Home / ଇତିହାସ / ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ

ଊନବିଂଶ ଶତକର ଶେଷଭାଗରୁ ଆରମ୍ଭ କରି ବିଂଶ ଶତକର ପ୍ରଥମ ଚାରିଦଶନ୍ଧି ମଧ୍ୟରେ ବହୁ ବ୍ୟକ୍ତି ଓ ଅନୁଷ୍ଠାନର ସହଯୋଗରେ ନିବେଦନ – ଆବେଦନ, ପତ୍ର ପ୍ରଦାନ, ସମ୍ବାଦପତ୍ରରେ ଲେଖା ଏବଂ ଆନୁଷ୍ଠାନିକ ଆନ୍ଦୋଳନ ବଳରେ ୧୯୩୬ମସିହା ଏପ୍ରିଲ ୧ତାରିଖ ଦିନ ଆତ୍ମପ୍ରକାଶ କରିଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ।

ଏହା ଥିଲା ଓଡ଼ିଆ ‘ଅସ୍ମିତା’ ପ୍ରକାଶ (Odiya Indentity Manifestation)ର ଏକ ଅବିସ୍ମରଣୀୟ ପର୍ଯ୍ୟାୟ । ୧୯୩୬ମସିହା ଏପ୍ରିଲ ୧ତାରିଖ ବୁଧବାର ଦିନ ସ୍ଥିତି ଲାଭ କରିଥିବା ଓଡ଼ିଶା ପ୍ରଦେଶ ୮୦,୪୩,୬୮୧ ସଂଖ୍ୟାର ଅଧିବାସୀଙ୍କୁ ନେଇ ୩୨,୬୯୫ବର୍ଗ ମାଇଲ ଅଞ୍ଚଳକୁ କେନ୍ଦ୍ର କରି ପରିବ୍ୟାପ୍ତ ଥିଲା ।

ଏଥିରେ କଟକ, ପୁରୀ,ବାଲେଶ୍ୱର,ସମ୍ବଲପୁର,ଗଞ୍ଜାମ ଏବଂ କୋରାପୁଟ ଅଞ୍ଚଳ ଅନ୍ତର୍ଗତ ହୋଇଥିଲା । ବହୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଏହି ଓଡ଼ିଶାପ୍ରଦେଶ ବାହାରେ ରହିଗଲେ । ପୂର୍ଣ୍ଣାଙ୍ଗ ଏବଂ ବୃହତ୍ତର ଓଡ଼ିଶାର ଏହି ପ୍ରାଥମିକ ପର୍ଯ୍ୟାୟ ପଛରେ ଅନ୍ତତଃ ଅର୍ଦ୍ଧଶତାବ୍ଦୀର ଓଡ଼ିଆ ସଂଗ୍ରାମର କାହାଣୀ ବର୍ତ୍ତମାନ,ଭାଷା,ସାହିତ୍ୟ,ସଂସ୍କୃତି,ଐତିହ୍ୟ ଏବଂ ଆର୍ଥିକ ସାମର୍ଥ୍ୟକୁ ନେଇ ଓଡ଼ିଆମାନେ ଓଡ଼ିଶାର ସ୍ୱତନ୍ତ୍ର ମଣ୍ଡଳ ନିର୍ଣ୍ଣୟ କରିବାକୁ ଆଗେଇ ଯାଇଥିଲେ ।

ଅର୍ଦ୍ଧଶତାବ୍ଦୀରୁ ଊଦ୍ଧ୍ୱର୍କାଳ ନାନା ବିତର୍କ, ଆଲୋଚନା, ପ୍ରତିବାଦପତ୍ର ଏବଂ ସଭାସମିତି ଭିତରୁ ଭାରତୀୟ ରାଷ୍ଟ୍ରୀୟ ଭାବନା ମଧ୍ୟରେ ଓଡ଼ିଶାର ଓଡ଼ିଆମାନେ ପ୍ରକାଶିତ ହେବାକୁ ଧାରାବାହିକ ଉଦ୍ୟମ କରିଥିଲେ,ତାହା ପ୍ରକୃତରେ ଇତିହାସର ଏକ ଅବିସ୍ମରଣୀୟ ଅଙ୍ଗ ହୋଇରହିଛି ।

ହୋଇପାରେ ଜଗତୀକରଣ ପ୍ରକ୍ରିୟାରେ ଏହାର ପ୍ରାସଙ୍ଗିକତା ଆଉ ଅନୁଭବ କରିହେଉ ନାହିଁ । କିନ୍ତୁ ୧୯୩୬ପୂର୍ବରୁ ଫେରିଚାହିଁଲେ ସେହି ବିସ୍ମୃତ ଅତୀତର ପୃଷ୍ଠାଗୁଡ଼ିକୁ ଯୋଡ଼ିଦେଇ ଦୃଷ୍ଟି ଦେଲେ ଚିନ୍ତାର ଦିଗନ୍ତ ପ୍ରସାରିତ ହୋଇଥାଏ ଏବଂ ସଂଘବଦ୍ଧ ଜୀବନ ପାଇଁ ଏହା ଯେ ଏକ ପ୍ରୟୋଜନୀୟ ପଦକ୍ଷେପ ଏବଂ ଜଗତୀକରଣର ପ୍ରାଥମିକ ପର୍ଯ୍ୟାୟ, ଏଥିରେ ସନ୍ଦେହର ଅବକାଶ ରହେନାହିଁ ।

ଓଡ଼ିଆମାନେ ୧୮୬୬ ପରଠାରୁ ବହୁ ଦଶନ୍ଧି ଧରି ଓଡ଼ିଆ ସ୍ୱତନ୍ତ୍ର ଭାଷା ବୋଲି ପ୍ରଚାର କରିବା ସହିତ ବହୁ ଭାଷୀ ଭାରତୀୟ ରାଷ୍ଟ୍ରୀୟ ଧାରଣାରେ ଏହାର ସ୍ୱତନ୍ତ୍ର ସ୍ଥାନ ନିରୂପଣ କରିଥିଲେ । ସେହିପରି ସଂସ୍କୃତି ଏବଂ ଆର୍ଥିକ ସାମର୍ଥ୍ୟକୁ ଗୁରୁତ୍ୱଦେଇ ଓଡ଼ିଶା ଭୌଗୋଳିକ ମାନଚିତ୍ର ପ୍ରସ୍ତୁତ କରିଥିଲେ । ତେଣୁ ସେ ପ୍ରସଙ୍ଗର ଆଲୋଚନା ମାଧ୍ୟମରେ ଭବିଷ୍ୟତ ଓଡ଼ିଶାର ଉନ୍ନତିର ମାର୍ଗ ସ୍ଥିର କରାଯାଇପାରେ, କାରଣ ଅତୀତର ପ୍ରତ୍ୟେକଟି ଜୀର୍ଣ୍ଣ ପତ୍ର ଭବିଷ୍ୟତ ଶ୍ୟାମଳିମା ପାଇଁ ପ୍ରେରଣା ଯୋଗାଇଥାଏ।
।।୨।।
ଊନବିଂଶ ଶତାବ୍ଦୀ ଆରମ୍ଭରୁ ଓଡ଼ିଶାର ରାଜନୈତିକ ସ୍ୱାଧୀନତା ରବି ଅସ୍ତମିତ ହୋଇଯିବା ସଙ୍ଗେ ସଙ୍ଗେ ଏଜାତିର ସମସ୍ତ ସ୍ୱାଧୀନତା ମନୋବୃତ୍ତି ବହୁ ଉପାୟରେ ଦମିତ ହୋଇଥିଲା । ଏ ଦମନର ପନ୍ଥା ଯେପରି ଉତ୍କଟ, ତାର ପରିଣତି ମଧ୍ୟ ସେହିପରି ଭୟାବହ ଥିଲା ।

ନଅଙ୍କ ଦୁର୍ଭିକ୍ଷ (୧୮୬୫-୬୬) ଏବଂ ଓଡ଼ିଆ ଭାଷା ବିଲୋପ ଉଦ୍ୟମ (୧୮୩୦-୭୦)- ଏ ଉଭୟ ଘଟଣା ଏ ଦମନ କ୍ରିୟାର ସର୍ବଶ୍ରେଷ୍ଠ ସଙ୍କେତ । ଏହି ଦୁଇଟି ଘଟଣା ଶାସକମାନଙ୍କ ହୃଦୟରେ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଯଥାର୍ଥତଃ ଓଡ଼ିଶାର ଭାଗ୍ୟ ୧୮୭୦ ସାଲରୁ ପରିବର୍ତ୍ତିତ ହେବାକୁ ଆରମ୍ଭ କରିଥିଲା।

ରାଜ ସହାନୁଭୂତି ପାଇଁ ଏ ଦେଶର ମୁଷ୍ଟିମେୟ ଶିକ୍ଷିତ ଲୋକ ଏହି ସମୟରୁ ଦେଶର ସର୍ବାଙ୍ଗୀନ ଉନ୍ନତି ସାଧନ ପାଇଁ ମନଯୋଗୀ ହୋଇଥିଲେ । ଏମାନଙ୍କ ଆଖିରେ ସେତେବେଳେ ଦେଶ ଅବନତିର ପ୍ରଧାନ ଓ ପ୍ରଥମ ଅନ୍ତରାୟ ରୂପେ ଦେଖାଦେଇଥିଲା ଖଣ୍ଡବିଖଣ୍ଡିତ ଓଡ଼ିଶାର କରୁଣମୂର୍ତ୍ତି ।

ବିଶାଳ ବଙ୍ଗଦେଶର ଏକ ଅପ୍ରଧାନ ଅଙ୍ଗ ରୂପେ ଓଡ଼ିଶା ସ୍ଥାନ ପାଇଥିଲେ ମଧ୍ୟ ଏହାର ବହୁ ଅଂଶ ମଧ୍ୟପ୍ରଦେଶ, ମାନ୍ଦ୍ରାଜ ପ୍ରଦେଶ ଅନ୍ତର୍ଗତ ଥିଲା । ଓଡ଼ିଶା ବୋଲି ସେ ସମୟରେ କେବଳ ପୁରୀ, କଟକ ଓ ବାଲେଶ୍ୱର ଜିଲ୍ଲାକୁ ବୁଝାଉଥିଲା । ସ୍ଥୂଳତଃ ଓଡ଼ିଶାର ଏକ ବିରାଟ ଅଂଶ ଏଇ ତଥାକଥିତ ଓଡ଼ିଶାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଥିଲା ।

ସମଗ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର ଏକ ଶାସନରେ ଅନ୍ତର୍ଭୁକ୍ତ କରିପାରିଲେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଆର୍ଥିକ ପରିବେଶର ଉନ୍ନତି ସାଧିତ ହୋଇପାରେ – ଏ ଭାବ ସେ ସମୟରେ ବହୁ ଶିକ୍ଷିତ ଲୋକଙ୍କ ହୃଦୟକୁ ଅଧିକାର କରିନଥିଲା । ଊନବିଂଶ ଶତାବ୍ଦୀର ଶେଷ ତିରିଶ ବର୍ଷ ଭିତରେ ଅନେକ ଲେଖକ ବ୍ୟକ୍ତିଗତଭାବେ ଏଇ ଦେଶମିଶ୍ରଣ ଆନ୍ଦୋଳନରେ ଭାଗ ନେଇଥିଲେ, କିନ୍ତୁ ଏମାନଙ୍କର ସମସ୍ତ ପ୍ରସ୍ତାବ, ଆବେଦନ ଓ ନିବେଦନ ଔପନିବେଶିକ ଶାସକମାନଙ୍କ ଚିତ୍ତରେ କୌଣସି ପରିବର୍ତ୍ତନ ଆଣିପାରି ନଥିଲା ।

ଏହି ସମୟ ମଧ୍ୟରେ ଓଡ଼ିଆ ଜାତି ଓ ତାର ଭାଷା, ସାହିତ୍ୟ, ଆର୍ଥିକ ପରିସ୍ଥିତିର ବିକାଶ ପାଇଁ ଏବଂ ଓଡ଼ିଆଭାଷୀ ଅଞ୍ଚଳମାନଙ୍କର ଏକତ୍ରୀକରଣ ପାଇଁ ଉତ୍କଳ ସଭା (୧୮୮୨)ର ଦାବୀ ଅବିସ୍ମରଣୀୟ । ଫକୀରମୋହନ ସେନାପତି, ଗୌରୀଶଙ୍କର ରାୟ, ନୀଳମଣି ବିଦ୍ୟାରତ୍ନ, ମଧୁସୂଦନ ଦାସ, ବିଚିତ୍ରାନନ୍ଦ ଦାସ, ପଣ୍ଡିତ ହରିହର ଦାସ ପ୍ରମୁଖ ଓଡ଼ିଆପ୍ରେମୀ ନେତାମାନେ ସେତେବେଳେ ଓଡ଼ିଆ ଭାଷା, ସଂସ୍କୃତି, ଆର୍ଥିକ ପରିସ୍ଥିତିର ଅଗ୍ରଗତି ଏବଂ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ଏକତ୍ରୀକରଣ ପାଇଁ ଉଦ୍ୟମ କରିଥିଲେ ।

‘ଉତ୍କଳ ଦୀପିକା’, ‘ସମ୍ବାଦ ବାହିକା’, ‘ସମ୍ବଲପୁର ହିତୈଷିଣୀ’, ‘ଉତ୍କଳ ପୁତ୍ର’ ପରି ସମ୍ବାଦପତ୍ରରେ ଏହି ସମସ୍ୟା ସମ୍ପର୍କରେ ବିସ୍ତାରିତ ଆଲୋଚନା ପ୍ରକାଶ ପାଇଥିଲା । ତେବେ ଓଡ଼ିଆଜାତି ଓ ତାର ଭାଷା, ସାହିତ୍ୟ ସ୍ୱତନ୍ତ୍ର : ଏମାନଙ୍କର ସହଜ ଓ ସ୍ୱଚ୍ଛନ୍ଦ ବିକାଶ ପାଇଁ ଏକ ସ୍ୱତନ୍ତ୍ର ଶାସନାଧୀନ ପ୍ରଦେଶ ଏକାନ୍ତ ଆବଶ୍ୟକ-ଏପ୍ରକାର ଅଭିମତ ଓଡ଼ିଶାର କମିଶନର କୁକ୍ସାହେବଙ୍କ ପ୍ରସ୍ତାବ (୧୮୯୪-୯୫) ବ୍ୟତୀତ ଅନ୍ୟତ୍ର କେଉଁଠି ରାଜକୀୟ ଅନୁମୋଦନ ପାଇ ନଥିଲା ।

ନଅଙ୍କ ଦୁର୍ଭିକ୍ଷ ପରେ ୧୮୬୬ରେ ତଦାନୀନ୍ତନ ଭାରତ ସଚିବ Sir Stafford Northcote ଲେଖିଥିଲେ – I feel for the unnaturalness of territorial dismemberment and suggest to bring the Oriya country under one separate administration. ୧୮୭୭ରେ ରାଜା ବୈକୁଣ୍ଠ ନାଥ ଦେ ଓ ବିଚିତ୍ରାନନ୍ଦ ଦାସ ଏକ ସ୍ମାରକପତ୍ର ଦେଇ ଓଡ଼ିଆଙ୍କୁ ଏକ ଶାସନାଧିନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଊନବିଂଶ ଶତକର ଶେଷ ଭାଗକୁ ପାଉଁସ ଘେରା ନିଆଁ ଭଳି ଓଡ଼ିଆ ଜାତୀୟତା କୁହୁଳି ଉଠିଲା ।

ସେ ସମୟରେ ଚିକିଟିର ଭେଙ୍ଗଟେଶ୍ୱର ଦେବ, ଉଇଲିୟମ ମହାନ୍ତି ଓ ବଳରାମ ମହାରଣା ପ୍ରଭୃତି ଜାତ୍ୟାଭିମାନୀ ଓଡ଼ିଆମାନେ ‘ଉତ୍କଳ ହିତବାଦୀ’ ସମାଜ ନାମରେ ଗୋଟିଏ ଅନୁଷ୍ଠାନ ଗଢ଼ି କ୍ଷୀଣଭାବରେ ଆନ୍ଦୋଳନ ଚଳାଇଥିଲେ । ସେହି ଆନ୍ଦୋଳନ ଫଳରେ ୧୮୭୩ ଖ୍ରୀଷ୍ଟାବ୍ଦରେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଗୃହୀତ ହେଲା ଓ ତାହାର କେତେକ ବର୍ଷ ପରେ ଗଞ୍ଜାମ ଜିଲ୍ଲାର କୋର୍ଟକଚେରୀମାନଙ୍କରେ ଓଡ଼ିଆ ଭାଷା ପ୍ରଚଳିତ ହେଲା ।

ଦେଶମିଶ୍ରଣ ଆନ୍ଦୋଳନର ଉତ୍ସାହୀ କର୍ମୀ ନରସିଂହ ଦାସ ଓ ଶ୍ୟାମସୁନ୍ଦର ରାଜଗୁରୁ ଉତ୍କଳ ହିତବାଦୀ ସମାଜର ସଭ୍ୟମାନଙ୍କ ନିକଟରୁ ହିଁ ପ୍ରଥମେ ଜାତୀୟ ପ୍ରେରଣା ପାଇଥିଲେ।

ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନକୁ ନେଇ ଓଡ଼ିଶା ସ୍ୱତନ୍ତ୍ରପ୍ରଦେଶ ଗଠନ ସଫଳ ରୂପ ନେଇଥିଲା । ୧୮୬୮ରୁ ୧୮୭୩ ମଧ୍ୟରେ ଓଡ଼ିଶାର ବିଦ୍ୟାଳୟ ମାନଙ୍କରେ ଓଡ଼ିଆଭାଷା ପରିବର୍ତ୍ତେ ବଙ୍ଗଳାଭାଷା ଶିକ୍ଷାର ମାଧ୍ୟମ ରୂପେ ଗୃହୀତ ହେବା ପ୍ରସ୍ତାବ ବିରୁଦ୍ଧରେ ପ୍ରଥମେ ଆନ୍ଦୋଳନ ହୋଇଥିଲା ।

ଉତ୍କଳ ଦୀପିକାରେ ଗୌରୀଶଙ୍କର ରାୟ, ବୋଧଦାୟିନୀ ଓ ବାଲେଶ୍ୱର ସମ୍ବାଦବାହିକା ପତ୍ରିକାରେ ଫକୀରମୋହନ ସେନାପତି ଏହି ଓଡ଼ିଆଭାଷା ସୁରକ୍ଷା ପାଇଁ ଦାବୀ କରିଥିଲେ । ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟ ବିରୁଦ୍ଧରେ ସେତେବେଳେ ‘ଉତ୍କଳ ହିତୈଷିଣୀ’ ନାମକ ସାପ୍ତାହିକ ସମ୍ବାଦପତ୍ର ପ୍ରଚାର କରୁଥିଲା ।

ରାଜେନ୍ଦ୍ରଲାଲ ମିତ୍ର,କାଳିପଦ ବନ୍ଦୋପାଧ୍ୟାୟ, ରାଜକୃଷ୍ଣ ମୁଖୋପାଧ୍ୟାୟ,ଉମାଚରଣ ହାଲଦାର,କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ପ୍ରମୁଖ ବଙ୍ଗୀୟ ବଙ୍ଗଭାଷାର ପ୍ରଚଳନ ପାଇଁ ଉଦ୍ୟମ କରିଥିଲେ । ତେବେ କେତେକ ବଙ୍ଗୀୟ ଲେଖକ-ଭୂଦେବ ମୁଖୋପାଧ୍ୟାୟ, ରଙ୍ଗଲାଲ ବାନାର୍ଜୀ – ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟକୁ ସ୍ୱୀକାର କରିବା ସଙ୍ଗେ ସଙ୍ଗେ ଏହାର ପ୍ରଚଳନ ପାଇଁ ମତ ଦେଇଥିଲେ । ପରିଶେଷରେ ନଭେମ୍ବର ୧୮୬୯ରେ ବଙ୍ଗର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଓଡ଼ିଶାର ସ୍କୁଲ ମାନଙ୍କରେ ଓଡ଼ିଆ ଭାଷାର ପ୍ରଚଳନ ଓ ଏହି ଭାଷା ଶିକ୍ଷାର ମାଧ୍ୟମ ବୋଲି ଗ୍ରହଣ କରିନେବାରୁ ଏହି ଆନ୍ଦୋଳନ ଶେଷ ହୋଇଥିଲା । ସେତେବେଳେ ସମ୍ବଲପୁର ଏବଂ ସିଂହଭୂମି ଅଞ୍ଚଳରେ ଓଡ଼ିଆଭାଷାର ସୁରକ୍ଷା ପାଇଁ ଆନ୍ଦୋଳନ ଚାଲିଥିଲା ।

ଏହାର ପ୍ରକୃତ ପର୍ଯ୍ୟାୟ ଆରମ୍ଭ ହୋଇଥିଲା ୧୮୯୫ ବେଳକୁ । ଧରଣୀଧର ମିଶ୍ର, ଗୋକୁଳଚନ୍ଦ୍ର ପାଢ଼ୀ,ବାଳମୁକୁନ୍ଦ ପରିଚ୍ଛା, ଘଟକର ସାଏ, ଗୋପୀନାଥ ସୁଦ୍,ଗଙ୍ଗାଧର ମିଶ୍ର, କୃପାସିନ୍ଧୁ ସାହୁ, ବାସୁଦେବ ନନ୍ଦ, ଗୋବିନ୍ଦ ନନ୍ଦ, ମଦନ ମୋହନ ମିଶ୍ର, ବଳଦେବ ସୁପକାର,ମହନ୍ତ ବିହାରୀ ଦାସ,ବ୍ରଜମୋହନ ପଟ୍ଟନାୟକ ପ୍ରମୁଖ ସମ୍ବଲପୁର ଅଞ୍ଚଳରେ ହିନ୍ଦୀଭାଷା ପରିବର୍ତ୍ତେ ଓଡ଼ିଆ ଭାଷାର ପ୍ରଚଳନ ପାଇଁ ପ୍ରବଳ ଆନ୍ଦୋଳନ ଚଳାଇଥିଲେ ।

 ଶେଷରେ ୧୮୯୫ ମସିହା ୧୫ ଜାନୁଆରୀର ପ୍ରସ୍ତାବ- ସମ୍ବଲପୁରରେ ଓଡ଼ିଆ ଭାଷା ପରିବର୍ତ୍ତେ ହିନ୍ଦୀଭାଷାର ବ୍ୟବହାର – ଭାରତ ସରକାରଙ୍କ ଦ୍ୱାରା ରଦ୍ଦ କରାଯାଇଥିଲା ଏବଂ ଏହି ଅଞ୍ଚଳରେ ଓଡ଼ିଆ ଭାଷାର ପ୍ରଚଳନକୁ ସରକାରୀସ୍ତରରେ ଗ୍ରହଣ କରଯାଇଥିଲା । ଏହିପରି ଭାବରେ ଓଡ଼ିଆଭାଷାର ସୁରକ୍ଷା ପ୍ରତି ବହୁ ଅନୁଷ୍ଠାନ ଓ କର୍ମୀମାନେ ଦୃଷ୍ଟିଦେଇ ଏହାର ସ୍ୱାତନ୍ତ୍ର୍ୟକୁ ପ୍ରତିଷ୍ଠା କରିଥିଲେ ।

ସୌଜନ୍ୟ – ସମଦୃଷ୍ଟି

Photo credit- https://bit.ly/2UwsJA2

About ପ୍ରଫେସର କୈଳାସ ଚନ୍ଦ୍ର ଦାଶ

ପ୍ରଫେସର କୈଳାସ ଚନ୍ଦ୍ର ଦାଶ
ଇତିହାସ ବିଭାଗର ପ୍ରଫେସର, ଗବେଷକ

Check Also

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଓ ଆଶା ସମ୍ବାଦପତ୍ରରେ ଅଭିମତ

  ।। ୪ ।। ଦେଶମିଶ୍ରଣ ୧୯୨୪ ମସିହାରୁ ପୁନର୍ବାର ମୌଳିକ ପ୍ରଶ୍ନ ରୂପେ ମୁଣ୍ଡ ଟେକିଲା ଏବଂ କଂଗ୍ରେସର …

Leave a Reply

Your email address will not be published. Required fields are marked *