ହସ… ଏକ କବିତା
ହସ …
ହସ ଭିତରେ ଜୀବନକୁ
ଜିଁ ବାର ଆନନ୍ଦ….
ସତରେ ଦୁନିଆଟା
ହସମୟ ହୁଅନ୍ତା କି ….
ମୁଁ ଖାଲି ହସନ୍ତି …
ଦୁଃଖ, କଷ୍ଟ ନିମିଷକେ
ଉଭେଇ ଯାଆନ୍ତା କି …
ମୁଁ ଖାଲି ହସନ୍ତି …
ଜାତି, ଧର୍ମ, ଛୋଟ, ବଡ଼ର
ବିଭେଦ ଭୁଲି ….
ଆମ ଦୁନିଆ ସୀମା ଟପନ୍ତା କି …
ମୁଁ ଖାଲି ହସନ୍ତି …
ହସ ତାର ପାଖୁଡା ମେଲି ସମସ୍ତଙ୍କୁ ବାନ୍ଧି ରଖନ୍ତା…
ସତରେ ଆମକୁ ଗୋଟିଏ ଭାଷା …
ଗୋଟିଏ ପରିଚୟରେ
ବାନ୍ଧିବାର ଯୁକ୍ତି ତ
ତେବେ ଅମୂଳକ ହୋଇଯାଆନ୍ତା !!
ମୁଁ ହସେ …
ମୋ ପାଇଁ ହସିବା
କେବଳ ଆନନ୍ଦର ପରିଚୟ ନୁହେଁ,
ମୋ ପାଇଁ ହସିବା ମାନେ…
ଏତେ ଯନ୍ତ୍ରଣା ପରେ ବି
ମୁଁ ଏବେ ବି ବଞ୍ଚିଛି ବୋଲି
ଦୁନିଆକୁ ଜଣାଇବା…
ମୋ ପାଇଁ ହସିବା ମାନେ…
ଅନ୍ଧାର ଭିତରେ
ଆଲୋକକୁ ଖୋଜିବା,
ଭାଙ୍ଗିଯାଇଥିବା ମନରେ
ଆଉଥରେ ସ୍ୱପ୍ନକୁ ବୁଣିବା।
ମୋ ଚାରିପାଖର ଦୁନିଆ ଟିକେ ହସୁ
ମୁଁ ଭାବେ …
ସେମାନେ ଅଛନ୍ତି ବୋଲି ସିନା
ଆଜି ମୁଁ ବି ଅଛି …
ମୁଁ ଭାବେ …
ମୋ ଚାରିପଟର ଆଖିରେ କଷ୍ଟ ଆଉ ଲୁହ
ବୁକୁ ତଳେ ଛାତିଫଟା କୋହ
ଏସବୁ ଦେଖି ମୁଁ ଭାବେ
ମୁଁ ହସିବି କେମିତି ???
ମନରେ ଅଶେଷ ଯନ୍ତ୍ରଣା ଥାଇ ବି
ମୁଁ ହସେ …
ମୁଁ ହସେ…
ଦୁର୍ଗତିକୁ ସାମ୍ନା କଲାବେଳେ …
ମୁଁ ହସେ…
ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ
ସ୍ଵର ତୋଳିଲା ବେଳେ…
ମୁଁ ହସେ…
ପାଖ ଲୋକ ତାର ଦୁଃଖ ଭୁଲି
ଖୁସି ଟିକେ ପାଉ …
ସେ ବି ତା ଜୀବନକୁ ଜିଉଁ …
ଆଶାରେ …
ବେଳେବେଳେ ଭାବେ …
ଆମ ପରିବାର…
ଆମ ଗାଁ…
ଆମ ରାଜ୍ୟ…
ଆମ ଦେଶ…
ଆମ ବିଶ୍ୱ
ସମସ୍ତେ କେବେ ହସିବେ… !!
ସେ ଦିନର ଅପେକ୍ଷାର
କେବେ ଅନ୍ତ ହେବ …
କାହିଁକି ନା ହସିବା …
ଖୁସି ହେବାଟା ତ
ଆମ ଅଧିକାର …
ସେହି ଖୁସିକୁ ବାଣ୍ଟିବା
ଆମର ଯେ କର୍ତ୍ତବ୍ୟ …
ଆମ ହସ …
ଆମ ଖୁସିର
ଆଜି କିଏ ବଇରୀ ସାଜିଛି …
ଜାତି … ଧର୍ମ …
ଉଚ୍ଚ ନୀଚର ପାଚେରୀ
କିଏ ସେ ଟାଣିଛି !!
ଖୋଜିବାକୁ ଚାହେଁ ତାକୁ …
ଆମ ଓଠରେ ଅସୁମାରି ହସର ପସରାକୁ
କିଏ ଲିଭେଇଛି ….
ଖୋଜିବାକୁ ଚାହେଁ ତାକୁ …
ଜାଣେନି କେବେ ସେ ମିଳିବ …
କେବେ ତାର ଅନ୍ତ ହେବ…
ଜାଣେନି ମୋ ହସ
ସମସ୍ତଙ୍କୁ ସଂକ୍ରମଣ ହେବାର ପ୍ରତୀକ୍ଷା ମୋର
କେବେ ଶେଷ ହେବ…
କିନ୍ତୁ ମୁଁ ଅପେକ୍ଷା କରିବି…
ମୋ ହସ
ଆଉ କାହାର ଓଠରେ ଫୁଟେଇବି
ହସ ଏମିତି ସଂକ୍ରମିତ ହେବ ଯେ
ତା’ପାଇଁ…
କିଛି ସୀମା ନ ଥିବ…,
କିଛି ଜାତି ନ ଥିବ…,
କିଛି ଧର୍ମ ନ ଥିବ…,
କିଛି ବିଭେଦ ନ ଥିବ
ମୁଁ ଜାଣେ …
ମୁଁ ଜାଣେ ଦିନେ ମୋ ହସ
ତୁମ ଓଠରେ ଫୁଟିବ
ତୁମର ଓଠରେ
ହସର ପସରା ଖେଳିବ …
ସେ ପୁଣି ଦିଗନ୍ତକୁ ଛୁଇଁ
ଆଉ କାହାର ଓଠରେ ଖେଳିବ …
ସେଦିନ ଆସିବ
ନିଶ୍ଚେ ସେଦିନ ଆସିବ
ମୋ ପ୍ରତୀକ୍ଷାର
ଅନ୍ତ ଘଟିବ
ଆଉ ସେଦିନ
ସାରା ଦୁନିଆ ହସିବ …
………………..
ଲେଖା ଓ ଉପସ୍ଥାପନା
ସ୍ଵୟଂପ୍ରଭା ପାଢୀ
ବିଶ୍ୱ ହସ ଦିବସ | ୨ ଅକ୍ଟୋବର ୨୦୨୬
