Home / ସମୀକ୍ଷା / ଜଗତ ଉଦ୍ଧାର ହେଉ- ସାରାଂଶ

ଜଗତ ଉଦ୍ଧାର ହେଉ- ସାରାଂଶ

କାନ୍ଦ, ଓଡ଼ିଶା କାନ୍ଦ,

ତୋର ଜରୁଆ ଦେହଯାକ ତ

ଗୋରୁମହିଷାଣୀ ଘାଆରେ ଭରିଦବାକୁ

ବହୁରାଷ୍ଟ୍ରୀୟଙ୍କ ଗୁହାଳରେ

ଆରାମରେ ପାକୁଳାଇଥିବା

ନେତା, ବୁଦ୍ଧିଜୀବୀମାନେ

ଜଗନ୍ନାଥଙ୍କ ରାଣ ପକାଇଛନ୍ତି

ନଭେମ୍ବର ୧୯୨୬ । ଇଟାଲୀରେ ଆରମ୍ଭ ହୋଇଯାଇଛି ଫାସିଷ୍ଟ ଶାସନ । ଘୋଷଣା କଲେ ସ୍ୱେଚ୍ଛାଚାରୀ ଶାସକ ମୁସୋଲିନୀ,‘ୟୁରୋପର ସର୍ବଶ୍ରେଷ୍ଠ ମସ୍ତିଷ୍କକୁ ଅକାମୀ ନକଲେ ଆମ ଶାସନ ନିରଙ୍କୁଶ ହୋଇପାରିବନି । ସାଂସଦ ଏଣ୍ଟୋନିଓ ଗ୍ରାମସକୀଙ୍କ ପ୍ରଜ୍ଞାଙ୍କୁ ସୁଯୋଗହୀନ କରାଇଦବାକୁ ପଡ଼ିବ ତାଙ୍କୁ ଜେଲରେ ପୂରାଇ’ । ୨୧ବର୍ଷ ୪ମାସ ଜେଲ ଦଣ୍ଡରେ ଦଣ୍ଡିତ ହେଲେ ଗ୍ରାମସକୀ ।

ଜେଲର ନିବୁଜକୋଠରୀ ଭିତରେ ଗ୍ରାମ୍ଶି ଲେଖିଲେ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଜେଲ୍ ନୋଟ୍ବୁକ୍’, ନାଗରିକ ସମାଜର ସାଂସ୍କୃତିକ ଆଧିପତ୍ୟ’ (ହିଜିମୋନି) ତତ୍ତ୍ୱ ମାଧ୍ୟମରେ ସେ ଏକ ନୂତନ ଅଧ୍ୟାୟ ଯୋଗ କଲେ ମାର୍କ୍ସବାଦୀ ରାଜନୀତି ବିଜ୍ଞାନରେ ।

ସାଂସ୍କୃତିକ ଆଧିପତ୍ୟ ସମ୍ଭବ ହୁଏ ମୁଖ୍ୟତଃ ନାଗରିକ ସମାଜ ମାଧ୍ୟମରେ । ଏଥିରେ ପ୍ରମୁଖ ଭୂମିକା ରହେ ସଚେତନ ସକ୍ରିୟ ବୁଦ୍ଧିଜୀବୀସମାଜର ।

ଫରାସୀ ବିପ୍ଳବ ମୂଳରେ ଥିଲା ତିନୋଟି ଯାଦୁକରୀ କଲମ । ସେ କଲମଧାରୀମାନେ ଥିଲେ ରୁଷୋ, ଭଲ୍ଟେୟାର୍ ଓ ମଣ୍ଟାଗୁ । ମାର୍କ୍ସଙ୍କ ଭବିଷ୍ୟତବାଣୀ ବ୍ୟର୍ଥ ହୋଇଗଲା । ଶିଳ୍ପରେ ଅଗ୍ରଣୀ ରାଷ୍ଟ୍ର ଇଂଲଣ୍ଡ ଓ ଜର୍ମାନୀରେ ସାମ୍ୟବାଦ ସ୍ଥାପିତ ହୋଇପାରିଲାନି କାରଣ ସେଠାରେ ପ୍ରମୁଖ ବୁଦ୍ଧିଜୀବୀ ସମାଜ ସାମ୍ୟବାଦର ସମର୍ଥକ ନଥିଲା ।

ବୁଦ୍ଧିଜୀବୀମାନଙ୍କୁ ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ – ନିଷ୍ଫଳ ବା ଉଦାସୀନ, ଛଳଯୁକ୍ତ ବା ଭ୍ରାନ୍ତ ଓ ବିପ୍ଳବୀ । ମାର୍କ୍ସଙ୍କ ଭବିଷ୍ୟତବାଣୀ ସଫଳ ହୋଇଥାନ୍ତା ଯଦି ବିପ୍ଳବୀ ବୁଦ୍ଧିଜୀବୀ ସମାଜରେ ଯଥେଷ୍ଟ ଥାଆନ୍ତେ ଏବଂ ଶ୍ରମିକ ଶ୍ରେଣୀ ସେମାନଙ୍କର ସମ୍ପୂର୍ଣ୍ଣ ସମର୍ଥନ ପାଇଥାଆନ୍ତା ।

ନିଷ୍ଫଳ ବା ଉଦାସୀନ ବୁଦ୍ଧିଜୀବୀ ଶ୍ରେଣୀକୁ ବୁଦ୍ଧିକର୍ମୀ ବା Intellect Workers କୁହାଯାଇପାରେ । ଏମାନଙ୍କ ମଧ୍ୟରେ ଅନେକେ ଦାସତ୍ୱକୁ କରିଦେଇଛନ୍ତି ଅନ୍ତର୍ମନ ନିହିତ (Internalised Slavery) । କମ୍ପାନୀ ଚାକିରି ତ ଦାସତ୍ୱର ନାମାନ୍ତର । କେବଳ ଭୋଗର ସାମଗ୍ରୀ କିଣିବାରେ ଏମାନେ ପାଆନ୍ତି ସ୍ୱାଧୀନତାର ଆନନ୍ଦ ।

ଏକଦା ଆମେରିକାରେ ଲୋକେ କହୁଥିଲେ ‘ମୁଁ ମୋର ସ୍ୱାଧୀନତା ହରାଇବାକୁ ଚାହେଁନା । ପଇସା ପାଇଁ ମୋ ଶ୍ରମ ବିକ୍ରିକରି (Wage Labour) ମୁଁ ତମ ଆଦେଶ ଅନୁଯାୟୀ କାମ କଲେ ମୋର ସ୍ୱାଧୀନତା ରହିବ କେମିତି?’ ଆଜି ଶ୍ରମବିକ୍ରି ଅତି ସାଧାରଣ ହୋଇଯାଇଛି ଓ କେହି ଭାବୁନାହାନ୍ତି ଆମର ସ୍ୱାଧୀନତା ତା’ଦ୍ୱାରା ବିପନ୍ନ ହୋଇପଡ଼ୁଛି ।

ମାନସିକ ଶ୍ରମ ଓ ଶାରୀରିକ ଶ୍ରମ ମଧ୍ୟରେ ବିଭେଦ, ଧଳାକଲାର୍ (Collar) ଓ ନୀଳକଲାର୍ ମଧ୍ୟରେ ଭିନ୍ନତା ସୃଷ୍ଟିକଲା ଖଣ୍ଡିତ ମାନବକୁ । ମାର୍କ୍ସଙ୍କ ‘ପରଦେଶୀକରଣ’(Alienation) ହେଲା ତା’ର ପରିଣତି ।

ଯେଉଁ ଦେଶର ସମାଜ ଯେତେ ଉନ୍ନତ, ମାନସିକ ଶ୍ରମଜୀବୀଙ୍କ ସଂଖ୍ୟା ସେ ଦେଶରେ ସେତେ ବେଶି, ଏମାନଙ୍କ ମଧ୍ୟରୁ ଶତକଡ଼ା ଅନେଶତଜଣ ସମାଜ ସଚେତନ ନୁହନ୍ତି । ଏମାନେ ଭାବନ୍ତି ସମାଜ ଠିକ୍ ରାସ୍ତାରେ କେମିତି ଚାଲିବ । ସେ ବିଷୟ ଭାବିବା ଦାୟିତ୍ୱ ଦାର୍ଶନିକ ଓ ସମାଜତତ୍ତ୍ୱବିତ୍ ଓ ରାଜନୀତିଜ୍ଞମାନଙ୍କର । ଏମାନଙ୍କ ଦର୍ଶନ ହେଉଛି ‘ତମେ ତମ ନିଜ କାମ ଠିକ୍ ଭାବେ କର, ତା’ହେଲେ ସମାଜ ଠିକ୍ ରାସ୍ତାରେ ଚାଲିବ ।’ ଆଦାମ୍ ସ୍ମିଥ୍ ଠିକ୍ ଏଇକଥା କହୁଥିଲେ । ତାଙ୍କ ମତ ଥିଲା ପ୍ରତ୍ୟେକ ବ୍ୟବସାୟୀ ନିଜ ଲାଭପାଇଁ ଚେଷ୍ଟା କରୁ କରୁ ସମାଜର ପ୍ରଗତି ଆପେ ଆପେ ଘଟିବ ।

ଆଉ ଏକ ସଂକୀର୍ଣ୍ଣ ଦୃଷ୍ଟିଭଙ୍ଗୀର ଶିକାର ସଂଖ୍ୟାଧିକ ବୈଜ୍ଞାନିକ ସମାଜ । ସେମାନେ କହନ୍ତି, ‘ଆମର କେବଳ ବିଜ୍ଞାନ ସହ କାରବାର । ଆମେ ଯେଉଁ ତତ୍ତ୍ୱ ଆବିଷ୍କାର କଲୁ, ତାର ଯଦି ଦୁରୁପଯୋଗ ରାଜନୀତିଜ୍ଞ ମାନେ କିମ୍ବା ବ୍ୟବସାୟୀମାନେ କରନ୍ତି, ତେବେ ଆମେ ସେଥିପାଇଁ ଦାୟୀ ନୋହୁ ।’ ଏ ମତକୁ ସମାଲୋଚନା କରି ରସେଲ୍ କହନ୍ତି ‘ପାଗଳ ହାତରେ ଛୁରୀଟିଏ ଧରାଇ ଦେଲେ ସେ ନିଶ୍ଚୟ ଅନ୍ୟମାନଙ୍କୁ ଛୁରୀରେ ଭୁଷିବ । ରାଷ୍ଟ୍ରନେତାମାନେ  ଏକ ପ୍ରକାର ପାଗଳ ମାନସିକତାର ଶିକାର, ସେମାନଙ୍କୁ ଭୟଙ୍କର ମାରଣାସ୍ତ୍ର ଯୋଗାଉଛନ୍ତି ଯେଉଁ ବୈଜ୍ଞାନିକ ସେମାନେ ଦୋଷମୁକ୍ତ ବୋଲି କହିବା ତ ଠିକ୍ ନୁହେଁ ।’

‘‘The truth is the whole’- ସତ୍ୟ ସମଗ୍ରତ୍ୱ ମଧ୍ୟରେ ନିହିତ’, କହିଥିଲେ ହେଗେଲ । ବିଜ୍ଞାନକୁ ମୂଲ୍ୟବୋଧଠୁ ବିଚ୍ଛିନ୍ନ କରିବା ପ୍ରକ୍ରିୟା ବୈଜ୍ଞାନିକଙ୍କୁ କରେ ମାରଣାସ୍ତ୍ରର କିମ୍ବା ଶୋଷକବସ୍ତୁର ଉଦ୍ଭାବକ । ଲକ୍ଷ୍ୟଠୁ ସାଧନ ବିଚ୍ଛିନ୍ନ କଲେ ସୃଷ୍ଟିହୁଏ ସମାଜ ଅକଲ୍ୟାଣର ଧାରା । ଏହି ‘ethical neutrality’ (ନୀତିବୋଧ ପ୍ରତି ନିରପେକ୍ଷ ଦୃଷ୍ଟିଭଙ୍ଗୀ) ଫଳରେ ସମାଜ ତତ୍ତ୍ୱବିତ୍, ଅର୍ଥନୀତବିତ୍, ବୈଜ୍ଞାନିକ ସମସ୍ତେ ବନିଯାଆନ୍ତି ନ୍ୟସ୍ତସ୍ୱାର୍ଥଗୋଷ୍ଠୀର ସମର୍ଥକ । ଆଇନ୍ଷ୍ଟାଇନ୍ ଦୁଃଖର ସହ ସ୍ୱୀକାର କରିଥିଲେ ଜର୍ମାନୀର ପରମାଣୁବୋମା ତିଆରି ସମ୍ପର୍କୀୟ ଭ୍ରାନ୍ତ ଧାରଣା ଯୋଗୁଁ ଆମେରିକା ପରମାଣୁ କାର୍ଯ୍ୟକ୍ରମକୁ ସେ ସହଯୋଗ କରିଥିଲେ । ସତ୍ୟସନ୍ଧାନୀ ବୈଜ୍ଞାନିକଙ୍କ ପାଇଁ ରହିଛି କାର୍ଲମାର୍କ୍ସଙ୍କ ପ୍ରସିଦ୍ଧ ଉକ୍ତି ‘ଯାହାକିଛି ରହିଛି ତାହାର ନିର୍ମମ ସମାଲୋଚନା, ଯୁକ୍ତିର ତୀର କୋଉ ଅପ୍ରିୟ ସିଦ୍ଧାନ୍ତରେ ପହଞ୍ଚାଇବ କିମ୍ବା କୋଉ ସ୍ୱେଚ୍ଛାଚାରୀ ଶାସକର ତନ୍ଦ୍ରାଭଙ୍ଗ କରିବ, ସେ ବିଷୟରେ ନିସ୍ପୃହତା’, ପ୍ରତି ବୁଦ୍ଧିଜୀବୀର ଧ୍ୟେୟ ହବା ଉଚିତ ।

ଛଳଯୁକ୍ତ ବୁଦ୍ଧିଜୀବୀ ନିଜର ପ୍ରଜ୍ଞାକୁ ବିକ୍ରି କରିଦିଅନ୍ତି ବଜାରରେ । ଜନ୍ ପେର୍କିନ୍ ତାଙ୍କର ‘Confessions of an Economic Hitman’ ପୁସ୍ତକରେ ସ୍ୱୀକାର କରିଛନ୍ତି ଯେ, ସେ ଏକ ଛଳଦକ୍ଷ ବୁଦ୍ଧିଜୀବୀ । ସେ ନିଜର ଆର୍ଥନୀତିକ ଜ୍ଞାନକୁ ବ୍ୟବହାର କରିଥିଲେ ତୃତୀୟ ବିଶ୍ୱର କ୍ଷମତା ଏଲିଟ୍ଙ୍କୁ (Power Elite)  ଏକ ଭୁଲ୍ ଆର୍ଥନୀତିକ ତତ୍ତ୍ୱ ଜଣାଇବା ଲାଗି । ତାଙ୍କର ଲକ୍ଷ୍ୟ ଥିଲା ଆମେରିକାର ଆଧିପତ୍ୟକୁ ଚିରସ୍ଥାୟୀ ଓ ବିଶ୍ୱବ୍ୟାପୀ କରିବା ।

ମାଲ୍ଥୁସ୍ (Malthus) ଓ ରିକାଡ଼ୋ (Ricardo) ଅର୍ଥନୀତିର କ୍ଷେତ୍ରରେ ପ୍ରତିଯୋଗିତାକୁ ମାଧ୍ୟାକର୍ଷଣ ତତ୍ତ୍ୱ ଭଳି ଏକ ପ୍ରାକୃତିକ ନିୟମର ମର୍ଯ୍ୟାଦା ଦେଇଥିଲେ । ଏ ନିୟମ ନ ମାନିଲେ ରାଷ୍ଟ୍ର ରସାତଳକୁ ଯିବ ବୋଲି ସେମାନେ ଦୃଢ଼ ଦାବୀ କରିଥିଲେ । ସେଇ ନିୟମ ମାନି ଭାରତ ସରକାର ଅତୀତରେ ଯଥେଷ୍ଟ ଖାଦ୍ୟ ମହଜୁଦ୍ ଥିବା ସତ୍ତେ୍ୱ ଦରିଦ୍ର ଲୋକଙ୍କୁ ଅନାହାରରେ ମରିବାକୁ ଛାଡ଼ି ଦେଇଛନ୍ତି ।

ଚମସକୀ କହନ୍ତି କ୍ଲାସିକଲ୍ ଅର୍ଥନୀତିର ଶ୍ରେଣୀ ପକ୍ଷପାତିତା କେବଳ ଜଣେ ବୁଦ୍ଧିଜୀବୀ ବିଶ୍ୱ ସମକ୍ଷରେ ଉଜାଗର କରିଛନ୍ତି । ତାଙ୍କ ନାମ ରଜନୀକାନ୍ତ । ପୁଞ୍ଜିଅପ୍ରିୟ ସତ୍ୟକୁ ଉଜାଗର କରିବା ଫଳରେ ତାଙ୍କୁ ଉଟା (UTAH) ବିଶ୍ୱବିଦ୍ୟାଳୟର ପ୍ରଫେସର ଚାକିରିରୁ ତଡ଼ି ଦିଆଯାଇଥିଲା ।

କ୍ଲାସିକାଲ୍ ଅର୍ଥନୀତି ଲୋକଙ୍କର ବଞ୍ôଚବାର ଅଧିକାରର ବାର ବଜାଇ ଦେଇଥିଲା । ଶ୍ରମ ବଜାରର ଲୋକେ ହୋଇଗଲେ ବସ୍ତୁୁବିଶେଷ ଏବଂ ବସ୍ତୁଭଳି ବିକ୍ରି ହୋଇ ନପାରିଲେ ସେମାନେ ପରିତ୍ୟକ୍ତ ବା ମୃତ ହେବା ଉଚିତ । ପ୍ରାକୃତିକ ନିୟମ ଭଳି ଆର୍ଥନୀତିକ ଅଲଂଘ୍ୟ ନିୟମ ଏହା କହୁଛି ବୋଲି ବିଶିଷ୍ଟ ଅର୍ଥନୀତିବେତ୍ତାମାନେ ଜଣାଇଥିଲେ ।

ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧର ସ୍ଥିତି ଦ୍ୱିତୀୟାର୍ଦ୍ଧ ବେଳକୁ ବଦଳି ଯାଇଥିଲା । ଧନୀଲୋକେ ଅନୁଭବ କଲେ ଯେ, ଗରିବମାନେ ସଙ୍ଗଠିତ ହୋଇଗଲେଣି ଏବଂ ସେମାନଙ୍କର ବଞ୍ôଚବାର ଅଧିକାର ଶେଷ ହେବା ପ୍ରକ୍ରିୟା ଜାରି ରହିଲେ ସେମାନେ ଧନୀଙ୍କର ଶାସନ କରିବାର ଅଧିକାର ଛଡ଼ାଇନେବେ । ତେଣୁ ଜନ୍ ଷ୍ଟୁଆର୍ଟମିଲ୍ ଲେଖିଲେ ଆର୍ଥନୀତିକ ପୁସ୍ତକ ‘‘Principles of Political Economy’ । ଆର୍ଥନୀତିକ ପାଣିପାଗ ଗଲା ବଦଳି । ମୁକ୍ତ ବଜାରୀୟ ପ୍ରତିଯୋଗିତା ବଦଳରେ ନୂଆ ଧାରଣା ହେଲା ‘ଜନମଙ୍ଗଳ ରାଷ୍ଟ୍ର’ (The Welfare State) । ଆଜି ବିଶ୍ୱବିଦ୍ୟାଳୟ ମାନଙ୍କରେ ପୁଣି ପଢ଼ାହେଉଛି ମୁକ୍ତବଜାର ପ୍ରତିଯୋଗିତାର କଥା  (Laissez Faire) ନବଉଦାର ଅର୍ଥନୀତି (Neo-Liberalism) ନାମରେ ।

ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ପୁଞ୍ଜି ଥିଲା ସ୍ଥିର (Immobile) ଓ ଶ୍ରମ ଥିଲା ଚଳନଶୀଳ (Mobile)। ଶ୍ରମିକମାନେ ଇଂଲଣ୍ଡ ଛାଡ଼ି ଆମେରିକା କିମ୍ବା ଅଷ୍ଟ୍ରେଲିଆ ଯିବା ସହଜ ଥିଲା । ଆଜିର ଦୁନିଆରେ ପୁଞ୍ଜି ଚଳନଶୀଳ କିନ୍ତୁ ଶ୍ରମହେଉଛି ସ୍ଥିର । ତେଣୁ ଆଜି ମୁକ୍ତ ପ୍ରତିଯୋଗିତାର କୌଣସି ଅର୍ଥ ନାହିଁ । ପୁଞ୍ଜି ଏବେ ସର୍ବଶକ୍ତିମାନ, ଶ୍ରମିକ ଶକ୍ତିହୀନ କାରଣ ଇଚ୍ଛାକଲେ ପୁଞ୍ଜି ନିଜଦେଶ ଛାଡ଼ି ଯେକୌଣସି ବିଦେଶକୁ ଯାଇପାରିବ ଓ ଯାଉଛି ମଧ୍ୟ । ଅର୍ଥନୀତି ବିଜ୍ଞାନର ଏକ ଶକ୍ତିଶାଳୀ ସୂତ୍ର ହେଉଛି ‘ତୁଳନାତ୍ମକ ସୁବିଧାର ତତ୍ତ୍ୱ’ (Theory of Comparative Advantage) ।

ଏହା ଏକ ସାର୍ବଜନୀନ ସତ୍ୟ ଯେ, ପୃଥିବୀର ସବୁ ଉନ୍ନତ ଦେଶ ଉନ୍ନତି କରିଛନ୍ତି ସୁରକ୍ଷା ଟାରିଫ୍କୁ ଉଚ୍ଚହାରରେ ରଖି ସୁରକ୍ଷିତ (Protected) ବଜାର ସୃଷ୍ଟି କରି । ଏମାନେ କେହି ମୁକ୍ତବଜାର ରାସ୍ତାରେ ଯାଇନାହାନ୍ତି । ଉନବିଂଶ ଶତାବ୍ଦୀର ଶେଷଆଡ଼କୁ ୟୁରୋପର ବଜାର ଥିଲା ଅପେକ୍ଷାକୃତ ମୁକ୍ତବଜାର । ସେତେବେଳେ ଆମେରିକାର ଟାରିଫ୍ ଥିଲା ୟୁରୋପର ପାଞ୍ଚ/ଦଶ ଗୁଣ ଅଧିକା । ଏଇ ସମୟ ଥିଲା ଆମେରିକା ଆର୍ଥନୀତିକ ଅଭିବୃଦ୍ଧିର ସୁବର୍ଣ୍ଣଯୁଗ ।

ଭାରତର ତନ୍ତୀ ସମାଜକୁ ଚକ୍ରାନ୍ତ କରି ତଳିତଳାନ୍ତ କଲେ ଇଂଲଣ୍ଡର ଶାସକମାନେ । ଊନବିଂଶ ଶତାବ୍ଦୀ ଆରମ୍ଭରେ ଇଜିପ୍ଟର ଏକ ଶିଳ୍ପ ବିପ୍ଳବର ଗଜାକୁ ବ୍ରିଟିଶ ବନ୍ଧୁକ ଜାଳିଦେଇଥିଲା । ୧୮୨୦ ବେଳକୁ ଭାରତ ସମଗ୍ର ୟୁରୋପଠୁ ବି ଅଧିକ ଇସ୍ପାତ ଉତ୍ପାଦନ କରୁଥିଲା । ଇସ୍ପାତ ଉତ୍ପାଦନ କୌଶଳ ଇଂଲଣ୍ଡ ଭାରତଠୁ ଶିଖିଲା ୧୮୨୦ ଆଡ଼କୁ । (ଚମ୍ସ୍କି)

ଆଜି ଇରାକ୍ ଧ୍ୱସ୍ତ କାରଣ ଆମେରିକା ଚାହେଁ ମଧ୍ୟପ୍ରାଚ୍ୟର ତେଲର ମାଲିକାନା । ତେଣୁ ଆମେରିକାର ଅତୀତର ସୁନାପୁଅ ସଦ୍ଦାମ ହୁସେନ୍ ଚଢ଼ିଲେ ଫାଶିଖୁଣ୍ଟରେ ।

ଯୁଦ୍ଧ, ଛଳ ଓ ଖେଳକୁ ନେଇ ଗଢ଼ିଉଠିଥିଲା ପ୍ରାଚୀନ ଗ୍ରୀକ୍ ସଭ୍ୟତା, ଯାହାକୁ ପାଶ୍ଚାତ୍ୟ ସଭ୍ୟତାର ଜନନୀ କୁହାଯାଏ । ଯୁଦ୍ଧସଭ୍ୟତା ଚରମବିନ୍ଦୁରେ ପହଞ୍ôଚଥିଲା ଗ୍ରୀକ୍ ନଗରରାଜ୍ୟ ସ୍ପାର୍ଟାରେ । ଏହି ନଗରର ଯୋଦ୍ଧାମାନେ ସାରାସମୟ କଟାଉଥିଲେ କେବଳ ଯୁଦ୍ଧ ପ୍ରସ୍ତୁତି ଓ ଖେଳରେ । ଏମାନେ ଥିଲେ ଡୋରିଆନ୍ ଗ୍ରୀକ୍ ଜାତି । ସ୍ପାର୍ଟାନ୍ମାନେ ଇଲିୟାଡ଼୍ ଓଡ଼େସି ବର୍ଣ୍ଣିତ ଉନ୍ନତ ଗ୍ରୀକ୍ଜାତିକୁ (Mycenaeans) ଦାସ ବା Helot ବନାଇଥିଲେ । ଏବଂ ସେମାନଙ୍କୁ ଭୟଭୀତ କରିବା ପାଇଁ ବେଳେ ବେଳେ ଛୋଟଧରଣର ଗଣହତ୍ୟାର ଆୟୋଜନ କରୁଥିଲେ ।

ଯୁଦ୍ଧ ଯେଉଁଠି ଛଳ ସେଇଠି । ଛଳ-କପଟର ଆଶ୍ରୟ ନେଇନଥିଲେ ଗୋରାଲୋକ ଦୁଇଟି ଆମେରିକା, ଅଷ୍ଟ୍ରେଲିଆ ଓ ଏସିଆର ଦେଶମାନଙ୍କରେ ବିଜୟଧ୍ୱଜା ଉଡ଼ାଇ ପାରିନଥାନ୍ତେ । କେବଳ ସାଧାରଣ ଲୋକଙ୍କର ନୁହଁ,ଜନ୍ ଷ୍ଟୁଆର୍ଟ ମିଲଙ୍କ ଭଳି ବିଶିଷ୍ଟ ବୁଦ୍ଧିଜୀବୀମାନଙ୍କ ଧାରଣାଥିଲା ଯେ, ୟୁରୋପ ଆମେରିକା ଭଳି ସଭ୍ୟ ଜାତିମାନେ ଅନ୍ୟ ଅସଭ୍ୟ ଜାତିମାନଙ୍କ ସହ ଅସଦ୍ ଆଚରଣ କଲେ କିମ୍ବା କରିଥିବା ଜବାବ୍ ବା ଚୁକ୍ତିଗୁଡ଼ିକ ବିନାଦ୍ୱିଧାରେ ଭାଙ୍ଗିଲେ, ତାକୁ ଦୋଷବୋଲି କୁହାଯିବ ନାହିଁ । ଆଲ୍ଜିରିଆର ନ୍ୟାୟସଙ୍ଗତ ମୁକ୍ତିସଂଗ୍ରାମକୁ ଫ୍ରାନ୍ସର ପ୍ରଖ୍ୟାତ ବୁଦ୍ଧିଜୀବୀ କାମ୍ୟୁ ବି ସମର୍ଥନ ଦେଇ ନଥିଲେ ।

ଖେଳକୁ ଅତିରିକ୍ତ ପ୍ରାଧାନ୍ୟ ଦେବା ଫଳରେ ଏକ ରାଷ୍ଟ୍ର ବା ଜାତିର ବା ସଂସ୍କୃତି ଗୌଣସ୍ଥାନକୁ ଚାଲିଯାଉଛି । ଆଜିର ଶିକ୍ଷା ବ୍ୟବସ୍ଥା ପିଲାଙ୍କର ମୁକ୍ତ ବିଚାର ପ୍ରକ୍ରିୟାକୁ ଧ୍ୱଂସ କରି ସେମାନଙ୍କୁ ମେଣ୍ଢାତ୍ୱ ହାସଲ କରିବାକୁ ଉତ୍ସାହିତ କରୁଛି । ଗିନିଜ୍ବୁକ୍ରେ ସ୍ଥାନ ପାଇବାପାଇଁ ଆମର ଭିନ୍ନସ୍ତରର ମଣିଷମାନେ ବା ଅନ୍ୟାନ୍ୟ ସାଧାରଣ ଲୋକେ (TVର ଭାଷା) ବିଛୁଆତି ଦେହରେ ବୋଳୁଛନ୍ତି । ବିଧାମାରି ନଡ଼ିଆ ଭାଙ୍ଗୁଛନ୍ତି । ସେମାନଙ୍କୁ ପ୍ରଦର୍ଶିତ କରି ଅଞ୍ଚଳ ବା ସହର ନିଜକୁ ଗୌରବାନ୍ୱିତ ମନେ କରୁଛି । ନାରୀର ଦେହ ଏକ ପଣ୍ୟଦ୍ରବ୍ୟ ରୂପେ ଦୃଷ୍ଟି ଆକର୍ଷଣ କରୁଛି ଓ ନାରୀର ଦେହକୁ ନେଇ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଆୟୋଜିତ ହେଉଛି ।

ଯେକୌଣସି ରାଷ୍ଟ୍ରର ସବୁଠୁ ମୂଲ୍ୟବାନ ସମ୍ପଦ ହେଉଛନ୍ତି ତାର ବିପ୍ଳବୀ ବୁଦ୍ଧିଜୀବୀ ସମାଜ । ସେମାନଙ୍କୁ କୁହାଯାଇପାରେ ‘ସମାଜର ବିବେକ’ । ଗଭୀର ସ୍ତରର ବିଷୟ ବୁଝିପାରୁଥିବା ବୁଦ୍ଧି ସହ ସାହସ ନମିଶିଲେ ଜଣେ ବିପ୍ଳବୀ ବୁଦ୍ଧିଜୀବୀସ୍ତରକୁ ଯାଇପାରିବନି । ଶାସକ ଶ୍ରେଣୀ ଏମାନଙ୍କୁ ‘ଦେଶ ବିରୋଧୀ’ ‘ଗୋଳମାଳ – ସୃଷ୍ଟିକାରୀ’ ‘ଉନ୍ନୟନ ଓ ଶିଳ୍ପବିରୋଧୀ’ ଆଖ୍ୟା ଦେଉଛନ୍ତି ଓ ତଥାକଥିତ ଉଦାସୀନ ଓ ଛଳନା ବା ଭ୍ରାନ୍ତି ଭାବନାଯୁକ୍ତ ବୁଦ୍ଧିଜୀବୀମାନେ ଏମାନଙ୍କୁ ୟୁଟୋପିଅନ୍ ସ୍ୱପ୍ନଜୀବୀ ବୋଲି ଭଦ୍ର ସମାଲୋଚନା କିମ୍ବା ‘ଦେଶଦ୍ରୋହୀ’, ‘ମାଓବାଦୀ’ ବୋଲି କଠୋର ସମାଲୋଚନାର ଶରବ୍ୟ କରୁଛନ୍ତି ।

ଉଦାରୀକରଣ, ନିଜୀକରଣ (ଘରୋଇକରଣ) ଓ ଜଗତୀକରଣ ଯେ ଏକ ଧପ୍ପାବାଜୀ, ଏହା ବିଶ୍ୱବାସୀ ଜାଣିସାରିଲେଣି । ଲାଟିନ୍ ଆମେରିକାର ଜନସାଧାରଣ ୩୭ବର୍ଷ ଧରି କମ୍ପାନୀରାଜ୍ର ସ୍ୱାଦ ଚାଖିଲାପରେ ଏବେ ବିଦ୍ରୋହର ଝଣ୍ଡା ଉଠାଇଛନ୍ତି । ମୋର ମନେହୁଏ ନିଜୀକରଣ (Privatization) ଶବ୍ଦକୁ ଉଠାଇଦେଇ ସେଠି କମ୍ପାନୀକରଣ (Corporatisation) ଶବ୍ଦ ବ୍ୟବହାର କରିବା ଅଧିକ ଉଚିତ ହେବ। ଏ ସମ୍ପର୍କରେ ନିଜର ଅନୁଭୂତି ଲେଖିଛି ।

ପାଖାପାଖି ବର୍ଷତଳେ ମୋ ପାଖକୁ ଜଣେ କମ୍ପାନୀ ଦଲାଲ୍ ଆସି କହିଲେ, ‘ଆପଣଙ୍କ ଘରପାଖରେ ଅନେକ ଜାଗା ରହିଛି ଟିକ୍ ବା ଶାଗୁଆନ୍ ଗଛ ଲଗାଇବା ପାଇଁ । କମ୍ପାନୀ ଚାରା ଯୋଗାଇବ, ସାର ଯୋଗାଇବ, ବୈଜ୍ଞାନିକ କୌଶଳ ଶିଖାଇବ ଏବଂ ଗଛ ବଡ଼ ହୋଇଗଲେ ତାକୁ କିଣି ନେଇଯିବ ।’ ମୁଁ କହିଲି କମ୍ପାନୀ ସହ କଣ୍ଟ୍ରାକ୍ଟ କରି ମୋର ସ୍ୱାଧୀନତା ମୁଁ ହରାଇବାକୁ ଚାହେଁନା । ମୋର କେତେ ଲାଭ ହେବ, ସେ ମତେ ବାରମ୍ବାର ବୁଝାଇବାକୁ ଲାଗିଲେ । ମୁଁ କହିଲି ‘ପଇସା ଅପେକ୍ଷା ଆହୁରି ଅନେକ ବଡ଼ ଜିନିଷ ରହିଛି । ସେ ବୁଝିବାକୁ ନାରାଜ । ବାରମ୍ବାର ସେ କହୁଥାନ୍ତି ଯେ, ପଇସାର ଲୋଭ ମୋ ପାଇଁ ବଡ଼କଥା ନୁହେଁ ବୋଲି ମୁଁ ଯାହା କହିଲି, ତାହା କେବେ ସତ ହୋଇପାରିବ ନାହିଁ, ମୁଁ ନିଶ୍ଚୟ ମିଛ କହୁଛି । ଶେଷରେ ସେ ନିରାଶ ହେଲେ । ଗଲାବେଳେ କହିଗଲେ ମୋର ବଗିଚାରେ ମୁଁ ଲଗାଇଥିବା ଶାଗୁଆନ୍ ଗଛଗୁଡ଼ିକୁ ମୁଁ କମ୍ପାନୀ ଗଛ ସାଥିରେ ବିକ୍ରି କରିବା ସହଜ ହୋଇଥାନ୍ତା ।

ଏବେ ମୁଁ ମୋର ବଗିଚାର ଶାଗୁଆନ୍ ଗଛ ବିକ୍ରି କରିବାରେ ସରକାରୀ କଳ ବାଧା ସୃଷ୍ଟି କରିବେ । ମୋର ବଗିଚାର ଗୋଟିଏ ବଡ଼ ଜାମୁକୋଳି ଗଛ ଅଛି । ସେ ଗଛ ବିକ୍ରି କରିବାକୁ ଚାହିଁଲେ ବି ଗରାଖ ମିଳୁନାହାନ୍ତି । କିଛିଦିନ ତଳେ ଗଞ୍ଜାମରେ ଥିବା ମୋର ଗାଁରୁ ଜଣେ ଲୋକ ମୋ ଘରକୁ ଆସିଥିଲେ । ସେ କହିଲେ ତୋଟାରେ ଗୋଟିଏ ବଡ଼ ଗଛ ମରିଗଲା ପରେ ଗାଁର ଜଣେ ଗରିବ ଲୋକ ଗଛଟି କାଠଦରରେ ବିକ୍ରି କରିବାକୁ ଉଦ୍ୟମ କଲେ । କ୍ରେତା ବି ଜୁଟିଗଲେ । ହଠାତ୍ ଦିନେ ତହସିଲଦାର ଅଫିସର ପିଅନ୍ ଆସି କହିଲା ସେ ଗଛ ବିକ୍ରି କରିପାରିବନି । ସେ ଗଛ ପଡ଼ି ଖତ ହେଲା । ବ୍ରିଟିଶ ଅମଳରେ ମଧ୍ୟ ଏଭଳି ହୁକୁମ୍ ହେଉ ନଥିଲା । ଲୋକେ ବାଡ଼ି ବଗିଚାର ଗଛ ବିକିବା ପାଇଁ କମ୍ପାନୀ ସହ ଚୁକ୍ତି କଲେ ଯାଇ ଗଛ ବିକାଯାଇପାରିବ । କମ୍ପାନୀ ଶାଗମାଛ ମୂଲ୍ୟରେ ଲୋକଙ୍କଠୁ ଗଛ କିଣି ଆରାମ୍ରେ ପଟା କାଟି ପ୍ରଚୁର ପଇସା ପାଇବ ।

ପୃଥିବୀର ଗଣତନ୍ତ୍ରର ମରଣଘଣ୍ଟି ବାଜିଗଲାଣି । ଜଗତୀକରଣ ନାମରେ ବିଦେଶୀ କମ୍ପାନୀମାନେ ଦେଶକୁ ପଶି ଆସୁଛନ୍ତି । ଅଂଶଧନ ବଜାରରେ ସେମାନଙ୍କର ଉଡ଼ନ୍ତା ପଇସା (Hot Money)  ବଢ଼ି ଚାଲିଛି ଓ ଫଳରେ ଦେଶର ବିଦେଶୀ ମୁଦ୍ରାର ଅଭାବ ଦେଖାଦେଉନି । ଆର୍ଥନୀତିକ ଉନ୍ନୟନରେ ପୁଞ୍ଜିର ଆବଶ୍ୟକତା ତତ୍ତ୍ୱକୁ ତୃତୀୟ ବିଶ୍ୱର ନେତା, ବ୍ୟୁରୋକ୍ରାଟ୍, ବୁଦ୍ଧିଜୀବୀମାନଙ୍କୁ ଜଳାଇ ପୃଥିବୀର ପ୍ରାୟ ସବୁଦେଶକୁ ବିଦେଶୀ ଋଣନିର୍ଭର କରି ଦିଆଗଲାଣି । ନିର୍ବାଚନରେ ଜିତିଥିବା କୌଣସି ଦଳ ବା ନେତାଙ୍କର ଅସଲ ବା ଜବରଦସ୍ତ ମାଲିକ ହେଉଛନ୍ତି ଚମ୍ସ୍କିଙ୍କ ଭାଷାରେ Virtual Senate ବା ଅସଲି ପାର୍ଲାମେଣ୍ଟ । ଏ ପାର୍ଲାମେଣ୍ଟର ସଭ୍ୟ କେବଳ କମ୍ପାନୀମାନେ । ସାମାନ୍ୟ ଭାବେ ସରକାର ସେମାନଙ୍କ ଆଜ୍ଞା ଅମାନ୍ୟ କଲେ ସେମାନେ ଉଡ଼ନ୍ତା ପୁଞ୍ଜିକୁ ଦେଶରୁ ବାହାରକୁ ନେଇଯାଇ ଦେଶରେ ଆର୍ଥିକ ବିପତ୍ତି (Financial crisis) ସୃଷ୍ଟି କରିଦେବେ । ବିଶିଷ୍ଟ ଅର୍ଥନୀତିଜ୍ଞମାନେ କହନ୍ତି ଏ ବିପତ୍ତି ପରମାଣୁ ବୋମା ଆକ୍ରମଣ ଭଳି ରାଷ୍ଟ୍ରର ଅକଥନୀୟ କ୍ଷତି କରିଥାଏ ।

ଇଣ୍ଡୋନେସିଆରେ ଏଭଳି ଘଟଣା ଘଟିଥିଲା । ପୁଞ୍ଜି ପ୍ରତ୍ୟାହାର ଯୋଗୁଁ ଅଖଣ୍ଡ କ୍ଷମତାଧାରୀ ଲୁହାମଣିଷ ମିଲିଟାରୀ ଶାସକ ସୁହାର୍ତ୍ତୋଙ୍କୁ ଗାଦୀ ଛାଡ଼ିବାକୁ ପଡ଼ିଥିଲା । ବିଂଶ ଶତାବ୍ଦୀର ଶେଷ ଦଶକରେ ମାତ୍ର ଦୁଇ ତିନିବର୍ଷ ମଧ୍ୟରେ ଇଣ୍ଡୋନେସିଆର ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ଶତକଡ଼ା ଏଗାରରୁ ଶତକଡ଼ା ପଚାଶକୁ ଡେଇଁ ପଡ଼ିଲା । ନିର୍ବାଚିତ ବାମପନ୍ଥୀ ନେତା ଲୁଲା (ବ୍ରାଜିଲ) ‘ଅସଲି ସିନେଟ୍’ର ନିର୍ଦ୍ଦେଶ ପାଳନ କରୁଛନ୍ତି ଓ ଜନତାଙ୍କୁ ପ୍ରଚାର ପ୍ରତାରଣା ମାଧ୍ୟମରେ ବିପ୍ଳବ-ବିରତ କରାଇଛନ୍ତି । ସବୁ ଦେଶର ବୁଦ୍ଧିଜୀବୀମାନଙ୍କୁ କେମିତି ମେଣ୍ଢାଦଳ କରାଯିବ, ସେଥିପାଇଁ କମ୍ପାନୀମାନଙ୍କର ବିଚାରଭଣ୍ଡାର (Think -tank) ମାନଙ୍କର ଉଦ୍ୟମରେ କ୍ଳାନ୍ତି ନାହିଁ । ମିଡ଼ିୟା ସେମାନଙ୍କର ବେଗମ୍ ।

ସାରା ବିଶ୍ୱରେ ବିପ୍ଳବୀ ବୁଦ୍ଧିଜୀବୀମାନଙ୍କର ଦୁର୍ଭିକ୍ଷ ଦେଖାଦଇଛି । ପଲ୍ ବରନ୍ଙ୍କ ଭାଷାରେ, ‘ବିପ୍ଳବୀ ବୁଦ୍ଧିଜୀବୀ ଜଣେ ବୀର (Hero) ନିଶ୍ଚୟ, କାରଣ ମାନବସମାଜର ମଙ୍ଗଳ ପାଇଁ ସେମାନେ ନିଜ ସ୍ୱାର୍ଥକୁ କ୍ଷତିଗ୍ରସ୍ତ କରି ଉଜାଗର କରନ୍ତି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କର ସବୁପ୍ରକାର ଶୋଷଣ’ । (ପଲ୍ ଏ ବରନ୍ – The Commitments of the Intellectual.)

ବିପ୍ଳବୀ ବୁଦ୍ଧିଜୀବୀ ନୋଏମ୍ ଚମ୍ସ୍କି ନିଜ ଅନୁଭୂତି ସମ୍ପର୍କରେ କହିଛନ୍ତି, ‘I am considered public enemy number one among a large section of intellectuals in the U.S. I mention that the U.S is one of the major terrorist states in the world…’

‘ମୁଁ ହେଉଛି ଯୁକ୍ତରାଷ୍ଟ୍ରର ନମ୍ବର ଏକ ଜନଶତ୍ରୁ (ବହୁସଂଖ୍ୟକ ଆମେରିକୀୟ ବୁଦ୍ଧିଜୀବୀଙ୍କ ମତ) କାରଣ ମୁଁ କହେ ଯୁକ୍ତରାଷ୍ଟ୍ର ପୃଥିବୀର ପ୍ରମୁଖ ଆତଙ୍କବାଦୀ ରାଷ୍ଟ୍ରଙ୍କ ମଧ୍ୟରୁ ଗୋଟିଏ ।’ ୧୯୬୦ ବେଳକୁ ଆମେରିକାର ଶତକଡ଼ା ସତୁରୀ ଭାଗ ଲୋକେ ଜାଣିସାରିଲେଣି ଯେ, ଆମେରିକାର ଭିଏତ୍ନାମ ଆକ୍ରମଣ ଏକ ମୌଳିକ ଓ ନୈତିକ ଅପରାଧ ଥିଲା । କିନ୍ତୁ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ କେବଳ ଅଳ୍ପ କେତେଜଣ ସଂଖ୍ୟାଧିକ ଲୋକଙ୍କର ମତସହ ସାମିଲ୍ ହୋଇଥିଲେ । ନିଜେ ପାଠପଢ଼ିଥିବାର ପ୍ରବଳ ଅହଙ୍କାର ସହ ସାଧାରଣ ଜନତାଠୁ ନୈତିକ ସ୍ତରରେ ପଛରେ ପଡ଼ିଥିବା ବୁଦ୍ଧିଜୀବୀଙ୍କ ମନୋଭାବ ଆଧୁନିକ ଶିକ୍ଷା ବ୍ୟବସ୍ଥା ଉପରେ ଏକ ପ୍ରଶ୍ନ ଚିହ୍ନ ଆଙ୍କିଦେଉଛି ।

କେବଳ ଆମେରିକା ନୁହଁ, ଭାରତର ସଂଖ୍ୟାଧିକ ବୁଦ୍ଧିଜୀବୀ ଗୁଜରାଟର ବୀଭତ୍ସ ସାମ୍ପ୍ରଦାୟିକତାକୁ ବିରୋଧ ନକରି ଆପଣାର ଅନୈତିକ ମନୋଭାବକୁ ସ୍ପଷ୍ଟ କରିଦେଇଛନ୍ତି ।

ଆମେରିକାର ଡାକ୍ତରମାନଙ୍କ ଆଚରଣ ଉପରେ ଆଲୋକପାତ କରି ଲେଖିଛନ୍ତି ଡାକ୍ତର R.J. Lifton MD.-‘There is increasing evidence that  Doctors, Nurses and Medics have been complicit in torture and other illegal procedures in Iraq, Afghanistan and Guantanamo bay.’

ଅଧିକରୁ ଅଧିକ ସାକ୍ଷ୍ୟ ମିଳୁଛି ଏଇ ବିଷୟରେ ଯେ, ଆମେରିକୀୟ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ଚିକିତ୍ସାକର୍ମୀବୃନ୍ଦ ଇରାକ୍, ଆଫଗାନିସ୍ଥାନ ଓ ଗ୍ୟୁଣ୍ଟୋନାମ୍ ଉପସାଗରୀୟ ଅଞ୍ଚଳରେ ବନ୍ଦୀଙ୍କର ନିର୍ଯାତନା ଏବଂ ଅନ୍ୟାନ୍ୟ ଆଇନ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ।

ବୈଜ୍ଞାନିକଙ୍କ ମଧ୍ୟରେ ରସେଲ୍ ଓ ଆଇନ୍ଷ୍ଟାଇନ୍ ନିଶ୍ଚିତଭାବରେ ବିପ୍ଳବୀ ବୁଦ୍ଧିଜୀବୀ ପର୍ଯ୍ୟାୟ (ଡଷଚ୍ଚ ଓ ବଜ୍ଞ ଦ୍ଭକ୍ଟଗ୍ଧ ବ ମଷକ୍ସସଗ୍ଦଗ୍ଧସବଦ୍ଭ) ବହିଟି ରସେଲ୍ଙ୍କ ଖ୍ରୀଷ୍ଟିୟାନ୍ ଧର୍ମଧ୍ୱଜୀଙ୍କ ମହଲରେ ଅପାଂକ୍ତେୟ କରିଦେଲା । ଆମେରିକାର ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟ ତାଙ୍କୁ ପ୍ରଫେସର ପଦ ଯାଚି ପୁଣି ମନା କରିଦେଲା । ଆଇନ୍ଷ୍ଟାଇନ୍ ଥିଲେ ନିଚ୍ଛକ ମାନବବାଦୀ ଓ ଯୁଦ୍ଧବିରୋଧୀ । ଯଥେଷ୍ଟ ଅପ୍ରୀତିର ସେ ସମ୍ମୁଖୀନ ହୋଇଛନ୍ତି ‘ସମାଜବାଦ କାହିଁକି?’ ପ୍ରବନ୍ଧ ଲେଖି । ମିଲିଟାରୀ ମନୋବୃତ୍ତିର ସେ ଥିଲେ ପ୍ରଚଣ୍ଡ ସମାଲୋଚକ ।

‘‘HEROISIM on command, senseless violence, and all the loathsome nonsense that goes by the name of PATRIOTISIM – How passionately I hate them.’ Ideas and opinions.’

ଆଦେଶପ୍ରାପ୍ତ ବୀରତ୍ୱ, କାରଣହୀନ ହିଂସା ଏବଂ ସେ ସମସ୍ତ ଜଘନ୍ୟ କାର୍ଯ୍ୟ ଯାହାକୁ ଦେଶପ୍ରେମ ଆଖ୍ୟା ଦିଆଯାଏ – ମୁଁ ସେଗୁଡ଼ିକୁ ଘୃଣାଚକ୍ଷୁରେ ଦେଖେ । କାଶ୍ମୀର, ମଣିପୁର, ଉତ୍ତର-ପୂର୍ବ ଭାରତରେ ଭାରତୀୟ ସୈନ୍ୟବାହିନୀର ଅତ୍ୟାଚାର ଅରୁନ୍ଧତୀ ରାୟଙ୍କ ଭଳି କିଛି ବିପ୍ଳବୀ ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି । ସେ ଦ୍ୱିଧାହୀନ ଭାବରେ ସେସବୁ କାର୍ଯ୍ୟକଳାପକୁ ନିନ୍ଦା କରୁଛନ୍ତି ।

ପୃଥିବୀସ୍ତରର ବିଶିଷ୍ଟ ବୁଦ୍ଧିଜୀବୀ Paul A. Baran ଲେଖିଛନ୍ତି ‘ଇତିହାସ ଆମକୁ ଶିକ୍ଷାଦିଏ ଯେ, ଅନ୍ଧାରୀଯୁଗରେ ମଧ୍ୟ କିଛି ବିପ୍ଳବୀ ବୁଦ୍ଧିଜୀବୀ ବ୍ୟକ୍ତିଗତ ସୁଯୋଗ ସୁବିଧାକୁ ଜଳାଞ୍ଜଳି ଦେଇ ସମାଜର ମଙ୍ଗଳ ପାଇଁ ଆଗେଇ ଆସିଛନ୍ତି । ମୁଁ ଆଶା କରୁଛି ମୋ ଦେଶ ଆମେରିକା ଯଥେଷ୍ଟ ବିପ୍ଳବୀ ବୁଦ୍ଧିଜୀବୀଙ୍କୁ ଜନ୍ମ ଦେଇ ପୃଥିବୀରେ ତାର ଭାଗ (Quota) ପୂରଣ କରିବ । ଶକ୍ତିଶାଳୀ ନ୍ୟସ୍ତସ୍ୱାର୍ଥକୁ ଓ ଦୁର୍ଭାଗ୍ୟକୁ ନିମନ୍ତ୍ରଣ କରୁଥିବା ସନ୍ଦେହବାଦ, ଅଜ୍ଞାନବାଦ ଓ ଅମାନବବାଦକୁ ଏମାନେ ଶକ୍ତଆହ୍ୱାନ ଦେବେ । The commitment of Intellectual Monthly Review, may 1969)

ଦିଲ୍ଲୀର ପ୍ରଫେସର୍ ଜିଲାନୀଙ୍କୁ ପାର୍ଲାମେଣ୍ଟ ଆକ୍ରମକଙ୍କ ଉପଦେଷ୍ଟା ଆଖ୍ୟା ଦେଇ ମୃତ୍ୟୁଦଣ୍ଡ ଦିଆଇବାକୁ ଦିଲ୍ଲୀ ପୋଲିସ ଓ ମିଡ଼ିଆ ଯେଉଁ ଘୃଣ୍ୟ ଚେଷ୍ଟା କରିଥିଲା, ଦିଲ୍ଲୀର କେତେକ ବିପ୍ଳବୀ ବୁଦ୍ଧିଜୀବୀଙ୍କ ଯୋଗୁଁ ତାହା ଅକାମୀ ହୋଇ ଯାଇଥିଲା । ଏବେ ମଧ୍ୟ ଯଥେଷ୍ଟ ପ୍ରମାଣ ନଥାଇ ଆଫଜାଲକୁ ଫାଶିଦଣ୍ଡ ଦବାପାଇଁ ଯେଉଁ ଶକ୍ତିଶାଳୀ ସ୍ୱର ଭାରତରେ ଉଠିଛି, ତାର ବିରୁଦ୍ଧରେ ଅରୁନ୍ଧତୀ ରାୟଙ୍କ ଭଳି ବୁଦ୍ଧିଜୀବୀମାନେ କଲମ ଚାଳନା କରୁଛନ୍ତି ।

ବଙ୍ଗଳାର ଊନବିଂଶ ଶତାବ୍ଦୀର ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମର ସଂକୀର୍ଣ୍ଣ ଗୋଷ୍ଠୀଗତ ରୂପକୁ ଉଜାଗର କରି ବଙ୍ଗଳାର ବହୁଲୋକଙ୍କର ଅପ୍ରିୟ ହୋଇଥିଲେ ରବୀନ୍ଦ୍ର ନାଥ । ଏହି ସଶସ୍ତ୍ର ସଂଗ୍ରାମୀମାନେ ମହାନ୍ ତ୍ୟାଗବୀର ଥିଲେ ସତ୍ୟ କିନ୍ତୁ ବଙ୍କିମଙ୍କ ଉପନ୍ୟାସ ‘ଆନନ୍ଦମଠ’ ପ୍ରଭାବିତ ଏଇ ବିପ୍ଳବୀମାନେ ନିଜ ଅଜ୍ଞାତସାରରେ ଭାରତ ପାକିସ୍ଥାନ ବିଭାଜନର ବୀଜବପନ କରିଥିଲେ । ରବୀନ୍ଦ୍ରନାଥଙ୍କ ଉପନ୍ୟାସ ‘ଘରେ ବାହାରେ’ରେ ତାଙ୍କର ସମାଲୋଚକ ଦୃଷ୍ଟିକୋଣ ପ୍ରକଟିତ ହୋଇଥିଲା । ବହୁଭାଷା, ବହୁଧର୍ମ, ଅନେକ ଗୋଷ୍ଠୀ – ଅଧ୍ୟୁଷିତ ଭାରତବର୍ଷରେ କେବଳ ଗାନ୍ଧୀସ୍ତରୀୟ ସ୍ଥିର ଯୁଦ୍ଧ (War of Position)  ଭଳି ହିଜୀମୋନୀୟ ସଂଗ୍ରାମ ସମ୍ଭବ ଥିଲା, ଏକଥା ଗ୍ରାମ୍ଶୀ କହିବା ପୂବରୁ ତାଙ୍କର ସ୍ୱଭାବ ସୁଲଭ ସାହିତ୍ୟିକ ଶୈଳୀରେ କହିଥିଲେ ରବୀନ୍ଦ୍ରନାଥ । ଭାରତୀୟ ରାଜନୈତିକ ରଙ୍ଗମଞ୍ଚରେ ଗାନ୍ଧୀଙ୍କର ଆବିର୍ଭାବ ପୂର୍ବରୁ ସେ ଆଙ୍କିଥିଲେ ତାଙ୍କ ଉପନ୍ୟାସରେ ଏକ ଚିତ୍ର ଜଣେ ଅହିଂସ ସଂଗ୍ରାମୀର ।

ଆଧୁନିକ ସଭ୍ୟତା ସମ୍ପର୍କରେ ଏକ ମୌଳିକ ପ୍ରଶ୍ନ ଉଠାଇଛନ୍ତି ବର୍ଟାଣ୍ଡ୍ ରସେଲ୍ । ‘ବିଜ୍ଞାନର ବିସ୍ଫୋରକ ଆବିଷ୍କାରଗୁଡ଼ିକ ମଣିଷର ମୃତ୍ୟୁଘଣ୍ଟି ବଜାଇବା ପୂର୍ବରୁ ମଣିଷର ଆଦିମ ଆବେଗପ୍ରବଣ ବ୍ୟକ୍ତିତ୍ୱ ଉପରେ ଅଙ୍କୁଶ ଲଗାଇବା ଏକାନ୍ତ ଜରୁରୀ । ରସେଲ୍ କହନ୍ତି, ‘Consider one single matter: The expenditure of public money on scientific and technical research during the last eighteen years… About 99 percent of it has had for its aim the perfecting of methods of mass extermination’ ଗତ ଅଠରବର୍ଷରେ ଯାହାକିଛି ବୈଜ୍ଞାନିକ ବା ପ୍ରାୟୋଗିକ ଗବେଷଣା ପାଇଁ ଖର୍ଚ୍ଚ ହୋଇଛି, ସେଥିର ପନ୍ଦର ଭାଗ କେବଳ ମଣିଷ ମାରଣ ପାଇଁ ଉଦ୍ଦିଷ୍ଟ ।

ପୃଥବୀର କେବଳ ଗୋଟିଏ ଦେଶରେ ଆବିଷ୍କାର କରଯାଇଥିଲା ମଣିଷର ଆଦିମ ମସ୍ତିଷ୍କ ଉପରେ ଆଧିପତ୍ୟ ସ୍ଥାପନ କରିବାର ପ୍ରକ୍ରିୟା । ଜଣେ ଲାମା ଯୋଗୀଙ୍କର ମସ୍ତିଷ୍କର ମାନଚିତ୍ର ଅଙ୍କନ କରି ଓ ତାଙ୍କର ବ୍ୟବହାରକୁ ଲିପିବଦ୍ଧ କରି ଆମେରିକାର କେତେକ ପ୍ରସିଦ୍ଧ ମସ୍ତିଷ୍କବିଜ୍ଞାନୀ ନିଶ୍ଚିତ ହୋଇଗଲେ ଯେ, କେବଳ ଚେତନ ନୁହଁ, ଅବଚେତନ ମସ୍ତିଷ୍କ ଉପରେ ମଧ୍ୟ ଯୋଗୀଙ୍କର ଦଖଲ ରହିଛି । ମିଲିଟାରୀ ଯଶପ୍ରାପ୍ତ ଓ ସାଧାରଣ ପାଞ୍ଚହଜାର ଲୋକଙ୍କ ମଧ୍ୟରେ ସେହି ଯୋଗୀଥିଲେ ଏକମାତ୍ର ବ୍ୟକ୍ତି ଯାହା ପାଖରେ ପ୍ରଚଣ୍ଡ ଶବ୍ଦ ହେଲେ ବି ତାଙ୍କ ମସ୍ତିଷ୍କ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲା ।

ଯେଉଁ ସୃଜନକ୍ଷମ ଭାଷା ଓ ସାହିତ୍ୟମାନଙ୍କର ବିସ୍ମୟକର ରୂପ ଆମକୁ ମୁଗ୍ଧ କରିଥାଏ, ତାର ମୂଳଦୁଆ ରହିଛି ଏକ Biologicol Mechanism ବା ମସ୍ତିଷ୍କର ଏକ ଧରଣର ଜୈବ ଯାନ୍ତ୍ରିକବିନ୍ୟାସ ଉପରେ (ଚମସକୀ) ଭାଷାଭଳି ମସ୍ତିଷ୍କସ୍ଥିତ Biological Mechanism ଉପରେ ନିର୍ଭରକରେ ଯୋଗ । ଅଯଥା ଏହାକୁ ରହସ୍ୟମୟ କରିବା ଉଚିତ ନୁହେଁ । ଆଲ୍ଜିମାର୍ ରୋଗୀ ପକ୍ଷରେ ଯୋଗ ସମ୍ଭବ ନୁହେଁ କାରଣ ମସ୍ତିଷ୍କର କିଛି ଯନ୍ତ୍ରାଂଶ ଏ ରୋଗଫଳରେ ନଷ୍ଟ ହୋଇଯାଆନ୍ତି । ବୁଦ୍ଧ ନିଜ ଅନୁଭୂତି ମାଧ୍ୟମରେ ପ୍ରମାଣ କରିଛନ୍ତି ଯେ ଖାଦ୍ୟ ଅଭାବରେ ଯୋଗ ସମ୍ଭବ ନୁହେଁ, ବୁଦ୍ଧଙ୍କ ଅନୁଭୂତିକୁ ସ୍ୱୀକୃତି ଦେଇ ଗୀତାଲେଖିଛି, ‘ଠିକ୍ ସମୟରେ ଉପଯୁକ୍ତ ପରିମାଣ ଆହାର ଖାଇବା ଓ ଠିକ୍ ପରିମାଣରେ ଶରୀରକୁ ଶ୍ରମ ଓ ନିଦ ଯୋଗାଇ ନପାରିଲେ ଯୋଗ ସୁଖଦାୟୀ ନହୋଇ ଦୁଃଖଦାୟକ ହୋଇଥାଏ । (ଯୁକ୍ତାହାର ବିହାରସ୍ୟ ଯୁକ୍ତ ଚେଷ୍ଟସ୍ୱ କର୍ମଜୁ … ଭବତି ଦୁଃଖହା) । ଯୋଗ ଓ ତପ ଦୁଇଟି ଅଲଗା ଜିନିଷ । ‘ତପସ୍ୱୀଭ୍ୟୋଽଧିକ ଯୋଗୀ’ ଗୀତା ଶ୍ଳୋକ ସ୍ପଷ୍ଟ କରିଦିଏ ଯେ ଯୋଗ ତପ ନୁହେଁ । ‘ତପ’ରେ ଶରୀରକୁ କଷ୍ଟ ଦିଆଯିବା ଦେଖାଯାଏ । ଗୋଟିଏ ଗୋଡ଼ରେ ଠିଆ ହୋଇ ଧ୍ୟାନ କରିବା, ଗୋଟିଏ ଗଛରେ ଆଜୀବନ ବାସ କରିବା, କଣ୍ଟା ଉପରେ ସବୁବେଳେ ଶୋଇବା ଲୋକ ଯୋଗୀ ହୋଇପାରିବନି । ଦୁର୍ବାସାଙ୍କ ଭଳି ତପସ୍ୱୀମାନେ କ୍ରୋଧୀ ଥିଲେ । ତପସ୍ୱୀ ପର୍ଶୁରାମ ଥିଲେ ହିଂସାବାଦୀ ।

‘ଯୋଗ’ର ମୂଲ୍ୟବୋଧ ଅଂଶଙ୍କୁ ଛାଡ଼ିଦେଲେ ଅନ୍ୟ ଦୁଇଟି ଭାଗ ଶାରୀରିକ ଓ ମାନସିକ ପ୍ରକ୍ରିୟା ବିଜ୍ଞାନ ଭଳି Fallibility Test (ଭ୍ରମ ସମ୍ଭାବନା)ର ଅନ୍ତର୍ଭୁକ୍ତ କରିବା ଉଚିତ । ଯୋଗର ଚାରି ମୂଲ୍ୟବୋଧ (ଅହିଂସା, ସତ୍ୟ, ଅସ୍ତେୟ, ଅପରିଗ୍ରହ) ବୁଦ୍ଧ, ଗାନ୍ଧୀ ବ୍ୟକ୍ତିତ୍ୱ ଗଠନରେ ମୁଖ୍ୟ ଅଂଶ ଗ୍ରହଣ କରିଥିଲା ।

ପୃଥିବୀର ଅନ୍ୟଦେଶମାନଙ୍କର ବିଦ୍ୱାନମାନେ ବିପ୍ଳବୀ ବୁଦ୍ଧିଜୀବୀଙ୍କର ଆବଶ୍ୟକତା ଉପରେ ଜୋର ଦେଉଥିଲା ବେଳେ ପ୍ରାଚୀନ ବେଦପୂର୍ବ ଯୁଗର ଭାରତ ପରୀକ୍ଷା କରିଥିଲା ବିପ୍ଳବୀଯୋଗୀଙ୍କୁ ନେଇ । ଅପମାନ, ଅସମ୍ମାନକୁ ସ୍ୱାଗତ କରୁଥିବା ଯୋଗୀମାନଙ୍କ ସର୍ମ୍ପକରେ ରବୀନ୍ଦ୍ରନାଥ ଜାଣିଥିଲେ ଓ ପ୍ରଚଣ୍ଡ ସମାଲୋଚନାର ଘେରରେ (ବିବେକ-ସମ୍ମତ ରାସ୍ତାରେ ଯାଇ) ପଡ଼ିବା ସମୟରେ ମହାଭାରତ କିମ୍ବା ମନୁସ୍ମୃତିର ବିପ୍ଳବୀ ଯୋଗୀ ପାଇଁ ନିର୍ଦ୍ଦିଷ୍ଟ ଶ୍ଲୋକଟି ମନେ ପକାଉଥିଲେ । (ଆଶୀଷ ନନ୍ଦୀ- The illegitimacy of nationalism P-88)

ପୃଥିବୀର ସବୁ ଦେଶର ସଭ୍ୟତା ‘ସହିଦ୍’ ବା ‘Martyr’ ମାନଙ୍କୁ ଉଚ୍ଚ ଆସନ ଦେଇଥାଏ । ସହିଦ୍ ନିଶ୍ଚିତ ଏକ ଆଦର୍ଶ ପଛରେ ଦ୍ରୁତ ଧାବମାନ ଏକ ବ୍ୟକ୍ତିତ୍ୱ କିନ୍ତୁ ସହିଦ ସୃଷ୍ଟିରେ କେତେକ ବିପଦ ରହିଛି । ଜଣେ ସ୍ୱାଧୀନତା ସଂଗ୍ରାମୀ କିମ୍ବା ଜଣେ ଦରିଦ୍ରପ୍ରେମୀ ମଣିଷ ଆତଙ୍କବାଦୀ ବନିଯାଇ ଅନେକ ନିରୀହ ବ୍ୟକ୍ତିଙ୍କୁ ହତ୍ୟା କରିପାରେ । ତାର ଆଦର୍ଶ ବି ଭବିଷ୍ୟତରେ ଫମ୍ପା କିମ୍ବା ମାନବବିରୋଧୀ ହୋଇପାରେ, ସହିଦ ଜଣେ ବିଶ୍ୱ ମାନବପ୍ରେମୀ ନ ହୋଇ ଗୋଷ୍ଠୀପ୍ରେମୀ ହୋଇପାରେ । ସହିଦ ସୃଷ୍ଟି କରୁଥିବା ଏକ ସମାଜ ଶେଷରେ ଅମୁକ (Fanatic) ମସ୍ତିଷ୍କଧାରୀ ମାନଙ୍କର ଚରାଭୂଇଁ ହୋଇଯାଇପାରେ ।

The Politics of the death wish ପ୍ରବନ୍ଧରେ ଲେଖିଛନ୍ତି – Lewis S Feuer,- ‘We can admire the person whose selfsacrifice is born of his affection for others; but where self – sacrifice is the instrument of self – hatred. And where there is a tendency to turn such sacrifice into c a value in itself, unreason has taken control.’ ଗ୍ରୀକ୍ନଗରୀ ସ୍ପାର୍ଟା, ଜେହାଦୀଙ୍କ ଭୂମି ଆରବଭୂଖଣ୍ଡ ଏବଂ ସ୍ୱାଧୀନତାକାମୀ ଅସଂଖ୍ୟ ସହିଦଙ୍କ ଦେଶ ଅଲ୍ଜେରିଆ ପ୍ରତ୍ୟେକେ ଅସୁସ୍ଥ ସମାଜ ହିଁ ସୃଷ୍ଟି କରିଛନ୍ତି ।

ଭାରତରେ ରାଜା ନୁହେଁ, ଯୋଗୀ (ମହାଭାରତ କହେ ଯୋଗୀର ବିପ୍ଳବମାନସ ରହିବା ଉଚିତ) ସମାଜରେ ପ୍ରଧାନ ସ୍ଥାନରେ ଥିଲା। (ମେଗାସ୍ଥିନିସ୍) ଗୀତା ବି ଯୋଗୀକୁ ପ୍ରଥମ ସ୍ଥାନ ଦେଇଛି । କିନ୍ତୁ ଗୀତାରେ ଏକ ବିରୋଧାଭାସ ରହିଛି ଶ୍ରୀକୃଷ୍ଣଙ୍କ ଦୁଇ ବିପରୀତ ମେରୁର ଉପଦେଶରେ । ସେ କହିଛନ୍ତି, ଅର୍ଜୁନକୁ, ‘ଯୋଗୀ ହୋଇଯାଅ ଅର୍ଜୁନ’ (ତସ୍ମାତ୍ ଯୋଗୀ ଭବାର୍ଜୁନ) । ଏଣେ ସେ ପୁଣି କହିଛନ୍ତି ‘ମତେ ଅନୁସରଣ କର ଓ ଯୁଦ୍ଧ କର’ (ମାମନୁସ୍ମର ଯୁଦ୍ଧ୍ୟ ଚ) ।

ଯୋଗର ମୁଖ୍ୟ ମୂଲ୍ୟବୋଧ ହେଉଛି ଅହିଂସା । ଯୋଗୀ କେବେ ଯୋଦ୍ଧା ହବାକୁ ଚାହିଁବନି । ଅନ୍ୟ ସବୁ ଧର୍ମଗ୍ରନ୍ଥ ଭଳି ଗୀତାରେ ଉଭୟ ଅମୃତ ଓ ବିଷର ସହାବସ୍ଥାନ ରହିଛି । ତେଣୁ ଗାନ୍ଧୀ ଯେଉଁ ଗ୍ରନ୍ଥକୁ ‘ଅହିଂସାର ବାର୍ତ୍ତାବହ’ କହିଥିଲେ ସେଇ ଗ୍ରନ୍ଥକୁ ‘ଗାନ୍ଧିହତ୍ୟାର ପ୍ରେରଣାଦାତା’ ରୂପେ ବ୍ୟବହାର କଲେ ନାଥୁରାମ ଗଡ଼୍ସେ । ବିପ୍ଳବୀ ବୁଦ୍ଧିଜୀବୀର ‘ଆବେଗ ନିୟନ୍ତ୍ରଣ’ ସ୍ଥିତି ଥାଇପାରେ ବା ନ ଥାଇପାରେ, କିନ୍ତୁ ‘ଯୋଗୀ’ର ଆବେଗ ଉପରେ ନିଶ୍ଚୟ ପୂର୍ଣ୍ଣକର୍ତ୍ତୃତ୍ୱ ରହିବ । ଭାରତୀୟ ଦାର୍ଶନିକମାନେ ଯୋଗ ସାଧନାକୁ ଗ୍ରହଣ କରିଥିବାରୁ ସେମାନଙ୍କ ଚିତ୍ତ ପ୍ରଶାନ୍ତି ରହିବା ସ୍ୱାଭାବିକ । ନିତ୍ଜେଙ୍କ ଭଳି ବହୁ ପ୍ରଖ୍ୟାତ ୟୁରୋପୀୟ ଦାର୍ଶନିକଙ୍କ ଚିତ୍ତ କ୍ଷୋଭ ରହିଥିବା ସୁବିଦିତ ।

ମଣିଷସଭ୍ୟତାକୁ ରକ୍ଷାକରିବା ପାଇଁ ଦୁଇଟି ଉପାଦାନକୁ ପ୍ରାଥମିକତା ଦେବା ଦରକାର ୧. ‘ଯୋଗୀ’କୁ ବା ବୁଦ୍ଧିଜୀବୀ ବିପ୍ଳବୀକୁ ସ୍ୱାଗତ କରୁଥିବା ଏକ ସମାଜ, ୨. ଶରୀର ଓ ମନର ସାଧନା କରିଥିବା କେତେକ ବିପ୍ଳବୀ ବୁଦ୍ଧିଜୀବୀ । ‘ଯୋଗୀ’ର ଦେଶ ଭାରତର ସଂକୀର୍ଣ୍ଣମନା ବୁଦ୍ଧିଜୀବୀ ସମାଜ ଏ ବିଷୟ ବୁଝିଲେ ତ? ହିନ୍ଦୁତ୍ୱବାଦୀମାନେ ଏଭଳି ଆଲୋକଗୁଡ଼ିକ ଯେ ବଳପ୍ରୟୋଗ କରି ଲିଭାଇ ନ ଦେବେ, ଏହା ନିର୍ଦ୍ଦିଷ୍ଟଭାବରେ କେହି କହିପାରିବେନି ।

ଭାରତରେ ବିପ୍ଳବୀ ବୁଦ୍ଧିଜୀବୀଙ୍କର ମରୁଡ଼ି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରନ୍ତି ପ୍ରସିଦ୍ଧ ରାୟବାଦୀ ପ୍ରଫେସର ଶିବନାରାୟଣ ରାୟ (ସମ୍ପାଦକ, ଜିଜ୍ଞାସା) ।

‘One would indeed have to search very hard among the educated people in this country to discover individuals who prefer and are able to think independently, or whose perceptions of the present development are trained on close acquaintance with and critical interpretation of their past heritage.

ଶିକ୍ଷିତ ବ୍ୟକ୍ତିଙ୍କ ମଧ୍ୟରେ ସ୍ୱାଧୀନ ଚିନ୍ତାଥିବା ବ୍ୟକ୍ତିଙ୍କୁ ଖୋଜିପାଇବା କଷ୍ଟକର ହୋଇପଡ଼ିଛି । ଅତୀତ ସଂସ୍କୃତିର ଉପାଦାନଗୁଡ଼ିକର ମୌଳିକ ଆଲୋଚନାତ୍ମକ ବ୍ୟାଖ୍ୟା କରି ସେଗୁଡ଼ିକ ସହ ଆଧୁନିକ ଯୁଗର ଚିନ୍ତନକୁ ସମନ୍ୱିତ କରିପାରୁଥିବା ବୁଦ୍ଧିଜୀବୀଙ୍କୁ ଭେଟିବା ଆମ ପାଇଁ ସମ୍ଭବ ହୋଇପାରୁନି ।

କେବଳ ଯୋଗୀ ହିଁ ବିଜ୍ଞାନ ଓ ସମାଜର ଜୀବନଦାୟିନୀ ଶ୍ରେଷ୍ଠ ମୂଲ୍ୟବୋଧଗୁଡ଼ିକୁ ସମନ୍ୱିତ କରିପାରେ । କେବଳ ଯୋଗୀ ହିଁ ବିଶ୍ୱମୈତ୍ରୀ ଓ ରକ୍ଷକ ସଂସ୍କୃତିର ମୂଳଦୁଆ ସ୍ଥାପନ କରିପାରେ । ଯୁଦ୍ଧ ଓ ଭୋଗ ସଭ୍ୟତାର ସମାଧି ରଚନା କରିପାରେ । ବୁଦ୍ଧଙ୍କ ଭଳି ପ୍ରଥାସମ୍ମତ ତପସ୍ୱୀ ଭାବନାକୁ ଚୁନୌତି (ଆହ୍ୱାନ) ଦେଇପାରେ ସୁଜାତା ପ୍ରସ୍ତୁତ ପାୟସ ଭକ୍ଷଣକରି, ରାଜଗୋଷ୍ଠୀର ନିମନ୍ତ୍ରଣକୁ ଅଳିଆଗଦାରେ ଫିଙ୍ଗି ଲିଚ୍ଛକୀ ନଗରବଧୂ ଆମ୍ରପଲ୍ଲୀର ଅତିଥି ହୋଇ କିମ୍ବା ଗାନ୍ଧୀ ଭଳି ଦୃପ୍ତ ଘୋଷଣା କରିପାରେ ‘ସତ୍ୟ ହିଁ ଭଗବାନ। ଗୋଷ୍ଠୀ ହିଂସାର ଦାଉ ଦାଉ ଜଳୁଥିବା ଅଗ୍ନି ଭିତରକୁ ପ୍ରବେଶ କରିପାରେ ‘ଅହିଂସା’ମନ୍ତ୍ର ଉଚ୍ଚାରଣ କରି । ବହୁସଂଖ୍ୟକ ବିପ୍ଳବୀ ବୁଦ୍ଧିଜୀବୀ କିମ୍ବା ଯୋଗୀ ସୃଷ୍ଟି କରିପାରୁନଥିବା ସମାଜ ଆମେରିକା ଭଳି ବିଶ୍ୱ ଆତଙ୍କର ପ୍ରସୂତିଶାଳା ହେବା ନିଶ୍ଚିତ ।

Photo credit –

https://www.google.com/search?biw=1366&bih=555&tbm=isch&sa=1&ei=kmYGXI6bMYTWwQK-1r3gAw&q=INTELLECTUAL+DEVASTRATION&oq=INTELLECTUAL+DEVASTRATION&gs_l=img.3…296801.310948..312364…0.0..0.472.11325.4-26….2..0….1..gws-wiz-img…..0..0j0i67.AyX3USW_ocY#imgdii=8T2rTgYF5gm7fM:&imgrc=gHTMUP5hOGeLIM:

About ପ୍ରଫେସର ଭଗବତ ପ୍ରସାଦ

ପ୍ରଫେସର ଭଗବତ ପ୍ରସାଦ
ସର୍ବୋଦୟ କର୍ମୀ, ସମାଜ ବିଜ୍ଞାନୀ

Check Also

‘ଜୟ’ ଥିଲା ହିଂସା-ବିରୋଧୀ (ଭାଗବତ ପ୍ରସାଦଙ୍କ ଲେଖନୀରୁ)

ପରିସ୍ଥିତି ଯାହା ହେଉନା କାହିଁକି, ପ୍ରତ୍ୟେକ ଯୁଦ୍ଧ ହିଁ ଅଧର୍ମ’ ଏହା ଥିଲା ମୂଳ ମହାଭାରତର ପ୍ରତିପାଦ୍ୟ ବିଷୟ । …

2 comments

  1. Avatar
    Pravat Kumar Sahoo

    Good news…articles…

Leave a Reply

Your email address will not be published. Required fields are marked *