Home / ଇତିହାସ / ଜଗନ୍ନାଥ ତତ୍ତ୍ୱର ମୂଳକଥା – (୫)

ଜଗନ୍ନାଥ ତତ୍ତ୍ୱର ମୂଳକଥା – (୫)

ମଧ୍ୟଯୁଗୀୟ ଓଡ଼ିଶାରେ ଶୈବ ଓ ଶାକ୍ତ ଧର୍ମର ପ୍ରଭାବ ଅଧିକ ଥିଲା । ଯଦିଓ ସେତେବେଳେ ବୈଷ୍ଣବ ଧର୍ମର ଅଗ୍ରଗତି ହେଉଥିଲା କିନ୍ତୁ ସେମାନେ ଏତେ ପ୍ରଭାବଶାଳୀ ନଥିଲେ । ଜଗନ୍ନାଥ ମନ୍ଦିରର ବିଭିନ୍ନ ଶୀଳାଲେଖରୁ ପ୍ରମାଣିତ ହୁଏ ଯେ ତିନୋଟି ଧର୍ମକୁ ଗୋଟିଏ ସ୍ଥାନରେ ପ୍ରତିଷ୍ଠିତ କରିବାପାଇଁ ପୁରୁଷୋତ୍ତମଙ୍କ ସହ ବଳଭଦ୍ର ଓ ସୁଭଦ୍ରାଙ୍କ ଉପାସନା କରାଗଲା । ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଏମିତି ଅନେକ ଗୁଡ଼ିଏ ଗବେଷଣାତ୍ମକ ତଥ୍ୟ ପ୍ରକାଶ କରିଛନ୍ତି ପ୍ରଫେସର କୈଳାଶଚନ୍ଦ୍ର ଦାଶ ଯିଏକି ଅବସର ପରେ ମଧ୍ୟ ନିଜର ଗବେଷଣା ଜାରୀରଖିଛନ୍ତି ଏବଂ ଓଡ଼ିଶାର ଇତିହାସକୁ ନେଇ ଥିବା ଆମର ବୁଝାମଣାକୁ ପରିପୃଷ୍ଠ କରୁଛନ୍ତି । -ସମ୍ପାଦକ

ପୁରୁଷୋତ୍ତମ କ୍ଷେତ୍ରରେ ବୃହତ୍ ଜଗନ୍ନାଥ ମନ୍ଦିରରେ ଏହି ଚତୁର୍ଦ୍ଧା ମୂର୍ତ୍ତିର ଉପାସନାର ପ୍ରଚଳନ ମଧ୍ୟଯୁଗୀୟ ଓଡିଶାର ଧର୍ମଧାରଣା ଚର୍ଚ୍ଚାର ଏକ ସ୍ମରଣୀୟ ଦିଗ । ଏହି ସମ୍ପର୍କରେ ନାନା ମତ ପ୍ରକାଶ ପାଇଛି । କେତେକ ଗବେଷକ ଗଙ୍ଗବଂଶୀ ସମ୍ରାଟ ଚୋଡଗଙ୍ଗଙ୍କ ରାଜତ୍ୱ କାଳରେ ଅର୍ଥାତ୍ ଦ୍ୱାଦଶ ଶତକର ପ୍ରଥମ ଚାରି ଦଶନ୍ଧି ମଧ୍ୟରେ ଏହି ଉପାସନା ପ୍ରଚଳିତ ହୋଇଥିବାର ଚର୍ଚ୍ଚା କରିଛନ୍ତି । ଏହି ମତଟି ଜଗନ୍ନାଥ ମନ୍ଦିର ବେଢାରେ ଥିବା ନରସିଂହ ମନ୍ଦିରର ଏକ ଶିଳାଲିପିର ପାଠ ଉପରେ ଆଧାରିତ । (ଦାଶ କୈଳାସ ଚନ୍ଦ୍ର, “ପୁରୁଷୋତ୍ତମ କ୍ଷେତ୍ରରେ ବଳଭଦ୍ର ଉପାସନା”, ଶ୍ରୀମନ୍ଦିର, ଦ୍ୱାଦଶ ବର୍ଷ, ୧୯୯୨, ସଂଖ୍ୟା-୧୮, ପୃ-୮-୯)

ଏହି ଶିଳାଲିପିଟି ମନ୍ଦିରର ଦକ୍ଷିଣ ଦିଗରେ ତଳଭାଗର ବରାହ ମୂର୍ତ୍ତି ନିକଟରେ ଥିବା ପଦ୍ମବାଡ ପାଖରେ ରହିଛି । ଏହି ଶିଳାଲିପି ଅନୁସାରେ ଜୟରାଜ ନାମକ ମାଳାକାର ପୁରୁଷୋତ୍ତମ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ପୂଜା ପାଇଁ ନିଷ୍କ ଦାନ କରିଥିଲେ । ଏହି ଶିଳାଲେଖଟି ଚୋଡଗଙ୍ଗଙ୍କ ସମୟରେ ପ୍ରଦତ୍ତ ଲିପି ପାଖରେ ଥିଲେ ମଧ୍ୟ ଏଥିରେ ରାଜକୀୟ ବର୍ଷ ନଥିବାର ଜଣାଯାଇଛି । ଲିପିତତ୍ତ୍ୱବିତ୍ ସ୍ନିଗ୍ଧା ତ୍ରିପାଠୀଙ୍କ ମତାନୁସାରେ ଏହା ଆନନ୍ଦ(ବୃହଷ୍ପତିଙ୍କର ଦ୍ୱାଦଶ ବର୍ଷିୟ ଚକ୍ରାକାର ଗତି)ବର୍ଷର ସୋମବାର, ବୈଶାଖ ମାସର ଅମାବାସ୍ୟା ନବମୀ ତିଥିରେ ପ୍ରଦତ୍ତ । (Tripathy, S., Descriptive Topographical Catalogue of Orissan Inscriptions, Manohar, Delhi, 2010, p.409) ତେଣୁ ଏହାକୁ ରାଜକୀୟ ବିବରଣୀ ହିସାବରେ ଗ୍ରହଣ କରାଯାଇନପାରେ । ଏହା ବ୍ୟକ୍ତଗତ ଦାନ ।

ଏପରି ବ୍ୟକ୍ତଗତ ଦାନର ଶିଳାଲିପି ମଧ୍ୟ ନୃସିଂହ ମନ୍ଦିରରେ ରହିଛି । ଏହି ଦୃଷ୍ଟିରୁ ଏହି ଶିଳାଲେଖଟି ଚୋଡଗଙ୍ଗ କାଳର ବୋଲି ଗ୍ରହଣ କରିହେବନାହିଁ । ନୃସିଂହ ମନ୍ଦିରର ଦକ୍ଷିଣ ଦିଗର ବାହାର କାନ୍ଥରେ କାମାର୍ଣ୍ଣବ ଦେବଙ୍କ ରାଜତ୍ୱର ପଞ୍ଚମ ବର୍ଷରେ ପୁରୁଷୋତ୍ତମଙ୍କ ସେବା ପୂଜା ପାଇଁ ଦାନର ପରିଚାଳନା କରିଥିଲେ ଜଣେ ମାଳାକାର ଶ୍ରେଷ୍ଠୀ ଜୟରାଜ । (Tripathy, 2010, p.417)  ଏହି ଦୁଇ ଜୟରାଜ ସମାନ ବ୍ୟକ୍ତି ହୋଇଥିବାର କୌଣସି ପ୍ରମାଣ ନାହିଁ । ପ୍ରଥମ ଶିଳାଲିପିରେ ଜୟରାଜ ମାଳାକାର ବୋଲି ସୂଚିତ । ସେ ନିଜେ ଏବଂ ଅନ୍ୟ ଏକ ବ୍ୟକ୍ତି(ନାମ ନଷ୍ଟ ହୋଇଯାଇଛି) ପୁରୁଷୋତ୍ତମ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ପାଇଁ ନିଜସ୍ୱ ଦାନ ଦେଇଥିବାର ସୂଚିତ । ଅନ୍ୟ ଜୟରାଜ ମାଳାକାର ଶ୍ରେଷ୍ଠୀ ବୋଲି ବର୍ଣ୍ଣିତ ।

ତେଣୁ ଦାନବ୍ୟବସ୍ଥା ସେ ଅନ୍ୟର ପରିଚାଳନା କରିଥିଲେ । ଜୟରାଜ କାମାର୍ଣ୍ଣବଙ୍କ ସମୟରେ ବଂଚିଥିଲେ ଏବଂ ତାଙ୍କ ପରେ ମଧ୍ୟ ବଂଚିଥାଇପାରନ୍ତି । ସେ ଦୃଷ୍ଟିରୁ ଏଠାରେ ଏତିକି କୁହାଯାଇପାରେ ଯେ ପୁରୁଷୋତ୍ତମ କ୍ଷେତ୍ରରେ ତ୍ରିମୂର୍ତ୍ତି ଉପାସନା କାମାର୍ଣ୍ଣବ ଦେବଙ୍କ ପରବର୍ତ୍ତୀ କାଳରେ ସମ୍ଭବ ହୋଇଥାଇପାରେ। ଗଙ୍ଗରାଜା ରାଜାରାଜ(ତୃତୀୟ)ଙ୍କ ୧୧୯୮ ଖ୍ରୀଷ୍ଟାବ୍ଦରେ ପ୍ରଦତ୍ତ ଦାସଗୋବା ଗ୍ରାମରୁ ପ୍ରାପ୍ତ ତାମ୍ରଫଳକାନୁସାରେ ଚୋଡଗଙ୍ଗ ପୁରୁଷୋତ୍ତମ ମନ୍ଦିର ନିର୍ମାଣ ପରେ ସେଠାରେ ଶ୍ରୀପୁରୁଷୋତ୍ତମ ଉପାସନା ପ୍ରବର୍ତ୍ତିତ ହୋଇଥିଲା। ଏହାକୁ ବିଚାରକୁ ନେଲେ ମନେହୁଏ ରାଜାରାଜ ତୃତୀୟଙ୍କ ଶାସନର ଶେଷଭାଗରେ କିମ୍ବା ତାଙ୍କ ପୁତ୍ର ଅନଙ୍ଗଭୀମ ତୃତୀୟଙ୍କ ଶାସନର ଆରମ୍ଭରେ ପ୍ରଥମେ ପୁରୁଷୋତ୍ତମ ମନ୍ଦିରରେ ପୁରୁଷୋତ୍ତମ, ବଳଭଦ୍ର ଏବଂ ସୁଭଦ୍ରା ଉପାସନା ପ୍ରବର୍ତ୍ତନ କରାଗଲା । କାରଣ ତାଙ୍କ ପୁତ୍ର ଅନଙ୍ଗଭୀମ ନରେନ୍ଦ୍ରଙ୍କ ରାଜତ୍ୱ ବେଳକୁ ଏହି ଉପାସନା ପ୍ରସିଦ୍ଧ ହୋଇଥିଲା ।

ପୁରୁଷୋତ୍ତମ କ୍ଷେତ୍ରରେ ଏପରି ଉପାସନା ଓଡିଶାର ଧର୍ମଧାରଣାରେ ସମନ୍ୱୟ ଭାବ ପ୍ରବର୍ତ୍ତନ ପାଇଁ ଉଦ୍ଦିଷ୍ଟ ଥିଲା । ପ୍ରାକ୍-ଚୋଡଗଙ୍ଗ କାଳରେ ଓଡିଶାର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଧର୍ମଧାରାର କେନ୍ଦ୍ରମାନ ସ୍ଥାପିତ ହୋଇଥିଲା । ସେହି ସମସ୍ତ ସ୍ଥାନ ମଧ୍ୟରୁ ଯାଜପୁରର ବିରଜା କ୍ଷେତ୍ର, ଭୁବନେଶ୍ୱରର ଶିବ-ଲିଂଗରାଜ କ୍ଷେତ୍ର ଏବଂ ପୁରୀର ପୁରୁଷୋତ୍ତମ କ୍ଷେତ୍ର ବିଶେଷ ଖ୍ୟାତି ଲାଭ କରିଥିଲେ ।

ମଧ୍ୟଯୁଗର ଆରମ୍ଭ କାଳରେ ଶୈବ ଓ ଶାକ୍ତମାନେ ଓଡିଶାର ଧର୍ମଧାରାରେ ଅତ୍ୟନ୍ତ ପରାକ୍ରମଶାଳୀ ଥିଲେ । ଏହି କାଳରେ ବୈଷ୍ଣବ ଧର୍ମ ମଧ୍ୟ କିଛି ଅଗ୍ରଗତି କରିପାରିଥିଲା । କିନ୍ତୁ ଶୈବ ଓ ଶାକ୍ତମାନଙ୍କ ପରି ବୈଷ୍ଣବ ମାନେ କ୍ଷମତାଶାଳୀ ନଥିଲେ। ଅବଶ୍ୟ ଓଡିଶାର ରାଜାମାନେ ସମ୍ପୂର୍ଣ୍ଣ ଭାବରେ ବୈଷ୍ଣବ ଧର୍ମ ପ୍ରତି ବିମୁଖ ହୋଇଯାଇନଥିଲେ । ସେମାନେ ବୈଷ୍ଣବ ଧର୍ମର ପ୍ରସାର ପାଇଁ କିଛି ଉଦ୍ୟମ କରିଥିବାର ସୂଚନା ଅଭିଲେଖୀୟ ଉପାଦାନରୁ ସଂଗ୍ରହ କରାଯାଇପାରେ । (The Cult of Jagannatha and the Regional Tradition of Orissa, CJRTO, eds. Eschmann, H.Kulke, G.C. Tripathy, 1978, Manohar, New Delhi,ଷ୍ଟିଟେନକ୍ରୋନ୍ ହେନରୀଙ୍କ ଆଲୋଚନା, ପୃ-୧-୩୦)

ତେବେ ମଧ୍ୟ ବିଷ୍ଣୁ ଉପାସନା ଓଡିଶାରେ ବିଶେଷ ପ୍ରସାରିତ ହୋଇଥିବାର ଜଣାଯାଏନାହିଁ । ଗଙ୍ଗ ରାଜତ୍ୱ ପୂର୍ବରୁ ସୋମବଂଶୀ ରାଜାମାନେ ଦୃଢଭାବରେ ଶୈବ ଥିଲେ ଏବଂ ସେମାନଙ୍କର ରାଜତ୍ୱ କାଳରେ ଏକାମ୍ର ଶୈବ ପୀଠର ମୁଖ୍ୟ ଦେବତା ଶିବ- କୃତ୍ତିବାସ-ଲିଙ୍ଗରାଜ ଅତି ପରାକ୍ରମଶାଳୀ ଥିଲେ । (ମାଦଳାପାଞ୍ଜି, ୧୯୬୯, ପୃ-୨୧; ଦାଶ ଗଗନେନ୍ଦ୍ରନାଥ, “The Evolution of the Priestly Power: The Gangavamsa Period”, CJRTO, p.159; କୁଲ୍କେ, ହର୍ମାନ୍, “Early Royal Patronage of the Jagannath Cult”, CJRTO, p.144; ଦାଶ କୈଳାସ ଚନ୍ଦ୍ର, “ମଧ୍ୟଯୁଗୀୟ ଓଡିଶାରେ ଶୈବ-ବୈଷ୍ଣବ ବିବାଦ”, ନବପତ୍ର, ରାଉରକେଲା, ୧୯୮୭, ଚତୁର୍ଥ ସଂଖ୍ୟା, ପୃ-୩୭-୪୪)

ଭୁବନେଶ୍ୱରରେ ଶିବ-ଲିଂଗରାଜଙ୍କ ପାଇଁ ବୃହତ୍ ମନ୍ଦିର ନିର୍ମାଣ ଫଳରେ ଶୈବମାନେ କ୍ଷମତାଶାଳୀ ହୋଇଥିଲେ । ଏକାମ୍ର ଶୈବ କ୍ଷେତ୍ରରେ ଅନ୍ୟ ମନ୍ଦିରମାନ ନିର୍ମାଣ ହେବାଦ୍ୱାରା ଏହି କ୍ଷେତ୍ର ମହତ୍ୱ ବଢିଯାଇଥିଲା । ଶୈବମାନେ କେବଳ ଭୁବନେଶ୍ୱରରେ ସକ୍ରିୟ ନଥିଲେ ସେମାନେ ମଧ୍ୟ ପୁରୁଷୋତ୍ତମ କ୍ଷେତ୍ରରେ କ୍ଷମତାଶାଳୀ ଥିଲେ, ଯେଉଁଠାରେ ସୋମବଂଶୀକାଳରେ କେତେକ ଶୈବ ମନ୍ଦିର ନିର୍ମାଣ କରାଯାଇଥିଲା । ଚୋଡଗଙ୍ଗ ଓଡିଶା ବିଜୟ ପରେ ନିଜେ ପରମ-ମାହେଶ୍ୱର ଏବଂ ପରମ-ବୈଷ୍ଣବ ବୋଲି ତାମ୍ରଫଳକ ପ୍ରଶସ୍ତିମାନଙ୍କରେ ସ୍ୱୀକାର କରିବା ଫଳରେ ବୈଷ୍ଣମ ଧର୍ମ ପ୍ରସାରିତ ହେଲା ।

କିନ୍ତୁ ଚୋଡଗଙ୍ଗ ତାଙ୍କ ଧର୍ମଧାରାରେ ୧୧୧୫ ଖ୍ରୀଷ୍ଟାବ୍ଦୀ ବେଳକୁ ନିଜକୁ କେବଳ ପରମ ବୈଷ୍ଣମ ବୋଲି ପ୍ରକାଶ କଲେ ଏବଂ ପୁରୁଷୋତ୍ତମ କ୍ଷେତ୍ରରେ ବିଷ୍ଣୁ-ପୁରୁଷୋତ୍ତମଙ୍କ ପାଇଁ ମହାମନ୍ଦିର ନିର୍ମାଣ କଲେ । ଏହାଫଳରେ ବୈଷ୍ଣବମାନଙ୍କର ପ୍ରାଧାନ୍ୟ ଓଡିଶାର ଧର୍ମଧାରାରେ ଅନୁଭବ କରାଗଲା । ଚୋଡଗଙ୍ଗ ରାଜତ୍ୱ କାଳରେ ପୁରୁଷୋତ୍ତମ-ବିଷ୍ଣୁଙ୍କର ବ୍ୟାପକ ସେବାପୂଜାର ବ୍ୟବସ୍ଥା ହେଲା । ଶୈବମାନଙ୍କର ପ୍ରଭାବ କମିବାକୁ ଲାଗିଲା । ଅବଶ୍ୟ ଚୋଡଗଙ୍ଗ ଉଭୟ ଧର୍ମଧାରାରେ ଭାରସାମ୍ୟ ରଖିଥିଲେ । କିନ୍ତୁ ପରେ ଶୈବ-ବୈଷ୍ଣବ ବିବାଦ ମୁଣ୍ଡଟେକି ଉଠିଲା ।

ଏହାର କେତେକ ପରୋକ୍ଷ ସୂଚନା ରହିଛି । ଗଙ୍ଗରାଜା ରାଘବ ବୈଷ୍ଣବ ଧର୍ମର ଆଧିପତ୍ୟକୁ ଲକ୍ଷ୍ୟକରି ଶାକ୍ତ ଧର୍ମ(ଶୈବ ଧର୍ମର ଅଧୀନସ୍ଥ ଧର୍ମଧାରା)ର ପ୍ରସାର ପାଇଁ ଉଦ୍ୟମ କରିଥିଲେ ଏବଂ ନିଜକୁ ଦେବୀ ଦାସ ବୋଲି ପ୍ରକାଶ କରିଥିଲେ । ଶୈବମାନେ ଓଡିଶାର କେତେକ ବୌଦ୍ଧପୀଠକୁ ଶୈବପୀଠରେ ପରିଣତ କଲେ ଏବଂ ରାଜଶକ୍ତିର ସହଯୋଗରେ ସେସବୁ ସ୍ଥାନରେ ଶୈବ ମନ୍ଦିର ନିର୍ମାଣ କଲେ; ସେସବୁ ସ୍ଥାନ ବୈଷ୍ଣବମାନେ ଅଧିକାର କରିବାକୁ ଇଚ୍ଛା କରିଥିବେ । ମାଦଳାପାଞ୍ଜିରେ ଏହାର ସୂଚନା ରହିଛି ।( ମାଦଳାପାଞ୍ଜି, ପୃ-୨୫-୨୬) ଚୋଡଗଙ୍ଗଙ୍କ ରାଜତ୍ୱ କାଳରେ ଏବଂ ତାଙ୍କ ରାଜତ୍ୱର ଶେଷ ପରେ ଶୈବ-ବୈଷ୍ଣବ ବିବାଦ ଚାଲିଥିଲା।

ଚୋଡଗଙ୍ଗ ରାଜତ୍ୱ ପରେ ଗଙ୍ଗରାଜାମାନେ ଏହି ବିବାଦପୂର୍ଣ୍ଣ ପରିବେଶ ପ୍ରସଂଗ ଚିନ୍ତା କରି ଉଭୟ ଧର୍ମଧାରା ମଧ୍ୟରେ ଭାରସାମ୍ୟ ରକ୍ଷା କରିବାକୁ ଚେଷ୍ଟା କରିଥିବେ-ଯାହାର ପରିଣତିରେ ସେମାନେ ଶୈବ, ଶାକ୍ତ ଓ ବୈଷ୍ଣବ ଧର୍ମଧାରାକୁ ସମର୍ଥନ ଜଣାଇଥିଲେ । ଏହି ତିନୋଟି ଧର୍ମଧାରାର ସମନ୍ୱୟ କରିବାର ଏକ ମୁଖ୍ୟ ପଦକ୍ଷେପ ଥିଲା ପୁରୁଷୋତ୍ତମ କ୍ଷେତ୍ରରେ ଏକ ସ୍ଥାନରେ ପୁରୁଷୋତ୍ତମ, ବଳଭଦ୍ର ଓ ସୁଭଦ୍ରାଙ୍କ ଉପାସନା । ପଞ୍ଚରାତ୍ର ଦର୍ଶନର ବ୍ୟୁହମତ ଅନୁସାରେ ବାସୁଦେବ ତିନୋଟିରୂପରେ ନିଜକୁ ପ୍ରକାଶ କରିଛନ୍ତି-ଶଙ୍କର୍ଷଣ, ପ୍ରଦ୍ୟୁମ୍ନ ଏବଂ ଅନିରୁଦ୍ଧ । ସନତ୍ କୁମାର ସଂହିତାରେ ଶଙ୍କର୍ଷଣଙ୍କୁ ଶିବଙ୍କ ସହିତ ଚିହ୍ନିତ କରାଯାଇଛି । (ତ୍ରିପାଠୀ, ଗୟାଚରଣ, “ଙଦ୍ଭ ଗ୍ଧଷର ଉକ୍ଟଦ୍ଭମରକ୍ଟ୍ରଗ୍ଧ କ୍ଟଲ ଚଙ୍କକ୍ସଙ୍କଗ୍ଦକ୍ଟଗ୍ଧଗ୍ଧବଜ୍ଞବ ସଦ୍ଭ ଗ୍ଧଷର ଇଶବଜ୍ଞବଗ୍ଦ”, ଉଔଜଞଙ, କ୍ଟ୍ର.୧୮୯.) “On the Concept of Purusottama in the Agamas”, CJRTO, p.189.) ପୁରାଣମାନଙ୍କରେ ଏହି ତଥ୍ୟକୁ ମଧ୍ୟ ଗ୍ରହଣ କରାଯାଇଛି । କବି ସାରଳା ଦାସ ମଧ୍ୟ ବଳଭଦ୍ରଙ୍କୁ ରୂଦ୍ର ଅବତାର-ଧବଳ ବର୍ଣ୍ଣ ବୋଲି ପ୍ରକାଶ କରିଛନ୍ତି ।

ବଳଭଦ୍ରଙ୍କୁ ସଂପୂର୍ଣ୍ଣ ରୂପେ ଶିବଙ୍କ ସହିତ ଚିହ୍ନିତ କରାଯାଇଛି ତେଣୁ ଗଙ୍ଗ ରାଜତ୍ୱ କାଳରେ ଶୈବ-ବୈଷ୍ଣବ ବିବାଦ ପର୍ଯ୍ୟାୟରେ ବଳଭଦ୍ର-ଶଙ୍କର୍ଷଣ କୃଷ୍ଣ-ପୁରୁଷୋତ୍ତମଙ୍କର ଜ୍ୟେଷ୍ଠ ଭ୍ରାତା ହିସାବରେ ପୁରୁଷୋତ୍ତମ କ୍ଷେତ୍ରରେ ଉପାସିତ ହେଲେ । ଏହାଦ୍ୱାରା ପୁରୁଷୋତ୍ତମ କ୍ଷେତ୍ରର ଶୈବମାନେ ତଥା ଓଡିଶାର ଶୈବମାନେ ସନ୍ତୁଷ୍ଟ ହୋଇଥିଲେ । ପୁଣି ଯେହେତୁ ପୁରୁଷୋତ୍ତମ କ୍ଷେତ୍ର ଏକଦା ଶାକ୍ତ-ତାନ୍ତ୍ରିକମାନଙ୍କ ଅଧିନରେ ଥିଲା ଏବଂ ବିମଳା କେନ୍ଦ୍ରସ୍ଥାନରେ ପୀଠେଶ୍ୱରୀ ରୂପେ ରହି ପୂଜା ପାଉଥିଲେ ତେଣୁ ପୁରୁଷୋତ୍ତମ କ୍ଷେତ୍ରରେ କୃଷ୍ଣଙ୍କର ତତ୍ତ୍ୱ ଅନୁଯାୟୀ ସୁଭଦ୍ରା ପୁରୁଷୋତ୍ତମ ଓ ବଳଭଦ୍ର ମଧ୍ୟରେ ରହି ପୂଜା ପାଇଲେ । ସୁଭଦ୍ରାଙ୍କର ମଧ୍ୟସ୍ଥଳରେ ଅବସ୍ଥାନରୁ ଜଣାଯାଏ ଯେ ପୁରୁଷୋତ୍ତମ କ୍ଷେତ୍ରରେ ଶାକ୍ତ ପରଂପରା ଏକଦା ମଧ୍ୟ ପ୍ରଭାବଶାଳୀ ଥିଲା ।

ପୁରୁଷୋତ୍ତମ କ୍ଷେତ୍ରରେ ଏପରି ଉପାସନା ବଳରେ ପୂର୍ବରୁ ପୂଜିତ ଶ୍ରୀପୁରୁଷୋତ୍ତମଙ୍କର କାମରୂପକୁ ଅଗ୍ରାହ୍ୟ କରାଗଲା । ଏହି ତ୍ରିମୂର୍ତ୍ତି ଉପାସନା ରାଜାରାଜ ତୃତୀୟଙ୍କ ଶେଷ କାଳରେ ଅଥବା ତାଙ୍କ ପୁତ୍ର ତୃତୀୟ ଅନଙ୍ଗଭୀମଦେବଙ୍କ ରାଜତ୍ୱର ଆରମ୍ଭରେ ସମ୍ଭବ ହୋଇପାରିଥିଲା, କାରଣ ଅନଙ୍ଗଭୀମଦେବଙ୍କ ଶାସନର ତାମ୍ରଫଳକ ତଥା ଶିଳାଲେଖରେ ବଳଭଦ୍ର ଉପାସନା ତାଙ୍କ ସମୟକୁ ପ୍ରଚଳିତ ଥିବାର ଉଲ୍ଲେଖ ହୋଇଛି । ପୁରୁଷୋତ୍ତମ କ୍ଷେତ୍ରରେ ଗଙ୍ଗ ରାଜତ୍ୱ କାଳରେ ଏହି ତ୍ରିମୂର୍ତ୍ତି ଉପାସନା ଓଡିଶାର ଧର୍ମଧାରଣାରେ ସମନ୍ୱୟ ଆଣିଥିଲା । ସମ୍ଭବତଃ ଏହି ତ୍ରିମୂର୍ତ୍ତି ଉପାସନା ଦାରୁ ବିଗ୍ରହ ସହିତ ଜଡିତ ।

ପୂର୍ବରୁ ପୂଜିତ ଶ୍ରୀପୁରୁଷୋତ୍ତମ ପାଷାଣ ବିଗ୍ରହ ଥିବାର ଅନୁମାନ କରାଯାଏ । ଯେତେବେଳେ ଏହି ଧର୍ମ ସମନ୍ୱୟୀକରଣର ବାର୍ତ୍ତା ବହନ କରି ତ୍ରିମୂର୍ତ୍ତି ଉପାସନା ପୁରୁଷୋତ୍ତମ କ୍ଷେତ୍ରରେ ଏକ ସିଂହାସନରେ ପ୍ରବର୍ତ୍ତନ କରାଗଲା ସେତେବେଳେ ଏହି ତ୍ରିମୂର୍ତ୍ତି ଦାରୁବିଗ୍ରହ ରୂପେ ପରିଚିତ ହେଲେ କାରଣ ଏହାଦ୍ୱାରା ଆର୍ଯ୍ୟ ଓ ଅଣ ଆର୍ଯ୍ୟ(ଆଦିମ ଗୋଷ୍ଠୀ) ମଧ୍ୟରେ ସମନ୍ୱୟ ତଥା ସୁସମ୍ପର୍କ ସ୍ଥାପିତ ହେଲା । ପୁରୁଷୋତ୍ତମ କ୍ଷେତ୍ରରେ ତ୍ରିମୂର୍ତ୍ତି ଦାରୁ ବିଗ୍ରହ ଉପାସନା ହିନ୍ଦୁକରଣ ପ୍ରକ୍ରିୟାର ଏକ ମୁଖ୍ୟ ପ୍ରମାଣ । ଗଙ୍ଗ ରାଜତ୍ୱ କାଳରେ ପୁରୁଷୋତ୍ତମ କ୍ଷେତ୍ରରେ ଏହି ହିନ୍ଦୁକରଣ ଗଙ୍ଗସାମ୍ରାଜ୍ୟରେ କ୍ଷମତା ବୈଧିକରଣରେ ବଳିଷ୍ଠ ଭୂମିକା ନେଇଥିଲା । ଅନଙ୍ଗଭୀମ ଦେବଙ୍କ ରାଜତ୍ୱ କାଳରେ ପୁରୁଷୋତ୍ତମଙ୍କୁ ଜଗନ୍ନାଥ ରୂପେ ପରିଚିତ କରାଯାଇ ଧର୍ମଧାରଣାରେ ଜଗନ୍ନାଥ ତତ୍ତ୍ୱର ଅସଲ ବୀଜ ରୋପଣ କରାଗଲା ।

 

photo credit-

https://www.google.com/search?q=JAGANNATHA+MANDIRA&tbm=isch&tbs=rimg:CRgHH5IzMXb9Ijjwb3bTcQDEV4mTYu-9uZLFJNjuKIyLPiEM1rG22Jbzg004s6Q_1YRhR7lsIp41OSQ-vexbhVVNvSioSCfBvdtNxAMRXEc-ZZ3HkaS32KhIJiZNi7725ksURR1yK53UF5ugqEgkk2O4ojIs-IRGZgvyibo82BSoSCQzWsbbYlvODER7YTqNywEyRKhIJTTizpD9hGFERw6DyPGJ7yHIqEgnuWwinjU5JDxFB5S8z2F4PXCoSCa97FuFVU29KEaK9PVzi7xO1&tbo=u&sa=X&ved=2ahUKEwjPzcfVxMXfAhUSCuwKHRRtCHkQ9C96BAgBEBg&biw=1366&bih=626&dpr=1#imgrc=m2dYHzf3HRHonM:

About ପ୍ରଫେସର କୈଳାସ ଚନ୍ଦ୍ର ଦାଶ

ପ୍ରଫେସର କୈଳାସ ଚନ୍ଦ୍ର ଦାଶ
ଇତିହାସ ବିଭାଗର ପ୍ରଫେସର, ଗବେଷକ

Check Also

ରାଜା କେବେ ଭୂଲ କରନ୍ତି ନାହିଁ (ଜୀବନ୍ତ ସଂସ୍ମୃତି)

୧୯୪୬-୪୭ ମସିହା ହବ । ମୋତେ ୧୨-୧୩ ବର୍ଷ । ନିଆଳି ମାଇନର ସ୍କୁଲରେ ପଢ଼ୁଥାଏ । ଆମ ଗାଁ …

Leave a Reply

Your email address will not be published. Required fields are marked *