Home / ସମୀକ୍ଷା / ଚଳଚିତ୍ର ସମୀକ୍ଷା / ନୀରଦ ମହାପାତ୍ର, ମାୟାମିରିଗ ଓ ସମାନ୍ତରାଳ ସିନେମା

ନୀରଦ ମହାପାତ୍ର, ମାୟାମିରିଗ ଓ ସମାନ୍ତରାଳ ସିନେମା

ଚାରିବର୍ଷ ତଳେ ଭାରତୀୟ ସମାନ୍ତରାଳ ସିନେମାର ଅନ୍ୟତମ ପ୍ରବୀଣ ବ୍ୟକ୍ତି ମନୀ  କାଉଲଙ୍କର ନିଧନ ହୋଇଯାଇଥିଲା । ସେ କର୍କଟ ରୋଗରେ ପୀଡ଼ିତ ଥିଲେ । ତାଙ୍କୁ ମୃତ୍ୟୁବେଳକୁ ବୟସ ହୋଇଥିଲା ମାତ୍ର ୬୬ବର୍ଷ । ନିକଟରେ ନୀରଦ ମହାପାତ୍ର ଚାଲିଗଲେ । ନୀରଦ ମଧ୍ୟ ସେଇ ଦୁରାରୋଗରେ ପୀଡ଼ିତ ଥିଲେ ଓ ସେ ମଧ୍ୟ ପ୍ରାୟ ଏକା ବୟସରେ ଦେହତ୍ୟାଗ କଲେ । ଏଇ ଦୁଇ ବିଚକ୍ଷଣ ଚିତ୍ର ନିର୍ମାତାଙ୍କ ଅକାଳ ବିୟୋଗ ସତ୍ତେ୍ୱ ସମାନ୍ତରାଳ ସିନେମାର ଗ୍ରାହକଙ୍କ ମନରେ ସେମାନେ ଆଜି ବି ଚିର ବନ୍ଦନୀୟ ହୋଇ ରହିଛନ୍ତି ।

କାଉଲଙ୍କ ଭଳି ନୀରଦ ମଧ୍ୟ ପୁନେର ଫିଲ୍ମ ଇନ୍ଷ୍ଟିଚ୍ୟୁଟ୍ରୁ ବାହାରିଥିଲେ । ୧୯୭୦ ରେ କାଉଲଙ୍କ ‘ଉସ୍କି ରୋଟି’ ଚର୍ଚ୍ଚାକୁ ଆସିଲା । ଏହା ଥିଲା ତାଙ୍କର ପ୍ରଥମ ଚିତ୍ର । ଏହି ଚିତ୍ରପାଇଁ କାଉଲଙ୍କୁ ଘୋର ସମାଲୋଚନାର ଶିକାର ହେବାକୁ ପଡ଼ିଲା । କାରଣ ଏଥିରେ ପାରମ୍ପରିକ ଗୀତ ନାଚର ଦୃଶ୍ୟ ନଥିଲା ଓ ମୁଖ୍ୟଧାରାର ଚିତ୍ର ନିର୍ମାଣରୁ ସେ ବିଚ୍ୟୁତ ହୋଇଥିଲେ । ଏହି ଚିତ୍ର ମାଧ୍ୟମରେ କାଉଲ ସାଧାରଣ ସିନେମାର ବୌଦ୍ଧିକ ଅନୁପସ୍ଥିତିକୁ ତାତ୍ସଲ୍ୟ କରିଥିଲେ । ହୁଏତ ନୀରଦଙ୍କୁ ସେହିଭଳି ସମାଲୋଚନାର ଶିକାର ହେବାକୁ ପଡ଼ିନଥିଲା । କାରଣ ୧୯୮୪ରେ ମାୟାମିରିଗ ତିଆରି ହେବା ବେଳେ ଏମିତି ବି ଓଡ଼ିଆ ସିନେମା ଶୈଶବ ଅବସ୍ଥାରେ ଥିଲା ।

ମାୟାମିରିଗ ଯଦି ଗୋଟିଏ ପରେ ଗୋଟିଏ ପ୍ରଶସ୍ତି ପାଇଲା ଓ ଜାତୀୟ, ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କଲା, ତାର ନିର୍ମାଣର ଇତିହାସ ମଧ୍ୟ ଘଟଣାବହୁଳ ଥିଲା । ନିଜେ ନୀରଦ କହୁଥିଲେ ଯେ ମାୟାମିରିଗ ଲିଖିତ କାହାଣୀର ଏକ ପରିବର୍ଦ୍ଧିତ, ପରିମାର୍ଜିତ ଓ ପରୀକ୍ଷିତ ରୂପ । ଚିତ୍ରଟି ପୁରୀରେ ସୁଟିଂ ହୋଇଥିଲା । ଅଳ୍ପ କେଇଜଣ ସୌଖୀନ କଳାକାର ଓ ବୈଷୟିକ ସହାୟକଙ୍କୁ ନେଇ ନୀରଦ ମାୟାମିରିଗ ତିଆରି କରିଥିଲେ । ଏହି ଚିତ୍ରର ସବୁଠାରୁ ବଡ଼ ଆକର୍ଷଣ ଥିଲା ସେଇ ପୁରୁଣାକାଳିଆ ଘର, ଚିତ୍ରର ମୌଳିକ ଆବେଦନକୁ ଏଇ ସେଟ୍ଟି ବହୁତ ବଢ଼ାଇ ଦେଇଥିବା ବିଷୟ ନୀରଦ କହୁଥିଲେ ।

ଓଡ଼ିଶାରେ ମଧ୍ୟବିତ୍ତ ଶ୍ରେଣୀର ହା-ହତାଶାକୁ ନେଇ ନୀରଦ ମାୟାମିରିଗ ନିର୍ମାଣ କରିଥିଲେ । ବିଶେଷ କରି ଏକାନ୍ନବର୍ତ୍ତୀ ପରିବାରର କ୍ରମାଗତ ଅବକ୍ଷୟକୁ ସେ ଅତି ଚମକ୍ରାର ଭାବରେ ଏଥିରେ ଫୁଟାଇଥିଲେ । ଆଜିର ଦିନରେ ହୁଏତ ଏକକ ପରିବାର ଏକ ସାମାଜିକ ନିୟମରେ ପରିଣତ ହୋଇଯାଇଛି, କିନ୍ତୁ ମାୟାମିରିଗ ଯୌଥ ପରିବାରର ଆସନ୍ନ ସଙ୍କଟ ସମ୍ପର୍କରେ ଆମକୁ ଢେର ଆଗରୁ ଏ ସମ୍ପର୍କରେ ସୂଚିତ କରିପାରିଥିଲା ।

ଯେଉଁମାନେ ମାୟାମିରିଗକୁ  ନିରିଖେଇ ଦେଖିଛନ୍ତି, ଚିତ୍ରର ଶେଷ ଆଡ଼କୁ କେତୋଟି ଦୃଶ୍ୟ ସେମାନଙ୍କ ମନରେ ଲିପିବଦ୍ଧ ହୋଇ ରହିଥିବ ନିଶ୍ଚିତ । ଯେମିତି ଚିତ୍ରଟି ସରି ସରି ଆସୁଛି, ପରିବାରଟି ନଷ୍ଟ ହୋଇଚାଲିଛି । ରାତିର ନିଃଶବ୍ଦ ପ୍ରହରରେ, ଘରର ଖଂଜା ଭିତରେ ଓ ପୁଅ-ବୋହୂଙ୍କ କୋଠରୀରେ କେବଳ ଅତୀତର ସେଇ ସ୍ମୃତି ହିଁ ଉଙ୍କି ମାରୁଛି- କେମିତି ସେମାନେ ଏକାଠି ଥିଲେ, ପରସ୍ପରର ଭଲ ମନ୍ଦ ବୁଝୁଥିଲେ । କିନ୍ତୁ ଏକଥା ମଧ୍ୟ ସେମାନେ ଉପଲବ୍ଧ କରୁଥିଲେ ଯେ  ଆଉ ଏକାଠି ରହିବା ସମ୍ଭବ ନୁହେଁ । ଭିନ୍ନେ ହେବା ଅବଶ୍ୟମ୍ଭାବୀ । ତାହା ହିଁ ସମୟ ଚାହୁଁଛି ।

ମଝିଆ ପୁଅ ଟୁଟୁ ( ଯିଏ କି ଜଣେ ଆଇଏଏସ୍ ଅଫିସର ଓ ତିନି ପୁଅ ଝିଅଙ୍କ ଭିତରେ ସବୁଠାରୁ ପ୍ରତିଭାବାନ୍) ସ୍ତ୍ରୀ ଆଣିଥିବା ଯୌତୁକକୁ ନେଇ ଘରୁ ବାହାରି ଯାଉଥିବା ଦୃଶ୍ୟଠାରୁ ଆରମ୍ଭ କରି  ଅସୁସ୍ଥତାର କାରଣ ଦର୍ଶାଇ ବଡ଼ବୋହୂ (ପ୍ରଭା)ଙ୍କ ସଂଜବତୀ ଜଳାଇବାର ଅନାଗ୍ରହ ଓ ଶେଷରେ ମା ଘରର ସବୁ ଦାୟିତ୍ୱ ନେବା; ଏସବୁ ଚିତ୍ରର ଗୋଟିଏ ଗୋଟିଏ ମହନୀୟ, ସ୍ମରଣୀୟ ଓ ଆବେଗମୟ ଦିଗ । ପରିଶେେରେ ରାଜକିଶୋର ବାବୁ ତାହାଙ୍କ  ଦୁଇବର୍ଷର ନାତିକୁ ପଚାରୁଛନ୍ତି- ତୁ ବି ଆମକୁ ଛାଡ଼ି ଚାଲିଯିବୁ । ଅତି ମର୍ମନ୍ତୁଦ ସେଇ କୋହଭରା ପ୍ରଶ୍ନ!

ଯେହେତୁ ନୀରଦ ନିଜେ ଗୋଟିଏ ମଧ୍ୟବିତ୍ତ ପରିବାରରୁ ଆସିଥିଲେ, ସେ ଭଲଭାବରେ ଜାଣିଥିଲେ ଯେ ଏହି ପରିବାରର ଆଶା ନିରାଶା, ଦୁଃଖ-ସୁଖ, ସ୍ୱପ୍ନ-ଆକାଂକ୍ଷା, ଦାୟିତ୍ୱବୋଧ- ଅନୁଶୀଳନ ଓ ସ୍ୱାର୍ଥାନ୍ୱେଷିତା । ଗୋଟିଏ ପରିବାର ଭିତରେ ବହୁ ସଦସ୍ୟ ଥିବାବେଳେ ଯେଉଁ ସ୍ୱାଧୀନତା (ମାନସିକ ଓ ଆର୍ଥିକ) ଲୋଡ଼ା ହୁଏ ଏବଂ ନ ମିଳିଲେ କିପରି ପରିବାରଟି ଭାଙ୍ଗିଯାଏ, ‘ମାୟାମିରିଗ’ ତା’ର ନିଚ୍ଛକ ପ୍ରତିଛବି ।

ମାୟାମିରିଗକୁ ଦେଶରୁ ଓ ଦେଶ ବାହାରୁ ତ ବହୁ ପୁରସ୍କାର ମିଳିଥିଲା । ଏହା ଢେର ଦିନ ପର୍ଯ୍ୟନ୍ତ ଚର୍ଚ୍ଚାରେ ଥିଲା ମଧ୍ୟ । କୌତୁହଳର ବିଷୟ ଏହି ଯେ ନୀରଦ ଆଉ ଗୋଟିଏ ମାୟା ମିରିଗ ତିଆରି କରିପାରିନଥିଲେ । ହୁଏତ ସେ ଚିନ୍ତା କରିଥିଲେ ଯେଉଁ ସବୁ ସମ୍ମିଶ୍ରଣରେ ଚିତ୍ରଟି ନିର୍ମିତ ହୋଇପାରେ; ସେହି ପରିବେଶ, ପ୍ଲଟ୍ ଓ ପରୀକ୍ଷା ଆଉଥରେ କରିବା / ମିଳିବା କଷ୍ଟ । ତେବେ, ନୀରଦ ବେଶ୍ କିଛି ଚମକ୍ରାର ବୃତ୍ତଚିତ୍ର ବି ତିଆରି କରିଛନ୍ତି ।

ନୀରଦ ମହାପାତ୍ର ମୂଳତଃ ଥିଲେ ଜଣେ ଫିଲ୍ମ ତତ୍ତ୍ୱବିତ୍ । ସିନେମାର ବହୁ ଦିଗକୁ ସେ ପଢ଼ିଛନ୍ତି, ପରଖିଛନ୍ତି ଓ ନିଜର ଛାତ୍ରମାନଙ୍କ ନିକଟରେ ପରିବେଷଣ କରିଛନ୍ତି । ଭାରତୀୟ ସମାନ୍ତରାଳ ସିନେମାର ଯେଉଁ କେତେଜଣ ରଥୀ-ମହାରଥୀଙ୍କ ନାମ ସର୍ବଦା ଉଚ୍ଚାରିତ ହୁଏ,  (ଗିରିଶ କାସରଭଲି, ଜାହ୍ନୁ ବରୁଆ, ସୟିଦ ମିର୍ଜା, କେତନ ମେହେଟ୍ଟା, ମନମୋହନ ମହାପାତ୍ର, ବିଧୁବିନୋଦ ଚୋପ୍ରା), ସେମାନେ ସମସ୍ତେ ଥିଲେ ନୀରଦଙ୍କ ସମସାମୟିକ ।

ମାୟାମିରିଗ ଅଶୀଦଶକର ‘ନ୍ୟୁ ୱେଭ୍’ ଚଳଚ୍ଚିତ୍ର ବ୍ୟବସାୟିକ ସିନେମାର ମତି-ଗତିକୁ ପ୍ରଶ୍ନ କରିଥିଲା କେବଳ ନୁହେଁ, ଆଧୁନିକ ମଣିଷର ନବଚେତନା ଓ ଚିନ୍ତନକୁ ବି ସାମ୍ନାକୁ ଆଣିଥିଲା । ପୂରା ୩୬୦ ଡିଗ୍ରୀ ଘୂରିବା ଭିତରେ ଏହି ସବୁ ପରୀକ୍ଷାମୂଳକ ସିନେମା ଜରିଆରେ ଚିତ୍ର ନିର୍ଦ୍ଦେଶକ ପ୍ରଶ୍ନ କରୁଥିଲେ ଦର୍ଶକଙ୍କ ଗୀତ-ନାଚ ଓ ଫାଣ୍ଟାସିର ମୋହକୁୁ । ନୂଆ ନୂଆ ଚିନ୍ତା ଓ ଚିତ୍ର ନିର୍ମାଣ ଶୈଳୀରେ ଯେଉଁ ପରୀକ୍ଷଣ ହୋଇଥିଲା, ତାର ଅଭିନବ ପରିପ୍ରକାଶ ଥିଲା ମାୟାମିରିଗ ।  ମାୟାମିରିଗ ଓ ସେହିଭଳି ଚିତ୍ର ବହୁଳଭାବରେ ସତ୍ୟର ସନ୍ଧାନରେ ରହୁଥିଲେ ଗତାନୁଗତିକାକୁ  ପ୍ରଶ୍ନ କରୁଥିଲେ ଓ ନିଶ୍ଚିତ ଭାବରେ ଚଳଚ୍ଚିତ୍ରର ଲୋକପ୍ରିୟ ଶୈଳୀଠାରୁ ଦୂରେଇ ରଖୁଥିଲେ । ଭାରତୀୟ ଚଳଚ୍ଚିତ୍ର ଇତିହାସରେ ‘ନୀରଦ’ ଓ ‘ମାୟାମିରିଗ’ ଏକ ଯୁଗର ପ୍ରତିନିଧିତ୍ୱ କରିବା ଓଡ଼ିଶା ପାଇଁ ଥିଲା ଗର୍ବ ଓ ଗୌରବର ବିଷୟ ।

ନୀରଦ ମହାପାତ୍ର ମୂଳତଃ ଥିଲେ ଜଣେ ଫିଲ୍ମ ତତ୍ତ୍ୱବିତ୍ । ସିନେମାର ବହୁ ଦିଗକୁ ସେ ପଢ଼ିଛନ୍ତି ଓ ଭିନ୍ନ ଭିନ୍ନ ଦୃଷ୍ଟିଭଙ୍ଗୀରେ ପରଖିଛନ୍ତି । ଓଡ଼ିଶାରେ ମଧ୍ୟବିତ୍ତ ଶ୍ରେଣୀର ହା-ହତାଶାକୁ ନେଇ ନୀରଦ ନିର୍ମାଣ କରିଥିଲେ ମାୟାମିରିଗ ଚଳଚିତ୍ର । ବିଶେଷ କରି ଏକାନ୍ନବର୍ତ୍ତୀ ପରିବାରର କ୍ରମାଗତ ଅବକ୍ଷୟକୁ ସେ ଅତି ଚମକ୍ରାର ଭାବରେ ଏଥିରେ ଫୁଟାଇଥିଲେ । ମାୟାମିରିଗ ଜାତୀୟ, ଆନ୍ତର୍ଜାତୀୟ ସ୍ତରରେ ଯେଉଁଭଳି ସ୍ୱୀକୃତି ଲାଭ କଲା, ତାର ନିର୍ମାଣର ଇତିହାସ ମଧ୍ୟ ସେହିଭଳି ଘଟଣାବହୁଳ ଥିଲା । ଚଳଚିତ୍ରର ମୁଖ୍ୟ ଆକର୍ଷଣ ଥିଲା ପୁରୁଣା କାଳର ଘର, ରୀତିନୀତି ଓ ପରସ୍ପର ଭିତରେ ସମ୍ପର୍କ । ଭାରତୀୟ ଚଳଚ୍ଚିତ୍ର ଇତିହାସରେ ‘ନୀରଦ’ ଓ ‘ମାୟାମିରିଗ’ ଏକ ଯୁଗର ପ୍ରତିନିଧିତ୍ୱ କରିଥିଲେ ବୋଲି ଏହି ସମୀକ୍ଷାଟିରେ ବିଶିଷ୍ଟ ସାମ୍ବାଦିକ ତଥା ସଂସ୍କୃତି ଓ ଚଳଚିତ୍ର ସମୀକ୍ଷକ ଶ୍ରୀ ଭାସ୍କର ପରିଚ୍ଛା ପ୍ରକାଶ କରିଛନ୍ତି । –ସମ୍ପାଦକ

ସୌଜନ୍ୟ – ସମଦୃଷ୍ଟି

Photo credit- internet

About ଭାସ୍କର ପରିଚ୍ଛା

Avatar

Check Also

Featured Video Play Icon

ମାଟି ଆଉ ମଣିଷର କବି କୃଷ୍ଣ ପ୍ରସାଦ

ନର୍ଦ୍ଦମା ପାଶେ ବାରବୁଲା ଡାକେ ହାଇ ମାରେ ବସି ବଣିକ ଶକୁନ ଶାସନ ଅବସାନ କର ଯୁଗର ଦାବିୟେ ଶାସକ …

Leave a Reply

Your email address will not be published. Required fields are marked *