Home / ଇତିହାସ / ଇତିହାସ ପୃଷ୍ଠାରୁ / (ଅତୀତରୁ ପୋଷ୍ଟକାର୍ଡ) ସ୍ୱାଧୀନତା ପୂର୍ବର ପୁରୀ ଜିଲ୍ଲାର ଦଳିତ ଜୀବନ

(ଅତୀତରୁ ପୋଷ୍ଟକାର୍ଡ) ସ୍ୱାଧୀନତା ପୂର୍ବର ପୁରୀ ଜିଲ୍ଲାର ଦଳିତ ଜୀବନ

ପ୍ରସିଦ୍ଧ ସାହିତ୍ୟିକ ତଥା ଓଡ଼ିଆ ଭାଷାସାହିତ୍ୟର ଅଧ୍ୟାପକ ଓ ଗବେଷକ କୁଞ୍ଜବିହାରୀ ଦାଶଙ୍କର ପୈତୃକ ଗ୍ରାମ ହେଲା ପୁରୀ ଜିଲ୍ଲାର ରେଞ୍ଚ ଶାସନ – ମକଦ୍ଦମୀ ଗାଁ । କୁଞ୍ଜବିହାରୀ ବାବୁଙ୍କର ପିଲାବେଳେ, ସ୍ୱାଧୀନତାର ପ୍ରାକ୍ କାଳରେ, ଦୁଇ ଜଣ ଭୋଇଲୋକ ତାଙ୍କ ଘରେ ‘ଲୋକ ଲାଗିଥିଲେ’। କେଳା ଓ ଉଚ୍ଛବା – ଦୁଇ ଜଣ ଯାକ ଛଅମାସିଆ ଲାଗିଥିଲେ । ଏହି କାମ ପାଇଁ ସେମାନେ ନଅ ଗୁଣ୍ଠ ଜମି ହେତା, ମାସିକିଆ ପଡ଼ି ମୂଲ ଛଅ ଗଉଣି ଧାନ, ଧାନକଟା ବେଳେ ୧୦/୧୨ ଗଉଣୀ ଧାନ ନେଉଥିଲେ । ଏହା ଛଡ଼ା ପର୍ବପର୍ବାଣୀମାନଙ୍କରେ ତାଙ୍କ ଘରେ ଖାଉଥିଲେ ଓ ବାଉଁଶିଆରେ ସଜାଡ଼ି ଘର ଲୋକଙ୍କ ପାଇ ନେଉଥିଲେ । ଦୋଳକୁ ଭୁଜାଖିଆ, ରଜକୁ ମୁଢ଼ି ନଡ଼ିଆ, ଓ ବର୍ଷିକିଆ ଥାକ ହିସାବରେ ଥରେ ଶୀତ ଚାଦର ଓ ଗାମୁଛା ଇତ୍ୟାଦି ମଧ୍ୟ ତାଙ୍କର ପ୍ରାପ୍ୟ ଥିଲା ।

ଏହି ପରି ଲୋକ ଲାଗୁଥିବା ପୁରୁଷମାନେ କଠିନ ଶରୀରଶ୍ରମ କରୁଥିଲେ । ସେମାନେ ବିଲକାମ କରି ଘରକୁ ଫେରିଲା ବେଳକୁ ନିଜ ବଳଦଙ୍କ ପାଇଁ ଘାସ କାଟନ୍ତି । ବେଳ ମିଳିଲେ ବସି ବାଣି କାଟନ୍ତି ନହେଲେ ମୁନ୍ଦୁରା ବୁଣନ୍ତି । ଭୋଇସାଇର ଲୋକେ ଥିଲେ ଗାଁରେ ସବୁଠାରୁ ଗରୀବ । ସାଇର ପରିବାରମାନଙ୍କରେ ପେଟ ପୋଷିବା ପାଇଁ ବାପା ମା ଦୁଇ ଜଣଙ୍କୁ ଖଟିବାକୁ ପଡ଼ୁଥିଲା । କାମକୁ ଆଉ ପାରୁ ନଥିବା ସାହିର ବୁଢ଼ୀମାନେ ଘରେ ରହି କୁଟୁମ୍ବର ପିଲାଛୁଆଙ୍କ ଉପରେ ଆଖି ରଖୁଥିଲେ, ସେମାନଙ୍କୁ ସମ୍ଭାଳି ତାଙ୍କ କଥା ବୁଝୁଥିଲେ । ସାଇର ଛୋଟପିଲାଏ ଗୋରୁ ଜଗୁଥିଲେ । ଟିକିଏ ବଡ଼ ହୋଇଗଲେ ସାଆନ୍ତମାନଙ୍କ ଘରେ ସେମାନେ ମୂଲ ଲାଗୁଥିଲେ । ଭୋଇସାଇର ମୂଲିଆମାନେ କଥା ରଖିପାରନ୍ତି ନାହିଁ । ଜବାବ ଦିଅନ୍ତି ଜଣଙ୍କୁ, ହେଲେ ଯାଆନ୍ତି ଆଉ ଜଣଙ୍କର କାମକୁ । ନଗଦ ଯିଏ ଦିଏ, ତାହାର କାମକୁ ଯାଆନ୍ତି ।

ନିତିଦିନିଆ ଖାଦ୍ୟ ଭିତରେ ଚଳୁଥିଲା ମାଣ୍ଡିଆ, କୋଳଥ ଓ ସୁଆଁ ଆଦି ଶସ୍ୟର ଜାଉ ଓ ନାନାଦି ଶାଗ । ପୋଖରିରୁ ମିଳୁଥିଲା କାନ୍ଦୁରି ଶାଗ । ପୋଖରୀ ବନ୍ଧରୁ ସ୍ତ୍ରୀଲୋକେ ଗୋଟେଇ ଆଣୁଥିଲେ ସୁନୁସୁନିଆ ଓ ପିତା ଶାଗ । ହିଡ଼ିମିଚା, ମଦରଙ୍ଗା, ପୁରୁଣି ଆଦି ଶାଗ ଗହୀରମାନଙ୍କରୁ ସାଉଁଟା ଯାଉଥିଲା । କୋଳଥ ବିଲରୁ ଗଇଶ ଶାଗ ମଧ୍ୟ ଭୋଇଘରର ସ୍ତ୍ରୀଲୋକମାନେ ଘିଞ୍ଚି ଆଣି ଖରଡ଼ୁଥିଲେ । ଭାତ ଗଣ୍ଡିଏ ନିୟମିତ ଖାଇବା ଏହି ଜାତିର ଅଧିକାଂଶ ଲୋକଙ୍କ ଭାଗ୍ୟରେ ସେବେ ଲେଖା ନ ଥିଲା । ଅନେକ ସମୟରେ ବିଲର ହିଡ଼ମାନଙ୍କରୁ ଗେଣ୍ଡା ଓ ଶାମୁକା ଇତ୍ୟାଦି ସଙ୍ଗ୍ରହ କରି ତୁଣ ତରକାରୀ ରାନ୍ଧି ଖିଆଯାଉଥିଲା । ବିଲ କଙ୍କଡ଼ା ପୋଡ଼ି, ଲଙ୍କା ଲୁଣ ସହିତ ଚଟଣି କରି ମଧ୍ୟ ଚଳୁଥିଲା । ସୁଆଁ ଓ ବାଳୁଙ୍ଗା ସଙ୍ଗ୍ରହ କରି, ତହିଁରୁ ଚାଉଳ ବାହାର କରି, ସେଥିରେ ଭୋଇ ପରିବାରର ସ୍ତ୍ରୀଲୋକମାନେ ଜାଉ, ନହେଲେ ଭାତ ରାନ୍ଧୁଥିଲେ ।

ଶାଗ ତୋଳିବା ଛଡ଼ା ଜାଳ ଗୋଟାଇବା ଓ ମୂଲ ଲାଗିଯିବା ଭୋଇ ଜାତିର ସ୍ତ୍ରୀଲୋକମାନଙ୍କର ଥିଲା ନୈମିତ୍ତିକ ପାଇଟି । ଜାଳ ସଙ୍ଗ୍ରହ କରିବା ଥିଲା ତାଙ୍କର ଏକ ବଡ଼ କାମ । ଭୋଇମାଇପିମାନେ ଜାଳ ପାଇଁ ତୋଟାମାନଙ୍କରୁ ପତର ଗୋଟାଉଥିଲେ । କୋଠଜମିର ଗଛମାନଙ୍କରୁ ଶୁଖିଲା ଡାଙ୍ଗ ଇତ୍ୟାଦି ଭାଙ୍ଗୁଥିଲେ । ବିଲରୁ ଗୋବର ଗୋଟେଇ ଘଷି ବି ପରାଯାଉଥିଲା । କିଆଘୋଡ଼ି କାଟି ଆଣି ଚୁଲିରେ ଜାଳ ଭାବରେ ରାନ୍ଧିବା ପାଇଁ ଉପଯୋଗ କରାଯାଉଥିଲା ।

ଏହି ଜାତିରେ ନାରୀ ପୁରୁଷଙ୍କର ସମ୍ପର୍କରେ ସାମ୍ୟ ଥିଲା । ଯେହେତୁ ପରିବାର ଚଳାଇବାରେ ସ୍ତ୍ରୀଲୋକଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହୁଥିଲା, ଭୋଇ ସମାଜରେ ପୁରୁଷର ନାରୀ ଉପରେ ଅନାଚାର ଓ ଜୁଲୁମ ନଥିଲା । ଭୋଇ ମହିଳାମାନେ ଖାଇବା ପିନ୍ଧିବା ପାଇଁ  ପୁରୁଷମାନଙ୍କ ଉପରେ ନିର୍ଭରଶୀଳ ନଥିଲେ ଓ ସ୍ୱାଧୀନ ଭାବରେ ଜୀବନଯାପନ କରୁଥିଲେ । ଅଳଙ୍କାର ବୋଇଲେ ହାତରେ ପିତ୍ତଳବାହି ଓ ପିତ୍ତଳର ନାକଫୁଲ ଓ କାନଫୁଲ ପରିଧାନ କରୁଥିଲେ । ପାଦରେ ନାଉଥିଲେ ରସମୁଦି ।

ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀଲୋକମାନେ ବେଶୀ ଖଟୁଥିଲେ – ଘର ବାହାରେ ମାଟି ବୁହା, ବିଲ ବଛା, ଧାନ କଟା, ମୁଗ ଓ ବିରି ଇତ୍ୟାଦି ଓପଡ଼ା ; ନିଜ ଘରେ ଧାନ ଉସାଁ, ଶୁଖା ଓ କୁଟା, ଚାଉଳ ପାଛୁଡ଼ା, ଜାଉ ରନ୍ଧା, ପିଲାଙ୍କ କଥା ବୁଝିବା, ଇତ୍ୟାଦି ସବୁ କାମ ସେମାନେ କରୁଥିଲେ । ତଥାପି ପେଟକୁ ଭଲ କରି ଦୁଇ ମୁଠା ଖାଇବାକୁ ମିଳୁ ନଥିଲା ।

ପୁରୁଷଲୋକେ ଏକାଠି ହୋଇ କୁକୁର ଧରି ଠେକୁଆ ମାରି ଯାଆନ୍ତି । କିଆବାଡ଼ରୁ କଇଁଛ କି ବାହ୍ମୁଣୀ ବେଙ୍ଗ ଧରି ଖାଆନ୍ତି । ପଇସା କିଛି ହାତକୁ ଆସିଲେ ଭୋଇସାଇର ପୁରୁଷଲୋକେ ଖଜୁରି ତାଡ଼ି କିଣି ପିଉଥିଲେ । ବିଭାଘରେ ମଦ୍ୟପାନ ହେଉଥିଲା । ପୁରୁଷଲୋକେ ତାଡ଼ି ପିଇ ଘୁମୁରା ବଜାଉଥିଲେ । ଜାଳ ଅଭାବରୁ କି କଅଣ ଜଣା ନାହିଁ, ଭୋଇମାନଙ୍କର ମୁର୍ଦ୍ଦାରଟିମାନ ପୋଡ଼ା ନଯାଇ ପୋତା ହେଉଥିଲେ । ହାଡ଼ି ଜାତିର ଲୋକମାନେ ମଧ୍ୟ ବହୁ ଦୁଃଖକଷ୍ଟରେ ଚଳୁଥିଲେ । ବେତ ଓ ବାଉଁଶରେ ଗଉଣୀ, ମାଣ, ପେଟେରା, ବେତା, ଟୋକେଇ ଇତ୍ୟାଦି ହାତରେ ବୁଣି, ବୁଲେଇ ବିକ୍ରି କରୁଥିଲେ । ବିବାହ ଇତ୍ୟାଦିରେ ବାଜା ବଜାଉଥିଲେ।

ବି. ଦ୍ର. -ଏହି ଲେଖାଟିର ଉପାଦାନ କୁଞ୍ଜବିହାରୀ ଦାଶଙ୍କର ଆତ୍ମଜୀବନୀ ‘ମୋ କାହାଣୀ’ରୁ ସଙ୍ଗୃହିତ

  • Sailen Routray

About ଶୈଲେନ ରାଉତରାୟ

ଗବେଷକ, ଲେଖକ

Check Also

(ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ) ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ଓ ସ୍ୱତନ୍ତ୍ର ଜାତି

୧୯୩୧ମସିହା ଠାରୁ ୧୯୩୫ ମସିହା ମଧ୍ୟରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଓଡ଼ିଶାରେ ପ୍ରବଳ ଜନମତ ଗଠିତ ହୋଇଥିଲା …

Leave a Reply

Your email address will not be published. Required fields are marked *