Home / କଳା / ଇତିହାସ ପୃଷ୍ଠାରେ ଅନନ୍ୟ ବାନ୍ଧକଳା

ଇତିହାସ ପୃଷ୍ଠାରେ ଅନନ୍ୟ ବାନ୍ଧକଳା

ସମ୍ବଲପୁରୀ ବାନ୍ଧକଳା ଓଡ଼ିଶା, ଭାରତ ଏବଂ ସମଗ୍ର ବିଶ୍ୱରେ ଏକ ଉଚ୍ଚସ୍ଥାନ ଅଧିକାର କରିଛି । ଯେଉଁ କଳାକାରମାନଙ୍କର କାରୀଗରୀ ଯାଦୁରେ ସମଗ୍ର ରାଜ୍ୟ ବିଶ୍ୱ ଦରବାରରେ ପରିଚିତ ସେମାନେ କିନ୍ତୁ କେଉଁ ଅବସ୍ଥା ଭିତରେ ଏହି କଳାକୁ ବଞ୍ଚାଇ ରଖିଛନ୍ତି ସେ ବିଷୟରେ ରାଜ୍ୟରେ କୌଣସି ଆଲୋଚନା ହୁଏନାହିଁ। କହିବାକୁ ଗଲେ  ଓଡ଼ିଶାବାସୀ ଏସବୁ ବିଷୟପ୍ରତି ଅସ୍ୱାଭାବିକଭାବେ ଉଦାସୀ। ଯେମିତି ଚାଷୀ ଆତ୍ମହତ୍ୟା ରାଜ୍ୟବାସୀଙ୍କ ଭିତରେ ଏବେବି ପ୍ରତିକ୍ରିୟା ସୃଷ୍ଟି କରୁନାହିଁ ଠିକ୍ ସେମିତି ହଜାର ହଜାର ବର୍ଷର କାରୀଗରୀ କଳା ଓ କଳାକାରମାନେ ଲୋପପାଇବାକୁ ବସିଥିବାବେଳେ ସରକାରଙ୍କର ଭୂମିକାକୁ ଲୋକେ କିଛିବି ପ୍ରଶ୍ନ କରୁନାହାଁନ୍ତ। ଉଦାସୀନ ସରକାରଙ୍କୁ ସହଯୋଗ କରୁଛନ୍ତିଏକ ସମ୍ବେଦନହୀନ  ସମାଜ ।  ବିଶ୍ୱୀକରଣ ଯୋଗୁଁ ବାନ୍ଧ କାରୀଗରଙ୍କର ସମସ୍ୟା ବହୁଗୁଣିତ ହୋଇଛି। ନୋଟବନ୍ଦି ଏବଂ ଜିଏସଟି ଲାଗୁହେବା ପରେ ସେମାନଙ୍କର କୂଳ ବେଉଷା ପ୍ରତି ବିପଦ ସୃଷ୍ଟି ହୋଇଛି । ସମ୍ବଲପୁରୀ ବୟନଶିଳ୍ପର ଭବିଷ୍ୟତ ପ୍ରତି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।                – ସମ୍ପାଦକ

କଳା ଅଦ୍ୱିତୀୟ । କୌଣସି ବି କଳାର କୌଣସି ବିକଳ୍ପ ନାହିଁ । ଏହାର ଅନ୍ତଃକରଣ ବା ଅନୁକରଣ ସମ୍ଭବ ନୁହେଁ । କଳାକାର ତାର ପ୍ରତ୍ୟେକ ନମୂନାରେ ନିଜସ୍ୱ ମୌଳିକତାର ଛାପ ଛାଡ଼ିଯାଏ । ଯେଉଁ ସମୟକାଳରେ ସେ ତାର ସୃଷ୍ଟି ସର୍ଜନା କରେ, ସେ ସମୟ ଆଉ ଥରେ ଫେରେନା କି ସେଇ ହାତ, ସେଇ ଦେହ ଆଉ ଥରେ ସମାନ ଭାବେ ସେଭଳି ସର୍ଜନା କରିପାରେନା କାରଣ ସମୟ ବଦଳି ଯାଇଥାଏ  । ଏଣୁ ପ୍ରତ୍ୟେକ କଳା ନମୂନା ସ୍ୱତନ୍ତ୍ର ଅଟେ  । କଳାର କେବେ ଅନ୍ତଃକରଣ ମଧ୍ୟ ହୋଇପାରେନା  । ହଁ, ତାର ପ୍ରତିରୂପ ଛବି ଆଉ ଏକ ଛବି, ଅବା ପ୍ରତିମୂର୍ତ୍ତି ବା ପ୍ରତିକୃତି ହୁଏତ ତିଆରି କରାଯାଇପାରେ ତଥାପି ତାହା ମୂଳ ସୃଷ୍ଟିର ସ୍ଥାନ ମୋଟେ ନେଇ ନପାରେ  ।

ଏଣୁକରି ତ କଳାକାରର ଦିଗ ଭିନ୍ନ  । ସେ ସଦାସର୍ବଦା କଳ୍ପନାର ଜଗତରେ ବିଚରଣ କରୁଥାଏ  । ଏକ ଅଦ୍ୱିତୀୟ କଳାକୃତିକୁ ବିଜ୍ଞ ଲୋକେ ସ୍ୱୟଂ ସୃଷ୍ଟିକର୍ତ୍ତାଙ୍କ ସହ ତୁଳନା କରନ୍ତି  । ଏଣୁ କଳାକାର ସଦାସର୍ବଦା ବରେଣ୍ୟ, ପୂଜନୀୟ  । ଯେଉଁ ସମାଜ କଳାକାରଙ୍କ ମୂଲ୍ୟ ନିରୂପଣ କରିବାରେ ଯେତିକି ଅସମର୍ଥ ସେଇ ସମାଜ ସେତିକି ପରିମାଣରେ ସଭ୍ୟତାରେ ଦୂରରେ ବୋଲି ମଧ୍ୟ କୁହାଯାଏ  । କୌଣସି ବି ସମାଜ ତାର କଳାକାର ବା ସ୍ରଷ୍ଟା ନାମରେ ସୁଖ୍ୟାତି ଲାଭ କରିଥାଏ  । ସେ ହୁଅନ୍ତି କବି, କଳାକାର, ନାଟ୍ୟକାର, ଲେଖକ, ମୂର୍ତ୍ତିକାର ଅବା ନୃତ୍ୟଶିଳ୍ପୀ  । ଏମାନଙ୍କ ନାମରେ ହିଁ ସେଇ ମାଟି ଧନ୍ୟ ହୋଇଥାଏ  । ସେଇ ଲୋକ ମଧ୍ୟ ହୋଇଥାନ୍ତି  । ଥରେ କଳ୍ପନା କରନ୍ତୁ ରବିନ୍ଦ୍ରନାଥଙ୍କୁ ବଙ୍ଗାଳୀଙ୍କ ସହ ଥିରୁବାଲୁବରଙ୍କୁ ତାମିଲଙ୍କ ସହ ଅବା ବେଥୋବିନଙ୍କୁ ପାଶ୍ଚାତ୍ୟ ଜଗତ ସହ ଆଉ ମଧ୍ୟ ଚସରକୁ ଇଂରେଜଙ୍କ ସହ  । ଠିକ୍ ସେହିପରି ଆମେମାନେ ମଧ୍ୟ ଆମ ସ୍ରଷ୍ଟାଙ୍କ ସକାଶେ ଗର୍ବିତ  । କବି ଗଙ୍ଗାଧର, ସନ୍ଥକବି ଭୀମଭୋଇ, ବିପ୍ଳବୀ କବି ଖଗେଶ୍ୱର ସେଠ୍, ଲୋକକବି ହଳଧର ନାଗ, ଗୀତିକାର ମିତ୍ରଭାନୁ, ଲାଲରତ୍ନକର ସିଂହ, ବିନୋଦ ପଶାୟତ, ଗାୟକ ଜିତେନ୍ଦ୍ରୀୟ ହରିପାଳ, କ୍ରୀଷ୍ଣା ପଟେଲ, ଏମାନଙ୍କ ବିକଳ୍ପ ନାହିଁ  । ଏମାନଙ୍କ ପାଇଁ ଏ ମାଟି ଧନ୍ୟ ହୋଇଛି  । ଅନୁରୂପ ଭାବରେ ଏ ସମୂହ ମାଟି ଧନ୍ୟ ହୋଇଛି ତାହାର ବାନ୍ଧଶିଳ୍ପୀଙ୍କ ପାଇଁ। ବାନ୍ଧକଳା ଏ ମାଟିକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ଏହା ସ୍ୱୀକାର୍ଯ୍ୟ ଓ ସର୍ବମାନ୍ୟ  । ସମ୍ବଲପୁରୀ ବାନ୍ଧକଳା ଆଜି ବିଶ୍ୱ ବିଖ୍ୟାତ, ଆଉ ଏହାର ସ୍ରଷ୍ଟା ହେଉଛନ୍ତି ସମଗ୍ର ପଶ୍ଚିମାଞ୍ଚଳରେ ବାସ କରୁଥିବା ବହୁ ସଂଖ୍ୟକ ବାନ୍ଧଶିଳ୍ପୀ  । ଗାଁରୁ ଆରମ୍ଭକରି ସହରଯାଏ ସବୁଠି ସଦାବେଳେ ସର୍ଜନାରେ ମଗ୍ନ ଥିବା ଏଇ ବାନ୍ଧଶିଳ୍ପୀ ପାଇଁ ଏ ଦେଶ ଆଜି ଗର୍ବିତ ।

ଅନେକ ପଦ୍ମଶ୍ରୀ, ଶିଳ୍ପୀଗୁରୁ କବୀର ପୁରସ୍କାର ଏହାର ପ୍ରମାଣ (ବାନ୍ଧକଳା ପାଇଁ ଏ ଅଞ୍ଚଳକୁ ଏ ଯାଏଁ •ରୋଟି ପଦ୍ମ ପୁରସ୍କାର ମିଳିଛି  ।) ଏହା କି କମ୍ ଗର୍ବର କଥା ! କିନ୍ତୁ ଯେଉଁ ସ୍ରଷ୍ଟାମାନେ ପଦ୍ମ ପାଇ ନାହାଁନ୍ତି ସେମାନେ ଯେ କମ୍ ତାହା ନୁହେଁ ବରଂ ଅନେକ ସ୍ଥଳରେ ସେମାନେ ପଦ୍ମସ୍ତରରୁ ଉଦ୍ଧ୍ୱର୍କୁ ମଧ୍ୟ ଉଠି ପାରିଛନ୍ତି  । ଗାନ୍ଧିଜୀଙ୍କୁ ତ ନୋବେଲ ମିଳିନଥିଲା ! ନେତାଜୀ, ବିଜୁବାବୁ ମଧ୍ୟ ଭାରତରତ୍ନ ପାଇ ନଥିଲେ  । କିନ୍ତୁ ସେମାନଙ୍କ ଉଚ୍ଚତା ତ କାହିଁରେ କେତେ ! ଅବଶ୍ୟ କ୍ଷୋଭର ବିଷୟ ଗାଁ ଗହଳରେ ଥିବା ଅନେକ ମୌଳିକ କଳାର ସର୍ଜନାକାର ମଧ୍ୟ ଅନେକ ସ୍ଥଳରେ ଅନ୍ଧକାରରେ ରହିଯାଇଛନ୍ତି  । ସେମାନଙ୍କୁ ପ୍ରୋତ୍ସାହନ ଦେବାପାଇଁ ଲୋକ ମଧ୍ୟ ବେଳେ ବେଳେ ମିଳନ୍ତି ନାହିଁ  । ଦୁଃଖର ବିଷୟ ନିଶ୍ଚୟ  ।

ପ୍ରଖ୍ୟାତ କବି ମାୟାଧର ମାନସିଂହ ଏକଦା ଲେଖିଥିଲେ – ‘ଦୁଇଟି କାରଣ ଯୋଗୁଁ ଓଡ଼ିଶା ପ୍ରତ୍ୟେକଙ୍କ ପାଇଁ ଦର୍ଶନୀୟ  । ପୂର୍ବରେ ଥିବା ପ୍ରସ୍ତର ନିର୍ମିତ ଅପରୂପ ସମ୍ଭାରପୂର୍ଣ୍ଣ କୋଣାର୍କ ଓ ପଶ୍ଚିମରେ ବସ୍ତ୍ର ଉପରେ ସୃଷ୍ଟି ହୋଇଥିବା ଅପୂର୍ବ ବାନ୍ଧକଳା ପାଇଁ  ।” ସେ ମହାମନାଙ୍କ ମତରେ ଉପରୋକ୍ତ ଦୁଇଟି କଳାକୃତିର ଦର୍ଶନ ବିନା ଉତ୍କଳ ଦର୍ଶନ ଅସମ୍ପୂର୍ଣ୍ଣ  । ରାଷ୍ଟ୍ରୀୟ ଅନ୍ତରାଷ୍ଟ୍ରୀୟ ସ୍ତରର ପ୍ରଖ୍ୟାତ ବ୍ୟକ୍ତିଗଣ ମଧ୍ୟ ସମ୍ବଲପୁର ମାଟିକୁ ଆସି ବାନ୍ଧକଳାର ଅପୂର୍ବତାକୁ ଦେଖି ବିମୋହିତ ହୋଇଛନ୍ତି  । ସେ ହୁଅନ୍ତୁ ନେହେରୁ ଜୀ ଅବା ଭାରତରେ ଅବସ୍ଥାପିତ ହୋଇଥିବା ସେ କାଳର ହାଇକମିଶନ – ସମସ୍ତେ ବିମୁଗ୍ଧ ହୋଇଛନ୍ତି ବାନ୍ଧକଳା ଅବଲୋକନ କରି ! ଏଣୁ ବାନ୍ଧକଳା ଓ ଏହାର ସର୍ଜନାକାରୀଙ୍କ ପାଇଁ ଏ ଦେଶ ନିଶ୍ଚିତ ଭାବରେ କୃତଜ୍ଞ ରହିବା ଆବଶ୍ୟକ  ।

                ବାନ୍ଧ ବା ବାନ୍ଧନୀ ବା ଇକତ୍ – ବାନ୍ଧିବା ବା ମପାଇବା ଅନ୍ୟ ଏକ କଳା ବୋଲି ବି•ର କରାଯାଏ  । ନିର୍ଦ୍ଧିଷ୍ଟ ରୂପେ ପ୍ରସ୍ତୁତ ସୂତା ଉପରେ ଆଉ ଏକ ପ୍ରସ୍ତୁତ ସୂତା ଗୋଡ଼ାଇ ରଖି ତାଙ୍କୁ ବିଭିନ୍ନ ପ୍ରକ୍ରିୟାରେ ରଙ୍ଗାୟିତ କରାଯାଏ  । କିନ୍ତୁ ଏ ପ୍ରକ୍ରିୟା ଏତେ ସୂକ୍ଷ୍ମ ଓ ଜଟିଳ ଯେ ତାକୁ କାଗଜ କଲମରେ ବର୍ଣ୍ଣନା କରିବାପାଇଁ ଚେଷ୍ଟା ହିଁ ଦୁଃସାହସ ହେବ  । କାରଣ ଏପରି କଳାକୃତିର ବର୍ଣ୍ଣନା କିପରି ହୋଇପାରେ ? ଯାହାବି ବର୍ଣ୍ଣନା ହେବ ତାହା କେବଳ ସେଥିରେ ନିଜସ୍ୱ ଭାବନା ମାତ୍ର  । ଏଣୁ ବିଜ୍ଞ ପାଠକଙ୍କୁ ଅନୁରୋଧ ସେମାନେ ନିଜେ ଅନନ୍ୟ ବାନ୍ଧକଳାର ସ୍ୱାଦ •ଖନ୍ତୁ, ନିଜେ ତାକୁ ଅନ୍ତରସ୍ଥ କରିବାକୁ ଚେଷ୍ଟା କରନ୍ତୁ  । ପଶ୍ଚିମାଞ୍ଚଳରେ ଏହି କଳାକୁ ଆମେ ବାନ୍ଧ କାମ ବା ବାନ୍ଧକଳା କହିଲା ବେଳେ ପୂର୍ବ ଓଡ଼ିଶାରେ ଏହା ବାନ୍ଧକଳା ନାମରେ ନାମିତ  । ଠିକ୍ ସେଇ ଧାରାରେ ଓଡ଼ିଶା ବାହାରେ ଲୋକେ ଏହାକୁ ବାନ୍ଧନୀ ବୋଲି ମଧ୍ୟ କହନ୍ତି  । କେହି କେହି ଏହାକୁ ଇକତ କଳା ବୋଲି କହନ୍ତି  । କେବଳ ବୁଣା ଆକାରରେ ବାନ୍ଧକଳାର ବ୍ୟବହାର ହେଲେ ତାହା ଇକତ ହୁଏ ଓ ଉଭୟ ପକ୍ଷରେ ବାନ୍ଧକାମ ହୋଇଥିଲେ ତାହା ଦୁକତି ବୋଲି ଗଣାଯାଏ  ।

                ପ୍ରାଚୀନ ଭାରତରେ ମଧ୍ୟ ବାନ୍ଧକଳା ଯେ ଥିଲା ତାହା ନିଶ୍ଚିତ କରିଛନ୍ତି ପ୍ରଖ୍ୟାତ ରସପିପାସୁ କବି ବାଣଭଟ୍ଟ  । ସେ ତାଙ୍କ ଅମରକୃତି “ହର୍ଷଚରିତରେ” ପ୍ରଥମ ଥରପାଇଁ ବାନ୍ଧକଳା ବା ଇକତ ବସ୍ତ୍ର ସମ୍ପର୍କରେ ବର୍ଣ୍ଣନା କରିଥିଲେ ବୋଲି ପ୍ରସିଦ୍ଧ ଐତିହାସିକ ଇରଫାନ ହବିବ ମତ ଦେଇଛନ୍ତି  । ଏହାବାଦ ବୟନ ଶିଳ୍ପୀଙ୍କ ଅପରୂପ କଳାକୃତି ଅଜନ୍ତା ଗୁମ୍ଫାର ଏକ ନମ୍ବର ଗୁମ୍ଫାରେ ଅଙ୍କିତ ଚିତ୍ର ଗୁଡ଼ିକର ମଧ୍ୟ ଦୃଶ୍ୟମାନ ହୁଏ ବୋଲି ସୁବିଖ୍ୟାତ ଗବେଷକ ଇରସତ ଆଲମ୍ ତଥା କଳା ସମାଲୋଚକ ଓ ଐତିହାସିକ ବିନୟ ବହଲ ମଧ୍ୟ ମତ ଦେଇଛନ୍ତି  । ପୁନଶ୍ଚ ତ୍ରୟୋବିଂଶ ଶତାବ୍ଦୀରେ କବି ଜ୍ୟୋତିରେଶ୍ୱରଙ୍କ ଦ୍ୱାରା ରଚିତ ବର୍ଣ୍ଣ ରତ୍ନାକର ଗ୍ରନ୍ଥରେ ମଧ୍ୟ ତତ୍କାଳୀନ ଭାରତର ବିଭିନ୍ନ ପ୍ରାନ୍ତରେ ପ୍ରସ୍ତୁତ ହେଉଥିବା କଳାତ୍ମକ ବସ୍ତ୍ର ସମ୍ପର୍କରେ ସେ ବର୍ଣ୍ଣନା କରାଇଛନ୍ତି  । ଏହି ଗ୍ରନ୍ଥର କୌଣସି ଏକ ସ୍ଥଳେ ସେ ଅମ୍ବଳ ଅଞ୍ଚଳରେ ଉକ୍ରୃଷ୍ଟ ମାନର ବସ୍ତ୍ର ପ୍ରସ୍ତୁତ ହେଉଥିଲା ବୋଲି ମଧ୍ୟ ମତ ଦେଇଛନ୍ତି  । ମୂଳ ମୈଥିଲି ଭାଷାର ଗ୍ରନ୍ଥଟି ଅନୁବାଦ କରିଛନ୍ତି ପ୍ରଖ୍ୟାତ ଭାଷାବିତ୍ ସୁନୀତ କୁମାର ଚାଟାର୍ଜୀ  ।

            Photo by Umesh Biswal

ପଶ୍ଚିମ ଓଡ଼ିଶାରେ ଆଉ କେଉଁ ସ୍ଥାନରେ ବୟନ ଉକ୍ରଷ୍ଟର ଆଉ କିଛି ପ୍ରମାଣ ଉପଲବ୍ଧ କି ? ହଁ, ତାହାହିଁ ଉପଲବ୍ଧ କିନ୍ତୁ ସେଗୁଡ଼ିକ ଯେ ବାନ୍ଧକଳାର ନମୂନା ତାହା ସ୍ପଷ୍ଟ ହୋଇପାରି ନାହିଁ  । “ରାଣୀପୁର ଝରିଆଲର ଯୋଗୀନି ପୀଠର କେତୋଟି ଗୁମ୍ଫାରେ, ସଇଁତଲାର ଚଣ୍ଡି ମନ୍ଦିର, ଦ୍ୱାରଦେଶରେ ଥିବା ଗଙ୍ଗା ଯମୁନା, ତଥା ବୈଦ୍ୟନାଥ ସ୍ଥିତ କୋଶଳେଶ୍ୱର ମନ୍ଦିରରେ ମଧ୍ୟ ବୟନ-ଶିଳ୍ପର ନମୂନା ଆମେ ଦେଖିବାକୁ ପାଉ  । ଏହା ବାଦ୍ ନୃସିଂହନାଥ ମନ୍ଦିର ଗାତ୍ରରୁ ମଧ୍ୟ ଆମେ ବସ୍ତ୍ର ସମ୍ପର୍କିତ ସୂଚନା ପାଉ । ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍ ଡ଼ୋନାଲସନ୍ ଏହାର ଫଟୋଚିତ୍ର ଉଠାଇଥିଲେ  । କିନ୍ତୁ ଏଗୁଡ଼ିକ ଯେ ବାନ୍ଧକଳାର ନମୂନା ଏହା ସ୍ଥିର ହୋଇ ପାରିନାହିଁ  । ଏହା ଗବେଷଣା ସାପେକ୍ଷ  ।

                ମାତ୍ର କେଇ ବର୍ଷ ତଳେ ପ୍ରଖ୍ୟାତ ଲେଖକ ତଥା ପ୍ରଶାସକ ଶ୍ରୀ ହୃଷିକେଶ ପଣ୍ଡା ଏକ ଗ୍ରନ୍ଥ ରଚନା କରିଥିଲେ  । ଗ୍ରନ୍ଥର ନାମ ହେଲା “ଗର୍ବ କରିବାର କଥା ।” ଏଥିରେ ଲେଖକ ଶ୍ରୀ ପଣ୍ଡା ସମ୍ବଲପୁର ଅଞ୍ଚଳର ଭୁଲିଆ ଜାତିରେ ବାନ୍ଧଶିଳ୍ପୀଙ୍କ ସମ୍ପର୍କରେ ଉଲ୍ଲେଖ କରିଛନ୍ତି  । ତାଙ୍କ ମତରେ ଏକଦା ସମ୍ବଲପୁର ଅଞ୍ଚଳରୁ ମହାନଦୀ ବାଟେ ବାନ୍ଧବସ୍ତ୍ର ସବୁ ଦକ୍ଷିଣପୂର୍ବ ଏସିଆ ତଥା ପଶ୍ଚିମ ସାଗର ଅଭିମୁଖେ ରପ୍ତାନୀ କରାଯାଉଥିଲା । ଜୟଶିଳା ଷ୍ଟିଫେନସ୍ ଆଉ ଜଣେ ପ୍ରଖ୍ୟାତ ଗବେଷକ । ସେ ପର୍ତ୍ତୁଗୀଜ ବେପାରୀଙ୍କ ସମ୍ପର୍କରେ ଗବେଷଣା କରନ୍ତି । ସେ ଥରେ ଏ ଲେଖକକୁ କହିଥିଲେ ତାଙ୍କ ମତରେ ଗୋଆର ପର୍ତ୍ତୁଗୀଜ ମ୍ୟୁଜିୟମ୍ରେ କୁଆଡ଼େ ସମ୍ବଲପୁର ଅଞ୍ଚଳରେ ପ୍ରସ୍ତୁତ ଅନେକ ବସ୍ତ୍ରର ନମୂନା ସଂରକ୍ଷିତ ହୋଇପାରିଛି । ପର୍ତ୍ତୁଗୀଜ କୁଆଡ଼େ ତାହା ରପ୍ତାନୀ କରୁଥିଲେ । ପ୍ରଖ୍ୟାତ ଗବେଷକ ପି.ଆର୍. ମହାପାତ୍ର ମଧ୍ୟ ସପ୍ତଦଶ ଶତାବ୍ଦୀର ଓଡ଼ିଶା ସମ୍ପର୍କରେ କହିଛନ୍ତି ଯେ ସେ କାଳରେ ଓଡ଼ିଶାରେ ବହୁ ପ୍ରକାରର ବସ୍ତ୍ର ଉତ୍ପାଦିତ ହେଉଥିଲା ।

                ଆଧୁନିକ କାଳରେ ବି ସମ୍ବଲପୁର ଅଞ୍ଚଳରେ ଉତ୍ପାଦିତ ହେଉଥିବା ବସ୍ତ୍ର ସମ୍ପର୍କରେ ଆମେ ଆଲୋଚନା ଦେଖିବାକୁ ପାଉ। ବ୍ରିଟିଶ ଗେଜେଟିଅର୍ ପ୍ରଣେତା ଏଫ.ସି.କିଙ୍ଗ ଏ ସମ୍ପର୍କରେ ବିସ୍ତାରରେ ଚର୍ଚ୍ଚା କରିଥିଲେ  । ଓ. ମାଲି ମଧ୍ୟ ୧୯୦୯ ମସିହାରେ ସମ୍ବଲପୁର ଅଞ୍ଚଳର ଲୁଗା ସମ୍ପର୍କରେ ଆଲୋଚନା କରିଛନ୍ତି ।

                ସ୍ୱାଧିନତା ପରବର୍ତ୍ତୀ କାଳରେ ମଧ୍ୟ ଆଲୋଚକମାନେ ସମ୍ବଲପୁର ଅଞ୍ଚଳର ବୟନ ଶିଳ୍ପ ସମ୍ପର୍କରେ ଆଲୋଚନା କରିଛନ୍ତି । ଶ୍ରୀ ନିତ୍ୟାନନ୍ଦ ପଟ୍ଟନାୟକ (୧୯୫୧-ମ୍ୟାନ୍ ଇନ୍ ଇଣ୍ଡିଆ) ରେ ବରପାଲି ଅଞ୍ଚଳର ଉତ୍ପାଦିତ ବସ୍ତ୍ର ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି  ।

                ସମ୍ବଲପୁର ଅଞ୍ଚଳର କବିଗଣ ମଧ୍ୟ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଅଷ୍ଟାଦଶ ଶତାବ୍ଦୀର ଭୁଲିଆ କବି ରତ୍ନାଦାସ ନିଜକୁ ଏକ ଭୁଲିଆ ବୁଣାକାର ବୋଲି ବର୍ଣ୍ଣନା କରିଛନ୍ତି  । ତାଙ୍କ ସମ୍ପର୍କରେ ପ୍ରଖ୍ୟାତ ଲେଖକ ତଥା ସମାଲୋଚକ ୰ ଭାଗୀରଥ ନେପାଳ ଏକ ପୁସ୍ତିକା ପ୍ରକାଶ କରିଥିଲେ। ଏଥିରେ ଶ୍ରୀ ନେପାଳ କବି ରତ୍ନାଦାସଙ୍କୁ ଏକ ଆଲୋକ ସ୍ତମ୍ଭ ବୋଲି ବର୍ଣ୍ଣନା କରିଥିଲେ। କ୍ଷୋଭର ବିଷୟ ଆଜି ରତ୍ନାଦାସଙ୍କ ସମ୍ପର୍କରେ ବିଶେଷ କିଛି ଚର୍ଚ୍ଚା ହେଉନାହିଁ। ମନେ ହେଉଛି ପଶ୍ଚିମାଞ୍ଚଳବାସୀ ତାଙ୍କୁ ଭୁଲି ଗଲେଣି। ସ୍ୱଭାବ କବି ଗଙ୍ଗାଧର ମଧ୍ୟ ତାଙ୍କ କୁମାରୋତ୍ସବ କବିତାରେ ସମ୍ବଲପୁର ତଥା ବିନିକା ଓ ବରପାଲି ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ଉନ୍ନତମାନର  ବସ୍ତ୍ରାସମ୍ଭାର ସମ୍ପର୍କରେ ଉଲ୍ଲେଖ କରିଛନ୍ତି  ।

                ବାନ୍ଧକଳାର ବିବିଧ ଦିଗ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ଆଉ ଜଣେ ପ୍ରଖ୍ୟାତ ଶିଳ୍ପୀ  । ସେ ହେଲେ ପଦ୍ମ୍ଶ୍ରୀ କୁଞ୍ଜବିହାରୀ ମେହେର  । ସେ ଥିଲେ ବିଜେପୁର ଥାନା ସ୍ଥିତ ବୁଡ଼ାପାଲି ଗ୍ରାମର  । ସେ ବରପାଲିରେ ବସବାସ କରୁଥିଲେ  । ସେ ତାଙ୍କ ଆତ୍ମ ଜୀବନୀ ପୁସ୍ତକରେ ବାନ୍ଧକଳାର ଉତ୍କର୍ଷତା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି  ।

                ପଶ୍ଚିମ ଓଡ଼ିଶାର ବିଭବ ବାନ୍ଧକଳାକୁ ନୂତନ ଭାବରେ ଜୀବନ୍ୟାସ ଦେଇଥିଲେ ପ୍ରଖ୍ୟାତ ଶିଳ୍ପୀ ତଥା ସ୍ୱାଧିନତା ସଂଗ୍ରାମୀ ସମ୍ବଲପୁର ନିବାସୀ ସ୍ୱର୍ଗତ ରାଧାଶ୍ୟାମ ମେହେର  । ୧୯୦୯ ମସିହାରେ ଜନ୍ମିଥିବା ଶ୍ରୀ ମେହେର ବାନ୍ଧକଳାର ବିକାଶପାଇଁ ସାରା ଜୀବନ ସଂଗ୍ରାମ କରିଥିଲେ ବୋଲି ଜଣାଯାଏ ତାଙ୍କ ଦ୍ୱରା ପ୍ରତିଷ୍ଠିତ ପ୍ରଖ୍ୟାତ ଉତ୍କଳ ପର୍ଦ୍ଦା ଏଜେନ୍ସି (୧୯୨୯) ସମ୍ବଲପୁର ଅଞ୍ଚଳରେ ପ୍ରସ୍ତୁତ ହୋଇଥିବା “ଭୁଲିଆ କପଟା”କୁ “ସମ୍ବଲପୁରୀ ଶାଢ଼ୀର” ପରିଣତ କରିଥିଲା  । ତାଙ୍କ ଦ୍ୱାରା ପ୍ରସ୍ତୁତ ପର୍ଦ୍ଦାଶାଢ଼ୀ ରାଜ୍ୟ ବାହାରେ ବେଶ ଆଦୃତ ହେଉଥିଲା  ।

ପୂର୍ବେ ଶାଢ଼ୀ ଦୁଇମୁହାଁ ହେଉଥିଲା କିନ୍ତୁ ରାଧାଶ୍ୟାମ ଏକମୁହାଁ ଶାଢ଼ୀ ତିଆରି କଲେ  । ଚମତ୍କାର ବାନ୍ଧକଳା ମାଧ୍ୟମରେ ସେ ପାଟନା ବମ୍ବେ ଆଦି ସ୍ଥାନରେ ସମ୍ବଲପୁରୀ କପଡ଼ା ବିକ୍ରି କରୁଥିଲେ  । ଚମତ୍କାର ବାନ୍ଧଶାଢ଼ୀ ସବୁ ସମ୍ବଲପୁରରେ ପ୍ରସ୍ତୁତ ହେଉଥିଲା ବୋଲି ଲୋକେ ମଧ୍ୟ ତାକୁ “ସମ୍ବଲପୁରୀ ଶାଢ଼ୀ” ବୋଲି କହିବା ଆରମ୍ଭ କଲେ  । ଧିରେ ଧିରେ ତାହା “ସମ୍ବଲପୁରୀ ଶାଢ଼ୀ” ରୂପେ ପ୍ରସିଦ୍ଧ ହୋଇଥିଲା  । ତାଙ୍କ ସପୌତ୍ ଶ୍ରୀ ବିରେନ୍ଦ୍ର କୁମାର ମେହେର ଏ ସମ୍ପର୍କରେ ଏକ ପୁସ୍ତକ ଇଂରାଜୀ ଭାଷାରେ ଲେଖିଛନ୍ତି ଏହାର ଶୀର୍ଷକ ହେଲା “ସମ୍ବଲପୁରୀ ଟେକ୍ସଟାଇଲ୍”  ।

                ଦିନଥିଲା ସମ୍ବଲପୁରର ପର୍ଦ୍ଦାଶାଢ଼ୀ, ବିନିକାର ହଂସବଳୀ ଶାଢ଼ୀ, ବୈରଖପାଲିର ପରଭା ଶାଢ଼ୀ ବା ସ୍କଟବଟର ଶାଢ଼ୀ ବହୁତ ନାଁ କରିଥିଲା  । ଲୋକେ କିଣିବାକୁ ଆତୁର ହେଉଥିଲେ  । ସୂତା ରଙ୍ଗ ତଥା କଳାର ମାନ ବହୁତ ଉଚ୍ଚରେ ଥିଲା  । କଳା ପାଇଁ ଉତ୍ସର୍ଗଥିଲା  । ପ୍ରତ୍ୟେକ ନମୂନା ସାଇତି ରଖିବା ଭଳି ବୋଲି ଶୁଣିବା ଲୋକେ କହନ୍ତି  । ଅତୀତରେ ସେଇ କଳା ବିଭବକୁ ଆଜି ବି କେତେ ଜଣ ବାନ୍ଧଶିଳ୍ପୀ ବଞ୍ଚାଇ ରଖିବାକୁ ଚେଷ୍ଟା କରୁଛନ୍ତି  । ସେଇ କେଇ ଜଣଙ୍କ ମଧ୍ୟରୁ ପଦ୍ମଶ୍ରୀ ଚତୁର୍ଭୁଜ ମେହେର ଜଣେ  । ଅନେକ କଳା ସମାଲୋଚକ ମଧ୍ୟରେ ଚତୁର୍ଭୁଜଙ୍କ କଳାକୃତି ଭିତରେ ପ୍ରାଚୀନ ପରମ୍ପରା ପ୍ରତିଫଳିତ  । ବରପାଲି ବୀରମହାରାଜପୁର, ସାଗରପଲି ଆଦି ଅଞ୍ଚଳରେ ଏବେ ବି ଅନେକ ବାନ୍ଧିଶିଳ୍ପୀ ଏ କଳାପାଇଁ ଜୀବନ ଉତ୍ସର୍ଗ କରୁଛନ୍ତି  । ସେମାନେ ଆମର ନମସ୍ୟ  ।

                ଏକଦା ସମ୍ବଲପୁର ଅଞ୍ଚଳର ଭୁଲିଆ ବାନ୍ଧଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିଲା ଶହ ଶହ ପ୍ରକାରର ପାରମ୍ପାରିକ ଶାଢ଼ୀ  । ଏହାର ଏକ ଦୀର୍ଘସୂଚୀ ହେବ  । ଉତ୍କଳ ପର୍ଦ୍ଦା ଏଜେନ୍ସି, ସମ୍ବଲପୁରୀ ବସ୍ତ୍ରାଳୟ, ଉତ୍କଳ ବସ୍ତ୍ରାଳୟ (ବରପାଲି) ସୋନପୁର ନିବାସୀ ମୋହନ ମେହେର, ଚତୁର୍ଭୁଜ ମେହେର, ଶଶୀଧର ମେହେର ଆଦି ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ଆଦିଙ୍କ ଆପ୍ରାଣ ଉଦ୍ୟମ ଯୋଗୁଁ ଏକ ସୁପ୍ତକଳା ପୁଣି ଜାଗ୍ରତ ହେଲା  ।

                ସବୁ ସମସ୍ୟା ସରକାରଙ୍କ ଉପରେ ଛାଡ଼ିଦେଲେ ହେବନାହିଁ  । ଭୁଲିଆ ସମ୍ପ୍ରଦାୟଙ୍କୁ ଏ ଦିଗରେ ଚିନ୍ତା କରିବାକୁ ହେବ। ହସ୍ତତନ୍ତର ଭବିଷ୍ୟତ ଉଜ୍ଜଳ  । ଆଗକୁ ଏହାର •ହିଦା ଆହୁରି ବୃଦ୍ଧି ପାଇବ  । ଧିରେ ଧିରେ ଲୋକେ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ବସ୍ତ୍ର ପ୍ରତି ଆଗ୍ରହୀ ହେଉଛନ୍ତି  । ଏଣୁ ନୂଆ ପିଢ଼ିର କଳାକାର ସୃଷ୍ଟି କରିବାକୁ ହେବ  । ପଦ୍ମଶ୍ରୀ ଚତୁର୍ଭୁଜ ମେହେର ତଥା ସାଲି ହୋଲକାରଙ୍କ ଭଳି ଉତ୍ସର୍ଗୀକୃତ କଳାକାରମାନେ ହସ୍ତତନ୍ତ ସ୍କୁଲମାନ ଲେଖିଛନ୍ତି  । ତେଲେଙ୍ଗାନା ନିବାସୀ ପ୍ରଖ୍ୟାତ “ମଲଖା କପଡ଼ା”ର ନିର୍ମାତ୍ରୀ ଭଦୁରମ୍ମା ହେଲେ ଜଣେ ବିଚକ୍ଷଣ ପ୍ରତିଭାର ଅଧିକାରୀ  । ସେ ପାରମ୍ପରିକ ହସ୍ତତନ୍ତର ପୁନରୁଥାନ ପାଇଁ ସମର୍ପିତ  । ସେ କହନ୍ତି – “ଆଗାମୀ ଦିନ ହେଉଛି ହସ୍ତତନ୍ତର ଦିନ  । ଶତକଡ଼ା ଶହେ ଲୋକ ହାତବୁଣା ଲୁଗା ପିନ୍ଧିବେ  ।” ଭଦୁରମ୍ମାଙ୍କ ଭବିଷ୍ୟତବାଣୀକୁ ସାକାର ରୂପ ଦେବାକୁ ହେଲେ ବାନ୍ଧଶିଳ୍ପୀ ତଥା କଳାକାରଙ୍କୁ ଆହୁରି ପ୍ରୟାସ କରିବାକୁ ହେବ  ।

                ଅତୀତରେ ସମ୍ବଲପୁର ସହରର ବୁଣାକାର ତଥା ପାଟଣାଗଡ଼ ଭୁଲିଆ ସମ୍ପ୍ରଦାୟର ଲୋକେ ବୁଣାକାର କାମ ଛାଡ଼ି ବେପାର ବଣିଜ ଆଡ଼କୁ ଧ୍ୟାନ ଦେଲେ  । ଆଜି ଏଇ ଦୁଇ ସହରରେ ଭୁଲିଆ ବୁଣାକାର ସଂଖ୍ୟା ଅତିନ୍ୟୁନ କହିଲେ ଚଳେ  । ଠିକ୍ ସେହିପରି ସୋନପୁରର ଢ଼େରା ଦେବାଙ୍ଗ୍ ବୁଣାକାରମାନେ ଆଉ ବୁଣାକାମ କରୁ ନାହାନ୍ତି  । ଅନେକ ବେପାର ବଣିଜରେ ଲାଗିଛନ୍ତି  । ଯେଉଁ ମସ୍ତିଷ୍କ ଓ ହାତବସ୍ତ୍ର ଉପରେ କବିତା ଲେଖିଥାନ୍ତା ଯେଉଁ ମୁଣ୍ଡ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ କାର୍ଯ୍ୟକୁ ଆହୁରୀ ସମ୍ପ୍ରସାରିତ କରିବାକୁ ବ୍ରତୀ ହୋଇଥାନ୍ତା ଆଜି ସେଇ ମୂଲ୍ୟବାନ ମଣିଷ ସମ୍ମାନ ସହ କେମିତି ଜୀବନ ବଞ୍ôଚବ ତାରି ସକାଶେ ଚିନ୍ତିତ ! ଯେଉଁ ଭୁଲିଆଙ୍କୁ ବିଷ୍ଣୁଙ୍କ ନାମାନୁଯାୟୀ ‘ତନ୍ତୁ ବର୍ଦ୍ଧନ’ ବୋଲି କୁହାଯାଏ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଆଜି ଏଭଳି କିଛି ବୃତ୍ତି କରୁଥିବା ଅବସ୍ଥାରେ ଦେଖିଲେ କେଉଁ କଳାକାରର ହୃଦୟ ନ କାନ୍ଦିବ ? ବିଜ୍ଞ ପାଠକମାନଙ୍କୁ ଆଉ ଅଧିକ କଣ ବା ବୁଝାଇବା !

                କଣପାଇଁ ଆଜି ଜଣେ ବୁଣାକାର ତାର ତନ୍ତ ଛାଡ଼ିବାକୁ ବାଧ୍ୟ ହେଉଛି ତାର ଅନୁଧ୍ୟାନ ହେବା ଜରୁରୀ  । ଏହାବାଦ କିପରି ଏହି କଳାର ଉତ୍ତରୋତ୍ତର ଉନ୍ନତି ହେବ ତା ସକାଶେ ଆମେ ଚେଷ୍ଟା କରିବା ଆବଶ୍ୟକ  । କଳାର ପ୍ରୋତ୍ସାହନ ଆବଶ୍ୟକ  । କିନ୍ତୁ ଏଥି ସହ ବଜାର ଚାହିଦା ଅନୁଯାୟୀ କାର୍ଯ୍ୟ କଲେ ଅବସ୍ଥା ସୁଧୁରିବ ବୋଲି ଆଶା  ।

                ଓଡ଼ିଶାର ବୟନ ପରମ୍ପରାକୁ ଲୋକଲୋଚନକୁ ଆଣିବାପାଇଁ ଆମ ଅଞ୍ଚଳରେ ଜଣେ ପ୍ରଖ୍ୟାତ ଲେଖକ ତଥା ଗବେଷକ ସ୍ୱର୍ଗତ କେଶବ ଚନ୍ଦ୍ର ମେହେର ମଧ୍ୟ କମ୍ ଚେଷ୍ଟା କରି ନଥିଲେ  । ତାଙ୍କ ଦ୍ୱାରା ରଚିତ ପୁସ୍ତକ “ଓଡ଼ିଶାର ବୟନ କଳା (୧୯୬୮)” ତଥା “ଓଡ଼ିଶାର ଆର୍ଟ୍ ଅଫ୍ ଉଇଭିଙ୍ଗ୍” ମଧ୍ୟ ଗୋଟିଏ ଉପାଦେୟ ପୁସ୍ତକ  ।

About ପ୍ରଫେସର କିଶୋର ମେହେର

ପ୍ରଫେସର କିଶୋର ମେହେର
ଇତିହାସ ବିଭାଗର ପ୍ରଫେସର, ଗବେଷକ, ଲେଖକ, ସ୍ତମ୍ଭକାର

Check Also

ମାଟିର ମୂର୍ତ୍ତିକାର ଶିଳ୍ପୀ ଦେବରାଜ ସାହୁ

  ମାଟି ଓ ମଣିଷ, ଦୁହେଁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଶିଳ୍ପୀର ସୃଜନ ଶକ୍ତି ବଳରେ ମାଟି ପିଣ୍ଡୁଳା ପାଏ …

Leave a Reply

Your email address will not be published. Required fields are marked *