ଭିକ୍ଷୁଗୀତ

1 Min Read

 

 

(୧)

ବେଳା ବହିଯାଏ ବେଳା ।

ତିମିରେ ପ୍ରଦୀପ                  ନିଭି ଆସେ ଧୀରେ

ଅଶୋଭନ ତୋର ଖେଳା ।

ଦୀର୍ଘ ତୋ ପଥ ଆରେ ପରବାସି,

ଆସଇ ତିମିର ତୋ ପଛେ ଗରାସି,

କରୁ ଉପହାସ ଆପଣାକୁ କେତେ?

ମରଣ ଦେଉଛି ଠେଲା ।

ବେଳା ବହି ଯାଏ ବେଳା ।।

ମନ୍ଦିରେ ତୋର ମହା କାରୁଣିକ

ଦେବତାର ଡାକ ଶୁଣି

ହେ ଚିର ଉଦାସି ଭରମି ବେଳାରେ

ମାନସେ କି ହେଉ ଗୁଣି?

ଲଭିବେ ରେ ଲୟ ଜଳ ବୁଦ୍ବୁଦ,

ଆଶ୍ରୟ ତୋର ଶୁଦ୍ଧ ବୁଦ୍ଧ

ଆହ୍ୱାନ ଶୁଣି          ଚଳତୁପାନ୍ଥ

ତେଜି ମର୍ତ୍ତ୍ୟର ମେଳା ।

ବେଳା ବହି ଯାଏ ବେଳା ।।

(୨)

କେଉଁ କଳ୍ପ ଲୋକେ ବସି ବିଦ୍ୟାଧରି ହେ କଳାପ୍ରବୀଣା,

ଅଙ୍ଗୁଳିର ମୃଦୁ ସ୍ପର୍ଶେ ବଜାଉଛ ସୃଷ୍ଟି ପ୍ରାଣବୀଣା ।

ଆନନ୍ଦ କମଳ ଫୁଟେ । କବିସୃଷ୍ଟି ହସଇ କୁସୁମେ ।

ଅର୍ଦ୍ଧ ନିମିଳିତ ଚକ୍ଷୁ ମୁଦି ଆସେ ଦୂର ପ୍ରୀତି ଚୁମେ

ବାସ୍ତବ ହରାଏ ସତ୍ତା-ସିନ୍ଧୁବକ୍ଷେ ଜଳ ବିନ୍ଦୁ ସମ-

ସ୍ୱପ୍ନଲୋକେ । ପୂର୍ଣ୍ଣ ହୁଏ ଅନୁରାଗେ ନିଃସ୍ୱ ପ୍ରାଣ ମମ

ମୁଗ୍ଧା ନିଶୀଥିନୀ ନେତ୍ରୁ ଅନଜ୍ଞାତେ ମୁକ୍ତା ଅଶ୍ରୁପାତ ।

ସର୍ବାଙ୍ଗ ନିସ୍ପନ୍ଦ! …………

କର୍ଣ୍ଣେ ଶୁଭେ ଖାଲି ଅଙ୍ଗୁଲି ସଂଘାତ

ତବ ଶୁଭ୍ର-କଳି-ରୂପେ ପୁଣ୍ୟମୟି ଚକ୍ଷୁ ରହେ ଲାଖି

ଶାନ୍ତ ଦୀପ୍ତ ସ୍ନିଗ୍ଧ ହାସ ଆଜି ସୃଷ୍ଟି ପ୍ରଣୟ ଅବା କି

ବାସନା ବନ୍ଧନ ଖସି ପଡ଼େ । ପ୍ରାଣପକ୍ଷୀ ଚିର ମୁକ୍ତ ।

ଦେହ କରାଗାରା ଭାଙ୍ଗି ତବ ସୃଷ୍ଟି ଗୀତେ ହୁଏ ଯୁକ୍ତ

ଅନ୍ଧକାରୁ ଉଷାସମ ନବ-ସୃଷ୍ଟି ଲଭଇ ବିକାଶ,

ମଙ୍ଗଳ ସେ ଆଶୀର୍ବାଦେ ମ୍ଳାନ ଅଶ୍ରୁ ଲଭେ ଉପହାସ ।

  • ଶ୍ରୀ ବୈକୁଣ୍ଠନାଥ ପଟ୍ଟନାୟକ
  • ସୌଜନ୍ୟ- ଭଞ୍ଜପ୍ରଦୀପ ଭି.୦୪
  • photo credit – internet
Share This Article
Exit mobile version