ନାଟ୍ୟକାର ମନ୍ମଥନାଥ ଶତପଥୀଙ୍କ ପିଲାଟି ଦିନର ନାଟ୍ୟାନୁଭୂତି

ଶିବାଶିଷ ରାୟ
ଶିବାଶିଷ ରାୟ 210 Views
4 Min Read

[box type=”shadow” align=”” class=”” width=””] ନାଟ୍ୟକାର ‘ମନ୍ମଥନାଥ ଶତପଥୀ’ ଜଣେ ସୃଜନଶୀଳ ଓ ନିଷ୍ଠାପର କଳାକାର । ଖୁବ ଛୋଟବେଳୁ ସେ ଦଣ୍ଡନାଟ ପ୍ରତି ଆକର୍ଷିତ ହୋଇଥିଲେ ଓ ୧୦ବର୍ଷ ବେଳକୁ ଗାଁ’ର ପିଲାମାନଙ୍କୁ ନେଇ ନାଟ୍ୟ ଦଳ ଗଠନ କରି ନାଟକ ନିର୍ଦ୍ଦେଶନା କାର୍ଯ୍ୟ  ଆରମ୍ଭ କରିଥିଲେ – ୧୬ବର୍ଷ ବେଳକୁ ଗାଁ ଓ ଆଖପାଖର ଜଣେ ପ୍ରତିଷ୍ଠିତ ମଞ୍ଚ ଅଭିନେତା । ଏହିଭଳି ଜଣେ ଅନୁଭବି ବ୍ୟକ୍ତିତ୍ୱ ତାଙ୍କ ସହ ଓଡ଼ିଶାର ନାଟ୍ୟ ଜଗତ ସମ୍ପର୍କରେ ଆମ ଭିଡିଓ ଟିମ୍  ଚର୍ଚ୍ଚା କରିଥିଲେ ଏବଂ ଏହି ଚର୍ଚ୍ଚାବେଳେ ସେ ପ୍ରକାଶ କରିଥିଲେ କାହିଁକି ଓଡ଼ିଶାରେ ମଞ୍ଚ ନାଟକ କ୍ଷେତ୍ରଟି ଏକ ବିରାଟ ଶୂନ୍ୟତା ଆଡ଼କୁ ଟାଣି ହୋଇଯାଉଛି ଏବଂ ମଞ୍ଚନାଟକକୁ ସୁରକ୍ଷିତ କରିବାପାଇଁ ଲୋକନାଟକର ସୁରକ୍ଷା କାହିଁକି ଏତେ ଜରୁରୀ?          – ସମ୍ପାଦକ[/box]

Support Samadhwani

ଭିଡ଼ିଓ ଡ଼କ୍ୟୁମେଣ୍ଟ – ଲକ୍ଷମିଧର ମୁର୍ମୁ

ପ୍ରଶ୍ନ: ଆପଣ ନିଜ ସମ୍ପର୍କରେ ଓ ବାଲ୍ୟ ଜୀବନରେ ନାଟକ ପ୍ରତି କେମିତି ଆକର୍ଷିତ ହେଲେ ସେ ସମ୍ପର୍କରେ କିଛି କହିବେ କି?

Support Samadhwani

ଉତ୍ତର: ମୁଁ ନାଟ୍ୟକାର ମନ୍ମଥ ଶତପଥୀ । ଭାରତ ସ୍ୱାଧୀନତାଲାଭର କିଛି ବର୍ଷ ପୂର୍ବରୁ ୧୯୪୪ମସିହାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରୁ ୮ ମାଇଲ ଦୂରରେ ବାସୁଦେବପୁର ଶାସନ ଗ୍ରାମରେ ମୋର ଜନ୍ମ । ବାସୁଦେବପୁର ଏକ ନୈଷ୍ଠିକ ବ୍ରାହ୍ମଣଶାସନ। ମୋର ଜନ୍ମର ଅବ୍ୟବହିତ ପୂର୍ବରୁ ମୋ ଉପରେ ତିନି ଚାରିଜଣ ଭାଇ ଭଉଣୀଙ୍କର ଦେହାନ୍ତ ହୋଇଯାଇଥିଲା । ତେଣୁ ମୋର ଜନ୍ମରେ ସମସ୍ତେ ଆତଙ୍କିତ ହୋଇଥିଲେ ଯେ ମୋର ବି ସେମିତି ଅବସ୍ଥା ନହେଉ । ସେଥିପାଇଁ ମୋର ଜନ୍ମ ପରେ ପରେ ଆମ ଗାଁ’ର ଗୁଣି ବିଜ୍ଞ ବ୍ୟକ୍ତି ନନାଙ୍କୁ ଉପଦେଶ ଦେଲେ ଯେ, ତୁ ଏ ସ୍ଥାନ ପରିତ୍ୟାଗ କର ନହେଲେ ହୁଏତ ଏ ସନ୍ତାନ ତୋର ବଂଚି ନପାରେ ।

ସେଥିପାଇଁ ମୋର ନନା(ମୁଁ ମୋର ବାପାଙ୍କୁ ନନା ବୋଲି ସମ୍ବୋଧନ କରେ) ପରିବାରର ସମସ୍ତ ଛାଡ଼ିମୋତେ ବଞ୍ଚାଇବାପାଇଁ ବାସୁଦେବପୁରରୁ ଭଞ୍ଜନଗର ଚାଲିଆସିଲେ । ଭଞ୍ଜନଗର ନାଁ ସେତେବେଳେ ଥିଲା ରସୁଲକୁଣ୍ଡା । ରସୁଲକୁଣ୍ଡା ଏକ ଐତିହାସିକ ଭୂମିଥିଲା । ଭଞ୍ଜଙ୍କର ଜନ୍ମଭୂମି ଭାବରେ ସେତେବେଳେ ଭଞ୍ଜନଗର ପ୍ରସିଦ୍ଧ ଥିଲା । ସେ ଅଞ୍ଚଳରେ ତେଲଗୁ ଲୋକଙ୍କର ପ୍ରଭାବ ଖୁବ ବେଶୀ ଥିଲା । ବ୍ରିଟିଶ ଶାସନାଧିନ ଭଞ୍ଜନଗର ଥିଲା ଏକ ପ୍ରସିଦ୍ଧ ଭୂମି । ସେଠାରୁ ବ୍ରିଟିଶମାନେ ସେମାନଙ୍କର ଶାସନ ଚଳାଉଥିଲେ । ଭଞ୍ଜନଗର ଆମେ ଯେତେବେଳେ ଯାଇ ପହଞ୍ଚିଲୁ ସେତେବେଳେ ମୋର ବୟସ ମାତ୍ର ୬ମାସ । କିନ୍ତୁ ଅତି ଦୟନୀୟଭାବେ କପର୍ଦ୍ଦକ ଶୂନ୍ୟ ହୋଇ ମୋର ବାପା ମୋତେ ଓ ମୋର ବଡ଼ଭଉଣୀକୁ ଧରି ଭଞ୍ଜନଗର ଚାଲିଆସିଲେ । ଅନେକ ଦୁଃଖ ଦୁର୍ଦ୍ଦଶା ଭିତରେ ମୋର ଜୀବନର ଗତି କ୍ରମଶଃ ଗଡ଼ିଆସିଛି ।

ମୋତେ ଯେତେବେଳେ ତିନି ଚାରିବର୍ଷ ସେଇ ସମୟରେବି ଭଞ୍ଜନଗର ଏକ ସମୃଦ୍ଧଶାଳୀ, ସଂସ୍କୃତି ସମ୍ପନ୍ନ ଅଞ୍ଚଳ ଥିଲା । ଭଞ୍ଜନଗର ସହରର ଆଖପାଖ ଯେତିକି ଗାଁ, ଘୁମୁସର ଅଞ୍ଚଳର ପ୍ରତି ଗାଁ’ରେ ସାହିତ୍ୟ, ସଂସ୍କୃତି ସମ୍ବନ୍ଧରେ ଚର୍ଚ୍ଚା ହୁଏ । ଭଞ୍ଜଙ୍କର ଛାନ୍ଦ, ଚମ୍ପୁ ଉପରେ  ସମସ୍ତଙ୍କର ଦକ୍ଷତା ଥାଏ । ଭଞ୍ଜନଗର ଘୁମୁସର ଅଞ୍ଚଳର ପ୍ରତ୍ୟେକ ଗାଁ’ରେ କିଛିନା କିଛି ଲୋକନୃତ୍ୟ ଶୈଳୀ ଥାଏ । ବିଶେଷକରି ଦଣ୍ଡନୃତ୍ୟ ସେ ଅଞ୍ଚଳରେ ଖୁବ ଲୋକପ୍ରିୟ ।

ମୋତେ ଯେତେବେଳେ ମାତ୍ର ତିନିଚାରି ବର୍ଷ ସେହି ସମୟରୁ ମୁଁ ଗାଁ ଦାଣ୍ଡରେ ଦଣ୍ଡନୃତ୍ୟ ଦେଖିବାବେଳେ ଦଣ୍ଡନୃତ୍ୟ ପ୍ରତି ମୋର ଦୁର୍ବଳତା ସୃଷ୍ଟିହେଲା । ଚାରି, ପାଞ୍ଚବର୍ଷ ବେଳକୁ ଦଣ୍ଡନୃତ୍ୟର ପ୍ରତି ଗୀତ ମୁଖସ୍ତ କରିଦେଇଥାଏ । ଦଣ୍ଡନୃତ୍ୟର ମଞ୍ଚ ପ୍ରସ୍ତୁତି ଚାଲିଥାଏ । ପାଞ୍ଚ ଛଅ ବର୍ଷ ବେଳକୁ ଦଣ୍ଡନାଟ ପରିବେଷଣ ଆରମ୍ଭ କଲି । ସେତେବେଳେ ବେଶଭୂଷା ପାଇଁ ଆମ ପାଖରେ କିଛି ନଥାଏ । ସବୁଠାରୁ ବେଶୀ ଭୟଥିଲା ବାପାଙ୍କ ପ୍ରତି । ବାପା ନାଚ କରିବାପାଇଁ ସୁଯୋଗ ଦେଉନଥିଲେ ।  ତାର କାରଣ ହେଉଛି, ମୁଁ ବାଲ୍ୟକାଳରୁ ରୋଗାଗ୍ରସ୍ଥ  ହୋଇଥିଲି । ଅତି ଦୁର୍ବଳ ଥିଲି । ତେଣୁ ବାପା ଚାହୁଁନଥିଲେ ଇଏ କୌଣସି ମୁସ୍କିଲ କାମରେ ପଶୁ । ସେଇ ଦୃଷ୍ଟିରୁ ବାପା ଚାହୁଁନଥିଲେ ନାଚରେ ସାମିଲ କରିବାପାଇଁ ।

କିନ୍ତୁ ଶାସ୍ତ୍ରକୁହେ ସେ ନାଟକ ହେଉ, ସାହିତ୍ୟ ହେଉ କି ସଙ୍ଗୀତ ହେଉ ଏ ହେଉଛି ଜନ୍ମଗତ କଳା । ମୋର ପୂର୍ବପୁରୁଷମାନେ ଏହା ସହିତ ସମ୍ପୃକ୍ତ ଥିଲେ । ଆମର ବଂଶପରମ୍ପରା ଛଅ ପୁରୁଷଧରି । ପ୍ରାୟ ସମସ୍ତେ କିଛିନା କିଛି ନାଟ୍ୟକଳା ବା ସାହିତ୍ୟ, ଜ୍ୱୋତିଷଶାସ୍ତ୍ର ବା ଆୟୂର୍ବେଦ ଶାସ୍ତ୍ର ସହିତ ସମ୍ପୃକ୍ତ । ଆମଘରେ ଅଜସ୍ର ତାଳପତ୍ର ବହି । ମୋର ଜେଜେ ବିଶ୍ୱନାଥ ଶତପଥୀ ପ୍ରାୟ ଦୁଇଶହ ତାଳପତ୍ର ବହି ରଚନା କରିଥିଲେ । ବାପା ଜଣେ ଗବେଷକ ହିସାବରେ ଓଡ଼ିଶାରେ ତାଙ୍କର ଖ୍ୟାତି ଥିଲା । ଆମ ଘରେ ମଧ୍ୟ ଭଞ୍ଜଙ୍କର ଯେତେ ଅପ୍ରକାଶିତ ବହି ଶୁହାବତୀ କାବ୍ୟଂ, ଚନ୍ଦ୍ରଲେଖା କାବ୍ୟ ପ୍ରକାଶିତ ପାଇଥିଲା ।

ଅନେକ ଦୁଃଖ ଯନ୍ତ୍ରଣା, ଭୋକ ଉପାସରେ ରହିମଧ୍ୟ ସେ ଭଞ୍ଜ ସାହିତ୍ୟ ଚର୍ଚ୍ଚାରୁ କେବେ ବିରତ ନଥିଲେ । ସେ ପ୍ରଖ୍ୟାତ ଜ୍ୱେତିର୍ବିତ୍ ଓ କର୍ମକାଣ୍ଡବିତ୍ ଥିଲେ। ତେଣୁ ଅନେକ ବଡ଼ ବଡ଼ ଲୋକଙ୍କ ସହିତ ବାପାଙ୍କର ସମ୍ପୃକ୍ତି ଥିଲା । ବୁବୁକ୍ଷ୍ୟୁ ଅବସ୍ଥାରେ ଥିଲେ ମଧ୍ୟ ନିଜର ଦୟନୀୟତା କାହାଆଗରେ ପ୍ରକାଶ କରୁନଥିଲେ । ସେଇ ରକ୍ତରେ ମୋର ଜନ୍ମ । ତେଣୁ ପିଲାଦିନରୁ ସମ୍ଭବତଃ ପୂର୍ବ ପୁରୁଷଙ୍କର ଅଦୃଶ୍ୟ ଆଶିର୍ବାଦ ଫଳରେ ମୁଁ ନାଟକ କ୍ଷେତ୍ରରେ ପାଦ ଦେଇଥିଲି ।

ଲିପିବଧ – ଶିବାଶିଷ ରାୟ

Share this Article
ଗବେଷକ (ଇତିହାସ ବିଭାଗ)