ଭାରତୀୟ ନାଟ୍ୟ ମଣ୍ଡପର ନିର୍ମାଣ ଓ ପୂଜନ (ନାଟ୍ୟଶାସ୍ତ୍ରର ସମୀକ୍ଷା)

ଅଜିତ କୁମାର ମୁନୀ 361 Views
22 Min Read

ସାରାଂଶ :

ସାହିତ୍ୟର ସମସ୍ତ ବିଭାଗ ମଧ୍ୟରେ ନାଟକ ସବୁଠାରୁ ଅଧିକ ସୌନ୍ଦର୍ଯ୍ୟପୂର୍ଣ୍ଣ ତଥା ଭାବପୂର୍ଣ୍ଣ ବିଭାଗ ଅଟେ । କାରଣ ଏହା ସମାଜର ଚତୁର୍ବର୍ଗର ହିତ ସାଧନା କରୁଥିବା ଏକ ସୁନ୍ଦର ଦୃଶ୍ୟ ତଥା ଶ୍ରାବ୍ୟ କାବ୍ୟ ଅଟେ । ସେଥିପାଇଁ କୁହାଯାଇଛି “କାବ୍ୟେଷୁ ନାଟକଂ ରମ୍ୟଂ” । ପ୍ରାଚୀନ ଯୁଗରେ ସମଗ୍ର ବିଶ୍ୱରେ ଭାରତ ବର୍ଷର ଶାସ୍ତ୍ରୀୟ ନାଟ୍ୟ ପରମ୍ପରା ଏକ ସୁସମୃଦ୍ଧ ନାଟ୍ୟ ପରମ୍ଫରା ଭାବରେ ପ୍ରସିଦ୍ଧି ଅର୍ଜନ କରିବାରେ ସଫଳ ହୋଇପାରିଥିଲା । ସେହି ନାଟ୍ୟ ପରମ୍ପରାର ମଞ୍ଚ ବା ମଣ୍ଡପ ସମ୍ବନ୍ଧରେ ଏହା ନାଟ୍ୟକୋବିଦ ଭରତ ମୁନିଙ୍କ ରଚିତ ନାଟ୍ୟଶାସ୍ତ୍ରରେ ବର୍ଣ୍ଣିତ ଏକ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ଅଟେ । ପ୍ରାଚ୍ୟ ଭାରତୀୟ ନାଟ୍ୟ ମଣ୍ଡପ ସୃଷ୍ଟି ପଛରେ ଥିବା ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଏଠାରେ ସୁନ୍ଦର ଭାବରେ ଉପସ୍ଥାପିତ କରାଯାଇଛି । ନାଟ୍ୟ ସାହିତ୍ୟର ଛାତ୍ର ଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକା, ଗବେଷକ/ ଗବେଷିକା, ନାଟ୍ୟ ଜଗତର ଗୁରୁ ତଥା କଳାକାର ମାନଙ୍କୁ ପ୍ରାଚ୍ୟ ଭାରତୀୟ ନାଟ୍ୟ ମଞ୍ଚର ସୃଷ୍ଟି, ପ୍ରକାରଭେଦ, ସମ୍ବନ୍ଧରେ ଶାସ୍ତ୍ରୋଚିତ ତଥ୍ୟ ପ୍ରଦାନ କରିବା ଏହି ରଚନାର ମୌଳିକ ଲକ୍ଷ୍ୟ ଅଟେ ।

ଉପକ୍ରମ

ସମଗ୍ର ବିଶ୍ୱରେ ପ୍ରାଚୀନ କାଳରେ ଯେଉଁ କେତେକ ସଭ୍ୟତା ସଫଳତାର ଶିର୍ଷରେ ପହଞ୍ଚିପାରିଥିଲା ଏବଂ ସମୃଦ୍ଧ ସଭ୍ୟତା ଭାବରେ ନିଜକୁ ପ୍ରତିପାଦିତ କରିପାରିିଥିଲା ସେମାନଙ୍କ ମଧ୍ୟରେ ସିନ୍ଧୁ ସଭ୍ୟତା ପ୍ରମୂଖ ଅଟେ । ଏହି ସଭ୍ୟତା ସାରା ଜଗତରେ କଳା, ସାହିତ୍ୟ, ସସ୍କୃତି ଓ ବିଜ୍ଞାନ କ୍ଷେତ୍ରରେ ଏକ ସୁନାମଧନ୍ୟ ସଭ୍ୟତା ଭାବରେ ପରିଚିତ ଥିଲା । ନାଟକ କ୍ଷେତ୍ରରେ ପ୍ରଥମେ ଶାସ୍ତ୍ରୀୟ ନାଟକର ଧାରା ସୃଷ୍ଟି କରିବା ସହ ଏକ ସୁସମୃଦ୍ଧ ନାଟ୍ୟ ସାହିତ୍ୟ ରଚନା ଓ ପରିବେଷଣର ପରମ୍ପରା ମଧ୍ୟ ଏହି ସଭ୍ୟତା ସୃ୍‌ଷ୍ଟି କରିଥିଲା । ଇତିହାସର ବିବରଣୀ ଅନୁସାରେ ପ୍ରାୟ ଖ୍ରୀ.ପୂ. ୨୦୦ ରୁ ଖ୍ରୀ. ୨୦୦ ମଧ୍ୟରେ କଳା ସଂସ୍କୃତିର ଏହି ପବିତ୍ର ମାଟି ଭାରତବର୍ଷରେ ନାଟ୍ୟକୋବିଦ ଭରତ ମୁନି ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ସୃଜନଶୀଳତା ଓ କଳ୍ପନାପ୍ରବଣତା ବଳରେ ସେ ନାଟକର ରଚନା ଓ ପ୍ରୟୋଗ ଆଧାରିତ ସର୍ବୋତ୍କୃ୍‌ଷ୍ଟ ପୁସ୍ତକ ନାଟ୍ୟଶାସ୍ତ୍ର ରଚନା କରି ନିଜକୁ ପ୍ରାଚ୍ୟ ନାଟ୍ୟ ସାହିତ୍ୟ ଓ ସଂସ୍କୃତିର ଏକ ଆଲୋକବର୍ତ୍ତିକା ଭାବରେ ପ୍ରମାଣିତ କରିପାରିଥିଲେ । ପ୍ରାଚୀନ ଯୁଗରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ନାଟ୍ୟଶାସ୍ତ୍ର ପ୍ରାଚ୍ୟ ନାଟ୍ୟ ଜଗତକୁ ପ୍ରଭାବିତ କରି ଆସିଛି । ଛତିଶି ଗୋଟି ଅଧ୍ୟାୟ ବିଶଷ୍ଟ ଏହି ନାଟ୍ୟଶାସ୍ତ୍ର ଯେଉଁ ସବୁ ବିଷୟ ମାନଙ୍କୁ ଆଧାର କରି ରଚିତ ସେଗୁ଼ଡ଼ିକ ହେଲା ଯଥା :- ନାଟ୍ୟୋତ୍ପତ୍ତି, ନାଟ୍ୟମଞ୍ଚର ସୃଷ୍ଟି, ପ୍ରକାରଭେଦ ଓ ମଞ୍ଚ ପୂଜନ ପରମ୍ପରା, ପୂର୍ବରଙ୍ଗ, ରସ, ଭାବ, ଅଭିନୟ, ଧର୍ମି, ବୃତ୍ତି, ପ୍ରବୃ୍‌ତ୍ତି, ସ୍ୱର, ସିଦ୍ଧି, ଅତୋଦ୍ୟ, ଗାନ, ରଙ୍ଗ, ନାୟକ ନାୟୀକା ଭେଦ ଏବଂ ନାଟକର ଧରାବତରଣ । ଏଠାରେ ନାଟ୍ୟୋତ୍ପତ୍ତି ସମ୍ବନ୍ଧରେ ଭରତ ମୁନିଙ୍କ ରଚିତ ନାଟ୍ୟଶାସ୍ତ୍ରରେ ପ୍ରଥମ ଅଧ୍ୟାୟରେ ଏକ ବିସ୍ତାର ବର୍ଣ୍ଣନା ପ୍ରଦାନ କରାଯାଇଛି । ଯାହା ଏଠାରେ ଆଲୋଚନାର ପରିସରଭୁକ୍ତ କରାଯାଇଛି ।

ଭରତ ମୁନିଙ୍କ ଠାରୁ ତାଙ୍କର ଶିଷ୍ୟମାନେ ଏବଂ ଆତ୍ରେୟ ଆଦି ୠଷିମାନେ ନାଟ୍ୟୋତ୍ପତ୍ତିର କଥା ସବିଶେଷ ଶୁଣି ସାରିବା ପରେ ତାଙ୍କ ମନ ଭିତରେ ପୁଣି ନାଟ୍ୟ ସମ୍ବନ୍ଧିୟ କିଛି ପ୍ରଶ୍ନ ସୃଷ୍ଟି ହେଲା । ତେଣୁ ସେମାନେ ନାଟ୍ୟାଚାର୍ଯ୍ୟଙ୍କୁ କହିଲେ ଯେ “ଭଗବାନ, ଆମ୍ଭେ ବର୍ତ୍ତମାନ ଜାଣିବାକୁ ଆଗ୍ରହ ପ୍ରକାଶ କରୁଛୁଯେ ରଙ୍ଗପୂଜାରେ କି କି କାର୍ଯ୍ୟ କରାଯାଏ ? ଭବିଷ୍ୟତରେ ଲୋକମାନେ କିଭଳି ଏହାର ପୂଜା କରିବେ ? ନାଟ୍ୟଗୃହର ଲକ୍ଷଣ ସବୁ କ’ଣ ? ଏ ସମସ୍ତ ବିଷୟରେ ବିସ୍ତାର କରି ଆମ୍ଭଙ୍କୁ କୁହନ୍ତୁ?” ସେମାନଙ୍କର ପ୍ରତ୍ୟୁତ୍ତରରେ ଭରତ ନାଟ୍ୟକ୍ରିୟାର ସବିଶେଷ ନାଟ୍ୟମଣ୍ଡପଠାରୁ କହିବା ଆରମ୍ଭ କଲେ । ନାଟ୍ୟଗୃହର ଲକ୍ଷଣ ଓ ପୂଜାବିିଧି ବର୍ଣ୍ଣନା କରିବାକୁ ଯାଇ କହିଲେ ଯେ “ସ୍ୱର୍ଗରେ ଦେବତାମାନେ ସିନା ନିଜ ପାଇଁ ଆବଶ୍ୟକିୟ ଗୃହ ଏବଂ ଉପବନ ଗୁଡିକୁ ନିଜ ମାନସ ବା କଳ୍ପନା ବଳରେ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଥାନ୍ତି କିନ୍ତୁ ମନୁଷ୍ୟ ମାନଙ୍କୁ ପ୍ରଦତ୍ତ ଲକ୍ଷଣ ଏବଂ ନୀତି ନିୟମ ଅନୂସାରେ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ପଡେ ।” ତତ୍ ସହିତ କେଉଁ ସ୍ଥାନରେ କିପରି ନାଟ୍ୟମଣ୍ଡପ ନିର୍ମାଣ କରାଯିବ ଏବଂ ଏହାର ପୂଜାବିଧି କିଭଳି କରାଯିବ ସେକଥା ନାଟ୍ୟକୋବିଦ ଭରତ ମୁନି କହିବା ଆରମ୍ଭ କଲେ ।

ଇ୍ରହ୍ମାଙ୍କ ଦ୍ୱାରା ଯେତେବେଳେ ନାଟ୍ୟମଣ୍ଡପର ପରିକଳ୍ପନା ଏବଂ ନିର୍ମାଣ ଦାୟିତ୍ୱ ଦେବଶୀଳ୍ପି ବିଶ୍ୱକର୍ମାଙ୍କ ଉପରେ ନ୍ୟସ୍ତ କରାଗଲା ସେତେବେଳେ ସେ ଶାସ୍ତ୍ର୍ରାନୂସାରେ ତିନୋଟି ଶୈଳୀରେ ନାଟ୍ୟମଣ୍ଡପର ପରିକଳ୍ପନା କଲେ । ସେଗୁଡିକ ହେଲା ଯଥାକ୍ରମେ ବିକୃଷ୍ଟ, ଚତୁରସ୍ର ଏବଂ ତ୍ରସ୍ର । ଆକାର ଦୃଷ୍ଟିରୁ ଏହି ନାଟ୍ୟମଣ୍ଡପ ତ୍ରୟ ପରସ୍ପର ଠାରୁ ସମ୍ପୁର୍ଣ୍ଣ ପୃଥକ୍ ଅଟେ । ସାଧାରଣତଃ ଆୟତାକାର ମଣ୍ଡପଟିକୁ ବିକୃଷ୍ଟ, ବର୍ଗାକାର ମଣ୍ଡପଟିକୁ ଚତୁରସ୍ର ଏବଂ ତ୍ରିଭୂଜାକାର ମଣ୍ଡପଟିକୁ ତ୍ରସ୍ର ନାଟ୍ୟମଣ୍ଡପ କୁହାଯାଏ । ପୁନଶ୍ଚ ଆୟତନର ଭିନ୍ନତା ଦୃଷ୍ଟିରୁ ଏହି ନାଟ୍ୟମଣ୍ଡପ ତ୍ରୟକୁ ତିନି ତିନି ଭାଗରେ ବିଭକ୍ତ କରିଛନ୍ତି । ସେଗୁଡିକ ହେଲା ଜ୍ୟେଷ୍ଠ, ମଧ୍ୟମ ଓ କନିଷ୍ଠ ।

ତ୍ରିବିଧଃ ସନ୍ନିବେଶଶ୍ଚ ଶାସ୍ତ୍ରତଃ ପରିକଳ୍ପିତ

ବିକୃଷ୍ଟଶ୍ଚତୁରସ୍ରଶ୍ଚ ତ୍ର‌୍ୟସ୍ରଶ୍ଚୈବ ହି ମଣ୍ଡପ ।ା୮।।

ତେଷାଂ ତ୍ରୀଣି ପ୍ରମାଣାନି ଜ୍ୟେଷ୍ଠଂ ମଧ୍ୟଂ ତଥାଽବରମ୍ ।

(ମୁନି ଭରତ, ନାଟ୍ୟଶାସ୍ତ୍ର୍ର, ପୃ-୨୧, ଓଡି଼ଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର, ଓଡି଼ଶା)

ସେ ନାଟ୍ୟମଣ୍ଡପ ଗୁଡିକର ମାପକୁ ମଧ୍ୟ ହସ୍ତ ଦଣ୍ଡ ଦ୍ୱାରା ନିର୍ଦ୍ଧାରିତ କରିଛନ୍ତି । ଜ୍ୟେଷ୍ଠ, ମଧ୍ୟମ ଓ କନିଷ୍ଠ ମଣ୍ଡପର ଦୈର୍ଘ୍ୟକୁ ଯଥାକ୍ରମେ ୧୦୮, ୬୪ ଏବଂ ୩୨ ହସ୍ତରେ ପରିକଳ୍ପନା କରିଛନ୍ତି । ଜ୍ୟେଷ୍ଠ ମଣ୍ଡପଟିକୁ ଦେବତା, ମଧ୍ୟମ ମଣ୍ଡପଟିକୁ ରାଜନ୍ୟବର୍ଗ ଏବଂ ଆବର ବା କନିଷ୍ଠ ମଣ୍ଡପଟିକୁ ସାଧାରଣ ବର୍ଗର ଲୋକମାନଙ୍କ ବ୍ୟବହାର ନିମନ୍ତେ ସ୍ଥିର କରିଛନ୍ତି । ତତ୍‌ସହିତ ଏହି ନାଟ୍ୟମଣ୍ଡପର ଆକାରକୁ ପାରମ୍ପରିକ ମାପର ୮ ଗୋଟି ମାନକ ଦ୍ୱାରା ସ୍ଥିର କରିଛନ୍ତି । ସେଗୁଡିକୁ ଯଥା ୧. ଅଣୁ ୨. ରଜ ୩. ବାଳ ୪. ଲିଖା ୫. ଯୁକା ୬. ଯବ ୭. ଅଙ୍ଗୁଳ ୮. ହସ୍ତ ୯. ଦଣ୍ଡ ।

୮ ଅଣୁ – ୧ ରଜ

୮ ରଜ – ୧ ବାଳ

୮ ବାଳ – ୧ ଲିଖା

୮ ଲିଖା – ୧ ଯୁକା

୮ ଯୁକା – ୧ ଯବ

୮ ଯବ – ୧ ଅଙ୍ଗୁଳ

୨୪ ଅଙ୍ଗୁଳ – ୧ ହସ୍ତ

୪ ହସ୍ତ – ୧ ଦଣ୍ଡ

ପ୍ରେକ୍ଷାଗୃହାଣାଂ ସର୍ବେଷାଂ ତଚ୍ଚୈବ ହି ନିବୋଧତ ।

ଅଣୂରଜଶ୍ଚ ବାଳଶ୍ଚ ଲିକ୍ଷା ଯୂକା ଯବସ୍ତଥା ।ା୧୪।।

ଅଙ୍ଗୁଳଂ ଚ ତଥା ହସ୍ତୋ ଦଣ୍ଡଶ୍ଚୈବ ପ୍ରକୀର୍ତ୍ତିତଃ

ଅଣବୋଽଷ୍ଟୌ ରଜଃ ପ୍ରେକ୍ତଂ ତାନ୍ୟଷ୍ଟୌ ବାଳ ଉଚ୍ୟତେ ।ା୧୫।।

ବାଳାସ୍ତ୍ରଷ୍ଟୌ ଭବେଲ୍ଲିକ୍ଷା ଯୂକା ଲିକ୍ଷାଷ୍ଟକଂ ଭବେତ୍

ଯୂକାସ୍ତ୍ୱଷ୍ଟୌ ଯବୋ ଜେ୍ଞୟୋ ଯବାସ୍ତ୍ୱଷ୍ଟୌ ତଥାଙ୍ଗୁଳମ୍ ।ା୧୬।।

ଆଙ୍ଗୁଳାନି ତଥା ହସ୍ତଶ୍ଚତୁର୍ବିଂଶତିରୁଚ୍ୟତେ

ଚତୁର୍ହସ୍ତୋ ଭବେଦ୍ଦଣ୍ଡୋ ନିଦ୍ଧିଷ୍ଟସ୍ତୁ ପ୍ରମାଣତଃ ।ା୧୭।।

(ମୁନି ଭରତ, ନାଟ୍ୟଶାସ୍ତ୍ର୍ର, ପୃ-୨୪, ଓଡି଼ଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର, ଓଡି଼ଶା)

ମର୍ତ୍ତ୍ୟଲୋକରେ ନାଟ୍ୟପରିବେଷଣର ଧାରାକୁ କଳ୍ପନା କରି ବିଶ୍ୱକର୍ମା ମଧ୍ୟମାକାର ମଣ୍ଡପକୁ ଉପଯୁକ୍ତ ବୋଲି ବିବେଚନା କରିଛନ୍ତି । ସେହି ମଣ୍ଡପର ଦୈର୍ଘ୍ୟ ୬୪ ହସ୍ତ ଏବଂ ପ୍ରସ୍ଥ ୩୨ ହସ୍ତ । ଏତତ୍‌ତ୍ୟତିତ ସେ ଏହା ମଧ୍ୟ ନିର୍ଦେଶ କରିଛନ୍ତିଯେ ଏହି ନିର୍ଦ୍ଧାରିତ ମାପଠାରୁ ଯଦିବା ନାଟ୍ୟମଣ୍ଡପ ବୃହଦାକାର ହେବ ତେବେ ଏହା ସଠିକ୍ ଭାବରେ ଦୃଶ୍ୟ କିମ୍ବା ଶ୍ରାବ୍ୟ ହେବନାହିିଁ । ପାତ୍ରପାତ୍ରୀଙ୍କ ବକ୍ତବ୍ୟ କିମ୍ବା ଅଙ୍ଗଭଙ୍ଗି ଦର୍ଶକ ମାନଙ୍କ ନିକଟରେ ଉପଯୁକ୍ତ ଭାବରେ ପରିସ୍ଫୁଟନ ହେବନାହିିଁ ଫଳରେ ରସ ଉତ୍ପତ୍ତି ବା ନିଷ୍ପତ୍ତିରେ ବାଧା ସୃଷ୍ଟି ହେବ । ଦେବତା ମାନେ ସିନା ତତ୍‌କ୍ଷଣାତ୍ ଚାହିଁବା ମୁତାବକ ଗୃହ ଏବଂ ଉପବନ ମାନ ସେମାନଙ୍କର ପରିକଳ୍ପନା ବଳରେ ସୃଷ୍ଟିକରି ନିଜର ଆବଶ୍ୟକତା ଦୂର କରିପାରନ୍ତି କିନ୍ତୁ ମାନବ ସମାଜକୁ ଏଦିଗରେ ନିଜର ସ୍ୱୀୟ ବୁଦ୍ଧି ଏବଂ ଶାରୀରିକ ଶ୍ରମ ଦ୍ୱାରା ସୃଷ୍ଟି କରିବାକୁ ପଡିବ । ତେଣୁ ମାନବ ନିଜକୁ ଭଗବାନଙ୍କ ସହିତ ତୂଳନା ନକରି ସେ ନିଜର ମନୋରଞ୍ଜନର ମାଧ୍ୟମ ସୃଷ୍ଟି ନିମନ୍ତେ ଯତ୍ନଶୀଳ ହେବା ବିଧେୟ ।

ନାଟ୍ୟଗୃହର ଲକ୍ଷଣ

ନାଟ୍ୟଗୃହର ଲକ୍ଷଣ ଏବଂ ଭୂମିର ପ୍ରକାରଭେଦ ସମ୍ବନ୍ଧରେ ଉତ୍ତର ଦେବାକୁ ଯାଇ ନାଟ୍ୟକୋବିଦ ଭରତ ୠଷି ମାନଙ୍କୁ କହୁଛନ୍ତି ଯେ ନାଟ୍ୟମଣ୍ଡପ ନିର୍ମାଣର ପ୍ରାଥମିକ ଅବସ୍ଥାରେ ଭୂମିର ପ୍ରକାରଭେଦକୁ ପରୀକ୍ଷା କରିବା ସହ ତାର ବାସ୍ତୁବିଦ୍ୟାକୁ ଜାଣିବା ଉଚିତ । ଏଥିନିମନ୍ତେ ସ୍ଥିର ବା ସମତଳ ତତ୍‌ସହିତ କୃଷ୍ଣ ବା ଗୌର ରଙ୍ଗର କିମ୍ବା କଳା ବା ଧଳା ସେଠାରେ ନାଟ୍ୟମଣ୍ଡପ ନିର୍ମାଣ କରିବା ପାଇଁ ସ୍ଥିର କରିବ । ପ୍ରଥମେ ଭୂମି ଶୋଧନ ପୂର୍ବକ ନିର୍ମାଣ ସ୍ଥାନରୁ ହାଡ, ଖପରା, ଘାସ, ଗୁଳ୍ମ ଆଦି ସଫାକରି ଲଙ୍ଗଳ ଦ୍ୱାରା କର୍ଷଣ ବା ହଳ କରି ଚାଷ କରିବା ବିଧେୟ । ଏହାପରେ କପା, ପଳାସି ଘାସ କିମ୍ବା ବକ୍କଳ ଦ୍ୱାରା ନିର୍ମିତ ଶୁକ୍ଲ ରଙ୍ଗର ବା ଧଳା ରଙ୍ଗର ଦଉଡି ସହାୟତାରେ ଉକ୍ତ ଭୂମିକୁ ମାପିବା ଆବଶ୍ୟକ । ଭୂମିକୁ ମାପ କଲାବେଳେ ପ୍ରଥମେ ଦଉଡିକୁ ଟାଣିଧରି ୬୪ ହସ୍ତ ମାପିବେ । ଏହାପରେ ସେହି ୬୪ ହସ୍ତ ଦୈର୍ଘ୍ୟକୁ ସମାନ ଦୁଇ ଭାଗରେ ବିଭାଜିତ କରିବ । ପଛଭାଗର ଅଧା ଅଂଶକୁ ପୁଣି ଦୁଇ ଭାଗ କରିବ । ସେହି ଦୁଇ ଭାଗରୁ ସମ୍ମୁଖ ଭାଗକୁ ରଙ୍ଗଶୀର୍ଷ ଏବଂ ପଶ୍ଚାତ୍ ଭାଗଟିକୁ ନେପଥ୍ୟ ପାଇଁ ଚିହ୍ନଟ କରିବ । ଏହାପରେ ମଣ୍ଡପର ପ୍ରଥମାର୍ଦ୍ଧରେ ବା ପ୍ରେକ୍ଷାଗୃହ ସ୍ଥାନରେ ଚାରିଦିଗରେ ଚାରୋଟି ସ୍ତମ୍ବ ଯଥାକ୍ରମେ ବ୍ରାହ୍ମଣ, ବୈଶ୍ୟ, କ୍ଷତ୍ରିୟ ଏବଂ ଶୁଦ୍ର ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସ୍ତମ୍ବ ନିର୍ମାଣ କରିବ । ରୋହିଣୀ ଏବଂ ଶ୍ରବଣା ନକ୍ଷତ୍ରଠାରୁ ଏହି ସ୍ତମ୍ବ ନିର୍ମାଣ କାର୍ଯ୍ୟ ତିନିଦିନ ଓ ତିନିରାତି ଉପବାସ ତଥା ନିଷ୍ଠାରେ ରହିଥିବା ଆଚାର୍ଯ୍ୟଙ୍କ ଦ୍ୱାରା ସମ୍ପାଦିତ ହେବ । ସ୍ତମ୍ବ ନିର୍ମାଣ ସମୟରେ ମଧ୍ୟ ବ୍ରାହ୍ମଣ, ବୈଶ୍ୟ, କ୍ଷତ୍ରିୟ ଏବଂ ଶୁଦ୍ର ଚିହ୍ନିତ ସ୍ତମ୍ବ ମାନଙ୍କ ମୂଳରେ ଯଥାକ୍ରମେ ସୁନା, ତମ୍ବା, ରୂପା ଓ ଲୁହା ଦାନ ଉଦ୍ଦେଶ୍ୟରେ ପୋତିବା ସହ ବ୍ରାହ୍ମଣ ମାନଙ୍କୁ ଗୋଦାନ, ଅନ୍ନଦାନ ଏବଂ ବସ୍ତ୍ରଦାନ ଦ୍ୱାରା ସନ୍ତୁଷ୍ଟ କରିବା ଉଚିତ । ଏହାପରେ ରଙ୍ଗପୀଠ ଓ ରଙ୍ଗଶୀର୍ଷ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ । ସାଧାରଣତଃ ସମୁଦାୟ ନାଟ୍ୟମଣ୍ଡପକୁ ସମାନ ଦୁଇ ଭାଗରେ ବିଭକ୍ତ କରି ଅଧାକୁ ମଣ୍ଡପ ଏବଂ ଆର ଅଧାକୁ ପ୍ରେକ୍ଷାଗୃହ ଭାବରେ ନିର୍ମାଣ କରିବାକୁ ଭରତ ନିର୍ଦେଶ ପ୍ରଦାନ କରିଛନ୍ତି । ସରଳ ଭାବରେ କହିବାକୁ ଗଲେ ଭରତ ପୁରା ନାଟ୍ୟଗୃହକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି ଯଥା ୧. ରଙ୍ଗଭୂମି ୨. ନେପଥ୍ୟ । ପୁଣି ସେହି ରଙ୍ଗଭୂମିକୁ ସମାନ ଦୁଇ ଭାଗରେ ବିଭକ୍ତ କରି ସମ୍ମୁଖ ଭାଗ ଅର୍ଥାତ୍ ପ୍ରେକ୍ଷାଗୃହକୁ ଲାଗିଥିବା ଭାଗଟିକୁ ରଙ୍ଗପୀଠ ଏବଂ ନେପଥ୍ୟ ଭାଗକୁ ଲାଗିଥିବା ଭାଗଟିକୁ ରଙ୍ଗଶୀର୍ଷ ଭାବରେ ବର୍ଣ୍ଣନା କରିଛନ୍ତି । ପୁଣି ରଙ୍ଗପୀଠର ଉଭୟ ପାଶ୍ୱର୍ରେ ଦେଢ଼ହସ୍ତ ଉଚ୍ଚତା ବିଶିଷ୍ଟ ଚାରିଗୋଟି ସ୍ତମ୍ବକୁ ବର୍ଗଚିତ୍ରର ଚାରୋଟି କୋଣଭଳି ଗଠନ କରି ମତ୍ତବାରଣି ନିର୍ମାଣ କରିବାକୁ ନର୍ଦ୍ଦେଶ କରିଛନ୍ତି । ଏହି ମତ୍ତବାରଣିକୁ ଘୃତ, ଚନ୍ଦନ ଏବଂ ପୁଷ୍ପ ଆଦି ନାନା ଦ୍ରବ୍ୟ ସହ ଭୂତମାନଙ୍କୁ ପୂଜା କରିବାର ବିଧି ମଧ୍ୟ ବର୍ଣ୍ଣନା କରିଛନ୍ତି । ତତ୍‌ସହିତ ବ୍ରାହ୍ମଣମାନଙ୍କୁ ଶାକର ଭୋଜନ ଦ୍ୱାରା ମଧ୍ୟ ସନ୍ତୁଷ୍ଟ କରିବାକୁ ନିର୍ଦ୍ଦେର୍ଶ ଦେଇଛନ୍ତି । ତତ୍‌ପରେ ନିର୍ଦ୍ଧାରିତ ନୀତିନିୟମ ଅନୂସାରେ ରଙ୍ଗପୀଠ ପ୍ରସ୍ତୁତ କରାଯାଏ । ରଙ୍ଗପୀଠରେ ବିଶେଷକରି ଛ ଗୋଟି ଶ୍ରେଣୀ ବା କାଷ୍ଠ ରଖାଯାଇଥାଏ । ଏହାକୁ ଷଢ଼ଦାରୁକ କୁହାଯାଏ । ଏହି ଷଢ଼ଦାରୁକର କାର୍ଯ୍ୟ ହେଲା ନାଟକରେ ଅଭିନୟ କରାଯାଉଥିବା ଦୃଶ୍ୟର ଏକ ଚିତ୍ର ସେଠାରେ ଲଗାଯିବ । ଯାହା ନାଟକର ଅଭିନୀତ ଦୃଶ୍ୟ ସମ୍ବନ୍ଧରେ ଦର୍ଶକ ମାନଙ୍କୁ ସୂଚନା ପ୍ରଦାନ କରିବ । ପୁଣି ସେହି ରଙ୍ଗପୀଠର ଉଭୟ ପାଶ୍ୱର୍ରେ ନେପଥ୍ୟ ଗୃହ ପ୍ରତି ପ୍ରବେଶ ପ୍ରସ୍ଥାନ ନିମନ୍ତେ ଦୁଇଗୋଟି ଦ୍ୱାର ରହିବା ବିଧେୟ । ନାଟ୍ୟମଣ୍ଡପ ମଧ୍ୟ ପର୍ବତଗୁହାକାର ହେବା ସହ ଦ୍ୱିଭୂୂମି ବିଶିଷ୍ଟ ହେବ । ତତ୍‌ସହିତ ମଣ୍ଡପ ନିର୍ମାଣ କାର୍ଯ୍ୟକୁ ଏଭଳି ସମ୍ପାଦିତ କରିବାକୁ ପଡିବ ଯେପରିକି ତା ମଧ୍ୟକୁ ପବନ ଚଳାଚଳ କମ୍ ହେବ, କାରଣ ଅତ୍ୟଧିକ ପବନ ଚଳାଚଳ ଦ୍ୱାରା ନାଟ୍ୟପରିବେଷଣ ସମୟରେ ଉଚ୍ଚାରିତ ଶବ୍ଦ ବା ବାଦ୍ୟଧ୍ୱନି ସ୍ପଷ୍ଟ ଭାବରେ ଶୁଣାଯିବ ନାହିଁ । ଏହାପରେ କାନ୍ଥ କାମ ସାରି ଲେପ ପ୍ରଦାନ କରାଯିବ । ଏହି ବର୍ଣ୍ଣିତ ବିଧି ଅନୂସାରେ ନାଟ୍ୟପ୍ରଯୋକ୍ତାମାନେ ବିକୃଷ୍ଟ ମଣ୍ଡପର ନିର୍ମାଣ କାର୍ଯ୍ୟ କରିବା ବିଧେୟ । ଏହାପରେ ଚତୁରସ୍ର ନାଟ୍ୟ ମଣ୍ଡପ ନିର୍ମାଣ ବେଳେ ମଧ୍ୟ ନାଟ୍ୟଜ୍ଞ ମାନେ ଶୁଦ୍ଧଭୂମି ଚୟନ କରି ତାକୁ ପୂର୍ବୋକ୍ତ ବିଧିରେ ୩୨ ହସ୍ତ ଦୈର୍ଘ୍ୟ ଓ ପ୍ରସ୍ଥ ବିଶିଷ୍ଟ କରି ନିର୍ମାଣ କରିବା ସହ ବାହ୍ୟକାର୍ଯ୍ୟ ସମାପ୍ତ କରି ଏହାର ଭିତର ପାଶ୍ୱର୍ରେ ରଙ୍ଗପୀଠ ନିର୍ମାଣ କରିବ । ଏହି ରଙ୍ଗପୀଠକୁ ୧୦ଟି ସ୍ତମ୍ବଯୁକ୍ତ କରିବ । ସ୍ତମ୍ବ ଗୁଡିକର ବାହାର ପଟରେ ଇଟା ଏବଂ କାଠ ସହାୟତାରେ ପାବଚ୍ଛାକାର ପୀଠକ ନିର୍ମାଣ କରାଯିବ । ଏଠାରେ ଦର୍ଶକ ମାନେ ବସିବେ । ଏହି ପୀଠକ ଗୁଡିକ ଏଭଳି ନିର୍ମିତ ହେବା ଆବଶ୍ୟକ ଯେପରିକି ଦର୍ଶକମାନେ ରଙ୍ଗପୀଠର ଅଭିନୟକୁ ସୁବିଧାରେ ଦେଖିପାରିବେ । ମଣ୍ଡପକୁ ଧରି ରଖିବା ପାଇଁ ଏହାଉପରେ ଆଉ ଅଧିକ ଛ ଗୋଟି ସ୍ତମ୍ବ ବିଭିନ୍ନ ଦିଗରେ ନିର୍ମାଣ କରି ସେମାନଙ୍କ ଉପରିଭାଗରେ ପୁଣି ଆଉ ଆଠଗୋଟି ସ୍ତମ୍ବ ନିର୍ମାଣ କରିବ । ସେଗୁଡିକ କାଠ ଦ୍ୱାରା ଆଚ୍ଛାଦିତ ହେବା ସହ ସେଥିରେ ବିଭିନ୍ନ ପ୍ରକାରର କାଠ କଣ୍ଢେଇମାନ ସ୍ଥାପନ କରିବ ।

ଏହାପରେ ନେପଥ୍ୟ ଗୃହର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବ । ଏହି ନେପଥ୍ୟ ଗୃହ ମଧ୍ୟରୁ ରଙ୍ଗଶୀର୍ଷ ଆଡକୁ ଏକ ଦ୍ୱାର ରହିବ । ନେପଥ୍ୟର ସମ୍ମୁଖ ପାଶ୍ୱର୍ରୁ ଦର୍ଶକ ମାନଙ୍କ ପାଇଁ ପ୍ରବେଶ ଦ୍ୱାର ରହିବ । ଏହାର ଦୈର୍ଘ୍ୟ ଓ ପ୍ରସ୍ଥ ଆଠ ହାତ ହେବା ବିଧେୟ । ବିକୃଷ୍ଟ ନାଟ୍ୟମଣ୍ଡପ ନିର୍ମାଣ ଶୈଳୀରେ ଅନ୍ୟାନ୍ୟ ସମସ୍ତ ନିର୍ମାଣ କାର୍ଯ୍ୟ ମଧ୍ୟ ଯଥାବିଧି ଅନୂସାରେ କରାଯିବା ଉଚିତ ।

ଠିକ୍ ସେହିପରି ତ୍ରସ୍ର ବା ତ୍ରିକୋଣାକାର ନାଟ୍ୟମଣ୍ଡପର ମଧ୍ୟ ଭାଗରେ ଏକ ତ୍ରିକୋଣାକାର ରଙ୍ଗପୀଠ ରହିବା ସହ ଏହାର ସମ୍ମୁଖ ଏବଂ ପଶ୍ଚାତରେ ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ଦ୍ୱାରମାନ ରହିବ । ଏହାସହିତ ନାଟ୍ୟଗୃହ ନିର୍ମାଣରେ ଅନ୍ୟାନ୍ୟ ସମସ୍ତ ନୀତି ନିୟମ ପାଳିତ ହେବ ।

ତୃତିୟ ଅଧ୍ୟାୟ

ମଞ୍ଚପୂଜନ

ସମସ୍ତ ଲକ୍ଷଣଯୁକ୍ତ ନାଟ୍ୟଗୃହ ନିର୍ମିତ ହୋଇସାରିଲା ପରେ ତହିିଁରେ ସାତଦିନ ପର୍ଯ୍ୟନ୍ତ ବ୍ରାହ୍ମଣ ମାନଙ୍କୁ ଜପ କାର୍ଯ୍ୟରେ ନିଯୁକ୍ତ କରିବା ସହ ସେଠାରେ ଗାଈ ଗୋରୁ ବାନ୍ଧିବା ଆବଶ୍ୟକ । ବ୍ରାହ୍ମଣଙ୍କ ଦ୍ୱାରା ମନ୍ତ୍ରିତ ଜଳସେଚନ ଦ୍ୱାରା ନିଜକୁ ତଥା ରଙ୍ଗପୀଠକୁ ପବିତ୍ର କରି ସେଠାରେ ସନ୍ଧ୍ୟାରେ ଅଧିବାସ କାର୍ଯ୍ୟ ଆରମ୍ଭ କରିବା ଆବଶ୍ୟକ । ଏହାପରେ ନାଟ୍ୟାଚାର୍ଯ୍ୟ ସେଠାରେ ତିନିରାତ୍ରି ପର୍ଯ୍ୟନ୍ତ ଉପବାସ ବ୍ରତ ଅବଲମ୍ବନ ପୂର୍ବକ ଶୃଙ୍ଖଳିତ ଏବଂ ସଂଯମଶୀଳ ଜୀବନ ଯାପନ କରିବା ସହ ଅଖଣ୍ଡିତ ବସ୍ତ୍ର ପରିଧାନ କରି ଯଥାସ୍ଥାନରେ ଅଧିବାସ କରିବେ । ତତ୍ପରେ ସମସ୍ତ ଦେବତା ଯଥା :- ଶିବ, ବ୍ରହ୍ମା, ବିଷ୍ଣୁ, ବୃହସ୍ପତି, ଇନ୍ଦ୍ର, ସରସ୍ୱତୀ, ଲକ୍ଷ୍ମୀ, ସିଦ୍ଧୀ, ମେଧା, ଧୃତୀ, ମତୀ, ସୂର୍ଯ୍ୟ, ମରୁତ, ଲୋକପାଳ, ଅଶ୍ୱିନୀ, ମିତ୍ର, ଅଗ୍ନି, ସ୍ୱର, ବର୍ଣ୍ଣ, ରୁଦ୍ର, କାଳ, କଳି, ମୃତ୍ୟୁ, ନିୟତି, କାଳଦଣ୍ଡ, ବିଷ୍ଣୁଙ୍କ ଆୟୁଧ, ନାଗରାଜ, ଖଗେଶ୍ୱର, ବଜ୍ର, ବିଦ୍ୟୁତ, ସମୁଦ୍ର, ଗନ୍ଧର୍ବ, ଅପ୍ସରା, ମୁନି, ଭୂତ, ପିଶାଚ, ଯକ୍ଷ, ଗୁହ୍ୟକ, ମହୋରଗ, ଅସୂର, ଦୈତ୍ୟ, ରାକ୍ଷସ ତଥା ରାଜର୍ଷି ମାନଙ୍କ ଉଦ୍ଦେଶ୍ୟରେ କୃତାଞ୍ଜଳୀ ପ୍ରଦାନ ପୂର୍ବକ ପ୍ରଣାମ କରିବା ଉଚିତ । ସେମାନଙ୍କୁ ଯଥା ସ୍ଥାନରେ ଅବସ୍ଥାନ କରାଇ ନାଟ୍ୟକାର୍ଯ୍ୟରେ ସହାୟତା କରିବା ନିମନ୍ତେ ଅନୂରୋଧ ପୂର୍ବକ ବିନମ୍ର ପ୍ରାର୍ଥନା କରଯିବା ଉଚିତ । ଏହି ସମୟରେ ବାଦ୍ୟ ପରିବେଷଣ ପୂର୍ବକ ନାଟ୍ୟର ନିର୍ବିଘ୍ନ ପରିବେଷଣ ନିମନ୍ତେ ଜର୍ଜରକୁ ପୂଜା କରିବା ସହ ପ୍ରାର୍ଥନା କରି କହିବେ “ହେ, ଜର୍ଜର ତୁମ୍ଭେ ଦେବରାଜ ଇନ୍ଦ୍ରଙ୍କ ଆୟୁଧ, ସର୍ବଦାନବ ବିନାଶକ ଏବଂ ସର୍ବ ବିଘ୍ନ ନିବାରକ ଅଟ । ତୁମ୍ଭେ ରାଜାଙ୍କର ବିଜୟ ଏବଂ ଶତ୍ର୍ରୁ ମାନଙ୍କର ପରାଜୟର କାରଣ, ଗୋବ୍ରାହ୍ମଣମାନଙ୍କର ହିତ ମଧ୍ୟ୍ୟ । ତେଣୁ ତୁମ୍ଭର ଶକ୍ତି ବଳରେ ନାଟକର ନିର୍ବିଘ୍ନ ପରିବେଷଣ ସହ ସଫଳତା ପ୍ରଦାନ ନିମନ୍ତେ ଆଶୀର୍ବାଦ ପ୍ରଦାନ କର ।” ଏହିପରି ଭାବରେ ପୂଜନ କାର୍ଯ୍ୟ ସମ୍ପାଦନ କରି ପ୍ରଯୋଜକ ନାଟ୍ୟମଣ୍ଡପରେ ରାତ୍ରିଯାପନ କରିବେ ଏବଂ ତାପରଦିନ ସକାଳୁ ପୁନଶ୍ଚ ପୂଜନ କାର୍ଯ୍ୟକ୍ରମ ଆରମ୍ଭ କରିବ । ଏହି ପୂଜା ସାଧାରଣତଃ ଆଦ୍ରା, ମଘା, ଯାମ୍ୟ, ପୂର୍ବାଷାଢ଼ା, ପୂର୍ବା ଫାଲ୍‌ଗୁନି, ପୂର୍ବଭାଦ୍ର, ଅଶ୍ଲେଷା, ମୂଳା ଆଦି ନକ୍ଷତ୍ର ବେଳାରେ ସମ୍ଫାଦିତ କରିବା ବିଧେୟ ଅଟେ । ଏହି କାର୍ଯ୍ୟରେ ଯେଉଁ ବ୍ୟକ୍ତି ଆଚାର୍ଯ୍ୟର କାର୍ଯ୍ୟଭାର ବହନ କରିବେ ସେ ପବିତ୍ର, ଦୀକ୍ଷିତ, ଶୃଙ୍ଖଳିତ ତଥା ନିଷ୍ଠାବାନ୍ ହୋଇଥିବା ଆବଶ୍ୟକ ।

ଦିନାନ୍ତେ ଦାରୁଣେ ଘୋରେ ମୁହୁର୍ତ୍ତେ ଭୂତଦୈବତେ

ଆଚମ୍ୟ ତୁ ଯଥାନ୍ୟାୟଂ ଦୈବତାନି ନିବେଶୟେତ୍ ।ା

ଦିବସର ଶେଷ ପର୍ଯାୟରେ ଅର୍ଥାତ୍ ଦାରୁଣ, ଘୋର ଏବଂ ଭୂତ ମାନଙ୍କ ଚରାଚର ସମୟରେ ଆଚମନ ଆଦି ଯଥାରୀତି ପାଳନ ପୂର୍ବକ ଦେବତା ମାନଙ୍କୁ ଆବାହନ କରି ପୂଜନ କରିବା ଉଚିତ । ଏହି ପୂଜାରେ ଦେବତା ମାନଙ୍କୁ ସାଧାରଣତଃ ରକ୍ତ ବର୍ଣ୍ଣର ମାଳା, ରକ୍ତ ବର୍ଣ୍ଣର ପୁଷ୍ପ, ରକ୍ତ ଚନ୍ଦନ, ରକ୍ତ ବର୍ଣ୍ଣର ଫଳ, ଯବ, ସୋରିଷ, ଚାଉଳ, ନାଗେଶ୍ୱର ପୁଷ୍ପର ଚୂର୍ଣ୍ଣ ବା କେଶର ଆଦି ଦ୍ରବ୍ୟମାନଙ୍କର ପ୍ରୟୋଗ ପୂର୍ବକ ଦେବତାମାନଙ୍କର ନିବେଶନ କରିବ । ତତ୍ପରେ ଯଥାସ୍ଥାନରେ ଯଥାବିଧି ଅବଲମ୍ବନ କରି ମଣ୍ଡଳ ରଚନା କରିବ । ଏହାର ଚାରିଦିଗରେ ଚାରୋଟି ଦ୍ୱାର ରହିବ । ଏହାର ପ୍ରତିପାଶ୍ୱର୍ର ମାପ ଚାରି ହସ୍ତ ଲେଖାଏଁ ହେବ । ଏହାର ମଧ୍ୟରେ ଦୁଇଟି ରେଖା ଉର୍ଦ୍ଧ୍ୱଗାମି ହୋଇ କଟାଯିବ । ଯାହାର ମଧ୍ୟ ଭାଗରେ ବା ନବମ ବର୍ଗରେ ଦେବତା ମାନଙ୍କୁ ରଖାଯିବ ।

ପଦ୍ମୋପବିଷ୍ଟ ବ୍ରହ୍ମାଣାଂ ତସ୍ୟ ମଧ୍ୟେ ନିବେଶୟେତ୍‌

ଆଦୌ ନିବେଶ୍ୟୋ ଭଗବାନ୍ ସାର୍ଦ୍ଧଂ ଭୂତଗଣୈଃ ଶିବଃ ।ା

ନାରାୟଣୋ ମହେନ୍ଦ୍ରଶ୍ଚ ସ୍କନ୍ଦାର୍କାବଶ୍ୱିନୌ ଶଶୀ

ସରସ୍ୱତୀଶ୍ଚ ଲକ୍ଷ୍ମୀଶ୍ଚ ଶ୍ରଦ୍ଧା ମେଧା ଚ ପୂର୍ବତଃ ।ା

ପୂର୍ବଦକ୍ଷିଣେ ବହ୍ନିର୍ନିବେଶ୍ୟଃ ସ୍ପାହୟା ସହ

ବିଶ୍ୱେଦେବାଶ୍ଚ ଗନ୍ଧର୍ବା ରୁଦ୍ରାଶ୍ଚ ୠଷୟସ୍ତଥା ।ା

ଦକ୍ଷିଣେନ ନିବେଶ୍ୟସ୍ତୁ ଯମୋ ମିତ୍ରଶ୍ଚ ସାନୁଗଃ

ପିତୃନ୍ ପିଶାଚାନୁରଗାନ୍ ଗୁହ୍ୟକାଂଶ୍ଚ ନିବେଶୟେତ୍ ।ା

ପଶ୍ଚିମାୟାଂ ସମୁଦ୍ରାଂଶ୍ଚ ବରୁଣଂ ଚ ନିବେଶୟେତ୍

ନିବେଶଶେୟଚ୍ଚ ତତ୍ରେବ ଗରୁଡ଼ଃ ପକ୍ଷିଭିଃ ସହ ।ା

ଉତ୍ତରାସ୍ୟାଂ କୁବେରଂ ଚ ସର୍ବୈରନୁଚରୈଃ ସହ

ନାଟ୍ୟସ୍ୟ ମାତୃଶ୍ଚ ତଥା ଯକ୍ଷାନଥ ଚ ଗୁହ୍ୟକାନ୍ ।ା

ତଥୈବୋତ୍ତରପୂର୍ବାସ୍ୟାଂ ନନ୍ଦିନଂ ଚ ଗଣେଶ୍ୱରାନ୍

ବ୍ରହ୍ମର୍ଷିଭୂତସଂଘାଂଶ୍ଚ ଯଥାଭାଗଂ ନିବେଶୟେତ୍ ।ା

ସ୍ତମ୍ଭେ ସନତ୍ କୁମାରଂ ତୁ ଦକ୍ଷିଣେ ଦକ୍ଷମେବଚ

ଗ୍ରାମଣ୍ୟଂ ଚୋତ୍ତରେ ସ୍ତମ୍ଭେ ସ୍ୱଜାର୍ଥଂ ବିନିବେଶୟେତ୍ ।ା

ଏହାର ମଧ୍ୟଭାଗରେ ପଦ୍ମାସୀନ ବ୍ରହ୍ମାଙ୍କୁ ସ୍ଥାପନା କରିବା ଆବଶ୍ୟକ । ପ୍ରଥମେ ଭୂତଗଣ, ଶିବ, ନାରାୟଣ, ମହେନ୍ଦ୍ର, ସ୍କନ୍ଦ, ଅର୍କ ବା ସୂର୍ଯ୍ୟ, ଅଶ୍ୱିନି, ଚନ୍ଦ୍ର, ସରସ୍ୱତୀ, ଲକ୍ଷ୍ମୀ, ଶ୍ରଦ୍ଧା, ମେଧା ଆଦି ଦେବାଦେବୀଙ୍କୁ ପୂର୍ବରେ ନିବେଶ କରିବା ବିଧେୟ ଅଟେ । ପୂର୍ବଦକ୍ଷିଣ କୋଣରେ ଅଗ୍ନି, ସ୍ୱାହା, ବିଶ୍ୱଦେବ, ଗନ୍ଧର୍ବ, ରୁଦ୍ର, ୠଷି ଆଦି ଦେବତାଙ୍କୁ ନିବେଶ କରିବା ଉଚିତ । ଠିକ୍ ସେହିପରି ଦକ୍ଷିଣ ଦିଗରେ ଯମ, ମିତ୍ର, ସେମାନଙ୍କ ଅନୂଚର, ପିତୃଦେବତା, ପିଶାଚ ଏବଂ ଗୁହ୍ୟକ ଆଦି ଦେବତାଙ୍କୁ ନିବେଶ କରିବା ବିଧେୟ ଅଟେ । ନୈଋତ କୋଣରେ କୋଣରେ ନିୠତଙ୍କୁ, ଭୂତଗଣଙ୍କୁ ନିବେଶ କରିବା ବିଧେୟ । ବାୟବ୍ୟ କୋଣରେ ବାୟୁ ତଥା ଗରୁଡ଼ ପକ୍ଷୀଙ୍କୁ ନିବେଶ କରିବା ଉଚିତ । ଉତ୍ତରରେ କୂବେର ଏବଂ ତାଙ୍କର ଅନୁଚର ମାନଙ୍କୁ ନିବେଶ କରିବ । ଠିକ୍ ସେହିପରି ଉତ୍ତରପୂର୍ବ ଦିଗରେ ନାଟକର ମାତୃଦେବୀ ଅର୍ଥାତ୍ (ଶଚୀ), ଯକ୍ଷ, ଗୁହ୍ୟକ, ନନ୍ଦୀ, ଗଣେଶ୍ୱର, ବ୍ରହ୍ମର୍ଷି ତଥା ଭୂତଗଣଙ୍କୁ ନିବେଶ କରିବା ବିଧେୟ ଅଟେ । ପରିଶେଷରେ ସ୍ତମ୍ଭରେ ସନତ୍ କୁମାର, ଦକ୍ଷଙ୍କୁ ଦକ୍ଷିଣରେ ଏବଂ ଉତ୍ତର ସ୍ତମ୍ଭରେ ଗ୍ରାମଣୀଙ୍କୁ ସ୍ଥାପନ କରି ପୂଜାକାର୍ଯ୍ୟ କରାଯିବା ଉଚିତ୍ ଅଟେ । ସେମାନଙ୍କୁ ଯଥା ସ୍ଥାନରେ ସ୍ଥାପନ କରି ସେମାନଙ୍କର ଆକାର ଓ ରଙ୍ଗ ଅନୁସାରେ ଉପଯୁକ୍ତ ପୁଷ୍ପ, ମାଲ୍ୟ, ଧୁପ, ଦୀପ, ପ୍ରଦାନ ପୂର୍ବକ ନୈବେଦ୍ୟ ବା ପୂଜା କରାଯିବା ଉଚିତ । ଦ୍ର୍ରୁହିତା ବା ବ୍ରହ୍ମାଙ୍କୁ ମଧୁପର୍କ, ମା ସରସ୍ୱତୀଙ୍କୁ ପାୟସ, ଶିବ, ବିଷ୍ଣୁ ଓ ଇନ୍ଦ୍ରଙ୍କୁ ମୋଦକ, ହୁତ୍‌ଭୁକ୍ ବା ଅଗ୍ନିଙ୍କୁ ଘୃତୋଦନ ବା ଘିଅଭାତ, ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ଗୁଡ଼ଭାତ, ବିଶ୍ୱଦେବ, ଗନ୍ଧର୍ବ ତଥା ମୁନିମାନଙ୍କୁ ମଧୁପାୟସ, ଯମ ଏବଂ ମିତ୍ରଙ୍କୁ ମୋଦକ ପିଠା, ପିତୃଲୋକ, ପିଶାଚ ଏବଂ ଉରଗ ମାନଙ୍କୁ ଦୁଗ୍ଧ ଏବଂ ଘୃତ, ଭୂତମାନଙ୍କୁ ରନ୍ଧା ଓ କଞ୍ଚାମାଂସ ସହିତ ମଦ ଏବଂ ତତ୍‌ସହିତ ବିଭିନ୍ନ ଫଳ ଏବଂ ଚଣା, ବୁଟ ଆଦି ଖାଦ୍ୟ ପଦାର୍ଥ ପ୍ରଦାନ କରିବ । ମତ୍ତବାରଣୀକୁ ମଧ୍ୟ ଏହି ଭଳି ଅନୂରୁପ ବିଧିରେ ପୂଜା କରିବା ବିଧେୟ । ରାକ୍ଷସ ମାନଙ୍କୁ କଞ୍ଚା ଏବଂ ରନ୍ଧାମାଂସ, ଦାନବ ମାନଙ୍କୁ ମଦ ଓ ମାଂସ, ଅନ୍ୟାନ୍ୟ ଦେବତା ମାନଙ୍କୁ ପିଠା ସହ ଭାତ, ତରକାରି, ନୈବେଦ୍ୟ ବାଢି଼ ପୂଜା କରିବ । ସାଗର, ସରିତ ବା ନଦୀକୁ ମାଛ ଏବଂ ପିଠା, ବରୁଣଙ୍କୁ ଘୃତ ଓ ପାୟସ, ମୁନି ମାନଙ୍କୁ ବହୁବିଧ ଫଳମୂଳ, ବାୟୁ ତଥା ପକ୍ଷୀ ମାନଙ୍କୁ ନାନାପ୍ରକାର ଭକ୍ଷଣିୟ ଖାଦ୍ୟପଦାର୍ଥ ପ୍ରଦାନ କରିବ । ନାଟକର ମାତୃଦେବତାମାନଙ୍କୁ କୁବେର ଏବଂ ତାଙ୍କର ସହଚର ମାନଙ୍କୁ ପିଠା ତଥା ନାନା ଖାଦ୍ୟପଦାର୍ଥ ଯାଚି ପୂଜାର୍ଚ୍ଚନା କରିବ । ଏହାପରେ ମନ୍ତ୍ରୋଚ୍ଚାରଣ ପୂର୍ବକ ସମସ୍ତ ଦେବତାମାନଙ୍କୁ ବ୍ରହ୍ମା, ମହାଦେବ, ନାରାୟଣ, ଇନ୍ଦ୍ର, ସ୍କନ୍ଦ, ସରସ୍ୱତୀ, ଲକ୍ଷ୍ମୀ, ସିଦ୍ଧୀ, ମତି, ଧ୍ର୍ରୁତି, ଗଣ, ପିତୃଲୋକ, ଭୂତଲୋକ, କାମପାଳ, ନାରଦ, ଟୁମ୍ବୁରୁ, ବିଶ୍ୱାବସୁ, ଗନ୍ଧର୍ବ, ଯମ, ମିତ୍ର, ପନ୍ନଗ, ବରୁଣ, ସାଗର, ନଦ,ନଦୀ, ଗରୁଡ଼, କୁବେର, ଗୁହ୍ୟକ, ଯକ୍ଷ, ନାଟ୍ୟମାତୃଗଣ,ରୁଦ୍ରଙ୍କ ଆୟୁଧ, କାଳ, ମୃତ୍ୟୁ ଆଦି ସମସ୍ତ ଦେବତା ମାନଙ୍କୁ ବଳି ପ୍ରଦାନ କରାଯିବା ବିଧେୟ ଅଟେ ।

ଦେବ ଦେବ ମହାଦେବ ପଦ୍ମଯୋନେ ପିତାମହ

ମନ୍ତ୍ରପୂତଂ ମିମଂ ସର୍ବଂ ବଳିଂ ଦେବ ଗୃହତାନିଃ ।ା

ଉପରବର୍ଣ୍ଣିତ ମନ୍ତ୍ର୍ରକୁ ଉଚ୍ଚାରଣ କରି ସେମାନଙ୍କ ଉଦ୍ଦେଶ୍ୟରେ ବଳି ପ୍ରଦାନ ପୂର୍ବକ ସେମାନଙ୍କୁ ନିର୍ବିଘ୍ନ ନାଟ୍ୟପରିବେଷଣ ନିମନ୍ତେ ଆଶିର୍ବାଦ ପ୍ରଦାନ କରିବାକୁ ପ୍ରାର୍ଥନା କରିଥାନ୍ତି । ବଳିପ୍ରଦାନ କାର୍ଯ୍ୟ ସଂପାଦିତ ହୋଇସାରିବା ପରେ ଏକ ଜଳପୁର୍ଣ୍ଣ ସଜ୍ଜିତ ମାଠିଆକୁ ଆମ୍ବପତ୍ରର ମାଳା ପିନ୍ଧାଇ ସେଥିମଧ୍ୟରେ ସୁବର୍ଣ୍ଣ ରଖି ରଙ୍ଗ ମଧ୍ୟରେ ସ୍ଥାପନ କରାଯିବା ଉଚିତ । ସମସ୍ତ ପ୍ରକାର ବାଦ୍ୟଯନ୍ତ୍ରକୁ ବସ୍ତ୍ର୍ରଦ୍ୱାରା ଆଚ୍ଛାଦିତ କରି ପୁଷ୍ପ, ଧୁପ, ଗନ୍ଧ, ମାଲ୍ୟ, ଭକ୍ଷଣିୟ ତଥା ଭୋଜନୟ ଦ୍ରବ୍ୟ ପ୍ରଦାନ ପୂର୍ବକ ସମସ୍ତ ଦେବତାଙ୍କୁ ପୂଜା କରିସାରିବା ପରେ ଧୁପ ଓ ମାଲ୍ୟ ଅନୂଲେପନ ପ୍ରଦାନ କରି ନାଟକର ସମସ୍ତ ବିଘ୍ନ ବିନାଶ କରିବା ନିମନ୍ତେ ଜର୍ଜର ସ୍ଥାପିତ ହେବା ଆବଶ୍ୟକ । ଏହି ଜର୍ଜରକୁ ସର୍ବାଗ୍ରରେ ଶ୍ୱେତ ବସ୍ତ୍ର, ରୁଦ୍ର ବାସ କରୁଥିବା ସ୍ଥାନରେ ନୀଳ ବସ୍ତ୍ର, ବିଷ୍ଣୁ ବାସ କରୁଥିବା ସ୍ଥାନରେ ହଳଦିଆ ବସ୍ତ୍ର୍ର, ସ୍କନ୍ଦ ବାସ କରୁଥିବା ସ୍ଥାନରେ ରକ୍ତବର୍ଣ୍ଣର ବସ୍ତ୍ର, ମୂଳ ସ୍ଥାନରେ ଛିଟ ବସ୍ତ୍ର ଦ୍ୱାରା ଆଛାଦିତ କରିବା ବିଧେୟ ଅଟେ ।

“ଶ୍ୱେତଂ ଶିରସି ବସ୍ତ୍ର୍ରଂ ସ୍ୟାନ୍ନୀଳଂ ରୌଦ୍ରେଥପର୍ବଣି

ବିଷ୍ଣୁ ପର୍ବଣି ପୀତଂ ସ୍ୟାଦ୍ରକ୍ତଂ ସ୍କନ୍ଦସ୍ୟ ପର୍ବଣି ।ା

ମୂଳପର୍ବଣି ଚି଼ତ୍ରଂତୁ ଦେୟଂ ବସ୍ତ୍ର ହିତାର୍ଥିନା”

ଏହାପରେ ସମସ୍ତଙ୍କୁ ବସ୍ତ୍ରାଭରଣ କରି ଗନ୍ଧ, ମାଲ୍ୟ, ଧୁପ, ଦୀପ, ଭୋଜନ ପ୍ରଦାନ ପୂର୍ବକ ନିମ୍ନ ବର୍ଣ୍ଣିତ ମନ୍ତ୍ରୋଚ୍ଚାରଣ ପୂର୍ବକ ପ୍ରାର୍ଥନା କରାଯାଏ ।

“ ଶିରସ୍ତେ ରକ୍ଷତୁ ବ୍ରହ୍ମା ସର୍ବଦେବ ଗଣୈଃ ସହ

ଦ୍ୱିତିୟଂ ଚ ହରଃ ସର୍ବଂ ତୃତିୟଂ ତୁ ଜନାର୍ଦ୍ଦନଃ ।ା

ଚତୁର୍ଥଂ ଚ କୁମାରସ୍ତୁ ପଞ୍ଚମଂ ପନ୍ନଗୋତ୍ତମାଃ

ନିତ୍ୟଂ ସର୍ବୋପି ପାନ୍ତୁ ତ୍ୱଂ ଚ ପ୍ରସୂତୋ ରିପୁସୂଦନଃ ।ା

ଅୟଂ ଚାଭ୍ୟୁଦୟଂ ଚୈ଼ବ ପାର୍ଥିବାୟ ପ୍ରୟଛନ୍ନଃ”

ଅର୍ଥାତ୍ ହେ ଜର୍ଜର, ତୁମର ଜର୍ଜରର ଶୀର୍ଷ ଭାଗକୁ ବ୍ରହ୍ମା ସମସ୍ତ ଦେବତା ରକ୍ଷା କରନ୍ତୁ । ତୁମର ଦ୍ୱିତିୟ ଭାଗକୁ ହର ବା ଶିବ, ତୃତିୟ ଭାଗକୁ ଜନାର୍ଦ୍ଦନ ବା ବିଷ୍ଣୁ, ଚତୁର୍ଥ ଭାଗକୁ କୁମାର ବା କାର୍ତ୍ତିର୍କେୟ, ପଞ୍ଚମ ଭାଗକୁ ପନ୍ନଗୋତ୍ତମ ବା ସର୍ପରାଜ ରକ୍ଷା କରନ୍ତୁ । ଅଭିଜିତ ନକ୍ଷତ୍ରରେ ଜନ୍ମଲାଭ କରିଥିବାରୁ ତୁମ୍ଭେ ସର୍ବ ମଙ୍ଗଳଦାୟକ ଏବଂ ସମସ୍ତ ଶତ୍ର୍ରୁବିନାଶକାରୀ ଅଟ । ତେଣୁ ଆପଣ ଆମ୍ଭର ରାଜାଙ୍କୁ ତୁମ୍ଭେ ବିଜୟଏବଂ ଅଭ୍ୟୁଦୟ ପ୍ରାପ୍ତି ନିମନ୍ତେ ଆଶିର୍ବାଦ ପ୍ରଦାନ କରନ୍ତୁ ।

ଏହିଭଳି ପ୍ରାର୍ଥନା କରି ସମସ୍ତ ବିଧିମୁତାବକ ପୂଜା ଏବଂ ବଳି ପ୍ରଦାନ କରି ହୋମାଗ୍ନିର ଆୟୋଜନ କରାଯିବା ଆବଶ୍ୟକ । ଏହା ସହିତ ସେହି ହୋମରେ ଜଳୁଥିବା କାଷ୍ଠ ଖଣ୍ଡରେ ଯଜ୍ଞକର୍ତ୍ତା ରାଜା ଓ ନର୍ତ୍ତକୀ ମାନଙ୍କର ଦୀପ୍ତିକୁ ବର୍ଦ୍ଧିତ କରିବେ । ଏହାପରେ ଅଭିମନ୍ତ୍ରିତ ଜଳକୁ ଚାରିଆଡ଼େ ସିଞ୍ଚନ କରି ସମସ୍ତ ଦେବତାଙ୍କୁ ସମ୍ମାନ ପ୍ରଦର୍ଶନ ସ୍ୱରୁପ ପ୍ରଣାମ ଜଣାଇ ଅନୁରୋଧ କରିବା ଆବଶ୍ୟକ । “ଆପଣମାନେ ଉଚ୍ଚକୂଳରେ ଜନ୍ମ ଲାଭ କରିଛନ୍ତି । ସମସ୍ତ ମହାନ ଗୁଣାବଳୀମାନ ଧାରଣ କରିଛନ୍ତି । ସମସ୍ତ ଶ୍ରେଷ୍ଠ ବା ମହାନ ଗୁଣର ଅଧିକାରୀ ଅଟ । ଚୀରକାଳ ଆପଣମାନେ ଏହିଭଳି ସମ୍ମାନର ଅଧିକାରୀ ହୋଇ ରାଜା ଏବଂ ନାଟ୍ୟପ୍ରଯୋଜକ ମାନଙ୍କର ପ୍ରଗତି ନିମନ୍ତେ ଆଶିର୍ବାଦ ପ୍ରଦାନ କରୁଥାନ୍ତୁ । ମା ସରସ୍ୱତୀ, ଧୃତି, ମେଧା, ହ୍ରୀ, ଶ୍ରୀ, ଲକ୍ଷ୍ମୀ, ମତି, ସ୍ମ୍ମୃତି ଏହି ମାତୃଗଣ ଆପଣମାନଙ୍କୁ ରକ୍ଷା କରିବା ସହ ସମସ୍ତ ସିଦ୍ଧି ପ୍ରଦାନ କରନ୍ତୁ ।” ଏହାପରେ ନାଟ୍ୟାଚାର୍ଯ୍ୟ ଯଥାବିଧି ମନ୍ତ୍ରୋଚ୍ଚାରଣ ସହ ହୋମ କରି ରଙ୍ଗ ମଧ୍ୟରେ ପୁର୍ବରୁ ସ୍ଥାପନା କରାଯାଇଥିବା କୁମ୍ଭଟିକୁ ଭାଙ୍ଗିଦେବେ । ପାରମ୍ପରିକ ବିଶ୍ୱାସ ଅନୂସାରେ ଏହା ଯଦି ଗୋଟିଏ ଥରରେ ନଭାଙ୍ଗେ ତେବେ ରାଜାଙ୍କର ଶତ୍ର୍ରୁଭୟ ବୃଦ୍ଧି ହେବ ଏବଂ ଯଦି ଭାଙ୍ଗିଯାଏ ତେବେ ରାଜାଙ୍କର ଶତ୍ର୍ରୁକ୍ଷୟ ହେବା ସହ ସମୃଦ୍ଧି ପ୍ରାପ୍ତ ହେବ । କୁମ୍ଭଟିକୁ କଚାଡି଼ ଭାଙ୍ଗିସାରିବା ପରେ ନାଟ୍ୟାଚାର୍ଯ୍ୟ ଗୋଟିଏ ଜଳନ୍ତା ଦୀପକୁ ଧରି ତ୍ୱରିତ ବେଗରେ ଗତିକରି ରଙ୍ଗମଣ୍ଡପର ଚତୁର୍ପାଶ୍ୱକୁ ଅଲୋକିତ କରିବେ ଏବଂ ଶେଷରେ ତାକୁ ରଙ୍ଗମଧ୍ୟରେ ସ୍ଥାପନ କରିବେ । ତତ୍ପରେ ଶଙ୍ଖ, ଦୁନ୍ଦୁଭି, ଘୋଷ, ମୃଦଙ୍ଗ, ପ୍ରଣବ ଆଦି ବାଦ୍ୟବାଦନ କରି ରଙ୍ଗମଣ୍ଡପ ଉପରେ ଯୁଦ୍ଧାଭିନୟର ଆୟୋଜନ କରାଇବେ । ବିଶ୍ୱାସ କରାଯାଏ ଯେ ଏହି ଯୁଦ୍ଧାଭିନୟରେ ଯଦି ଅସ୍ତ୍ରଶସ୍ତ୍ର ମାନଙ୍କର ପ୍ରୟୋଗଜନିତ ଭେଦନ, ଛେଦନ, ବିଦାରଣ, କର୍ତ୍ତନ, ଦହନ ଦ୍ୱାରା ରକ୍ତ ନିର୍ଗମନ ଜନିତ ସାମାନ୍ୟ କ୍ଷତି ଘଟେ । ତେବେ ତାହା ପ୍ରଯୋକ୍ତାଙ୍କର ସିଦ୍ଧି ପ୍ରଦାୟକ ହୋଇଥାଏ । ଏହି ଅଭିଳଷିତ ରଙ୍ଗ ବା ଅଭିନୟ ରାଜା, ପ୍ରଜା, ବାଳ ଓ ବୃଦ୍ଧ ସମସ୍ତଙ୍କର ଶୁଭଦାୟକ ହୋଇଥାଏ । ନଚେତ୍ ତାହା ରାଜା ଏବଂ ରାଜ୍ୟର କ୍ଷତି ଘଟିଥାଏ । ଯେଉଁଠି ପ୍ରଯୋଜକ ବା ନାଟ୍ୟାଚାର୍ଯ୍ୟ ଉପରବର୍ଣ୍ଣିତ ନିୟମ ମାନଙ୍କୁ ଉଲ୍ଲଙ୍ଘନ କରି ତାହାକୁ ସ୍ୱଇଚ୍ଛାରେ ପରିଚାଳିତ କରିବେ ସେଠାରେ ତାଙ୍କର କ୍ଷତି ଘଟିଥାଏ । ପରଜନ୍ମରେ ସେ ନୀଚ୍ଚ ଜନ୍ମ ଲାଭ କରିଥାନ୍ତି । କାରଣ ରଙ୍ଗଦେବତାଙ୍କ ପୂଜନ ଯଜ୍ଞକର୍ମ ସହ ସମାନ ବୋଲି ପରିଗଣିତ କରାଯାଏ । ତେଣୁ ବିନା ରଙ୍ଗପୂଜନରେ ନାଟ୍ୟକର୍ମ ସମ୍ପାଦିତ ହେବା ଆଦୈା ବିଧେୟ ନୁହେଁ । ରଙ୍ଗଙ୍ଗେଦବତା ପୂଜିତ ହେଲେ ତାଙ୍କର ଆଶିର୍ବାଦ ଦ୍ୱାରା ସେ ରଙ୍ଗକର୍ମୀ ମାନଙ୍କୁ ପୂଜିତ ଓ ସମ୍ମାନିତ କରାନ୍ତି । ଯଦି ଏହାର ଅପପ୍ରୟୋଗ ହୁଏ ତେବେ ଅଳ୍ପ ସମୟରେ ସମସ୍ତଙ୍କୁ ଏହାର କୁପ୍ରଭାବ ଦଗ୍ଧ କରି ପକାଇବା ସହ ସମସ୍ତ ସଫଳତାକୁ ମଧ୍ୟ ନଷ୍ଟ କରିଦିଏ । ଏପରିକି ବାତ୍ୟା ଦ୍ୱାରା ପରିଚାଳିତ ଭୟଙ୍କର ଅଗ୍ନି ସେମିତି ନଷ୍ଟ କରିପାରେ ନାହିଁ ।

ନାଟ୍ୟାଚାର୍ଯ୍ୟ ଶାସ୍ତ୍ରଜ୍ଞ, ବୀନିତ, ଶୂଚୀବନ୍ତ, ଦୀକ୍ଷିତ, ସିଶାନ୍ତ ତଥା କର୍ତ୍ତବ୍ୟପରାୟଣ ହେବା ନିତାନ୍ତ ଆବଶ୍ୟକ ଅଟେ । ଯେଉଁମାନେ ଭ୍ରଷ୍ଟ, ଅଜ୍ଞ, ଉଦ୍‌ବିଘ୍ନମନା, ମନ୍ତ୍ରହୀନ ହୋଇ ବିଧିବିଧାନକୁ ଉଲ୍ଲଙ୍ଘନ କରନ୍ତି ସେମାନଙ୍କୁ ଏଥିପାଇଁ ବହୁ ପ୍ରାୟଶ୍ଚିତ କରିବାକୁ ପଡି଼ଥାଏ । ଏହିପରି ଭାବରେ ପ୍ରଯେଜକ ମାନେ ନାଟ୍ୟମଣ୍ଡପ ବା ରଙ୍ଗଙ୍ଗେଦବତାଙ୍କୁ ଯଥାରୀତି ପାଳନପୂର୍ବକ ପୂୂଜାର୍ଚ୍ଚନା କରି ଅଭିନୟର ଆୟୋଜନ କରିବା ଉଚି଼ତ ଅଟେ ।

Share This Article
ନାଟ୍ୟ ଗବେଷକ, କଳାକ ଶିକ୍ଷକ
Exit mobile version