ଗୁଣାଢ୍ୟଙ୍କ କାଳଜୟୀ କଥାଗ୍ରନ୍ଥ ‘ବୃହତ୍ କଥା’: ଏକ ବିହଙ୍ଗାବଲୋକନ

ଭାରତୀୟ କଥାସାହିତ୍ୟର ଐତିହ୍ୟ ଅତ୍ୟନ୍ତ ସମୃଦ୍ଧ ଓ ପ୍ରାଚୀନ। ସେହି ପରମ୍ପରାରେ ଗୁଣାଢ୍ୟଙ୍କ ‘ବୃହତ୍ କଥା’ ଏକ ଅସାଧାରଣ ଓ କାଳଜୟୀ କୃତି ଭାବେ ପରିଚିତ। ଏହି ଗ୍ରନ୍ଥ ମାତ୍ର ରୋମାଞ୍ଚକ କାହାଣୀମାଳା ନୁହେଁ, ବରଂ ଭାରତୀୟ ସଂସ୍କୃତି, ଲୋକକଥା ଓ କଳ୍ପନାଶକ୍ତିର ଏକ ମହାନ ସମାଗମ। ପ୍ରସ୍ତୁତ ଲେଖାରେ ଲେଖକ ଡ.ବିଶ୍ୱନାଥ ସାହୁ ବୃହତ୍ କଥାର ଉତ୍ପତ୍ତି, ପରମ୍ପରା ଓ ସାହିତ୍ୟିକ ପ୍ରଭାବକୁ ସରଳ ଏବଂ ସୁବୋଧ ଭାବରେ ଆଲୋଚନା କରିଛନ୍ତି। ଭାରତୀୟ କଥାଧାରାର ଗୌରବମୟ ଐତିହ୍ୟକୁ ବୁଝିବା ପାଇଁ ଏହି ଆଲୋଚନା ପାଠକମାନଙ୍କ ପାଇଁ ନିଶ୍ଚୟ ଉପକାରୀ ହେବ ବୋଲି ଆମର ଆଶା । – ସମ୍ପାଦକ

କାହାଣୀର ଉତ୍ପତ୍ତି ମାନବର ବିକାଶ ସହିତ ସମ୍ବନ୍ଧିତ । ପ୍ରଥମେ କାହାଣୀର ରୂପ ମୌଖିକ ଥିଲା । ସେତେବେଳେ ଜଙ୍ଗଲୀ ଜୀବନ ବଞ୍ଚୁଥିବା ଆଦିମ ମଣିଷ କାହାଣୀ କହି ନିଜ ପ୍ରିୟ ପରିଜନଙ୍କ ମନୋରଞ୍ଜନ କରୁଥିଲା । ବିଶ୍ଵାସ କରାଯାଏ, କଥାର ଉଦୟ ମାନବର କୌତୁକମୟୀ ପ୍ରକୃତିକୁ ଚରିତାର୍ଥ କରିବାର ଉଦ୍ଦେଶ୍ୟରୁ ହୋଇଥିଲା । ଆଦିମ ମଣିଷ ନିଜ ମନୋଭାବର ଅଭିବ୍ୟକ୍ତି ନିମିତ୍ତ ସ୍ୱାନୁଭୁତିକୁ ଅନ୍ୟମାନଙ୍କ ପାଖରେ ବଖାଣୁଥିଲା । ତେଣୁ କାହାଣୀ, ଉନ୍ମେଷ କାଳରେ କଥନ ଓ ଶ୍ରବଣର ରୁଚି ସହ ସମ୍ବନ୍ଧିତ ଥିବାରୁ ମନୋରଞ୍ଜନ ତଥା ଆତ୍ମପରିତୋଷର ମାଧ୍ୟମ ଥିଲା । ସେତେବେଳେ କଥାର ଉଦ୍ଦେଶ୍ୟ କେବଳ କଥା ହିଁ ଥିଲା । କାଳକ୍ରମେ କଥା ମନୋରଞ୍ଜନର ଅଭିପ୍ରାୟରୁ ଉପରକୁ ଉଠି ଜ୍ଞାନ ପ୍ରଦାନର କ୍ଷେତ୍ର ବା ମାଧ୍ୟମ ଭାବରେ ବ୍ୟବହୃତ ହେଲା । ଅର୍ଥାତ ଭାରତରେ କାହାଣୀଗୁଡ଼ିକ ମନୁଷ୍ୟର କୌତୁକମୟୀ ପ୍ରବୃତ୍ତିକୁ ଚରିତାର୍ଥ କରିବା ବ୍ୟତୀତ ଧାର୍ମିକ ଶିକ୍ଷଣ ଉଦ୍ଦେଶ୍ୟରେ ପ୍ରଯୁକ୍ତ ହେଉଥିଲା । ଏଥିପାଇଁ ଭାରତୀୟ କଥାସାହିତ୍ୟ ବିଶ୍ୱ ସାହିତ୍ୟରେ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ସ୍ଥାନ ଲାଭ କରିଛି । ନିମ୍ନରେ ଭାରତୀୟ କଥା ପରମ୍ପରାକୁ ସମୃଦ୍ଧ କରିଥିବା ଏଭଳି ଏକ କାଳଜୟୀ ଗ୍ରନ୍ଥ ‘ବୃହତ କଥା’ ସମ୍ପର୍କରେ ସମ୍ୟକ ଆଲୋଚନା କରାଗଲା ।

‘ବୃହତ୍ କଥା’କୁ ଭାରତର ସର୍ବପ୍ରାଚୀନ କଥାସାହିତ୍ୟର ମାନ୍ୟତା ଦିଆଯାଏ । ଗୁଣାଢ୍ୟ ହେଉଛନ୍ତି ଏହାର ଲେଖକ । ସେ ‘ବଡ୍‌ଡ କହା’ ଶୀର୍ଷକରେ ଏହାକୁ ପୈଶାଚୀ ଭାଷାରେ ଲେଖିଥିଲେ । ମୂଳ ‘ବୃହତ୍ କଥା’ କିନ୍ତୁ ବରରୁଚି ଶୁଣାଇଥିଲେ କାଣଭୂତିଙ୍କୁ ଏବଂ କାଣଭୂତି ଶୁଣାଇଥିଲେ ଗୁଣାଢ୍ୟଙ୍କୁ । ଏହି ଉପାଖ୍ୟାନକୁ ବରରୁଚି ସମ୍ଭବତଃ ଖ୍ରୀଷ୍ଟପୂର୍ବ ୩୫୦ ପୂର୍ବରୁ ଲେଖିଥାଇପାରନ୍ତି ଏବଂ ଗୁଣାଢ୍ୟ ପ୍ରଥମ ଶତାବ୍ଦୀ ଆଡ଼କୁ ଏହାକୁ ପ୍ରାକୃତ ପୈଶାଚୀରେ ଲେଖିଥିଲେ ବୋଲି ଅନେକ ସମାଲୋଚକ ମତ ଦିଅନ୍ତି । କାରଣ ଭାରତର ବିନ୍ଧ୍ୟ ଅଂଚଳର ଲୋକମାନେ ପ୍ରଥମ ଶତାବ୍ଦୀ ଆଡ଼କୁ ପୈଶାଚୀ ଭାଷା ବ୍ୟବହାର କରୁଥିବାର ଜଣାଯାଏ । ପୁନଶ୍ଚ ଗୁଣାଢ୍ୟଙ୍କ ସମସାମୟିକ ସାତଵାହନ ରାଜବଂଶ ମଧ୍ୟ ସେଇ ପ୍ରଥମ ଶତାବ୍ଦୀରେ ଶାସନ କରୁଥିଲେ ।()

ଗୁଣାଢ୍ୟ ଥିଲେ ସାତବାହନ ନରେଶ ହାଲଙ୍କ ଦରବାରୀ କବି । କ୍ଷେମେନ୍ଦ୍ରକୃତ ‘ବୃହତ୍ କଥାମଞ୍ଜରୀ’ ଅନୁସାରେ ସେ ପ୍ରତିଷ୍ଠାନ ନିବାସୀ କୀର୍ତ୍ତିସେନଙ୍କ ପୁତ୍ର ଥିଲେ । ସାତବାହନ ରାଜା ତାଙ୍କ ବିଦ୍‌ବତ୍ତାରେ ପ୍ରଭାବିତ ହୋଇ ତାଙ୍କୁ ନିଜ ମନ୍ତ୍ରୀ ଭାବରେ ନିଯୁକ୍ତି ଦେଇଥିଲେ । କଥା ଅଛି କି ରାଜା ସଂସ୍କୃତ ବ୍ୟାକରଣରେ କମ୍ ଜ୍ଞାନ ରଖୁଥିବାରୁ ଥରେ ଜଳକ୍ରୀଡ଼ା ସମୟରେ ନିଜ ବିଦୂଷୀ ରାଣୀମାନଙ୍କଦ୍ଵାରା ଉପହାସିତ ହେଲେ । ଏହାଦ୍ଵାରା ଦୁଃଖିତ ରାଜା ଅଳ୍ପ ସମୟ ମଧ୍ୟରେ କିପରି ବ୍ୟାକରଣରେ ନିପୁଣ ହୋଇପାରିବେ ସେଥିପାଇଁ ପଣ୍ଡିତ ଗୁଣାଢ୍ୟଙ୍କ ସାହାଯ୍ୟ ମାଗିଲେ । କିନ୍ତୁ ଗୁଣାଢ୍ୟ ଅଳ୍ପ ସମୟ ମଧ୍ୟରେ ବ୍ୟାକରଣରେ ପାଣ୍ଡିତ୍ୟ ହାସଲ ଅସମ୍ଭବ ବୋଲି ମତଦେବାରୁ ସେଠି ଥିବା ଶର୍ବ ବର୍ମା ନାମକ ଅନ୍ୟଜଣେ ସଭାପଣ୍ଡିତ ଏହା ଛଅ ମାସ ମଧ୍ୟରେ ସମ୍ଭବ ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କଲେ । ଶର୍ବ ବର୍ମା ଥିଲେ ପ୍ରସିଦ୍ଧ କାତନ୍ତ୍ର ବ୍ୟାକରଣର ପ୍ରଣେତା । ଏହାଦ୍ଵାରା କ୍ଷୁବ୍ଧ ଗୁଣାଢ୍ୟ ଏକ ଦୃଢ଼ ପ୍ରତିଜ୍ଞା କଲେ । ଏପଟେ ନିର୍ଦ୍ଧାରିତ ଅବଧି ମଧ୍ୟରେ ଶର୍ବ ବର୍ମା ରାଜାଙ୍କୁ ବ୍ୟାକରଣରେ ନିପୁଣ କରିଦେବା ଫଳରେ ପ୍ରତିଜ୍ଞାନୁସାରେ ଗୁଣାଢ୍ୟଙ୍କୁ ନଗର ଛାଡ଼ି ବନବାସ ଯିବାକୁ ପଡିଲା ଏବଂ ସଂସ୍କୃତ, ପାଲି ତଥା ପ୍ରାକୃତ ଛାଡ଼ି ପୈଶାଚୀ ଭାଷାର ଆଶ୍ରୟ ନେବାକୁ ପଡ଼ିଲା । ପରେ ଏହି ଭାଷାରେ ସେ ସାତଲକ୍ଷ ଶ୍ଳୋକ ବିଶିଷ୍ଟ ‘ବଡ୍ଡ଼ କହା’ ଲେଖିଲେ । ଲେଖିସାରିବା ପରେ ଏହାର ପ୍ରଚାର ପ୍ରସାର କେମିତି କରାଯାଇପାରିବ ସେକଥା ଚିନ୍ତା କଲାବେଳେ ତାଙ୍କର ଦୁଇଜଣ ଶିଷ୍ୟ ଗୁଣଦେବ ଓ ନନ୍ଦିଦେବ ଗୁରୁଙ୍କୁ ଅନୁରୋଧ କଲେ କି, ଏହି ମହାନ୍ କାବ୍ୟକୁ ସେ ସାତବାହନ ରାଜାଙ୍କଠାରେ ଅର୍ପଣ କରନ୍ତୁ । ପୁଷ୍ପର ସୁଗନ୍ଧକୁ ବାୟୁ ଯେମିତି ଦୂର ସୁଦୂରକୁ ଚହଟାଇ ଦିଏ ସେପରି ସାତବାହନ ରାଜା ଏହି ଗ୍ରନ୍ଥର ପ୍ରଚାର ପ୍ରସାର କୁଶଳତାର ସହ କରିପାରିବେ । ଗୁଣାଢ୍ୟ ଏଥିରେ ସହମତ ହୋଇ ପ୍ରତିଷ୍ଠାନପୁର ଆଡ଼କୁ ଅଗ୍ରସର ହେଲେ ଏବଂ ନିଜେ ନଗର ବାହାରେ ରହିଯାଇ ଶିଷ୍ୟଙ୍କୁ ପ୍ରଥମେ ପଠାଇଲେ ରାଜାଙ୍କ ପାଖକୁ । ଶିଷ୍ୟଗଣଙ୍କଠାରୁ ସବୁକଥା ଶୁଣିବା ପରେ ରାଜା କହିଲେ– “ ପ୍ରଥମତଃ ଏହା ସାତଲକ୍ଷ ବିଶିଷ୍ଟ ଏକ ଲମ୍ବା ପୋଥି ଅଟେ, ଯାହା ନୀରସ ପୈଶାଚୀ ଭାଷାରେ ଲିଖିତ । ଏହା ପୁଣି ମନୁଷ୍ୟ ରକ୍ତରେ ଲେଖାହୋଇଛି ବୋଲି ତୁମେ କହୁଛ । ତେଣୁ ଏପରି ଏକ ଲେଖାକୁ ମୁଁ ଧିକ୍କାର କରୁଛି ।” ଏହାଶୁଣି ଚୁପ୍‌ଚାପ୍ ଦୁଇଶିଷ୍ୟ ଫେରି ଆସିଲେ ଏବଂ ଗୁରୁଙ୍କୁ ସବୁକଥା ଗୋଟିଗୋଟି କରି କହିଲେ । ଏସବୁ ଶୁଣିସାରିବା ପରେ ଦୁଃଖିତ ଗୁଣାଢ୍ୟ ସେହି ଉଦ୍ୟାନର ଏକ ଉଚ୍ଚ ପଥର ଉପରେ ବସି ସେଠି ଏକ ଅଗ୍ନିକୁଣ୍ଡ ତିଆରି କଲେ । ଅଗ୍ନିକୁଣ୍ଡରେ ନିଆଁ ଲଗାଇ ସେ ବୃହତ୍ କଥାକୁ ପୋଡ଼ିବା ଆରମ୍ଭ କଲେ । ଏହା ଦେଖି ଶିଷ୍ୟମାନଙ୍କ ଆଖି ଛଳଛଳ ହୋଇଉଠିଲା । ଗୁଣାଢ୍ୟ ନିଜ ଆଖପାଖ ଜଙ୍ଗଲରେ ରହୁଥିବା ପଶୁପକ୍ଷୀଙ୍କୁ କାହାଣୀସବୁ ଶୁଣାଇଶୁଣାଇ ଗୋଟେଗୋଟେ ପୃଷ୍ଠା ଅଗ୍ନିରେ ପକାଇ ଚାଲିଲେ । ପୃଷ୍ଠା ପରେ ପୃଷ୍ଠା ସେ ପଢ଼ିସାରି ଜାଳି ଦେଉଥିବାବେଳେ ଏହାର ରସାଶ୍ରିତ କାହାଣୀସବୁ ଶୁଣି ବନ୍ୟଜନ୍ତୁ ଖାଇବା ପିଇବା ଭୁଲିଗଲେ । ଗୁଣାଢ୍ୟଙ୍କ ପାଖକୁ ଆସି ଏକଲୟରେ ଧ୍ୟାନ ସହକାରେ ସେମାନେ କାହାଣୀସବୁ ଶୁଣୁଥାନ୍ତି ।

Samadhwani Support us

ଏହା ଭିତରେ ସାତବାହନ ରାଜା ଅସୁସ୍ଥ ହୋଇପଡ଼ିଲେ । ବୈଦ୍ୟଗଣ ପରୀକ୍ଷା କରି ଜାଣିବାକୁ ପାଇଲେ ଯେ ଶୁଖୁଲା ମାଂସ ଖାଇଖାଇ ରାଜା ଏପରି ରୁଗ୍‌ଣ ହୋଇପଡ଼ିଛନ୍ତି । ତାପରେ ପାକଶାଳାରୁ ରାନ୍ଧୁଣିଆଙ୍କୁ ଡକାଯାଇ ଏହାର କାରଣ ପଚରାଗଲା । ସେମାନେ କହିଲେ– ଏଥିରେ ଆମର କ’ଣ ଦୋଷ ? ବ୍ୟାଧ ଯେଉଁ ମାଂସ ଆମକୁ ଦେଲା ଆମ୍ଭେ ତାହା ରାନ୍ଧିଲୁ । ତାପରେ ବ୍ୟାଧମାନଙ୍କୁ ଡକାଇ ପଚରାଗଲା, ସେମାନେ କହିଲେ – ନଗର ନିକଟସ୍ଥ ପାହାଡ଼ର ଶୀର୍ଷରେ ଜଣେ ବ୍ରାହ୍ମଣ ବସିଛି । ସେ କୌଣସି ଏକ ପୋଥିର ଗୋଟିଏ ଗୋଟିଏ ପୃଷ୍ଠା ପଢ଼ି ତାକୁ ନିଆଁକୁ ଫିଙ୍ଗି ଚାଲିଛି । ସେହି ପୋଥିର କାହାଣୀଗୁଡ଼ିକୁ ଶୁଣି ସମସ୍ତ ବନ୍ୟଜନ୍ତୁ ଏକତ୍ର ନିରାହାର ବସି ରହିଛନ୍ତି । ତେଣୁ ତାଙ୍କ ମାଂସ ସବୁ ଶୁଖିଯାଇଛି । ଏକଥା ଶୁଣି ରାଜାଙ୍କ ମନରେ କୌତୂହଳ ସୃଷ୍ଟି ହେଲାରୁ ସେ ଯଥା ସ୍ଥାନରେ ପହଞ୍ଚି ଦେଖ‌ିଲେ ସତକୁସତ ଜଣେ ବ୍ରାହ୍ମଣ ଜୀବଜନ୍ତୁଙ୍କୁ ନିଜ କାହାଣୀ ଶୁଣାଉଥିଲେ । ଦୀର୍ଘଦିନ ଧରି ବଣରେ ରହିଥିବା ହେତୁ ବ୍ରାହ୍ମଣଙ୍କ ଦେହକୁ ଘେରି ରହିଥୁଲା ତାଙ୍କ ଜଟା । ତଥାପି ରାଜା ଗୁଣାଢ୍ୟଙ୍କୁ ସଙ୍ଗେ ସଙ୍ଗେ ଚିହ୍ନି ପକାଇଲେ । ତାଙ୍କୁ ପ୍ରଣାମ କରି ସମସ୍ତ ବୃତ୍ତାନ୍ତ ପଚାରିଲେ । ସବୁ ଜାଣିବା ପରେ ରାଜାଙ୍କ ମସ୍ତକ ନଇଁଗଲା । ଗୁଣାଢ୍ୟ ଯେ ଶିବଙ୍କ ଏକ ଅବତାର ଏକଥା ବୁଝିବାକୁ ଆଉ ବାକି ନ ଥିଲା ତାଙ୍କୁ । ରାଜା ଗୁଣାଢ୍ୟଙ୍କ ଚରଣାଶ୍ରିତ ହୋଇ ସ୍ଵୟଂ ଶିବଙ୍କ ମୁଖରୁ ନିର୍ଗତ ସେ ଦିବ୍ୟ କଥା ସବୁକୁ ପ୍ରଚାର ପ୍ରସାର ପାଇଁ ମାଗିବାରୁ ଗୁଣାଢ୍ୟ କହିଲେ- “ହେ ରାଜା ! ଏକଲକ୍ଷ ଶ୍ଳୋକବିଶିଷ୍ଟ ଗୋଟିଏ ଗୋଟିଏ ଖଣ୍ଡ ସାତ ଖଣ୍ଡର ଗ୍ରନ୍ଥ ହେଉଛି ବୃହତ୍ କଥା । ଏକଲକ୍ଷ ଶ୍ଳୋକବିଶିଷ୍ଟ ଏଇ ଅନ୍ତିମ ଅର୍ଥାତ୍ ସପ୍ତମ ଖଣ୍ଡ ଯାହା ବଞ୍ଚିରହିଛି, ଯେଉଁଠି ରାଜା ନରବାହନ ଦତ୍ତଙ୍କ କଥା ବର୍ଣ୍ଣିତ, ଏହାକୁ ତୁମେ ନେଇପାର ।” ତାପରେ ବୃହତ୍ କଥାର ଶେଷଭାଗ ସାତବାହନ ରାଜାଙ୍କୁ ସମର୍ପି ଗୁଣାଢ୍ୟ ରାଜା ଓ ତାଙ୍କ ଶିଷ୍ୟଙ୍କଠାରୁ ବିଦାୟ ନେଲେ ଏବଂ ଯୋଗଦ୍ଵାରା ନିଜ ଦେହକୁ ତ୍ୟାଗକଲେ । ରାଜା ବୃହତ୍ କଥାର ବଞ୍ଚିତ ପୋଥି ନେଇ ଆସିଲେ ନଗରକୁ । ସେ ଗୁଣାଢ୍ୟ ଶିଷ୍ୟ ଗୁଣଦେବ ଓ ନନ୍ଦିଦେବଙ୍କ ଉଚିତ ସତ୍କାର କରି ତାଙ୍କ ସହୟତାରେ ବୃହତ୍ କଥାକୁ ନିଜ ଭାଷାରେ ଅନୁବାଦ କରାଇଲେ ଏବଂ ଏହାର ପ୍ରସ୍ତାବନା ଲେଖିଲେ । ଏହାପରେ ବୃହତ୍ କଥା ପ୍ରତିଷ୍ଠାନପୁରରେ ଚର୍ଚ୍ଚିତ ହେବା ସହ ଧିରେଧିରେ ସମଗ୍ର ପୃଥିବୀରେ ପ୍ରସିଦ୍ଧି ପାଇଲା ।

ଏହି ଗ୍ରନ୍ଥ ଅଦ୍ଭୁତ ଯାତ୍ରା ବିବରଣୀ ତଥା ପ୍ରଣୟ ପ୍ରସଙ୍ଗର ଏକ କଥା-ସଂଗ୍ରହ । ଦୁର୍ଭାଗ୍ୟବଶତଃ ଏହାର ମୂଳରୂପ ବର୍ତ୍ତମାନ ଦୁଷ୍ପ୍ରାପ୍ୟ । ତଥାପି ଧନପାଲ, ସୋଡ଼ଲେ, ଦଣ୍ଡୀ ଆଦି ବିଦ୍ଵାନଙ୍କ ବିବରଣୀରୁ ବୃହତ୍ କଥା ବିଷୟରେ ସୂଚନା ମିଳିଥାଏ । ଏହାର ଲୋକପ୍ରିୟତାରେ ପ୍ରଭାବିତ ହୋଇ ଅନେକ ବିଦ୍ଵାନ ସଂସ୍କୃତରେ ତା’ର ଅନୁବାଦ କରିଛନ୍ତି । ଧନଞ୍ଜୟ ତାଙ୍କର ‘ଦଶରୂପକ’ରେ ବୃହତ୍ କଥାକୁ ଏକ ଉପଜୀବ୍ୟ ଗ୍ରନ୍ଥ ଭାବରେ ବର୍ଣ୍ଣନା କରି ତାକୁ ରାମାୟଣଶ୍ରେଣୀୟ ବୋଲି କହିଛନ୍ତି । ବିଶାଖାଦତ୍ତ, ଭାସ, ହର୍ଷ ଆଦି ଏହାଠୁ କିଛି ଉପାଦାନ ନେଇ ନାଟକ ଲେଖିଛନ୍ତି । ବାଣ ତଥା ଦଣ୍ଡୀ ଭଳି ବିଦ୍ଵାନ ଗଦ୍ୟଶିଳ୍ପୀ ମଧ୍ୟ ବୃହତ୍ କଥା ପାଖରେ ଋଣୀ । ଦଣ୍ଡୀଙ୍କ ‘ଦଶକୁମାର ଚରିତ’ ତ ସୂକ୍ଷ୍ମ ଭାବରେ ବୃହତ୍ କଥା ଆଧାରରେ ଲିଖିତ । ତ୍ରିବିକ୍ରମ ଏହାକୁ ଅତ୍ୟଧିକ ଲୋକଙ୍କ ମନୋରଞ୍ଜନ କରିପାରୁଥିବା ଏକ ମୂଲ୍ୟବାନ ଗ୍ରନ୍ଥ ବୋଲି କହିଛନ୍ତି । ସଂସ୍କୃତର ଦୁଇ ପ୍ରସିଦ୍ଧ କବି କ୍ଷେମେନ୍ଦ୍ର ଓ ସୋମଦେବ ବୃହତ୍ କଥାକୁ ସଂସ୍କୃତରେ ଅନୁବାଦ କରିଛନ୍ତି, ଯାହାର ନାମ ଯଥାକ୍ରମେ ‘ବୃହତ୍କଥାମଞ୍ଜରୀ’ ଓ ‘କଥାସରିତ୍ସାଗର’ ଅଟେ।

ବୃହତ୍ କଥାରେ ନରବାହନ ଦତ୍ତଙ୍କର ଚରିତ୍ର ବର୍ଣ୍ଣିତ ହୋଇଛି ଏବଂ ଏହାର ପରିଚ୍ଛେଦକୁ ‘ଲମ୍ଭ’ ବୋଲି କୁହାଯାଇଛି। ‘ଲମ୍ଭ’ ଅର୍ଥ ‘ପ୍ରାପ୍ତ’ । ପ୍ରତ୍ୟେକ ପରିଚ୍ଛେଦରେ ବର୍ଣ୍ଣିତ କଥାବସ୍ତୁରେ ସୁନ୍ଦରୀ ତରୁଣୀର ପ୍ରାପ୍ତି ବିଷୟ ବର୍ଣ୍ଣିତ ହୋଇଥିବାରୁ ପରିଚ୍ଛେଦର ନାମକୁ ‘ଲମ୍ଭ’ ବୋଲି କୁହାଯାଇଛି । ସୋମଦେବ ମଧ୍ୟ ଏହାର ଅନୁବାଦ କରିବା ସମୟରେ କଥାସରିତ ସାଗରର ପରିଚ୍ଛେଦକୁ ‘ଲମ୍ବକ’ ନାମରେ ନାମିତ କରିଛନ୍ତି ।(୨)

ପୁରାଣ ବେଦ ଆଦିରେ ଉପଲବ୍ଧ କାହାଣୀଗୁଡ଼ିକ ହେଉଛି ଏକ ଶିଷ୍ଟ ସାହିତ୍ୟଧାରା, ଯାହା ଭାରତୀୟ ଇତିହାସର ସାଂସ୍କୃତିକ ଅତୀତ ସହ ଜଡ଼ିତ । ଏହା ସହ ସମତାଳରେ ଲୋକପ୍ରଚଳିତ କାହାଣୀଗୁଡ଼ିକର ଏକ ଧାରା ମଧ୍ୟ ଆଦିକାଳରୁ ଗଡ଼ି ଆସୁଥିଲା । ଗୁଣାଢ୍ୟ ସର୍ବପ୍ରଥମ ଲୋକ ଯିଏ ଏହି ଦ୍ଵିତୀୟ ଧାରାର କାହାଣୀଗୁଡ଼ିକର ସଂଗ୍ରହ କରି ତାକୁ ଜନଭାଷାରେ ଲେଖିଥିଲେ । ଅତଏବ ପୌରାଣିକ କଥାଗ୍ରନ୍ଥ ପରି ଲୋକକଥାଗୁଡ଼ିକର ସଂଗ୍ରହର ମଧ୍ୟ ମହତ୍ତ୍ଵ ରହିଛି ନିଶ୍ଚୟ । ସେଥ‌ିପାଇଁ ଗୋବର୍ଦ୍ଧନାଚାର୍ଯ୍ୟ ବୃହତ୍ କଥାକୁ ବ୍ୟାସ ଓ ବାଲ୍ମୀକିଙ୍କ କୃତି ପରେ ତୃତୀୟ ମହାନ୍ କୃତି ଭାବରେ ଗ୍ରହଣ କରି ଗୁଣାଢ୍ୟଙ୍କୁ ଏହି କବିମାନଙ୍କର ଅବତାର ବୋଲି ମାନ୍ୟତା ଦିଅନ୍ତି । ଏଥିରୁ ଗୁଣାଢ୍ୟଙ୍କ ବିଦ୍‌ବତ୍ତା ଓ ଲୋକପ୍ରିୟତାର ଗଭୀରତାକୁ ଅନୁମାନ କରାଯାଇପାରେ ।

ସହାୟକ ଗ୍ରନ୍ଥ ସୂଚୀ:

. ଶତପଥୀ, . ହରେକୃଷ୍ଣ, ସଂସ୍କୃତ ସାହିତ୍ୟର ଇତିହାସ, କିତାବ ମହଲ, କଟକ, ତୃତୀୟ ସଂସ୍କରଣ ୧୯୯୮, ପୃ୩୭

. ତତ୍ରୈବ, ପୃ- ୫୩୭

Share This Article