ମଣିପୁରରେ ମଞ୍ଚ ଓ ହେସନାମ୍ କହ୍ନେୟାଲାଲ: ଶବ୍ଦ ନାହିଁ କହିବାକୁ ଦୁନିଆ ଯାହା ହରେଇଛି (ଉଦ୍ଧୃତାଂଶ)

ହେସନମ୍ କହ୍ନେୟାଲାଲ ଜାନୁଆରୀ ୧୯୯୬ ମସିହାରେ ନବୀନ କିଶୋର ଏବଂ ବିରେନ ଦାସଶର୍ମାଙ୍କୁ ଦେଇଥିବା ଏକ ସାକ୍ଷାତକାରର ଉଦ୍ଧୃତାଂଶ ଏହି ସାକ୍ଷାତକାରଟି ସେଗଲ ଥିଏଟର କ୍ୱାଟର୍ଲିରେ ପ୍ରକାଶିତ ହୋଇଥିଲା

ଭାଷା ସହିତ କହ୍ନେୟାଲାଲଙ୍କର ସ୍ୱତନ୍ତ୍ର ସମ୍ପର୍କ ଥିଲା । ସେ ମଞ୍ଚସ୍ଥ ନାଟକର ଯୋଗାଯୋଗ କ୍ଷେତ୍ରରେ ଶବ୍ଦକୁ ଏକ ଫଳପ୍ରଦ ମାଧ୍ୟମ ହିସାବରେ ବ୍ୟବହାର କରିବାକୁ ନାପସନ୍ଦ କରୁଥିଲେ । ଲେଖିକା ଅନୁମାନ କରିଛନ୍ତି ଯେ, “ଅନେକ ବର୍ଷଧରି ଭାରତବର୍ଷର ମୁଖ୍ୟ ସ୍ରୋତରୁ ଉତ୍ତରପୂର୍ବ ରାଜ୍ୟ ଗୁଡ଼ିକୁ ବିଧିବଦ୍ଧ ଭାବେ  ରାଜନୈତିକ, ସାଂସ୍କୃତିକ ଏବଂ ଭାଷାଗତ କ୍ଷେତ୍ରରେ କରାଯାଇ ଆସିଥିବା ବାସନ୍ଦର ଏହା ଏକ ସାଂକେତିକ ପରିଭାଷା ଥିଲା” । ୬ ଅକ୍ଟୋବର, ୨୦୧୬ ଦିନ ମଣିପୁରର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ନାଟ୍ୟକର୍ମୀ ହେସନମ୍ କହ୍ନେୟାଲାଲଙ୍କର ଦେହାନ୍ତ  ପରେ  ତାଙ୍କର ସ୍ମୃତିଚାରଣ ପାଇଁ ‘ହ୍ୟୁମାନିଟିଜ୍ ଅଣ୍ଡରଗ୍ରାଉଣ୍ଡ’ ପତ୍ରିକାରେ ତୃଣା ନିଳିନା ବାନାର୍ଜୀଙ୍କ ଦ୍ୱାରା ପ୍ରକାଶିତ ଇଂରାଜୀ ଲେଖାଟିର କିଛି ଅଂଶ ଏଠାରେ ଅନୁସୃଜନ କରି ପ୍ରକାଶ କରାଯାଇଛି । ଆଶାକରୁଛୁ ନାଟକ, କଳା ଓ ସଙ୍ଗୀତାନୁରାଗୀ ମାନଙ୍କୁ ଏହା ଉପଯୋଗୀ ସାବ୍ୟସ୍ତ ହେବ । – ସମ୍ପାଦକ

Support Samadhwani

ପିଲାଟି ଜଣେ ନବଜାତକ । ମୁଁ ତା’କୁ ଦେଖିଲି । ଦେଖିଲି ପିଲାଟିର ସମଗ୍ର ଶରୀର କାନ୍ଦୁଛି । କିନ୍ତୁ କଳାକାରମାନେ କେବଳ ଏକ ନିର୍ଦ୍ଦିଷ୍ଟ ଧ୍ୱନିର ପ୍ରୟୋଗ କରିଥାନ୍ତି । କଳାକାରମାନେ ଏମିତି କରିବାର କାରଣଟି ହେଲା ଆମର ସାମାଜିକ ଏବଂ ସାଂସ୍କୃତିକ ମାର୍ଜନ ସେହିଭଳି ହୋଇଥାଏ । ଆମକୁ ଏକ ନୂଆ ଶରୀର ସଂସ୍କୃତି ସୃଷ୍ଟି କରିବାକୁ ପଡ଼ିବ… ।”

ନିକଟରେ ଛାତ୍ରମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ନାଟକ ଦିଲ୍ଲୀର ଏକ ମାନ୍ୟତାପ୍ରାପ୍ତ ପ୍ରେକ୍ଷାଳୟରେ ଅନେକ ଚାକଚମକର ସହ ମଞ୍ଚସ୍ଥ ହେବାବେଳେ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯୁବକ, ଛାତ୍ର ଏବଂ ଆଭିଜାତ୍ୟ ବର୍ଗର ଲୋକଙ୍କୁ ନେଇ ଯେଉଁ ଦର୍ଶକମଣ୍ଡଳୀ ସେଠି ଉପସ୍ଥିତ ଥିଲେ ସେମାନେ ବହୁଭାଷୀ କଳାକାରମାନଙ୍କ ଦ୍ୱାରା ତାମିଲ ଅବା ମୈଥେଇ ଭାଷାର ପ୍ରୟୋଗ ହେବାବେଳେ ହାସ୍ୟରୋଳରେ ଫାଟିପଡ଼ୁଥିଲେ । ମଞ୍ଚ ଉପରେ ଇଂରାଜୀ ବା ହିନ୍ଦି ଭାଷାର ବ୍ୟବହାର ହେବାବେଳେ ସେମାନେ ଶୃଙ୍ଖଳାର ସହିତ ଦୃଶ୍ୟଟିକୁ ଉପଭୋଗ କରୁଥିଲେ । ନାଟକର କଳାକାରମାନଙ୍କୁ ମୁଁ ଯେତିକି ଦେଖୁଥିଲି ସେତିକି ଦେଖୁଥିଲି ଦର୍ଶକମାନଙ୍କୁ । ମୋ ଭାବନା ଭିତରକୁ ଚାଲିଆସିଲା ଅନେକ ଦଶନ୍ଧି ତଳେ ୧୯୬୩ ମସିହାରେ କହ୍ନେୟାଲାଲ ହେସନମ୍ଙ୍କୁ ଯେତେବେଳେ ବିନା ଅନୁମତିରେ ଛୁଟି ନେଇଥିବା ଯୋଗୁଁ ଜାତୀୟ ନାଟକ ବିଦ୍ୟାଳୟରୁ ବହିଷ୍କୃତ କରାଯାଇଥିଲା । ଭାବୁଥିଲି ସେହିଦିନ ଓ ଆଜି ଭିତରେ ସତରେ କ’ଣ କିଛି ପରିବର୍ତ୍ତନ ହୋଇଛି? ଋସ୍ତମ୍ ଭାରୁଚ୍ଛାଙ୍କ ଭଳି ବିଦ୍ୱାନମାନଙ୍କ ମତରେ ଅସଲ ସମସ୍ୟାଟି ଥିଲା ଇଂରାଜୀ ବିଶେଷକରି ହିନ୍ଦିରେ କହିବା, ଲେଖିବା ଓ କାମ କରିବାର ଚାପକୁ ସାମ୍ନା କରିବାରେ କହ୍ନେୟାଲାଲଙ୍କର ଅକ୍ଷମତା । (ଋସ୍ତମ୍ ନିଜ ପୁସ୍ତକ କହ୍ନେୟାଲାଲଙ୍କ ମଞ୍ଚ ବା ଥିଏଟର ଅଫ୍ କହ୍ନେୟାଲାଲରେ ତାଙ୍କ ସମ୍ପର୍କରେ ଅନେକ ଅଧ୍ୟୟନ ଉପସ୍ଥାପନ କରିଛନ୍ତି) ଏହିସବୁ ଭାଷା ଗୁଡ଼ିକ କହ୍ନେୟାଲାଲଙ୍କ ପାଇଁ ଅପରିଚିତ ଏବଂ ବିଦେଶୀ ସଦୃଶ ଥିଲା ଯେମିତିକି ଅନେକ ଆଶା ଓ ଆଶାବାଦ ନେଇ ନାଟକର ଛାତ୍ର ହିସାବରେ ସେ ଆସିଥିବା ସ୍ଥାନଟି ମଧ୍ୟ ତାଙ୍କପାଇଁ ବିଦେଶ ସଦୃଶ ଥିଲା । ବହିଷ୍କୃତ ହେବାପରେ ଉଦ୍ଦେଶ୍ୟହୀନ ଭାବେ କହ୍ନେୟାଲାଲ କିଛିଦିନ କଟେଇଥିଲେ, ଶେଷରେ ୧୯୬୯ ମସିହାରେ ଇମ୍ଫାଲ ଫେରିଯାଇ  କହ୍ନେୟାଲାଲ “କଳାକ୍ଷେତ୍ର ମଣିପୁର” ନାମରେ ଏକ ନାଟକ ଦଳ ଗଠନକରି ନିଜ କାମ ଆରମ୍ଭ କରିଥିଲେ । କିଛିଦିନ ପାଇଁ ୧୯୮୭ରୁ ୮୮ ଭିତରେ ଏନ୍.ଏସ୍. ଡ଼ିର ନିର୍ଦ୍ଦେଶକ ଥିବା ବିଶେଷ ପରିଚିତ ରତନ ଥିଆମ୍ଙ୍କଠାରୁ ସେ ଭିନ୍ନ ଥିଲେ । ଦେଶର ରାଜଧାନୀରେ ମଣିପୁର ନାଟକ ହିସାବରେ ଯେଉଁ ନାଟକକୁ ଗ୍ରହଣ କରାଯାଉଥିଲା ଏବଂ ଯାହାକୁ ନେଇ ଉତ୍ସବ ମନାଯାଉଥିଲା କହ୍ନେୟାଲାଲ ସେହି ମଣିପୁରୀ ନାଟକର ପରିଧିରେ ହିଁ ଥିଲେ ।

                କହ୍ନେୟାଲାଲଙ୍କ କାମର ଛାତ୍ର ଭାବରେ ମୁଁ ତାଙ୍କର ଗୋଟିଏ ଦିଗ ଜାଣିବାପାଇଁ ଉତ୍ସାହୀ ଥିଲି । ଭାଷା ସହିତ ତାଙ୍କର ଯେଉଁ ସ୍ୱତନ୍ତ୍ର ସମ୍ପର୍କ ଥିଲା ଏବଂ ଅନେକ ଦିନ ଧରି ସେ ଯେଉଁଭଳି ଭାବେ ମଞ୍ଚସ୍ଥ ନାଟକର ଯୋଗାଯୋଗ କ୍ଷେତ୍ରରେ ଶବ୍ଦକୁ ଏକ ଫଳପ୍ରଦ ମାଧ୍ୟମ ହିସାବରେ ବ୍ୟବହାର କରିବାକୁ ନାପସନ୍ଦ କରିଆସିଥିଲେ, ମୋତେ ଲାଗୁଥିଲା ଯେ ଏହି କଥାଟିର ସମ୍ପର୍କ ସେ ଦିଲ୍ଲୀର ନିଜ ନାଟ୍ୟ ଶିକ୍ଷା ଜୀବନର ଆଦ୍ୟକାଳରେ ଅଙ୍ଗେ ନିଭାଇଥିବା ଭାଷାଗତ ବାସନ୍ଦ ସହିତ ଯୋଡ଼ିହୋଇ ରହିଛି । ଏହି ଦୃଷ୍ଟିରୁ କହ୍ନେୟାଲାଲଙ୍କ ଅନୁଭୂତି ଅତି ଗୁରୁତ୍ତ୍ୱପୂର୍ଣ୍ଣ ଯେ, ଏହା କେବଳ ଏକ ବ୍ୟକ୍ତଗତ ଅଭିଜ୍ଞତା ନଥିଲା ।  କଥାଟି ଏହି ଦୃଷ୍ଟିରୁ ଅତି ଗୁରୁତ୍ତ୍ୱପୂର୍ଣ୍ଣ ଥିଲା ଯେ ଅନେକ ବର୍ଷଧରି ଭାରତବର୍ଷର ମୁଖ୍ୟ ସ୍ରୋତରୁ ଉତ୍ତରପୂର୍ବ ରାଜ୍ୟ ଗୁଡ଼ିକୁ ବିଧିବଦ୍ଧ ଭାବେ  ରାଜନୈତିକ, ସାଂସ୍କୃତିକ ଏବଂ ଭାଷାଗତ କ୍ଷେତ୍ରରେ କରାଯାଇ ଆସିଥିବା ବାସନ୍ଦର ଏହା ଏକ ସାଂକେତିକ ପରିଭାଷା ଥିଲା । ସାଂସ୍କୃତିକ ଅଂଶଗ୍ରହଣ ଭଳି ଶବ୍ଦର ବ୍ୟବହାର ଉପରଆଡ଼ୁ ନିର୍ଦ୍ଧାରିତ ହେଉଥିଲା । ଏଥିରେ ଭାଗନେବାରେ ଯଦିକିଛି ଅକ୍ଷମତା ଅବା ଅନିଚ୍ଛା ଦେଖାଯାଉଥିଲା ତାର ପରିଣାମ ଥିଲା ନିନ୍ଦିତ କରିବା ବା ବାଛନ୍ଦ କରାଯିବା ।

Support Samadhwani

                “କଳାକ୍ଷେତ୍ର ମଣିପୁର” – ମଣିପୁର ଉପତ୍ୟକାକୁ ଚାରିପଟୁ ଘେରି ରହିଥିବା ପାହାଡ଼ ଗୁଡ଼ିକର ପାଦ ଦେଶରେ ଅବସ୍ଥିତ। ତାହାର ସ୍ୱର୍ଗୀୟ ପରିସର ସ୍ୱଭାବଟି ସ୍ୱତଃପ୍ରବୃତ୍ତ ଭାବରେ ନିରବତା, ସୃଜନଶୀଳତା ଇତ୍ୟାଦିକୁ ପ୍ରତିଷ୍ଠାକାଳରୁ ଆଜିଯାଏ ନିରବରେ ଉତ୍ସବ ମନେଇ ଆସିଛି । ତାହା ହିଁ “କଳାକ୍ଷେତ୍ର ମଣିପୁର”ର ଶକ୍ତିର ମୂଳ ଆଧାର । ନିଜର ତାଲିମ ପ୍ରକ୍ରିୟା ସମ୍ପର୍କରେ କହ୍ନେୟାଲାଲ କୁହନ୍ତି: “ନାଟକର ସ୍ୱାୟତ୍ତତା ଉପରେ ବିଶ୍ୱାସ କରି ଆମେ ପାଠଟିକୁ ଉଦରସ୍ଥ କଲୁ ଏବଂ ନିଜ ଶରୀର ଭିତରେ ମଜେଇ ଦେଲୁ । ଓଠ ପରିଚାଳନା, ମୁହଁ ଏବଂ ଆଙ୍ଗୁଠିର ଇଙ୍ଗୀତ ମାଧ୍ୟମରେ ଯାହାକିଛି କେବଳ ଆମର କହିବାର ଥିଲା । ମଞ୍ଚ ଉପରେ ଭ୍ରମ ସୃଷ୍ଟି କରିବାର ସମସ୍ତ ଜାଲଟିକୁ ଆମେ ଖିନ୍ଭିନ୍ କରିଦେଲୁ । ଭାରି ଆଲୁଅ, ଅଙ୍ଗ ସଜ୍ଜା ଏବଂ ବେଶ ପୋଷାକର ବୋଝ ଆମ ଉପରେ ଆଉ ରହିଲା ନାହିଁ । ଆମେ ମଞ୍ଚଟିକୁ ଏକ ଶୂନ୍ୟସ୍ଥାନରେ ପରିଣତ କରିଦେଲୁ ଯେଉଁଠି ଆମେ ନାଟକର ସ୍ୱାୟତ୍ତତାକୁ ଉନ୍ମୁକ୍ତ କରିଚାଲିଲୁ ।

କିନ୍ତୁ ନିଜ ଅନ୍ତରକୁ ବୁଲି ଦେଖିବା ଏକ ପ୍ରକ୍ରିୟା ହିସାବରେ ଯାହା ଗ୍ରହଣ କରାଯାଉଥିଲା ତାହା ସେଭଳି ହେଲାନାହିଁ । ୧୯୭୦ ଦଶକର ଶେଷଭାଗରେ ଏବଂ ୧୯୮୦ ଦଶକର ଆଦ୍ୟଭାଗରେ ନିର୍ଦ୍ଦେଶକ ନିଜେ ଏହି ସର୍ବନିମ୍ନ ପ୍ରୟୋଗକୁ ଆଧାରକରି ଅନେକ ମଜ୍ଜାଦାର ପରିକ୍ଷଣ କରିଥିଲେ । ସେ ମୁଖ୍ୟସ୍ରୋତର ରଙ୍ଗମଞ୍ଚ ନାଟକରୁ ବାହାରି ଦୂରଦୂରାନ୍ତରେ ଥିବା ଅଣ ତାଲିମପ୍ରାପ୍ତ ଗ୍ରାମବାସୀଙ୍କ ସହ ଏବଂ ଇମ୍ଫାଲର ପ୍ରସିଦ୍ଧ ମହିଳା ବଜାର ‘ନୂପି କ୍ୟାଥେଲ’ରୁ ନାରୀମାନଙ୍କୁ ନେଇ କାମ ଆରମ୍ଭ କରିଥିଲେ । ତାଙ୍କ ନିଜର ସ୍ୱୀକାରୋକ୍ତି ଏବଂ ଲୋକେନ୍ଦ୍ର ଆରାମବାମ୍ଙ୍କ ଭଳି ବିଦ୍ୱାନମାନଙ୍କ ମତରେ ୧୯୭୩ ମସିହାରେ ହୋଇଥିବା ବାଦଲ ସରକାରଙ୍କ ଇମ୍ଫାଲ ଗ୍ରସ୍ତ କହ୍ନେୟାଲାଲଙ୍କୁ ଗଭୀରଭାବେ ପ୍ରଭାବିତ କରିଥିଲା । ସରକାର ନିଜ ନାଟକ “ଏବଂ ଇନ୍ଦ୍ରଜିତ” ମଞ୍ଚସ୍ଥ କରିଥିଲେ । ତା’ ପରେ ପରେ ସ୍ପର୍ଟାକସ୍ ନାଟକର ପ୍ରସ୍ତୁତି ପାଇଁ ସରକାର କେତେକ ଯୁବ ନିର୍ଦ୍ଦେଶକ ଓ ମଞ୍ଚ କଳାକାରମାନଙ୍କୁ ନେଇ ଇମ୍ଫାଲରେ ଏକ କର୍ମଶାଳା ପ୍ରସ୍ତୁତ କରିଥିଲେ । ମଞ୍ଚ ଅଭ୍ୟାସ କରୁଥିବା ଲୋକମାନଙ୍କ ପାଇଁ ଏହା ଏକ ସୁଯୋଗ ସୃଷ୍ଟି କରିଥିଲା । ଯୁବକ କହ୍ନେୟାଲାଲ ସରକାରଙ୍କର ମଞ୍ଚ ପଦ୍ଧତି ଦ୍ୱାରା ଏତେ ପ୍ରଭାବିତ ହୋଇଥିଲେ ଯେ ସେ ତାଙ୍କ ପଛେ ପଛେ କଲିକତାରେ ଯାଇ ପହଞ୍ôଚ ଥିଲେ । ଅନେକ ସମୟ ସରକାରଙ୍କ ସାଙ୍ଗରେ ବିତାଇ ତାଙ୍କୁ ଅନୁଧ୍ୟାନ କରି ସେ ବହୁତ କଥା ତାଙ୍କଠୁ ଶିଖିଥିଲେ । ସେହି ସମୟକାଳ ଉପରେ କହ୍ନେୟାଲାଲ ଲେଖିଛନ୍ତି: “ବାଦଲଦା ମୋତେ ବହୁତ ସାହାଯ୍ୟ କରିଛନ୍ତି । ମୁଁ ତାଙ୍କୁ ଜଣେ ଗୁରୁର ସମ୍ମାନ ଦିଏ । ପ୍ରଥମେ ଯେତେବେଳେ ତାଙ୍କ ସହ କାମ ଆରମ୍ଭ କଲି  ତାଙ୍କର ଅବଧାରଣା ଗୁଡ଼ିକୁ ଭଲଭାବେ ମୁଁ ବୁଝିପାରି ନଥିଲି । ମଣିଷ ହିସାବରେ ଆମେ ଆମର ଅଭିଜ୍ଞତାରୁ ଶିଖିଥାଉ, ଏହା ନୁହେଁ କି? ମୁଁ ଏହିସବୁ ଅନୁଭୂତିରୁ ବହୁତକିଛି ଶିଖିଲି, ପରେ ଅର୍ଥ ଗୁଡ଼ିକ ବୁଝିଲି” ।

                ବୋଧହୁଏ କହ୍ନେୟାଲାଲ ଅନେକ ବର୍ଷପରେ ଅର୍ଥ ଗୁଡ଼ିକ ବୁଝିଥିଲେ । ଯେତେବେଳେ ଇମ୍ଫାଲର କେନ୍ଦ୍ରିୟ ମହିଳା ବଜାରରେ ୭୦ଜଣ କର୍ମଜୀବୀ ମହିଳାଙ୍କ ସହ ସେ କାମ ଆରମ୍ଭ କଲେ । ୧୯୭୮ ମସିହାର ଶୀତ ଋତୁରେ ସେ ଏକ ମଞ୍ଚ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଯାହାର ନାଁ ଥିଲା “ନୂପି ଲାନ୍” (ନାରୀ ମାନଙ୍କ ଯୁଦ୍ଧ) । ଏହି ନାଟକଟି କେତେକାଂଶରେ ନାରୀମାନଙ୍କ ସଙ୍ଘର୍ଷର ଇତିହାସ ଏବଂ ଉନବିଂଶ ଶତାବ୍ଦୀର ଶେଷଭାଗରୁ ମଣିପୁରରେ ଆରମ୍ଭ ହୋଇଥିବା ରାଜନୈତିକ ପ୍ରତିବାଦ ଉପରେ ଆଧାରିତ ହୋଇଥିଲା । ମଣିପୁରର ସମାଜ, ରାଜନୀତି, ଇତିହାସ ଏବଂ ସଂସ୍କୃତିର ପ୍ରାୟ ସବୁ ଗୁରୁତ୍ତ୍ୱପୂର୍ଣ୍ଣ ଅଧ୍ୟୟନରେ ଇମ୍ଫାଲର ବଜାର ମହିଳାମାନଙ୍କ କଥା ଉଲ୍ଲେଖ ଥାଏ । ମଣିପୁରରେ ବାଣିଜ୍ୟ କାର୍ଯ୍ୟ ଗୁଡ଼ିକ ପାରମ୍ପାରିକ ଭାବେ ମହିଳାମାନଙ୍କ ଦ୍ୱାରା ନୀୟନ୍ତ୍ରୀତ ହୋଇଥାଏ ଏବଂ ଇମ୍ଫାଲର ଏମିତି କେତେକ ବଜାର ଅଛି ଯାହାକି ସମ୍ପୁର୍ଣ୍ଣ ଭାବରେ ମହିଳାମାନଙ୍କ ଦ୍ୱରା ପରିଚାଳିତ । ଏହି ବଜାର ଗୁଡ଼ିକରେ ପ୍ରବେଶ କରିବା ପୁରୁଷମାନଙ୍କ ପାଇଁ ଖରାପ ବୋଲି ଏକ ପ୍ରଥା ରହିଆସିଛି । ଉଭୟ କିଣିବା ଏବଂ ବିକିବା କାମ ଗୁଡ଼ିକ ନାରୀମାନେ ଏହି ବଜାର ଗୁଡ଼ିକରେ କରିଥାନ୍ତି । ଇମ୍ଫାଲର ସବୁଠାରୁ ବଡ଼ ଏବଂ କେନ୍ଦ୍ରିୟ ବଜାରକୁ ଖ୍ୱାଇରାମବାନ ବଜାର କୁହାଯାଏ । ଏହି ବଜାରଟି ମଧ୍ୟ ସମ୍ପୁର୍ଣ୍ଣ ଭାବେ ନାରୀମାନଙ୍କ ଦ୍ୱାରା ପରିଚାଳିତ । ଇମ୍ଫାଲ ଚାରିପଟେ ଥିବା ଗାଁ’ର ମହିଳାମାନେଏହି ବଜାରକୁ ପ୍ରତିଦିନ ଆସନ୍ତି ଏବଂ ନିଜର କୃଷିଜାତ ଦ୍ରବ୍ୟ ବିକନ୍ତି । ଏହି ଖ୍ୱାଇରାମବାନ ବଜାରକୁ ମଧ୍ୟ ଇମା ବଜାର ବା ମା ମାନଙ୍କ ଦ୍ୱାରା ପରିଚାଳିତ ବଜାର ଭାବରେ ଦେଖାଯାଇଥାଏ । ଉପନିବେଶ କାଳରେ ଘଟିଥିବା ଦୁଇଟି ନାରୀମାନଙ୍କ ଯୁଦ୍ଧ ବା “ନୂପି ଲାନ୍” ଏହି ନାରୀ ମାନଙ୍କ ବଜାର ସହିତ ସମ୍ପୁର୍ଣ୍ଣ ଭାବରେ ଯୋଡ଼ି ହୋଇକରି ଅଛି । ଦୁଇଟି ସମୟରେ ଏହି ଯୁଦ୍ଧ ହୋଇଥିଲା ଯାହାକୁ ଏହି ବଜାରର ନାରୀମାନେ ଲଢ଼ିଥିଲେ । ପ୍ରଥମ ଯୁଦ୍ଧଟି ୧୯୦୪ ମସିହାରେ ଇଂରେଜ ସରକାରଙ୍କ ନୀତି ଏବଂ ଆଦେଶ ଗୁଡ଼ିକ ବିରୁଦ୍ଧରେ ହୋଇଥିଲା । ଦ୍ୱିତୀୟ ଯୁଦ୍ଧଟି ୧୯୩୯ ମସିହାରେ ହୋଇଥିଲା ଯେତେବେଳେ ମଣିପୁର ଏକ ଦୁର୍ଭିକ୍ଷର ସାମ୍ନା କରୁଥିଲା । ମାରୱାଡ଼ି ବଣିକମାନଙ୍କ ଦ୍ୱାରା ମଣିପୁର ଉପତ୍ୟକାରୁ ଚାଉଳ ରତ୍ପାନୀ ପାଇଁ ହୋଇଥିବା ସରକାରୀ ନୀତି ବିରୁଦ୍ଧରେ ସଂଗ୍ରାମ କରିଥିଲେ ।

 ଋସ୍ତମ ଭାରୁଚ୍ଛାଙ୍କ କହିବା ଅନୁସାରେ କହ୍ନେୟାଲାଲଙ୍କ “ନୂପି ଲାନ୍” ବା ନାରୀମାନଙ୍କ ଯୁଦ୍ଧ ନାଟକଟି ଏକ ମୁକ୍ତ ଆକାଶ ଉପସ୍ଥାପନା ଥିଲା ଯେଉଁଥିରେ ମଣିପୁର ନାରୀମାନଙ୍କ ବଜାରର ୭୦ ଜଣ କର୍ମଜୀବୀ ନାରୀ ଅଂଶ ଗ୍ରହଣ କରିଥିଲେ । ଜଣେ ଦର୍ଶକ ଏବଂ କଳାକାର ଭିତରେ ଥିବା ପ୍ରଭେଦଟି ପ୍ରଦର୍ଶନ ସମୟରେ ଅଦୃଶ୍ୟ ହୋଇଯାଉଥିଲା । କହ୍ନେୟାଲାଲ ଏମିତି ଅନେକ ନାଟକୀୟ ପ୍ରଯୋଜନା ହାତକୁ ନେଇଥିଲେ ଯେଉଁଥିରେ ରାଜନୈତିକ ନାଟକ ଏବଂ ଯେଉଁ ଲୋକମାନଙ୍କୁ ନାଟକ ପ୍ରତିନୀଧିତ୍ୱ କରୁଛି ବୋଲି କୁହାଯାଉଥିଲା ତା ଭିତରେ ଥିବା ପ୍ରାଚୀରକୁ ଭାଙ୍ଗୀ ଦେଉଥିଲେ । ଇମାଥେଲ ବା ଦୁର୍ଗାଙ୍କ ଉପତ୍ୟକା ନାମକ ଏକ ଗାଁ’ରେ ସେ କାମ କରିଥିଲେ ଯେଉଁଠି ‘ସଞ୍ଜେନ୍-ନାହା’(ଗୋପାଳକ) ନାମକ ଏକ ନାଟକ କେବଳ ଗ୍ରାମାଞ୍ଚଳର ଅଣ କଳାକାରମାନଙ୍କୁ ନେଇ ପ୍ରସ୍ତୁତ କରିଥିଲେ । ପରେ ପରେ ଛୁରା ଚନ୍ଦ୍ରପୁରର ପୈତେଇ ଆଦିବାସୀ ସମୁଦାୟର ଯୁବକ ଓ ଯୁବତୀମାନଙ୍କୁ ନେଇ ସେ ନାଟକ ପ୍ରସ୍ତୁତ କରିଥିଲେ । କଳାପ୍ରଦର୍ଶନୀ ଗୁଡ଼ିକ, ଗୋଷ୍ଠୀ ବା ସମୁହ ବ୍ୟବହାର କରୁଥିବା ସ୍ଥାନ ଗୁଡ଼ିକରେ ଯଥା ଖୋଲା ଚଟାଣ ଅବା ମଣ୍ଡପ ଯେଉଁଗୁଡ଼ିକୁ ପବିତ୍ର ବୋଲି ବିଚାର କରାଯାଇଥାଏ ସେହିସବୁ ସ୍ଥାନରେ ଆୟୋଜିତ ହୋଇଥାଏ । ଫଳରେ ଗୋଷ୍ଠୀ ସମୁଦାୟ ସମସ୍ତେ ଦେଖିବାର ସୁଯୋଗ ପାଇଥାନ୍ତି । ଏହି ଲୀଳାକୁ ଯାତ୍ରା ହିସାବରେ ୧୯୭୦ ଦଶକ ଯାଏଁ ଦେଖାଯାଉଥିଲା । ହୁଏତ ଭାରତର କଳା ପ୍ରଦର୍ଶନୀର ମୁଖ୍ୟସ୍ରୋତ ସହିତ ଏହି ଲୀଳାକୁ ସାମିଲ କରିବା ଉଦ୍ଦେଶ୍ୟରେ ଯାତ୍ରା ଶବ୍ଦର ପ୍ରୟୋଗ ହୋଇଥାଇପାରେ । ସୁମଙ୍ଗ ଲୀଳା ଆକ୍ଷରିକ ଅର୍ଥରେ କହିଲେ ଚଟାଣର ନାଟକକୁ ବୁଝାଏ । ମୈତେଇ ଭାଷାରେ ସୁମଙ୍ଗର ଅର୍ଥ ହେଉଛି ଖୋଲା ଚଟାଣ । ଏହି ଚଟାଣ ନାଟକ ଆଜିର ଇମ୍ଫାଲରେ ଅତ୍ୟଧିକ ଜନପ୍ରିୟ ଏବଂ ଇମ୍ଫାଲ ସହରର ବିଭିନ୍ନ ସାହି ପଡ଼ୋଶୀ ଅଞ୍ଚଳରେ ଅଧିକ ସଂଖ୍ୟାରେ ଏହା ପ୍ରଦର୍ଶୀତ ହୋଇଥାଏ । ଏହି ସୁମଙ୍ଗ ଲୀଳା ବ୍ୟତୀତ ନୀୟମିତ ଭାବେ ଆଫ୍ରାସ ଏବଂ ସଙ୍କିର୍ତ୍ତନ ପ୍ରଦର୍ଶିତ ହୋଇଥାଏ । ଏହି ସଙ୍କିର୍ତ୍ତନ ମଣିପୁରର ବୈଷ୍ଣବ ଧର୍ମାବଲମ୍ବୀଙ୍କର ସଂସ୍କୃତି ଏବଂ ଏହା ଜନ ସମୁଦାୟଙ୍କ ଭିତରେ ହିଁ ପ୍ରଦର୍ଶିତ ହୋଇଥାଏ । ଏତଦ୍ବ୍ୟତୀତ ମଣିପୁରରେ ମଞ୍ଚ ନାଟକ ବିଂଶ ଶତାବ୍ଦୀର ଆଦ୍ୟଭାଗରୁ ପ୍ରତିଷ୍ଠିତ ହୋଇଆସିଛି । ଇମ୍ଫାଲକୁ ଚାଲିଯାଇ ବସା ବାନ୍ଧିଥିବା ବଙ୍ଗାଳୀ ନିର୍ଦ୍ଦେଶକ ମାନଙ୍କର ପ୍ରଭାବରେ ମଞ୍ଚ ନାଟକ ୧୯୩୦ ମସିହା ପରବର୍ତ୍ତୀ ସମୟରେ ପ୍ରତିଷ୍ଠିତ ହୋଇଥିଲା । ଏହି ମଞ୍ଚ ନାଟକ ମୁଖ୍ୟତଃ ସହରିଆ ମଞ୍ଚ ଅଭ୍ୟାସ । ଅନେକ ହସ କାନ୍ଦ ଭରା କାହାଣୀ ତଥା ବୀର ଗାଥା ଉପରେ ଆଧାରିତ ନାଟକ ମଞ୍ଚସ୍ଥ ହୋଇଥାଏ ଯାହାକୁ ଆଜିର ମଣିପୁରରେ ବ୍ୟବସାୟୀକ ନାଟକ କୁହାଯାଏ । ଏହି ନାଟକ ସହ ତାଳଦେଇ ୬୦ ଓ ୭୦ ଦଶକରେ ନୂତନ ପ୍ରକାରର ନାଟକ ଆବିର୍ଭାବ ହୋଇଥିଲା । ଏହି ନୂତନ ନାଟକର ନେତୃତ୍ୱ ନେଇଥିଲେ ରତନ ଥିଆମ ଓ ହେସନମ୍ କହ୍ନେୟାଲାଲ, ଲୋକେନ୍ଦ୍ର ଆରାମମ୍ବାମ୍ ଏବଂ ହାରୋଖଚାମ, ସାଂଖ୍ୟ, ଏବୋଟୁମ୍ବି । ମଞ୍ଚନାଟକର ଏହିଯେଉଁ ନୂତନ ଧାରାକୁ ଏହିସବୁ ଯୁବନାଟ୍ୟ ନିର୍ଦ୍ଦେଶକମାନେ ଏକାଠି ଗୋଟିଏ ଚିତ୍ତରେ ଆରମ୍ଭ କରିଥିଲେ, ତାକୁ ମଣିପୁରର ନାଟ୍ୟ ସମୀକ୍ଷକମାନେ ଆଧୁନିକ ପରୀକ୍ଷାମୂଳକ ନାଟକ ହିସାବରେ ବର୍ଣ୍ଣନା କରୁଥିଲେ । ଏହି ନାଟକ ସମସାମୟିକ ମଣିପୁର ରାଜନୀତିକୁ ସିଧାସଳଖ ବିଷୟବସ୍ତୁ ଭିତରକୁ ଆଣୁଥିଲା ଏଥିସହିତ ମୈତେଇ ଅସ୍ମିତାର ଜଟିଳ ଦିଗଗୁଡ଼ିକ ଏବଂ ମଣିପୁର ମୁଖ୍ୟ ଭାରତ ସହିତ ଥିବା ଜଟିଳ ସମ୍ପର୍କ ଗୁଡ଼ିକ ଉପରେ ପର୍ଯ୍ୟବେସିତ ହେଉଥିଲା । ଏଯାବତ୍ ପାରମ୍ପାରିକ ନାଟକ ହେଉ ବା ମଞ୍ଚ ନାଟକ ଏହିସବୁ ବିଷୟବସ୍ତୁ ଗୁଡ଼ିକର ବହୁତ ଦୂରରେ ରହିଆସିଥିଲେ । ସୁତରାଂ ନୂତନ ଆଧାରର ନାଟକ ୭୦ ଦଶକର ଶେଷଭାଗ ଯାଏଁ ଚାଲିଥିବା ମଣିପୁର ଉପରେ ଭାରତୀୟ ଆଧିପତ୍ୟକୁ ବିରୋଧ କରି ହେଉଥିବା ପ୍ରତିରୋଧାତ୍ମକ ଆନ୍ଦୋଳନ ଗୁଡ଼ିକ ସହିତ ନିବିଡ଼ ଭାବେ ସମ୍ପର୍କିତ ଥିଲା । କିନ୍ତୁ କହ୍ନେୟାଲାଲଙ୍କର ନାଟକୀୟ ଭାଷା ତାଙ୍କୁ ତାଙ୍କ ସମସାମୟିକ ନିର୍ଦ୍ଦେଶକମାନଙ୍କ ଠାରୁ ପୃଥକ କରି ଠିଆ କରାଉଥିଲା । ତାଙ୍କର ଭିନ୍ନତା ଥିଲା ଯେ ସେ ଶରୀର, ଧ୍ୱନି, ଶବ୍ଦ ବିହୀନ କଥାବାର୍ତ୍ତା ଉପରେ ଗୁରୁତ୍ତ୍ୱ ଦେଉଥିଲେ । ତାଙ୍କୁ ସମାଲୋଚନା ମଧ୍ୟ କରାଯାଇଥିଲା ଯେ ସେ ଅସ୍ପଷ୍ଟ ଭାବେ ଆଧ୍ୟାତ୍ମିକତା ଆଡ଼କୁ ଯାଉଥିଲେ ଏବଂ ନିଜ କାମରେ ପ୍ରତିରୋଧାତ୍ମକ ରାଜନୀତିର ଗୁରୁତ୍ତ୍ୱକୁ ନ୍ୟୁନ କରୁଥିଲେ ଯାହା ମୁଖ୍ୟତଃ ୧୯୮୦ ଦଶକର ଶେଷଭାଗରେ ଦେଖାଯାଇଥିଲା ବୋଲି ଅଭିଯୋଗ ଆସୁଥିଲା ।

 

ମୋ ମତରେ କହ୍ନେୟାଲାଲଙ୍କର ଯେତେସବୁ ନାଟକ ଅଛି ସବୁଠାରୁ ଅଧିକ ରାଜନୈତିକ ଭାବେ ପରିପୃଷ୍ଠ ନାଟକ – ୨୦୦୦ ମସିହାରେ ମଞ୍ଚସ୍ଥ ହୋଇଥିଲା । ନାଟକଟି ପ୍ରସ୍ତୁତ ହେବା ପରେ ପରେ ୨ଥର ଇମ୍ଫାଲରେ ମଞ୍ଚସ୍ଥ ହୋଇଥିଲା ତା ପରେ ଅନେକବାର ଏହି ନାଟକଟି ଅବଶିଷ୍ଟ ଭାରତରେ ମଞ୍ଚସ୍ଥ ହୋଇଛି । ମାହେଶ୍ୱତା ଦେବୀଙ୍କର ୧୯୭୮ ମସିହାର କ୍ଷୁଦ୍ର ଗଳ୍ପ – ଦୌପଦୀ ଆଧାରରେ ଏହି ନାଟକଟି ସେ ପ୍ରସ୍ତୁତ କରିଥିଲେ ଯେଉଁଥିରେ ସାବିତ୍ରୀ ହେସନମ୍ ନିଜେ ଅଭିନୟ କରିଥିଲେ । ଏହି ନାଟକର ଏକ ଅଭୂତପୂର୍ବ ଦୃଶ୍ୟରେ ପ୍ରତିଷ୍ଠିତ କଳାକାର ସାବିତ୍ରୀ ହେସନମ୍ଙ୍କୁ ମଞ୍ଚ ଉପରେ ଉଲଗ୍ନ ଦେଖିବାକୁ ମିଳିଥିଲା । ସେ ନିଜେ ଧର୍ଷଣକାରୀ ମାନଙ୍କୁ ନୀରବ ପ୍ରତିବାଦ କରି ମଞ୍ଚ ଉପରେ ନିଜ ଅଙ୍ଗରୁ ଗୋଟିଏ ପରେ ଗୋଟିଏ ବସ୍ତ୍ର ଫୋପାଡ଼ି ଚାଲିଥିଲେ । ଇମ୍ଫାଲରେ ମଞ୍ଚସ୍ଥ ହେବାପରେ ନାଟକଟିକୁ ଏକ ନିର୍ଦ୍ଦିଷ୍ଟ ସମୁଦାୟ ଏବଂ ମହିଳାମାନଙ୍କ ସଙ୍ଗଠନ ତରଫରୁ ତୀବ୍ର ବୀରୋଧ କରାଯାଇଥିଲା ।  ନାଟକଟି ପ୍ରାୟତଃ ନିଷିଦ୍ଧ ହେବା ଅବସ୍ଥାରେ ଥିଲା । ମହିଳା ସଙ୍ଗଠନ ଗୁଡ଼ିକ ସାବିତ୍ରୀଙ୍କୁ ନିର୍ଲ୍ଲଜ କହି ନିନ୍ଦିତ କରିଥିଲେ । କହ୍ନେୟାଲାଲ ଦୌପଦୀ ଶୀର୍ଷକ ନିବନ୍ଧରେ ନିଜେ ନିଜ ଅନୁଭୂତି ଗୁଡ଼ିକୁ ଲେଖିଛନ୍ତି: ଏପ୍ରିଲ ୧୪ ଓ ୨୦, ୨୦୦୦ ମସିହାରେ ନାଟକଟି ଦୁଇଥର ମଞ୍ଚସ୍ଥ ହେବାପରେ ଆମେ ଏକ ବିବାଦକୁ ସାମ୍ନା କରିଥିଲୁ । ଦଳେ ଜଣାଶୁଣା ନାରୀବାଦୀ, ଲେଖକ, ବୁଦ୍ଧିଜୀବୀ, ସମୀକ୍ଷକ ଏବଂ ଏମିତିକି ଇମ୍ଫାଲର ସାଧାରଣ ମହିଳା ନାଟକର ଶେଷ ଦୃଶ୍ୟରେ ପ୍ରଦର୍ଶୀତ ହୋଇଥିବା ନଗ୍ନତା ବିରୁଦ୍ଧରେ ଅଭିଯୋଗ ଆଣିଥିଲେ । ସେ ସାବିତ୍ରୀଙ୍କୁ ଏକ ଖଳ ଏବଂ ନିର୍ଲ୍ଲଜ ନାରୀ ବୋଲି ଚିତ୍ରିତ କରୁଥିଲେ କାହିଁକି ନା ସେମାନଙ୍କ ମତରେ ମଣିପୁର ମହିଳାଙ୍କର ଆଦର୍ଶ, ଭାବମୂର୍ତ୍ତୀରେ  ସାବିତ୍ରୀ ଆଘାତ ପହଞ୍ଚାଇ ଥିଲେ । ଆଉ ଦଳେ ଲୋକ ନଗ୍ନତା ସପକ୍ଷରେ ତର୍କ ରଖିବା ପାଇଁ କୁଦି ପଡ଼ିଲେ ଏବଂ କହିଲେ ଯେ ମଣିପୁରରେ ଭାରତୀୟ ସେନା ଦ୍ୱାରା ନାରୀମାନଙ୍କ ଉପରେ ହୋଇଥିବା ଏଭଳି ଏକ ପ୍ରଦର୍ଶନ ଯୁକ୍ତି ଯୁକ୍ତ ଥିଲା । ୩ମାସ ଧରି ଖବରକାଗଜ ପୃଷ୍ଠାରେ ଆକ୍ରମଣ ଓ ପ୍ରତିଆକ୍ରମଣ ଚାଲିଥିଲା । ସେହିଦିନଠାରୁ ଆମେ ମଣିପୁରରେ ଦୌପଦୀ ନାଟକ ମଞ୍ଚସ୍ଥ କରିବା ବନ୍ଦ କରିଦେଲୁ ଏକଥାଟି କହି ଯେ, “ଆମେ ଶେଷ ଦୃଶ୍ୟଟି ବାଦ୍ ଦେଇପାରିବୁ ନାହିଁ । ୪ ବର୍ଷ ପରେ ଅର୍ଥାତ୍ ୨୦୦୪ ମସିହାରେ ୧୨ଜଣ ମଧ୍ୟ ବୟସ୍କା ମୈତେଇ ମହିଳା ଭାରତୀୟ ସେନାର ଆସାମ ରାଇଫଲ୍ସ ରହୁଥିବା କଙ୍ଗାର ପଶ୍ଚିମ ଦ୍ୱାର ସାମ୍ନାରେ ଦିନ ଦ୍ୱିପ୍ରହରରେ ସମ୍ପୁର୍ଣ୍ଣ ଉଲଗ୍ନ ହୋଇ ପ୍ରତିବାଦ କରିଥିଲେ । ସେମାନେ ଥାଙ୍ଗଜା ମନୋରମାଙ୍କ ନିଷ୍ଠୁର ଧର୍ଷଣ ଏବଂ ହତ୍ୟାର ପ୍ରତିବାଦରେ ଏଭଳି ଏକ ପ୍ରଦର୍ଶନ କରିଥିଲେ । ମନୋରମା ଥିଲେ ମଣିପୁରର ସନ୍ଦେହ କରାଯାଉଥିବା ଅସଂଖ୍ୟ ଆତଙ୍କବାଦୀଙ୍କ ଭିତରୁ ଜଣେ । ଯେଉଁମାନଙ୍କୁ ଏଭଳି ପରିସ୍ଥିତି ସାମ୍ନା କରିବାକୁ ପଡ଼ିଥାଏ ଏବଂ ଘେଷଣା କରାଯାଇଥାଏ ଯେ ଅମୁକ ଲୋକଟିର ମୁକାବିଲାରେ ମୃତ୍ୟୁ ଘଟିଛି । ଜନସମୁଦାୟର ଏବଂ ସମଗ୍ର ଦେଶର ଜନଗଣ ହତଚକିତ ହେବାପରେ ପରିସ୍ଥିତି ଯେତେବେଳେ ସାମାନ୍ୟ ଆଡ଼କୁ ଆସିଲା ଗୋଟିଏ ସ୍ଥାନୀୟ ମୈତେଇ ଖବରକାଗଜ କହ୍ନେୟାଲାଲଙ୍କୁ ଘୋଷଣା କଲା ଯେ ସେ ଜଣେ ଦୀଗଦର୍ଶୀ, ସେ ପଣ୍ଡିତ, ଜଣେ ଗୁରୁଦେବ । ମୁଁ ସେତେବେଳେ ଦିଲ୍ଲୀରେ ଥିଲି । ସାବିତ୍ରୀ ମୋତେ ଫୋନରେ ଏହିକଥାଟି ଜଣାଇଲେ – ୨୦୧୧ ମସିହାର କଥା । ସାବିତ୍ରୀ କହିଲେ, “ମୁଁ ଶୁଣିବା ପରେ କାନ୍ଦିଲି ଏବଂ ହସିଲି ମଧ୍ୟ” । ଯେକୌଣସି ଲୋକ ସାବିତ୍ରୀଙ୍କୁ ଯଦି ମଞ୍ଚ ଉପରେ କାନ୍ଦିବାର ଦେଖିଥିବ ସେ ଦେଖିଥିବ ଯେ ତାଙ୍କର ସମଗ୍ର ଶରୀରଟି କାନ୍ଦୁଛି । ସେହି ଗୁଞ୍ଜରଣ ଯାହା ଏକ ନାଟକୀୟ ଏବଂ ରାଜନୈତିକ ମଧ୍ୟ । ଗୋଟିଏ ଶିଶୁର ଆର୍ତ୍ତନାଦ ଭଳି ତୁମକୁ ସ୍ତବ୍ଦ କରିଦେବ । ସେଥିପାଇଁ  ଯଦିଓ କହ୍ନେୟାଲାଲ ଭାରତୀୟ ମୁଖ୍ୟସ୍ରୋତ ବୁଝିବାଭଳି କହିପାରନ୍ତି ଓ ଲେଖିପାରନ୍ତି କିନ୍ତୁ ସାବିତ୍ରଙ୍କ ବିନା କଳା କ୍ଷେତ୍ରରେ ତାଙ୍କର କାମ ଗୁଡ଼ିକର ଇତିହାସ ଲେଖିବା ଅସମ୍ଭବ । ଯଦିଓ ସାବିତ୍ରୀ ନିଜେ କୁହନ୍ତି ନାହିଁ କିମ୍ବା ଲେଖନ୍ତି ନାହିଁ ।

Photo credit – Wikimedia Commons

Share This Article