ଭୁବନେଶ୍ୱର, ୧୫ ଅଗଷ୍ଟ ୨୦୨୫ ଦିନ ସ୍ୱାଧୀନତା ଦିବସ ଅବସରରେ ‘ଲୋହିଆ ଏକାଡେମୀ’ ଓ ‘ସମଧ୍ୱନି ସାଂସ୍କୃତିକ ସଂଗଠନ’ ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ “ସ୍ୱାଧୀନତାର ସଙ୍ଗୀତ” ଓ ଏହା ସହିତ ଗାଁକୁ ନେଇ ସମଧ୍ଵନି ଆରମ୍ଭ କରିଥିବା “ଆମ ଗାଁ ଆମ ଜୀବନ” ସମ୍ପର୍କିତ ଚର୍ଚ୍ଚା । ସନ୍ଧ୍ୟା ୫.୩୦ରେ ଲୋହିଆ ଏକାଡେମୀ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


କାର୍ଯ୍ୟକ୍ରମ ଆରମ୍ଭରେ ସମଧ୍ଵନି ଟିମର ସଦସ୍ୟ ତଥା ଯୁବ ନାଟ୍ୟ ନିର୍ଦ୍ଦେଶକ, ଦେବବ୍ରତ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହା ପରେ ସମଧ୍ୱନି ସାଂସ୍କୃତିକ ଟିମର ଆବାହକ ତଥା ଭାୟୋଲିନ୍ ବାଦକ ଜ୍ୟୋତିପ୍ରକାଶ ସାହୁ ତାଙ୍କ ଭାୟୋଲିନ୍ ଟିମ ସହିତ ଗୃପ ଭାୟୋଲିନ୍ ପରିବେଷଣ କରିଥିଲେ । ଦୀର୍ଘ ୪୦ ମିନିଟ ଧରି ଗୃପ ଭାୟୋଲିନ୍ ପରିବେଷଣ ଚାଲିଥିଲା । ଏହା ଏତେ ମନ୍ତ୍ରମୁଗ୍ଦକର ଥିଲା ଯେ, ଏତେ ସମୟ ଧରି ସମଗ୍ର ପରିବେଶକୁ ସ୍ତମ୍ବିଭୂତ କରି ରଖିଥିଲା । ବୈଷ୍ଣବ ଜନତୋ, ତୁହିମା ଜନମଭୂମି, କଦମ୍ କଦମ୍ ବଢାଏ ଜା, ରାଗ ପାହାଡିରେ ଧୁନ, ରଘୁପତି ରାଘବ, ରାଗ ଭୈରବୀରେ ଧୁନ ଆଦି ଉପରେ ଗୋଟିଏ ପରେ ଗୋଟିଏ ଭାୟୋଲିନ୍ ଟିମ ବଜାଇବା ସମୟରେ ଅପୂର୍ବ ସାଙ୍ଗୀତିକ ପରିବେଶ ସୃଷ୍ଟି ହୋଇଥିଲା । ଓଡ଼ିଶାରେ ଏଭଳି ଗୃପ ଭାୟୋଲିନ୍ ଟିମ ସୃଷ୍ଟି ହେବା ପ୍ରଥମ ବୋଲି କେହି କେହି ମନ୍ତବ୍ୟ ଦେଇଥିଲେ । ଏହି ଟିମକୁ ସୁଯୋଗ ଦିଆଗଲେ ଏମାନେ ଯେ, ଖୁବ ଉଚ୍ଚ ଧରଣର ସଙ୍ଗୀତ ପ୍ରସ୍ତୁତ କରିପାରିବେ ଓ ଓଡ଼ିଶାର ସଙ୍ଗୀତ କ୍ଷେତ୍ରକୁ ଆହୁରି ବଳିଷ୍ଠ କରିପାରିବେ ଏହା ଗତକାଲି ପରିବେଷଣରୁ ସୂଚନା ମିଳିଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ପ୍ରାୟ ସମସ୍ତ ସଙ୍ଗୀତପ୍ରେମୀ ଦର୍ଶକ ଏହି ଭାୟୋଲିନ୍ ଟିମକୁ ପ୍ରଶଂସା କରିବା ସହିତ ଏହି ଗୃପକୁ ଆଗେଇନେବା ପାଇଁ ପ୍ରେରଣା ଦେଇଥିଲେ ଓ ଉତ୍ସାହିତ କରିଥିଲେ । ଏହି ଗୃପ ଭାୟୋଲିନ୍ ଟିମ ଶିଳ୍ପୀମାନଙ୍କ ମଧ୍ୟରେ ଜ୍ୟୋତିପ୍ରକାଶ ସାହୁଙ୍କ ସହିତ ଥିଲେ ପ୍ରସନ୍ନ କୁମାର ଜେନା, ଦିଲୀପ କୁମାର ତ୍ରିପାଠୀ, ଜଗବନ୍ଧୁ ନାୟକ, ପିନ୍ଟୁ ମଲ୍ଲିକ, ପ୍ରଦ୍ୟୁମ୍ନ ରଞ୍ଜନ ସାହୁ। ସେମାନଙ୍କୁ ତାଳବାଦ୍ୟରେ ସହଯୋଗ କରିଥିଲେ ସାଥି ଶିଳ୍ପୀ ଶୁଭ୍ରାଂଶୁ ଶେଖର ସାହୁ (ତବଲା), ସୌରଭ ଗୋସ୍ୱାମୀ (ପର୍କସନ୍), ରଞ୍ଜିତ କୁମାର ରାଉତ (ଗିଟାର୍), ଓମ ପ୍ରକାଶ ଲେଙ୍କା (କି-ବୋର୍ଡ)। ସାଂସ୍କୃତିକ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଓଡ଼ିଶୀ କଣ୍ଠଶିଳ୍ପୀ ରାଜେଶ କୁମାର ଲେଙ୍କା ଓ ରଞ୍ଜିତ ପ୍ରଧାନ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ ।
ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଦୁଇଜଣ ସଙ୍ଗୀତ ଗୁରୁଙ୍କୁ ସମ୍ମାନିତ କରାଯାଇଥିଲା । ବିଶିଷ୍ଟ ଭାୟୋଲିନ୍ ବାଦକ ତଥା ଗୁରୁ ରାମଚନ୍ଦ୍ର ମହାନ୍ତିଙ୍କୁ ଉପଢୋଙ୍କଣ ଦେଇ ପ୍ରଫେସର ସ୍ଵାଧିନାନନ୍ଦ ପଟ୍ଟନାୟକ ସମ୍ମାନିତ କରିଥିଲେ ଓ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ବିଶିଷ୍ଟ ଗୁରୁ ତଥା ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ସଙ୍ଗୀତ ଅଧ୍ୟାପକ, ଗୁରୁ କରୁଣାକର ନାୟକଙ୍କୁ ପ୍ରଫେସର ବୀରେନ୍ଦ୍ର ନାୟକ ଉପଢୋଙ୍କଣ ଦେଇ ସମ୍ମାନିତ କରିଥିଲେ।
କାର୍ଯ୍ୟକ୍ରମର ଦ୍ଵିତୀୟ ଭାଗରେ “ଆମ ଗାଁ ଆମ ଜୀବନ – ୨୦୨୫” ପ୍ରତିଯୋଗିତା ସମ୍ପର୍କରେ ସମଧ୍ବନିର ସମ୍ପାଦକ, ସ୍ଵୟଂପ୍ରଭା ପାଢୀ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, “ଆମ ଗାଁ ଆମ ଜୀବନ – ୨୦୨୫”ରେ ୨୦୦ ରୁ ଅଧିକ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ ବି ଜୁଲାଇ ୩୦ ତାରିଖ ପ୍ରତିଯୋଗିତାର ଶେଷ ଦିନ ଭିତରେ କେବଳ ୨୭ ଜଣ ଛାତ୍ରଛାତ୍ରୀଙ୍କ ନିକଟରୁ ସେମାନଙ୍କ ଲେଖାର ଗୋଟିଏ ପିଡିଏଫ କପି ଆମେ ପାଇଥିଲୁ । କିଛି ଛାତ୍ରଛାତ୍ରୀ ନିଜ ଅନୁଭୂତିର ଭିଡ଼ିଓ ପ୍ରସ୍ତୁତ କରି ଆମ ନିକଟକୁ ପଠେଇଛନ୍ତି । ୨୭ଟି କପି ଏତେ କମ ସମୟରେ ପଢିବା ସମ୍ଭବ ନୁହେଁ ସେଥିପାଇଁ ପ୍ରଫେସର ବୀରେନ୍ଦ୍ର ନାୟକ ଛାତ୍ରଛାତ୍ରୀମାନଙ୍କ ଲେଖାରୁ କେତୋଟି ଲେଖାର ସମୀକ୍ଷା ଆଜି ଉପସ୍ଥାପନ କରିବେ । ଏହାପରେ ଏହି ପ୍ରତିଯୋଗିତାରେ ଯୋଗଦେଇ ନିଜ ନିଜ ଗାଁ ସମ୍ପର୍କରେ ଗବେଷଣା କରିଥିବା ସ୍କୁଲ ପିଲାମାନଙ୍କ ଲେଖା ଗୁଡିକ ପ୍ରଫେସର ବୀରେନ୍ଦ୍ର ନାୟକ ସମୀକ୍ଷା କରିଥିଲେ ଓ ସେମାନଙ୍କ ଉଦ୍ଦେଶ୍ୟରେ ନାୟକ କିଛି ବାର୍ତ୍ତା ଦେଇଥିଲେ । ଲେଖା ଗୁଡିକ ସମୀକ୍ଷା କରିବା ସମୟରେ ସେ କହିଥିଲେ ଯେ, ୨୭ ଜଣଙ୍କ ମଧ୍ୟରୁ ଅଧିକାଂଶ ଅଂଶଗ୍ରହଣକାରୀ ହେଉଛନ୍ତି ଝିଅ । ଝିଅମାନେ ସବୁ କ୍ଷେତ୍ରରେ ନିଜ ଗାଁ’ର ସଂସ୍କୃତି, ଇତିହାସ ଓ ପରିବେଶକୁ ସୁରକ୍ଷିତ କରିବା ପାଇଁ ଆଗଭର ହେଉଛନ୍ତି । ଏହାର ଅନେକ ଉଦାହରଣ ମଧ୍ୟ ସେ ଦେଇଥିଲେ । ଏଭଳି ଏକ ନିଆରା କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯିବା ଆବଶ୍ୟକ ବୋଲି ପ୍ରଫେସର ବୀରେନ୍ଦ୍ର ନାୟକ କହିଥିଲେ । ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନାୟକ “ଆମ ଗାଁ ଆମ ଜୀବନ” କାର୍ଯ୍ୟକ୍ରମର ପରିକଳ୍ପନା ବିଷୟରେ ସମ୍ୟକଲୋଚନ କରିଥିଲେ । ଶେଷରେ ପ୍ରଫେସର ସ୍ଵାଧୀନାନନ୍ଦ ପଟ୍ଟନାୟକ ଓ ପ୍ରଫେସର ବୀରେନ୍ଦ୍ର ନାୟକ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଲୋହିଆ ଏକାଡେମୀର ସମ୍ପାଦକ ଦେବରାୟ ମହାପାତ୍ର ଡକ୍ଟର ସୁମିତ୍ରା ପଟେଲ ଆଦି ଅନେକ ଗୁରୁତ୍ତ୍ୱପୂର୍ଣ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ ।
ସମଧ୍ଵନି ତରଫରୁ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଥିଲା । ବିଶେଷକରି ଲୋହିଆ ଏକାଡ଼େମୀ ଯେଉଁଭଳି ଭାବରେ ସମଧ୍ଵନୀର ଯୁବ କଳାକାରମାନଙ୍କର କଳା ଅଭ୍ୟାସ ପାଇଁ ନିଜର ପରିସରକୁ ଉନ୍ମୁକ୍ତ କରି ଆସିଛି ସେଥିପାଇଁ ସମଗ୍ର ଲୋହିଆ ଏକାଡେମୀ ପରିବାରକୁ ଧନ୍ୟବାଦ ଦିଆଯାଇଥିଲା । ଲୋହିଆ ଏକାଡେମୀ ପକ୍ଷରୁ କାର୍ଯ୍ୟକ୍ରମ ଶେଷରେ ରାତ୍ର ଭୋଜନର ବ୍ୟବସ୍ଥା କରାଯାଇଥିଲା ।
ଦେଖିବାପାଇଁ ଗଲେ ଏହି ସନ୍ଧ୍ୟା କେବଳ ସ୍ୱାଧୀନତାର ସ୍ମୃତିକୁ ସଜାଇ ନଥିଲା, ଏହା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗାଁ ଇତିହାସ ଓ ସଂସ୍କୃତି ପ୍ରତି ଆଗ୍ରହକୁ ଆହୁରି ଦୃଢ଼ କରିବାପାଇଁ ଯେଉଁ ବାର୍ତ୍ତା ଦିଆଯାଇଥିଲା ତାହା ଅତ୍ୟନ୍ତ ମୂଲ୍ୟବାନ ଅଟେ ।