Home / ବ୍ୟକ୍ତି ଓ ବ୍ୟକ୍ତିତ୍ୱ / ହଳଧର ନାଗ୍: ଲୋକ ସଂସ୍କୃତିର ଅନ୍ୟତମ ସାରଥୀ

ହଳଧର ନାଗ୍: ଲୋକ ସଂସ୍କୃତିର ଅନ୍ୟତମ ସାରଥୀ

ଲୋକସଂସ୍କୃତିର ଅଧିକାଂଶ ବଳିଷ୍ଠ ସାରଥୀମାନେ ବଣର ମଲ୍ଲି ଭଳି ବଣରେ ହିଁ ବଢ଼ି ଝଡ଼ିଯାନ୍ତି । ସେମାନଙ୍କ ସୁରଭି ସମଗ୍ର ସମାଜକୁ ବ୍ୟାପିବାର ସମ୍ଭାବନା କ୍ଷୀଣ । ସାଂସ୍କୃତିକ ପ୍ରଚାରର ମାଧ୍ୟମଗୁଡ଼ିକ ସବୁବେଳେ ପତିଆରା ସଂସ୍କୃତିର ପୁରୋଧାମାନଙ୍କ ହାତରେ ଥାଏ, ଯେଉଁମାନେ ମୁଖ୍ୟସ୍ରୋତର ସାଂସ୍କୃତିକ ଧାରାରେ ଏହି ସାରଥୀମାନଙ୍କର ପରିଚୟର ମୂଲ୍ୟାୟନ କରିଥାନ୍ତି । ‘ସମଧ୍ୱନି’ କିନ୍ତୁ ଖୋଜିବୁଲୁଛି ଆମସଂସ୍କୃତିର ସେହି ସଚ୍ଚା ସାରଥୀମାନଙ୍କୁ, ଯେଉଁମାନେ ନିଜର ଅନନ୍ୟ ପ୍ରତିଭା ମାଧ୍ୟମରେ ତଥାକଥିତ ମୁଖ୍ୟସ୍ରୋତର  ବାହାରେ ଥାଇ ବି ଏକ ବିରାଟ ଜନସମୁଦାୟକୁ ପ୍ରଭାବିତ କରିଚାଲିଛନ୍ତି । ଓଡ଼ିଶାର ମହାନ ଲୋକକବି ହଳଧର ନାଗଙ୍କ ବିଷୟରେ କିଛି ଉପସ୍ଥାପନ କଲାବେଳେ ଆମେ ନିଜକୁ ଗୌରବାନ୍ୱିତ ମନେକରୁଛୁ ।- ସମ୍ପାଦକ

ମାନବବାଦ କ’ଣ ବୋଲି ପଚାରିଲେ ତାଙ୍କଠାରୁ ସଠିକ୍୍ ଉତ୍ତର ହୁଏତ ମିଳିନପାରେ, ମାତ୍ର ସେ ଜଣେ ମାନବ ବାଦୀ କବି । ସେ କୌଣସି ପ୍ରତିଷ୍ଠିତ କବିଙ୍କୁ ପଢ଼ିନାହାନ୍ତି ତଥାପି ସେମାନଙ୍କ କଳ୍ପନା ସହିତ କବିଙ୍କର ଭାବନା ମେଳଖାଇଯାଏ । ଏଭଳି ଜଣେ ନିଆରା କବି ହେଉଛନ୍ତି ହଳଧର ନାଗ୍ । ଲୋକ କବି ରତ୍ନ ଭାବରେ ସମଗ୍ର ଓଡ଼ିଶାରେ ସେ ବେଶ୍ ପରିଚିତ । ପଶ୍ଚିମ ଓଡ଼ିଶାର ଘରେ ଘରେ ପରିଚିତ କବି ହଳଧର ନାଗ୍ଙ୍କ ଘର ବରଗଡ଼ ଜିଲ୍ଲାର ବୀର ମାଟି ‘ଘେସଁ’ ଗ୍ରାମରେ ୧୯୫୦ ମସିହା ମାର୍ଚ୍ଚ ୩୧ ତାରିଖରେ । ବାପା ଭଜରାମ ନାଗ୍ ଏବଂ ମା ଗୁରୁବାରୀ ନାଗ୍ଙ୍କୁ ସେ ଛୋଟବେଳୁ ହରାଇଛନ୍ତି । ଏହି ମହାନ କବିଙ୍କ ପ୍ରଚଣ୍ଡ ପ୍ରତିଭାର ପରିଚୟ ମିଳେ ୧୯୯୦ ମସିହାରେ ସମ୍ବଲପୁରରୁ ପ୍ରକାଶ ପାଉଥିବା ଏକ ପତ୍ରିକା ମାଧ୍ୟମରେ । ଏହି ପତ୍ରିକାରେ କବିଙ୍କର ପ୍ରଥମ କବିତା ‘ଢ଼ଡ଼ୋ ବରଗଛ’ ପ୍ରକାଶ ପାଇଥିଲା । କବିଙ୍କର ପ୍ରଥମ କବିତାରୁ ବାରିହୋଇଯାଏ ହଳଧରୀୟ କବିତାର ମହକ । ସେତେବେଳେ ହଳଧର ଘେଁସ ହାଇସ୍କୁଲ୍ ଛାତ୍ରାବାସରେ ରାନ୍ଧୁଣିଆ ଭାବରେ କାମ କରୁଥିଲେ । ରନ୍ଧାବଢ଼ା କାମରୁ ଟିକଏ ଫୁରୁସତ୍ ମିଳିଲେ ହାଇସ୍କୁଲ୍ରେ ପଢ଼ା ହେଉଥିବା ସାହିତ୍ୟ ପ୍ରବେଶ ବହି ପଢ଼ି ପଢ଼ି କବିତା ମନସ୍କ ହୋଇଯାଇଥିଲେ । କବିତା ଗୁଚ୍ଛା, ସୁରୁତ୍ ଏବଂ ଭାବ୍ କବି ହଳଧରଙ୍କ ପ୍ରଥମ ସୃଷ୍ଟି ଅଟେ । ଅଛିଆଁ, ମହାସତୀ ଉର୍ମିଳା, ବଛର୍, ତାରା ମନ୍ଦୋଦରି, ସତିଆ ବହା, ସୁନ୍ଦର ସାଏ, ସିରି ସମଲେଇ, ରସିଆ କବି, କରମ ସାନି, ଚାଷୀ କବି ଗଙ୍ଗାଧର, ଗୋଆଲ୍ ତୀର୍ଥ ଏବଂ ବାବା ହଳଧର ଧାମ୍ ପରି କବିଙ୍କ ପୋ÷ରାଣୀକ ଏବଂ ଐତିହାସିକ କାବ୍ୟ ସମ୍ବଲପୁରୀ ସାହିତ୍ୟ ଜଗତକୁ ସମୃଦ୍ଧ କରିଛି । ଅତି ଚମକ୍ରାର ଶବ୍ଦ ସଂଯୋଜନା ସହିତ ସୁନ୍ଦର କବିତା ଆବୃତ୍ତି କବି ହଳଧରଙ୍କ ସ୍ୱତନ୍ତ୍ର ପରିଚୟ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସେ ନିଜେ ଲେଖା ଯାଇଥିବା ସମସ୍ତ କାବ୍ୟ ଓ କବିତାକୁ ମୁଖସ୍ଥ କରିଛନ୍ତି । ମୁହଁ ଖୋଲିଲେ ବାହାରେ କାବ୍ୟ ଓ କବିତା । ଘଣ୍ଟା ଘଣ୍ଟା ଏବଂ ଦିନ ଦିନ ଧରି ନିର୍ଭୁଲ୍ ଭାବରେ କବିତା ଆବୃତ୍ତି ଦେଖିଲେ ଯେକେହିବି ଚକିତ ହୋଇଯିବ । ସେ ଯେତିକି କାବ୍ୟ କବିତାକୁ ନିଜ ଭିତରେ ସାଇତି ରଖିଛନ୍ତି କୋଣସି କମ୍ପୁଟର୍ର ହାର୍ଡଡିସ୍କ ମଧ୍ୟ ଫେଲ୍ ମାରିଯିବ ।

ଅଧ୍ୟାପକ ଡଃ ବବ୍ରୁ ବାହନ ମହାପାତ୍ରଙ୍କ  ଭାଷାରେ ହଳଧରଙ୍କ କବିତାରେ ପ୍ରକୃତିର ସବୁଜିମା ଅଛି, ଜୀବନକୁ କାଖେଇ ନେବାର  ଖୁସି ଅଛି, ମାଟିକୁ ଆପଣେଇନେବାର ପ୍ରେରଣା ଅଛି । ଅଛି ମଧ୍ୟ ଆଞ୍ଚଳିକ ଜାତୀୟତାର ସ୍ୱାଭିମାନ । ସବୁ ଖାଣ୍ଟି, ସବୁ ନିରୁତା, ନିଜ ଅନୁଭବର ଜଣେ ସଚ୍ଚାକବି ଅଟନ୍ତି ହଳଧର । ଖାଣ୍ଟି ସମ୍ବଲପୁରୀ ଭାଷାରେ କବିତା ଲେଖୁଥିବା କବିଙ୍କ ମଧ୍ୟରୁ ଅଗ୍ରଗଣ୍ୟ କବି ହେଉଛନ୍ତି କବି ହଳଧର ନାଗ୍ । ଆଖୁ ରସ ପରି ମିଠା ତାଙ୍କ କବିତାର ଭାଷା, କିଆ ଫୁଲିଆ ଜହ୍ନ ରାତି ପରି ତାଙ୍କର କବିତା ଏବଂ ମା କ୍ଷୀର ପରି ନିର୍ଭେଜାଲ୍ ତାଙ୍କର କବିତ୍ୱ । ଆଶିଣ ମାସରେ ଧାଙ୍ଗଡିଟିଏ ମୁହଁ ଧୋଇଲେ ମହାନଦୀର ପାଣି ଦର୍ପଣ ହୋଇଯାଏ ଠିକ୍ ସେମିତି ସମ୍ବଲପୁରୀ ସାହିତ୍ୟ ସଂସ୍କୃତିର ଦର୍ପଣ ହେଉଛନ୍ତି କବି ହଳଧର । ଯାହାଙ୍କ ଜରିଆରେ ସମ୍ବଲପୁରୀ ସାହିତ୍ୟ, ସଂସ୍କୃତିକୁ ଭଲଭାବରେ ଦେଖିହୁଏ  ଅନୁଭବବି କରିହୁଏ । ନିଜ ଅଞ୍ଚଳର ଚାଲିଚଳଣି, ପର୍ବ ପର୍ବାଣୀ, ଦେ ଦେବତା,ଚାଷବାସ, ଖେତ୍ଖଲା, ମାଟିର ରଙ୍ଗ, ଚେହେରା ଓ ଜୀବନ ଶୈଳୀ ସବୁକିଛିକୁ ଅବିକଳ ଚିତ୍ରଣ କରିବାର କଳା  କବିଙ୍କର କବିତାରେ ଭରପୁର ଭାବରେ ଭରି ରହିଛି । ବଉଲିଆ ଆମ୍ବଗଛର କେଉଁ ଡ଼ାଳରେ କୋଇଲି ଡ଼ାକେ ତାହା କବି ଜାଣି ପାରନ୍ତି । ମହୁଲିଆ ପବନ କେଉଁ ଜଙ୍ଗଲରୁ ଆସେ ତାହା କବିଙ୍କୁ ଜଣା ଏବଂ ସୁରୁଘୁଟୁ  ନରିହା କେତେ ଭୋରରୁ ଉଠି କ୍ଷୀର ଦୁହିଁବାକୁ ଯାଏ ତାହା ମଧ୍ୟ କବି ହଳଧରଙ୍କୁ ଭଲଭାବରେ ଜଣା । ଆଖି ଆଗରେ ନାଚି ଯାଉଥିବା ଗାଁ ଦାଣ୍ଡ, ଗାଁ ଜୀବନରୁ ସାଉଁଟି ଆଣିଥିବା ଚିତ୍ର ଓ ଚରିତ୍ର, ଗାଁର ଖରା,ବର୍ଷା,ଶୀତ,କାକର, ଗାଁର ସଞ୍ଜସକାଳ ସବୁକିଛିକୁ କଲମ ଗାରରେ ବାନ୍ଧି ରଖିବାର ଜଣେ ଚମକ୍ରାର ଯାଦୁଗର ଅଟନ୍ତିି ହଳଧର ।

କବିଙ୍କର ପ୍ରଥମ ପ୍ରକାଶିତ କାବ୍ୟ ‘ଅଛିଆଁ’ ପୌରାଣିକ ପ୍ରସଙ୍ଗ ଉପରେ ଆଧାରିତ । ରାମଚରିତ ମାନସର ସବରୀ ଉପାଖ୍ୟାନକୁ ଆଧାର କରି ଏହି କାବ୍ୟ ଲେଖାଯାଇଥିଲେ ମଧ୍ୟ ଜାତିବାଦକୁ ନେଇ ଏଥିରେ କବିଙ୍କ ନିଜସ୍ୱ ଦୃଷ୍ଟି କୋଣ ଏହି କାବ୍ୟକୁ କାଳଜୟୀ କରିଛି । ଛୁଆଁ ଅଛୁଆଁ ବାଛ ବିଚାର ଏବଂ କୁସଂସ୍କାରକୁ ନିଜସ୍ୱ ଶୈଳୀରେ କବି ନାପସନ୍ଦ କରିଛନ୍ତି । ସେହିପରି ରାମାୟଣର ଉର୍ମିଳା ଚରିତ୍ରକୁ ନେଇ କବି ଲେଖିଛନ୍ତି ‘ମହାସତୀ ଉର୍ମିଳା’ କାବ୍ୟ । ଏଥିରେ ରାମଚନ୍ଦ୍ରଙ୍କର ବନଗମନ ଠାରୁ ଚଉଦବର୍ଷ ବନବାସ ଏବଂ ପରେ ଅଯୋଧ୍ୟ୍ୟା ଫେରିବା ପର୍ଯ୍ୟନ୍ତ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି କବି ହଳଧର ନାଗ୍ । ଏହି କାବ୍ୟଟି ମଧ୍ୟ ପ୍ରଭାତ ଓ ପ୍ରକୃତି ବର୍ଣ୍ଣନାରୁ ଆରମ୍ଭ ହୋଇଛି । କଳେବର ଦୃଷ୍ଟିରୁ ଛୋଟ ହେଲେ ମଧ୍ୟ କବିଙ୍କର କାମ ଧେନୁ କବିତା ଏକ ଶ୍ରେଷ୍ଠ କବିତା । ଏଥିରେ ମଣିଷର ଭୋଗବାଦୀ ଚରିତ୍ରକୁ କବି ଅତ୍ୟନ୍ତ ସ୍ପଷ୍ଟ ଓ ଶାଣୀତ ଭାବରେ ଉଜାଗର କରିଛନ୍ତି । କବିଙ୍କର ଅନ୍ୟାନ୍ୟ ସୃଜନଶୀଳ କବିତା ମଧ୍ୟରେ ଅଛି ପାଁଚ୍ ଅମରୁତ୍, ଅସତ୍ ନରକ୍, ଅତି, ଅସୁର, ଜୟେଗୀତି, ମହକ୍, ଢ଼ଡ଼ୋ ବରଗଛ, କାଁ ଯେ ବାହାରୁଛେ ଘରୁ ଆଦି ଅନେକ ଚମକ୍ରାର କବିତା । କବିଙ୍କ କାବ୍ୟ ଓ କବିତା ସମ୍ଭାରକୁ ଯଦି ପୋଷ୍ଟମଟମ୍ କରାଯାଏ ତେବେ ପ୍ରତ୍ୟେକ କବିତାରେ ପ୍ରକୃତି ଓ ଗ୍ରାମ୍ୟ ପରିବେଶର ନିଚ୍ଛକଚିତ୍ର ମିଳିବ । ଗୋଟିଏ କବିତା କିପରି ସୃଷ୍ଟି ହୁଏ ବୋଲି କବିଙ୍କୁ ପଚରାଯାଇଥିଲା । ଅତି ସଂକ୍ଷିପ୍ତ ଉତ୍ତର ଦେଇଥିଲେ ସେ ନିଜ ଭାଷାରେ କବିତା ମାଧ୍ୟମରେ “କବି କେ ଜାନେ କି ବାଦ୍ଲି କେ ଜାନେ ଖାଏବାର ମେସା ଫଲ୍, ଖାଏଲା ଚରାକେ ଉକଲାଏ ଯେନ ଆଁ କରେ ବର୍ ପିପଲ । କବି ଦୁନିଆଁର ସବୁକେ ଆହରନ୍ କରସି ଜେନଟା କଲମର ଗାରେ ଉଦଗୁରେଇ ଦେସି ଧରମ ବଟବୃକ୍ଷ କାଳଜୟୀ କବିତାଟେ ସୃଷ୍ଟି ହେଇଯାଏସି” ।

ସେହିପରି ଆପଣଙ୍କ କବିତାରେ କ’ଣ କହିବାକୁ ଚାହାଁନ୍ତି ବୋଲି ପଚାରିବାରୁ ଉତ୍ତର ଥିଲା ଏମିତି “କବି କହେତିକେ ବିଦେଶର ଭାଷା ସଂସ୍କୃତି ଆସେ ଚାପି । ଖିଆଲ ନାଇନ ଆପ୍ନାର୍ ଭାଷା ସଂସ୍କୃତି ହୁଏ ଢ଼ାପି ।  ତାର ବାହାରେ ମୁନୁଷ୍ର ଭଲ ମନ୍ଦ ଦୁଃଖ୍ ଦରଦ୍ ଯେନଟାକି ସମାଜ ଆଗାଁଡ଼େ ଫୁଟି ନେଇ ପାର୍ବାର୍, କହେଲେ ଭି କିହେ ନାଇଁ ଶୁନନ୍ ସେଟା ହଉଛେ ମୋର୍ କବିତା” ।

ଏକବିଂଶ ଶତାବ୍ଦୀର ଏଭଳି ଜଣେ ମହାନ କବିଙ୍କୁ କୋଟି ପ୍ରଣାମ ।

         (ସହାୟକ ପତ୍ରିକା ଜୁହାର)        ହଳଧର ନାଗ୍

କବିଙ୍କର ନିର୍ବାଚିତ କବିତା

ଢ଼ଡ଼ୋ ବରଗଛ୍

ପିଢ଼ି ପିଢ଼ି କରି କେତେ ପିଢ଼ି ଗଲା

ମୁଡ଼ ଟେକି ଅଛେ ଠିଆ

ଗାଅାଁ ମୁଡ଼୍ସାର୍ ଢଡ଼ୋ ବରଗଛ୍

ଧରସାର୍ ଡେବ୍ରିଆ ।।

ଝୁପୁଡ଼ୁ ଝାପ୍ଡ଼ୁ ଢାପ୍ ଗୁଡ଼ୁଗୁଡ଼ୁ

ଖଲାର୍ ଏତେ ଉସାର୍

ଡାହି ପଖରାର ତଲକେ ପାହାର୍

ଡୋର୍ ଦଅଁରା ମେତାର୍ ।।

ଅଜା ପନ୍ଅଜା ଟିପନ୍ ଅଜା ଯେ

ଚିନହାର୍ ଜନାର୍ ଜନେ

ଚଢ଼ୁଥିଲେ ଗଛେଁ ଝୁଲୁଥିଲେ ଦୁଲି

ଗଜା ବଏସିଆ ଦିନେ ।।

ମଏନାର୍ ହରଲ ଚରେ ଦଲ୍ଦଲ୍

ପାଚିଗଲେଁ ବରଫଲ୍

ସକାଲୁ ସଂଜକେ ବସିଯାଏ ହାଟ୍

ଗଗାଚବା କଲ୍କଲ୍ ।।

ବଏଶାଖ ମସିଆ ଦୁଇ ପହରିଆ

ବାଟ୍ ଚଲା ଚଟ୍ଚଟେଁ

ଇ ଗଛ ତଲେଁ ଘାଏ ଥାକି ଫୁଟି

ଚାଲି ଯାଏସନ୍ ବାଟେଁ ।।

ବରପିଲା ଆସେ କନିଅାଁ ନେବାକେ

ଇଠାନୁ ତ ବଜା ମୁଲ୍

ଝି’ ଖଟିଗଲେଁ ଇ ବରତଲେଁ

ବିହୀ ଟୁଟେ ବିଲକୁଲ୍ ।।

ମରାବୁହି ଆନି ଛନେ ଉଲ୍ହାସନ

ଲେପି ହଲଦି ଅଏଁଲା

ମାହେଜି ଟୁକେଲ୍ ଘର୍ ଲେହେଁଟିସନ୍

ଇନ ଛାଡ଼ି ଖନ୍ଦାକୁଲା ।।

ରାଏତ୍ ବିକାଲେଁ ସମସନ୍ ଚୋର୍

ଗାଅାଁ ଖୁଏଲ୍ ହେଲେ ଛିନା

ଇ ଗଛ ତଲେଁ ହେସି ଭାଗ୍ବଁଟା

ଟଁକା ସୁନା ଖୁରି ଗିନା ।।

ରସିଆ ଟାକସି ରସିଏନ୍ କେ ତ

ମାଛି ଅନ୍ଧ୍ରିଆ ବେଲେଁ

ଉଧୁଲିଆ ଯିବେ ସତ୍ କରସନ୍

ଇ ବରଗଛ ତଲେଁ ।।

ଦେଖୁଛେ ଜାନୁଛେ ଶୁନୁଛେ ଗୁନୁଛେଁ

ନେଇ ଫୁଟେ ତା’ର୍ କାପୁ

କିଛି କହେ ନାଇଁ କୁନ୍ଦା ସାକ୍ଷୀ ହୋଇ

ଟେକି ଅଛେ ବାହା ବଫୁ ।।

About Editor

Editor
ସମଧ୍ୱନିର ସମ୍ପାଦକ ସ୍ଵୟଂପ୍ରଭା ପାଢ଼ୀ ଜଣେ ଗାୟିକା ଓ ମୁକ୍ତ ବୃତ୍ତିର ସାମ୍ବାଦିକ ଅଟନ୍ତି । ସେ ସମଧ୍ୱନି ପତ୍ରିକା, ସମଧ୍ୱନି ସାଂସ୍କୃତିକ ସଂଗଠନ (୨୦୦୫ ମସିହାରୁ ଓଡ଼ିଶାରେ କାମକରୁଛି) ଓ ସମଧ୍ୱନି ସାଂସ୍କୃତିକ ଗବେଷଣକେନ୍ଦ୍ରର ମୁଖ୍ୟ । ସମଗ୍ର ଓଡିଶାରେ ସାଂସ୍କୃତିକ ବାତାବରଣ ତିଆରି କରିବା ଓ ସାଧାରଣ ଲୋକମାନଙ୍କ ସ୍ୱରକୁ ସାଂସ୍କୃତିକ ମାଧ୍ୟମରେ ତୋଳିଧରିବା ପାଇଁ ସେ କାମ କରିଚାଲିଛନ୍ତି। Swayamprabha Parhi, editor of Samadhwani, is a Hindustani classical music-trained singer and freelance journalist. She is the head of the Samadhwani Cultural Organization (which has been operating in Odisha since 2005) and the Samadhwani Cultural Research Center. She has been working to create a cultural atmosphere throughout Odisha and to raise the voice of the common people through culture.

Check Also

ନଟି ବିନୋଦିନୀଙ୍କର ଜୀବନ କଥା (୩)

କଲିକତାର ରଙ୍ଗମଞ୍ଚର ଭଙ୍ଗାଗଢ଼ା କଥା ଆଗରୁ ଉଲ୍ଲେଖ କରାଯାଇଛି । ଏଇ ପରିସ୍ଥିତିର ପରିଣାମରୁ ହିଁ ଗିରିଶଚନ୍ଦ୍ର ୧୮୮୩ମସିହାରେ ନ୍ୟାସନାଲ …

Leave a Reply

Your email address will not be published. Required fields are marked *