ବେଙ୍ଗଲ ଥିଏଟର

Chief Editor 141 Views
13 Min Read

[box type=”shadow” align=”” class=”” width=””]ନଟି ବିନୋଦିନୀ କୈଶୋରରେ ପଦାର୍ପଣ କରିବା ପରେ ଗ୍ରେଟ ନ୍ୟାସନାଲ ଥିଏଟର ଛାଡ଼ି ବେଙ୍ଗଲ ଥିଏଟର ର ଅଧ୍ୟକ୍ଷ ଶରତ ଚନ୍ଦ୍ର ଘୋଷ ମହାଶୟଙ୍କ ଅଧୀନରେ କାର୍ଯ୍ୟ କରିଥିଲେ । ଏଇ ବେଙ୍ଗଲ ଥିଏଟର ହିଁ ତାଙ୍କର କାର୍ଯ୍ୟରେ ଉନ୍ନତି ଆଣିଥିଲା । ଏଇଠି ଶରତ ଚନ୍ଦ୍ର ମହାଶୟଙ୍କ ଅଧୀନରେ ଅଳ୍ପ ଦିନ ମଧ୍ୟରେ ପ୍ରଧାନ ପ୍ରଧାନ ଭୂମୀକାରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ । ନଟି ବିନୋଦିନୀ ବେଙ୍ଗଲ ଥିଏଟର ଉପରେ ମନେପକାଇ କୁହନ୍ତି ଯେ, “ଯାହା ହଉ , ବେଙ୍ଗଲ ଥିଏଟର ରେ କାମ କଲାବେଳେ ମୁଁ ଏକରକମ ଶାନ୍ତିରେ ଥିଲି । କାହିଁକି ନା ସେତେବେଳେ ବେଶି ଉଚ୍ଚ ଆଶା ହେଇନି। ଯାହା ମିଳୁଥିଲା ସେଇଥିରେ ଖୁସି ହେଇଯାଉଥିଲି । ଯେତିକି ଉନ୍ନତ୍ତି କରି ପାରିଥିଲି ସେଠିକି ଯଥେଷ୍ଟ ମନେକରୁଥିଲି । ବେଶି ଆଶା ବି ନଥିଲା , ଅତୃପ୍ତ ନଥିଲା। ସମସ୍ତେ ଭାରି ଭଲ ପାଉଥିଲେ । ହସି , ଖେଳି ଖୁସିରେ ଦିନ କଟୁଥିଲା ।” – ସମ୍ପାଦକ[/box]

କୈଶୋରରେ ପଦାର୍ପଣ କରି ବେଙ୍ଗଲ ଥିଏଟର ର ଅଧ୍ୟକ୍ଷ ପୂଜନୀୟ ସ୍ଵର୍ଗତଃ ଶରତ ଚନ୍ଦ୍ର ଘୋଷ ମହାଶୟଙ୍କ ଅଧୀନରେ କାର୍ଯ୍ୟନିପୁଣ ହେଲି । ଠିକ ମନେପଡୁନି କାହିଁକି ମୁଁ ‘ଗ୍ରେଟ ନ୍ୟାସନାଲ’ ଥିଏଟର ଛାଡ଼ିଲି । ଏଇ ବେଙ୍ଗଲ ଥିଏଟର ହିଁ ମୋର କାର୍ଯ୍ୟରେ ଉନ୍ନତି ମୂଳେ, ଏଇଠି ଶରତ ଚନ୍ଦ୍ର ମହାଶୟଙ୍କ କ୍ରତ୍ୱାଧୀନରେ ଅଳ୍ପ ଦିନ ମଧ୍ୟରେ ପ୍ରଧାନ ପ୍ରଧାନ ଭୂମୀକା ଅଭିନୟ କରିବା ଆରମ୍ଭ କଲି । ମାନନୀୟ ଶରତ ବାବୁ ମୋତେ ଝିଅ ଭଳି ସ୍ନେହ କରୁଥିଲେ, ତାଙ୍କ ଅସୀମ ସ୍ନେହ ଓ ଗୁଣ କଥା କହିବା କଷ୍ଟ। ପ୍ରସିଦ୍ଧ ଗାୟିକା ବନ ବିହାରିଣୀ (ଭୁନି), ସୁକୁମାରୀ ଦତ୍ତ (ଗୋଲାପୀ) ଓ ଏଲୋକେଶୀ ସେତେବେଳେ ବେଙ୍ଗଲ ଥିଏଟର ରେ ଥିଲେ । ସେତେବେଳେ ମାଇକେଲ ମଧୁସୂଦନ ଦତ୍ତଙ୍କର “ମେଘନାଦ ବଦ୍ଧ” କାବ୍ୟରେ ଏକ ସାଙ୍ଗରେ ସାତଟି ପାର୍ଟ ଅଭିନୟ କରିଥିଲି ।୧ମ ଚିତ୍ରାଙ୍ଗଦା, ୨ୟ ପ୍ରମିଳା, ୩ୟ ବାରୁଣୀ , ୪ର୍ଥ ରତି, ୫ମ ମାୟା , ୬ଷ୍ଠ ମହାମାୟା, ୭ମ ସୀତା । ବଂକିମ ବାବୁଙ୍କର ‘ମୃଣାଳିନୀ’ ରେ ମନୋରମା ଅଭିନୟ କରିଥିଲି ଏବଂ ‘ଦୁର୍ଗେଶନନ୍ଦିନୀ’ ରେ ଆଇଶା ଓ ତିଳତମା ଏଇ ଦୁଇଟି ଭୂମିକା ପ୍ରୟୋଜନ ହେଲେ ଦିଟା ହିଁ ଗୋଟିଏ ରାତିରେ ଅଭିନୟ କରିଛି । କାରାଗାର ଭିତରେ ଆଇଶା ଓ ତିଳତମାର ଦେଖାନାହିଁ । କାରାଗାର ରେ ତିଳତମା କୋଉଠି ନଥିଲା ଅନ୍ୟ ଜଣେ ତିଳତମାର କପଡା ପିନ୍ଧି କାରାଗାର ରେ ଯାଇ -” କିଏ- ବୀରେନ୍ଦ୍ର ସିଂହଙ୍କ କନ୍ୟା ?” ଜଗତ ସିଂହ ମୁହଁରେ ଏଇମାତ୍ର କଥା ଶୁଣି ମୁର୍ଚ୍ଛା ହେଇଯାଏ । ସେଇ ସମୟରେ ଆଇଶା ଭୂମିକାର ଶ୍ରେଷ୍ଠ ଅଂଶ ଓ ସମାନର ଅଭିନୟ । ଏଇ ମୁହୂର୍ତରେ ଅତି ସଂକୁଚିତ ଭୀରୁ -ସ୍ୱାଭାବି ରାଜକନ୍ୟା ତିଳତମା , ସାଙ୍ଗେ ସାଙ୍ଗେ ଫୁଣି ଉନ୍ନତ ହୃଦୟା- ଗର୍ବୀ – ଅପରିଷୀମା ହୃଦୟ ବଳଶାଳିନୀ ପ୍ରେମ ପରିପୂର୍ଣ୍ଣ ନବାବ ପୁତ୍ରୀ ଆଇଶା । ଏହି ପରି ନିଜକୁ ଦି ଭାଗରେ ବିଭକ୍ତ କରିବାକୁ କେତେଯେ ଉଦ୍ୟମର ପ୍ରୟୋଜନ ତାହା କହିବା କଷ୍ଟ । ଏହା ଯେ ପ୍ରତ୍ୟହ ଘଟୁଥିଲା ତାହା ନୁହେଁ, କାର୍ଯ୍ୟକାଳୀନ ଆକସ୍ମିକ ଅଭାବରେ ଏଇଭାବେ ଅଭିନୟ କରିବାକୁ ପଡିଛି।

ଦିନେ ଆଇଶା ଅଭିନୟ କରିବା ପାଇଁ ରାତିରେ ଘରୁ ଆଇଶା ପରି ସୁନ୍ଦର ପୋଷାକ ପିନ୍ଧି ଅଭିନୟ ସ୍ଥାନରେ ଉପସ୍ଥିତ ହେଲି । ଯେ “ଆସମାନୀଆ” ଭୂମିକା ରେ ଅଭିନୟ କରୁଥିଲେ ସେ ଆସି ପାରିନାହାନ୍ତି । ରଙ୍ଗାଳୟ ଜନପୁର୍ଣ୍ଣ । କତୃପକ୍ଷ ଗଣ ଚୁପ ଚାପ କଥା ହଉଛନ୍ତି -“ବିନୋଦକୁ “ଆସମାନୀଆ” ପାର୍ଟ ଅଭିନୟ କରିବାକୁ କହିବା ? ବିନୋଦ ବ୍ୟତୀତ ଆଉ କେହି ପାରିବେନି “। ମୁଁ ଯେହେତୁ ଆଇଶା ଅଭିନୟ ପାଇଁ ସଜେଇ ହେଇ ଆସିଛି ମୋତେ କହିବାକୁ କେହି ସାହସ କରୁନଥିଲେ । ଅମୃତ ଲାଲ ବାବୁ ଆସି ଭାରି ଆଦରରେ କହିଲେ ” ବିନୋଦ! ମୋ ସୁନା ଭଉଣୀ ! ଯିଏ ଆସମାନୀଆର ରୋଲ କରେ ତା ଦେହ ଭଲ ନାହିଁ , ତମେ ଆଜି ଚଳେଇ ଦିଅ , ନହେଲେ ଭାରି ମୂସକିଲ ହେଇ ଯିବା”। ଯଦିଓ ମୁହଁରେ ଅନେକ ବାର ” ନା ନା ” କଲି , ଆଉ ବାସ୍ତବିକ ସେତେବେଳେ ସେଇ ନବାବ ପୁତ୍ରୀ ପୋଷାକ ଛାଡି ଦାସୀର ପୋଷାକ ପିନ୍ଧି , ଫୁଣି ଆଇଶା ସାଜିବାକୁ ଭାରି କଷ୍ଟ ହବ ବୋଲି ମନେ ମନେ ଭାରି ରାଗିଥିଲି, କିନ୍ତୁ ଏଇ ପରିସ୍ଥିତିରେ ସେମାନଙ୍କ କଥା ମାନିବାକୁ ବାଧ୍ୟ ହେଲି । ବେଙ୍ଗଲ ଥିଏଟରରେ ଅଭିନୟ କଲାବେଳେ “ଇଂଲିଶ ମ୍ୟାନ” , ‘ସ୍ଟାଟସ ମ୍ୟାନ’ ଇତ୍ୟାଦି କାଗଜରେ ମୋତେ କିଏ “ସାଇନୋରା” ଭାବେ ଉଲ୍ଲେଖ କରିଛନ୍ତି । ଏବେବି ମୋର ପୁରୁଣା ସାଙ୍ଗ ମାନେ ମୋତେ ସାଇନୋରା ନାଁ ରେ ସମ୍ବୋଧନ କରନ୍ତି ।

ଆଗୁରୁ କହିଛି ଏଇ ଥିଏଟରରେ ବଙ୍କିମବାବୁଙ୍କର “ମୃଣାଳିନୀ” ଅଭିନୀତ ହଉଥିଲା । ତାହାର ଅଭିନୟ ଯେମିତି ହେଇଥିଲା ତାହା ବର୍ଣ୍ଣନାତୀତ । ସେତେବେଳେ ହଉ ବା ଏବେ , କୌଣସି ରଙ୍ଗାଳୟରେ ଏଇ ବହିର ଏଭଳି ଅଭିନୟ ବୋଧେ ଅନ୍ୟ କୋଉଠି ହେଇନି । ଏଇ ମୃଣାଳିନୀର ହରି ବୈଷ୍ଣବ-ହେମଚନ୍ଦ୍ର , କିରଣ -ପଶୁପତି , ଗୋଲାପ (ଶୁକୁମାରୀ ଦତ୍ତ) – ଗିରିଜୟା, ଭୁନି-ମୃଣାଳିନୀ ଏବଂ ମୁଁ -ମନୋରମା ।

ଆଉ ଗୋଟେ ଦିଟା କଥା କହି ବେଙ୍ଗଲ ଥିଏଟର ସମ୍ବନ୍ଧରେ କଥା ଶେଷ କରିବି । ଥରେ ଆମେ ସଦଳ ଚୁଆଭାଁଗା ଯିବୁ , ଆମ ସମସ୍ତଙ୍କ ପାଇଁ ଗୋଟେ ଗାଡି ରିଜର୍ଭ କରାଗଲା। ସମସ୍ତେ ଏକ ସାଙ୍ଗରେ ଯାଉଛୁ। ମାସ – ମନେ ନାହିଁ , ମଝିରେ କୋଉ ଷ୍ଟେସନ ତା ବି ମନେ ନାଈଁ, ତେବେ ସେଇଟା ଯେ ଗୋଟେ ବଡ ଷ୍ଟେସନ ସେଇଟା ସନ୍ଦେହ ନାହିଁ । ସେଠି ଓହ୍ଲେଇ “ଉମୀଚାନ୍ଦ” ବୋଲି ଛୋଟ ବାବୁ ମହାଶୟଙ୍କର ଜଣେ ଆତ୍ମୀୟ (ଆମେ ମାନନୀୟ ଶରତ ଚନ୍ଦ୍ର ବାବୁଙ୍କୁ ଛୋଟାବାବୁ ବୋଲି ଡାକୁଥିଲୁ) ଓ ଆଉ ଦି ଚାରି ଜଣ ଏକାସାଙ୍ଗରେ ଆମ ମାନଙ୍କ ପାଇଁ ଖାଦ୍ୟ ଆଣିବାକୁ ଗଲେ । ଜଳଖିଆ ପତ୍ର ଆଦି ନେଇ ସକଳେ ଫେରି ଆସିଲେ । ଉମୀଚାନ୍ଦ ବାବୁଙ୍କର ଫେରିବାକୁ ଡେରି ହେଲା । ଗାଡି ଠିକ ସେଇ ସମୟରେ ଛାଡିବାକୁ ଲାଗିଲା , ଛୋଟ ବାବୁ ମହାଶୟ ଗାଡି ଭିତରୁ ମୁହଁ ବାହାର କରି “ଏ ଉମୀଚାନ୍ଦ ଶୀଘ୍ର ଆସ – ଶୀଘ୍ର ଆସ- ଗାଡି ଛାଡୁଚି” କହି ଡାକିବାକୁ ଲାଗିଲେ । ଗାଡି ବି ଧୀରେ ଧୀରେ ଚାଲିବାକୁ ଲାଗିଲା , ଉମୀଚାନ୍ଦ ଦୌଡ଼ି ଆସି ଗାଡ଼ିରେ ଚଢିଲେ, ଗାଡି ଜୋରରେ ଚାଲିଲା । ଉମୀଚାନ୍ଦ ବାବୁ ଗାଡ଼ିରେ ଚଢି ମୁର୍ଚ୍ଛା ହେଇ ଶୋଇ ପଡିଲେ । ଛୋଟ ବାବୁ ମହାଶୟ ଓ ଅନ୍ୟ ମାନେ “ପାଣି ଦିଅ ,ପାଣି ଦିଅ ” କହି ଚିତ୍କାର କରିବାକୁ ଲାଗିଲେ । ଚାରୁଚନ୍ଦ୍ର ବାବୁ ବ୍ୟସ୍ତ ହେଇ ପବନ କରିବାକୁ ଚେଷ୍ଟା କରୁଥାନ୍ତି । କିନ୍ତୁ ଏମିତି ଦୁର‌୍ୟୋଗ ପୁରା ଗାଡି ଟାରେ କାହା ପାଖରେ ଟୋପାଏ ପାଣି ନଥିଲା ଯେ ସେଇ ଆସନ୍ନ – ମୃତ୍ୟୁ ମୁଖେ ପତିତ ଲୋକଟିର ତୃଷ୍ନା ମେଣ୍ଟଇ ପାରିବ। “ଭୁନି” ସେତେବେଳେ କିଛି ଦିନ ହେଲା ବେଙ୍ଗଲ ଥିଏଟରରେ ଯୋଗ ଦେଇଛି । ତା କୋଳରେ ଛୋଟ ଝିଅ ଟେ , ସେଇ ସମୟରେ ଅନ୍ୟ କିଛି ଉପାୟ ନା ପାଇ ନିଜର ସ୍ତନ୍ୟ କ୍ଷୀର ଗୋଟେ ତାଟିଆରେ ନେଇ ଓମୀ ବାବୁଙ୍କର ମୁହଁ ରେ ଦେଲା । କିନ୍ତୁ ତାଙ୍କ ପ୍ରାଣ ଚାଲିଗଲା। ବୋଧେ ୨୦/୨୫ ମିନଟ ଭିତରେ ଏଇ ଦୁର୍ଘଟଣା ଘଟିଲା। ଗାଡ଼ିରେ ସମସ୍ତେ ଡରି ଗଲେ। ଛୋଟ ବାବୁ ମହାଶୟ ଉମୀଚାନ୍ଦ ଛାତିରେ ମୁଣ୍ଡ ରଖି ଛୋଟପିଲା ପରି କାନ୍ଦି ଉଠିଲେ । ମୁଁ ଏକରେ ଛୋଟ ଝିଅ , ତା ପରେ ଏମିତିଆ ମୃତ୍ୟୁ କେବେ ଦେଖିନି , ଡରିକି ମାଁଙ୍କ କୋଳରେ ଶୋଇ ପଡିଲି । ଉମୀଚାନ୍ଦ ବାବୁଙ୍କର ମୃତ୍ୟୁ କାଳୀନ ସେଇ ମୁଖଭଙ୍ଗୀ ମୋର ମନରେ ବାରମ୍ବାର ଭାସି ଉଠୁଥାଏ । ମୋ ଅବସ୍ଥା ଦେଖି ଚାରୁବାବୁ ମହାଶୟ ଛୋଟ ବାବୁଙ୍କୁ କହିଲେ , “ଶରତ ଚୁପ ହେଇଯା, ଯାହା ହବା କଥା ହେଇ ସାରିଲାଣି, ଏବେ ଯଦି ରେଳ ଲୋକେ ଏ କଥା ଜାଣିବେ , ଗାଡି ଅଟକେଇ ଦେବେ , ଏତେ ଲୋକଙ୍କୁ ନେଇ ରାସ୍ତା ମଝିରେ ବିପଦ ହେଇଯିବ ” । ଛୋଟାବାବୁ କାନ୍ଦି କାନ୍ଦି କହୁଥାନ୍ତି ମୁଁ ଓମୀ ର ମାଁଙ୍କୁ ଯାଇ କଣ କହିବି? ସିଏ ଆସିବା ବେଳେ ଓମୀଚାନ୍ଦ ବିଷୟରେ ମୋତେ କେତେ କଥା କହିଲେ ” (ଓମୀଚାନ୍ଦ ବାବୁ ତାଙ୍କ ମାଁଙ୍କର ଏକମାତ୍ର ପୁତ୍ର ଥିଲେ ) । ଯାହା ହଉ ଏଇଭଳି ଭୟାନକ ବିପଦ ନେଇ ଆମେ ସନ୍ଧ୍ୟା ବେଳେ ଚୁଆଡ଼ାଙ୍ଗା ରେ ଓହ୍ଲେଇଲୁ । ସେତେବେଳେ ପ୍ରାୟ ସନ୍ଧ୍ୟା , ସେଠିକାର ଷ୍ଟେସନ ମାଷ୍ଟ୍ରଙ୍କୁ ସବୁ କୁହାଗଲା ଯାହା ଆଗ ଷ୍ଟେସନ ରେ ଘଟିଛି। ତାପରେ ଆମେମାନେ ବସାରେ ଯାଇ ଯିଏ ଯୋଉଠି ପଡ଼ିଲୁ, ସେଇ ରାତି ସେଇ ଚିନ୍ତାରେ ଶୋଇଲୁ । ଛୋଟ ବାବୁ ଓ ଦି ଚାରି ଜଣ ଅଭିନେତା ଶବ ଦାହ କରିବାକୁ ଗଲେ । ସେଠି ତିନ ଦିନ ରହି ଅଭିନୟ କାର୍ଯ୍ୟ ସାରି ସମସ୍ତେ ଅତି ବିଷର୍ଣ୍ଣ ଭାବେ କଲିକତା ଫେରିଲୁ । ଏଇ ଶୋକ ପୁର୍ଣ ଘଟଣାଟି କୌଣସି ଯୋଗ୍ୟ ଲେଖକ ଦ୍ୱାରା ବର୍ଣ୍ଣିତ ହେଲେ ଏକ ଜୀବନ ଛବି ପରି ପରିସ୍ଫୁଟ ହେବ ।

ଆଉ ଏକ ଘୋର ବିପଦର କଥା କୁହେ । ସେଇ ବେଙ୍ଗଲ ଥିଏଟର ସହିତ ସହେଵଗଂଜ ନା କୋଉଠି ଗୋଟେ। ନିର୍ଦ୍ଧିଷ୍ଟ ଜାଗାରେ ପହଂଚିବାକୁ ହେଲେ କେତେଗୁଡ଼େ ଜଙ୍ଗଲ ପାର କରି ହାତୀ ଓ ଘୋଡା ଗାଡ଼ିରେ ଯିବାକୁ ପଡେ। ୪ଟି ହାତୀ ଓ କେତେଟି ଶଗଡ଼ ଗାଡି ଆମ ପାଇଁ ପ୍ରେରିତ ହେଲା । ଯୋଉମାନେ ଶଗଡ଼ରେ ଯିବେ ସେମାନେ ତିନିଟା ବେଳେ ବାହାରି ଗଲେ । ମୁଁ ଛୋଟ ଛୁଆ , ମୋର ହାତୀ ଉପରେ ବସିବାର ବେଶୀ ଇଛା । ଛୋଟାବାବୁ ମହାଶୟ କେତେ ବାରଣ କଲେ । କିନ୍ତୁ ମୁଁ କେବେ ହାତୀ ଦେଖିନି ! ତା ଉପରେ ଚଢିବା ତ ଅତି ସୁନ୍ଦର କଥା ! ଭାରି ଆନନ୍ଦ , ମୁଁ ଗୋଲାପ କୁ କହିଲି “ଦିଦି ମୁଁ ତମ ସାଙ୍ଗରେ ହାତୀରେ ଯିବି”। ଗୋଲାପ କହିଲା – ଆଛା ଯିବୁ ” । ସିଏ ମୋତେ ତା ସାଙ୍ଗରେ ରଖିଲା । ମା ମୋତେ ଗାଳି ଦେଇ ଦେଇ ଆଗେ ପଳେଇଲେ । ଆମେ ସନ୍ଧ୍ୟା ବେଳେ ହାତୀ ଉପରେ ଉଠିଲୁ । ମୁଁ , ଗୋଲାପ ଆଉ ଦି ଜଣ ପୁରୁଷ ଲୋକ ଗୋଟେ ହାତୀ ଉପରେ ଉଠିଲୁ । କିଛି ଦୂର ଯାଇକି ଦେଖିଲୁ , ଏମିତି ରାସ୍ତା ତ କେବେବି ଦେଖିନି । ମାତ୍ର ଏକ ହାତ ଚୌଡା ରାସ୍ତା । ଆଉ ଦି ପଟେ ଛାତି ପର୍ଯ୍ୟନ୍ତ ଜଙ୍ଗଲ । ଧାନ ଗଛ ନା କି ଗଛ କହି ପାରିବିନି – ଆଉ ପାଣି । କ୍ରମେ ଯେତେ ରାତି ବଢ଼ିଲା , ବର୍ଷା ଝଡ ଆରମ୍ଭ ହେଇଗଲା । ହାତୀ ଫର ଫର କରିବାକୁ ଲାଗିଲା । ଶେଷରେ ସମସ୍ତଙ୍କୁ ନେଇ ବେତ ବଣ ଭିତରକୁ ଗଲା । ତା ଉପରେ କୁଆ ପଥର ବର୍ଷା । ହାତୀ ଉପରେ ଛାଉଣୀ ନାହିଁ , ପାଣି , ଝଡ, ମେଘ ଗର୍ଜନ , କୁଆ ପଥର ବର୍ଷା , ମୁଁ ଡରିକି କାନ୍ଦୁ ଥାଏ । ଶେଷ ରେ ହାତୀ ଆଉ ଆଗୁକୁ ଗଲାନି । ଶୁଣ୍ଢ ମୁଣ୍ଡ ଉପରେ କରି , ଆଗ ଗୋଡ ବଢ଼େଇ ଠିଆ ହେଇ ରହିଲା । ମାହୁନ୍ତ କହିଲା ,” ବାଘ ଆସିଛି ସେଥିପାଇଁ ହାତୀ ଯାଉନି” । ଆମେ ଡରି ମରି ଅବସ୍ଥା ଖରାପ । ମୁଁ ଜୋରରେ କାନ୍ଦୁ ଥାଏ , ମୁଁ କାଳେ ପଡିଯିବି ବୋଲି ଜଣେ ମୋତେ ଜୋରରେ ଧରିଥିଲେ । ତାପରେ କେତେ କଷ୍ଟରେ ଅଧମରା ପ୍ରାୟ ହେଇ କିରକମେ ବସାରେ ଆସି ପହଂଚିଲୁ । ପାଣି , ଶୀତରେ ଜମି ଯାଉଥିଲୁ, ହାତୀ ଉପରୁ ତଳକୁ ଓହ୍ଲେଇବାର ତ ଉପାୟ ନଥିଲା ! ଛୋଟାବାବୁ ନିଜେ ଧରି ମୋତେ ଓହ୍ଲେଇ ନିଆଁ ଲଗେଇ ମୋ ଦେହ ସେକିବା ଆରମ୍ଭ କଲେ। ମାଁ କାନ୍ଦି କାନ୍ଦି ମୋତେ ଗାଳି ଦେଉଥାନ୍ତି। ମାଁ କହୁଥାନ୍ତି “ବଦମାଶ , କୌଣସି କଥା ଶୁଣିବନି” । ସେଇ ଦିନ ହିଁ ଆମର ଅଭିନୟ କଥା ଥିଲା , କିନ୍ତୁ ଦୁର୍ୟୋଗ , ଆମ ମାନଙ୍କର ଶାରୀରିକ ଅବସ୍ଥା ପାଇଁ ସେଦିନ ବନ୍ଦ ହେଲା ।

ଆଉ ଦିନେ ନୌକାରେ ବିପଦରେ ପଡିଥିଲୁ – ଆଉ ଦିନେ ପାହାଡରେ ବୁଲିବାକୁ ଯାଇ ଝଡ଼ରେ ପଥ ହରେଇ ପାହାଡି ମାନଙ୍କର କୁଡ଼ିଆରେ ଆଶ୍ରୟ ନେଇ ଜୀବନ ରକ୍ଷା କଲୁ । ସେଇ ପାହାଡି ଆମକୁ ରାସ୍ତା ଦେଖେଇ ନେଇ ବସାରେ ପହଁଚେଇଲା।

ଥରେ କୃଷ୍ଣ ନଗର ରାଜବାଡିରେ ଘୋଡା ଚଢି ଅଭିନୟ କରୁ କରୁ ପଡି ଯାଇ ଭାରି ଆଘାତ ପାଇଥିଲି । “ପ୍ରମିଳା” ପାର୍ଟ ଅଭିନୟ କଲା ବେଳେ । ସେଠି ମାଟିର ପ୍ଲାଟଫର୍ମ କରା ଯାଇଥିଲା , ମୁଁ ଯେତେବେଳେ ଷ୍ଟେଜରୁ ଆସୁଥିଲି ଘୋଡା ସେଇ ମାଟିରେ ଖସି ପଡିଗଲା । ମୁଁ ଘୋଡା ଉପରୁ ଜୋରରେ ପଡିଲି , ପ୍ରାୟେ ଦି ହାତ ଦୂରରେ । ବହୁତ ଆଘାତ ପାଇଲି । ଉଠିକି ଠିଆ ହବାର ଶକ୍ତି ନଥିଲା । ସେତେବେଳେ ମୋର ପାର୍ଟ ଆହୁରି ବାକି ଥିଲା – କଣ ହବ ! ଚାରିବାବୁ ମୋତେ ଔଷଧ ଦେଇ ଭଲ କରି ମୋ ଆଣ୍ଠୁରୁ ପେଟ ପର୍ଯ୍ୟନ୍ତ ବାନ୍ଧି ଦେଲେ । ଛୋଟ ବାବୁ ମହାଶୟ ସ୍ନେହରେ କହିଲେ – “ମୋ ମା ଆଜିର ପାର୍ଟଟା ଟିକେ କଷ୍ଟ କରି କରିଦେ ” । ତାଙ୍କର ସେଇ ସ୍ନେହମୟ , ସାନ୍ତ୍ୱନାପୁର୍ଣ ବାକ୍ୟରେ ମୋର ବେଦନା ଅଧା ଦୂର ହେଇଗଲା । କୌଣସି ଭାବେ କାର୍ଯ୍ୟ ସମାପ୍ତ କରି ପରଦିନ କଲିକତା ଫେରିଲି। ଏହା ପରେ ମୁଁ ମାସେ ଶଯ୍ୟାଶାୟୀ ରହିଲି । ଯାହା ହଉ , ବେଙ୍ଗଲ ଥିଏଟର ରେ କାମ କଲାବେଳେ ମୁଁ ଏକରକମ ଶାନ୍ତିରେ ଥିଲି । କାହିଁକି ନା ସେତେବେଳେ ବେଶି ଉଚ୍ଚ ଆଶା ହେଇନି। ଯାହା ମିଳୁଥିଲା ସେଇଥିରେ ଖୁସି ହେଇଯାଉଥିଲି । ଯେତିକି ଉନ୍ନତ୍ତି କରି ପାରିଥିଲି ସେଠିକି ଯଥେଷ୍ଟ ମନେକରୁଥିଲି । ବେଶି ଆଶା ବି ନଥିଲା , ଅତୃପ୍ତ ନଥିଲା। ସମସ୍ତେ ଭାରି ଭଲ ପାଉଥିଲେ । ହସି , ଖେଳି ଖୁସିରେ ଦିନ କଟୁଥିଲା ।

ଏଇ ସମୟରେ ମାନନୀୟ କେଦାରନାଥ ଚୌଧୁରୀ ଓ ଶ୍ରୀଯୁକ୍ତ ବାବୁ ଗିରିଶ ଚନ୍ଦ୍ର ଘୋଷ ମହାଶୟ ପ୍ରାୟେ ବେଙ୍ଗଲ ଥିଏଟର ଯାଉଥିଲେ। ସ୍ଵର୍ଗୀୟ କେଦାରବାବୁ ମୋର “କପାଳ କୁଣ୍ଡଳ” ରେ ଅଭିନୟ ଦେଖି କହିଥିଲେ “ଏଇ ଝିଅଟି ଯେମିତି ପ୍ରକୃତ “କପାଳ କୁଣ୍ଡଳ” , ତାର ଅଭିନୟ ବନ୍ୟ ସରୁ ଲତା ପରି ଉତ୍କୃଷ୍ଟ ପ୍ରଦର୍ଶିତ”।

ପରେ ଶୁଣିଥିଲି , ସେତେବେଳେ ହିଁ ଗିରିଶ ବାବୁ ମହାଶୟ ଛୋଟାବାବୁଙ୍କୁ କହିଥିଲେ ଯେ “ମୋର ଗୋଟେ ଥିଏଟର କରିବାର ଇଛା ଅଛି , ଆପଣ ଯଦି ବିନୋଦକୁ ଆମ ଥିଏଟର ରେ କାମ କରିବାକୁ ଛାଡ଼ନ୍ତି ତାହେଲେ ଭାରି ଭଲ ହବ” । ଛୋଟ ବାବୁ ଜଣେ ଅତି ଉଚ୍ଚ ହୃଦୟ ସମ୍ପନ୍ନ ବ୍ୟକ୍ତି ଥିଲେ, ସିଏ କହିଥିଲେ , “ବିନୋଦକୁ ମୁଁ ଭାରି ସ୍ନେହ କରେ; ତାକୁ ଛାଡିଲେ ମୋର ବହୁତ କ୍ଷତି ହବ , ତଥାପି ଆପଣଙ୍କ ଅନୁରୋଧ ମୁଁ ଏଡାଇ ପାରିବିନି , ଆପଣ ବିନୋଦକୁ ନିଅନ୍ତୁ” ।

ତାପରେ ଛୋଟାବାବୁ ମହାଶୟ ଦିନେ ମୋତେ କହିଲେ ” କଣ ବିନୋଦ ଏଠୁ ଯିବାକଥା ଭାବିଲେ ତୋ ମନ ଖରାପ ହବନି “? ମୁଁ ଚୁପ ରହିଲି । ଏଇ ବିଷୟରେ ସେଦିନ ଶ୍ରୀଯୁକ୍ତ ଅମୃତଲାଲ ବାସୁ ମହାଶୟ କହଲେ ଯେ “ଏକଥା ମୋର ବି ମନେଅଛି । ତମେ ବେଙ୍ଗଲ ଥିଏଟରରୁ ଆସିଲା ପରେ ବି ଶରତ ବାବୁ ମହାଶୟ ଆମକୁ କହି ମାଈକେଲ ମଧୁସୂଦନ ଦତ୍ତଙ୍କର ବେନିଫିଟ ନାଇଟର “ଦୁର୍ଗେଶ ନନ୍ଦିନୀର ‘ଆଏଶା’ ଭୂମିକା ଅଭିନୟ କରିବା ପାଇଁ ତମୁକୁ ନେଇ ଥିଲେ, ଆହରୁ କେତେ ଥର ନେଇଛନ୍ତି “। ଯାହା ହଉ , ସେଇ ସମୟ ଠାରୁ ମୁଁ ମାନନୀୟ ଗିରିଶ ବାବୁ ମହାଶୟଙ୍କ ସହିତ କାମ କରିବା ଆରମ୍ଭ କଲି । ତାଙ୍କରି ଶିକ୍ଷାରେ ମୋର ଯୌବନର ପ୍ରଥମ ଭାଗରୁ ଆରମ୍ଭ କରି ଜୀବନର ଅନେକ ସମୟ ଅତିବାହିତ ହେଇଛି ।

Share This Article
Follow:
ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଗାୟିକା, ଲୋକ ସଂସ୍କୃତି ଗବେଷିକା. Ms Swayamprava Parhi is a vocal Artist, cultural journalist and folk cultural researcher. She is based out of Bhubaneswar and edits her cultural magazine, Samadhwani. The magazine is available both in print and digital formats. Swayamprava has been involved in the Village Biography Writing Initiatives with school students since 2005. During Covid-19, she initiated a new approach to work with school students. She shifted her village biography work online while tying up with different schools in Odisha. She edited a book comprising the writings of village biographies of school students written during Covid-19. The name of the book is “Chota Ama Gaan Ti”. She has extensively documented issues like the Food culture of Odisha, Syncretism in India, and Music of the Marginalized Artists. Now, she is focusing on the role of Women in the Performing Folk Art forms of Odisha. She also happens to be a Documentary Filmmaker. She produced her documentary “Ganda Baja” in 2022. She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha particularly of Puri and Cuttack district, both in written and video formats.
Exit mobile version