Home / ବ୍ୟକ୍ତି ଓ ବ୍ୟକ୍ତିତ୍ୱ / ଅଭିଭାଷଣ / ସାମ୍ପ୍ରତିକ ପରିସ୍ଥିରେ ସଙ୍ଗୀତ ଓ ସଙ୍ଗୀତଜ୍ଞ

ସାମ୍ପ୍ରତିକ ପରିସ୍ଥିରେ ସଙ୍ଗୀତ ଓ ସଙ୍ଗୀତଜ୍ଞ

ସାମ୍ପ୍ରତିକ ପରିସ୍ଥିରେ ସଙ୍ଗୀତ ସମ୍ପର୍କରେ ଚର୍ଚ୍ଚା କରିବା ସମୟରେ ପ୍ରଥମେ ମନରେ ଆସେ ସଙ୍ଗୀତ କଣ ? ଏହାର ଆମ ସାମାଜିକ ଜୀବନରେ ଭୂମିକା କଣ?

ନାଟ୍ୟ ଶାସ୍ତ୍ର ଅନୁସାରେ ଅବଳା, ଵାଳ, ଗୋପାଳ ଓ ରାଜା ନିଜ ମନେ ମନେ ଯେଉଁ ଗୀତ ଗୁଣୁ ଗୁଣୁ ହୁଅନ୍ତି ତାକୁ ହିଁ ସଙ୍ଗୀତ କୁହାଯାଏ । ଖିଆଲି ମନରୁ ପ୍ରବାହିତ ହେଉଥାଏ ସଙ୍ଗୀତ । ସଙ୍ଗୀତକୁ ଏକ ଅନନ୍ତ ପ୍ରବାହମାନ ଧାରା ବୋଲି ମଧ୍ୟ କୁହାଯାଇପାରେ। ଜୀବନର ପ୍ରତ୍ୟେକଟି କ୍ଷେତ୍ରରେ ସଙ୍ଗୀତର ସ୍ପର୍ଶ ବାରିହୁଏ ଯେମିତି ଉଦାହରଣ ସ୍ୱରୂପ ଜଣେ ପଚାରିଲା (ମଧୁର ସ୍ୱରରେ …) ଖାଇଲଣି? ଆଉଜଣେ (ରୁକ୍ଷ ସ୍ୱରରେ କହିଲା…) ଖାଇଲଣି ? କଥା ଭିତରେ ସଂଗୀତକୁ ବାରିହୋଇଯାଏ। ମଧୁର ସ୍ୱର ହୃଦୟକୁ ଛୁଇଁଯାଏ । ସେଥିରେ ସଙ୍ଗୀତର ଲୟ, ତାଳ ଓ ସ୍ୱରକୁ ଅନୁଭବ କରିହୁଏ । ସବୁବେଳେ କିଛି ନୂଆ ସୃଷ୍ଟିର ସମ୍ଭାବନା ଥାଏ ସଙ୍ଗୀତ ଭିତରେ ।

“ସାମ୍ପ୍ରତିକ ପରିସ୍ଥିତିରେ ସଙ୍ଗୀତ” ବିଷୟଟି ଉପରେ ଚର୍ଚ୍ଚା କଲାବେଳେ ଇତିହାସକୁ ଟିକେ ଫେରିକି ଚାହିଁବା । କୃଷ୍ଣପ୍ରସାଦ ବସୁ (ସଙ୍ଗୀତର ଜଣେ ବଡ ପୂଜାରୀ, ଗବେଷକ) 1934 ମସିହାରେ , ଡଗର ପୃଷ୍ଠାରେ ଓଡ଼ିଶାରେ ସଂଗୀତ ଶୀର୍ଷକରେ ଧାରାବାହିକ ଭାବରେ ଲେଖିଲେ, ମୁଁ ଓଡ଼ିଶାର ଗାଁ ଗାଁ ବୁଲୁଛି କେଉଁଠିବି ସଂଗୀତ ପାଉନାହିଁ । 100 ବର୍ଷ ତଳେ ଓଡ଼ିଶାର ଗାଁ ଗହଳିରେ ଯେଉଁ ଅବସ୍ଥା ସଙ୍ଗୀତର ଥିଲା ଆଜି ହୁଏତ ସେଭଳି ଅବସ୍ଥା ନାହିଁ, 1990 ଦଶକ  ପରେ ବିଶେଷକରି ଟିଭି ଓ ଡିଜିଟାଲ ମେଡିଆର ଅଭୂତପୂର୍ବ ଅଭ୍ୟୁଦୟ ପରେ ସଂଗୀତ କ୍ଷେତ୍ରଟିରେ ଯେଉଁ ଆକାଶ ଛୁଆଁ ପରିବର୍ତ୍ତନ ଆସିଛି ସେଥିରୁ ଓଡିଶା ମଧ୍ୟ ବାଦ ଯାଇନାହିଁ । ଏକ ବିରାଟ ପରିବର୍ତ୍ତନ ଆସିଛି ସଙ୍ଗୀତ କ୍ଷେତ୍ରରେ। କିନ୍ତୁ ଏହାର ଆଉ ଗୋଟିଏ ଦିଗକୁ ଦେଖିଲେ ଗଣମାଧ୍ୟମ, ଇଲେକ୍ଟ୍ରୋନିକ ଯନ୍ତ୍ରପାତିର ଏତେ ପ୍ରସାର ପରେ ବି ଗାଁରେ ସଙ୍ଗୀତର ଚର୍ଚ୍ଚାରେ କିଛି ପରିବର୍ତ୍ତନ ହୋଇପାରିନାହିଁ । ଯେତେବେଳେ ସାମଗ୍ରିକ ସମାଜକୁ ଆମେ ଦେଖୁଛୁ ମନରେ ପ୍ରଶ୍ନ ଆସୁଛି ଯେ, କାହିଁକି ଓଡ଼ିଶାରେ ଘରେ ଘରେ, ଗାଁ ଗାଁରେ ସଂଗୀତ ଚର୍ଚ୍ଚା ନାହିଁ ? ଆମେ ପଡୋଶୀ ରାଜ୍ୟ ବଙ୍ଗଳାକୁ ଦେଖି କହୁଛୁ ଯେ ବଙ୍ଗଳାରେ ଘରେ ଘରେ ସଂଗୀତ ଚର୍ଚ୍ଚା ହେଉଛି। କାହିଁକି ଓଡ଼ିଶାରେ ସେମିତି ପରିବେଶଟିଏ ସୃଷ୍ଟି ହୋଇପାରୁନାହିଁ ?

ଓଡିଶା ଗୋଟିଏ ଅତ୍ୟନ୍ତ ଗରିବ ରାଜ୍ୟ । ଯେଉଁ ରାଜ୍ୟର ଲୋକେ ପେଟରେ ଦୁଇ ବେଳା ଖାଇବାକୁ ପେଟପୁରା ଦାନା ନାହିଁ ସେ ରାଜ୍ୟବାସୀ ସଙ୍ଗୀତର ଚର୍ଚ୍ଚା କେମିତି କରିବେ ? ଯେତେବେଳେ କୃଷ୍ଣ ପ୍ରସାଦ ବସୁ ଓଡ଼ିଶାର ଗାଁ ଗାଁ ବୁଲୁଥିଲେ ସେତେବେଳେ ରାଜ୍ୟରେ ଅନାହାର ଥିଲା । ପ୍ରାକୃତିକ ଦୁର୍ବିପାକରେ ଲୋକେ ହନ୍ତସନ୍ତ ହେଉଥିଲେ । ଯେଉଁମାନେ ଉତ୍କଳ ସଂଗୀତ ମହାବିଦ୍ୟାଳୟ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ସହିତ ସମ୍ପୃକ୍ତ ସେମାନେ ଜାଣିଥିବେ ଆଜିବି ଅଧିକାଂଶ ପିଲା ଯେଉଁମାନେ ସଂଗୀତ ଶିକ୍ଷା କରିବାକୁ ଆସୁଛନ୍ତି ସେମାନଙ୍କ ଆର୍ଥିକ ପରିସ୍ଥିତି କେଉଁଭଳି? ପାଞ୍ଚବର୍ଷର ଶିକ୍ଷା ଭିତରେ ସେମାନେ ହାର୍ମୋନିଅମ କିଣିବାକୁ ବି ଅନେକ ସମୟରେ ଅକ୍ଷମ । ଅତି ଗରିବ ଘରର ପିଲା ସଂଗୀତ ଶିକ୍ଷା କରିବାକୁ ଆସୁଛନ୍ତି ଓଡ଼ିଶାରେ।

ଏଭଳି ପରିସ୍ଥିତିକୁ କେମିତି ସୁଧାରି ହେବ ? ଗୋଟିଏ ପଦରେ କହିଲେ ସଂଗୀତ କ୍ଷେତ୍ରକୁ ଆସୁଥିବା ପିଲାମାନଙ୍କର ଭବିଷ୍ୟତକୁ ଯଦି ସୁରକ୍ଷିତ କରାଯାଇପାରନ୍ତା ବା ସେମିତି କିଛି ଉଦ୍ୟମ ନିଆଯାଆନ୍ତା ହୁଏତ ପରିସ୍ଥିତିର କିଛି ପରିବର୍ତ୍ତନ ଆସିପାରନ୍ତା । ଉଦାହରଣ ସ୍ୱରୂପ ଗୋଟିଏ ପିଲାକୁ କୁହାଗଲା ଯେ ତୁମେ ସଙ୍ଗୀତ ସାଧନା କର ତୁମର ସମସ୍ତ ଦାୟିତ୍ୱ ସରକାର ବହନ କରିବେ।  ଗାଁ ଗାଁରୁ ପିଲାମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଓଡ଼ିଶାର ଗୁଣି କଳାକାର ଭାବରେ ତିଆରି କରାଇବାର ଦାୟିତ୍ୱ ନିଜେ ସରକାର ଗ୍ରହଣ କରିବେ ଓ ପିଲାମାନେ ସାଧନା କରି ପ୍ରତିଷ୍ଠିତ ହେବାକୁ ପ୍ରୟାସ କରିବେ, ଏଭଳି ପରିସ୍ଥିତିରେ ଶିକ୍ଷାର୍ଥୀମାନେ ସାଧନାରେ ବ୍ରତୀ ହୋଇ ରାଜ୍ୟର ସଂସ୍କୃତିକୁ ଆଗେଇ ନେବାକୁ ଅଣ୍ଟା ଭିଡ଼ନ୍ତେ ନିଶ୍ଚୟ । ସଂଗୀତ ଗୋଟିଏ ଅତ୍ୟନ୍ତ କଷ୍ଟ ଓ ସାଧନାର ଜିନିଷ । ଏହି ସାଧନାକୁ ଭୋକରେ ଥିବା, ଗରିବୀରେ ଥିବା ପିଲାମାନେ କେମିତି ଠିକ ଭାବରେ କରିପାରିବେ ? ସେଥିପାଇଁ ସଂଗୀତ ବିଦ୍ୟାଳୟରେ ନାମ ଲେଖେଇବା ପରଠାରୁ କେଉଁଠି ଟ୍ୟୁସନ କି କେଉଁଠି ପ୍ରୋଗ୍ରାମ କରି ପେଟ ପୋଷିବାକୁ ଚେଷ୍ଟା କରୁଛନ୍ତି ଯୁବ କଳାକାରମାନେ । ସେଥିରେ ସେମାନଙ୍କର କିଛି ଭୁଲ ନାହିଁ । ଏତେ ଖରାପ ପରିସ୍ଥିତି ଭିତରେ ବି ସେମାନେ ସଙ୍ଗୀତକୁ ଛାଡ଼ିନାହାନ୍ତି । ଯଦି ତାଙ୍କୁ ପ୍ରୋତ୍ସାହନ ଦିଆଯାଏ ସେ ଯାଇ ସାଧନାରେ ଏକାଗ୍ର ଭାବରେ ମନ ଲଗାଇ ପାରିବେ।

ମନରେ ପ୍ରଶ୍ନ ଆସେ ଜଣେ ସଂଗୀତ କାହିଁକି ସାଧନା କରିବ ? ଶେଷରେ ସେ କଣ ପାଇବ? ଯଦି ଆମ ଘରର ମୁଖିଆ ପରିବାରର ଜଣେ ଉପବାସ ଅଛି ସେଥିପ୍ରତି ଧ୍ୟାନ ଦେଲେନି ତେବେ ସେ ପରିବାର ଏକାଠି ଚାଲିବ କେମିତି? ରାଜ୍ୟକୁ ଯଦି ଉଦାହରଣ ଭାବରେ ନିଆଯାଏ ରାଜ୍ୟ ସରକାର ସଙ୍ଗୀତ କରୁଥିବା ପିଲାମାନଙ୍କ ସମସ୍ୟାକୁ ଦୂରକରି ସେମାନଙ୍କୁ କେମିତି ପ୍ରତିଷ୍ଠିତ କରିବେ କିଛି ବାଟ ବାହାର କରନ୍ତେ ତେବେ ପିଲାମାନେ ସାଧନାରେ ମନ ଦେଇପାରନ୍ତେ । ଯେଉଁମାନେ ସଂଗୀତ କରିବେ ସେମାନେ ଜାଣିଥିବେ ଯେ ସେମାନେ ଶେଷରେ ନିଶ୍ଚୟ କିଛି କାମ ପାଇଯିବେ । ସେଭଳି ସୁରକ୍ଷାର ଭାବ ନ ଆସିବାଯାଏ କେହିବି ସ୍ଥିର ଭାବରେ ସାଧନା କରିପାରିବ ନାହିଁ । ସତ୍ୟକୁ ଗ୍ରହଣ କରିବାକୁ ହେବ । ଯାହାର ଛବି ଆମ ସମାଜରେ ଆଜି ଦେଖିବାକୁ ମିଳୁଛି । ସାଧନାରେ ବ୍ରତୀ ହୋଇ ସଙ୍ଗୀତକୁ ଆଗେଇନେବାର ଦୃଷ୍ଟାନ୍ତ ଓଡ଼ିଶାରେ ହାତଗଣତି ଗୁରୁମାନଙ୍କ ନିକଟରେ ଦେଖିବାକୁ ମିଳେ ଶିଷ୍ୟମାନଙ୍କ କଥା ନକହିଲେ ଭଲ । ଆଜିର ସମୟରେ ସାଧନା ଏକ ସ୍ଵପ୍ନ ଓ ବିଳାଶ ବୋଲି ପିଲାମାନେ ମନେକରନ୍ତି । ସଂଗୀତ ଶିକ୍ଷାକଲେ କିଛି ରୋଜଗାରର ପନ୍ଥା ସମସ୍ତଙ୍କପାଇଁ ମିଳିଯାଏ । କିଏ କାହିଁକି ସବୁ ସମୟ ଦେଇ ଦିନକୁ 5-7 ଘଣ୍ଟା ସଙ୍ଗୀତର ସାଧନାରେ ବିନିଯୋଗ କରିବ। କିନ୍ତୁ ଏକାନ୍ତ ସାଧନା ବିନା ସ୍ୱରକୁ ଆୟତ୍ତ କରିବା ଯେ ଅସମ୍ଭବ ?

ଆମ ସ୍କୁଲ କଲେଜରେ ସଂଗୀତ ଶିକ୍ଷାର ଅବସ୍ଥା କଣ ଅଛି ଯଦି ଆମେ ଜାଣିବାପାଇଁ ପ୍ରୟାସ କରିବା ତେବେ ନିଶ୍ଚୟ ନିରାଶ ହେବା । ରାଜଧାନୀର ଗୋଟିଏ ଦୁଇଟି କଲେଜରେ କିମ୍ବା ରାଜ୍ୟର କେତୋଟି ସ୍କୁଲରେ ସଙ୍ଗୀତ ବିଭାଗରେ ଜଣେ ଦୁଇଜଣ ଶିକ୍ଷକ ଅଛନ୍ତି । ସ୍କୁଲ ମାନଙ୍କରେ ଏହି ପଦଟି ଧୀରେ ଧୀରେ ଉଠିଗଲାଣି । ଗାଁକୁ ଗଲେ ଦେଖିବେ କୌଣସି ସ୍କୁଲରେ ସଙ୍ଗୀତ ଶିକ୍ଷକ ନାହାନ୍ତି (କିଛି ପ୍ରାଥମିକ ବିଦ୍ୟାଳୟରେ ଜଣେ ଲେଖାଏଁ ପାର୍ଟଟାଇମ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି) । ଏତେ ପିଲା ସଂଗୀତରେ ଉଚ୍ଚ ଶିକ୍ଷା ଶେଷକରି ଗାଁକୁ ଫେରୁଛନ୍ତି ସେମାନେ କଣ କରିବେ ? ସେମାନଙ୍କ ପାଇଁ କାମ ନାହିଁ କି ଗାଁ ସ୍କୁଲରେ ସଙ୍ଗୀତ ଶିକ୍ଷକ ନାହାନ୍ତି । ଏକଥା ସରକାରଙ୍କ ନଜରକୁ କାହିଁକି ଆସୁନାହିଁ ? ଗାଁର ପିଲାମାନେ ସଂଗୀତ ଶିକ୍ଷାରୁ ପୁରାପୁରି ବଂଚିତ କାହିଁକି? ରାଜ୍ୟରେ କାହିଁକି ସଙ୍ଗୀତ ଚର୍ଚ୍ଚା ନାହିଁ ବୋଲି ପ୍ରଶ୍ନ କରୁଥିବା ସଂସ୍କୃତି ପ୍ରେମୀ ଲୋକମାନେ ଏହି ପ୍ରସଙ୍ଗଟିକୁ କାହିଁକି ଉତ୍ଥାପନ କରୁନାହାନ୍ତି ?

ସବୁବେଳେ ଗୋଟିଏ କଥା କୁହାଯାଉଛି ଯେ ସରକାରଙ୍କର ପାଣ୍ଠି ନାହିଁ । ସ୍କୁଲରେ ସବୁ ବିଷୟ ପାଇଁ ଶିକ୍ଷକ ରହୁଛନ୍ତି ସଂଗୀତ ବେଳକୁ ଏହାକୁ ଆମେ ଏତେ ଅଦରକାରୀ କାହିଁକି ଭାବୁଛନ୍ତି ?  ଆମେ ଭାବନ୍ତି ଯେ ସବୁ ପିଲାଙ୍କୁ କାହିଁକି ସଂଗୀତ ଶିକ୍ଷା ଦେବା ସେମାନେ କଣ ଗାୟକ ହେବେ ? ସବୁପିଲା ସଂଗୀତ ଶିକ୍ଷା କଲେ କଳାକାର ନହୋଇପାରନ୍ତି କିନ୍ତୁ ସମାଜକୁ ଶୃଙ୍ଖଳିତ କରିବାରେ ଏହା ସହଯୋଗ କରିବ । ଆମ ସମାଜରେ ପ୍ରକୃତରେ ଯଦି ସାଂସ୍କୃତିକ ବାତାବରଣ ସୃଷ୍ଟି କରିବାକୁ ଆମେ ଚାହୁଁଛନ୍ତି ପ୍ରତ୍ୟେକ ପିଲା ସ୍କୁଲ ସ୍ତରରେ ସଂଗୀତ ଶିକ୍ଷା କରିବା ଜରୁରୀ  । ସବୁ ପିଲା ଗାୟକ କିମ୍ବା ବାଦକ ହେବେନି କିନ୍ତୁ ସେ ଭିତରୁ କିଏ ସଂଗୀତ ସମାଲୋଚକ ହେବ,  କିଏ  ଶ୍ରୋତା ହେବ, କିଏ ସାଧନାରେ ବ୍ରତୀ ହେବ ।

ପ୍ରକୃତରେ ଓଡ଼ିଶାରେ ଯେତିକିବି ସଂଗୀତ ଅଛି କ’ଣ ସେଥିରେ ଅଭାବ ରହିଛି ? ସବୁଠାରୁ ଅଧିକ ଶ୍ରୋତାଙ୍କର ଅଭାବ ରହିଛି  । କାନକୁ ତିଆରି କରିବା ଓ ସଂଗୀତ ଶୁଣିଲେ ଏହା ସମ୍ପର୍କରେ ଚର୍ଚ୍ଚା କରିବା ଓଡ଼ିଶାରେ କମ ଦେଖାଯାଏ  ।  ଯଦି ସ୍କୁଲ ସ୍ଥରରୁ ପିଲାମାନେ ସଂଗୀତ ଶିକ୍ଷା କରିବେ ତେବେ ବଡ ହେଲେ ସେମାନେ ଜଣେ ଜଣେ ଭଲ ଶ୍ରୋତା ନିଶ୍ଚୟ ହେବେ ଓ ଯେଉଁମାନେ ଘରେ ଘରେ ସଂଗୀତକୁ ନେଇ ଚର୍ଚ୍ଚା କରିବେ  ।

ଅନ୍ୟପଟେ ଆଉଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେଉଁମାନେ ସଂଗୀତ ଶିକ୍ଷା କରୁଛନ୍ତି ସେମାନେ ରାତାରାତି କଳାକାର ହେବାପାଇଁ ଚାହୁଁଛନ୍ତି  ।  ଆମେ ଯେତେବେଳେ ପାଠ ପଢ଼ୁଛୁ କେତେ ବର୍ଷପରେ ଆମେ ଗୋଟିଏ ଧାଡି ଲେଖିପାରୁଛୁ ? କିଛି କାମ ପାଇବା ପାଇଁ ଆମକୁ କେତେ ପାଠ ପଢିବାକୁ ପଡୁଛି ? ଠିକ ସେମିତି ଯେଉଁମାନେ ସଂଗୀତ ଶିକ୍ଷା କରିବେ ସେମାନଙ୍କୁ କିଛି ବର୍ଷ ନିରବଛିର୍ଣ୍ଣ ସଧାନା କରିବାକୁ ହେବ  ।  ସେହି ସାଧନାରେ ସହଯୋଗ କରିବେ ସରକାର, ତାପରେ ଯାଇ ସେମାନେ କଳାକାର ହୋଇପାରିବେ ।

ଓଡ଼ିଶାରେ ଥିବା ସଙ୍ଗୀତଜ୍ଞ ମାନଙ୍କ ବିଷୟରେ ଚର୍ଚ୍ଚା କଲାବେଳେ ଆମେ କିଛି ସଫଳ କଳାକାରଙ୍କୁ ବାଛିବା ଯେଉଁମାନେ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ଗ୍ରହଣୀୟ ହୋଇଥିବେ  । ଧରନ୍ତୁ ବିଦୁଷୀ ସୁନନ୍ଦା ପଟନାୟକଙ୍କୁ ଆମେ ଉଦାହରଣ ଭାବରେ ନେବା । ସେତ ଆମ ଗହଣରେ ନାହାନ୍ତି କିନ୍ତୁ ସେମିତି ଉଚତାକୁ ଓଡ଼ିଶାର ଯେଉଁ କଳାକାରମାନେ ଛୁଇଁଛନ୍ତି ସେମାନଙ୍କୁ ଆମର ପ୍ରତିନିଧି ଭାବରେ ଓଡିଶାକୁ ରିପ୍ରେଜେଣ୍ଟ କରିବାପାଇଁ ଆମେ ବାଛିବା ଦରକାର । ଯେଉଁମାନଙ୍କର ପରିଚୟ ଓଡିଶା ସହିତ ଯୋଡି ହୋଇଥିବ ।  ଯାହାଙ୍କୁ ଶୁଣିବାପାଇଁ ଲୋକ ଅପେକ୍ଷା କରୁଥିବେ ।

ଧରାଯାଉ ଆମେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଗୁରୁ ପଣ୍ଡିତ ଦାମୋଦର ହୋତା, ତବଲାର ଗୁରୁ ପଣ୍ଡିତ ହରମୋହନ ଖୁଣ୍ଟିଆ, ବେହେଲା ବାଦକ ପଣ୍ଡିତ କୈଳାଶ ପାତ୍ରଙ୍କ ଭଳି ଗୁରୁ, କଳାକାରମାନଙ୍କୁ ଓଡ଼ିଶାର କଳାକାର ମାନଙ୍କର ନେତୃତ୍ୱ ନେବାପାଇଁ ଆଗ୍ରହ ପ୍ରକାଶ କରିବା, ତେବେ ଆମେ ସେମାନଙ୍କୁ ଉତ୍କଳ ସଂଗୀତ ମହାବିଦ୍ୟାଳୟ କି ସଂସ୍କୃତି ବିଶ୍ୱବିଦ୍ୟାଳୟର ପିଲାମାନଙ୍କୁ ଶିକ୍ଷା ଦେବାପାଇଁ ଡାକିବା ।  ସେ ଜୀବନରେ ଏତେ ଶିଖରକୁ ଚଢ଼ିଛନ୍ତି ତାଙ୍କୁ ପିଲାମାନେ ନିଶ୍ଚୟ ଶୁଣିବେ । ଓଡିଶୀ ଗବେଷଣା କେନ୍ଦ୍ରରେ କିଛିଦିନ ତଳେ ପଣ୍ଡିତ କୈଳାଶ ପାତ୍ର ଏକ କାର୍ଯ୍ୟକ୍ରମରେ ବଜାଉଥିବାବେଳେ ଶୁଣିବାକୁ ସୁଯୋଗ ମିଳିଥିଲା। ତାଙ୍କର ବଜାଇବା ଶୁଣିବାପରେ ମନ୍ତ୍ରମୁଗ୍ଧ ଲାଗୁଥିଲା  । କେବଳ ବଜାଇବା କାହିଁକି ସେ ଯେମିତି ଓଡିଶୀ ଗାଇଥିଲେ ସେଥିରେ ସନ୍ଦେହ ହେଲା ସେ ପ୍ରକୃତରେ କ’ଣ ଗାୟକ ନା ବାଦକ ?  ଧରାଯାଉ ସେ ଆମ ଶିକ୍ଷାର୍ଥୀ ମାନଙ୍କୁ କିଛି ଶିକ୍ଷା ଦେଲେ ଓ ପିଲାମାନେ ସେସବୁକୁ ମନଦେଇ ଗ୍ରହଣ କଲେ ତେବେ ଶିକ୍ଷା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ନିଶ୍ଚୟ ବାରିହେବ  । ପିଲାମାନେ ଉପକୃତ ମଧ୍ୟ ହେବେ।

ଅନ୍ୟପଟେ ଓଡ଼ିଶାରେ ସଙ୍ଗୀତଜ୍ଞ ମାନଙ୍କ ବିଷୟରେ ଚର୍ଚ୍ଚା କଲାବେଳେ ଆମେ ଦେଖିବା ଗାଁ ଗାଁ ରେ ଯେଉଁ କଳାକାରମାନେ ଚାପିହୋଇ ରହିଯାଇଛନ୍ତି  ଓ ତାଙ୍କ ପାଖରେ ଓଡ଼ିଶାର ସଙ୍ଗୀତର କିଛି ପୁରୁଣା ଜିନିଷ ରହିଛି  । ସେହି ଗୁରୁ ଓ ସଙ୍ଗୀତଜ୍ଞ ମାନଙ୍କୁ ଆମେ ସମ୍ମାନ ଦେବା ଓ ଆଗକୁ ଆଣିବା ଦରକାର  । ସେହି କଳାକାରମାନଙ୍କୁ ପ୍ରୋତ୍ସାହନ ଦେଇ ଓ ସମ୍ମାନ ଦେଇ ଆଗକୁ ଆଣିଲେ ଓଡ଼ିଶାର ସଙ୍ଗୀତର ପରିବେଶଟି ବ୍ୟାପକ ହେବ  । ଗୋଟିଏ ଅଂଚଳର ବାଦ୍ୟ ସମ୍ପର୍କରେ ସୂଚନା ଦେବି ଗଣ୍ଡାବଜା; ପଶ୍ଚିମ ଓଡ଼ିଶାର ଏହି ବଜାକୁ ଆଦି ବାଦ୍ୟ ବୋଲି କୁହାଯାଏ  । ମୁଁ ନିଜେ ଏହି ବାଦ୍ୟ ଶୁଣିଛି  । ଏହି ବାଦ୍ୟ ଏକ ନିର୍ଦ୍ଦିଷ୍ଟ ଧାରାରେ ଓଡ଼ିଶାର 7-8 ଟି ଜିଲ୍ଲାରେ ବାଜୁଛି  ।  ଏହି ଵାଦ୍ୟକୁ ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକ ଯେଉଁମାନଙ୍କ ସଂଖ୍ୟା ଲକ୍ଷାଧିକ ପ୍ରତ୍ୟେକ ଦିନ ଅଭ୍ୟାସ କରୁଛନ୍ତି କିନ୍ତୁ ଏହି ବାଦ୍ୟକୁ ଲୋକବାଦ୍ୟର ମାନ୍ୟତା ବି ରାଜ୍ୟ ସରକାର ଦେଇନାହାନ୍ତି  । ନିଶ୍ଚିତ ଭାବରେ ଏହା ଅନ୍ୟାୟ  । ଏହି ବଜାର ମୂଳ ଗୁରୁମାନେ ଲୋପ ପାଇ ପାଇ ଯାଉଛନ୍ତି  ।  ସେ ବଜା ସମ୍ପର୍କରେ ରାଜ୍ୟବାସୀ ଜାଣିବା ପୂର୍ବରୁ ତାହା ଲୋପ ପାଇବାକୁ ବସିଛି  । କାହାର ଦାୟିତ୍ୱ ଏହି ଆଦି ବାଦ୍ୟକୁ ସୁରକ୍ଷିତ କରିବାର? ଏହିଭଳି ଅନେକ ଜନଜାତିଙ୍କ ନିକଟରେ ଅନେକ ବାଦ୍ୟ ସଂଗୀତ ଲୁଚି ରହିଛି ସେମାନଙ୍କୁ ମୁଖ୍ୟ ସ୍ରୋତର ସଂଗୀତ ସହିତ ଯୋଡିବାର ଦାୟିତ୍ୱ କାହାର ?

କେତୋଟି ପ୍ରସ୍ତାବ

– ଯେଉଁ ଯୁବକମାନେ ରାଜ୍ୟରେ ସାଧନା କରି ଆଗକୁ ଯାଉଛନ୍ତି ସେମାନଙ୍କପାଇଁ ଷ୍ଟେଜ କାହିଁ? କେଉଁଠି ସେମାନେ ଗାଇବେ ଓ ବଜେଇବେ? ଯୁବ କଳାକାର ମାନଙ୍କ ପାଇଁ ପ୍ରଚୁର କ୍ଷେତ୍ର ପ୍ରସ୍ତୁତ କରାଯିବା ଆବଶ୍ୟକ  । ଯେଉଁମାନେ ବହୁତ ଭଲ କଳାକାର ସେମାନଙ୍କୁ ସ୍ୱତନ୍ତ୍ର ଶିକ୍ଷା ଦେଇ ଆଗକୁ ନେବାପାଇଁ ପ୍ରୟାସ କରାଯିବା ଦରକାର  । ଧରାଯାଉ କିଛି ଗୁରୁ ଓ କିଛି ଛାତ୍ରଙ୍କୁ ସେମାନଙ୍କ ସହିତ ଯୋଡ଼ିଦେଇ ସେ ପିଲାମାନଙ୍କର ଶିକ୍ଷାର ଦାୟିତ୍ୱ ଗୁରୁ ମାନଙ୍କୁ ଦେଲେ ଓ ଗୁରୁ ଶିଷ୍ୟ ଉଭୟଙ୍କ ଦାୟିତ୍ୱ ସରକାର ନେଲେ । ସେତେବେଳେ ଯାଇ ନୂଆ ପିଢ଼ି ବାହାରିବେ ସଂଗୀତ ଚର୍ଚ୍ଚା କରିବାପାଇଁ ।

— ଓଡିଶାକୁ ବିଭିର୍ଣ୍ଣ ସମୟରେ ଯେଉଁ କଳାକାରମାନେ ଆସୁଛନ୍ତି ସେମାନଙ୍କୁ କାହିଁକି ଆମେ କହିବାନି ଯେ ଆପଣ ଓଡ଼ିଶାର କିଛି ଗୀତ ଗାଆନ୍ତୁ ଯେମିତି ଛାନ୍ଦ , ଚମ୍ପୁ, ଓଡିଶୀ  ।  ସେମାନେ ଗାଇଲେ ଯାଇ ଓଡ଼ିଶୀର ଗୁଣ ବୁଝିବେ  ।  ଆମେ ଯଦି ଚଇତି, କାଜରୀ, ଗଜଲ ଗାଇବା ସେମାନେ ଆମ ଗୀତ କାହିଁକି ଗାଇବେ ନାହିଁ ?

– ଓଡ଼ିଶାରେ ଗୋଟିଏ ଓଡିଶୀ ଗବେଷଣା କେନ୍ଦ୍ର ରହିଛି … ଏତେବଡ ରାଜ୍ୟ ପାଇଁ କଣ ଗୋଟିଏ ଗବେଷଣା କେନ୍ଦ୍ର ଯଥେଷ୍ଟ? ଅତି କମରେ 4ଟି ଓଡିଶୀ ଗବେଷଣା କେନ୍ଦ୍ର 4ଟି ଜୋନ ରେ ପ୍ରତିଷ୍ଠା କରାଯାଉ ଓ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ସଂଗୀତ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଉ  ।

—  ଓଡିଶାରୁ କେଉଁ ଗାୟକ ବାଦ୍ୟକାରମାନେ ସର୍ବଭାରତୀୟ ମଞ୍ଚରେ ବଜେଇବେ ଓ ଗାଇବେ ସେମାନଙ୍କୁ ସେହି ଅନୁସାରେ ପ୍ରସ୍ତୁତ କରିବାପାଇଁ ସରକାର ସହଯୋଗ କରନ୍ତୁ  ।  ସମୟ ନିଶ୍ଚୟ ଲାଗିବ କିନ୍ତୁ ଏବେଠାରୁ ପ୍ରସ୍ତୁତ କଲେ ଦିନେ ଷ୍ଟେଜ ଉପରେ  ଆମେ ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ କଳାକାର ମାନଙ୍କୁ ଟକ୍କର ଦେଇ ପାରିବା । ସେଭଳି ଉଦେଶ୍ୟ ରଖି ଅଭ୍ୟାସ ନକଲେ ଆମ ଦୃଷ୍ଟିଭଙ୍ଗୀ ପ୍ରସାରିତ ହେବ ନାହିଁ ।

(11 ଜୁଲାଇ 2021 ‘ନାଦ ଭେଦ ମ୍ୟୁଜିକ’ ଦ୍ୱାରା ଆୟୋଜିତ ଆଭାଷି ଆଲୋଚନାଚକ୍ରରେ ଉପସ୍ଥାପନ କରାଯାଇଥିବା ଆଲେଖ୍ୟ)

About ସ୍ୱୟଂପ୍ରଭା ପାଢ଼ୀ

ସ୍ୱୟଂପ୍ରଭା ପାଢ଼ୀ
ସ୍ଵୟଂପ୍ରଭା ପାଢ଼ୀ ଜଣେ ଗାୟିକା ଓ ମୁକ୍ତ ବୃତ୍ତିର ସାମ୍ବାଦିକ ଅଟନ୍ତି । ସେ ସମଧ୍ୱନି ପତ୍ରିକାର ସମ୍ପାଦକ , ସମଧ୍ୱନି ସାଂସ୍କୃତିକ ସଂଗଠନ (୨୦୦୫ ମସିହାରୁ ଓଡ଼ିଶାରେ କାମକରୁଛି) ଓ ସମଧ୍ୱନି ସାଂସ୍କୃତିକ ଗବେଷଣକେନ୍ଦ୍ରର ମୁଖ୍ୟ। ସମଗ୍ର ଓଡିଶାରେ ସାଂସ୍କୃତିକ ବାତାବରଣ ତିଆରି କରିବା ଓ ସାଧାରଣ ଲୋକମାନଙ୍କ ସ୍ୱରକୁ ସାଂସ୍କୃତିକ ମାଧ୍ୟମରେ ତୋଳିଧରିବା ପାଇଁ ସେ କାମ କରିଚାଲିଛନ୍ତି।

Check Also

ନିମାଇଁଚରଣ ହରିଚନ୍ଦନଙ୍କ ଦ୍ୱାରା ବାରିପଦା ସାହିତ୍ୟ ସମାଜରେ ଦିଆଯାଇଥିବା ଉଦବୋଧନର କିଛି ଅଂଶ

ବାରିପଦା ସାହିତ୍ୟ ସମାଜର ମାନନୀୟ ସଭାପତି ଓ ସହୃଦୟ ସୁଧିବୃନ୍ଦ, ସଙ୍ଗୀତ ସମ୍ବନ୍ଧୀୟ ଗୋଟିଏ ସଂକ୍ଷିପ୍ତ ପ୍ରବନ୍ଧ ଓ ଓଡ଼ିଆ …

Leave a Reply

Your email address will not be published. Required fields are marked *