[box type=”shadow” align=”” class=”” width=””]ହିନ୍ଦୁ ପୁରାଣ ଶାସ୍ତ୍ର ଉପରେ ଅଗାଧ ଜ୍ଞାନସଂପନ୍ନ କବି ଉମର୍ ଅଲ୍ଲୀଙ୍କ ସମ୍ପର୍କରେ ଉକ୍ତ ଲେଖାରେ ଉପସ୍ଥାପନ କରିଛନ୍ତି ଜି.ଏମ୍.କଲେଜ ଅଧ୍ୟକ୍ଷ ଅଧ୍ୟାପକ ମୋହନ ସହୁ । ସେ କବିଙ୍କୁ ସାଲବେଗଙ୍କ ସହିତ ମଧ୍ୟ ତୁଳନା କରିଛନ୍ତି । କବି ନିଜେ ହେଉଛନ୍ତି ସମ୍ପ୍ରୀତିର ଜଣେ ଉଦାହରଣ ବୋଲି ପ୍ରକାଶ କରି ଲେଖକ କହିଛନ୍ତି ଯେ, “ହିନ୍ଦୁ ପୁରାଣ ଶାସ୍ତ୍ର ଉପରେ ଅଗାଧ ଜ୍ଞାନସଂପନ୍ନ କବି ଉମର୍ ଅଲ୍ଲୀ ଭକ୍ତ ସାଲବେଗଙ୍କ ପରି ଉତ୍କଳୀୟ ସଂସ୍କୃତି ତଥା ଧର୍ମୀୟ ଭାବଧାରାର ପ୍ରତୀକ ଶୀ ଜଗନ୍ନାଥଙ୍କ ପ୍ରତି ତାଙ୍କ ହୃଦୟର ଭକ୍ତିରସାତ୍ମକ ଭାବର ପ୍ରମାଣ ତାଙ୍କ ସାହିତ୍ୟକୃତୀର ଛତ୍ରେ ଛତ୍ରେ ପ୍ରତିପାଦିତ କରିଛନ୍ତି । ମାଣବସା ଗୁରୁବାର ଓ ଶ୍ରୀୟ ଚାଣ୍ଡାଲୁଣୀ ଆଖ୍ୟାନକୁ ଭତ୍ତି କରି କବିଙ୍କ ବିରଚିତ “ଲକ୍ଷ୍ମୀ ପୁରାଣ’ କାବ୍ୟ ଓଡ଼ିଆ ସାହିତ୍ୟ ତଥା ଉତ୍କଳୀୟ ଜୀବନଧାରାର ଏକ ମାଇଲଖୁଣ୍ଟ ଭାବେ ବିବେଚିତ ହେବାର ଯୋଗ୍ୟତା ରଖେ ।” – ସମ୍ପାଦକ[/box]
ଏସିଆ ମହାଦେଶର ପ୍ରସିଦ୍ଧ କବି ଉଜିର୍ ଅଲ୍ଲୀଙ୍କ ସୁପୁତ୍ର ମୌଲବୀ ସୈୟଦ୍ ଉମର୍ ଅଲ୍ଲୀ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଯଦୁପୁର ଗ୍ରାମରେ ୧୮୭୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ଉଜିର ଅଲ୍ଲୀଙ୍କ ଉତ୍କଳୀୟ କଳା ସଂସ୍କୃତି ସମ୍ପନ୍ନ ପରିବାର ସହ ଖଣ୍ଡପଡ଼ାର ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତରଙ୍କ ଅନ୍ତରଙ୍ଗ ସମ୍ପର୍କ ଥିଲା । ଏପରି ଏକ ପରିବାରରେ ବଢ଼ି ପିଲାଟି ଦିନରୁ ସାହିତ୍ୟ ସାଧନାରେ ବ୍ରତୀ ହୋଇଥିଲେ ଉମର ଅଲ୍ଲୀ । ନିଜର ବ୍ୟକ୍ତିଗତ ନିଷ୍ଠା ଓ ଅଧ୍ୟବସାୟ ଯୋଗୁଁ ସେ ଓଡ଼ିଆ, ଉର୍ଦ୍ଦୁ, ପାର୍ସୀ, ଆରବୀ ଓ ବଙ୍ଗଳା ଭାଷାରେ ଦକ୍ଷତା ହାସଲ କରିଥିଲେ ।
ଜମିଦାରିଆ ପୃଷ୍ଠଭୂମିର କବି ଉମର ଜୀବନସାରା ପ୍ରଚଣ୍ଡ ଅର୍ଥାଭାବ ଭିତରେ କାଳାତିପାତ କରି ସାହିତ୍ୟ ସାଧନାରେ ନିମଗ୍ନ ଥିଲେ । ଓଡ଼ିଆ ସାହିତ୍ୟକୁ ମୁଷ୍ଟିମେୟ ମୁସଲ୍ମାନ ସାହିତ୍ୟକଙ୍କ ଉଲ୍ଲେଖନୀୟ ଅବଦାନ ପରିପ୍ରେକ୍ଷୀରେ ଉମର ଅଲ୍ଲୀ ଏକ ବିରଳ ପ୍ରତିଭା। ତାଙ୍କର ଅନେକ କାଳଜୟୀ ଲେଖାସବୁ ସେତେବେଳର ପ୍ରତିଷ୍ଠିତ ସାହିତ୍ୟ ପତ୍ରିକାମାନଙ୍କରେ ପ୍ରକାଶିତ ହୋଇଥିଲା । ଉତ୍କଳ ଦୀପିକା, ମୁକୁର ଓ ସହକାର ପରି ସମ୍ଭ୍ରାନ୍ତ ପତ୍ରପତ୍ରିକାରେ ତାଙ୍କ ରଚନାବଳୀ ସ୍ଥାନୀତ ହେଉଥିଲା । ତାଙ୍କ ରଚନା ଗୁଡିକର ଭାଷା ଅତ୍ୟନ୍ତ ସରଳ, ସାବଲୀଳ ଓ ମର୍ମସ୍ପର୍ଶୀ ଥିଲା । ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଗଠିତ ହୋଇଥିବା ଉତ୍କଳ ସମ୍ମିଳନୀର ସେ ଜଣେ ସକ୍ରିୟ ସଭ୍ୟ ଓ ଓଡ଼ିଆ ଭାଷା ଆନ୍ଦୋଳନର ଜଣେ ନିଷ୍ଠାପର କର୍ମୀ ଥିଲେ । କବିଙ୍କର ଏକ ଯାତ୍ରା ଦଳ ମଧ୍ୟ ଥିଲା ।
କବି ଉମର୍ ଅଲ୍ଲୀଙ୍କ ସୃଷ୍ଟିସମ୍ଭାର ମଧ୍ୟରେ ପ୍ରବନ୍ଧ “ଅଖଣ୍ଡ ଚନ୍ଦ୍ର’ ଉପନ୍ୟାସ “କାଦମ୍ବରୀ’ ଓ ପ୍ରେମ କାହାଣୀ ଭିତ୍ତିକ କାବ୍ୟ “ଆନନ୍ଦ ଲହରୀ’ ଅନ୍ୟତମ, ଯାହାର ପ୍ରକାଶ କାଳ ୧୯୦୧/୧୯୦୨ ସାଲ । ଫାରସୀର ବେନଜୀର-ବଦ୍ର ମୁନିଙ୍କ ପ୍ରଣୟ କାହାଣୀ ଉପରେ ଆଧାରିତ ଗ୍ରନ୍ଥ “ପ୍ରଣୟ ପୁଷ୍ପମଞ୍ଜରୀ’ ତତ୍କାଳୀନ ଇଂରେଜ ସରକାରଙ୍କ ଦ୍ୱାରା ବାଜ୍ୟାପ୍ତ ହୋଇଥିଲା ଓ ପରେ ଭାରତ ସ୍ୱାଧୀନ ହେବା ପରେ ଖାନ୍ ଅବ୍ଦୁଲ୍ ମଲ୍ଲିକ୍ (ମଲ୍ଲିକ୍ ମିଆଁ)ଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା । କବିଙ୍କ ୪୮ ପୃଷ୍ଠାର କାବ୍ୟ “ଚନ୍ଦ୍ରାବତୀ ହରଣ’ ମଦନ ସାହୁଙ୍କ ଦ୍ୱାରା ୧୯୧୨ ମସିହାରେ ଓଡ଼ିଶା ପେଟ୍ରିୟଟ୍ ପ୍ରେସ୍ (ମହମ୍ମଦିଆ ବଜାର, କଟକ)ରେ ତୃତୀୟ ଥର ପାଇଁ ପ୍ରକାଶିତ ହୋଇଥିଲା । ଏହି ଗ୍ରନ୍ଥର ଗୀତଗୁଡ଼ିକ ବିଭିନ୍ନ ରାଗରାଗିଣୀ ଉପରେ ଆଧାରିତ ଯଥା କ୍ଷମଟା ତ୍ରିପଦୀ, କଳଶା, ବସନ୍ତ, ମଙ୍ଗଳ, ମଙ୍ଗଳଗୁଜ୍ଜରୀ ଓ ଗଡ଼ମାଳୀୟା ଇତ୍ୟାଦି । ଏହାର ମୂଲ୍ୟ ଥିଲା ଟ.୦.୨ ଅଣା ମାତ୍ର (ଦି’ଅଣା ବା ବାରପଇସା) । ଗ୍ରନ୍ଥର ପ୍ରଚ୍ଛଦରେ ଉଲ୍ଲେଖଅଛି ଖୋର୍ଦ୍ଧା ଜିଲ୍ଲା ଦାଣ୍ଡମାଳ ଇଲାକା ଯଦୁପୁର ନିବାସୀ ସୈୟଦ୍ ଉମର୍ ଅଲ୍ଲୀଙ୍କ ଦ୍ୱାରା ନାନା ରାଗରାଗିଣୀରେ ରଚିତ । ଅନ୍ୟ ଏକ ସଂସ୍କୃତ ଶ୍ଲୋକ ବହୁଳ କାବ୍ୟ ୬୭ ପୃଷ୍ଠାର “ଶରତ ରାସ ଚଉପଦୀ’ ସ୍ୱତ୍ୱକ୍ରୀତ ହୋଇ ବୈଦ୍ୟନାଥ ସିଂହଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା । ଏହା ପୁରୀର ମଦନ ମୋହନ ପ୍ରେସରେ ଏମ୍. ଏସ. ମିଶ୍ରଙ୍କ ଦ୍ୱାରା ମୁଦ୍ରିତ ହୋଇଥିଲା ଯାହାର ମୂଲ୍ୟ ଟ୦.୫ ଅଣା ମାତ୍ର (ପାଂଚଅଣା ବା ତିରିଶ ପଇସା) । କବିଙ୍କ ସମସ୍ତ ରଚନାବଳୀ ଯଦୁମଣି ସାହିତ୍ୟ ସଂସଦ, ନୟାଗଡ଼ରେ ଦାଶରଥି ପଟ୍ଟନାୟକଙ୍କ ଦ୍ୱାରା ସଂରକ୍ଷିତ ହୋଇ ରହିଥିବାର ଜଣାଯାଏ ।
ଅନୁବାଦ ସାହିତ୍ୟରେ ମଧ୍ୟ ଉମର୍ ଅଲ୍ଲୀଙ୍କ ଅବଦାନ ପ୍ରଣିଧାନଯୋଗ୍ୟ ।
ସେ ବିଶ୍ୱବିଖ୍ୟାତ ଫରାସୀ କବି ସେଖ ସାଦିଙ୍କ ରଚିତ ଖଣ୍ଡକାବ୍ୟ “କରିମା’କୁ ଫରାସୀ ଭାଷାରୁ ଓଡ଼ିଆରେ ଅନୁବାଦ କରିଥିଲେ । ଏହି ଅନୁବାଦ ପାଇଁ ସେ ତତ୍କାଳୀନ ବିହାର-ଓଡ଼ିଶା ସରକାରଙ୍କ ଦ୍ୱାରା ପୁରସ୍କୃତ ଓ ସମ୍ମାନୀତ ହୋଇଥିଲେ । ସେ ବଙ୍ଗଳା ଭାଷାର ବିଖ୍ୟାତ୍ ନାଟ୍ୟକାର ମାଇକେଲ ମଧୁସୂଦନଙ୍କ ରଚିତ ନାଟକ “କୀଚକ ବଧ’ର ଓଡ଼ିଆ ଭାଷାନ୍ତର କରିଥିଲେ ।
ହିନ୍ଦୁ ପୁରାଣ ଶାସ୍ତ୍ର ଉପରେ ଅଗାଧ ଜ୍ଞାନସଂପନ୍ନ କବି ଉମର୍ ଅଲ୍ଲୀ ଭକ୍ତ ସାଲବେଗଙ୍କ ପରି ଉତ୍କଳୀୟ ସଂସ୍କତି ତଥା ଧର୍ମୀୟ ଭାବଧାରାର ପ୍ରତୀକ ଶୀ ଜଗନ୍ନାଥଙ୍କ ପ୍ରତି ତାଙ୍କ ହୃଦୟର ଭକ୍ତିରସାତ୍ମକ ଭାବର ପ୍ରମାଣ ତାଙ୍କ ସାହିତ୍ୟକୃତୀର ଛତ୍ରେ ଛତ୍ରେ ପ୍ରତିପାଦିତ କରିଛନ୍ତି । ମାଣବସା ଗୁରୁବାର ଓ ଶ୍ରୀୟ ଚାଣ୍ଡାଲୁଣୀ ଆଖ୍ୟାନକୁ ଭିତ୍ତି କରି କବିଙ୍କ ବିରଚିତ “ଲକ୍ଷ୍ମୀ ପୁରାଣ’ କାବ୍ୟ ଓଡ଼ିଆ ସାହିତ୍ୟ ତଥା ଉତ୍କଳୀୟ ଜୀବନଧାରାର ଏକ ମାଇଲଖୁଣ୍ଟ ଭାବେ ବିବେଚିତ ହେବାର ଯୋଗ୍ୟତା ରଖେ । ଏହି କାବ୍ୟର ଅନ୍ୟ ଏକ ଐତିହାସିକ ଦିଗ ଏଠାରେ ଧ୍ୟାନ ଆକର୍ଷଣ କରେ । କବି ଉମର ଅଲ୍ଲୀ ଲକ୍ଷ୍ମୀ ପୁରାଣ କାବ୍ୟକୁ ତାଙ୍କ ସମକାଳୀନ ସମ୍ବଲପୁରର ବିଶିଷ୍ଟ ଆରବୀ ବିଦ୍ୱାନ୍ ସୟଦ ଆଜମ୍ (ବଡ଼ବଜାରର ଘାଟବାବୁ)ଙ୍କୁ ଦେଇଥିଲେ । ସୟଦ ଆଜମ୍ ଉକ୍ତ କାବ୍ୟକୁ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ମନାପଡ଼ା ଗ୍ରାମର ତତ୍କାଳୀନ ସାହିତ୍ୟ, ସଂସ୍କୃତି ତଥା କଳାପ୍ରେମୀ ଗୌନ୍ତିଆ ପ୍ରେମାନନ୍ଦ ପ୍ରଧାନଙ୍କୁ ହସ୍ତାନ୍ତର କରିଥିଲେ । ଏହାକୁ ଗୀତିନାଟ୍ୟ ଧର୍ମୀ ମଂଚ ଉପଯୋଗୀ କରି ପାରମ୍ପାରିକ ଲୀଳା ଶୈଳୀରେ ପ୍ରଥମେ ପରିବେଷଣ କରିଥିଲେ ଗୁରୁ ସ୍ୱର୍ଗତ ପ୍ରେମାନନ୍ଦ ପ୍ରଧାନ । କୌତୁହଳର ବିଷୟ ଯେ, ଏହି ଗୀତିନାଟ୍ୟଟି ପ୍ରାୟ ଶହେ ବର୍ଷ ହେବ ମନାପଡ଼ା ଗ୍ରାମରେ ପ୍ରତିବର୍ଷ ମାର୍ଗଶୀର ମାସ ପ୍ରତି ଗୁରୁବାର ପାଳିରେ ଏଯାବତ୍ ଅଭିନୀତ ହୋଇ ଆସୁଛି ତଥା ଆଖପାଖ ଅଂଚଳରେ ପ୍ରଚୁର ଲୋକପ୍ରିୟତା ଓ ଦର୍ଶକୀୟ ଶ୍ରଦ୍ଧା ଲାଭ କରିଅଛି । ୨୦୦୨ ମସିହାରେ ଆକାଶବାଣୀ ସମ୍ବଲପୁର ସୌଜନ୍ୟରୁ ମଧ୍ୟ ଏହି ଲୀଳାନାଟର ବେତାର ପରିବେଷଣ ହୋଇଅଛି ।
କବିଙ୍କ ଅନ୍ୟାନ୍ୟ ରଚନାବଳୀ ତାଙ୍କ ବଂଶଧରମାନଙ୍କ ସଚେତନତାର ଅଭାବରୁ ତଥା ଉପଯୁକ୍ତ ରକ୍ଷଣାବେକ୍ଷଣ ନ ହେବାରୁ ନଷ୍ଟ ହୋଇଥିବାର ଜଣାଯାଏ । ଯତ୍କିଂଚିତ୍ ବଂଚିଯାଇଥିବା ସାହିତ୍ୟକୃତୀ ସବୁ ପାଣ୍ଡୁଲିପି ଆକାରରେ ତାଙ୍କର ଜଣେ ପଣନାତିଙ୍କ ଘରେ ଏବଂ ଜଣେ ନାଟ୍ୟକାରଙ୍କ ନିକଟରେ ରହିଥିବାର ସୂଚନା ରହିଛି ।
ଓଡ଼ିଶାର ସୁପ୍ରସିଦ୍ଧ କବି ତଥା ଭାଷା ଆନ୍ଦୋଳନର ସକ୍ରିୟ କର୍ମୀ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ସହ ଉମର ଅଲ୍ଲୀଙ୍କ ବ୍ୟକ୍ତିଗତ ଚିଠିପତ୍ରର ଆଦାନପ୍ରଦାନ ସୂଚନା ଦିଅନ୍ତି ତାଙ୍କ ନାତି ମସରୁଫ ଅଲ୍ଲୀ । କବି ଗଙ୍ଗାଧରଙ୍କ ପରି ଉତ୍କଳର ବାଣୀଭଣ୍ଡାରକୁ ଅକୁଣ୍ଠ ଭାବରେ ନିରବଚ୍ଛିନ୍ନ ଦାନ କରି ଉମର ଅଲ୍ଲୀ ଶେଷ ଜୀବନ ଦୟନୀୟ ଭାବରେ ଅତିବାହିତ କରିଥିଲେ । ପରିଶେଷରେ ୧୯୨୫ ମସିହାରେ ଆକସ୍ମିକ ଭାବରେ ପଂଚାବନ ବର୍ଷ ବୟସରେ ତାଙ୍କ ଅକାଳ ବିୟୋଗ ଘଟିଲା ।
ଇତିହାସର ପୃଷ୍ଠା ଓଲଟାଇ ସାଂସ୍କୃତିକ ଐତିହ୍ୟକୁ ରୋମନ୍ଥନ କରି ଉମର ଅଲ୍ଲୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସମସ୍ତେ କଳାସଂସ୍କୃତିର ଜୟକାର କରିବାର ସମୟ ଏବେ ଉପଗତ ।
ସୌଜନ୍ୟ : (୨୪.୧୧.୨୦୧୩ରେ “ଧରିତ୍ରୀ’ ଜନ୍ମ ବିଶେଷାଙ୍କରେ ପ୍ରକାଶିତ)