ବର୍ଷା

Swayamprava Parhi (Chief Editor)
445 Views
3 Min Read

 

Support Samadhwani

କିଏ ଜାଣେ

କେଉଁ ଗୋପନ ପ୍ରୀତିର ଭାଷାରେ

ମେଘମଲ୍ଲାର ରାଗର ଇସାରାରେ

Support Samadhwani

ଆକାଶର ଉଡ଼ନ୍ତା ମେଘକୁ

ଡାକି ଆଣିଲେ

କଦମ୍ବ ଓ ଗଙ୍ଗଶିଉଳି ଗଛ,

ଫୁଲଭାରରେ ନଦି ହୋଇଗଲା

ସେମାନଙ୍କ ଦେହ,

ତମାଳ ବୀଥିରେ

ଖେଳିଗଲା ସବୁଜ ଶିକ୍ରାର ।

 

ଛଣ ଛାଉଣି ଘରର ମଥାନରେ

ବର୍ଷା ବେଢ଼େଇ ଦେଲା

ଜହ୍ନିଲଟାର ଚାନ୍ଦୁଆ ଓ

ଦିନରେ ବି ଫୁଟାଇଲା

ଜହ୍ନିଫୁଲ ତାରା ।

 

ବୈଶାଖୀ ଝାଞ୍ଜିରେ ଅତିଷ୍ଠ

ପୃଥିବୀର ଫୁଙ୍ଗୁଳା ଛାତିରେ ବର୍ଷା

ପିନ୍ଧାଇଲା ସୁନ୍ଦର ଶାଗୁଆ ପାଟ

ନାନା ଜାତି ଫୁଲ ଆଉ ନାଲି ଗୁଲୁ ଗୁଲୁ

ସାଧବ-ବୋହୂଙ୍କୁ ଡାକି

ରଙ୍ଗ ବେରଙ୍ଗର ବୁଟି ଫୁଟାଇଲା

କୋଟିକମ କରି ପାଟସାରା ।

 

ବର୍ଷାଋତୁ

ବିରହର ଋତୁ, ତେଣୁ

ସେ ଡାକି ଆଣିଲା

ବିରହକୁ ଓ ମନେ ପକାଇ ଦେଲା

ହାତଛଡ଼ା ହୋଇଥିବା ମଧୁମାସ,

ଉପହାର ଦେଲା

ଅତୀତକୁ ରୋମନ୍ଥନ କରି ଜଳିବାର

ନୀରବିତ ମଧୁର ମୁହୂର୍ତ୍ତ ।

 

ବର୍ଷା ପାଣି ସ୍ପୀତ କଲା ନଈନାଳ

ଦିନେ ପୁଣି ସଙ୍କୁଚିତ ହେବାକୁ ଥିଲେ ବି

ସ୍ପର୍ଦ୍ଧାରେ ଫୁଲାଇ ଦେଲା

ସେମାନଙ୍କ ଛାତି ଓ ସେମାନେ

ପୃଥିବୀର ଆବର୍ଜନା ସବୁକୁ ଖୁସିରେ

କୁଳୁକୁଞ୍ଚା କରି ଫିଙ୍ଗିଦେଲେ

ସ୍ଥିତଧି ଓ ଶାନ୍ତ ସମୁଦ୍ରକୁ ।

 

ବର୍ଷା ତା ରାଜୁତି ସାର

ବାଟ ଛାଡ଼ିଦେଲା ଶରତକୁ,

ନନ୍-ପୋଷାକ ପିନ୍ଧି କାଶତଣ୍ଡୀ

ପରିଷ୍କାର ପରିଚ୍ଛନ୍ନ କରି

ପୋଛିଦେଲା ଆକାଶ ଦେହରୁ

ଦୁଃଖ ଆଉ ବିରହର କ୍ଷତ;

ଆକାଶରେ ମରାଳଙ୍କ ମାଳ ମାଳ

ପଂକ୍ତି, ସତେ ଯେମିତି ସେମାନେ

କଥା କହି ପାରୁଥିବା କବିତାର ଧାଡ଼ି ।

ବର୍ଷୠତୁ ପ୍ରତି

ଅର୍ଘ୍ୟଥାଳୀ

ଦାନେ କୁଣ୍ଠିତ କାହିଁକି ବରଷା,

ତୁ ଯେ ମହୀର ସକଳ ଭରସା ।

ତୁ କି ଏମନ୍ତ ଭାବିଥାଉ ମନେ,

ମହୀ ରହିଛି ସାଗର ବେଷ୍ଟନେ,

ତାକୁ ନ ଥିବ ଜଳର ଅଭାବ,

ତେବେ ନ ଜାଣୁ ତୁ ଲୋକସ୍ୱଭାବ ।

ବଡ଼ ହେଲେ ହେଁ ଯେ ନୀଚହୃଦୟ,

କେବେ ହୋଇଛି କି ପରେ ସଦୟ?

ମଲୀ ମଲେହେଁ ହୋଇ ଶୁଷ୍କକଣ୍ଠ,

ସିନ୍ଧୁ ସଲିଳ ବିନ୍ଦୁ ଲାଭ କଷ୍ଟ ।

କ୍ଷୁଦ୍ର ହେଲେହେଁ ମହୀକି ଅଚଳ,

ଉଚ୍ଚହୃଦୟ ହେତୁ ଦିଏ ଜଳ ।

ମେଘମାନେ ତୋ ଉତ୍ତମ ଚାକର,

ଅତି ଉନ୍ନତ ହୃଦୟ ତାଙ୍କର ।

ମହୀ-ଜୀବନ-ରକ୍ଷା-ଚିରକାଳ,

କରୁଅଛନ୍ତି ବିତରି କୀଲାଳ ।

ତୋର ଆଦେଶ ପାଇବା ମାତରେ,

ଦାନ କରିବେ ଜଳ ଅକାତରେ ।

କେହି ବୋଲିବେ ଅବା ସିନ୍ଧୁ ନୀର,

ଶୋଷି ହୋଇଛି ସିନା ଦାନବୀର ।

ନିଜେ ବିତରି ନ ଜାଣେ କୃପଣ,

ଖଣ୍ଟେ ନିଅନ୍ତି ବଳେ ତା’ର ଧନ ।

ଖଣ୍ଟ ହେଲେହେଁ ପରୁ ପ୍ରଦାନ,

କରି ଜାଣେ ଯେ ସେ ଲୋକ ପ୍ରଧାନ ।

ନିଜେ ତୁ କରି ନାହୁଁ ଖଣ୍ଟପଣ,

ଗ୍ରୀଷ୍ମ କରିଛି ତୋ କରେ ଅର୍ପଣ ।

ତୁହି ମହୀକି ଦେବୁ ଯେତେ ଜଳ,

ଦେବ ସିନ୍ଧୁକୁ ନଥୋଇ ସକଳ ।

ନୀଚହୃଦୟ ସଞ୍ôଚ ରଖେ ଧନ,

ସାଧୁ ସାଧଇ ଲୋକ ପ୍ରୟୋଜନ ।

ଫଳ ପ୍ରସୂନ ବସ୍ତ୍ର ଉପାଦାନ,

ମହୀ କରିବ ଜୀବକୁଳେ ଦାନ ।

Writer – (ସରୋଜ ରଞ୍ଜନ ମହାନ୍ତି)

Photo credit- https://bit.ly/3bbRWLk

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଆମ ଗାଁ, ଆମ ଜୀବନ ବା ଗାଁ ଇତିହାସ ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Our Village, Our Life” - Village History Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.