“ଲୁହ”

Swayamprava Parhi (Chief Editor)
2 Min Read

ଲୁହ… ଧାନ କିଆରୀର ଏହି ଲୁହ। କାହିଁକି କାନ୍ଦୁଛି କିଆରୀ ? କଣ ତାର ଦୁଃଖ ? ଧାନ କିଆରୀର ଲୁହକୁ ବୁଝିବା ପାଇଁ ଚାଷୀ ହିଁ କେବଳ ସକ୍ଷମ। ଚାଷୀ ଜାଣିଛି ତା କିଆରୀରେ ଏଥର ସୁନା ଫଳିବ ନା ନାହିଁ । ଏମିତି ଜଣେ ଚାଷୀଙ୍କ କଥା ଆଜି କହିବା ଜରୁରୀ ମନେ ହୁଏ ଯିଏ ସବୁଦିନେ ଯାଇ ନିଜ ଧାନର ଓ କିଆରୀର ଯତ୍ନ ନିଅନ୍ତି । ନରିଶୋ ଗାଁର ଜୈବ ଚାଷୀ ନଟବର ଷଡ଼ଙ୍ଗୀ, ବୟସ ପାଖ ପାଖି ୮୭ ହେବ । ଦୀର୍ଘ ୨୫ ବର୍ଷ ଧରି ଶିକ୍ଷକତାରୁ ଅବସର ନେବାପରେ ଧାରାବାହିକ ଭାବରେ ସେ ଚାଷୀ ମାନଙ୍କୁ ଜୈବ ଚାଷ ସମ୍ପର୍କରେ ସଚେତନ କରାଇ ଆସୁଛନ୍ତି।

ପ୍ରଥମେ ଯେତେବେଳେ ସେ ନିଜ ଜମିରେ ଦେଶୀ ଉପାୟରେ ଚାଷକରିବା ଆରମ୍ଭ କଲେ ସେତେବେଳେ ତାଙ୍କ କଥାକୁ କେହି ଶୁଣିବାକୁ ପ୍ରସ୍ତୁତ ନଥିଲେ। ସମସ୍ତେ ଭାବୁଥିଲେ ସେଇ ପୁରୁଣାକାଳିଆ କଥା ଆଉ ଏ ଯୁଗରେ କିଏ ଶୁଣୁଛି । ସବୁଜ ବିପ୍ଲବର ସୁନେଲି ସ୍ୱପ୍ନରେ ଚାଷୀ ହଜିଯାଇ ନିଜର ହଜାର ହଜାର ବର୍ଷର ବହୁ ପରୀକ୍ଷିତ କୃଷି ସଂସ୍କୃତିକୁ ପାଶୋରିବାକୁ ଚାହୁଁଥିଲା । ଯେଉଁ କଥାଟି ତା ମନରେ କେବେବି ଆସିନଥିଲା ସେହି ଅଧିକ ଅମଳ କରିବାର ବ୍ୟଗ୍ରତାରେ ହଜିଯାଇଥିଲା ସେ ସ୍ୱପ୍ନର ଦୁନିଆରେ। ସେହି ସବୁଜ ବିପ୍ଳବ ଓ କମ୍ପାନୀମାନଙ୍କ ଇନ୍ଦ୍ର ଜାଲକୁ ବୁଝିବା କଣ ଏତେ ସହଜ ଯେ ସାଧାରଣ ଚାଷୀଟି ଏତେ ଗଭୀରକୁ ଚିନ୍ତା କରିବ । ପୁରା ଇନ୍ଦ୍ର ଜାଲ ଭିତରେ ସମଗ୍ର ଭାରତର କୃଷି ସଂସ୍କୃତି ଏବେବି ପଡିଛି। ସେଥିରୁ ମୁକୁଳିବା ଯେମିତି କାଠିକର ପାଠ ହୋଇଯାଇଛି ତା ପାଇଁ ।

ଯେତେବେଳେ ଚାଷୀ ବୁଝିବା ଆରମ୍ଭ କରିଛି ଯେ ସେ ସବୁଜ ବିପ୍ଳବ ଯୋଗୁଁ ଭାରାକ୍ରାନ୍ତ ହେବାରେ ଲାଗିଛି, ସେତିକିବେଳେ ଅକାଳ ଚଡକ ପରି ତା’ ଶାସକ ତା ହାତରୁ ଧାନ କିଆରୀକୁ ଛଡାଇ ନେବାକୁ ବସିଛି । ସେ କିଆରୀରେ ଚାଷୀ ନୁହଁ ଏବେ କମ୍ପାନୀ ଚାଷ କରିବେ ।

ଚାଷୀ ସହିତ କିଆରୀର ସମ୍ପର୍କ ଆଜି ନୁହଁ କାହିଁ କେଉଁ ଯୁଗର । ସେହି ସମ୍ପର୍କଟି ଏତେ ନିଵିଡ ଯେ ଚାଷୀ ଯେମିତି ଚାଷ ବିନା ବଞ୍ଚି ପାରିବନି ସେମିତି କିଆରିବି ଚାଷୀର ଯତ୍ନ ବିନା ବଞ୍ଚି ପାରିବନି । ଏବେ ଅକାଳ ଚଡକ ପଡିଛି ଦୁଇଜଣଙ୍କ ଉପରେ । ଏମିତି ଦୁର୍ଦ୍ଦିନ ଆସିବ ବୋଲି ଚାଷୀ କେବେ ଭାବିନଥିଲେ ।

Samadhwani Support us

ଏହି ଅକାଳ ସମୟରେ ନିଜକୁ ଶକ୍ତ କରି ପ୍ରତିବାଦର ସ୍ୱର ଉଠାଇଥିବା ଜୈବଚାଷୀ ନଟବର ଷଡଙ୍ଗୀଙ୍କୁ ହଜାର ହଜାର ଚାଷୀଙ୍କର ପ୍ରତିନିଧି ବୋଲି ଗ୍ରହଣ କରିପାରିବା । ଆଜି ସମୟ ଆସିଛି ଟିକେ କାନେଇ ତାଙ୍କ କଥାକୁ ଶୁଣିବା । କ’ଣ କଲେ ଚାଷୀ ନିଜ ମୁକ୍ତିର ରାସ୍ତା ନିଜେ କାଢ଼ିପାରିବ ସେ ବିଷୟଟିକୁ ଆଉଥରେ ବୁଝିବାକୁ ପ୍ରୟାସ କରିବା । ତାଙ୍କରି ଉଦ୍ୟମକୁ ବଳିଷ୍ଠ କରିବାପାଇଁ ଏହି ଭିଡ଼ିଓର ପ୍ରସ୍ତୁତି । – ସମ୍ପାଦକ

 

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.