Home / ସଙ୍ଗୀତ / ଲୋକଗୀତ / ‘ବାଦ୍ୟ’ ପାଇଁ ସମର୍ପିତ କଳାକାର ଯୁଧିଷ୍ଠିର ସାଗର (କୁତୁରୁ)

‘ବାଦ୍ୟ’ ପାଇଁ ସମର୍ପିତ କଳାକାର ଯୁଧିଷ୍ଠିର ସାଗର (କୁତୁରୁ)

“ଲୋକେ ଯେନ୍ ତାରିଫ କରସନ କୁତୁରୁ ଖୋଲ ଭଲ ବାଜସି ବୋଲି ସେଟା ହିଁ ମୋର ଲାଗି ଅସଲ ଆଶୀର୍ବାଦ ଆଏ । ସେଟା ହିଁ ମୋର ଲାଗି ଅସଲ ସ୍ୱୀକୃତି ଆଏ । ଲୋକମାନେ ଏତେ ଏତେ ଦୂରୁ ୪ମାସ ପାଖକେ ବାଦ୍ୟ ଘିନି ଆସୁଛନ୍ ସେଟା ମୋର ଲାଗି ସାର୍ଟିଫିକେଟ ଆଏ । ସେଟା ହିଁ ମତେ ଆତ୍ମସନ୍ତୋଷ ଦେସି । ଇ ଜଗତ ଥିବାର ତକ୍ ଇ ଲୋକବାଦ୍ୟ, ଲୋକଗୀତ, ଲୋକ ସଂସ୍କୃତି କେଭେ ନାଇଁ ମରେ, ଆରୁ ଇ ବାଦ୍ୟ ବନାବାର ପରମ୍ପରା ଭି କେଭେ ନାଇଁ ମରେ” ବୋଲି ଗର୍ବର ସହିତ କୁହନ୍ତି କୁତୁରୁ। ପଶ୍ଚିମ ଓଡ଼ିଶାରେ ଗଁଡାବଜା ତିଆରି କରୁଥିବା ଏମିତି ଅନେକ କାରିଗର ଓ କଳାକାର ମାନଙ୍କୁ ଆମେ ପାଇବା ଯେଉଁମାନେ ପାରମ୍ପରିକ ଭାବରେ ବାଦ୍ୟ ତିଆରି କରିଆସୁଛନ୍ତି କିନ୍ତୁ ସେମାନଙ୍କୁ ଆମ ବ୍ୟବସ୍ଥାରେ କାରିଗର ଭାବରେ ଗ୍ରହଣ କରାଯାଇ ନାହିଁ । ପିଢ଼ି ପରେ ପିଢ଼ି ଏମାନେ ବାଦ୍ୟ ତିଆରି କରିଚାଲିଛନ୍ତି ଓ ଏମାନଙ୍କ ବାଦ୍ୟର ସମଗ୍ର ଦେଶ ଓ ବିଦେଶରେ ଚାହିଦା ଅଛି କିନ୍ତୁ ଏମାନେ ଆମ ସରକାରୀ ଖାତାପତ୍ରରେ କାରିଗର ହୋଇନପାରିବାରୁ ସବୁଦିନେ ସମସ୍ୟା ଭିତରେ ଦିନ କାଟୁଛନ୍ତି ଓ ସେହି ଜୀବନକୁ ସେମାନେ ଭାଗ୍ୟ ଭାବରେ ଗ୍ରହଣ କରିନେଇଛନ୍ତି । ସେମାନଙ୍କ ପ୍ରତି ଏହି ଅବିଚାରର ଅନ୍ତଃ କେବେ ହେବ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।   -ସମ୍ପାଦକ

ଜୀବଜଗତ ସୃଷ୍ଟି ହେବାଠାରୁ, କେଉଁ ଆବାହମାନ କାଳରୁ ମଣିଷ ନିଜକୁ ଶାନ୍ତି ଦେବାପାଇଁ ସଙ୍ଗୀତର ପରିକଳ୍ପନା କଲା । ତାହା ପ୍ରକୃତି ଠାରୁ ଅନୁକରଣକରି । ପ୍ରକୃତିର ବିଭିନ୍ନ ଉପାଦାନରୁ ‘ସ୍ୱର’ ଜାଣିପାରିଲା । ତାକୁ ପାଥେୟ କରି ବିଭିନ୍ନ ବାଦ୍ୟଯନ୍ତ୍ର ତିଆରି କଲା । ବାଦ୍ୟଯନ୍ତ୍ର ବିନା ସଙ୍ଗୀତର ପରିକଳ୍ପନା କରାଯାଇପାରେନା । ଖାଲି ଗୀତ ଅପେକ୍ଷା ତା’ସହିତ ‘ବାଦ୍ୟଯନ୍ତ୍ର’ ମିଶିଗଲେ ଗୀତର ମାଧୁର୍ଯ୍ୟ ଆଉଟିକେ ବଢ଼ିଯାଏ । ଯେମିତି ଗୀତକୁ ସେମିତି ବାଦ୍ୟ ନହେଲେ ଗୀତ ଯେତିକି ଶ୍ରୁତିମଧୁର ଲାଗିବା କଥା ସେତିକି ଲାଗିନଥାଏ ।

ମଣିଷ ନିଜ ଅନୁଭବ, ସୃଜନଶୀଳତା ଭିତରୁ କ୍ରମେ କ୍ରମେ ବାଦ୍ୟ ବନାଇବାର କଳା ଶିଖିଲା, ପାରମ୍ପରିକ ବାଦ୍ୟଯନ୍ତ୍ର ବନାଇଚାଲିଲା। ପାରମ୍ପରିକ ଲୋକବାଦ୍ୟ ସାମ୍ପ୍ରତିକ ପରିସ୍ଥିତିରେ କମି କମି ଆସିଲାଣି ଇଲେଟ୍ରୋନିକ୍ସ ବାଦ୍ୟଯନ୍ତ୍ରର ପ୍ରଭାବ ଯୋଗୁଁ। କିନ୍ତୁ ଏବେ ମଧ୍ୟ ତା’ର ଚାହିଦା ରହିଛି । ବିଭିନ୍ନପ୍ରକାର ପାରମ୍ପରିକ ବାଦ୍ୟ ଆଜି ମଧ୍ୟ ତଥାକଥିତ ଅର୍କେଷ୍ଟ୍ରା, ଯାତ୍ରାପାର୍ଟି, ଏପରିକି ଫିଲ୍ମରେ ମଧ୍ୟ ବ୍ୟବହାର କରାଯାଉଛି । ବଲିଉଡ଼ ଫିଲ୍ମରେ ମଧ୍ୟ ବ୍ୟବହାର କରାଯାଇଛି । ପାରମ୍ପରିକ ବାଦ୍ୟଯନ୍ତ୍ରକୁ ନେଇ ଅନେକେ ପରୀକ୍ଷା ନିରୀକ୍ଷା ମଧ୍ୟ କରୁଛନ୍ତି । ଆଜିକାର ଅତ୍ୟାଧୁନିକ ଜଗତରେ ଇଲେକଟ୍ରୋନିକ୍ସ ବାଦ୍ୟଯନ୍ତ୍ରର ବହୁଳ ବ୍ୟବହାର ଚାଲିଛି ସତ କିନ୍ତୁ ପାରମ୍ପରିକ ଲୋକବାଦ୍ୟର ଚାହିଦାକୁ ମଧ୍ୟ ଅଣଦେଖା କରିହେବନି ।

ନିଜର ଲୋକକଳା, ଲୋକ ସଂସ୍କୃତିକୁ ବଞ୍ଚାଇବା ପାଇଁ ଅନେକ ଅହରହ ଉଦ୍ୟମ ଜାରି ରଖିଛନ୍ତି । ଆମେ ବିଭିନ୍ନ ମଞ୍ଚରେ, ଗାଁ’ ମାନଙ୍କରେ ବିଭିନ୍ନପ୍ରକାର ନୃତ୍ୟଗୀତ ଦେଖିଥାଉ । ଏବେ ମଧ୍ୟ ଗାଁ’ମାନଙ୍କରେ କୀର୍ତ୍ତନ୍ୟ ଚାଲୁଛି, ଲୋକଗୀତ, ଲୋକବାଦ୍ୟ ବଞ୍ଚିଛି । ଯାହାପାଇଁ ଗୀତ, ଲୋକଗୀତ, କୀର୍ତ୍ତନ୍ୟ ତଥା ଅନ୍ୟାନ୍ୟ ନୃତ୍ୟଗୀତ ଚାଲୁଛି ସେ ହେଉଛନ୍ତି ପରଦାପଛର ଜଣେ ଜଣେ ନାୟକ । ଯାହାଙ୍କ ପାଇଁ ଗୀତର ମାଧୁର୍ଯ୍ୟ ବଢ଼ୁଛି, ଆମ ମନକୁ ମୋହିନେଉଛି ତାହା ହେଉଛି ବାଦ୍ୟ । ବାଦ୍ୟ ତିଆରି କରୁଥିବା କଳାକାର ଜଣକ ହେଉଛନ୍ତି ପରଦାପଛର ଶ୍ରେଷ୍ଠନାୟକ, ଜଣେ ଶ୍ରେଷ୍ଠ କଳାକାର । ଏମିତି ଜଣେ ନାୟକ, କଳାକାର ଯାହାଙ୍କ ସୃଜନଶୀଳତାର ପରିଚୟ ତାଙ୍କ ନିଜ ବାଦ୍ୟ ମାଧ୍ୟମରେ କେବଳ ନିଜ ପାର୍ଟି ନୁହେଁ, କେବଳ ଓଡ଼ିଶା ନୁହେଁ, ସାରା ଦେଶକୁ ଛୁଇଁପାରିଛି ।

ଆସନ୍ତୁ, ଭେଟ ହେବା ଏମିତି ଜଣେ କଳାକାରଙ୍କ ସହିତ:

ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍ ସଦର ମହକୁମାଠାରୁ ପଦ୍ମପୁର ରାସ୍ତାର କିଛିବାଟ ଗଲେ ବାମ ପଟେ ପଡ଼େ ପହଣ୍ଡି ଗ୍ରାମ । ପହଣ୍ଡି ଗ୍ରାମ ପଦ୍ମପୁର ଉପଖଣ୍ଡରେ । ଯାହାକି ଶୁଖା ଇଲାକା, ମରୁଡ଼ି ପ୍ରପୀଡ଼ିତ ଇଲାକା । କିନ୍ତୁ ମରୁଡ଼ିର ଏଇ ଶୁଖା ଇଲାକାରେ ‘କଳା’ର ଶସ୍ୟ ହସିଉଠୁଛି ବାରମାସରେ । ବାଦ୍ୟ/ ବାଜା ବନାଇବାର କଳା ପାଇଁ  ଏ ‘ଗାଁ’ ଖ୍ୟାତ । ଗାଁ’ର ଖ୍ୟାତି ପାଇଁ ବିଶେଷ ଅବଦାନ ରହିଛି ଗାଁ’ର ଦଳିତ ପରିବାରର । କୀର୍ତ୍ତନ୍ୟ ହେଉ ଅବା ପାଲା ଅବା ପାରମ୍ପରିକ ଲୋକଗୀତ, ଲୋକନାଚ । ସମସ୍ତପ୍ରକାର ବାଦ୍ୟ ତିଆରି ପାଇଁ ହେଉ ଅବା ସଜାମଜା ପାଇଁ ଖୋଜାପଡ଼ନ୍ତି ଗାଁ’ର ତଥା ବିଜେପୁର ଅଞ୍ଚଳର ବାଦ୍ୟ ବନାଇବାର ସମର୍ପିତ କଳାକାର ‘କୁତୁରୁ’ । ସାରା ପଶ୍ଚିମାଞ୍ଚଳରେ ସେ କୁତୁରୁ ନାମରେ ପରିଚିତ । ଯାହାକୁ ସ୍ନେହଁରେ କୀର୍ତ୍ତନ୍ୟପାର୍ଟି, ପାଲାପାର୍ଟି ତଥା କଳାକାର କୁତୁରୁ ବୋଲି ଡାକନ୍ତି ।

କୁତୁରୁଙ୍କ ଅନ୍ୟନାମ ତଥା ବାପା ମା’ ଦେଇଥିବା ନାମ ଯୁଧିଷ୍ଠିର ସାଗର । ଆଠଟି ଭାଇଭଉଣୀ ମଧ୍ୟରୁ ସବା ସାନ ସିଏ । ଛଅଭାଇ, ସମସ୍ତେ ବାଦ୍ୟ ବନାଇବାର କଳା ଶିଖିଥିଲେ ବାପା ଶ୍ରୀ ଟେଙ୍ଗନୁ ସାଗରଙ୍କଠାରୁ । କିନ୍ତୁ ସବାସାନ କୁତୁରୁ (ଯୁଧିଷ୍ଠିର) ବାଦ୍ୟ ବନାଇବାରେ ସିଦ୍ଧହସ୍ତ । ବିଜେପୁର ସରକାରୀ ବିଦ୍ୟାଳୟରୁ ଅଷ୍ଟମ ପାସ କଲାପରେ, ପାଠପଢ଼ାରେ ଡୋରି ବାନ୍ଧିଲେ । ପରେ ବାପା ତିଆରି କରୁଥିବା ବାଦ୍ୟକୁ ନିରୀକ୍ଷଣ କରି/ ଦେଖି ବାପା ତିଆରି କରୁଥିବା ସମୟରେ ପାଖେ ପାଖେ ରହି ବାପାଙ୍କୁ ଅନୁକରଣ କରି କରି ବାଦ୍ୟ ବନାଇବାର କଳାକୁ ନିଜ ଭିତରେ ଅନ୍ତରସ୍ଥ କରିନେଲେ । କୁତୁରୁଙ୍କର ଦୁଇପୁଅ, ଦୁଇଝିଅ ଓ ପତ୍ନୀ । ଝିଅମାନଙ୍କୁ ବାହା କରିସାରିଲେଣି । ବେଶ୍ ହସଖୁସିର ସଂସାର । ବାଦ୍ୟ ବନାଇବାରେ କୁତୁରୁଙ୍କ ଦୁଇପୁଅ ପୂର୍ଣ୍ଣ ସହଯୋଗ କରନ୍ତି । ବାଦ୍ୟ ବିକ୍ରି କରିବା ପାଇଁ କୌଣସି ବଜାରକୁ ତାଙ୍କୁ ଯିବାକୁ ପଡ଼େନାହିଁ, ବରଂ ଗ୍ରାହକ ଆଗରୁ ବଇନା ଦେଇ ବାଦ୍ୟ ବନେଇବା କହିଥାନ୍ତି, ତା’ପରେ ତିଆରି ସରିବା ପରେ ସେମାନେ ନିଜେ ଆସି ନେଇଯାଆନ୍ତି ।

ଆଖପାଖ ଗାଁ’ରୁ କୁମ୍ଭାରଙ୍କ ଠାରୁ ମାଟିଖୋଳ ଆଣିଥାଆନ୍ତି । ବରପାଲିରୁ ଚମଡ଼ା ଆଣନ୍ତି । ଚମଡ଼ାକୁ ଶୁଖାନ୍ତି ଖରାରେ, ପରେ ପାଣି ବତୁରାଇ ଚମଡ଼ାରୁ ‘କୁଟେନ’ ବନାନ୍ତି । ତାକୁ ମାଟିଖୋଳରେ ଭିଡ଼ନ୍ତି । ଅଲଗା ବାଦ୍ୟ ପାଇଁ ଅଲଗାପ୍ରକାରର ପ୍ରକ୍ରିୟା ରହିଛି । ଚମଡ଼ାରୁ ‘ଫିତା’ କାଟନ୍ତି, ଯେଉଁଟା ମାଟିଖୋଳ ଉପରେ ଲାଗିଥାଏ । କୁତୁରୁ ଦୁଇପୁଅ ଗବନ ଓ କୁନ୍ଦା ପ୍ରତିଦିନ ଏ କାମ ପାଇଁ ସାହାଯ୍ୟ କରନ୍ତି । ବାଦ୍ୟ ବନାଇବା ଏ ପରିବାରର ମୁଖ୍ୟ କାମ । ଏଥିରେ ହିଁ କୁତୁରୁଙ୍କ ପରିବାରର ପେଟପାଟଣା, ଜୀବନଜୀବିକା ନିର୍ବାହ ହୁଏ । କୀର୍ତ୍ତନ୍ୟ ଖୋଳ, ପାଲା ଖୋଳ ବେଶୀ ତିଆରି ପାଇଁ ବରାଦ ଆସିଥାଏ ବୋଲି କୁହନ୍ତି କୁତୁରୁ । ଗୋଟିଏ ଖୋଳ/ ବାଦ୍ୟକୁ ଟ.୨୫୦୦ରୁ ଟ.୪୦୦୦ପର୍ଯ୍ୟନ୍ତ ବିକ୍ରିକରନ୍ତି । ବାଦ୍ୟ ବନେଇବାର ନିଶା, ପେଶାରୁ ବେଶ୍ ଭଲ ଦୁଇପଇସା ରୋଜଗାର କରନ୍ତି କୁତୁରୁ । ଭଲ ଘର ଖଣ୍ଡେ କରିଛନ୍ତି, ଏବେ ଦୁଇପୁଅ, ବଡ଼ ବୋହୂ ଓ ସହଧର୍ମିଣୀଙ୍କ ସହିତ ସୁଖର ଜୀବନଯାପନ କରୁଛନ୍ତି ଏ ପରିବାର ।

ଢୋଲ, ନିଶାନ, ତାସା, କୀର୍ତ୍ତନ୍ୟଖୋଳ, ଡୁବି-ତବଲା, ଘୁଡ଼ଲା, ମୃଦଙ୍ଗ, ପୋଖଜ ଆଦି ବନାଇବାରେ ସିଦ୍ଧହସ୍ତ କୁତୁରୁ । ଏବେ କିନ୍ତୁ କିର୍ତ୍ତନ୍ୟଖୋଳ, ପାଲାଖୋଳ ବେଶୀ ତିଆରି କରୁଛନ୍ତି । ତାଙ୍କ ଦ୍ୱାରା ବନାଯାଉଥିବା ବାଦ୍ୟ ଚାହିଦା କେବଳ ବରଗଡ଼ ଜିଲ୍ଲା ନୁହେଁ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, ସୋନପୁର, କନ୍ଧମାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଆଦି ଅଞ୍ଚଳରେ ମଧ୍ୟ ରହିଛି । ସୁଦୂର ଛତିଶଗଡ଼ ରାଜ୍ୟରେ ମଧ୍ୟ କୁତୁରୁଙ୍କ ବାଦ୍ୟର ଚାହିଦା ରହିଛି । ରାୟପୁର, ବିଳାସପୁର, ରାୟଗଡ଼ା ଆଦି ଅଞ୍ଚଳରୁ ମଧ୍ୟ ଗ୍ରାହକମାନେ ତଥା କଳାକାର ବାଦ୍ୟ ବନେଇବାର ବରାଦ ଦେବା ପାଇଁ ଆସନ୍ତି । ଏତଦବ୍ୟତିତ କର୍ଣ୍ଣାଟକ, ଜମ୍ମୁ, ପଞ୍ଜାବ ରାଜ୍ୟକୁ ମଧ୍ୟ ଛୁଇଁପାରିଛି କୁତୁରୁଙ୍କ ବାଦ୍ୟ । ‘ସୁଦୂର ଅଷ୍ଟ୍ରେଲିଆ ମଧ୍ୟ ଯାଇଛି ବାଦ୍ୟ’ ବୋଲି କୁହନ୍ତି କୁତୁରୁ ।

ବାଜା ବନାଇବାର କଳା ହିଁ କୁତୁରୁଙ୍କୁ ଆତ୍ମସନ୍ତୋଷ ଦେଇଛି । ଜୀବନଜୀବିକା ସୁରୁଖୁରୁରେ ଚାଲିଛି ବାଦ୍ୟ ପାଇଁ । କୁତୁରୁଙ୍କ ସହିତ କଥା ହେଲାବେଳେ ଜଣାପଡ଼ୁଥିଲା ଜୀବନରେ ଟିକିଏ ମଧ୍ୟ ଅବଶୋଷ ନାହିଁ ଅବା ଅସନ୍ତୋଷ ନାହିଁ । ଜୀବନକୁ ସ୍ୱାଭିମାନ ସହିତ ଜୀଇଁବା ପାଇଁ ସାହାଯ୍ୟ କରିଛି ବାଦ୍ୟ ବନାଇବାର କଳା ବୋଲି କୁତୁରୁ କୁହନ୍ତି ।

କୁତୁରୁଙ୍କ ବାଦ୍ୟ ବନାଇବାର କଳା ସାରା ପଶ୍ଚିମ ଓଡ଼ିଶା ତଥା ଓଡ଼ିଶାର କଳା ସଂସ୍କୃତି, ଛତିଶଗଡ଼ର କଳାସଂସ୍କୃତିକୁ ଏକ ଅନନ୍ୟ-ଶ୍ରେଷ୍ଠ ଅବଦାନ । ବିଜେପୁର ଅଞ୍ଚଳ ମଧ୍ୟ ତାଙ୍କ ପାଇଁ ପରିଚିତ । ନିଜେ ଜୀବନ ନିର୍ବାହ କରିବା ସହିତ ଆମ ସଂସ୍କୃତିକୁ, ଲୋକକଳା, ଲୋକବାଦ୍ୟ, ଲୋକଗୀତକୁ ଋଦ୍ଧିମନ୍ତ କରିଛନ୍ତି, ସୁଦୃଢ଼ କରିଛନ୍ତି । ବର୍ତ୍ତମାନ ଉଗ୍ର ଆଧୁନିକ -ଇଲେକ୍ଟ୍ରୋନିକ୍ସର ସଙ୍ଗୀତ ଜଗତରେ ଏ ବାଦ୍ୟମାନଙ୍କର ଚାହିଦା ରହିଛି ଓ ଲୋକମାନେ ମଧ୍ୟ ବାଦ୍ୟ ବନାଇବା ପାଇଁ ବରାଦ ଦେଇଆସୁଛନ୍ତି ବୋଲି ଗର୍ବରେ କହନ୍ତି ଏଇ କଳାକାର (କୁତୁରୁ) । ଯେଉଁଦିନ ଆମେ ଏଇ କଳାକାରଙ୍କ ପାଖକୁ ଯାଇଥିଲୁ ସେଦିନ ଝାରବନ୍ଧ ବ୍ଲକ୍ ଲଉଡ଼ିଗ୍ରାମର ଶିକାରୀପାଲି ଗାଁ’ରୁ କୌଶିକ ଭୋଇ ନାମକ ଜଣେ କଳାକାର ରଙ୍ଗୀନ କିର୍ତ୍ତନ୍ୟ ଖୋଳ ନେବାକୁ ଆସିଥିଲେ । ତାଙ୍କ କହିବାନୁଯାୟୀ ତାଙ୍କ ତଥା ଆଖପାଖର କଳାକାର (ବାହକ)ମାନେ ତଥା କୀର୍ତ୍ତନ୍ୟ ମଣ୍ଡଳୀ ଲୋକେ କେବଳ କୁତୁରଙ୍କ ଠାରୁ ବାଦ୍ୟ କିଣିଥାନ୍ତି । ତାଙ୍କ ଗାଁ’ ଦୀର୍ଘ ୨୦ବର୍ଷରୁ ଊଦ୍ଧ୍ୱର୍ ହେବ, କୁତୁରଙ୍କ ଠାରୁ ବାଦ୍ୟ ନେଉଛି । କୁତୁରୁ ବାଦ୍ୟ ଭଲ ବନାନ୍ତି ଓ ଭଲ ବାଜେ ବୋଲି କହନ୍ତି କୌଶିକ ଭୋଇ ।

ଖୁସିମନରେ କୁତୁରୁ କହନ୍ତି “ମୋର ଅବଶୋଷ ବୋଲି କିଛି ନାଇଁନ । ଯାହାବି କରିଛେ, କହୁଛେ ସେଥି ହିଁ ମତେ ଖୁସି ମିଲସି । ଜଣଙ୍କର ପାଖେ ଯଦି କଳା ଅଛେ ଅବଶୋଷ ବଲବାର ଜିନିଷ ନାଇଁଥାଏ । ‘ମୁଁ କାର’ ଭାବଟା ନାଇଁ ରହେବାର କଥା । ସମକିରରନୁ କିଛି ନା କିଛି ଶିଖିବାର ଅଛେ, ଚାହେଁ ସେ ଛୋଟ ହେଉ କି ବଡ଼ ହେଉ । ଲୋକେ ଯେନ୍ ତାରିଫ କରସନ କୁତୁରୁ ଖୋଲ ଭଲ ବାଜସି ବୋଲି ସେଟା ହିଁ ମୋର ଲାଗି ଅସଲ ଆଶୀର୍ବାଦ ଆଏ । ସେଟା ହିଁ ମୋର ଲାଗି ଅସଲ ସ୍ୱୀକୃତି ଆଏ । ଲୋକମାନେ ଏତେ ଏତେ ଦୂରୁ ୪ମାସ ପାଖକେ ବାଦ୍ୟ ଘିନି ଆସୁଛନ୍ ସେଟା ମୋର ଲାଗି ସାର୍ଟିଫିକେଟ ଆଏ । ସେଟା ହିଁ ମତେ ଆତ୍ମସନ୍ତୋଷ ଦେସି ।

କଳାକାର ପାହାଡ଼ ଉପରେ କୁରପା କରିଥିଲେ ଭି ଚଲବା ତା’ର ପାଖେ ଯଦି କଳା ଥିବା କଳାପ୍ରତି ସମର୍ପଣର ମନୋଭାବ ଥିବା, ମେହନତ କରୁଥିବା । ଆପେ ତା’ର ପାଖକେ ଲୋକ ଆସବେ । ଆଗାମୀ ପିଢ଼ି ଇ ବାଦ୍ୟବନାବାର କଳାକେ ଜାରି ରଖିଥିବେ ବୋଲି କହେସନ ବାଦ୍ୟ ବନାବାର ବେତାଜ ବାଦଶାହ କୁତୁରୁ । ଇ ଜଗତ ଥିବାର ତକ୍ ଇ ଲୋକବାଦ୍ୟ, ଲୋକଗୀତ, ଲୋକ ସଂସ୍କୃତି କେଭେ ନାଇଁ ମରେ, ଆରୁ ଇ ବାଦ୍ୟ ବନାବାର ପରମ୍ପରା ଭି କେଭେ ନାଇଁ ମରେ” ବୋଲି ଗର୍ବର ସହିତ କହିଥିଲେ କୁତୁରୁ।

କଳା ସଂସ୍କୃତି ପାଇଁ ସମର୍ପିତ କଳାକାର କୁତୁରଙ୍କ ବାଦ୍ୟ ବନାଇବାର କଳା ଆମ ଲୋକକଳା, ଲୋକ ସଂସ୍କୃତିକୁ ଋଦ୍ଧିମନ୍ତ କରୁଥିବ, ସୁଦୃଢ଼ କରୁଥିବ, ଏହା ହିଁ ଆମର କାମନା ।

About ଅଜିତ କୁମାର ପାଣିଗ୍ରାହୀ

ଅଜିତ କୁମାର ପାଣିଗ୍ରାହୀ
ସମଧ୍ୱନିର ମୁଖ୍ୟ ଗଣସଙ୍ଗୀତ ଗାୟକ, ସାମାଜିକ କର୍ମୀ

Check Also

ନିମାଇଁଚରଣ ହରିଚନ୍ଦନଙ୍କ ଦ୍ୱାରା ବାରିପଦା ସାହିତ୍ୟ ସମାଜରେ ଦିଆଯାଇଥିବା ଉଦବୋଧନର କିଛି ଅଂଶ

ବାରିପଦା ସାହିତ୍ୟ ସମାଜର ମାନନୀୟ ସଭାପତି ଓ ସହୃଦୟ ସୁଧିବୃନ୍ଦ, ସଙ୍ଗୀତ ସମ୍ବନ୍ଧୀୟ ଗୋଟିଏ ସଂକ୍ଷିପ୍ତ ପ୍ରବନ୍ଧ ଓ ଓଡ଼ିଆ …

Leave a Reply

Your email address will not be published. Required fields are marked *