ ମିଳିଯେପାରଇ ||

ଭାର୍ଯ୍ୟାଠାରେ କାର୍ଯ୍ୟ ଯେବେ ଅଛିରେ କହ୍ନାଇ || ଚଣ୍ଡାଳ ସାହିରେ ତୁ ନଅର ତୋଳଯାଇ ||

କିନ୍ତୁ ଏଠାରେ ପାରମ୍ପରିକ ତଥା ସାମାଜିକ ବିଧିର ବ୍ୟତିକ୍ରମ ଦେଖାଦେଇଛି ଲକ୍ଷ୍ମୀ ଏଠି ଦେଢ଼ଶୁର ବଳରାମ ଓ ସ୍ୱାମୀ ଜଗନ୍ନାଥଙ୍କ ପୁରୁଷୋଚିତ ସ୍ୱେଛାଚାରିତା ବିପକ୍ଷରେ ସ୍ୱର ଉତ୍ତୋଳନ କରିଛନ୍ତି । ଆପଣାର ଭକ୍ତକୁ ଭେଟିବାରେ, ତାର ସୁଖ ଦୁଃଖରେ ଭାଗିଦାର ହେବାରେ ଜଗନ୍ନାଥଙ୍କ ଭଳି ନିଜ ଅଧିକାର ପାଇଁ ଯୁକ୍ତି କରିଛନ୍ତି । ପୁରୁଷର ସବୁ ନିର୍ଯ୍ୟାତନାକୁ ମଥାପାତି ସହି ଆଖିରୁ ଲୋତକ ନିଗାଡ଼ି କାନ୍ଦିକାନ୍ଦି ବଞ୍ଚିବାକୁ ଲକ୍ଷ୍ମୀ ନାରୀର ଧର୍ମ ଆଉ ଭାଗ୍ୟ ବୋଲି ଗ୍ରହଣ କରିନାହାନ୍ତି । ନାରୀ ପୁରୁଷର ସହଭାଗିନୀ, ସମକକ୍ଷା, ସହକର୍ମିଣୀ ଓ ସହଧର୍ମିଣୀ ଏକଥା ସେ ତାଙ୍କର ଆଚରଣ ଓ ଉଚ୍ଚାରଣରେ ପ୍ରମାଣ କରିଛନ୍ତି । ଜଗନ୍ନାଥ ଓ ବଳରାମ ମଧ୍ୟ ଶେଷରେ ତାଙ୍କୁ ସସମ୍ମାନେ ସ୍ୱୀକାର କରିଛନ୍ତି । ତେଣୁ ଏହିଭଳି ଏକ ପୂରାଣ ସାହିତ୍ୟ ମାଧ୍ୟମରେ ମା ଲକ୍ଷ୍ମୀଙ୍କ ଭଳି ଜଣେ ଚରିତ୍ରକୁ ସୃଷ୍ଟି କରି ନାରୀ ଆଧାରିତ ସାମଜିକ ବିପ୍ଲବ ସୃଷ୍ଟି କରିବାରେ ବିପ୍ଲବୀ ବଳରାମଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ ଏକଥାକୁ କେହି ଅସ୍ୱୀକାର କରିପାରିବେ ନାହିଁ ।

୨. ନାରୀ ଓ ପୁରୁଷର ଭଲପାଇବାକୁ ପାଥେୟ କରି ପରିବାରଟିଏ ଗଢ଼ାଯାଇଥାଏ । ପାରିବାରିକ ଜୀବନକୁ ସରସ, ସୁନ୍ଦର ଓ ମଧୁର କରି ଗଢ଼ିତୋଳିବା ନିମନ୍ତେ ବେଳେବେଳେ କିଛି ପ୍ରତିଶ୍ରୁତିର ଆବଶ୍ୟକତା ପଡ଼ିଥାଏ । ସେ ପ୍ରତିଶ୍ରୁତି ସ୍ୱାମିର ସ୍ତ୍ରୀ ପ୍ରତି ହେଉ କିମ୍ବା ସ୍ତ୍ରୀର ସ୍ୱାମି ପ୍ରତି ହେଇଥାଉ । ଯେତେବେଳେ ତାହା ପୂରଣ ହୋଇଯାଏ ସେତେବେଳେ ପାରିବାରିକ ଜୀବନକୁ ପ୍ରେମ ଅଉ ସ୍ନେହ ସ୍ୱର୍ଗ କରିଦିଏ । ପୁଣି ଯେତେବେଳେ ସେ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଯାଏ ସେତେବେଳେ ପାରିବାରିକ ଜୀବନ ନର୍କ ପାଲଟିଯାଏ । ପୁନଶ୍ଚ ସେଥିରେ ଯେତେବେଳେ ତୃତିୟ ପୁରୁଷର ପ୍ରାଧାନ୍ୟ ରହେ ସେତେବେଳେ ଜୀବନ ଭଙ୍ଗା କାଚପାତ୍ରଭଳି ଛିନ୍‌ଭିନ୍ ହୋଇଯାଏ । ଠିକ୍ ସେହି ଦଶା ଦେଖିବାକୁ ମିଳିଛି ବଳରାମ ଦାସଙ୍କ ରଚିତ ଏହି ଲକ୍ଷ୍ମୀ ପୂରାଣରେ । ସନାତନ ଧର୍ମିୟ ପରମ୍ପରାର ଆଦର୍ଶ ଅନୂସାରେ ଭକ୍ତ ଓ ଭଗବାନ ପରସ୍ପରର ଅଭିଛେଦ୍ୟ ଅଙ୍ଗ । ଭକ୍ତ ପାଇଁ ଭଗବାନ ସ୍ୱର୍ଗର ସିଂହାସନ ପରିତ୍ୟାଗ କରିବାର ମଧ୍ୟ ଆମ ପୂରାଣ ସାହିତ୍ୟରେ ବହୁ ଦୃଷ୍ଟାନ୍ତ ଦେଖିବାକୁ ମିଳେ । ବିବାହ ପୂର୍ବରୁ ମା ଲକ୍ଷ୍ମୀ ମଧ୍ୟ ତାଙ୍କର ଭକ୍ତ ମାନଙ୍କର ଭଲପାଇବାକୁ ପାଥେୟ କରି ସେମାନଙ୍କୁ ମାର୍ଗଶୀର ମାସର ପ୍ରତ୍ୟେକ ଗୁରୁବାର ଦିନ ଯାଇ ଦର୍ଶନ ଦେବାକୁ ଜଗନ୍ନାଥଙ୍କୁ ଅନୂରୋଧ କରିଥିଲେ । ଜଗନ୍ନାଥ ମଧ୍ୟ ଲକ୍ଷ୍ମୀଙ୍କର ସେ ଅନୂରୋଧକୁ ରକ୍ଷା କରିଥିଲେ । କିନ୍ତୁ ବୈବାହିକ ଜୀବନରେ ପରବତ୍ତି ର୍ ସମୟରେ ଜଗନ୍ନାଥଙ୍କ ପାଖରେ ତାଙ୍କର ସେ ପ୍ରତିଶ୍ରୁତି ପାଣିର ଗାର ପାଲଟିଯାଇଛି । ଜଗତ ଜନନୀ ମା ଲକ୍ଷ୍ମୀଙ୍କର ସାମାଜିକ ଗୁରୁତ୍ୱକୁ ପ୍ରଭୂ ଜଗନ୍ନାଥ ଭୁଲି ଯାଇଛନ୍ତି । ପୁନଶ୍ଚ ତୃତିୟ ପୁରୁଷ ବଳରାମଙ୍କ କଥାରେ ପରିଚାଳିତ ହୋଇ ନିଜର ପୁରୁଷୋଚିତ ଅହଙ୍କାରରେ ଜଗନ୍ନାଥ ମାଲକ୍ଷ୍ମୀଙ୍କ ମନରେ ଆଘାତ ଦେବାକୁ ମଧ୍ୟ ପଛଘୁଞ୍ଚା ଦେଇନାହାନ୍ତି ।

ଦେଖ ଦେଖ କହ୍ନାଇ ତୋ ଭାରିଯା ଆଚର || ଉଭା ହୋଇଅଛି ସେହୁ ଚଣ୍ଡାଳୁଣୀ ଘର ||

ହାଡ଼ି ଘରେ ଥିବ ଲକ୍ଷ୍ମୀ ପାଣ ଘରେ ଥିବ || ଅପବିତ୍ର ହୋଇ ବଡ଼ ଦେଉଳେ ପଶିବ ||

ବଳରାମଙ୍କର ଏହିଭଳି ଭର୍ତ୍ସନା ଶୁଣି ଜଗନ୍ନାଥ ଯେତେବେଳେ ନିଜର ସ୍ୱାମି ସୁଲଭ ସ୍ନେହ ପ୍ରେମକୁ ଆଧାର କରି ଲକ୍ଷ୍ମୀଙ୍କୁ ପ୍ରଥମ ଥର ପାଇଁ କ୍ଷମା କରିଦେବାକୁ ଅନୂରୋଧ କରିଛନ୍ତି ସେତେବେଳେ ବଳରାମ ଆହୁରି କଠୋର ହୋଇ ସମଗ୍ର ଜାତିର ସାମାଜିକ ମର୍ଯ୍ୟାଦା କ୍ଷୁର୍ଣ୍ଣ ହେଲାଭଳି ଅସହ୍ୟ କଥାମାନ କହିଛନ୍ତି ।

ବଳରାମ କହୁଛନ୍ତି ଶୁଣ ଭାବଗ୍ରାହୀ || ତୋରଲକ୍ଷ୍ମୀ ଥିଲେ ମୁହିଁ ରହିବିଟି ନାହିଁ||

ଭାରିଯାଟି ଅଟେ ସିନା ପାଦର ପାଣ୍ଡୋଇ || ଭାଇ ଥିଲେ କୋଟି ଭାର୍ଯ୍ୟା ମିଳିଯେପାରଇ ||

ଏହି ଘଟଣାକୁ ଯଦି ଆମେ ଆମର ସାମାଜିକ ବ୍ୟବସ୍ଥା ସହିତ ତୁଳନା କରିବା ତେବେ ଜଣାଯିବ ଯେ ପ୍ରାଚୀନ ଯୁଗରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ କେଉଁଠି ନା କେଉଁଠି ଆମ ସମାଜର ନାରୀ ମାନଙ୍କର ସ୍ୱାଭିମାନ ତଥା ସ୍ୱାଧିନତା ଆମ ପୁରୁଷୋଚିତ ଅହଙ୍କାର ଦ୍ୱାରା କ୍ଷୁର୍ଣ୍ଣ ହୋଇଥାଏ । ଯାହା ବେଳେବେଳେ କଳହର ରୂପ ନେଇଥାଏ ।

Share This Article
ଲୋକନାଟ୍ୟ ଗବେଷକ ଓ ଓଡ଼ିଆ ଅଧ୍ୟାପକ
Exit mobile version