ରଜା ନାଟକ

ଅଜିତ କୁମାର ମୁନୀ 173 Views
28 Min Read

ଗତ ସଂଖ୍ୟାରେ ଲୋକକଳା ଗବେଷକ ଅଜିତ କୁମାର ମୁନୀ ପ୍ରହ୍ଲାଦ ନାଟକ ସୃଷ୍ଟି ସମ୍ପର୍କରେ ତଥ୍ୟ ସହିତ ଏକ ଉପସ୍ଥାପନ କରିଥିଲେ ଏହି ସଂଖ୍ୟାରେ ସେ ପ୍ରହ୍ଲାଦ ନାଟକର ପରିବେଷଣା ଶୈଳୀ ସମ୍ପର୍କରେ ଏକ ଆଲେଖ୍ୟ ପ୍ରସ୍ତୁତ କରିଛନ୍ତି । ପ୍ରହ୍ଲାଦ ନାଟକର ଏହି ଭାଗରେ ପ୍ରହ୍ଲାଦଙ୍କ ଜନ୍ମ, ତାଙ୍କ ପିତାଙ୍କର ପୁତ୍ରର ବିଷ୍ଣୁ ଭକ୍ତିକୁ ନେଇ ଆଶଙ୍କା ଓ ଶେଷରେ ନିଜ ପିତାଙ୍କ ପ୍ରଶ୍ନର ଉତ୍ତରରେ ପ୍ରହ୍ଲାଦ ରାଜଦରବାରର ସ୍ତମ୍ବ ମଧ୍ୟରୁ ଶ୍ରୀହରି ଆବିର୍ଭାବ ହୋଇପାରିବେ ବୋଲି ନିର୍ଭୟର ସହ କହିପାରିଛନ୍ତି । ହାସ୍ୟ, ରସ ଓ ଗମ୍ଭୀର ଭକ୍ତି ରସରେ ପରିପୂର୍ଣ୍ଣ ଏହି ଲୋକ ନାଟକର ଓଡ଼ିଶାର ଦକ୍ଷିଣ ଭାଗର ଜନଜୀବନ ଉପରେ ଅନେକ ପ୍ରଭାବ ଆଜି ମଧ୍ୟ ରହି ଆସିଛି। -ସମ୍ପାଦକ

ପ୍ରହ୍ଲାଦ ନାଟକର ପରିବେଷଣ ଶୈଳୀ

ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ଶେଷ ପର୍ଯ୍ୟାୟରେ ଏବଂ ଆଧୁନିକ ଯୁଗୀୟ ଓଡି଼ଆ ସାହିତ୍ୟର ପ୍ରଥମ ପର୍ଯ୍ୟାୟରେ ଆମର ପୂରାଣ ସାହିତ୍ୟର ପୃଷ୍ଠଭୂମିରେ କିମ୍ବା ତାର ଆଂଶିକ ପ୍ରଭାବରେ ଆମ ରାଜ୍ୟରେ ବହୁ ଲୋକନାଟକ ଆତ୍ମପ୍ରକାଶ ଲାଭ କରିଥିଲା । ଏହି ଲୋକନାଟକ ଗୁଡି଼କରେ ରୀତି ସାହିତ୍ୟର ରଚନା ଶୈଳୀ ଓ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରର ପରିବେଷଣ ଆଧାରିତ ବ୍ୟାକରଣର ପ୍ରୟୋଗ ଦେଖିବାକୁ ମିଳେ । ସେମାନଙ୍କ ମଧ୍ୟରୁ ପୂର୍ବରଙ୍ଗ, ମଙ୍ଗଳାଚରଣ, ସ୍ତବଗାନ, ନାଟକ ପରିବେଷଣ ତଥା ଭରତବାକ୍ୟ ପ୍ରଧାନ ଅଟେ । ଠିକ୍ ସେହିଭଳି ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର ରେ ବର୍ଣ୍ଣିତ ନାଟକର ପରିବେଷଣଗତ ବ୍ୟାକରଣ ବା ନୀତି ନିୟମ ଆଂଶିକ ମାତ୍ରାରେ ଦେଖିବାକୁ ମିଳେ। ମୁଖ୍ୟତଃ ପ୍ରହ୍ଲାଦ ନାଟକର ପରିବେଷଣ ସର୍ବବିଘ୍ନ ବିନାଶକ ଗଣେଶ, ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ମଙ୍ଗଳାଚରଣରୁ ଆରମ୍ଭ ହୋଇଥାଏ । ସୂତ୍ରଧରଙ୍କ ଆବାହନ କ୍ରମେ ପ୍ରଥମେ ଗଜାନନ ଓ ଦ୍ଵିତୀୟରେ ମା ସରସ୍ୱତୀ ମଞ୍ଚକୁ ଆସି ନାଟକର ନିର୍ବିଘ୍ନ ପରିବେଷଣ ତଥା ସଫଳତା ନିମନ୍ତେ ଆଶିର୍ବାଦ ପ୍ରଦାନ କରିଥାନ୍ତି । ଏହାପରେ ପୁଣି ସୂତ୍ରଧର ନାଟକ ସମ୍ବନ୍ଧରେ ଦର୍ଶକ ମାନଙ୍କ ସମ୍ମୁଖରେ ସମ୍ୟକ ସୂଚନା ପ୍ରଦାନ କରିଥାନ୍ତି । ତତ୍ପରେ ନାଟକର ମୂଳ ବିଷୟବସ୍ତର ପରିବେଷଣ ଆରମ୍ଭ ହୋଇଥାଏ ।

ମଙ୍ଗଳାଚରଣ

ବନ୍ଦଇ ଶ୍ରୀ ଗଣନାଥଙ୍କ ଚରଣ ସୁଦୟାକୁ ବହହେ ।

ପାର୍ବତୀ ନନ୍ଦନ, ମୂଷିକ ବାହାନ,

ଚତୁର୍ଭୁଜ ଏକଦନ୍ତ ଗଜବଦନ,

ପାଶଙ୍କୁଶଧର, ପୃଥୁଳ ଶରୀର,

ଶୋଭିତ ଯାହାର କରରେ ଚାମର

ଧୁପଦୀପ ଷଢ଼ ତାମ୍ବୁଳ ନୈବେଦ୍ୟ

ଗନ୍ଧ ପୁଷ୍ପ ଆଦି ଘେନିଣ ବହନ

ଶ୍ରୀ ନୃପକେଶରୀ ରାମକୃଷ୍ଣବୀର

ଶଙ୍କରସୂତ ପାଶେ ଉଭା ହୋଇ ସତ୍ୱର ।

 

ତତ୍ପରେ ରାଜା ହୀରଣ୍ୟକଶିପୁ ଆତ୍ମପରିଚୟ ପ୍ରଦାନ ପୂର୍ବକ ନାଚିନାଚି଼ ଅର୍ଦ୍ଧାଙ୍ଗିନୀ ଲୀଳାବତୀକୁ ଧରି ମଞ୍ଚକୁ ପ୍ରବେଶ କରନ୍ତି । ଏହି ସମୟରେ ତାଙ୍କର ଦୂତ ଆସି ସୂଚନା ପ୍ରଦାନ କରେଯେ ହୀରଣ୍ୟକଶିପୁର ଅନୂଜ ଭ୍ରାତ ହୀରଣ୍ୟାକ୍ଷଙ୍କୁ ଲୀଳାମୟ ପ୍ରଭୁ ଶ୍ରୀ ବିଷ୍ଣୁ ବରାହ ଅବତାର ଧାରଣ କରି ହତ୍ୟା କରନ୍ତି । ଏହାଶୁଣି ହିରଣ୍ୟକଶିପୁ କ୍ରୋଧାନ୍ୱିତ ହୋଇ ନିଜ କନିଷ୍ଠ ଭ୍ରାତାର ହତ୍ୟାକାରୀର ପ୍ରତିଶୋଧ ନେବା ପାଇଁ ପ୍ରତିଜ୍ଞା କରନ୍ତି । ଫଳରେ ଶତ୍ରୁକୁ ବିନାଶ କରିବା ନିମନ୍ତେ ଆବଶ୍ୟକୀୟ ଶକ୍ତି ଓ ସମର୍ଥ ସହ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଆଶିର୍ବାଦ ପାଇବା ପାଇଁ ଘଞ୍ଚ ଜଙ୍ଗଲକୁ ଯାଇ କଠୋର ତପସ୍ୟା କରିଛି । ଏହି ସମୟରେ ଲୀଳାବତୀଙ୍କ ଗର୍ଭରୁ କୁମାର ପ୍ରହ୍ଲାଦ ଜନ୍ମ ନେଇଛି ଏବଂ ଅପରପକ୍ଷରେ ଦୈତ୍ୟରାଜା ହିରଣ୍ୟକଶିପୁର କଠୋର ତପସ୍ୟାରେ ସନ୍ତୁଷ୍ଟ ହୋଇ ବ୍ରହ୍ମା ଏକ ଦିବ୍ୟଶକ୍ତି ସମ୍ପନ୍ନ ବର ପ୍ରଦାନ କରିଛନ୍ତି । ଯେଉଁ ବର ବଳରେ ଦୈତ୍ୟରାଜା ହିରଣ୍ୟକଶିପୁକୁ କୌଣସି ଦେବତା, ନର କିମ୍ବା ରାକ୍ଷସ ହତ୍ୟା କରିପାରିବେ ନାହିଁ । ତତ୍ ସହିତ ସେ ଦିନରେ ମରିବନି କିମ୍ବା ରାତ୍ରିରେ ମରିବନି, ଘରେ ମରିବନି କିମ୍ବା ବାହାରେ ମରିବନି ଏବଂ ଅସ୍ତ୍ର୍ରରେ ମରିବନି କିମ୍ବା ଶସ୍ତ୍ର୍ରରେ ମରିବନି ।

ବ୍ରହ୍ମାଙ୍କ ନିକଟରୁ ବର ପାଇ ହିରଣ୍ୟକଶିପୁ ରାଜ୍ୟ ଶାସନ କରୁଥିବା ସମୟରେ ବାଳୁତ କୁମାର ପ୍ରହ୍ଲାଦ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କରୁଥିବାର ଦୃଶ୍ୟ ଦେଖି ଚକିତ ଓ ଭୟଭୀତ ହୋଇଯାନ୍ତି । ପୁତ୍ରକୁ ଶ୍ରୀହରି ବା ଭଗବାନ ବିଷ୍ଣୁଙ୍କ ବିରୋଧରେ ନାନା କଥା କହି ତାଙ୍କୁ ଦେବ ଦେବ ମହାଦେବ ଶିବଙ୍କୁ ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । କିନ୍ତୁ ଭଗବତ୍ ପ୍ରେମୀ ଦିବ୍ୟବାଳକ ପ୍ରହ୍ଲାଦ ପିତାଙ୍କ ନିର୍ଦ୍ଦେଶକୁ ତିଳେମାତ୍ର ଗ୍ରହଣ ନକରି ତତ୍କ୍ଷଣାତ୍ ପିତାଙ୍କୁ ଶ୍ରୀହରିଙ୍କ ଜୀବନ ଓ ଦର୍ଶନ ଆଦି ସମସ୍ତ ବିଷୟରେ ବର୍ଣ୍ଣନା କରିଛି । ଫଳରେ ହିରଣ୍ୟକଶିପୁ ପୁତ୍ର ପ୍ରହ୍ଲାଦକୁ ହରି ସ୍ମରଣ, ଚି଼ନ୍ତନ ଓ ଭଜନରୁ ନିବୃତ୍ତ କରିବା ସହ ବିଦ୍ୟାଶିକ୍ଷା ନିମନ୍ତେ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ, ଚଣ୍ଡ ଓ ଅମାର୍କ ଆଦି ଗୁରୁଙ୍କୁ ନିଯୁକ୍ତ କରିଛନ୍ତି । ରାଜାଙ୍କ ନିର୍ଦ୍ଦେଶାନୂସାରେ ଗୁରୁ ଶୁକ୍ରାଚାର୍ଯ୍ୟ ଯେତେବେଳେ ବିଦ୍ୟାଶିକ୍ଷା ପ୍ରଦାନ ଆରମ୍ଭ କରିଛନ୍ତି ସେତେବେଳେ ପ୍ରହ୍ଲାଦ ତାଙ୍କ ନିକଟରୁ ବିଦ୍ୟା ଅଧ୍ୟୟନ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିନାହିଁ । ଏପରିକି ଶ୍ରୀହରିଙ୍କ ବିରୁଦ୍ଧରେ ଶୁକ୍ରାଚାର୍ଯ୍ୟ କହୁଥିବା କୌଣସି କଥା ଗ୍ରହଣ ଓ ଧାରଣ କରିବା ତ ଦୂରର କଥା ସେ ଶ୍ରବଣ ମଧ୍ୟ କରିନାହିଁ । ପରିଶେଷରେ ଗୁରୁ ଶୁକ୍ରାଚାର୍ଯ୍ୟ ପ୍ରହ୍ଲାଦକୁ ଶିକ୍ଷାଦାନ କରିବାରେ ବିଫଳ ହୋଇଛନ୍ତି । ରଜା ନାଟକର ଏହି ଭାଗଟି ଅତ୍ୟନ୍ତ ହାସ୍ୟୋଦ୍ଦୀପକ ଅଟେ । ଲଘୁ ବ୍ୟଙ୍ଗ ପରିବେଷଣ ମାଧ୍ୟମରେ ଏହି ଦୃଶ୍ୟରେ ପ୍ରହ୍ଲାଦ, ଚଣ୍ଡ, ଅମାର୍କ ଓ ଶୁକ୍ରାଚାର୍ଯ୍ୟ ଦର୍ଶକଙ୍କ ଚିତ୍ତବିନୋଦନ କରିବା ସହ ସେମାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥାନ୍ତି ।

ପରବର୍ତ୍ତି ଦୃଶ୍ୟରେ ଗୁରୁ ଶୁକ୍ରାଚାର୍ଯ୍ୟ ଅତ୍ୟନ୍ତ ଦୁଃଖର ସହ ନିଜର ବିଫଳତା କଥା ରାଜାଙ୍କ ସମ୍ମୁଖରେ କହିବା ସହ ପ୍ରହ୍ଲାଦର ଅତିଶୟ ହରିଭକ୍ତି କଥା ରାଜାଙ୍କୁ ସବିଶେଷ ବର୍ଣ୍ଣନା କରିଛନ୍ତି । ଫଳରେ ରାଜା ହିରଣ୍ୟକଶିପୁ ଜଣେ ରାଜା ଏବଂ ପିତା ହିସାବରେ ପୁତ୍ର ପ୍ରହ୍ଲାଦକୁ ପରିବର୍ତ୍ତନ କରିବ ଲକ୍ଷରେ ସାମ, ଦାନ, ଦଣ୍ଡ ଓ ଭେଦ ନୀତି ପ୍ରୟୋଗ ପୂର୍ବକ ପ୍ରଥମେ ବହୁ ଦୃଷ୍ଟାନ୍ତ ମୂଳକ କାହାଣୀ ମାଧ୍ୟମରେ ହରିଭକ୍ତିରୁ ନିବୃତ୍ତ କରିବାକୁ ପ୍ରୟାସ କରିଛନ୍ତି । ଏହି ଦୃଶ୍ୟରେ ପିତାପୂତ୍ରର ସଙ୍ଗୀତଧର୍ମୀ ବାର୍ତ୍ତାଳାପ ଅତ୍ୟନ୍ତ ଚିତ୍ତାକର୍ଷକ ଅଟେ ଯଥା :-

ଘେନରେ କୁମରମଣି ଦେଇଣ ଚି଼ତ୍ତକୁ

ଏବେ ତୁ ମୋହର ବାଣୀ,

ଗୁରୁଙ୍କୁ ମାନିଣ ମନ ସ୍ଥିର କରିଣ

ବିଦ୍ୟାରମ୍ଭ କଲେଣ, ଶିବଙ୍କ ଭକ୍ତି ଜାଣ ।

 

ଭକ୍ତିରେ ଜ୍ଞାନକୁ ଜାତ ମୁକ୍ତି ପ୍ରାପତ

ଜନ୍ମକୁ କର କୃତାର୍ଥ ପରମ୍ପରାକୁ ଧରି

କାର୍ଯ୍ୟ କର ବିଚାରି, ଭୋଗ କରିବୁ ଶିରୀ ।

 

 

କାଳବେଳକୁ ଜାଣ, ପିତାମାତାଙ୍କୁ ମାନିଣ

ଦୈତ୍ୟ ପାଳିଣ ଲୋକରେ ବୋଲାଅ

ଛାଡ଼ି ଧ୍ୟାନ ଛାଡି଼ ହରି ସ୍ମରଣ ।

 

କିନ୍ତୁ ପ୍ରହ୍ଲାଦ ପିତା ହିରଣ୍ୟକଶିପୁର କିମ୍ବା ଗୁରୁ ଶୁକ୍ରାଚାର୍ଯ୍ୟଙ୍କ କୌଣସି ନିର୍ଦ୍ଦେଶକୁ ଆଦୌ ଗ୍ରହଣ କରିନାହିଁ । ତେଣୁ ରାଜା ନିଜର ପୁତ୍ରର ମାନସିକ ପରିବର୍ତ୍ତନକୁ ଆଖି ଆଗରେ ରଖି ନାନାବିଧ ଛୋଟ ଦଣ୍ଡର ପ୍ରୟୋଗ କରିଛନ୍ତି । ଯଥା :- ହସ୍ତୀ ସହାୟତାରେ ହତ୍ୟା କରିବା, ତପ୍ତ ଲୌହ ସ୍ତମ୍ବରେ ବାନ୍ଧିଦେବା, ଏପରିକି ଖଡ୍ଗ ମାଧ୍ୟମରେ ମୁଣ୍ଡକାଟର ନିର୍ଦ୍ଦେଶ ଦେବାକୁ ମଧ୍ୟ ପଛଘୁଞ୍ଚା ଦେଇନାହାନ୍ତି । ଏହି ଭଳି ପରିସ୍ଥିତିରେ ପ୍ରହ୍ଲାଦର ସରଳତା, ନିଷ୍କପଟତା ଏବଂ ହରି ଭକ୍ତି ତାକୁ ଏ ସମସ୍ତ ଛୋଟ ଛୋଟ ଦଣ୍ଡ ମାନଙ୍କରୁ ମୁକୁଳିବାରେ ସହାୟକ ହୋଇଛି । କଥାରେ ଅଛି “ହରି ରଖେ ମାରେ କିଏ, ମାରେ ହରି ରଖେ କିଏ ?” । ପ୍ରହ୍ଲାଦ ନାଟକର ଏହି ଭାଗରେ ବା ଦୃଶ୍ୟରେ ବହୁ ନାଟକୀୟ ଘଟଣାର ପରିବେଷଣ ହୋଇଥାଏ ଏବଂ ତାହା ଅତ୍ୟନ୍ତ ଭାବଗର୍ଭକ ହୋଇଥାଏ ।

ନାନାବିଧ ଦଣ୍ଡ ବିଧାନ ସତ୍ୱେ ପ୍ରହ୍ଲାଦ ହିରଣ୍ୟକଶିପୁକୁ ଭୟ ନକରି ପୂର୍ବଭଳି ଶ୍ରୀହରିଙ୍କୁ ଭଜନ କରିବାରେ ଲାଗେ । ଏହି ଘଟଣା ଦେଖି ଦୈତ୍ୟରାଜା ହିରଣ୍ୟକଶିପୁର କ୍ରୋଧ ଦ୍ୱିଗୁଣିତ ହୋଇଥାଏ । ଫଳରେ ରାଜା ଅତିଶୟ କ୍ରୋଧାନ୍ୱିତ ହୋଇ ବହୁ କଠୋର ଦଣ୍ଡପ୍ରଦାନ ପୂର୍ବକ ପ୍ରହ୍ଲାଦକୁ ଭୟଭୀତ କରାଇ ହରିଭକ୍ତିରୁ ନିବୃତ୍ତ କରିବାକୁ ମନସ୍ଥ କରନ୍ତି । ଏଥିନିମନ୍ତେ ସେ ପ୍ରଥମେ ତାଙ୍କ ରାଜ୍ୟରେ ବାସ କରୁଥିବା ସାପୁଆ, ସାପୁଆଣୀ, ଶବର ଓ ଶବରୁଣୀ ମାନଙ୍କୁ ଡାକି ସର୍ପଦଣ୍ଡର ବିଧାନ କରନ୍ତି । କଥାରେ ଅଛି “ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ” କିନ୍ତୁ ସର୍ବଶକ୍ତିମାନ, ସର୍ବବ୍ୟାପି ଶ୍ରୀହରିଙ୍କ କୃପାରୁ ସାପୁଆ ଓ ଶବର ମାନେ ଆଣିଥିବା ବିଷଧର ସର୍ପମାନେ ମଧ୍ୟ ପ୍ରହ୍ଲାଦର କୌଣସି କ୍ଷତି କରନ୍ତି ନାହିଁ । ବିଶେଷକରି ଏହି ଦୃଶ୍ୟର ପରିବେଷଣ ଦର୍ଶକ ମାନଙ୍କୁ ସମ୍ପୁର୍ଣ୍ଣ ମନୋରଞ୍ଜନ ପ୍ରଦାନ କରିଥାଏ । କାରଣ ପୂରାଣର ବିଷୟବସ୍ତୁ ଆଧାରରେ ରଚିତ ଲୋକନାଟକର ସମ୍ପୁର୍ଣ୍ଣ ଗ୍ରାମୀଣ ତଥା ଦେଶୀ ଜନତାର ଜୀବନ, ଜୀବିକା ତଥା ସଂସ୍କୃତି ଏଠାରେ ପ୍ରତିଫଳିତ ହୋଇଥିବାର ଦେଖିବାକୁ ମିଳେ । ବିଶେଷକରି ଶବର ମାନଙ୍କ ବେଶ, ପୋଷାକ, କଥାଭାଷା, ନୃତ୍ୟଗୀତଏହି ଦୃଶ୍ୟକୁ ଅଧିକ ଆକର୍ଷଣୀୟ କରିଥାଏ । ଏହି ଦୃଶ୍ୟରେ ବେକରେ ସାପ ଗୁଡ଼େଇ ହୋଇ ମୁକ୍ତି ପାଇଁ ପ୍ରହ୍ଲାଦର ଶ୍ରୀହରିଙ୍କ ନିକଟରେ ବିକଳ ପ୍ରାର୍ଥନା ଗ୍ରାମୀଣ ଦର୍ଶକ ମାନଙ୍କ ଆଖିକୁ ଲୁହ ଛଳଛଳ କରିପକାଏ ।

ଏହାପରେ ରାଜାଙ୍କ ନିର୍ଦ୍ଦେଶକ୍ରମେ ପ୍ରହ୍ଲାଦକୁ ରାଜଦରବାରରେ ରାଜାଙ୍କ ସମ୍ମୁଖରେ ହାଜର କରାଯାଏ । ରାଜା ହିରଣ୍ୟକଶିପୁ ଦରବାରରେ ସୈନିକ ମାନଙ୍କ ନିକଟରୁ ପୂର୍ବ ଘଟଣା ମାନ ସମ୍ବନ୍ଧରେ ସୁଚନା ପାଆନ୍ତି । ସେ ଯେତେବେଳେ ଶୁଣିବାକୁ ପାଆନ୍ତି ଯେ ତାଙ୍କର ବାଳୁତ ପୁତ୍ର ପ୍ରହ୍ଲାଦ ଶ୍ରୀହରି ବା ବିଷ୍ଣୁଙ୍କ କୃପା ବଳରେ ସେ ବିଧାନ କରିଆସୁଥିବା ସମସ୍ତ ସାମାନ୍ୟ ତଥା କଠୋର ଦଣ୍ଡରୁ ସହଜରେ ମୁକୁଳି ପାରୁଛି । ସେତେବେଳେ ସେ ତାଙ୍କର କ୍ରୋଧକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ । କ୍ରୋଧରେ ଜର୍ଜରିତ ହୋଇ ପ୍ରହ୍ଲାଦକୁ ନାନା କଟୁ ବଚନ ପ୍ରୟୋଗ ପୂର୍ବକ ଗାଳି କରନ୍ତି ଏବଂ ପତ୍ନୀ ଲୀଳାବତୀକୁ ପୁତ୍ରକୁ ବୁଝାଇବା ଲାଗି ନିର୍ଦ୍ଦେଶ କରନ୍ତି । ଯଥା :-

ଆରେ ସୁମର କେ ରଖୁରେ ତୋତେ

ଆଜି ବିନାଶିବି

ଆଜି ବିନାଶିବିରେ ତତେ

ସୁମରକେ ରଖୁରେ ତତେ ।

କିରେ ନଜାଣୁ କି ମୋହର ବୀରପଣରେ

ଇଷିତରେ ଜିଣିଲି ସ୍ୱର୍ଗେ ସୂରଗଣ ।

ବାଳୁତ ବୋଲି ମୁହିଁ କ୍ଷମାକୁ ଆଚରଇ

ବାଳୁତ ବୋଲିମୁହିଁ ବିଚାରନ୍ତେ ଦିନୁଦିନୁ

ଅମାନ୍ୟ ହେଲୁରେ ତୁହିଁ ଦୁଷ୍ଟ ଚି଼ତ୍ତକୁ ଧରି ।

ଏହା ଶୁଣି ମାତା ଲୀଳାବତୀ ସ୍ୱାମୀଙ୍କ କୋପ ଦୃଷ୍ଟିରୁ ରକ୍ଷା କରିବା ନିମନ୍ତେ ପୁତ୍ର ପ୍ରହ୍ଲାଦକୁ ବାରମ୍ବାର ପିତାଙ୍କ ନିର୍ଦ୍ଦେଶକ୍ରମେ ହରିଭକ୍ତିରୁ ନିବୃତ୍ତ ରହିବାକୁ ଉପଦେଶ ପ୍ରଦାନ କରିଛନ୍ତି । କିନ୍ତୁ ପ୍ରହ୍ଲାଦ କାହାକଥା ତିଳେମାତ୍ର ଶ୍ରବଣ କରିନାହିଁ ।

ପରିଶେଷରେ ହିରଣ୍ୟକଶିପୁ ସ୍ୱହସ୍ତରେ ହରିଭକ୍ତ ପ୍ରହ୍ଲାଦକୁ ହତ୍ୟା କରିବା ନିମନ୍ତେ ମନସ୍ଥ କରିଛନ୍ତି । ତେଣୁ ସେ ଦୂତ ମାନଙ୍କ ମାଧ୍ୟମରେ ପୁନର୍ବାର ପ୍ରହ୍ଲାଦକୁ ରାଜଦରବାରକୁ ଡକାଇଛନ୍ତି ଏବଂ ହତ୍ୟା କରିବା ପୂର୍ବରୁ ଶେଷଥର ପାଇଁ ପ୍ରହ୍ଲାଦକୁ ହରିଙ୍କୁ ପରିତ୍ୟାଗ କରି ଶିବଙ୍କ ଚରଣାଶ୍ରିତ ହେବାକୁ ଉପଦେଶ ପ୍ରଦାନ କରିଛନ୍ତି । କିନ୍ତୁ ରାଜଦରବାରରେ ସର୍ବଜନ ସମ୍ମୁଖରେ ଶ୍ରୀହରିଙ୍କୁ ପରିତ୍ୟାଗ କରିପାରିବି ନାହିଁ ବୋଲି ନିର୍ଭିକତାର ସହ କହିବା ସହିତ ପିତାଙ୍କ ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରିଛି । ଫଳରେ ରାଜା ହିରଣ୍ୟକଶିପୁ ପୁତ୍ର ପ୍ରହ୍ଲାଦକୁ ଶ୍ରୀହରିଙ୍କ ଉପସ୍ଥିତି ସମ୍ବନ୍ଧରେ ପ୍ରଶ୍ନ କରନ୍ତି । ପ୍ରତ୍ୟୁତ୍ତରରେ ପ୍ରହ୍ଲାଦ କହେ ଯେ “ହେ, ପିତା, ମୋ ପ୍ରଭୁ ସର୍ବବ୍ୟାପୀ, ସର୍ବବିଦ୍ୟମାନ ଏବଂ ସର୍ବଶକ୍ତିମାନ । ତୁମର ଦୃଷ୍ଟିସୀମା ଯେତେଦୂର ପର୍ଯ୍ୟନ୍ତ ପରିବ୍ୟାପ୍ତ ସେତେଦୂର ପର୍ଯ୍ୟନ୍ତ ତୁମେ ଶ୍ରୀହରିଙ୍କ ଉପସ୍ଥିତି ଓ ପ୍ରଭାବ ଅନୁଭବ କରିପାରିବ ।” ପ୍ରୁତ୍ର ପ୍ରହ୍ଲାଦର ଏତାଦୃଶ ବଚନ ଶୁଣି ତାକୁ ରାଜା ହିରଣ୍ୟକଶିପୁ ତାତ୍ସଲ୍ୟ କରିବା ସହ ରାଜଦରବାରର ସ୍ତମ୍ବ ମଧ୍ୟରୁ ହରିଙ୍କ ଆବିର୍ଭାବ ହୋଇପାରିବା କଥା ପଚାରନ୍ତି । ରାଜାଙ୍କ ପ୍ରଶ୍ନର ଉତ୍ତରରେ ପ୍ରହ୍ଲାଦ ରାଜଦରବାରର ସ୍ତମ୍ବ ମଧ୍ୟରୁ ଶ୍ରୀହରି ଆବିର୍ଭାବ ହୋଇପାରିବେ ବୋଲି ନିର୍ଭୟର ସହ କହିପାରିଛନ୍ତି । ଯଥା :-

ଆରେ କହୁ କି ଆଶ୍ଚର୍ଯ୍ୟ ଗିର

କହୁ ତୁ କେଡ଼େ ଦମ୍ଭର

କାହିଁରେ ହରି ଦେଖା ଏହି ସ୍ତମ୍ବର ।

କେତେ ପରିରେ ମୁହିଁ

କହିଲେ ନଶୁଣଇ

କାହିଁରେ ହରି ଦେଖା ଏହି ସ୍ତମ୍ଭର ।

ଋାଜାଙ୍କ କଥାରେ ସମ୍ମତି ପ୍ରକାଶ କରି ପ୍ରହ୍ଲାଦ ଯେତେବେଳେ ତାର ଆରାଧ୍ୟ ଶ୍ରୀହରି ସ୍ତମ୍ବ ମଧ୍ୟରେ ଥିବା କଥା କହେ ସେତେବେଳେ କ୍ରୋଧିରାଜା ହିରଣ୍ୟକଶିପୁ ସ୍ୱହସ୍ତରେ ଗଦା ମାଧ୍ୟମରେ ସ୍ତମ୍ବକୁ ଆଘାତ କରନ୍ତି ସେତେବେଳେ ସ୍ତମ୍ବ ମଧ୍ୟରୁ ବିଷ୍ଣୁ ବା ଶ୍ରୀହରି ନରସିଂହ ବେଶରେ ବାହାରି ଆସନ୍ତି । ରାକ୍ଷସ ରାଜା ହିରଣ୍ୟକଶିପୁ ଚକିତ ଓ ଭୟଭୀତ ହୋଇଯାନ୍ତି । ଏପରିକି ପ୍ରହ୍ଲାଦର ହରିଭକ୍ତିରେ ସନ୍ତୁଷ୍ଟ ହୋଇ ପୂର୍ବକୃତ ପାପ ପାଇଁ ଦୁଃଖ ପ୍ରକାଶ କରନ୍ତି । କିନ୍ତୁ ଅତୀତର ନିଜର ଭାତୃହତ୍ୟାର ପ୍ରତିଶୋଧ ନେବା ସହ ଦେବତାଙ୍କ ସହ ଯୁଦ୍ଧ କରି ଯୁଦ୍ଧରେ ବିଷ୍ଣୁଙ୍କ ହସ୍ତରେ ନିହତ ହୋଇ ସ୍ୱର୍ଗ ପ୍ରାପ୍ତି ହେବା ସହ ନିଜର ଦୈତ୍ୟ ଜନ୍ମରୁ ମୁକ୍ତି ପାଇବା ପାଇଁ ଇଛା ପ୍ରକାଶ କରନ୍ତି । ତାହାପୁର୍ବରୁ କୁମାର ପ୍ରହ୍ଲାଦକୁ ରାଜ୍ୟଭାର ପ୍ରଦାନ ପୂର୍ବକ ରାଜନୀତି ଶିକ୍ଷା ପ୍ରଦାନ କରିଛନ୍ତି । ଯଥା :-

ଏହି ଦେହେ ସହିଲୁ କେତେଯେ କଷଣ

ପ୍ରଭୁ ନାରାୟଣଙ୍କ କୃପାରୁ ଧନରେ ହୋଇଲା ଖଣ୍ଡନ ।

ପିତା ହୋଇ ଭିଆଇଲି ଏତେ ଦଣ୍ଡ ନଛାଡି଼ଲି ମୁହିଁ

ଧିକ ଧିକ ମମଜନ୍ମ ଏ ଦାନବ କୂଳେ ଜନ୍ମ ନେଇ ।

ପୁତ୍ର ହୋଇ ଧନରେ ଆଜି ଦର୍ଶନ କରାଇଲୁ ନାରାୟଣ

ଯାହାଙ୍କୁ ଦର୍ଶନ କରି ମୋ ଜୀବନ ହେଲା ଧନ୍ୟ ।ା

କୋମଳ ବଚନ କରିରେ ଧନ କହୁଅଛି ଶୁଣ

ଏକ ମନ ଦେଇ ଶୁଣ ମୁଁ କହିବା ବଚନ ।ା

ଏ ଶ୍ରିହରିଙ୍କ ସେବା ଛାଡି଼ ବାବୁରେ ରାଜନୀତି ଶିଖ

ମୋହର ମାନ ମହତ ବାବୁରେ ଦୁଇ କଥା ରଖ ।

ଆଜ ତୁ ଯାହା କଲୁରେ ମୋର ବାଳୁତ କୁମର

ଦେବଙ୍କୁ ଦୁର୍ଲଭ ଧନରେ ମାନବଙ୍କୁ ଅଗୋଚର ।

ଅସୂରକୂଳକୁରେ ଧନ ରହିଲା କୀରତି

ମଲା ଲୋକ ଜିଆଁଇ ବାବୁରେ ରଖାଇଲୁ କିର୍ତ୍ତି ।ା

ଏବେ ରାଜନୀତି ବାବୁରେ କହିବି ତୋ ଆଗେ

ଏକ ମନ ଦେଇ ଶୁଣ ବାବୁରେ ହୃଦୟର ଭାଗେ ।

ନିତ୍ୟ କୃତ୍ୟ ବାବୁରେ କରିବୁ ପ୍ରଭାତେ

ସ୍ୱଇଷ୍ଟ ଦେବାର୍ଚ୍ଚନେ ବାବୁରେ ପୂଜିବୁ ସୂଚି଼ତ୍ତେ ।

ସୁର୍ଯ୍ୟଙ୍କୁ ଅର୍ଘ୍ୟ ଦେବୁ ବାବୁରେ ଅନ୍ତର ସମର୍ପି

ଶମ୍ଭୁ ଶିରେ ଜଳ ଦେବୁରେ ପଞ୍ଚାକ୍ଷର ଜପି ।

 

ବୀର ବେଶ ହୋଇକରି ଧନ ଆଖଡ଼ା ଘରେ ପଶି

କାଛ ପିନ୍ଧି ମୋ ଧନରେ ଚଉତନା କଛି ।

ଛତିଶି ପ୍ରକାରେ ଧନରେ ସାଧିବୁ ଆୟୁଧ

କ୍ଷଣକେ ବୀର ବେଶରେ କ୍ଷଣକେ ମଲ୍ଲ ଯୁଦ୍ଧ ।

ଚତୁରଙ୍ଗ ବଳ ଘେନିରେ ଅରଣ୍ୟରେ ପଶି

ମୃଗ ଶୁକର ଆଦିରେ ମାରିବୁ ମହିଷି ।

ମୃଗୟାରୁ ଆସି ବାବୁରେ ମାର୍ଜଣା ବଢ଼ାଇ

ମତାଇ ଅନ୍ତରେ ଧନରେ ତଢାଉ ଲାଗ ହୋଇ ।

ଆସ୍ଥାନେ ବସି ଧନରେ ବୁଝିବୁ ରାଜାନୀତି

ସନ୍ନିଧେ ଥିବେ ତୋର ପାତ୍ର ଆଉ ମନ୍ତ୍ରୀ ।

ସନ୍ଧ୍ୟା ସମୟରେ ଚାରି କାର୍ଯ୍ୟ କରିବୁ ବର୍ଜନ

ଭୋଜନ, ବିଦ୍ୟା, ଶୟନ, ମୈଥୁନ ।

ଭୋଜନ କଲେ ବାବୁରେ ରୋଗ ଜାତ ହୋଇ

ବିଦ୍ୟା ପଢିଲେ ଧନରେ ମୁର୍ଖ ଦୋଷ ଯାଇ ।

ଏୟନ କଲେରେ ଲକ୍ଷ୍ମୀ ଯାନ୍ତି ଦୂର ହୋଇ

ମୈଥୁନ କଲେ ବାବୁରେ ଅଳ୍ପାୟୁଷ ହୋଇ ।

ମାତା ପିତା ବିଦ୍ୟାଦାତା ଶ୍ରୀଗୁରୁ ବ୍ରାହ୍ମଣ

ଏମାନେ ଦୋଷ କଲେରେ ନଦଣ୍ଡିବୁ ଜାଣ ।

ମାତା ପିତାଙ୍କୁ କେବେ ନକହିବୁ ତୋର ବାଧକ ବଚନ

ଏମାନେ ଅଟନ୍ତି ଏ ଯୁଗର ଚଳନ୍ତି ନାରାୟଣ ।

ପହିଲି ଦୋଷ କଲେରେ କାଟିବୁ ତା କେଶ

ବନ୍ଧୁ ଲୋକ ଦୋଷ କଲେ ନଧରିବୁ ଦୋଷ ।

ଶଳା ଦୋଷ କଲେରେ ତାକୁ ପାଶେ ନରଖିବୁ

ଝିଅ ଦୋଷ କଲେ ବାବୁରେ ତାର ମୁଖ ନଚାହିିଁବୁ ।

ଭାଇ ଦୋଷ କଲେ ବାବୁରେ ତାକୁ ଭିନ୍ନ କରିଦେବୁ

ଭାର୍ଯ୍ୟା ଦୋଷ କଲେ ବାବୁ ଶଯ୍ୟା ଅଲଗା କରିବୁ ।

ପଡ଼ୋଶି ଦୋଷ କଲେ ତାଙ୍କୁ ପ୍ରଶଂସା କରିବୁ

ପୁତ୍ର ଦୋଷ କଲେ ବାବୁ ଆପଣେ ଦଣ୍ଡିବୁ ।

ଆମ୍ଭେଟି ଅସୁରରେ ସର୍ବଦା ମାହାବଳି

ଦେବଙ୍କ ସହିତେ ଆମ୍ଭର ଧନରେ ସର୍ବଦାଟି କଳି ।

ତାହାଙ୍କୁ କଦାଚିତେ ଧନରେ ତୁ ନଯିବୁ ବିଶ୍ୱାସ

ଦେବତାଙ୍କ ଠାକୁର ମୋ ଧନରେ ୟାଙ୍କ ନାମ ହୃଷିକେଶ ।

ତାଙ୍କୁ ଭକ୍ତି ବାବୁରେ ନକରିବୁ କଦାଚିତେ

ଦୃଢକରି କହିଲି ଧନରେ ଘେନ ମୋର ଚିତ୍ତେ ।

ସ୍ତିରୀ ମାନଙ୍କୁ କେବେ ନକହିବୁ ତୋର ଗୁପତ ବିଚାର

କେବେ ନଛାଡିବୁ ଧନରେ ନିଜ କୂଳର ଆଚାର ।

ଏବେ ଯାଉଅଛି ଧନରେ ମୁଁ ଯୁଦ୍ଧ କରିବାକୁ

ଅନ୍ତଃପୁରେ ଯାଇ ପ୍ରବୋଧ ମାତାଙ୍କୁ ।

ଏତେ କଥା ବିଚାରି କରିବୁ ରାଜପଣ

ତୋତେ ରାଜ୍ୟଭାର ଦେଇ ଧନରେ ରହିଲି ନିଷ୍କଣ୍ଟେଣ ।

 

ଏହିଭଳି ଭାବରେ ରାଜନୀତି ଶିକ୍ଷା ପ୍ରଦାନ କରି ପୁତ୍ର ପ୍ରହ୍ଲାଦ ଓ ପ୍ରାଣପ୍ରିୟା ପତ୍ନୀ ଲୀଳାବତୀଙ୍କ ନିକଟରୁ ବିଦାୟ ନେଇ ରାଜା ହିରଣ୍ୟକଶିପୁ ଯୁଦ୍ଧ କରିବା ନିମନ୍ତେ ଅଗ୍ରସର ହୁଅନ୍ତି ଏବଂ ଯୁଦ୍ଧରେ ପରାସ୍ତ ହେବା ସହ ନିହତ ହୁଅନ୍ତି । ପରିଶେଷରେ ସମସ୍ତେ ପ୍ରଭୁ ନରସିଂହଙ୍କୁ ପ୍ରାର୍ଥନା ପୂର୍ବକ ଶାନ୍ତ କରାନ୍ତି ଏବଂ ନାଟକର ସମାପ୍ତି ଘଟେ ।

ରାଜା ହିରଣ୍ୟକଶିପୁ ପ୍ରହ୍ଲାଦ ପ୍ରତି ନାନାବିଧ କଠୋର ଦଣ୍ଡବିଧାନଠାରୁ ଆରମ୍ଭ କରି ହିରଣ୍ୟକଶିପୁର ମୃତ୍ୟୁ ପର୍ଯ୍ୟନ୍ତ ଅତ୍ୟନ୍ତ ଦୁଃଖଦ, ଭାବପୂର୍ଣ୍ଣ ତଥା ରୋମାଞ୍ଚକର ଅନୁଭୂତ ହୋଇଥାଏ । ଗୋଟିଏ ପଟରେ ରାଜାଙ୍କର ଦଣ୍ଡବିଧାନ, ନିଷ୍ଠୁର ତଥା କର୍କଷ ବଚନର ପ୍ରୟୋଗ ତଥା ହରିଭକ୍ତ ପୁତ୍ରପ୍ରତି ନିର୍ମମ ଅତ୍ୟାଚାର ଅପର ପକ୍ଷରେ ପ୍ରହ୍ଲାଦକୁ ପିତାଙ୍କ ପ୍ରଦତ୍ତ ଦଣ୍ଡରୁ ମୁକ୍ତି ପାଇବା ନିମନ୍ତେ ଶ୍ରୀହରିଙ୍କୁ ଆକୁଳ ନିବେଦନ ତତ୍ ସହିତ ମାତା ଲୀଳାବତୀଙ୍କ ପୁତ୍ରଶୋକ ଦର୍ଶକ ମାନଙ୍କୁ ସଫଳତାର ସହ ବାନ୍ଧି ରଖିଥାଏ । ପୁନଶ୍ଚ ଶେଷ ଦୃଶ୍ୟର ନୃସିଂହ ଭେଟ ଦର୍ଶକ ମାନଙ୍କର ସବୁଠାରୁ ଅଧିକ ପ୍ରତିକ୍ଷିତ ଦୃଶ୍ୟ ଅଟେ । ଏହି ଦୃଶ୍ୟରେ ଦୈତ୍ୟରାଜା ହିରଣ୍ୟକଶିପୁଙ୍କ କ୍ରୋଧ ଜର୍ଜରିତ ରୌଦ୍ର ଅଭିନୟ, ପୁତ୍ର ପ୍ରତି ନିର୍ମମ ଅତ୍ୟାଚାର, ପ୍ରହ୍ଲାଦର ଆକୁଳ ପ୍ରାର୍ଥନା ଓ ଭକ୍ତିରୁ ଶ୍ରୀହରିଙ୍କ ସ୍ତମ୍ବ ମଧ୍ୟରୁ ଆବିର୍ଭାବ ବାସ୍ତବରେ ଏ ଦୃଶ୍ୟରେ କରୁଣ ଭାବାବେଗ ସୃଷ୍ଟି କରିଥାଏ । ପୁରା ମଞ୍ଚରେ ଦର୍ଶକମାନେ ଅପଲକ ନୟନରେ ଚାହିିଁଥାନ୍ତି ସ୍ତମ୍ବ ମଧ୍ୟରୁ କେତେବେଳେ ଶ୍ରୀହରି ଆବିର୍ଭୁତ ହେବେ ? ସେମାନଙ୍କ ମନରେ ପ୍ରଶ୍ନ ସୃଷ୍ଟି ହେଉଥାଏ ନରସିଂହ କ’ଣ ସତରେ ହିରଣ୍ୟକଶିପୁଙ୍କୁ ମାରିଦେବେ ? ସବାଶେଷରେ ନାଟକରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜଣେ ସ୍ୱେଚ୍ଛାଚାରୀ, ହରିକଣ୍ଟକ, କ୍ରୋଧି ରାଜାର ଅଭିନୟ କରିଆସୁଥିବା ହିରଣ୍ୟକଶିପୁ ଯେତେବେଳେ ନୃସିଂହଙ୍କୁ ଦର୍ଶନ କରି ନିଜ କଲା କର୍ମ ପାଇଁ ଅନୁତାପ କରନ୍ତି, ଜୀବନ ସାରା ନିର୍ଯ୍ୟାତନା ଦେଇ ଆସିଥିବା ପୁତ୍ର ପ୍ରହ୍ଲାଦକୁ କୋଳରେ ଧରି ଦୁଃଖରେ ଭାଙ୍ଗି ପଡ଼ନ୍ତି, ଏପରିକି ଲୋତକାଛନ୍ନ ନୟନରେ ପୁତ୍ରକୁ ରାଜ୍ୟ ଶାସନ ଭାର ପ୍ରଦାନ ସହ ରାଜନୀତି ଶିକ୍ଷା ପ୍ରଦାନ କରନ୍ତି ତାହା ଅତ୍ୟନ୍ତ ହୃଦୟସ୍ପର୍ଷି ହୋଇଥାଏ । ଜଣେ ଦର୍ଶକର ସ୍ଥାନରେ ଗାଁ ଦାଣ୍ଡରେ ବସି ନଦେଖିଲେ ଏକଥାକୁ ବିଶ୍ୱାସ କରିହେବନି । ପୂରାଣର ବିଷୟ ବସ୍ତୁକୁ ନାଟକ ମାଧ୍ୟମରେ ପରିବେଷଣ କଲେ ମଧ୍ୟ ନାଟକରେ ନୃସିଂହ ଚରିତ୍ରର ଆବିର୍ଭାବ ପୂର୍ବରୁ ଯଥାପୂର୍ବକ ଧର୍ମିୟ ରୀତିନୀତି ଅନୁସରଣ କରି ନୃସିଂହ ପୁଜନ କାର୍ଯ୍ୟ କରାଯାଇଥାଏ ।

 

ପ୍ରହ୍ଲାଦ ନାଟକର ଚରିତ୍ର

ପାଶ୍ଚାତ୍ୟ ନାଟ୍ୟ ତତ୍ୱାନୂସାରେ ସାଧାରଣତଃ କାହାଣୀ, ଚରିତ୍ର, ସଂଳାପ, ଦ୍ୱନ୍ଦ, ଦୃଶ୍ୟ ତଥା ସଂଗୀତକୁ ନାଟକର ଷଢ଼ ଉପାଦାନ ଭାବରେ ଗ୍ରହଣ କରାଯାଏ । ଏମାନଙ୍କ ମଧ୍ୟରୁ ଚରିତ୍ର ଏକ ପ୍ରମୂଖ ଉପାଦାନ ଅଟେ । ଭାରତୀୟ ନାଟ୍ୟ ପରମ୍ପରାର ବ୍ୟାକରଣ ଅନୂସାରେ ନାଟକୀୟ ବିଷୟବସ୍ତୁ ଯେଉଁ ପ୍ରମୂଖ ମାଧ୍ୟମ ସହାୟତାରେ ମୁଖ, ପ୍ରତିମୁଖ, ଗର୍ଭ, ବିମର୍ଷ ଓ ନିର୍ବହଣରେ ପହଞ୍ଚି ନାଟକକୁ ପୂଣ୍ଣତା ପ୍ରଦାନ କରିଥାଏ ତାକୁ ଚରିତ୍ର କୁହାଯାଏ । ନାଟକରେ ଗୁରୁତ୍ୱକୁ ଆଧାର କରି ଏହି ଚରିତ୍ର ମାନଙ୍କୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି । ସେଗୁଡି଼କ ହେଲା ଯଥା :- ୧. ମୁଖ୍ୟ ଚରିତ୍ର ୨. ଗୌଣ ଚରି଼ତ୍ର ।

 

୧. ମୁଖ୍ୟ ଚରିତ୍ର

ପ୍ରହ୍ଲାଦ ନାଟକରେ ବା ରଜା ନାଟକରେ ମୁଖ୍ୟ ଚରିତ୍ର ହିସାବରେ ସାଧାରଣତଃ ହିରଣ୍ୟକଶିପୁ, ପ୍ରହ୍ଲାଦ, ଲୀଳାବତୀ, ନରସିଂହ ଆଦି ଚରିତ୍ରକୁ ମୁଖ୍ୟ ଚରିତ୍ର ଭାବରେ ଗ୍ରହଣ କରାଯାଇଥାଏ । କାରଣ ପ୍ରାରମ୍ଭରୁ ସମାପ୍ତି ପର୍ଯ୍ୟନ୍ତ ଏ ସମସ୍ତ ଚରିତ୍ର ମାନଙ୍କୁ ଆଧାରକରି ନାଟକ ଗତିଶୀଳ ହୋଇଥାଏ ।

 

୨. ଗୌଣ ଚରିତ୍ର

ନାଟକର ଲକ୍ଷ ସାଧନ ତଥା ସିଦ୍ଧି ପ୍ରାପ୍ତିରେ ମୁଖ୍ୟ ଚରିତ୍ରକୁ ସହାୟତା କରୁଥିବା କ୍ଷୁଦ୍ର ଚରିତ୍ର ମାନଙ୍କୁ ଗୌଣ ଚରିତ୍ର କୁହାଯାଇଥାଏ । ଏହି ଭଳି ବହୁ ଗୌଣ ଚରିତ୍ରର ଉପସ୍ଥିତି ପ୍ରହ୍ଲାଦ ନାଟକରେ ଦେଖିବାକୁ ମିଳେ । ସେମାନେ ହେଲେ ଯଥା :- ବିଘ୍ନେଶ୍ୱର, ଗାହାକ, ସୂତ୍ରଧର, ମନ୍ତ୍ର୍ରୀ, ଦୁଆରୀ, ବେତ୍ରହସ୍ତ, ଶୁକ୍ରାଚାର୍ଯ୍ୟ, ଚଣ୍ଡମାର୍କ, ଚାର, ଇନ୍ଦ୍ର, ନାରଦ, ଧାଇ, ଦାସୀ, ମାହୁନ୍ତ, ଦୈତ୍ୟବୀର, ଭୂ-ଦେବୀ, କପଟି ଦୈତ୍ୟ, ମଲ୍ଲ, ସାପୁଆ, ସାପୁଆଣୀ, ବିଷଦାୟକ, ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଓ ମହାଲକ୍ଷ୍ମୀ ।

 

ମଞ୍ଚ

ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରହ୍ଲାଦ ନାଟକ ସାଧାରଣତଃ ଗାଁ ସାହି ମଝିରାସ୍ତାରେ କିମ୍ବା ମନ୍ଦିର ପ୍ରାଙ୍ଗଣରେ ପରିବେଷିତ ହେଉଥିଲା । ଯାତ୍ରା କିମ୍ବା ଅନ୍ୟାନ୍ୟ ଲୋକନାଟକ ଗୁଡିକ ଭଳି ପ୍ରହ୍ଲାଦ ନାଟକ ବା ରଜା ନାଟକର ମଞ୍ଚ ଅତ୍ୟାଧିକ ସାଜସଜ୍ଜା ଉପରେ ନିର୍ଭର କରେ ନାହିିଁ । ଏହି ଲୋକ ନାଟକରେ ପୁରା ସରଳ, ନିରାଡ଼ମ୍ବର ମଞ୍ଚସଜ୍ଜାର ପ୍ରୟୋଗ ଦେଖିବାକୁ ମିଳେ । ମୁଖ୍ୟତଃ ଏକ ଆଠ ଫୁଟ ଉଚ୍ଚ ଏବଂ ଦଶଫୁଟ ଓସାରର ପାଞ୍ଚଟି ପାବଚ୍ଛ ବିଶିଷ୍ଟ ଏକ ମଞ୍ଚାକୁ ଏହାର ମଞ୍ଚ ଭାବରେ ବ୍ୟବହାର କରାଯାଇଥାଏ ।ଏହାର ସର୍ବୋପରେ ରାଜା ହିରଣ୍ୟକଶିପୁଙ୍କ ସିଂହାସନ ଭାବରେ ଏକ ଚୌକି ବ୍ୟବହାର କରାଯାଇଥାଏ । କାଷ୍ଠ ନିର୍ମିତ ପାବଚ୍ଛାକାର ମଞ୍ଚର ବାମ କିମ୍ବା ଦକ୍ଷିଣ ପାଶ୍ୱର୍ରେ ସଙ୍ଗୀତ ପରିବେଷଣ ନିମନ୍ତେ ଗାୟକ, ବାହାକ ଏବଂ ସଙ୍ଗୀତରେ ସହଯୋଗ କରୁଥିବା କଳାକାରମାନେ ବସିଥାନ୍ତି । ମଞ୍ଚର ସମ୍ମୁଖ ଭାଗ ବିଶେଷକରି ପଚାଶ ରୁ ଷାଠିଏ ଫୁଟ ଦୈର୍ଘ୍ୟ ଏବଂ ପନ୍ଦର ଫୁଟ ପ୍ରସ୍ଥ ବିଶିଷ୍ଟ ଦୀର୍ଘ କ୍ଷେତ୍ରକୁ ରଙ୍ଗପୀଠ ଭାବରେ ବ୍ୟବହାର କରାଯାଇଥାଏ । ତତ୍ ସହିତ ମଞ୍ଚଠାରୁ ପଚାଶ ଫୁଟ ଦୂରରେ ଏହାର ସମ୍ମୁଖ ଭାଗରେ ଏକ ସ୍ତମ୍ବର ପ୍ରସ୍ତୁତି କରାଯାଇଥାଏ ।ଏହା ବିଶେଷକରି ବାଉଁଶ ଓ ନୁଆଁ ଧୋତି ସହାୟତାରେ କରାଯାଇଥାଏ । ଆଜିକାଲି ଏହା ଲୁହା ପାଇପ୍ ସହାୟତାରେ ପ୍ରସ୍ତୁତ କରାଗଲାଣି । ଯେଉଁଥିରୁ ନୃସିଂହ ନାଟକର ଶେଷ ପର୍ଯ୍ୟାୟରେ ଆବିର୍ଭୁତ ହୋଇ ବାହାରି ଆସନ୍ତି । ପ୍ରହ୍ଲାଦ ନାଟକର ପରିବେଷଣ ନିମନ୍ତେ ଏହିଭଳି ଉପରବର୍ଣ୍ଣିତ ମଞ୍ଚର ବ୍ୟବହାର ଏହି ଲୋକ ନାଟକର ଜନ୍ମରୁ ଆଜି ପର୍ଯ୍ୟନ୍ତ କରାଯାଇଆସୁଛି । ଏତଦ୍ବ୍ୟତିତ ଅନ୍ୟ କୌଣସି ମଞ୍ଚ ପ୍ରସ୍ତୁତି ଏହି ଲୋକ ନାଟକରେ ଦେଖିବାକୁ ମିଳେନାହିଁ । ଯେହେତୁ ଏହି ନାଟକ ରାତିରେ ପରିବେଷିତ ହୋଇଥାଏ ତେଣୁ ଉଚ୍ଚ କ୍ଷମତା ବିଶିଷ୍ଟ ହାଲୋଜେନ୍ ଲାଇଟ୍ର ବ୍ୟବହାର ଏଥିରେ ଦେଖିବାକୁ ମିଳିଥାଏ । ଆଧୁନିକ ସମୟର ଏକମୁଖି ନାଟ୍ୟମଞ୍ଚ କିମ୍ବା ଯାତ୍ରା ଭଳି ବ୍ୟବସାୟିକ ଲୋକନାଟକ ମଞ୍ଚରେ ଯେଉଁଭଳି ଭାବରେ ମାତ୍ରାଧିକ ଆଲୋକ ସଜ୍ଜା ଦେଖିବାକୁ ମିଳେ ସେହିଭଳି ସାଜସଜ୍ଜା ପ୍ରହ୍ଲାଦ ନାଟକରେ ଦେଖିବାକୁ ମିଳେନାହିଁ । ବିଦ୍ୟୁତ୍ ଆଲୋକର ବ୍ୟବହାର ପୂର୍ବରୁ ପେଟ୍ରୋମାକ୍ସ ଲାଇଟ୍, କିରୋସିନ୍ ବତୀ କିମ୍ବା ମଶାଲ ସହାୟତାରେ ଏହାର ଆଲୋକ ସମ୍ପାଦନା କରାଯାଉଥିଲା ।

 

ସଙ୍ଗୀତ

ପ୍ରହ୍ଲାଦ ନାଟକ ଏକ ସଙ୍ଗୀତ ଓ ନୃତ୍ୟ ପ୍ରଧାନ ଲୋକନାଟକ ଅଟେ । ଏହା ବିଶେଷ କରି ମଧ୍ୟଯୁଗୀୟ ଓଡି଼ଆ ସାହିତ୍ୟର ଶେଷ ପର୍ଯ୍ୟାୟରେ ଏବଂ ଆଧୁନିକ ଯୁଗୀୟ ଓଡି଼ଆ ସାହିତ୍ୟର ପ୍ରାରମ୍ଭିକ ପର୍ଯ୍ୟାୟରେ ଅର୍ଥାତ୍ ୧୮୫୦ ବେଳକୁ ଆନ୍ଧ୍ର ପ୍ରଦେଶର ସାମନ୍ତ ଶାସିତ ଗଡ଼ଜାତ ରାଜ୍ୟ ଜଳନ୍ତରରୁ ଜନ୍ମଲାଭ କରିଥିଲା । ତେଣୁ ଏହାର ପରିବେଷଣରେ ଦକ୍ଷିଣ ଭାରତୀୟ ନୃତ୍ୟ, ସଙ୍ଗୀତ, ବାଦ୍ୟ ତଥା ସଂଳାପ ପରିବେଷଣ ଶୈଳୀର ପ୍ରଭାବ ଦେଖିବାକୁ ମିଳେ । ଏପରିକି ପ୍ରହ୍ଲାଦ ନାଟକରେ ବ୍ୟବହୃତ ବହୁ ଗୀତ ଦକ୍ଷିଣ ଭାରତୀୟ କର୍ଣ୍ଣାଟକୀ ସଙ୍ଗୀତର ରାଗ ଆଧାରରେ ରଚିତ ହୋଇଥିବାର ଦେଖିବାକୁ ମିଳେ । ରାଜା ରାମକୃଷ୍ଣ ଛୋଟରାୟଙ୍କ ରଚିତ ସଙ୍ଗୀତ ପ୍ରହ୍ଲାଦ ନାଟକର ଶୈଳୀକୁ ଆଲୋଚନା କଲେ ଜଣାଯାଏ ଯେ ଏଥିରେ ବୟାଳିଶି ଗୋଟି ସଂସ୍କୃତ ଶ୍ଲୋକ, ଏଗାରଟି ଓଡି଼ଆ ଗୀତ, ଚଉତିରିଶି ଗୋଟି ହିନ୍ଦୁସ୍ଥାନୀ, କର୍ଣ୍ଣାଟକୀ ତଥା ଓଡି଼ଶୀ ରାଗ ଏବଂ ଛ ଗୋଟି ତାଳର ପ୍ରୟୋଗ କରାଯାଇଛି ।

ପ୍ରହ୍ଲାଦ ନାଟକରେ ବ୍ୟବହୃତ ରାଗ

୧. ଭୈରବୀ ୨. କଲ୍ୟାଣୀ ୩. ଶାବେରୀ ୪. ଖମାଚ ୫. ଝିଞ୍ଜୋଟି ୬. ପୁରି ୭. କଲ୍ୟାଣୀ ଆହାରୀ ୮. ମରୁଆ ୯. ଶଙ୍କରାଭରଣ ୧୦. ଅରୂପ ୧୧. ନାଦ ରାମତ୍ରିୟ ୧୨. ସାହାନା ୧୩. ପୁନ୍ନାଗ ମରୁଆ ୧୪. ନଟ ୧୫. ପନ୍ତବରାଳୀ ୧୬. ହିନ୍ଦୁସ୍ଥାନୀ ତୋଡ଼ି ୧୭. ଘଣ୍ଟରବ ୧୮. କାମୋଦି ୧୯. ସ୍ରୋତ ୨୦. ରେଗୁଣ୍ଡ ୨୧. ସିନ୍ଧୁ ଖମାଚ ୨୨. ଆରଭି ୨୩. ଯମୁନା କଲ୍ୟାଣୀ ୨୪. ବିହାଗ ୨୫. କେଦାରଗୌଡ଼ା ୨୬. ଦେଶିୟା ଖମାଚ ୨୭. ନବରଜ୍ଜୁ ୨୮. ପୁରୀ କଲ୍ୟାଣୀ ୨୯. ଆଶାବରୀ ୩୦. ଆହାରୀ ୩୧. ତୋଡ଼ି ପୁନ୍ନାଗ ୩୨. ମୁଖାରୀ ୩୩. ଦେଶ୍ ୩୪. ଦେଶିୟ ତୋଡି଼ ।

 

ପ୍ରହ୍ଲାଦ ନାଟକର ସଙ୍ଗୀତରେ ବ୍ୟବହୃତ ତାଳ

ଉପରବର୍ଣ୍ଣିତ ତଥ୍ୟ ଅନୂସାରେ ପ୍ରହ୍ଲାଦ ନାଟକର ପରିବେଷଣରେ ସାଧାରଣତଃ ଛ ଗୋଟି ତାଳର ବ୍ୟବହାର ଦେଖିବାକୁ ମିଳେ । ସେଗୁଡି଼କ ହେଲା ଯଥା :- ୧. ଆଠ ତାଳ ୨. ଏକ ତାଳ ୩. ଆଦି ତାଳ ୪. ରୂପକ ତାଳ ୫. ଝୂଲା ତାଳ ୬. ଆଟ୍ଟ ତାଳ ।

ପ୍ରହ୍ଲାଦ ନାଟକରେ ବ୍ୟବହୃତ ବାଦ୍ୟଯନ୍ତ୍ର

ମୁଖ୍ୟତଃ ଦକ୍ଷିଣୀ ମର୍ଦ୍ଦଳ, ଗିନି, ତୁରୀ, ମଞ୍ଜିରା, ରାମତାଳି ଏବଂ ହାର୍ମୋନିୟମ୍ ଆଦି ବାଦ୍ୟଯନ୍ତ୍ରର ପ୍ରୟୋଗ ପ୍ରହ୍ଲାଦ ନାଟକର ସଙ୍ଗୀତ କ୍ଷେତ୍ରରେ ବ୍ୟବହାର କରାଯାଇଥାଏ । ବେଳେବେଳେ ବହୁବିଧ ଲୋକଗୀତ ଓ ଲୋକନୃତ୍ୟର ପ୍ରଦର୍ଶନ ପ୍ରହ୍ଲାଦ ନାଟକରେ ଗୌଣ ଚରିତ୍ର ଯଥା ସାପୁଆ, ସାପୁଆଣୀ, କେଳା, କେଳୁଣୀ, ଶବର, ଶବରୁଣୀ, ବିଷଦାୟକ ଆଦି ଚରିତ୍ର ମାନଙ୍କ ଦ୍ୱାରା ଦେଖିବାକୁ ମିଳିଥାଏ ।

ପୋଷାକ ଓ ମୁଖସଜ୍ଜା

ପ୍ରହ୍ଲାଦ ନାଟକର ପରିବେଷଣକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ସେଥିରେ ସାଧାରଣତଃ ଦୁଇ ପ୍ରକାର ବେଶ ପୋଷାକର ପରିକଳ୍ପନା ଦେଖିବାକୁ ମିଳିଥାଏ ଯଥା :- ୧. ଦକ୍ଷିଣ ଭାରତୀୟ ୨. ଆଞ୍ଚଳିକ । ବିଶେଷତଃ ହିରଣ୍ୟକଶିପୁ, ଲୀଳାବତୀ ଏବଂ ପ୍ରହ୍ଲାଦ ଆଦି ନାଟକର ମୁଖ୍ୟ ଚରିତ୍ର ମାନଙ୍କ ମୁଖସଜ୍ଜା ଓ ବେଶପୋଷାକ ପରିଧାନ କେରଳର କଥକଳୀ କିମ୍ବା ତାମିଲ୍ନାଡ଼ୁର ଥେରୁକୁଟ୍ଟୁ ସହ ସାଦୃଶ୍ୟ ବହନ କରିଥାଏ । ଅପରପକ୍ଷରେ ପ୍ରହ୍ଲାଦ ନାଟକର ଗୌଣ ଚରିତ୍ର ମାନଙ୍କର ଯଥା :- ଶୁକ୍ରାଚାର୍ଯ୍ୟ, ଚଣ୍ଡମାର୍କ, ସାପୁଆ, ସାପୁଆଣୀ ତଥା ଅନ୍ୟ ମାନଙ୍କର ଆଞ୍ଚଳିକ ଶୈଳୀର ବେଶପୋଷାକର ପରିକଳ୍ପନା ଓ ପ୍ରୟୋଗ ଦେଖିବାକୁ ମିଳିଥାଏ । ଏହି ଲୋକ ନାଟକର ଅନ୍ୟତମ ମୁଖ୍ୟ ଚରିତ୍ର ନରସିଂହଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ । ଏହି ଚରିତ୍ରର ବେଶ ପୋଷାକ କ୍ଷେତ୍ରରେ ଦେହରେ ଧୋତି କିମ୍ବା ମଠା ତତ୍ ସହିତ କାନ୍ଧରେ ଉତ୍ତରୀୟ ଏବଂ ମୁଣ୍ଡରେ ଏକ ଦୀର୍ଘାକୃତିର ପ୍ରଭୁ ନରସିଂହଙ୍କ ମୁଖାର ବ୍ୟବହାର କରାଯାଇଥାଏ । ଏହି ମୁଖା କୌଣସି ଚି଼ତ୍ରାଳୟରୁ ଅଣାଯାଇନଥାଏ । ଏହା ସେହି ଗ୍ରାମର କିମ୍ବା ନିକଟସ୍ଥ ଯେକୌଣସି ନୃସିଂହ ମନ୍ଦିରରେ ପୂଜା ପାଉଥିବା ଧର୍ମୀୟ ପରମ୍ପରା ଆଧାରିତ ମୁଖା ହୋଇଥାଏ । ଏହାକୁ ନାଟକରେ ମଧ୍ୟ ଯଥାବିଧି ଧର୍ମୀୟ ରୀତିକୁ ଆଧାର କରି ପୂଜା କରି ବ୍ୟବହାର କରାଯାଇଥାଏ । ନାଟକର ପ୍ରାରମ୍ଭରୁ ମଧ୍ୟ ଏହାକୁ ବେଶଗୃହରେ ରଖି ଯଥାବିଧି ପୂଜାପାଠ କରାଯାଇଥାଏ । ଏପରିକି ବର୍ଷର ଅନ୍ୟାନ୍ୟ ସମୟ ମାନଙ୍କରେ ଏହି ମୁଖାକୁ ନୃସିଂହ ମହାପ୍ରଭୁଙ୍କ ପ୍ରତୀକ ଭାବରେ ନୃସିଂହ, ଜଗନ୍ନାଥ, ରଘୁନାଥ, ଗୋପୀନାଥ କିମ୍ବା ରାଧାକୃଷ୍ଣ ମନ୍ଦିରରେ ରଖି ଏହାକୁ ପୁଜା କରାଯାଇଥାଏ ।

ପ୍ରହ୍ଲାଦ ନାଟକର ପରିବେଷଣ ଅବଧି

ପ୍ରଥମରେ ଏହି ନାଟକ ସାତଦିନ ଓ ସାତରାତି ଧରି କ୍ରମାଗତ ଭାବରେ ପରିବେଷିତ ହୋଇଆସୁଥିଲା । ଧିରେଧିରେ ଏହାର ପରିବେଷଣ ତିନି ଦିନ ତିନି ରାତିକୁ କମିଗଲା । ଆଧୁନିକତା ଓ ଶିଳ୍ପାୟନର ପ୍ରଭାବରେ ମନୁଷ୍ୟର ଜୀବନଶୈଳୀ ପରିବର୍ତ୍ତିତ ହେଲା । ମନୁଷ୍ୟ ଅବସର ସମୟକୁ ଆମୋଦପ୍ରମୋଦରେ ଖର୍ଚ୍ଚ ନକରି ସେ ନିଜର ବ୍ୟକ୍ତିଗତ ସମୃଦ୍ଧିରେ ଉପଯୋଗ କରିବାକୁ ଇଛା ପ୍ରକାଶ କଲା । ଫଳସ୍ୱରୁପ ଲୋକମାନେ ତିନିଦିନ ତିନିରାତି ଧରି ପରିବେଷିତ ହେଉଥିବା ଲୋକନାଟକୁ ଦେଖିବାକୁ ଆଗ୍ରହ ପ୍ରକାଶ କଲେନାହିଁ । ତେଣୁ ଏହାର ପରିବେଷଣ ଅବଧି ତିନିରାତ୍ରିରୁ ଗୋଟିଏ ରାତ୍ରିକୁ କମି ଆସିଲା । ବର୍ତ୍ତମାନ ସମୟରେ ସାଧାରଣତଃ ଏହାର ପରିବେଷଣ ଅବଧି ବାର ଘଣ୍ଟାରୁ ପନ୍ଦର ଘଣ୍ଟା ମଧ୍ୟରେ ସୀମିତ ଅଛି । ସାଧାରଣତଃ ଗାଁ ମାନଙ୍କରେ ଏହାର ପରିବେଷଣ ସନ୍ଧ୍ୟା ସାତଟା କିମ୍ବା ଆଠଟାରୁ ଆରମ୍ଭ ହୋଇ ତା ପରଦିନ ସକାଳ ଆଠଟା କିମ୍ବା ନଅଟାରେ ସମାପ୍ତ ହୋଇଥାଏ ।

ଯେତେବେଳେ ପ୍ରହ୍ଲାଦ ନାଟକ ସାତ ଦିନ ସାତ ରାତି ଧରି କ୍ରମାଗତ ଭାବରେ ପରିବେଷିତ ହେଉଥିଲା ସେତେବେଳେ ତାର ବିଷୟବସ୍ତୁକୁ ନିମ୍ନମତେ ବିଭକ୍ତ କରାଯାଇଥିଲା ।

୧. ହିରଣ୍ୟକଶିପୁର ତପସ୍ୟା

୨. ପ୍ରହ୍ଲାଦର ଜନ୍ମ

୩. ପ୍ରହ୍ଲାଦର ଶିକ୍ଷା

୪. ଗଜକର୍ଣ୍ଣବୀର ଓ ମତ୍ତହସ୍ତୀ ମାଧ୍ୟମରେ ପ୍ରହ୍ଲାଦକୁ ଦଣ୍ଡବିଧାନ

୫. ପର୍ବତ ଶିଖରରୁ ଫୋପାଡି଼ ପ୍ରହ୍ଲାଦକୁ ହତ୍ୟା କରିବା ଏବଂ ଭୂଦେବୀଙ୍କ ନିକଟରେ ବଳୀ ପ୍ରଦାନ

୬. ପ୍ରହ୍ଲାଦକୁ ଅଗ୍ନି ଦଣ୍ଡ, ସର୍ପ ଦଣ୍ଡ ଭଳି ବହୁବିଧ ଦଣ୍ଡ ପ୍ରଦାନ

୭. ହିରଣ୍ୟକଶିପୁର ନିଧନ

ପୁଣି ଯେତେବେଳେ ପ୍ରହ୍ଲାଦ ନାଟକର ପରିବେଷଣ ଅବଧି ସାତ ଦିନ ସାତ ରାତିରୁ ତିନି ରାତିକୁ କମି ଆସିଲା ସେତେବେଳେ ଏହି ନାଟକର ବିଷୟବସ୍ତୁକୁ ନିମ୍ନମତେ ତିନି ଦିନରେ ତିନି ଭାଗ କରି ପରିବେଷଣ କରାଗଲା ।

୧. ମଙ୍ଗଳାଚରଣଠାରୁ ପ୍ରହ୍ଲାଦ ଜନ୍ମ

୨. ପ୍ରହ୍ଲାଦର ବିଦ୍ୟାଶିକ୍ଷାଠାରୁ ଚଣ୍ଡୀଙ୍କ ନିକଟରେ ବଳୀ ପର୍ଯ୍ୟନ୍ତ

୩. ପ୍ରହ୍ଲାଦକୁ ନାନାବିଧ ଦଣ୍ଡ ପ୍ରଦାନଠାରୁ ହିରଣ୍ୟକଶିପୁର ନିଧନ

ପ୍ରହ୍ଲାଦ ନାଟକର ରଚୟିତା

୧. ରାଜା ରାମକୃଷ୍ଣ ଛୋଟରାୟ

ଜଳନ୍ତର, ଶ୍ରୀକାକୁଲମ୍, ଆନ୍ଧ୍ରପ୍ରଦେଶ ।

୨. ରାଜା ରାମଚନ୍ଦ୍ର ଶୂରଦେଓ

ତରଳା, ଶ୍ରୀକାକୁଲମ୍, ଆନ୍ଧ୍ରପ୍ରଦେଶ ।

୩. ରାଜା ପଦ୍ମନାଭ ନାରାୟଣ ଦେବ

ପାରଳାଖେମୁଣ୍ଡି, ଗଜପତି, ଓଡି଼ଶା ।

୪. ରାଜା କିଶୋର ଚନ୍ଦ୍ର ଜଗଦ୍ଦେବ

ରାଜା ହରିଚନ୍ଦନ ଜଗଦ୍ଦେବ

ସୁରଙ୍ଗି, ପାତ୍ରପୁର, ଗଞ୍ଜାମ, ଓଡି଼ଶା ।

୫. ରାଜା ମଦନ ମୋହନ ସିଂଦେଓ

ଧରାକୋଟ, ଗଞ୍ଜାମ, ଓଡି଼ଶା ।

୬. ଗୁରୁ ବିଶ୍ୱବିହାରୀ ଖାଡ଼େଙ୍ଗା

ସଦାଶିବପୁର ଶାସନ, ବାଲିପଦର, ଗଞ୍ଜାମ, ଓଡି଼ଶା ।

ପ୍ରହ୍ଲାଦ ନାଟକର ପ୍ରମୂଖ ଗୁରୁ ଓ ପ୍ରଚାରକ

ରାଜା ରାମକୃଷ୍ଣ ଛୋଟରାୟଙ୍କ ଉଦ୍ୟମରେ ଯେତେବେଳେ ଜଳନ୍ତର ରାଜଦରବାରରେ ପ୍ରହ୍ଲାଦ ନାଟକର ପ୍ରଥମ ପରିବେଷଣ ହେଲା ସେତେବେଳେ ଦୁର୍ଭାଗ୍ୟବଶତଃ ତାଙ୍କ ସାନଭାଇଙ୍କ ନାଟ୍ୟମଞ୍ଚରେ ନିଧନ ହେଲା ତା ପରଠାରୁ ଏହାର ପରିବେଷଣ ଦୀର୍ଘଦିନ ପର୍ଯ୍ୟନ୍ତ ବନ୍ଦ ରହିଲା । ପୁନର୍ବାର ଏହାର ବହୁବର୍ଷ ପରେ ଯେତେବେଳେ ଆନ୍ଧ୍ରପ୍ରଦେଶର ଇଛାପୁରମ୍ ଅଧିବାସୀ ଦାସ ପରିବାର ରାଜାଙ୍କ ରଚି଼ତ ଏହି ନାଟକ ସମ୍ବନ୍ଧରେ ସୂଚନା ପାଇଲେ ସେତେବେଳେ ସେମାନେ ରାଜା ରାମକୃଷ୍ଣ ଛୋଟରାୟଙ୍କ ନିକଟରେ ପହଞ୍ଚି ପରିବେଷଣ ଉଦ୍ଦେଶ୍ୟରେ ଏହାର ପାଣ୍ଡୁଲିପି ହସ୍ତାନ୍ତର ନିମନ୍ତେ ଅନୁରୋଧ କଲେ । ସେମାନଙ୍କ ଅନୁରୋଧ ରକ୍ଷା କରି ରାଜା ରାମକୃଷ୍ଣ ତାଙ୍କୁ ପ୍ରହ୍ଲାଦ ନାଟକର ପାଣ୍ଡୁଲିପି ପ୍ରଦାନ ପୂର୍ବକ ଏହାର ପ୍ରଶିକ୍ଷଣ ଓ ପରିବେଷଣ ନିମନ୍ତେ ପୃଷ୍ଠପୋଷକତା ମଧ୍ୟ ପ୍ରଦାନ କରିଥିଲେ । ଫଳରେ ଇଛାପୁରମ୍‌ର ୰ ଗିରିବର ଦାସ ଏହି ନାଟକଟିକୁ ତାଙ୍କ ଭାଇ ମାନଙ୍କ ତଥା ଗ୍ରାମବାସଙ୍କ ସହାୟତାରେ ପରିବେଷଣ କରି ଦର୍ଶକୀୟ ଶ୍ରଦ୍ଧା ଓ ସମ୍ମାନ ପାଇଥିଲେ । ଧିରେ ଧିରେ ଏହାର ଲୋକପ୍ରିୟତା ବଢି଼ବାକୁ ଲାଗିଲା । ପରବର୍ତ୍ତୀ ସମୟରେ ଲୋକମାନଙ୍କ ଅନୂରୋଧ କ୍ରମେ ଗୁରୁ ଗିରିବର ଦାସ ଏବଂ ତାଙ୍କର ଭାଇମାନେ ଓଡି଼ଶା ଓ ଆନ୍ଧ୍ର ସୀମାନ୍ତରେ ଅବସ୍ଥିତ ଗ୍ରାମମାନଙ୍କୁ ଯାଇ ସେଠାରେ ନାଟ୍ୟଦଳ ମାନ ଗଠନ କରି ଏହାର ପ୍ରଶିକ୍ଷଣ କାର୍ଯ୍ୟ ଆରମ୍ଭ ପୂର୍ବକ ଏହାର ପ୍ରଚାର ପ୍ରସାର କଲେ । ଫଳରେ ଧିରେ ଧିରେ ଏହା ଲୋକପ୍ରିୟ ହେବାକୁ ଆରମ୍ଭ କଲା । ଏପରିକି ତତ୍କାଳୀନ ସମୟରେ କଳା, ସାହିତ୍ୟାନୂରାଗୀ ତଥା ସଂସ୍କୃତି ସମ୍ପନ୍ନ ଗଡ଼ଜାତି ସାମନ୍ତ ରାଜା ମାନଙ୍କୁ ଏହା ଆକୃଷ୍ଟ କଲା । ତେଣୁ ସେମାନେ ଏକ ଏକ ସ୍ୱତନ୍ତ୍ର ପ୍ରହ୍ଲାଦ ନାଟକ ରଚନା କରିବାକୁ ମନସ୍ଥ କଲେ । ସେମାନଙ୍କ ମଧ୍ୟରେ ପାରଳାର ପଦ୍ମନାଭ ନାରାୟଣ ଦେବ, ଚିକିଟିର କିଶୋର ଚନ୍ଦ୍ର ଜଗଦ୍ଦେବ ଓ ହରିଚନ୍ଦନ ଜଗଦ୍ଦେବ ଏବଂ ଧରାକୋଟର ମଦନ ମୋହନ ସିଂଦେଓ ଆଦି ପ୍ରମୂଖ ଥିଲେ । ସେହି ସମୟରେ ଯେଉଁ ଗୁରୁମାନେ ଏହାର ପ୍ରଶିକ୍ଷଣ, ପରିବେଷଣ ତଥା ସଂସ୍କାର କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଏହାକୁ ଏକ ସଫଳ ତଥା ସର୍ବଶ୍ରେଷ୍ଠ ଲୋକନାଟକ ଭାବରେ ଗଢି଼ ତୋଳିବାରେ ସଫଳ ହୋଇଥିଲେ ସେମାନେ ହେଲେ ଯଥା – ୧. ଗିରିବର ଦାସ (ଇଛାପୁରମ୍‌, ଆନ୍ଧ୍ରପ୍ରଦେଶ) ୨. ଖିରମଣି ଦାସ (ଇଛାପୁରମ୍‌, ଆନ୍ଧ୍ରପ୍ରଦେଶ) ୩. ଡମ୍ବୁରୁ ଦାସ (ଇଛାପୁରମ୍‌, ଆନ୍ଧ୍ରପ୍ରଦେଶ) ୪. ଈଶ୍ୱର ପ୍ରଧାନ (ଝକମକ ପଲ୍ଲି , ଦିଗପହଣ୍ଡି, ଗଞ୍ଜାମ) ୫. ଅର୍ଜୁନ ବାଡତ୍ୟା (ପଦ୍ମପୁର, ଶେରଗଡ, ଗଞ୍ଜାମ) ୬. କାହ୍ନୁ ଚରଣ ଦୋରା (ପଦ୍ମପୁର, ଶେରଗଡ, ଗଞ୍ଜାମ) ୭. ଘନଶ୍ୟାମ ବାଡତ୍ୟା (ନଳବଣ୍ଟା, ଆସିକା, ଗଞ୍ଜାମ) ୮. ଲକ୍ଷ୍ମଣ ଶତପଥି (କରଡାକଣା, ଶେରଗଡ଼, ଗଞ୍ଜାମ) ୯. ତ୍ରିନାଥ ପ୍ରଧାନ (ବମକେଇ, ଦିଗପହଣ୍ଡି, ଗଞ୍ଜାମ) ୧୦. ସିମାଞ୍ଚଳ ପାତ୍ର (ବମକେଇ, ଦିଗପହଣ୍ଡି, ଗଞ୍ଜାମ) ।

ଏହି ଉପରବର୍ଣ୍ଣିତ ଗୁରୁ ମାନଙ୍କ ବଳିଷ୍ଠ ଉଦ୍ୟମରେ ପ୍ରହ୍ଲାଦ ନାଟକର ଦକ୍ଷିଣ ଓଡି଼ଶାରେ ବିଶେଷକରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅପୂର୍ବ ଲୋକପ୍ରିୟତା ଅର୍ଜନରେ ସଫଳତା ହାସଲ କରିଥିଲା । ଏହାର ପରବର୍ତ୍ତି ପର୍ଯ୍ୟାୟରେ ବିଶେଷ କରି ସ୍ୱାଧିନତା ପରବର୍ତ୍ତି ସମୟରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଏହାର ପ୍ରଶିକ୍ଷଣ ଓ ପରିବେଷଣ କ୍ଷେତ୍ରରେ ଯେଉଁ ଗୁରୁମାନେ ତଥା କଳାକାରମାନେ ପ୍ରମୂକ ଭୁମିକା ନିର୍ବାହ କରିଥିଲେ ସେମାନେ ହେଲେ ଯଥା – ୧. ୰ ଲକ୍ଷ୍ମଣ ଶତପଥି ୨. ୰ ତ୍ରିନାଥ ପ୍ରଧାନ ୩. ୰ ଅର୍ଜୁନ ପାଣିଗ୍ରାହି ୪. ସିମାଞ୍ଚଳ ପାତ୍ର ୫. ଲାଲ୍ ମୋହନ ଶତପଥି ୬. ବିନାୟକ ମୁନି ୭. ସନ୍ତୋଷ କୁମାର ରଣା ୮. ଦୁଃଖିଶ୍ୟାମ ସ୍ୱାଇଁ ୯. ୰ ରଘୁନାଥ ଶତପଥି ୧୦. ଅଞ୍ଚଳ ପ୍ରଧାନ ୧୧. ଖଲି ପରିଡା ୧୨. ରାମଚନ୍ଦ୍ର ବାଡତ୍ୟା ୧୩. ଗୋକୁଳ ବାଡତ୍ୟା ୧୪. ବୈଦ୍ୟନାଥ ପ୍ରଧାନ ୧୫. କାଳୁ ପ୍ରଧାନ ୧୬. ଲକ୍ଷ୍ମୀ ନାରାୟଣ ପାତ୍ର ୧୭. କନ୍ଧ ଦୋରା ୧୮. ନନ୍ଦ ପ୍ରଧାନ ୧୯. କନ୍ଧ ପ୍ରଧାନ ୨୦. ନୀଳାଞ୍ଚଳ ପ୍ରଧାନ ୨୧. କାହ୍ନୁ ଚରଣ ଶିବାଲୁ ୨୨. ନନ୍ଦ କିଶୋର ଶିବାଲୁ ୨୩. କାଳିଆ କାମ୍ଫ ୨୪. ସୁନୁ ମହାରଣା ୨୫. ଭରତ ବକ୍ସି ୨୬. ଅର୍ଜୁନ ଜେନା ୨୭. ଅର୍ଜୁନ ବାଡତ୍ୟା ୨୮. ଘନଶ୍ୟାମ ବାଡତ୍ୟା ୨୯. ନିତ୍ୟାନନ୍ଦ ପତ୍ରି ୩୦. ଭୀମ ଗୌଡ଼ ୩୧. ଗୋବିନ୍ଦ ପାତ୍ର ୩୨. କୃଷ୍ଣ ମହାରଣା ୩୩. ରଙ୍କନିଧି ସାହୁ ୩୪. ସାହେବ ବିଷୋୟି ୩୫. ସାହେବ ଜେନା ୩୬. ସାରଥି ରଣା ୩୭. କୃଷ୍ଣ ସାହୁ ୩୮. ଅର୍ଜୁନ ପାଣିଗ୍ରାହି ୩୯. ସେଡୁ ପାଣିଗ୍ରାହି ୪୦. କୃଷ୍ଣଚନ୍ଦ୍ର କଂସାରି ୪୧. ବୁଡୁ ପାତ୍ର ୪୨. ଆର୍ . ରଙ୍ଗା ଦୋରା ୪୩. ବୃନ୍ଦାବନ ପାତ୍ର ୪୪. ବୃନ୍ଦାବନ ଜେନା ୪୫. ପ୍ରଶାନ୍ତ କୁମାର ସାହୁ ୪୬. ବିପ୍ର ଚରଣ ପ୍ରଧାନ ୪୭. ଜନାର୍ଦ୍ଦନ ପ୍ରଧାନ ୪୮. ସଜୀବ ପାତ୍ର ୪୯. ରାଜେନ୍ଦ୍ର ରେଡ୍ଡି ୫୦. ଦଣ୍ଡାଶି ସଉନ୍ତିଆ ୫୧. ଦାଶରଥି ରେଡ୍ଡି ୫୨. ବିଜୟ ସାହୁ ୫୩. ଗୋଲକ ପ୍ରଧାନ ୫୪. ଗୋକୁଳାନନ୍ଦ ପ୍ରଧାନ ୫୫. ତ୍ରିନାଥ ପ୍ରଧାନ ୫୬. କାଶିନାଥ ସାହୁ ୫୭. ଇଶ୍ୱର ପ୍ରଧାନ ୫୮. ଅନନ୍ତ ମିଶ୍ର ୫୯. ରଙ୍କ ପ୍ରଧାନ ୬୦. ଆପନ୍ନା ପ୍ରଧାନ ୬୧. କୁନା ସାହୁ ୬୨. ପ୍ରଫୁଲ୍ଲ ସେଠୀ ୬୩. ଗୋଲକ ଗୌଡ଼ ୬୪. ମହେଶ୍ୱର ରଣା ୬୫. ବିଜୟ ରଣା ୬୬. ପିଲା ଲକ୍ଷ୍ମଣ ୬୭. ପ୍ରତାପ ଭୁୟାଁ ୬୮. ବନମାଳି ବେହେରା ୬୯. ରବିନ୍ଦ୍ର ଗୌଡ଼ ୭୦. ବାଙ୍କିନି ଶତପଥି ଏବଂ ଅନ୍ୟାନ୍ୟ ।

….କ୍ରମଶଃ

Share This Article
ନାଟ୍ୟ ଗବେଷକ, କଳାକ ଶିକ୍ଷକ
Exit mobile version