ଗୁରୁପ୍ରସାଦଙ୍କ ‘କାଳପୁରୁଷ’ ଓ ଏଲିଅଟ୍ ଙ୍କ ‘ଦ’ୱେଷ୍ଟଲାଣ୍ଡ୍’: ଏକ ତୁଳନାତ୍ମକ ଅନୁଶୀଳନ

ସନ୍ତୋଷ କୁମାର ନାୟକ
ସନ୍ତୋଷ କୁମାର ନାୟକ 257 Views
31 Min Read


ଗୁରୁପ୍ରସାଦ ମହାନ୍ତି

‘କାଳପୁରୁଷ’ ଓ ‘ଦ’ ୱେଷ୍ଟଲ୍ୟାଣ୍ଡ ’ ଉଭୟ କାଳଜୟୀ, ଉଭୟ କଳୋତ୍ତୀର୍ଣ୍ଣ ଓ କାଳୋତ୍ତୀର୍ଣ୍ଣ । ଅବଶ୍ୟ ‘କାଳପୁରୁଷ’ର ସ୍ୱୀକୃତି ଓ ସମ୍ମାନ ତଥା ପରିଚିତି ଓ ପ୍ରଭାବ ଦ’ୱେଷ୍ଟଲ୍ୟାଣ୍ଡ’ ଠାରୁ କମ । ବୟସରେ ଦ’ୱେଷ୍ଟଲ୍ୟାଣ୍ଡ ମଧ୍ୟ ବଡ଼ । ୱେଷ୍ଟଲାଣ୍ଡ୍ ର ଚେରଗୁଡ଼ିକ ଖୁବ୍ ପ୍ରାଚୀନ ସ୍ତରକୁ ଯାଇଥିବାର ଜଣାପଡ଼େ । ମାତ୍ର ଏ ଦୃଷ୍ଟିରୁ ‘କାଳପୁରୁଷ’ ସେତେଟା ପ୍ରାଚୀନ ନୁହଁ। ଏଠାରେ ପ୍ରାଚୀନତାର ପ୍ରମାଣ ଦେବାର ଅର୍ଥ ଏଇୟା ନୁହେଁ ଯେ, କାବ୍ୟଟି କେତେ ପ୍ରାଚୀନ ବା ପ୍ରାଚୀନ ଚିନ୍ତା-ଚେତନାଧର୍ମୀ। ବରଂ ଏହାର ଅର୍ଥ ଏଇୟା ଯେ, ଏହି ପ୍ରମାଣ ଦ୍ୱାରା କାବ୍ୟଟିର ବକ୍ତବ୍ୟ ବା message  ସପକ୍ଷରେ କେତେ ପ୍ରାଚୀନ ସାକ୍ଷୀ ପ୍ରମାଣ ମିଳିପାରିବ ।

ଅନେକ ଦିନତଳର ବ୍ୟକ୍ତି, ବସ୍ତୁ ଆଦି ଗୋଟିଏ ବକ୍ତବ୍ୟ ସପକ୍ଷରେ ପ୍ରମାଣ ହୋଇ ଛିଡ଼ାହେବା ଠାରୁ ଆଉ ବଡ଼କଥା କ’ଣ ହୋଇପାରେ? ତେବେ ସେ ଯାହା ହେଉନା କାହିଁକି ‘କାଳପୁରୁଷ’ର ଭାଗ୍ୟରେ ବା ଉଦରରେ ସେପରି କିଛି ବିଶେଷ ଘଟଣା ବା ବିଶେଷ ପ୍ରମାଣ ଦେଖାଯାଏ ନାହିଁ ।

ଅନେକେ କହନ୍ତି ‘କାଳପୁରୁଷ’ ‘ଦ’ୱେଷ୍ଟଲ୍ୟାଣ୍ଡ’ର କଟକୀ ସଂସ୍କରଣ, ଓଡ଼ିଶୀ ସଂସ୍କରଣ, ଛାୟାନୁବାଦ, ମର୍ମାନୁବାଦ ଇତ୍ୟାଦି ଇତ୍ୟାଦି । ପୁଣି କେହିକେହି ବି କହନ୍ତି ଗୁରୁପ୍ରସାଦ ‘କାଳପୁରୁଷ’ ପାଇଁ ଏଲିଅଟସଙ୍କ ଠାରେ ଚିରଋଣୀ । କାରଣ ‘ଦ’ୱେଷ୍ଟଲାଣ୍ଡ୍’ ରୁ କାଳପୁରୁଷ ପାଇଁ ଯେଉଁ ଉପକରଣ, ଚେତନା, ଶୈଳୀ ଏପରିକି ଶବ୍ଦ ସବୁ ଆଣିଛନ୍ତି- ତାହା ଋଣ ପରିଶୋଧଯୋଗ୍ୟ ନୁହେଁ । ତାହା ଅସାମାନ୍ୟ। ଏତଦ୍ୱାରା ଏଲିଅଟସଙ୍କ ପ୍ରଶଂସା କରୁଛେ ସତ, କିନ୍ତୁ ଜଣେ ଭଲ କବିଙ୍କୁ ନିର୍ଦ୍ଦୋଷରେ ଦୋଷୀ, ଅପାରଗ, ଅପରାଧୀ, ପଙ୍ଗୁ, ଚୋର, ଅକ୍ଷମାଦି ବିଶେଷଣ ଦ୍ୱାରା କେବଳ ଶେଳବିଦ୍ଧ କରାଯାଉଛି, ଆଉ କିଛି ନୁହେଁ । ଗୁରୁପ୍ରସାଦ ଜଣେ ଭଲ କବି, ଉଚ୍ଚକୋଟୀର କବି, ମୌଳିକତା ଥିବା ବଳିଷ୍ଠ କବି ବିଶେଷ ମାତ୍ର ।

ତାଙ୍କର ଆହରଣ ଓ ସମୀକରଣଶୀଳତାକୁ ପରୋକ୍ଷରେ ନିଜେ ଏଲିଅଟ୍ ଲାଇସେନସ ଦେଇ ପ୍ରଶଂସା କରିଯାଇଛନ୍ତି । ମାତ୍ର ଏହି ଆତ୍ମୀକରଣ ପ୍ରକ୍ରିୟା ଓ ନୂତନ ରୂପରଂଗ ଦେଇ ସେଇ ଚେତନାକୁ ରୂପାୟିତ କରିବା ଏତେ ସହଜସାଧ୍ୟ କ୍ରିୟା ନୁହେଁ, ତଥାପି କବି ଗୁରୁପ୍ରସାଦ ତାକୁ କରି ଦେଖାଇଲେ । ମାତ୍ର ଦଳେ ସମାଲୋଚକ ଏକତରଫା ହୋଇ ଗୁରୁପ୍ରସାଦଙ୍କୁ ଯଥାର୍ଥ ସମ୍ମାନ ପ୍ରଦାନ କରିନାହାଁନ୍ତି । ଏହା ଠିକ୍ ନୁହେଁ, ଗୁରୁବାବୁ ସେ ସମ୍ମାନର ଅଧିକାରୀ । କାରଣ ସେ ଖାଲି ଜଣେ ଭଲ କବି ନୁହଁନ୍ତି ବରଂ ଜଣେ ଭଲ ପାଠକ ଓ ଉଚ୍ଚକୋଟୀର କବି । ତାଙ୍କର ହଜମୀଶକ୍ତି ଯଥେଷ୍ଟ ଅଧିକ, ଯାହା ସବୁଠାରେ ସବୁବେଳେ ସମସ୍ତଙ୍କ ଠାରେ ପ୍ରତିଦିନ ମିଳିନଥାଏ ।

ଗୁରୁପ୍ରସାଦ ମହାନ୍ତି କାଳଜୟୀ କୃତି ‘କାଳପୁରୁଷ’ର କବି । ଟି. ଏସ୍. ଏଲିଅଟ୍ ‘ଦ’ୱେଷ୍ଟଲାଣ୍ଡ୍’ର କବି । ଦୁଇଟିଯାକ ସୃଷ୍ଟିର କପାଳ ସମାନ ନହେଲେ ମଧ୍ୟ ପାଖାପାଖି ସମାନ । ଦୁଇଟି ସୃଷ୍ଟି ପରସ୍ପର ମଧ୍ୟରେ ଯଥେଷ୍ଟ ସାମ୍ୟ ରକ୍ଷାକରନ୍ତି । ସୃଷ୍ଟିଦ୍ୱୟର ଏନ୍ତୁଡ଼ିଶାଳ କଥା କୁହାଯାଉ ଅଥବା ଏହାର ଭ୍ରୂଣାବସ୍ଥା ବା ଗର୍ଭାଶୟ କଥା କୁହାଯାଉ ଅଥବା କୁହାଯାଉ ଏହାର କୈଶୋରାବସ୍ଥା କଥା, ସବୁଠାରେ ଆମେ ସାଦୃଶ୍ୟ ହିଁ ଅଧିକ ପାଇବା ବୈସାଦୃଶ୍ୟ ଠାରୁ ।

ଏଲିଅଟସଙ୍କ ଜୀବନାୟନ ହେଉ ଅଥବା ଗୁରୁପ୍ରସାଦଙ୍କ ଜୀବନାୟନ ହେଉ, ଏଇ ଦୁଇଜଣ ପ୍ରତିଭାଙ୍କ ଠାରେ ଆମେ ସମାନ ଘଟଣାକୁ ହିଁ ଲକ୍ଷ୍ୟକରୁ । ଅର୍ଥାତ୍ ବ୍ୟକ୍ତିଗତ ଜୀବନକୁ ଯଦି ପର୍ଯ୍ୟବେକ୍ଷଣ କରାଯାଏ, ତେବେ ଏହି ଉଭୟ ସ୍ରଷ୍ଟାଙ୍କ ଠାରେ ଯଥେଷ୍ଟ ସାଦୃଶ୍ୟ ଦେଖାଯିବ-ଏଥିରେ ଆଦୌ ଦ୍ୱିରୁକ୍ତି ନାହିଁ । ପୁଣି ସାହିତ୍ୟ ସର୍ଜନା କ୍ଷେତ୍ରରେ ଏଲିଅଟସଙ୍କ ମନୋବୃତ୍ତି ମଧ୍ୟ ଗୁରୁପ୍ରସାଦଙ୍କ ମନୋବୃତ୍ତି ସହ ମେଳଖାଏ । ଅବଶ୍ୟ ଗୁରୁପ୍ରସାଦ ଏଲିଅଟସଙ୍କ ଦ୍ୱାରା ପ୍ରଭାବିତ ହୋଇଥିବା ସ୍ୱାଭାବିକ୍, କିନ୍ତୁ ଏଠାରେ କିଏ କାହା ଦ୍ୱାରା ପ୍ରଭାବିତ ହୋଇଛି, ତାହାର ଆଲୋଚନା ଆମର ଲକ୍ଷ୍ୟ ନୁହେଁ, କି ଆମର ବିଷୟବସ୍ତୁ ନୁହେଁ । ଆମେ ଏଠାରେ କେବଳ ସାଦୃଶ୍ୟ-ବୈସାଦୃଶ୍ୟ ବିବେଚନା କରିବା ସାଙ୍ଗକୁ ସାଂସ୍କୃତିକ ଓ ସାହିତ୍ୟିକ ଉତ୍କୃଷ୍ଟତା ବିବେଚନା ଉପରେ ଆଲୋକପାତ ମାତ୍ର କରିବା ।

 
ଟି. ଏସ୍. ଏଲିଅଟ୍

ଟି. ଏସ୍. ଏଲିଅଟ୍ (T. S. Eliot)  ବିଂଶ ଶତାବ୍ଦୀର ଶ୍ରେଷ୍ଠ କବି,ଶ୍ରେଷ୍ଠ ରୂପକାର । ସମାଜ ଜୀବନକୁ ସଠିକ୍ ରୂପେ ମାପିଚୁପି, ତା’ର ନିଦାନ ନିମନ୍ତେ, ସମାଧାନ ନିମନ୍ତେ ତଥା ତା’ର ଆରୋଗ୍ୟ ନିମନ୍ତେ ଯାହା ଯାହା କରିବା ଦରକାର ଏଲିଅଟ୍ ତାହା ଶବ୍ଦରେ ବେଶ୍ କରିପାରିଥିଲେ । ପ୍ରାଚୀନ ଓ ଅର୍ବାଚୀନ ସମୟ-ସମାଜ ଓ ସାଂସ୍କୃତିକ ରୂପରେଖକୁ ଦେଖି ତୁଳନାତ୍ମକ ଭଂଗୀରେ ତଦୀୟ ତୂଳୀ ମୁଖରିତ ହୋଇଉଠିଥିଲା, ଆଙ୍କିଥିଲା କେତେଗୋଟି ଖାପଛଡ଼ା ଅଥଚ ଅର୍ଥଦୀପ୍ତ ଚିତ୍ର ବିଶେଷ । ସେ ଚିତ୍ର ସବୁ ସମଗ୍ର ଶତାବ୍ଦୀର ରୂପଚିତ୍ର ପ୍ରଦାନ କରିବାରେ ଥିଲେ ସିଦ୍ଧହସ୍ତ । ସେ ଚିତ୍ର ସବୁରେ ପ୍ରତିଫଳିତ ଏଲିଅଟସଙ୍କ ସ୍ନାୟବିକ ଉତ୍ତେଜନା ଓ ପ୍ରତିକ୍ରିୟାହୀନତା ।

ଗୁରୁପ୍ରସାଦ ମହାନ୍ତି ଉତ୍ତର ସ୍ୱାଧୀନତା କାଳର ସଫଳ ଓ ସବଳତମ କବି । ଆଧୁନିକ ଜୀବନକୁ ବେଶ୍ ବୁଝିଛନ୍ତି ଗୁରୁପ୍ରସାଦ । ତେଣୁ ତାଙ୍କର କାଳଜୟୀ କୃତି ‘କାଳପୁରୁଷ’ରେ ସେ ଅନୁରୂପ ଅନୁଭୂତିର ଚିତ୍ର ହିଁ ଆଙ୍କିଛନ୍ତି । ଏଠାରେ ମଧ୍ୟ ଗୁରୁପ୍ରସାଦଙ୍କ ଚିନ୍ତାଚକ୍ଷୁ ପ୍ରାଚୀନ ଶତକ ଠାରୁ ଆରମ୍ଭ କରି ଆଜିର ଶତକ ଯାଏଁ ଲମ୍ବିଆସିଛି । ବିଂଶ ଶତକର ଲେଖକ (ସ୍ରଷ୍ଟା) ହେଲେ ମଧ୍ୟ ଗୁରୁପ୍ରସାଦଙ୍କ ଅନୁଭୂତି ଅନେକ ଉତ୍ତରକାଳର, ଏକବିଂଶ ବା ସମ୍ଭବତଃ ଦ୍ୱାବିଂଶ ଶତାବ୍ଦୀର । ଗୁରୁପ୍ରସାଦଙ୍କ ଡୁଆଲ୍ ଚରିତ୍ର ବା ଦ୍ୱୈତ ଚରିତ୍ର (ଗୋଟିଏ ନରମ (କବିର), ଅନ୍ୟଟି ଗରମ, କଡ଼ା ମଣିଷର) ବୋଧହୁଏ ଏସବୁ ଅନୁଭୂତି ପାଇଁ ଦାୟୀ । କବିତାଟିରେ ବ୍ୟକ୍ତିଗତ ସଚେତନବୋଧ ଓ ଅନୁଭୂତି ସବୁ ବେଶ୍ ପ୍ରତିଫଳିତ ।

ଉଭୟ ‘ଦ’ୱେଷ୍ଟଲାଣ୍ଡ୍’ ଓ ‘କାଳୁପୁରୁଷ’ରେ ଖାପଛଡ଼ା ଚେତନାର ଚିତ୍ର ବେଶ୍ ଚିତ୍ରିତ । ଦୁଇଟିଯାକ କବିତାର ଗଠନ କୌଶଳ ଆଦୌ ସରଳ ବା ଅଭିଧାନ ଗତ ନୁହେଁ । ଦୁଇଟିଯାକ କବିତା ଗୋଟିଏ ବିନ୍ଦୁରୁ ନିଜର ଯାତ୍ରା ଆରମ୍ଭ କରିଛନ୍ତି । ଗୋଟିଏ ବିନ୍ଦୁରୁ ଯାତ୍ରାରମ୍ଭ କରିବାର କାରଣ ଅବଶ୍ୟ ଏଇୟା ଯେ, ଗୁରୁପ୍ରସାଦ ଏଲିଅଟସଙ୍କ ଦ୍ୱାରା ଓ କାଳଜୟୀ କୃତି ‘ଦ’ୱେଷ୍ଟଲଣ୍ଡ ’ ଦ୍ୱାରା ଖୁବ୍ ପ୍ରଭାବିତ ଥିଲେ । ହଁ, ଏ ସୂତ୍ରରେ ଅବଶ୍ୟ ‘ଦ’ୱେଷ୍ଟଲଣ୍ଡ ’ ‘କାଳପୁରୁଷ’ର ପୂର୍ବପୁରୁଷ ବୋଲି କୁହାଯାଇପାରେ । ମାତ୍ର ଏହା କହିଦେଇ ଚୁପ୍ ରହିଯିବା ଠିକ୍ ହେବ ନାହିଁ ଅଧିକନ୍ତୁ ଅନ୍ୟାୟ ହୋଇଯିବ ।

କାରଣ ‘କାଳପୁରୁଷ’ର ପ୍ରାରମ୍ଭିକ ବିନ୍ଦୁ ସମତାଳରେ ‘ଦ’ୱେଷ୍ଟଲାଣ୍ଡ୍’ସହ ସମତା ରକ୍ଷାକରିଛି ସତ କିନ୍ତୁ କବିତାଟି ଯେପରି ଯେପରି ଆଗକୁ ଆଗକୁ ଯାଇଛି ତା’ର ଗତିପଥ ଯଥେଷ୍ଟ ବୈଚିତ୍ର‌୍ୟପୂର୍ଣ୍ଣ, ଯଥେଷ୍ଟ ସର୍ପିଳ, ଯଥେଷ୍ଟ ବର୍ଣ୍ଣିଳ ହୋଇଉଠିଛି । କହିବା ବାହୁଲ୍ୟ- ମୂଳରୁ ଶେଷ ଯାଏଁ ‘ଦ’ୱେଷ୍ଟଲାଣ୍ଡ୍’କୁ  ଯେପରି ଭାବେ ଭାଷ୍ୟ ଓ ଭାଷାର ସମତଳ ଭାବରେ ଦେଖିହୁଏ ନାହିଁ ଠିକ୍ ସେହିପରି କବି ଗୁରୁପ୍ରସାଦଙ୍କ ‘କାଳପୁରୁଷ’ ମଧ୍ୟ ସେହି ଦନ୍ତୁରିତ ପୃଷ୍ଠଭୂମିରେ ଏକ ବିବର୍ଣ୍ଣ ଚେହେରା ନେଇ ଭାଙ୍ଗିରୁଜି ପଡ଼ିଛି । କାଳପୁରୁଷ, ନଷ୍ଟଭୂଇଁର ପୃଷ୍ଠପିଠିକାରେ ଛିଡ଼ାହୋଇ ଯେପରି ବିଚିତ୍ର ଦୃଶ୍ୟ ଦେଖାଇଛି, ତାହା ଖାଲି ତା’ନିଜର ଆତ୍ମାର ଆତ୍ମଜୀବନୀ ପ୍ରକାଶ କରିନି, ଅଧିକନ୍ତୁ ଏଲିଅଟସଙ୍କ ଚରିତ ‘ଦ’ୱେଷ୍ଟଲାଣ୍ଡ୍’ର ଆତ୍ମା ଅର୍ଥାତ୍ କାଳପୁରୁଷର ପୁରୁଣା ଆତ୍ମା କଥା ମଧ୍ୟ କହିଯାଇଛି, ପ୍ରକାଶିତ ହୋଇଯାଇଛି ।

‘କାଳପୁରୁଷ’ ପ୍ରଥମରୁ ଗୋଟିଏ ଜାଗାରୁ ବାହାରି ‘ଦ’ୱେଷ୍ଟଲ୍ୟାଣ୍ଡ’ ସହ ହାତମିଳାଇ ଯାତ୍ରାରମ୍ଭ କରିଛି ସତ, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ‘ଦ’ୱେଷ୍ଟଲଣ୍ଡ ’ର ଧାରା ଓ ଧରା ଭ୍ରମଣ ନକରି ନିଜମତେ ଭିନ୍ନ ଭିନ୍ନ ସ୍ଥାନ ଗମନ କରିଛି ଓ ସେସବୁ ସ୍ଥାନ ଓଡ଼ିଶାର, ଭାରତବର୍ଷର । ସେ ଭ୍ରମଣ କରିନି ନଷ୍ଟଭୂଇଁ, ସେ ଭ୍ରମଣ କରିଛି ଭାଗବତ, ଗୀତା, ମହାଭାରତ, ମାନସିଂହଙ୍କ କାବ୍ୟ କବିତା ଓ ସଚ୍ଚିରାଉତଙ୍କ କାବ୍ୟମାନସର ଗୋଟିକେତେ ଫର୍ଦ୍ଦ ଓ ଇଲାକା ।

ଗୁରୁପ୍ରସାଦଙ୍କ କାଳପୁରୁଷର ଇତସ୍ତତଃ ଭ୍ରମଣ ଭିନ୍ନ ହେଲେ ମଧ୍ୟ ସେ ସେହି ସାଂସ୍କୃତିକ ରୂପଚିତ୍ରକୁ ମନେପକାଇ ଦେଇଛି, ଯାହା ରହିଛି ‘ଦ’ୱେଷ୍ଟଲଣ୍ଡ ’ର ପ୍ରତିଟି ଶବ୍ଦ, ପ୍ରତିଟି ପରିଚ୍ଛେଦ ଭିତରେ । ଏଠାରେ କାଳପୁରୁଷ ଭିନ୍ନ ଭିନ୍ନ ସ୍ଥାନ ବୁଲିବୁଲି ଶେଶରେ ‘ୱେଷ୍ଟଲଣ୍ଡ ’ର ସାଂସ୍କୃତିକ ପ୍ରଚାର ଓ ପ୍ରସାର ହିଁ କରିଛି ଓ ଶେଷରେ ଉଭୟ କାବ୍ୟର କାବ୍ୟନାୟକ ନିସ୍ତେଜ, ନିଥର, ସ୍ତବ୍ଧ ହୋଇ ଶୁଣିଛନ୍ତି ମହାନ୍ ଆତ୍ମାର ବାଣୀ; ଉପନିଷଦର ବାଣୀ । ବିଷରୁ ହବିଷ, ମୃତ୍ୟୁରୁ ଅମୃତ, ଅନ୍ଧାରରୁ ଆଲୋକ ଓ ଅସତ୍ୟରୁ ସତ୍ୟର ଆଲୋକିତ-ଇଲାକା ଆଡ଼କୁ ଉଭୟ କାବ୍ୟପୁରୁଷ ଯାଇଛନ୍ତି । ଉଭୟେ ଖୋଜିଛନ୍ତି ଶାନ୍ତି, ଭାରତୀୟତା, ମହାଭାରତୀୟ ପୃଷ୍ଠଭୂମି ।

‘କାଳପୁରୁଷ’ ଆସିିବାର ସମୟ ବିଂଶ ଶତକର ଷଷ୍ଠ ଦଶନ୍ଧି । ୧୯୬୦ରେ ସିନା ‘ପ୍ରଜ୍ଞା’ରେ ପରିପ୍ରକାଶ କିନ୍ତୁ ବାସ୍ତବରେ କାଳପୁରୁଷର ଭ୍ରୁଣ ସଂଚାର ଉତ୍ତର ପଚାଶ କାଳରେ, ବିଶେଷତଃ ୧୯୫୫ ପରେ ପରେ ୧୯୬୦ ପୂର୍ବରୁ । ଏଣୁ ସମୟ ଏକ ଅନ୍ଧକାର ଓ ଆଲୋକର ସମୟ । ବାହାରେ ଆଲୋକ ଓ ଭିତରେ ଅନ୍ଧକାରର ସମୟ । ଅନ୍ତଦ୍ୱର୍ନ୍ଦ୍ୱ ଓ ସଂଘାତ ତଥା ସ୍ୱପ୍ନଭଂଗର ସମୟ । ଏ ସମୟ ନିଷ୍ଠୁର ନିର୍ମମ ସମୟ । ଏଠି ବର୍ଷା ଅଛି । ଏଠି ସ୍ୱାଧୀନତା ଅଛି ।

ଏଠି ପ୍ରାପ୍ତି ଅଛି କିନ୍ତୁ ଏଥିରେ ଜୀବନ ଥାଇ ବି ମୃତ୍ୟୁ ରହିଛି, ବାରମ୍ବାର, ସହସ୍ର ସହସ୍ର ଥର ମୃତ୍ୟୁ ରହିଛି । ସ୍ୱାଧୀନତା ପୂର୍ବରୁ ଯେଉଁ ସୁନେଲି ସ୍ୱପ୍ନର ମାୟାଞ୍ଜାନ ମଣିଷ ଆଖିରେ ବୋଳି ଦିଆଯାଇଥିଲା, ସେସବୁ କ୍ରମଶଃ ଧୂସର ହୋଇଗଲା, ପାଣ୍ଡୁର, ପାଉଁଶିଆ, ଫିକା ହୋଇଗଲା । ଏଣୁ ପୂର୍ବରୁ ବରଂ ଠିକ୍ ଥିଲା, ସବୁ ଠିକ୍ ଥିଲା କାରଣ ଅନ୍ତତଃପକ୍ଷେ ସ୍ୱପ୍ନ ତ ଭାଙ୍ଗୁ ନଥିଲା । ସ୍ୱପ୍ନ ନଆସିବା ଠାରୁ ସ୍ୱପ୍ନ ଆସି ଭାଙ୍ଗିଯିବା ଅଧିକ ଯନ୍ତ୍ରଣାଦାୟକ । ବୋଧହୁଏ ଏଇୟା, ଏଇ ଚେତନା ହିଁ ରହିଛି ‘କାଳପୁରୁଷ’ର ପୃଷ୍ଠଭୂମିରେ, ଯାହା ଉପରେ ଛିଡ଼ାହୋଇଛି ସେ (କାବ୍ୟନାୟକ) ଏକ ପାଣ୍ଡୁର ମୁହଁ ନେଇ, ଏକ ଧୂସର, ମଳିନ-ବିବର୍ଣ୍ଣ ଉଜୁଡ଼ା ମୁହଁ (ଚେହେରା) ନେଇ ।

‘ଦ’ୱେଷ୍ଟଲାଣ୍ଡ୍’ କୁ କେହିକେହି କାଳପୁରୁଷ ଛିଡ଼ା ହୋଇଥିବା ଭୂମି ବୋଲି କହନ୍ତି । ହୋଇପାରିଥାଏ । ମାତ୍ର ଏହା ମଧ୍ୟ ସତ୍ୟ ଯେ ‘ଦ’ୱେଷ୍ଟଲାଣ୍ଡ୍’ ର ଧମନୀରେ ଯେଉଁ ରକ୍ତ ବହୁଛି ତା’ର ଅବିକଳ ଧାରାଟିଏ ‘କାଳପୁରୁଷ’ରେ ମଧ୍ୟ ପ୍ରବାହିତ । ପୁଣି ଏ ଉକ୍ତିଟି ଯେତିକି ସତ, କାଳପୁରୁଷର ଭାରତୀୟ ପରିପ୍ରେକ୍ଷୀ ଓ ସ୍ୱାଧୀନତୋତ୍ତର ପୃଷ୍ଠଭୌମିକ ଅନୁଭୂତି ମଧ୍ୟ ସେତିକି ସତ । ତେବେ ସେ ଯାହାହେଉପଛକେ ‘ଦ’ୱେଷ୍ଟଲଣ୍ଡ ’ ମଧ୍ୟ ଭାରତୀୟ ଋଷି ଆଶ୍ରମର ଆଶ୍ରୟ ନେଇଛି ।

ସେ ନିଜକୁ ସମର୍ପିତ କରିଛି ଋଷି ଆଶ୍ରମ ପ୍ରାଙ୍ଗଣରେ । ସେ ଚାହିଁଛି ଶୁଣିବାକୁ ଆଚରିବାକୁ ବେଦମନ୍ତ୍ର ଧ୍ୱନି । କିନ୍ତୁ ଏହା ଭାରତର ସ୍ୱାଧୀନତୋତ୍ତର ପ୍ରେକ୍ଷାପଟରେ ରଚିତ ନୁହେଁ । ଅବଶ୍ୟ ଏହା ନିଃସଂଗତାବୋଧର ସାହିତ୍ୟ, ଏକଲାପଣ ଓ ଶୂନ୍ୟତାର ସାହିତ୍ୟ; ମୃତ୍ୟୁଚେତନାର ସାହିତ୍ୟ। ‘କାଳପୁରୁଷ’ ମଧ୍ୟ ସ୍ୱାଧୀନତୋତ୍ତର କାଳର ଅପତ୍ୟ ହିସାବରେ ସେଇ ଗୁଣକୁ ଆପଣାଇଛି । ପରିବର୍ତ୍ତିତ ମୂଲ୍ୟବୋଧ ଓ ପରିବର୍ତ୍ତିତ ସାଂସ୍କୃତିକ ରୂପରେଖ ପ୍ରଭୃତିର ଚେତନାଦିର ଚୌହଦୀରେ ଏହା ରଚିତ ।

ସେହିପରି ‘ଦ’ୱେଷ୍ଟଲାଣ୍ଡ୍’ ମଧ୍ୟ ପରିବର୍ତ୍ତିତ ମୂଲ୍ୟବୋଧ, ବିଚାରବୋଧ, ବିଶ୍ୱାସବୋଧ, ସାଂସ୍କୃତିକ ବିଭତ୍ସ ରୂପରେଖ ଓ ହୀନ ପରଂପରାର ପୃଷ୍ଠଭୂମିରେ ରଚିତ । କିନ୍ତୁ ଫରକ୍ ଏତିକି ‘କାଳପୁରୁଷ’ ଉତ୍ତର ସ୍ୱାଧୀନତା ପୃଷ୍ଠଭୂମିରେ ରଚିତ ହୋଇଥିଲାବେଳେ କାଳଜୟୀ କାବ୍ୟ ‘ଦ’ୱେଷ୍ଟଲାଣ୍ଡ୍’ ରଚିତ ହୋଇଥିଲା ପ୍ରଥମ ବିଶ୍ୱଯୁଦ୍ଧ ପରର ପୃଥିବୀ (ୟୁରୋପ) ପୃଷ୍ଠଭୂମି ଉପରେ । ‘କାଳପୁରୁଷ’ ଯଦିଓ ‘ଦ’ୱେଷ୍ଟଲଣ୍ଡ ’ ଠାରେ ଚିରକାଳ ଋଣୀ, ତଥାପି ଏହା ମଧ୍ୟ ଅବଶ୍ୟ ସତ୍ୟ ଯେ, ‘କାଳପୁରୁଷ’ର ମୌଳିକତା ଓଡ଼ିଶାକୁ ସାଦରେ ସାଇତି ରଖିଛି । ପୁଣି ଓଡ଼ିଶୀ ଓ ଭାରତୀୟ ପରିପ୍ରେକ୍ଷୀ ମଧ୍ୟ ବିଶ୍ୱାଧାରରେ ସାଇତି ରଖିଛି ଅନେକ ସ୍ୱାତନ୍ତ୍ର‌୍ୟ, ଅନେକ ମୂଳବାସ୍ନା । ଏହାହିଁ ଗୁରୁପ୍ରସାଦଙ୍କ କବିପଣ ।

କିନ୍ତୁ ୟା’ଠାରୁ ବଡ଼ ଗୁଣଟି ହେଉଛି ଆତ୍ମୀକରଣ । ରାଧାନାଥଙ୍କ ‘ଚିଲିକା’ ହେଉ ବା ‘ମହାଯାତ୍ରା’, କେଉଁଥିରେ ଅବା ତାଙ୍କର ମୌଳିକତା ନାହିଁ! ଅଥବା କେଉଁଥିରେ ବା ତାଙ୍କର ଆହରଣ ବା ଋଣୀ ହେବା ପଣଟି ନାହିଁ? ସବୁଠାରେ ସେ ଆହରଣ କରିଛନ୍ତି ଓ ସବୁଠାରେ ସମୀକରଣ ବା ଆତ୍ମୀକରଣ ସୁଚାରୁ ରୂପେ କରିଛନ୍ତି । ଏଣୁ ସେଇଟା ହେଲା ବଡ଼କଥା । ତା’ବୋଲି ରାଧାନାଥଙ୍କ ମୌଳିକତାକୁ ବା ‘ମହାଯାତ୍ରା’ର ମହାସଫଳତା ଓ ସବଳତାକୁ କେହି କ’ଣ କେବେ ଅସ୍ୱୀକାର କରିଛି? ଗୁରୁପ୍ରସାଦ ଏଠାରେ ସେଇୟା କରିଛନ୍ତି ଓ ବେଶ୍ କରିଛନ୍ତି । ଯଥେଷ୍ଟ ସଫଳତା ଓ ଦକ୍ଷତାର ସହିତ (ଚତୁରତା ନୁହେଁ) ସେ ଏଲିଅଟସଙ୍କ ମସ୍ତିଷ୍କକୁ ଓ ସମୀକରଣକୁ ଏଠାରେ ସମୀକୃତ କରି ମସୀରେ ସ୍ଥାନ ଦେଇପାରିଛନ୍ତି ।

ଶବ୍ଦର କାରିଗରରୁ ସିଧା କାବ୍ୟକାର ପାଲଟିଯାଇଛନ୍ତି । ଆଉ ଅଧିକ ବା କ’ଣ ଦରକାର ଜଣେ ଶିଳ୍ପୀ ବା କବି ଜୀବନରେ? ପୁଣି ଏଲିଅଟସ ଏଇକଥାରେ ନିଜେ କହିଯାଇଛନ୍ତି ଯେ, ଜଣେ କବି ଯଦି ଅନ୍ୟଠାରୁ କିଛି ଆଣି ନୂତନ ରୂପରେ ନିଜ କବିତାରେ ଥୋଇପାରିଲା, ତେବେ ସିଏ ଅସାଧାରଣ କବି ପ୍ରତିଭାର ଅଧିକାରୀ ଓ ସଫଳ କବିବିଶେଷ । ଏଣୁ ଋଣ ପରିଶୋଧ ବାବଦରେ ନିଜେ ଏଲିଅଟ୍ ଯେଉଁ ସର୍ତ୍ତ ରଖିଥିଲେ, ତାହା ମୁତାବକ ଗୁରୁବାବୁ ଋଣମୁକ୍ତ, ସ୍ୱାଧୀନ ଓ ମୌଳିକ । ଗୁରୁବାବୁ ଏସବୁ ସୁଚାରୁ ରୂପେ କରିପାରିଛନ୍ତି । କାରଣ ଏଲିଅଟ୍ ନିଜର ପୂର୍ବୋକ୍ତି ସହିତ ଆହୁରି କହିଛନ୍ତି ଯେ ଜଣେ ଯଦି କୌଣସି କବିଠାରୁ କିଛି ଧାର କରିଆଣେ, ତେବେ ସେ ଋଣୀ । ଯଦି ସିଏ ତାହାକୁ ନିଜ କବିତାରେ ସିଧାସଳଖ ପ୍ରୟୋଗ କରେ ସେ ଦୋଷୀ, ଚୋର ଓ ଋଣୀ । ଯଦି ସିଏ ତାହାକୁ ଛଦ୍ମରେ ବ୍ୟବହାର କରେ ତେବେ ମଧ୍ୟ ସେ ଚୋର ।

କିନ୍ତୁ ଯଦି ସିଏ ତାକୁ ଭିନ୍ନ ଉପାୟରେ ଆତ୍ମୀକୃତ କରି ହଜମ କରି, ନୂତନ ଛାଞ୍ଚ, ନୂତନ ଢାଞ୍ଚା ଓ ନୂତନ ରୂପାଦି ପ୍ରଦାନ କରେ, ତେବେ ତାହା ସର୍ବଦା ସ୍ୱାଗତଯୋଗ୍ୟ ଓ ସେ ଋଣମୁକ୍ତ । ଆହୁରି ସେ (ଏଲିଅଟ୍) କହିଲେ ଯେ, ଯଦି ସେ ମୌଳିକ ଚିନ୍ତାଧାରା ରୂପେ ତାହାକୁ ଭିନ୍ନ ପ୍ରସଂଗରେ ଭିନ୍ନ କ୍ରମରେ ପ୍ରସ୍ତୁତ କରେ, ତେବେ ସେ ଉତ୍ତମ କବି ବା ଉଚ୍ଚକୋଟୀର କବି ବିଶେଷ ହୋଇଥାଏ। ଅନ୍ୟ ଦୁଇପ୍ରକାରର କବିଙ୍କୁ ଯଥାକ୍ରମେ ସେ ଅଧମ ଓ ମଧ୍ୟମ କବି ବୋଲି କହିଥାଆନ୍ତି ।

ତେବେ ସେ ଯାହାହେଉ ପଛକେ, ଗୁରୁପ୍ରସାଦ ଯେ ଉଚ୍ଚକୋଟୀର କବି ଏକଥା କେବଳ ଯତୀନ୍ଦ୍ରବାବୁ, ବିଧୁଭୂଷଣ ବାବୁ ବା ସର୍ବେଶ୍ୱର ବାବୁ ଅଥବା ଗଣେଶ୍ୱର ମିଶ୍ର, ସୁରେନ୍ଦ୍ର ମହାନ୍ତି, କୃଷ୍ଣଚରଣ ସାହୁ, କୃଷ୍ଣଚରଣ ବଳ, ପ୍ରାଣକୃଷ୍ଣ ଗିରି, ନଟବର ଶତପଥୀ, ନୀତିରଂଜନ ଚାନ୍ଦ, ଆଶୁତୋଷ ପରିଡ଼ା, ବଂଶୀଧର ଷଡ଼ଙ୍ଗୀ, ଶତ୍ରୁଘ୍ନ ପାଣ୍ଡବ, ବାବାଜୀ ଚରଣ ପଟ୍ଟନାୟକ, ପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ସମାଲୋଚକ କହିନଥା’ନ୍ତି ଅଧିକନ୍ତୁ ପରୋକ୍ଷରେ ହେଉପଛକେ କବି ଗୁରୁ ତଥା ବିଶ୍ୱପ୍ରସିଦ୍ଧ ନାଟ୍ୟକାର- କବି ଓ ସମାଲୋଚକ ତଥା ଏଠାରେ ଚର୍ଚ୍ଚିତ ନିଜେ ଟି.ଏସ୍. ଏଲିଅଟ୍ ଗୁରୁପ୍ରସାଦଙ୍କୁ ଉଚ୍ଚକୋଟୀର ବା ଆଗଧାଡ଼ିର କବି ଭାବରେ ସାର୍ଟିଫିକେଟ୍ (ସନନ୍ଦ ପତ୍ର) ପ୍ରଦାନ କରିଯାଇଛନ୍ତି ଓ ଗୌରବର ପଦକ ମଧ୍ୟ ଦେଇଯାଇଛନ୍ତି । ଏହାଠାରୁ ବଳି ଶ୍ରେଷ୍ଠତ୍ୱର ମୋହର ବା ଆଉ କ’ଣ ଥାଇପାରେ? ପାଠକୀୟ ସ୍ୱୀକୃତି, ଆନୁଷ୍ଠାନିକ ସ୍ୱୀକୃତି ଓ କାଳଜୟୀତ୍ୱ ଛଡ଼ା ଆଉ ଅଧିକ ବା କ’ଣ ଆଶା କରିପାରେ କବି ମଣିଷଟେ?

‘ଦ’ୱେଷ୍ଟଲାଣ୍ଡ୍’ର ଆଂଗିକ ସହ ‘କାଳପୁରୁଷ’ର ଆଂଗିକ ବେଶ୍ ମେଳଖାଏ । କାରଣ ସାଧାରଣତଃ ଆମେ ଅନୁକରଣଶୀଳ । କବି ଗୁରୁପ୍ରସାଦଙ୍କ ବ୍ୟକ୍ତିତ୍ୱ ବା ପ୍ରବୃତ୍ତି ମଧ୍ୟ ଏଥିରୁ ଓହରିଯାଇନି । ଗୁରୁପ୍ରସାଦ ‘କାଳପୁରୁଷ’ର ଗଠନ ନିମନ୍ତେ ୱେଷ୍ଟ୍ଲାଣ୍ଡ୍ର ଶୈଳୀ ବା ଗଠନ କଳା କୁ ଗ୍ରହଣ କରିଛନ୍ତି । ତାହାର ଏକମାତ୍ର କାରଣ ହେଉଛି ଏହାର ଅଦ୍ୱିତୀୟ ପ୍ରଭାବ । ‘କାଳପୁରୁଷ’ ରଚନା ବେଳେ କବି ଗୁରୁପ୍ରସାଦଙ୍କ ମନରେ ‘ଦ’ୱେଷ୍ଟଲଣ୍ଡ ’ର ଶୈଳୀ ଏକ ସୁଗଭୀର ପ୍ରଭାବ ପକାଇଥିଲା । ଆଗରୁ ରହିଯାଇଥିବା ଢାଞ୍ଚା ବା ବହିଃସୌନ୍ଦର୍ଯ୍ୟକୁ ଗୁରୁପ୍ରସାଦଙ୍କ କବିମାନସ ଲୋଭରେ ସମ୍ବରଣ କରିନପାରି ଏଠାରେ ଠାବେ ଠାବେ ପ୍ରତିସ୍ଥାପନ କରିଛି । କିନ୍ତୁ ଭିତରଟା ତ ଭାରତୀୟ, ଉତ୍କଳୀୟ, ଓଡ଼ିଶୀ ।

ଏଣୁ ଏଠାରେ ଓଡ଼ିଶୀ ପ୍ରକୃତି ଓ ପ୍ରବୃତ୍ତିକୁ ମଧ୍ୟ ଅଣଦେଖା କରାଯାଇନପାରେ । ଏଠାରେ କାବ୍ୟନାୟକ ହୁଏତ ୱେଷ୍ଟଲ୍ୟାଣ୍ଡ ରୁ ଆନୀତ । କିନ୍ତୁ ତା’ର ଛାୟା ହିଁ କହୁଛି ଯେ ସେ ଭାରତୀୟ, ସେ ଉତ୍କଳୀୟ, ସେ ଦେଶୀ । ବେଶଭୂଷା ସମାନ ଥିଲେ କ’ଣ ହେଲା ଗୁଣ, କିନ୍ତୁ ଭିନ୍ନ ଭିନ୍ନ । ଜଣେ ପଶ୍ଚିମୀ, ଜଣେ ପ୍ରାଚ୍ୟ । କିନ୍ତୁ ଦୁହେଁ ଧୂସର, ଦୁହେଁ ପାଣ୍ଡୁର, ଦୁହେଁ ମୃତ ଓ ଦୁହେଁ ଜୀବନ୍ମୃତ । ଦୁହେଁ ଜୀବନାକାଂକ୍ଷୀ ଓ ଦୁହେଁ ଧ୍ୱସ୍ତ । ଜଣେ ସ୍ୱାଧୀନତାର ସ୍ୱପ୍ନଭଂଗରେ, ଅନ୍ୟଜଣଙ୍କ ମାନବବାଦର ସ୍ୱପ୍ନଭଂଗରେ କ୍ଷତାକ୍ତ, ଧ୍ୱସ୍ତ-ବିନଷ୍ଟ । କିନ୍ତୁ ଉଭୟେ ବିଶ୍ୱସ୍ତ, ଆତ୍ମୀୟମାନଙ୍କ ଠାରୁ ଅଯାଚିତ ଭାବେ କଠୋର, ରୁକ୍ଷ ବ୍ୟବହାର ପାଇ ଭାଙ୍ଗିଯାଇଛନ୍ତି । ତା’ରି ନୀରବତା ହିଁ ଏ ଦୁଇ କବିତା (କାବ୍ୟ) ।

ବର୍ତ୍ତମାନ ‘ଦ’ୱେଷ୍ଟଲାଣ୍ଡ୍’ ଓ ‘କାଳପୁରୁଷ’ର ଆରମ୍ଭିକ ତାଳମେଳକୁ ଦେଖାଯାଉ । କବି ଏଲିଅଟ୍ ସେଠାରେ ଏପ୍ରିଲ୍ ମାସର ବାସନ୍ତିକ ପରିବେଶ, ଫୁଲଫଳ, ପତ୍ର କଅଁଳିବାର ସମୟରୁ ନିଜର ବକ୍ତବ୍ୟ ଆରମ୍ଭ କଲାବେଳେ କବି ଗୁରୁପ୍ରସାଦ ବର୍ଷାଋତୁରୁ ଆରମ୍ଭ କରି ଠିକ୍ ସେଇକଥାକୁ ବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ଦୁଇଟି କାବ୍ୟାଂଶକୁ ସମାନ୍ତର ଦୃଷ୍ଟିରେ ଲକ୍ଷ୍ୟ କରାଯାଉ ।

“April is the cruelest month, breeding

Lilacs out of the dead land, mixing

Memory and desire, stirring

Dull root with spring rain.

Winter kept us warm, covering

Earth in forgetful snow, feeding

A little life with dried tubers.”01

କବି ଗୁରୁପ୍ରସାଦ ଲେଖିଲେ-

“ବର୍ଷାଋତୁ ନିଷ୍ଠୁର ନିର୍ମମ, ଫୁଟାଇ ରଂଗଣି ଫୁଲ ଖତକୁଢ଼

କାନ୍ଥବାଡ଼ ମୂଳେ, ହାଡ଼ରେ ଥରାଇ ରସ, ମାଟିତଳେ ଚେରମୂଳ ଟାଣି

ବର୍ଷାପଡ଼େ ବର୍ଷାପଡ଼େ ଝରି, ଥରାଇ ମୁମୂର୍ଷୁ ଆତ୍ମା ଥୁଣ୍ଟାଗଛ

ଶିଅ ମୂଳେ ମୂଳେ, ବର୍ଷା ପଡ଼େ ଝରିଝରି ଅସରନ୍ତି ବର୍ଷା ପଡ଼େ ଝରି ।

ବୈଶାଖ ଓ ଜ୍ୟେଷ୍ଠ ଖରା, ଆକାଶର ଟିଣଛାତ ତଳେ

ମୂର୍ଚ୍ଛାରେ ଆହତ ତେବେ ଥିଲା ସବୁ, ସବୁଥିଲା ଉତ୍ତେଜନାହୀନ

ହାଡ଼ରେ ନଥିଲା ଚେଷ୍ଟା, ସ୍ନାୟୁ ଶିରା ପ୍ରଶିରା ଭିତରେ

ଆଶାର ନଥିଲା ଦ୍ୱନ୍ଦ୍ୱ ବିରକ୍ତି ବା କାହାର ଆସକ୍ତି,

କେତେବେଳେ ଘରପୋଡ଼ି, ଖଙ୍କାପେଟ କୁକୁର ଜିଭରେ,

ଟୋପାଟୋପା ନାଳ ତଳେ ଥିଲା ଯାହା ମୁମୂର୍ଷୁ ଜୀବନ ।”୦୨

ଉଭୟ ‘ଦ’ୱେଷ୍ଟଲ୍ୟଣ୍ଡ୍’ ଓ ‘କାଳପୁରୁଷ’ରେ ଜୀବନ ଆସିଛି । ବସନ୍ତ ଆସିଛି, ବର୍ଷାଋତୁ ଆସିଛି । ଜୀବନର ସଂଦେଶ ଆସିଛି । ମାତ୍ର ଏ ସଂଦେଶ ତଳେ ସମସାମୟିକ ସମାଜ ଜୀବନର ତକ୍ଷକ ମଧ୍ୟ ରହିଛି । ଏ ତକ୍ଷକ ମୃତ୍ୟୁର ଦୂତ, କାଳର ଦୂତ । ୟା’ କବଳରୁ ସମାଜ-ଜୀବନ ଓ ବ୍ୟକ୍ତି ଜୀବନକୁ ରକ୍ଷା କରିବାର ଆପ୍ରାଣ ଉଦ୍ୟମ ଗୋଟିଏ ପାଖରେ ଥିଲାବେଳେ, ଅନ୍ୟପାଖରେ ରହିଛି ସାଂପ୍ରତିକ ଜୀବନପ୍ରତି ବ୍ୟଙ୍ଗ-ବିଦ୍ରୂପ, ଜଗୁପ୍ସା ଭାବ ।

କାବ୍ୟପୁରୁଷର ଇଚ୍ଛା ଯାହାହେଉନା କାହିଁକି, କବିଙ୍କର ଆକାଂକ୍ଷା କିନ୍ତୁ ସଦାସର୍ବଦା ଜୀବନ୍ମୁଖୀ, ଅମୃତମୁଖୀ । ଏ ଚେତନା, ଏ ଚିନ୍ତା ଉଭୟଙ୍କର ଅଛି । ଏଲିଅଟ୍ ମଧ୍ୟ ଜୀବନର ସଂସ୍ଥାପନା ଚାହିଁଛନ୍ତି, କବି ଗୁରୁପ୍ରସାଦ ମଧ୍ୟ ଅନୁରୂପ ଭାବେ ଜୀବନର ସଂସ୍ଥିତି, ସୁସ୍ଥିତି ଓ ସ୍ୱାସ୍ଥ୍ୟ ଚାହିଁଛନ୍ତି । ଏଲିଅଟ୍ ପ୍ରଥମ ବିଶ୍ୱଯୁଦ୍ଧର ଉତ୍ତରକାଳୀନ ଜୀବନ ଓ ସମାଜର ବିପର୍ଯ୍ୟସ୍ତ ରୂପକୁ ଛି-ଛିକାର ଦ୍ୱାରା ନୂତନ ଏକ ସମାଜ-ଜୀବନର ଭିତ୍ତିପାତ କରିବାକୁ ଯୋଜନା କରିଥିଲାବେଳେ ଗୁରୁପ୍ରସାଦ ଦ୍ୱିତୀୟ ବିଶ୍ୱଯୁଦ୍ଧର ଉତ୍ତରକାଳୀନ ପୃଥିବୀ ବା ସ୍ୱାଧୀନତାର ସ୍ୱପ୍ନଭଂଗୋତ୍ତର ଭାରତବର୍ଷକୁ ସଜାଡ଼ି ସବୁଜ-ସୁନ୍ଦର କରିବାକୁ ଚାହିଁଛନ୍ତି ।

ଦୁହିଁଙ୍କ ଭାବଧାରା, ଚିନ୍ତାଧାରା, ବିଶ୍ୱାସ, ଦୃଷ୍ଟିକୋଣ, ଶୈଳୀ, ସଂଚରନା, ରଚନାଶୈଳୀ ପ୍ରଭୃତି ଅନେକଟା ସାମ୍ୟ ରକ୍ଷାକରେ । ନଚେତ୍ ଦୁହେଁ କ’ଣ କେବେ ସମାନଭାବେ କାବ୍ୟାରମ୍ଭ କରି ସମାନଭାବେ କାବ୍ୟ ପରିସମାପ୍ତି କରିଥାଆନ୍ତେ? ଦୁହିଁଙ୍କ କାବ୍ୟ ସମାପ୍ତିକୁ ଦେଖାଯାଉ-

“Datta. Dayadhvam. Damyata.

Shantih shantih shantih.”03

କବି ଗୁରୁପ୍ରସାଦ ଗାଇଲେ-

“ଏ ଗ୍ରହର ନଷ୍ଟଯାତ୍ରା ଆଜି ଯଦି ଅଂଧାରରୁ…

ଏ ଗ୍ରହର ନଷ୍ଟଯାତ୍ରା ଆଜି ଯଦି ମରଣରୁ…

ଏ ଗ୍ରହଣ ନଷ୍ଟଯାତ୍ରା ଆଜି ଯଦି ଅସତରୁ…

ମୃତ୍ୟୁର୍ମାଂ

ଅସତୋ ମା

ତମସୋ ମା

ମୃତ୍ୟୁର୍ମାଂ…ମୃତ୍ୟୁର୍ମାଂ…ମୃତ୍ୟୁର୍ମାଂ

ଅମୃତଂ

ଗମୟ ।”୦୪

ଦୁହେଁ ଚାରିଆଡ଼େ ଚରିବୁଲି ଶେଷକୁ ଯାଇ ଠେକିଛନ୍ତି ବେଦାଶ୍ରମରେ, ଉପନିଷଦ କୋଳରେ, ଋଷିବାଣୀରେ । ଦୁହେଁ ଶାନ୍ତି ଓ ଅମୃତର ଅନ୍ୱେଷୀ । ଏଲିୟଟ୍ ଦୟା, ଦାନ, ଧର୍ମ-ଶାନ୍ତି, ମୁକ୍ତି, ସ୍ୱାସ୍ଥ୍ୟ କଥା କହିଲାବେଳେ ଗୁରୁପ୍ରସାଦ କହୁଛନ୍ତି ଅନ୍ଧାର ନୁହେଁ ଆଲୋକ ଆମର ପ୍ରାପ୍ୟ, ମୃତ୍ୟୁ ନୁହେଁ ଅମୃତ ଆମର ଆକାଂକ୍ଷା, ଅସତ ନୁହେଁ ସତ୍ୟ ଆମର ପରିଧାନ । ଏଣୁ ଏସବୁକୁ ନେଇ ଜୀବନ ପରିପୁଷ୍ଟ ହେଉ ବୋଲି ସେ କାମନା କରିଛନ୍ତି । ଦୁହେଁ ଯଦିଓ ସମାନକଥା କହିନାହାଁନ୍ତି- ଦୁହିଁଙ୍କ ଅନୁଭୂତି ଯଦିଓ ପୂରା ସମାନ ନୁହେଁ କି ସମସାଂନ୍ଦ୍ରତା ବିଶିଷ୍ଟ ନୁହେଁ, ତଥାପି ଏ ଦୁହେଁ ପରସ୍ପର ଖୁବ୍ ନିକଟବର୍ତ୍ତୀ ।

“ବର୍ଷାଋତୁ ନିଷ୍ଠୁର ନିର୍ମମ ଠାରୁ ଆରମ୍ଭ କରି ଉପନିଷଦୀୟ ଉପସଂହାର ପର୍ଯ୍ୟନ୍ତ ‘‘ଦ’ୱେଷ୍ଟଲାଣ୍ଡ୍’’ ସହିତ ‘କାଳପୁରୁଷ’ର ସାଧର୍ମ୍ୟ ଅନେକ । ‘‘ଦ’ୱେଷ୍ଟଲାଣ୍ଡ୍’’ ସହିତ ମିଳାଇ ନେଲେ ‘କାଳପୁରୁଷ’ ଭଲ ବୁଝିହେବ । ଉଭୟ କବିତା ୫ ସର୍ଗରେ ବିଭକ୍ତ । କେବଳ ଆଲ୍ୟୁଜନ୍ ସୂତ୍ରରେ ନୁହେଁ, ଅନୁବାଦ ସୂତ୍ରରେ ଓ ଭାଷା ପ୍ରୟୋଗ କୌଶଳ ସୂତ୍ରରେ ଅନେକ ପଂକ୍ତି କାଳପୁରୁଷରେ ଆତ୍ମପ୍ରକାଶ କରିଛି । (ଯେପରି ‘Consider phlebas who was once handsome and tall as you’ର ବ୍ୟଙ୍ଗ ଫୁଟିଛି “ତୁମେସବୁ ଜାଣିଥିବ ରମୁ ଥିଲା ତୁମ ପରି ଛାଣ୍ଟକାଟ୍ ସିଧା ଓ ସଳଖ” ଓ “In the faint moonlight, the grass is singing”  ହୋଇଛି “ଫିକା ଜହ୍ନ ଆଲୁଅରେ ସ୍ୱପ୍ନଦେଖେ, ସ୍ୱପ୍ନଦେଖେ କଟକ ସହର”) । ପୋଡ଼ାଭୂଇଁର ମଣିଷ ସେହି ତୃତୀୟ (The Hanged God)ଙ୍କ ଅସ୍ତିତ୍ୱ ସଂପର୍କରେ ସଚେତନ ଥିଲାପରି କାଳପୁରୁଷର ଆଧ୍ୟାତ୍ମିକ ଜୀବନରୁ ବିଚ୍ଛିନ୍ନ ମଣିଷ ମଧ୍ୟ ତୃତୀୟଙ୍କୁ ଲକ୍ଷ୍ୟ କରିଛି, “କିଏ ତୁମେ ପାଖେ ପାଖେ, କିଏ ତୁମେ ଆଗରେ ପଛରେ” ।

ଉଭୟତ୍ର ଅଛି ମିଥ୍ ପ୍ରୟୋଗ, ଭବିଷ୍ୟତବାଣୀ ନିର୍ଦ୍ଦେଶ, ପୂର୍ବବର୍ତ୍ତୀ କବିମାନଙ୍କ ରଚନାର ଉଦ୍ଧୃତି, ଜୀବନପ୍ରତି ବ୍ୟଙ୍ଗ ଓ ଅସତ୍ୟ ସହର ବର୍ଣ୍ଣନାରେ ଜୀବନ୍ମୃତ୍ୟୁର ଭୟାବହ ଚିତ୍ରାଙ୍କନ । ଲଣ୍ଡନ ହୋଇଛି କଟକ ନଗର ଓ London Bridge ରାଣୀହାଟ ପଥରପୋଲ । ଆଜିର ଜୀବନର ନିଃସୀମ ଶୂନ୍ୟତାକୁ ଭୟଭୀତ ଦେଶକାଳେ ବ୍ୟାପ୍ତି ଦେବାକୁ ପ୍ରଚେଷ୍ଟା ରହିଛି । ଏଲିଅଟ୍ ଜେରୁଜେଲମ୍, ଆଥେନ୍ସ, ଅଲେକ୍ଜାଣ୍ଡ୍ରିୟା, ଭିଏନା ଓ ଲଣ୍ଡନକୁ unreal ବୋଲି ପ୍ରତିପନ୍ନ କରିଛନ୍ତି- ସେହି ସୂତ୍ରରେ କାଳପୁରୁଷରେ ରୋମ୍, ବେବିଲୋନ୍ ଓ ମିଶରର ନମୋଲ୍ଲେଖ ସ୍ମରଣୀୟ । ‘‘ଦ’ୱେଷ୍ଟଲାଣ୍ଡ୍’’ର ‘ଟାଇରେ ସିଆ’ ହୋଇଛନ୍ତି ‘କାଳପୁୁରୁଷ’ର ‘ଇଳା’।

ଉଭୟ କବିତା ଟେକ୍ନିକ୍ ଦୃଷ୍ଟିରୁ ସିଂଫୋନିକ୍-music of ideas। ଦୁହିଁଙ୍କର ଛନ୍ଦ, ମକ୍ତଛନ୍ଦ, ଭାଷା କଥ୍ୟ ରୀତିର ଓ ଶୈଳୀ ନାଟକୀୟ । ଉଭୟତ୍ର ସମଗ୍ର କବିତାକୁ ନାରୀ ପୁରୁଷର ବିଭିନ୍ନ ପରିସ୍ଥିତିର ବିଭିନ୍ନ ସ୍ୱରର ସଂଳାପରେ ସହଜରେ ବିଭକ୍ତ କରିହେବ। ଉଭୟତ୍ର, ଆପାତ ସଂଗତିହୀନ ସ୍ମୃତି ଓ ବର୍ଣ୍ଣନାର ଚିତ୍ରକଳ୍ପ ମଧ୍ୟରେ ଅତୀତ ବର୍ତ୍ତମାନକୁ ଛନ୍ଦି ଦିଆଯାଇଛି ଓ ଆପାତ ବିଶୃଙ୍ଖଳ ବିଭିନ୍ନ ମନୋଦଶା ବିଶ୍ଳେଷଣ ମଧ୍ୟରେ କବିତାକୁ ଅଗ୍ରଗତି ଦାନ କରାଯାଇଛି । ଚେତନା ପ୍ରବାହ ଶୈଳୀ ଉଭୟତ୍ର ଅନୁସୃତ । ଆମୂଳାନତ ସବୁ ବୁଝି ନହେଲେ ହେଁ ଉଭୟ କବିତାର ସମଗ୍ରତାର ଶକ୍ତିଶୋଭାରେ ମୁଗ୍ଧ ହେବାରେ ବିଶେଷ ଅନ୍ତରାୟ ନାହିଁ ।”୫

କାଳପୁରୁଷକାର ଏକାଗ୍ରତାର ସହ ଏଲିଅଟ୍ ଓ ତାଙ୍କ କାବ୍ୟ  ‘‘ଦ’ୱେଷ୍ଟଲାଣ୍ଡ୍’’କୁ ଅନୁସରଣ କରିଛନ୍ତି । ଉଭୟ କବିତାରେ ଏଇ ଉପଲବ୍ଧି ଅଛି ଯେ, ଅେମେ ଏପରି ଏକ ପୃଥିବୀ ବା ଏପରି ଏକ ଭୂମି ଉପରେ ବାସକରୁଛୁ ଯାହା ଆଧ୍ୟାତ୍ମିକ ନିଃସଂଗତା ଓ ଆଧ୍ୟାତ୍ମିକ ହୀନତାରେ ପରିପୁଷ୍ଟ । ଏଲିଅଟସଙ୍କ କହିବା କଥା-ଯେଉଁ ଭୂଇଁ (ରାଜ୍ୟ)/ ସମାଜ ଆଧ୍ୟାତ୍ମିକ ହୋଇନଥିବ, ଯାହାର ଆଧ୍ୟାତ୍ମିକ ମୂଲ୍ୟବୋଧ ନଥିବ ବା ଯାହାର ଧାର୍ମିକ ଭିତ୍ତି ନଥିବ ସେହି ସମୟ, ସମାଜ-ସଭ୍ୟତା ଓ ଜୀବନ ଏକପ୍ରକାର ଅର୍ଥହୀନ ଓ ବଂଧ୍ୟାଦୋଷଯୁକ୍ତ । କାଳପୁରୁଷକାର ମଧ୍ୟ ଏଲିଅଟଙ୍କ ଏ ଉକ୍ତି ସହ ଏକମତ । ଏଣୁ ଉଭୟେ ସାହିତ୍ୟର ଦାୟିତ୍ୱବହନ କରିବାକୁ ଯାଇ ଦେଖାଇଛନ୍ତି ଏଠି ଆଧ୍ୟାତ୍ମିକତାର ମୃତ୍ୟୁ ଓ ପୁନର୍ଜନ୍ମ ଆକାଂକ୍ଷା ଓ ଅଭୀପ୍ସା ।

ଗୁରୁପ୍ରସାଦ ବାସ୍ତବରେ ଏସିଆ ମହାଦେଶକୁ ଦେଖିନାହାଁନ୍ତି ସେ ଦେଖିଛନ୍ତି ଅଧିକରୁ ଅଧିକ ଭାରତବର୍ଷକୁ । କିଏ କିଏ କଟକକୁ ଦେଖିଛନ୍ତି କହିଲେ ମଧ୍ୟ ବା କେହି କେହି ଓଡ଼ିଶାକୁ ଇଂଗିତ କଲେ ମଧ୍ୟ ପ୍ରକୃତ ପ୍ରସ୍ତାବରେ ଗୁରୁପ୍ରସାଦଙ୍କ ଚିନ୍ତା ଚେତନାରେ ଭାରତୀୟ ଭୂମି ହିଁ ଥିଲା । ପୁଣି ଏହା ସାଙ୍ଗରେ ସେ ଲେଖିଲାବେଳେ ଚିନ୍ତା-ଚେତନା ସ୍ତରରେ ବାରମ୍ବାର ଯିବାଆସିବା କରୁଥିଲେ ଏଲିଅଟଙ୍କ ସେଇ ପୋଡ଼ାଭୂଇଁରୁ କଟକ ଓ କଟକରୁ ପୋଡ଼ାଭୂଇଁ । ବଣି/ ବାୟା ଚଢ଼େଇଟେ ଯେଉଁପରି କାଠିକୁଟା ବିଚ୍ଛିନ୍ନ ଅବସ୍ଥାରେ ଆଣେ, ଭିନ୍ନ ଭିନ୍ନ ଅବସ୍ଥାରେ ଥିବା ଭିନ୍ନ ଭିନ୍ନ ଜିନିଷ ଆଣି ସୁନ୍ଦର ବସାଗଢ଼େ, ଠିକ୍ ସେହିପରି ଗୁରୁପ୍ରସାଦ ଭିନ୍ନ ଭିନ୍ନ ଯାଗାରୁ ଯଥା ଏଲିଅଟଙ୍କ ପୋଡ଼ାଭୂଇଁ ବା ନଷ୍ଟଭୂମି ଠାରୁ ସଚ୍ଚିବାବୁଙ୍କ କାବ୍ୟ ଫସଲରୁ, ଭଂଜଙ୍କ ଦେହବାଦରୁ, ରାଧାନାଥ, ମାନସିଂହ, ସାରଳା, ଜଗନ୍ନାଥ ଦାସ ପ୍ରଭୃତି ବିଭିନ୍ନ ଲୋକଙ୍କ କାବ୍ୟାୟନରୁ ଚାରାଗୋଟାଇ ସେ ବୁଣିଛନ୍ତି କାବ୍ୟଫସଲ ନିଜର । ତାକୁଇ ବୋଧହୁଏ ଆମେ କହୁଛେ ‘କାଳୁପୁରୁଷ’ କବିତା । କିନ୍ତୁ ଏ କ୍ଷେତ୍ରରେ ଗୁରୁବାବୁ ଏଲିଅଟସଙ୍କ ଠାରେ ସର୍ବାଧିକ ଋଣୀ ରହିଥିଲାବେଳେ ଏଲିଅଟ୍ ଓ ଗୁରୁପ୍ରସାଦ ଉଭୟ ଭାରତବର୍ଷର ଋଷିଆଶ୍ରମ ବାଣୀ ଠାରେ ଚିର ଉପକୃତ ରହିବେ ।

ଦୁଇଟିଯାକ କାବ୍ୟ ଫସଲରେ ରହିଛି ତୁମୁଳ ଅନ୍ତଦ୍ୱର୍ନ୍ଦ୍ୱ । ଗୋଟିଏ ଜୀବନକୁ ନେଇ ଓ ଅନ୍ୟଟି ମୃତ୍ୟୁକୁ ନେଇ । ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ ଉପୁଜିବା ସ୍ୱାଭାବିକ୍ ମାତ୍ର ଜୀବନକୁ ନେଇ ଏଠାରେ କାବ୍ୟନାୟକ ‘ମୁଁ’ ଦ୍ୱନ୍ଦ୍ୱ ସଂଘାତର ସମ୍ମୁଖୀନ ହୋଇଛି ।

ଯୌନତା ଓ ବ୍ୟଭିଚାର ହିଁ ଉଭୟ କବିତାର ଅନ୍ୟତମ ମୂଳ ଆକର୍ଷଣ । ‘ଟାଇରେସିଅସ୍’ ଓ ‘ଇଳା’ର ଅନୁଭୂତି ହିଁ ଉଭୟ କବିତା । କାରଣ ଏ ଦୁଇ ଚରିତ୍ର ମଧ୍ୟରେ ରହିଛି ଉଭୟ ନାରୀ ଓ ପୁରୁଷର ଅନୁଭବ । ଅର୍ଥାତ୍ ସମଗ୍ର ମାନବ ଜାତିର ଅନୁଭବ । ଏହାଛଡ଼ା ଦ୍ୱିଲିଂଗି ଅନୁଭବ ମଧ୍ୟ ଏଠାରେ ବିଦ୍ୟମାନ । ଏଲିଅଟ୍ ସେକ୍ସ୍ ଚେତନାକୁ ନେଇ ଯେଉଁପରି ଭାବେ ତୁମୁଳ ବ୍ୟଂଜନା ଦେଖାଇଛନ୍ତି, ବାସ୍ତବରେ ତାହା ଅଦ୍ୱିତୀୟ । ସେକ୍ସ୍ ବା ଯୌନତା ପୁନର୍ଜ୍ଜୀବନ ନିମନ୍ତେ ଏକ ଆଶୀର୍ବାଦ । ମାତ୍ର ଏଲିଅଟ୍ ଦେଖାଇଛନ୍ତି ଯେ, ଆଜି ଆଉ ଯୌନକ୍ରିୟା ପ୍ରଜନନ ପାଇଁ ଉଦ୍ଧିଷ୍ଟ ନୁହେଁ । ଏହାର ଲକ୍ଷ୍ୟ ଅଲଗା । ଏହାର ଉଦ୍ଦେଶ୍ୟ ଭିନ୍ନ । ଏଠାରେ ଆମେ ଆଧ୍ୟାତ୍ମିକତାହୀନ ମଣିଷ ଏଣୁ ଆମେ ଜଣେ ଜଣେ ବଂଧ୍ୟା ।

ଆମଠାରେ ଜୀବନକୁ ଜନ୍ମଦେବାର ସାମର୍ଥ୍ୟ ନାହିଁ । ଆମେ ଯାହାପାଉଁ, ଆମେ ଯାହା ଗୋଟାଇଚାଲୁ, ସେସବୁ ହେଉଛି କେବଳ ମୃତ୍ୟୁର ଉପତ୍ୟକାର ନିଃସଂଗ ଅନୁଭୂତି- ଆଉ କିଛି ନୁହେଁ । ଗୁରୁପ୍ରସାଦ ସେଥିପାଇଁ ମୃତ୍ୟୁକୁ ହିଁ ପ୍ରାଧାନ୍ୟ ଦେଇଛନ୍ତି । ପ୍ରଥମେ ‘ନିର୍ମୂଳି’ ନାମକରଣ ବେଳେ ଏହି ବ୍ୟଂଜନା ଓ ଇଂଗିତ ଥିଲା ଭିନ୍ନ ଓ ନ୍ୟୁନ । ମାତ୍ର ‘କାଳ’ ଶବ୍ଦର ଆଗମ ପରେ ଏହାର ବ୍ୟଂଜନା ବଢ଼ିଗଲା ଅନେକ ଗୁଣରେ । ‘କାଳପୁରୁଷ’ର ଆରମ୍ଭ ବୋଧହୁଏ ସେଇଥିପାଇଁ ହୁଏ ମୃତ୍ୟୁର ମୋହରୁ, ଜୀବନର ଯନ୍ତ୍ରଣାରୁ ଓ ଜୀବନ ପ୍ରତି ଶାଣିତ ଜୁଗୁପ୍ସା, ଭୟ ଓ ବ୍ୟଂଗରୁ । ନଚେତ୍ ସେ କେବେ କ’ଣ କହିଥାଆନ୍ତେ-

“ବେଶ୍ ଥିଲା ଠିକ୍ ଥିଲା ସବୁ

ସେଦିନ ଆସିଲା ବର୍ଷା ଛିନ୍ନ ଭିନ୍ନ ବିଶୃଙ୍ଖଳ ଅସଂଯତ ବଉଦର ସୁଅ

ପକେଟରେ ହାତରଖି ଚମତ୍କୃତ ବିସ୍ମିତ ମୁଁ ଛିଡ଼ାହୋଇ ମହାନଦୀ କୂଳେ

ଅବାକ୍ ମୁଁ ଲକ୍ଷ୍ୟକଲି ଆଷାଢ଼ର ଅଶ୍ରୁଳ ଉଦୟ ।”୬

ବର୍ତ୍ତମାନ ଦେଖିବା ଦୁଇଟି କବିତାରେ ଯେଉଁ ଭୟ ରହିଛି, ତାହା ଦୁଇପ୍ରକାରର । ଯଥା- life in death, death in । ଭୟବୋଧ ଓ ପାପବୋଧ ଏ ସମୟବୀଜର ବେନିଫାଳ । ଅବଶ୍ୟ ୟା’ଭିତରେ ଭିତରେ, ୟା’ରି ଅନ୍ତରାଳରେ ଜୀବନର ଆବେଗ ରହିଛି, ଜୀବନ ପ୍ରତି ମୋହ ବି ରହିଛି । ଅତଏବ ଏସବୁ କଥା ଯେଉଁଠି ସତ୍ୟର ମୋହର ପିନ୍ଧନ୍ତି, ସେଠାରେ ଏକ ଅନ୍ତଦ୍ୱର୍ନ୍ଦ୍ୱ ଜନ୍ମନିଏ ଏବଂ କହିବା ବାହୁଲ୍ୟ ଯେ, ଉଭୟ କବିତାକୁ ଗତିଶୀଳ କରିଛି, ଚଳନଶକ୍ତି ପ୍ରଦାନ କରିଛି ଏହି ଅନ୍ତଦ୍ୱର୍ନ୍ଦ୍ୱ, ଏହି ଆବେଗ । କାରଣ ଏଠି ଖାଲି ମାନବ ଶରୀର ସଂପୃକ୍ତ ନୁହେଁ, ଏଠି ମଧ୍ୟ ସଂପୃକ୍ତ ମାନବର ଆଦିମ ଆତ୍ମା । ମାନବାତ୍ମା ଏଠି ଥରିଯାଇଛି । ବର୍ଷା ପଡ଼ିଛି ଓ ମୁମୂର୍ଷୁ ଆତ୍ମା ଥରିଛି । ଗଛ ଥିଲା ଥୁଣ୍ଟା, ଅର୍ଥାତ୍ ନିରସ, ନିର୍ଜଳ, ଜୀବନହୀନ । ସେଠି ବର୍ଷା ଜୀବନର ଆଶଂକା ବା ସମ୍ଭାବନା ଜନ୍ମାଇଛି ।

‘ବିଶେଷ ନିର୍ବିଶେଷ’ ଯାହାକୁ କହନ୍ତି ‘concrete-universal’,, ପରସ୍ପର ସମ୍ବନ୍ଧ ଓ ବିଷୟାଶ୍ରୟ ବା objective correlative, ଚେତନାର ଏକତ୍ରୀକରଣ (Association of sensibility) ଓ ଚେତନାର ବିଚ୍ଛେଦୀକରଣ (Dissociation of sensibility) ପ୍ରଭୃତି ବିଭିନ୍ନ ତକ୍ନିକ୍ ଏ ଉଭୟ କବିତାକୁ ଯଥେଷ୍ଟ ସମାନ junction, ଯଥେଷ୍ଟ ସମାନ ଯୋଡ଼ ପ୍ରଦାନ କରିଛନ୍ତି ବୋଲି କହିବାକୁ ହୁଏ । ମିଥ୍, ଚିତ୍ରକଳ୍ପ, ପ୍ରତୀକ- ଏ ତିନିହେଁ ଏ ଦ୍ୱୟ କବିତାକୁ ଆହୁରି ପାଖକୁ ଘେନି ଆସିଛନ୍ତି । ଆହରଣଶୀଳ ମନୋବୃତ୍ତି, ସମୀକରଣ ପ୍ରବୃତ୍ତି ଓ ସମ୍ବେଦନଶୀଳ ବିବୃତ୍ତି ସାଙ୍ଗକୁ କାଳ ସଚେତନତା ଏ ଦୁଇ କବିତାକୁ ଏକ ଅତୁଟ ସୂତ୍ରରେ ବାନ୍ଧିରଖିଛି ।

ପରିଚୟକୁ ଖୋଜୁଛି ମଣିଷ । ତାକୁ ମାଟିରେ ପୋତି, ତା’ର ଅଙ୍କୁରରୁ ମହାଦ୍ରୁମ ଉଠିବାର ସ୍ୱପ୍ନ ସେ ଦେଖୁଛି । ମାତ୍ର ସଂପ୍ରତି ପରିଚୟହୀନତା ହୋଇପଡ଼ିଛି ମଣିଷର ସବୁଠାରୁ ବଡ଼ ଶତ୍ରୁ, ବଡ଼ ଅସୁବିଧା । ସେ ଶୂନ୍ୟତାକୁ ସବୁବେଳେ ଅନୁଭବ କରୁଛି । ପୂର୍ଣ୍ଣତା ଠାରୁ ସେ ଦୂରେଇ ଦୂରେଇ ଯାଉଛି । ତା’ପଛରେ ରହିଛି ସେଇ ପରିଚୟର ହତ୍ୟା ଓ ନିଖୋଜ ଖବର । ତାକୁଇ ଖୋଜିଆସି ସ୍ଥାପିବାକୁ ଚାହିଁଛନ୍ତି ଦୁଇଜଣଯାକ କବି । ତେବେ ଏଲିଅଟଙ୍କ ପରି ଗୁରୁପ୍ରସାଦ ମଧ୍ୟ ଏକଥା ସ୍ପଷ୍ଟ କରିଦେଇଛନ୍ତି ଯେ, ବିଂଶ ଶତକର ଆଦି, ମଧ୍ୟ ଓ ଅନ୍ତଭାଗ (ଦ୍ୱିତୀୟାର୍ଦ୍ଧ) ଆଧ୍ୟାତ୍ମିକତାହୀନ ସମୟ । ସେଇଥିଲାଗି ବୋଧହୁଏ ଏହାର ପ୍ରାଥମିକ ନାମ ଥିଲା- ‘ନିର୍ମୂଳି’ । ପୁଣି ‘ନିର୍ମୂଳି’ ଏକ ଲତା ।

ସେ ନିଜେ ସବଳ ନୁହେଁ । ସେ ଏଠି ସେଠି, ଏପଟେ ସେପଟେ ଘୂରି ଘୂରି, ଆମ୍ପୁଡ଼ି-ଧାମ୍ପୁଡ଼ି କ’ଣ ଗୋଟେ ଖୋଜିହେଉଛି । ମାତ୍ର ପାଉନି । ଆହୁରି ଉପରକୁ ଉଠୁଛି । କାରଣ ସେ ଜାଣିଛି ତା’ର ପିତାମାତା (ଧର୍ମ) ଆଉ ବଞ୍ôଚନାହାଁନ୍ତି ଓ ସେମାନେ ସବୁ ମାଟିରେ ନୁହେଁ, ଏଣିକି ଆକାଶରେ ତାରା ହୋଇଯାଇଛନ୍ତି । ଏଣୁ ଏଇ ନିର୍ମୂଳି ହିଁ ଆଧୁନିକ ମଣିଷର ଭିତ୍ତିଶୂନ୍ୟ ପ୍ରତିଭୂ (ପ୍ରତିନିଧି) । ଏଣୁ କବି ବିଷୟାଶ୍ରୟ, ପ୍ରତୀକ, ଚିିତ୍ରକଳ୍ପ, ମିଥ୍ ପ୍ରଭୃତି ସହ ଏକାବେଳେ ଏକ ଫେଣ୍ଟାଫେଣ୍ଟି ସ୍କେଚ୍ ତିଆରି କରିଛନ୍ତି । ତାଙ୍କରି ଭାଷାରେ-

“ହେ ଅକ୍ରୂର ହେ ଉଦ୍ଧବ ସଖାମୋର ପ୍ରାଣର ଦୋସର

ରୁହ ରୁହ ଛିଡ଼ା ରୁହ ପିଠିରେ ମୋ’ ତୁମପରି ବୋଝ

ମୁଁ ଯିବି ତୁମରି ପରି ତାରା ଖୋଜି, ଜହ୍ନ ଖୋଜି,

ଖୋଜି ଖୋଜି ଝରଣାର ସୁଅ

ମୁଁ ଯିବି ତୁମରି ପରି ଖୋଜି ମୋର ପିତାମାତା

ନିର୍ମୂଳି ନଟାରେ ଖୋଜି

ଅରୁନ୍ଧତୀ ତାରାର ଆଲୁଅ ।”୭

ଏହି ପଂକ୍ତିଟି କବିତାର ଅନେକ ସ୍ଥଳରେ ପୁନରାବୃତ୍ତ । ଏହିଥିରେ କବିତାର ଅନେକ ଗୂଢ଼ତତ୍ତ୍ୱ ନିହିତ ।

ସର୍ବୋପରି ୱେଷ୍ଟଲାଣ୍ଡ୍ ଓ କାଳପୁରୁଷ ଉଭୟ ମୃତ୍ୟୁର ଉପତ୍ୟକାରୁ ଅମୃତମୟ ଜଗତକୁ ଯାତ୍ରା । ଏହି ଅମୃତ ଯାତ୍ରା ସଂଗୀତ ହିଁ ‘କାଳପୁରୁଷ’ ଓ ଏହି ଅମୃତଯାତ୍ରା ସଂଗୀତ ହିଁ ‘‘ଦ’ୱେଷ୍ଟଲାଣ୍ଡ୍’’ କାବ୍ୟ ।

ଅକ୍ରୂର ଓ ଉଦ୍ଧବ ଗୁରୁପ୍ରସାଦଙ୍କ ମିଥିକାଲ୍ ଚରିତ୍ରମାନଙ୍କ ମଧ୍ୟରୁ ସର୍ବୋତ୍ତମ ଓ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ । ଏମାନେ ନିସ୍ତାରର ବାଟ, ମୁକ୍ତିର ମାଧ୍ୟମ । ଜଣେ (ଅକ୍ରୂର) କଂସର ମୃତ୍ୟୁ ପାଇଁ ଦାୟୀ କାରଣ ସେ କୃଷ୍ଣଙ୍କୁ ନେଇ କଂସକୁ ମରାଇଛି । ଆଉ ଜଣେ (ଉଦ୍ଧବ) ଭଗବାନଙ୍କ ସମ୍ବାଦ ଗୋପ ଆଦି ସ୍ଥାନରେ ଓ ସବୁଆଡ଼େ ପ୍ରଚାର କରିଛି । ଦୁହେଁ ପବିତ୍ର ଚରିତ୍ର । କବି କାବ୍ୟପୁରୁଷ ମୁହଁରେ କହିଛନ୍ତି- ରୁହ ରୁହ ଛିଡ଼ା ରୁହ ପିଠିରେ ମୋ ତୁମ ପରି ବୋଝ…” । ମାତ୍ର ଏକଥା ସତ ଯେ, ହେଲେ ଭିନ୍ନ ପ୍ରକାରର । ଦୁହେଁ ‘ଅକ୍ରୂର ଓ ଉଦ୍ଧବ’ ଏବଂ ‘କାବ୍ୟପୁରୁଷ’ ବୋଝ ତଳେ ଚାପାକ୍ରାନ୍ତ । କିନ୍ତୁ ଅକ୍ରୂର ଓ ଉଦ୍ଧବ ଈଶ୍ୱରଙ୍କ ସମ୍ବାଦ ପ୍ରଚାର, ବିଶ୍ୱର ସଂସ୍ଥାପନା ଓ ଧର୍ମର ସଂସ୍ଥାପନା ପାଇଁ ଚିନ୍ତିତ । କିନ୍ତୁ କାବ୍ୟନାୟକ ନିଜେ ପତିତ, ଧର୍ମଚ୍ୟୁତ । “ମଣିଷର ଦାୟିତ୍ୱ ହେଉଛି ଜୀବନ ହାତରେ ମୃତ୍ୟୁକୁ ମରାଇବ ଓ ଜୀବନର ସମ୍ବାଦ ସର୍ବତ୍ର ପ୍ରଚାର କରିବ ।”୦୮

ମାନବାତ୍ମା ବିକଳ ରୋଦନ କରିଛି । ମୁକ୍ତିପାଇଁ କାନ୍ଦିଛି, ଆଉଟୁ ପାଉଟୁ ହୋଇଛି । ଅକ୍ରୂର ଓ ଉଦ୍ଧବଙ୍କୁ ପାଇଛି । ଧୂସରର ଓ ଅଶୁଭର ଧ୍ୱଂସ ନିମନ୍ତେ ସେମାନଙ୍କ ପରି ସେ ମଧ୍ୟ ପ୍ରେରଣା ପାଇ ଆଗକୁ ବଢ଼ିଛି । ସେ କହିଛି ଯେ, ଜହ୍ନ, ତାରା ଆଉ ଝରଣାର ସୁଅ ଖୋଜି ଖୋଜି ଯିବ । ଜହ୍ନକୁ ଖୋଜିବା ଅର୍ଥ ଜୀବନର ପୁରୁଣା ସୌନ୍ଦର୍ଯ୍ୟ, ଶୀତଳତା ଓ ଶାନ୍ତିକୁ ଫେରିପାଇବା । ତାରାକୁ ଖୋଜିବା ଅର୍ଥ ମୃତ୍ୟୁ ବା ଶାନ୍ତି ବା ପୁରୁଣା ଦିନକୁ ଖୋଜିବା । ଝରଣାର ସୁଅକୁ ଖୋଜିବା ଅର୍ଥ ଜୀବନସ୍ରୋତ ଠପ୍ ହୋଇଯାଇଥିବା ବେଳେ ଏହାର ସ୍ୱଚ୍ଛ-ବିମଳ ପ୍ରବାହ ଖୋଜିବା; ନିର୍ମଳ-କାନ୍ତ-ଶାନ୍ତ ମାନବାତ୍ମାକୁ ଖୋଜିବା । ୟା’ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟା ହେଲା ସେ ନିର୍ମୂଳି ନଟାର ମୂଳକୁ ବି ଖୋଜିବା । ଏକ ପରଜୀବୀ, ପରିଚୟହୀନ, ଦସ୍ୟୁର ସାଧୁମୂଳକୁ ଖୋଜିବା, ଏକ ଶୁଦ୍ଧ ଆତ୍ମାର ଇତିହାସ ଓ ନୃତତ୍ତ୍ୱକୁ ଖୋଜିବା ।

ଅରୁନ୍ଧତୀ ତାରାର ଆଲୁଅ ଖୋଜିବା ଏକ ନିହାତି ବ୍ୟଂଜନାଯୁକ୍ତ ଅଭିବ୍ୟକ୍ତି । ଗଣ୍ଡା ଗଣ୍ଡା ମିଥ୍ ଏହା ସହ ମଣିଷର ଇତିହାସକୁ ପରିପୁଷ୍ଟ କରନ୍ତି ।

             ପ୍ରଥମତଃ ଏହି ନାମୋଲ୍ଲେଖ କବିତାକୁ ଏକ ଅତ୍ୟନ୍ତ ବିଶୁଦ୍ଧ ଆଧ୍ୟାତ୍ମିକ ଉଚ୍ଚତା ପ୍ରଦାନ କରିଛି ।

             ଦ୍ୱିତୀୟତଃ ଏହା ଦ୍ୱାରା ଜୀବନ ପ୍ରତି ସଂପ୍ରୀତିସାଂଦ୍ରତାକୁ ବହୁଗୁଣିତ କରିଦେଇଛି ।

             ତୃତୀୟତଃ ଅରୁନ୍ଧତୀଙ୍କ ପରି ପତିପରାୟଣା ନାରୀର ଆଲୋକ ପାଇବା ଅର୍ଥ ସତୀତ୍ୱକୁ ସ୍ୱୀକାର କରିବା, ସ୍ୱାଗତ କରିବା ।

             ଚତୁର୍ଥତଃ ସୁଶ୍ରୁତରେ ଲେଖାଅଛି ମୃତ୍ୟୁ ଯା’ର ଆସନ୍ନ ତାକୁ ଏ ତାରା ଦିଶେ ନାହିଁ । ଏଣୁ ଏହାକୁ ଖୋଜିବା ଅର୍ଥ କବି ଜୀବନକୁ ଖୋଜିଛନ୍ତି । ଏହା ଜୀବନ ପ୍ରତି ଏକ କ୍ଲିନ୍ଚିଟ୍ ମାତ୍ର ।

             ପଞ୍ଚମତଃ ଏହାକୁ ଦେଖିଲେ ମୃତ୍ୟୁଶଙ୍କା ଦୂର ହୁଏ ।

             ଷଷ୍ଠତଃ ପ୍ରେମରେ ବିଶୁଦ୍ଧତା ଆଣିବାକୁ ଚାହିଁଛନ୍ତି, ପରମ ସ୍ୱଚ୍ଛ, ନିର୍ମଳ ପ୍ରେମ ଓ ଧ୍ରୁବନିଷ୍ଠା ଖୋଜିଛନ୍ତି ।

             ସପ୍ତମତଃ ଅରୁନ୍ଧତୀ ବଶିଷ୍ଠଙ୍କ ଧର୍ମପତ୍ନୀ । ଏଣୁ ସୁଦାମ୍ପତ୍ୟ ଜୀବନ କାଟିବା ପାଇଁ ପତିପତ୍ନୀଙ୍କୁ ବିବାହ ପରେ ଏହି ତାରା ଦେଖାଇ ଦିଆଯାଏ । ଏହା ଏକ ନିରାମୟ ଜୀବନକୁ ଆମନ୍ତ୍ରଣ ମାତ୍ର ।

ଏହିପରି ମିଥ୍ ପ୍ରୟୋଗ ଦ୍ୱାରା ଜୀବନ ଓ ମୃତ୍ୟୁର ଖେଳରେ ଗୁରୁବାବୁ ଜୀବନକୁ ଖୋଜିପାଇବାରେ ଯଥେଷ୍ଟ ଆଗରୁ ସଫଳ । ଏଲିଅଟସଙ୍କ ଠାରୁ ଏଠାରେ ଚିନ୍ତାରେ ସେ ଯଥେଷ୍ଟ ସବଳତା ପ୍ରଦର୍ଶନ କରିଛନ୍ତି । ଏଲିଅଟ୍ ମଧ୍ୟ ଜୀବନକୁ ଭଲପାଇଛନ୍ତି, ହେଲେ ଗୁରୁବାବୁଙ୍କ ବ୍ୟଂଜନା ତାଙ୍କୁ ଏହିଠାରେ ଏଲିଅଟସଙ୍କ ଠାରୁ ଦୁଇପାଦ ଆଗକୁ ନେଇଯାଇଛି- ଏଥିରେ ଦ୍ୱିରୁକ୍ତି ମାତ୍ର ନାହିଁ ।

ସର୍ବୋପରି ‘‘ଦ’ୱେଷ୍ଟଲାଣ୍ଡ୍’’ ଓ ‘କାଳପୁରୁଷ’ ଉଭୟର ଦିଗ ଏକ ଓ ଅଭିନ୍ନ । ଲକ୍ଷ୍ୟ ପର୍ଯ୍ୟନ୍ତ ଗନ୍ତବ୍ୟ ପଥ ମଧ୍ୟ ଅନେକଟା ଅଭିନ୍ନ । କାରଣ ‘‘ଦ’ୱେଷ୍ଟଲାଣ୍ଡ୍’’ କାବ୍ୟ ପରି ‘କାଳପୁରୁଷ’ରେ ବି କାହାଣୀ କି ଗଳ୍ପ ନାହିଁ । ସମୟର କାଳାନୁକ୍ରମିକ ଘଟଣା ପର୍ଯ୍ୟାୟ ନାହିଁ । ସ୍ମୃତି ଓ ତଥ୍ୟ ଏକାକାର । ପରସ୍ପର ବିରୋଧୀ ସତ୍ତା ସମନ୍ୱିତ । ଚିନ୍ତା ଓ ଅନୁଭୂତି ଏକାତ୍ମ । ଧୂଳି ସାମ୍ୟ ଅନୁପ୍ରାସ ଓ ପ୍ରାଚୀନ କବିଙ୍କ ଉଦ୍ଧୃତି ହରିହର । ଅଧିକନ୍ତୁ ଗୁରୁପ୍ରସାଦ ଏଥିରେ ଏଲିୟଟ୍ଙ୍କ କବିତାର ଚିତ୍ରକଳ୍ପକୁ ମଧ୍ୟ ଇତସ୍ତତଃ ଗ୍ରହଣ କରିଛନ୍ତି । ଉଲ୍ଲିଖନ, ଆକସ୍ମିକ ପ୍ରତିତୁଳନା (juxtaposition), ଭଂଗୀ ପରିବର୍ତ୍ତନ, ସଂଗୁପ୍ତ ଭାବପ୍ରକାଶ, ଉଲଘଂନ, କାବ୍ୟାଂଶର ପୁନରାବୃତ୍ତି ଆଦି ପ୍ରୟୋଗ କ୍ଷେତ୍ରରେ ଋଣ ଗ୍ରହଣ ଆଦୌ ଅଛପା ରହେନାହିଁ ।”୦୯

ପୁଣି ସମାଲୋଚିକା ଡକ୍ଟର ରାୟ କହନ୍ତି- “ଗୁରୁପ୍ରସାଦ ମଧ୍ୟ ଏଲିଅଟ୍ଙ୍କ ପରି ଆମୂଳାନ୍ତ ଆତ୍ମସଚେତନ । ସେ ଏଲିଅଟ୍ଙ୍କୁ ଓଡ଼ିଆ କବିତାରେ ମୁକ୍ତିଦୂତ ରୂପେ ବରଣ କରିଆଣିଛନ୍ତି ଏଥିରେ । ଏପରିକି ‘ସମୁଦ୍ରସ୍ନାନ’ ନାମରେ ‘‘ଦ’ୱେଷ୍ଟଲାଣ୍ଡ୍’’କାବ୍ୟର ପ୍ରେରଣା ଅନୁପସ୍ଥିତ ନୁହେଁ । Death by water ଭାଗରେ ଜଳ ନିମଜ୍ଜନରେ ପୁନରୁଜ୍ଜୀବନର ସମ୍ଭାବନା ସୂଚିତ । ସେହି ସୂତ୍ରରେ ‘ସମୁଦ୍ରସ୍ନାନ’ରେ ମୁକ୍ତିର ସମ୍ଭାବନା ଦେଖିଛନ୍ତି ଗୁରୁପ୍ରସାଦ ।”୧୦ ଏହିପରି ବହୁ ସାମ୍ୟ-ବୈଷମ୍ୟ ମଧ୍ୟରେ ଉଭୟ କାବ୍ୟ ପରିପୁଷ୍ଟ । ଉଭୟ ବିଂଶ ଶତକର ଉତ୍ପାଦ, ବିଂଶ ଶତକର ସନ୍ତାନ ଓ ବିଂଶ ଶତକର ମହାକାବ୍ୟ । ପଛରେ ରହିଛି ଦୁଇଟି ନୁହେଁ ଗୋଟିଏ ପୃଷ୍ଠଭୂମି, ଗୋଟିଏ ସଂସ୍କୃତି- ବିଶ୍ୱସଂସ୍କୃତି, ବିଶ୍ୱ ପୃଷ୍ଠଭୂମି । ବିଶ୍ୱଯୁଦ୍ଧ । ଗୋଟିଏ ପ୍ରଥମ ଯୁଦ୍ଧର ଉତ୍ତରର ଓ ଅନ୍ୟଟି ଦ୍ୱିତୀୟ ମହାଯୁଦ୍ଧର ପରର ।

ଶେଷରେ ଏତକ କୁହାଯାଇପାରେ- ଦୁଇଟିଯାକ କାବ୍ୟର ପ୍ରଲୋଭନ ଯଥେଷ୍ଟ, ଆକର୍ଷଣ ଯଥେଷ୍ଟ । ଗଠନ ଓ ପ୍ରକାର୍ଯ୍ୟ ସହିତ ସ୍ୱର-ସ୍ୱାକ୍ଷର, ଭୂମି-ଭୂମିକା ଓ ସ୍ୱରୂପ ମଧ୍ୟ ଯଥେଷ୍ଟ ସାମ୍ୟ ରଖେ । ଅତଏବ ଏ ଦ୍ୱୟ ଶତାବ୍ଦୀର ଓ କାଳର ପ୍ରଣିଧାନ୍ୟ କାବ୍ୟଯୁଗଳ । ଦୁହେଁ କାଳର ଅମ୍ଳାନ କୃତି ରତ୍ନ- ଏଥିରେ ଦ୍ୱିରୁକ୍ତି ମାତ୍ର ନାହିଁ ।

ପୃଷ୍ଠଟୀକା

୧.         Eliot, T. S.: The Waste Land, Ed. Vasant A. Shahane- Oxford University Press, Delhi- 1987- page-71.

୨.           ମହାନ୍ତି, ଗୁରୁପ୍ରସାଦ: ‘କାଳପୁରୁଷ’- ସମୁଦ୍ରସ୍ନାନ- ଲାର୍କ ବୁକ୍ସ୍, ଷ୍ଟୋନିରୋଡ଼, କଟକ-୨- ପ୍ରଥମ ପ୍ରକାଶ- ୧୯୭୦- ପୃ- ୫୧।

୩.           Eliot, T. S.: ପୂର୍ବୋକ୍ତ ଗ୍ରନ୍ଥ- ପୃ- ୯୦ ।

୪.           ମହାନ୍ତି, ଗୁରୁପ୍ରସାଦ: ପୂର୍ବୋକ୍ତ ଗ୍ରନ୍ଥ- ପୃ- ୬୭ ।

୫.           ଦାସ, ପ୍ରଫେସର ଦାଶରଥି: ‘ଚିତ୍ରକଳ୍ପର ସୀମା ଓ ସମ୍ଭାବନା’- ଆଧୁନିକ କାବ୍ୟଜିଜ୍ଞାସା: ଚିତ୍ରକଳ୍ପ- ଅଗ୍ରଦୂତ- କଟକ-୨- ପ୍ରଥମ ସଂସ୍କରଣ- ଶ୍ରୀଗଣେଶ ଚତୁର୍ଥୀ- ୧୯୭୪- ପୃ- ୩୩୨-୩୩ ।

୬.           ମହାନ୍ତି, ଗୁରୁପ୍ରସାଦ: ପୂର୍ବୋକ୍ତ ଗ୍ରନ୍ଥ- ପୃ- ୫୧ ।

୭.           ମହାନ୍ତି, ଗୁରୁପ୍ରସାଦ: ତତ୍ରୈବ- ପୃ- ୫୮ ।

୮.           ଦାସ, ପ୍ରଫେସର ଦାଶରଥି: ପୂର୍ବୋକ୍ତ ଗ୍ରନ୍ଥ- ପୃ- ୩୩୧ ।

୯.           ରାୟ, ଡକ୍ଟର ମାଳବିକା: ‘ଆଧୁନିକ ଓଡ଼ିଆ କବିତାରେ ସାଂକେତିକ ଆଖ୍ୟାନଯୁକ୍ତ ମିଥ୍ର ବିନ୍ୟାସଗତ ସାମଗ୍ରିକ ବ୍ୟବହାର’- ମିଥ୍ ଓ ଆଧୁନିକ ଓଡ଼ିଆ କବିତା- ଅଗ୍ରଦୂତ- କଟକ-୨- ପ୍ରଥମ ପ୍ରକାଶ- ୧୯୯୩- ପୃ-୨୧୩ ।

୧୦.        ରାୟ, ଡକ୍ଟର ମାଳବିକା: ତତ୍ରୈବ- ପୃ- ୨୧୩ ।

PHOTO CREDIT- WIKIMEDIA COMMONS

https://www.poetryfoundation.org/harriet/2015/08/the-waste-land-will-be-re-issued-on-the-50th-anniversary-of-eliots-death

Share This Article