ମାହାରୀ ଓ ଗୋଟିପୁଅ ନୃତ୍ୟର ଅତୀତ ଓ ଭବିଷ୍ୟତ

ଐତିହାସିକ ଓ ଗବେଷକମାନଙ୍କ ମତରେ  ଓଡ଼ିଶୀ ନୃତ୍ୟର ସୃଷ୍ଟି ଦେବଦାସୀ, ମାହାରୀ ଓ ଗୋଟିପୁଅ ନୃତ୍ୟରୁ ହିଁ ଆରମ୍ଭ ହୋଇଥିଲା

ଶ୍ରୀ ନିରଞ୍ଜନ ପଣ୍ଡା 167 Views
7 Min Read

ମାହାରୀ ଓ ଗୋଟିପୁଅ ନୃତ୍ୟର ଅତୀତ ଓ ଭବିଷ୍ୟତକୁ ନେଇ ଲେଖାଟିରେ ଆଶଙ୍କା ପ୍ରକାଶ କରିଛନ୍ତି ଲେଖକ ନିରଞ୍ଜନ ପଣ୍ଡା । ଯେଉଁସବୁ ବିଷୟ ଉତ୍ଥାପନ ଏହି ଲେଖାଟିରେ ସେ କରିଛନ୍ତି ସେସବୁ ସେ “ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ ଓ ଓଡ଼ିଶା ଇତିହାସରୁ ହିଁ ତଥ୍ୟ ସଂଗୃହିତ” ବୋଲି ଜଣେଇଛନ୍ତି । ବିଷୟଟି ଗୁରୁତ୍ୱପୂର୍ଣ୍ଣ ଓ ଏହି ବିଷୟଟିକୁ ଯଥାଶୀଘ୍ର ପଦକ୍ଷେପ ନେଇ ରାଜ୍ୟ ସଂସ୍କୃତି ବିଭାଗ ସୁରକ୍ଷିତ କରିବାପାଇଁ ପ୍ରୟାସ କରିବେ ବୋଲି ଆଶା ।  ଆପଣମାନେ ଯେଉଁମାନେ ଲେଖାଟିକୁ ପଢ଼ିବେ ନିଶ୍ଚୟ ବିଷୟଟିର ଗୁରୁତ୍ୱ ଅନୁଭବ କରିପାରିବେ। – ସମ୍ପାଦକ

ଓଡ଼ିଶାର ପ୍ରାଚୀନ ସଂସ୍କୃତି ଓଡ଼ିଶାର ଜନଜୀବନକୁ କରିଛି ଅତ୍ୟନ୍ତ ସମୃଦ୍ଧ ଓ ରୁଦ୍ଧିମନ୍ତ। ସାହିତ୍ୟ,ସଙ୍ଗୀତ ଓ ନୃତ୍ୟ ହିଁ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଜନ ମାନସର ବିଚାର ଧାରାରେ ଶ୍ରୀଜଗନ୍ନାଥଙ୍କ ହେତୁ ଓଡ଼ିଶାର ପୁରାତନ ସାହିତ୍ୟ , ସଙ୍ଗୀତ ଓ ନୃତ୍ୟ ଅତ୍ୟନ୍ତ ସମୃଦ୍ଧ, ଉଚ୍ଚକୋଟୀର ଏବଂ ହୃଦୟସ୍ପର୍ଶୀ। ଓଡିଶା ମାଟିର ମହକ ବାରିହୁଏ ଓଡ଼ିଶାର ଅନେକ ଲୋକ ସାହିତ୍ୟ, ଲୋକ ସଙ୍ଗୀତ ,  ଲୋକ ନୃତ୍ୟ, ଲୋକ କଳା, ଓଡ଼ିଶୀ ସଙ୍ଗୀତ ଓ ଓଡ଼ିଶୀ ନୃତ୍ୟରୁ। ଆଧୁନିକତା ନାମରେ ଧୀରେ ଧୀରେ ଲୋକ ସାହିତ୍ୟ , ଲୋକ ସଙ୍ଗୀତ , ଲୋକ ନୃତ୍ୟ ଓ ଲୋକ କଳାର ଗାରିମା ଆମ ଜାତୀୟ ଐତିହରୁ ମ୍ଲାନ ହେବାକୁ ବସିଲାଣି। ଏହା ହୁଏତ ସୌଭାଗ୍ୟର ବିଷୟ ହୋଇପାରେ ଯେ ଆଧୁନିକ ବ୍ୟବସ୍ଥାରେ ଲୋକ ସାହିତ୍ୟ , ଲୋକ କଳା ଓ ଲୋକ ନୃତ୍ୟ ବିଲୁପ୍ତ ହେବାକୁ ବସିଲେ ବି ଓଡ଼ିଶୀ ନୃତ୍ୟ ଆଧୁନିକ ସଭ୍ୟତାରେ  କିଛିଟା ନିଜର ସ୍ଥିତିକୁ ଜାହିର କରି ରଖିପାରିଛି।

ହେଲେବି ଓଡ଼ିଶୀ ନୃତ୍ୟ ଆଧୁନିକତା ନାମରେ ନିଜର ମୌଳିକତାକୁ ହରାଇ ବସିବାକୁ ଲାଗିଲାଣି। ଓଡ଼ିଶୀ ନୃତ୍ୟର ଆଦିଗୁରୁ ମାନଙ୍କର କିଛି ପଟ୍ଟ ଶିଷ୍ୟ ଓ ଶିଷ୍ୟାମାନେ ଓଡ଼ିଶୀ ନୃତ୍ୟର ମୌଳିକତା ରକ୍ଷା କରିବା ସହିତ ଦେଶ ବିଦେଶରେ ଏହାର ବହୁଳ ପ୍ରଚାର ପ୍ରସାର କରିବା କ୍ଷେତ୍ରରେ ଶତତ ଚେଷ୍ଟିତ। ସେମାନଙ୍କର ଏକାନ୍ତ ନିଷ୍ଠା ଓ ସାଧନା ପାଇଁ ଓଡ଼ିଶୀ ନୃତ୍ୟ ଆଞ୍ଚଳିକ , ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ନିଜର ଏକ ଗରୀମାମୟ ସ୍ଥାନ ଅଧିଗ୍ରହଣ କରିପାରିଛି।

ଐତିହାସିକ ଓ ଗବେଷକମାନଙ୍କ ମତରେ  ଓଡ଼ିଶୀ ନୃତ୍ୟର ସୃଷ୍ଟି ଦେବଦାସୀ, ମାହାରୀ ଓ ଗୋଟିପୁଅ ନୃତ୍ୟରୁ ହିଁ ଆରମ୍ଭ ହୋଇଥିଲା। ଐତିହାସିକ ତଥ୍ୟ ଅନୁଯାୟୀ ଗଙ୍ଗ ବଂଶର ଶେଷ ରାଜା ଭାନୁ ଗଙ୍ଗ ଦେବଙ୍କ ସମୟରେ ଶ୍ରୀଜଗନ୍ନାଥ ମନ୍ଦିରରେ ଦେବଦାସୀ ନୃତ୍ୟର ପ୍ରଚଳନ ହୋଇଥିଲା।

ମହାରାଜା ଭାନୁଦେବ ଜଣେ ଅତ୍ୟନ୍ତ ବିଳାସ ବ୍ୟସନରେ କାଳାତିପାତ କରୁଥିବା ଉତ୍କଳର ରାଜା ଥିଲେ। ସେ ସଙ୍ଗୀତ ଓ ନୃତ୍ୟ ଗୀତରେ ସର୍ବଦା ନିମ୍ମଜିତ ରହୁଥିଲେ। ସେ ଯେହେତୁ ଶ୍ରୀଜଗନ୍ନାଥଙ୍କର ପ୍ରଥମ ସେବକ ସେଥି ନିମନ୍ତେ ଶ୍ରୀଜଗନ୍ନାଥଙ୍କର ସେବାପୂଜା ପାଇଁ ଶ୍ରୀମନ୍ଦିରରେ ନୃତ୍ୟ ଗୀତର ସୁବନ୍ଦୋବସ୍ତ କରିଥିଲେ। ଯେଉଁ ନୃତ୍ୟଶିଳ୍ପୀମାନେ ଶ୍ରୀଜଗନ୍ନାଥଙ୍କ ନିକଟରେ ନୃତ୍ୟ ପରିବେଷଣ କରୁଥିଲେ ସେମାନେ ସମ୍ପୂର୍ଣ୍ଣ ରୂପେ ଅବିବାହିତ ଥିଲେ। ସେମାନେ ଶ୍ରୀଜଗନ୍ନାଥଙ୍କୁ ସ୍ବାମୀ ଭାବରେ ବରଣ କରି ନେଇଥିଲେ। ଯେହେତୁ ସେମାନେ ଦେବତାଙ୍କ ନିକଟରେ ସମର୍ପିତ , ସେହି ଦୃଷ୍ଟିରୁ ସେମାନେ ଦେବଦାସୀ ଭାବରେ ସମଗ୍ର ସମାଜରେ ପରିଚିତ। ଏହି ଦେବଦାସୀ ପରମ୍ପରାରୁ ପ୍ରାୟତଃ ଓଡ଼ିଶୀ ନୃତ୍ୟର ସୃଷ୍ଟି।

ଯଦିଓ ଗଙ୍ଗବଂଶର ରାଜା ଭାନୁଦେବଙ୍କ ସମୟରୁ ଶ୍ରୀଜଗନ୍ନାଥ ମନ୍ଦିରରେ ଦେବଦାସୀ ନୃତ୍ୟର ପରମ୍ପରା ପ୍ରଚଳିତ ହୋଇଥିଲା ମାତ୍ର ଐତିହାସିକ ତଥ୍ୟ ଅନୁଯାୟୀ ସୂର୍ଯ୍ୟବଂଶର ରାଜା କପିଳେନ୍ଦ୍ର ଦେବଙ୍କ ପୁତ୍ର ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କ ସମୟରୁ ଶ୍ରୀଜଗନ୍ନାଥ ମନ୍ଦିରରେ ସର୍ବପ୍ରଥମେ ନିୟମିତ ଭାବରେ ଗୀତଗୋବିନ୍ଦ ପରିବେଷଣ ସହିତ ଦେବଦାସୀ ନୃତ୍ୟର ପରମ୍ପରା ପ୍ରଚଳିତ ହୋଇଥିଲା। ଦେବଦାସୀ ନୃତ୍ୟର ସଂସ୍କରଣ ହିଁ ସମ୍ଭବତଃ ମାହାରୀ ନୃତ୍ୟ। ମାହାରୀ ନୃତ୍ୟର ସମସାମୟିକ ନହେଲେବି କିଛି ସମୟର ବ୍ୟବଧାନ ପରେ ପ୍ରାୟତଃ ଗୋଟିପୁଅ ନୃତ୍ୟର ସୃଷ୍ଟି।

ଗୋଟିଏ ପୁଅ ପିଲା ନାରୀ ବେଶରେ ସଜ୍ଜିତ ହୋଇ ନୃତ୍ୟ ପରିବେଷଣ କରୁଥିବା ହେତୁ ତାହାକୁ ଗୋଟିପୁଅ ନୃତ୍ୟ କୁହାଯାଏ। ମାହାରୀ ନୃତ୍ୟର ଉଦ୍ଭବ ଦେବଦାସୀ ନୃତ୍ୟର ପରମ୍ପରାରୁ ଆରମ୍ଭ ହୋଇଥିଲେ ମଧ୍ୟ ଦେବଦାସୀ ଓ ଗୋଟିପୁଅ ନୃତ୍ୟର ମୌଳିକତା ମଧ୍ୟ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ସେମିତି ଦେଖିବାକୁ ଗଲେ ଗୋଟିପୁଅ ଓ ମାହାରୀ ନୃତ୍ୟ ଧୀରେ ଧୀରେ ଓଡ଼ିଶା ମାଟିରୁ ବିଲୁପ୍ତ ହେବାକୁ ବସିଲାଣି।  ଗୁରୁ ପଙ୍କଜ ଚରଣ ଦାସଙ୍କର ନୃତ୍ୟ ଜୀବନ ଦେବଦାସୀ ପରମ୍ପରା ରୁ ସୃଷ୍ଟି ହୋଇଥିଲା। ତାଙ୍କରି ଉଦ୍ୟମ ହେତୁ ଦେବଦାସୀ ନୃତ୍ୟର ସଂସ୍କରଣ ମାହାରୀ ନୃତ୍ୟର ବ୍ୟାକରଣ ସୃଷ୍ଟି କରିଥିଲା। ଗୁରୁ ପଙ୍କଜ ଚରଣ ଓଡ଼ିଶୀ ନୃତ୍ୟର ଆଦି ଗୁରୁ ବୋଲି କହିଲେ କୌଣସି ଅତ୍ୟୁକ୍ତି ହେବନାହିଁ। ତାଙ୍କର ଓଡ଼ିଶୀ ନୃତ୍ୟର ଅନେକ ସଫଳ ଶିଷ୍ୟ ମାନଙ୍କ ମଧ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଅନ୍ୟତମ।

ଓଡ଼ିଶୀ ନୃତ୍ୟ ଭାରତନାଟ୍ୟମ୍ , କଥକ, କଥାକଳି ଓ କୁଚୂପୁଡ଼ି ପରି ସର୍ବ ପ୍ରଥମେ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ପାଇ ନଥିଲା। ମାତ୍ର ସୌଭାଗ୍ୟର ବିଷୟ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ , ଗବେଷକ ଡଃ ଧିରେନ୍ ପଟ୍ଟନାୟକ , ଗୁରୁ କେଳୁଚରଣ ମହାପାତ୍ର , ଗୁରୁ ଦେବପ୍ରସାଦ ଦାଶ , ସଂଯୁକ୍ତା ପାଣିଗ୍ରାହୀ ଓ କେତେକ ସଂସ୍କୃତି ଗବେଷକ ମାନଙ୍କ ନିଷ୍ଠା ଓ ଆନ୍ତରିକ ଉଦ୍ୟମ ହେତୁ ଓଡ଼ିଶୀ ନୃତ୍ୟ ସ୍ବାଧୀନତାର ପରବର୍ତ୍ତୀ ସମୟରେ ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି। ମାତ୍ର କ୍ଷୋଭର ବିଷୟ ଯେଉଁ ଓଡ଼ିଶୀ ନୃତ୍ୟ ଦେବଦାସୀ ଓ ଗୋଟିପୁଅ ନୃତ୍ୟ ପରମ୍ପରା ରୁ ସୃଷ୍ଟି ହେଲା ତାହା କୌଣସି ଦିଗରୁ ପ୍ରୋତ୍ସାହନ ନପାଇ ଧୀରେ ଧୀରେ ଅବଲୁପ୍ତ ହେବାକୁ ବସିଲାଣି।

ଗୁରୁ ପଙ୍କଜ ଚରଣ ଦାସଙ୍କ ଦେହାନ୍ତ  ପରେ ମାହାରୀ ନୃତ୍ୟର ପ୍ରଚାର ପ୍ରସାର କାଳକ୍ରମେ କ୍ଷୀଣ ହୋଇ ଆସୁଛି। ମାହାରୀ ନୃତ୍ୟ ଓ ଗୋଟିପୁଅ ନୃତ୍ୟର ବିକାଶ ପାଇଁ ଆମ ସଂସ୍କୃତି ବିଭାଗ , ଓଡ଼ିଶା ସରକାର ଯେପରି ଭାବରେ ଯତ୍ନବାନ ହେବା କଥା ତାହା ହେଉ ନାହାଁନ୍ତି। ଓଡ଼ିଶୀ ନୃତ୍ୟ ଓ ସଂଗୀତର ପ୍ରଚାର ପ୍ରସାର ତଥା ପ୍ରଶିକ୍ଷଣ ନିମନ୍ତେ ସଂସ୍କୃତି ବିଭାଗ ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିଥିବା ବେଳେ ଆମ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ମାହାରୀ ନୃତ୍ୟ ଓ ଗୋଟିପୁଅ ନୃତ୍ୟର ବିକାଶ ସହିତ ପ୍ରଶିକ୍ଷଣ ନିମନ୍ତେ କୌଣସି ପ୍ରଶିକ୍ଷଣ ଅନୁଷ୍ଠାନ ପ୍ରତିଷ୍ଠା କରି ନାହାଁନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ , ଓଡ଼ିଶା ସରକାର ପ୍ରାୟ ପ୍ରତ୍ୟେକ ବର୍ଷ ଓଡ଼ିଶାର ବିଭିନ୍ନ ସ୍ଥାନରେ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ ମାହାରୀ ଓ ଗୋଟିପୁଅ ନୃତ୍ୟର ବିକାଶ ପାଇଁ ରାଜ୍ୟ ସରକାରଙ୍କର ଏପରି ବୈମାତୃକ ମନୋଭାବର କାରଣ କ’ଣ ହୋଇ ପାରେ ?

ଯଦି ରାଜ୍ୟ ସରକାର ମାହାରୀ ଓ ଗୋଟିପୁଅ ନୃତ୍ୟର ପ୍ରଚାର ପ୍ରସାର ପାଇଁ ଯତ୍ନବାନ ନ ହୁଅନ୍ତି , ତେବେ ଏହି ନୃତ୍ୟ କେତେବେଳେ ଯେ କାଳର କରାଳ ଗର୍ଭରେ ବିଲୀନ ହୋଇ ନଯିବ କିଏ କହି ପାରେ? ଏପରି କି ଅନେକ ସଂସ୍କୃତି ପ୍ରାଣ ବ୍ୟକ୍ତି , ସଂଗଠନ ଓ ସଂସ୍କୃତି ସଂଗଠକ ମାନେ ମାହାରୀ ଓ ଗୋଟିପୁଅ ନୃତ୍ୟର ବିକାଶ ତଥା ପ୍ରଚାର ପ୍ରସାର ପାଇଁ କୌଣସି ଆଖି ଦୃଶିଆ ପଦକ୍ଷେପ ନେବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି। ଏହି ମାହାରୀ ଓ ଗୋଟିପୁଅ ନୃତ୍ୟ କେତେ ଯେ ମନଛୁଆଁ ଓ ହୃଦୟସ୍ପର୍ଶୀ ତାହାର ଚିତ୍ରଣ ନୃତ୍ୟ ଶିଳ୍ପୀ ମାନଙ୍କର ଅଙ୍ଗଭଙ୍ଗୀ କୁ ପ୍ରତ୍ୟକ୍ଷ ଭାବରେ ଦେଖିଲେ ଏହି ନୃତ୍ୟର ମଧୁମୟ ସ୍ୱାଦକୁ ଆମେ ଅନୁଭବ କରି ପାରିବା ଓ ଆମ ପୁରାତନ ସଂସ୍କୃତି କେତେ ସମୃଦ୍ଧ ଓ ହୃଦୟସ୍ପର୍ଶୀ ତଥା ମନଛୁଆଁ ତାହା ମଧ୍ୟ ଆମେ ଉପଲବ୍ଧି କରି ପାରିବା।

ମାହାରୀ ଓ ଗୋଟିପୁଅ ନୃତ୍ୟର ବିକାଶ ଓ ସମୃଦ୍ଧିର ମାର୍ଗରେ ସହାୟତା ନିମନ୍ତେ ଯଦି ଓଡ଼ିଶା ସରକାର କୌଣସି ପ୍ରଶିକ୍ଷଣ ଅନୁଷ୍ଠାନ ପ୍ରତିଷ୍ଠା କରି ଉକ୍ତ ନୃତ୍ୟର ପରମ୍ପରା କୁ ଉଜ୍ଜୀବିତ କରିବାକୁ ପ୍ରୋତ୍ସାହନ ଦେବାକୁ ପ୍ରଚେଷ୍ଟା ନକରନ୍ତି ତେବେ ଧରିନେବାକୁ ହେବ ଯେ, ଆମ ପ୍ରାଚୀନ ସଂସ୍କୃତି ଓ କଳାର ସୁରକ୍ଷା ପାଇଁ ରାଜ୍ୟ ସରକାର କେତେ ଯତ୍ନବାନ। ଆଗାମୀ ଦିନରେ ମାହାରୀ ଓ ଗୋଟିପୁଅ ନୃତ୍ୟର ବିକାଶ ପାଇଁ ଯଦି ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ପ୍ରୋତ୍ସାହନ ନମିଳେ ତେବେ ଉକ୍ତ ନୃତ୍ୟ ଦ୍ୱୟର ତ ନିଶ୍ଚିତ ଭାବରେ ବିଲୀନ ଘଟିବ ଏବଂ ତାହା ସହିତ ଆମକୁ ବୁଝିନେବାକୁ ହେବ ଯେ, ଆମ ସଂସ୍କୃତିର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗର ବିଚ୍ଛେଦ ଘଟିଲା।

Share This Article
ଆଇନଜୀବୀ,ଓଡ଼ିଶା ହାଇକୋର୍ଟ,କଟକ
Exit mobile version