127ପଦାବଳୀ ସାହିତ୍ୟ କହିଲେ କେତେଗୁଡ଼ିଏ ପଦର ସମାହାରକୁ ବୁଝାଏ ନାହିଁ । ବିଭିନ୍ନ ଭାରତୀୟ ଭାଷାରେ ଏହା ସାହିତ୍ୟର ଏକ ବିଶିଷ୍ଟ ବିଭାଗ ରୂପେ ବିକାଶ ଲାଭ କରିଅଛି । ଗୀତଗୋବିନ୍ଦର ରଚୟିତା ୧୨ଶ ଶତାବ୍ଦୀର କବି ଜୟଦେବ ପ୍ରଥମ କରି ପଦାବଳୀ ଶବ୍ଦଟି ବ୍ୟବହାର କରିଥିଲେ । ଶ୍ରୀକୃଷ୍ଣଙ୍କ ବ୍ରଜଲୀଳାକୁ ଉପଜୀବ୍ୟ କରି ରଚିତ ସ୍ୱକୀୟ କାବ୍ୟକୁ ସେ ଲଳିତ କୋମଳକାନ୍ତ ପଦାବଳୀ କହିବା ପରେ ପରବର୍ତ୍ତୀ ବୈଷ୍ଣବ କବିଗଣ କୃଷ୍ଣଙ୍କ ବ୍ରଜଲୀଳାତ୍ମକ ଗାନୋପଯୋଗୀ କବିତାକୁ ପଦାବଳୀ ଆଖ୍ୟା ଦେଲେ । ତେଣୁ ପଦାବଳୀ ସାହିତ୍ୟ ଅନ୍ତର୍ଭୁକ୍ତ ପଦାବଳୀ ଶବ୍ଦଟି ଆଭିଧାନିକ ଅର୍ଥରେ ବ୍ୟବହୃତ ନ ହୋଇ ଏକ ସାଂକେତିକ ଅର୍ଥ ବା ରୂଢ଼ି ଅର୍ଥରେ ବ୍ୟବହୃତ । ବ୍ରଜପୁରର ଗୋପୀ, ରାଧା, ବ୍ରଜବାଳକ ଓ ଯଶୋଦାଙ୍କ ସହ ଶ୍ରୀକୃଷ୍ଣଙ୍କ ମଧୁର ଲୀଳାକୁ କେନ୍ଦ୍ର କରି ରଚିତ ସଂଗୀତାତ୍ମକ କବିତାମାନ ପଦାବଳୀ ସାହିତ୍ୟ ଭାବେ ସ୍ୱୀକୃତି ଲାଭ କରିଛି । ପଦ୍ୟାବଳୀ ଓ ପଦାବଳୀ ଶବ୍ଦ ଦୁଇଟିରେ ରୂପଗତ ସାମ୍ୟଥିଲେ ହେଁ ଅର୍ଥଗତ ପାର୍ଥକ୍ୟ ରହିଛି । ଯେକୌଣସି ବିଷୟକୁ କେନ୍ଦ୍ରକରି ରଚିତ ପଦ୍ୟ ରଚନାଗୁଡ଼ିକର ସମାହାରକୁ ପଦ୍ୟାବଳୀ କୁହାଯାଏ । କିନ୍ତୁ ପଦାବଳୀ କହିଲେ କେବଳ ଶ୍ରୀକୃଷ୍ଣଙ୍କ ବ୍ରଜଲୀଳା ବିଷୟକ ରାଗ, ତାଳ ସମନ୍ୱିତ ଗୀତିଧର୍ମୀ କବିତାକୁ ବୁଝାଏ । ସେ ଦୃଷ୍ଟିରୁ ଦେଖିଲେ ସବୁ ପଦାବଳୀ ପଦ୍ୟାବଳୀର ଅନ୍ତର୍ଭୁକ୍ତ । କିନ୍ତୁ ସବୁ ପଦ୍ୟ ପଦାବଳୀ ନୁହେଁ । ଏହା ଓଡ଼ିଶାର ପାରମ୍ପରିକ ସଂଗୀତ ବା ଚଉପଦୀର ଆଙ୍ଗିକ ଦ୍ୱାରା ପରିଚିହ୍ନିତ । ଏଥିରେ ପ୍ରଥମେ ଘୋଷା ବା ଧ୍ରୁବପଦ ଓ ପରେ ଚାରି-ପାଞ୍ଚଟି ଅନ୍ତରା ପଦ ରହିବା ହେଉଛି ସାଧାରଣ ବିଧି । ଶେଷ ପଦରେ ପଦକର୍ତ୍ତାଙ୍କ ନାମ ଭଣିତା ଆକାରରେ ଥାଏ । କେତେକ ପଦାବଳୀରେ ଉକ୍ତି ପ୍ରତ୍ୟୁକ୍ତି ମାଧ୍ୟମରେ ଭାବ ପ୍ରକାଶିତ ହୋଇଥାଏ । ରୀତିଯୁଗର ଶେଷ ଭାଗରେ ପଦାବଳୀ ରଚିତ ହୋଇଥିବାରୁ ଆଳଙ୍କାରିକ ଛଟା ପରିଲକ୍ଷିତ ହୁଏ । ଯେଉଁଥିରେ ଆଳଙ୍କାରିକତାର ଅଧିକ୍ୟ ଥାଏ ତା’ର ସାଙ୍ଗୀତିକତା ବ୍ୟାହାତ ହୋଇଥାଏ । ଅଳଙ୍କାରର ପ୍ରୟୋଗ ପରିମିତ ଥିଲେ ଗୀତଗୁଡ଼ିକ ଅତ୍ୟନ୍ତ ଶ୍ରୁତିମଧୁର ଲାଗେ । ପଦାବଳୀ ସାହିତ୍ୟରେ ସଂଗୀତର ସ୍ୱରମୂର୍ଚ୍ଛନା ଓ କବିତାର ଭାବମୂର୍ଚ୍ଛନା ଉଭୟ ଉପଲବ୍ଧି ହେଉଥିବାରୁ ଏହା ସଂଗୀତ ଓ କବିତାର ଏକ ଅପୂର୍ବ ସମନ୍ୱୟ ମନେ ହୁଏ । ବୈଷ୍ଣବ ପଦାବଳୀ ପ୍ରଥମେ ସଂସ୍କୃତ ଭାଷାରେ ରଚିତ ହୋଇ ପରେ ବ୍ରଜବୁଲି ଭାଷାରେ ପ୍ରସାର ଲାଭ କରିଥିଲା । ‘ଐସଗ୍ଦଗ୍ଧକ୍ଟକ୍ସଚ୍ଚ କ୍ଟଲ ଈକ୍ସବହବଭଙ୍କକ୍ଷସ ଖସଗ୍ଧରକ୍ସବଗ୍ଧଙ୍କକ୍ସର’ ଗ୍ରନ୍ଥରେ ସୁକୁମାର ସେନ୍ କହିଛନ୍ତି, ବୌଦ୍ଧଧର୍ମର ପ୍ରଚାର ପାଇଁ ପାଲି ଭାଷା ଯେପରି ମାଧ୍ୟମ ଥିଲା ସେହିପରି ବୈଷ୍ଣବ ଧର୍ମର ପ୍ରଚାର ପାଇଁ ବ୍ରଜବୁଲି ଭାଷାକୁ ତତୁଲ୍ୟ ଉପଯୁକ୍ତ ଭାଷା ରୂପେ ଗ୍ରହଣ କରାଯାଇଥିଲା ।
ଶ୍ରୀକୃଷ୍ଣଙ୍କ ବ୍ରଜଲୀଳାକୁ କେନ୍ଦ୍ରକରି ରସାଳ ସାହିତ୍ୟ ସୃଷ୍ଟି କରିବା ଦିଗରେ ଓଡ଼ିଶାରେ ଆଦ୍ୟ ପଦକ୍ଷେପ ନେଇଥିବା ପ୍ରମୁଖ କବିମାନଙ୍କ ମଧ୍ୟରେ ଅଛନ୍ତି – ମାଧବୀଦାସୀ, ଭୂପତି ପଣ୍ଡିତ, ଯଦୁପତି, ଚାନ୍ଦକବି, ରାୟ ରାମାନନ୍ଦ, ଦାମୋଦର ଦାସ, ଚମ୍ପତ୍ତି ରାୟ, ମୁରାରି ମିଶ୍ର, ବଳରାମ ଦାସ, ଲୋକନାଥ ଦାସ, ଅଚ୍ୟୁତାନନ୍ଦ ଦାସ ଓଡ଼ିଆ ସାହିତ୍ୟରେ ପଦାବଳୀ ଶବ୍ଦର ବ୍ୟବହାର କଲେ । ଦକ୍ଷିଣ ଓଡ଼ିଶାର ରାୟରାମାନନ୍ଦ ବ୍ରଜବୁଲି ଭାଷାରେ ପଦାବଳୀ ରଚନା କରି ଓଡ଼ିଆ କବିମାନଙ୍କୁ ଅନୁପ୍ରାଣିତ କଲେ । ଏହା ପରେ ମାଧବ ଦାସଙ୍କ ‘ପୂର୍ଣ୍ଣତମ ଚନ୍ଦ୍ରୋଦୟ’, ଲୋକନାଥଙ୍କର ‘ବୃନ୍ଦାବନ ବିହାର’, ଭୂପତି ପଣ୍ଡିତଙ୍କର ‘ପ୍ରେମ ପଞ୍ଚାମୃତ’, କୃଷ୍ଣଲୀଳା ବିଷୟକ ଉତ୍କୃଷ୍ଟ ଗ୍ରନ୍ଥ ପଦାବଳୀ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି । ଏହା ସହିତ ଦାମୋଦର ଦାସଙ୍କ ‘ବିରହିଣୀ ଶ୍ରୀରାଧା’ ଓ ରାୟ ଚମ୍ପତ୍ତିଙ୍କର ‘ଶ୍ରୀରାଧା ବିରହ’ ଆଦି ଓଡ଼ିଆ ପଦାବଳୀ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ । ରୀତିଯୁଗୀୟ କବିମାନେ ଶ୍ରୀକୃଷ୍ଣଙ୍କ ବ୍ରଜଲୀଳାକୁ କେନ୍ଦ୍ର କରି ବହୁ ପଦାବଳୀ ରଚନା କରିଛନ୍ତି । ଦନାଇ ଦାସଙ୍କ ‘ଗୋପୀ ଭାଷା’, ଦେବଦୁର୍ଲଭଙ୍କ ‘ରହସ୍ୟ ମଞ୍ଜରୀ’, ଦୀନକୃଷ୍ଣଙ୍କ ‘ରସକଲ୍ଲୋଳ’, କବିସୂର୍ଯ୍ୟଙ୍କ ସଦାନନ୍ଦ ବ୍ରହ୍ମାଙ୍କ ‘ଯୁଗଳ ରସାମୃତ ଲହରୀ’, ଉପେନ୍ଦ୍ର ଭଞ୍ଜଙ୍କ ‘କଳା କଉତୁକ’, ଭକ୍ତଚରଣଙ୍କ ‘ମଥୁରାମଙ୍ଗଳ’, ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ‘ବିଦଗ୍ଧ ଚିନ୍ତାମଣି’, ବ୍ରଜନାଥ ବଡ଼ଜେନାଙ୍କ ‘ଶ୍ୟାମ ରାସୋତ୍ସବ’ ଏବଂ ନାରାୟଣ ଦେବଙ୍କ ‘ବୃନ୍ଦାବନ ଚନ୍ଦ୍ର ବିହାର’ ଆଦି ଗ୍ରନ୍ଥ ପଦାବଳୀ ସାହିତ୍ୟର ଦୃଷ୍ଟାନ୍ତ । ରଚନା ଶୈଳୀର ବିଭିନ୍ନତା ଦୃଷ୍ଟିରୁ ଏ ଗୀତିକବିତାଗୁଡ଼ିକ କୋଇଲି, ଚଉତିଶା, ପୋଇ, ପଦିଆ, ବୋଲି, ଚମ୍ପୂ, ଚଉପଦୀ ଆଦି ଭେଦରେ ବିଭକ୍ତ । ବଳରାମ ଦାସଙ୍କ ‘ବାରମାସୀ କୋଇଲି’, ମାର୍କଣ୍ଡ ଦାସଙ୍କ ‘କେଶବ କୋଇଲି’, ଦନେଇ ଦାସଙ୍କ ‘ଯଶୋଦା କୋଇଲି’, ଅଚ୍ୟୁତାନନ୍ଦଙ୍କ ‘ଦୂତୀବୋଧ ଚଉତିଶା’, ଦାମୋଦର ଦାସଙ୍କ ‘ରସ କେଇଲା ଚଉତିଶା’, ଅର୍ଜୁନ ଦାସଙ୍କ ‘ମିଳନ ଚଉତିଶା’, ବଳରାମ ଦାସଙ୍କ ‘କମଳ ଲୋଚକ ଚଉତିଶା’, ଦୀନକୃଷ୍ଣଙ୍କ ‘ରାଧା ଦର୍ଶନ ଚଉତିଶା’, ଭୂପତି ପଣ୍ଡିତଙ୍କ ‘ଉଦ୍ଧବ ଚଉତିଶା’, କଣ୍ଠଦାସଙ୍କ ‘ନ ପୋଇ ଛ ପେଇ’, ରସାନନ୍ଦଙ୍କ ‘କୃଷ୍ଣଲୀଳାତ୍ମକ ଚଉପଦୀ’ ଆଦିରେ ପଦାବଳୀ ସାହିତ୍ୟର ବିକାଶ ଲକ୍ଷ୍ୟ କରିହୁଏ । ଏଥି ସହିତ ଓଡ଼ିଆ ପଦାବଳୀ ସାହିତ୍ୟକୁ ଯେଉଁମାନେ ବହୁ ବ୍ୟାପକ କରିଛନ୍ତି ସେମାନଙ୍କ ମଧ୍ୟରେ ଭକ୍ତକବି ସାଲବେଗ, ଦୀନକୃଷ୍ଣ, ଉପେ ନ୍ଦ୍ର ଭଞ୍ଜ, ଗୋପାଳକୃଷ୍ଣ, କବିସୂର୍ଯ୍ୟ ବଳଦେବ ରଥ, ବନମାଳୀ ଗୌରହରି, ଗୌରଚରଣ ପ୍ରମୁଖଙ୍କ ନାମ ସ୍ମରଣୀୟ ।
ଗୋପାଳକୃଷ୍ଣଙ୍କ ପଦାବଳୀ ସାହିତ୍ୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷାର ସ୍ୱରୂପ :
ଗୋପାଳକୃଷ୍ଣଙ୍କ ସମୟ ୧୭୮୫ ଖ୍ରୀଷ୍ଟାବ୍ଦ-୧୮୬୨ ଖ୍ରୀଷ୍ଟାବ୍ଦ । ପିତା ଶ୍ରୀ ବନବାସୀ ପଟ୍ଟନାୟକ ଓ ମାତା ଶ୍ରୀମତୀ ଲଳିତା ଦେବୀ । ରାଗାନୁଗାପନ୍ଥୀ ଗୋପାଳକୃଷ୍ଣ ୧୮୧୨ ଖ୍ରୀଷ୍ଟାବ୍ଦରେ ପୁରୁଷାନୁକ୍ରମେ ପାରଳାଖେମୁଣ୍ଡି ରାଜାଙ୍କର ପାଞ୍ଜିଆ କରଣ କାର୍ଯ୍ୟରେ ନିଯୁକ୍ତି ପାଇଥିଲେ । ତାଙ୍କ ରଚିତ କବିତାବଳୀ ଓଡ଼ିଆ, ବଙ୍ଗଳା, ବ୍ରଜବୁଲି ଓ ସଂସ୍କୃତର ସେ ପାରଦର୍ଶୀ ଥିବାର ସୂଚନା ଦିଅନ୍ତି । କବି କୀର୍ତ୍ତନ, ପ୍ରାର୍ଥନା, ସ୍ତବ, ସ୍ତୋତ୍ର ପ୍ରଭୃତି ଭକ୍ତିମୂଳକ ସଂଗୀତ ସହ କୋଇଲି, ଦୋଳିଗୀତ ଭଳି ବାତ୍ସଲ୍ୟ ରସାଶ୍ରିତ ସଂଗୀତ ରଚନା କରିଛନ୍ତି । ନବାନୁରାଗ, ପ୍ରେମାନୁରାଗ, ଶ୍ରୀକୃଷ୍ଣଙ୍କ କୈଶୋରାବସ୍ଥା ଓ ରାଧାକୃଷ୍ଣ ଭକ୍ତିମୂଳକ କବିତାମାନ ସେ ଲେଖିଛନ୍ତି । ମଧୁର ଭାବରାଜିକୁ କୋମଳ ଶବ୍ଦାବଳୀ ଓ ଶ୍ରୁତିମଧୁର ରାଗରାଗିଣୀରେ ପ୍ରକାଶ କରି ପଦାବଳୀ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ଉଦାହରଣ ସ୍ୱରୂପ – ଅଭିନବ ପ୍ରେମଦେ (ପ୍ରେମରେ ଏକନିଷ୍ଠ), ଅଗାଧନୀ (ଗଭୀର), ଅଥାନନ୍ତ (ବିସ୍ମରଣଶୀଳ), ଆଟକ (ଅଟକ), ଅକୂତ (ଅଭିଳାଷ), କୁଞ୍ଜ ମୋହିନୀ (ଲତାଗୃହ), କୋଶାଦ୍ୟ (କେଶର ଆଦ୍ୟ), କରକ (ଡ଼ାଳିମ୍ବ), ଗୁଞ୍ଜମାଳିୟା (କାଇଁଚ ମାଳି), ଗର୍ଗର (ଗରା), ଘୋଣାଗ୍ର (ନାକର ଅଗ୍ର), ଘନଜଘନା (ବହଳଜାନୁ), ଚାରୁମନ୍ଦତୁନ୍ଦେ (ସୁନ୍ଦର ଶରୀର), ଜୃମ୍ଭା (ଆଳସ୍ୟ), ଜୁଳି (ଖଦ୍ୟୋତ), ଢଳାଚୂଳ (ଛାଞ୍ଚ), ଧ୍ୱାନ୍ତ (ତିମିର), ନୀପଫୁଲ (କଦମ୍ବ), ପୀତାଧଟୀ (ହଳଦିଆ ବସ୍ତ୍ର), ବିତାନ (ମଣ୍ଡପ), ବଧୁଲୀ ଅଧରୀ (ରଙ୍ଗଣୀ ଫୁଲ), ମକରୀ (ଚନ୍ଦନଚିତା), ରସାଳସୀ (ରସବତୀ), ରମ୍ଭ ସଞ୍ଚଣି (ବାଉଁଶ କଣି), ଶର୍ମସଦ୍ମା (ଅଶୁଭ ଗୃହ), ହେମାବଜ ନନ୍ଦନ (ଅତିଥଣ୍ଡା), ଲୁକି (ଲଚକାଳି) ଆଦି ଶବ୍ଦଗୁଡ଼ିକ ଶାସ୍ତ୍ରୀୟ ଓଡ଼ିଆ ଭାଷାର ସମ୍ଭାର । ରାଗ ଓ ତାଳ ଉପରେ ରଚିତ ତାଙ୍କ କବିତାଗୁଡ଼ିକରେ ଶାସ୍ତ୍ରୀୟ ଓଡ଼ିଆ ଭାଷାର ବହୁରୂପ ବିଭବ ରହିଛି ଯେପରି – ରାଗ – ମୋହନ, ତାଳ – ରୂପକ
“ହୋରି ରଙ୍ଗେ ବିରହି । ହରି ସଂଗେ ଶ୍ରୀ କିଶୋରୀ
ପବନେ ଚଳି ଚମ୍ପକ ବଲ୍ଲୀ ତମାଳେ ଢଳିଲା ପରି
ପଶୁପୀବାଳା ଚପଳା ମାଳା ଘନକୁ ଘେରିଲା ପରି
ହେମାବଜ ବନ ବୟସୀ ଜନ ମଧୁବ୍ରତ ଗିରିଧାରୀ
ଫଙ୍ଗୁ ଅବିର ବ୍ରଜସୁନ୍ଦର କଞ୍ଚୂଳୀ ଗଳି ବାହାରି
XXXXXXXXXXXXXXXXXXXXXXXXXXXXXX
ରାଗ – ମାଳବ ଗୋଡ଼ା ତାଳ – ମିଶ୍ର
ଲଭିଲୁ ଏ ଦଶା ବୃଥା ରସାଳସା
କାଲି ଏକା ଆଣି ଯାଇ ପାଣିରେ
କମ୍ପ ସ୍ୱରଭଙ୍ଗ ରୋମାଞ୍ଚ ଉଦ୍ବେଗ
ମୋହ ହେଉଛୁ କ୍ଷଣକୁ କ୍ଷଣିରେ ।”
କବସୂର୍ଯ୍ୟ ବଳଦେବ ରଥଙ୍କ ପଦାବଳୀ ସାହିତ୍ୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷାର ସ୍ୱରୂପ :
କବିସୂର୍ଯ୍ୟଙ୍କ ସମୟ ୧୭୮୯ ଖ୍ରୀଷ୍ଟାବ୍ଦ । ପିତା ଉଜ୍ଜ୍ୱଳ ରଥ । ଅଜା ତ୍ରିପୁରାରୀ ହୋତାଙ୍କ ତତ୍ତ୍ୱାବଧାନରେ କବି ସଂସ୍କୃତ କାବ୍ୟ, ଅଳଙ୍କାର, ଦର୍ଶନ, ସ୍ତୁତି ପ୍ରଭୃତିରେ ପାଣ୍ଡିତ୍ୟ ଲାଭ କରିଥିଲେ । ଜଳନ୍ତର ରାଜା ରାମଚନ୍ଦ୍ର ଛୋଟରାୟଙ୍କ ଠାରୁ ସେ କବିସୂର୍ଯ୍ୟ ଉପାଧି ପାଇଥିଲେ । ଗଜପତି ମୁକୁନ୍ଦଦେବଙ୍କ ଦ୍ୱାରା କବିସୂର୍ଯ୍ୟ ରାୟଗୁରୁ ମହାପାଦ୍ର ଉପାଧି ପାଇଥିଲେ । କବିଙ୍କର ସାର୍ଥକ ସୃଷ୍ଟି ମଧ୍ୟରେ ରହିଛି – ଚନ୍ଦ୍ରକଳା, କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ, ଚୌପଦୀ ଚନ୍ଦ୍ରୋଦୟ, ହାସ୍ୟ କଲ୍ଲୋଳ ଇତ୍ୟାଦି । କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ତାଙ୍କର ଚର୍ଚ୍ଚିତ ପଦାବଳୀ । ନାଟକ ଓ ସଂଗୀତ ଉଭୟ ଦୃଷ୍ଟିରୁ ଏହା ତାଙ୍କର ସାର୍ଥକ ସୃଷ୍ଟି । ଏଥିରେ ‘କ’ ଠାରୁ ‘କ୍ଷ’ ପର୍ଯ୍ୟନ୍ତ ଚଉତିରିଶିଟି ଅକ୍ଷର ନେଇ ସ୍ୱତନ୍ତ୍ର ଭାବରେ କବିତାଗୁଡ଼ିକ ରଚନା କରିଛନ୍ତି । ଶୃଙ୍ଗାର ରସ ଏହାର ମୁଖ୍ୟ ଉପାଦାନ । କରୁଣ ରସର ସାମୟିକ ପ୍ରଭାବ ରହିଛି । ଏହି ଚମ୍ପୂର ଚଉପଦୀଗୁଡ଼ିକ ଓଡ଼ିଶୀ ପଦ୍ଧତିର ଶାସ୍ତ୍ରୀୟ ସଂଗୀତ । ଏଥିରେ ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାରର ସୁଷମ ବ୍ୟବହାର ଚମ୍ପୂର କାବ୍ୟିକ ମର୍ଯ୍ୟାଦା ବୃଦ୍ଧି କରିଛି । ଉଦାହରଣ ସ୍ୱରୂପ – ଖରାପ ତୁ ହେଲୁରେ, ଗଙ୍ଗାରୁ ବିଷଦ ଗଭୀର ତୋ ହୃଦ, ଡାଳିମ୍ବ ମଞ୍ଜି ଦଶନା, ବଲ୍ଲୀ-ନିଳୟ ବିହାର ଲୋଳା, ତରା ଭରା କିରଣ ବରାବର ଚରଣ ନଖାଂଶୁ ସୁରଗଣ ଶିଖା ଭରଣ ପ୍ରଭୃତି ବହୁ ଅଳଙ୍କାରର ମଧୁର ପ୍ରୟୋଗ ବିଦ୍ୟମାନ । ସଂଗୀତ ଶାସ୍ତ୍ର ନିୟମକୁ ଧରି ରଖି କବିସୂର୍ଯ୍ୟ ସାବେରୀ, ତୋଡ଼ି, ପରଜ, କେଦାର, ଶଙ୍କରାଭରଣ, କାଫି ଆଦି ରାଗ ରହିଛି ।
ଓଡ଼ିଆ ଶବ୍ଦମାନଙ୍କୁ ସଂସ୍କୃତ ଶବ୍ଦମାନଙ୍କ ସହ ବ୍ୟବହାର କରି ସେ ଭାଷାକୁ ନୂତନ ଭାବ ଦେଇଛନ୍ତି । ଉଦାହରଣ ସ୍ୱରୂପ – କୁଞ୍ଜକୁକ୍ଷି (ବଡ଼ପେଟ), ଖେଳାଳୋଳା ଖଞ୍ଜନାକ୍ଷି (କ୍ରୀଡ଼ାରେ ଚଞ୍ଚଳମନା ଖଞ୍ଜନ ଚଢ଼େଇର ଆଖି ପରି), ରଞ୍ଜାଇଲା (ମୋହିତ କରିବା), ନାଟପୁଟ (ନୃତ୍ୟ ନିପୁଣ), ଗଗନ କୁସୁମ (ଅସମ୍ଭବ ବସ୍ତୁ), ଘୃତଘଟ (ଘିଅ ମାଠିଆ), ଅବଗାହିଲୁ (ଡୁବ ଦେଲୁ), ଆନୀଳ ଶତପତ୍ରନେତ୍ରା (ସଂପୂର୍ଣ୍ଣ ରୂପେ ନୀଳ), ନୂଆନଟ ପଟଳୀ ମୁକୁଟ (ନୂତନ ନର୍ତ୍ତକମାନଙ୍କ ମଧ୍ୟରେ ଶ୍ରେଷ୍ଠ), ଅମରୀଏ (ଅପସରାମାନେ), ଚଳାପାଙ୍ଗୀ (ଚଞ୍ଚଳ ନେତ୍ରା), ଚାମର ଚିକୁରା (ଚାମର ପରି ଚିକୁର ଯାହାର), ଚିରାମରା (ପାଟିତୁଣ୍ଡ), ଚାମୀକର (ସୁନା), ଚାରୁମାରୁତ (ମନୋହର ପବନ), ଝିମୁଟ (ମୁହୂର୍ତ୍ତ), ଝୁମିଝିମି (ଘୁମାଇ ଘୁମାଇ), ପଦାମ୍ବୁଜଧ୍ୟାନ (ପାଦପଦ୍ମ ଧ୍ୟାନ), କୁନ୍ଦକଳି ଦଶନା (କୁନ୍ଦ ଫୁଲ କଢ଼ି ପରି ଦାନ୍ତ), ତନାବି (ଝରକା), ମୃଗମଦ କଲି (କସ୍ତୁରୀ ଚିତା). ଆବୁର (ମହତ୍ତ୍ୱ), ପଞ୍ଚବାଣ (କନ୍ଦର୍ପ), କୁରୁବିନ୍ଦ (ପଦ୍ମରାଗ ମଣି), ଲଲାମ (ଲଲାଟ ଭୂଷଣ), ଲାକ୍ଷା (ଅଳତା), ଶମନ ସ୍ୱସ୍ୱା (ଯମଙ୍କ ଭଉଣୀ), ସୁତ୍ରାମା (ଇନ୍ଦ୍ର), ଶାଖିବ୍ୟୂହ (ବୃକ୍ଷରାଜି), ରଦାମ୍ବର (ଅଧର) ଏହିପରି ଅନେକ ଶବ୍ଦର ସମ୍ଭାର ରହିଛି । ଏଥିସହିତ ବହୁ ଯାବନିକ ଶବ୍ଦର ପ୍ରୟୋଗ ରହିଛି । ଖିଆଲ (ଆରବୀ), ଦରଦ (ଫରାସୀ), ଆବୁର (ଫା), ହୁକୁମ (ଆ), ଜହର (ଫା), ନିଜର (ଆ), ଫରିଆଦ (ଫା) ପ୍ରଭୃତି ଶବ୍ଦର ସୁନ୍ଦର ସଂଯୋଜନା କବିଙ୍କ ରଚନାବଳୀରେ ଶାସ୍ତ୍ରୀୟ ଓଡ଼ିଆ ଭାଷାର ଯଥାର୍ଥ ସ୍ୱରୂପ ପ୍ରକାଶିତ ହୋଇଛି ।
ଓଡ଼ିଆ ପଦାବଳୀ ସଂଗୀତ ଓ କବିତାର ଏକ ସମନ୍ୱିତ ରୂପ । ଶବ୍ଦାବଳୀରେ ବିରଚିତ ସଂଗୀତ ହେଉଛି କବିତା ଏବଂ ଧ୍ୱନିରେ ବିରଚିତ କବିତା ହେଉଛି ସଂଗୀତ । ସଂଗୀତର ସୁଲଳିତ ମଧୁର ଛନ୍ଦ ବ୍ୟତୀତ କବିତା କିମ୍ବା କବିତାର ସରସ ଭାବ ବ୍ୟତୀତ ସଂଗୀତ ପାଠକ ବା ଶ୍ରୋତାଙ୍କୁ ଆଲୋଡ଼ିତ କରିପାରେ ନାହିଁ । କବିତାର ଭାବ ହେଉଛି ପ୍ରାଣ କିନ୍ତ ସଂଗୀତର କବିତା ହେଉଛି ପ୍ରାଣ ସଦୃଶ, ତେଣୁ ଉଚ୍ଚକୋଟୀର ସଂଗୀତ ସରସ ଭାବେ ସଂପନ୍ନ ହେବଂ ଉଚିତ – ଏ କଥା ପଦାବଳୀ ଯୁଗର କବିଗଣ ଖୁବ୍ ଭଲ ଭାବରେ ହୃଦୟଙ୍ଗମ କରିଥିଲେ । ଶାସ୍ତ୍ରୀୟ ସଂଗୀତର ଲକ୍ଷଣକୁ ବୁଝି ସଂଗୀତ ଶିକ୍ଷାକରି କାବ୍ୟ କବିତାମାନ ରଚନା କରି ପଦାବଳୀ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ସେମାନେ ସ୍ୱରଚିତ ପଦାବଳୀରେ ଦାସ୍ୟ, ସଖ୍ୟ, ବାତ୍ସଲ୍ୟ, ଭକ୍ତି ଓ ପ୍ରୀତିର ସୁମଧୁର ଭାବକୁ ଉପଜୀବ୍ୟ କରି ତାହାର ଆତ୍ମିକ ବିଭବକୁ ପରିପୁଷ୍ଟ କରିବା ସଂଗେ ସଂଗେ ରାଗ, ତାଳ ବାଦ୍ୟ ସମନ୍ୱିତ ସାଙ୍ଗୀତିକ ପ୍ରକାଶଭଙ୍ଗୀ ମାଧ୍ୟମରେ ତାହାର ଆଙ୍ଗିକ ସୌଷ୍ଟବ ବୃଦ୍ଧି କରିପାରିଛନ୍ତି । କବିତାର ସରସ ଭାବ ଓ ସଂଗୀତର ସ୍ୱର ମାଧୁର୍ଯ୍ୟର ସମନ୍ୱୟରେ ଓଡ଼ିଆ ପଦାବଳୀ ସାହିତ୍ୟ ଯୁଗ ଯୁଗ ଧରି ପାଠକ ତଥା ଶ୍ରୋତାଙ୍କ ଚିତ୍ତହରଣ ପୂର୍ବକ ଜନପ୍ରିୟତା ଅର୍ଜନ କରି ଆସିଅଛି ।