ନିମାଇଁଚରଣ ହରିଚନ୍ଦନଙ୍କ ଦ୍ୱାରା ବାରିପଦା ସାହିତ୍ୟ ସମାଜରେ ଦିଆଯାଇଥିବା ଉଦବୋଧନର କିଛି ଅଂଶ

Chief Editor 247 Views
10 Min Read

[box type=”info” align=”” class=”” width=””]ଓଡ଼ିଶାର ସଙ୍ଗୀତ ଜଗତରେ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ଜଣେ ମହାନ କଣ୍ଠଶିଳ୍ପି ଭାବରେ ପରିଚିତ । ଦିନଥିଲା ଏମିତି କୌଣସି ସକାଳ ଓଡ଼ିଆ ଲୋକଙ୍କର ହେଉନଥିଲା ଯେଉଁ ସକାଳ ନିମାଇଁ ଚରଣଙ୍କ ଜଗନ୍ନାଥ ଜଣାଣରୁ ଆରମ୍ଭ ହେଉନଥିଲା । ଓଡ଼ିଶା ଓ ଜଗନ୍ନାଥ ସଂସ୍କୃତିର ସଙ୍ଗୀତକୁ ଆତ୍ମା ପ୍ରଦାନ କରିଥିବା ଏହି ମାହାନ କଣ୍ଠଶିଳ୍ପି କେନ୍ଦ୍ରାପଡ଼ାର ବିଖ୍ୟାତ ରାଧାଶ୍ୟାମ ନରେନ୍ଦ୍ରଙ୍କ ବଂଶରେ ୧୯୦୧ ମସିହା ଜୁଲାଇ ୯ ତାରିଖରେ ଜନ୍ମଲାଭ କରିଥିଲେ । ୧୪ବର୍ଷ ବୟସରୁ ସଙ୍ଗୀତ ପ୍ରତି ସେ ଆକୃଷ୍ଟ ହୋଇଥିଲେ । ତାଙ୍କର ପିତୃବ୍ୟ ସଙ୍ଗୀତଜ୍ଞ ଗୋକୁଳ ଶ୍ରୀଚନ୍ଦନ ତାଙ୍କର ପ୍ରଥମ ଗୁରୁଥିଲେ । ଏହି ମହାନ କଣ୍ଠଶିଳ୍ପୀଙ୍କର କଣ୍ଠରୁ ସବୁଦିନ ପାଇଁ ସ୍ୱର ଲିଭିିଗଲା ୧୯୮୩ ମସିହା ବାହୁଡ଼ା ଦଶମୀ ଦିନ । ଚମ୍ପୁ, ଛାନ୍ଦ ଓ ଜଣାଣ, ଭଜନ ଆଦି ଓଡ଼ିଶାର ସାଙ୍ଗୀତିକ ବିଭବରେ ସବୁଦିନପାଇଁଁ ପୂର୍ଣ୍ଣଛେଦ ପଡ଼ିଗଲା । ଜଣେ କଳାକାରର କେବେ ଅନ୍ତ ହୁଅନ୍ତି ନାହିଁ । । ସେ ଆଜିବି ତାଙ୍କ କଣ୍ଠ ସଙ୍ଗୀତ ଭିତରେ ଆମ ନିକଟରେ ବଞ୍ଚି ରହିଛନ୍ତି ଏବଂ ଓଡ଼ିଶାର ମାଟିପାଣି ପବନରେ ଥିବା ସାଙ୍ଗୀତିକ ଉତ୍କର୍ଷତାକୁ ତୋଳି ଧରିବାକୁ ଆମକୁ ପ୍ରେରଣା ଦେଉଛନ୍ତି ।  ୧୯୪୦ ଦଶକରେ ବାରୀପଦା ସାହିତ୍ୟ ସମାଜର ଦ୍ୱିତୀୟ ବାର୍ଷିକ ଅଧିବେଶନରେ ସେ “ସଙ୍ଗୀତ ସମ୍ବନ୍ଧରେ ପଦେ” ଶୀର୍ଷକ ଆଲୋଚନା ଉପସ୍ଥାପିତ କରିଥିଲେ । ଯେଉଁ ବକ୍ତବ୍ୟର ସାରାଂଶ ନିମ୍ନରେ ପ୍ରଦାନ କରାଯାଇଛି ।            – ସମ୍ପାଦକ[/box]

ବାରିପଦା ସାହିତ୍ୟ ସମାଜର ମାନନୀୟ ସଭାପତି ଓ ସହୃଦୟ ସୁଧିବୃନ୍ଦ,

ସଙ୍ଗୀତ ସମ୍ବନ୍ଧୀୟ ଗୋଟିଏ ସଂକ୍ଷିପ୍ତ ପ୍ରବନ୍ଧ ଓ ଓଡ଼ିଆ ସଙ୍ଗୀତର ବିଶେଷତ୍ୱ ବା ସ୍ୱତନ୍ତ୍ର୍ୟ ସମ୍ବନ୍ଧରେ କିଛି ଲେଖିବା ପାଇଁ ମୁୁଁ ଏହି ସଭାର ସମ୍ପାଦକ ମହାଶୟଙ୍କ ଦ୍ୱାରା ଅନୁରୁଦ୍ଦ ହୋଇ ନିଜକୁ ଯେପରି ଭାଗ୍ୟବାନ ମନେ କରୁଅଛି, ସେହିପରି ସଙ୍ଗୀତ ଶାସ୍ତ୍ରର ଜ୍ଞାନବାରିଧି ନିକଟରେ ନିଜର ଅକିଞ୍ଚନତା ଅନୁଭବ କରି ଲଜ୍ଜିତ ଦେଉଅଛି । ମୁଁ ଏ ବିଷୟରେ ନିତାନ୍ତ ଅକିଞ୍ଚନ ହେଲେ ମଧ୍ୟ ଗୁଣ୍ଡୁଚି ମୂଷାର ସମୁଦ୍ର ବନ୍ଧନ କାର୍ଯ୍ୟରେ କ୍ଷୁଦ୍ର ଚେଷ୍ଟା ପରି ଆପଣମାନଙ୍କ ସ୍ନେହ ଦୃଷ୍ଟି ଯୋଗୁଁ ଯତ୍କଞ୍ଚିତ୍ ମାତ୍ର ନିମ୍ନରେ ଲିପିବଦ୍ଧ କଲି ।

ସଙ୍ଗୀତ ସାଧାରଣତଃ ଦୁଇ ଭାଗରେ ବିଭକ୍ତ । ଯଥା :- ସ୍ୱର ସଙ୍ଗୀତ ଓ ଯନ୍ତ୍ର ସଙ୍ଗୀତ । ଯାହା କଣ୍ଠନିଃସୃତ ତାହା ସ୍ୱର ସଙ୍ଗୀତ ଓ ଯାହାର ନାଦ ଯନ୍ତ୍ରରୁ ନିଃସୃତ ହୁଏ ତାହା ଯନ୍ତ୍ର ସଙ୍ଗୀତ ନାମରେ ଅଭିହିତ । ଏହା ପୁଣି ସା, ରେ, ଗା, ମା, ପା, ଧା, ନି ଏହି ରୂପେ ଆରୋହଣ ଓ ଅବରୋହଣ ଭାବରେ ସାତ ପ୍ରକାର ଅଟଇ । ଏହି ସପ୍ତ ସ୍ୱର ସାତ ଗୋଟି ଜନ୍ତୁଠାରୁ ଗହଣ କରାଯାଇଥିବାର ସଙ୍ଗୀତଜ୍ଞମାନଙ୍କଠାରୁ ଜଣାଯାଏ । ଏହି ସପ୍ତ ସ୍ୱରର ନିୟନ୍ତ୍ରଣ ଦ୍ୱାରା ଛଅ ରାଗ ଓ ଚତ୍ରିଶ ରାଗିଣୀର ଉତ୍ପତ୍ତି ହୋଇଅଛି । ପୁତ୍ର କନ୍ୟା ପରିବାର ଉପରେ କେତେ ଯେ ଉପରାଗ ଓ ରାଗିଣୀ ଅଛି ତାର ସଂଖ୍ୟା ନାହିଁ । ହିନ୍ଦି ଭାଷାରେ ଲିଖିତ “କୃଷ୍ଣାନନ୍ଦ” ବ୍ୟାସଦେବ ବିରଚିତ “ରାଗ ସାଗରୋଦ୍ଭବ କଳ୍ପଦ୍ରୁମ” ନାମକ ଗୋଟିଏ ସୁବୃହତ୍ ଗ୍ରନ୍ଥରେ ପ୍ରତ୍ୟେକ ରାଗର ସ୍ତ୍ରୀ, ପୁତ୍ର, ପରିବାର ଏବଂ ତାହାର ମୂର୍ତ୍ତି ଓ ଉତ୍ପତ୍ତି ବିବରଣମାନ ଲିଖିତ ଅଛି । ଏହି ଗ୍ରନ୍ଥମାନଙ୍କରୁ ନାଦ ଓ ନାଦୋତ୍ପତ୍ତିର ପ୍ରକାର, ସ୍ୱର ବିବରଣ, ବାଦ୍ୟ ବିବରଣ, ମୂର୍ଚ୍ଛନା, କୂଟତାନ, ରାଗ ବିବରଣ, ଋତୁଭେଦ, ରାଗ ରାଗିଣୀର ବିନିଯୋଗ ବିବରଣ, ରାଗାଦିର ଧ୍ୟାନ, ନର୍ତ୍ତନ ପ୍ରକରଣ ଆଦି ସଙ୍ଗୀତ ଶାସ୍ତ୍ରର ବହୁଳ ବିଷୟ ଜାଣିବାକୁ ମିଳେ ।

ମନୁଷ୍ୟ କଥା ଦୂରେ ଥାଉ, ପଶୁପକ୍ଷୀ ଏପରି କି ହିଂସ୍ର ପଶୁ ଓ ବିଷଧର ସର୍ପ ସୁଦ୍ଧା ସଙ୍ଗୀତ ଦ୍ୱାରା ବିମୁଗ୍ଧ ହୁଅନ୍ତି । ସଙ୍ଗୀତ ଶାସ୍ତ୍ରରେ ତାଳଜ୍ଞାନ ପରି କାଳଜ୍ଞନ ନଥିଲେ ଆଳାପ ମନୋମୁଗ୍ଧକର ହୁଏ ନାହିଁ । ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ରାଗିଣୀ ଆଳାପ କରି ପାରିଲେ ପ୍ରକୃତି ସୁଦ୍ଧା ବଶୀଭୂତ ହୁଏ । କଥା ଅଛି “ଦୀପକ” ରାଗ ଯଥା କାଳରେ ଠିକ୍ ଭାବରେ ଆଳାପ କରି ପାରିଲେ ଶୂନ୍ୟରେ ନିଆଁ ଜଳି ଉଠେ । ଯଥାକାଳରେ “ମେଘ ମହ୍ଲାର” ରାଗ ଆଳାପ କଲେ ଅସମୟରେ ବର୍ଷା ଋତୁର ଆବିର୍ଭାବ ହୁଏ । “ବସନ୍ତ ରାଗ” କାଳଜ୍ଞାନ ଥାଇ ଠିକଭାବରେ ଆଳାପ କରି ପାରିଲେ ଅକାଳରେ ବସନ୍ତ ଋତୁ ପ୍ରକାଶିତ ହୁଏ ।

ସଙ୍ଗୀତ ଶାସ୍ତ୍ରର କ୍ରମ ସାଧନାରୂପ ଅଭ୍ୟାସ ଯୋଗ ଦ୍ୱାରା ଚିତ୍ତର ସ୍ଥିରତା ଜନ୍ମି ମାନବ ସର୍ବ ଶ୍ରେଷ୍ଠ ମୁକ୍ତିର ଅଧିକାରୀ ହୁଏ । ସଙ୍ଗୀତ ଗାନ ଦ୍ୱାରା ଚିତ୍ତ ପ୍ରସନ୍ନ ହୁଏ । ମାନବ ପୂର୍ଣ୍ଣ ସ୍ୱାସ୍ଥ୍ୟ ଲାଭ କରେ । ସଙ୍ଗୀତ ଚର୍ଚ୍ଚା ଦ୍ୱାରା ନିଜର ମନ ଯେପରି ପ୍ରସନ୍ନ ରହେ ଅନ୍ୟକୁ ମଧ୍ୟ ସେହି ପରି ପ୍ରସନ୍ନତା ଦିଏ । ସଙ୍ଗୀତରେ ସମ୍ମୋହନ ଶକ୍ତି ଅଛି, ସ୍ୱାସ୍ଥ୍ୟ ଅଛି, ପ୍ରସନ୍ନତା ଅଛି, ଏପରିକି ଆଧ୍ୟାତ୍ମିକ ଭାବରେ ଦେଖିଲେ ମୁକ୍ତି ସଙ୍ଗୀତଜ୍ଞର କରତଳଗତ ଅଟେ । ସଙ୍ଗୀତର ଏହି ମୁକ୍ତି ଗୁଣ ହେତୁରୁ ଦେବର୍ଷି ନାରଦ ଏବଂ ସ୍ୱୟଂ ସରସ୍ୱତୀ ସର୍ବଦା ବୀଣାଯନ୍ତ୍ର ଧରି ଗାନତତ୍ପର ଥିବାର ବର୍ଣ୍ଣନା ଅଛି ।

ମୋଟ ଉପରେ ବୁଝିବାକୁ ଗଲେ ଏହି ବିଶ୍ୱ ବ୍ରହ୍ମାଣ୍ଡ ସଙ୍ଗୀତମୟ ଅଟେ । ଗଗନ ପବନ ସବୁ ସେହି ବିଶ୍ୱ ବିଧାତାଙ୍କର ମଧୁମୟ ସଙ୍ଗୀତରେ ମୁଖରିତ । ସାଗରର ଲହରୀ ଯେପରିକି ତାଳେ ତାଳେ ସେହି ସଙ୍ଗୀତର ପ୍ରତିଧ୍ୱନି କରୁଅଛି ।

ଉତ୍କଳ ସଙ୍ଗୀତର ବିଶେଷତ୍ୱ ବା ସ୍ୱାତନ୍ତ୍ର୍ୟ ଆମ୍ଭମାନଙ୍କର ପ୍ରଧାନ ଆଲୋଚ୍ୟ ବିଷୟ । କିନ୍ତୁ ଏହି ଆଲୋଚନା ପୂର୍ବରୁ କହିଲେ ଅତ୍ୟୁକ୍ତି ହେବ ନାହିଁ ଯେ – ପଦ୍ୟ, ଚନ୍ଦ, ଚଉପଦୀ, ଦୁହା, ଭଜନ, ପ୍ରବଚନ, ଢଗଢ଼ମାଳି, ହଳିଆ ଗୀତ, ସଗଡ଼ିଆ ଗୀତଠାରୁ ପାଲା, ଲୋକଗୀତ, ସୁଆଙ୍ଗ ଏପରିକି ଉନ୍ନତ ନାଟକ ପର୍ଯ୍ୟନ୍ତ କେହି ସଙ୍ଗୀତ ଇଲାକା ବା ସୀମାରୁ ବହିର୍ଭୂତ ନୁହନ୍ତି । ଏଣୁ ଉତ୍କଳ ସାହିତ୍ୟରେ ବିଭିନ୍ନ ଶ୍ରେଣୀରେ ଯେ ସବୁ ସଙ୍ଗୀତ ଅଛି,  ଉନ୍ନତ ପ୍ରତିବେଶୀ ସାହିତ୍ୟରେ ଏତେ କିସମର ସଙ୍ଗୀତ ଅଛି କି ନା ମୁଁ ଜାଣେ ନାହିଁ । ମୋଟ ଉପରେ ଆପଣମାନେ ପ୍ରାଚୀନ ଉତ୍କଳ ସାହିତ୍ୟ ପ୍ରତି ଯେ ପରିମାଣରେ ଆଖି ପକାଇ ପାରିବେ, ସେ ପରିମାଣରେ ଉତ୍କଳ ସଙ୍ଗୀତର ସ୍ୱାତନ୍ତ୍ର୍ୟ ଓ ବିଶେଷତ୍ୱ ହୃଦୟଙ୍ଗମ କରି ପାରିବେ ।

ବଳଭଦ୍ର କବିସୂର୍ଯ୍ୟ, ଗୋପାଳକୃଷ୍ଣ, ଅଭିମନ୍ୟୁ ସାମନ୍ତ ସଂହାର ବନମାଳୀ କବି ପ୍ରଭୃତିଙ୍କ ସଙ୍ଗୀତ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଓ ମୌଳିକ ରାଗ ରାଗିଣୀ ପୂର୍ଣ୍ଣ, ଏଥିରେ କୌଣସି ମିଶ୍ର ରାଗିଣୀ ଥିଲା ପରି ମୁଁ ଜାଣେ ନାହିଁ । ବିଶେଷତଃ ଉତ୍କଳର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଛାନ୍ଦରେ ଯେ କ୍ଷମତାର ପରିଚୟ ଦେଇ ଅଛନ୍ତି, ଭାରତର କୌଣସି ଉନ୍ନତ ପ୍ରତିବେଶୀ ଭାଗ୍ୟରେ ଏପରି ଛନ୍ଦ ସଙ୍ଗୀତର ଗବେଷଣା ଅଛି କି ନା ସନ୍ଦେହ । ଏକା ବୈଦେହୀଶ ବିଳାସ ପରି ଛାନ୍ଦ ଗ୍ରନ୍ଥ ସଂସ୍କୃତ ବ୍ୟତୀତ ଭାରତର କୌଣସି ଭାଷାରେ ଥିବାର ମୁଁ ଜାଣେ ନାହିଁ ।

ଆମ୍ଭେମାନେ ଯେ ପରିମାଣରେ ପାଶ୍ଚାତ୍ୟ ସଭ୍ୟତା ସମ୍ପର୍କରେ ଘନିଷ୍ଠ ସଂପୃକ୍ତ ହେଉଥାଇଁ, ଏବଂ ବିଭିନ୍ନ ଭାଷାର ସଙ୍ଗୀତ ଆଲୋଚନା କରୁଥାଇଁ, ସେହି ପରିମାଣରେ କ୍ରମେ କ୍ରମେ ଅନୁକରଣପ୍ରିୟ ହୋଇ ଓଡ଼ିଆ ସଙ୍ଗୀତର ମୌଳିକତା ଓ ସ୍ୱାତନ୍ତ୍ର୍ୟ ହରାଉଥାଇଁ । ଅନ୍ୟ ଉନ୍ନତ ପ୍ରତିବେଶୀ ଭାଷାର ଭାବ ସମ୍ପଦ ଆହରଣ କରିବା ଦୋଷାବହ ନୁହେଁ । ବରଂ ଏପରି ଅନୁକରଣଦ୍ୱାରା ବିଶ୍ୱ ସାହିତ୍ୟ ଓ ବିଶ୍ୱଭାବ ସଙ୍ଗେ ନିଜକୁ ମିଶାଇ ଦେବାରେ କୃତିତ୍ତ୍ୱ ଅଛି । କିନ୍ତୁ ଏଥିପାଇଁ ନିଜର ରାଗ ରାଗିଣୀର ସ୍ୱାତନ୍ତ୍ର୍ୟ ହରାଇ ଅପରର ଉଚ୍ଛିଷ୍ଟ ଭୋଜନରେ ଉନ୍ମତ୍ତ ହେବାରେ କିଛି ଲାଭ ଥିଲା ପରି ଜଣାଯାଏ ନାହିଁ । ଏହି ଅନ୍ଧ ଅନୁକରଣରୁ ଉତ୍କଳ ସଙ୍ଗୀତ ସାହିତ୍ୟରେ କ୍ରମେ ଯେ ମିଶ୍ର ସ୍ୱର ବା ଖେଚୁଡ଼ି ତୟାରି ହେଉଅଛି ତହିଁରେ ଜାତିର ବର୍ଣ୍ଣସଙ୍କର ପରି ସ୍ୱରସଙ୍କରର ଦୋଷ ମଧ୍ୟ ଅନିବାର୍ଯ୍ୟ ହେଉଅଛି ।

ଉତ୍କଳରେ ପ୍ରାଚୀନ କାଳରୁ ସ୍ତ୍ରୀ ମହଲରେ ଯେ ସବୁ ଢଗଢ଼ମାଳି ଓ ଯୋଡ଼ି ଯୋଡ଼ି ହୋଇ ଲୋକଗୀତି ମାନ ରହିଅଛି, ତାହା କେତେ ଯେ ବିସ୍ମୃତି ଗର୍ଭରେ ଲୀନ ହେଲାଣି, ତହିଁର କଳନା ନାହିଁ । ତଥାପି ମୁଦ୍ରାଯନ୍ତ୍ର ସାହାଯ୍ୟରେ ଯେ ସବୁ ଆଲୋକକୁ ଆସି ପାରିଅଛି ତହିଁରେ ଯେ କେତେ ସାର ଅଛି ଓ ଅନୁଭୂତି ପୂର୍ଣ୍ଣ ବିଜ୍ଞାନ ଅଛି, ତାହାର ଇୟତ୍ତା ନାହିଁ । ପୂର୍ବେ ଓଡ଼ିଶାରେ ପାଲାର ଆଦର ଥିବା ସମୟରେ ଛାନ୍ଦ, ଚଉପଦୀ ପ୍ରଭୃତିର ବିସ୍ତାର ଆଲୋଚନା ହେଉଥିଲା । କ୍ରମେ ସଭ୍ୟତାର ସମ୍ପର୍କରେ ଆସି ଆମ୍ଭେମାନେ ଅକର୍ମା ପାଲଟି ଯାଉଥାଇ ।

ପୂର୍ବେ ବେହେଲା, ସିତାର, ତାନପୁରା, ପ୍ରଭୃତି ବାଦ୍ୟ ସହିତରେ ଲୋକେ ସଙ୍ଗୀତ ଚର୍ଚ୍ଚା ଓ ଆଲାପ କରୁଥିଲେ ଏବଂ ଅଳ୍ପ ଶ୍ରମସାଧ୍ୟ ହାର୍ମୋନିୟମ୍ ସାହାଯ୍ୟରେ ଏସବୁର ଆଦର କମି ଯାଉଅଛି । ପୁଣି ଗ୍ରାମୋଫେନର ପ୍ରଚଳନ ଧୀରେ ଦେଶରେ ବଢ଼ିବା ଦ୍ୱାରା କଣ୍ଠ ସଂଗୀତର ଆଦର କ୍ରମେ ଲୋପ ହେବାକୁ ବସିଲାଣି । ସେହି ଅଳ୍ପ ଶ୍ରମସାଧ୍ୟ ହାମୋନିୟମ୍ ଯନ୍ତ୍ର ସାହାଯ୍ୟରେ ଗାନ କରିବା ପରିବର୍ତ୍ତେ ଗ୍ରାମୋଫୋନ ଗାନ ଶୁଣିବାକୁ ଲୋକେ ଏପରି ଅଭ୍ୟସ୍ତ ହେଲେଣି ଯେ ଏ ରୋଗ ବଢ଼ିଲେ, ସଙ୍ଗୀତ ଚର୍ଚ୍ଚା କ୍ରମେ ଯେ ଲୋପ ପାଇବ ଏପରି ଆଶଙ୍କା ଜନ୍ମିବାରେ କୌଣସି ଭ୍ରମ ଥିଲାପରି ବୋଧହୁଏ ନାହିଁ । ଏଣୁ ପ୍ରକୃତରେ ଏହା ଆମ୍ଭମାନଙ୍କ ପକ୍ଷେ “ପ୍ରଗତି”ର ଯୁଗ ନା “ପ୍ର” ଉପସର୍ଗ ବିଭିନ୍ନାର୍ଥ ହେତୁ ଆମ୍ଭମାନଙ୍କର ଏ ଗତି ଉଦ୍ଧ୍ୱର୍ ଠାରୁ କ୍ରମେ ଅଧୋଗତି ଦିଗରେ ଅଧିକ ଅଗ୍ରସର ହେଉଅଛି, ତାହା ଅବଧାରଣ କରି ହୁଏ ନାହିଁ ।

ତଥାପି ସୁଖର ବିଷୟ ଯେ ଠିକ୍ ସମୟରେ ଆମ୍ଭମାନଙ୍କ ଆଖି ଫିଟିଅଛି । ଆମ୍ଭେମାନେ ଭଗବତ କୃପାରୁ ନିଜ ନିଜର ଭୁଲ ବୁଝିପାରି ସାବଧାନ ହେବାକୁ ବସିଥାଇଁ । ଉତ୍କଳର ଚତୁର୍ଦ୍ଦିଗରେ ଆଜି ସଙ୍ଗୀତର ଗବେଷଣା ଚର୍ଚ୍ଚା ହେଲାଣି । ଉତ୍କଳର ଭାଇ ଓ ଭଉଣୀମାନେ ସଙ୍ଗୀତର ପ୍ରାଚୀନ ବିଭବ ଏବଂ ଗୌରବ ବୁଝିପାରି ତାର ମୌଳିକତା ଓ ସ୍ୱାତନ୍ତ୍ର୍ୟ ରକ୍ଷା କରିବା ପାଇଁ କ୍ରମେ ବଦ୍ଧପରିକର ହେଉଅଛନ୍ତି । ନାନା ସ୍ଥାନରେ ଉତ୍କଳ ସାହିତ୍ୟର ଆଲୋଚନା ସଙ୍ଗେ ସଙ୍ଗେ ସଙ୍ଗୀତ ଶାଖାର ଅନୁଷ୍ଠାନମାନ ସ୍ଥାପିତ ହେଉଅଛି ନିକଟରେ କଟକଠାରେ ସଙ୍ଗୀତ ସମ୍ମିଳନୀ ଅନୁଷ୍ଠିତ ହୋଇ ଉତ୍କଳର ଏକ ପ୍ରାନ୍ତରୁ ଅପର ପ୍ରାନ୍ତ ପର୍ଯ୍ୟନ୍ତ ଗୋଟିଏ ତରଙ୍ଗ ବା ଲହରୀ ଖେଳି ଯାଇଅଛି ।

ସମ୍ବଲପୁରଠାରେ ଗଙ୍ଗାଧର ସାହିତ୍ୟ ପରିଷଦ ସଙ୍ଗେ ସଙ୍ଗୀତ ଶାଖାର ଗୋଟିଏ ସଭା ଅନୁଷିତ ହୋଇ ଉତ୍କଳ ସଙ୍ଗୀତର ଆଲୋଚନା ହୋଇ ଯାଇଅଛି । ଆପଣମାନେ ବାରିପଦା ସାହିତ୍ୟ ସମାଜ ସଙ୍ଗେ ସଙ୍ଗୀତ ଚର୍ଚ୍ଚାର ଯୋଗ କରି ଯୁଗୋପଯୋଗୀ ଆଲୋଚନାର ସୃଷ୍ଟି କରିଥିବା ସୁଖର ବିଷୟ ଅଟେ । ଈଶ୍ୱର କରନ୍ତୁ, ଏହି ସବୁ ଶିଶୁ ସଦନୁଷ୍ଠାନମାନ କ୍ରମେ ବାଲ୍ୟ ଓ କୈଶୋର ଅବସ୍ଥା ଲାଭ କରି ନିଜରପ୍ରତିଭା ବଳରେ ଜାତୀୟ ଉନ୍ନତି ବିଧାନ କରୁ । କିନ୍ତୁ ଦୁଃଖର ବିଷୟ ଯେ ଆମ ଦେଶରେ  ଅନ୍ୟାନ୍ୟ ଦେଶଠାରୁ ଶିଶୁ ମୃତ୍ୟୁର ସଂଖ୍ୟା ଅଧିକ ଥିବା ମୃତ୍ୟୁ ଗଣନାରୁ ପ୍ରମାଣିତ ହୁଏ । ଏଣୁ ଦେଶର ପ୍ରାକୃତିକ ବାୟୁମଣ୍ଡଳ ଅନୁସାରେ ଏହି ସବୁ ଶିଶୁ ସଦନୁଷ୍ଠାନଗୁଡ଼ିକ କ୍ରମେ ଆତ୍ମରକ୍ଷା କରି ବାଲ୍ୟ ଓ କୈଶୋର ଅବସ୍ଥା ଲାଭ କରି ପାରିଲେ ଉତ୍କଳ ସାହିତ୍ୟ ତଥା ଦେଶ ଓ ଜାତିର ମହତ କଲ୍ୟାଣ ଯେ ସାଧିନ ହେବ ଏଥିରେ ସନ୍ଦେହ ନାହଁ ।

ଆପଣମାନେ ଏହି ମହଦନୁଷ୍ଠାନର ପୃଷ୍ଠପୋଷକ ସ୍ୱରୂପ ମହାରାଜା ସାର୍ ପ୍ରତାପ ଚନ୍ଦ୍ର ଭଞ୍ଜ ଦେବ କେ.ସି.ଆଇଙ୍କୁ ପାଇ ଧନ୍ୟ ହୋଇଅଛନ୍ତି । ସ୍ୱର୍ଗୀୟ ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜ ଦେବଙ୍କ ଖ୍ୟାତି ଏବଂ ଉତ୍କଳର ଯାବତୀୟ ସନଦୁଷ୍ଠାନ ପ୍ରତି ତାଙ୍କର ଆନ୍ତାରିକ ସହାନୁଭୂତି ଓ ସାହାର୍ଯ୍ୟମାନ ଉତ୍କଳ ତଥା ଭାରତ ବିଦିତ ଅଟେ । ତାଙ୍କର ପବିତ୍ର ସୁଶାସନ ଓ ପ୍ରଜାପାଳନ ଅଯୋଧ୍ୟାର ରାମରାଜ୍ୟ ରୂପେ ଉତ୍କଳରେ ଚିର ଆଦର୍ଶ ରଖିଛି ଓ ରଖିଥିବ । ସେହି ମହାରାଜଙ୍କ ଉପଯୁକ୍ତ ବିବିଧ ସଦଗୁଣ ମଣ୍ଡିତ ଉତ୍ସାହ ଦାୟାଦଙ୍କ ରାଜତ୍ୱ ଓ ପବିତ୍ର ବାହୁ ଛାୟାତଳେ ଆପଣମାନେ ଏହି ସଦନୁଷ୍ଠାନକୁ ପୂର୍ଣ୍ଣାଙ୍ଗ ରୂପେ ବିକଶିତ କରାଇ ପାରିବେ ବୋଲି ପୂର୍ଣ୍ଣର୍ ବିଶ୍ୱାସ ଅଛି।

ପରମେଶ୍ୱର କରନ୍ତୁ ମହାରାଜା ପ୍ରତାପ ଚନ୍ଦ୍ରଙ୍କ କୃପା ବାରି ସେଚନ ଓ ପୃଷ୍ଠପୋଷକତା-ରୂପ ଆବରଣରେ ଏହି ଶିଶୁ ବୃକ୍ଷଟି କ୍ରମେ ରକ୍ଷିତ ଓ ବର୍ଦ୍ଧିତ ହେଉ । ଏହାର ସୁବାସିତ କୁସୁମ ସୌରଭ କ୍ରମେ ଚହଟି ମୟୂରଭଞ୍ଜ ତଥା ଉତ୍କଳକୁ ବିମୋହିତ କରୁ । ଏହାର ସୁସ୍ୱାଦୁ ଅମୃତ ତୁଲ୍ୟ ସୁଫଳ ଦ୍ୱାରା ଉତ୍କଳୀୟ ଯୁବକଗଣ କ୍ରମେ ପୁଷ୍ଟ ଓ ବର୍ଦ୍ଧିତ ହେଉନ୍ତୁ । ଏହାର ମଞ୍ଜି ଓ ଚାରାମାନ ବିଭିନ୍ନ ସ୍ଥାନକୁ ନୀତ ହୋଇ ଆଦର୍ଶ କୃଷି କ୍ଷେତ୍ର ପରି  ଉତ୍କଳର ସ୍ଥାନେ ସ୍ଥାନେ ଶୋଭା ବର୍ଦ୍ଧନ କରୁ ଏବଂ ଉତ୍କଳୀୟ ସଙ୍ଗୀତ ଛାଞ୍ଚରେ ବିଶ୍ୱ-ସାହିତ୍ୟର ମହାଭାବମାନ କ୍ରମେ ସୁସ୍ପଷ୍ଟରୂପେ ଢଳାଯାଇ ବିଶ୍ୱବଜାରରେ ଉନ୍ନତ ସ୍ଥାନ ଅଧିକାର କରୁ ।ଏହାହିଁ ମୋର ଭଗବତ୍ ଚରଣାରବିନ୍ଦରେ ଏକାନ୍ତ ପ୍ରାର୍ଥନା ।

 

Share This Article
Follow:
ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଗାୟିକା, ଲୋକ ସଂସ୍କୃତି ଗବେଷିକା. Ms Swayamprava Parhi is a vocal Artist, cultural journalist and folk cultural researcher. She is based out of Bhubaneswar and edits her cultural magazine, Samadhwani. The magazine is available both in print and digital formats. Swayamprava has been involved in the Village Biography Writing Initiatives with school students since 2005. During Covid-19, she initiated a new approach to work with school students. She shifted her village biography work online while tying up with different schools in Odisha. She edited a book comprising the writings of village biographies of school students written during Covid-19. The name of the book is “Chota Ama Gaan Ti”. She has extensively documented issues like the Food culture of Odisha, Syncretism in India, and Music of the Marginalized Artists. Now, she is focusing on the role of Women in the Performing Folk Art forms of Odisha. She also happens to be a Documentary Filmmaker. She produced her documentary “Ganda Baja” in 2022. She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha particularly of Puri and Cuttack district, both in written and video formats.
Exit mobile version