କିଛି ଗାଁ’ କିଛି ଅନୁଭୂତି (୫): “ଯୋଗେନ୍ଦ୍ରନାଥପୁର”

(ପାଇକମାଳର କିଛି ଗାଁ କିଛି ଅନୁଭୂତି - "ଆମ ଗାଁ ଆମ ଜୀବନ ୫" )

Swayamprava Parhi (Chief Editor) 390 Views
21 Min Read

ଆମେ ୨୮ ଜୁଲାଇ, ୨୦୨୩ ତାରିଖରେ ପାଇକମାଳ ବ୍ଲକର ଭୁବନେଶ୍ଵରପୁର ଉଚ୍ଚ ବିଦ୍ୟାଳୟକୁ ଯାଇଥାଉ । ଛାତ୍ରଛାତ୍ରୀ ମାନଙ୍କୁ ଭେଟିବା ସମୟରେ ଆମେ ସେଇ ସମାନ ଉତ୍ସାହ ଓ ଉଦ୍ଦୀପନାକୁ ଅନୁବଭାବ କଲୁ । ଦଶମ ଶ୍ରେଣୀ କକ୍ଷର ଶେଷ ଆଡକୁ ବସିଥାନ୍ତି ଆଚଲବତି ପଟେଲ । ଆମେ ଯେତେବେଳେ ପ୍ରଶ୍ନ କଲୁ ତୁମେମାନେ କ’ଣ ସତରେ ଲେଖିବା ପାଇଁ ଚାହୁଁଛ ? ତୁମ ମାନଙ୍କର ଦଶମ ଶ୍ରେଣୀ । ତୁମେ ସମୟ ଦେଇ ପାରିବ ?  ପଛପଟୁ ଆଚଲବତି ହାତ ଟେକିଲେ । ଛିଡା ହୋଇ କହିଲେ ମ୍ୟାମ ମୁଁ ଲେଖିବି । ସମୟ ବାହାର କରି ଆମ ଗାଁ’ର ଇତିହାସ ମୁଁ ଲେଖିବି । ଇତିହାସ ଲେଖା ଭିତରେ ଆଚଲବତି ବହୁତ ଆଗ୍ରହ ଦେଖାଇଛନ୍ତି । ନିଜ ଗାଁ’ର ଅନେକ ଫୋଟୋ ମଧ୍ୟ ସେ ନେଇଛନ୍ତି । ଆଚଲବତି ଲେଖିଥିବା ନିଜ ଗାଁ’ ଯୋଗେନ୍ଦ୍ରନାଥପୁରର ଇତିହାସ ଏଠାରେ ଉପସ୍ଥାପନ କରାଯାଇଛି । ସେ ନେଇଥିବା କେତୋଟି ଫୋଟୋ ମଧ୍ୟ ପ୍ରକାଶ କରାଯାଇଛି ।

ଆଚଳବତୀ ପଟେଲ

ଆଚଳବତୀ ପଟେଲଙ୍କ ଦ୍ଵାରା ତିଆରି କରାଯାଇଥିବା ଯୋଗେନ୍ଦ୍ରନାଥପୁର ଗାଁ’ର ନକ୍ସା 

ଆଚଳବତୀ ପଟେଲଙ୍କ ମାତାଙ୍କ ନାମ ଯାଜ୍ଞସେନୀ  ପଟେଲ, ପିତାଙ୍କ ନାମ ଅର୍ଜୁନ ପଟେଲ । ତାଙ୍କ ଗାଁ’ର ନାମ ଯୋଗେନ୍ଦ୍ରନାଥପୁର ଯାହା ବରଗଡ଼ ଜିଲ୍ଲାର ପାଇକମାଲ ବ୍ଲକ ଅନ୍ତର୍ଗତ ଏକ ଗାଁ’ । ଆଚଳବତୀ ପଟେଲ ନିଜ ଗାଁ’ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଲେଖନ୍ତି ଯେ, “ଆମ ଗାଁ’ର ନାମ ଯୋଗେନ୍ଦ୍ରନାଥପୁର । ଆମ ଗାଁ’ର ପୂର୍ବ ଦିଗରେ ପଶ୍ଚିମରୁ ପୂର୍ବକୁ ଗୋଟିଏ ନାଳ ବହିଯାଉଥିଲା । ଗାଁ’ର ପୂର୍ବ ପଟରେ ଗୋଟିଏ ନାଲା ହ୍ରଦ ଥିଲା ସେହିକୁ ଗୋଟିଏ ବିରାଟ ପଥର ଚଟାଣ ଢାଙ୍କିକରି ରଖିଥିଲା ପଥର ଚଟାଣ ଖୋଳରେ ଗୋଟିଏ ମାଙ୍କଡ ପାଣି ପିଇ ଖୋଲ ଭିତରେ ରହୁଥିଲା । ତାକୁ ଦେଖି ଲୋକମାନେ କହିଲେ ଖୋଲ ଭିତରେ ବା ସଉରୁଗୁଳା ଭିତରେ ମାଙ୍କଡ ବା ବନ୍ଦର ବାସ କରୁଅଛି । ସେହି ଅନୁସାରେ ସଉରୁଗୁଳା ଭିତରେ ରହିଥିବାରୁ ଗାଁ’ର ନାମ ବନ୍ଦର ସଉରୁଗୁଳା ବୋଲି ନାମକରଣ କରିଥିଲେ । ପରେ ଏହାର ନାମ “ଯୋଗେନ୍ଦ୍ରନାଥପୁର” ରଖାଗଲା । ଆମ ଗାଁ ବନ୍ଦର ସୁରୁଗୁଳା ରେ ବହୁତ ଅସୁବିଧା ଥିଲା । ଆମ ଗ୍ରାମରେ ରାସ୍ତା ନଥିଲା|, ବନ୍ଧ, ଘାଟ ଆମ ଗାଁରେ ନଥିଲା । ଆମ ଗାଁରେ ସ୍କୁଲ ନଥିଲା। ଡେରା ଘର ଥିଲା । ସମସ୍ତେ ଡେରା ଘରକୁ ପଢିବାକୁ ଯାଉଥିଲେ ।

ଆମ ଗାଁ 1926 ମସିହାରେ ପ୍ରତିଷ୍ଠା ହୋଇଥିଲା । ଆମ ଗାଁକୁ ପ୍ରଥମେ ଗଉଁନ୍ତିଆମାନେ ଆସି ବସବାସ କରୁଥିଲେ । ଗାଁକୁ ପରେ ସବରମାନେ ଆସି ବସତି ସ୍ଥାପନ କଲେ । ତାପରେ ବହୁତ ଲୋକ ଗାଁକୁ ଆସି ରହିବାକୁ ଲାଗିଲେ । ଧିରେ ଧିରେ ଅନେକ ଜାତିର ଲୋକମାନେ ଆସି ରହିଲେ । ଆମ ଗାଁର ଲୋକସଂଖ୍ୟା ପାଖାପାଖି 1000 । ଆମ ଗାଁ’ରେ ଏବେ 140ଟି ଘର ଅଛି ସେଥିରୁ 115ଟି ପକ୍କାଘର । ଆମ ଗାଁ’ରେ ମାଲି, ତେଲି, ବିଂଝାଲ, ଗଉର, କୁଲତା, ଭଣ୍ଡାରୀ, କୁମ୍ଭାର, ଗଣା, ମିର୍ଦ୍ଧା, କୁଡ଼ା, ସଁଅର, ବ୍ରାହ୍ମଣ, କେଉଁଟ, ହରିଜନ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ଗାଁରେ ଅନେକ ପ୍ରକାରର କଳାକାର ଓ କାରିଗର ଅଛନ୍ତି ଯେମିତି ଚିତ୍ରକଳା, ଝୋଟି ଚିତ୍ରର କଳାକାର । ବୁଣାବୁଣି , ବଢ଼େଇ କାମ, କୁମ୍ଭାର କାମ କରିବା କାରିଗର ଆମ ଗାଁରେ ଅଛନ୍ତି ।

ଆମ ଗାଁରେ ଚାରିଆଡେ ଜଙ୍ଗଲ ତେଣୁ ଗାଁ’ରେ ଭ୍ରମଣ କଲେ ବହୁତ ଭଲ ଲାଗେ । ଆମ ଗାଁ ପାଖରେ ପର୍ଯ୍ୟଟନ ସ୍ଥାନ ଭିତରେ ନୃସିଂହନାଥଙ୍କ ମନ୍ଦିର ଅଛି ସେଠାରେ ଦର୍ଶନ କରିବାକୁ ଭଲ ଲାଗେ । ଆମ ଗାଁରେ ଗୋଟିଏ ଉଚ୍ଚ ପ୍ରାଥମିକ ସ୍କୁଲ ଅଛି ଓ ଦୁଇଟି ଅଙ୍ଗନବାଡି କେନ୍ଦ୍ର ଅଛି । ଆମ ଗାଁ’ ସ୍କୁଲରେ ଏବେ 75ଟି ପିଲା ପାଠ ପଢୁଛନ୍ତି । ଗାଁରେ ପାଠପଢ଼ୁ ନଥିବା ପିଲା ସଂଖ୍ୟା ହେଲା 45 । ଯେଉଁମାନେ ବେକାରୀ ଅଛନ୍ତି ସେମାନେ କାମ ନକରି ଗାଁରେ ଏଣେ ତେଣେ ବୁଲୁଛନ୍ତି । ଗାଁରେ ଅତୀତରେ ପାଣିର ଉତ୍ସ କୂଅ ଥିଲା  । ଏବେ ଗାଁର ପାଣିର ଉତ୍ସ ନଳକୂପ ରହିଛି । ଖରା ମାସରେ ଗାଁରେ ପାଣିର ଅସୁବିଧା ହୁଏ । ସେତେବେଳେ ଲୋକେ କୂଅ, ନଳକୂଅରେ ଗାଧାନ୍ତି ।

ଗାଁର ସବୁଠାରୁ ପୁରୁଣା ଜେଜେ ବାପା  ଭୂବନ ଭୁଇ ତାଙ୍କ ପିଲାବେଳେ ଗାଁ’ ବିଷୟରେ କୁହନ୍ତି ଯେ, ଗାଁ’ରେ ଛୋଟ ଛୋଟ ଘର ଥିଲା । ସେ ସମୟରେ ପୋଖରୀ ନ ଥିଲା  । ତାଙ୍କ ବୟସର ସମସ୍ତ ସାଙ୍ଗମାନେ ମିଶି ମାଟିକୁ ଭାରରେ ବୋହି ପୋଖରୀ ଖୋଲିଥିଲେ । ବାଡ଼ିରେ ଚାଷ କରିବା ପାଇଁ କୂଅ ଖୋଳୁଥିଲେ । ତାଙ୍କ ସମୟରେ ବହୁତ ସୁନ୍ଦର ଜଙ୍ଗଲ ଥିଲା । ସେମାନଙ୍କ ସମୟରେ ପାଠ ବହୁତ କମ ଥିଲା । ବହୁତ ସୁନ୍ଦର ପଢା ହେଉଥିଲା । ସମସ୍ତେ ମିଶି ଜଙ୍ଗଲକୁ ଯାଇ କାଠ ବାଉଁଶରୁ କରିଡି ତିଆରି କରୁଥିଲେ । ମାଟିରେ ତିଆରି ବାସନରେ ଖାଇବା ପ୍ରସ୍ତୁତ କରୁଥିଲେ । ମାଟି କଡେଇ ପଟୁଳି ଏସବୁଥିରେ ଖାଇବା ତିଆରି କରୁଥିଲେ । ଗାଁ’ର ଲୋକ ସମସ୍ତେ ସାଙ୍ଗ ହୋଇ ମିଳିମିଶି ରହୁଥିଲେ । ସମସ୍ତେ ସମସ୍ତଙ୍କୁ ସମ୍ମାନ ସହିତ କଥାବାର୍ତ୍ତା ହେଉଥିଲେ । ସାଙ୍ଗରେ କାମ କରିବାକୁ ଯାଉଥିଲେ । ଜଙ୍ଗଲରୁ କାଠ ହାଣି ଘରକୁ ଆଣୁଥିଲେ । ଅନ୍ୟ ଗାଁକୁ କାମ କରିବାକୁ ଯାଇ ଦିନ ସାରା ଖଟିକି କିଛି ଧାନ ନହେଲେ କିଛି ଚାଉଳ ଆଣୁଥିଲେ ।

ଜେଜେ ମା’ ଗାଁକୁ ବିବାହ କରି ଆସିବାବେଳେ ଓ ତାଙ୍କ ବୟସର ଲୋକମାନଙ୍କ  ସମୟରେ ଗାଁ’ର ପରିବେଶ ବହୁତ ସୁନ୍ଦର ଥିଲା । ଚାରିଆଡେ ଜଙ୍ଗଲ,ପାହାଡ଼ ,ପର୍ବତରୁ ସାଇଁ ସାଇଁ ପବନ ବୋହୁଥିଲା । ଚାରିଆଡେ ଗଛ ପତ୍ର ଥିଲା, ଲୋକେ ଗାଁ’କୁ ପରିସ୍କାର ପରିଚ୍ଛନ୍ନ ରଖୁଥିଲେ । ସଫାସୁତୁରା ରଖୁଥିଲେ । ସମସ୍ତେ ନିଜ ନିଜ କାମରୁ ଜୀବନ ଜାପାନ କରୁଥିଲେ । ଗାଁ’ର ସବୁଆଡେ ଧାନ, ମୁଗ, ବିରି ଚାଷ ହେଇଥିବାର ଦେଖିବାକୁ ମିଳୁଥିଲା । ଚାରି ଆଡେ ପରିବେଶ ବହୁତ ସୁନ୍ଦର ଦିଶୁଥିଲା । ସେ ସମୟରେ ନଳକୂଅ ନ ଥିଲା । ମାଟି ଖୋଳି ପାଣି ବାହାର କରି ବ୍ୟବହାର କରୁଥିଲେ । ଏବେ ପରିବର୍ତ୍ତନ ଆସିଛି, ନଳକୂଅ ପାଣି ବ୍ୟବହାର କରୁଛନ୍ତି । ମା’ମାନେ ଯେତେବେଳେ ବିବାହ କରି ଆସିଥିଲେ ସେତେବେଳେ ଗାଡି ମଟର କମ ଥିଲା । ଗାଁ’ରେ ସେ ସମୟରେ ଗୋଟିଏ କି ଦୁଇଟା ମଟର ସାଇକେଲ ଥିଲା ଓ ସେ ସମୟରେ ବେଶୀ ସାଇକେଲର ବ୍ୟବହାର ହେଉଥିଲା । ଶଗଡ଼ ଗାଡ଼ିରେ ଲୋକେ ସବୁ କାମ କରୁଥିଲେ । ଏବେ ବହୁତ ପରିବର୍ତ୍ତନ ଘଟିଛି । ମଟର ସାଇକେଲ ପ୍ରାୟ ସବୁ ଘରେ ଅଛି । ଧାନ ଆଣିବା ଓ ମଡ଼େଇବାରେ ଟ୍ରାକ୍ଟରର ବ୍ୟବହାର ହେଉଛି ।

ଆମ ଗାଁ’ରେ ଦେବଗୁଡି ପୀଠ ଅଛି ଓ ବନଦୁର୍ଗା ପୂଜା ପାଆନ୍ତି ଓ ଛୁଟି ଗୁଡ଼ି ଗଛ ମୂଳରେ ପୂଜା ପାଆନ୍ତି । ମନ୍ଦିରରେ ଜଗନ୍ନାଥ ଠାକୁରଙ୍କୁ  ପୂଜା କରାଯାଏ । ମହାବୀରଙ୍କ ପୀଠ ମଧ୍ୟ ଅଛି । ଆମ ଗାଁ’ରେ ନୂଆଖାଇ, ଗଣେଶ ପୂଜା, ପୁଷପୁନି, ଦୁର୍ଗାପୂଜା, ନାମଯଜ୍ଞ, କାର୍ତ୍ତିକ ପୁର୍ଣିମା, ଶ୍ରାବଣ ମାସ ଏତେସବୁ ପର୍ବ ପର୍ବାଣି ପାଳନ କରାଯାଏ | ପୂର୍ବରୁ ଗାଁ’ରେ ବହୁତ ପ୍ରଥା ଚଳିଆସୁଥିଲା ସେଗୁଡିକ ହେଲା -ବଳିଦେବା, ହଳଧରା , ଲୋକ ମାନଙ୍କ  ଛୁଆଁ ଅଛୁଆଁ, ବାଲ୍ୟ ବିବାହ, ଗୋଟିଏ ଜାତିର ଲୋକ ଅନ୍ୟ ଜାତି ଲୋକ ସହିତ ମିଶୁନଥିଲେ । ଗାଁ’ରେ ଲୋକମାନେ ଧର୍ମ ପୀଠ, ନିଜ କ୍ଷେତ ଜମିରେ ନିଜର ଗଛ ମୂଳରେ ନିଜେ ସ୍ମରଣ କରି ଦେବତାଙ୍କୁ ପୂଜା କରନ୍ତି ଓ ପଥରରେ ସିନ୍ଦୁର ଦେଇ କ୍ଷେତରେ ପୂଜା ଦର୍ଶନ କରନ୍ତି । ଗାଁ’ରେ ସ୍କୁଲ ପ୍ରୋଗ୍ରାମ ରେ ଗୀତ ଓ ନାଚ ହୁଏ । ନୂଆ ଖାଇରେ ମଧ୍ୟ ନୃତ୍ୟ ହୁଏ । ଲକ୍ଷ୍ମୀ ପୂଜାରେ ଲୋକମାନେ ନାଚଗୀତ କରିଥାନ୍ତି । ଦଶହରାରେ ମଧ୍ୟ ଲୋକ ସାଂସ୍କୃତିକ କାର୍ଯ୍ୟ କ୍ରମ କରିଥାନ୍ତି । ଗାଁ’ରେ ନୃତ୍ୟଦଳ, ଗୀତଦଳ, ବାଦ୍ୟ ଦଳ ଅଛନ୍ତି । ଗାଁ’ରେ ଯାନିଯାତ୍ରା ସମୟରେ ଲୋକମାନେ ଧୋତି ଓ ମହିଳାମାନେ ସମ୍ବଲପୁରୀ ଶାଢ଼ୀ ପରିଧାନ କରନ୍ତି ଓ ଉତ୍ସବରେ ନୂଆ ନୂଆ ଜିନିଷ ପରିଧାନ କରନ୍ତି ।

ଗାଁ’ରେ ଅତୀତରେ ଅନୁଭବ ହେଉଥିବା ଋତୁ ଗୁଡିକ ହେଲା ବର୍ଷା ଋତୁ, ଶରତ ଋତୁ, ଶୀତ ଋତୁ, ହେମନ୍ତ ଋତୁ, ବସନ୍ତ ଋତୁ, ଗ୍ରୀଷ୍ମ ଋତୁ। ଆଗରୁ ଗାଁ’ରେ ଗାଈ,ମେଣ୍ଢା,ଛେଳି ଓ କୁକୁଡ଼ା ,ପାରା,ବତକ ଗୃହପାଳିତ ପଶୁ ଓ ପକ୍ଷୀ ଥିଲେ । ଏବେ ଗାଁ’ରେ ଗାଈ,ମେଣ୍ଢା,ଛେଳି,ପାରା,ଶୁଆ,କୁକୁଡ଼ା ସବୁ ପଶୁ ପକ୍ଷୀ ଅଛନ୍ତି ।  ଆମ ଗାଁ ପାଖରେ ଜଙ୍ଗଲ ଅଛି । ଆମ ଗାଁ ଜଙ୍ଗଲର ନାମ ହେଲା; ଚକା ଜଙ୍ଗଲ, ଗଛ ଲତା , ବାରପୁଟା ଜଙ୍ଗଲ । ଜଙ୍ଗଲରୁ ଲୋକମାନେ ଚେରମୂଳି ଔଷଧ, କରଡ଼ି, ଫଳ, ମୂଳ ସଂଗ୍ରହ କରନ୍ତି । ଗାଁ’ରେ ମହୁଲ ଗଛ, ବେଲ ଗଛ, ଜାମୁ ଗଛ, ବାଉଁଶ ଗଛ, ଆମ୍ବ ଗଛ, ହରିଡ଼ା ଗଛ, ତେନ୍ତୁଳି ଗଛ ଓ ଅନ୍ୟାନ୍ୟ ଗଛ ଦେଖାଯାଏ । ଗାଁ’ରେ ମହାଲିଙ୍ଗ ଗଛ ପୂର୍ବରେ ଥିଲା ଏବେ ଆଉ ନାହିଁ ଓ ରେଙ୍ଗାଲ ଗଛ ବି ନାହିଁ (ସାଳ ଗଛ ) ।

ହଁ ଆମ ଗାଁ’ରେ ଆଗ ମରୁଡି ଓ ବାତ୍ୟା ହୋଇଥିଲା । ଜେଜେ ମା’, ଜେଜେ ବାପା’ ଓ ତାଙ୍କ ବୟସର ଲୋକମାନେ ପିଲା ଥିଲାବେଳେ ଗାଁ’ର ପରିବେଶ ବହୁତ ସୁନ୍ଦର ଥିଲା । ସେତେବେଳେ ଚାରିଆଡେ ଜଙ୍ଗଲ ଥିଲା, ଗଛ ଲତାରେ ପରିପୂର୍ଣ ଥିଲା । ସବୁ ଆଡେ  ଝାଇଁ ଝାଇଁ ସାଇଁ ସାଇଁ ପବନ ବହୁଥିଲା । ଗାଁ’ରେ ସମସ୍ତେ ଝାଟି ମାଟିର ଘର, ତାଳ ପାତ୍ରରେ ଘର ତିଆରି କରି ରହୁଥିଲେ । ଗାଁ’ର ସକାଳ ସୂର୍ଯ୍ୟ ଉଦୟକୁ ଦେଖିଲେ ଏମିତି ଲାଗେ ଯେମିତି କି ପାହାଡ଼ ଉପରୁ ସୂର୍ଯ୍ୟ ଉଦୟ ହେଉଛି । ଚାରିଆଡେ ଚାଷରେ ପରିପୂର୍ଣ ଥିଲା ।

ଆମ ଗାଁ’ରେ ଏବେ ଧାନ, ମୁଗ, ବିରି, ଝୁନଗା, ମାଣ୍ଡିଆ, କୁଦୋ, କପା ଇତ୍ୟାଦି ଚାଷ କରାଯାଏ । ଆମ ଗାଁ’ରେ ଧାନ ଚାଷ ଅଧିକ ମାତ୍ରାରେ କରାଯାଏ । ପୂର୍ବରୁ ଲୋକମାନଙ୍କର  ଖାଦ୍ୟ ଥିଲା ମାଣ୍ଡିଆ, କୁଦୋ, ଗୁଞ୍ଜି ଆଉ ଭାତ ।  ଆମ ଗାଁ’ର ସବୁ ଲୋକମାନେ ଚାଷକାମ ଉପରେ ନିର୍ଭର କରନ୍ତି । ଚାଷ ବ୍ୟତୀତ ଲୋକମାନେ ମାଟି ବୁହା, ଜଙ୍ଗଲରେ ମାଟି କାମରେ ଜୀଵିକା ନିୟୋଜିତ ଅଛନ୍ତି । ଆମ ଗାଁ ଲୋକମାନେ ବିହନକୁ ବସ୍ତାରେ ସାଇତି ରଖୁଛନ୍ତି । ଚାଷକାମ ପାଇଁ ଜଳସେଚନର ବ୍ୟବସ୍ଥା ନାହିଁ । ଗାଁ’ର ଲୋକମାନେ ଚାଷକାମ ପାଇଁ ବର୍ଷା ଉପରେ ନିର୍ଭର କରନ୍ତି । ଗାଁ’ରେ ସମସ୍ତେ ଜଙ୍ଗଲରେ ଚାଷ କରନ୍ତି । ହଳ କରି ଆଗରୁ ସମସ୍ତେ ଜଙ୍ଗଲରେ ମାଟିକୁ ଉର୍ବର କରନ୍ତି ଓ ବର୍ଷା ହେଲେ ହଲରେ ଲଙ୍ଗଳ କରିବା ଆରମ୍ଭ କରନ୍ତି । ଧାନକୁ ପାଣିରେ ଦୁଇ ଦିନ ରଖି, ଧାନ ବୁଣା ଆରମ୍ଭ କରନ୍ତି । ଧାନ ଟିକେ ବଡ ହେଲେ ଧାନ ବିହିଡ଼ିବା ଆରମ୍ଭ କରନ୍ତି । ସେଥିରେ ସାର ପ୍ରୟୋଗ କରନ୍ତି ଓ ଗାଁ’ରେ ଧାନ, କପା, ମୁଗ, ବିରି ମଧ୍ୟ ଚାଷ ହୁଏ । ଲୋକେ ଏବେ ବହୁଯନ୍ତ୍ର ପାତିର ବ୍ୟବହାର କରୁଛନ୍ତି । ଟ୍ରାକ୍ଟରରେ ଲଙ୍ଗଳ କରି ଧାନ ବୁଣି ଚାଷ କରୁଛନ୍ତି । ଧାନ କଟିବାରେ ମଧ୍ୟ ଫ୍ରେସରରେ ଧାନ କାଟୁଛନ୍ତି । ଲୋକେ ଏବେ ପରିଶ୍ରମ କରୁନାହାନ୍ତି ସବୁ ଯନ୍ତ୍ର ମାଧ୍ୟମରେ କାମ କରୁଛନ୍ତି । କପା ଚାଷରେ ମଧ୍ୟ ଲୋକେ ଯନ୍ତ୍ରପାତିର ବ୍ୟବହାର କରଛନ୍ତି । କପା ଟିକେ ବଢ଼ିବାରେ ଲାଗିଲେ ଟ୍ରାକ୍ଟରରେ ଲଙ୍ଗଳ ବ୍ୟବହାର କରି , ସାର ପ୍ରୟୋଗ କରି ମାଟିକୁ ଉର୍ବର କରୁଛନ୍ତି । ଗାଁ’ରେ ଧାନ, ମୁଗ, ବିରି, ମକା ଏସବୁ ଖରିପ ଫସଲରେ ହୁଏ । ଆଷାଢ଼ ଶ୍ରାବଣ ଋତୁରେ ଏହି ଚାଷ ହୁଏ । ଗାଁ’ରେ ରବି ଫସଲ ଚାଷ ହୁଏନାହିଁ । କାରଣ ଜଳସେଚନର ବ୍ୟବସ୍ଥା ନାହିଁ । ସେଥିପାଇଁ ଗାଁ’ରେ ବହୁତ ଗରିବୀ ଦେଖାଯାଏ । ଲୋକ ଯେତେ ଚାଷ କରନ୍ତି ଓ ଯେତେ ଅମଳ ହେଲେବି ସେଇଟା ଖାଇବାରେ ସରିଯାଏ । ଗାଁ’ରେ ଲୋକମାନେ କାମ ପାଇଁ ମଧ୍ୟ ବାହାରକୁ ଯାଉଛନ୍ତି । ସେମାନେ ଗାଁ ଛାଡି ପ୍ଲେ ବୋର୍ଡ ସ୍ପାଇନିଙ୍ଗ ମିଲ ଗାଁ ମେଣ୍ଟରେ କାମ କରୁଛନ୍ତି । ଏହି ସମୟରେ ବହୁତ ପିଲା ଗାଁ ଛାଡି ବାହାରକୁ ଚାଲିଗଲେଣି । ଗାଁ’ର ଚାଷ କ୍ଷେତ୍ର ବାଧା ପ୍ରାପ୍ତ ହେଉଛି । ବହୁତ ଲୋକ ଗାଁ’ରେ ରୋଜ କାମ କରି ଜୀବନ ଜାପାନ କରୁଛନ୍ତି । ବହୁତ ଲୋକ ବଢ଼େଇ କାମ, ମିସ୍ତ୍ରୀ କାମ, ଲେବର କାମ , ଜମି କାମ କରୁଛନ୍ତି । କିନ୍ତୁ ବହୁତ ଲୋକ ବିଦେଶକୁ ଯାଉଛନ୍ତି କାରଣ ସେଠାରେ ସହଜରେ କାମ ମିଳେ । ସେଥିପାଇଁ ଲୋକମାନେ ବାହାରକୁ ଚାଲିଯାଉଛନ୍ତି । ଆମ ଗାଁ’ରେ ପନିପରିବା,ଧାନ,କପା,ଆଦି ପୁଷ୍ଟିଶସ୍ୟ ଚାଷ ହେଉଛି  । ପୂର୍ବରୁ ଆମ ଗାଁ’ରେ କୋଦ, ମାଣ୍ଡିଆ, ଗୁଞ୍ଜିଚାଷ ହେଉଥିଲା କିନ୍ତୁ ଏବେ ହେଉନାହିଁ ।

ଆମ ଗାଁ’ର ଖାଦ୍ୟପେୟ ଭିତରେ ଆମେ ନୂଆଖାଇରେ ଡାଲି , ଭାତ, ତରକାରୀ, ଖଟା , ଆଳୁ ଭଜା, କଦଳୀ ଭଜା, କରଡ଼ି ଭଜା, ସାରୁ ତରକାରୀ, ଚକୁଳି ପିଠା, କ୍ଷୀରି ଇତ୍ୟାଦି ତିଆରି କରୁ । ରଜ ପର୍ବରେ-ଭାତ, ଡାଲି, ଖଟା, କ୍ଷୀରି, ପୁରି, ସୁଆଁଲି ପିଠା ଇତ୍ୟାଦି ହୁଏ । ଲକ୍ଷ୍ମୀ ପୂଜାରେ -ଅରୁଆ ଭାତ, ଡାଲି, ତରକାରୀ, କ୍ଷୀରି , କଦଳୀ ଭଜା ଘିଅ ସାଙ୍ଗେ ରନ୍ଧା ହୁଏ । ରଥ ଯାତ୍ରା ସମୟରେ ଗାଁ’ରେ ଆରିସା ପିଠା, ପକୁଡି, ରସଗୁଲା, ଭାଖୁରଲିଆ, ଚଣା ଭଜା, ତାଳବରା, ସୁଆଁଲି ପିଠା, ବିରିବରା, ସିଙ୍ଗଡ଼ା, ନଳୀ ପାମ୍ପଡ ଇତ୍ୟାଦି ତିଆରି ହୁଏ । ଫୁସ ପୁନିରେ ଭାତ, ମାଂସ, ଖଟା, ତରକାରୀ, ଆରିସା ପିଠା, ସୁଆଁଲି ପିଠା, ଦଦରା ପିଠା, ନଳୀ ପାମ୍ପଡ ଇତ୍ୟାଦି ତିଆରି ହୁଏ । ବୋଲବମ ସମୟରେ ରୁଟି,ଡାଲି,ଭାତ ହୁଏ । କାର୍ତ୍ତିକ ମାସରେ ଅରୁଆ ଭାତ, ଭାଜିଶାଗ, ଡାଲି,ତରକାରୀ ହୁଏ । ଯାତ୍ରା ସମୟରେ ମାଂସ,ଭାତ,ଡାଲି,ଭଜା ହୁଏ । ଦଶହରାରେ ଲିଆଯୁଗାର, ଭାତ, ଡାଲି ଓ  ତରକାରୀ, ମାଂସ ତରକାରୀ ହୁଏ । ହରାଲି ଅମାବାସ୍ୟାରେ ମାଂସ, ଭାତ, ଡାଲି, ତରକାରୀ ରନ୍ଧା ହୁଏ । ଶ୍ରାବଣ ମାସରେ-ସରାବନ ମାନନ୍ତି ଓ ଏଥିରେ ଖିରି ,ପୁରି,ଭାତ, ଡାଲି ତରକାରୀ ରନ୍ଧା ହୁଏ । ପୂର୍ବରୁ ପର୍ବପର୍ବାଣୀରେ ତିଆରି କରାଯାଉଥିବା ଖାଦ୍ୟ ଶସ୍ୟ ବର୍ତ୍ତମାନ ମିଳୁନାହିଁ । ସେ ସମୟରେ ପଡିଆ ଜମିରେ ବେଶୀ ଚାଷ କରାଯାଉଥିଲା ଯାହାକି -କୁଦୋ, ଗୁଞ୍ଜି, ମାଣ୍ଡିଆ, ରକସି ଆଦି ବେଶୀ ହେଉଥିଲା । କୁଦୋରୁ ଚାଉଳ ଭହାରୁଥିଲା ଯାହାକୁ ଲୋକେ କୁଦୋ ଚାଉଳ ଭାତ ରାନ୍ଧୁଥିଲେ । ଗୁଞ୍ଜିରୁ ପିଠା ବନେଇ ଖାଉଥିଲେ । ରକସିକୁ ଲିଆ ଭାଜି ଖାଉଥିଲେ । ଏସବୁ ଖାଦ୍ୟ ଏବେ ଆଉ କେହି ଚାଷ କରୁନାହାନ୍ତି କି ଏ ଖାଦ୍ୟ ଏବେ ଦେଖିବାକୁ ମିଳୁନାହିଁ । ଲୋକମାନେ ଏବେ କୁଦୋ , ଗୁଞ୍ଜି, ମାଣ୍ଡିଆ, ରକସି ଚାଷ କରିବା ଛାଡିଦେଲେ କାରଣ ସେମାନେ ଏଥିରୁ ଲାଭବାନ ହୋଇପାରୁନାହାନ୍ତି । ସେଥିପାଇଁ ପୂର୍ବରୁ ଯେଉଁ ଖାଦ୍ୟ ଥିଲା ଏବେ ମିଳିପାରୁନାହିଁ । ଆମ ଗାଁର ମୂଳ ଖାଦ୍ଯ ଭିତରେ ସକାଳ ଜଳଖିଆରେ ଆମେ ଚାଉଳର ଚକୁଳି ପିଠା ମଧ୍ୟାହ୍ନ  ଭୋଜନାରେ ଭାତ,ଡାଲି, ତରକାରୀ, ଶାଗ ଭଜା ଓ ସନ୍ଧ୍ୟାରେ ମେଗି, ରାତି  ଭୋଜନାରେ ଭାତ,ଡାଲି,ଭଜା ଆଦି ଖାଉଛୁ । ବାପା, ମା’,ଜେଜେ, ଜେଜେମା, ଅଜା, ଆଈ ତାଙ୍କ ପିଲାବେଳେ ସେମାନେ କୁଦୋ, ମାଣ୍ଡିଆ, ଗୁଞ୍ଜି, ମହୁଲ ଭଜା ଖାଉଥିଲେ । ଏବେ ଖାଦ୍ୟପେୟରେ ବର୍ଗର , ପିଜା, ଇଟିଲି, ଭାତ ଖାଉଛନ୍ତି । ଏବର ଲୋକମାନେ କୁଦୋ, ମାଣ୍ଡିଆ, ଗୁଞ୍ଜି, ବାଜରା, ମହୁଲ ଏ ସବୁକୁ ଭୁଲିଗଲେଣି । ଆମ ପରି ପିଲାମାନଙ୍କୁ ମ୍ୟାଗି, ପିଜା, ବର୍ଗର ଖାଇବାକୁ ଭଲଲାଗେ ।  ମାଣ୍ଡିଆ, ବାଜରା, ଯୁଆର, ସୁଆଁ, ଗୁନ୍ଦଲି , କୋଦ , ଗାଙ୍ଗାଇ, ଖିରା ,ଜହ୍ନା ଏସବୁକୁ ପିଲାମାନେ ଆଉ ଖାଉନାହାନ୍ତି ।

ଆମ ଗାଁ’ର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ବିଷୟରେ ମୁଁ ମୋ ମା’ଙ୍କୁ ପଚାରିଲି । ସେ କହିଲେ; ଗୋଟିଏ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ସେଥିରେ ବହୁତ ଜିନିଷର ବ୍ୟବହାର କରିବାକୁ ପଡିଥାଏ । ମା’ମାନେ ସବୁ ଦିନ ଖାଦ୍ୟ ରାନ୍ଧୁଛନ୍ତି କିନ୍ତୁ ଆଜି କାଲିର ଝିଅ ପୁଅ ମାନେ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ବିଷୟରେ ଜାଣିନାହାନ୍ତି । କାରଣ କିଛି ସମୟ ଯଦି କେଉଁ ଜିନିଷକୁ ଧ୍ୟାନ ଦେଇ ଦେଖିଲେ ଆମେ ଜାଣି ପାରିବା ଯେ ସେ ଜିନିଷ କିପରି ଭାବରେ ତିଆରି ହେଉଛି । ସେଥିପାଇଁ ମା’ମାନେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ନିଜ ଝିଅମାନଙ୍କୁ କହିଥାନ୍ତି । ସେମାନେ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ବିଷୟରେ ଜାଣିପାରିବେ । ଆଜି କାଲିର ଝିଅମାନେ ପାରମ୍ପରିକ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଝିଅମାନେ ବହୁତ କମ ଭାବରେ ଜାଣିଛନ୍ତି । ଆଜି କାଲିର ଝିଅମାନେ ଯଦି କେଉଁ ଜିନିଷ ରାନ୍ଧିବାକୁ ହେଲେ ୟୁଟୁବରେ ଦେଖି କେଉଁ ଜିନିଷ କିପରି ଭାବରେ ରନ୍ଧା ହୁଏ ତାହା ଦେଖିକି ତିଆରି କରନ୍ତି । ମାଂସ କିପରି ରନ୍ଧା ହେବ ସେଥିରେ କେଉଁ ଜିନିଷ କେତେବେଳେ ଲଗାଯିବ ତାହା ଦେଖିକି ତିଆରି କରନ୍ତି । ଆଜି କାଲିର ବୋହୂମାନେ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ଜାଣିଛନ୍ତି କିନ୍ତୁ ସେମାନେ ନିଜ ଇଛାରେ ଖାଦ୍ୟ ପ୍ରସ୍ତୁତି କରୁଛନ୍ତି । କେଉଁ ଜିନିଷ କିପରି ଭାବରେ ରାନ୍ଧିବାକୁ ଅଛି ସେମାନେ ସବୁ ଜାଣିସାରିଛନ୍ତି । ଆଜି କାଲିର ଝିଅ ବୋହୂମାନେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି କିନ୍ତୁ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ପ୍ରଣାଳୀ ବିଷୟରେ ସେମାନେ  ଧିରେ ଧିରେ ଭୁଲିଗଲେଣି ।

ଆମ ଗାଁ’ରେ ପାଣିର ସମସ୍ୟା ଆଜି ପର୍ଯ୍ୟନ୍ତ ଲାଗି ରହିଛି । ଗାଁ ଭିତର ରାସ୍ତା ଆଜି ଖସଡ଼ା ଅଛି । ଚାଷ କାମରେ ଅସୁବିଧା ହେଉଛି ଆଉ ସ୍କୁଲ ପାଇଁ ଶିକ୍ଷକ/ଶିକ୍ଷୟିତ୍ରୀଙ୍କର ମଧ୍ୟ ଆବଶ୍ୟକ ଅଛି । ଅଙ୍ଗନବାଡି କେନ୍ଦ୍ର ମାତ୍ର ଗୋଟିଏ ଅଛି । ଅଙ୍ଗନବାଡି ଘର ଆଉ ଗୋଟିଏ ନଥିବାରୁ ଅଙ୍ଗନବାଡି ଗୋଟିଏ ଦିଦିଙ୍କୁ ପାଠ ପଢେଇବାରେ ଅସୁବିଧା ହେଉଛି । କାହା ଘର ପିଢ଼ାରେ ପାଠ ପଢ଼ାନ୍ତି । ଆମ ଗାଁ’ ପାଇଁ ନିହାତି ଅଙ୍ଗନବାଡି ପାଠ ପଢେଇବା ପାଇଁ ଶ୍ରେଣୀ ଗୃହ , ଅଫିସ ଓ ରୋଷେଇ ଗୃହ ସବୁକିଛିର ଆବଶ୍ୟକତା ରହିଛି । ଆମ ଗାଁ’ରେ ଚାଷୀ ମାନଙ୍କୁ ପାଣିର ଅସୁବିଧା ହେଉଛି । କାରଣ କେନାଲ ପାଣି ନାହିଁ । ଚାଷ ଭଲଭାବରେ ହେଇପାରୁନାହିଁ । ଛାତ୍ର ଛାତ୍ରୀମାନଙ୍କ ପାଇଁ କଲେଜ ମଧ୍ୟ ବହୁତ ଦୂରରେ ଅଛି । 20 କିଲୋମିଟରକୁ ଛାତ୍ର ଛାତ୍ରୀମାନଙ୍କୁ ସାଇକେଲରେ ଯିବା ଆସିବା ଅସୁବିଧା ହେଉଛି । କିଛି ଲୋକଙ୍କୁ ସରକାରୀ ପକ୍କା ଘର ମଧ୍ୟ ମିଳିନାହିଁ । ବର୍ଷା ମାସରେ ଲୋକ ଓଦାରେ ଶୋଇବାକୁ ପଡୁଛି ।

ଆମ ଗାଁ’ର ଲୋକମାନଙ୍କଠାରେ ଜ୍ୱର, ଥଣ୍ଡା, ଅମ୍ଳ ଏସବୁ ରୋଗ ଅଧିକ ଦେଖାଯାଏ ।  ରୋଗ ହେଲେ ଲୋକମାନେ ଡାକ୍ତର ଖାନା ଯାଇଥାନ୍ତି  । ଗାଁ’ରେ ଜଳବାହିତ ରୋଗ ଭିତରେ ଖୁଜୁରୀ, ଯାଦୁ, କାଛୁକୁଣ୍ଡିଆ ଦେଖାଯାଏ । ରକ୍ତ ହୀନତା ରୋଗ ବ୍ଳଡ଼ପ୍ରେସର ଓ ଶିକିଲିଙ୍ଗି ମଧ୍ୟ ଦେଖାଯାଏ । ଭିଟାମିନ ଅଭାବ ଜନିତ ରୋଗ ଶରୀର ଶୁଖିଯାଏ ,ପୋଲିଓ,ଅନ୍ଧାରକଣା,ମଳକଣ୍ଟକ ରୋଗ ହୁଏ । ଆମ ଗାଁ ପରିସ୍କାର ପରିଚ୍ଛନ୍ନ ରହେ । ଘଂସିଆ ଚମାରମାନେ ଗାଁ’କୁ ପରିସ୍କାର ପରିଚ୍ଛନ୍ନ କରିଥାନ୍ତି । ଆମ ଗାଁ’ରେ ଯେଉଁ ସ୍ଥାନକୁ ଭ୍ରମଣ କଲେ ବି ପରିସ୍କାର ଦେଖାଯାଏ । ଗାଁ’ର ସବୁ ପଡିଆ, ସବୁ ଘରର ବାଟ ମୁଁହରେ ପରିସ୍କାର ପରିଚ୍ଛନ୍ନ ରହିଛି । ଏବଂ ରାସ୍ତାର ବାମ ପଟ ଓ ଡାହାଣ ପଟରେ ଗଛ ଲଗା ହୋଇଥିବାରୁ ରାସ୍ତାରେ ମଧ୍ୟ  ସଫା ସୁତୁରା ଓ ପରିସ୍କାର ପରିଚ୍ଛନ୍ନ ଦେଖାଯାଏ । ଲୋକମାନେ ଏବେ ନିଜେ ନିଜେ ମଧ୍ୟ ପରିସ୍କାର ପରିଚ୍ଛନ୍ନ କରିବାରେ ଲାଗିରହିଛନ୍ତି । ଲୋକମାନେ ନିଜ ନିଜ ଘର ଓ ଘରର ବାଟ ମୁଁହକୁ ସଫା ସୁତୁରା କରିଥାନ୍ତି କିନ୍ତୁ ଅଧା ଲୋକ ଅଛନ୍ତି ଯେ ଗାଁ ଚାରିଆଡେ ସଫା ରଖିବାରେ ଚେଷ୍ଟା କରନ୍ତି । ବର୍ଷା ହେଲେ  ଲୋକମାନେ ଚାଳଘରରେ ପାଣି ଝରିଥାଏ ଓ ବର୍ଷରେ ଭିଜି ଭିଜି ଘରକୁ ସଜାନ୍ତି । ମାଛି ମଶାରୁ ରକ୍ଷା ପାଇଁ ଲୋକମାନେ ମଶାରୀ ବ୍ୟବହାର କରିଥାନ୍ତି । ଘରେ ଥିବା ପାତିଳିରେ ନିଆଁ ଲଗାଇ ଘରର ସବୁଆଡେ ଧୂଆଁ କରନ୍ତି କାରଣ ଏହି ଧୂଆଁ ଦ୍ୱାରା ମଶା ଘରେ ରହିବେନାହିଁ । ଗାଁ’ରେ ଯଦି କିଛି ରୋଗ ଅଧିକ ଭାବରେ  ବ୍ୟାପି ଥାଏ ତାହେଲେ ପ୍ରତିଷେଧକ ଟୀକା ଦିଆଯାଏ । ଯେମିତି କରୋନା ଭାଇରସ କୋଭିଡ ଟୀକା ଦେଉଥିଲେ । ଫାଇଲେରିଆରେ ମଧ୍ୟ ପ୍ରତିଷେଧକ ଟୀକା ଦିଆଯାଏ ।

ଗାଁ’ରେ ଏବେ ଲୋକେ ବହୁତ ପ୍ରକାରର ରୋଗରେ ଆକ୍ରାନ୍ତ ହେଉଛନ୍ତି | ଫାଇଲେରିଆ ରୋଗରେ ବହୁତ ଲୋକ ଆକ୍ରାନ୍ତ ହୋଇଛନ୍ତି । ଜ୍ୱରରେ ଲୋକ ଆକ୍ରାନ୍ତ ହୋଇଛନ୍ତି । ଅମ୍ଳ ରୋଗ ଭୁତ ଲୋକଙ୍କୁ ଆକ୍ରାନ୍ତ କରିଛି । କରୋନା ରୋଗରେ ମଧ୍ୟ ବହୁତ ଲୋକ ଆକ୍ରାନ୍ତ ହୋଇଛନ୍ତି । ବ୍ଲଡ଼ ପ୍ରେସର ରେ କିଛି ଲୋକ ଆକ୍ରାନ୍ତ ହୋଇଛନ୍ତି । କାରଣ ଲୋକମାନେ ସଫା ସୁତୁରା ରହିଲେ ଲୋକମାନଙ୍କୁ ରୋଗ କମ ପରିମାଣରେ ହୋଇଥାଏ । କରୋନାରେ ଲୋକମାନେ ମାସ୍କ ଭଲକି ପିନ୍ଧିଲେ ନାହିଁ , ସେଥିପାଇଁ ରୋଗ ବଢ଼ିବାରେ ଲାଗିଲା । ଲୋକମାନେ ପରିସ୍କାର ପରିଚ୍ଛନ୍ନ ରହିଲେ ରୋଗ କମ ହୋଇଥାଏ |

ଏବେ ଗାଁ’ରେ ଗୃହପାଳିତ ପଶୁ ମାନଙ୍କ ପାଇଁ ଚାରଣ ଭୂମି ଅଛି । ଆଗରୁ ବହୁତ ଚାରଣ ଭୂମି ଥିଲା କାରଣ ଲୋକମାନେ ସେତେବେଳେ ଚାଷ କମ ପରିମାଣରେ କରୁଥିଲେ । ସେଥିପାଇଁ ଚାରଣ ଭୂମି ବେଶୀ ରହୁଥିଲା ଏବେ ଗୃହପାଳିତ ପଶୁ ମାନଙ୍କ ପାଇଁ ଚାରଣ ଭୂମି ଅଛି କାରଣ ଆମ ଗାଁ’ରେ ଜଙ୍ଗଲ ଜମି ବେଶୀ ପରିମାଣରେ ଅଛି ସେଥିପାଇଁ ଚାରଣ ବେଶୀ ଅଛି । ଚାରଣ ଜମି ଥିବାରୁ ଗାଁ’ରେ ଲୋକମାନଙ୍କୁ ଅସୁବିଧା ହେଉନାହିଁ କାରଣ ଗାଈ ,ଗୋରୁ ମାନଙ୍କୁ ଜଙ୍ଗଲରେ ନେଇ ଚାରଣ କରାନ୍ତି । ବହୁତ ଲୋକ ଗାଈ,ଗୋରୁ ମାନଙ୍କୁ ନେଇ ଚାରଣ ପାଇଁ ଜଙ୍ଗଲକୁ ଚାଲିଯାଆନ୍ତି ।

ଆମ ଗାଁ’ର ପଞ୍ଚାୟତ ଭୁବନେଶ୍ୱର ପୁରଠାରେ ହାଟ ବଜାର ଅଛି ।  ସେଠି ସପ୍ତାହକୁ ଗୋଟିଏ ଥର ଓ ଗୋଟିଏ ଦିନ ହାଟ ବସେ । ଆମ ଗାଁ’ରୁ ବହୁତ ପନିପରିବା ବଜାରକୁ ବିକ୍ରୟ ପାଇଁ ଯାଏ । ଗାଁ ଲୋକେ ହାଟ/ବଜାରରୁ ପନିପରିବା, ପେଣ୍ଟ -ସାଟ , ବହି ପତ୍ର କିଣନ୍ତି । ଗାଁ’ରେ ଛୋଟ ବେପାରୀମାନେ ଗାଁ ଗାଁ ବୁଲି ପନିପରିବା ବିକ୍ରି କରନ୍ତି ।  ଆମ ଗାଁ’ର ହାଟ ବଜାରରେ ବ୍ୟବସାୟ କରି ଜୀବିକା ନିର୍ବାହ କରିଥିବା ଲୋକ ସଂଖ୍ୟା 35 । ଗ୍ରାମବାସୀଙ୍କ ଦ୍ୱାରା ହାଟରେ ବିକ୍ରି କରାଯାଉଥିବା ଲାଭବାନ ଦ୍ରବ୍ୟ ଗୁଡିକ ହେଲା; ପନିପରିବା । ଲୁଗାପଟା କିଣିବାକୁ ହେଲେ ଗାଁ ଲୋକଙ୍କୁ ଦୁରକୁ ଯିବାକୁ ପଡେ । ଗାଁ ହାଟ/ବଜାରରେ ଗାଁ’ର ପାରମ୍ପରିକ ହସ୍ତଶିଳ୍ପ କଳାକୃତି ବିକ୍ରି ହୁଏ ନାହିଁ । ହାଟରେ ମୁଗ, ବିରି, ପନିପରିବା ମିଳେ । ପୁଷ୍ଟିଶସ୍ୟରୁ ପ୍ରସ୍ତୁତି ଖାଦ୍ୟ ବଜାରରେ ମିଳେ ନାହିଁ । ହାଟ/ବଜାରରେ ବିକ୍ରି ହେଉଥିବା ବିଭିନ୍ନ ଜଙ୍ଗଲ ଦ୍ରବ୍ୟର ନାମ ହେଲା -ବାଉଁଶର କରଡ଼ି, ଝାରକୁନ୍ଦୁରୁ , କାଙ୍କଡ । ଆମ ଗାଁ ହାଟରେ ବହୁତ ଭିଡ଼ ହୁଏ କାରଣ ଚାରି ପାଞ୍ଚ ଗାଁ’ର ଲୋକ ଆସନ୍ତି । ବହୁତ ଆକାରରୁ ବଜାର ବସେ । ବହୁତ ଦୂର ଦୂରରୁ ବେପାରୀମାନେ ଆସନ୍ତି ପନିପରିବା ବେପାରୀ , ପାନ ବେପାରୀ , ମୁଗ/ବିରି ବେପାରୀ, ଝୁଣା ବେପାରୀ , ପିତ୍ତଳ ବେପାରୀ , ଲୁଗାପଟା ବେପାରୀ, ହୋଟେଲ ଵାଲା, ଚପଲ ବେପାରୀ , ଅନ୍ୟ ଅନ୍ୟ ଗାଁ’ର ବେପାରୀ ଆସି ବିକ୍ରି କରନ୍ତି ଏବଂ ଏହି ସବୁ ଜିନିଷ ଗୁଡାକୁ ଲୋକମାନେ କିଣି ନିଅନ୍ତି”।

ଆଚଳବତୀ ପଟେଲଙ୍କ ଗାଁ’ ଦେଖିବା ପାଇଁ ଆମେ ଡିସେମ୍ବର ମାସରେ ତାଙ୍କ ଗାଁ’କୁ ବୁଲି ଯାଇଥିଲୁ । ଗାଁ ଭିତରକୁ ପଶିବାବେଳେ କିଛି ଲୋକଙ୍କୁ ଏକାଠି ଛିଡା ହେବାର ଦେଖି ପାଖକୁ ଗଲୁ । ସେହି ବାଡିରେ ରକସି ଶୁଖୁଥାଏ । ପାଖରେ ବସିଥିବା ଜଣେ ଚାଷୀଭାଇଙ୍କୁ ଆମେ ପଚାରିଲୁ ଗାଁରେ କ’ଣ ସମସ୍ତେ ରକସି ଚାଷ କରନ୍ତି ? ସେ କହିଲେ ନାଁ । ରକସି ଆମ ଗାଁ’ରେ କେବେଠୁ ଚାଷ ବନ୍ଦ ହୋଇଯାଇଛି । ଆମେ ଏବର୍ଷ ଆରମ୍ଭ କରିଛୁ । ଆମେ ତାଙ୍କ ସହିତ କିଛି ସମୟ କଥା ହୋଇ ଚାଲିଲୁ ଆଚଳବତୀ ପଟେଲଙ୍କ ଘରକୁ । ମୁହଁ ସଞ୍ଜ ହେବ । ଆଚଳବତୀଙ୍କ ଜେଜେମା’ ଆମକୁ ଅନେକ ଦିନରୁ ଖୋଜୁଥିଲେ । ତାଙ୍କର ଆଗ୍ରହ ଥିଲା ଦେଖିବାକୁ କେଉଁମାନେ ଆମ ଆଚଳବତୀକୁ ଗାଁ ଇତିହାସ ଲେଖିବାକୁ କହିଛନ୍ତି । ଆମେ ଘରେ ପହଞ୍ଚିବା ବେଳେ ତାଙ୍କ ଜେଜେ ମା ଗାଁ ଭିତରକୁ ଯାଇଥିଲେ । କେହି ଜଣେ ତାଙ୍କୁ ଡାକିବାକୁ ଗଲେ । ଆମେ ତାଙ୍କ ଘର ଅଗଣାରେ ଗୋଟିଏ ଦଉଡିଆ ଖଟରେ ବସିଲୁ । ଆମ ଚାରିପଟେ ତାଙ୍କ ବାଡି ଭିତରେ ଅନେକ ପ୍ରକାରର ଗଛ, ଫଳ, ଫୁଲ ଥାଏ । ତାଙ୍କ ମା ବ୍ୟସ୍ତ ହୋଇପଡୁଥାନ୍ତି ଆମକୁ କେମିତି ଚର୍ଚ୍ଚା କରିବେ । ଏହି ସମୟରେ ଜେଜେ ମା ଆସିଲେ । ସେ ଆମକୁ ଦେଖି ବହୁତ ଖୁସି ହେଲେ । ତାଙ୍କ ସହିତ ଗାଁ ଭିତରୁ ଆହୁରି କିଛି ସ୍ତ୍ରୀଲୋକ ଆସିଥାନ୍ତି ଆମକୁ ଦେଖିବାକୁ । ସେଦିନ ତାଙ୍କ ଘର ଅଗଣାରେ ଡାଲଖାଇ ସଙ୍ଗୀତର ଏକ ଆସର ବସିଲା । ସମସ୍ତ ମା’ମାନେ ମିଶି ଡାଲଖାଇ ଗୀତ ଗାଇଲେ ଓ ଅତୀତର ସଂସ୍କୃତିକୁ ମନେପକେଇ ଭାଳି ହେଉଥିଲେ । ଜଣେ ମା’ ଆମକୁ ଫେରିବା ସମୟରେ ବହୁତ ଧନ୍ୟବାଦ ଦେଲେ । କହିଲେ ତୁମେ ନ ଆସିଥିଲେ ଆମେ ଆଉ କେବେ ନିଜ ଗାଁ’ର ପୁରୁଣା ସ୍ମୃତି ମାନେପକାଇ ନଥାନ୍ତୁ । ବହୁତ ଭଲ କମ କଲ ଆମ ଗାଁ’ର ଇତିହାସ ଆଚଳବତୀ ହାତରେ ଲେଖେଇଲ । ଆମ ସମସ୍ତଙ୍କୁ ଏକାଠି ବସି ଆଉଥରେ କଥା ହେବାକୁ ତୁମେ ବାଟ କାଢିଲ ।

ଖୁସି ଲାଗିଲା ମା’ଙ୍କ କଥା ଶୁଣି । ପରିଶ୍ରମ ସାର୍ଥକ ହେବାପରି ମନେହେଲା । ହେଲେ ଏହାତ ଗୋଟିଏ ଗାଁ’ର କଥା ନୁହଁ ସମଗ୍ର ଓଡିଶାର ସବୁ ଗାଁ’ର ଇତିହାସ ଲେଖାଇବା ଜରୁରୀ । ସେଇଟା ପୁଣି କେମିତି ହେବ ? ମନ ଭିତରେ କାମକୁ ନେଇ ଅନେକ ପ୍ରଶ୍ନ । ଯାହାର ଉତ୍ତର କିଛି ନାହିଁ ।

Share This Article
ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଗାୟିକା, ଲୋକ ସଂସ୍କୃତି ଗବେଷିକା. Ms Swayamprava Parhi is an Artist, cultural journalist and folk cultural researcher. She is the Chief Editor of Samadhwani. Swayamprava has been involved in the Village Biography Writing Initiatives with school students since 2005. During Covid-19, she initiated a new approach to work with school students. She shifted her village biography work online while tying up with different schools in Odisha. She is extensively documenting issues like the Food culture of Odisha, Syncretism in India, and Music of the Marginalized Artists. Now, she is focusing on the role of Women in the Performing Folk Art forms of Odisha. She also happens to be a Documentary Filmmaker and a Pod-caster. She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.
Exit mobile version