Home / ଇତିହାସ / ନବକଳେବର

ନବକଳେବର

ନବକଳେବର ଦାରୁବ୍ରହ୍ମ ତତ୍ତ୍ୱର ଏକ ମୌଳିକ ପ୍ରସଙ୍ଗ । ପୁରୀ ଜଗନ୍ନାଥ ମନ୍ଦିରରେ ଦାରୁଦେବତା ପୂଜା ପାଉଥିବାରୁ କଳେବର ପରିବର୍ତ୍ତନର ଆବଶ୍ୟକତା ରହିଛି । ବର୍ତ୍ତମାନ ପ୍ରଚଳିତ ପଦ୍ଧତି ଅନୁସାରେ ଏହି କଳେବର ପରିବର୍ତ୍ତନ ବା ନବକଳେବର ନିର୍ମାଣ ୧୯ବର୍ଷ ବା ୧୨ ବର୍ଷ ବ୍ୟବଧାନରେ ଦୋଆଷାଢୀ ମାସରେ ହୋଇଥାଏ । ଏହି ପ୍ରଥା କେବେ ଆରମ୍ଭ ହେଲା ସେ ବିଷୟରେ କୌଣସି ନିର୍ଭରଯୋଗ୍ୟ ପ୍ରାମାଣିକ ଉପାଦାନ ନଥିଲେ ମଧ୍ୟ ମରହଟ୍ଟା ରାଜତ୍ୱ ବେଳକୁ ଏହି  ପ୍ରଥା ପ୍ରଚଳିତ ଏବଂ ସୁଦୃଢ଼  ଥିଲା । କାରଣ ୧୮୦୫ ମସିହାରେ ପୁରୀ ମନ୍ଦିର ସମ୍ପର୍କିତ ବିବରଣୀରେ ଚାର୍ଲସ୍ ଗ୍ରୋମ୍ ଏହି ପ୍ରଥାର ଉଲ୍ଲେଖ କରିଥିଲେ ।

         ଜଗନ୍ନାଥ ମନ୍ଦିର ସମ୍ପର୍କିତ ମଧ୍ୟଯୁଗୀୟ ସକଳ ଉପାଦାନରେ(ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ,ସାରଳା ମହାଭାରତ, ନୀଳାଦ୍ରୀ ମହୋଦୟ ପରି ଗ୍ରନ୍ଥମାନଙ୍କରେ) ନବକଳେବର ବିଧିର ସୂଚନା ଥିଲେ ମଧ୍ୟ ଏହି ୧୯/୧୨ ବର୍ଷ ବ୍ୟବଧାନ କଥାର ଉଲ୍ଲେଖ ନାହିଁ। ତେବେ ସେ ସବୁରେ ଯେଉଁ ଗୁଣ୍ଡିଚା ଯାତ୍ରାର ଆଲୋଚନା ରହିଛି ସେ ମଧ୍ୟରେ ନବକଳେବର ପର୍ବ ଲୁଚିଯିବାର ଅନୁମାନ କରାଯାଇପାରେ । ଅନ୍ୟପକ୍ଷରେ ମଧ୍ୟଯୁଗରେ ଅର୍ଥାତ୍ ଗଙ୍ଗ-ଗଜପତି ରାଜତ୍ୱକାଳରେ ଦାରୁବିଗ୍ରହମାନଙ୍କର ନବକଳେବର ହେଉଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଭାବରେ ୧୯/୧୨ବର୍ଷ ବ୍ୟବଧାନରେ ଦୋଆଷାଢୀରେ ଏହା ଘଟୁଥିବାର ତଥ୍ୟ ସମ୍ପର୍କରେ କୌଣସି ଅଭିଲେଖୀୟ ବା ସାହିତ୍ୟିକ ପ୍ରମାଣ ନାହିଁ । ବରଂ ଅଧିକ ବ୍ୟବଧାନରେ ଏପରି ନବକଳେବର ହେବାର ଅନୁମାନକୁ ଏଠାରେ ଗ୍ରହଣ କରାଯାଇପାରେ ।

           ତେବେ ଇନ୍ଦ୍ରଦ୍ୟୁମ୍ନ ଜନଶ୍ରୁତି ଅନୁସାରେ ଜଗନ୍ନାଥଙ୍କ ଦାରୁ ସମୁଦ୍ରରେ କୃଷ୍ଣଙ୍କ ମୃତପିଣ୍ଡ ହିସାବରେ ଭାସିଆସୁଥିବା ପ୍ରଚାର ହେବା ପରେ ନବକଳେବର ସମ୍ପର୍କରେ ସମସ୍ତ ଗୋପନୀୟତା ରକ୍ଷା କରାଯାଉଥିବ, କାରଣ ଏପରି ଦାରୁବ୍ରହ୍ମ ଅବିନଶ୍ୱର; ତେଣୁ କଳେବର ପରିବର୍ତ୍ତନର ଆବଶ୍ୟକତା କ’ଣ? ତେବେ ବଳରାମ ଦାସଙ୍କ ଜଗମୋହନ ରାମାୟଣରେ ଦାରୁବ୍ରହ୍ମ ଶବ୍ଦର ବ୍ୟବହାରରୁ ଏକଥା ଅବଶ୍ୟ ସ୍ପଷ୍ଟ ଯେ  ଗଙ୍ଗ-ଗଜପତି ରାଜତ୍ୱ କାଳରେ ନବକଳେବର ପ୍ରଚଳିତ ଥିଲା । କିନ୍ତୁ ସେ ସର୍ମ୍ପିକିତ ନିର୍ଭରଯୋଗ୍ୟ ପ୍ରାମାଣିକ ତଥ୍ୟ ଅନୁପସ୍ଥିତ ଥିବାରୁ ସେତେବେଳର ନବକଳେବରର  ପ୍ରକୃତ ବିବରଣୀ ଦିଆଯାଇପାରୁ ନାହିଁ ।

୧୫୬୮ ଖ୍ରୀଷ୍ଟାବ୍ଦରେ କଳାପାହାଡ଼ ଓଡ଼ିଶା ଆକ୍ରମଣ କରି ଜଗନ୍ନାଥ ବିଗ୍ରହ ନଷ୍ଟ କରିବାପରେ ରାମଚନ୍ଦ୍ର ଦେବ ପ୍ରଥମ ନୂତନ ଦାରୁବିଗ୍ରହ ନିର୍ମାଣ ପରେ  ଏକ ବିଶେଷ ପର୍ବ ହିସାବରେ ଗୃହୀତ ହୋଇଥିବାର ଅନୁମେୟ । କାରଣ ରାମଚନ୍ଦ୍ର ଦେବ ଏହି କାର୍ଯ୍ୟ ପାଇଁ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ଉପାଧି ପାଇଥିଲେ । ଅର୍ଥାତ୍ ଇନ୍ଦ୍ରଦ୍ୟୁମ୍ନ ନିର୍ମାଣ କରିଥିବା ଜଗନ୍ନାଥଙ୍କର ଦାରୁ ବିଗ୍ରହ କଳାପାହାଡ଼ ଧ୍ୱଂସ କରିଦେଲା ଯୋଗୁଁ ଜଗନ୍ନାଥ ପୂଜାର ପୁନଃପ୍ରଚଳନ ପାଇଁ ରାମଚନ୍ଦ୍ର ଦେବ ଏହି ବିଗ୍ରହ ପୁନର୍ବାର ନିର୍ମାଣ କରାଇଲେ । ପୂର୍ବେ ଇନ୍ଦ୍ରଦ୍ୟୁମ୍ନ ନିର୍ମିତ ଜଗନ୍ନାଥ ଦାରୁବିଗ୍ରହକୁ ଦାରୁବ୍ରହ୍ମ ବୋଲି ମଧ୍ୟ କୁହାଯାଉଥିଲା । ଦାରୁବ୍ରହ୍ମ କହିଲାମାତ୍ରେ ବିଗ୍ରହରେ ବ୍ରହ୍ମ ଥିବାର କଥା ସ୍ୱୀକାର କରିବାକୁ ହେବ । କଳାପାହାଡ଼ ମୂର୍ତ୍ତି ପୋଡ଼ିବା ପରେ ଆଇନ୍-ଇ-ଆକବରୀ ଗ୍ରନ୍ଥାନୁସାରେ ସମୁଦ୍ରକୁ ନିକ୍ଷେପ କରିଥିଲେ । ସେଥିରୁ ଜଣାଗଲା ଯେ ଦାରୁବିଗ୍ରହମାନ ସମ୍ପୂର୍ଣ ଭାବରେ ଲୋପ ପାଇଗଲେ । ଏପରି ସ୍ଥଳରେ ରାମଚନ୍ଦ୍ର ଦେବ ଦାରୁବିଗ୍ରହ ନିର୍ମାଣ କରି ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ଉପାଧି ପାଇବା ଅର୍ଥ ସେ ପୁନର୍ବାର ନୂତନ ଦାରୁବ୍ର୍ରହ୍ମ ନିର୍ମାଣ କରାଇଲେ । ପରେ ଜଗନ୍ନାଥ  ଦାରୁବ୍ରହ୍ମ ମୂର୍ତ୍ତି ପୂଜାର ଧାରାବାହିକତା ରକ୍ଷା ପାଇଁ ବିଶର ମହାନ୍ତି ପରମ୍ପରା ସଂଯୋଜିତ କରାଗଲା ।

           ଯାହାବି ହେଉନା କାହିଁକି ରାମଚନ୍ଦ୍ର ଦେବ ନୂତନ ମୂର୍ତ୍ତି ବିନା ବ୍ରହ୍ମରେ ପୂଜା କରିନଥିବେ । କାରଣ ରାମଚନ୍ଦ୍ର ଦେବଙ୍କ ରାଜତ୍ୱ ପରେ ମଧ୍ୟ ଜଗନ୍ନାଥଙ୍କୁ ଦାରୁବ୍ରହ୍ମ ରୂପେ ସ୍ୱୀକାର କରାଯାଇଥିଲା ଯାହାର ପ୍ରମାଣ ଦୀନକୃଷ୍ଣ ଦାସଙ୍କ ରସବିନୋଦ । ମୋଗଲ-ଆଫଗାନ୍ କନ୍ଦଳ ସମୟରେ ଦାରୁବ୍ରହ୍ମ ଉପାସନା ଅନେକ ସମୟରେ ବାଧା ପାଇଥିଲା । ଯଦିବା ଏପରି ସନ୍ଧିକ୍ଷଣରେ ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ରାଜତ୍ୱ କାଳରେ ନବକଳେବର ହୋଇଥିବାର ସୂଚନା ମାଦଳାପାଞ୍ଜିରେ ରହିଛି । ତେବେ ମରହଟ୍ଟାମାନେ ଓଡ଼ିଶା ଅଧିକାର ପରେ ଅର୍ଥାତ୍ ୧୭୫୧ ପରେ ଜଗନ୍ନାଥ ମନ୍ଦିରର ପରିଚାଳନାକୁ ନିୟନ୍ତ୍ରଣ କରିବା ବେଳେ ପୁରୀ ମନ୍ଦିରରେ କେତେକ ସଂସ୍କାର କରାଯାଇଥିଲା । ସେତେବେଳେ ମଧ୍ୟ ମାଦଳାପାଞ୍ଜିର ପୁନର୍ଲିଖନ ଆବଶ୍ୟକ ହୋଇଥିଲା । କାରଣ ଜଗନ୍ନାଥଙ୍କର ଜମିବ୍ୟବସ୍ଥା, ସେବାପୂଜା ତଥା ଉତ୍ସବମାନ ସମ୍ପର୍କରେ ମରହଟ୍ଟାମାନଙ୍କୁ ଉପଯୁକ୍ତ ବିବରଣୀ ଦେବାକୁ ମନ୍ଦିର କର୍ମକର୍ତ୍ତା ତଥା ସେବକମାନେ ଆଗ୍ରହୀ ହୋଇଥିଲେ । ଏହାଦ୍ୱାରା ମଧ୍ୟ ଅନେକ ସମସ୍ୟାର ସମାଧାନ ହୋଇପାରିଥିଲା । ସେତେବେଳେ ସମ୍ଭବତଃ ଦେଶଖଞ୍ଜା ପରି ଏକ ଗ୍ରନ୍ଥରେ ଜଗନ୍ନାଥଙ୍କର ଦାରୁବ୍ରହ୍ମ ମୂର୍ତ୍ତି ଅବତାର ନିର୍ମାଣ ତଥ୍ୟ ପ୍ରବେଶ କରାଯାଇଥିଲା । ବର୍ତ୍ତମାନ  ବିଶିଷ୍ଟ ସାହିତ୍ୟ ସମାଲୋଚକ ପ୍ରଫେସର୍ ଗଗନେନ୍ଦ୍ରନାଥ ଦାଶଙ୍କ ସମ୍ପାଦିତ ଦେଶଖଞ୍ଜାରେ ଏହି ଦାରୁମୂର୍ତ୍ତି ପୁନଃର୍ନିମାଣ କଥାର ବର୍ଣ୍ଣନା ରହିଛି । ଏଣୁ ନବକଳେବରର ଶାସ୍ତ୍ରୀୟ ରୂପ ଏ ସମୟକୁ ପ୍ରକାଶ ପାଇଯାଇଥିଲା । ମରହଟ୍ଟା ରାଜତ୍ୱ କାଳରେ ନବକଳେବର ହେଉଥିବାର କଥା ପରୋକ୍ଷ ଭାବରେ ୧୮୦୫ ଖ୍ରାଷ୍ଟାବ୍ଦରେ ଚାର୍ଲସ୍ ଗ୍ରୋମ୍ ଜଗନ୍ନାଥ ମନ୍ଦିର ସମ୍ପର୍କିତ ବିସ୍ତାରିତ ବିବରଣୀରେ ସୂଚନା ଦେଇଥିଲେ । ସେଥିରେ ସେ ଲେଖିଥିଲେ-

             When Assar(Asadh) happens to be an inter-calary month it is necessary to take up the idols cloths and have the body completely examined, when if any part of him is gone to decay or by any means weakened, a new case or body must be made to contain the sacred deposit, and the Dytahs and Puttees who remove the sacred substance  from the old case to the new one are blind-folded and have the seals of the Purchas fixed on the cloth over the eyes. No one knows what the article encased in the figure of Jugunnath is, but the Shaster says it was put there by Burma(Brahma). It is related at poorshootum that a Dyta now living at that place was struck blind for attempting to remove the bandage from his eyes to see what this deposit was and as it is firmly believed that those Dytahs and Puttees who remove this deposit from the old to the new case die shortly after, they are endowed with large portions of Lakeraj lands.(Charles Grome‘s Report on the Temple of Jagannatha, ed. K.S.Behera and Others,Orissa State Archives, Bhubaneswar, 2002, p.18-19)

                                       ଏହି ବିବରଣୀରେ ପରୋକ୍ଷ ଭାବରେ ମରହଟ୍ଟା ରାଜତ୍ୱ କାଳର ଶେଷ ନବକଳେବରର ଘଟଣା ସ୍ଥାନ ପାଇଛି । ବ୍ରିଟିଶ ଶାସନକାଳରେ ଜଗନ୍ନାଥଙ୍କର ପ୍ରଥମ ନବକଳେବର ୧୮୦୯ ଖ୍ରାୀଷ୍ଟାବ୍ଦରେ ହୋଇଥିବାର ଅଭିଲେଖୀୟ ବିବରଣୀ ଥିବାରୁ ମନେହୁଏ ଏହାର ୧୯ ବର୍ଷ ପୂର୍ବେ ୧୭୯୦ରେ ଏକ ନବକଳେବର ହୋଇଥିଲା । ବୋର୍ଡ଼ ଅଫ୍ ରେଭିନ୍ୟୁ ରେକର୍ଡ଼ରେ ଯାହା ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ସ୍ଥାନିତ ଏକ ବିବରଣୀରେ ଏହି ୧୮୦୯ ଖ୍ରୀଷ୍ଟାବ୍ଦର ନବକଳେବର ପାଇଁ ଅଧିକ ୫୫୦୦ ଟଙ୍କା ସରକାରଙ୍କ ତରଫରୁ ମଞ୍ଜୁର ହୋଇଥିଲା । ସେଥିରୁ ତକ୍ରାଳ ସରକାରଙ୍କର ଏହି ଉତ୍ସବ ପାଇଁ ଆଗ୍ରହର ସୂଚନା ମିଳେ । ୧୮୦୯ରୁ ୧୮୨୯ ମଧ୍ୟରେ ନବକଳେବରର ବିଶେଷ ବିଧି ବ୍ରହ୍ମ ପରିବର୍ତ୍ତନ ଉପରେ ଏକ ବିତର୍କ ଚାଲିଥିଲା । ଏହି ବ୍ରହ୍ମ କ’ଣ ତାହା ଜାଣିବାକୁ ଉପନିବେଶିକ କର୍ମଚାରୀମାନେ ଆଗ୍ରହ ପ୍ରକାଶ କରିଥିଲେ । ୧୮୨୨ଖ୍ରୀଷ୍ଟାବ୍ଦରେ କଲୋନେଲ୍ ଫିପ୍ସ୍ (ଚଷସକ୍ଟ୍ରକ୍ଟ୍ରଗ୍ଦ) ତାଙ୍କର ବିବରଣୀରେ ପ୍ରଥମେ “ନୂଆ କଳେବର” ଶବ୍ଦ ବ୍ୟବହାର କରିଥିଲେ ।

            ସେ ଲେଖିଥିଲେ The forming of a new idol of Jagannath is termed as Nooah Kullebur;it occurs after a lapse of many years.  ଏହି କାର୍ଯ୍ୟ ତାଙ୍କ ମତରେ ୧୭ବର୍ଷ ବ୍ୟବଧାନରେ ଘଟିଥାଏ । ଏସିଆଟିକ୍ ଜର୍ଣ୍ଣାଲ୍ର ମାର୍ଚ୍ଚ ୧୯୨୪ରେ ପ୍ରକାଶିତ ଏହି ସମ୍ପର୍କିତ ଆଲୋଚନାରେ ସେ ଲେଖିଥିଲେ- “A nim tree is sought for in the forest on which no crow or carrion bird was ever perched; it is known to be initiated by certain signs. This is prepared into a proper form by common carpenters and is then entrusted to certain priests who are protected from all intrusion: the process is a great mystery. One man is selected to take out of the old idol a small box containing the spirit which is conveyed inside the new. The man who does this is always removed from this world before the end of the year.”

               ବ୍ରଜକିଶୋର ଘୋଷ ତାଙ୍କର ୧୮୪୮ ପୂର୍ବରୁ ପ୍ରକାଶିତ ପୁରୀ ଇତିହାସରେ ଏହି ପ୍ରସଙ୍ଗର ଅବତାରଣା କରି ମଧ୍ୟ ଲେଖିଥିଲେ- “The priests and other ignorant people endeavour to account for the deformity of the idol by a very strange tale. A boy from a Putti‘s family is selected to take out from the breast of the old idol a small box containing quicksilver, said to be the spirit which he conveys inside the new. The boy who does this is always removed from the world before the end of the year.”

            ଏପରି ବିତର୍କ ବ୍ରହ୍ମ ସମ୍ପର୍କରେ ଚାଲିଥିଲେ ମଧ୍ୟ ୧୮୨୫ରେ ଆଣ୍ଡ୍ରିଉ ଷ୍ଟାର୍ଲିଂ ଏକ ସୁଚିନ୍ତିତ ମତ ଦେଇ ଲେଖିଥିଲେ- “The legend regarding the establishment of the worship of Jagannatha does not provide for or explain the sacred deposit which popular belief places in the belly of the image. Some conjecture it to be a bone of Krishna, but how it came there is not explained.As the image has been often remade of the wood of the nim tree, it seems not improbable that it may be a relic of the old original idol which is thus religiously preserved.” (Asiatic Researches, Vol.XV, 1825) ଷ୍ଟାରଲିଂଙ୍କର ମତରେ ଅଧିକ ସତ୍ୟ ନିହିତ ।

            ବିଶର ମହାନ୍ତି କାହାଣୀରେ ମଧ୍ୟ କୁହାଯାଇଛି-ପୁରାତନ ବିଗ୍ରହର ଅପୋଡ଼ା ଅଂଶକୁ ଅଣାଯାଇ କୁଜଙ୍ଗରେ ଗୋପନରେ ରଖାଯାଇଥିଲା । ରାମଚନ୍ଦ୍ର ଦେବ ଏହାକୁ ଗ୍ରହଣ କରି ନବ ମୂର୍ତ୍ତମାନ ନିର୍ମାଣ କରାଇଲେ । ଏଥିରୁ ମଧ୍ୟ ଅନୁମାନ ହୁଏ ଯେ ନୂଆ କଳେବର ବେଳେ ମଧ୍ୟଯୁଗରେ ମଧ୍ୟ ପୁରାତନ ବିଗ୍ରହର କିଛି ଅଂଶକୁ ନୂଆ ବିଗ୍ରହରେ ସ୍ଥାପନ କରାଯାଉଥିଲା-ତାହାହିଁ ବ୍ରହ୍ମର ମୂଳ ରହସ୍ୟ । ବିଶର ମହାନ୍ତି କଥା ସେହି ସତ୍ୟର ଉଚ୍ଚାରଣ ପାଇଁ ଏକ ସଂରଚନା । ଏ ସମ୍ପର୍କରେ ଅଧିକ ଗବେଷଣା କରାଯିବା ଉଚିତ।

୧୮୨୮ ଏବଂ ୧୮୫୫ ରେ ନବକଳେବର ହୋଇଥିଲା। ୧୮୫୫ର ନବକଳେବର କାଳରେ ୩ ଜଣ ପୁରୁଷ ଏବଂ ୪ ଜଣ ମହିଳା ମରିଯିବା ଫଳରେ ସରକାର ଏ ବିଷୟରେ ଅଧିକ ଯତ୍ନ କରିବାକୁ ଉଦ୍ୟମ କରିଥିଲେ। ୧୮୭୪ ନବକଳେବର ମଧ୍ୟ କେତେକ ସମସ୍ୟା ଉପସ୍ଥାପନ କରିଥିଲା। ଉକ୍ରଳ ଦୀପିକାରେ ଏହି ପ୍ରସଙ୍ଗର ଆଲୋଚନା ବେଳେ ନବକଳେବର ବା ବ୍ରହ୍ମ ପରିବର୍ତ୍ତନ ଠିକ୍ ଭାବରେ ହୋଇ ନଥିବା କଥା ପ୍ରକାଶ ପାଇଥିଲା। ସେ ଯାହା ହେଉ ଉପନିବେଶିକ ଶାସନ କାଳରେ ନବକଳେବର ସମୟରେ ଯେପରି ଯତ୍ନ ନିଆଯାଉଥିଲା ତାହା ଅସାଧାରଣ।

ଜଗନ୍ନାଥଙ୍କର ନବକଳେବର କେମିତି ଆରମ୍ଭ ହେଲା ସେ ସମ୍ପର୍କରେ କୌଣସି ପ୍ରକାରର  ଐତିହାସିକ ପ୍ରମାଣ ବା ତଥ୍ୟ ଏଯାଏ ମିଳିନାହିଁ । ଜନଶ୍ରୁତିକୁ ଆଧାର କରି ଏହି ଧାରାଟି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମୟରୁ ଆଜିଯାଏ ଗଡ଼ିଆସିଛି ବୋଲି ଅନୁମାନ କରାଯାଏ। ଏହି ପ୍ରବନ୍ଧର ଲେଖକ ଶ୍ରୀ କୈଳାଶ ଚନ୍ଦ୍ର ଦାଶ ଇତିହାସର ପ୍ରଧ୍ୟାପକ ଓ ଜଣେ ବିଶିଷ୍ଟ ଗବେଷକ । ଉକ୍ତ ଲେଖାରେ ସେ ନବକଳେବର ସମ୍ପର୍କରେ କିଛି ଐତିହାସିକ ତଥ୍ୟ ପ୍ରଦାନ କରିଛନ୍ତି ଯାହା ଆମର ପାଠକମାନଙ୍କୁ କିଛି ବିଶେଷ ଦୃଷ୍ଟିଭଙ୍ଗୀ ପ୍ରଦାନ କରିପାରିବ ।                                 -ସମ୍ପାଦକ

About ପ୍ରଫେସର କୈଳାସ ଚନ୍ଦ୍ର ଦାଶ

ପ୍ରଫେସର କୈଳାସ ଚନ୍ଦ୍ର ଦାଶ
ଇତିହାସ ବିଭାଗର ପ୍ରଫେସର, ଗବେଷକ

Check Also

ରାଜା କେବେ ଭୂଲ କରନ୍ତି ନାହିଁ (ଜୀବନ୍ତ ସଂସ୍ମୃତି)

୧୯୪୬-୪୭ ମସିହା ହବ । ମୋତେ ୧୨-୧୩ ବର୍ଷ । ନିଆଳି ମାଇନର ସ୍କୁଲରେ ପଢ଼ୁଥାଏ । ଆମ ଗାଁ …

One comment

  1. Editor

    ଜଗନ୍ନାଥଙ୍କର ନବକଳେବର କେମିତି ଆରମ୍ଭ ହେଲା ସେ ସମ୍ପର୍କରେ କୌଣସି ପ୍ରକାରର ଐତିହାସିକ ପ୍ରମାଣ ବା ତଥ୍ୟ ଏଯାଏ ମିଳିନାହିଁ । ଜନଶ୍ରୁତିକୁ ଆଧାର କରି ଏହି ଧାରାଟି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମୟରୁ ଆଜିଯାଏ ଗଡ଼ିଆସିଛି ବୋଲି ଅନୁମାନ କରାଯାଏ। ଏହି ପ୍ରବନ୍ଧର ଲେଖକ ଶ୍ରୀ କୈଳାଶ ଚନ୍ଦ୍ର ଦାଶ ଇତିହାସର ପ୍ରଧ୍ୟାପକ ଓ ଜଣେ ବିଶିଷ୍ଟ ଗବେଷକ । ଉକ୍ତ ଲେଖାରେ ସେ ନବକଳେବର ସମ୍ପର୍କରେ କିଛି ଐତିହାସିକ ତଥ୍ୟ ପ୍ରଦାନ କରିଛନ୍ତି ଯାହା ଆମର ପାଠକମାନଙ୍କୁ କିଛି ବିଶେଷ ଦୃଷ୍ଟିଭଙ୍ଗୀ ପ୍ରଦାନ କରିପାରିବ । -ସମ୍ପାଦକ

Leave a Reply

Your email address will not be published. Required fields are marked *