Home / ସାହିତ୍ୟ / କେଉଁ କବିରେ ଗଣା ସେ

କେଉଁ କବିରେ ଗଣା ସେ

ମନମୋହନ ମିଶ୍ରଙ୍କ ଉଦ୍ଦେଶ୍ୟରେ ଶ୍ରୀ ଗୋବିନ୍ଦଚନ୍ଦ୍ର ମହାନ୍ତିଙ୍କ ଶୋକବାର୍ତ୍ତା

(ମନମୋହନ ମିଶ୍ର ଗ୍ରନ୍ଥାବଳୀରୁ)

ମନମୋହନ ମିଶ୍ର ଥିଲେ ଜଣେ ବିପ୍ଳବୀ ଗାୟକ କବି । ତାଙ୍କ ଗୀତର ମୂଳ ବିଷୟବସ୍ତୁ ଥିଲା ଜନଗଣଙ୍କ ସମସ୍ୟା ଜର୍ଜରୀତ ଜୀବନ। ଶ୍ରମଜୀବୀ ମଣିଷର ଦୁଃଖକୁ ଅତି ଜୀବନ୍ତ ଭାବରେ ସ୍ୱରଦେଇ ପ୍ରକାଶ କରିବାର ଦୁର୍ବାର କ୍ଷମତା ଥିଲା ତାଙ୍କର । ଲୋକଙ୍କ ସମ୍ମୁଖରେ ଛିଡ଼ାହୋଇ ସଙ୍ଗୀତ ରଚନା କରୁଥିଲେ ଏବଂ ଏକା ସହିତ ଗାଉଥିଲେ । ଅନନ୍ୟ ପ୍ରତିଭାର ଅଧିକାରୀ ଏହି ବିପ୍ଳବୀ ଗାୟକ କବିଙ୍କୁ ନୂଆପିଢ଼ୀର ଯୁବ ସମାଜ କେବେ ଜାଣିବାର ସୁଯୋଗ ମଧ୍ୟ ଆଜି ନାହିଁ । କବି ବୋଲି ନିଜକୁ କେବେ ସେ ନିଜକୁ ପରିଚୟ ଦେଇନାହାଁନ୍ତି ।  ତାଙ୍କର ସହକର୍ମୀ, ବନ୍ଧୁ ଗୋବିନ୍ଦଚନ୍ଦ୍ର ମହାନ୍ତିଙ୍କ ଶୋକବାର୍ତ୍ତାଟି ଏଠାରେ ପ୍ରକାଶ କରାଯାଇଛି ।    – ସମ୍ପାଦକ

ଷାଠିଏ ବର୍ଷ କାଳର ସାଙ୍ଗସାଥି ସହଯୋଦ୍ଧା । ବହୁକାଳ ଏକାଠି ରହିବା ଓ କିଛି ବର୍ଷ ବିଚ୍ଛିନ୍ନ ହୋଇ ରହିବା ପରେ ସହକର୍ମୀ, ସହବନ୍ଦୀ, ମନମୋହନ ମିଶ୍ର ଚାଲିଗଲେ । ସଂଜ୍ଞାହୀନ ଅବସ୍ଥାରେ ଓ ଅନ୍ତିମ ଶୟନରେ ଆତୁର ଗୁରୁଚରଣ ପଟ୍ଟନାୟକଙ୍କ ସହ ମୋର ଉପସ୍ଥିତିକୁ ସେ ଜାଣିପାରିଲେ ନାହିଁ । ତାଙ୍କ ପତ୍ନୀ, ପୁତ୍ର, କନ୍ୟା ପରିବାର ବାହୁନିବେ ।

ତେବେ ଆମେ ତାଙ୍କ ପରିବାରର ନୁହେଁ । କାହିଁକି ଆମେ ତାଙ୍କ ସ୍ମୃତିଚାରଣ କରିବୁ ଗୋଟିଏ ଦି’ଟା ଶୋକସଭା କରିଦେବୁ । ଗୋଟିଏ ସ୍ମରଣିକା ପ୍ରକାଶ କରିଦେବୁ । ତେବେ କ’ଣ ଦିବଂଗତ ବ୍ୟକ୍ତିଟି ପ୍ରତି ଆମର କର୍ତ୍ତବ୍ୟ ଶେଷ ହୋଇଗଲା?

ମନମୋହନ ମିଶ୍ର ଏହାର ବ୍ୟତିକ୍ରମ ହେବେ । ତାର କାରଣ ଅନେକ । କିନ୍ତୁ ତାଙ୍କର ଗୋଟିଏ ଅବଦାନ ହିଁ ତାଙ୍କୁ ସ୍ମରଣରେ ରଖିଚାଲିବ । ଯେ ପର୍ଯ୍ୟନ୍ତ ସମାଜରେ ଓ ଦେଶରେ କ୍ଷୁଧା, ଅନାହର, ଶୋଷଣ, କଷଣ, ବେକାରୀ, ପ୍ରବଂଚନା, ମଣିଷ ମଣିଷ ମଧ୍ୟରେ ସୃଷ୍ଟି କରାଯାଉଥିବା ଅନୈକ୍ୟ, ସାଂପ୍ରଦାୟିକତା ଦଂଗା, ଦୁର୍ନୀତି, ପରମାଣୁ ଓ ବିଭିନ୍ନ ମାରଣାସ୍ତ୍ରର ଗନ୍ତାଘରିଆଙ୍କ ମାନବ ସମାଜକୁ ନିଃଶେଷ କରିବାର ଧମକ ଥିବ, ସେ ଯାଏ ମନମୋହନ ସ୍ମରଣୀୟ, ବରଣୀୟ ହୋଇ ରହିବେ ତାଙ୍କର ଉଦ୍ଦୀପନାମୟୀ କାବ୍ୟିକ ସୃଷ୍ଟି ଲାଗି ।

କେଉଁ କବିରେ ଗଣା ଯେ ସେ ଅଭୁଲା , ଅମର ରହିବେ? ସେ ତ କାଳିଦାସ ନୁହନ୍ତି, ରବୀନ୍ଦ୍ରନାଥ ନୁହଁନ୍ତି, ସେ ତ ଆମ ଓଡ଼ିଶାର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ, ଭକ୍ତକବି ମଧୁସୂଦନ, କବିବର ରାଧାନାଥ, ସ୍ୱଭାବ କବି ଗଙ୍ଗାଧର, ପଲ୍ଲିକବି ନନ୍ଦ କିଶୋରଙ୍କ ଭଳି ବନ୍ଦିତ କବି ବର୍ଗର ସେ ନୁହଁନ୍ତି । ତେବେ ସେ କେଉଁ ବର୍ଗର କବି? ପୁଣି ଚାରଣ କବି? ଗାୟକ କବି? ତାଙ୍କ ସେହି ବର୍ଗର ପୂର୍ବସୂରୀ ଥିଲେ ଓଡ଼ିଶାର ମଉଡ଼ମଣି ଉତ୍କଳମଣି ଗୋପବନ୍ଧୁ ଦାସ ଓ ତାଙ୍କ ପଥ ଆଦର୍ଶ ଅନୁସରଣକାରୀ ଜାତୀୟ କବି ବୀର କିଶୋର ଦାସ, ଜାତୀୟ କବି ବାଞ୍ଛାନିଧି ମହାନ୍ତି । ବିଦେଶୀ ଶାସନରୁ ମୁକ୍ତି ପାଇଁ କବିତା ମାଧ୍ୟମରେ ସୁପ୍ତ ଜନତାକୁ ଜାଗ୍ରତ କରିବାର କାବ୍ୟ କବିତା ସୃଷ୍ଟି ଥିଲା ସେମାନଙ୍କର ବର୍ଗ ପରିଚୟ ।

ସେହି ବର୍ଗର ଉତ୍ତରାଧିକାରୀ ଯେଉଁମାନେ ହେଲେ, ସେହି ବର୍ଗର ଅନନ୍ତ ପଟ୍ଟନାୟକ, ସଚ୍ଚି ରାଉତ୍ ରାୟ, ରାଧାମୋହନ ଗଡ଼ନାୟକଙ୍କ ମେଳରେ ମନମୋହନ ସାମିଲ ହେଲେ ଓ ଏକ ଆରେକକୁ ମାନବ ମୁକ୍ତିକାରୀ, ମାନବତାବାଦୀ କାବ୍ୟିକ ସୃଷ୍ଟିରେ କୁଣ୍ଡେଇ ଧରିଲେ ।

ଓଡ଼ିଶାର ସାରସ୍ୱତ ଭଣ୍ଡାରକୁ ଭିନ୍ନ ଭିନ୍ନ ଭାବରେ ସମୃଦ୍ଧ କରିଥିବା କବି ସାହିତ୍ୟକ ମହଲ ଥିଲେ, ଅଛନ୍ତି ଏବଂ ଆସିବେ । କିନ୍ତୁ ଏହି ନିଆରା କିସମର କବି ମନମୋହନଙ୍କ ବୈପ୍ଲବିକ ସାଲିସ୍ ହୀନ କାବ୍ୟ କବିତାର ଆକଳଣ, ଏହି କ୍ଷୁଦ୍ର ସ୍ମତିଚାରଣ ଲେଖାରେ ଅସମ୍ଭବ । ତେବେ ଏପରି କବି ହେବାର ପ୍ରଚ୍ଛଦପଟଟି ତାଙ୍କ ଜୀବନରେ କ’ଣ ଥିଲା, ତାଙ୍କୁ ଆଜିର ଜାଣିଥିବା ବ୍ୟକ୍ତିମାନଙ୍କ ଛଡ଼ା ଅଜାଣିଲା ବ୍ୟକ୍ତି ଓ ଆଗାମୀ ପିଢ଼ୀର ନବୀନମାନଙ୍କୁ ଜଣାଇବା ପ୍ରୟୋଜନ ମନେକରୁଛି ।

ସ୍ୱାଧୀନତା ସଂଗ୍ରାମ କାଳର ୧୯୩୮ରେ ଛାତ୍ର ସଂଘ ଆହ୍ୱାନରେ ମେଡ଼ିକାଲ ଧର୍ମଘଟ ଆନ୍ଦୋଳନରେ କଟକ କରାବାସରେ ବନ୍ଦୀ, ୧୯୪୦ ବ୍ୟକ୍ତିଗତ ସତ୍ୟାଗ୍ରହ କାଳରେ ଆନ୍ଦୋଳନରେ କଟକ କାରାବାସରେ ବନ୍ଦୀ, ୧୯୪୦ ବ୍ୟକ୍ତି ଗତ ସତ୍ୟାଗ୍ରହକାଳରେ ପୁରୀ ମାହାର (ମେହେନ୍ତର) ଆନ୍ଦୋଳନରେ ଭାଗ ନେଇ ବ୍ରହ୍ମପୁର ପୁରୁଣା ଜେଲରେ ବହୁ ସଂଗ୍ରାମୀ ଯୋଦ୍ଧାମାନଙ୍କ ସହିତ ୭ ନମ୍ବର ୱାର୍ଡ଼ରେ ବନ୍ଦୀ, ୧୯୪୨ ଅଗଷ୍ଟ ଆନ୍ଦୋଳନ କାଳରେ ବ୍ରହ୍ମପୁର ନୂଆ ସଂଗ୍ରାମୀମାନଙ୍କ ଲାଗି ଗଢ଼ା ନୂଆ ଜେଲର ୯ନମ୍ବର ‘କ’ ୱାର୍ଡ଼ରେ ବନ୍ଦୀ ଜୀବନରେ ତାଙ୍କ କାରାବାସ । ଏତିକିରେ ସୀମିତ ନଥିଲା । କମ୍ୟୁନିଷ୍ଟ ମତବାଦୀ କବିଙ୍କୁ ସ୍ୱାଧୀନତା ପରବର୍ତ୍ତୀ କାଳରେ ଅନ୍ୟ ବିପ୍ଲବୀଙ୍କ ସହିତ ଦୁଃଖ ଉପାସର ଗୋପନବାସ ପରେ କଟକ ଜେଲରେ, ସୀମା ଆନ୍ଦୋଳନ କାଳରେ ଅଜ୍ଞାତବାସ, ଚୀନ-ଭାରତ ସଂଘର୍ଷ କାଳରେ ତାଙ୍କ ବନ୍ଦୀ ଜୀବନ ଶେଷ ହେଲାନି । କବି ହୋଇ ଶ୍ରମିକ ଆନ୍ଦୋଳନ କାଳରେ ତାଙ୍କ ବିରୁଦ୍ଧରେ ମନଗଢ଼ା ହତ୍ୟା ମକଦ୍ଦମା କରାଯାଇ ଦୀର୍ଘ ନିର୍ଯ୍ୟାତିତ ବନ୍ଦୀ ଜୀବନ ତାଙ୍କୁ କଟାଇବାକୁ ହେଲା ।

ସେ କଟକ ମ୍ୟୁନିସିପାଲଟିର କଂଗ୍ରେସ ଚେୟାରମ୍ୟାନ ହେଲେ, ‘କଳିଙ୍ଗ’ ଦୈନିକର ସମ୍ପାଦକ ହେଲେ, ଏହା ତାଙ୍କର ଅସଲ ଭୂଷଣ ନୁହେଁ । ପରବର୍ତ୍ତୀ କାଳରେ ସେ ଅନୁଶୋଚନା କରିଛନ୍ତି । ସେ କବିତା ଲେଖିଲେ ସାମ୍ୟବାଦୀ ଚିନ୍ତାଧାରାର ବଶବର୍ତ୍ତି ହୋଇ ମାଟିର ମଣିଷଙ୍କ ପାଇଁ । ଯେଉଁ କୋଟି କୋଟି ମଣିଷ ଆସାମ ଚା ବଗିଚାରେ; ଖଣି ଖାଦାନରେ, ପାହାଡ଼ କନ୍ଦରରେ, ଦୁଃଖ ଜର୍ଜରିତ ବନ୍ୟା, ବାତ୍ୟା, ଜମିଦାର, ମହାଜନ ଓ ବିଟ୍ରିଶ ଶାସନ, ପୁଲିସ ନିର୍ଯ୍ୟାତନାରେ ଦଳିତ ଚାଷୀ, ମୂଲିଆଙ୍କ ଦୁର୍ଦ୍ଦଶା ମୋଚନର ପଥ ନିର୍ଦ୍ଦେଶକାରୀ ବର୍ଗର ସଂଗ୍ରାମ ପାଇଁ ତାଙ୍କର କାବ୍ୟ କାବିତାର ସୃଷ୍ଟି । ସୌଖିନ, ଆରାମପ୍ରଦ ପରିବେଶରେ ନୁହଁ, କାଦୁଅ ପଙ୍କର ଗାଁ ଗଣ୍ଡାରେ, ଜଙ୍ଗଲରେ ବାସ କରୁଥିବା ଲୋକଙ୍କ ପାଇଁ ବାଟରେ, ଘାଟରେ ଭିକ୍ଷାଥାଳ ଧରି ଅନ୍ନ ଦିଅ, ବସ୍ତ୍ର ଦିଅ, ଭୂମିଖଣ୍ଡେ ଦିଅ, ମୁଣ୍ଡ ଗୁଞ୍ଜିବାକୁ ଚାଳିଆ ଖଣ୍ଡେ ଦିଅ, ଏଥିପାଇଁ ତାଙ୍କର କବିତା ନୁହେଁ । ଜମିଦାର, ସାହୁକାର, ମହାଜନ ହଟାଅ, ରାଜରାଜୁଡ଼ାଙ୍କ କାଳ କାଳର ଅତ୍ୟାଚାର ହଟାଅ ଥିଲା ତାଙ୍କର ଆହ୍ୱାନ । ପରମାଣୁ ଧ୍ୱଂସରୁ ମଣିଷ ସମାଜକୁ ରକ୍ଷା କର । ଭାଇର ବେକରେ ଭାଇ ଛୁରିମରା, ସାମ୍ପ୍ରଦାୟିକତା ଦୈତ୍ୟର ଦୌରାତ୍ମ୍ୟରୁ ମାନବ ମାନବିକତାକୁ ରକ୍ଷା କର, ଏହାହିଁ ସବୁ ଥିଲା ତାଙ୍କ କାବ୍ୟ କବିତାର ଆଧ୍ୟେୟ, ଉପଜୀବ୍ୟ ।

ସେ ଲେଖୁଥିଲେ, ସୁଲଲିତ କଣ୍ଠରେ ନିରନ୍ନ ଜନ -ସମୁଦ୍ର ସମୀପରେ ଗାଉଥିଲେ । ବାଗ୍ମୀତାରେ ସମସ୍ତ ମାନବର ମୁକ୍ତି ପାଇଁ ମାନବର ଶତ୍ରୁମାନଙ୍କ ବିପକ୍ଷରେ ସଂଗ୍ରାମରେ ଠୁଳ ହେବାକୁ ଆହ୍ୱନ ଦେଇ ମନ୍ତ୍ରମୁଗ୍ଧ କରିଦେଉଥିଲେ ।

ନୂଆ କଂଗ୍ରେସ ସରକାର । କନିକା ଜମିଦାର ୬ ମାଇଲର ଭଙ୍ଗା ପଟିଆ ବନ୍ଧ କରେଇ ଦେଉନଥିଲା । ବିଲ ବାଡ଼ି ସବୁବର୍ଷ ଧୋଇଯାଉଥିଲା । ବନ୍ଧ ଲୋକେ ପକେଇବେ । ସମସ୍ତଙ୍କ ହାତରେ କୋଦାଳ ଓ ଟୋକେଇ । କାଳନ୍ଦୀ ଚରଣ ପାଣିଗ୍ରାହୀ ଆଗେ ଟୋକେଇ ମାଟି ପକେଇଲେ । ମନମେହନ ନିଜ ରଚିତ ଗୀତ ଗାଇଦେଲେ ;

‘ଚଳା କୋଦାଳ, ଚଳା କୋଦାଳ,

ଛନ୍ଦେ ଛନ୍ଦେ ପଟିଆ ବନେ୍ଧ

          ଭରିଦେ ମାଟି ଲାଲ;

ବାର ବରଷର ବାଂଝ ବାଲି

ହସିବ ଫସଲ ସୁନା ଥାଳି ।”

ସେହି କୋଦଳ କାବ୍ୟ ମତେଇଲା ୫୦ବର୍ଷ ତଳର ଲୋକଙ୍କୁ । ସାଗର ତଟ ପାରାଦ୍ୱୀପର ଜଟାଧାରି ମୁହାଣ । ସାଗରରର ଲବଣାକ୍ତ ଜଳ ଶତ ଶତ ଗାଁକୁ ଏହି ମୁହାଣ ବାଟେ ଆସି ଚାଷୀଙ୍କୁ ନିଃସ୍ୱ କରିଦିଏ । ମନମୋହନଙ୍କ ଗାନକୁ ଟିକିଏ ବଦଳେଇ ଲୋକେ ଗାଇଲେ, “ଜଟାଧାରୀ ମୁଣ୍ଡେ ଭରିଦେ ବାଲି” । ତିନି ହାଜର ଲୋକଙ୍କ ମଣିଷ ବନ୍ଧ ପାଣି ଅଟକାଇବାକୁ ବୁହା ଚାଲିଲା ବାଲି ।

ଛାତ୍ର ଯୁବକ, ଶ୍ରମିକ, କିରାନୀ, ବୁଭୁକ୍ଷୁ ଜନତାର ମନର ହୃଦୟର ମୁକ୍ତି ପାଇବାର ଅଭିଳାଷକୁ ନିଜ ସଂଗ୍ରାମ, ଐକ୍ୟ ସଂଗ୍ରାମ, ଐକ୍ୟ ଓ ମେଣ୍ଟ ବଳରେ ଅର୍ଜନ କରିବାକୁ ପ୍ରେରଣାଦାୟକ ତାଙ୍କର କବିତାର ମହିମା ଅନନ୍ୟ ।

ବହୁକାଳ ଧରି ରହିଥିବା ତାଙ୍କର ଜଣେ ସାଥୀ ଭାବରେ ଅନ୍ତରର ମର୍ମ ବେଦନାକୁ ଚାପି ରଖି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । କିନ୍ତୁ ଆଜିର ନବୀନ କବି ବନ୍ଧୁମାନଙ୍କୁ ତାଙ୍କର ଏକ କାଳଜୟୀ, ମାନବବାଦୀ କବିତାର କେତୋଟି ପଂକ୍ତି ମନେ ପକାଇବାର ଦୃଷ୍ଟତା ଦେଖାଉଛି ।

ଏ ପ୍ରଳୟଙ୍କରୀ ମହାବାତ୍ୟା ଖାଲି ଦୁଇ ସହସ୍ରାଧିକ ଜୀବନ ନେଲା ନାହିଁ, ଶହ ଶହ ପରିବାରକୁ ନିଶ୍ଚିହ୍ନ କରିଦେଲା । ସବୁଜିମା ଚାଲିଗଲା; ଲକ୍ଷ ଲକ୍ଷ ଗୃହପାଳିତ ପଶୁ ଗଲେ । କାହିଁ ଆଜିର କବି ତ ସେହି ମର୍ମାନ୍ତକ ବ୍ୟଥାକୁ ଭାଷାଦେଇ କବିତାଟିଏ ରଚନା କରିପାରିଲେ ନାହିଁ । ଏଇଠି ମନମୋହନ ମିଶ୍ରଙ୍କର ବୈଶିଷ୍ଟ୍ୟ । ୧୯୭୧ର ବାତ୍ୟା! ଅଶେଷ ଦୁଃଖ । ଅବଶ୍ୟ ୧୯୯୯ର ମହାବାତ୍ୟା ନୁହଁ! ତଥାପି କବି ଲକ୍ଷ ହୃଦୟର ବେଦନାକୁ ବ୍ୟକ୍ତକରି ଅଭୟ ଆହ୍ୱାନ ଦେଇଛି ନ କାନ୍ଦିବାକୁ, ସଂଗ୍ରାମ କରିବାକୁ ।

ଲୁହକୁ ତୋର ସମ୍ଭାଳ, ନୁହଁ କାନ୍ଦଣା ବେଳରେ…

କନ୍ଦରପୁରରୁ ବନ୍ଦର ସେପାରି କାନ୍ଦିଛି ଫେନିଳ ଲହରୀମାଳ

ଭାଙ୍ଗିଛି ବନ୍ଦର, ତୁଟିଛି ଲଙ୍ଗର ବିପଣୀ ବୋଝାଇ ଜାହାଜ ଭେଳା,

ବିକଟାଳ ଦହ, ପାଲଟିଛି ଆହା

ଯାହାଥିଲା କାଲି ସାଗର ବେଳା

ଗଛ, ଦେଉଳ ମଥାନ ଚୁଳ,

ହେଲା ପ୍ରସବିନୀ ଅନ୍ତୁଡ଼ିଶାଳାରେ

          ଲୁହକୁ ତୋର ସମ୍ଭାଳ … ।

ଜମ୍ଭୁଦ୍ୱୀପେ ହେଲା ଶମ୍ଭୁ ଅଭିଷେକ

ପାଣିର ଅତଡ଼ା ତଳେ ବୁଡ଼ିଛି

ହଜାର ହଜାର ଘରଦ୍ୱାର ଚାଳ

ଗଗନେ ପବନେ କାହିଁ ଉଡ଼ିଛି,

ଝନ୍ଜାର୍ ଚାଟ ନିରାଟ ଘାତ

ଫସଲ ଲକ୍ଷ୍ମୀ ନିର୍ଘାତେ ମରିଛିରେ

ଲୁହକୁ ତୋର ସମ୍ଭାଳ…

ଓଡ଼ିଶାବାସୀଙ୍କୁ ଡାକଦେଇ ଲେଖିଲେ;

“ଜଗତଜିଣା ତୁ ମନକୁ ମନା

ଆଜି ବିପତ୍ତିରେ ହେବୁନି ବଣାରେ

ଲୁହକୁ ତୋର ସମ୍ଭାଳ…

ହେ ହଳୀ ମୂଷଳୀ         ବଳରାମ ସେନା,

          ଆହେ ଦେଢ଼କୋଟି ପାଇଟିଆଳ,

ଓଡ଼ିଆ ଜାତିର   ହେ ପୋଷଣାହାରି

          ଲକ୍ଷ ଲକ୍ଷ ବିନ୍ଧାଣୀ ମଜଦୁର;

          ହେ ମଧ୍ୟବିତ୍ତ, ହେଉ ବିଜିତ

ଏ ଝଡ଼ର ଶିକ୍ଷା  ମହାମନ୍ତରରେ

          ଲୁହକୁ ତୋର ସମ୍ଭାଳ ।

ଏହି ପ୍ରକାର କବିରେ ସେ ଗଣା । ତେଣୁ ରାଜ୍ୟ ବା କେନ୍ଦ୍ର ସାହିତ୍ୟ ଏକାଡ଼େମୀର ସେ ଯୋଗ୍ୟ ନ ହେଲେ ବି ଯେତେଦିନ ଯାଏ କୋଟି କୋଟି ଆର୍ତ୍ତ ଜନ ଥିବେ, ତାଙ୍କର ସେ ବରେଣ୍ୟ ହୋଇ ରହିବେ ।

About ଗୋବିନ୍ଦଚନ୍ଦ୍ର ମହାନ୍ତି

Avatar

Check Also

“ପରଭକ୍ଷୀ ପରଶୋଷି କବଳରୁ ଜୀବନ ହେଉ ଯନ୍ତ୍ରଣା ମୁକ୍ତ” ପୁସ୍ତକର ଅଗ୍ରଲେଖରେ ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ

ସମ୍ପ୍ରତ୍ତି ସାମାଜିକ ସ୍ଥିତି ଏବଂ ପୃଥିବୀର ଭବିଷ୍ୟତ ବର୍ତ୍ତମାନ ଅନେକ ପ୍ରଶ୍ନ ଉତ୍ଥାପନ କରିଛି । ଆମେ ଇତିହାସକୁ ଯାହା …

Leave a Reply

Your email address will not be published. Required fields are marked *