Home / ସମୀକ୍ଷା / ଉପାନ୍ତର କବି ଖଗେଶ୍ୱର ଶେଠ

ଉପାନ୍ତର କବି ଖଗେଶ୍ୱର ଶେଠ

ପଶ୍ଚିିମ ଓଡିଶା ଓ କୋଶଳି ଭାଷା     

ପଶ୍ଚିମ ଓଡ଼ିଶା ଏବଂ ତତ୍ସଂଲଗ୍ନ ଛତିଶଗଡ଼ ଅନ୍ଚଳରେ ପ୍ରଚଳିତ ଭାଷା ‘କୋଶଳି’, ‘ସମ୍ବଲପୁରୀ’ ତଥା ‘କୋଶଳି-ସମ୍ବଲପୁରୀ’ ଆଦି ନାଁରେ ଜଣାଶୁଣା । ଏହି ଭାଷାରେ ଲୋକଗୀତର ପରମ୍ପରା ଖୁବ୍ ପୁରାତନ । ଶୃତିମଧୁରତା ଯୋଗୁଁ ସମ୍ବଲପୁରୀ ଗୀତି-କବିତା ବାକୀ ଓଡ଼ିଶା ଏବଂ ଓଡ଼ିଶା ବାହାରେ ମଧ୍ୟ ଲୋକପ୍ରିୟ । ୧୯୮୦ ଦଶକରୁ କୋଶଳି ଭାଷା ଆନ୍ଦୋଳନ ଦିନକୁ ଦିନ ବଳିଷ୍ଠ ହେବାରେ ଲାଗିଛି । ଗତ ତିନି-ଚାରିି ଦଶନ୍ଧି ହେଲା କୋଶଳିରେ ଅନେକ ନାଟକ, ଉପନ୍ୟାସ, ଗଳ୍ପ ଏବଂ ନିବନ୍ଧ ଆଦି ଲେଖା ହେଉଛି; ପ୍ରକାଶିତ ହେଉଛି । ‘ରାମରାହା’ ଶୀର୍ଷକରେ ସମ୍ବଲପୁରୀ ରାମାୟଣ (ଲେଖକ ହେମଚନ୍ଦ୍ର ଆଚାର୍ଯ୍ୟ), ‘ମହାଭାରତ କଥା’ (ଲେଖକ ନୀଳମାଧବ ପାଣିଗ୍ରାହୀ) ତଥା ‘ସମ୍ବଲପୁରୀ-ଓଡ଼ିଆ ଶଦ୍ଦକୋଷ’ (ଲେଖକ ପ୍ରଫୁଲ୍ଲ କୁମାର ତ୍ରିପାଠୀ) ଆଦି ଏହି ଭାଷାରେ ଲିଖିତ କେତୋଟି ପୁସ୍ତକ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ, ବହୁଚର୍ଚ୍ଚିତ । ସତ୍ୟନାରାୟଣ ବହିଦାର, ପ୍ରୟାଗଦତ୍ତ ଜ୍ୟୋଷୀ, ଶଶିଭୂଷଣ ମିଶ୍ର ଶର୍ମା ଆଦି ହେଲେ କୋଶଳି, ସମ୍ବଲପୁରୀର ପରିଚିତ ଆଦ୍ୟ ଲେଖକ । ଏହି ଭାଷାର କବି ହଳଧର ନାଗଙ୍କୁ ନିକଟରେ (୨୦୧୬) ‘ପଦ୍ମଶ୍ରୀ’ ସମ୍ମାନ ଦିଆଯାଇଛି । ହଳଧର ନାଗ ଜଣେ ଗ୍ରାମ୍ୟ ସ୍ତରୀୟ କବି ଏବଂ କେବଳ ସମ୍ବଲପୁରୀରେ ସେ କାବ୍ୟ-କବିତା ଲେଖନ୍ତି । ଅନ୍ୟ ଭାଷାରେ ଲେଖିବା ତ ଦୂରର କଥା, ସେ କଥାଭାଷା ମଧ୍ୟ କରିପାରନ୍ତି ନାହିଁ; ଓଡ଼ିଆ, ହିନ୍ଦି ଏବଂ ଛତିଶଗଡି କେବଳ ବୁଝିପାରନ୍ତି । ଅର୍ଥାତ୍, କୋଶଳିରେ ସେ ଯଦି ଲେଖିନଥାଂତେ, ହୁଏତ ମୋଟେ ଲେଖିପାରିନଥାଂତେ । ଏହି କାରଣରୁ ‘ପଦ୍ମଶ୍ରୀ’ ସମ୍ମାନ ବ୍ୟକ୍ତିଗତ ସ୍ତରରେ ଯେତିକି ହଳଧର ନାଗଙ୍କୁ, ସାମୂହିକ ସ୍ତରରେ ସେମିତି ସମ୍ବଲପୁରୀ ଭାଷା ଆନ୍ଦୋଳନକୁ ମର୍ଯ୍ୟାଦା ପ୍ରଦାନ କରେ । ଏହା କୋଶଳି-ସମ୍ବଲପୁରୀ ଭାଷାରେ ଲେଖିଥିବା ଏବଂ ଲେଖୁଥିବା ଅନ୍ୟ କବି, ଲେଖକଙ୍କ ସମ୍ବନ୍ଧରେ ବୌଦ୍ଧିକ ଆଲୋଚନା ନିମନ୍ତେ ସୁଯୋଗ ମଧ୍ୟ ସୃଷ୍ଟି କରେ । ସଂସ୍କୃତି ହେଲା ସାମାଜିକ ଜୀବନର ପ୍ରତିଫଳନ । ପୁଣି, ଅନ୍ୟ ଦୃଷ୍ଟିରୁ ଦେଖିଲେ, ସଂସ୍କୃତି ହିଁ ଅନେକାଂଶରେ ସାମାଜିକ ଜୀବନକୁ ଦିଶା-ନିର୍ଦ୍ଦେଶ ଦିଏ; ସମନ୍ୱିତ ଏବଂ ସଂଯୋଜିତ କରେ । ସଂସ୍କୃତି ଏବଂ ସାମାଜିକ ଜୀବନକୁ ପରସ୍ପରଠାରୁ ପୃଥକ କରି ବୁଝାଯାଇପାରେନା । ଅନ୍ୟ ଶବ୍ଦରେ କହିଲେ, ଏକ ବିଶେଷ ଭୌଗଳିକ କ୍ଷେତ୍ରର ସାମାଜିକ ଜୀବନ ଏବଂ ବୌଦ୍ଧିକ ଚେତନାକୁ ବୁଝିବା ଲାଗି ସେଠାକାର ସାହିତ୍ୟ ଓ ସଂସ୍କୃତି ହେଲା ଏକ ବଳିଷ୍ଠ ମାଧ୍ୟମ । ସେହି ପରିପ୍ରେକ୍ଷୀରେ ପଶ୍ଚିମ ଓଡ଼ିଶାର ଜଣେ ବିଶିଷ୍ଟ ଅଥଚ କମ ଚର୍ଚ୍ଚିତ କବି ଖଗେଶ୍ୱର ଶେଠ (୧୯୦୬-୧୯୮୭) ଓ ତାଙ୍କ ସାହିତ୍ୟକୃତି ସମ୍ବନ୍ଧରେ ଆଲୋଚନା କରିବାକୁ ଏଠାରେ ପ୍ରୟାସ କରାଯାଇଛି । ଆଜିର ଓଡ଼ିଶା ଏବଂ ତା’ର ସାମାଜିକ ଜୀବନକୁ ବୁଝିବା ଦିଗରେ ଏହା ସହାୟକ ହେବ ବୋଲି କରାଯାଏ ।

ଖଗେଶ୍ୱରଂକ ପାରିବାରିକ ପରିବେଶ

କବି ଖଗେଶ୍ୱର ଶେଠଙ୍କ ଜନ୍ମ ଏପ୍ରିଲ ୨୬ ତାରିଖ ୧୯୦୬ ମସିହାରେ; ବରଗଡ଼ ସହରର ଉପକଣ୍ଠରେ ସ୍ଥିତ ସରସରା ଗାଁରେ; ଏକ ଦରିଦ୍ର ଦଳିତ କେଉଟ ପରିବାରରେ । ପିତା ହୃଷିକେଶ ଶେଠ ଏବଂ ମାତା ଯାଜ୍ଞସେନୀଙ୍କ ସେ ଥିଲେ ସପ୍ତମ ସନ୍ତାନ । ପାରମ୍ପରିକ ସମାଜରେ କେଉଟମାନେ ହେଲେ ଦଳିତ, ଯଦିଓ ଗାଁ ସମାଜରେ (ପଶ୍ଚିମ ଓଡ଼ିଶାରେ) ସେମାନଙ୍କୁ ଅସ୍ପୃଶ୍ୟ ଗଣାଯାଏ ନାହିଁ । ଅର୍ଥାତ୍ ଜାତି ମାନ୍ୟତା ଅନୁସାରେ କେଉଟର ସ୍ଥାନ ‘ଅସ୍ପୃଶ୍ୟ’ ଦଳିତଠାରୁ ଉଦ୍ଧ୍ୱର୍ରେ, ମାତ୍ର ଗାଁର ଅନ୍ୟ ‘ତଳ’ ଜାତିରୁ ମଧ୍ୟ ତଳେ । ମାଛ ମାରି, ଜାଲ ବୁଣି ତଥା ଗାଁରେ ମୁଢି ଭାଜି କେଉଟମାନେ ଜୀବିକା ନିର୍ବାହ କରନ୍ତି । ପ୍ରାୟତଃ ସେମାନେ ଭୂମିହୀନ ଅଥବା ନିମ୍ନଚାଷୀ ବର୍ଗର; ମୁଖ୍ୟ ବେଉଷା ମୁଢି ଭାଜି ଗାଁରେ ବିକ୍ରି କରିବା । ଦିନ ମଜୁରିଆ ଚଳଣି । କେଉଟମାନଙ୍କର ଆର୍ଥିକ ସ୍ଥିତି ଏବଂ ଜାତିର ସ୍ତର କଥା ଏହି ଉଦାହରଣରୁ ଅନୁମାନ କରି ହେବ ଯେ, ମୁଢି ଭାଜିବା ଲାଗି ଲୋଡ଼ା ପଡ଼ୁଥିବା ଘନାହାଣ୍ଡି (ବଡ଼ମାଟି ହାଣ୍ଡି) କୁ ସେମାନେ କୁମ୍ଭାର ପାଖରୁ କିଣନ୍ତି ନାହିଁ; ଶୁଦ୍ଧିକ୍ରିୟା ଆଦି କାରଣରୁ ଗାଁର କୌଣସି ସମ୍ପନ୍ନ ପରିବାରର ପାକଶାଳା ମାରା ଗଲେ, ସେଠାରୁ ମାଟିହାଣ୍ଡିକୁ ସଙ୍ଗ୍ରହ କରି ବ୍ୟବହାର ଯୋଗ୍ୟ କରଂତି । ଅର୍ଥାତ୍ ମାରା ମାଟିହାଣ୍ଡିକୁ ବ୍ୟବହାର କଲାବେଳେ କେଉଟ ଜାତିର ସ୍ୱୀକୃତି ରହିଥାଏ, ଯାହାର ପରୋକ୍ଷ କାରଣ ହୁଏ ଆର୍ଥିକ ଅସମ୍ପନ୍ନତା । କେଉଟ ଘର ମୁଢିକୁ କୁଳିନ ପରିବାର ଅ-ଭୋଜ୍ୟ ମନେ କରଂତି । ଅବଶ୍ୟ ଆଜି ଗ୍ରାମ୍ୟ ରହଣିରେ ନାହିଁ ନଥିବା ପରିବର୍ତନ ସବୁ ସଙ୍ଘଟିତ ହେଲାଣି । ମୁଢି ଭଜା ବେଉଷା ମଧ୍ୟ ଗାଁ କେଉଟ ଘରର କର୍ତୃତ୍ୱ ବାହାରେ! ସେ ଯାହା ହେଉ, ହୃଷିକେଶ ଶେଠ ଏବଂ ତାଂକ ଅନ୍ତେ ଖଗେଶ୍ୱର ଶେଠ ମଧ୍ୟ ଏକ ସାଧାରଣ କେଉଟ ପରିବାର ଭାବରେ ଗାଁରେ ମୁଢି ଭାଜି ଜୀବିକା ନିର୍ବାହ କରୁଥିଲେ । ମୁଢି ଭାଜିବାର ଏଠାରେ ବିଶେଷ ସନ୍ଦର୍ଭ ହେଲା, ପ୍ରତିଦିନ ଗ୍ରାମ୍ୟ ଜଙ୍ଗଲରୁ ଜାଳେଣି ସଙ୍ଗ୍ରହ, ଧାନ ବତୁରା, ଧାନ ଶିଝା, ଧାନ କୁଟା ଏବଂ ପାହାନ୍ତିଆରୁ ମୁଢି ଭଜା । ଶ୍ରମଜୀବୀ ଦିନ ମଜୁରିଆ ସ୍ତରୀୟ ଚଳଣି; ଉଭୟ ପୁରୁଷ ଓ ସ୍ତ୍ରୀକୁ ଭାଗବଂଟା କରି କାମ ପୁରା କରିବାକୁ ପଡେ । ସାରା ଜୀବନ ଖଗେଶ୍ୱର ମଧ୍ୟ ଏହି ସ୍ଥିତିର ବ୍ୟତିକ୍ରମ ନ ଥିଲେ । ଅର୍ଥାତ୍ ସାହିତ୍ୟ ସାଧନା ପାଇଁ ସେ କେବେ ଶାରୀରିକ ଶ୍ରମରୁ ନିବୃତ୍ତି ପାଇ ନଥିଲେ ।

ଶିକ୍ଷା ଓ ବୃତ୍ତି

ଖଗେଶ୍ୱର ଶେଠଙ୍କର କୌଣସି ଔପଚାରିକ ଶିକ୍ଷା ନ ଥିଲା । ଅବଧାନଙ୍କ ମାଡ଼ ଭୟରେ ସେ ଚାଟଶାଳୀ ଯାଇ ନଥିଲେ । ମାତ୍ର ନିଜ ଉଦ୍ୟମରେ ସେ କେବଳ ଅକ୍ଷର ଶିକ୍ଷା କରି ନଥିଲେ, ବାଲ୍ୟବୟସରୁ ପୁସ୍ତକ ପାଠରେ ରୁଚି ରଖୁଥିଲେ । ଘରେ ବାପାଙ୍କର ମଧ୍ୟ ସାହିତ୍ୟ ରୁଚି ରହିଥିଲା ଏବଂ ଗାଁ ଲୋକଙ୍କ ସାଙ୍ଗରେ ବାପା ସାହିତ୍ୟ ଓ ପୁରାଣ ଚର୍ଚ୍ଚା କରୁଥିଲେ । ଏହାର ପ୍ରଭାବରେ ଖଗେଶ୍ୱର ମଧ୍ୟ ପୁରାଣର କଥାବସ୍ତୁ ସହ ପରିଚିତ ଥିଲେ । ଦାରିଦ୍ର୍ୟ ସତ୍ୱେ ବାଲ୍ୟ ବୟସରୁ ପଇସା ପାଇଲେ ସେ ହାଟରୁ ବହି କିଣି ପଢିବାର ଆଗ୍ରହ ରଖିଥିଲେ । ସ୍ୱାଧ୍ୟାୟର ଅବତାରଣା କରି ଖଗେଶ୍ୱର ‘ସମାଜ କାବ୍ୟ’ ରେ କହିଛନ୍ତି;

ଅଭିଧାନ ବ୍ୟାକରଣ କାବ୍ୟ, ଅଳଙ୍କାର

ପଢିବାରେ ପଡ଼ିନାହିଁ ଟଙ୍କା ଦରକାର

ଦେଖି ପଢ଼ି ଶୁଣି ଲାଭ କଲି ଯାହା ଶିକ୍ଷା

ଦେବାକୁ ବି ପଡ଼ିନାହିଁ କା ଆଗେ ପରୀକ୍ଷା ।

ଅର୍ଥାତ୍ ନା ସେ ପାଠ ଲାଗି ଅର୍ଥବ୍ୟୟ କରିଛନ୍ତି, ନା ପ୍ରମାଣ ସିଦ୍ଧ କରିବା ଅର୍ଥରେ ଶିକ୍ଷାଲାଭ କରିଛନ୍ତି । କେବଳ ସେତିକି ନୁହେଁ ଖଗେଶ୍ୱରଂକ ଜୀବନ ଏବଂ ସାହିତ୍ୟ କୃତିକୁ ଧ୍ୟାନ ଦେଲେ ମନେହୁଏ, ଦାରିଦ୍ର୍ୟ, ଦଳିତ ଜାତି ପରିଚୟ ଏବଂ ଔପଚାରିକ ଶିକ୍ଷାର ଅଭାବ ଆଦି ତାଙ୍କ ସୃଷ୍ଟିଶୀଳତା ଆଗରେ ବାଧକ ନଥିଲେ, ବରଂ ପରିପୂରକ ତୁଲ୍ୟ କାମ କରିଥିଲେ । ଖୁବ୍ ସଙ୍ଘାତପୂର୍ଣ୍ଣ ଥିଲା ତାଙ୍କ ଜୀବନ । ମାତ୍ର ତା’ସହିତ ତାଳ ଦେଇ ଏକ ଶୃଙ୍ଖଳିତ ଢଙ୍ଗରେ ସାହିତ୍ୟ ସାଧନାରେ ମଧ୍ୟ ନିରନ୍ତରତା ରହିଥିଲା । ଏହାର ଉଦ୍ଧରଣ ଦେଇ କେଶବ ମେହେର, ଯିଏ ଖଗେଶ୍ୱରଙ୍କୁ ଖୁବ୍ ନିବିଡ଼ ଭାବେ ଜାଣିଥିଲେ, ଲେଖନ୍ତି, ‘କବି ଯେତେବେଳେ ଜଙ୍ଗଲକୁ କାଠ ଆଣିବା ପାଇଁ ଯାଆନ୍ତି, ସେ ସମୟରେ ବାଟରେ ମନେ ମନେ କବିତାର ଦଶ, ପନ୍ଦର ପଦ ପର୍ଯ୍ୟନ୍ତ ରଚନା କରି ଓ ସେସବୁକୁ ଅବିକୃତ ସ୍ମରଣ ରଖି ଘରକୁ ଆସି କାଠଭାର କାନ୍ଧରୁ ଓହ୍ଲାଇ ଆଗେ କାଗଜରେ ଲେଖି ପକାଇ ପରେ ଖିଆପିଆ କରୁଥିଲେ ।’ ଏହି ଶୃଙ୍ଖଳା ଯୋଗୁଁ ତାଙ୍କ ଶ୍ରମଜୀବୀ ସାଂସାରିକ ଜୀବନ ଏବଂ ବୌଦ୍ଧିକ ଜୀବନ ପରସ୍ପର ପାଇଁ ଅନ୍ତରାୟ ହୋଇନାହାନ୍ତି; ସମତାଳରେ ଚାଲିଛନ୍ତି । ଖଗେଶ୍ୱରଙ୍କ ମୋଟ ଜୀବନାବଧି ବା ବୟସ (୧୯୦୬-୧୯୮୭)୮୧ ବର୍ଷ ; ତାଙ୍କ କବି ଜୀବନ ୫୫ ବର୍ଷରୁ (୧୯୩୦-୩୧ରୁ ୧୯୮୭) ଅଧିକ । ଅନ୍ୟ ଶଦ୍ଦରେ କହିଲେ, ସେହି ସମାନ ସମୟାବଧିରେ ସେ ସ୍ୱାଧ୍ୟାୟବଳରେ ଶିକ୍ଷା ହାସଲ କରିଛନ୍ତି, କାବ୍ୟ-କବିତା ଲେଖିଛନ୍ତି, ଶ୍ରମଜୀବୀ ଭାବରେ ଜାଳେଣି ସଙ୍ଗ୍ରହ କରିଛନ୍ତି, ମୁଢି ଭାଜିଛନ୍ତି, ସଂସ୍କାରୀ ମନୋଭାବ ରଖିଥିବାରୁ ଗ୍ରାମର କତୃତ୍ୱଧାରୀ ବର୍ଗର ଚକ୍ଷୁଶୁଳ ହୋଇ ବାରମ୍ବାର ଗ୍ରାମାନ୍ତରୀ ହୋଇଛନ୍ତି, ତଥା ପରିବାରର ଭରଣ ପୋଷଣ ଆଶାରେ ଗ୍ରାମାନ୍ତରଣକୁ ସ୍ୱାଗତ କରିଛନ୍ତି, ଇତ୍ୟାଦି ଇତ୍ୟାଦି । ନିରନ୍ତର ସାହିତ୍ୟ ସାଧନାର ଫଳ ସ୍ୱରୂପ, ସେ ଓଡ଼ିଆରେ ଲେଖିଛନ୍ତି, ‘ଚଉତିଶା ଚନ୍ଦ୍ରକଳା’, ‘ଚଇତ ଅମାବାସ୍ୟା’, ‘ପ୍ରଣୟ ନିର୍ଝର’, ‘ଆମେ ଗରିବ କାହିଁକି?’, ‘ଅଶୃ ତର୍ପଣ’, ‘ମୁକ୍ତି’, ‘ମୁକ୍ତାବଳୀ’, ‘ମହାପ୍ରଭୁ’, ‘ସୁରଙ୍ଗୀ’, ‘ଧନ୍ୟ କଳିକାଳ’, ‘ବିଷାଦ ନିଶା’ ଏବଂ ‘ଉତ୍କଳ କବିତା’ ଆଦି । ସେହିଭଳି ତାଙ୍କ ସମ୍ବଲପୁରୀ କାବ୍ୟ-କବିତା ମଧ୍ୟରେ ରହିଛି; ‘ପଏର୍ଛା ସତୀ’, ‘ଭୋଟ ବିଚାର’, ‘ଦଲେଇ ପଡାର ସମଲେଇ’, ‘ପାପର ମା, ବାପ’, ‘ଠାଙ୍ଗରୁ ବାବା’ ଏବଂ ‘ମୁନୁଷ ଜାତିର ସଦ୍ଭାବ’ । ଏହା ବ୍ୟତୀତ, ଖଗେଶ୍ୱର ତିନୋଟି ନାଟକ ମଧ୍ୟ ଲେଖିଛନ୍ତି । ସେଗୁଡ଼ିକ ହେଲା, ‘ଦାନବୀର ହରିଶ୍ଚନ୍ଦ୍ର’, ‘ମାୟାବିନୀ’ ଏବଂ ‘ସତୀ ସାବିତ୍ରୀ’ । ନାଟକ ଗୁଡ଼ିକ ଆଜି ଯାଏଁ ଅପ୍ରକାଶିତ, ଯଦିଓ ‘ନାଟ୍ୟଗୁରୁ’ ନାମରେ ମଧ୍ୟ ଖ୍ୟାତ ଖଗେଶ୍ୱରଙ୍କ ନିର୍ଦ୍ଦେଶନାରେ ଏକାଧିକ ଗ୍ରାମ୍ୟମଂଚରେ ସେଗୁଡ଼ିକ ବହୁବାର ପ୍ରଦର୍ଶିତ । ନାଟକ ଗୁଡ଼ିକର ବୈଶିଷ୍ଟ୍ୟ ହେଲା, ତହିଁରେ ଉଭୟ ଓଡ଼ିଆ ଏବଂ କୋଶଳୀ ଭାଷାର ମିଶ୍ରିତ ପ୍ରୟୋଗ । ଏହା ପଶ୍ଚିମ ଓଡ଼ିଶାର ଦର୍ଶକମଣ୍ଡଳୀ ସ୍ତରରେ ଓଡ଼ିଆକୁ ସମ୍ପ୍ରସାରିତ କରେ ଏବଂ ଅନ୍ୟ ପକ୍ଷରେ ସମ୍ବଲପୁରୀକୁ କଥିତ ସ୍ତରରୁ ଲିଖିତ ଏବଂ ବୌଦ୍ଧିକ ସ୍ତରକୁ ନେବା ପାଇଁ ପ୍ରୟାସ କରେ । ଉଭୟ ଓଡ଼ିଆ ଏବଂ ସମ୍ବଲପୁରୀରେ ଲେଖୁଥିବାରୁ ଖଗେଶ୍ୱର ଶେଠ ଖୁବ୍ ସ୍ୱାଭାବିକ ଭାବରେ ଓଡ଼ିଆ ରଚନାରେ ସମ୍ବଲପୁରୀ ଶବ୍ଦର ଏବଂ ସମ୍ବଲପୁରୀ ରଚନାରେ ଓଡ଼ିଆ ଶବ୍ଦ ପୁରେଇ ଦେଇଛନ୍ତି । ଏହା କେବଳ ଉଭୟ ଭାଷା ମଧ୍ୟରେ ଥିବା ପରିପୁରକତାକୁ ଦର୍ଶାଏ ନାହିଁ, ତା’ସହିତ ଉଭୟ ଭାଷାର ଶଦ୍ଦ ଭଣ୍ଡାରକୁ ମଧ୍ୟ ଦୃଢ, ବଳିଷ୍ଠ କରେ । ଗୋଟାଏ ଭାଷାକୁ ଅନ୍ୟର ପରିପନ୍ଥୀ ମନେ କରୁଥିଲେ, ଖଗେଶ୍ୱରଙ୍କ ସୃଷ୍ଟି ସମ୍ଭାର କଦାପି ସହଜ, ସ୍ୱାଭାବିକ ହୋଇ ପାରିନଥାନ୍ତା । କବି ଖଗେଶ୍ୱର ଶେଠ ଏବଂ ତାଙ୍କ ସୃଷ୍ଟିଶୀଳତାକୁ ଏକ ବିଶେଷ ସାମାଜିକ ପୃଷ୍ଠଭୂମି ଏବଂ ଅସ୍ମିତାର ପ୍ରତିଫଳନ ରୂପେ ଦେଖିବା ଅର୍ଥ ନୁହେଁ, ଅନ୍ୟ କେହି କୃତ୍ରିମ ଭାବରେ ସେହି କିସମର ପୃଷ୍ଠଭୂମିକୁ ନିଜଠାରେ ପ୍ରତ୍ୟାରୋପଣ କରି ଅନୁରୂପ ଫଳ ପାଇପାରିବ । କବିଙ୍କ କ୍ଷେତ୍ରରେ, ଅନ୍ୟଥା ପ୍ରତିକୂଳ ପ୍ରତୀତ ହେଉଥିବା ସାମାଜିକ ପୃଷ୍ଠଭୂମି ଉପଯୋଗୀ ହେବା ପଛରେ କାରଣ ହେଲା ଯେ, କବି ତାକୁ ବୋଝ ମନେ ନ କରି ସ୍ୱାଭାବିକ ଭାବରେ ସ୍ୱୀକାର କରି ନେଇଥିଲେ । ଫଳରେ, କୌଣସି ବିଶେଷ ସାମାଜିକ ସ୍ଥିତି ନୁହେଁ, ବରଂ ଉପସ୍ଥିତ ସ୍ଥିତିକୁ ଏଡ଼ାଇ ନ ଦେଇ ସମ୍ମୁଖୀନ ହେବାର ମାନସିକତା ଖଗେଶ୍ୱରଙ୍କୁ ସୃଷ୍ଟିଶୀଳ କରିଥିଲା । ଏହି ସନ୍ଦର୍ଭରେ କବି ସମ୍ପର୍କିତ କେଶବ ମେହେରଙ୍କ ଉଲ୍ଲେଖ ପ୍ରଣିଧାନ ଯୋଗ୍ୟ । “କବି ବଡ଼ କୌତୁକିଆ, ତାଙ୍କ ଜୀବନ ବଡ଼ ସରସ । ତାଙ୍କର ସାଧାରଣ କଥା ମଧ୍ୟ ଉପଭୋଗ୍ୟ ହୋଇଥାଏ ଏବଂ ତହିଁରେ ଅନେକତ୍ର ଚାତୁରୀ ଥାଏ । ତାଙ୍କ ଚରିତ୍ରର ଏକ ବଡ଼ ଗୁଣ ଏହି ଯେ ସେ ଶିଶୁ, ତରୁଣ, ପ୍ରୌଢ଼ ଓ ବୃଦ୍ଧ ସମସ୍ତଙ୍କ ସଙ୍ଗେ ସମାନ ତାଳ ପକାଇ ନିଜକୁ ଚଳାଇ ପାରନ୍ତି ଓ ନିଜର ବିଚିତ୍ର ପ୍ରତିଭା ବଳରେ ସମସ୍ତଙ୍କୁ ମୁଗ୍ଧ କରି ପାରନ୍ତି । ଅଭାବ-ଅଶାନ୍ତି- ଜର୍ଜରିତ ତାଙ୍କର ବ୍ୟଥାତୁର ଜୀବନ ବିକଳ ବିବଶରେ ଅହରହ କ୍ରନ୍ଦନ କରୁଥିଲେ ହେଁ ସେ କିନ୍ତୁ ଅଶୃ ପରିବର୍ତେ ଅନ୍ୟକୁ ଦେଇ ଯାଇଛନ୍ତି ହସ ।”ସେ ସ୍ଥିତିରୁ ପଳାୟନ କରି ନାହାଂତି, ବରଂ ତା ସହ ସଂଘର୍ଷ କରିଛଂତି ।

ପ୍ରକାଶନ

୧୯୫୮ ରେ ଖଗେଶ୍ୱର (ଶେଠଙ୍କ) ଗ୍ରନ୍ଥାବଳୀର ପ୍ରଥମ ଖଣ୍ଡ ପ୍ରକାଶିତ ହୋଇଛି । ପ୍ରକାଶକ ଓଡ଼ିଶା ସରକାରଙ୍କ ଉତ୍କଳ ସଙ୍ଗୀତ ନାଟକ ଏକାଡେମୀ । ଏଥିରେ କବିଙ୍କର କିଛି ଓଡ଼ିଆ କାବ୍ୟ-କବିତା ଏବଂ ଲୋକପ୍ରିୟ ସମ୍ବଲପୁରୀ କାବ୍ୟ ‘ପଏର୍ଚ୍ଛା ସତୀ’ ଓ ତା’ର ଓଡ଼ିଆ ମୁକ୍ତାନୁବାଦ ସ୍ଥାନିତ । ସମ୍ପାଦନା କରିଛନ୍ତି ଏକାଡେମୀର ସମ୍ପାଦକ ଗୌରୀକୁମାର ବ୍ରହ୍ମା । ଗ୍ରନ୍ଥାବଳୀର ପୁରୋଭାଗରେ କେଶବ ମେହେରଙ୍କ “କବି ଖଗେଶ୍ୱର ଶେଠ” ଶୀର୍ଷକରେ ଏକ ସଂକ୍ଷିପ୍ତ ଜୀବନ ପରିଚୟ ରହିଛି, ଯାହା କବିଙ୍କ କାବ୍ୟକୃତି ଏବଂ ସାଂସାରିକ ଜୀବନ ମଧ୍ୟରେ ଥିବା ସମ୍ବନ୍ଧକୁ ଜାଣିବାରେ ଖୁବ୍ ଉପଯୋଗୀ ହୁଏ । ଠିକ୍ ସେହିଭଳି ଗୌରୀକୁମାର ବ୍ରହ୍ମାଙ୍କ ଦ୍ୱାରା ଲିଖିତ ‘ମୁଖବନ୍ଧ’ ରୁ ଗ୍ରନ୍ଥାବଳୀ ପ୍ରକାଶନ ଜନିତ ଅନେକ କଥା ଜାଣିହୁଏ । ସେ ଯାହା ହେଉ, ଖଗେଶ୍ୱରଙ୍କ ମୃତ୍ୟୁର ୧୨ ବର୍ଷ ଉତ୍ତାରୁ ୧୯୯୯ରେ ଗ୍ରନ୍ଥାବଳୀର ତୃତୀୟ ଖଣ୍ଡର ପ୍ରକାଶନ ହେଲା; ପ୍ରକାଶକ ‘ଖଗେଶ୍ୱର ସାହିତ୍ୟ ସମିତି’ ନାମକ ଏକ ଗ୍ରାମ୍ୟ ଅନୁଷ୍ଠାନ; ପ୍ରକାଶନ ସ୍ଥଳ ବରଗଡ଼ ଜିଲ୍ଳାର ପାଇକମାଳ । ଏହି ପ୍ରକାଶନ ପାଇଁ କୌଣସି ଆନୁଷ୍ଠାନିକ (ସରକାରୀ) ଉଦ୍ୟମ ନାହିଁ । ପ୍ରଥମ ଓ ତୃତୀୟ ଖଣ୍ଡ ମଧ୍ୟରେ ଅନ୍ୟ ଏକ ବିଶେଷ ପାର୍ଥକ୍ୟ ହେଲା ଯେ ତୃତୀୟ ଖଣ୍ଡରେ କବିଙ୍କର କେବଳ ସମ୍ବଲପୁରୀ କାବ୍ୟ-କବିତା ସଙ୍କଳିତ; ଖଗେଶ୍ୱରଙ୍କୁ ପ୍ରଥମ ଖଣ୍ଡରେ ଯଦି ଓଡିଆ କବି ଭାବରେ ଚିହ୍ନିିତ କରାଯାଇଥିଲା, ତୃତୀୟ ଖଂଡରେ ସମ୍ବଲପୁରୀ କବି ରୂପେ ଦର୍ଶାଗଲା । ୧୯୫୮ରେ ଗ୍ରନ୍ଥାବଳୀର ପ୍ରଥମ ଭାଗରେ ଯଦି ସମ୍ବଲପୁରୀ ଲେଖା ସ୍ଥାନିତ ହେବାରୁ ବଂଚିତ, (ମୁକ୍ତାନୁବାଦ ସହିତ କେବଳ ସମ୍ବଲପୁରୀ କାବ୍ୟ ‘ପଏର୍ଚ୍ଛା ସତୀ’ ପ୍ରଥମ ଖଣ୍ଡରେ ସ୍ଥାନିତ), ଚାରି ଦଶକ ଉତ୍ତାରୁ (୧୯୯୯ତ୍ପ୍ରକାଶିତ ତୃତୀୟ ଖଣ୍ଡରୁ କବିଙ୍କର ଓଡ଼ିଆ ଲେଖା ସବୁ ନିବୃତତ୍ତ । ମଝିରେ, ଗ୍ରନ୍ଥାବଳୀର ଦ୍ୱିତୀୟ ଖଣ୍ଡ ଆଜି ମଧ୍ୟ ଅପ୍ରକାଶିତ, କାରଣ ତହିଁରେ କବିଙ୍କର ଓଡ଼ିଆ ଲେଖା କେତୋଟିକୁ ସଙ୍କଳିତ କରିବାର ଯୋଜନା କବି ଜୀବିତାବସ୍ଥାରେ କରି ଯାଇଥିଲେ, ଯେଉଁ ଇଚ୍ଛାର ଅବମାନନା ତାଂକ ସୁହୃଦଂକ ପକ୍ଷେ କାଠିକର । ଅର୍ଥାତ୍ ସମୟାନ୍ତରରେ ଖଗେଶ୍ୱରଙ୍କୁ ଜଣେ ସମ୍ବଲପୁରୀ କବି ରୂପେ ସ୍ଥାପିତ କରାଯାଇଛି । ଏହା କୋଶଳୀ ଭାଷା ଆନ୍ଦୋଳନର ବର୍ଦ୍ଧିଷ୍ଣୁ ସ୍ୱରୂପକୁ ଇଙ୍ଗିତ କରେ । ୧୯୮୦ ଦଶକରୁ କୋଶଳୀ ଭାଷା ଆନ୍ଦୋଳନ ଏକ ଅସ୍ମିତା ବା ପରିଚୟ ଲୋଡୁଛି । ଏଥିରେ ବିଭିନ୍ନ ବିଭାବରେ ସାହିତ୍ୟ ସୃଷ୍ଟି ହେଉଛି, କୋଶଳୀରେ ସାହିତ୍ୟ ସୃଷ୍ଟି ପଶ୍ଚିମ ଓଡ଼ିଶାର ଆଂଚଳିକ ସ୍ୱାଭିମାନର ପ୍ରତୀକ ହୋଇଛି । ଯଦିଓ କୋଶଳୀ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନ ପାଇ ଔପଚାରିକ ଭାବରେ ‘ଭାଷା’ର ମାନ୍ୟତା ଲାଭ କରିନାହିଁ, ତାକୁ ‘ଭାଷା’ ପରିବର୍ତେ ‘ଉପଭାଷା’ କିମ୍ବା ‘ବୋଲି’ ର ସମ୍ବୋଧନ ମଧ୍ୟ ଅସ୍ୱୀକୃତ ହେଉଛି; ଭାଷାର ନାଁ ଭାବରେ ‘କୋଶଳୀ’କୁ (ସମ୍ବଲପୁରୀ ସ୍ଥାନରେ) ଲୋକସ୍ୱୀକୃତି ମିଳୁଛି, କାରଣ ସମ୍ବଲପୁର ଏକ ସହରର ନାଁ ଏବଂ କୋଶଳ ଏକ ଅଂଚଳ ବିଶେଷର ନାଁ । ଅର୍ଥାତ୍, ଭାଷାର ନାଁକୁ ସମାବେଷ୍ଟି କରିବାକୁ ପ୍ରୟାସ କାରାଯାଇଛି ।ଅନ୍ୟ ଶଦ୍ଦରେ କହିଲେ, ସମ୍ବଲପୁରୀ ଭାଷା ଆନ୍ଦୋଳନର ବର୍ଦ୍ଧିଷ୍ଣୁ ସନ୍ଦର୍ଭକୁ ଦୃଷ୍ଟିରେ ରଖି ହିଁ ଖଗେଶ୍ୱର ଶେଠଙ୍କ ସର୍ଜନା ସମ୍ଭାରକୁ ଆଲୋଚନା କରି ହେବ ।

ଗ୍ରାମାଂତରଣ

ଏମିତିରେ ଖଗେଶ୍ୱର ଜନ୍ମ ଗ୍ରହଣ କରିଥିଲେ ବରଗଡ଼ ଉପକଣ୍ଠରେ ସ୍ଥିତ ସରସରା ଗାଁରେ । ମାତ୍ର ଭରଣ ପୋଷଣ ପାଇଁ ସେ ଦାଦନ ଶ୍ରମିକ ଭଳି ଭିନ୍ନ ଭିନ୍ନ ଗାଁରେ ଯାଇ ରହିଥିଲେ । ଖଗେଶ୍ୱରଙ୍କୁ ଯେତେବେଳେ ୧୦-୧୧ ବର୍ଷ, ପିତା ହୃଷିକେଶ ଶେଠ ସପରିବାର ତତ୍କାଳୀନ ମଧ୍ୟପ୍ରଦେଶ ଏବଂ ବର୍ତମାନର ଛତିଶଗଡ଼ର ବସ୍ନା ନିକଟବର୍ତୀ ସୁରଙ୍ଗୀପାଲି ନାମକ ଏକ ଗାଁରେ ଯାଇ ରହିଲେ । ଯେହେତୁ ଜମିବାଡ଼ି ନାହିଁ, ମୁଢି ଭାଜି ପରିବାର ପୋଷିବା କଥା, ସରସରା ଅପେକ୍ଷା ସୁରଙ୍ଗୀପାଲିରେ ହୃଷିକେଶ ଜୀବିକା ନିର୍ବାହ ସକାଶେ ଅଧିକ ସମ୍ଭାବନା ଖୋଜି ପାଇଥିଲେ । ବାଳକ ଖଗେଶ୍ୱରଙ୍କ ଏହି ପ୍ରଥମ ଗ୍ରାମାନ୍ତରଣର ସମୟକାଳ ୧୯୧୭ ବା ୧୯୧୮ ବୋଲି ଅନୁମାନ କରିହୁଏ । ବାପା-ମା’ଙ୍କ ଅଭିଭାବକତ୍ୱରେ ଛ’ ବର୍ଷର ଅବସ୍ଥାନ ଶେଷରେ ଯୁବକ ଖଗେଶ୍ୱର ପ୍ରଥମେ ମା’ଙ୍କୁ ଏବଂ ତା’ର କିଛି ମାସ ପରେ ବାପା ହୃଷିକେଶ ଶେଠଙ୍କୁ ହରାଇଲେ । ଖଗେଶ୍ୱର ବହୁମାତ୍ରାରେ ବାପାଙ୍କ ବ୍ୟକ୍ତିତ୍ୱକୁ ଆହରଣ କରିଥିଲେ । ସାହିତ୍ୟାନୁରାଗ, ପୁରାଣ ଜ୍ଞାନ, ବ୍ୟକ୍ତିତ୍ୱ ଓ ଆଚରଣରେ ସ୍ପଷ୍ଟବାଦିତା, ଜିଦଖୋରୀ ଏବଂ ନାଟ୍ୟ ଅଭିନୟ ପ୍ରତି ପ୍ରେମ ଆଦି ସେ ବାପାଙ୍କ ଚରିତ୍ରରୁ ଆହରଣ କରିଥିଲେ । ବାପାଙ୍କ ସାହଚର୍ଯ୍ୟରେ ସେ ଶିଶୁ ବୟସରେ ସରସରାର ଗାଁ ନାଟକରେ ଅଭିନୟ କରିଥିଲେ; ଗୋଟିପୁଅ ନାଚରେ ଭାଗ ନେବେ ବୋଲି ତାଙ୍କର କାନଫୋଡ଼ା ହୋଇଥିଲା । ପିତା-ମାତାଙ୍କ ମୃତ୍ୟୁ ପରେ ଯୁବକ ଖଗେଶ୍ୱର ଅନାଥ ହେଲେ । ତେଣିକି ସେ ଅଭିନୟ କଳାକୁ ଆଧାର କରି ସୁରଙ୍ଗୀପାଲି ନିକଟସ୍ଥ ମୁଣ୍ଡପାହାର- ସେମେଲିଆ ଗାଁକୁ ଗ୍ରାମାନ୍ତରଣ କଲେ ଏବଂ ସେଠାରେ ‘ନାଟ୍ୟଗୁରୁ’ ଭାବରେ ଗାଁ ଯୁବକମାନଙ୍କୁ ନାଟକ ଶିଖାଇଲେ । ପିତା-ମାତାଙ୍କ ମୃତ୍ୟୁ ପରେ ଯୁବକ ଖଗେଶ୍ୱର ବଡ଼ଭାଇ ବ୍ରଜମୋହନଙ୍କ ଉପରେ ଆଶ୍ରିତ ହେବା ସ୍ୱାଭାବିକ ଥିଲା, ହେଲେ ସହଜ ନଥିଲା । ବ୍ରଜମୋହନ ସେତେବେଳକୁ ବିବାହିତ ଏବଂ ଶ୍ରମଜୀବୀ । ନିର୍ଦ୍ଧନତା ଯୋଗୁଁ ସେ ବେଶିଦିନ ସାନଭାଇକୁ ପୋଷିବା କ୍ଷମତା ରଖୁ ନ ଥିଲେ । ଏହି ବାସ୍ତବିକତା ଖଗେଶ୍ୱରଙ୍କୁ ଅନ୍ନ ସଂସ୍ଥାନ ପାଇଁ ଅନ୍ୟ ଗାଁରେ ଯାଇ ‘ନାଟ୍ୟଗୁରୁ’ ଭାବେ ପେଟ ପୋଷିବାକୁ ପ୍ରରୋଚିତ କଲା । ସେତେବେଳକୁ ସେ ନାଟକ ଲେଖୁ ନଥିଲେ । ମାତ୍ର ନାଟ୍ୟାଭିନୟକୁ ଅଧିକ ମନୋରଞ୍ଜନଧର୍ମୀ ଏବଂ ଉପଭୋଗ୍ୟ କରିବା ଉଦ୍ଦେଶ୍ୟରେ ତହିଁରେ ଲୋକଭାଷାରେ ସ୍ୱରଚିତ ସମ୍ବଲପୁରୀ ଏବଂ ଓଡ଼ିଆ ଗୀତର ପରିବେଷଣ ତଥା ଅଭିନୟ କଲେ । ଲୌକିକ ସ୍ୱୀକୃତି ତାଙ୍କୁ ଉଭୟ ଓଡ଼ିଆ ଏବଂ ସମ୍ବଲପୁରୀରେ ଅଧିକରୁ ଅଧିକ ଲେଖିବାକୁ ଉତ୍ସାହ ଦେଲା । ଅନ୍ୟ ଶଦ୍ଦରେ କହିଲେ, ଦାରିଦ୍ର୍ୟ, ଅଭିନୟ ପ୍ରୀତି ଏବଂ ଅନାଥ ସ୍ଥିତି ଆଦି ଖଗେଶ୍ୱରଙ୍କୁ କବି କରି ଗଢିବାରେ ନିଅଁ ସାବ୍ୟସ୍ତ ହେଲେ ।

ପାଣିମୋରା ରହଣି ଓ ସାଧନା

୧୯୨୬-୨୭ରେ ଖଗେଶ୍ୱର ସୋହେଲା (ବର୍ତମାନର ବରଗଡ଼ ଜିଲ୍ଲା) ନିକଟସ୍ଥ ପାଣିମୋରା ଗାଁରେ ଆସି ରହିଲେ । ଏଥିପାଇଁ ମାଧ୍ୟମ ହେଲେ ତାଙ୍କ ମାଉସୀ ସୂର୍ଯ୍ୟମୁଖୀ, ଯିଏ ନିଃସନ୍ତାନ ଏବଂ ବିଧବା ଥିଲେ ବୋଲି, ଯୁବକ ଖଗେଶ୍ୱରଙ୍କୁ ପାଣିମୋରାରେ ପୋଷ୍ୟପୁତ୍ର ଭାବରେ ରହିବାକୁ ଆମନ୍ତ୍ରଣ କରିଥିଲେ । ମାଉସୀଙ୍କ ସହଯୋଗରେ ଖଗେଶ୍ୱରଙ୍କର ନିକଟବର୍ତୀ ତାଲପଦର ଗାଁରେ ବିବାହ ହେଲା । ଏଣିକି ଖଗେଶ୍ୱର ସପତ୍ନୀକ ମୁଢ଼ିଭାଜିବା କାମରେ ନିୟୋଜିତ ହେଲେ । ମାଉସୀ ହେଲେ ଯୁବ ଦମ୍ପତିିଙ୍କର ଅଭିଭାବକ ।

ପାଣିମୋରାରେ ଖଗେଶ୍ୱରଙ୍କ ମୋଟ ଚାରିବର୍ଷର ରହଣି (୧୯୨୬ରୁ ୧୯୩୦); ମାତ୍ର ଏହି ସମୟାବଧି ତାଙ୍କ ପାଇଁ ନୂଆଁ ଜୀବନ ତୁଲ୍ୟ ହେଲା । ଏହି ପରିପ୍ରେକ୍ଷୀରେ ପାଣିମୋରାରେ ସାମାଜିକ ପରିବେଶ ମଧ୍ୟ ଚର୍ଚ୍ଚାକୁ ଆସେ । ୧୯୩୦ ଏବଂ ୧୯୪୦ ଦଶକରେ ପାଣିମୋରା ସ୍ୱାଧୀନତା ଆନ୍ଦୋଳନର ଏକ ପୀଠ ରୂପେ ପରିଚିତି  ପାଇଥିଲା । ୧୯୪୨ର ‘ଭାରତ ଛାଡ଼’ ଆନ୍ଦୋଳନରେ କେବଳ ପାଣିମୋରା ଗାଁର ୩୨ ଜଣ ଆନ୍ଦୋଳନରେ ଭାଗନେଇ ଜେଲ ବରଣ କରିଥିଲେ । ପାଣିମୋରାର ଏହି ଧରଣର ରାଜନୀତିକରଣ ପଛରେ ରହିଥିଲା ଗାଁର ‘ଆର୍ଯ୍ୟ ସମାଜ’ ଆଂଦୋଳନ । ୧୯୨୦ ଦଶକରେ ଗାଁରେ ସମାଜ ସଂସ୍କାରର ପରିବେଶ ସୃଷ୍ଟି ହୋଇଥିଲା ‘ଆର୍ଯ୍ୟ ସମାଜ’ ଆନ୍ଦୋଳନ ଯୋଗୁଁ । ୧୯୨୦-୨୨ ମସିହାରେ ଅସହଯୋଗ ଆନ୍ଦୋଳନ ହେଲା । ମାତ୍ର ସଂଯୋଜନାର ଅଭାବରେ ପାଣିମୋରା ତହିଁରେ ପ୍ରତ୍ୟକ୍ଷ ସମ୍ପୃକ୍ତି ରଖିପାରିଲା ନାହିଁ । ୧୯୨୨ରେ ଅସହଯୋଗରେ ଭଟ୍ଟା ପଡ଼ିବା ପରେ ନିକଟସ୍ଥ ବରପାଲିର ଅସହଯୋଗୀ ଏବଂ ଏକନିଷ୍ଠ ଗାନ୍ଧୀବାଦୀ ଯୁବକ ଭାଗୀରଥି ପଟ୍ଟନାୟକ ପାଣିମୋରାକୁ କେନ୍ଦ୍ର କରି ରାଜନୀତି ଏବଂ ସାମାଜିକ କାମ ସବୁ ଆରମ୍ଭ କଲେ । ତେଣିକି ପାଣିମୋରାରେ ଗ୍ରାମ୍ୟ ସଙ୍ଗଠନ, ସମାଜକାମ, ସାମାଜିକ ସଂସ୍କାର ଏବଂ ଜାତୀୟବାଦୀ ରାଜନୀତିକ ଗତିବିଧି ପରସ୍ପରର ପରିପୂରକ ସିଦ୍ଧ ହେଲେ; ପୁଣି, ସମାର୍ଥବୋଧକ ଶବ୍ଦ ହେଲେ । ଅର୍ଥାତ୍, ଯିଏ ଜାତୀୟବାଦୀ, ସେ ସମାଜ ସଂସ୍କାରୀ ମଧ୍ୟ ।

ଗାଁର ଆଉ ଅନେକ ଯୁବକଙ୍କ ଭଳି ଖଗେଶ୍ୱର ମଧ୍ୟ ଆର୍ଯ୍ୟସମାଜ ଆନ୍ଦୋଳନ ଏବଂ ଜାତୀୟବାଦୀ ରାଜନୀତି ପ୍ରତି ଆକୃଷ୍ଟ ହେଲେ । ଜଣେ ଦରିଦ୍ର ଦଳିତ କେଉଟ ଯ୍ୁବକ ଭାବରେ ସେ ସାମାଜିକ ଭେଦଭାବକୁ ନିତିପ୍ରତି ପ୍ରତ୍ୟକ୍ଷ କରୁଥିଲେ । ଜଣେ ସମାଜ ସଚେତନ ଯୁବକ ଭାବରେ ସେ ଧାର୍ମିକ ପୂଜାପାଠର ସ୍ଖଳନ ଏବଂ ପୁରୁଷତାନ୍ତ୍ରିକତାକୁ ପ୍ରଶ୍ନ କରିବାକୁ ଚାହୁଁଥିଲେ । ଏସବୁ ନିମନ୍ତେ ଜାତୀୟବାଦୀ ବିଚାର ଏବଂ ଆର୍ଯ୍ୟ ସମାଜୀ ଅବବୋଧ ତାଙ୍କୁ ଭାଷା ଓ ସାହସ ତଥା ଅଭିବ୍ୟକ୍ତିରେ ଯୁକ୍ତି ଓ ତର୍କ ପ୍ରଦାନ କଲା । ଅବଶ୍ୟ ଦିନ ମଜୁରିଆ ସ୍ଥିତି ଯୋଗୁଁ ସେ ସ୍ୱାଧୀନତା ଆନ୍ଦୋଳନରେ ପ୍ରତ୍ୟକ୍ଷ ଭାବେ ସଂଶ୍ଲିଷ୍ଟ ହୋଇପାରି ନଥିଲେ । ଦୂର ଗାଁ ବା ସହରରେ ଆନ୍ଦୋଳନ କାମରେ ଭାଗ ନେବା ଅର୍ଥ ପ୍ରତିଦିନର ‘ମଜୁରିଆ’ କାମରୁ ନିବୃତି ନେବା, ଯାହା ଖଗେଶ୍ୱରଙ୍କ ପକ୍ଷରେ ଶୁଦ୍ଧ ବିଳାସିତା ଥିଲା । ପାରିବାରିକ କର୍ତବ୍ୟବୋଧ ତାଙ୍କୁ ଉକ୍ତ ବିଳାସିତା ଆଡ଼କୁ ଯିବାକୁ ଅବସର ଦେଉନଥିଲା । ମାତ୍ର ସାହିତ୍ୟ ମାଧ୍ୟମରେ ସେ ସମାଜ ସଂସ୍କାର ଓ ଜାତୀୟତାବାଦ ପ୍ରତି ପ୍ରତିବଦ୍ଧ ରହିଲେ । ଯେହେତୁ ସେ ନାଟ୍ୟକଳା ସହିତ ସମ୍ପୃକ୍ତ, ତାଙ୍କ ସାହିତ୍ୟକୃତିକୁ ଗ୍ରାମ୍ୟ ମଂଚରେ ପ୍ରଦର୍ଶିତ ଓ ପରିବେଷିତ ହେବାର ସୁଯୋଗ ମିଳିଲା । ପଶ୍ଚିମ ଓଡ଼ିଶାର ଜଣେ ଗ୍ରାମ୍ୟସ୍ତରୀୟ କବି ଭାବରେ ତାଙ୍କ ପାଇଁ ମୁଦ୍ରଣ ଓ ପ୍ରକାଶନର ସଂସାର ଆଦୌ ହାତପାଆନ୍ତା ନଥିଲା । ତା’ ସତ୍ୱେ, ପରିବେଷଣର ଏଭଳି ସୁଯୋଗ ରହିଥିବାରୁ ସେ ଅଧିକରୁ ଅଧିକ ସାହିତ୍ୟ ସୃଷ୍ଟି ପାଇଁ ଆଗ୍ରହ ରଖିଲେ । ଅର୍ଥାତ୍ ତାଙ୍କ ଲେଖାସବୁ ଆରମ୍ଭରେ ଅନେକ ବର୍ଷ ଧରି ମୁଦ୍ରଣ ଓ ପ୍ରକାଶନ ନହେବା ସତ୍ୱେ, ଖଗେଶ୍ୱର କଦାଚିତ ସାହିତ୍ୟ ପ୍ରତି ନିରାଶ ହେଲେ ନାହିଁ । ଗ୍ରାମ୍ୟ ମଂଚ ଓ ତା’ର ଶ୍ରୋତାମଣ୍ଡଳୀ ତଜ୍ଜନୀତ ଅଭାବକୁ ଭରଣା କଲେ ।

ଖଗେଶ୍ୱରଙ୍କ ଔପଚାରିକ ଶିକ୍ଷା ନ ଥିଲା  । ମାତ୍ର ସେ ଜଣେ ଏକନିଷ୍ଠ ପାଠକ ଥିଲେ । ଆର୍ଯ୍ୟ ସମାଜ ଆନ୍ଦୋଳନ ସମ୍ପର୍କିତ ଅନେକ ପୁସ୍ତକ ପଠନ କରିଥିଲେ । ଦୟାନନ୍ଦ ସରସ୍ୱତୀଙ୍କ ‘ସତ୍ୟାର୍ଥ ପ୍ରକାଶ’ ଏବଂ ‘ସଂସ୍କାର ବିଧି’ ତନ୍ମଧ୍ୟରୁ ଅନ୍ୟତମ । ଏହା ସହିତ ସେ ଉପେନ୍ଦ୍ର ଭଞ୍ଜ, ରାଧାନାଥ ରାୟ ଏବଂ ଗଙ୍ଗାଧର ମେହେର ଆଦିଙ୍କ କାବ୍ୟକୃତି ମଧ୍ୟ ପାଠ କରିଥିଲେ । ପୁଣି, ଧାର୍ମିକ ଗ୍ରନ୍ଥ, ପୁରାଣ ମଧ୍ୟ ପଢିଥିଲେ । ପାଣିମୋରାର ସଂସ୍କାରୀ ପରିବେଶରେ ଏସବୁ ସାହିତ୍ୟର ବିଶେଷ ଅଭାବ ନଥିଲା । ସାଂଗକୁ, ଜାତୀୟତାବାଦୀ ରାଜନୀତି ଚର୍ଚ୍ଚା ପାଇଁ ମଧ୍ୟ ସେଠାରେ ଅବସର ରହିଥିଲା । ଅନ୍ୟଥା ଖଗେଶ୍ୱରଙ୍କ ଆର୍ଥିକ ସ୍ଥିତି ଯାହା ବହି କିଣିବା, ଆଉ କେଉଁ  ଦୂର ସହରରେ ସଭାରେ ମିଶିବା ମଧ୍ୟ ତାଙ୍କ ପାଇଁ ଚରମ ବିଳାସିତା ସିଦ୍ଧ ହୋଇଥାନ୍ତା ।

ଜାତି ଯାତନା

ଏହି ସନ୍ଦର୍ଭରେ ଖଗେଶ୍ୱରଙ୍କ ପ୍ରାରମ୍ଭିକ ଓଡ଼ିଆ ଏବଂ ସମ୍ବଲପୁରୀ ଲେଖକୀୟ ଅନୁଭୂତିକୁ ସମ୍ୟକରେ ଆଲୋଚନା କରିବାର ଆବଶ୍ୟକତା ରହିଛି । ପାଣିମୋରା ରହଣି ସମୟରେ ଖଗେଶ୍ୱର ‘କବିତା-କଳିକା’ ଶୀର୍ଷକରେ ଏକ ପାଣ୍ଡୁଲିପି ପ୍ରସ୍ତୁତ କରିଥିଲେ । ପ୍ରକାଶନର କୌଣସି ଆଶା ନଥିଲା । ପୁଣି ଏତାଦୃଶ ସାହିତ୍ୟ କୃତିର ପ୍ରସାରଣ ନିମନ୍ତେ ସେ “ଉପହାର” ନାମରେ ଏକ ମାସିକ ହାତଲେଖା ପତ୍ରିକା ସମ୍ପାଦନ କଲେ । ତହିଁରେ ଅନ୍ୟମାନେ ବି ଲେଖିଲେ । କେବଳ ପାଣିମୋରାର ସାମାଜିକ ଓ ଜାତୀୟବାଦୀ ପରିବେଶରେ ଏଭଳି ସାହିତ୍ୟିକ ଗତିବିଧି ସହଜରେ ସମ୍ଭବ ହେବାର ସଂଭାବନା ରହିିଥିଲା । ଖଗେଶ୍ୱରଙ୍କ ଏତାଦୃଶ ସାହିତ୍ୟାନୁରାଗକୁ ଆଦର ମଧ୍ୟ ମିଳିଲା । ଏହାର ବିପରୀତ କିଛି ଲୋକ ତାଙ୍କ ଦୁଃସାହସ ପାଇଁ ବ୍ୟଙ୍ଗ-ବିଦ୍ରୁପ ମଧ୍ୟ କଲେ । କେଶବ ମେହେରଙ୍କ ସୂଚନା ଅନୁଯାୟୀ ଯୁବକ ଖଗେଶ୍ୱରଙ୍କୁ ଅଧିକ ବାଧିଲା, ଯେତେବେଳେ ତାଙ୍କର ଜଣେ ସଂସ୍କାରୀ ବନ୍ଧୁଙ୍କ ପିତା ବିଦୃପ କରି କହିଲେ, ‘ସବୁ କୁକୁର ଗଙ୍ଗା ଗଲେ ଗାଈ ହାଡ ଚାବିବ କିଏ?’ ଅର୍ଥ ‘ତଳ’ ଜାତି ଓ ସ୍ତରର ମଣିଷ ବୌଦ୍ଧିକ କାର୍ଯ୍ୟରୁ ନିବୃତତ୍ତ ରହି କୌଳିକ ବୃତିରେ ପ୍ରବୃତ୍ତ ରହିବା ଉଚିତ । ଖଗେଶ୍ୱରଙ୍କ ଦାରିଦ୍ର୍ୟ, ଅଶିକ୍ଷା ଏବଂ ଦଳିତ ଜାତି ପରିଚୟ ଉପରେ ଏହା ଏକ କଠୋର ସଙ୍ଘାତ ଥିଲା । ମାତ୍ର କବି ଏଥିରେ ବିବ୍ରତ ନ ହୋଇ ପ୍ରତିକ୍ରିୟା ସ୍ୱରୂପ ଶୁଦ୍ଧ ଏବଂ ସଂସ୍କୃତନିଷ୍ଠ ଓଡ଼ିଆକୁ ଆୟତ୍ତତ୍ତ କଲେ । ନିଜେ କମ ନୁହଁନ୍ତି ବୋଲି ପ୍ରଦର୍ଶିତ ହେବାର ମାନସିକତା ତାଂକଠାରେ ଦେଖିବାକୁ ମିଳିଲା । ଫଳରେ ତାଙ୍କର ଅଧିକାଂଶ ଓଡ଼ିଆ କାବ୍ୟ-କବିତା କଠିନ ଶବ୍ଦ ବିନ୍ୟାସପୂର୍ଣ୍ଣ ରୀତିଯୁଗୀୟ ଧାରାରେ ଲିଖିତ, ଯାହା ଶବ୍ଦର କସରତ ଭଳି ମନେହୁଏ । ମାତ୍ର ଏଭଳି ଚଉତିଶା, ଅନୁପ୍ରାସ, ଯତିପାତ, ଉପଧା ମିଳନ ଆଦି ଯୋଗୁଁ ତାହା ଅଧିକ ଶୃତି ମଧୁର ଏବଂ ଗ୍ରାମ୍ୟ ଶ୍ରୋତା ମଣ୍ଡଳୀରେ ଅଧିକ ପ୍ରଦର୍ଶନୀୟ ହୁଏ । ଅର୍ଥାତ୍, ବାସ୍ତବିକତା ହେଲା ଯେ ଦଳିତ ଏବଂ ଦରିଦ୍ର କବି ଭାବରେ, ଓଡ଼ିଆରେ ଲେଖିଲା ବେଳେ ସେ ନିରନ୍ତର ଅଗ୍ନିପରୀକ୍ଷା ଦେଉଥିଲେ; ନିଜ ସାମର୍ଥ୍ୟକୁ ପ୍ରତିପାଦିତ କରିବାକୁ ପ୍ରୟାସ କରୁଥିଲେ । ଅନ୍ୟଥା ତାଙ୍କୁ ସାହିତ୍ୟ ଜଗତରେ ପ୍ରବେଶ ଅଧିକାର ମିଳି ନପାରେ ବୋଲି ସମ୍ଭବତଃ ତାଙ୍କର ଆଶଙ୍କା ରହୁଥିଲା । ‘ଆର୍ଯ୍ୟ ସମାଜ’ ସହ ସମ୍ପୃକ୍ତି ସତ୍ୱେ ଖଗେଶ୍ୱର ହୁଏତ ସଶଙ୍କିତ ରହୁଥିଲେ ଯେ ତାଙ୍କ ସାହିତ୍ୟ ସାଧନାକୁ ଉଚ୍ଚ ବର୍ଗର କର୍ତୃତ୍ୱଶାଳୀ ଗୋଷ୍ଠୀ ‘ଅନଧିକାର ପ୍ରବେଶ’ ଘୋଷଣା କରିଦେଇ ପାରନ୍ତି, ଯାହାର ନମୂୁନା ତାଙ୍କୁ ପ୍ରାରମ୍ଭରେ ମିଳି ସାରିଥିଲା ।

କବିଙ୍କର ଆଶଙ୍କା ଆଦୌ ଅମୂଳକ ନଥିଲା । ୧୯୫୮ରେ ପ୍ରକାଶିତ ତାଂକ ଗ୍ରଂଥାବଳୀର ପ୍ରଥମ ଖଣ୍ଡ; ଗ୍ରନ୍ଥାବଳୀର ସମ୍ପାଦକ ଗୌରୀକୁମାର ବ୍ରହ୍ମା; ‘ଉଚ୍ଚ’ ବଂଶଜ ସଂପାଦକ  ମଧ୍ୟ ଖଗେଶ୍ୱରଙ୍କ କାବ୍ୟ-କବିତାକୁ ଭଞ୍ଜ – ରାଧାନାଥ ଆଦି ପ୍ରତିଷ୍ଠିତ ଓଡ଼ିଆ କବିଙ୍କର ଏକ ରକମର ଅନୁକରଣ ବୋଲି ଆକ୍ଷେପ କରିଥିଲେ । ସମ୍ପାଦକଙ୍କ ଭାଷାରେ ‘କାମୋଦୀ ରାଗ ଲିଖିତ (ଖଗେଶ୍ୱରଙ୍କ) “ମହାପ୍ରଭୁ” ଶୀର୍ଷକ ଜଣାଣ ଦୀନକୃଷ୍ଣ ଦାସଙ୍କ “ଆରତ ତ୍ରାଣ-ଚଉତିଶା” ର ଅନୁସରଣରେ ଲିଖିତ ହୋଇଥିଲା ପରି ଜଣାଯାଏ ।” ପୁଣି ସେ ଲେଖିଛନ୍ତି, “ରାଧାନାଥଙ୍କୁ ଅନୁକରଣ କରିବାରେ କବି (ଖଗେଶ୍ୱର ଶେଠ) କେତେଦୂର ଲାଳାୟିତ, ତାହା ‘ସୁରଙ୍ଗୀ’ର ଶେଷ ଅଂଶରୁ ପ୍ରତିପନ୍ନ ହୁଏ ।’ ଏହା ଉଭୟ ଦଳିତ କବି ଏବଂ ବ୍ରାହ୍ମଣ ସମ୍ପାଦକଂକ  ମନୋଦଶାକୁ ଚିହ୍ନିତ କରେ । ବୌଦ୍ଧିକତା ସତ୍ୱେ ବ୍ୟକ୍ତି କେମିତି ଜାତି ପରିଚୟରୁ ଉଭୁରି ପାରେ ନାହିଁ ତାକୁ ଚିହ୍ନିତ କରେ ।

ସମ୍ବଲପୁରୀରେ କାବ୍ୟ-କିବତା ଲେଖିଲା ବେଳେ ଖଗେଶ୍ୱର ଶେଠଙ୍କୁ, ଓଡିଆ ଭଳି, କୌଣସି ପ୍ରତିଯୋଗୀତାର ସମ୍ମୁଖୀନ ହେବାକୁ ପଡ଼ି ନଥିଲା, କାରଣ ୧୯୩୦ ଦଶକର ଆରମ୍ଭରେ ଏହି ଭାଷାକୁ ପଶ୍ଚିମ ଓଡ଼ିଶା ଅଂଚଳରେ ମଧ୍ୟ ସମ୍ମାନ ଓ ବୌଦ୍ଧିକତାର ଭାଷା ମନେ କରାଯାଉନଥିଲା; ବିଶେଷ କରି ସାହିତ୍ୟ ସାଧନା ପାଇଁ ଏହାକୁ ଉପଯୁକ୍ତ ମନେ କରାଯାଉ ନଥିଲା । ଶୁଦ୍ଧ ଓ ସଂସ୍କୃତନିଷ୍ଠ ଓଡ଼ିଆକୁ ଗାଁ ଗଣ୍ଡାରେ ମଧ୍ୟ ଆଦର ମିଳୁଥିଲା । ଏହା ବୋଧହୁଏ ସମସ୍ତ ଆଂଚଳିକ ଭାଷା କ୍ଷେତ୍ରରେ ଅନ୍ତତଃ ଆରମ୍ଭରେ ଦେଖିବାକୁ ମିଳିଥାଏ । ଅଂତତଃ ବିଂଶ ଶତାବ୍ଦୀର ଆରଂଭ ଯାଏଁ  ସଂସ୍କୃତ ତୁଳନାରେ ଓଡ଼ିଆ ଭାଷା-ସାହିତ୍ୟକୁ ମଧ୍ୟ ଅନୁରୂପ ଉପେକ୍ଷାର ଶିକାର ହେବାକୁ ପଡ଼ିଥିଲା । ଏହା ନୀଳକଂଠ ଦାସ ତାଂକ ଆତ୍ମଜୀବନୀରେ ଉଲ୍ଲେଖ କରିଛଂତି । ସେ ଯାହାହେଉ, ସ୍ଥାନୀୟ ସମ୍ବଲପୁରୀ ସାହିତ୍ୟରେ ଉଚ୍ଚ ବର୍ଗର କର୍ତୃତ୍ୱବୋଧ ନ ଥିଲା ବୋଲି ଖଗେଶ୍ୱର ନିଦ୍ୱର୍ନ୍ଦରେ ତଥା ସ୍ୱଚ୍ଛନ୍ଦରେ ତହିଁରେ ସାହିତ୍ୟ ସାଧନା କଲେ । ଅର୍ଥାତ୍, ଦଳିତ  ଖଗେଶ୍ୱର ଯେଉଁ ଦୁଃସାହସର ସହିତ ଉଚ୍ଚ ବର୍ଗର କର୍ତୃତ୍ୱକୁ ବିରୋଧ କରି ଓଡ଼ିଆ ଭାଷାରେ କାବ୍ୟ-କବିତା ଲେଖିଲେ, ସେହି ପରିମାଣର ସାହସ ଦେଖାଇ ‘ଅବାଞ୍ôଛତ’ ସମ୍ବଲପୁରୀରେ କାବ୍ୟ-କବିତା ଲେଖିଲେ; ଅନ୍ୟମାନଙ୍କୁ ମଧ୍ୟ ତହିଁରେ ଲେଖିବାକୁ ବାଟ ଦେଖାଇଲେ । ମୋଟକଥା ହେଲା, ସଂସ୍କାରୀ ମାନସିକତା ଖଗେଶ୍ୱରଂକୁ ହେତୁବାଦୀ ହେବାକୁ ତଥା ଋଢିବାଦୀ ରୀତିନୀତି, ଉଚ୍ଚବର୍ଗର କର୍ତ୍ରୃତ୍ବ, ଜାତିବାଦ ଏବଂ ପୁରୁଷତାନ୍ତ୍ରିକତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ତ ଦମ୍ଭ ଓ ସାହସ ଦେଇଥିଲା, ସାଥିରେ ଓଡ଼ିଆ ଏବଂ ସମ୍ବଲପୁରୀକୁ ଦୁଇଟିି ବିପରୀତ କାରଣରୁ ଆପଣାଇବାକୁ ସାମର୍ଥ୍ୟ ମଧ୍ୟ ଯୋଗାଇଥିଲା ।

ବୁରୋମାଲକୁ ଗ୍ରାମାଂତରଣ

ପାଣିମୋରାରେ ଚାରିବର୍ଷ ରହଣି ପରେ ଖଗେଶ୍ୱର ୧୯୩୦ରେ ନିକଟସ୍ଥ ତାଲପଦର ଗାଁରେ ଯାଇ ରହିଲେ; ୧୯୪୬ ରେ ବିଜେପୁର ନିକଟବର୍ତୀ ବୁରୋମାଲ ଗଲେ; ତିନି ପୁଅ ଏବଂ ବୃଦ୍ଧା ମାଉସୀଙ୍କୁ ନେଇ ପରିବାରର ଆକାର ବଡ଼ ହେବାରୁ, ପୁଣି, ବୁରୋମାଲ ଘରକୁ ତ୍ୟାଗ ନକରି ୧୯୫୭ରେ ତାଲପଦରରେ ବି ଯାଇ ରହିଲେ । ଯାହିଁ ଯୋଉଁଠି ରହିଲେ କୁଡ଼ିଆ ଘର ଓ କାମ ମୁଢି ଭାଜିବା । ତାଙ୍କର ଅଧିକାଂଶ ରଚନା ଏ ଦୁଇ ଗାଁର, ତାଲପଦର ଓ ବୁରୋମାଲ, ରହଣି ବେଳର । ଏହା ବାହାରେ ୧୯୬୦ ଏବଂ ୧୯୭୦ ଦଶକରେ ଆହୁରି ଅନେକ ଥର ଗ୍ରାମାନ୍ତରୀ ହୋଇଛନ୍ତି; ସର୍ଗିବାହାଲ, ପଲସଦା, ପାଇକମାଲ ନିକଟସ୍ଥ ମିଠାପାଲି, ମେଲଛାମୁଣ୍ଡା ନିକଟସ୍ଥ ପଣ୍ଡକିପାଲି ଓ ଝେଙ୍ଗନାଡ଼ିହିରେ ଯାଇ ରହିଛନ୍ତି । ତାଙ୍କର ବୁରୋମାଲ ଘର ସ୍ଥାୟୀ ହୋଇରହିଛି, କାରଣ ସାହିତ୍ୟ ରସିକ ଗାଁ ଗୌନ୍ତିଆ ପାଖରୁ ତାଙ୍କୁ ସେଠାରେ ଅଳ୍ପ ଚାଷଜମି ମିଳିଥିଲା, ଯାହା ତାଂକ ନିିଜର । ବୁରୋମାଲରେ ପୁଣି ତାଙ୍କୁ ସାମାଜିକ ବାସନ୍ଦର ଶିକାର ହେବାକୁ ପଡ଼ିଥିଲା, କାରଣ ତାଙ୍କର ଜିଦଖୋରୀ ଏବଂ ଗାଁ ସମାଜର ଋଢ଼ିବାଦୀ ନିଷ୍ପତିକୁ ଅମାନ୍ୟ କରିବାର ଦୁଃସାହସ । ଖଗେଶ୍ୱରଙ୍କ ବ୍ୟକ୍ତିତ୍ୱର ଏକ ବଡ଼ ବୈଶିଷ୍ଟ୍ୟ ହେଲା ଯେ, ସଂସ୍କାରୀ ମନୋଭାବ ନେଇ ସେ କେବଳ ଜାତିବାଦ, ଅସ୍ପୃଶ୍ୟତା, ଧାର୍ମିକ ଋଢିବାଦ, ଉଚ୍ଚବର୍ଗର ଶୋଷଣ ଏବଂ ଲିଙ୍ଗଗତ ଅସାମ୍ୟ ବିରୁଦ୍ଧରେ ସାହିତ୍ୟ ସୃଷ୍ଟି କରୁ ନଥିଲେ, ବ୍ୟକ୍ତିଗତ ସ୍ତରରେ ତାକୁ ପ୍ରତିପାଳନ ମଧ୍ୟ କରୁଥିଲେ । ଗାଁ ସମାଜରେ ଯାହାକୁ ସ୍ତ୍ରୀମାନଙ୍କର କାମ ବୋଲି ପୁରୁଷମାନେ ଏଡ଼ାଇ ଦିଅନ୍ତି, ଯଥା ମୁଢ଼ିଭାଜିବା, ଧାନ କୁଟିବା ତଥା ପୋଖରୀରୁ ପାଣି ଆଣିବା, ସେସବୁ କାମ ମଧ୍ୟ ପତ୍ନୀଙ୍କ ସାଙ୍ଗରେ ମିଶି କରନ୍ତି । ଏଭଳି ଆଚରଣ ଯୋଗୁଁ ପୁରୁଷତାନ୍ତ୍ରିକ ଗାଁ ସମାଜ ତାଙ୍କୁ ବ୍ୟଙ୍ଗ ବିଦ୍ରୁପ କରେ । ଏହା ସଦାବେଳେ ଗାଁରେ ତାଙ୍କୁ ଏକ ରକମର ସାମାଜିକ ବାସନ୍ଦ ସ୍ତରରେ ରଖୁଥିଲା । ମାତ୍ର ଏହି ସ୍ଥିତି ତାଙ୍କୁ ଖୁବ୍ ବିଚଳିତ କରୁନଥିଲା, କାରଣ ତାଙ୍କ ବିଚାରରେ କବିର ଧର୍ମ ସତ୍ୟବାଦୀ ହେବା, ଅଯୌକ୍ତିକତାର ବିରୋଧ କରିବା ତଥା ସାମ୍ୟ ପ୍ରତିଷ୍ଠା ନିମିତ୍ତ ନିରନ୍ତର ଉଦ୍ୟମ କରିବା! କବିର ଧର୍ମ ପାଳନ ବେଳେ ଏଭଳି ପ୍ରତିପକ୍ଷର ସମ୍ମୁଖୀନ ହେବା  ସ୍ୱାଭାବିକ ବୋଲି ସେ ମନେ କରୁଥିଲେ ।

ଗାଂଧୀ ପ୍ରଭାବ

ଏହି ସନ୍ଦର୍ଭରେ କବି ଖଗେଶ୍ୱର ଶେଠଙ୍କ ପାଇଁ ପ୍ରେରଣା ଥିଲେ ମହାତ୍ମା ଗାନ୍ଧୀ । ଏମିତିରେ ଖଗେଶ୍ୱରଙ୍କର ମହାତ୍ମା ଗାନ୍ଧୀଙ୍କ ସହିତ କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନଥିଲା । ନା ସେ ଭେଟିଥିଲେ ତାଙ୍କୁ, ନା ନିୟମିତି ଚିଠି ଲେଖି ଉତ୍ତର ପାଉଥିଲେ ତାଙ୍କଠାରୁ । ପାଣିମୋରା ଭଳି ସ୍ୱାଧୀନତା ଆନ୍ଦୋଳନର ଏକ ମୁଖ୍ୟପୀଠ ଗାଁରେ ଅନେକ ବର୍ଷ ରହଣି ସତ୍ୱେ, ସେ ଆନ୍ଦୋଳନର ପ୍ରତ୍ୟକ୍ଷ କର୍ମୀ ନଥିଲେ । ଶ୍ରମଜୀବୀ ଦିନ ମଜୁରିଆ ସ୍ତରରେ ଜୀବନ ନିର୍ବାହ କରୁଥିବା ଖଗେଶ୍ୱରଙ୍କ ପାଇଁ ଆନ୍ଦୋଳନ କାମରେ ସାମିଲ ହେବା ବି ଶୁଦ୍ଧ ବିଳାସିତା ଥିଲା । ଗାନ୍ଧୀଙ୍କର କୌଣସି ଲେଖା ସେ ପଢିଥିଲେ କି ନାହିଁ ସନ୍ଦେହ । ଦୂରରୁ ମାତ୍ର ଗାନ୍ଧୀଙ୍କୁ ସେ ଦେଖୁଥିଲେ, ନିଜର ସକଳ ଗତିବିଧିରେ ଗାନ୍ଧୀଙ୍କର ପ୍ରଭାବକୁ ଅନୁଭବ କରୁଥିଲେ । ଖଦିର ସେ ଦୃଢ ସମର୍ଥକ ଥିଲେ; ସ୍ୱଦେଶୀ ଏବଂ ନିଶାନିବାରଣ ସେ ଆଚରଣ କରୁଥିଲେ; ଅସ୍ପୃଶ୍ୟତା ଏବଂ ଲିଙ୍ଗଗତ ଅସାମ୍ୟ ବିରୁଦ୍ଧରେ ସେ ନିରନ୍ତର କାମ କରୁଥିଲେ । ସ୍ୱାବଲମ୍ବନଶୀଳତା ତାଙ୍କ ଅସ୍ଥିମଜ୍ଜାରେ ଥିଲା । ଗାନ୍ଧୀଙ୍କର ଏଭଳି ଜଣେ ନୀରବ ଓ ଦୃଢ ସମର୍ଥକଂକ  ଗାନ୍ଧୀଙ୍କ ୩୦ ଜାନୁୟାରୀରେ (୧୯୪୮) ଆକସ୍ମିକ ନିଧନ (ହତ୍ୟା) ରେ ବ୍ୟଥିତ ହେବା ସ୍ୱାଭାବିକ । ସେହି ରାତିରେ ସେ ‘ଅଶୃ-ତର୍ପଣ’ ନାମରେ କ୍ଷୁଦ୍ର କାବ୍ୟଟିଏ ଲେଖିଲେ ଏବଂ ତାକୁ ମୃତ ଗାନ୍ଧୀଙ୍କଠାରେ ଉତ୍ସର୍ଗ କଲେ । କାବ୍ୟର ମୁଖବନ୍ଧରେ କବି ସ୍ପଷ୍ଟ କରିଛନ୍ତି ଯେ ମହାତ୍ମାଙ୍କ ସହ କୌଣସି ନିକଟତା ଦେଖାଇ ବଡଲୋକ ହେବା ଏହାର ଉଦ୍ଦେଶ୍ୟ ନୁହେଁ । ସାନ ପିଲା ଦୂରସ୍ଥ ଜହ୍ନମାମୁୁଁକୁ ନିଜର ମନେ କଲା ପରି ତାଙ୍କର ଗାନ୍ଧୀ ପ୍ରୀତି । ସାଙ୍ଗରେ ଏକଥା ମଧ୍ୟ କହିଛନ୍ତି ଯେ, ଜହ୍ନ ପରି ଗାନ୍ଧୀଙ୍କୁ ପାଖରେ ପାଇବା ହୁଏତ କଠିନ, ମାତ୍ର ଯିଏ ଚାହିଁବ ସତ୍ୟ, ଶାନ୍ତି, ପ୍ରେମ ଓ ଅହିଂସା ବଳରେ ଗାନ୍ଧୀ ଆଦର୍ଶକୁ ଆପଣାଇ ପାରିବ । ସେହି ହିସାବରେ ଗାନ୍ଧୀଙ୍କ ଆଦର୍ଶକୁ ଆପଣାଇଥିବା ବ୍ୟକ୍ତି ଗାନ୍ଧୀ ଭକ୍ତ ତୁଳନାରେ ମଧ୍ୟ ଅଧିକ ସମ୍ମାନର ଅଧିକାରୀ!

‘ଅଶୃ ତର୍ପଣ’ରେ ଦ୍ୱିତୀୟ ଭାଗରେ ଖଗେଶ୍ୱରଙ୍କ କଳ୍ପିତ ଗାନ୍ଧୀ ତାଙ୍କର ମିଛ ଭକ୍ତ ମାନଙ୍କୁ ତାଗିଦ୍ କରିଛନ୍ତି । କାରଣ ସେମାନଙ୍କ ଯୋଗୁଁ ଗାନ୍ଧୀ ଆଦର୍ଶ ଉପହାସ ହେଉଛି । ‘ରାମରାଜ୍ୟ’ ର ପରିଭାଷା ଦେଇ କବି କହିଛନ୍ତି ଗାନ୍ଧୀ ଆଦର୍ଶ ଏବଂ ‘ରାମରାଜ୍ୟ’ ଏକା କଥା; ଏକ ପନୀôବ୍ରତ, ସମାଲୋଚନା ପ୍ରତି ସହିଷ୍ଣୁ ଭାବ, କ୍ଷମତା ପ୍ରତି ନିର୍ମୋହୀ ଭାବ, ଲୋକମତ ପ୍ରତି ସମ୍ମାନ, ସମତାର ଭାବ, ଶାନ୍ତ ସ୍ୱଭାବ ଇତ୍ୟାଦି ହେଲେ ‘ରାମ’ ଚରିତ୍ର, ଯାହାକୁ ଆୟତ୍ତ ନକରି ଗାନ୍ଧୀଂକର ‘ରାମରାଜ୍ୟ’ କଦାପି ଲଭ୍ୟ ହୋଇ ପାରେ ।

ଗୋପୀନାଥ ମହାଂତିଂକ ସହ ପରିଚୟ

 ପ୍ରସିଦ୍ଧ ଔପନ୍ୟାସିକ ଗୋପୀନାଥ ମହାନ୍ତି (୧୯୧୪-୧୯୯୧) ‘ସେକେଣ୍ଡ ଅଫିସର’ ପଦରେ ୧୯୪୫-୪୭ରେ ବରଗଡ଼ରେ ଅବସ୍ଥାପିତ ଥିଲେ । ବରଗଡ଼ ରହଣି ସମୟରେ ତାଙ୍କର ଖଗେଶ୍ୱର ଶେଠଙ୍କ ସହ ପରିଚୟ ହୋଇଥିଲା । ତାଙ୍କର କବିଙ୍କ ସହିତ ପ୍ରଥମ ସାକ୍ଷାତ ସମ୍ବନ୍ଧରେ ଗୋପୀନାଥ ଆତ୍ମଜୀବନୀ ‘ସ୍ରୋତସ୍ୱତୀ’ ରେ ବିସ୍ତାରରେ ଉଲ୍ଲେଖ କରିଛନ୍ତି, ଯାହା ଖଗେଶ୍ୱର ଶେଠଙ୍କ ଦାରିଦ୍ର୍ୟ, ସ୍ୱାଭିମାନ, ସାହିତ୍ୟ ପ୍ରୀତି ଏବଂ ସରଳତାକୁ ଦର୍ଶାଏ । ଗୋପୀନାଥ ଲେଖିଛନ୍ତି;

‘ମନେ ପଡ଼ନ୍ତି କବି ଖଗେଶ୍ୱର ଶେଠ । ଦୂର ଗଣ୍ଡ ମଫସଲରେ ବିଜେପୁର ଜମିଦାରିରେ ବୁରୋମାଲ ବୋଲି ଗୋଟିଏ ଗାଁ, ସେଠି ସେ, ବୃଦ୍ଧ କବି ମୁଢି ଭାଜି ବିକୁଥିଲେ । ଗଛରେ ଚଢ଼ି ଜାଳେଣି କାଠ ଭାଙ୍ଗୁଥିଲେ, ନିତାନ୍ତ ଦରିଦ୍ର, ନିଜ ଶ୍ରମରେ ଯାହା ରୋଜଗାର କରୁଥିଲେ ତହିଁରେ ଚଳୁଥିଲେ, ମନ ଖୁସିରେ ପ୍ରାଚୀନ ଓଡ଼ିଆ ଗୀତିକାବ୍ୟର କବିମାନଙ୍କ ପଦ୍ଧତିରେ ନିଜ ପାଣ୍ଡିତ୍ୟ ବଳରେ ନାନା ମୌଳିକତା ଫୁଟାଇ କାବ୍ୟ-କବିତା ଲେଖିଥିଲେ । ସେ ବଡ଼ ସ୍ୱାଧୀନଚେତା କବି, ଖୁବ୍ ଇଜ୍ଜତପ୍ରିୟ, ସେ ରାଜା ଜମିଦାରଙ୍କ ସ୍ତାବକତା କରି କବିତା ଲେଖୁ ନଥିଲେ କି ସେମାନଙ୍କ ଦ୍ୱାରା ଅନୁଗୃହୀତ ହୋଇନଥିଲେ, ତାଙ୍କ ଲେଖାଗୁଡିକ ଅପ୍ରକାଶିତ ଥିଲା । ମୁଁ ତାଙ୍କ ବିଷୟରେ ଶୁଣିଲା ପରେ, ତାଙ୍କୁ ଦେଖିବାକୁ ମୋର ଆଗ୍ରହ ହେବାର ଜାଣି କିଏ କେଜାଣି ତାଙ୍କୁ ଖବର ଦେଲେ, ହଠାତ୍ ଦିନେ ରବିବାର ସକାଳେ ପିଣ୍ଢାରେ ବସିଛି, ଦୂରରୁ ଦେଖିଲି କିଏ ଜଣେ ସାଧାରଣ ଗାଉଁଲି ବୁଢା ଲୋକ ଆସୁଛନ୍ତି, ମୁଣ୍ଡରେ ବୋହିଛନ୍ତି କତା ଦଉଡ଼ି ବନ୍ଧା ହୋଇଥିବା ଭଙ୍ଗା ଟ୍ରଙ୍କଟିଏ । ଭେକରୁ ଜଣାପଡ଼ୁଛି ସେ ଜଣେ ଗରିବ ଗ୍ରାମବାସୀ, କିନ୍ତୁ ତାଙ୍କ ମୁହଁ ଆଖିରେ ବାରି ହେଉଥାଏ ଆହୁରି କିଛି ଅଧିକ କିଛି ମର୍ଯ୍ୟାଦାସମ୍ପନ୍ନ ବ୍ୟକ୍ତିତ୍ୱ । କାହିଁକି ଜାଣେ ନାହିଁ, ଠିଆ ହୋଇ ପଡ଼ି ମୁଁ ତାଙ୍କୁ ପଚାରିଲି, ‘ଆପଣ ଖଗେଶ୍ୱର ଶେଠ ।’ ସେ କହିଲେ, ‘ହଁ’ । ତାଙ୍କୁ ସମାଦର କଲି । ସେ ତାଙ୍କ ଟ୍ରଙ୍କଟି ଫିଟାଇଲେ, ତହିଁରେ ଅନେକ ଗୁଡ଼ିଏ ପାଣ୍ଡୁଲିପି ଖାତା ଥିଲା, ତହିଁରେ ଥିଲା ତାଙ୍କ ଜୀବନ ଯାକର ସାଧନା ।”

“ସେ ତହିଁରୁ ଗୋଟିଏ ଖାତା ଉଠାଇ ଅଳ୍ପ କିଛି ମତେ ପଢି ଶୁଣାଇଲେ ଓ ତା’ପରେ ନାନା କବିଙ୍କ କୃତିରୁ ଆବୃତ୍ତି କରି ବୁଝାଇବାକୁ ଲାଗିଲେ ଯେ ସେପରି ସ୍ଥଳେ ସେମାନେ କିଏ କିପରି ସେହି ବିଷୟକୁ ବର୍ଣ୍ଣନା କରିଛନ୍ତି, କେଉଁ ଶବ୍ଦକୁ ବ୍ୟବହାର କରିଛନ୍ତି ଓ ସେମାନଙ୍କଠାରୁ ତାଙ୍କ ନିଜର ଓ ବିଷୟରେ ପାର୍ଥକ୍ୟ କ’ଣ ଓ କାହିଁକି । ତାଙ୍କର ଅଦ୍ଭୁତ ପାଣ୍ଡିତ୍ୟ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ସେ ଦିନେ କି ଓଳିଏ ଆମ ପାଖେ ଥିଲେ, ତା’ପରେ ବରଗଡ଼ରେ ସେ ଅନ୍ୟତ୍ର ଅଳ୍ପ କେତୋଟି ଦିନ ରହିବାକୁ ବ୍ୟବସ୍ଥା କରାଗଲା । ତାଙ୍କୁ କେତେକ ସ୍ଥାନୀୟ ସାହିତ୍ୟ ପ୍ରେମୀଙ୍କ ସଙ୍ଗେ ଚିହ୍ନା କରାଇଦେଲି ଓ ତାଙ୍କ ସାହାଯ୍ୟ ପାଇଁ କିଛି ଚାନ୍ଦା ମିଳିଲା, ମନେ ନାହିଁ ପଚାଶ ଷାଠିଏ କି ଶହେ ଯାକେ । ସେତକ ସେ ନେଲେ । ସେହିପରି ସାମାନ୍ୟ ସାହାଯ୍ୟରେ ତାଙ୍କର ‘ହୀରାକୂଳେ” ବୋଲି ଚଟି କବିତା ବହିଟିଏ ତା’ ଆଗରୁ ଛପା ହୋଇଥିଲା ବା ସେହି ପଇସାରେ ଛପା ହେଲା । ତାଙ୍କ ବିଷୟ ମୁଁ ପରେ କେନ୍ଦ୍ର ସାହିତ୍ୟ ଏକାଡେମୀକୁ ଏବଂ କାଳକ୍ରମେ ଓଡ଼ିଆ ସାହିତ୍ୟ ଏକାଡେମୀକୁ ଲେଖିଥିଲି । ସେ ସାହିତ୍ୟ ଏକାଡେମୀରୁ ମାସିକ କିଛି ପେନସନ ପାଇଲେ, କିଛି ବର୍ଷ ପରେ ଓଡ଼ିଶା ସାହିତ୍ୟ ଏକାଡେମୀ ତାଙ୍କ ଗ୍ରନ୍ଥାବଳୀଟି ଛାପିଲେ ।”

(ଗୋପୀନାଥ ମହାନ୍ତି, ସ୍ରୋତସ୍ୱତୀ (ଆତ୍ମଜୀବନୀ), ତୃତୀୟ ଖଣ୍ଡ, ଭୁବନେଶ୍ୱର ୨୦୦୦, ପୃ-୪୨୭-୨୮)

ଗୋପୀନାଥ ମହାନ୍ତିଙ୍କ ଉଲ୍ଲେଖରୁ ଖଗେଶ୍ୱର ଶେଠଙ୍କ ସମ୍ପର୍କରେ ଅନେକ କଥା ଅନୁମାନ କରିହୁଏ । ୧୯୪୬-୪୭ରେ କବି ଖଗେଶ୍ୱର ଶେଠଙ୍କ ବୟସ ମାତ୍ର ଚାଳିଶ ବର୍ଷ । ମାତ୍ର ଶ୍ରମଜୀବୀର ଜୀବନ ତାଙ୍କୁ ‘ବୃଦ୍ଧ’ କରିଦେଇଛି । ବରଗଡ଼ ସହରରୁ ମାତ୍ର ତିନି ମାଇଲ ଦୂର ତାଙ୍କ ଜନ୍ମମାଟି ସରସରା ଗାଁ ଏବଂ ଅତିବେଶି ହେଲେ କୋଡ଼ିଏ ମାଇଲ ହେବ ରହଣିସ୍ଥଳ ବୁରୋମାଲ । ମାତ୍ର ବରଗଡ଼ରେ ବି ତାଙ୍କୁ ଲୋକ ଜାଣି ନଥିଲେ, ଖଗେଶ୍ୱର ମଧ୍ୟ ବରଗଡ଼ ସହର ସହ ପ୍ରାୟ ଅପରିଚିତ ଥିଲେ । ଅବଶ୍ୟ ସେତେବେଳକୁ (୧୯୪୬-୪୭) ସେ ‘ଟିଣ ଟ୍ରଙ୍କରେ’ ଗୋଟାଏ ଟ୍ରଙ୍କ ‘ପାଣ୍ଡୁଲିପି’ ଲେଖି ସାରିଥିଲେ ଏବଂ ଗ୍ରାମ୍ୟମଂଚରେ ତାଙ୍କ ଅନେକ କାବ୍ୟକୃତିର ନିରନ୍ତର ମଂଚନ ହେଉଥିଲା । ଏଥିରୁ ଗ୍ରାମ୍ୟ ଜଗତ ଓ ସହରି ଜୀବନ ମଧ୍ୟରେ ଥିବା ଦୂରତା ଓ ଭେଦାଭେଦକୁ ଅନୁମାନ କରିହୁଏ । ଖଗେଶ୍ୱରଙ୍କ ସ୍ୱାଭିମାନୀ ସ୍ୱଭାବକୁ ଗୋପୀନାଥ ଭଲଭାବେ ଚିହ୍ନିତ କରିଛନ୍ତି ଏବଂ ଦାରିଦ୍ର୍ୟ ସତ୍ୱେ ବଡ଼ବଡ଼ିଆଙ୍କ ଖୋସାମଦରୁ ସେ କେମିତି ଦୂରରେ ରହୁଥିଲେ, ତା’ର ଉଲ୍ଲେଖ କରିଛନ୍ତି । ଗୋପୀନାଥଂକ ପ୍ରୟାସ ଯୋଗୁଁ ଖଗେଶ୍ୱରଂକ ଗ୍ରଂଥାବଳୀ ଭୁବନେଶ୍ୱରରୁ ୧୯୫୮ରେ, ଏକାଡେମୀ ସଂପାଦକଂକ ଅସୂୟା ସତ୍ୱେ , ପ୍ରକାଶିତ ହୋଇଥିଲା । ଖଗେଶ୍ୱର ବୁଝିଥିଲେ ଯେ କାହାରି ମିଥ୍ୟା ପ୍ରଶଂସା କେବେ କବିର ଧର୍ମ ହୋଇନପାରେ । କବି ସର୍ବଦା ସତ୍ୟବାଦୀ, ସତ୍ୟର ସମର୍ଥକ, ସତ୍ୟର ଉପାସକ । ଏହି କାରଣରୁ ଦାରିଦ୍ର୍ୟ ତାଙ୍କୁ ନଇଁବାକୁ ଦେଇ ନଥିଲା । ବରଂ ସତ୍ୟର ଉପାସନା ପାଇଁ ଦାରିଦ୍ର୍ର୍ୟକୁ ସେ ସ୍ୱାଭାବିକ ବୋଲି ମନେ କରୁଥିଲେ । ଖଗେଶ୍ୱରଙ୍କ ଅଧିକାଂଶ ସାହିତ୍ୟ କୃତିରେ ଏହି ସତ୍ୟବାଦିତାକୁ ପ୍ରମୁଖତା ମିଳିଥାଏ ।

ସ୍ୱୀକୃତି ଓ ସମ୍ମାନ

ଏକଥା ସତ ଯେ ସାମାଜିକ ଜୀବନ ଓ ସ୍ଥାନୀୟ ପରିବେଶ ତଥା ତତ୍କାଳୀନ ସମୟକୁ ବାଦ ଦେଇ କୌଣସି ସ୍ରଷ୍ଟା ବା କବିଙ୍କ ସାହିତ୍ୟ କୃତିକୁ ନେଇ ବସ୍ତୁନିଷ୍ଠ ଆଲୋଚନା କରାଯାଇ ପାରିବ ନାହିଁ । ଏକ ନିର୍ଦ୍ଦିଷ୍ଟ ଐତିହାସିକ ସନ୍ଦର୍ଭରେ ହିଁ ସ୍ରଷ୍ଟାଙ୍କ ସୃଷ୍ଟିରାଜିର ସୃଷ୍ଟି । ଖଗେଶ୍ୱର ମଧ୍ୟ ଏଥିରୁ ପୃଥକ ନୁହନ୍ତି । ମାତ୍ର ସାଙ୍ଗରେ ଏକଥା ବି ସତ ଯେ ଖଗେଶ୍ୱର ଶେଠଙ୍କ ସାହିତ୍ୟର ମୂଲ୍ୟାୟନ ବେଳେ ତାଙ୍କ ଦାରିଦ୍ର୍ୟ, ଦଳିତ ଜାତି ପରିଚୟ, ଗ୍ରାମୀଣ ରହଣି ଏବଂ ଔପଚାରିକ ଶିକ୍ଷାଶୂନ୍ୟତାକୁ କବିଙ୍କ ପ୍ରତି ଦୟା ଉଦ୍ରେକ ନିମିତ୍ତ ଉଲ୍ଲେଖ କରାଯାଇନପାରେ । ଆଜି ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକରେ ସେ ଓଡ଼ିଶାର ବୌଦ୍ଧିକ ଜଗତରେ ଅଜ୍ଞାତ ପ୍ରାୟ । ମାତ୍ର ଏହାର ବିପରୀତ, ମର୍ଯ୍ୟାଦାପୂର୍ଣ୍ଣ ସର୍ଜନା ପାଇଁ ତାଙ୍କ ଜୀବଦଶାରେ ମଧ୍ୟ ତାଙ୍କୁ ଏକାଧିକ ସାହିତ୍ୟ ସମ୍ମାନ ପ୍ରାପ୍ତ ହୋଇଥିଲା । ଏହାର ଅର୍ଥ ହେଲା ସେତେବେଳେ ମଧ୍ୟ ତାଙ୍କର ଅନେକ ସାହିତ୍ୟ ରସିକ ଥିଲେ । ଗଞ୍ଜାମର ‘ଆର୍ଯ୍ୟ’ ପତ୍ରିକାର ସମ୍ପାଦକ ସମାଜ ସଂସ୍କାରକ ଏବଂ ଜାତୀୟତାବାଦୀ ଶ୍ରୀବତ୍ସ ପଣ୍ଡା ଥିଲେ ଏହିଭଳି ଜଣେ ଗୁଣଗ୍ରାହୀ ସାହିତ୍ୟ ରସିକ । ତାଙ୍କ “ଆର୍ଯ୍ୟ” ପତ୍ରିକା ଖଗେଶ୍ୱରଙ୍କ ରଚନାଗୁଡ଼ିକୁ ନିୟମିତ ରୂପେ ପ୍ରକାଶିତ କରୁଥିଲା; କବିଙ୍କୁ ‘ସାହିତ୍ୟ-ପ୍ରାଣ’ ଉପାଧି ଦେଇଥିଲା । ୧୯୫୮ରେ ତାଂକ ଗ୍ରଂଥାବଳୀକୁ ଓଡିଶା ସାହିତ୍ୟ ଏକାଡେମୀ ଓ ସଂଗୀତ ନାଟକ ଏକାଡେମୀ ପ୍ରକାଶିତ କରିଥିଲେ । ୧୯୭୩ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କୁ ସମ୍ମାନୀତ କରାଯାଇଥିଲା । ୧୯୭୪ରେ କଟକର ପ୍ରଜାତନ୍ତ୍ର ପ୍ରଚାର ସମିତି ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏବଂ ୧୯୭୫ରେ ସମ୍ବଲପୁରର ଓଡ଼ିଶା ସାଂସ୍କୃତିକ ସମାଜ କବିଙ୍କୁ ସମ୍ମାନିତ କରିଥିଲେ । କବିଙ୍କ ଜୀବଦ୍ଦଶାରେ ଏକାଧିକ ଗାଁରେ ଖଗେଶ୍ୱର ସାହିତ୍ୟ ସମିତି ମାନ ଲୋକସ୍ତରରେ ଗଠିତ ହୋଇଥିଲା । ତହିଁରେ ଖଗେଶ୍ୱରଙ୍କ ସାହିତ୍ୟ ଆଲୋଚନା, ଜୟନ୍ତୀ ପାଳନ ଆଦି ଅନୁଷ୍ଠାନମାନ ୧୯୭୦ ଦଶକରୁ ଆୟୋଜିତ ହେଉଥିଲା । ୨୦୦୪ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ‘କବି ଖଗେଶ୍ୱର ରଚନା ସଙ୍ଗ୍ରହ’ (ଗବେଷକ ପ୍ରଦୀପ କୁମାର ପ୍ରଧାନ) ଶୀର୍ଷକରେ ଏକ ପି.ଏଚ.ଡି ଜମା ହୋଇଛି । ବିନା ଲୌକିକ ସ୍ୱୀକୃତିରେ ଖଗେଶ୍ୱରଙ୍କୁ ଯେ ଏତେ ସବୁ ସମ୍ମାନ ମିଳି ନଥା’ନ୍ତା, ତାହା କହିବା ବାହୁଲ୍ୟ । ଅନ୍ୟ ଶବ୍ଦରେ କହିଲେ, ଏକବିଂଶ ଶତାବ୍ଦୀର ଆରମ୍ଭରେ କବି ଖଗେଶ୍ୱର ଶେଠଙ୍କ ବିସ୍ମୃତ ହେବା ଯେମିତି ଏକ ସତ୍ୟ, ସେମିତି କବିଙ୍କ ଜୀବଦ୍ଦଶାରେ ଏକ ଆଂଚଳିକ ସ୍ତରରେ ତାଙ୍କୁ ସମ୍ମାନ ମିଳିବା ବି ଏକ ସତ୍ୟ । ତାଙ୍କ ସାମାଜିକ ପରିଚୟକୁ ଆଧାର କରି ସେ ‘ସାହିତ୍ୟ ପ୍ରାଣ ; ଅନ୍ୟ ପକ୍ଷରେ ସେହି ସାମାଜିକ ପରିଚୟ, ବିଶେଷ କରି ଦଳିତ ପରିଚୟ ତାଙ୍କୁ ନେଇ ସାହିତ୍ୟ ଚର୍ଚ୍ଚାକୁ ଅବରୁଦ୍ଧ କରେ । ଏସବୁ କ’ଣ ଏକ ସାମାଜିକ ବିଡ଼ମ୍ବନାକୁ ଦର୍ଶାଉନାହିଁ?

ନାରୀ ବିମର୍ଶ ଓ କାବ୍ୟ ପଏର୍ଚ୍ଛା ସତୀ

‘ପଏର୍ଚ୍ଛା ସତୀ’ ହେଲା କବି ଖଗେଶ୍ୱର ଶେଠଙ୍କ ଏକ ବହୁଚର୍ଚ୍ଚିତ କାବ୍ୟ । ଏହାର ରଚନା କାଳ ୧୯୪୨-୪୩ ଏବଂ ପ୍ରଥମ ପ୍ରକାଶନ ୧୯୪୮ ମସିହା । ସମ୍ବଲପୁରୀ ‘ପଏର୍ଚ୍ଛା ସତୀ’ର ଓଡ଼ିଆରେ ଆକ୍ଷରିକ ଅର୍ଥ ହେବ ‘ଶୁଦ୍ଧ ସତୀ’ । ମାତ୍ର ଲୋକୋକ୍ତିରେ ଚରିତ୍ରହୀନା ନାରୀ ପ୍ରତି ବ୍ୟଙ୍ଗ ବିଦୃପ କରି କୁହାଯାଏ, ‘ପଏର୍ଚ୍ଛା ସତୀ’ । ଅର୍ଥାତ ଶାବ୍ଦିକ ଅର୍ଥଠାରୁ ତା’ର ବ୍ୟବହାରିକ ଅର୍ଥ ପୁରା ଓଲଟା । ଖଗେଶ୍ୱର ଶେଠ ବିରଚିତ ‘ପଏର୍ଚ୍ଛା ସତୀ’ ଉକ୍ତ ବିଦୃପାତ୍ମକ ଅର୍ଥକୁ ପ୍ରଶ୍ନ କରେ ଏବଂ ଆକ୍ଷରିକ ଅର୍ଥରେ ବାରନାରୀ ଭଳି ପ୍ରତୀତ ହେଉଥିବା ଜଣେ ସ୍ତ୍ରୀକୁ ଶୁଦ୍ଧ ସତୀର ମର୍ଯ୍ୟାଦା ଦିଏ । କାବ୍ୟର ମୁଖ୍ୟ ଚରିତ୍ର ଜଣେ ନାରୀ, ଯିଏ ସତ୍ୟବାଦିନୀ; ମନକଥାକୁ ସେ ଘୋଡ଼େଇ ରଖିପାରେନା । ପରିଣାମକୁ ଖାତିର ନକରି ସେ ସତ୍ୟର ଅବତାରଣା କରେ । ତା’ର ସତ୍ୟବାଦିତା ହେଲା ପୁରୁଷତାନ୍ତ୍ରିକତା ବିରୁଦ୍ଧରେ ଏକ ଅମୋଘ ଅସ୍ତ୍ର ।

ଖଗେଶ୍ୱରଙ୍କ ‘ପଏର୍ଚ୍ଛା ସତୀ’ ପ୍ରେମ କରିଛି, ଔପଚାରିକ ବିବାହ ଆଗରୁ ଅନ୍ତସତ୍ୱା ହୋଇଛି, ପ୍ରେମିକ ଦ୍ୱାରା ପ୍ରତାରିତ ହୋଇଛି; ବାପା-ମା’ଙ୍କ ଚାପରେ ନବଜାତ ଶିଶୁକୁ ହତ୍ୟା କରିବାକୁ ବାଧ୍ୟ ହୋଇ ଅନୁମତି ଦେଇଛି । ସେ ପ୍ରଶ୍ନ କରେ, କାହିଁକି ତା’ ସହ ଶରୀର ସମ୍ବନ୍ଧ ରଖିଥିବା ପୁରୁଷ ତାକୁ ବିବାହ କଲା ନାହିଁ? କାହିଁକି ଟଙ୍କା ଲୋଭରେ ବାପ ତାକୁ ଜଣେ ବୁଢା ବର ହାତରେ ଛନ୍ଦି ଦେଲା? ପ୍ରେମରୁ ବଂଚିତ କରିଥିବା ସେହି ବୁଢ଼ା ବରର ମୃତ୍ୟୁରେ କାହିଁକି ବା ସେ ବିଧବା ହେବ? ଏହି ଗ୍ରାମ୍ୟ ଯୁବତୀଟି ଅଧିକାରବୋଧ ସହିତ ପୋଖରୀର ପୁରୁଷ ଘାଟ (ତୁଠ)ରେ ଯାଇ ଗାଧାଏ; ସନ୍ଧ୍ୟାରେ ନିଶଙ୍କ ହୋଇ ଏକା ଏକା ପୋଖରିପାଣି ଯାଏ; ଗାଁକୁ ବାହାରୁ ଆସିଥିବା ସାଧୁ ସନ୍ନ୍ୟାସୀଙ୍କ ପ୍ରବଚନ ରାତି ଅଧ ଯାଏଁ ଶୁଣେ, ନାଟ୍ୟ କଳାକାରର ସୁନ୍ଦର ଅଭିନୟରେ ଆହ୍ଲାଦିତ ହୋଇ ତା’ସହ ପ୍ରେମ କରିବାକୁ ଇଚ୍ଛା ରଖେ; ଅନ୍ୟମାନଙ୍କର ବ୍ୟଙ୍ଗ ବିଦୃପକୁ ଖାତିର ନ କରି ଗାଁ ଦାଣ୍ଡରେ ‘ଡାଲଖାଇ’ ନାଚିବାକୁ ମନ କରେ । ତା’ର ପାଠ ପଢିବାକୁ ଇଚ୍ଛା, ଯାତ୍ରା ପାର୍ଟିରେ ଅଭିନୟ କରିବାକୁ ଇଚ୍ଛା ; ଦୂର ଗାଁକୁ ସ୍ୱଚ୍ଛନ୍ଦରେ, ମେଳା, ‘ହରିହାଟ’ ଦେଖିଯିବାକୁ ତା’ର ଇଚ୍ଛା! ପୁରୁଷର ମନଠାରୁ ତା’ର ମନ ପୃଥକ ନୁହେଁ । ହେଲେ ଏହି ଭଳି ଇଚ୍ଛା ରଖିବା କ’ଣ ମନା? ସ୍ୱଚ୍ଛନ୍ଦ ଆଚରଣ ଯୋଗଁ ସେ ଅସତୀ ହେବ କାହିଁକି? ତା’ର ପ୍ରତିବାଦ ଲିଙ୍ଗଗତ ଅସାମ୍ୟ ବିରୁଦ୍ଧରେ । ପୁରୁଷତାନ୍ତ୍ରିକତା ବିରୁଦ୍ଧରେ! ସେ ପୁରୁଷତନ୍ତ୍ରର ଶୃଙ୍ଖଳକୁ ମାନେନା; ନିଜ ନାଆର ନାବିକ ହେବାକୁ ଚାହେଁ; ପୁରୁଷର ଅନୁକରଣ ତା’ର ଜାତକରେ ନାହିଁ । କ’ଣ ଏହି କାରଣରୁ ସେ ‘ପଏର୍ଚ୍ଛା ସତୀ’ ବୋଲି ପୁରୁଷର ବ୍ୟଙ୍ଗ ବିଦୃପ ସହିବ?

ସମ୍ବଲପୁରୀ ‘ପଏର୍ଚ୍ଛା ସତୀ’ ର କବି ନିଜେ ଓଡ଼ିଆରେ ମୁକ୍ତାନୁବାଦ କରି ଗ୍ରନ୍ଥାବଳୀର ପ୍ରଥମ ଖଣ୍ଡରେ ସ୍ଥାନିତ କରିଛନ୍ତି । ମନେହୁଏ, ଗ୍ରଂଥାବଳୀର ପ୍ରକାଶନ କଥା ବୁଝୁଥିବା ଲୋକ କାବ୍ୟର ସଂବଲପୁରୀରେ ସ୍ଥାନିତ ହେବା କଥାକୁ ନାପସଂଦ କରିଛଂତ, ଯଦିଓ ସମ୍ବଲପୁରୀରେ ତା’ର ଶବ୍ଦ ବ୍ୟବହାର ଅଧିକ ଉପଭୋଗ୍ୟ ଏବଂ ଅଧିକ ଭାବୋଦ୍ଦୀପକ । ଓଡିଆ ପାଠକ ଲାଗି ସହଜବୋଧ୍ୟ ହେବ ବୋଲି ନିମ୍ନରେ ଓଡ଼ିଆ ମୁକ୍ତାନୁବାଦରୁ କେତୋଟି ପଦ ପ୍ରଦତ୍ତତ୍ତ ହେଲା;

ଅଖଟା ବଇସେ ପୁଅ  ଜନ୍ମ କରି ଭୋଗିଥିଲି ହଟହଟା

ତଥାପି ବାଞ୍ଝୁଣି ପଦଟା ମୋହର ହୋଇଛି କଲିଜାଫଟା । ।

ପାପ ଗର୍ଭ ଦେଖି ମତେ ପଛେ ବିଷ ଦେଇଥାନ୍ତେ ମାଆ ବାପ,

ଶିଶୁ ତଂଟି ମାଡି ମୋ ସ୍ନେହରେ ପଡ଼ି ବଢ଼ାଇଲେ ମୋର ପାପ । ।

.. ..

ଯେବେ ମୁଁ ଅସତୀ ବିବାହିତ ପତି, ଦେଖାଇଥା’ନ୍ତା ମୋ ଦୋଷ,

ଦୋଷ ନ ଦେଖାଇ ଦୁଷିତା ବୋଲିବା ନୁହେଁ କି ନିନ୍ଦା ଆକ୍ରୋଷ?

ଯେ ଦୋଷେ ଯୁବତୀ ହୁଏ ଛାଡ଼ପତ୍ରୀ ଅବା ଦୁଷିତା ପତିତା,

ସେ ଦୋଷେ ବି ବର ଗୁଣ ତ ମଧୁର ବଧୁଗୁଣ କିପାଁ ପିତା । ।

ମଦୁଆ ବେଧୁଆ ଚୋର ଅଳସୁଆ ହେଲେ ହେଁ ପତି ‘ଈଶ୍ୱର’,

ଏକଥା ଯେ କହେ କାହିଁକି ନ ଦହେ ତା’ ମୁହଁକୁ ବୈଶ୍ୱାନର?

ବାପ ଆଣ୍ଠୁକୁଡ଼ା ଟଙ୍କା ଲୋଭେ ମୋହୋ ପାଇଁ ବାଛିଲା ଯେ ପତି

ଦରମରାଟା ସେ, କି ସରମେ ଆଉ ବର୍ଣ୍ଣିବି ତା’ର ଦୁର୍ଗତି?

ଶଯ୍ୟାରେ ପଡି ମୁଁ ଲଜ୍ୟାରେ କାନ୍ଦିଲି ଛନ୍ଦି ହେଲା ମୋ ଚରଣ

ଭାବିଲି ଏ ଦଶା ବରଣ କରିବା ଭଗାରି ହସା ମରଣ । ।

‘ବର’ ବୋଲି ନିଜେ ମୁଁ ବରି ତ ନଥିଲି ପର ଇଚ୍ଛାରେ ମୁଁ ବୁଢୀ,

ଗେଲ ଗରବ ମୋ ଭାଙ୍ଗିଗଲା, ପୁଣି ଭାଙ୍ଗନ୍ତି କାହିଁକି ଚୁଡ଼ି । ।

.. ..

ମଣିଷ ଜନମ ପାଇ ହୋଇଗଲି ଗାଈ ମହିଷୀର ତୁଲ୍ୟ

ଯେତିକି ଟଙ୍କାରେ ବିକା ହୋଇଥିଲି ସେତିକି କି ମୋର ମୂଲ୍ୟ?”

ପଏର୍ଛା ସତୀ’ର ନାୟିକା ସ୍ୱଚ୍ଛନ୍ଦ । ସେ ସ୍ପଷ୍ଟବାଦୀ, ସେ ସତ୍ୟବାଦୀ । ସେ ପୁରୁଷ ତିଆରି ନୀତି ନିୟମର ଅଙ୍କୁଶ ମଧ୍ୟରେ ଆବଦ୍ଧ ରହି ଜୀବନର ସ୍ୱାଦରୁ ବଂଚିତ ହେବାକୁ ଚାହେଁନା । ସେ ପୁରୁଷର ଶଠତାକୁ ପ୍ରଶ୍ନ କରେ; ‘ସତୀ’ର ମର୍ଯ୍ୟାଦା ଲୋଭରେ ଯେଉଁ ମହିଳାମାନେ ଭ୍ରମ ଓ ମିଥ୍ୟାର ଆବରଣ ଓଢି ହୁଅନ୍ତି, ତାଙ୍କ ଡ଼ରୁଆପଣକୁ ସେ ଧିକ୍କାର କରେ । ନାରୀକୁ ପୁରୁଷର କର୍ତୃତ୍ୱ ନୁହେଁ, ବରଂ ବନ୍ଧୁତ୍ୱ ଲୋଡ଼ା, ସହଧର୍ମିତା ଏବଂ ସହମର୍ମିତା ଲୋଡ଼ା । ‘ପଏର୍ଚ୍ଛା ସତୀ’ କେବେ ପୁରୁଷଗଢା ପିତୁଳା ନୁହେଁ; ଦୟାର ପାତ୍ର ନୁହେ; ସେ ଏ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ । ସେ ନାରୀକୁ ନେଇ ଗଢା ହୋଇଥିବା ନିୟମକୁ ବଦଳେଇବାକୁ ଚାହେଁ, ସତୀ ଶବ୍ଦର ଅର୍ଥକୁ ବଦଳେଇବାକୁ ଚାହେଁ । ନିଜେ ଖଗେଶ୍ୱର ନାରୀ ବେଶରେ ‘ପଏର୍ଚ୍ଛା ସତୀ’ର ମଂଚାଭିନୟ କରୁଥିଲେ । ସାହିତ୍ୟରେ ଏଭଳି ଜଣେ ଦୁଃସାହସିକା, କ୍ରାନ୍ତିକାରୀ ନାରୀ ଚରିତ୍ରକୁ ଗଢିବା ଏବଂ ତାକୁ ଗାଁ ମଂଚରେ ପ୍ରଦର୍ଶିତ କରିବା ଯେ ଏକ ବଡ଼ ଦୁଃସାହସ, ତହିଁରେ ଦ୍ୱିରୁକ୍ତି ନାହିଁ ।

ନାରୀ ବିମର୍ଶର ଅନ୍ୟ ଏକ ସଶକ୍ତ ହସ୍ତାକ୍ଷର ହେଲା ଖଗେଶ୍ୱରଙ୍କ କ୍ଷୁଦ୍ର କାବ୍ୟ ‘ନାରୀ ଗୁହାରି’; ରଚନା କାଳ ୧୯୪୦-୪୨ । କବିଙ୍କର ନାୟିକା ଏଠାରେ ଜଣେ ସାଧାରଣ ଗ୍ରାମ୍ୟ ମହିଳା, ଯିଏ ସ୍ୱର୍ଗଲୋକର ଦେବୀ ମହାଲକ୍ଷ୍ମୀଙ୍କଠାରେ ତା’ର ଶୋଷଣ, ଅତ୍ୟାଚାରର ଫର୍ଦ୍ଦକୁ ‘ଗୁହାରି’ ରୂପରେ ପ୍ରତିବେଦନ କରେ; ଶୋଷକ, ଅତ୍ୟାଚାରୀ ପୁରୁଷତନ୍ତ୍ରକୁ ସାବାଡ଼ କରିବାକୁ ଗୁହାରି କରେ । ତା’ର ଅଭିଯୋଗ ଯେ ସମାଜ ଯେଉଁ ନାରୀକୁ ଦେବୀ ରୂପରେ ପୂଜା ଆରାଧନା କରେ, ମର୍ତ୍ୟରେ ସେହି ନାରୀ ଉପରେ ପୁଣି ପୁରୁଷ ସମାଜ ଅକଥନୀୟ ଅତ୍ୟାଚାର କରେ । ଅନ୍ତତଃ ପୁରୁଷର ଏଭଳି ଦୋମୁହାଁ ଆଚରଣ ପାଇଁ ଦେବୀ ମହାଲକ୍ଷ୍ମୀ ତାକୁ ଶାସ୍ତି ଦେବା ଦରକାର । ଖଗେଶ୍ୱରଙ୍କ ନାରୀର ଭାଷାରେ,

‘ଜଗତ ପାଳନ ଧନ ଅଧିକାର ତୁମ୍ଭ ହସ୍ତେ ଅର୍ପି ଈଶ୍ୱର,

ବୀଣାପାଣି କରେ ଦେଲେ ସେ ପ୍ରକାରେ ବିଦ୍ୟା ଭାର ସାରା ବିଶ୍ୱର;

ଜନନୀ, ଦହି ହୁଏ ମର୍ମ ସନ୍ତାପେ;

ବିଦ୍ୟାଧନେ ନାରୀ ନୁହେଁ ଅଧିକାରୀ ମୁଢ଼ ସମାଜର ପ୍ରତାପେ । ।

ଶଇଶବେ ପିତା ଯଉବନେ ପତି ବାର୍ଦ୍ଧକ୍ୟ ଜୀବନେ କୁମର,

ନାରୀର ମହତ୍ୱ – ରକ୍ଷଣେ ଏମାନେ ଭିଡିଛନ୍ତି ବୀର କମର;

‘ଅବଳା’ ନାମ ଘେନି ନାରୀ ରହିବ,

ମାତୃତୁଲ୍ୟ ସବୁ ସହି ପାରିଲେ ସେ ‘ମହିଳା’ ପଦବୀ ବହିବ । ।

ଠକ ଅବିଶ୍ୱାସୀ ମୁର୍ଖ ମିଥ୍ୟାଭାଷୀ ପତି ଚଳେ ବିଶ୍ୱ-ଭବନେ,

ସତୀ ଗୁଣବତୀ ନହେଲେ ଯୁବତୀ ଗତି ନାହିଁ ସାରା ଜୀବନେ;

ଜନନୀ, କେଡ଼େ ପକ୍ଷପାତି ଧରମ,

ଏ ଧରମ ଗଢି-ଥିବା ସମାଜକୁ ନ ମାଡେ କି ଲାଜ ସରମ?

ଭ୍ରାନ୍ତି ଥିଲେ ଦେବୀ ଦୃଷ୍ଟି ଦିଅ ଦେବି, ଶାନ୍ତିଧାରା ଝରୁ ପରାଣେ

‘ନାରୀ ଧର୍ମ’ ଅଛି ‘ନରଧର୍ମ’ ବୋଲି ଲେଖା ନାହିଁ ଦେଖା ପୁରାଣେ;

ନାରୀର ଦାବୀ ନାହିଁ ଯଦି ବେଦରେ,

ବେଦାଦେଶ କିମ୍ପା ମାନିବ ରମଣୀ ପକ୍ଷପାତୀ ମତ ଭେଦରେ?’

ଖଗେଶ୍ୱରଙ୍କ ନାରୀ ଅବଳା ରହିବାକୁ ଚାହେଁ ନାହିଁ, ସ୍ୱାବଲମ୍ବୀ ହେବାକୁ ଚାହେଁ, ଉଭୟ ଶିକ୍ଷା ଓ ଅର୍ଥରେ ନିଜର ଭାଗ ଚାହେଁ । ଯେଉଁ ନୀତି ନିୟମ ପୁରୁଷ ପାଇଁ, ସେହି ନୀତି ତା’ଠାରେ ମଧ୍ୟ ଲାଗୁ ହେଉ । ଯେଉଁ ବେଦରେ ନାରୀର ଦାବି ନାହିଁ, ସେହି ବେଦର ଆଦେଶକୁ ସେ ମାନିବ କାହିଁକି? ସେ ଶୃତି, ସଂହିତା, ଗୀତା, ଧର୍ମଶାସ୍ତ୍ରକୁ ଅସ୍ୱୀକାର କରେ, କାରଣ ସେସବୁ ପୁରୁଷକୃତ, ପୁରୁଷର ସ୍ୱାର୍ଥ ରକ୍ଷା ନିମନ୍ତେ ଉଦ୍ଦିଷ୍ଟ । ନାରୀ ଶେଷରେ ସତର୍କ କରି କହେ, ଯଦି ଏହି ଲିଙ୍ଗଗତ ଅସାମ୍ୟକୁ ଦୃଷ୍ଟି ଦିଆ ନ ଯାଏ ସୁନାର ଭାରତ ଅଚୀରେ ନଷ୍ଟ ବିନଷ୍ଟ ହୋଇଯିବ । ଅର୍ଥାତ୍ ଖଗେଶ୍ୱରଙ୍କ ନାରୀ କୌଣସି ନିଜସ୍ୱ ସ୍ୱାର୍ଥ ପାଇଁ ନୁହେଁ, ବରଂ ଦେଶର ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସାମ୍ୟ ଦାବି କରେ, ବିଭେଦର ବିରୁଦ୍ଧାଚରଣ କରେ ।

ହେତୁବାଦ ଓ ନିରିଶ୍ୱରବାଦ ର କବି

ଖଗେଶ୍ୱର ଯେଉଁ ଦମ୍ଭରେ ଲିଙ୍ଗଗତ ଅସାମ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ, ସେହି ଦମ୍ଭରେ ‘ମହାପ୍ରଭୁ’ ଶୀର୍ଷକ ଦୀର୍ଘ କବିତାରେ ଈଶ୍ୱର ନାମରେ ଚାଲିଥିବା ପାଖଣ୍ଡର ପର୍ଦ୍ଦାଫାଶ କରିଥିଲେ । ସେ ମହାପ୍ରଭୁଙ୍କ ମହନୀୟତାକୁ ଭ୍ରମପୂର୍ଣ୍ଣ ବୋଲି ପ୍ରମାଣ ଦେବାକୁ ଯାଇ ଲେଖଂତି,ଯେଉଁ ଭଗବାନ ଦ୍ରୌପଦୀଙ୍କୁ କୋଟୀ ବସ୍ତ୍ର ଦେଇଥିଲେ, ସେ ପୁଣି କାହିଁକି ଗୋପୀମାନଙ୍କର ବସ୍ତ୍ରହରଣ କଲେ । ଯେଉଁ ମହାପ୍ରଭୁ ମୃଗୁଣୀକୁ ରକ୍ଷା କଲେ, ସେ ପୁଣି ନିଜ ପତ୍ନୀଂକ (ସୀତାଂକ) ମନ ଜିଣିବା ଲାଗି ପଂଚବଟୀରେ ମୃଗୁଣୀ ମାରିବାକୁ ଧାଇଁଲେ କେମିତି? ଶବରୀର ଅଇଁଠା ଖାଇଥିବା ପ୍ରଭୁ ପୁଣି ଦଳିତ ଶ୍ରୀୟା ଚଣ୍ଡାଳୁଣୀ ପ୍ରତି ଏତେ କଠୋର କାହିଁକି? ଏଭଳି ଆହୁରି ଅନେକ ଉଦାହରଣ ପୁରାଣରୁ ଆଣି କବି ସିଦ୍ଧ କରନ୍ତି ଯେ ଏସବୁ ବିଡ଼ମ୍ବନାପୂୂର୍ଣ୍ଣ; ସତ୍ୟ ଆଧାରିତ ନୁହେଁ । ଏହି ଆଧାରରେ ତାଙ୍କୁ ଯଦି ନାସ୍ତିକ କୁହାଯାଏ, କବିଙ୍କର ଅବଶୋଷ ନାହିଁ, ଭାଗ୍ୟଫଳ ଭିତ୍ତିରେ ଯଦି କର୍ମଫଳ ମିଳେ, ବ୍ୟକ୍ତିର ଆସ୍ଥା, ଅନାସ୍ଥା ବା କେଉଁ କାମର? ଅନ୍ୟ ଶବ୍ଦରେ କହିଲେ, ଏଠାରେ କବି ଲୋକଙ୍କୁ ଯୌକ୍ତିକତା, ହେତୁବାଦୀତାରେ ଆସ୍ଥା ରଖିବାକୁ ବୁଝାଇଛନ୍ତି । ଯୌକ୍ତିକତାର ଅଭାବରେ ଲୋକ ଧର୍ମଗୁରୁ ଓ ପୂଜକବର୍ଗର ଶୋଷଣର ଅଯଥା ଶିକାର ହୁଅନ୍ତି ବୋଲି ତାଙ୍କ ବିଶ୍ୱାସ ।

ଖଗେଶ୍ୱର ନିଜେ ଥିଲେ ଦଳିତ ବର୍ଗର, ଯଦିଓ କେଉଟ ଜାତିକୁ ପଶ୍ଚିମ ଓଡ଼ିଶାରେ ଅସ୍ପୃଶ୍ୟ ମନେ କରାଯାଏନା । କେଶବ ମେହେରଙ୍କ ସୂଚନାରୁ ଜଣାପଡ଼େ ଯେ ହୃଷିକେଶ ଶେଠଙ୍କ ସାତଟି ସନ୍ତାନ ମଧ୍ୟରେ ଖଗେଶ୍ୱରଙ୍କୁ ମା’ କ୍ଷୀର ମିଳି ନଥିଲା । ସେ ଜଣେ ‘ହରିଜନ’ ମହିଳାର କ୍ଷୀର ପାନ କରି ବଂଚିଥିଲେ । ଏହି ଅନୁଭବ ଖଗେଶ୍ୱରଙ୍କର ଗାଁ ‘ହରିଜନ’ ପଡ଼ା ଏବଂ ‘ହରିଜନ’ ପରିବାର ସହ ସମ୍ପୃକ୍ତିକୁ ନିବିଡ଼ କରି ଦେଇଥିଲା । ଏକେ ତ କେଉଟ ତଳ ଜାତି, ପୁଣି ଅସ୍ପୃଶ୍ୟ ଘରେ ରହି ବଡ଼ ହୋଇଛନ୍ତି । ସମ୍ଭବତଃ ଏହି କାରଣରୁ ସେ ଅସ୍ପୃଶ୍ୟତାକୁ ଭଲ ଭାବେ ବୁଝିଥିଲେ । ସମାଜ ସଂସ୍କାରୀ ପରିବେଶ ଏବଂ ଗାନ୍ଧୀବାଦୀ ଚେତନା ତାଙ୍କ ସୃଜନାତ୍ମକ ଅଭିବ୍ୟକ୍ତିକୁ ତୀବ୍ର ଓ ତୀବ୍ରତର କଲା । ତାଙ୍କର ଅନେକ କାବ୍ୟକୃତିରେ କବି ନିଶଙ୍କ ହୋଇ ଅସ୍ପୃଶ୍ୟତାର ବିରୋଧ କରିଛନ୍ତି । ‘ହରିଜନ ଗୁହାରି’ ଏହି ଧରଣର ଏକ ଚଉତିଶା । ଏଠାରେ ‘ହରିଜନ’ ଉଚ୍ଚ ଜାତି ଆଗରେ ଫେରାଦ ହୁଏ, କୌଣସି ଦୟା, କରୁଣା ଆଶାରେ ନୁହେଁ, ବରଂ ସମାଜ, ଦେଶ ଏବଂ ଉଚ୍ଚ ବର୍ଗ ତା’ ନିଜ ସ୍ୱାର୍ଥ ଦୃଷ୍ଟିରୁ ଅସ୍ପୃଶ୍ୟତାକୁ ତଥା ଜାତିଭେଦକୁ ତ୍ୟାଗ କରୁ ବୋଲି ନିବେଦନ କରେ । କବିଙ୍କ ଭାଷାରେ, ଉଚ୍ଚ ଜାତିର ଡ଼ୋରି ତଥାକଥିତ ‘ଅସ୍ପୃଶ୍ୟ’ ହାତରେ । ଅସ୍ପୃଶ୍ୟତା ବ୍ୟାଧି ଅବ୍ୟାହତ ରହିଲେ, ଉଚ୍ଚ ଜାତି ହିଁ କ୍ଷତିଗ୍ରସ୍ତ ହେବ । ‘ହରିଜନ ଗୁହାରି’ ଚଉତିଶାରେ କବିଙ୍କ ହରିଜନ କହେ;

“କହତ ହେ ଭାଇ ଏହି କି ଉଚ୍ଚ ହିନ୍ଦୁ ବିଚାର?

କରୁଅଛ ଯାହା ଆମ୍ଭଙ୍କୁ ଚିରଦିନ ନାଚାର!

ଖଟିଛୁ ତ ଦିବା ରଜନୀ ଖାଲି ତୁମ୍ଭ ସେବାରେ,

ଖରାପ କାମ କି ଦେଖିଲ ଭାଇ, କହ ତ ବାରେ?.. ..

ଅଛି କି ଏପରି ପ୍ରମାଣ ଧର୍ମଶାସ୍ତ୍ରରେ କା’ର?

ଉଚ୍ଚ କେ’ ହୋଇଛି ଭାଇ କି ଭାଇ କରି ଧିକ୍କାର!.. ..

ଛାଡ଼ି ଦେବୁ ଦାଣ୍ଡ ପହରା, ମେହେନ୍ତର କବାର,

ଛାଲକଟା, ମଲା ଖବର, ଚିଠି ବହି ନେବାର

ଜୀବନ ଯାପନ ସକାଶେ ଅଛି ନାନା ଜୀବିକା,

ଜାଣି ଜାଣି ଆଉ କାହିଁକି ହେବୁଁ ମହତ ବିକା?.. ..

ଡ଼ମ ହାଡ଼ି ଆଦି ଡିଙ୍ଗର ଯଦି ତମ ଭିତରୁ,

ଡାଳେ ବିଷଫଳ ଫଳିଲେ ଦାୟୀ ନୁହେଁ କି ତରୁ?.. ..

ତୁମ୍ଭ ଲାଗି ଏକା ମନ୍ଦିରେ ଅଛନ୍ତି କି ଠାକୁର?

ତହିଁ ମନା କଲ, ସମୟେ ଯହିଁ ପଶେ କୁକୁର?.. ..

‘ଭଲ ଲୋକ’ ପଦ ବହିଛ କିସ ବୁଝି ବିଚାରି.

ଭାଲୁ –କୁଲ୍ହିଆଠୁଁ ତୁମ୍ଭେ ତ ଅଧିକ ସ୍ୱେଚ୍ଛାଚାରୀ ।.. ..

ବଡ଼ ବୋଲି ସିନା ମାନିଛୁଁ ରଖି ନିଜ ଧରମ,

ବ୍ୟବହାର ତୁମ୍ଭ ଦେଖିଲେ ମାଡ଼ୁଅଛି ସରମ । ।.. ..

ସାନ-ବଡ଼ ଜାତି ବିକାର ଯାଏ ନାହିଁ ଯାବତ

ସୁଖ-ଶାନ୍ତି-ମୁକ୍ତି ଏ ଦେଶ ପାଏ ନାହିଁ ତାବତ । ।”

ଅସ୍ପୃଶ୍ୟତାର ପ୍ରଶ୍ରୟକାରୀ ବର୍ଗକୁ ଯେଉଁ କଠୋରତାର ସହିତ ଖଗେଶ୍ୱରଙ୍କ ଦଳିତ ଧିକ୍କାର କରେ, ତାହା କେବେ ‘ଗୁହାରି’ ପଦବାଚ୍ୟ ହୋଇ ନପାରେ । ଏହି ଧିକ୍କାର ପଛରେ ରହିଛି ‘ହରିଜନ’ର ଜାତୀୟ ମମତା, କାରଣ ସେ ଜାଣେ ‘ଜାତି ବିକାର’ ରହିଥିବା ଯାକେ ଦେଶ ପାଇଁ ସ୍ୱାଧୀନତା ବା ସୁଖ-ଶାନ୍ତି-ମୁକ୍ତି ଆକାଶ କୁସୁମ । ଅର୍ଥାତ୍ ଜାତୀୟତାବୋଧ କବିଙ୍କୁ ଲିଙ୍ଗଗତ ଅସାମ୍ୟ ଓ ଋଢ଼ିବାଦିତା ପରି ଅସ୍ପୃଶ୍ୟତା ବିରୁଦ୍ଧରେ ଖଡ଼ଗହସ୍ତ ହେବାକୁ ଦମ୍ଭ ଓ ସାହସ ଯୋଗାଇଛି ।

ସ୍ୱଦେଶୀ ବିଚାର

ଆର୍ଥିକ ଦାରିଦ୍ର୍ୟ ଖଗେଶ୍ୱରଙ୍କ ଅସ୍ଥିମଜ୍ଜାଗତ । ନିଜ ଦାରିଦ୍ର୍ର୍ୟକୁ ବୈକ୍ତିକ ସ୍ତରରେ ସୀମିତ ନ ରଖି ସେ ତାକୁ ସାମୂହିକ ସ୍ତରକୁ ନେଇ ଯାଇଥିଲେ, ଦାରିଦ୍ର୍ୟର କାରଣ ଖୋଜୁଥିଲେ । ଏହି ସାମୂହିକତା ଯୋଗୁଁ ତାଙ୍କୁ ଦାରିଦ୍ର୍ୟ ଜନିତ ନିରାଶା କବଳିତ କରି ପାରି ନଥିଲା । ଏହାର ଏକ ସଶକ୍ତ ଉଦାହରଣ ହେବ, ତାଙ୍କ ରଚନା – ‘ଆମେ ଗରିବ କାହିଁକି?

ତାଙ୍କ ମତରେ ବିଦେଶୀ ଶାସନ ଏବଂ ପରାଧୀନତା ଆମ ଗରିବୀର ପ୍ରମୁଖ କାରଣ । ବିଦେଶୀ ଶାସନର ଫାନ୍ଦରେ ପଡ଼ି ଲୋକଙ୍କର ସ୍ୱାବଲମ୍ବନଶୀଳତା ନଷ୍ଟ ହୋଇଛି । ପ୍ରତି କଥାରେ ଲୋକ ଅନ୍ୟ ଉପରେ ଆଶ୍ରିତ । ଏହି ଦୀର୍ଘ କବିତାରେ କବି ଦ୍ରବ୍ୟର ଏକ ସୂଚୀ ପ୍ରସ୍ତୁତ କରିଛନ୍ତି, ଯାହାକୁ ତ୍ୟାଗ କରିବା କାରଣରୁ, ତାଂକ ମତରେ, ବ୍ୟକ୍ତି ଦରିଦ୍ର, ଅନ୍ୟ ବସ୍ତୁ ଉପରେ ନିର୍ଭରଶୀଳ । ଏଭଳି ଏକ ସୂଚୀ  ମଫସଲର କେବଳ ଜଣେ ମାଟି କାଦୁଅର ମଣିଷ ହିଁ ଚିନ୍ତା କରିପାରେ । ସେହି ସୂଚୀରେ ସାମିଲ ବସ୍ତୁ ଗୁଡିକ ମଧ୍ୟରେ ରହିଛି; ଦାନ୍ତକାଠି ବଦଳରେ ବ୍ରସ, ପାଣି ବଦଳରେ ଚା’, ଦେହରେ ବ୍ୟବହାର୍ଯ୍ୟ ତେଲ ବଦଳରେ ସାବୁନ, ଘରେ ପ୍ରସ୍ତୁତ କାହାଲି (ଧୂଆଁପତ୍ର) ବଦଳରେ ସିଗାରେଟ, ହାତଟଣା ପଙ୍ଖା ବଦଳରେ ବିଜୁଳି ପଙ୍ଖା ଏବଂ ଖଦି ବସ୍ତ୍ର ବଦଳରେ ବିଦେଶୀ ଲୁଗାର ବ୍ୟବହାର । ହୁଏତ ପ୍ରଦତ୍ତ ସୂଚୀର ଅଧିକାଂଶ ବସ୍ତୁ ଆଜି ‘ଦେଶୀୟ’ ମନେ କରାଗଲେଣି । ମାତ୍ର, କବିଙ୍କର ପ୍ରମୁଖ ମହତ୍ୱ ସ୍ୱାବଲମ୍ବନଶୀଳତାରେ । ତା’ର ଅଭାବକୁ ସେ ଦାରିଦ୍ର୍ୟର କାରଣ ମନେ କରୁଥିଲେ ।

ସମାଜ ଚିନ୍ତାରେ ବ୍ୟସ୍ତ ବିବ୍ରତ କବି ଖଗେଶ୍ୱର ଶେଠ ୧୯୪୨ରେ ‘ଧନ୍ୟ କଳିକାଳ’ ଶୀର୍ଷକରେ ଏକ ଗୀତ ଲେଖିଥିଲେ । ଏଥିରେ କଳିକାଳ ହେଲା ଏକ ବ୍ୟକ୍ତି, ସବୁ କୁରୀତିର କାରଣ । କୁରୀତିଗୁଡିକ ହେଲେ ‘ବାରିବାରଣ’ (ଏକ ସାମାଜିକ ବର୍ଗ (ଦଳିତ) କୁ ଜଳର ସାଧାରଣ ଉତ୍ସରୁ ବଂଚିତ କରିବା ।), ‘ଜାତି-ଅସ୍ପୃଶ୍ୟତା’, ‘ନାରୀ-ଲାଞ୍ଛନା’, ‘ଭ୍ରାତୃ ବିରୁଦ୍ଧତା’ (ଆପୋସ କଳହ) ଏବଂ ‘ଚରିତ୍ରହୀନ ଭ୍ରଷ୍ଟ ଭୂଦେବତ୍ୱ’ (ଚରିତ୍ରହୀନ ଚରିତ୍ରମାନଙ୍କୁ ପୂଜ୍ୟ କରିଦେବା) । ଏହି ସବୁ କୁରୀତି ଯୋଗୁଁ ଭାରତ ତା’ର ମର୍ଯ୍ୟାଦା ଏବଂ ଅତୀତ ଗୌରବ ହରାଇଛି । ମାତ୍ର କବି ଆଶାବାଦୀ ଯେ ଖଳନାୟକ କଳିକାଳ କେବେ ଦେଶ ସ୍ୱାଧୀନ ହେଲା ପରେ ତିଷ୍ଠି ପାରିବ ନାହିଁ । ୧୯୪୨ର ‘ଅଗଷ୍ଟ ବିପ୍ଳବ’ କବିଙ୍କ ପ୍ରାଣରେ ଆଶା ସଂଚାର କରିଛି ଯେ ‘କଳିକାଳ’ ଆଉ ବେଶୀ ଦିନ ନୁହେଁ । ଏଠାରେ ଇଂରେଜ ଶାସନକୁ ସେ ‘କଳିକାଳ’ର ସଜ୍ଞା ଦେଇଛନ୍ତି ସତ, ମାତ୍ର ତାଙ୍କ କଳିକାଳ କେବଳ ଇଂରେଜ ଶାସନ ନୁହେଁ, ବରଂ ସମସ୍ତ କୁରୀତିର ସାମୁହିକ ରୂପ । ପାଣିମୋରା ଗାଁର ତାଙ୍କ ବନ୍ଧୁମାନେ ଯେତେବେଳେ ସ୍ୱାଧୀନତା ସଙ୍ଗ୍ରାମରେ ଭାଗ ନେଇ ଜେଲରେ (ପାଣିମୋରାର ୩୨ ଜଣ ବ୍ୟକ୍ତି ୧୯୪୨ରେ ଭାରତ ଛାଡ ଆଂଦୋଳନ ବେଳେ ଜେଲ ଯାଇଥିଲେ), ଖଗେଶ୍ୱରଙ୍କ ପାଇଁ ଆନ୍ଦୋଳନରେ ଭାଗ ନେବା ଏକ ବିଳାସିତା । ମାତ୍ର ବୌଦ୍ଧିକ ସ୍ତରରେ ସେ ଆନ୍ଦୋଳନରେ ଏବଂ ତା’ର ପ୍ରମାଣ ହେଲା ତାଂକର ଏହି କବିତା ‘ଧନ୍ୟ କଳିକାଳ’ ।

ସ୍ୱାଧୀନତା ଓ ସତ୍ୟଯୁଗ

‘ସତ୍ୟ ସମାଚାର’ (୧୯୪୨) ହେଲା ଖଗେଶ୍ୱରଙ୍କ ଅନ୍ୟ ଏକ ରାଜନୈତିକ ରଚନା । ଏମିତିରେ ୧୯୪୨ର ଇଂରେଜ ବିରୋଧୀ ଭାରତଛାଡ଼ ଆନ୍ଦୋଳନ ପଶ୍ଚିମ ଓଡ଼ିଶାରେ ଖୁବ୍ ଉଗ୍ର ହିଂସ୍ର ରୂପ ନେଇ ନଥିଲା । କିଛି ସଙ୍ଖ୍ୟକ ସ୍ୱାଧୀନତା ସଙ୍ଗ୍ରାମୀଙ୍କ ଶାଂତିପୂର୍ଣ ଗିରଫ ଯାଏଁ ଏହା ସୀମିତ ରହିଥିଲା । ଏହା ସତ୍ୱେ ଲୌକିକ ସ୍ତରରେ ତା’ର ପ୍ରଭାବ ଉଣା ନଥିଲା । ପଦମପୁର, ଫୁଲଝର-ଅଂଚଳରେ, ଯାହା ଖଗେଶ୍ୱର ଶେଠଙ୍କ କାର୍ଯ୍ୟକ୍ଷେତ୍ର, ଲୋକଙ୍କର ଇଂରେଜ ଶାସନ ଉପରୁ ଆସ୍ଥା ତୁଟି ଯାଇଥିଲା । ଲୋକ ନିଶ୍ଚିତ ଯେ ଅଳ୍ପ ଦିନ ପରେ ଇଂରେଜ ଶାସନ ଭାରତରୁ ତିରୋହିତ ହେବ । ଏହି ଲୋକ ବିଶ୍ୱାସକୁ ପରିପୁଷ୍ଟ କରିବା ପାଇଁ ‘ଚେତାବନୀ’ ନାମରେ ଏକ ପ୍ରଚାରପତ୍ର ବଂଟା ହେଉଥିଲା । ତା’ର ଲେଖକ ସ୍ଥାନରେ ଏକ ଅତି ଦୀର୍ଘ ନାମଧାରୀଙ୍କ ନାମ ରହିଥିଲା – ‘ପରମହଂସ ଶ୍ରୀ ୧୦୮ ସ୍ୱାମୀ ରାଜନାରାୟଣ ପଟଶାସ୍ତ୍ରୀ ଜ୍ୟୋତିଭୂଷଣ ଭକ୍ତି ଯୋଗାଚାର୍ଯ୍ୟ’ । ପ୍ରଚାରପତ୍ର ଲେଖକଙ୍କ ନାମକୁ ଦୀର୍ଘ ଓ ମହିମା ମଣ୍ଡିତ କରିବା ପଛରେ ସମ୍ଭବତଃ ଉଦ୍ଦେଶ୍ୟ ଥିଲା ଯେ ଉଲ୍ଲିଖିତ ‘ତଥ୍ୟକୁ ମାନ୍ୟତା ପ୍ରଦାନ’ କରିବା । ପ୍ରଚାରପତ୍ର ଅନୁଯାୟୀ ୧୯୪୩ ଅଗଷ୍ଟ ୧ ତାରିଖ ଦିନ (ଭାରତ ଛାଡ଼ ଆନ୍ଦୋଳନର ବର୍ଷେ ଉତ୍ତାରୁ) ‘କଳିଯୁଗ ଶେଷ ହେବ ଏବଂ ସତ୍ୟଯୁଗ ପୁଣି ଆସିବ, କଳ୍କୀ ରୂପୀ ଭଗବାନ ଘୋଡ଼ା ଉପରେ ଚଢ଼ି ପାପୀମାନଙ୍କୁ ସଂହାର କରିବେ ।” ପ୍ରଚାର ପତ୍ରର ସତ୍ୟାସତ୍ୟ ଉପରେ ଖଗେଶ୍ୱରଙ୍କୁ ଲୋକ ପଚାରିବାରୁ କବି ଏକ କବିତା ମାଧ୍ୟମରେ ନିଜର ମତ ପ୍ରଦାନ କରିଥିଲେ । ‘ସତ୍ୟ ସମାଚାର’ ହେଲା ସେହି କବିତା । ଚଉତିଶା ବିଧିରେ ଲିଖିତ ଏହି କବିତାରେ ଦେଶର ସ୍ୱାଧୀନତାକୁ ନେଇ କବିଙ୍କର ଦୃଷ୍ଟି ସମ୍ବନ୍ଧରେ ସମ୍ୟକ ଆଭାସ ମିଳେ ।

କବିତାର ଆରମ୍ଭରେ ସେ କଳିଯୁଗର ଶାବ୍ଦିିକ ଅର୍ଥକୁ ହେତୁବାଦୀ ଦୃଷ୍ଟିରେ ପ୍ରାଞ୍ଜଳ କରି କହିଛନ୍ତି ଯେ ଏହା ହେଲା କଳହର କାଳଖଣ୍ଡ । ସତ୍ୟଯୁଗର ପ୍ରବେଶ ମାତ୍ରକେ କଳିଯୁଗ ଶେଷ ହେବ । ତା’ ସାଙ୍ଗରେ,

 “ଗଞ୍ଜାଇ ମଦ ଜୁଆ ପଶା    ଗ୍ରାମରୁ ଯିବ ଏ ବେଉସ।।;

ଗଣ୍ଡା ବ୍ରାହ୍ମଣ ଜାତିଭେଦ –   ଗର୍ବ ମେଂଟାଇ ଦେବ ବେଦ;

ଗରିବ-ଧନୀ ଏକାକାର –    ଗଢ଼ିବ ସତ୍ୟ ରାଜ୍ୟେ ତା’ର ।”

ପୁଣି, ସେ ଆହୁରି କହିଛନ୍ତି,

 “ଘନିଷ୍ଠ ସ୍ନେହ ସରଳତା    ଘେନି ଫୁଟିବ ମାନବତା

ଘୋଷଣା ଛଳେ ପ୍ରାପ୍ତ ଧନ  ଘରକୁ ଆଣିଦେବେ ଜନ

ଘନ ବର୍ଷିବ ଯଥାକାଳେ     ଘାସ ଶୁଖିବ ଗୋରୁଶାଳେ ।”

କେବଳ ସେତିକି ନୁହେଁ, କବିଙ୍କ ଭାଷାରେ ସ୍ୱାଧୀନତା ଆସିଲେ ଇଂରାଜୀର ‘ଟେକପଣ’ ଭାଙ୍ଗିଯିବ, ପ୍ରତି ଗ୍ରାମରେ ‘ଟୋଲ’ (ସ୍କୁଲ) ଖୋଲା ହେବ, ଧର୍ମଗ୍ରନ୍ଥ ନାଁରେ ଚଳୁଥିବା ‘ଜାଲଗ୍ରନ୍ଥ’ ସବୁ ସମୁଦ୍ରରେ ଫିଙ୍ଗା ହେବେ, ଭାଗବତକୁ ମସଜିଦରେ ‘ଭାଷ୍ୟ’ କରାଯିବ, ମହାପ୍ରଭୁଙ୍କ ପୂଜା ଅର୍ଚ୍ଚନା ନିମିତ୍ତ ଉଭୟ ମୂର୍ତି ଏବଂ ମନ୍ଦିରକୁ ଲୋକ ଅନାବଶ୍ୟକ ମନେ କରିବେ, ଆରାଧନା ବୈ÷କ୍ତିକ ସ୍ତରରେ ସୀମିତ ରହିବ । ‘ବିବେକ ସମର୍ଥିତ କର୍ମ’କୁ ଲୋକ ଧର୍ମ ମନେ କରିବେ । ଏହି ‘ସତ୍ୟସମାଚାର’ ଦେବା ଅବସରରେ କବି ବୌଦ୍ଧ, ଖ୍ରୀଷ୍ଟିଆନ, ହିନ୍ଦୁ, ଜୈନ ଏବଂ ମୁସଲମାନଙ୍କୁ ହିଂସା, ବିବାଦ, ଟେକ ହଟାଇ ଏକ ହେବାକୁ ତଥା ହୃଦୟ ପରିଷ୍କାର କରିବାକୁ ଆହ୍ୱାନ ଦେଇଛନ୍ତି । ‘ସତ୍ୟ ସମାଚାର’ ଖଗେଶ୍ୱର ଶେଠଙ୍କ ରାଜନୈତିକ ବିଚାରକୁ ଚିହ୍ନିତ କରେ । ସ୍ୱାଧୀନତା ସଙ୍ଗ୍ରାମର ପ୍ରତ୍ୟକ୍ଷ ସମ୍ପୃକ୍ତି ନ ପାଇ ସୁଦ୍ଧା ଜଣେ ପରିପକ୍ୱ ଏବଂ ବିଚାରବନ୍ତ ଜାତୀୟତାବାଦୀ ରୂପରେ ସେ ସ୍ୱାଧୀନତାକୁ ନେଇ ଅନେକ ସ୍ପପ୍ନ ପାଳିଥିଲେ ଏବଂ ସେସବୁର ପୂର୍ତି ଲାଗି ଶାନ୍ତି, ଆତ୍ମଶୁଦ୍ଧି ଓ ଏକତାର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ସୃଷ୍ଟି କରିବାକୁ ପ୍ରୟାସ କରୁଥିଲେ । ସେ ଜାତୀୟବାଦୀ, ମାତ୍ର ନିଜ ଜାତୀୟତାବାଦକୁ ଦୃଶ୍ୟମାନ କରିବାଲାଗି ଜେଲ ଯାଇନାହାନ୍ତି, ପଦଯ୍ରାତା କରି ନାହାନ୍ତି, ଏପରିକି ସଭାସମିତିରେ ବି ଭାଗ ନେଇ ନାହାନ୍ତି । ଦେଖିବାକୁ ଏହା ବିଡ଼ମ୍ବନାପୂର୍ଣ୍ଣ ନିଶ୍ଚୟ । ମାତ୍ର କବି ଖଗେଶ୍ୱରଙ୍କ ଜୀବନଚର୍ଯ୍ୟାକୁ ଦୃଷ୍ଟିରେ ରଖି ଆଲୋଚନା କଲେ ଏହା ଆଦୌ ବିସଙ୍ଗତିପୂର୍ଣ୍ଣ ପ୍ରତୀତ ହୁଏ ନାହିଁ ।

ଉପସଂହାର

ଓଡ଼ିଶାର ବୌଦ୍ଧିକ ଜଗତରେ କବି ଖଗେଶ୍ୱର ଶେଠ ହେବେ ଜଣେ ଅନନ୍ୟ ପ୍ରତିଭା, ଯଦିଓ ଅତି କମ ଚର୍ଚିତ । ୧୯୩୦ରୁ ୧୯୮୦ ଦଶକ ଯାଏଁ ତାଙ୍କ ରଚନା କାଳ । ସେ ଉଭୟ ଓଡ଼ିଆ ଏବଂ ସମ୍ବଲପୁରୀରେ କାବ୍ୟକବିତା ଲେଖୁଥିଲେ । ଆମର ଏହି ସଂକ୍ଷିପ୍ତ ଆଲୋଚନାରେ କବିଙ୍କର କେତେଗୁଡ଼ିଏ ଓଡ଼ିଆ କାବ୍ୟ ଏବଂ ସମ୍ବଲପୁରୀ କାବ୍ୟ ‘ପଏର୍ଚ୍ଛା ସତୀ’ର ଆଲୋଚନା କରାଗଲା ଏବଂ ୧୯୪୦-୫୦ଦଶକରେ ଲେଖିଥିବା ସାହିତ୍ୟ-କୃତି ସମ୍ବନ୍ଧରେ ଏକ ମୋଟାମୋଟି ଧାରଣା ଦିଆଗଲା । ଏହାର ବିଶଦ ଅର୍ଥ ହେବ, କବିଙ୍କର ବ୍ୟକ୍ତିତ୍ୱର ଅନ୍ୟାନ୍ୟ ଚର୍ଚ୍ଚା ଓ କୃତର ଆଲୋଚନା ପାଇଁ ଆହୁରି ଅନେକ ଅବସର ରହିଛି । ଔପଚାରିକ ଶିକ୍ଷାର ଅଭାବ ସତ୍ୱେ ସେ ଓଡ଼ିଆକୁ ଆୟତ୍ତ କରିଥିଲେ, ସମ୍ବଲପୁରୀ ଥିଲା ତାଙ୍କ ମାତୃଭାଷା । ହେଲେ ସମ୍ବଲପୁରୀ, ଯାହାକୁ ଏବେ କୋଶଳି ବୋଲି କୁହାଯାଉଛି, ସେତେବେଳକୁ ବୌଦ୍ଧିକ ଅଭିବ୍ୟକ୍ତିର ଭାଷା ହୋଇ ନଥିଲା । ଏହାକୁ ଖାତିର ନକରି ଖଗେଶ୍ୱର ସ୍ୱାଭାବିକ ଭାବରେ ସମ୍ବଲପୁରୀରେ ରଚନା କଲେ । ପୁଣି, ଓଡିଆରେ ଲେଖିଲା ବେଳେ ସେ ଉଦାର ହୋଇ କୋଶଳି ଶବ୍ଦ ତଥା ଉପମା-ଅଳଂକାରର ପ୍ରୟୋଗ କଲେ,ଯାହା ସେତେବେଳେ ଏକ ବଡ ସାହସର କାମ ଥିଲା । ଓଡ଼ିଆରେ ସାହିତ୍ୟ ସାଧନା କଲାବେଳେ ତାଙ୍କୁ ବ୍ୟକ୍ତିଗତ ସ୍ତରରେ ବ୍ୟଙ୍ଗ ବିଦ୍ରୁପର ସମ୍ମୁଖୀନ ହେବାକୁ ପଡ଼ିଥିଲା, କାରଣ ସେ ନିତାନ୍ତ ଦରିଦ୍ର ଥିଲେ ଏବଂ ‘ନିମ୍ନ’ ଜାତି (କେଉଟ)ର ଥିଲେ । ଏପରିକି ପଶ୍ଚିମ ଓଡ଼ିଶାର ଗ୍ରାମ୍ୟ ସମାଜରେ ମଧ୍ୟ ଏଭଳି ଜଣେ ବ୍ୟକ୍ତି ପାଇଁ ବୌଦ୍ଧିକ ସାହିତ୍ୟ ସାଧନା ନିଷେଧ ପ୍ରାୟ ଥିଲା । ବିଦ୍ରୋହୀ ଖଗେଶ୍ୱର ଓଡ଼ିଆରେ କାବ୍ୟ ସାଧନା ଅବ୍ୟାହତ ରଖି ସେହି ନିଷେଧାଜ୍ଞାର ଅବଜ୍ଞା କରିଥିଲେ ।

ଭୀମ ଭୋଇଙ୍କୁ ବାଦ ଦେଲେ ଖଗେଶ୍ୱର ହେବେ ଆଧୁନିକ ଓଡ଼ିଶାର ପ୍ରଥମ ଦଳିତ ଏବଂ ଶ୍ରମଜୀବୀ ସାହିତ୍ୟ ସାଧକ । ମୁଢ଼ି ଭାଜି ସେ ଦିନ କାଟୁଥିଲେ, ଯାହାକୁ ଦିନ ମଜୁରିଆସ୍ତରୀୟ ଜୀବନ ଭାବରେ ଦେଖିହେବ । ଆଉ ତ ଆଉ ଲେଖିବା ପାଇଁ କାଗଜ ଓ କଲମ କିଣିବା ମଧ୍ୟ ତାଙ୍କ ପାଇଁ ଏକରକମର ବିଳାସିତା ଥିଲା । ମାତ୍ର ଏହି ଦିନ ମଜୁରିଆ ଜୀବନ ଓ ଅନୁଭବ ତାଙ୍କୁ ଲେଖିବା ପାଇଁ ପ୍ରତିକ୍ଷଣ ପ୍ରେରଣା ଦେଉଥିଲା । ‘ଆର୍ଯ୍ୟସମାଜ’ ଆନ୍ଦୋଳନ ଏବଂ ଜାତୀୟତାବାଦୀ ଆନ୍ଦୋଳନର ପ୍ରଭାବରେ ଜୀବନର ଅନୁଭବଗୁଡିକୁ ସେ ବ୍ୟକ୍ତିଗତ ଦୃଷ୍ଟିରେ ନ ଦେଖି ସାମୂହିକ ଏବଂ ସାମାଜିକ ଦୃଷ୍ଟିରେ ଦେଖୁଥିଲେ । ଏହି କାରଣରୁ ଅସ୍ପୃଶ୍ୟତା, ଜାତିବାଦ, ଲିଙ୍ଗଗତ ଅସାମ୍ୟ, ଧାର୍ମିକ ଋଢ଼ିବାଦ, ଆଦି ପ୍ରସଙ୍ଗ ତାଙ୍କ ଲେଖନୀର ପ୍ରମୁଖ ପ୍ରସଙ୍ଗ ହୋଇଥିଲା । ଆତ୍ମବିଶ୍ୱାସ ତାଂକର ଉଣା ନଥିଲା । ମହାତ୍ମା ଗାନ୍ଧୀଙ୍କୁ କବି ଖଗେଶ୍ୱର କେବେ ଭେଟି ନଥିଲେ, ତାଙ୍କ ଆନ୍ଦୋଳନରେ ଭାଗ ନେବାର ଇଛା ଥାଇ ସୁଦ୍ଧା ଦାରିଦ୍ର୍ୟ ଯୋଗୁଁ ଦୂରରେ ରହି ପରିବାର ପୋଷଣରେ ଲାଗିଥିଲେ । ଏସବୁ ସତ୍ୱେ, ସେ ଥିଲେ ମହାତ୍ମା ଗାନ୍ଧୀଙ୍କ ଏକାନ୍ତ ଅନୁରକ୍ତ । ପରୋକ୍ଷରେ ଗାନ୍ଧୀଙ୍କ ପ୍ରେରଣା ସେ ନିରନ୍ତର ପାଇଥିଲେ । ତେଣୁ, ଗାନ୍ଧୀଙ୍କ ନିଧନ ତାଙ୍କୁ ଏକାବେଳକେ ଅନାଥ କରି ଦେଇଥିଲା, ଭାଙ୍ଗି ଦେଇଥିଲା । ଗାନ୍ଧୀଂକ ସୁଦୂର ବିସ୍ତାରୀ ପ୍ରଭାବକୁ ନେଇ କେବେ ଯଦି ଚର୍ଚ୍ଚା ହୁଏ ଏହି ‘ଏକଲବ୍ୟ’ କିସମର ଗାନ୍ଧୀବାଦୀ ଖଗେଶ୍ୱରଙ୍କ ସାହିତ୍ୟକୁ ଅଣଦେଖା କରିହେବ ନାହିଁ । ଖଦି ହେଉ ବା ସମାଜ ସଂସ୍କାର ବା ଧର୍ମନିରପେକ୍ଷତା କିମ୍ବା ସ୍ୱାବଲଂବନଶୀଳତା, ଗାନ୍ଧୀଙ୍କର ପ୍ରତିଟି ବିଚାରର ସେ ନିଜ ସ୍ତରରେ ପ୍ରଚାର ପ୍ରସାର କରୁଥିଲେ, ପ୍ରତିପାଳନ କରୁଥିଲେ, ତାକୁ ସୃଜନାତ୍ମକ ଢଙ୍ଗରେ ପେଶ କରୁଥିଲେ । ସେହି ଦୃଷ୍ଟିରୁ, ସେ ଥିଲେ ଯେମିତି ଜଣେ ବିରଳ ସାହିତ୍ୟ ପ୍ରତିଭା, ଓଡ଼ିଆ ଦଳିତ କବି, ଦିନ ମଜୁରିଆ କବି ସେମିତି ଥିଲେ ସେ ଜଣେ ଅନନ୍ୟ ଗାନ୍ଧୀବାଦୀ । ଏଭଳି ଜଣେ ସାହିତ୍ୟ ପ୍ରତିଭାଙ୍କ ସମ୍ପର୍କରେ ଚର୍ଚ୍ଚାର ଯେ ପ୍ରାସଙ୍ଗିକତା ରହିଛି, ଏହା କହିବା ବାହୁଲ୍ୟ ।

ପରିଶେଷରେ, ଖଗେଶ୍ୱର ଶେଠ ଥିଲେ ଦଳିତ, ମାତ୍ର ସ୍ପୃଶ୍ୟ ସ୍ତରର । ତାଙ୍କ ବୌଦ୍ଧିକ ଏବଂ ସାହିତ୍ୟିକ ସ୍ୱରର ମୁଖ୍ୟ ପ୍ରସଙ୍ଗ ଦଳିତ ଓ ଜାତିଭେଦ । ପ୍ରଚାର ପ୍ରସାର ପାଇଁ ମାଧ୍ୟମ ରୂପେ ସେ ବାଛିଥିଲେ ସାହିତ୍ୟ ଏବଂ ଗ୍ରାମ୍ୟ ମଂଚଞ୍ଚ । ଗ୍ରାମ୍ୟ ଶ୍ରୋତାମଣ୍ଡଳୀ ଆଗରେ ସେ ନିଜ ସାହିତ୍ୟକୁ ଆବୃତ୍ତି କରୁଥିଲେ; ପରିବେଷଣ କରୁଥିଲେ । ମାତ୍ର କହିବା ବାହୁଲ୍ୟ ଯେ, ସେ ଯଦି ‘ଅସ୍ପୃଶ୍ୟ’ ଦଳିତ ଶ୍ରେଣୀର ହୋଇଥାନ୍ତେ, ତାଙ୍କୁ ଏହି ଗ୍ରାମ୍ୟ ମଂଚ ଏବଂ ଗ୍ରାମ୍ୟ ଶ୍ରୋତାମଣ୍ଡଳୀ ମଧ୍ୟ ସମ୍ଭବତଃ ଉପଲବ୍ଧ ହୋଇ ନଥାନ୍ତେ । ମୁଦ୍ରଣ-ପ୍ରକାଶନ ଭଳି ମହାର୍ଘ ମାଧ୍ୟମ ନ ମିଳିବା ସତ୍ୱେ ଗ୍ରାମ୍ୟ ମଂଚର ଉପଲବ୍ଧତା ଯୋଗୁଁ ତାଙ୍କ ସାହିତ୍ୟ ସାଧନା ବାଧିତ ହୋଇ ନଥିଲା । ସେହି ସ୍ଥିତିରେ, ଅସ୍ପୃଶ୍ୟତା କ’ଣ ତାଙ୍କୁ ଗ୍ରାମ୍ୟ ମଂଚରେ ବି ପ୍ରବେଶାଧିକାରରୁ ବଂଚିତ କରି ଦେଇନଥାନ୍ତା? ଖଗେଶ୍ୱର ଶେଠ ଭଳି ଜଣେ ପ୍ରତିଭାର ଜନ୍ମକୁ ଅବରୋଧିତ କରିଦେଇନଥାଂତା ?  ପ୍ରଶ୍ନଟିକୁ ଓଲଟା କରି ପଚାରିଲେ, ଅସ୍ପୃଶ୍ୟତା କ’ଣ ଦଳିତଙ୍କ ମଧ୍ୟରେ ବିଦ୍ୟମାନ ବୌଦ୍ଧିକ ସାମର୍ଥ୍ୟକୁ ଭୃଣାବସ୍ଥାରୁ ଦଳିଚକଟି ଦିଏ ନାହିଁ? ଅନ୍ୟ ଶଦ୍ଦରେ କହିଲେ, ଏକ ବିଶେଷ ସାମାଜିକ ବର୍ଗକୁ ବୌଦ୍ଧିକତାରୁ ତଥା ସୃଷ୍ଟିଶୀଳତାରୁ ଜାତିଭେଦ କ’ଣ ବଂଚିତ କରେନାହିଁ? ସମାଜରେ ସାମୁହିକ ପ୍ରଗତି ଦିଗରେ ଜାତିଭେଦ କ’ଣ ଏକ ପ୍ରମୁଖ ଅନ୍ତରାୟ ନୁହେଁ? ଖଗେଶ୍ୱର ଶେଠ ସମ୍ପର୍କିତ ସାହିତ୍ୟିକ ବିମର୍ଶରେ ଏସବୁ ପ୍ରଶ୍ନ ମଧ୍ୟ ସମାହିତ ହେଲେ ବିମର୍ଶର ପ୍ରାସଙ୍ଗିକତା ବୃଦ୍ଧି ପାଇବ – ଏହା କେବଳ ଆଶା କରିବା କଥା ।

ସୌଜନ୍ୟ – ଅନ୍ୱେଷା

photo credit – Internet

About ଡ଼ଃ ପ୍ରୀତୀଶ ଆଚାର୍ଯ୍ୟ

ଇତିହାସ ବିଭାଗର ପ୍ରଫେସର(ରିଜୋନାଲ କଲେଜ), ସ୍ତମ୍ବକାର

Check Also

Featured Video Play Icon

ଗଁଡ଼ାବଜା : ସମସ୍ୟା ଓ ସମାଧାନ

ଗଁଡ଼ାବଜା ହେଉଛି ପଶ୍ଚିମ ଓଡ଼ିଶା ଲୋକ ସଂସ୍କୃତିର ତଥା ଗଁଡ଼ା ସଂପ୍ରଦାୟର ଏକ ସାମୂହିକ ସଂପତ୍ତି । ହଜାରେ ବର୍ଷ …

Leave a Reply

Your email address will not be published. Required fields are marked *