Home / ସମ୍ପାଦକୀୟ / ‘କରୋନା’  ପ୍ରକୃତିର ଏକ ପ୍ରତିବାଦ କି ?

‘କରୋନା’  ପ୍ରକୃତିର ଏକ ପ୍ରତିବାଦ କି ?

କୁହାଯାଏ ଯେ, ପାରସ୍ପରିକ ସମ୍ପର୍କ ଓ ଏକତାର ସୂତ୍ର ହିଁ ବିଶ୍ୱ ଗଠନର ମୂଳ ଉପାଦାନ । ବହୁତ୍ୱ ମଧ୍ୟରେ ଏକତ୍ୱ ହିଁ, ଆଗାମୀ ବିଜ୍ଞାନର ମୁଖ୍ୟ ସ୍ୱର ହେବା ଆବଶ୍ୟକ । ଆଗାମୀ ଯୁଗର ବୈଜ୍ଞାନିକ ଗବେଷଣା ମାନବିକ ସମ୍ପର୍କକୁ ନେଇ ଆଗେଇବ ବୋଲି ଆଶା କରାଯାଏ । ଆଧୁନିକ ବିଜ୍ଞାନ ସୃଷ୍ଟିର ବହୁପୂର୍ବରୁ ଭାରତୀୟ ଦର୍ଶନଶାସ୍ତ୍ର ଓ ବୌଦ୍ଧ ଧର୍ମଶାସ୍ତ୍ର ମାନଙ୍କରେ ଅନେକ ବୌଦ୍ଧିକ ଚର୍ଚ୍ଚା ଦେଖିବାକୁ ମିଳେ ଯେମିତି, ଅନ୍ୟର ମଙ୍ଗଳ ଭାବନା ନିଜର ମଧ୍ୟ ମଙ୍ଗଳ କରିଥାଏ । ଅନ୍ୟପ୍ରତି କରୁଣା ମନୋଭାବ ଥିବା ବ୍ୟକ୍ତିଙ୍କୁ ଜଗତର ସମସ୍ତ ମଣିଷ ତଥା ଜୀବଜନ୍ତୁ ବି ଭଲପାଆନ୍ତି । ଏଭଳି ଏକ ଦର୍ଶନକୁ ଆଜିର ବିଶ୍ୱମହାମାରୀ ‘କରୋନା’ର ପ୍ରେକ୍ଷାପଟ୍ଟରେ ଆଲୋଚନା କଲାବେଳେ, ଯେଉଁସବୁ ପରିବର୍ତ୍ତନର ଧାରା ମଣିଷକୁ ଆଜିର ସ୍ଥିତିରେ ପହଞ୍ଚାଇଛି ସେସବୁ ସମ୍ପର୍କରେ ଅଧିକରୁ ଅଧିକ ଚର୍ଚ୍ଚା, ଆଲୋଚନା ଜରୁରୀ ମନେହୁଏ ।

ବିଶ୍ୱର କୋଟି କୋଟି ଜୀବ ଭିତରେ ମଣିଷ ଗୋଟିଏ ଜୀବ । ପ୍ରକୃତି ସୃଷ୍ଟ ଏହି ଜୀବଜଗତରେ କୋଟି କୋଟି ଜୀବ ଜନ୍ମ ନେଇଛନ୍ତି ଓ ଅନେକ ଜୀବ ଧ୍ୱଂସ ମଧ୍ୟ ହୋଇଯାଇଛନ୍ତି । ପ୍ରକୃତି ସହ ଖାପଖୁଆଇ ଯେଉଁମାନେ ବଞ୍ଚିରହିଲେ ସେହିମାନେ ହିଁ ବଂଶବୃଦ୍ଧି କରିଛନ୍ତି । ମଣିଷ ପ୍ରକୃତିର ଏକ ଅନନ୍ୟ ସୃଷ୍ଟି । କାରଣ ମଣିଷ ଭିତରେ ଥିବା ମନ, ବିବେକ, ବୁଦ୍ଧି ଯୋଗୁଁ ସେ ସବୁ ଜୀବମାନଙ୍କଠାରୁ ନିଜର ପରିଚୟ ଓ ପରାକାଷ୍ଠା ପ୍ରକୃତି ଭିତରେ ପ୍ରତିପାଦିତ କରିପାରିଛି । କେଉଁ ଅନାଦି କାଳରୁ ମଣିଷ ସୃଷ୍ଟି ହେବାଠାରୁ ପ୍ରକୃତି ଭିତରେ ନିଜର ଜୀବନ ଓ ଜୀବୀକାକୁ ଖୋଜିଛି ଓ ପ୍ରକୃତି ସହ ଏକାଠି ସହାବସ୍ଥାନ କରିବାପାଇଁ ସବୁ ପ୍ରକାରର ପ୍ରୟାସ କରିଆସିଛି । ସେ ପ୍ରକୃତିକୁ ଭଲ ପାଇଛି ଓ ପ୍ରକୃତି ମଧ୍ୟ ମଣିଷକୁ ଅନେକ ସହଯୋଗ କରିଆସିଛି । ସେଇଥିପାଇଁତ ଅନେକ ଜନଜାତିର ମଣିଷ ଆଜିବି ପ୍ରକୃତି ସହ ଖୁବ ନିବିଡ଼ତାର ସହ ଯୋଡ଼ି ହୋଇ ରହିଛନ୍ତି ଯେମିତି ନିୟମଗିରିର ଡ଼ଙ୍ଗିରିଆ, ଖଣ୍ଡାଧାରର ପାଉଡ଼ି ଭୂୟାଁ, ଆମାଜନର ଆଦିମ ଜନଜାତି ଓ ଆଫ୍ରିକାର ଜନଜାତି ସମୁହ ।

 ଅନ୍ୟପକ୍ଷରେ ପ୍ରକୃତି ସହ ମଣିଷର ସମ୍ପର୍କର ସେତୁଟି ଭାଙ୍ଗିବାର ପ୍ରକ୍ରିୟାଟି ମଧ୍ୟ ଲଗାତର ଭାବରେ ମଣିଷକୁ ପ୍ରକୃତିଠାରୁ ଦୂରେଇ ଦୂରେଇ ନେଇଛି । ଏଥିପାଇଁ ପ୍ରକୃତି ଯେ ମଣିଷ ଉପରେ ରୋଷ କରିନାହିଁ ତାହା ନୁହଁ କାରଣ ବିଶ୍ୱର ଇତିହାସକୁ ଦେଖିଲେ ଜଣାଯାଏ ପ୍ରକୃତିର ରୋଷର ଶିକାର ହୋଇ ଅନେକ ସଭ୍ୟତା ଧ୍ୱଂସ ହୋଇଛି, ଯେମିତି ମହେଞ୍ଜୋଦାରୋ ଓ ହରପ୍ପା ଭଳି ଭାରତର ପୁରାତନ ସଭ୍ୟତା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଧ୍ୱଂସ ହୋଇଥାଇପାରେ ବୋଲି ଅନେକ ଗବେଷକ ମତ ଦିଅନ୍ତି । ଇତିହାସରୁ ଜଣାଯାଏ ଯେ, ଅତୀତରେ ବିଭିନ୍ନ ମହାମାରୀ ବିଶ୍ୱର ଅନେକ ସ୍ଥାନରେ ମଣିଷ ସଭ୍ୟତାକୁ ନିଶ୍ଚିହ୍ନ କରିବାପାଇଁ ସକ୍ଷମ ହୋଇଥିଲା, ଯେମିତି ବୋବୋନିକ ପ୍ଲେଗ୍ ଭଳି ମହାମାରୀ ପୃଥିବୀ ପୃଷ୍ଠରେ ଅନେକ ବର୍ଷ ଧରି ଥିଲା ଏବଂ ଏହି ମହାମାରୀରେ ୟୂରୋପର (୧୩୪୭-୧୩୫୨ ମସିହା ଭିତରେ) ୨୫୦ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ ବୋଲି ପ୍ରମାଣ ମିଳେ ।

ମଣିଷ ନିଜ ବୁଦ୍ଧିର ପ୍ରୟୋଗ କରି ଉନ୍ନତିର ରାସ୍ତାରେ ଆଗେଇ ଚାଲିଛି ବୋଲି ଭାବୁଛି । କିନ୍ତୁ ଯେତେ ପ୍ରକୃତିଠାରୁ ସେ ନିଜକୁ ଦୂରେଇ ଦୂରେଇ ନେଇଛି ପ୍ରକୃତି ମଧ୍ୟ ସେତିକି ପ୍ରତିକ୍ରିୟା ଦେଖେଇ ଆସିଛି। ତେବେ ପ୍ରକୃତିର ଏହି ପ୍ରତିକ୍ରିୟାରୁ ମଣିଷ ଆଜିଯାଏ କିଛି ଶିକ୍ଷାଲାଭ କରିପାରିଛି, ଏମିତି ଖୁବ କମ୍ ଉଦାହରଣ ଦେଖିବାକୁ ମିଳେ । ପ୍ରକୃତି ସହ ଏକାଠି ସହାବସ୍ଥାନ ଭିତରୁ ବାହାରି ବିଜ୍ଞାନୀ ମଣିଷ ଯେତେବେଳେ ପ୍ରକୃତିକୁ ଅତ୍ୟାଚାର କରିବା ଆରମ୍ଭ କରିଛି, ଅବାଂଛିତ ପ୍ରାକୃତିକ ବିପର୍ଯ୍ୟୟକୁ ମଧ୍ୟ ତାକୁ ବାରମ୍ବାର ଅତିକ୍ରମ କରିବାକୁ ପଡ଼ିଛି । ପରିବେଶ ବିଜ୍ଞାନୀ ଓ ସମାଜ ବିଜ୍ଞାନୀମାନେ ମଣିଷର ପ୍ରକୃତି ବିରୋଧି ଏହି କାର୍ଯ୍ୟକଳପକୁ ବନ୍ଦ କରିବାପାଇଁ ବାରମ୍ବାର ଚେତାବନୀ ଦେଉଛନ୍ତି ।

ପ୍ରାକୃତିକ ବିବର୍ତ୍ତନ ପ୍ରକ୍ରିୟା ଭିତରେ ଯେତେ ଜୀବ ଧ୍ୱଂସ ହୋଇନଥିଲେ ମଣିଷ ତାହାଠୁ ବହୁ ଅଧିକ ଜୀବସତ୍ତା ନିଜ ସ୍ୱାର୍ଥପାଇଁ ଧ୍ୱଂସ କରିଚାଲିଛି । କିଛି ଧ୍ୱଂସର ତାଣ୍ଡବଲୀଳା ଖାଲି ଆଖିକୁ ଦେଖାଯାଇଥାଏ ଯେମିତି ମଣିଷ ପାହାଡ଼, ଜଙ୍ଗଲ, ନଦୀ, ଝରଣା, ମାଟି ପରି ପ୍ରାକୃତିକ ସମ୍ପଦକୁ ମଧ୍ୟ ଧ୍ୱଂସ କରିଚାଲିଛି । କେଉଁଥିରେ ବି ମଣିଷ ଆଦୌ ବିଚଳିତ ନୁହଁ । ହେଲେ ପ୍ରକୃତି? ଯିଏ ସମଗ୍ର ବିଶ୍ୱ, ଜୀବ ଜଗତ, ଗଛ, ଲତା, ପାହାଡ଼, ଝରଣା, ନଦୀ, ସମୁଦ୍ର ସବୁକୁ ସୃଷ୍ଟି କରିଛି ସେ କ’ଣ ନିର୍ଜୀବ? ମଣିଷ ଯାହା କିଛି ଅନ୍ୟାୟ କରିବ ପ୍ରକୃତି କ’ଣ ବିନା ପ୍ରତିବାଦରେ ସହି ଚାଲିଥିବ? ପୃଥିବୀ ପୃଷ୍ଠରେ ବାରମ୍ବାର ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ, ବିଭିନ୍ନ ସମୟରେ ମରାତ୍ମକ ରୋଗ, ମହାମାରୀ ମଣିଷକୁ ପ୍ରକୃତିର ଚେତାବନୀ ଭାବରେ ଆସିଥିଲେ ମଧ୍ୟ ମଣିଷ ସେସବୁକୁ ଭୃକ୍ଷେପ ନକରି ଉଦାସୀନ ରହିଆସିଛି ।

ଏସବୁ ଦେଖି କେହି କେହି ବି କହିପାରନ୍ତି ଯେ, ପ୍ରକୃତି ହୁଏତ ନିଜର ରୋଷ ବ୍ୟକ୍ତ କରିଛି କରୋନା ଭଳି ମହାମାରୀ ସୃଷ୍ଟିକରି । ସମଗ୍ର ବିଶ୍ୱରେ ଏହି କରୋନା ମହାମାରୀ ଆଜି ଆତଙ୍କ ସୃଷ୍ଟି କରିଚାଲିଛି । ଅନେକ ମଣିଷଙ୍କୁ ଏଥିପାଇଁ ଜୀବନ ହାରିବାକୁ ପଡ଼ିଲାଣି । ଆହୁରି କେତେଯେ ଏଥିରେ ଜୀବନ ହରାଇବେ କେହି ଜାଣି ନାହାଁନ୍ତି । କିନ୍ତୁ ଏସବୁର ଖଣି ଖାଦାନ, କଳ କାରଖାନା ଇତ୍ୟାଦି ପାଇଁ କିଛିବି ପ୍ରଭେଦ ନାହିଁ । ମଣିଷ କିମ୍ବା ଅନ୍ୟ ଜୀବଜନ୍ତୁଙ୍କ ଜୀବନଠାରୁ ଅଧିକ ମୂଲ୍ୟବାନ ହେଉଛି କିଛି ଲୋକଙ୍କର ଲାଭ ଓ ଲୋଭର ମୋହ । ଆଧୁନିକ ମଣିଷ ବିଜ୍ଞାନ, ପ୍ରଗତି ଓ ଆଧୁନିକ ଶିକ୍ଷା ସବୁ ଭିତରେ କେତେବେଳେ ନିଜର ମାନବତାଟିକୁ ହରାଇ ମେସିନ ପାଲଟି ଯାଇଛି ହୁଏତ ଜଣାନାହିଁ, ସେଥିପାଇଁ ତାହାର କାହାରି ଅନିଷ୍ଟ ପ୍ରତି ନିଘା ନାହିଁ । ସେ ବଞ୍ଚିଛି କିନ୍ତୁ କେବଳ ନିଜପାଇଁ ।

ତେବେ ପ୍ରଶ୍ନ ଆସେ ଏଭଳି ଭୟଙ୍କର ମାନସିକତା ମଣିଷ ଭିତରେ ଜନ୍ମନେଲା କେମିତି? କାହିଁକି ମଣିଷ ସମସ୍ତଙ୍କ ଜୀବନ ପ୍ରତିବଦଳରେ ନିଜର ଲାଭକୁ ଅଧିକ ଗୁରୁତ୍ୱ ଦେଇଛି? ତା ଭିତରର ମଣିଷଟି କାହିଁକି ମୃତ? କାହିଁକି ତା’ର ଅନ୍ତଃସ୍ୱର ପ୍ରତିବାଦ କରୁନି? ଏସବୁକୁ ଅନୁଧ୍ୟାନ କଲେ ମନେହୁଏ, ହୁଏତ ମଣିଷ ଭିତରେ ଏହି ପ୍ରକ୍ରିୟାଟି ଅଳ୍ପ କିଛିଦିନର ନୁହଁ । ଲଗାତର ଭାବରେ ମଣିଷ ପ୍ରକୃତିଠାରୁ ନିଜକୁ କେବଳ ଯେ ଦୂରେଇ ନେଇଚାଲିଛି ତାହାନୁହଁ ବରଂ ତାହା ବିରୁଦ୍ଧରେ ମଧ୍ୟ ଯାଉଛି। ସେଥିପାଇଁ ଆଜି ହୁଏତ କରୋନା ଭଳି ମହାମାରୀକୁ ମଣିଷ ସାମ୍ନା କଲାବେଳେ ନିଜସହ ପ୍ରକୃତିର ସମ୍ପର୍କକୁ ସମୀକ୍ଷା କରିବାର ଅବସର ସୃଷ୍ଟି ହୋଇଛି।

ଗତ କିଛିଦିନର ତାଲାବନ୍ଦ ସମୟରେ ସମଗ୍ର ବିଶ୍ୱରେ ବିଭିନ୍ନ ଜୀବଜନ୍ତୁ ଜଙ୍ଗଲରେ , ଜଳରେ, ଆକାଶରେ ଦେଖିବାକୁ ମିଳିଲେ। ସେତେବେଳେ ମନେହେଉଥିଲା ପ୍ରକୃତରେ ଏହିସବୁ ପଶୁ, ପକ୍ଷୀ, ଜୀବଜନ୍ତୁଙ୍କ ସ୍ଥାନକୁ ମଣିଷ କିଭଳି ଅକ୍ତିଆର କରିଆସିଥିଲା। ସମୁଦ୍ରରୁ କଇଁଚ ମଧ୍ୟ ନିର୍ଦ୍ଦୋନ୍ଦରେ ଆସି ଅଣ୍ଡାଟିଏ ଦେଇପାରୁନଥିଲା, ମାଛ ମନ ଖୁସିରେ ପାଣିରେ ଖେଳିପାରୁନଥିଲା, ପକ୍ଷୀ ଭେଳା ଭେଳା ହୋଇ ଉଡ଼ିପାରୁ ନଥିଲେ କି ହରୀଣ ଜଙ୍ଗଲରେ ଖେଳିପାରୁନଥିଲେ, କେବଳ ମଣିଷର ଦୌରାତ୍ମ୍ୟ ଯୋଗୁଁ । ମାସ ମାସ ଧରି ମଣିଷ ଏବେ ଯେତେବେଳେ ବନ୍ଦିଭଳି ଘରେ ଦିନକାଟୁଛି ପ୍ରକୃତିର ଅନ୍ୟ ସମସ୍ତ ପିଲାମାନେ ଆନନ୍ଦରେ ସେମାନଙ୍କ ଘରକୁ ଫେରିଆସୁଛନ୍ତି ।

ଏତିକିରୁ ମଣିଷ ଶିକ୍ଷା ପାଇଯିବା କଥା ଆମପାଇଁ ପ୍ରକୃତି ନିଜର ସବୁକିଛି ଖୋଲି ଦେଇଛି, ଆମେ ବି ଅନ୍ୟ ସବୁ ଜୀବଜଗତ ପାଇଁ ତାଙ୍କ ଘରଟିକୁ ଖୋଲା ରଖିବା କଥା । ଏଭଳି ଭାବନାଟି ଆସିବାପାଇଁ ପ୍ରକୃତି ସହ ନିବିଡ଼ ସମ୍ପର୍କ ରହିବା ଜରୁରୀ କାରଣ ସେହି ସମ୍ପର୍କ ହିଁ ଆମ ଭିତରେ ଅନ୍ୟ ଜୀବ ଜଗତ ପ୍ରତି ସହାନୁଭୂତି ଓ ସହଭାଗିତାର ମନୋଭାବଟିକୁ ବଞ୍ଚାଇ ରଖିବ । ପ୍ରକୃତି ସହ ସମ୍ପର୍କ ସ୍ଥାପନ କରିବାର ଅର୍ଥ ପ୍ରକୃତିକୁ ବୁଝିବା, ପ୍ରକୃତିର ଅନ୍ୟ ଜୀବମାନଙ୍କୁ ସମ୍ମାନ ଦେବା ଏବଂ ସେମାନଙ୍କର ବଞ୍ଚିରହିବାର ଅଧିକାରକୁ କ୍ଷୁର୍ଣ୍ଣ ନକରିବା । କରୋନା ଭଳି ମହାମାରୀ ମଣିଷ ଭିତରେ ଯଦି ଏହି ମାନବିକତା ଓ ବୁଝାମଣା ସୃଷ୍ଟି କରିନପାରିଲା ତେବେ ସେଦିନ ଦୂରନାହିଁ ଯେତେବେଳେ ପ୍ରକୃତି ମଣିଷକୁ ସମୂଳେ ଧ୍ୱଂସ କରିବାପାଇଁ ତାର ରୋଷକୁ ପୁଣି ପ୍ରଦର୍ଶନ କରିବ । ସେତେବେଳେକୁ ହୁଏତ ବେଶି ଡେରି ହୋଇଯାଇଥିବ, ଆମପାଇଁ ଆଉ ସୁଯୋଗ ନଥିବ ପ୍ରକୃତି ସହ ସମ୍ପର୍କଟିକୁ ପୁନଃ ପ୍ରତିଷ୍ଠା କରିବାପାଇଁ ।

 

Photo credit- https://bit.ly/2A8E5Tn

About Editor

Editor
କଳାକାର, ସମଧ୍ୱନି ଇ - ପତ୍ରିକା ଓ ତ୍ରୟୋମାସିକ ପତ୍ରିକାର ସମ୍ପାଦକ, ସାଂସ୍କୃତିକ ଗବେଷିକା ଓ ସାମ୍ବାଦିକ

Check Also

ମୋ ପାଇଁ ଅପେକ୍ଷା କର (ଶ୍ରଦ୍ଧାଞ୍ଜଳି ଇରଫାନ)

(ଫୋଟୋ କ୍ରେଡିଟ – ପୁରୁଷୋତ୍ତମ ସିଂ ଠାକୁର) ମୋ ପାଇଁ ଅପେକ୍ଷା କର , ଏହା ଥିଲା ତୁମର ଅଙ୍ଗରେଜି …

Leave a Reply

Your email address will not be published. Required fields are marked *