ଆମେ ଦେଖିବୁ (ମୂଳ: ଫୈଜ୍ ଅହମ୍ମଦ୍ ଫଏଜ)

କେଦାର ମିଶ୍ର
କେଦାର ମିଶ୍ର 193 Views
1 Min Read

ଆମେ ଦେଖିବୁ, ନିଶ୍ଚୟ ସେଦିନ ଦେଖିବୁ
ସେଦିନ, ଯିଏ ଆସିବ ବୋଲି କଥା ଦେଇଛି
ସେଦିନ, ଯାହା କାଳର କପାଳେ
ଲେଖା ହୋଇଛି
ଆମେ ଦେଖିବୁ, ସେଦିନ ନିଶ୍ଚୟ ଦେଖିବୁ ।
ଆମେ ଦେଖିବୁ ।

କେମିତି କଷଣ ଓ ଅତ୍ୟାଚାର ଉଡ଼ିଯିବେ
ମାମୁଲି ତୁଳା ହୋଇ
କେମିତି କ୍ଷମତାର ମହକୁମା ତଳେ
ମାଟି କମ୍ପିବ ଥରହର ହୋଇ
କେମିତି ଶାସକର ମୁଣ୍ଡ ଉପରେ
ବିଜୁଳି ଚମକିବ ଚକ ଚକ ହୋଇ
ଆମେ ଦେଖିବୁ ।
ଆମେ ଦେଖିବୁ

ଯେବେ ଈଶ୍ୱରଙ୍କ ସ୍ୱର୍ଗରୁ ସବୁ
ଏକଚ୍ଛତ୍ରବାଦୀଙ୍କର ପ୍ରତିମା ହଟିଯିବ
ଯେବେ ଆମ ପରି ବଂଚିତ-ଲାଞ୍ଛିତ
ମଣିଷ ସିଂହାସନରେ ବସିବ
ଯେବେ ସବୁ ମୁକୁଟ ଫିଙ୍ଗାଯିବ,
ସବୁ ସିଂହାସନ ଭଙ୍ଗାଯିବ ଆମେ ଦେଖିବୁ ।
ଆମେ ଦେଖିବୁ

ଯେବେ କେବଳ ଈଶ୍ୱରଙ୍କର ନାମ ରହିବ,
ଯିଏ ବ୍ୟକ୍ତ ଓ ଅବ୍ୟକ୍ତ,
ଯିଏ ଦୃଶ୍ୟ ଓ ଅଦୃଶ୍ୟ,
ଯେବେ ଶୁଭିବ ‘ମୁଁ ହିଁ ଈଶ୍ୱର’ର ଜୟଗାନ
ସେ ଈଶ୍ୱର ଯେତିକି ତମେ, ସେତିକି ମଧ୍ୟ ମୁଁ
ଯେବେ ସ୍ଥାପିତ ହେବ ବଂଚିତ
ମଣିଷର ସାମ୍ରାଜ୍ୟ
ସେ ତମର ବି ଆଉ ଆମର ବି ।
ଆମେ ଦେଖିବୁ,
ସେଦିନ ନିଶ୍ଚୟ ଦେଖିବୁ ।

ଅନୁବାଦ- କେଦାର ମିଶ୍ର

Share This Article
କବି, ସାମ୍ବାଦିକ, ସଙ୍ଗୀତ ସମାଲୋଚକ