Home / ସମୀକ୍ଷା / ଓଡ଼ିଶାରେ ବର୍ଷା ସଂସ୍କୃତି

ଓଡ଼ିଶାରେ ବର୍ଷା ସଂସ୍କୃତି

ବର୍ଷା…କବିପାଇଁ  ହୋଇପାରେ ଏକ ମନୋରମ ଅନୁଭବ କିନ୍ତୁ ଚାଷୀପାଇଁ  ପ୍ରକୃତିର ବରଦାନ । ଆକାଶରେ ବାଦଲ ଦେଖିଲେ ଚାଷୀ  ଆଖିରେ ଆନନ୍ଦର ଲହରୀ… । ବର୍ଷା ସହିତ ଯୋଡ଼ିହୋଇଥିବା ପର୍ବପର୍ବାଣୀକୁ ବର୍ଣ୍ଣନା ନକରି ବର୍ଷା ସଂସ୍କୃତିକୁ ବର୍ଣ୍ଣନା କରିହେବ ନାହିଁ । ଆମ ସଂସ୍କୃତିକୁ ରୁଦ୍ଧିମନ୍ତ କରିଆସିଥିବା ପର୍ବପର୍ବାଣୀ ଯେ ବର୍ଷା ଏବଂ କୃଷି ସହିତ ଏତେ ନିବିଡ଼ ଭାବରେ ଜଡ଼ିତ ଡଃ ନମିତା ଷଡ଼ଙ୍ଗୀଙ୍କର ଏହି ଲେଖାଟିରୁ ବେଶ ସୁନ୍ଦର ଭାବରେ ବୁଝିହୁଏ ।  ଓଡ଼ିଶାର ସମସାମୟିକ ସମୟରେ କୃଷି ସଂସ୍କୃତିରେ ଆସିଥିବା ପରିବର୍ତ୍ତନରେ ମ୍ରୀୟମାଣ ହୋଇ ଆମେ ଭୂଲି ଯାଇଥିବା ଅନେକ ପର୍ବପର୍ବାଣୀ ଓ ସୁଆଦିଆ ଖାଦ୍ୟପେୟ ସମ୍ପର୍କରେ ସେ ଉକ୍ତ ଲେଖାରେ ଚର୍ଚ୍ଚା କରିଛନ୍ତି ।             -ସମ୍ପାଦକ

ଗ୍ରୀଷ୍ମଋତୁର ନିଦାରୁଣ ଖରା ସହି ସହି ଧରିତ୍ରୀମାତା ବିକଳ ହେଉଥାଏ । ତା’ର ଉପର ଚେହେରା ଯେମିତି ଧୂସରବର୍ଣ୍ଣ ଧାରଣ କରିଥାଏ ଭିତର ବି ସେମିତି ଜଳଶୂନ୍ୟ ହୋଇଯାଇଥାଏ । ବାଡ଼ି ବଗିଚାର ଗଛଲତା ସବୁ ଧୂଳି ଧୂସରିତ ହୋଇ ଶ୍ରୀହୀନ ଦେଖାଯାଆନ୍ତି । ଟାଣ ଖରା କିନ୍ତୁ କୃଷକକୁ ବିଚଳିତ କରିପାରେନା । ଦେହରେ ଖଣ୍ଡେ ଛୋଟ ଗାମୁଛା ପିନ୍ଧି ମୁଣ୍ଡରେ ଗାମୁଛାର ଠେକାଟିଏ ବାନ୍ଧି ସେ ଲାଗି ପଡ଼ିଥାଏ ତା’ର ଜମି ପ୍ରସ୍ତୁତ କରିବାରେ । ଜମିକୁ ସୁନ୍ଦର ଭାବେ ହଳ କରି ଆବଶ୍ୟକ ପରିମାଣର ଗୋବର ଖତ ପ୍ରୟୋଗ କରି ଅକ୍ଷୟତୃତୀୟା ଦିନଠାରୁ ମଞ୍ଜି ବୁଣି ଚାଲିଥାଏ । ତା ମନରେ ଅନେକ ଆଶା ସାବିତ୍ରୀ ଅମାବାସ୍ୟା ପରେ ପରେ ବର୍ଷା ଆସିବ । ଶୀତଳଷଷ୍ଠୀରେ ଶିବ-ପାର୍ବତୀ ବିବାହ ସାରି ରୋଶଣି କରି ମନ୍ଦିରକୁ ଫେରିବେ । ସେତେବେଳେ ଆକାଶରୁ ବାରିଧାରା ଝରିବ । ତା ନହେଲେ ଜ୍ୟେଷ୍ଠମାସର ଶ୍ରେଷ୍ଠଦିନ ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ମେଘ ରାଜା ନିଶ୍ଚୟ ଜଳାଭିଷେକ କରିବେ । ରଜସଂକ୍ରାନ୍ତି ଠାରୁ ବର୍ଷାଋତୁ ଆରମ୍ଭ ହେବ ।

କୃଷକ ପାଇଁ ବର୍ଷାଋତୁ ଚାରିମାସ । ଆଷାଢ଼ରୁ ଆରମ୍ଭ ଆଉ ଆଶ୍ୱୀନରେ ଶେଷ । ବର୍ଷାଦିନର ପ୍ରଥମପର୍ବ ଓଡ଼ିଶାର ବିଖ୍ୟାତ ରଜପର୍ବ । ମାଟି ମା’କୁ ସମ୍ମାନ ଦେବାପାଇଁ ଓଡ଼ିଆ କୃଷକର ଚମକ୍ରାର କଳ୍ପନାରୁ ଜନ୍ମ ଏହି ପର୍ବ । ନିଜ ମା’ପରି ମାଟି ମା’ ମଧ୍ୟ ଋତୁମତୀ ହୁଏ । ଏହି ସମୟରେ ତାକୁ କୌଣସି କଷ୍ଟ ଦିଆଯାଏନି । ଏପରିକି ଦୃଢ଼ ପଦରେ ଚାଲିବାକୁ ବି ବାରଣ କରାଯାଏ । ପ୍ରଥମରଜରେ ଆଦ୍ୟ ଆଷାଢ଼ର ପହିଲି ବାରିପାତ ହୁଏ । ମେଘରାଜା ତା’ର ଅଲିଅଳୀ ଝିଅ ଧରଣୀର ଧୂସର ଦେହକୁ ଧୋଇଦେବା ପାଇଁ ବିଜୁଳିର ରୋଶଣି ଜାଳି, ଘଡ଼ଘଡ଼ିର ବାଜା, ବାଣ ଫୁଟାଇ ବର୍ଷାରାଣୀକୁ ପଠାଇଦିଏ । ଦ୍ୱିତୀୟରଜ ଦିନ ଘରେ ଘରେ ଆନନ୍ଦ ଉଲ୍ଲାସର ଜୁଆର ଉଠେ । ଝିଅମାନେ ରଜପାନ ଖାଇ, ସଜବାଜ ହୋଇ ସାଙ୍ଗସାଥୀ ମେଳରେ ଦୋଳିଗୀତ ଗାଈ ଗାଈ ଖେଳୁଥାନ୍ତି । ତୃତୀୟରଜକୁ ଭୂଇଁନଅଁଣ କହନ୍ତି । ବର୍ଷା ଯାଇ ଭୂଇଁ ଟିକେ ନରମ ହୋଇଯାଇଥାଏ । ତା ଉପରେ ପାଦ ପଡ଼ିଲେ ସେ ଦବିଯିବ ସେଥିପାଇଁ ଭୂମି ସ୍ପର୍ଶ କରିବାକୁ ସମ୍ପୂର୍ଣ୍ଣ ବାରଣ ଥାଏ । ମା’ ପ୍ରତି ଏପରି ସମ୍ମାନବୋଧ ଅନ୍ୟତ୍ର ବିରଳ ।

ରଜ ପରଦିନ ବସୁମତୀ ସ୍ନାନ । ପ୍ରତ୍ୟୁଷରୁ ଗୋବରରେ ଅଗଣା ଲିପାହୁଏ । ପଲ୍ଲୀବଧୂ ମୁରୁଜରେ ବିଭିନ୍ନ ଫୁଲର ଚିତ୍ର ଆଙ୍କି ଧରିତ୍ରୀକୁ ସଜାଇଦିଏ । ତା’ରି ଉପରେ ହଳଦୀ ମିଶା ପାଣିରେ ଚୁଆ, ଚନ୍ଦନ ଗୋଳାଇ ମା’ର ସ୍ନାନ କରାଇଥାଏ । ସ୍ନାନ ପରେ ମା’କୁ ଫୁଲ ଓ ସିନ୍ଦୁରରେ ସଜାଇ ନୈବେଦ୍ୟ ଅର୍ପଣ କରି ଆରତୀ କରିଥାଏ । ପୂର୍ଣ୍ଣକୁମ୍ଭରେ ଆମ୍ବଡ଼ାଳ, ଶୁଭ ନାରିକେଳ ଓ ଗୁଆ ରଖି କୃଷକର ସବୁ ଯନ୍ତ୍ରପାତି ଯଥା- ଦା, କଟୁରୀ, କୋଡ଼ି, କୋଦାଳ, ଶାବଳ, ବିଜ, ଲଙ୍ଗଳ ଲୁହା ଇତ୍ୟାଦି ସଫାସୁତୁରା କରି ସଜାଇରଖେ । ଘରର ବୟୋଜ୍ୟେଷ୍ଠ ମହିଳାଙ୍କ ଦ୍ୱାରା ଏହିସବୁ କୃଷି ଉପକରଣଗୁଡ଼ିକର ପୂଜାଅର୍ଚ୍ଚନା ହୋଇଥାଏ । ରଜମଉଜ ସାରି କୃଷକ ତା’ର କ୍ଷେତ ପରିଦର୍ଶନରେ ଯାଏ । କ୍ଷେତରେ ବୀଜରୁ ନୂଆ ହୋଇ ବାହାରୁଥିବା ଗଜାଗୁଡ଼ିକୁ ଦେଖି ଚାଷୀ ମନରେ ଯେଉଁ ଅପୂର୍ବ ଆନନ୍ଦ ଜାତ ହୁଏ ତାକୁ ବର୍ଣ୍ଣନା କରିବାକୁ ଶବ୍ଦକୋଷର ସବୁତକ ଶବ୍ଦ ଉଣା ପଡ଼ିବ । ରଜ ତିନିଦିନର ମଉଜ କୃଷକକୁ ଚତୁର୍ମାସା ଯାକ ଅକ୍ଳାନ୍ତ ପରିଶ୍ରମ କରିବାକୁ ପ୍ରେରଣା ଯୋଗାଇଥାଏ ।

ରଜ ପରେ ପରେ ଆସେ ପୁରୀର ବିଶ୍ୱବିଖ୍ୟାତ ରଥାଯାତ୍ରା ପର୍ବ । ଏହି ପର୍ବ ଆଷାଢ଼ ଅମାବାସ୍ୟା ଠାରୁ ଆରମ୍ଭ ହୋଇଥାଏ । ଅମାବାସ୍ୟା ଦିନ ନେତ୍ରଉତ୍ସବ ପାଳନ କରାଯାଏ । ତା ପରଦିନ ନବଯୌବନ ଦର୍ଶନ । ଦ୍ୱିତୀୟଦିନ ଆରମ୍ଭ ହୁଏ ଜଗନ୍ନାଥଙ୍କର ଘୋଷଯାତ୍ରା । ଏହି ଦିନକୁ ଶ୍ରୀ ଗୁଣ୍ଡିଚା ମଧ୍ୟ କୁହାଯାଏ । ରଥରେ ବସି ଶ୍ରୀ ଜଗନ୍ନାଥ ନିଜର ବଡ଼ଭାଇ ଓ ସାନଭଉଣୀଙ୍କ ସହ ନିଜର ଜନ୍ମସ୍ଥାନକୁ ବୁଲିବାକୁ ଯାଇଥାନ୍ତି । ଉକ୍ରଳୀୟ ପରିବାରରେ ନିଜ ଜନମମାଟିର ମାୟା ସବୁକାଳେ ନିଆରା । ଯେଉଁଠି ଯେତେ ଖୁସିରେ ରହିଲେ ବି ବର୍ଷରେ ଥରଟେ ନିଜ ଘରଆଡ଼େ ବୁଲି ନଆସିଲେ ପ୍ରାଣପକ୍ଷୀ କଲବଲ ହୁଏ । ସେ ଯନ୍ତ୍ରଣାର ତିକ୍ତତା ଯାହାର ଅନୁଭବ ଅଛି ସିଏ କେବଳ ବୁଝିପାରିବ ।

ଠାକୁରଙ୍କର ଏହି ଯାତ୍ରା ଉକ୍ରଳ ସଂସ୍କୃତିର ଏକ ଶାନ୍ତ, ମଧୁର ବାର୍ତ୍ତାର ପ୍ରଚାର କରିଥାଏ । ଭାଇ ଭଉଣୀର ପବିତ୍ର ସମ୍ପର୍କ ପାଖରେ ପତ୍ନୀର ଅଭିମାନ ନ୍ୟୁନ ମନେହୁଏ । ପୁଣି ଅଭିମାନୀ ପତ୍ନୀକୁ ପତିଙ୍କର ସାମାନ୍ୟ ଆଦର ଓ ଛୋଟିଆ ସ୍ନେହମିଶା ଉପହାର ଟିଏ ଯେ ବିଚଳିତ କରିଦେଇପାରେ ଏହି ପର୍ବର ପଞ୍ଚମଦିନରେ ଲକ୍ଷ୍ମୀଙ୍କର ରଥଭଙ୍ଗା, ଚାହାଣୀ ମଣ୍ଡପରେ ଭେଟ ଓ ମନ୍ଦିର ପ୍ରବେଶ ବେଳେ ଲକ୍ଷ୍ମୀଙ୍କର ଝଗଡ଼ା ଆଉ ଜଗନ୍ନାଥଙ୍କର ରସଗୋଲା ପ୍ରଦାନ ତା’ର ପ୍ରମାଣ ଦିଏ । ପତି ପତ୍ନୀର ସମ୍ପର୍କ ସ୍ୱତନ୍ତ୍ର । ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ ସୁସମ୍ପର୍କ ରଖିବାରେ ତାହା କେବେ ଅନ୍ତରାୟ ହୋଇପାରେନା । ଏହି କଥା ରଥଯାତ୍ରା ପୂର୍ବରୁ ଶିଖିବାକୁ ମିଳିଥାଏ । ଏହି ପର୍ବ ସହ କୃଷିକାର୍ଯ୍ୟର ମଧ୍ୟ ଏକ ସୂକ୍ଷ୍ମ ସମ୍ପର୍କ ଥାଏ । ଅଭିଜ୍ଞ ଚାଷୀମାନେ କହନ୍ତି ଯେତେସବୁ ଗଛ ଲଗାଇବାର ଅଛି ରଥ ପୂର୍ବରୁ ଲଗାଯିବ । ଥରେ ରଥଚକ ଗଡ଼ିଗଲେ ଆଉ ଗଛ ଭଲ ଉଧେଇବ ନାହିଁ । ସେଥିପାଇଁ ରଥ ପୂର୍ବରୁ ବାଡ଼ିବଗିଚାରେ ସ୍ତ୍ରୀ ଲୋକମାନେ ଘରର ରୋଷେଇରେ ନିତି ବ୍ୟବହାର କରୁଥିବା ନାନାପ୍ରକାର ସାଗ, ପୋଇ, ଜହ୍ନି, ଭେଣ୍ଡି, କାକୁଡ଼ି, କଖାରୁ, ଲଙ୍କା ଇତ୍ୟାଦି ଗଛ ଲଗାଇ ଦେଇଥାନ୍ତି । ରଥ ପରେ ବଗିଚାରୁ ଅନାବନା ଘାସ ବାଛିଦେଲେ ଗଛଗୁଡ଼ିକ ଭଲଭାବରେ ବଢ଼ି ଉଠନ୍ତି । ଆଷାଢ଼ ପୂର୍ଣ୍ଣମୀ ତିଥିରେ ମଧ୍ୟ ପର୍ବଟିଏ ପାଳିତ ହୁଏ ।

ଏହି ପୂର୍ଣ୍ଣିମାରେ ବ୍ୟାସଦେବ ଜନ୍ମଗ୍ରହଣ କରିଥିଲେ । ପର୍ବଟିର ନାମ ଗୁରୁପୂର୍ଣ୍ଣିମା । ଗାଁ ଗଣ୍ଡାରେ ଏହି ଦିନ ସୁଜି ଖିରି, ଚୁଡ଼ାଘସା ଇତ୍ୟାଦି ତିଆରି କରି ଠାକୁରଙ୍କୁ ଭୋଗ ଲଗାଇ ନିଜେ ଖାଇଥାନ୍ତି । ଏହି ସମୟ କୃଷକ ପାଇଁ ବହୁ ପରିଶ୍ରମର ବେଳ । ଦିନରେ ଭଲରେ ଗଣ୍ଡେ ଖାଇବା ପାଇଁ ତା ପାଖରେ ସମୟ ନଥାଏ । ସେଥିପାଇଁ ବିଭିନ୍ନ ପର୍ବପର୍ବାଣୀରେ ଟିକେ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ଭୋଗ ଦେବା ନାଁରେ ଖାଇବା ପାଇଁ ଏପରି ଆୟୋଜନ କରାଯାଇଥାଏ । ସାଂସ୍କୃତିକ ଦୃଷ୍ଟିରୁ ବିଚାର କଲେ ଉକ୍ରଳୀୟମାନେ ଗୁରୁଜନମାନଙ୍କୁ ସର୍ବଦା ସମ୍ମାନ ପ୍ରଦାନ କରିଥାନ୍ତି । ଗୁରୁ ସମସ୍ତଙ୍କଠାରୁ ଶ୍ରେଷ୍ଠ । ତାଙ୍କର ପୂଜା ପାଇଁ ଏପରି ଏକ ପର୍ବର ସୃଷ୍ଟି ।

ଶ୍ରାବଣର ବର୍ଷାଧାରା ବନ୍ଦ ହୁଏନି । ଏବେ କିନ୍ତୁ ପାଣିପାଗ ବଦଳି ଯାଇଥିବା ଯୋଗୁଁ ଶ୍ରାବଣର ଅଧିକାଂଶ ସମୟ ସୁଖିଲା ରହୁଛି । କୁହାଯାଏ ଶ୍ରାବଣରେ ଗୋଟିଏ ଦିନ ବର୍ଷା ନହେଲେ କୋଟିଏ ପ୍ରାଣୀଙ୍କୁ ଅନାହାର ରହିବାକୁ ପଡ଼େ । ବିଲବାଡ଼ି ସବୁ ପାଣିରେ ବୁଡ଼ିଯାଏ । ସାରୁଗଛ ମୂଳେ ବେଙ୍ଗୁଲି ନାନୀ ତା’ର ବର୍ଷାକାଳୀନ ସଙ୍ଗୀତ ଗାନ କରୁଥାଏ । ଗଡ଼ିଆ, ପୋଖରୀର ପାହାଚମାନଙ୍କରେ ଗୁଲିଗେଣ୍ଡା ଓ ଜୋକ ଲାଗିଯାଇଥାନ୍ତି । ଗେଣ୍ଡା କାମୁଡ଼ିଲେ ଖୁବ୍ ଯନ୍ତ୍ରଣା ହୁଏ । ଗେଣ୍ଡାକୁ ଖୁସି କରିବାକୁ ଶ୍ରାବଣ ଅମାବାସ୍ୟା ଦିନ ପାଳନ ହୁଏ ଚିତୋଉ ଅମାବାସ୍ୟା । ଦ୍ୱିପ୍ରହରେ ଚିତୋଉ ପିଠା ହୁଏ । ପ୍ରଥମ ପିଠା ପୋଖରୀରେ ପକାଯାଏ । ଗେଣ୍ଡାକୁ ଅନୁରୋଧ କରାଯାଏ ନିଜର ପ୍ରିୟଜନମାନଙ୍କର ଗୋଡ଼ ନକାଟିବାକୁ । ଘରେ ଖାଇବା ପାଇଁ ଚିତୋଉ ସହ ଖିରିସା ତିଆରି ହୁଏ । ଖିରିସା (ଅରୁଆ ଚାଉଳ ଓ ନଡ଼ିଆ କ୍ଷୀରରେ ପ୍ରସ୍ତୁତ ଏକ ସୁମିଷ୍ଟ ଖାଦ୍ୟ)ର ସ୍ୱାଦ ଯିଏ ଚାଖିଛି ତା’ର ମଧୂର ବାସ୍ନା ଯିଏ ଆଘ୍ରାଣ କରିଛି ତା’ ପାଇଁ ଆଉ ସବୁ ଖିରି ଅରୁଚିକର ମନେହେବ ।

ଓଡ଼ିଆ ଲୋକମାନେ ଉପକାରୀ ପ୍ରାଣୀମାନଙ୍କୁ ଆଦର କରନ୍ତି । ଅପକାରୀକୁ ମଧ୍ୟ ହତାଦର ନକରି ନିଜର ଉଦାର ଗୁଣରେ ତାକୁ ବଶିଭୂତ କରିବାକୁ ଚେଷ୍ଟା କରିଥାନ୍ତି । ଜୈବବିବିଧତା ରକ୍ଷା ପାଇଁ ଏହାଠାରୁ ଭଲ ବ୍ୟବସ୍ଥା ଆଉ କେଉଁ ସଂସ୍କୃତିରେ ଅଛି କି ନାହିଁ ଗବେଷଣା କଲେ ଜଣାପଡ଼ିବ । ଶ୍ରାବଣମାସରେ ପଡ଼ୁଥିବା ସଂକ୍ରାନ୍ତିଟିର ନାମ ଦକ୍ଷିଣା ସଂକ୍ରାନ୍ତି । ଏହି ଦିନ ସୂର୍ଯ୍ୟଙ୍କର ଦକ୍ଷିଣାୟନ ହୁଏ । କ୍ରମେ ଦିନ ଛୋଟ ହେବାରେ ଲାଗେ । କୃତଜ୍ଞତା ଜଣାଇବା ଓଡ଼ିଆ ସଂସ୍କୃତିକ ଏକ ବୈଶିଷ୍ଟ୍ୟ । କବାଟ ଘରକୁ ବିପଦ ଆପଦରୁ ରକ୍ଷା କରିଥାଏ । ଏହିଦିନ କବାଟକୁ ପରିସ୍କାର କରାଯାଇ ସେଥିରେ ନାନାପ୍ରକାର ଚିତ୍ର ଅଙ୍କନ କରି ହଳଦୀ ଓ ତୁଳାରେ ସଜାଇ ଦିଆଯାଏ । ଖେଚୁଡ଼ି, ଡାଲମା ଓ ଖିରି କରି କବାଟ ପାଖରେ ପୂଜା କରାଯାଏ । ଆମ ଚିନ୍ତା ଓ ଚେତନାରେ ଜଡ଼ ପଦାର୍ଥକୁ ମଧ୍ୟ ସମ୍ମାନ ପ୍ରଦର୍ଶନ କରିବାର ଏହି ପର୍ବଟି ଏକ ନଜିର । ଶ୍ରାବଣ ପୂର୍ଣ୍ଣମୀଟି ଓଡ଼ିଆ କୃଷକର ଏକ ବିଶିଷ୍ଟ ପର୍ବ । ଏହି ପର୍ବର ବିଭିନ୍ନ ନାମ, କିଏ କହେ ଗହ୍ମା ପୁନେଇଁ ତ କିଏ କହେ ରାକ୍ଷୀ ପୂର୍ଣ୍ଣମୀ, କିଏ କହେ ବଳଭଦ୍ର ଜନ୍ମ ତ କିଏ କହେ ଝୁଲଣ ପୂର୍ଣ୍ଣମୀ । ଧାର୍ମିକ ପାଳନ ବିଧିକୁ ଛାଡ଼ି ଏଠି ତା’ର ସାଂସ୍କୃତିକ ଓ କୃଷିଭିତ୍ତିକ ଦିଗଟିକୁ ଦେଖିଲେ ହେବ ।

ବିଲ କାମ ଟିକେ ସରି ଆସିଥାଏ । ଦିନର ଘନଅନ୍ଧକାର ମଣିଷ ମନକୁ ବିରକ୍ତିରେ ଭରି ଦେଉଥାଏ । ହେଲେ କଥାରେ ଅଛି ଚାଷ ତର ତର ବଣିଜ ମଠ । ଚାଷ କାମ ଠିକ୍ ସମୟରେ ହେବା ଦରକାର । ଦିନସାରା ବର୍ଷାରେ କାମ କରି କରି ସନ୍ଧ୍ୟାରେ ଟିକେ ଭଜନକୀର୍ତ୍ତନ ଜରିଆରେ କୃଷକ ନିଜର ମନୋରଞ୍ଜନ ବ୍ୟବସ୍ଥା କରିଥାଏ । ପୂର୍ଣ୍ଣମୀର ପାଞ୍ଚଦିନ ଆଗରୁ ମନ୍ଦିର ଓ ମଠମାନଙ୍କରେ ଏପରି ଆୟୋଜନ କରାଯାଇଥାଏ । ପୂର୍ଣ୍ଣମୀ ଦିନ କୃଷକ ତା’ର ଶ୍ରେଷ୍ଠ ବନ୍ଧୁ ବଳଦକୁ ସମ୍ମାନିତ କରେ । ତାକୁ ନିର୍ମଳ କରି ଗାଧୋଇ ଦିଏ । ତା ମଥାରେ ହଳଦୀ, ଚନ୍ଦନ ଓ ସିନ୍ଦୁର ଲଗାଏ । ଫୁଲମାଳ ପିନ୍ଧାଏ । ଗୁହାଳକୁ ପରିସ୍କାର କରି ଗୋ ସମ୍ପଦର ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ମାନସିକ କରି ନୂଆ ହୋଇ ଫଳିଥିବା ଓଉ ଟିଏ ଖୁଣ୍ଟ ପାଖରେ ପୋତିଦିଏ । ବଳଦକୁ ମନଭରି ଏଣ୍ଡୁରି ପିଠା ଖାଇବାକୁ ଦିଏ । ପ୍ରଦୀପ ପ୍ରଜ୍ୱଳନ କରି ଗୁହାଳର ଆରତୀ କରିଥାଏ ।

ଚତୁର୍ମାସର ତୃତୀୟ ମାସ ଭାଦ୍ରବ ମାସ । ଏହି ମାସଟି ପର୍ବପର୍ବାଣୀର ମାସ । କଥାରେ ଅଛି ବାରମାସରେ ତେରପର୍ବ ଭୋଦୁଅ ମାସରେ ଅଠର ପର୍ବ । ରବିବାରମାନଙ୍କରେ ଖୁଦୁରୁକୁଣି ଓ ବୁଧବାରମାନଙ୍କରେ ବୁଧେଇ ଓଷା ପାଳନ କରାଯାଏ । ମାସର ପ୍ରଥମ ପଞ୍ଚମୀ ଦିନଟିକୁ ରେଖା ପଞ୍ଚମୀ ବା ରକ୍ଷାପଞ୍ଚମୀ କୁହାଯାଏ । ବାଡ଼ି, ବଗିଚା ଅନାବନା ଗଛରେ ଅରମା ହୋଇଥାଏ । ବର୍ଷା ଓ କୃଷି କାମର ଚାପ ଯୋଗୁଁ ସଫା କରିବାକୁ ସମୟ ନଥାଏ । ତେଣୁ ପ୍ରକୃତିର ଜୀବଜନ୍ତୁଙ୍କୁ ପ୍ରାର୍ଥନା କରାଯାଏ ଗୃହ ଅଗଣାକୁ ପ୍ରବେଶ ନକରିବା ପାଇଁ । ରାତିର ଦ୍ୱିତୀୟ ପ୍ରହରରେ ଏହି ପୂଜା କରାଯାଏ । ଘରର ବାଡ଼ିପଟେ ଓ ସାମ୍ନାପଟେ ତାଳପତ୍ରରେ ଓଁ ଭୈରବାୟ ନମଃ ଲେଖି ଚାଳରେ ଟଙ୍ଗାଯାଏ । ନଡ଼ିଆ, ଛେନା ଓ ଗୁଡ଼ର ପୁର ଦିଆଯାଇ ଚକୁଳି ପିଠା ତିଆରି ହୁଏ । କବାଟପାଖରେ ପୂଜା କରାଯାଏ । ପିଲାମାନେ ଏହି ପୂଜାକୁ ବାଘମାମୁଁ ପୂଜା କହନ୍ତି ।

ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୁଏ ଜନ୍ମାଷ୍ଟମୀ । ଶ୍ରୀକୃଷ୍ଣଙ୍କର ଜନ୍ମଦିନ । ନାନାଦିପ୍ରକାର ମିଷ୍ଟାନ୍ନ ପ୍ରସ୍ତୁତହୋଇ ରାତିରେ ପୂଜା ହୁଏ । ତା ପରଦିନ ହୁଏ ନନ୍ଦ ଉତ୍ସବ । ପରସ୍ପର ଭିତରେ ସ୍ନେହ ସଦ୍ଭାବ ବାଣ୍ଟିବା ପାଇଁ ଏହି ଉତ୍ସବର ସୃଷ୍ଟି । ଗାଁ’ର ମୁରବୀଶ୍ରେଣୀୟ ତଥା ଅର୍ଥନୈତିକ ଅବସ୍ଥା ଭଲ ଥିବା ପରିବାରରୁ ବଣ୍ଟାଯାଏ ବୁନ୍ଦିଆ ଲଡ଼ୁ । ସବୁ ପିଲାମାନଙ୍କୁ ଏହି ଲଡ଼ୁ ଖାଇବାକୁ ମିଳିଥାଏ । ଭାଦ୍ରବ ଅମାବାସ୍ୟାର ନାଁ ସାତପୁରି ଅମାବାସ୍ୟା । ଏହି ଦିନ ପୁରି ସହ ଖିରି ଭୋଗ ଦିଆଯାଏ । ଶୁକ୍ଳପକ୍ଷର ତୃତୀୟତିଥିରେ ପାଳନ ହୁଏ ବାଲିତୃତୀୟା । ଏହି ପର୍ବଟି ସାର୍ବଜନୀନ ନୁହେଁ । ତା’ ପରଦିନ ଗଣେଶ ପୂଜା । କିଏ କହେ ଗଣେଶ ଚତୁର୍ଥୀ ତ କିଏ କହେ ବିନାୟକ ବ୍ରତ ପୁଣି କିଏ କହେ ହରିତାଲିକା । ବିଘ୍ନବିନାଶ ପାଇଁ ଏହି ପର୍ବଟି ପାଳନ କରାଯାଏ । ବିଦ୍ୟାଳୟ ଓ ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ ଏହି ପର୍ବ ଖୁବ୍ ଯାକଜମକରେ ପାଳନ କରାଯାଏ । ବିଭିନ୍ନପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇ କର୍ମକ୍ଳାନ୍ତ ମାନବ ମନରେ ଆନନ୍ଦ ଭରିଦିଏ । ଗଣେଶପୂଜାର ପରଦିନ ଋଷିପଞ୍ଚମୀ ।

ପଶ୍ଚିମଓଡ଼ିଶାର ବିଖ୍ୟାତ ନୂଆଖାଇ ପର୍ବ । କୃଷକ ତା କ୍ଷେତର ପ୍ରଥମ ଉତ୍ପାଦିତ ଶସ୍ୟରେ ଅନ୍ନ ପ୍ରସ୍ତୁତ କରି ନୈବେଦ୍ୟ ଅର୍ପଣ କରି ନିଜର ଜ୍ଞାତି, କୁଟୁମ୍ବ, ଆତ୍ମୀୟସ୍ୱଜନଙ୍କ ସହ ଏକତ୍ର ଭୋଜନ କରେ । ଘରେ ଘରେ ଆନନ୍ଦ ଉଲ୍ଲାସର ବାତାରବରଣ ସୃଷ୍ଟି ହୁଏ । ତା’ ପରଦିନ ଷଠୀ ଓଷା ମାଟିର ପୂଜା । କୃଷକ ଜୀବନରେ ନୂତନ ଛନ୍ଦ ପତନର ପ୍ରକ୍ରିୟା । ମାଟିରେ ତିଆରି ହୁଏ ୭ଟି କଣ୍ଢେଇ । ଛଅଟି ପୁଅ ଓ ଗୋଟିଏ ଝିଅ । ପୁରୁଣା ଧୋତିକନାକୁ ଧୋଇ ତାକୁ ହଳଦୀ ପାଣିରେ ବୁଡ଼ାଯାଏ । କଣ୍ଢେଇମାନଙ୍କର ସେଥିରେ ବସ୍ତ୍ର ପ୍ରସ୍ତୁତ ହୁଏ । ନିଜର ସନ୍ତାନଙ୍କୁ ସବୁ ବିପଦ ସହିପାରିବା ପାଇଁ ମା ସାତଟି ଡାଳରେ ପ୍ରସ୍ତୁତ ହୋଇଥିବା ଏକ ଝାଡ଼ୁରେ ୭ଥର କରି ପ୍ରହାର କରେ । (୭ଟି ଡାଳ : – ବଜ୍ରମୁଳି, ଅଁଳା, ବାଉଁଶ, ଧାନ, ସାରୁ, ଜୁଇ ଓ ଆମ୍ବ) ଏହି ଦିନଟିର ଆଉ ଗୋଟିଏ ପୂଜା ଅଛି । ସୋମନାଥ ବ୍ରତ । ଏହି ବ୍ରତର ପୂଜା ପାଇଁ ସଂଗ୍ରହ କରିବାକୁ ପଡ଼ିଥାଏ ଦଶପ୍ରକାର ଫୁଲ ଏବଂ ଦଶପ୍ରକାର ଫଳ । ସେସବୁ ପିଲାମାନେ ନିଜର ବାଡ଼ି ବଗିଚାରୁ ଆଣିଥାନ୍ତି । ମା’ମାନେ ସନ୍ତାନର ମଣିବନ୍ଧରେ ବାନ୍ଧି ଦିଅନ୍ତି ହଳଦିଆ କନା ଖଣ୍ଡିଏ । ମୁଣ୍ଡରେ ପିନ୍ଧାଇ ଦିଅନ୍ତି ସିନ୍ଦୁର ଟିକା । ମାଟି କଣ୍ଢେଇ ପାଖରେ ନିଜର ଜୀବନ୍ତ କଣ୍ଢେଇମାନଙ୍କୁ ବସାଇ ପ୍ରଥମେ ପିଠିରେ ୭ଥର ଲେଖାଏଁ ପ୍ରହାର କରନ୍ତି ତା ପରେ ବନ୍ଦାପନା କରନ୍ତି । ଘରେ କିଛି ନା କିଛି ଆମିଷ ରନ୍ଧନ କରାଯାଏ । ଚକୁଳି ପିଠା ସହ ଆମ୍ବ ବେସରର ସ୍ୱାଦ ପ୍ରତ୍ୟେକ ଗ୍ରାମ୍ୟ ବାଳକ ବାଳିକାଙ୍କୁ ପ୍ରଲୋଭିତ କରେ । ଷଠୀଓଷାର ଦୁଇଦିନ ପରେ ପଡ଼େ ରାଧାଷ୍ଟମୀ । ଏହା ମଧ୍ୟ ଏକ ସାର୍ବଜନୀନ ପର୍ବ ନୁହେଁ । ଏଥର ଆସିଲା ଏକ ବିଶିଷ୍ଟ ପର୍ବ । ଓଡ଼ିଆ ସଂସ୍କୃତିର ଏକ ମହାନ୍ ପରମ୍ପରା । ଭାଦ୍ରବ ଶୁକ୍ଳ ଦ୍ୱାଦଶି ତିଥିରେ ପଡ଼େ ଶୁନିଆ ପର୍ବ । ବାମନଙ୍କର ଜନ୍ମଦିନ । ସେହିଦିନଠାରୁ ଗଜପତି ମହାରାଜାଙ୍କର ନବବର୍ଷ ଆରମ୍ଭ ହୁଏ । ଭାଗଚାଷୀ ଓ କୃଷି ଶ୍ରମିକମାନେ ନିଜର ମାଲିକ ଚାଷୀମାନଙ୍କ ପାଖକୁ ଉପଢ଼ୌକନ ପଠାନ୍ତି । କେତେକ ଅଞ୍ଚଳରେ ଏହି ଦିନଟି ନୂଆଖାଇ ପରି ପାଳନ ହୋଇଥାଏ । ଭାଦ୍ରବ ସଂକ୍ରାନ୍ତିରେ ବିଶ୍ୱକର୍ମାଙ୍କୁ ପୂଜା କରାଯାଏ । ଗାଁରେ ବଢ଼େଇ ଓ କମାର ଘରମାନଙ୍କରେ ଏହି ପୂଜା ହୁଏ । ଭାଦ୍ରବ ପୂର୍ଣ୍ଣମୀକୁ ଇନ୍ଦ୍ରପୂର୍ଣ୍ଣମୀ କୁହାଯାଏ । ଏହିଦିନ କୃଷକମାନେ ଏକତ୍ରିତ ହୋଇ ଭାଗବତ ଟୁଙ୍ଗିରେ ଭାଗବତ ଗାଦି ନିକଟରେ ଖିରି, ପୂରି କରି ପୂଜାଅର୍ଚ୍ଚନା କରିଥାନ୍ତି । ସବୁଦିନ ପାଠ କରାଯାଉଥିବା ଭାଗବତ ଏହିଦିନ ଶେଷ କରାଯାଏ ।

ଆଶ୍ୱିନମାସରେ ଆକାଶ ପରିଷ୍କାର ହୋଇ ଆସୁଥାଏ । ଆନନ୍ଦ ଓ ଉଲ୍ଲାସର ପସରା ଧରି ଶାରଦୀୟ ପର୍ବପର୍ବାଣୀ ଗ୍ରାମ୍ୟ ଜୀବନକୁ ପୁଲକିତ କରିବାକୁ ଆସନ୍ତି । ଏହି ସମୟର ବର୍ଣ୍ଣନା କରି କବି ମଧୁସୂଦନ ରାଓ ଲେଖିଛନ୍ତି :

‘ରୁଚିର ଶରତ କାଳ ବିରାଜିଲା ଆସି

ହସିଲା ଧରଣୀ ରାଣୀ ଶୋଭା ପରକାଶି ।

କାଶତଣ୍ଡି ଫୁଲେ ମହୀ ଦିସଇ ଧବଳ

ସରୋବରେ ଫୁଟିଲେଣି କୁମୁଦ କମଳ ।’

ଏହି ମାସରେ ମଧ୍ୟ ଅନେକ ପର୍ବ ପାଳନ କରାଯାଏ । ପ୍ରତ୍ୟେକ ମଙ୍ଗଳବାର ଦିନ ରାତିରେ ଢିଙ୍କିଶାଳରେ ପୂଜା କରାଯାଏ । ଏହାକୁ ନିଶା ମଙ୍ଗଳବାର କହନ୍ତି । କୃଷି ଓ କୃଷକ ସହ ଜଡ଼ିତ କେତୋଟି ବିଶେଷ ପର୍ବ ଏହି ମାସରେ ପଡ଼ିଥାଏ । କୃଷ୍ଣପକ୍ଷ ଅଷ୍ଟମୀ ଦିନ ପଡ଼େ ଦ୍ୱିତୀୟା ଓଷା । ଏହି ପୂଜାର ବିଧି ସ୍ୱତନ୍ତ୍ର । ସପ୍ତମୀ ଦିନଠାରୁ ବ୍ରତ ଆରମ୍ଭ ହୁଏ । ସେହିଦିନଟିକୁ ଏକବାର କହନ୍ତି । ସାତପ୍ରକାର ଶାଗ(ଖଡ଼ା, ଲେଉଟିଆ, କନିସିରି, ପୁରୁଣି, କଖାରୁପତ୍ର, ପୋଇପତ୍ର ଓ ସଜନାପତ୍ର) ଏକାଠି ମିଶି, ଜହ୍ନି, ଭେଣ୍ଡି ଓ କଖାରୁ ସହିତ ଭଜା ଅରୁଆ ଚାଉଳର ଗୁଣ୍ଡ ଦେଇ ରନ୍ଧାଯାଏ । ଚିଲ ଓ ଶାଗୁଣାଙ୍କ ଲାଗି ଘର ବାହାରେ ସାଗ ଦେଇସାରିଲା ପରେ ବ୍ରତ ପାଳନ କରୁଥିବା ଝିଅ, ବୋହୂମାନେ ଖାଇଥାଆନ୍ତି । ଅଷ୍ଟମୀ ଦିନ ନିର୍ଜଳ ଉପବାସ ହୁଏ । ସନ୍ଧ୍ୟାରେ ୨୧ପ୍ରକାରର ଫଳ ଓ ପରିବା ମିଶି ଗୋଟିଏ ବଡ଼ ଟୋକେଇରେ ରଖାଯାଏ । ଦାଣ୍ଡରେ ଗାତ ଖୋଳି ସେଥିରେ ପାଣି ପୁରାଇ ଦୁଇ, ତିନୋଟି ମାଛ ଛଡ଼ାଯାଏ । ଗାତ ଚାରିପଟେ କଦଳୀ ଗଛ ପୋତି ତାକୁ ନାନାପ୍ରକାର ଫୁଲରେ ସଜାଇ ଦିଆଯାଏ । ସ୍ଥାନଟିକୁ ମାଟି ଗୋବରରେ ଲିପି ମୁରୁଜ ଚିତ୍ରରେ ସଜାଯାଏ । ସେଇଠି ଫଳ, ପରିବାର ଟୋକେଇ ରଖି ପୂଜା କରାଯାଏ । ତା ପରଦିନ ସକାଳୁ ହୁଏ ଘାଣ୍ଟିଆ । ପୂଜା ଯାଇଥିବା ଫଳ, ପରିବା ସହ ଗଜାମୁଗ ଓ ଗଜାବୁଟ ମିଶି ଏକ ଅତ୍ୟନ୍ତ ସୁସ୍ୱାଦୁ ତଥା ପୁଷ୍ଟିକର ତରକାରି ପ୍ରସ୍ତୁତ ହୁଏ । ସେ ତରକାରିର ସ୍ୱାଦ ଯେକୌଣସି ପଞ୍ଚତାରକା ହୋଟେଲରେ ପ୍ରସ୍ତୁତ ହେଉଥିବା ନାନାପ୍ରକାର ସାଦା ତରକାରିଠାରୁ ଅଧିକ ରୁଚିକର । ଏହି ପର୍ବର ଏକ ବିଶେଷତ୍ୱ ହେଲା ବ୍ରାହ୍ମଣମାନେ ଏହି ପୂଜା କରନ୍ତି ନାହିଁ କି କୌଣସି ମନ୍ଦିର ଠାକୁରଙ୍କୁ ଏଥିରେ ପୂଜା କରାଯାଏନି । ଏହା ଓଡ଼ିଆ କୃଷି ଆଉ କୃଷକର ଏକ ଗୌରବମୟ ପରମ୍ପରା ।

ଦ୍ୱିତୀୟାଓଷା ଦିନ ଠାରୁ ମା’ଦୁର୍ଗାଙ୍କର ଶାରଦୀୟ ପୂଜା ଆରମ୍ଭ ହୁଏ । ଅମାବାସ୍ୟା ଦିନକୁ ମହାଳୟା କୁହାଯାଏ । ଏହିଦିନ ପିତୃପୁରୁଷଙ୍କୁ ପୂଜାଅର୍ଚ୍ଚନା କରାଯାଏ । ଶୁକ୍ଳ ଅଷ୍ଟମୀକୁ ଦୁର୍ଗାଷ୍ଟମୀ ବା ଫଳ ଥୁଆ ପର୍ବ କୁହାଯାଏ । ପଲ୍ଲୀ ରମଣୀମାନେ ବାଉଁଶ ପାତରେ ତିଆରି ଚାଙ୍ଗୁଡ଼ିରେ ସୁନ୍ଦର ଭାବରେ ଏକ ଝୋଟି ତିଆରି କରନ୍ତି । ଏହି ଚାଙ୍ଗୁଡ଼ିକୁ ଦୁର୍ଗା ଚାଙ୍ଗୁଡ଼ି କୁହାଯାଏ । ସେଥିରେ ବିଭିନ୍ନପ୍ରକାର ଫଳ ରଖାଯାଏ ଓ ପୂଜା କରାଯାଏ । ପରଦିନ ସକାଳେ ଫଳଗୁଡ଼ିକ କୌଣସି ବୟସ୍କ ବ୍ୟକ୍ତିଙ୍କୁ ଦାନ କରାଯାଏ । ଫଳ ଆମର ସ୍ୱାସ୍ଥ୍ୟ ପାଇଁ ଜରୁରୀ । ବୟସ୍କମାନଙ୍କ ପାଇଁ ଏହା ଏକାନ୍ତ ଆବଶ୍ୟକ । ସେଥିପାଇଁ ଏପରି ଏକ ସୁଚିନ୍ତିତ ବ୍ୟବସ୍ଥାର କଳ୍ପନା ।

ଦଶମୀଦିନ ଦଶହରା । ମା’ଦୁର୍ଗାଙ୍କର ବିଜୟାଦଶମୀ ପାଳନ ହୁଏ । ସୋମନାଥ ବ୍ରତର ଉଦ୍ୟାପନ ହୁଏ । ଦଶପ୍ରକାର ଫୁଲ ଓ ଫଳରେ ପୂଜାବିଧି ସମାପନ ହୁଏ । ତା’ଛଡ଼ା ପ୍ରତ୍ୟେକ ଘରେ ହେଉଥିବା ପୂଜା ନିଜର କୌଳିକ ବୃତ୍ତି ସହ ଜଡ଼ିତ । ନିଜ ବୃତ୍ତି ପାଇଁ ବ୍ୟବହାର ହେଉଥିବା ଉପକରଣଗୁଡ଼ିକୁ ପରିଷ୍କାର କରି ନୂଆ ଲୁଗା ଉପରେ ସଜାଇ ରଖାଯାଏ । ନିକଟରେ କଳସ ବସାଯାଏ । ଫୁଲ, ଦୁବ, ବରକୋଳିପତ୍ର ସହ ହଳଦିମିଶା ଚାଉଳ ରଖି ପ୍ରଦୀପ ପ୍ରଜ୍ୱଳନ କରି ଆରତୀ କରାଯାଏ । ମିଷ୍ଟାନ୍ନ ଭୋଗ ଲଗାଯାଏ । ଏହି ପର୍ବରେ ସମସ୍ତେ ନୂତନ ବସ୍ତ୍ର ପରିଧାନ କରନ୍ତି । କୃଷକ ଯେଉଁମାନଙ୍କ ଠାରୁ ସେବା ଗ୍ରହଣ କରିଥାଏ ସେମାନଙ୍କୁ ନୂତନ ବସ୍ତ୍ର ସହ ଉପହାରମାନ ଦେଇଥାଏ । ନିଜେ ମଧ୍ୟ ନିଜର ଗୁରୁଜନ ଓ ହିତୈଷୀମାନଙ୍କ ଠାରୁ ଉପହାର ପାଇଥାଏ । ଆଶ୍ୱୀନମାସର ସଂକ୍ରାନ୍ତିଟି ଗର୍ଭଣା ସଂକ୍ରାନ୍ତି । ଏହି ସମୟରେ ଧାନ ଭିତରେ ଥିବା ଚାଉଳଟି ତିଆରି ହୋଇଯାଇଥାଏ । ଧାନ ବୁଣାଯାଉ, ଛଟା ଯାଉ ବା ରୁଆ ଯାଉ ଯେମିତି ହେଲେ ବି ଏହି ସମୟକୁ ତା ଗର୍ଭରେ ଚାଉଳ ହୋଇଥାଏ । ସେଥିପାଇଁ କଥିତ ଅଛି,

‘ଆଗେ ବୁଣ ପଛେ ବୁଣ

ଗର୍ଭଣାକୁ ଟୁଣ ଟୁଣ ।’

ଏହି ସଂକ୍ରାନ୍ତିରେ ପାଳନ ବିଧି ସହିତ କୃଷି ଓ କୃଷକର କି ନିବିଡ଼ ସମ୍ପର୍କ ସେକଥା ଜାଣିବା ନିହାତି ଜରୁରୀ । ତାଳପତ୍ରରେ ଗର୍ଭଣି, ମାଉଣି (ଧାନମାପିବା ପାଇଁ ବ୍ୟବହାର ହୁଏ)ର ନମୂନା ତିଆରି ହୁଏ । ଛତା, ପଖିଆର ନମୂନା ହୁଏ । କୃଷକ ପତ୍ନୀ ଏସବୁ ଗୋଟିଏ ଚାଙ୍ଗୁଡ଼ିରେ ସଜାଇ ରଖେ । ଧୂପ, ଦ୍ୱୀପ, ଫୁଲ, ଚନ୍ଦନ ସହ ସୁମିଷ୍ଟ ନୈବେଦ୍ୟ ନେଇ ନିଜର ସବୁଠାରୁ ଭଲ ଅମଳ ହେଉଥିବା ବିଲ ନିକଟକୁ ଯାଏ । ଯାତ୍ରା ସମୟରେ ଏକାନ୍ତ ନୀରବତା ଅବଲମ୍ବନ କରେ । ଏ ପର୍ବର ଗୁଢ଼ ରହସ୍ୟ ହେଲା ଯଦିଓ ଚର୍ତୁମାସ୍ୟା ସରିଗଲା କାର୍ତ୍ତିକରେ କିନ୍ତୁ ଲେଉଟାଣି ବର୍ଷା ସହ ଝଡ଼ ତୋଫାନର ଯଥେଷ୍ଟ ସମ୍ଭାବନା ଥାଏ । ସେଥିପାଇଁ ସେ ପ୍ରକୃତିକୁ ଛତା, ପଖିଆ ଦେଇ ମିନତିକରେ ତା କ୍ଷେତକୁ ସବୁ ବିପଦରୁ ରକ୍ଷାକରିବା ପାଇଁ । ଏହିଦିନ ଘରେ କେହି ଉଚ୍ଚସ୍ୱରରେ କଥାବାର୍ତ୍ତା ହୁଅନ୍ତି ନାହିଁ କି କେହି ବିଷାଦଗ୍ରସ୍ତ ହୁଅନ୍ତି ନାହିଁ । ଆଶ୍ୱୀନମାସର ଶେଷ ପୂଜା କୁମାରପୂର୍ଣ୍ଣମୀ ତଥା ଗଜଲକ୍ଷ୍ମୀ ପୂଜା । ଝିଅମାନେ ମନଖୁସିରେ ଗୀତ ଗାଈ ନୂଆ ଲୁଗା ପିନ୍ଧି ତୁଳସୀ ମା’କୁ ପୂଜା କରନ୍ତି । ଜହ୍ନି, କାକୁଡ଼ି ଆଉ ରଙ୍ଗଣି ଫୁଲରେ ଚଉଁରା ସଜାଯାଏ । ଲିଆ, ଛେନା, ନଡ଼ିଆ ଓ ଚିନିରେ ଚାନ୍ଦ ପ୍ରସ୍ତୁତ କରାଯାଏ । ଝିଅମାନେ ମନ ମଉଜରେ ପୂଜା ସାରି ଖେଳନ୍ତି । କେତେକ ଆଶ୍ୱୀନର ପ୍ରଥମ ଦିନ ଠାରୁ ଜହ୍ନି ଓଷା କରିଥାନ୍ତି । କୁମାର ପୂର୍ଣ୍ଣମୀରେ ସେହି ବ୍ରତର ଉଦ୍ୟାପନ ହୁଏ ।

ଓଡ଼ିଶାର ପ୍ରତ୍ୟେକ ପର୍ବରେ ଗୋଟିଏ କଥା ଦେଖିବାକୁ ମିଳେ । ପ୍ରକୃତିର ଉପାସନା । ଖୁଦୁରୁକୁଣିରେ ଝିଅମାନେ ପୋଖରୀ କୂଳେ ବାଲିରେ ମନ୍ଦିର କରି ତା’ର ପୂଜା କଲାବେଳେ, ବସୁମତୀ ସ୍ନାନରେ ଅଗଣାମାଟିକୁ ପୂଜା କରାଯାଏ । ଦ୍ୱିତୀୟା ଓଷାରେ ଫଳ, ପରିବା ଆଉ ପାଣିର ମାଛକୁ ପୂଜା କଲାବେଳେ ଗହ୍ମା ପୁନେଇଁରେ ବଳଦକୁ ପୂଜା କରାଯାଏ । ଏ ପ୍ରକୃତିର ଉପାସନାରୁ ଯଥେଷ୍ଟ ଆନନ୍ଦ ମିଳିବା ସହିତ ପ୍ରକୃତିର ସୁରକ୍ଷା ପାଇଁ ଯତ୍ନବାନ୍ ହେବାକଥା ମଧ୍ୟ ଶିକ୍ଷା ମିଳିଥାଏ । ପାରମ୍ପରିକ ପିଠାପଣାରୁ ମଣିଷର ଖାଦ୍ୟରୁଚିର ପରିଚୟ ମିଳିଥାଏ । ପରିବେଶର ପରିଛନ୍ନତା, ସୁରକ୍ଷା ଓ ଜୈବବିବିଧତାର ସୁରକ୍ଷା ପାଇଁ ବର୍ଷାକାଳୀନ ପର୍ବଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଯଦିଓ ଆଜିର ବ୍ୟସ୍ତ, ବିବ୍ରତ ଜୀବନରେ ଏସବୁ ପର୍ବ ପାଳନ ପାଇଁ କାହାମନରେ ଆଗ୍ରହ ନାହିଁ କି ପାରମ୍ପରିକ ଖାଦ୍ୟପଦାର୍ଥ ପ୍ରତି କାହାର ରୁଚି ନାହିଁ ତଥାପି ଏସବୁ ପର୍ବ ସମ୍ପର୍କରେ ଆମେ ଆମର ପିଲାମାନଙ୍କୁ ଜଣାଇ ଦେବା ଅପରିହାର୍ଯ୍ୟ । କିଏ ଜାଣେ, ଆଗାମୀ ଦିନମାନଙ୍କରେ ଆମର ପୂର୍ବ ପୁରୁଷଙ୍କ ପରି ଆମର ପିଲାମାନେ ଏହି ପର୍ବପର୍ବାଣୀରୁ ଅନେକ ଆନନ୍ଦ ଉପଭୋଗ କରିପାରନ୍ତି । ଇଂରାଜୀରେ କଥାଟିଏ ଅଛି – ଷସଗ୍ଦଗ୍ଧକ୍ଟକ୍ସଚ୍ଚ କ୍ସରକ୍ଟ୍ରରବଗ୍ଧଗ୍ଦ ସଗ୍ଧଗ୍ଦରକ୍ଷଲ. ଆମକୁ ହେୟ ଲାଗୁଥିବା କାମଟି ହୁଏତ ଆମ ପିଲାଙ୍କୁ ଶ୍ରେୟ ଲାଗିପାରେ । ନିଜର ସଂସ୍କୃତି ବିଷୟରେ ପିଲାଙ୍କୁ ଜଣାଇବା ପ୍ରତ୍ୟେକ ପିତାମାତାଙ୍କର ଦାୟିତ୍ୱ । ଏଥିରେ ବ୍ୟତିକ୍ରମ ହେଲେ ପିଲାଏ ଆମକୁ ଦୋଷ ଦେଇପାରନ୍ତି । ସେଥିପାଇଁ ପର୍ବଗୁଡ଼ିକର ବିଶେଷତ୍ୱ ପିଲାମାନଙ୍କୁ କୌଶଳ କରି ଜଣାଇଦେବା ବାଞ୍ଛନୀୟ ।

About ଡ଼ଃ ନମୀତା ଷଡ଼ଙ୍ଗୀ

Avatar
ଅଧ୍ୟାପିକା

Check Also

ମାଟିର ସଂସ୍କୃତି ଶ୍ରମ ଆଧାରିତ ସଂସ୍କୃତି

ଏପରି ଏକ ବ୍ୟବସ୍ଥାର ନିର୍ମାଣ ଜରୁରୀ; ଯେଉଁ ବ୍ୟବସ୍ଥା ମଣିଷର ଚେତନ ତଥା ଅବଚେତନ ମନରେ ବି ମଣିଷ, ପ୍ରକୃତି …

Leave a Reply

Your email address will not be published. Required fields are marked *