Home / ସମୀକ୍ଷା / ନାମକରଣ ପରିବର୍ତ୍ତିତ ଧାରାରେ ପଶ୍ଚିମ ଓଡ଼ିଶାର “ଗଁଡ଼ାବଜା”

ନାମକରଣ ପରିବର୍ତ୍ତିତ ଧାରାରେ ପଶ୍ଚିମ ଓଡ଼ିଶାର “ଗଁଡ଼ାବଜା”

ଉକ୍ତ ଲେଖାଟିର ଲେଖକ ଶ୍ରୀ ଅଶୋକ ବହିଦାର ହେଉଛନ୍ତି ଓଡ଼ିଶାର ଜଣେ ମାନ୍ୟଗଣ୍ୟ ନାଟ୍ୟକାର ଓ ନାଟ୍ୟ ନିର୍ଦ୍ଦେଶକ।  ତାଙ୍କର ‘ତୋର ପାରକେ ମୋର ପାହା’ ନାଟକରେ ସେ ଗଁଡ଼ାବଜା ଓ ଏହାର କଳାକାରମାନଙ୍କ ଜୀବନ ଓ ତ୍ୟାଗକୁ ସୁନ୍ଦରଭାବରେ ଉପସ୍ଥାପନ କରିଛନ୍ତି ବୋଲି ଚର୍ଚ୍ଚାହୁଏ ଯଦିଓ ଏହି ନାଟକକୁ ଦେଖିବାର ସୁଯୋଗ ମୋତେ ଏଯାଏଁ ମିଳିନାହିଁ। ଗଁଡ଼ାବଜା ଅଞ୍ଚଳ ବିଶେଷକରି ବୋଡ଼ାସମ୍ବର ଅଞ୍ଚଳ, ଲେଖକଙ୍କର ନିଜର ଜନ୍ମଭୂମି ଓ କର୍ମଭୂମି ହୋଇଥିବାରୁ, ସେ ଏହି କଳାକାରମାନଙ୍କର ସୁଖଦୁଃଖରେ ଭାଗୀଦାର ହୋଇଆସିଛନ୍ତି । ଲେଖାର ଶେଷରେ କୁହାଯାଇଥିବା ପଦଟି ‘ଗଁଡ଼ାବଜା ହଜିଯାଇନି, ଆଜି ବି ଗ୍ରାମୀଣ ପରିବେଶରେ ଢ଼ୋଲର ତାଳ ଶୁଭୁଛି, ହଏତ ଶୁଣିବାଲୋକଙ୍କ ସଂଖ୍ୟା କମିଯାଇଛି’ ସୂଚାଉଛି ଯେ, ଗଁଡ଼ାବଜାକୁ ସ୍ୱୀକୃତି ଦେବାପାଇଁ ଓ ଏହାର ଐତିହାସିକ ମୂଲ୍ୟବୋଧକୁ ପ୍ରତିପାଦିତ କରିବାପାଇଁ ଆମକୁ ଟିକେ ଅଟକିଯାଇ ଏହି ବଜାକୁ ପୁଣିଥରେ କାନେଇବାକୁ ପଡ଼ିବ ଓ ଏହାର ଗୁରୁତ୍ତ୍ୱକୁ ଉପଲବ୍ଧି କରିବାକୁ ପଡ଼ିବ। ଗଁଡ଼ାବଜାର ହଜାର ହଜାର ବର୍ଷର ଐତିହକୁ ଯଦି ଅମାସମାଜ ଗ୍ରହଣ କରୁନି କି ସେହି କଳାକାର ମାନଙ୍କୁ ଭତ୍ତାଟି ଦେବାପାଇଁ ସ୍ୱୀକୃତି ପତ୍ର ଖୋଜୁଛି ତେବେ ସଂସ୍କୃତିକୁ ସୁରକ୍ଷା କରିବା ଆଉ ସମ୍ଭବ ନୁହଁ ହୁଏତ ଏହି କଳାକାରମାନେ ଆମର ଶେଷ ସମ୍ବଳ ନିଜର ପରିଚୟଟିକୁ ପ୍ରତିପାଦିତ କରିବାପାଇଁ ଏହି ଉଗ୍ର ବଜାରବାଦ ସମୟରେ – ସମ୍ପାଦକ

ପଶ୍ଚିମ ଓଡ଼ିଶାର ଲୋକ ବିବିଧତା ଓ ଲୋକ ବିଭବତା ଭିତରେ “ଗଁଡ଼ାବଜା”ର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । “ଗଁଡ଼ାବଜା” ର ଉତ୍ପତ୍ତି କୁ ନେଇ ଇତିହାସ ନୀରବ । ତଥାପି ଏତିକି ଅନୁମେୟ ହୁଏ ଯେ, ଏହା ଏକ ଆଦିବାଦ୍ୟ । “ଗଁଡ଼ାବଜା” ହେଉଛି ଢୋଲ୍‌, ନିଶାନ, ତାସା, ମୁହୁରୀ ଏବଂ ଟମ୍‌କିଡ଼ି ଏପରି ପାଂଚୋଟି ପ୍ରାଚୀନ ବାଦ୍ୟରୁ ଏକ ଭବ୍ୟ ସମାହାର ସମୟ କ୍ରମେ ଟିମକିଡ଼ି ପରିବର୍ତ୍ତେି ଝୁମ୍‌କା ଏକ ସାହାୟକ ବାଦ୍ୟ ଭାବେ ଏଥିରେ ସ୍ଥାନିତ ହୋଇଛିା

            “ଗଁଡ଼ାବଜା”ର ନାମକରଣର ଏକ ବିଶେଷତ୍ୱ ରହିଛି । ପଶ୍ଚିମ ଓଡ଼ିଶାର ଏକ ଦଳିତ ବର୍ଗର ଲୋକେ ହେଉଛନ୍ତି ଗଁଡ଼ାଜାତିର ଲୋକେ । ଅଭାବ ଭିତରେ ଥିଲେ ବି ନିଜର ସଂସ୍କୃତି ସହିତ ସେମାନଙ୍କର ଭାବ ଅତି ନିବିଡ଼ । ଏଇ ଜାତିର ପରିଚୟକୁ ପ୍ରତିପାଦିତ କରିଥାନ୍ତି ଏଇ ପାଂଚୋଟି ବାଦ୍ୟ । କେବଳ ସଂସ୍କୃତି ନୁହେଁ ଗଁଡ଼ାଜାତିର ଲୋକଙ୍କ ଜୀବନ ଜୀବିକାର ମୂଳଉତ୍ସ ହେଉଛି “ଗଁଡ଼ାବଜା”।  ପଶ୍ଚମ ଓଡ଼ିଶାର ପ୍ରତିଟି ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ସହିତ କେଉଁ ଅନାଦି କାଳରୁ “ଗଁଡ଼ାବଜା”ର ପ୍ରଦର୍ଶନ ଯୋଡ଼ିହୋଇ ରହିଛି ।

ଶିଶୁର ଜନ୍ମରୁ ଜୀବନ ବଂଚିବା ପର୍ଯ୍ୟନ୍ତ ଯାହାକିଛି ରୀତିନୀତି ଯୋଡ଼ି ହୋଇରହିଛି ଏପରି ସବୁ କ୍ଷେତ୍ରରେ ଗଁଡ଼ାବଜାର ଉପସ୍ଥିତି ପଶ୍ଚମ ଓଡ଼ିଶାର ଲୋକ ସଂସ୍କୃତିରେ ଏକ ବିଶେଷ ପ୍ରସଙ୍ଗ ପରି ମନେହୁଏ । ଏପରିକି ଶବ ଯାତ୍ରାରେ ବି “ଗଁଡ଼ାବଜା” ବାଦନ କରାଯାଇଥାଏ, ଅବଶ୍ୟ ତହିଁରେ ମହୁରୀ ବଜାଇବାଟା ମନା । ପଶ୍ଚିମ ଓଡ଼ିଶାର ବିବାହ ଓ ଅନ୍ୟାନ୍ୟ ସାମାଜିକ ଉତ୍ସବରେ ଗଁଡ଼ାବଜାର ସାଂଗୀତିକ ସହଯୋଗ ଅପରିହାର୍ଯ୍ୟ ବୋଲି ପ୍ରମାଣିତ ହୁଏ । ବିଭିନ୍ନ ଦେବାଦେବୀଙ୍କ ପୂଜା ମହୋତ୍ସବରେ ଭିନ୍ନ ଭିନ୍ନ ଶୈଳୀରେ ପରିବେଷିତ ହୋଇଥାଏ ଏଇ ଲୋକବାଦ୍ୟ । ଅନେକାଂଶ ଲୋକଗୀତ ହେଉଛି ଗଁଡ଼ାବଜାର ଭିନ୍ନ ଭିନ୍ନ ତାଳ, ଯାହା ସୃଷ୍ଟି ହୋଇଛି ଭିନ୍ନ ଭିନ୍ନ ଲୋକନୃତ୍ୟ ପାଇଁ ।

            ପଶ୍ଚମ ଓଡ଼ିଶାର ପ୍ରତିଟି ଗାଁରେ ଏକ “ଗଁଡ଼ାବଜା” ଦଳର ସ୍ଥତି ଏକ ସ୍ୱାଭାବିକ ଘଟଣା ପରି ମନେହୋଇଥାଏ । ଅବଶ୍ୟ ଏକ ସମ୍ବୋଦନଶୀଳ ଘଟଣା ଏହି ଯେ, ଯେଉଁ “ଗଁଡ଼ାବଜା”ର ପଶ୍ଚିମ ଓଡ଼ିଶାର ଜନ-ସଂସ୍କୃତି ସହିତ ଏତେ ଘନିଷ୍ଠତା ରହିଛି, ସେଇ ଗଁଡ଼ାବଜାର ପରିବେଷଣକାରୀମାନେ ଏଯାଏଁ ଅସ୍ପୃଶ୍ୟ ବୋଲି ମନେହୁଅନ୍ତି ଉଚ୍ଚବର୍ଗଙ୍କ ମାନସିକତାରେ । ତଥାପି ସେମାନେ ଦବିଯାଇ ନାହାଁନ୍ତି । ଏ ଯାଏ ସେମାନେ ପ୍ରୟାସ ଜାରି ରଖିଛନ୍ତି ତାଙ୍କର ପାରଂପାରିକ ପ୍ରିୟବାଦ୍ୟର ସ୍ଥିତିକୁ ଅକ୍ଷୁର୍ଣ୍ଣ ରଖିବାପାଇଁ । ଅବଶ୍ୟ ଏଇଟା ସତ ଯେ, ତୀବ୍ର ଆଧୁନିକତା ତଥା ଜଗତୀକରଣ ପ୍ରକ୍ରିୟାର ତାଡ଼ନାରେ ଗଁଡ଼ାବଜା ତା’ର ପୂର୍ବ ପରିଚୟକୁ ହରାଇବାରେ ଲାଗିଛି । ତା’ର କଳାକାରମାନେ ଏକ କଡ଼ରେ ଛିଡ଼ା ହୋଇ ପୁନରୁଦ୍ଧାର ପାଇଁ ବିଳାପ କରୁଛନ୍ତି । ଏପରିକି ଏହାର କୌଳିକତା ବି ନଷ୍ଟ ହୋଇଯିବା ଉପରେ ।

କିନ୍ତୁ କାହିଁକି “ଗଁଡ଼ାବଜା”ର ଏଇ ଦୁର୍ବିସହ ସ୍ଥତି? ଗଣ୍ଡାବଜାର ଦଳର ଏବର ପୀଢ଼ି ବିଭିନ୍ନ କାରଣରୁ ନିଜର କୌଳିକ ବାଦ୍ୟଠାରୁ ଦୂରେଇ ଯାଇଛନ୍ତି । ଜଣେ ଗଁଡ଼ା ଯୁବକ ଯେତେବେଳ ଉପଲବ୍ଧି କରୁଛି ଯେ ତା’ର ଜାତିର ବରିଷ୍ଠମାନେ ଏକ ପ୍ରାଚୀନ ସଂସ୍କୃତିର ସୁରକ୍ଷା କରି କରି ନିଜେ ନଷ୍ଟ ହୋଇଯାଇଛନ୍ତି, ନା ତାଙ୍କୁ ମିଳିଛି ସାମାଜିକ ସମ୍ମାନ ନା ମିଳିଛି ଉଚିତ ପ୍ରାପ୍ୟ । ଜଣେ ତବଲା ବାଦକକୁ ଶିକ୍ଷକ ପରିବେଶରେ “ବାଦ୍ୟଶିଳ୍ପୀ” ବୋଲି ମାନସମ୍ମାନ ମିଳୁଥିବା ବେଳେ, ଜଣେ ଢ଼ୋଲ ବାଦ୍ୟକାର (ଢ଼ୁଲିଆ) ବଜନିଆ ଭାବେ ପଡ଼ିଛି ଏକ ଉପେକ୍ଷିତ ଜୀବନକୁ ନେଇ ଗାଁର ଶେଷମୁଣ୍ଡର କୁଡ଼ିଆରେ । ଏଥିପାଇଁ ଏବର ଜଣେ ଗଁଡ଼ାଜାତିର ଯୁବକ ଉଚ୍ଚଶିକ୍ଷିତ ହୋଇ ଭଲଚାକିରୀଟିଏ ପାଇଯିବା ପରେ, ବାଧ୍ୟ ହୋଇ ନିଜର ମୁହଁକୁ ଫେରାଇ ନେଉଛି ତା’ର ପୂର୍ବ ପୁରୁଷଙ୍କ ପାରଂପାରିକ ସଂସ୍କୃତିର ପରିଚାୟକ ଗଁଡ଼ାବଜା ଉପରୁ ।

ଆଉ ଯେଉଁ ଯୁବକମାନେ ଶିକ୍ଷିତ ହୋଇ ନପରି ଗଁଡ଼ାବଜାକୁ ଏଯାଏ ଆଦରି ଆସିଛନ୍ତି, ସେମାନେ ଲୋକରୁଚି ଅନୁସାରେ ଗଁଡ଼ାବଜାର ମୌଳିକତାକୁ ନିଜ ହାତରେ ନଷ୍ଟ କରିଦେବା ପାଇଁ ମଧ୍ୟ ବାଧ୍ୟ ହୋଇଛନ୍ତି । ଏପରି ଭାବେ ଗଁଡ଼ାବଜାର ପରିବର୍ତ୍ତିତ ଧାରା ବିଭିନ୍ନ କାରଣକୁ ନେଇ ବହି ଚାଲିଛି ଏକ ଦିଶାହୀନ ଆଭିମୁଖ୍ୟ ନେଇ । “ଗଁଡ଼ାବଜା” ନିଜ ଲୋକଙ୍କ ଠାରୁ ବାଧ୍ୟବାଧ୍ୟକତାରେ ଏକପ୍ରକାର ପ୍ରଖ୍ୟାତ ହେବାପରେ, ଏହାର ସୁଯୋଗରେ ସହରୀ ଲୋକଙ୍କ ଦୃଷ୍ଟି ତା’ଉପରେ ପଡ଼ିଲା । ଏହାର ମୌଳିକତାକୁ ଏକ ବିକଶିତ ରୂପରେ ପରିବର୍ତ୍ତନ କରି, ସେମାନେ ତାଙ୍କୁ ମଂଚାଭିମୁଖୀ କରିଦେଲେ “ଦୁଲଦୁଲି” ନାଁରେ । ସମ୍ବଲପୁରୀ ନୃତ୍ୟ ଓ ଗୀତରେ ଗଁଡ଼ାବଜା ଦୁଲଦୁଲି ନାଁରେ ବେଶ ଜନପ୍ରିୟତା ହାସଲ କରିଛି । କେବଳ ଏତିକି ନୁହେଁ ମଂଚ କଳାକାରମାନେ ଦୁଲଦୁଲିକୁ ନେଇ ବେଶ୍ ମାନ୍ୟତା ପାଇଆସୁଛନ୍ତି । ଏପରିକି ଏଇ “ଦୁଲଦୁଲି” ବାଦ୍ୟର ବଜାରୀକରଣ ହେବାପରେ ଅନେକ ବ୍ୟକ୍ତି, ଅନୁଷ୍ଠାନ ତଥା ସଂସ୍ଥା ମାଲାମାଲ ହୋଇଯାଇଛନ୍ତି ।

            ପରବର୍ତ୍ତୀ ପର୍ଯ୍ୟାୟରେ ଏକ ଶୈକ୍ଷିକ ପରିବେଶକୁ ଗଁଡ଼ାବଜା ଆସିଯାଇଛି । ଏକ ନୂତନ ନାମକରଣ “ପଞ୍ଚବାଦ୍ୟ” ଆଧାରରେ ଗଣ୍ଡାବଜା ଶୈକ୍ଷିକ ତଥା ବୈଦ୍ଧିକ ମାନ୍ୟତା ପାଇଛି । ଗଁଡ଼ାବଜାର ସଂଗୀତକୁ ନେଇ ଅନେକ ଅଧ୍ୟୟନ ଚାଲିଛି । ଆଶ୍ଚର୍ଯ୍ୟର ବିଷୟ ଯେ ଗଁଡ଼ାବଜା ନାମକରଣର ପରିବର୍ତ୍ତନ ଆଧାର ଉଚ୍ଚବର୍ଗ ଓ ଶିକ୍ଷିତ ଗୋଷ୍ଠୀଙ୍କ ଦ୍ୱାରା ଆଦୃତ ହୋଇଛି ସିନା, ହେଲେ ଏହାର ପୂର୍ବଜମାନେ ଏବେ ବି ଅସ୍ପୃଶ୍ୟତାର ଶିକାର ହେବାରୁ ବଂଚିତ ନୁହଁନ୍ତି ।

            ଅନ୍ୟପକ୍ଷରେ ଖଣିରୁ କଂଚାମାଲ ଖାଲି କରିଦେବା ପରେ ଯେପରି ଖଣି ଅଲୋଡ଼ା ହୋଇଯାଏ, ଠିକ୍ ସେପରି ବରିଷ୍ଠ ଗଁଡ଼ାବଜାର ବାଦ୍ୟକାରମାନଙ୍କ ଠାରୁ ସବୁ ଶୈଳୀ ଓ ତଥ୍ୟ ହାସଲ କରି ନେଇଯିବା ପରେ ହାସଲକାରୀମାନେ ସେମାନଙ୍କୁ ଅସମ୍ଭବ ଭାବେ ଦୂରେଇ ଦେଇଛନ୍ତି । ସେମାନେ ଅଲୋଡ଼ା ହୋଇଯାଇଛନ୍ତି । ସେମାନେ ଆଲୋଡ଼ା ହୋଇ ପଡ଼ିରହିଛନ୍ତି ଗ୍ରାମୀଣ ପରିବେଶରେ ଏକ ହା ହୁତାଶ ଜୀବନକୁ ନେଇ । ଏଇ ମଣିଷମାନଙ୍କ ସହାୟତାରେ ଅନ୍ୟମାନେ ଦାମୀ ପରିଚୟ ପାଆନ୍ତି, ପ୍ରସିଦ୍ଧ ମଂଚରେ ଛିଡ଼ା ହେବାର ସୁଯୋଗ ପାଆନ୍ତି, ଅଥଚ ଏମାନେ ସାମାନ୍ୟ କଳାକାର ଭତ୍ତା ପାଇବା ପାଇଁ କେତେ ଧାଁ ଦଉଡ଼ କରନ୍ତି ।

            ସେ ଯାହା ବି ହେଉ ଗଁଡ଼ାବଜା ହଜିଯାଇନି, ଆଜି ବି ଗ୍ରାମୀଣ ପରିବେଶରେ ଢ଼ୋଲର ତାଳ ଶୁଭୁଛି, ହଏତ ଶୁଣିବାଲୋକଙ୍କ ସଂଖ୍ୟା କମିଯାଇଛି ।

            ଏମିତି ନାମ ବଦଳି ଚାଲିଥିବ, କିନ୍ତୁ ଗଁଡ଼ାବଜା ଏକ ମହାନ୍ ସାଂସ୍କୃତିକ ପରଂପରାର ପ୍ରତିନିଧି ଭାବେ ପୂର୍ବ ପରିଚୟ ହରାଇଦେବା ସତ୍ତ୍ୱେ ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତିର ପୁନରୁଦ୍ଧାର ଓ ସଂରକ୍ଷଣ ପାଇଁ ନୀରବରେ ନିଜକୁ ସମର୍ପିତ କରିଦେଇ ଚାଲିଥିବ ଆଗକୁ ଓ ଆଗକୁ ।

About ଅଶୋକ ବହିଦାର

ଅଶୋକ ବହିଦାର
ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ, କଳାକାର, ଲୋକ କାଳର ଗବେଷକ

Check Also

ଅବହେଳିତ ମୌଳିକ କଳା ଓ ଅସ୍ପୃଶ୍ୟ କଳାକାର ଗଣ

ମହାମାରୀ, ଆତଙ୍କ, କର୍ଫୁ, ଗ୍ଲୋବାଲ ପାଣ୍ଡେମିକ, ଲକ୍ ଡାଉନ୍‌, ସଟ୍ ଡାଉନ୍‌, ହାହାକାର, ଭୟଙ୍କର ପରିସ୍ଥିତି, ଦେଶାନ୍ତରୀ, ବେଘର, ରୋଜଗାର …

Leave a Reply

Your email address will not be published. Required fields are marked *