Home / ସମୀକ୍ଷା / ଖାଦ୍ୟ ସଂସ୍କୃତି / ଉପକୂଳ ଓଡ଼ିଶାର ଖାଦ୍ୟ ସଂସ୍କୃତି

ଉପକୂଳ ଓଡ଼ିଶାର ଖାଦ୍ୟ ସଂସ୍କୃତି

 

ଯେକୌଣସି ଅଞ୍ଚଳର ଲୋକଙ୍କର ଦୈନନ୍ଦିନ ଖାଦ୍ୟ ହିଁ  ସେହି ଅଞ୍ଚଳର ଖାଦ୍ୟସଂସ୍କୃତିକୁ ସୃଷ୍ଟି କରିଥାଏ ଏବଂ ଏହି ଖାଦ୍ୟ ସଂସ୍କୃତି ସେହି ଅଞ୍ଚଳର ଅର୍ଥନୀତିର ଏକ ପରିମାପକ ହୋଇଥାଏ। ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାରର ଖାଦ୍ୟଶସ୍ୟ ଉତ୍ପାଦିତ ହୁଏ । ସେହିସବୁ ଖାଦ୍ୟଶସ୍ୟର ଉତ୍ପାଦନ ସମୟକୁ ନେଇ ଅନେକ ପର୍ବପର୍ବାଣୀ ମଧ୍ୟ ପାଳନ କରାଯାଏ । ଏହି ପର୍ବପର୍ବାଣୀ ମାନଙ୍କରେ ଭଳିକି ଭଳି ଖାଦ୍ୟପେୟ ଓଡ଼ିଆ ଘରେ ପ୍ରସ୍ତୁତ ହୁଏ । ସେଥିପାଇଁ କୁହାଯାଏ “ବାରମାସେ ତେର ଯାତ” । ଆମର ଦୈନନ୍ଦିନ ଜୀବନକୁ ଆନନ୍ଦମୟ କରିବାରେ ଏବଂ ଉତ୍ସବମୁଖର କରିବାରେ ଖାଦ୍ୟପେୟର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକ ଥାଏ ।            – ସମ୍ପାଦକ

“ଅନ୍ନ ବିହୁନେ ହଂସ ହାନି ଯୋଗ ସାଧିବି କାହା ଘେନି।” ଏହି ଓଡ଼ିଶାରେ ବହୁଳ ଭାବେ କଥିତ ଏହି ବାକ୍ୟଟି ମାନବ ଜୀବନରେ ଖାଦ୍ୟର ଗୁରୁତ୍ୱ ଦର୍ଶାଇଥାଏ। ଶରୀର ମନ୍ଦିରରେ ପ୍ରତ୍ୟେକ ଦିନ ଚାରି ଧୂପ ଭୋଗ ନଲାଗିଲେ ମନ୍ଦିରର ଅଧିଷ୍ଠାତା ଧୀରେ ଧୀରେ ତା’ର ଚଳିତ ଶକ୍ତି ହରାଇ ବସେ। ନୈବେଦ୍ୟ ଠିକ୍ ସମୟରେ ଆଉ ଠିକ୍ ପରିମାଣରେ ନ ଲଗାଇଲେ ଶରୀର ମଧ୍ୟସ୍ଥ ମନକୁ  ଶାନ୍ତି ମିଳିପାରେନି। ଆମର ଖାଦ୍ୟ ଆମର ଜଳବାୟୁ, ଭୌଗୋଳିକ ଅବସ୍ଥିତ ଓ କୃଷି ଉତ୍ପାଦନ ଉପରେ ନିର୍ଭର କରେ।

ଓଡି଼ଶାର ଉପକୂଳ ଅଞ୍ଚଳ ଅନେକ ନଦୀ ଅବବାହିକା ଓ କିଛି ପାହାଡ଼ିଆ ଅଞ୍ଚଳକୁ ନେଇ ଗଠିତ। ମୋଟାମୋଟି ଭାବେ ବିଚାର କରି କୁହାଯାଇପାରିବ ଯେ ଉପକୂଳ ଅଞ୍ଚଳର କୃଷି ଅତ୍ୟନ୍ତ ଉନ୍ନତମାନର। ଉତ୍କଳୀୟ କୃଷକ ନାନାଦି ପ୍ରକାରର ଖାଦ୍ୟ ଶସ୍ୟ, ପନିପରିବା, ଡ଼ାଲି ଜାତୀୟ ଫସଲ ଉତ୍ପାଦନ କରିଥାଏ। ଉପକୂଳ ଅଞ୍ଚଳର ତୃଣ ଭୂମି ଯୋଗୁଁ ଏଠି ଛେଳି, ମେଣ୍ଡା ପାଳନ ମଧ୍ୟ ହୁଏ। ପ୍ରଚୁର ଗୋଚର ଜମି ଥିବାରୁ ଗୋ ସମ୍ପଦ ମଧ୍ୟ ଅଳ୍ପେ ବହୁତେ ଅଛି। ଉନ୍ନତମାନର ଦୁଗ୍ଧଜାତ ଦ୍ରବ୍ୟ ମିଳିଥାଏ । ତୋଟା, ବଗିଚା ମାନଙ୍କରୁ ଆମ୍ବ, ପଣସ, ନଡ଼ିଆ, ପାଚିଲା କଦଳୀ, ପିଜୁଳି, ସପୁରି ଇତ୍ୟାଦି ଫଳ ବି ମିଳିଥାଏ ।

ଓଡ଼ିଶା ମାଟିରେ ଏତେ ସବୁ ଖାଦ୍ୟ ଉପଯୋଗୀ ଦ୍ରବ୍ୟ ମିଳୁଥିବାରୁ ଓଡ଼ିଆମାନେ ବଢ଼ିଆ ଖାଦ୍ୟ ପ୍ରସ୍ତୁତ କରି ଖାଇଥାନ୍ତି। ସାରା ଭାରତ ବର୍ଷରେ ଖାଦ୍ୟ ଉପରେ ଯେତେ ଗବେଷଣା ହୋଇଛି ଏକା ଓଡ଼ିଶାରେ ତା’ର ବହୁଗୁଣ ପରୀକ୍ଷା ନିରୀକ୍ଷା ହୋଇଛି । ଓଡ଼ିଆ ସଂସ୍କୃତି ଜଗନ୍ନାଥ ମନ୍ଦିରର ବିଭିନ୍ନ କାର୍ଯ୍ୟକ୍ରମ ସହ ଓତଃପ୍ରୋତଭାବେ ଜଡ଼ିତ। ଶ୍ରୀ ମନ୍ଦିରର ଠାକୁରମାନେ ପ୍ରତିଦିନ ୬୦ ପଉଟି (୬୦ କ୍ୱିଣ୍ଟାଲ ଭୋଗ ଖାଉଥାନ୍ତି) ନାନାଦି ପ୍ରକାର ଖାଦ୍ୟ ମିଶି ଶାଠିଏ ପଉଟି ହୁଏ ।

ଓଡ଼ିଆ ଖାଦ୍ୟରେ ସବୁପ୍ରକାର ଖାଦ୍ୟ ସାର ମହଜୁଦ ଥାଏ । ଓଡ଼ିଆମାନେ ଦୈନିକ ସୁସମ ଖାଦ୍ୟ ଖାଇଥାନ୍ତି । ଓଡ଼ିଶାର ପୁର ପଲ୍ଲୀର ଯେକୌଣସି ପରିବାରରେ ଯେକୌଣସି ସମୟରେ ଅତିଥିଟିଏ ପହଁଚିଲେ ଓଡ଼ିଆଣୀ ତା’ର ସାଧ୍ୟମତେ ରନ୍ଧା ଖାଦ୍ୟ ହେଉ, ଶୁଖିଲା ଖାଦ୍ୟ ବା କଞ୍ଚା ପାଚିଲା ଖାଦ୍ୟ ହେଉ ଦେଇ ଅତିଥି ସତ୍କାର କରେ । ଓଡ଼ିଆ ଘରୁ, କ୍ଷୁଧାଇ କେବେହେଲେ ଅଭୁକ୍ତ ଫେରେନି। ଓଡ଼ିଆ ଘରର ତେଙ୍ଗେଡ଼ାରେ ସଦାସର୍ବଦା କିଛି ମାତ୍ରାରେ ଖାଦ୍ୟ ମହଜୁଦ ଥାଏ । ବିଶ୍ୱାସ କରାଯାଏ ଯେ ପୂର୍ବ ପୁରୁଷମାନେ ସଫା ସୁତୁରା ତେଙ୍ଗେଡ଼ାରେ ଥିବା ଖାଦ୍ୟ ଗ୍ରହଣ କରି ଖୁସି ହୁଅନ୍ତି । ସେଥିପାଇଁ ରାତିରେ ଖାଇବା କାର୍ଯ୍ୟ ଶେଷ ହେବାପରେ ଗୃହିଣୀମାନେ ଖାଦ୍ୟ ରଖାଯାଉଥିବା ସ୍ଥାନକୁ ପରିସ୍କାର କରି ସେଠି କିଛି ଖାଦ୍ୟ ଓ ପାଣି ରଖି ଦିଅନ୍ତି । ସବୁ ଖାଦ୍ୟ ଶେଷ ନକରି କିଛି ବଳକା ରଖିବାକୁ ଏପରି ବ୍ୟବସ୍ଥାଟିଏ ରହିଛି ।

ଓଡ଼ିଆ ସଂସ୍କୃତିର ଖାଦ୍ୟର ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଧନୀ ହେଉ କି ଗରୀବ ହେଉ ସବୁରି ଘରେ ଖାଦ୍ୟ ପ୍ରସ୍ତୁତି ପାଇଁ ବହୁ ସମୟ ଓ ସମ୍ବଳର ବିନିଯୋଗ ହୋଇଥାଏ । ଓଡ଼ିଆ ଘରର ଘରଣୀଟିଏ ଦିନର ଅଧିକାଂଶ ସମୟ ଖାଦ୍ୟ ପ୍ରସ୍ତୁତି ଜନିତ କାର୍ଯ୍ୟରେ ବ୍ୟସ୍ତ ରହିଥାଏ । ଓଡ଼ିଆ ମାନେ ନିଜର ବେଶ ପୋଷାକରେ ବିଶେଷ ଆଡ଼ମ୍ବର ଦେଖାଇ ହୁଅନ୍ତି ନାହିଁ । ମାତ୍ର ଖାଇବାରେ ସେମାନେ କୌଣସି ସାଲିସ କରିପାରନ୍ତି ନାହିଁ । ପୂଜା ପାର୍ବଣରେ ନୂଆ ପୋଷାକ ନକିଣିପାରିଲେ ଟିକେ ମନ ଦୁଃଖ ହୁଏ କିନ୍ତୁ ପ୍ରକାର ପ୍ରକାର ଖାଦ୍ୟ ତିଆରି ପାଇଁ ସମ୍ବଳ ନଥିଲେ ମନ ଖୁବ୍ ଉଦାସ ହୋଇଉଠେ । ଖାଦ୍ୟ ପ୍ରସ୍ତୁତି ଜନିତ ପରିଶ୍ରମ ଏବଂ ଏକାଗ୍ର ଚିନ୍ତନ ମଧ୍ୟରେ ଅନ୍ୟ କିଛି ନଥିବାର ଦୁଃଖ ମ୍ଳାନ ହୋଇଉଠେ ।

ସମ୍ବଳଥିଲେ ନିଜ ନିଜ ଭିତରେ ବସ୍ତ୍ର ତଥା ଅନ୍ୟାନ୍ୟ ସାମଗ୍ରୀର ଦିଆନିଆ ହୋଇଥାଏ  । କିନ୍ତୁ ଖାଦ୍ୟର ଦିଆନିଆ ନିହାତି ସାଧାରଣ ଘଟଣା। ପାଖ ପଡ଼ୋଶୀକୁ ନଦେଇ କେହି ଖାଇପାରନ୍ତି ନାହିଁ। ଅବଶ୍ୟ ଏବେର ସହରୀ ସଭ୍ୟତାରେ ଏସବୁ କରିବାକୁ ନିହାତି ଗାଉଁଲୀ ଢ଼ଙ୍ଗ ମନେ କରାଯାଏ। ହେଲେ ଗାଁ ମାନଙ୍କରେ ଏ ପରମ୍ପରା ଏବେ ମଧ୍ୟ ରହିଛି। ଓଡ଼ିଆମାନେ ଆମିଷ ଓ ନିରାମିଷ ଦୁଇ ପ୍ରକାର ଖାଦ୍ୟ ପସନ୍ଦ କରନ୍ତି।

ଓଡ଼ିଶାରେ ବିଭିନ୍ନ ପ୍ରକାରର ମାଛ ଯଥା, ରୋହି, ଭାକୁଡ଼, ମିରିକାଳି, ଚିତଳ, ବାଳିଆ, ଶେଉଳ, ଗଡ଼ିଶା, ସିଂଘି, କଉ, ମାଗୁର, ରଣ, ପୋହଳା ଇତ୍ୟାଦି ମଧୂର ମାଛ ମିଳ। ନାନାପ୍ରକାରର ସମୁଦ୍ର ମାଛ ଓ ଇଲିସି, ଖଇଙ୍ଗା ଆଦି ମାଛ ମଧ୍ୟ ପ୍ରଚୁର ପରିମାଣରେ ମିଳେ । ଓଡ଼ିଆମାନେ ଚୁଙ୍ଗୁଡ଼ି ଓ କଙ୍କଡ଼ା ମଧ୍ୟ ଖାଇବାକୁ ପସନ୍ଦ କରନ୍ତି । ମାଛ ରାନ୍ଧିବାବେଳେ ପିଆଜ, ରଶୁଣ, ଅଦା, ଶୁଖିଲା ଲଙ୍କା, କଞ୍ଚା ଲଙ୍କା, ଜୀରା ଓ ଶୋରିଷ ମସଲା ବ୍ୟବହାର କରାଯାଏ । ଉପକୂଳ ଓଡ଼ିଶାରେ ମାଛର ବିଭିନ୍ନ ପ୍ରକାରର ତରକାରୀ ହୁଏ। କେବଳ ମାଛର ତରକାରୀ ହୁଏ। ପରିବା ସହ ମିଶାଇ ମଧ୍ୟ ମାଛ ରନ୍ଧାଯାଏ। ଡ଼ାଲି ସହିତ ମଧ୍ୟ ମାଛ ରନ୍ଧା ହୁଏ। ମାଛ ବ୍ୟତିତ ନାନାପ୍ରକାରର ମାଂସ ମଧ୍ୟ ଖାଦ୍ୟ ରୂପେ ବ୍ୟବହାର କରାଯାଏ।

କୁକୁଡ଼ା, ହଂସ ଓ ବତକର ଅଣ୍ଡା ମଧ୍ୟ ଲୋକମାନେ ଖାଆନ୍ତି  । ଆମିଷ ପ୍ରିୟ ଲୋକମାନେ ବିନା ଆମିଷରେ ଖାଇପାରନ୍ତି ନାହିଁ  । ନିରାମିଷ ବି ବହୁତ ପ୍ରକାରର  । ନିରାମିଷରେ ବିଭିନ୍ନ ପ୍ରକାର ଭଜା ତରକାରୀ, ସହ ଅନେକ ପ୍ରକାରର ମିଠା, ପିଠା, ଖଟା ତଥା ପିତା ଖାଦ୍ୟ ମଧ୍ୟ ତିଆରି ହୁଏ  । ଗୋଟିଏ ଖାଦ୍ୟଶସ୍ୟ ଧାନ  । ଧାନରୁ କେତେପ୍ରକାର ଖାଦ୍ୟ ହୁଏ ତା’ର ଏକ ବର୍ଣ୍ଣନା ନିମ୍ନରେ ଦିଆଗଲା  । ଧାନ-ଚାଉଳ (ଉସୁନା, ଅରୁଆ, ଉଆପଖିଆ) ଉସୁନା ଚାଉଳ – ଭାତ, ମୁଢ଼ି, ଚାଉଳ ଭଜା, ଛତୁଆ  । ଅରୁଆ ଚାଉଳ – ଭାତ, ଖେଚୁଡ଼ି, ମିଠାଭାତ, ଘିଅଭାତ, ଦହିଭାତ, କାନିକା, ନଡ଼ିଆଭାତ, ଓରିଆ ଇତ୍ୟାଦି  । ଅରୁଆ ଚାଉଳରୁ ସବୁ ପିଠା ଯଥା ସରୁ ଚକୁଳି, ଚିତୋଉ, ମଣ୍ଡା, କାକରା ଆରିଶା ଇତ୍ୟାଦି…

ଧାନରୁ – ଚୁଡ଼ା, ଚୁଡ଼ାଭଜା, ଚୁଡ଼ା ଛତୁଆ, ହୁଡ଼ୁମ୍ବ, ଲିଆ, ଉଖୁଡ଼ା, ଛାଚି ଖଇ, ଚୁଡ଼ା ପୁଆ ଇତ୍ୟାଦି  । ଚାଉଳରୁ ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ ହୁଏ। ସେହିପରି ଅନ୍ୟାନ୍ୟ ଖାଦ୍ୟ ଶସ୍ୟରୁ ମଧ୍ୟ ବହୁତ ପ୍ରକାର ସୁଆଦିଆ ତରକାରି ରାଇ, ଭଜା ଓ ଭର୍ତ୍ତା ହୁଏ  । ଶାଗ ମଧ୍ୟ ବିଭିନ୍ନ ପ୍ରକାରର ମିଳିଥାଏ ସାଗର ପ୍ରସ୍ତୁତି ପ୍ରଣାଳୀର ଭିନ୍ନତା ଅନୁସାରେ ସାଗର ସ୍ୱାଦ ମଧ୍ୟ ବଦଳିଯାଏ  । ନିରାମିଷ ଖାଦ୍ୟ ମଧ୍ୟ ଦୁଇ ପ୍ରକାରର। ପିଆଜ, ରସୁଣର ବ୍ୟବହାର ହୋଇ ଗୋଟିଏ ପ୍ରକାର । ବିନା ପିଆଜ ରସୁଣରେ ଆଉ ଗୋଟିଏ ପ୍ରକାର। ନିରାମିଷ ଖାଦ୍ୟ ପ୍ରସ୍ତୁତିରେ ଗାଈ କ୍ଷୀର, ଦହି, ଘିଅ, ଛେନା, ନଡ଼ିଆ, କାଜୁ ବାଦାମ, ଖିସ୍ମିସ୍, ପୋସ୍ତକ, ଚାରମଗଜ ଇତ୍ୟାଦି ମସଲାର ବହୁଳ ବ୍ୟବହାର ହୁଏ  ।

ଓଡ଼ିଶାର ଜନସାଧାରଣଙ୍କର ଦୈନିକ ଖାଦ୍ୟରେ ବିଶେଷ ଆଡ଼ମ୍ବର ନଥାଏ  । ପ୍ରତିଦିନ ସକାଳ ଜଳଖିଆରେ ଖୁବ୍ କମ୍ ସମୟରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଖିଆଯାଏ  । ଗୃହିଣୀମାନେ ମୁଢ଼ି, ଚୁଡ଼ା, ଛତୁଆ ସମୟ ଦେଖି ପ୍ରସ୍ତୁତ କରି ରଖିଥାନ୍ତି  । ମୁଢ଼ିରେ ଟିକେ ଶୋରିଷ ତେଲ ଗୋଳାଇଦେଇ ଚୁନା ଚୁନା କଟା ଯାଉଥିବା ପିଆଜ ଗୋଳାଇଦେଲେ ପ୍ରସ୍ତୁତ ହୋଇଯାଏ ଝାଲ ମୁଢ଼ି  । ମନ ହେଲେ ଟିକେ କଞ୍ଚା ଲଙ୍କା ଓ ବାରମଜା ସେଥିରେ ମିଶା ଯାଇପାରେ  ।

 

ସେମିତି ଚୁଡ଼ା ସହିତ ବସା ଦହି ଓ ଚୁଡ଼ା ଚିନି ମିଶାଇ ଦେଲେ ଜଳଖିଆ ପ୍ରସ୍ତୁତ  । କଥାରେ ଅଛି ଚୁନାକୁ ନଡ଼ିଆ ଭାରି ବଢ଼ିଆ  । କାଦୁଅ ବାଟକୁ ହଡ଼ା ଅଡ଼ୁଆ ସୁଜିକୁ ପୂର୍ବରୁ ଭାଜିକି ରଖାଯାଇଥାଏ  । ଭଜା ସୁଜିରେ ଆଉଟିକେ ଘିଅ ଦେଇ ଭାଜି ସେଥିରେ ଚିନି, ଲୁଣ ଓ ପାଣି ମିଶାଇ ଅଳ୍ପ ସମୟ ରାନ୍ଧିଦେଲେ ପ୍ରସ୍ତୁତ ହୋଇଯାଏ ହାଲୁଆ  । କଞ୍ଚା ଲଙ୍କା, କଟା ପିଆଜ, କଟା ଅଦା, ଟିକେ ବିରି, ବୁଟ ଡ଼ାଲି, ଚିନା ବାଦାମ, ଭୃସଙ୍ଗ ପତ୍ର ଓ ଜୀରାକୁ ଶୋରିଷ ତେଲରେ ଫୁଟଣକରି ପାଣି ଫୁଟାଇଦେଇ ସେଥିରେ ଭଜାସୁଜି ଓ ଲୁଣ ମିଶାଇ ଘାଣ୍ଟିଦେଲେ ପ୍ରସ୍ତୁତ ହୋଇଯାଏ ଗରମା ଗରମ ଉପମା  ।

ମୁଢ଼ି ଦହି ଓ ଚିନି ବି ଏକ ସୁଆଦିଆ ପ୍ରାତ କାଳୀନ ଖାଦ୍ୟ  । ଉପର ବର୍ଣ୍ଣିତ ଖାଦ୍ୟଗୁଡ଼ିକ ପ୍ରସ୍ତୁତ କରିବା ଯେମିତି ସହଜ ସେମିତି ସୁଆଦିଆ ମଧ୍ୟ  । ସକାଳ ଖାଇବାପରେ ସମସ୍ତେ କାର୍ଯ୍ୟରତ ରୁହନ୍ତି  । ଦ୍ୱିପ୍ରହର ଖାଦ୍ୟରେ ଭାତ, ଡ଼ାଲି, ତରକାରି, ଶାଗ, ଭଜା, ଭର୍ତ୍ତା, କାଞ୍ଜି, ଆମ୍ବିଳ, ଖଟା ଇତ୍ୟାଦି ଖିଆଯାଏ  । ଆମିଷ ଖାଉଥିବା ଲୋକମାନେ ମାଛ କିମ୍ବା ମାଂସ ତରକାରୀ ସହ ଅଳ୍ପ ଟିକେ ସାଧା ତରକାରୀ କି ଡ଼ାଲି ଦରକାର କରନ୍ତି  ।

ଅପରାହ୍ମରେ ବୟସ୍କ ଲୋକମାନେ ପ୍ରାୟ କିଛି ଦରକାର କରନ୍ତିନି ମାତ୍ର ପିଲାମାନେ ଓ ଯୁବକ ଯୁବତୀମାନେ କିଛି କିଛି ପାଟି ସୁଆଦିଆ ଜିନିଷ ଯେମିତି ଚିନାବାଦାମ ଭଜା, ବିରି ବରା, ବେସନ ପକୁଡ଼ି, ସେଉ, ମୁଢ଼ି, ବାରମଜା, ଚୁଡ଼ାଭଜା (ଚୁଡ଼ା, ପିଆଜ, ଲଙ୍କା, ଭୃସଙ୍ଗ ପତ୍ର) ଇତ୍ୟାଦି ଖା’ନ୍ତି  । ସ୍କୁଲରୁ ଫେରୁଥିବା ପିଲାଏ ଅନେକ ସମୟରେ ପଖାଳ ସହ ଭର୍ତ୍ତା କି ଭଜା ମିଶାଇ ଖାଇ ଦିଅନ୍ତି  । ରାତ୍ରି ଭୋଜନରେ ଗାଁ ଗଣ୍ଡାରେ ଏବେବି ଭାତ ସହିତ ଡ଼ାଲି ତରକାରି ଖିଆଯାଏ  ।

ମାତ୍ର ଆଜିକାଲି ଅଧିକାଂଶ ଲୋକ ରୁଟି ତରକାରି ଖାଉଛନ୍ତି  । ଓଡ଼ିଆ ଲୋକମାନେ ବାରମାସରେ ତେର ପର୍ବ ପାଳନ କରନ୍ତି  । ପ୍ରତ୍ୟେକ ପର୍ବର କୃଷି ସହ ସମ୍ପର୍କ ରହିଛି । ସବୁ ପର୍ବର ପାଳନ ବିଧି ଅଲଗା  । ପ୍ରତି ପର୍ବରେ ଯେଉଁ ଖାଦ୍ୟ ତିଆରି କରାଯାଏ ତାହା ସ୍ୱତନ୍ତ୍ର  । ପର୍ବ ଦିନମାନଙ୍କରେ ବିନା ପିଆଜ ରସୁଣରେ ଖାଦ୍ୟ ପ୍ରସ୍ତୁତ ହୁଏ  । ନିମ୍ନରେ ଦିଆଯାଇଥିବା କେତେକ ବିଶିଷ୍ଟ ପର୍ବ ଓ ସେ ଦିନର ଖାଦ୍ୟର ତାଲିକା ଦେଖିଲେ ଉତ୍କଳୀୟ ଖାଦ୍ୟ ସଂସ୍କୃତିର ଏକ ଅନ୍ଦାଜ କରିହେବ  ।

ମାସର ନାମ         ପର୍ବର ନାମ          ପାଳନ ସମୟ        ଖାଦ୍ୟ

ବୈଶାଖ  ଅକ୍ଷୟ ତୃତୀୟା       ଦିନ        ଅରୁଅା ଭାତ, ଡ଼ାଲ୍ମା, ଆମ୍ବ ଖଟା, ଲେଉଟିଆ ଶାଗ ଓ କ୍ଷିରୀ  ।

ଚନ୍ଦନ ଯାତ୍ରା          ରାତି       ସୁଜି କ୍ଷିରୀ, ଚୁଡ଼ାଘସା, ଉଖୁଡ଼ା, ଛାଚିଖଇ, ବସା ଦହି, ପାଚିଲା କଦଳୀ, କୋରା ରସଗୋଲା, ଆଦି ମିଠା  ।

ଜ୍ୟେଷ୍ଠ    ସାବିତ୍ରୀ ବ୍ରତ          ଦିନ        ସବୁପ୍ରକାରର ଫଳ ଯଥା – ଆମ୍ବ, ପଣଷ, ସପୁରି, ଖଜୁରୀ, କାକୁଡ଼ି, କଦଳୀ ଇତ୍ୟାଦି  ।

ଜ୍ୟେଷ୍ଠ ପୂର୍ଣ୍ଣିମା       ଦିନ        ଗଜା ମୁଗ, ନଡ଼ିଆ ସହ ଦହି ସର୍ବତ, ଲେମ୍ବୁ ସର୍ବତ…

ସ୍ନାନ ପୂର୍ଣ୍ଣିମା          ଦିନ        ଖେଚୁଡ଼ି, ପଣଷ ପକା ଡ଼ାଲ୍ମା, ଶାଗ ମୁଗ, କ୍ଷିରୀ, କାକରା ପିଠା  ।

ଆଷାଢ଼    ରଜ ପର୍ବ  ଦିନ        ପୋଡ଼ ପିଠା, ରଜଭୁଜା (ମୁଢ଼ି + ଉଖୁଡ଼ା), ଏଣ୍ଡୁରି ପିଠା

ପ୍ରଥମ ରଜ           ଦିନ        ବିଭିନ୍ନ ପ୍ରକାର ଆମିଷ, ନିରାମିଷ ତରକାରି

ଦ୍ୱିତୀୟ ରଜ          ଦିନ        ନାନାଦି ପ୍ରକାର ମିଠା, ଫଳ, ମିଠାଭାତ, କାନିକା, ଖେଚେଡ଼ି, ଡ଼ାଲି, ଡ଼ାଲମା, ଛେନା ତରକାରି, ପୋଟଳ ତରକାରି, ଆମ୍ବ ଖଟା, କ୍ଷିରୀ  ।

ତୃତୀୟ ରଜ          ଦିନ        ଭାତ ଉସୁନା / ଅରୁଆ, ବିଭିନ୍ନ ପ୍ରକାର ଆମିଷ  । ନିରାମିଷ ତରକାରି ଅରୁଆ ଭାତ, ଡ଼ାଲି / ଡ଼ାଲମା, ଶାଗ, ଖଟା, ପରିବା ତରକାରି  ।

ଶ୍ରାବଣ    ଚିତାଲାଗି ଅମାବାସ୍ୟା           ଦିନ        ଚିତୋଉ ପଠା, କ୍ଷିରିସା / କ୍ଷିରୀ ପରିବା ତରକାରି  ।

ବା ଚିତୋଉ ଅମାବାସ୍ୟା

ଗହ୍ମା ପୂର୍ଣ୍ଣିମା ବା     ଦିନ        ଏଣ୍ଡୁରି ପିଠା, ଡ଼ାଲ୍ମା, ଓଉଖଟା, କ୍ଷିରୀ

ରାକ୍ଷୀ ପୂର୍ଣ୍ଣିମା

ଭାଦ୍ରବ    ରେଖା ପଞ୍ଚମୀ       ରାତି       ଚକୁଳି ପିଠା, ମିଶାମିଶି ତରକାରି, କ୍ଷିରୀ  ।

ଜନ୍ମାଷ୍ଟମୀ ରାତି       ଚୁଡ଼ା ଘସା, ଉଖୁଡ଼ା, ନଡ଼ିଆ କୋରା, ରାଶି କୋରା, ବୁନ୍ଦିଆ ଲଡ଼ୁ, ନାନାପ୍ରକାର ମିଠା, କାକରା ପିଠା, ସୁଜି ଖିରି, ପୁରି, ତରକାରି, ବସା ଦହି, ଆମ୍ବୁଲ ରାଇ  ।

ଗଣେଶ ପୂଜା        ଦିନ        ଚୁଡ଼ା ଘସା, ରାଶି ଲଡ଼ୁ, ସେରା ବୁନ୍ଦିଆ, ଅରୁଆ ଭାତ, ଡ଼ାଲି  । ଡ଼ାଲ୍ମା, ପୋଟଳ ତରକାରି ଓଉ ଖଟା, କ୍ଷିରୀ  ।

ଭାଦ୍ରବ    ଶଷ୍ଠି ଓଶା ଦିନ        ଚକୁଳି ପିଠା, ମାଛ ବେସର, ମିଶାମିଶି ପରିବା ତରକାରି, ଭଜା, ଖଟା, କ୍ଷିରୀ  ।

ଆଶ୍ୱିନ     ଦୁତୀଆ ଓଷା         ପୂର୍ବଦିନ ଏକବାର    ସାତ ଶାଗ (ଖଡ଼ା, ଲେଉଟିଆ, ପୁରୁଣି, କାନିସିରି, ପୋଇ, ପୁରୁଣି, କଳମ, କଖାରୁ ପତ୍ର)ର ତରକାରି  ।

ପରଦିନ ଘାଣ୍ଟିଆ     ଏକୋଇଶ ପ୍ରକାର ଫଳ ଓ ପରିବାର ତରକାରି  ।

ମହାଳୟା ଦିନ        ଅରୁଆ ଭାତ, ଡ଼ାଲି / ଡ଼ାଲ୍ମା, ଶାଗ, ପାଣି କଖାରୁ ରାଇ, ଓଉଖଟା, କଦଳୀ ଭଜା, କ୍ଷିରୀ  ।

ଦଶହରା  ଦିନ        ଖେଚେଡ଼ି / କାନିକା, ଡ଼ାଲି / ଡ଼ାଲ୍ମା, ଛେନା ତରକାରି / ପୋଟଳ ତରକାରି, ଖଟା, ପୁର ଦିଆ କାକରା, ମଣ୍ଡା ପିଠା କ୍ଷିରୀ ।

କାର୍ତ୍ତିକ    ମାସ ସାରା କାର୍ତ୍ତିକ ବ୍ରତ         ଅପରାହ୍ନ  ଅରୁଆ ଭାତ, ସାରୁ, କଞ୍ଚା କଦଳୀ, ମୁଗ ଡ଼ାଲି, ଓଉ ଓ ନଡ଼ିଆରେ ଘିଅ ଓ ଜୀରା ଛୁଙ୍ଖା ଦେଇ ଡ଼ାଲ୍ମା, କଦଳୀ ଭଜା, ଓଉଖଟା, ଅଗସ୍ତୀ ଶାଗ  ।

ଦ୍ୱିପାବଳୀ ରାତି       ମଣ୍ଡା, କାକରା ପିଠା, କ୍ଷିରି / କ୍ଷିରିସା, ପୁରି, ତରକାରି (ପରିବା)

ନାଗ ଚତୁର୍ଥୀ          ରାତି       ଭଜା ଚାଉଳ ଗୁଣ୍ଡର ଛତୁଆ + ଗୁଡ଼ / ଚିନି, ନଡ଼ିଆ, ଛେନାର ମିଶ୍ରଣ  ।

ଅଁଳା ନବମୀ          ଅପରାହ୍ନ  ହବିଷ ଭାତ, ଡ଼ାଲ୍ମା, କଦଳୀ ଭଜା, ଓଉ ଖଟା, ମଣ୍ଡାପିଠା  ।

ବଡ଼ ଓଷା ରାତି       ତରଣ (ଚାଉଳ ଗୁଣ୍ଡ, ଗୁଡ଼, ନଡ଼ିଆ, ଆଖୁ, କାଜୁ, ଖିସ୍ମିସ୍, ଅଳେଇଚ, ଗୁଜୁରାତି ଓ କ୍ଷିରରେ ପ୍ରସ୍ତୁତ ଏକ ଜାଉ), ଗଜମଣ୍ଡା  ।

ମାର୍ଗଶୀର            ମାସର ପ୍ରତ୍ୟେକ     ପ୍ରଭାତ / ମଧ୍ୟାହ୍ନ /  ଶୁଖିଲା ଭୋଗ, କ୍ଷିରି, ଖେଚଡ଼ି, ଚିତୋଉ, ଆରିଶା, କାକରା

ଗୁରୁବାର  ଅପରାହ୍ନ  ମଣ୍ଡା ପିଠା, ଡ଼ାଲ୍ମା, ମୁଳା ଶାଗ, ଶିମ୍ବ ରାଇ, କନ୍ଦମୁଳ ଖଟା, ଦହିଭାତ ଇତ୍ୟାଦି  ।

ପ୍ରଥମାଷ୍ଟମୀ                      ଚକୁଳି ପିଠା ଓ ମିଠା ହଳଦୀ ପତ୍ରରେ ସିଝାଯାଇଥିବା ଏଣ୍ଡୁରି ପିଠା ଆମିଷ / ନିରାମିଷ ତରକାରି, ଖଟା କ୍ଷିରି  ।

ପୌଷ     ବକୁଳ ଅମାବାସ୍ୟା   ସଂଧ୍ୟା      ମଣ୍ଡା ପିଠା, ଗଇଁଠା ପିଠା

ଶାମ୍ବ ଦଶମି          ପ୍ରଭାତ, ମଧ୍ୟାହ୍ନ, ସଂଧ୍ୟା          ପୋଡ଼ପିଠା, ଧନୁମୁଥା, ମକର •ଉଳ, ଫଳ ଖେଚେଡ଼ି, ତରକାରି, ଖଟା, କ୍ଷିରି, ବୁଢ଼ା ଚକୁଳି, ବଜ୍ର ବାଟୁଳି ମିଠା  ।

ମାଘ      ସରସ୍ୱତୀ ପୂଜା       ଦିନ        ଖେଚୁଡ଼ି, ଡ଼ାଲି /ଡ଼ାଲ୍ମା, ବନ୍ଧାକୋବି ତରକାରି, ବିଲାତି ବାଇଗଣ ଖଟା, କ୍ଷିରି  ।

ମାଘ ସପ୍ତମୀ         ଦିନ        ଖସା ଜାଉ, ଶିମ୍ବରାଇ

ଫଗୁଣ    ଜାଗର    ରାତି       ପଣା, ନଡ଼ିଆ, ଖଇ, କାକରା, ପିଠା ଇତ୍ୟାଦି ଶୁଖିଲା ଭୋଗ  ।

ଦୋଳପୂର୍ଣ୍ଣିମା         ରାତି       ଚଣା, ଶାକର, ଖଜା, ଗଜା, ପେଡ଼ା, ଛେନାଗଜା, କ୍ଷୀରଗଜା, •ଚି ଖଇ, ଉଖୁଡ଼ା, ଚୁଡ଼ାପୁଆ, ବସା ଦହି, କ୍ଷିରି, କଦଳୀ, ଛେନା ପଣା, ଜିଲାପି ଇତ୍ୟାଦି  ।

ଚୈତ୍ର      ପ୍ରତ୍ୟେକ ମଙ୍ଗଳବାର            ଦିନ        କ୍ଷିର, କଦଳୀ, ଛେନା, ନଡ଼ିଆ, ବେଲ, ଚିନି, ଗୋଲମରିଚ ଗୁଣ୍ଡର ପଣା  ।

ପଣା ସଂକ୍ରାନ୍ତି         ଦିନ        ପଣା, ଖେଚୁଡ଼ି, ପଣସ ଡ଼ାଲ୍ମା, ଆମ୍ବ ଖଟା ଓ କ୍ଷିରି  ।

    

ପର୍ବମାନଙ୍କରେ ତିଆରି ହେଉଥିବା ଖାଦ୍ୟର ତାଲିକା ଦେଖିଲେ ଜାଣିହେବ ଯେ ଡ଼ାଲମା, ଖଟା, କ୍ଷିରି ଓ ଖେଚୁଡ଼ି ଓଡ଼ିଆମାନଙ୍କର ପ୍ରିୟ ଖାଦ୍ୟ  । ଡ଼ାଲମା ମଧ୍ୟ ବିଭିନ୍ନ ପ୍ରକାରର ଅଛି  । ଖେଚୁଡ଼ି ବି ବହୁତ ପ୍ରକାରର ଅଛି  । ଉପର ତାଲିକାରେ କେବଳ ସାର୍ବଜନୀନ ପର୍ବ ଓ ସାର୍ବଜନୀନ ଖାଦ୍ୟର ତାଲିକା ଦିଆଯାଇଛି  । ଏସବୁ ବ୍ୟତୀତ ଆହୁରି ବି ଅନେକ ପ୍ରକାର ଖାଦ୍ୟ ଅଛି  । କେତେକ ସ୍ୱତନ୍ତ୍ର ଖାଦ୍ୟ ଯଥା ମାଛ ମୁଣ୍ଡ (ରୋହି କିମ୍ବା ଭାକୁର) ଓ ବୁଟ / ମୁଗ ଡ଼ାଲିର ମୁଢ଼ି ଘାଣ୍ଟ, ପୋଇ ଡ଼ଙ୍କ, ଜହ୍ନି, କଖାରୁ, ସାରୁ, ଆଳୁ, ବାଇଗଣ ସହ ଚୁନା ମାଛ / ବଡ଼ମାଛ ମୁଣ୍ଡର ଚଡ଼ ଚଡ଼ି, ଜହ୍ନି + ଆଳୁ + ପୋସ୍ତ ତରକାରି, ଢ଼ଳ ଢ଼ଳା ଖେଚୁଡ଼ି (ଅରୁଆ ଚାଉଳ, ଭଜା ମୁଗଡ଼ାଲି, ପରିବା ପତ୍ର, ନଡ଼ିଆରେ ଘିଅ ବଘରା) ଲାଉ ସହିତ ଚୁଙ୍ଗୁଡ଼ି ଘାଣ୍ଟ, ମଞ୍ଜା ତରକାରି, ଭଣ୍ଡା ତରକାରି ସବୁ ଓଡ଼ିଆଙ୍କର ପ୍ରିୟ ଖାଦ୍ୟ  ।

ଓଡ଼ିଆ ଖାଦ୍ୟ ଅଧିକ ସୁସ୍ୱାଦ ହେବାର ଏକ ବଡ଼ କାରଣ ହେଲା ମସଲା  । ଜଗନ୍ନାଥ ମନ୍ଦିରରେ ଚଉଷଠୀ ପ୍ରକାର ମସଲା ବ୍ୟବହାର କରାଯାଏ  । ଓଡ଼ିଆ ଘରେ ଘରେ ମଧ୍ୟ ତେଲ, ଲୁଣ, ହଳଦୀ ଛଡ଼ା ଅନେକ ପ୍ରକାରର ବଟା ମସଲା, ଗୁଣ୍ଡ ମସଲା ବ୍ୟବହାର କରାଯାଏ  । ନିତିଦିନିଆ ମସଲାରେ ଜୀରା, ଶୋରିଷ, ଫୁଟଣ (ଜୀରା + ଶୋରିଷ + ମେଥି + ପାନ ମଧୁରୀ + କଳାଜୀରା) ବ୍ୟବହାର କରାଯାଏ  । ନିରାମିଷ ତରକାରିପାଇଁ ଜୀରା, ଅଦା, ଧନିଆ, ଚାରମଗଜ ଓ କାଜୁ ବଟା ବ୍ୟବହାର କରାଯାଏ  ।

ଓଡ଼ିଆ ଖାଦ୍ୟରେ ନାନାପ୍ରକାର ଚଟଣି ଓ ଆଚାର ମଧ୍ୟ ବ୍ୟବହାର ହୁଏ  । ଆମ୍ବ, ଆମ୍ବଡ଼ା, ତେନ୍ତୁଳି, ବରକୋଳି, ନରକୋଳି, ଅଅଁଳା କୋଳି ଇତ୍ୟାଦି ଆଚାରପାଇଁ ବ୍ୟବହାର କରାଯାଏ  । ଧନିଆ ପତ୍ର, ଭୃଷଙ୍ଗ ପତ୍ର ସହ ତେନ୍ତୁଳି ଓ କଞ୍ଚା ଲଙ୍କା ମିଶାଇ ଚଟଣି ତିଆରି କରାଯାଏ  । ଓଡ଼ିଆମାନେ ବିଭିନ୍ନ ପ୍ରକାର ବଡ଼ି ମଧ୍ୟ ଖାଦ୍ୟରେ ବ୍ୟବହାର କରନ୍ତି  । ବଡ଼ି ମୁଖ୍ୟତଃ ଦୁଇପ୍ରକାର ବିରି ବଡ଼ି ଓ ପାଣି କଖାରୁ ଓ ବିରି ମିଶା ବଡ଼ି  । ମଞ୍ଜି ବଡ଼ି, ସାଗୁ ବଡ଼ି, ଲିଆ ବଡ଼ି ଓ ମୁଳା ବଡ଼ି ମଧ୍ୟ ତିଆରି କରାଯାଏ  । ବିରି ବଟାରେ ଜୁଆଣି, ହେଙ୍ଗୁ ଓ ଜୀରା ମିଶାଇ ଘିଅରେ ଛାଣି ରଖାଯାଏ  । ଏପରି ବଡ଼ିକୁ ନାଡ଼ି କୁହାଯାଏ  । ନାଡ଼ି ପ୍ରାୟ ଡ଼ାଲ୍ମା, ଶାଗ ଓ ବେସରରେ ପଡ଼ିଥାଏ  ।

ଖଟିଖିଆ ଲୋକମାନେ ଏତେପ୍ରକାର ରାନ୍ଧିବାକୁ ସମୟ ପାଆନ୍ତି ନାହିଁ  । ସେମାନେ ବଢ଼ିକୁ ଭାଜି ଚୁରି ସେଥିରେ ପିଆଜ, ରଶୁଣ, କଞ୍ଚା ଲଙ୍କା ମିଶାଇ ଏକ ଚଟଣି ପ୍ରସ୍ତୁତ କରନ୍ତି । ଭାତରେ ଆଳୁ ସିଝାଇ ଦିଅନ୍ତି । ଭାତରେ ପାଣି ପୁରାଇଦେଲେ ପଖାଳ ହୁଏ । ପଖାଳ ସହ ଆଳୁ ସିଝାରେ ଶୋରିଷ ତେଲ କଞ୍ଚାଲଙ୍କା ଓ ଲୁଣ ମିଶାଇ ଚକଟିଦେଲେ ଆଳୁ ଚକଟା ହେଇଯାଏ । ବାଡ଼ି, ବଗିଚା, ବିଲ ବା ପୋଖରୀରୁ ଶାଗ ତୋଳି ଆଣି କଞ୍ଚାଲଙ୍କା ଓ ଫୁଟଣ ପକାଇ ଭାଜିଦେଲେ ଭଲଲାଗେ ।

ଆମିଷ ଖାଇବାକୁ ଇଛା ହେଲେ ବନିସି ପକାଇ ମାଛ ଧରନ୍ତି ନହେଲେ ଶୁଖୁଆ ଟିକେ ପୋଡ଼ିକି ରଶୁଣ ସହିତ ଚକଟିଦେଲେ ହେଇଯାଏ । କେବଳ ଉତ୍ସବ ଦିନମାନଙ୍କୁ ଛାଡ଼ିଦେଲେ ସେମାନେ ସୁସମ ତଥା ସୁସ୍ୱାଦ ଖାଦ୍ୟ ପାଇପାରନ୍ତି ନାହିଁ  । ସ୍ୱାଧୀନତାର ୭୦ବର୍ଷ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ଆମର ଖଟିଖିଆ ଭାଇମାନେ ସୁସମ ଖାଦ୍ୟ ପାଇବାରୁ ବଞ୍ôଚତ  । ବଡ଼ ପରିତାପର କଥା ଆମ ସରକାର ୨ ଟଙ୍କିଆ ଚାଉଳ ଯୋଗାଇ ଦେଇ ଭାବନ୍ତି ଯେ ଖୁବ୍ ବଡ଼ କାମଟେ କଲେ  । ଡ଼ାଲି, ପନିପରିବା ସହ ରାନ୍ଧିବାପାଇଁ ଜାଳେଣି ଯେ ଦରକାର ଏକଥା ସରକାର ଜାଣିପାରନ୍ତିନି  । ସୁସମ ଖାଦ୍ୟ ଅଭାବରୁ ଗରୀବ ଲୋକମାନେ ନାନା ରୋଗର ଶୀକାର ହୁଅନ୍ତି  ।

ଓଡ଼ିଶାର ଖାଦ୍ୟ ସଂସ୍କୃତି ଋତୁ ଅନୁସାରେ ଆମଦାନୀ  ହେଉଥିବା ଖାଦ୍ୟ ଶସ୍ୟ, ପନିପରିବାକୁ ନେଇ ଗଢ଼ି ଉଠିଥିଲା  । ଲୋକମାନେ ଖାଇବାକୁ ଓ ଖୁଆଇବାକୁ ଭଲ ପାଉଥିଲେ । ମାତ୍ର ଆଉ ସେ କାଳ ନାହିଁ କି ସେ କାଳ ପଖାଳ ନାହିଁ  । ଆଜିକାଲିର ପିଲାମାନେ ଭୁଜା / ଚୁଡ଼ା ଛୁଉଁ ନାହାଁନ୍ତି  । ସେମାନଙ୍କୁ ଦରକାର ନୁଡ଼ୁଲ, ବିରିଆନି, ପିଜା, ପେସ୍ଟ୍ରି, କଟ୍ଲେଟ୍, ବର୍ଗର୍  । ଏସବୁ ଖାଦ୍ୟ ପାଟିକୁ ସୁଆଦ ଲାଗେ ମାତ୍ର ପେଟପାଇଁ ଅତି ଖରାପ  । ଏହି ଖାଦ୍ୟ ଖାଇ ପିଲାମାନେ ଅଧିକ ମୋଟା ହେଉଛନ୍ତି  । ବିଭିନ୍ନପ୍ରକାର ରୋଗ ଭୋଗୁଛନ୍ତି  ।

ରୋଗରୁ ମୁକ୍ତି ପାଇବାକୁ ଔଷଧ ଖାଉଛନ୍ତି ମାତ୍ର ଋତୁ ଅନୁସାରେ ଟିକେ ଲିମ୍ବ କଢ଼ ଭଜା, ଗଙ୍ଗଶିଉଳୀ ପତ୍ରର ରସ ଦେଇ ରନ୍ଧା ଯାଇଥିବା ସୁପ୍ତ, ପୋଟଳ ପତ୍ର ରସରେ ତିଆରି ଝୋଳ, ପସାରୁଣି ପତ୍ର ରସର ଝୋଳ, କଲରା ଭଜା, କଲରା ପତ୍ରର ବରା ଖାଇବାକୁ ଆଦୌ ପସନ୍ଦ କରୁ ନାହାଁନ୍ତି  । ତାଳ ପିଠାତ ଓଡ଼ିଆମାନେ ଭୁଲିଗଲେଣି  । ମାର୍ଗଶୀର ମାସର ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ପାଳନ ହୁଏ ବ୍ୟଞ୍ଜନ ଦ୍ୱାଦଶୀ  । ଏହିଦିନ କେତେପ୍ରକାରର ପିଠା, ପଣା, ଭାତ, ତରକାରି ତିଆରି ହୋଇ ଶ୍ରୀ ମନ୍ଦିରେ ଲାଗି କରାଯାଏ ତାର ହିସାବ କରିବା କଷ୍ଟ  । ମାତ୍ର ଆଜି ସେସବୁ ଇତିହାସ  । ଓଡ଼ିଶାର ନାନାପ୍ରକାର ଖାଦ୍ୟ ଓଡ଼ିଆମାନଙ୍କୁ ଏକ ବୀର, ଦକ୍ଷ, ତଥା ନିପୁଣ କଳା କାରିଗରୀ ଜାଣିଥିବା ଜାତିରେ ପରିଣତ କରିଥିଲା  । ସେ ସବୁକୁ ଭୁଲିଯିବାରୁ ଆଜି ଆମେ ଅନ୍ୟ ଉପରେ ନିର୍ଭର କରିବାକୁ ଭଲ ପାଉଛେ  ।

ଓଡ଼ିଆରେ ଗୋଟିଏ କଥା ଅଛି  । ଶାଶୁକୁ ଶାଶୁ ନକଲା ବାଡ଼ି ପଟେ ଯେଉଁ ପାଳ ବୁଜୁଳା ତା’କୁ ଆଇ ଶାଶୁକୁ ଶାଶୁ କଲା  ।” ଏ ଉକ୍ତିଟିର ଅର୍ଥ ହେଉଛି ଯାହା ନିଜର ଅଛି ତା’କୁ ପସନ୍ଦ ନକରି ଅନ୍ୟର ଖରାପ ଜିିନିଷକୁ ଖୁବ୍ ପସନ୍ଦ କରିବା  । ଖାଦ୍ୟ ଶେଷରେ ପାନ ଖାଇବା ଓଡ଼ିଆ ସଂସ୍କୃତିର ଏକ ଅବିଚ୍ଛେଦ ଅଙ୍ଗ । ନାନାଦି ମସଲା ପକାଇ ପାନ ତିଆରି କରି ଖାଇବା ଓ ଖୁଆଇବାରେ ଓଡ଼ିଆମାନେ ଭାରି ଖୁସି ହୁଅନ୍ତି  । ଓଡ଼ିଶାର ଖାଦ୍ୟ ସଂସ୍କୃତିରୁ ବହୁ ଖାଦ୍ୟ ଲୋପ ପାଇଗଲାଣି  ।

ଏବେ ସମୟ ଆସିଛି ସବୁ ଖାଦ୍ୟକୁ ମନେ ପକାଇ ଗୋଟିଏ ଖାଦ୍ୟ ଅଭିଧାନ ପ୍ରସ୍ତୁତ କରିବାପାଇଁ  । ସେ ଅଭିଧାନରେ ପ୍ରତ୍ୟେକ ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ ସହ ତା’ର ଉପାଦେୟତାର ସଂକ୍ଷିପ୍ତ ବର୍ଣ୍ଣନା ରହିବା ମଧ୍ୟ ଏକାନ୍ତ ପ୍ରୟୋଜନ  । ଗୁରୁଜନମାନଙ୍କର ଗୋଟିଏ ଦାୟିତ୍ୱ ହେଉଛି ପିଲାମାନଙ୍କୁ ଆମ ପରମ୍ପରା ସହିତ ପରିଚୟ କରାଇବା  । ସେମିତି ନକଲେ, ଆମେ ଆମ ଅତୀତର ସବୁ ଉନ୍ନତ ତଥା ସୁଚିନ୍ତିତ ଜୀବନ ଶୈଳୀଠାରୁ ଆଧୁନିକତାର ଦ୍ୱାହିଦେଇ ନିଜକୁ ଦୂରେଇ ନେବା ।

Photo credit-internet

About ଡ଼ଃ ନମୀତା ଷଡ଼ଙ୍ଗୀ

Avatar
ଅଧ୍ୟାପିକା

Check Also

‘ଜୟ’ ଥିଲା ହିଂସା-ବିରୋଧୀ (ଭାଗବତ ପ୍ରସାଦଙ୍କ ଲେଖନୀରୁ)

ପରିସ୍ଥିତି ଯାହା ହେଉନା କାହିଁକି, ପ୍ରତ୍ୟେକ ଯୁଦ୍ଧ ହିଁ ଅଧର୍ମ’ ଏହା ଥିଲା ମୂଳ ମହାଭାରତର ପ୍ରତିପାଦ୍ୟ ବିଷୟ । …

Leave a Reply

Your email address will not be published. Required fields are marked *