Home / ସଙ୍ଗୀତ / ଓଡିଶୀ ସଙ୍ଗୀତ / ଉଡ଼୍ର ପଦ୍ଧତୀୟ ସଙ୍ଗୀତର ଇତିବୃତ୍ତି

ଉଡ଼୍ର ପଦ୍ଧତୀୟ ସଙ୍ଗୀତର ଇତିବୃତ୍ତି

https://www.youtube.com/watch?v=xczu9l9WtS8

ପୁରାଣ ଇତିହାସରେ ବହୁ ପ୍ରଶସ୍ତି ପ୍ରଣୋଦିତ ଏକ ମହାନ ସଂସ୍କୃତିର ପ୍ରାଚୀନ ଗୌରବ ନେଇ ଆମର ଉକ୍ରଳୀୟ ବା ଉଡ଼୍ର ସଂସ୍କୃତି ଉଦ୍ଭାସିତ । କପିଳ ସଂହିତାରେ ବର୍ଣ୍ଣିତ ଅଛି ଯେ, ‘ବର୍ଷାଣାଂ ଭାରତଃ ଶ୍ରେଷ୍ଠୋ ଦେଶାନାଂ ଉକ୍ରଳଃ ଶ୍ରୁତଃ । ଉକ୍ରଳସ୍ୟ ସମୋ ଦେଶା ଦେଶୋ ନାସ୍ତି ମହୀତଳେ’ ଏବଂ ବ୍ରାହ୍ମଣ ପୁରାଣରେ ବର୍ଣ୍ଣିତ ହୋଇଛି-

‘ତ୍ରତ୍ରାସ୍ତେ ଭାରତେ ବର୍ଷେ ଦକ୍ଷିଣୋଦଧିସଂସ୍ଥିତଃ ।

ଉଡ଼୍ରଦେଶ ଇତି ଖ୍ୟାତଃ ସ୍ୱର୍ଗମୋକ୍ଷଃ ପ୍ରଦାୟକ’ ।।

କେବଳ ଏତିକି ନୁହେଁ ରାମାୟଣ, ମହାଭାରତ, ବ୍ରହ୍ମପୁରାଣ, ମତ୍ସ୍ୟପୁରାଣ, ସ୍କନ୍ଧପୁରାଣ, ବୃହତ୍ସଂହିତା, ତନ୍ତ୍ରଯାମଳ, ବୌଦ୍ଧାୟନସୂତ୍ର, ମନୁସଂହିତା, ହରିବଂଶ ଏବଂ ରଘୁବଂଶ ଇତ୍ୟାଦି ପ୍ରାଚୀନ ପୁରାଣଶାସ୍ତ୍ର ତଥା ହୁଏନ୍ସାଂ, ଫାହିୟାନ୍ଙ୍କ ଠାରୁ ଆରମ୍ଭ କରି ହଣ୍ଟର ବ୍ରିଟିଶ ଗବେଷକଙ୍କ ପର୍ଯ୍ୟନ୍ତ ବହୁ ବିଦେଶୀ ଓ ସ୍ୱଦେଶୀ ଐତିହାସିକଙ୍କ ପୋଥି ଓ ପ୍ରକାଶିତ ପୁସ୍ତକମାନଙ୍କରେ ଓଡ଼ିଆ ସଂସ୍କୃତିର ପ୍ରାଚୀନତା ସମ୍ପର୍କରେ ଯଥେଷ୍ଟ ପ୍ରମାଣ ମିଳିଥାଏ ।

ମହାଭାରତ ଭୀଷ୍ମ ଜଣାଯାଏ କଳିଙ୍ଗାଧିପତି ଶ୍ରୁତାୟୁ, ଦୁର୍ଯ୍ୟୋଧନଙ୍କର ପକ୍ଷରେ ଯୁଦ୍ଧ କରିଥିଲେ ଏବଂ ଭୀମଙ୍କ ଦୁଇ ପୁତ୍ର ସହିତ ନିହତ ହୋଇଥିଲେ । ପ୍ରମାଣ ମିଳିଛି ଯେ ଖ୍ରୀଷ୍ଟପୂର୍ବ ପ୍ରାୟ ୩୦୦୦ବର୍ଷ ପୂର୍ବରୁ ମହାଭାରତ ଯୁଦ୍ଧ ହୋଇଥିଲା । ଏଣୁ ଆଗଙ୍ଗାଗୋଦାବରୀ ବିସ୍ତୃତ କଳିଙ୍ଗ, ଉକ୍ରଳ ଉଡ଼୍ର ବା ଓଡ଼ିଶା ସଂସ୍କୃତି ପଞ୍ଚସହସ୍ରାଧିକ ବର୍ଷରୁ ପ୍ରାଚୀନ ।

ଭାରତୀୟ ସାଂସ୍କୃତିକ ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଇତିହାସର ବହୁ ବିବର୍ତ୍ତନରେ ଓଡ଼ିଆ ସଂସ୍କୃତି ଆଙ୍ଗିକ ଦୃଷ୍ଟିରୁ ଚାଲିଚଳନ, ବେଶଭୂଷା, ଖାଦ୍ୟପେୟ, ଆଚରଣ, ବ୍ୟବହାରରେ ଯେପରି ଏକ ସ୍ୱାତନ୍ତ୍ର୍ୟ ବହନ କରିଛି, ଆତ୍ମିୟ ଦିଗରେ ଅନୁଧ୍ୟାନ କଲେ ଦେଖାଯାଏ ଓଡ଼ିଆ ସଂସ୍କୃତିର ଅଙ୍ଗ ଭାଷା, ଭାବ, ସାହିତ୍ୟ, ସଙ୍ଗୀତ, ନୃତ୍ୟ ଓ ଶିଳ୍ପକଳା ଇତ୍ୟାଦିର ଏକ ସ୍ୱକୀୟ ମୌଳିକତ୍ୱ ଯେ ନିଶ୍ଚିତ ରହିଆସିଛି ଏହା ଅନସ୍ୱୀକାର୍ଯ୍ୟ । ଏହି ରାଜ୍ୟରେ ଆଦିମକାଳରୁ ଅନାର୍ଯ୍ୟ ଦ୍ରାବିଡ଼ ଓ ଆର୍ଯ୍ୟ ଶାସକଙ୍କ ଠାରୁ ଆରମ୍ଭକରି ଶୈବ, ଶାକ୍ତ, ସୌର, ବୈଷ୍ଣବ, ଗାଣପତ୍ୟ ଓ ନବବୈଷ୍ଣବ ଇତ୍ୟାଦି ମତାବଲମ୍ବୀ ଏବଂ ଶାସକବର୍ଗଙ୍କ କଳାସଂସ୍କୃତି ପ୍ରିୟତା ଓ ଧର୍ମାନୁରାଗ ଦ୍ୱାରା ଏହି ଉକ୍ରଳ ଦେଶରେ ବିଶ୍ୱବିଖ୍ୟାତ କାରୁକଳା ସମ୍ପନ୍ନ ଗୌରବାବହ କଳାକୃତି ଓ ଦେବାଦେବୀ ମନ୍ଦିର ତଥା ସ୍ମୃତିପୀଠମାନ ନିର୍ମାଣ କରାଯାଇପାରିଛି । ବିଶେଷକରି ଓଡ଼ିଆ ଜାତି ସର୍ବଧର୍ମ ମତବାଦର ସମନ୍ୱୟ ସମ୍ପାଦନକାରୀ ବିଶ୍ୱର ସର୍ବଶ୍ରେଷ୍ଠ ଆଦର୍ଶବାଦୀ ସଂସ୍କୃତି ଶ୍ରୀ ଜଗନ୍ନାଥ ସଂସ୍କୃତିର ଉତ୍ତରଦାୟାଦ ରୂପେ ଆଜି ବିଶ୍ୱ ଦରବାରରେ ଗୌରବାବହ ଆସନରେ ନିଜକୁ ଅଧିଷ୍ଠିତ କରାଇପାରିଛି ।

ଆଜି ମନ୍ଦିରମାଳିନୀ ଭୁବନେଶ୍ୱର, ପୁରୀ ବା କୋଣାର୍କରେ ମନ୍ଦିରମାନଙ୍କରେ ପ୍ରତିଟି ପାଷାଣ ଗାତ୍ରରେ ସୂଚ୍ୟଗ୍ର ସୂକ୍ଷ୍ମ ଅପୂର୍ବ କଳାକୁଶଳତା ଦେଖି ଆତ୍ମବିଭୋର ହେଉଥିବା ପାଶ୍ଚାତ୍ୟ ଜଗତର ଯେ କୌଣସି ଦର୍ଶକ ଉକ୍ରଳୀୟ ଚାରୁକଳା ସମ୍ମୁଖରେ ସେମାନଙ୍କ ସମୃଦ୍ଧ ପାର୍ଥିବସମ୍ପଦ, ବୈଷୟିକ ଜ୍ଞାନଗୌରବକୁ ତୁଚ୍ଛ ମନେକରନ୍ତି । କଳିଙ୍ଗଶିଳ୍ପୀର କଳାକୁଶଳତା ନିକଟରେ ସେ ସ୍ୱତଃ ନତମସ୍ତକ ହୁଅନ୍ତି । ଏତେବଡ଼ କଳା-କୁଶଳୀ ଜାତିର ବହୁ ପ୍ରାଚୀନ ସମୃଦ୍ଧ ସଂସ୍କୃତିର ସ୍ୱାତନ୍ତ୍ର୍ୟ କେବଳ ଶିଳ୍ପକଳା ନୁହେଁ, ପ୍ରତିଟି ଲଳିତକଳା ମାଧ୍ୟମରେ ପ୍ରକଟିତ ହୋଇଥିଲା ଏବଂ ବିଶେଷତଃ ସଙ୍ଗୀତକଳା ଅନ୍ତର୍ଗତ ରାଗ, ରାଗିଣୀ, ତାଳ, ମାନ ଓ ନୃତ୍ୟକଳା ପ୍ରତିଟି ଛନ୍ଦରେ ତାହା ପ୍ରକଟିତ । ନୃତ୍ୟ, ଗାନ ବାଦନରତା କୋଣାର୍କରୁ ରୂପସୀ ପାଷାଣ ପ୍ରତିମାଗୁଡ଼ିକର ମୁକ-ମୁଖର ଛନ୍ଦମୂର୍ଚ୍ଛନା ଆଜି ଯେକୌଣସି ଦର୍ଶକ ହୃଦୟରେ ସୃଷ୍ଟି କରେ ଅପୂର୍ବ ସ୍ୱରଝଙ୍କାର ।

ନାଟ୍ୟ, ନୃତ୍ୟ, ସଙ୍ଗୀତର ପରମ ପୃଷ୍ଠପୋଷକ ଭାବେ ଖ୍ରୀ.ପୂ.୨୦୦ ଶତାବ୍ଦୀର ଆଗଙ୍ଗାଗୋଦାବରୀ ବିସ୍ତୃତ ମହାନ୍ ସାମ୍ରାଜ୍ୟର ଅଧିଶ୍ୱର କଳିଙ୍ଗାଧିପତି ଉକ୍ରଳୀୟ ସମ୍ରାଟ ମହାମେଘବାହାନ ଐରଖାରବେଳଙ୍କ ସଙ୍ଗୀତ କଳାପ୍ରୀତିର ପ୍ରମାଣ ଖଣ୍ଡଗିରି ହାତୀଗୁମ୍ଫା ଅନୁଶାସନରୁ ମିଳିଥାଏ । ଖଣ୍ଡଗିରିର ରାଣୀଗୁମ୍ଫା ଦୁଇହଜାରବର୍ଷ ପୂର୍ବର ଯାହାକି ଏକ ଚମକ୍ରାର ନାଟ୍ୟମଣ୍ଡପ ବୋଲି ପ୍ରମାଣିତ କରିଯାଇଛନ୍ତି ଗବେଷକ ସ୍ୱର୍ଗତ ଶ୍ରୀଯୁକ୍ତ ଧୀରେନ୍ ଦାଶ୍ (ଆଧୁନିକ ଭାରତ)ତାଙ୍କର ଇଂରାଜୀ ପୁସ୍ତକ ‘ଉବଗ୍ଧକ୍ସବ, ଔବଗ୍ଧଷବକ୍ସବ, ଔବଗ୍ଧକ୍ସବ, ଗ୍ଧଷର ଞଷରବଗ୍ଧକ୍ସର’ରେ । ସେ ଯାହା ଲିପିବଦ୍ଧ କରିଥିଲେ ତାହାକୁ କାର୍ଯ୍ୟରେ ଦେଖାଇ ପ୍ରମାଣିତ ମଧ୍ୟ କରିଗଲେ । ଶ୍ରୀଯୁକ୍ତ ଧୀରେନ୍ ଦାଶ୍ ତା.୧୧.୧୧.୭୯ ସନ୍ଧ୍ୟାରେ ଓଡ଼ିଶା ସଙ୍ଗୀତନାଟକ ଏକାଡ଼େମୀ ତଥା ରାଜ୍ୟ ପର୍ଯ୍ୟଟନ କର୍ପୋରେସନର ସହଯୋଗରେ ଆୟୋଜିତ ଖ୍ୟାତନାମା ନାଟ୍ୟକାର ଶ୍ରୀଯୁକ୍ତ କୁଞ୍ଜ ରାୟଙ୍କ ଲିଖିତ ‘ଅପ୍ରତିହତ ଖାରବେଳ’ ନାଟକକୁ ସେହି ରାଣୀଗୁମ୍ଫା ମଞ୍ଚରେ ବହୁ ବିଶିଷ୍ଟ ଦର୍ଶକଙ୍କ ଉପସ୍ଥିତିରେ ମଞ୍ଚସ୍ଥ କରି ପ୍ରମାଣିତ କରିଥିଲେ ଯେ, ରାଣୀଗୁମ୍ଫା ଏକ ନାଟ୍ୟମଣ୍ଡପ । କାରଣ ବିନା ମାଇକ୍ରୋଫୋନରେ ହଜାର ହଜାର ଦର୍ଶକଙ୍କ ଶୁଣିବା ଓ ଦେଖିବାର କୌଣସି ପ୍ରତିବନ୍ଧକ ସେତେବେଳେ ରାଣୀଗୁମ୍ଫାରେ ହୋଇନଥିଲା । ଏହି ନାଟକରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଡଃ ଦାମୋଦର ହୋତା । ଏଥିରୁ ଓଡ଼ିଆ ଜାତିର ସଙ୍ଗୀତ ଓ ନାଟ୍ୟକଳା ଯେ କେତେ ପ୍ରାଚୀନ ତାହା ସ୍ପଷ୍ଟ ପ୍ରମାଣିତ ।

ସମ୍ରାଟ ଖାରବେଳଙ୍କ ବହୁ ପୂର୍ବରୁ ଆଗଙ୍ଗାଗୋଦାବରୀ ବିସ୍ତୃତ ପ୍ରାଚୀନ କଳିଙ୍ଗରେ ଆର୍ଯ୍ୟବସତି ସ୍ଥାପିତ ହୋଇଥିଲା । ଏହି ସମୟରେ ଓଡ଼ିଶାରେ ଶାସ୍ତ୍ରୀୟ ସଙ୍ଗୀତ ଅର୍ଥାତ ସାମ-ଗାନ, ତାହାପରେ ଗାନ୍ଧର୍ବଗାନର ପ୍ରଚଳିତ ଥିଲା । ମାତ୍ର ତାହାର ପରବର୍ତ୍ତୀ ବିବର୍ତ୍ତୀତ ପର୍ଯ୍ୟାୟରେ ‘ଜାତି-ଗାନ’ ପ୍ରଚଳିତ ହୋଇଥିଲା କି ନାହିଁ ତାହା ସଠିକ୍ଭାବରେ କୁହାଯାଇ ପାରିବନାହିଁ କିନ୍ତୁ ନାଟ୍ୟଶାସ୍ତ୍ର ରଚନା ବେଳକୁ ଓଡ଼ିଶାରେ ନିଶ୍ଚିତ ଭାବରେ ଜାତିଗାନ ପ୍ରଚଳିତ ହୋଇଥିଲା । ସେହି ଜାତି-ଗାନ ବିବର୍ତ୍ତୀତ ହୋଇ ରାଗ-ଗାନ ଏବଂ ପରେ ‘ରାଗ-ପ୍ରବନ୍ଧ ଗାନ’କୁ ରୂପାନ୍ତରିତ ହୋଇ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତରେ ଖ୍ରୀଷ୍ଟୀୟ ଷଷ୍ଠ କିମ୍ବା ସପ୍ତମ ଶତାବ୍ଦୀ ଠାରୁ ଖ୍ରୀଷ୍ଟୀୟ ଦ୍ୱାଦଶ ବା ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ବୋଧହୁଏ ପ୍ରଚଳିତ ହୋଇଥିଲା । ଏଣୁ ପ୍ରାଚୀନ ବୃହତ୍ତର ଉକ୍ରଳ ବା ଉଡ଼୍ର ଦେଶ ବା କଳିଙ୍ଗରେ ଜାତି-ଗାନ ନାଟ୍ୟଶାସ୍ତ୍ର ରଚନା କାଳଠାରୁ ଅନ୍ୟୁନ ୩୦୦ ବା ୪୦୦ବର୍ଷ ପର୍ଯ୍ୟନ୍ତ ପ୍ରଚଳିତ ହୋଇ ପରବର୍ତ୍ତୀକାଳରେ ତାହାର ବିବର୍ତ୍ତୀତ ସ୍ୱରୂପ ‘ରାଗ-ଗାନ’ ତଥା ଚର୍ଯ୍ୟାଗାୟନ ଓ ‘ରାଗ-ପ୍ରବନ୍ଧ ଗାନ’ ଜୟଦେବଙ୍କ ପୂର୍ବବର୍ତ୍ତୀ ସମୟ ପର୍ଯ୍ୟନ୍ତ ପ୍ରଚଳିତ ହୋଇଥିବାର ବିଶ୍ୱାସ କରାଯାଏ ।

ସେହି ପରିପ୍ରେକ୍ଷୀରେ ବିଚାର କଲେ ଓଡ଼ିଶାର ସଙ୍ଗୀତ ପରମ୍ପରା ମଧ୍ୟ ବହୁ ପ୍ରାଚୀନ ବୋଲି ପ୍ରମାଣମିଳେ । ଭରତମୁନିଙ୍କ ନାଟ୍ୟଶାସ୍ତ୍ରର ନିୟମାନୁଯାୟୀ ତକ୍ରାଳୀନ ବୃହତ୍ତର ଭାରତବର୍ଷର ସମଗ୍ର ପୂର୍ବ ଭୂଖଣ୍ଡରେ ଯେଉଁ ଶାସ୍ତ୍ରୀୟ ସଙ୍ଗୀତ ପଦ୍ଧତିର ପ୍ରଚଳନ ଥିଲା ତାହାକୁ ଉଡ଼୍ର ମାଗଧୀ ପ୍ରବୃତ୍ତୀୟ ବା ପଦ୍ଧତୀୟ ସଙ୍ଗୀତ ବୋଲି ନିର୍ଦ୍ଧାରଣ କରାଯାଉଥିଲା । ଅଙ୍ଗ, ପୌଣ୍ଡ୍ର, ବହିର୍ଦୁର, ପ୍ଳବଙ୍ଗ, ମହେନ୍ଦ୍ର ଓ ମଳଦାମଲା ଇତ୍ୟାଦି ରାଜ୍ୟଗୁଡ଼ିକ ତକ୍ରାଳୀନ ବୃହତ୍ତର ଭାରତବର୍ଷର ପୂର୍ବଭୂଖଣ୍ଡର ନାଟ୍ୟକଳା ତାହାର ଅନ୍ତର୍ଗତ ଅନ୍ୟାନ୍ୟ ଆନୁସଙ୍ଗିକ କଳା ସହିତ ସଙ୍ଗୀତ କ୍ଷେତ୍ରରେ ଉଡ଼୍ର ମାଗଧୀ ପ୍ରବୃତ୍ତି ପ୍ରଚଳିତ ଥିବା ବିଷୟ ଉକ୍ରଳ ଓ ଉଡ଼୍ର (ତକ୍ରାଳିନ ବୃହତ୍ତର କଳିଙ୍ଗ) ପକ୍ଷରେ କମ୍ ଗୌରବର ବିଷୟ ନୁହେଁ ।

ଏହାପରେ ଓଡ଼ିଆଜାତିର ନମସ୍ୟ ପରମ ଶ୍ରଦେ୍ଧୟ ଓଡ଼ିଆ ଭକ୍ତକବି ଓ ସଙ୍ଗୀତଜ୍ଞ ଜୟଦେବଙ୍କ ଦ୍ୱାରା ପ୍ରବର୍ତ୍ତିତ ଗୀତଗୋବିନ୍ଦ ସଙ୍ଗୀତ ଧାରା (ରାଗ-କ୍ଷୁଦ୍ରଗୀତ ପ୍ରବନ୍ଧ-ଗାନ) ଓଡ଼ିଶାରେ ପୂର୍ବରୁ ପ୍ରଚଳିତ ହୋଇଆସିଥିବା ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ (ରାଗ-ପ୍ରବନ୍ଧ-ଗାନ)କୁ ଏକ ନୂତନ ରୂପ ପ୍ରଦାନ କରିଥିଲା ଏବଂ ତାହା ହିଁ ପରବର୍ତ୍ତୀକାଳରେ ଓଡ଼ିଶାର ମୌଳିକ ସଙ୍ଗୀତଧାରା ‘ଉଡ଼୍ର-ସଙ୍ଗୀତ ପଦ୍ଧତି’ର ସୃଷ୍ଟି ପାଇଁ ଏକ ସୁଦୃଢ଼ଭିତ୍ତି ରୂପେ କାର୍ଯ୍ୟ କରିଥିଲା ।

ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବଦାସୀ ନୃତ୍ୟରେ ପ୍ରତ୍ୟହ ଗୀତଗୋବିନ୍ଦ ଗାନ ଏକ ସେବାପୂଜା ନୀତି ରୂପେ ଗୃହିତ ହେବା ଦ୍ୱାରା ଓଡ଼ିଶାରେ ସଙ୍ଗୀତ ଓ ନୃତ୍ୟ ସ୍ଥାୟୀଭାବେ ପ୍ରତିଷ୍ଠିତ ହେଲା ଏବଂ କାଳକ୍ରମେ ଶ୍ରୀ ଜଗନ୍ନାଥଙ୍କ ପୁଣ୍ୟପୀଠ ପୁରୀ ହିଁ ହୋଇଉଠିଲା ସଙ୍ଗୀତ ଚର୍ଚ୍ଚାର ମୁଖ୍ୟସ୍ଥଳୀ । ଶ୍ରୀ ଜଗନ୍ନାଥଙ୍କ ଚନ୍ଦନଯାତ୍ରା, ଝୁଲଣଯାତ୍ରା ତଥା ବିଭିନ୍ନ ପର୍ବପର୍ବାଣୀମାନଙ୍କରେ ଜୟଦେବ, ଉପେନ୍ଦ୍ରଭଞ୍ଜ, କବିସୂର୍ଯ୍ୟ, ଗୋପାଳକୃଷ୍ଣ ଆଦି କବି ତଥା ସଙ୍ଗୀତଜ୍ଞମାନଙ୍କର ରଚନାବଳୀ ଓଡ଼ିଶାର ମୌଳିକ ପଦ୍ଧତି ଅନୁସାରେ ପରିବେଶିତ ହେବାକୁ ଲାଗିଲା । ପୁରୀ ସହରର ‘ଜାଗା ଓ ଆଖଡ଼ା’ ତଥା ପୁରୀଜିଲ୍ଲାର ୧୬ଶାସନ, ୩୨କରବାଡ଼ (ବ୍ରାହ୍ମଣ ବସତି ଗ୍ରାମ)ମାନଙ୍କରେ ଓଡ଼ିଶାର ସେହି ମୌଳିକ ଉଚ୍ଚାଙ୍ଗ ସଙ୍ଗୀତର ଚର୍ଚ୍ଚା ବୃଦ୍ଧିପାଇବାକୁ ଲାଗିଲା । ଓଡ଼ିଶାର ସେହି ମୌଳିକ ଉଚ୍ଚାଙ୍ଗ ସଙ୍ଗୀତ ବା ଉଡ଼୍ର ପଦ୍ଧତୀୟ ସଙ୍ଗୀତ ଶ୍ରୀ ଜଗନ୍ନାଥ ମନ୍ଦିରରେ ବିଶେଷ ଭାବରେ ଆଦୃତ ହୋଇଆସିଥିଲା । ପୁରୀର ପୁରପଲ୍ଲୀର ତଥା ପୁରୀ ବାହାରର ସଙ୍ଗୀତଜ୍ଞମାନଙ୍କ ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ଏକ ସର୍ବୋକ୍ରୃଷ୍ଟ ତଥା ଗୌରବମୟ ଶାସ୍ତ୍ରୀୟ ସଙ୍ଗୀତ ମଞ୍ଚ ରୂପେ ସର୍ବଦା ବିବେଚିତ ହୋଇଆସିଛି । ଆଜି ମଧ୍ୟ ଓଡ଼ିଶାର ବା ଓଡ଼ିଶା ବାହାରର ଯେକୌଣସି ଶିଳ୍ପୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ନିଜର ସଙ୍ଗୀତ ପରିବେଷଣ କରିବା ପାଇଁ ମଧ୍ୟ ବିଶେଷ ବ୍ୟାକୁଳ ।

ପଦ୍ୟ ପ୍ରଧାନ ଓଡ଼ିଆ ସାହିତ୍ୟର ଆଦିଯୁଗଠାରୁ ଅର୍ଥାତ ବୌଦ୍ଧଗାନ ଦୋହାଠାରୁ ଆରମ୍ଭକରି ଶାରଳା ମହାଭାରତ, କଳାସା, ଚର୍ଯ୍ୟାପଦ, ପୁରାଣ ଇତ୍ୟାଦି ଦ୍ୱାରା ଓଡ଼ିଆ ପ୍ରାଚୀନ ସାହିତ୍ୟର ସର୍ବାଙ୍ଗିନ ବିକାଶ ହୋଇଥିବାବେଳେ ଓଡ଼ିଶାର ସଙ୍ଗୀତ ଓ ସଙ୍ଗୀତଜ୍ଞ ଆମ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରତିଷ୍ଠା ଅର୍ଜନ କରିଥିଲେ । କିନ୍ତୁ ସେମାନଙ୍କର ସଙ୍ଗୀତ ଏ ପର୍ଯ୍ୟନ୍ତ ମୁଦ୍ରିତାକାରରେ ଲୋକଲୋଚନକୁ ଆସିପାରି ନାହିଁ । ଦାମୋଦର  ପଟ୍ଟନାୟକଙ୍କର ସମ୍ପାଦନାରେ ‘ସଙ୍ଗୀତ ସାଗର’ ନାମକ ପୁସ୍ତକରେ କେତେକ ଓଡ଼ିଆ ସଙ୍ଗୀତ ସଂଗୃହିତ ହୋଇ ପ୍ରକାଶିତ ହେବାର ଉଦ୍ୟମ ହୋଇଛି । ଓଡ଼ିଆ ଛନ୍ଦ, ସାହିତ୍ୟ ତଥା ସଙ୍ଗୀତ ଉଭୟ ପର୍ଯ୍ୟାୟଭୁକ୍ତ ହେଲେ ହେଁ ନାନା ରାଗରାଗିଣୀରେ ରଚିତ ଓଡ଼ିଆ ସଙ୍ଗୀତର ସାହିତ୍ୟିକ ମୂଲ୍ୟବୋଧ କମ୍ ନୁହେଁ । ବହୁ ପ୍ରାଚୀନ ଉକ୍ରଳୀୟ ରାଜନ୍ୟବର୍ଗ ଅତ୍ୟନ୍ତ ସଙ୍ଗୀତ ପ୍ରିୟ ଥିଲେ ଓ ନିଜେ ମଧ୍ୟ ସଙ୍ଗୀତ ରଚନା କରୁଥିଲେ । ଓଡ଼ିଶାରେ ଯାତ୍ରାଗୀତ, ପାଲାଗୀତ, ଶବରଶବରୁଣୀ ଗୀତ, ପାଟୁଆନାଚ-ଗୀତ, ଦଣ୍ଡଯାତ୍ରା, ମଧୁ ମଙ୍ଗଳଗୀତ, ଗୋପାଳଙ୍କ ଓଗାଳ, କୃଷ୍ଣଲୀଳା, ରାମଲୀଳା, ଚଇତି ଘୋଡ଼ାନାଚ, କରମା, ଡାଲଖାଇ ତଥା ଅରଣ୍ୟର ଆଦିବାସୀମାନଙ୍କ ନାନା ପ୍ରକାର ଗୀତ ଆଦି ବିଭିନ୍ନ ପର୍ଯ୍ୟାୟର ବିଭିନ୍ନ ଶ୍ରେଣୀର ସାଙ୍ଗୀତିକ ରଚନା ଭରପୁର ରହିଛି । ଓଡ଼ିଶାର ସାଧାରଣ ଅପାଠୁଆ ଲୋକଟିଏ ବି ମୁହଁରେ ସଙ୍ଗୀତ ସୃଷ୍ଟି କରିପାରୁଥିଲା । ଏଥିରୁ ଏ ଜାତିର ସହଜାତ ସଙ୍ଗୀତ ପ୍ରିୟତାର ପ୍ରମାଣ ମିଳେ । ଏହିପରି ଓଡ଼ିଆ ସଙ୍ଗୀତ, ଭଜନ, ଜଣାଣ, ଛାନ୍ଦ, ଚଉପଦି, ଚମ୍ପୁ, ଆଦି ଓଡ଼ିଆ ସଙ୍ଗୀତର ରଚକମାନଙ୍କର ସଂଖ୍ୟା ନିର୍ଣ୍ଣୟ କରିବା ସହଜସାଧ୍ୟ ନୁହେଁ । ତଥାପି ବହୁ ଆୟାସସ୍ୱୀକାର କରି ଓଡ଼ିଆ ଇତିହାସର ଅନ୍ୟତମ ଦିଗ୍ଦ୍ରଷ୍ଟା ସ୍ୱର୍ଗତ ଶ୍ରୀ ଜଗବନ୍ଧୁ ସିଂହ ତାଙ୍କ ‘ପ୍ରାଚୀନ ଉକ୍ରଳ’ ପୁସ୍ତକରେ ୩୨ପ୍ରକାର ଓଡ଼ିଶୀ ରାଗ ତାଳ ଓ ୧୧୪ଜଣ ସଙ୍ଗୀତ ରଚୟିତାଙ୍କର ନାମୋଲ୍ଲେଖ କରିଛନ୍ତି । (ଓଡ଼ିଆ ସାହିତ୍ୟ ଏକାଡ଼େମୀ ଦ୍ୱାରା ପ୍ରକାଶିତ ପ୍ରାଚୀନ ଉକ୍ରଳ ପୃ-୧୮୯ ଓ ୧୯୪ ଦ୍ରଷ୍ଟବ୍ୟ)

ଆଜି ଓଡ଼ିଶାରେ ସୌଖିନଭାବେ ବା କଳାକାରଙ୍କ ଦୃଷ୍ଟିକୋଣରୁ, ନଚେତ ବ୍ୟବସାୟିକ ଉଦ୍ଦେଶ୍ୟରେ ସଙ୍ଗୀତ ଶିକ୍ଷାଦାନ କରି ଜୀବିକାଅର୍ଜନ କରୁଥିବା ଓଡ଼ିଶା ସଙ୍ଗୀତଜ୍ଞ ତଥା ଓଡ଼ିଶୀ ସଙ୍ଗୀତ ବିଦ୍ୟାର୍ଥୀମାନଙ୍କର ସଂଖ୍ୟା ଅଳ୍ପ ନୁହେଁ । ସଙ୍ଗୀତ ଶିକ୍ଷାନୁଷ୍ଠାନମାନଙ୍କରୁ ସେମାନଙ୍କ ପାଠ୍ୟକ୍ରମ ଅନୁସାରେ ଓଡ଼ିଶୀ ସଙ୍ଗୀତରେ ତାଲିମପ୍ରାପ୍ତ ହୋଇ ବହୁସଂଖ୍ୟକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେଉଛନ୍ତି । ଆକାଶବାଣୀ, ଦୂରଦର୍ଶନ ସାଂସ୍କୃତିକ ଅନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାନମାନଙ୍କ ଦ୍ୱାରା ଓଡ଼ିଶୀ ସଙ୍ଗୀତର ପ୍ରଚାର ବୃଦ୍ଧି ପାଇବାକୁ ଲାଗିଛି । ମାତ୍ର ଏ ସମସ୍ତ ଉଦ୍ୟମ ସତ୍ତେ୍ୱ ଆଜିସୁଦ୍ଧା ଓଡ଼ିଶାର ପ୍ରକୃତ ପାରମ୍ପରିକ ପୁଷ୍ଟ ମୌଳିକ ଉଚ୍ଚାଙ୍ଗସଙ୍ଗୀତ ଯଥାଯଥ ଭାବରେ ଲୋକଲୋଚନକୁ ଆସିପାରି ନଥିବା କମ୍ ଦୁଃଖର ବିଷୟ ନୁହେଁ । ଏହାଠାରୁ ଅଧିକ ଦୁଃଖଦାୟକ ବିଷୟ ଏହା ଯେ, ଯେଉଁ ଅନୁଷ୍ଠାନ ବା ଯେଉଁ ସଙ୍ଗୀତଜ୍ଞ ସେହି ମୌଳିକ ଉଚ୍ଚାଙ୍ଗ ସଙ୍ଗୀତକୁ ଉଦ୍ଧାର କରି ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରୁଛନ୍ତି, ତାଙ୍କୁ ଆବଶ୍ୟକୀୟ ସୁବିଧାସୁଯୋଗ ଓ ଆର୍ଥିକ ଅନୁଦାନ ମିଳୁନାହିଁ ବରଂ ତାହାଙ୍କୁ ନିରୁତ୍ସାହିତ କରାଯାଉଛି । ଏଥିପାଇଁ କିଏ ଦାୟୀ, ସରକାର? ନା ଏକାଡ଼େମୀ? ନା ଓଡ଼ିଶାର ଜନସାଧାରଣ? ତାହା ବୁଦ୍ଧିଜୀବୀମାନେ ବିଚାର କରନ୍ତୁ ।

ବିଗତ ୫୨ବର୍ଷ ମଧ୍ୟରେ ଯେଉଁ ଓଡ଼ିଶୀସଙ୍ଗୀତ ବହୁଳଭାବରେ ପ୍ରଚାରିତ ହେଉଛି ତାହାକୁ ଶାସ୍ତ୍ରୀୟସଙ୍ଗୀତ ବୋଲି କହିବା ତ ଦୂରର କଥା, ମାତ୍ର ତାହାକୁ ଓଡ଼ିଶାର ପ୍ରାଚୀନ ପରମ୍ପରା ପୁଷ୍ଟ ମୌଳିକ ନିଜସ୍ୱ ସଙ୍ଗୀତ ବୋଲି କୁହାଯାଇପାରିବ ନାହିଁ । ଏହାର ପ୍ରକୃତ କାରଣ ହେଉଛି, ଓଡ଼ିଶାର ପ୍ରାଚୀନ ପାରମ୍ପରିକ ଓଡ଼ିଶୀ ସଙ୍ଗୀତର ମୌଳିକତାର ସୁରକ୍ଷା ଓ ତା’ର ସମୁନ୍ନତ ହୋଇପାରିବା ଭଳି ଏକ ସୁଚିନ୍ତିତ ଯୋଜନା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ । ତେଣୁ ଆଜି ବିଭିନ୍ନ ମାଧ୍ୟମରେ ଓଡ଼ିଶୀ ସଙ୍ଗୀତ ନାମରେ ଯାହାସବୁ ବହୁଳ ପ୍ରଚାରିତ ହେଉଛି, ତା’ର ଶୁଦ୍ଧତା ଓ ମୌଳିକତା ଉପରେ ଯଥେଷ୍ଟ ପରିମାଣରେ ସନ୍ଦେହ ଉଦ୍ରେକ ହେଉଛି । ବ୍ୟାକରଣ ବିହୀନ ଯେକୌଣସି କଳାବିଦ୍ୟାରେ ଯେପରି ଅପମିଶ୍ରଣ ଜନିତ ଅପକର୍ଷ ଘଟିଥାଏ, ଠିକ୍ ସେହିଭଳି ଅବସ୍ଥା ତଥାକଥିତ ଓଡ଼ିଶୀ ସଙ୍ଗୀତର ଆସିଯାଇଛି । ଓଡ଼ିଶୀ ସଙ୍ଗୀତର ଆଜିର ଏହି ବିଭ୍ରାନ୍ତିକର ପରିସ୍ଥିତିର ଫାଇଦା ଉଠାଇ ଓଡ଼ିଶାବାହାରେ ମଧ୍ୟ ଅଶୁଦ୍ଧ ଓଡ଼ିଶୀ ସଙ୍ଗୀତର ପ୍ରଚାର ହେଉଛି । ଏହାଦ୍ୱାରା ଓଡ଼ିଶା ବାହାରର ସଙ୍ଗୀତ ବିଦ୍ୱାନମାନଙ୍କ ମଧ୍ୟରେ ଓଡ଼ିଶୀ ସଙ୍ଗୀତ ପ୍ରତି ଅସମ୍ମାନସୂଚକ ଭାବନା ଉଦ୍ରେକ ହେଉନଥିବ କାହିଁକି? ଏଣୁ ଆମର ବୁଝିରଖିବା ଉଚିତ ଯେ ଆଜି ଯେଉଁପ୍ରକାରର ଓଡ଼ିଶୀ ସଙ୍ଗୀତ ବହୁଳଭାବରେ ପ୍ରଚାରିତ ହେଉଛି, ସେଥିରେ ସିଦ୍ଧାନ୍ତ ଦୃଷ୍ଟିରୁ କିଛି ନା କିଛି ଗୁରୁତର ପ୍ରମାଦ ରହିଯାଇଛି ଯାହା ଦ୍ୱାରା କି ଓଡ଼ିଶୀ ସଙ୍ଗୀତ ନେଇ ବିଭ୍ରାନ୍ତି ଉପୁଜିଛି ଏବଂ ସେହି ପ୍ରମାଦ ଅନ୍ୟକିଛି ନୁହେଁ, କେବଳ ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକି ସଙ୍ଗୀତ ପଦ୍ଧତିର ମେଳ-ରାଗ-ତାଳ ଓ ଅନ୍ୟାନ୍ୟ ଉପାଦାନମାନଙ୍କୁ ଓଡ଼ିଶୀ ସଙ୍ଗୀତରେ ପ୍ରଚଳନ କରାଇବା । ତେଣୁ ଏ ସମସ୍ତ ପ୍ରମାଦକୁ ଦୂରକରି ବିଶୁଦ୍ଧ ପାରମ୍ପରିକ ଓଡ଼ିଶୀ ସଙ୍ଗୀତର ମୌଳକତା ଓ ଶାସ୍ତ୍ରୀୟତାକୁ ପ୍ରମାଣ କରାଇ ତା’ର ପୂର୍ବ ଗୌରବକୁ ଫେରାଇ ଆଣିବା ଆମର ଜାତୀୟ କର୍ତ୍ତବ୍ୟ ।

ବିଜ୍ଞାନବିଶ୍ରୁତ ବିଶ୍ୱର ପ୍ରତ୍ୟେକଟି ପରିବର୍ତ୍ତନ ସହିତ ଆମେ ଆଜି ସଚେତନ ହୋଇପାରୁଛୁ । ତେବେ ଜଣେ ବ୍ୟକ୍ତି ଯେତେବେଳେ ଯେଉଁଠାରେ ଯେପରି ଅବସ୍ଥାରେ ଥାଉନା କାହିଁକି (ପରିବର୍ତ୍ତିତ ପରିସ୍ଥିତି ସହିତ ଖାପଖୁଆଇ ଅଙ୍ଗଲଜ୍ଜାକୁ ଭଦ୍ରଜନୋଚିତ କରି ସଜାଇଲେ ମଧ୍ୟ) ନିଜର ମୌଳିକ ଆତ୍ମିୟ ବ୍ୟକ୍ତିତ୍ୱଟିକୁ ନେଇ ସେ ସର୍ବତ୍ର ବିଚରଣ କରିବାକୁ ବାଧ୍ୟ ।

ସେହି ପରିପ୍ରେକ୍ଷୀରେ ଓଡ଼ିଆ ଯେ ଏକ ଅତି ପ୍ରାଚୀନ ମହାର୍ଘ ସଂସ୍କୃତିର ମହାନ ଉତ୍ତରଦାୟାଦ ସେ କଥା ଭୁଲିଯାଇ ପରମୁଖାପେକ୍ଷିତା ବୃତ୍ତିକୁ ଆଗ୍ରହର ସହିତ ଗ୍ରହଣକରିବା ଠାରୁ ବଳି ଲଜ୍ଜାର କଥା କ’ଣ ଥାଇପାରେ? ଏହା କ’ଣ ସେହି ଶୃଗାଳଗୋଷ୍ଠୀ ମଧ୍ୟରେ ଲାଳିତପାଳିତ ସ୍ୱଧର୍ମବିସ୍ମୃତ ସିଂହ ଶିଶୁଟିଏ?

ସେପରି ହେବାକୁ ଦେବାନାହିଁ । ବରଂ ଆମର ପ୍ରାଚୀନ ତଥା ସମୃଦ୍ଧିବନ୍ତ ଓଡ଼ିଆ ସଂସ୍କୃତିର ଅନ୍ୟତମ ଗୌରବାବହ ବିଭବ ଓଡ଼ିଶୀ ଚମ୍ପୁ ଓ ଛାନ୍ଦ ଇତ୍ୟାଦିର ମୌଳିକତା ଓ ଶାସ୍ତ୍ରୀୟତା ସମ୍ପର୍କରେ ଗବେଷଣାତ୍ମକ ତଥ୍ୟ ସଂଗ୍ରହ କରି ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଓଡ଼ିଶାର ଉଚ୍ଚାଙ୍ଗସଙ୍ଗୀତକୁ ସର୍ବଭାରତୀୟ ସ୍ତରରେ ବା ଆନ୍ତର୍ଜାତିୟ କ୍ଷେତ୍ରରେ ତାହା ନାର୍ଯ୍ୟ ମର୍ଯ୍ୟାଦା ହାସଲ କରିବା ନିମିତ୍ତ ଆମର ସମସ୍ତ ସଙ୍ଗୀତାନୁରାଗୀ ବ୍ୟକ୍ତି, ସଙ୍ଗୀତ ସାଧକ, ସଙ୍ଗୀତ ଶିକ୍ଷକ ବା ବିଶେଷଜ୍ଞ ବୃନ୍ଦଙ୍କର ସମ୍ମିଳିତ ଉଦ୍ୟମ ହେବା ଉଚିତ ।

ଏହି ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବାକୁ ୧୯୬୬ମସିହା ଶୁଭ ଦୀପାବଳୀ ଉତ୍ସବ ଦିନ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣାରୁ ଓଡ଼ିଶୀ ସଙ୍ଗୀତପ୍ରେମୀଙ୍କ ଉଦ୍ୟମରେ ‘ଓଡ଼ିଶୀ ବିକାଶ ପ୍ରତିଷ୍ଠାନ’ ଅନୁଷ୍ଠାନଟି ଜନ୍ମଗ୍ରହଣ କରେ ।

ଏପରି ଏକ ସଂସ୍ଥା ଗଠନ ନିମନ୍ତେ ୧୯୬୩ମସିହାରେ ପୁରୀକୁ ଆସିଥିବା ସମୟରେ ଭାରତର ଅନ୍ୟତମ ବିଶ୍ୱବରେଣ୍ୟ ସଙ୍ଗୀତଜ୍ଞ ସଙ୍ଗୀତ ମାର୍ତ୍ତଣ୍ଡ ସ୍ୱର୍ଗତ ଓଁକାରନାଥ ଠାକୁର ମହାଶୟଙ୍କ ପ୍ରେରଣା ଓ ଉତ୍ସାହ ଉଲ୍ଲେଖଯୋଗ୍ୟ । ସେ ମହାଶୟ ପୁରୀର ଜାଗା ଆଖଡ଼ାର ଓଡ଼ିଶୀ ସଙ୍ଗୀତ ଶୁଣିଲା ପରେ ମୌଳିକ ଓଡ଼ିଶୀ ସଙ୍ଗୀତର ଚୁର୍ଚ୍ଚା ଓ ଗବେଷଣା ପାଇଁ ଏପରି ଏକ ସ୍ୱତନ୍ତ୍ର ଅନୁଷ୍ଠାନ ଗଠନ କରିବା ନିମନ୍ତେ ଇଚ୍ଛାପ୍ରକାଶ କରି ଆର୍ଶୀବାଦ ଦେଇଥିଲେ । ଏହି ଅନୁଷ୍ଠାନର ମୂଳ ଉଦ୍ୟୋକ୍ତାଭାବେ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପ୍ରତିହାରୀ, ବାଦ୍ୟ ବିଶାରଦ ଶ୍ରୀଯୁକ୍ତ କାଶୀନାଥ ମୁଦଲୀ, ପଣ୍ଡିତ ନୃସିଂହନାଥ ଖୁଣ୍ଟିଆ, କୃଷ୍ଣଚନ୍ଦ୍ର ଗୋଚ୍ଛିକାର, ଲୋକନାଥ ମହାପାତ୍ର, ବାଳକୃଷ୍ଣ ପ୍ରତିହାରୀ, ଶ୍ୟାମସୁନ୍ଦର ହୋତା ଏବଂ ପଣ୍ଡିତ ଡଃ ଦାମୋଦର ହୋତା ପ୍ରମୁଖଙ୍କ ନିଃସ୍ୱାର୍ଥପର ପ୍ରଗାଢ଼ ଉଦ୍ୟମ ପ୍ରଶଂସନୀୟ । ଦୀର୍ଘ ୨୫ବର୍ଷ ଧରି ଏହି ଅନୁଷ୍ଠାନ ମାଧ୍ୟମରେ ସଙ୍ଗୀତ ସାଧନା କରିଚାଲିଛନ୍ତି । ପ୍ରଭୁ ଜଗନ୍ନାଥ ତାଙ୍କୁ ଦୀର୍ଘାୟୁ କରନ୍ତୁ ଓ ତାଙ୍କ ଉଦ୍ୟମ ସଫଳ ହେଉ । ଏହାହିଁ ପ୍ରାର୍ଥନା… ।

ଶ୍ରୀ ନରସିଂହ ନନ୍ଦଙ୍କର ଉକ୍ତ ଲେଖାଟି ପଞ୍ଚମ ‘ତ୍ରୀଧାରା ସଙ୍ଗୀତ ସମ୍ମିଳନୀ’ ଅବସରରେ ପ୍ରକାଶିତ ହୋଇସାରିଛି । ଲେଖାଟିର ଉପାଦେୟତାକୁ ଅନୁଭବକରି ଏଠାରେ ପୁନର୍ବାର ପ୍ରକାଶ କରାଯାଇଛି ।

About ଶ୍ରୀ ନରସିଂହ ନନ୍ଦ

Avatar
ଗୁରୁ, କଳାକାର

Check Also

ସୁରମଣି ରଘୁନାଥ ପାଣିଗ୍ରାହୀ ଜଣେ ଅଦ୍ୱିତୀୟ ସଙ୍ଗୀତଜ୍ଞ (ଜନ୍ମ ଦିନରେ )

ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ଓ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତରେ ପାଣ୍ଡିତ୍ୟ ତଥା ଓଡ଼ିଶୀରେ ଏକ ଭିନ୍ନଶୈଳୀର ପ୍ରବର୍ତ୍ତକ ପଣ୍ଡିତ ରଘୁନାଥ …

Leave a Reply

Your email address will not be published. Required fields are marked *