Home / ସମୀକ୍ଷା / ସଂଗୀତ ସମୀକ୍ଷା / ଆଦିବାସୀ ସଂସ୍କୃତିରେ : ‘ଧ୍ୱନି ତତ୍ତ୍ୱ’

ଆଦିବାସୀ ସଂସ୍କୃତିରେ : ‘ଧ୍ୱନି ତତ୍ତ୍ୱ’

ଆଜିର ଦିନରେ ଓଡ଼ିଆ ଜାତି ଓ ଉତ୍କଳର ଉତ୍କର୍ଷ କଳା ସମ୍ବନ୍ଧରେ ଯେତେବେଳେ ଚିନ୍ତନ କରାଯାଏ, ମନ ଭିତରେ ଥିବା ଅନେକ ଦୁଃଖ ଓ ଯାତନା ଆସିଯାଏ। ଇତିହାସକୁ ଯେଉଁମାନେ ଲିପିକଲେ, ସେଭିତରୁ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ଓ କଥାକୁ ଅତୀତରେ ବାଦଦେଇଦିଆ ଯାଇଛି। ଏହି ଦୁଃଖଟିକୁ ଉନ୍ମୋଚନ କରିବାପାଇଁ ବର୍ତ୍ତମାନ ହୁଏତ ଏକ ଖୁସିର ସମୟ ଆସିଛି। ସେଇଟା ହେଲା ଯେ, ପ୍ରକୃତ ତଥ୍ୟ ଏବଂ ଓଡ଼ିଶାର ସମଗ୍ର ଅଞ୍ଚଳର ସଂସ୍କୃତିକୁ ନେଇ ଓଡ଼ିଶା ଭିତରେ ଏକ ଫୁଲମାଳ ଗୁନ୍ଥି ଜନତାଙ୍କର ଆଗରେ ସମର୍ପଣ କରିବାପାଇଁ ‘ସମଧ୍ୱନି ପତ୍ରିକା’ ମାଧ୍ୟମରେ ଯେଉଁ ପ୍ରୟାସ। ସେଥିପାଇଁ ସମ୍ପାଦକଙ୍କୁ ସାଧୁବାଦ ଜଣାଉଛି। ମୋ ଜୀବନରେ ଘଟିଥିବା ଅନୁଭୂତି ଓ ଅଧ୍ୟୟନ ଭିତରଦେଇ ମୁଁ ଯାହାକିଛି ଅନୁଭବ କରିଛି ତାକୁହିଁ ମୁଁ ଏଠାରେ ପ୍ରକାଶ କରିବି।

ଗୁରୁଶ୍ରୀ ଘାସିରାମ ମିଶ୍ର”ଙ୍କ ସହ ଓଡ଼ିଶାର ଆଦିବାସୀ ସଂସ୍କୃତି ଓ ସେଥିରେ ଥିବା ‘ଧ୍ୱନି ତତ୍ତ୍ୱ’ ସମ୍ପର୍କରେ ଚର୍ଚ୍ଚା

                ଭାରତବର୍ଷର ଅତୀତ ପରିଚୟର ମୂଳତତ୍ତ୍ୱଟି ହେଲା ଏହା ଆଦିସଭ୍ୟତାରୁ ହିଁ ଆରମ୍ଭ । ଆଦିବାସୀ ବହୁଳ ଅଞ୍ଚଳ, ପର୍ବତ, ଝରଣା, ନଦୀ, ଘଞ୍ଚ ଜଙ୍ଗଲ, ପଶୁପକ୍ଷୀଙ୍କ ଭିତରେ ଆଦି ମଣିଷ ରହୁଥିଲା । ସେ ଯେତେବେଳେ  ସଭ୍ୟତାର ସୃଷ୍ଟି ଆଡ଼କୁ ମୁହାଁଇଲା ସେତେବେଳେ ଏକରୁ ଦୈତ୍ୟ, ଦୈତ୍ୟରୁ ଗୋଷ୍ଠି, ଗୋଷ୍ଠିରୁ ଗାଁ ସୃଷ୍ଟି କରିବାପାଇଁ  ସକ୍ଷମ ହେଲା । ଅଗ୍ନିକୁ ପରିଚୟ କଲା ଏବଂ ପଞ୍ଚ ପ୍ରକୃତିର ଧ୍ୱନିକୁ ଅନୁଭବ କଲା । ସେତେବେଳେ ଯେଉଁ ସଭ୍ୟତା ଥିଲା ଯେଉଁ ପ୍ରକାର ପ୍ରକାରର ଜାତିଭେଦ ଥିଲା, ଜାତିତ ନୁହେଁ ଗୋଟିଏ ସମ୍ପ୍ରଦାୟ ବଞ୍ଚିବାର ରାହାଟିଏ ଥିଲା ତାହାରି ଭିତରେ ମତଭେଦ ସୃଷ୍ଟି ହେବାରୁ କିଛି ଗୋଷ୍ଠୀଙ୍କୁ ନେଇ ପରବର୍ତ୍ତୀ ସମୟରେ ସେମାନଙ୍କୁ ଜାତି ବୋଲି ନିର୍ଦ୍ଧିଷ୍ଟ କରାଗଲା । ସେ ଯାହାହେଉ ତାଙ୍କ ସାଙ୍ଗରେ ଆଉ ଗୋଟିଏ ଜାତିର ମଣିଷ ମଧ୍ୟ ଥିଲେ । ସେମାନଙ୍କୁ ଆଜି ସଭ୍ୟତାର ଉଚ୍ଚ ପାହାଚରେ ପହଞ୍ଚାଇବାର ଦ୍ୱାହି ଦିଆଯାଉଥିବା ସମୟରେ ଏବେବି ସେମାନଙ୍କୁ ଅସ୍ପୃଶ୍ୟ, ଦଳିତ, ପତିତ ବା ଗଣ୍ଡା ଜାତି ବୋଲି କୁହାଯାଉଛି । ସେତେବେଳେ ସେମାନେ ପଞ୍ଚତତ୍ତ୍ୱର ଗନ୍ଧର୍ବ ଗୁଣ – “ଧ୍ୱନି”କୁ ଠିକ୍ ବୁଝିଥିଲେ ଏବଂ ସଂସାର ଗଢ଼ିବାପାଇଁ ଯାହା ଆବଶ୍ୟକ ଜିନିଷ ତାକୁ ପୂରଣ କରିବାରେ ସେମାନଙ୍କର ସକ୍ଷମତା ଥିଲା । ତାଙ୍କର ଶରୀର ଗଠନ ଠିକ୍ ବନ୍ୟପ୍ରାଣୀ ଗଣ୍ଡା ସଦୃଶ୍ୟ ଥିଲା । ତାଙ୍କର ଚରିତ୍ରରେ ଅନାହାରରେ ରହିବାର ଅଭ୍ୟାସ ଯେତିକି ଥିଲା, ଆହାର ପ୍ରତି ସନ୍ତୁଷ୍ଟି ଲାଭ କରିବାରେ ମଧ୍ୟ ସେତିକି ଅଭ୍ୟାସ ଥିଲା। ସେମାନେ ଏକ କଠିନ ଜୀବନଯାପନ କରୁଥିଲେ। ଆମେ ଯେତେବେଳେ କଳା ସଂସ୍କୃତି କଥା, ଜଗନ୍ନାଥ ସଂସ୍କୃତି କଥା, କଳିଙ୍ଗ, ଉତ୍କଳ, କୋଶଳର କଥା ଏବଂ ଓଡ଼ିଆ ଜାତିର ନିଜସ୍ୱ ସ୍ୱାଭିମାନର କଥା ବର୍ତ୍ତମାନ ଯୁଗରେ ଆଲୋଚନା କରୁଛୁ ଆମେ ଭୁଲିଯାଉଛେ ଯେ, ଏସବୁର ସେତେବେଳେ କିଛି ସୀମା ନିର୍ଣ୍ଣୟ ହୋଇନଥିଲା।

       ଇତିହାସ ମାନିନେଇଛି ଯେ, ଏଇଟା ଆଦିବାସୀ ବହୁଳ ଅଞ୍ଚଳ। ଏଇ ଆଦିବାସୀ ବହୁଳ ଅଞ୍ଚଳକୁ ସର୍ବପ୍ରଥମେ ଦ୍ରାବିଡ଼ ମାନଙ୍କର ପ୍ରବେଶ ହୋଇଥିଲା । ଦ୍ରାବିଡ଼ ଏବଂ ଆଦିବାସୀମାନଙ୍କ ଭିତରେ ହେଉଥିବା ସଂଘର୍ଷ, ଏଇ ସଂଘର୍ଷରେ ଗୁପ୍ତଚର ବୃଦ୍ଧି କରିବା କାମଟି ଗଣ୍ଡା ବା ଗନ୍ଧର୍ବ ଜାତିର ଲୋକମାନେ କରୁଥିଲେ । ବିଭିନ୍ନ ଦେବତାଙ୍କୁ ଆଳକରି ଗୋଟିଏ ଗୋଟିଏ ପୂଜନ କରି ସେଠି ସେମାନେ ବସବାସ କରୁଥିଲେ ଏବଂ ପ୍ରତ୍ୟେକ ଦେବତାଙ୍କୁ ବଳି ସମର୍ପଣ କରୁଥିଲେ । ବଳି ଅର୍ଥ ସେମାନଙ୍କର ମାଂସ ଖାଇବା ପାଇଁ ନୁହଁ କି ମାଂସ ପ୍ରୀତି ନୁହଁ । ସେମାନଙ୍କ ପାଇଁ ବଳିଥିଲା – ‘ମୋର ଇଷ୍ଟଙ୍କର ବିରୁଦ୍ଧାଚରଣ କରୁଥିବା ସେ ଯେ କେହି ହେଉନା କାହିଁକି, ମା କିମ୍ବା ପିତୃତୁଲ୍ୟ କିମ୍ବା ମୋର ଦେବତା ତୁମ ଚରଣ ତଳେ ତାର ଶିରକୁ ମୁଁ ସମର୍ପଣ କରୁଛି । ଏଇ ଯେଉଁ ବୀରତ୍ୱ ମନୋଭାବ ଓ ନିଜର ମାଟି ମାଆକୁ ସମ୍ମାନ ଦେବାର ଯେଉଁ ପ୍ରୀତି ଆଜି ପର୍ଯ୍ୟନ୍ତ ମଧ୍ୟ ବଳବତ୍ତର ରହିଛି ଯାହାକୁ ଆମେ କୁସଂସ୍କାର ବୋଲି କହୁଛୁ । ହୋଇପାରେ ଆର୍ଯ୍ୟସମାଜର ତର୍କ ଅନୁଯାୟୀ କୁସଂସ୍କାର ଏହାକୁ କୁହାଯାଇପାରେ କିନ୍ତୁ ସେହି ଆର୍ଯ୍ୟମାନେ ଯେତେବେଳେ ଅନ୍ୟ ସମ୍ପ୍ରଦାୟ ବା ଅନ୍ୟ ଧର୍ମାବଲମ୍ବୀ ଲୋକଙ୍କୁ ହଜାର ହଜାର ସଂଖ୍ୟାରେ ବଳିଦିଅନ୍ତି, ରକ୍ତର ନଦୀ ବୁହାଇ ଦିଅନ୍ତି ସେତେବେଳେ ମୁହଁ ଖୋଲି ଗୋଟିଏ ଶବ୍ଦରେ ବିରୋଧ କରିବାକୁ କାହାର ସାହାସ ହୁଏ ନାହିଁ । କିନ୍ତୁ ନିଜ ଅଞ୍ଚଳର, ନିଜର ସାହି ବିରାଦରୀଙ୍କ ପ୍ରତି ଆକ୍ଷେପ କରି ଏସବୁକୁ ଅନ୍ଧବିଶ୍ୱାସ ବୋଲି ଦାବୀ କରିବାର ସେମାନଙ୍କର ଗୋଟିଏ ସ୍ୱାଭାବିକ ପ୍ରତିକ୍ରିୟା ଥିଲା । ସେତେବେଳେ ରାଜତନ୍ତ୍ର ନଥିଲା । ବିଶେଷ ଭାବରେ ମୁଁ ସୌଭାଗ୍ୟ ଅର୍ଜନ କରିଛି ଯେ, ଉଚ୍ଚକୂଳରେ ଜନ୍ମ ହେଲେ ମଧ୍ୟ ମୋର ଜନ୍ମମାଟି ହେଉଛି କୋଶଳାଞ୍ଚଳ । ସମ୍ପୂର୍ଣ୍ଣ ଆଦିବାସୀମାନଙ୍କ ସାଙ୍ଗରେ, ଗନ୍ଧର୍ବ ଜାତିମାନଙ୍କ ସାଙ୍ଗରେ ପିଲାବେଳୁ ରହି ରହି ମୋର ଗୋଟେ ଅଭ୍ୟାସ ହୋଇଯାଇଛି ଏବଂ ତାଙ୍କ ସଂସ୍କୃତି ଓ ଆର୍ଯ୍ୟ ସଂସ୍କୃତି ମଧ୍ୟରେ ଥିବା ପାର୍ଥକ୍ୟଟି କ’ଣ ବୁଝିପାରିଛି । ଏହି ଅନୁସନ୍ଧାନ କଲାବେଳେ ମୁଁ ଦେଖୁଛି ଯେ ଦେବୀମାନେ କୌଣସି ଯାଗାରେ ଦଶଭୂଜା, କୌଣସି ଯାଗାରେ ମନ୍ଦିରରେ ରହନ୍ତି କି? ସେମାନେ କୁହନ୍ତି, “ତମେବ ସର୍ବଜନନୀ, ମୂଳ ପ୍ରକୃତି ଇଶ୍ୱରୀ” । ତେଣୁ ବେଦ ବେଦାନ୍ତ, ଉପନିଷଦରେ ମଧ୍ୟ କୌଣସି ଦେବତାଙ୍କର ସ୍ଥାନ ନାହିଁ କେବଳ ପ୍ରକୃତିର ପୂଜନ କରାଯାଇଛି । ଏଣୁ ଅନୁମାନ କରାଯାଏ ଯେ, ଆଦିବାସୀ ସଂସ୍କୃତିକୁ ଲିପି କରିବାକୁଯାଇ ଏବଂ ଆଦିବାସୀ ସଂସ୍କୃତି ଭିତରେ ଥିବା ମହାନତାକୁ ଗୁଣୀଲୋକଙ୍କୁ ଜଣାଇବାପାଇଁ ଗୋଟିଏ ବିଧିବଦ୍ଧ ଶାସ୍ତ୍ରର ଆଲୋଚନା ଆରମ୍ଭ ହେଲା ଯେତେବେଳେ ଆର୍ଯ୍ୟମାନଙ୍କର ଆଗମନ ହେଲା ।

                ଆର୍ଯ୍ୟମାନଙ୍କ ଆସିବା ସମୟରେ ସେମାନେ ମଧ୍ୟ ଏତେ ଶିକ୍ଷିତ ନଥିଲେ । କିନ୍ତୁ ସେମାନେ •ଲାକ ଥିଲେ ଏବଂ ପରପିଢ଼ୀ ପାଇଁ କିଛି ଜିନିଷ ସାଇତି ରଖିବାପାଇଁ ସେମାନଙ୍କର ଲିପିଜ୍ଞାନ ଥିଲା । ଏଇଠି ଆଉ ଗୋଟିଏ ସୂଚନା ଦେବାକୁ ଉଚିତ ମନେକରିବି ଯେ ଆର୍ଯ୍ୟ ସଂସ୍କୃତିର ତିନୋଟି ମୂଳ ଧାରା ରହିଛି । ସେ ମୂଳ ଧାରା ଗୁଡ଼ିକୁ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ଆଦୈତ ଭାବରେ ସାବ୍ୟସ୍ତ କରିଛନ୍ତି । ଶବ୍ଦାବ୍ଦୈତ, ଶତାବ୍ଦୈତ ଓ ବିଜ୍ଞାନାବ୍ଦୈତ । ଏଇ ତିନି ବ୍ଦୈତକୁ ପୁଣି ଛଅ ଛଅ ଭାଗରେ ବିଭକ୍ତ କରି ଅଠର ଭାଗ କରିଛନ୍ତି ଏବଂ ଅଷ୍ଟାଦଶ ପୁରାଣ ନାମରେ କିଛି କାହାଣୀ ଲେଖି ତାକୁ ସେମାନେ ଲୋକଲୋଚନକୁ ଆଣିଛନ୍ତି । ଏଇଟା ହେଉଛି ଆର୍ଯ୍ୟମାନଙ୍କର ଆପଣାପଣ । ସଂସ୍କୃତି ସବୁବେଳେ ଅନ୍ୟ ଉପରେ ଆଘାତ୍କରି ତାକୁ ଅସୁର କହି (ଅସୁରର ଅର୍ଥ ବଡ଼ ବଡ଼ ଦାନ୍ତ କିମ୍ବା ସିଂହ ଥିବା ନୁହେଁ, କି ବିରାଟ କାୟ ମଣିଷ ନୁହେଁ) ଅ-ସୁର ଯାହାର ଶବ୍ଦ ଜ୍ଞାନ ନାହିଁ, ଯାହାର ସ୍ୱର ନାହିଁ । ବେସୁରା ଜିନିଷକୁ ଅସୁର ବୋଲି କୁହାଯାଉଥିଲା ଏବଂ ତାକୁ ନେଇ ସେମାନେ ବ୍ୟାଖ୍ୟା କରିଛନ୍ତି । କିନ୍ତୁ ଆମର କଳ୍ପନା ଭିତରେ କିଛି ଗୋଟିଏ ମଣିଷରୁ ଭିନ୍ନ ମଣିଷଟେ ହୋଇଥିବ ଏବଂ ମଣିଷପ୍ରତି ତାର ଦୟାଭାବ ନଥିବ ତାକୁ ଆମେ ଅସୁର ବୋଲି କହୁଛୁ । ସେ ଯାହାହେଉ ସେଇଟା ତର୍କର ବାହାରେ ବା ଉଦ୍ଧ୍ୱର୍ରେ, ମୋର ଏତେ ପାଠଶାଠ ନାହିଁ ତର୍କ କରିବାକୁ । କିନ୍ତୁ ମୋର ଅନୁଭବ ଭିତରେ ଯାହା ଅଛି, ମୋର ଚେତନା ଶକ୍ତି ଭିତରୁ ଯାହା ଯାହା ସଂଗ୍ରହ କରିଛି ସେ ଭିତରୁ ଆପଣଙ୍କୁ ସୂଚନା ଦେବାକୁ ଚାହିଁବି  ।

                ଆଜି ଯଦି ଓଡ଼ିଶା ରାଜ୍ୟ ଭାରତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ତାହା କୌଣସି ରାଜନୈତିକ ଦୃଷ୍ଟିକୋଣରୁ ନୁହଁ, କୌଣସି ମନ୍ଦିର ମସଜିଦ୍  ଦୃଷ୍ଟିକୋଣରୁ ନୁହଁ, କୌଣସି ନଦୀ ନାଳ ଦୃଷ୍ଟିକୋଣରୁ ନୁହଁ ବରଂ ଆଜି ଓଡ଼ିଆ ଜାତି ଯଦି କୌଣସି ନିଜସ୍ୱ ପରିଚୟ ସୃଷ୍ଟି କରିପାରିଛି କାଠରେ ନିର୍ମିତ ମନ୍ଦିର ଭିତରେ ବନ୍ଧା ହୋଇଥିବା କାଷ୍ଠ ନିର୍ମତ ଠାକୁରଙ୍କ ପାଇଁ । ସେ ଠାକୁର ହେଉଛି ଜଗତର ନାଥ ଜଗନ୍ନାଥ ଯାହାଙ୍କୁ ଆଦିବାସୀ ସଂସ୍କୃତିରେ ‘ଜଗଧୁ’ ବୋଲି କୁହାଯାଏ ଏବଂ ସେମାନେ ଜଗନ୍ନାଥଙ୍କୁ ତାଙ୍କର ଜାତିର ଦେବତା ବୋଲି ବିବେଚନା କରନ୍ତି । ଏଇଟା ଯେମିତି ନିଷ୍ଠାରେ ପୂଜା ହୁଏ ସେଇଟା ମଧ୍ୟ ନିଷ୍ଠାରେ ପୂଜା ହୁଏ କିନ୍ତୁ ତାଙ୍କୁ ବନ୍ଦୀକରି ରଖାଯାଏନି । ଏଠି କାହାଦ୍ୱାରା ଜଗନ୍ନାଥଙ୍କୁ ପରିଚାଳିତ କରାଯାଏ ନାହିଁ । ସେବା ନାଁରେ ତାଙ୍କୁ ତାଲା ଦିଆଯାଏ ନାହିଁ । ବିରାଟ ବଜ୍ରକିରଣୀ କଂସା କବାଟ କିଳା ହୋଇଛି, କୌଣସି ଜଣେ ଲୋକ ତିନୋଟି ତାଳି ଦେଲେ ଜଗନ୍ନାଥଙ୍କ ନିଦ ଭାଙ୍ଗିବ ଯାହା ଆଦିବାସୀ ସଂସ୍କୃତିରେ ନାହିଁ । ପଥପ୍ରାନ୍ତରେ, ନଦୀକୂଳରେ, ପର୍ବତମାଳାରେ ଯେଉଁଠି ଦେଖିବେ ଯାହାକୁ ପାଇବେ ତାଙ୍କ ମନ ଯାହାକୁ ଦେଖିଲେ ଠାକୁର ଭଳି ଲାଗିଲା ତାଙ୍କୁ ଉପସନା କଲେ । କି ନିର୍ମଳ ହୃଦୟ, କି ଉଦାର ହୃଦୟ, ସମସ୍ତ ଜଗତଟା ତୋର ବୋଲି କହି ସେମାନେ ନିଜର ଠାକୁରଙ୍କୁ ସବୁକିଛି ସମର୍ପଣ କରିବାର ଅଭ୍ୟାସ ବର୍ତ୍ତମାନ ମଧ୍ୟ ଏ ଅଞ୍ଚଳରେ ବଞ୍ଚିରହିଛି ।  ଯିଏକି ମରୁତଲ, ବୁଳେଇତଲ, ନଲିଆତଲ ପରି ନାମକରଣ ଠାକୁର ସ୍ଥଳୀର କରିଛନ୍ତି । ଆର୍ଯ୍ୟ ସଂସ୍କୃତି ଭଳି “କସ୍ତୁରି ତିଳକ ଲଲାଟ ପଟଳେ, ବକ୍ଷସ୍ଥଳେ କୌସ୍ତୁବଂ…” ନାମକରଣ ନାହିଁ କିମ୍ବା ଆବାହନ ମନ୍ତ୍ର ନାହିଁ, ଶୋଡ଼ଷ ପୂଜାର ମନ୍ତ୍ର ମଧ୍ୟ ନାହିଁ । ସେମାନେ ଯେଉଁ ଭାଷାରେ କଥା ହୁଅନ୍ତିି ସେଇ ଭାଷାରେ ତାକୁ ଡ଼ାକନ୍ତି ଏବଂ ସେଇ ଭାଷାରେ ହିଁ ସେ ଶୁଣେ । ଦେବତା ଆଉ ତା ମଧ୍ୟରେ ସେତୁ ହେଲା ‘ଧ୍ୱନି’ ।

            ମୋର କହିବାର ତାତ୍ପର୍ଯ୍ୟ ହେଲା, ଯେତେବେଳେ ଓଡ଼ିଶାର ସମସ୍ତ ଅଞ୍ଚଳର ସଂସ୍କୃତିକୁ ନେଇ ଓଡ଼ିଶା ଆଜି ଗର୍ବ କରୁଛି –  କିନ୍ତୁ ପ୍ରକୃତରେ ତାହା ହୋଇଛି କି? ତାହାର କାରଣ କ’ଣ? ଏହିସବୁ ତର୍ଜମା କରିବାର ସମୟ ଆସିଛି । ଶିକ୍ଷିତ ପ୍ରାୟ ସମସ୍ତେ ହେଲେଣି କିନ୍ତୁ ସେତିକି ଦୂର କେହି ଯାଇନାହାଁନ୍ତି କି ଅଧ୍ୟୟନ କରିନାହାଁନ୍ତି । ସେଇ ଚାରିକାନ୍ଥ ଭିତରେ ଥିବା ବିଶ୍ୱବିଦ୍ୟାଳୟ ସେଥିରେ ପାରିଶ୍ରମିକ ଆଶାକରି ଅଧ୍ୟାପନା କରୁଥିବା କିଛି ବ୍ୟକ୍ତି ଅଧ୍ୟୟନ କି ଗବେଷଣା ଉପରେ ଗୁରୁତ୍ତ୍ୱ ଦେଲେନାହିଁ । ଉଦାର ଭାବର ଅଭାବ ବହୁତ ଜାଗାରେ ଦେଖାଦେଇଛି । ଏ ହେଉଛି ଆଜିର ଆର୍ଯ୍ୟ ପରମ୍ପରା ।

                ପ୍ରାଚୀନ ଗ୍ରନ୍ଥମାନଙ୍କ ଅନୁସାରେ ଦ୍ରାବିଡ଼ମାନେ ଆସିବା ପରେ ସେମାନଙ୍କ ସାଙ୍ଗରେ ଆଦିବାସୀମାନଙ୍କର ପ୍ରତିଯୋଗୀତା ହେଲା ଏବଂ ଯେଉଁ ଅସମାନତା ଥିଲା ସେଥିପାଇଁ ଯୁଦ୍ଧ ଲାଗିରହିଥିଲା । ତାପରେ ପରେ ଆର୍ଯ୍ୟମାନେ ଆସିଲେ ଏବଂ ସେତେବେଳେ ଦ୍ରାବିଡ଼ ଓ ଆଦିବାସୀ ଏକାଠିହୋଇ ଆର୍ଯ୍ୟଙ୍କ ବିରୁଦ୍ଧରେ ଯୁଦ୍ଧକଲେ । ସେସମୟରୁ ଆଜିଯାଏ ଯୁଦ୍ଧ ଅବ୍ୟାହତ ରହିଛି । ସେତେବେଳେ ଅସ୍ତ୍ରଶସ୍ତ୍ରରେ ଯୁଦ୍ଧ ହେଉଥିଲା କିନ୍ତୁ ଏବେ ସେଥିରେ ଘୃଣା, ତିରସ୍କାର, ଉଚ୍ଚ, ନିଚ ଭାବର ଧିରେ ଧିରେ ପ୍ରଚଳନ ହେଲା । ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଓଡ଼ିଶାର ଜଗନ୍ନାଥଙ୍କୁ ଚଣ୍ଡାଳ ଛୁଇଁବା ମନା, ମନ୍ଦିର ପ୍ରବେଶ ନିଷେଧ । କେତେବେଳେ ଜଗନ୍ନାଥ କେଉଁ ସମୟରେ ତାଙ୍କୁ ଏକଥା କହିଲେ? ଜଗତର ନାଥ ଜଗନ୍ନାଥ ସେଇ ଗୋଟିଏ ଜାତିକୁ ପ୍ରବେଶ ନିଷେଧ କାହିିଁକି କରିଦେଲେ? ଏଇ ଯେଉଁ ସାଙ୍ଗୀତିକ ଧାରାରେ ଏବଂ ଯେଉଁ ପରମ୍ପରାରେ ଆମେ ବଞ୍ôଚଥିଲେ, ବ୍ୟକ୍ତିଗତ ସ୍ୱାର୍ଥପାଇଁ ସେ ପରମ୍ପରା ଆଜି ସର୍ବତ୍ର କ୍ଷୀଣ ହୋଇ ହୋଇ ଯାଉଛି । ଦୋଷ କାହାକୁ ଦେବା? ଦୋଷ ନିଜେ ବହନ କଲେ ଅତି ସୁନ୍ଦର ହେବ । ମୁଁ କିଛି କରିପାରିଲି ନାହିଁ କହି ଯଦି ନିଜକୁ ତାଡ଼ନା ଦିଆଯାଏ ବୋଧେ ଠିକ୍ ହେବ । କାରଣ ମୁଁ ମୁଁ ହେଇ ହେଇକି ତ ଆମେ? ଓଡ଼ିଶା ରାଜତନ୍ତ୍ର ଶାସନରେ ଶାସିତ ହୋଇ ଏତେ ପ୍ରକାରର ପରିସ୍ଥିତିକୁ ସାମ୍ନାକରି ମଧ୍ୟ ସେଇ ସଂସ୍କୃତିକୁ ବଳବତ୍ତର ରଖି ପାରିଲା ।

                      ଆଦିବାସୀ ସମାଜ ବା ଦଳିତ, ପତିତ ବା ଘୃଣିତ ଅସ୍ପୃଶ୍ୟ ଯେଉଁମାନଙ୍କୁ କହୁଛନ୍ତି ସେ ସମାଜ ନିଜର ସାମାଜିକ ଚିନ୍ତାଧାରା ଏବଂ ସମାଜ ପାଇଁ ଉତ୍ସର୍ଗ କରିବାରେ କୌଣସି ଜାଗାରେ ସେମାନେ ଅବହେଳା କରିନାହାନ୍ତି ଏବଂ କୌଣସି ଦିନ ପାରିଶ୍ରମିକ ସେମାନେ ଦାବୀ କରିନାହାନ୍ତି ବା ପାରିଶ୍ରମିକ ପାଇଁ କେଉଁଠି ଆନ୍ଦୋଳନ ଆପଣ ଦେଖିପାରିବେ ନାହିଁ । ତେଣୁ ରାଜତନ୍ତ୍ରରୁ ଆରମ୍ଭ କରି ମୋଗଲ ଶାସନ, ବ୍ରିଟିଶ ଶାସନ ଏବଂ ଭାରତ ସ୍ୱାଧୀନ ହେବାପରେ ମଧ୍ୟ ଲୋକ ପ୍ରତିନିଧି ବୋଲାଉଥିବା ବ୍ୟକ୍ତିଙ୍କର ନୈତିକତାର ଅଭାବ ହେତୁ ଆଜି ବୈଷମ୍ୟବାଦର ଡ଼ିଣ୍ଡମ ଚାରିଆଡ଼େ ପଡ଼ୁଛି । ବିକାଶ କଥାଟାକୁ ଛାଡ଼ି ଦିଆଯାଉ । ମୁଁ ସେଇ ଦିଗରେ ଯାଉନାହିଁ କାରଣ ମୁଁ ରାଜନୀତି ଜାଣିନାହିଁ । କାହାର ବିକାଶ କାହାର ବିନାଶ ହେଉଛି ସେ ଉପରେ ମୋର ଜ୍ଞାନ ନାହିଁ। କିନ୍ତୁ ଗୋଟିଏ କଥା ନିଶ୍ଚୟ କହିବି ଏ ବିକାଶ ନାମରେ ଆମକୁ ଆକାଶ କଇଁଆ ଦେଖାଇ ଦେଖାଇ ଆଜି ସଂସ୍କୃତି ଓ ପରମ୍ପରାର ସବୁ ଧାରାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେବାକୁ ବସିଲେଣି । ଯେଉଁ ପର୍ବତରେ ଦେବତା ସ୍ଥାପନ କରି ଗିରିବାସୀ, ବନବାସୀ ଏବଂ ଆଦିବାସୀ ରହୁଥିଲେ ସେ ଅଞ୍ଚଳକୁ ଆଜି ଲୁହା ତରଳାଇ ବିଭିନ୍ନ ଉପାୟରେ ହାତେଇ ଅର୍ଥ ଉପାର୍ଜନ ପାଇଁ ଧ୍ୱସ୍ତ ବିଧ୍ୱସ୍ତ କରିସାରିଲେଣି। ଯେଉଁ ନଦୀ ଝରଣାକୁ ନେଇ ମଣିଷ ବଞ୍ôଚଥିଲା ବର୍ତ୍ତମାନ ନଦୀ ଝରଣାକୁ ନେଇ ଖେଳ ଆରମ୍ଭ ହୋଇଗଲାଣି। ନଦୀ ଝରଣା ମଣିଷ ପାଇଁ ନା ଆଉ କାହାପାଇଁ? ସର୍ବସାଧାରଣ ଜନତା ଜନାର୍ଦ୍ଦନ ବୋଲି ଶବ୍ଦ ଲୋପ ପାଇଗଲାଣି । ଭାରତ ବର୍ଷ ଭିତରେ ଯେବେଠୁ ଅବକ୍ଷୟ ହୋଇଛି ଓଡ଼ିଶା ମଧ୍ୟ ସେଥିରୁ ବାଦ୍ ଯାଇନି । ଓଡ଼ିଶା ଭିତରେ ବିଭିନ୍ନ ଯୋଜନାରେ ବିଭାଗ ତିଆରି କରି ଦ୍ୱନ୍ଦ ସୃଷ୍ଟି କରି ଦିଆଗଲା ଏବଂ ସେଥିରେ ମାଡ଼ ଖାଇଗଲା କିଏ । ଅନ୍ୟ କାହାର କ୍ଷତି ହେଉ ବା ନହେଉ ସାଙ୍ଗୀତିକ ଧାରା ଭିତରେ, ଧ୍ୱନାତ୍ମକ ଘର ଭିତରେ ବଞ୍ଚିରହୁଥିବା ମଣିଷ ଯିଏକି ଖାଇଲେ ଖାଇଲା ନଖାଇଲେ ନାହିଁ, ମରିଗଲେ ଗୀତ, ବଞ୍ଚିଲେ ଗୀତ, ଶୋଇଲେ ଗୀତ ସବୁବେଳେ ସଙ୍ଗୀତ ଓ ସଂସ୍କୃତି ଭିତରେ ବୁଡ଼ି ରହୁଥିବା ମଣିଷ ବର୍ତ୍ତମାନ ଅକ୍ଟୋପସ୍ ଭଳି ଚାରିଆଡ଼ୁ ତାକୁ ଟାଣିଟାଣି ବିଦିର୍ଣ୍ଣ କରିଦେଇ ସାରିଲେଣି । ତାକୁ ଆଜି ସଂସ୍କୃତି, ସଭ୍ୟତା ଏବଂ ଆଧୁନିକ ବିକାଶର ଦ୍ୱାହି ଦିଆଯାଉଛି ।

 

                ଏବେ ସମୟ ଆସିଛି ସମସ୍ତେ ସଙ୍ଗୀତକୁ ବଞ୍ଚାଇବାକୁ ଲାଗିପଡ଼, ଧ୍ୱନି ଗୁଣକୁ ରଖିବାକୁ ପଡ଼ିବ, ଅନାହତ କୁହନ୍ତୁ କି ଆହତ କହନ୍ତୁ ଏପରିକି ଯାହା ଆପଣ କହିବାକୁ ଚାହାନ୍ତି କୁହନ୍ତୁ, ଧ୍ୱନିକୁ ଯଦି ବଞ୍ଚାଇ ନପାରିଲେ ସୃଷ୍ଟି ରହିବତ? ବିନା କମ୍ପନରେ ଧ୍ୱନି ସୃଷ୍ଟିର କଳ୍ପନା କରାଯାଇପାରେ କି? ଯଦି କଳ୍ପନାର ବାହାରେ ତାହାଲେ ଧ୍ୱନିକୁ ଏତେ ଅପବ୍ୟବହାର କାହିଁକି? ଏତେ ବିଶୃଙ୍ଖଳ ଅବସ୍ଥା କାହିଁକି? ଏଥିପାଇଁ କୌଣସି ନିୟମକାନୁନ୍ ନାହିଁ । ବିଶେଷକରି ବୟୋଜ୍ୟେଷ୍ଠ ଅଭିଜ୍ଞମାନଙ୍କୁ ଓଡ଼ିଶାରେ ଯେଉଁଭଳି ଅବହେଳା କରାଯାଏ ବୋଧହୁଏ ଭାରତବର୍ଷରେ ଆଉ କେଉଁଠି ଏଭଳି ଅବହେଳା ହେଉଥିବାର ନଜିର ନାହିଁ । ଆମ ଭାଷାରେ ଗୋଟିଏ କଥା ଅଛି ଯେ, “ଘରକେ ବୁଢ଼ାଟେ, ଆର ଗାଁକେ ଆର ମୁଡ଼ାଟେ । ଏଇ ଦିଇଟା ଶବ୍ଦ ଯଦି କେହି ଗବେଷକ ଚିନ୍ତନ କରେ ବୋଧହୁଏ ପାଞ୍ଚସାତ ଖଣ୍ଡ ପୁସ୍ତକ ଲେଖିବାପାଇଁ ଅଭାବ ହେବ । ଘରେ କିଏ ବୁଢ଼ା? ସେଇ ବୁଢ଼ା ଯେଉଁ ବୁଢ଼ାକୁ ଲୋକଲୋଚନରେ ଥୁଆରାମ ବା ବଚନିକାରେ କୁହାଯାଏ, ସେ ଆମର ଦେବତା ନାମରେ ପୂଜାପାଏ – “ଡ଼ଙ୍ଗର ବୁଢ଼ା” ‘କାଳୁଲ ବୁଢ଼ା’ । ଏଠି ବିଚାର କରନ୍ତୁ ମାତୃଶକ୍ତି ଏବଂ ପିତୃଶକ୍ତିକୁ ଏ ଅଞ୍ଚଳରେ କିପରି ସମ୍ମାନ ଦେଉଛନ୍ତି । ହାଇ ମାରିଲେ ମାଗୋ, ମୋର ଯାହାକିଛି ଆବଶ୍ୟକ ଅଛି ମାଆ ଗୋ, ନେ ମାଗୋ, ଦେ ମାଗୋ । ମା, ମା ମା ହୋଇ ଆମେ ବଞ୍ଚିଛୁ କାରଣ ଏଇ ମାଟି ଟିକକ ହେଉଛି ଆମର ମା’ । ଏଇ ମାଟି ଏମିତି ମାଟି ତାର ବୀରତ୍ୱ ମଧ୍ୟ କମ୍ ନୁହେଁ । ଦିନେ ଅଶୋକ ମଧ୍ୟ ଏକଥା କହିଥିଲେ । ଯୁଦ୍ଧ କରିବାକୁ ଯିବ ଯେତେବେଳେ, ମନେରଖ କୋଶଳକୁ ହାତ ଦେବନାହିଁ  । କାରଣ ସେମାନେ ସରଳ ଲୋକ କିନ୍ତୁ ସେମାନଙ୍କ ଯୁଦ୍ଧ କରିବାର କ୍ଷମତା ଯଥେଷ୍ଟ ଅଛି । ସେମାନେ ଯଦି ଆତ୍ମରକ୍ଷା ପାଇଁ ସଜାଗ ହେଲେ ତମ ପାଖରେ ଯେତେ ସୈନ୍ୟ ଥିଲେ ମଧ୍ୟ କିଛି କାମ ଦେବ ନାହିଁ । ଆମର ପରାଜୟ ସୁନିଶ୍ଚିତ । ଏଇ କଥାଟା ବୋଧହୁଏ ଆଜିର ଏ ଶାସନ ବ୍ୟବସ୍ଥାରେ ବଳବତ୍ତର ରହିଛି । ସେଥିପାଇଁ ପ୍ରଥମରେ କିପରି ଓଡ଼ିଶାର ସମସ୍ତ ସଂସ୍କୃତିକୁ ଭାଙ୍ଗି ଚୁରମାର କରି  ଦିଆଯିବ ସେକଥା ସରକାର ଚିନ୍ତା କରୁଛନ୍ତି ।

                           ସହରାଞ୍ଚଳରେ ବସବାସ କରୁଥିବା କିଛି ଅଭିଜ୍ଞ ବ୍ୟକ୍ତିମାନେ ତାଙ୍କର ଟେବୁଲ ଉପରେ ଓ ବେଡ଼ରୁମ ଭିତରେ ନିଜର କଳ୍ପନାଟାକୁ କିଛି ପୁସ୍ତକରେ ରଚନା କରିଦେଇ ସମାଜରେ ପ୍ରତିଷ୍ଠା ପାଇଁ ପ୍ରତିଯୋଗୀତା କରୁଛନ୍ତି । ଏ ପ୍ରତିଯୋଗୀତା ଭିତରେ ଶାସକମାନେ ମଧ୍ୟ ଭାସିଯାଇଛନ୍ତି କାହାକୁ କେଉଁ ଉପାଧି ଦିଆଯିବ ବୋଲି । କିନ୍ତୁ ଏ ସମସ୍ତ ବ୍ୟବସ୍ଥା ଭିତରେ ଯେଉଁମାନେ ଧ୍ୱନିକୁ ଆଜି ମଧ୍ୟ ଆରାଧନା କରୁଛନ୍ତି ସେମାନଙ୍କୁ ଆମେ ପରିଚିିତ କରାଇବା ପାଇଁ କିଛି ପ୍ରୟାସ କରିଛୁ କି? ଓଡ଼ିଶା ଶାସନ କଳର ଏକ ସ୍ୱତନ୍ତ୍ର ବିଭାଗ ହେଉଛି ସଂସ୍କୃତି ବିଭାଗ । ସଂସ୍କୃତି ବିଭାଗ ପରିଚାଳିତ ହୁଏ କିଛି ସୁଶାସକ ବା ଭାରତୀୟ ଶାସନ ବ୍ୟବସ୍ଥା ଭିତରେ ଯେଉଁମାନେ ପ୍ରତିଷ୍ଠିତ ସେଇମାନଙ୍କ ଦ୍ୱାରା । ସେଥିପାଇଁ କୌଣସି ଆଡ଼ଭାଇଜର ନାହାଁନ୍ତି । ଓଡ଼ିଶା ଶାସନ କରିବାପାଇଁ ଲୋକପ୍ରତିନିଧି ଆବଶ୍ୟକ କିନ୍ତୁ ସଂସ୍କୃତି ବିଭାଗ ଚାଲିବାପାଇଁ ଲୋକ ପ୍ରତିନିଧି ଦରକାର ନାହିଁ? ସେଠି ପ୍ରଶାସନର ପ୍ରଭାବ ବିସ୍ତାରିତ । ତାହାଲେ ମାଟିରେ ଥିବା ସଂସ୍କୃତି ବଞ୍ଚିବ କେମିତି? ଏଇ ଦୁଃଖ ପ୍ରକାଶ କରିବାର ଏକମାତ୍ର କାରଣ ହେଲା, ହେ ସାଧୁ ସମାଜ ହେ ଶିକ୍ଷିତ ସମାଜ ଯାହାକୁ ନେଇ ଆମେ ମୁଣ୍ଡ ଟେକିଛେ ଏ ଟିକକ ସମ୍ପତ୍ତି ଆମ ହାତରୁ ଚାଲିଗଲାପରେ ଆମ ପାଖରେ କିଛି ବଞ୍ଚିରହିବ ତ? ଯେଉଁ ଓଡ଼ିଶୀ ଦେବତାଙ୍କ ନାମରେ ଖ୍ୟାତଥିଲା ସେଇ ଓଡ଼ିଶୀ ଆଜି ଗୋଟେ କିର୍ତ୍ତନ ଦଳ ଭଳି ଡ଼ିସ୍କୋ ବାଜି ବିଭିନ୍ନ ରଙ୍ଗ ରୂପ ନେଇ ବିଭିନ୍ନ ବେଶ ପୋଷାକରେ ଖାଲି ଗୋଟେ କ’ଣ ନାମକରଣ କରି ପ୍ରତ୍ୟେକ ଦିନ ପ୍ରତ୍ୟେକ ବଜାରରେ ୬୦ବର୍ଷ ହେଲା ପ୍ରଦର୍ଶନ କରାଯାଉଛି । କିନ୍ତୁ ମୂଳଦୂଆଟିକୁ ମନେରଖିଛନ୍ତି କି? ଜଗନ୍ନାଥ ସଂସ୍କୃତି ଭିତରେ ଦାସୀପ୍ରଥା ପ୍ରଚଳନ ସମୟରେ ଦାସୀମାନଙ୍କୁ ନିର୍ଣ୍ଣୟ କରିବାପାଇଁ କେଉଁ ଯୋଗ୍ୟତାକୁ ଆଧାର କରାଯାଉଥିଲା । ସେଇ ଓଡ଼ିଶା ସେଇ ଉକ୍ରଳର ପରମ୍ପରା ଆଜି କେଉଁଠି ପହଞ୍ôଚଛି? ନାରୀ ଦେବଦାସୀ ହୋଇଥିଲେ ମଧ୍ୟ ସେ ସମାଜରେ ପୂଜ୍ୟାଥିଲା । ଜଗନ୍ନାଥଙ୍କର ପ୍ରତକ୍ଷ୍ୟ ସେବିକା ଥିଲା । କିନ୍ତୁ ଆଜିକାଲି କ’ଣ ହୋଇଛି? କେଉଁଠି ଆସି ଆମେ ପ୍ରବେଶ କରିଗଲେଣି? ପ୍ରତିଦିନ କଳାକାରମାନେ କୌଣସି ନା କୌଣସି ଅଫିସର ଦ୍ୱାରସ୍ଥ ହେଉଛନ୍ତି । ଏଇଟା କ’ଣ ଉକ୍ରଳର କଳା ପରମ୍ପରା? ତେବେ ସଂସ୍କୃତି କାହାକୁ କୁହାଯାଏ? କାହାର ସଂସ୍କୃତି କାହା ଉପରେ ଲଦିଦେଲେ ମୋ ସଂସ୍କୃତି ନୀତି ହୁଏ? ଉଦାହରଣ ସ୍ୱରୂପ; ଆମ ଅଞ୍ଚଳରେ ବଳି ଦେଲେ ଏଇଟା କୁସଂସ୍କାର କିନ୍ତୁ ଜଗନ୍ନାଥ ମନ୍ଦିର ଭିତରେ ବିମଳେଇଙ୍କ ନିକଟରେ ବଳି ପଡ଼ିବ ସେଇଟା କୁସଂସ୍କାର ହେବନାହିିଁ, କାହିଁକି ନାଁ ସେଇଟା ଗୁପ୍ତସେବା ନାଁରେ ପରିଚାଳନା ହୋଇଗଲା । କିନ୍ତୁ ଯେଉଁମାନେ କୁସଂସ୍କାର ବୋଲି କହିବା ପାଇଁ କଲମରେ ସିହାଇ ଭରି ରାତିରାତି ଲେଖୁଛନ୍ ସେମାନେ କ’ଣ ଛାତିରେ ହାତ ଦେଇ କହିପାରିବେ ଯେ ମୁଁ ସୁସଂସ୍କାରୀ? ମୋର ବ୍ୟକ୍ତିଗତ ଜୀବନ ଭିତରେ ମୋ ସଂସ୍କାରଟା ସୁସଂସ୍କାର? ଅନ୍ୟକୁ ନିନ୍ଦା କରିବା ଆମର ଅଭ୍ୟାସ ହୋଇଯାଇଛି । କାହାକୁ ମୁଁ ପ୍ରତିବାଦ କରୁନାହିଁ ଯଦି କାହା ଦେହରେ ଆଘାତ ଆସେ ମୁଁ ନିଶ୍ଚେ କ୍ଷମା ମାଗୁଛି । କିନ୍ତୁ ଏଇଟା ସତର୍କ ବାଣୀ, କାରଣ ଆମ ଦୀପରେ ଆଉ ତେଲ ନାହିଁ ବତୀ ଯେତିକି ଭିଜି ଥିଲା ସେତିକି ଜଳିଛି କିନ୍ତୁ ଜୀବନ ଯାକର ଅନୁଭୂତି, ଆଦିବାସୀମାନଙ୍କର ଓ ବିଦ୍ୱାନ ମାନଙ୍କର କରୁଣାରୁ ଯାହା ଶିଖିଛି ସେଭିତରୁ କହୁଛି। ବିଜ୍ଞାନ କହେ ଧ୍ୱନି ସମସ୍ତଙ୍କ ପାଇଁ ସହଯୋଗୀ । ପ୍ରାଣ ପାଇଁ ସହଯୋଗୀ । ଚିକିତ୍ସା ବିଜ୍ଞାନରେ ସମୟର ଗତି ମାପିବାପାଇଁ ନାଡ଼ି ଦେଖୁଛନ୍ତିି, ଷ୍ଟେଥୋସ୍କୋପ ପକାଇ ହୃଦୟର ଶବ୍ଦ ଧ୍ୱନିକୁ ଦେଖୁଛନ୍ତି । ଶବ୍ଦର ବ୍ୟତିକ୍ରମ ହେଲେ ରୋଗ ହେଲା । ନାଡ଼ିର ଗତିକୁ ନିର୍ଦ୍ଧାରିତ କରି ରୋଗ ନିର୍ଣ୍ଣୟ କରାଯାଏ । ଶରୀର ଭିତରେ ଯେଉଁ ଶବ୍ଦଟି ଥିଲା ଏବଂ ନିର୍ଦ୍ଦିଷ୍ଟ ନୀୟମ ଆଧାରିତ ହୋଇ ଚାଲୁଥିଲା ସେଥିରେ ଯଦି ବ୍ୟତିକ୍ରମ ହେଲା ସିଏ ଋଗ୍ଣ ହୋଇଗଲା । ଆମେ ଏତେ ପାଠ ପଢ଼ିଛୁ କହୁ ହେଲେ ସେହି  ସ୍ୱର ବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣ ତ? କିନ୍ତୁ କେବେ ସ୍ୱର ବର୍ଣ୍ଣକୁ ଆଶ୍ରା ନକରି ବ୍ୟଞ୍ଜନ ବର୍ଣ୍ଣ ରହିପାରିବ କି? ଯଦି ରହିପାରିଲା ତାହେଲେ କିଛି କରିବାର ନାହିଁ । ଯଦି ବ୍ୟଞ୍ଜନ ବଣ୍ଣରେ ସ୍ୱରବର୍ଣ୍ଣ ଅନ୍ତର୍ନିହିତ ଅଛି ତେବେ ଏ ସୃଷ୍ଟିରେ ସମସ୍ତଙ୍କର ଧ୍ୱନି ସାଧନ କରିବାର ଅଧିକାର ଅଛି । ସେଥିପାଇଁ ସମସ୍ତେ ଧ୍ୱନିକୁ ବୁଝିବାକୁ ପଡ଼ିବ। ଅନ୍ୟକୁ ଧ୍ୱନି ବୁଝାଇବାର ଯେଉଁ ଚେଷ୍ଟା ହେଉଛି ସେଥିରେ ଧ୍ୱନି ବଞ୍ଚିପାରିବ ନାହିଁ । ଧ୍ୱନି କୌଣସି ସଙ୍ଗୀତ ନୁହେଁ ବରଂ ସଙ୍ଗୀତର ବହୁତ ଉର୍ଦ୍ଧରେ । ସଙ୍ଗୀତତ ନାଚିବା, ଗାଇବା, ବଜେଇବା । ପ୍ରକୃତି ଭିତରେ ଥିବା ମହାଜାଗତିକ ସଙ୍ଗୀତକୁ ଅନୁକରଣ କରି ଯେଉଁମାନେ ତାକୁ ସାଇତି ରଖିଛନ୍ତି ସେହି ସଙ୍ଗୀତକୁ ଚିହ୍ନିବାକୁ ପଡ଼ିବ । ଉତ୍କଳୀୟ ସଂସ୍କୃତି, ପରମ୍ପରା ଓ ସଂହତିକୁ ରକ୍ଷା କରିବାପାଇଁ ଏହି ଧ୍ୱନିକୁ ଚିହ୍ନିବା ଜରୁରୀ ଏବଂ ସେହି ସମୟ ଏବେ ଆସିଯାଇଛି କେବଳ ସମସ୍ତେ ସଜାଗ ହୁଅନ୍ତୁ ।

 ଧ୍ୱନି କୌଣସି ସଙ୍ଗୀତ ନୁହେଁ, ସଙ୍ଗୀତର ବହୁ ଉଦ୍ଧ୍ୱର୍ରେ । ସଙ୍ଗୀତ ତ ନାଚିବା, ଗାଇବା, ବଜେଇବା:

ପ୍ରକୃତି ଭିତରୁ ମହାଜାଗତିକ ସଙ୍ଗୀତକୁ ଅନୁକରଣ କରି ଯେଉଁମାନେ ତାକୁ ରଖିଛନ୍ତି ତାକୁ ସେମାନେ କେଉଁ ନାମରେ ନାମିତ କରିଛନ୍ତି? ଯଦି ମୁଁ ଘୁଗୁକୁଡ଼ି ଧରିବି ସେଇଟା ବଜେଇବା ମାତ୍ରେ ଘୁ ଘୁ ଘୁ ଘୁ ଶବ୍ଦ ହେବ। ଧୁଡ଼ୁକି କହିଲେ କ’ଣ ଅଧିକ ହେବ? ନାମକରଣ କରିବାରେ କେତେ ପାର୍ଥକ୍ୟ ରହିଯାଉଛି। ମୁଁ ଯଦି ଧୂନକେଲ କହିବି ଧୂନକେଲର ଅର୍ଥ ଓଡ଼ିଆରେ ଧ୍ୱନିର କେଳି। ଧ୍ୱନି ବା ଧୂନ୍ କେମିତି ହୁଏ ତାର ଗୋଟିଏ ବିଶେଷ ବିଜ୍ଞାନ ଅଛି। ନୂଆମାଟି ଧୂନକେଲ ପାଇଁ କାହିଁକି ଦରକାର? ଧନୁଟିଏ କାହିଁକି ଦରକାର? କେଉଁଠି ପ୍ରଶିରା ଯିବ? ଉପରେ କାହିଁକି ବାଉଁଶଟେ ଦିଆଯିବ? ବିସ୍ତୃତ ଭାବରେ ତାହାର ବିଧାନ ଅଛି । ସେଇଟା ସେହି ଆଦିବାସୀ ମାନଙ୍କ ପାଖରେ ଅଛି । ଭୂମି ଦୁନ୍ଦୁଭିର ସ୍ରଷ୍ଟା କିଏ? ସେହି ଆଦିବାସୀମାନେ । ଆଜି ଆମେ ଯେଉଁସବୁ ବାଦ୍ୟଯନ୍ତ୍ର ଦେଖୁଛନ୍ତି ଇତିହାସରେ ବିଶେଷ କରି ଧ୍ୱନିର ଇତିହାସ କୁହେ ଯେ ଭୂମି ଦୁନ୍ଦୁଭି ସର୍ବପ୍ରଥମ ବାଦ୍ୟଯନ୍ତ୍ର । କିନ୍ତୁ ଏହି ସର୍ବପ୍ରଥମ ବାଦ୍ୟଯନ୍ତ୍ରଟିର ଧ୍ୱନାତ୍ମକ ଗୁଣ କେତେ? ଏବଂ ସେ ଧ୍ୱନିର ମାନବୀୟ ଚେତନ ଶକ୍ତି ଉପରେ ପ୍ରଭାବ କେତେ ଆମେ ଆଜି ପର୍ଯ୍ୟନ୍ତି ତାହା ଉପରେ କିଛିବି ଗବେଷଣା ବା ଅନୁଧ୍ୟାନ କଲୁ ନାହିଁ । ମୋତେ ପ୍ରଶ୍ନ ହୋଇପାରେ ଆପଣ କାହିଁକି କଲେ ନାହିଁ? କିନ୍ତୁ ଆର୍ଥିକ ସ୍ଥିତି, ବଳ, ବୟସ ଏବଂ ପାରିବାରିକ ସମସ୍ୟା ସବୁକୁ ଯଦି ଦେଖାଯାଏ ତେବେ ମୁଁ ରାମଚନ୍ଦ୍ରଙ୍କ ଭଳି ବନବାସ ପଲେଇଥିଲି । ସବୁଥାଇ ରାମଚନ୍ଦ୍ର ବନବାସ ଯାଇଥିଲେ କିନ୍ତୁ ଆମେତ ନାହିଁ ନାହିଁର ଲୋକ ଆଉ ଏତେସବୁ କଥା ବିଚାର କରିବାପାଇଁ ଆମର ସମ୍ବଳ କାହିଁ?

ଆମ ପାଖରେ କେତେ ସାଙ୍ଗୀତିକ ସମ୍ପତ୍ତି ଅଛି ଆମେ ନିଜେ ଜାଣିନାହାଁନ୍ତି । ଯେଉଁ ଧ୍ୱନି କଥା ଆମେ କହୁଛନ୍ତି, ଯେଉଁ ସଂସ୍କୃତିର କଥା କହୁଛନ୍ତି ତାହା କେତେ ପ୍ରକାର? ଏହାର ମହତ୍ତ୍ୱ କେତେ? ଆମେ କେବେ ଦେଖିନାହାଁନ୍ତି । ଓଡ଼ିଶାର ବିଭିନ୍ନ କୋଣରୁ ଆସି ସମସ୍ତ ଜିନିଷ ଗୋଟିଏ ପୁସ୍ତକରେ ରହିବ ଏବଂ ସେହି ଗୋଟିଏ ପୁସ୍ତକ ଦେଖିଲେ ଓଡ଼ିଆ ଜାତିର ନିଜସ୍ୱ ପରିଚୟ ହେବ । ଏହିଭଳି କିଛି ଗବେଷଣାଲବ୍ଧ ପୁସ୍ତକର ଆବଶ୍ୟକତା ରହିଛି । ଏହା କୌଣସି ବ୍ୟକ୍ତି କରିପାରିବେନି, ଏଥିପାଇଁ ଯେଉଁ ସରକାରୀ ବିଭାଗ ରହିଛି ସେହି ବିଭାଗ କରିପାରିବ । ସିଏତ ଏ ବିଷୟରେ କେବେ ଗୋଟେ ପଇସାରେ ଧାରେ ନାହିଁ ସେ କରିବେ କ’ଣ? ଏ ରାଜ୍ୟରେ ଗୋଟିଏ କଳାକାର ପତ୍ରରେ ଖାଉଥିବା ବେଳେ ଆଉ ଗୋଟିଏ କଳାକାର ପଞ୍ଚତାରକା ହୋଟେଲରେ ଖାଏ । ଗୋଟିଏ କଳାକାର ପାଣିଗ୍ଲାସେ ପିଇବାର ଅଭାବରେ ଥାଏ ଆଉ ଗୋଟିଏ କଳାକାର ମଦସାଂସରେ ଭରିହୋଇଯାଏ । ଲକ୍ଷଲକ୍ଷ ଟଙ୍କାର କାରବାର କରେ । ଏତେ ବ୍ୟବଧାନ କାହିଁକି? ଜଣେ ପ୍ରକୃତିର ସାଧକ ଆଉଜଣେ ପ୍ରକୃତି ସାଧକ । ଜଣେ ପଞ୍ଚଭୂତର ପ୍ରକୃତିକୁ ସାଧନ କରୁଥିବା ବେଳେ ଆଉଜଣେ ମାନବୀୟ ପ୍ରକୃତି ଯାହା ମୁଁ ମୁଁ’କାର ଭିତରେ ସୀମାବଦ୍ଧ ତାର ପୂଜାରୀ । ପ୍ରକୃତ ସାଧକମାନଙ୍କୁ ଖୋଜାଯାଉ । ସମସ୍ତେ ପ୍ରୟାସ କରନ୍ତୁ ସେ କଳିଙ୍ଗ ହେଉ ବା କୋଶଳ ହେଉ ବା ଉକ୍ରଳ ହେଉ ପ୍ରକୃତ ସଙ୍ଗୀତକୁ ଖୋଜାଯାଉ । ଯେଉଁମାନେ ଆଜିଯାଏ ପ୍ରକୃତିକୁ ସାଇତି ରଖିଛନ୍ତି ସେହିମାନଙ୍କର ଚିନ୍ତା ଓ ଭାବନାକୁ କେମିତି ଲୋକ  ଲୋଚନକୁ ଆଣିବା । ଦେବତା ଗୋଟିଏ ଅପଭ୍ରଂସ ଶବ୍ଦ ମୁଁ ବି ସ୍ୱୀକାର କରୁଛି । କିନ୍ତୁ ଏହାମଧ୍ୟ ମୁଁ ସ୍ୱୀକାର କରିପାରୁ ନାହିଁ ଯେ ସେଥିରେ କୌଣସି ବିଶେଷତ୍ୱ ନାହିଁ ବୋଲି । ମଣିଷର କଳ୍ପନା ଯେତେବେଳେ ବାହାରକୁ ଆସେ, ସେ ଯେତେବେଳେ ବାହାରେ ନିଜର ଅନୁଭବକୁ ପ୍ରକାଶ କରିବାକୁ ଚେଷ୍ଟାକରେ ସେତେବେଳେ କିଛି ମାଧ୍ୟମ ଆବଶ୍ୟକ ହୁଏ । ମାନବୀୟ ଗୁଣଠାରୁ ଆହୁରି ଉଦ୍ଧ୍ୱର୍କୁ ଯିବାପାଇଁ ପରୋକ୍ଷରେ ଗୋଟିଏ ଦର୍ଶନ ଶାସ୍ତ୍ର ଛାଡ଼ିଦେଇଯାଏ । ଦେବତା ସେଠି ଯିଏ ହେଉ, ବାଜାବାଲା ଯିଏ ବଜାଉ, କିନ୍ତୁ ସେଠି ଦେବତାପାଇଁ ଯେଉଁ ଯାତ୍ରାଟି ହେବ ସେ ଅଞ୍ଚଳର ସଂହତି ରକ୍ଷାକରିବାର ସେ ଗୋଟିଏ ଧାରା, ଯେଉଁଥିରେ ବାଦ୍ୟ ଏକ ମାଧ୍ୟମ ହୋଇଥାଏ ଏବଂ ସେ ସମସ୍ତଙ୍କୁ ଆମନ୍ତ୍ରଣ କରେ ଯେ ଅମୁକ ଯାତ୍ରା ଅମୁକ ଯାଗାରେ ହେଉଛି ଆପଣ ଦୟାକରି ଆସନ୍ତୁ । ସମସ୍ତେ ପିଲାଛୁଆ ଧରିକରି ଆସିବେ । ସଂସାରଟା ପୁରା ଉଠି ଆସିବ । ସେଠି କ’ଣ ଦେଖିବେ ସେମାନେ? ଖାଲି ନାଚିବେ ବଜେଇବେ ପୁଣି ପଳେଇବେ । ତାଙ୍କର ଦେଖିବାର କିଛି ନାହିଁ । କୌଣସି ଆଦିବାସୀ ମେଳା ସେଠି ହୁଏନାହିଁ କିମ୍ବା ପ୍ରଦର୍ଶନୀ ବସେ ନାହିଁ । ସେହି ଯାତ୍ରାମାନଙ୍କର ଅନ୍ୟନାମଟି ହେଲା ସଂହତି ଯାତ୍ରା । ବିଭିନ୍ନତା ଭିତରେ ଏକତାର ଗୋଟିଏ ପ୍ରକାଶ । ଆର୍ଯ୍ୟ, ଅନାର୍ଯ୍ୟ, ଆଦିବାସୀ, ଦ୍ରାବିଡ଼, ଛତିଶପାଟ ଏତେ ଜାତି, ଏତେପ୍ରଥା, ଏତେ ସମସ୍ୟା ସବୁ ଥାଇ ମଧ୍ୟ ସେହି ଯାତ୍ରା ଗୋଟିଏ ଯାଗାରେ ବସିରହିବ । ତାଙ୍କର ଗୋଟିଏ କଥା ଯେ ଆମେ ସମସ୍ତେ ଏକ, ଆମରି ଗାଁ’ର ଯାତ୍ରା, ଆଜି କାନ୍ଦୁଲ ବୁଢ଼ାର ଯାତ୍ରା, ଲଙ୍କା ବୁଢ଼ାର ଯାତ୍ରା, ଚାଲ ସମସ୍ତେ ଯିବା । ଏହି ଯେଉଁ ବିଶାଳ ଧାରା, ବିଶାଳ ମନୋଭାବ, ଏ ସଂହତି ଆପଣ ଯେତେ ମାଇକି ବଜେଇ ଗାଁ ଗାଁ ବୁଲିଲେ ବି କରେଇପାରିବେ ନାହିଁ । କିନ୍ତୁ ଲାକା ଯଦି କହିଦେଲା ଯେ ସମସ୍ତଙ୍କ ଦ୍ୱାର ଦେଶରେ ସବୁଦିନେ ଲିପାପୋଛା କରି ଫୁଲଟେ ପକେଇବ ମଙ୍ଗଳା ତୁମର ଘରକୁ ଆସିବେ କି ଦେବୀ ତୁମ ଘରକୁ ଆସିବେ ତାହେଲେ ପରିବେଶ ତୁମର ସଫାହୋଇଗଲା । ପରିବେଶ ପାଇଁ ଏତେ ଝାଡ଼ୁ କରିବା ଦରକାର ନାହିଁ କି ନିର୍ମଳ ଭାରତ ଯୋଜନା କରିବା ଦରକାର ନାହିଁ । ସିଏ କିଏ? ତେଣୁକରି କେତୋଟି ଯାଗାରେ ବାହାବାହା ପଣ ନେବାପାଇଁ ଅନ୍ୟମାନଙ୍କୁ ଯେଉଁଭଳି ଅପମାନିତ କରାଯାଉଛି ସେଭଳି ଚିନ୍ତାଧାରା ବନ୍ଦ କରାଯାଉ । ବହୁତ ଅନୁଧ୍ୟାନ, ବହୁତ ଗବେଷଣା କରିବାର ଆବଶ୍ୟକତା ରହିଛି। ଗୋଟିଏ ଦୁଇଟା କଥା ଲେଖିଦେଇ ଅନ୍ୟମାନଙ୍କୁ ଅପମାନିତ କରିବା, ସେମାନଙ୍କର ସଂହତି ନଷ୍ଟ କରିବା ଓ ନୂଆ ବିଛିନ୍ନତାବାଦ ସୃଷ୍ଟିକରିବା ଏଇଟା ଆଦୌ ଉଚିତ୍ ହେଉନାହିଁ ।

ସାଂସ୍କୃତିକ ପରମ୍ପରା ଓ ଦେବତା:

             ତାହାହେଲେ ଆମକୁ କ’ଣ କରିବାକୁ ହେବ? ଦୁଇଟି ଧାରାରେ ଯିବାକୁ ହେବ । ଗୋଟିଏ ହେଲା ମାଟିର ଧାରା ଓ ଅନ୍ୟଟି ଶାସ୍ତ୍ରୀୟ ଧାରା । ଶାସ୍ତ୍ରୀୟ ଧାରା କ’ଣ? ତୁଳନାତ୍ମକ ଅଧ୍ୟୟନପାଇଁ ତାକୁ ମଧ୍ୟ ଆଖିଆଗରେ ରଖିବାକୁ ପଡ଼ିବ । ଏହି ମାଟିର ପ୍ରତ୍ୟେକ ସ୍ପନ୍ଦନ, ସ୍ଥୁଳ, ସୁକ୍ଷ୍ମ, ତରଙ୍ଗ, ପ୍ରତିଧ୍ୱନି ଇତ୍ୟାଦିଙ୍କୁ ନେଇ ଯେଉଁ ସୁକ୍ଷ୍ମରୁ ସୁକ୍ଷ୍ମତର ଧ୍ୱନି ରହିଛି ତାକୁ ଅନୁକରଣ କରିବାପାଇଁ ମାନବ  ଏତେ ପ୍ରକାରର ନୃତ୍ୟ, ବାଦ୍ୟ, ସ୍ୱରକୁ ବ୍ୟବହାର କରିଛି କାହିଁକି? ତା ଉପରେ ଗବେଷଣା ହେବା ଆବଶ୍ୟକ। କେଉଁବାଦ୍ୟ କାଷ୍ଠରେ ତିଆରି ପୁଣି କେଉଁଟା ମାଟିରେ । କେଉଁଟା ଲୌହରେ ତ ପୁଣି କେଉଁଟା କାଂସରେ । କେଉଁଟା ସାମାଜିକ କାମରେ ଲାଗୁଛି ତ କେଉଁଟା ଖାଲି ମନୋରଞ୍ଜନ କରୁଛି । କେଉଁ କେଉଁ ବାଦ୍ୟଯନ୍ତ୍ରରେ ଏକକ ସମ୍ଭାବନା ଅଛି ତ କେଉଁଥିରେ କେଉଁଥିରେ ଦୈତ୍ୟ ସମ୍ଭାବନା ଅଛି । କେଉଁ କେଉଁ ବାଦ୍ୟଯନ୍ତ୍ରରେ ଗୋଷ୍ଠିର ଆବଶ୍ୟକତା ଅଛିତ କେଉଁ କେଉଁ ନୃତ୍ୟ ସେହି ଧାରା ଅନୁସାରେ ଅଛି । ନୃତ୍ୟର କେତେ ପ୍ରକାରର ଭାବ ରହିଛି? ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଯେଉଁସବୁ ପଦଚାଳନା, ଭାବ ଭଙ୍ଗୀର ଧାରା ରହିଛି ତାକୁ ସଂଗ୍ରହ କରିବା ପରେ ଆମ ସଂସ୍କୃତି କାହିଁକି ମହାନ ସେ ବିଷୟରେ ଆଖି ଧିରେ ଧିରେ ଖୋଲିବ । ପଞ୍ଚଭୂତକୁ ନେଇ ଆମେ ଆକାଶରୁ କ’ଣ ଗ୍ରହଣ କରୁଛେ? ମାଟିରୁ କ’ଣ ଗ୍ରହଣ କରୁଛେ? ଜଳରୁ କ’ଣ ଗ୍ରହଣ କରୁଛେ? ଅଗ୍ନିରୁ କ’ଣ ଗ୍ରହଣ କରୁଛେ? ବାୟୂରୁ କ’ଣ ଗ୍ରହଣ କରୁଛେ? କିଏ ଆମକୁ ସେ ପ୍ରକାରର ପେରଣା ଦେଇଛି? ଯେତେ ପର୍ଯ୍ୟନ୍ତ ସବୁ କିଛି ସଂସ୍କାରିତ ହୋଇନାହିଁ ତାହା ଗୋଟିଏ ଗୋଷ୍ଠି ନିକଟରେ ରହୁଛି ଏବଂ ସଂସ୍କାରିତ ହେବାପରେ କିଛି ଗୋଷ୍ଠି ଏହାକୁ ନିଜର ବୋଲି ଦାବୀ କରୁଛନ୍ତି। ସେପରି ଭାବରେ ଦେଶଜ ନାମରେ ନାମିତ ହୋଇଥିବା ଏହି ଓଡ଼ିଶାର ସବୁ ଉପାନ୍ତ ଅଞ୍ଚଳମାନଙ୍କର, ଗ୍ରାମାଞ୍ଚଳମାନଙ୍କରେ ଥିବା ଐତିହ୍ୟ, ପରମ୍ପରା, ସଂସ୍କୃତି, ସାଙ୍ଗୀତିକ ଧାରା, ବିନା ସଙ୍ଗୀତରେ ସଂସ୍କୃତି, ସଙ୍ଗୀତିକ  ଧାରାରେ ଥିବା ସଂସ୍କୃତି, ସଙ୍ଗୀତ ହେଲେବି ଚଳିବ ନହେଲେ ବି ଚଳିବ ଏମିତି କିଛି ସଂସ୍କୃତି ଏବଂ କେଉଁ ବାଦ୍ୟଯନ୍ତ୍ର କେଉଁ ସଂସ୍କୃତିରେ ରହିଛି ତାହା କେଉଁ ସମୟର କେଉଁ ଋତୁର ଏବଂ କାହାପାଇଁ ଉଦ୍ଦିଷ୍ଟ? ମାଦଳ କାହାପାଇଁ ଉଦ୍ଦିଷ୍ଟ? ମନୋରଞ୍ଜନ ତ ହେବ କିନ୍ତୁ ତାର ଯେଉଁ ତରଙ୍ଗ । କିଛି ବାଦ୍ୟରେ ସିହାଇ ଲାଗିଲା, ହରିଣି ଲାଗିଲାନି କିଛିରେ ହରିଣି ଲାଗିଲା । କିଛି ବାଦ୍ୟ ରହିଲା ଏକକାଳୀନ ଦୁଇ ତିନୋଟିର ମିଶ୍ରଣ ଯେଉଁଥିରେ ହୋଇଥାଏ ଯେମିତିକି ଧୁଡ଼ୁକି । ଇଆଡ଼େ ଧୁଡ଼ିକିରେ ତାର ଗୋଟେ ଲାଗିଛି ସିଆଡ଼େ ପଛରେ ଚମଡ଼ାଟେ ମଧ୍ୟ ଲାଗିଛି ଏବଂ ହାତରେ ବାଜା ଯେମିତି ବଜାଯାଏ ସେମିତି ବାଜୁଛି । ସ୍ୱରକୁ ମଧ୍ୟ ହାତରେ କଣ୍ଟ୍ରୋଲ କରୁଛି । ଗୋଟିଏ ଜିନିଷକୁ କେତେ ଧାରା । ଏହାର ମନ ଉପରେ ପ୍ରଭାବ । ସେମିତି ସାରଙ୍ଗୀ ଏତେ ଛୋଟ କିନ୍ତୁ ତାର ପ୍ରଭାବ କ’ଣ? ଶାରଙ୍ଗୀର ପ୍ରଭାବ ଶାସ୍ତ୍ରୀୟ ଅନ୍ତର୍ଭୁକ୍ତ । ଦଣ୍ଡବୀଣା କେଉଁଠି ଅଛି? ଏହା ଏବେ ଅଛି ନା ନାହିଁ? ଦଣ୍ଡବୀଣା ଓ ଦେବବୀଣା ଭିତରେ ପାର୍ଥକ୍ୟ କ’ଣ? ନିଷାଣତ ପୁରାଣ ମାନଙ୍କରୁ ବର୍ଣ୍ଣିତ ହୋଇଛି । ଢ଼ୋଲ ପୁରାଣ ମାନଙ୍କରୁ ବର୍ଣ୍ଣିତ ହୋଇଛି । ବିଭିନ୍ନ ମନିଷୀମାନେ କହିଛନ୍ତି କିନ୍ତୁ ମାଟିର ଢ଼ୋଲତ ଦଣ୍ଡ ସମୟରେ କେଉଁଠି ବାଜୁନି? ସେଇଟା ଏକକ ବାଦ୍ୟ କାହିଁକି? ତାର ଗଠନ ପ୍ରଣାଳୀ କ’ଣ? ତାର ଶବ୍ଦ ଉପରେ ପ୍ରଭାବ କ’ଣ? ସେଥିରେ କିଛି ଶାସ୍ତ୍ରୀୟତାର ଗୁଣ ଅଛି ନା ନାହିଁ?  କାହିଁକି ଗୋଟିଏ ପଟେ ଯଷ୍ଠିଦ୍ୱାରା ପ୍ରହାର କରାଯାଏ ଆଉ ଗୋଟିଏ ପଟେ ହାତର ଅଙ୍ଗୁଳି ଦ୍ୱାରା? ଏମିତି କିଛି ଗୁଢ଼ ରହସ୍ୟ ଲୋକ ଲୋଚନକୁ ଆଣିବାକୁ ହେବ ଏବଂ ସେଥିରେ ବ୍ୟବହାର ହେଉଥିବା ପାର୍ ଯାହାକି ତାଳ, ସେମିତି କଟାଣ ଆମର ତାକୁ ଛୁରେନ୍ କହୁଛୁ । ଆମର ଯେମିତି ଗ୍ରହ ସମ୍ବନ୍ଧରେ ଚାରୋଟି ବିଚାର ଧାରା ରଖାଯାଇଛି । ହିନ୍ଦୁସ୍ଥାନୀରେ ସମ୍, ଆଗତ, ଅନାଗତ ଇତ୍ୟାଦି ଆମର ଉଡ଼ାମାନ୍, ବୁଡ଼ାମାନ୍, ଠିଆମାନ୍ ଏମିତି ଅନେକ କଥା ସେଭିତରେ ଅଛି । ସମସ୍ତଙ୍କୁ ସ୍ୱତନ୍ତ୍ର ଭାବରେ ଯଦି ଧାରାବାହିକ କରାନଯାଏ ଏତେକଥା ସମ୍ଭାଳିବା ମୁସ୍କିଲ । ଏଥିପାଇଁ ଆଲୋଚନାର ଏକାନ୍ତ ଆବଶ୍ୟକତା ରହିଛି । ବିଜ୍ଞଲୋକ ହୋଇଥିଲେ ମଧ୍ୟ ଗବେଷଣା ସମୟରେ ନିଜର ମତାମତକୁ ଜାହିର କରିବା, ଏ ମନୋବୃତ୍ତି ଟିକକ ସର୍ବପ୍ରଥମେ ତ୍ୟାଗ କରିବାକୁ ପଡ଼ିବ । ପଦପଦବୀରେ ତାକୁ ଜାହିର କରିଦେଲେ ସିଏ ମାଙ୍କଡ଼ ହୋଇଯିବ । ଏତିକି ନହୋଇଥିଲେ ବାହିର୍ ଲୋକ ଏ ସଂସ୍କୃତି ଭିତରେ ପ୍ରବେଶ କରିକି ଗଛ କାଟିଲା ଭଳିଆ ଟାଙ୍ଗିଆକୁ ଦୋଷଦେବ ସେମିତି ହୋଇଗଲାଣି । ସଂସ୍କୃତି ଆଉ ନିଜ ହାତରେ ନାହିଁ।  କାହାରି ପାଖରେ ନାହିଁ । ଅପେରାରେ ଗୋଟେ ଓଡ଼ିଶୀ ଅଲଗା ନାଚିବେ, ଗୋଟିପୁଅ ସିଏ ଗୋଟେ ଓଡ଼ିଶୀ ଅଲଗା ନାଚିବେ, କିଛି ଉଚଦର୍ଯ୍ୟାରେ ଅଛନ୍ତି ସେମାନେ ଅଲଗା ନାଚିବେ, ପ୍ରବାଶୀମାନେ ଯେଉଁମାନେ ଅଛନ୍ତି ପଶ୍ଚିମ ବଙ୍ଗଳା, ଦିଲ୍ଲୀରୁ ଆସି ଶିଖିକି ଯାଉଛନ୍ତି, ବିଦେଶୀ ଯେଉଁମାନେ ଶିଖିକି ଯାଉଛନ୍ତି ତାଙ୍କର ନାଚ ଅଲଗା ହୋଇଯାଉଛି । ଏଇଟା ପ୍ରୋତ୍ସାହନ ହେଉନାହିଁ ବରଂ ହତୋତ୍ସାହ ହୋଇଯାଉଛି । ହୁଏତ ବ୍ୟକ୍ତିଗତ ଲାଭ ହୋଇପାରେ । ଓଡ଼ିଶାର ଶାସକମାନଙ୍କୁ ଯଦି ପଚରାଯାଏ ପାଞ୍ଚ ଦଶଜଣଙ୍କ ନାଁ କହିଦେବେ ସାଂସ୍କୃତିକ ଦିଗରେ ଏମାନେ କାମ କରୁଛନ୍ତି ବୋଲି କିନ୍ତୁ କ’ଣ କାମ କରନ୍ତି ତାକୁ ତର୍ଜମା କିଏ କରିବ? କୌଣସି ବିଶ୍ୱବିଦ୍ୟାଳୟରେ ବିତର୍କପାଇଁ ବ୍ୟବସ୍ଥା ନାହିଁ । ମୁଁ ବାଣିଜ୍ୟରେ ଅଧ୍ୟାପକ ଥିଲି ମୁଁ ବର୍ତ୍ତମାନ କିଛି କଲ୍ଚୁରାଲ କାମ କରୁଛି, ଜଣେ ମୋ ଅଣ୍ଡର୍ରେ ପିଏଚ୍ଡ଼ି କରିବ ସେ ପୁଣି କଲଚରରେ କରିବ । ମୁଁ କ’ଣ କରିଛି ଗାଁରେ ବୁଲି ବୁଲି ପାଞ୍ଚଟା କଥା କଲେକ୍ସନ୍ କରି ରଖିଦେଇଛି ତାକୁ ଦେଖିକି ମୁଁ ଗାଇଡ଼୍ କରିବି ଗୋଟେ ପିଲାକୁ । ସିଏ ଯାହା କରିବ । ଯେଉଁ ବିଷୟବସ୍ତୁ ଉପରେ କରାଯାଉଛି ସେ ବିଷୟବସ୍ତୁ ଉପରେ ଜଣେ ଅଧ୍ୟାପକଙ୍କୁ ଆପଣ ନିଯୁକ୍ତ କରିପାରିବେ । କ୍ଲାସ ନେବାପାଇଁ ଟଙ୍କା ଦେଇପାରିବେ ।  ତାଙ୍କୁ ନିଆଯାଉ ତାଙ୍କୁ ଗ୍ରହଣ କରାଯାଉ । ବିଭିନ୍ନ ଯାଗାରେ ବିଭିନ୍ନ ବିଷୟରେ ସେମିନାର କରାଯାଉ ଏବଂ ସେମିନାରର ନିସ୍କର୍ଷ ଯାହା ଆସୁଛି ପୁଣି ମନ୍ଥନ କରାଯାଉ । ଗୋଷ୍ଠି ଭାବରେ ଏହାର ଗୋଟିଏ ଧାରା ପ୍ରଚଳନ କରାଯାଉ ନଚେତ୍ ଛତିଶଗଡ଼ର ଢ଼ୋଲ, ପଞ୍ଜାବର ଢ଼ୋଲ, ପଶ୍ଚିମ ବଙ୍ଗଳାର ଢ଼ୋଲ, ଦକ୍ଷିଣ ଭାରତରେ ମଧ୍ୟ ଢ଼ୋଲ ଅଛି ସବୁଯାକ ମିଶିଯିବେ ଏବଂ ଏକ କିମ୍ଭୁତ କିମ୍ଭାକାର ରୂପ ଧାରଣ କରିବ । କେନ୍ଦ୍ର ପ୍ରୋତ୍ସାହନର ଲଲିପପ୍ ଯେଉଁ ଅଛି କେବଳ ଟଙ୍କା ଟଙ୍କା ଟଙ୍କା କିଛି ଲୋକଙ୍କୁ ଖାଲି ଦେଇ ଦେଲେ  ଏ ସଂସ୍କୃତିରୁ ସବୁ ଲୋପ ପାଇଯିବ । ମୁଁ ତ କହିବି ଦଣ୍ଡ କେଉଁଠି ହେଉଛି ମୁଁ ଜାଣିନି । ଦଣ୍ଡରେ ସୁଆଙ୍ଗ ଗୋଟେ  ଅଛି? ସ୍ୱ ଅଙ୍ଗ ସୁଆଙ୍ଗ । ରାମଲୀଳା, କୃଷ୍ଣଲୀଳା, ରାସଲୀଳା ଏସବୁ ହେଲା ଲୀଳା । ଲୀଳା ମାନେ କ’ଣ? ସୁଆଙ୍ଗ ମାନେ କ’ଣ? ଲୋକନୃତ୍ୟ କ’ଣ? ଶାସ୍ତ୍ରୀୟ ନୃତ୍ୟ କ’ଣ? କୌଣସି ଯାଗାରେ ଉଦାରଣ ସ୍ୱରୂପ କିଛି ନାହିଁ, ଯିଏ ଯାହାର ପ୍ରତିଭାଟାକୁ ଶାସ୍ତ୍ରୀୟ ଗୁଣ ଅଛି ବୋଲି କହି ବୁଲୁଛନ୍ତି ।

                ତେଣୁ ଏବେଠାରୁ ଆମେ କ୍ରମାନ୍ୱୟ ଭାବରେ ଓଡ଼ିଶାର ସଂସ୍କୃତିକୁ  ପ୍ରତ୍ୟେକ ଅଞ୍ଚଳର ସଂସ୍କୃତିକୁ, ପ୍ରତ୍ୟେକ ଅଞ୍ଚଳର ସାଙ୍ଗୀତିକ ଧାରା ଏବଂ ପରିବେଶ ପ୍ରତି ଦୃଷ୍ଟିଦେବା ସଙ୍ଗେ ସଙ୍ଗେ ଆଉ ଗୋଟିଏ କଥା ଚିନ୍ତା କରିବା ଯେ ସାଂସ୍କୃତିକ ଚେତନା ସଙ୍ଘ ଭଳି ଗୋଟିଏ ସଂସ୍କୃତି ପ୍ରତି ସଙ୍ଗୀତ ପ୍ରତି ଶ୍ରଦ୍ଧା ଓ ବିଶ୍ୱାସ କରୁଥିବା ଯୁବ ପିଢ଼ି ଏକାଠି ହୋଇ ଆମ ସଂସ୍କୃତି ଓ ସଙ୍ଗୀତର ସୁରକ୍ଷା ପାଇଁ ପ୍ରୟାସ କରିବେ । ବିଜ୍ଞାନ, ସଙ୍ଗୀତ, ସାହିତ୍ୟ ସବୁଥିରେ ପାରଙ୍ଗମ ଗୋଟିଏ ଯୁବ ମଣ୍ଡଳୀ ଯଦି ଏକତ୍ରିତ କରିପାରିବା ତାହାହେଲେ ସମସ୍ତେ ଏକଜୁଟ ହୋଇଯିବେ । ଓଡ଼ିଶାର ମାନବୃଦ୍ଧି ସକାଶେ ନୂତନ ଅଧ୍ୟାୟ, ନୂତନପଥ ସୃଷ୍ଟି କରିପାରିବେ ।

ବଲାଙ୍ଗୀର ଜିଲ୍ଲାର ଜଣେ ଯୁବସାମ୍ବାଦିକ ଏସ୍.କେ.ସମୀମ୍ ଭେଟିଥିଲେ ବର୍ଷିଆନ୍ ଜାତୀୟ ପୁରସ୍କାର ପ୍ରାପ୍ତ କଳାକାର ତଥା ଆଜୀବନ ସଙ୍ଗୀତ ସାଧକ ଓ ଗବେଷକ ଗୁରୁଶ୍ରୀ ଘାସିରାମ ମିଶ୍ରଙ୍କୁ । ପଶ୍ଚିମ ଓଡ଼ିଶା ତଥା ଓଡ଼ିଶାର ଲୋକସଂସ୍କୃତି କ୍ଷେତ୍ରରେ ତାଙ୍କର ଗବେଷଣା “କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ” ସହଯୋଗରେ ଏବେବି ଜାରୀ ରହିଛି । ଲୋକ କଳା ସଂସ୍କୃତି ଭିତରେ ଲୁଚିରହିଥିବା ଶାସ୍ତ୍ରୀୟତାକୁ ଉନ୍ମୋଚନ କରିବା ଏବଂ ମୁଖ୍ୟସ୍ରୋତର ଶାସ୍ତ୍ରୀୟ ସଙ୍ଗୀତ ଓ ସଂସ୍କୃତିକୁ ଏହିସବୁ ଲୋକ ସଂସ୍କୃତିର ଅବଦାନ ଗୁଡ଼ିକୁ ସାଙ୍ଗୀତିକ ଗବେଷଣା ମାଧ୍ୟମରେ ପ୍ରତିପାଦିତ କରିଛନ୍ତି ଶୁରୁଶ୍ରୀ ଘାସିରାମ ମିଶ୍ର । ସେଥିପାଇଁ ପ୍ରତ୍ୟେକ ଲୋକକଳା ଓ ସଂସ୍କୃତିକୁ ମର୍ଯ୍ୟାଦା ଦେବାପାଇଁ ଦାବୀକରନ୍ତି ଗୁରୁଜୀ ମହୋଦୟ । ଜନଜାତିମାନଙ୍କ ଅଞ୍ଚଳରେ ନିଜ ଜୀବନର ପ୍ରାୟ ସବୁ ସମୟ ଏହିସବୁ ଗବେଷଣାରେ ବିତାଇ ଓଡ଼ିଶାର କଳା ସଂସ୍କୃତିକୁ ଋଦ୍ଧିମନ୍ତ କରୁଥିବା ଏହି ଗୁରୁଙ୍କୁ ‘ସମଧ୍ୱନି’  ଅଶେଷ କୃତଜ୍ଞତା ଜଣାଉଛି ।        – ସମ୍ପାଦକ

Photo credit- Internet, Laxmidhar

About ଏସ୍.କେ. ସମୀମ୍

Avatar
ସାମ୍ବାଦିକ

Check Also

ଭାରତୀୟ ସଙ୍ଗୀତ: ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ସଦ୍ଭାବନାର ଚିରନ୍ତନ ସ୍ରୋତ

ଫେବୃୟାରୀ ୬, ୨୦୧୧ଦିନ ରାଜଧାନୀ ଦିଲ୍ଲୀ ସହରର ଜବାହାରଲାଲ ନେହେରୁ ସ୍ମାରକୀ ସଂଗ୍ରହାଳୟ ଓ ପାଠାଗାର ପ୍ରେକ୍ଷାଳୟରେ ଭିନ୍ନ ଏକ …

Leave a Reply

Your email address will not be published. Required fields are marked *