ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକର ମନଭଙ୍ଗକୁ ଲାଗି ମାଣ୍ଡିଆ ଗ୍ରାମ। ଗନ୍ଧମାର୍ଦ୍ଦନ କୋଳରେ ଗାଁଟି ଗଢି ଉଠିଥିଲା । ଏବେ ଏହି ଗାଁର ଭଗ୍ନାବଶେଷ କେବଳ କେତୋଟି ଭଙ୍ଗା ଘର ଓ ଉଈ ହୁଙ୍କାରେ ଦେଖିବାକୁ ମିଳେ । ତରୁଣୀ ମଲିକ ଓ ମୀନା ମଲିକ ଦୁଇ ଭଉଣୀ ଯେତେବେଳେ ନିଜ ଗାଁ କୁରାଢିଫସାର ଇତିହାସ ବିଷୟରେ ଲେଖିଲେ ସେମାନେ ମାଣ୍ଡିଆ ଗ୍ରାମ ବିଷୟରେ ଜାଣିବା ପାଇଁ ପାଇଲେ । ତାଙ୍କ ଜେଜେ ମା ତାଙ୍କୁ ଜଣେଇଥିଲେ ଯେ, ତାଙ୍କ ଗାଁ କୁରାଢିଫସାର କନ୍ଧ ଲୋକମାନେ ପୂର୍ବେ ମାଣ୍ଡିଆ ଗ୍ରାମରେ ରହୁଥିଲେ । ଗନ୍ଧମାର୍ଦ୍ଦନ ପର୍ବତକୁ ଲାଗିଥିଲା ଏହି ମଣ୍ଡିଆ ଗ୍ରାମ । ମନଭଙ୍ଗ ଡ୍ୟାମ ତିଆରି ହେବା ସମୟରେ ଗାଁର ଲୋକମାନେ ଗାଁ ଛାଡି କୁରାଢିଫସା, ଲଡୁମାଳ ଓ ମନଭଙ୍ଗ ଗାଁରେ ଯାଇ ରହିଲେ । ମଣ୍ଡିଆ ଗ୍ରାମର ପରିଚୟ ମନଭଙ୍ଗ ଡ୍ୟାମ ପାଣି ଭିତରେ ମିଶିଗଲା । ପୂର୍ବେ ଗାଁ ପଖାରେ ବଡ ବଡ ଟିକିରାମାନ ଥିଲା ବୋଲି ତାଙ୍କ ଜେଜେ ମା ଓ ଗାଁର ବୟସ୍କ ଲୋକେ କହନ୍ତି । ଏହି ଟିକିରାରେ ପୂର୍ବେ ବହୁତ ମାଣ୍ଡିଆ ଚାଷ ହେଉଥିଲା । ଏହାଛଡ଼ା କୁଦୋ, ଗୁଞ୍ଜି, ରସକୀ, ବାଜରା, ସୁଆଁ, କାଙ୍ଗୁ ଆଦି ମଧ୍ୟ ଲୋକେ ଚାଷ କରି ଖାଉଥିଲେ । ସବୁଠାରୁ ଅଧିକ ମାଣ୍ଡିଆ ଚାଷ ହେଉଥିଲା ବୋଲି ଏହାର ନାମ ମାଣ୍ଡିଆ ଗ୍ରାମ ରଖାଯାଇଥିଲା । ମନଭଙ୍ଗ ଡ୍ୟାମ୍ ପାଣି ଭିତରେ ଏବେ ବି ଗାଁର କୁଟେନ(ବଡ ପଥର – ମାଣ୍ଡିଆ ପେଷିବା ପାଇଁ ବ୍ୟବହାର ହୁଏ) ବୁଡି ରହିଛି । ସେହି କୁଟେନରେ ଗାଁର ମାଣ୍ଡିଆ କୁଟା ଯାଉଥିଲା । ସେହି କାହାଣୀ ଏବେ ବି ଲୋକେ କହନ୍ତି । ଆମେ ଯେତେବେଳେ ଗାଁ ଇତିହାସ ଲିପିବଦ୍ଧ କାମରେ କୁରାଢିଫସା ଗଲୁ ସେତେବେଳେ ପଚାରିଲୁ ଆପଣମାନେ କଣ ଚାଷ କରୁଛନ୍ତି ? କଣ ଖାଉଛନ୍ତି ? ଲୋକେ କହିଲେ ଯେ, ଏବେ ତାଙ୍କ ଗାଁର ମୁଖ୍ୟ ଖାଦ୍ୟ ଧାନ । କାଁଭାଁ କିଛି ଲୋକ ନିଜ ଖାଇବା ପାଇଁ କିଛି କିଛି କୁଦୋ, ମାଣ୍ଡିଆ ଚାଷ କରୁଛନ୍ତି । କିନ୍ତୁ ସେମାନଙ୍କର ମୂଳ ଖାଦ୍ୟ କୁଦୋ, ମାଣ୍ଡିଆର ସ୍ଥାନ ଧାନ ନେଇଛି । କାହିଁକି ସେମାନେ ମଣ୍ଡିଆ ଛାଡି ଧାନ ଚାଷ କଲେ ପଚାରିବାରୁ ଚୁପ ରହିଲେ । ଜଣେ ବୟସ୍କ ଲୋକ କହିଲେ, ସେତେବେଳେ ସରକାରୀ ବାବୁମାନେ ଗାଁକୁ ଆସିଲେ । କହିଲେ ଧାନ କର, ଆମେ ସରକାରୀ ସାହାଯ୍ୟ ଯୋଗେଇଦେବୁ । ସମସ୍ତେ ଧାନ କଲେ । ଆମେ ବି ମାଣ୍ଡିଆ ଚାଷ ଛାଡି କରି ଧାନ ଚାଷ କଲୁ । ସେଥିପାଇଁ ମାଣ୍ଡିଆ ଚାଷ କମିଗଲା । ତଥାପି ଖରା ଦିନେ ଆମର ମଣ୍ଡିଆ ଯାଉ ନଖାଇଲେ ନହୁଏ । ସେଥିପାଇଁ କିଛି ଜମିରେ ମଣ୍ଡିଆ କରୁଛୁ । ଗାଁର ଆଉ ଜଣେ ଚାଷୀ କହିଲେ ଆମର ଗତ ବର୍ଷ ମାଣ୍ଡିଆ ଚାଷ କରିଥିଲୁ । ସଫା ହୋଇନି ବୋଲି କହି ମଣ୍ଡିରେ ନେଲେନି । ଫେରେଇ ଦେଲେ । ସେଥିପାଇଁ ଏ ବର୍ଷ ଆଉ କଲୁନି । ଆମେ ତ ମଣ୍ଡିଆ ସବୁଦିନେ ଖାଉନୁ । ଏତେ ମାଣ୍ଡିଆ କ’ଣ କରିବୁ ? ମାଣ୍ଡିଆ ଦେହପାଇଁ ଭଲ ଏକଥା ସେମାନେ ଜାଣିଛନ୍ତି । କିନ୍ତୁ କାହିଁକି ଖାଉ ନାହାନ୍ତି ବୁଝିହେଲାନି । ସେମାନଙ୍କର ନିତିଦିନିଆ ଖାଦ୍ୟ ଅଭ୍ୟାସ ଏବେ ପୁରା ବଦଳି ଯାଇଛି ।
ପାଇକମାଳ ବ୍ଲକର ଅନ୍ୟ ଏକ ଗାଁ ରଞ୍ଜିତପୁରରେ ଆଉ ଏକ ଅନୁଭୂତି ପାଇଲୁ । ଗାଁ ଇତିହାସ ଚର୍ଚ୍ଚା ସମୟରେ ଗାଁର ଜଣେ ଲୋକ ଆମକୁ ସରକାରୀ ଲୋକ ଭାବି କିଛି ପ୍ରଶ୍ନ ପଚାରିଥିଲେ । କହିଲେ ଆଜ୍ଞା ଆପଣମାନେ ସରକାରୀ ଲୋକ ଅଶି ଦଶକରେ ଆସିଲେ, ଗାଁ ଗାଁ ବୁଲି ସାର ଔଷଧ ବାଣ୍ଟିଲେ । ଆମକୁ ଧାନ ଚାଷ କରିବାକୁ କହିଲେ । ଏବେ ପୁଣି କହୁଛନ୍ତି ମାଣ୍ଡିଆ କର । ଆମେ ତ ଶହ ଶହ ବର୍ଷ ଧରି ମାଣ୍ଡିଆ ଖାଉଥିଲୁ । ଆପଣ କାହିଁକି ଆମକୁ ଧାନ ଚାଷ କରିବାକୁ କହିଲେ ? କାହିଁକି ଆମକୁ ସାର ବିଷ ଖୁଆଇଲେ ? ଏବେ ଦେଖନ୍ତୁ ଆଜ୍ଞା ଘରେ ଘରେ ପେଟ ବେମାରି । ପୁଣି ଆପଣ ଆସିକି ମାଣ୍ଡିଆ ଚାଷ କର କହୁଛନ୍ତି । ପାଇକମାଳର ଦୁଇଟି ଗାଁର ଲୋକଙ୍କର କୁଦୋ, ମାଣ୍ଡିଆକୁ ନେଇ ଏହା ଥିଲା ଯୁକ୍ତି । ସେମାନଙ୍କ ଆଖିରେ ଥିଲା ହତାଶା।
ଗତ ତିନି ଚାରି ବର୍ଷ ଧରି ଏହି ପ୍ରଶ୍ନ ମନକୁ ବାରମ୍ବାର ବିଚଳିତ କରିଛି । ମୁଁ ଏହାର ଉତ୍ତର ଖୋଜିବାକୁ ଚେଷ୍ଟା କରିଛି । ସରକାର ସାହାଯ୍ୟ ଦେଲେ ବି ଲୋକେ ଏତେ ହତାସ କାହିଁକି? ଲୋକଙ୍କ ପାଖରେ ଅନେକ ପ୍ରକାର ପାରମ୍ପାରିକ ଖାଦ୍ୟ ଥିଲା । ଖାଦ୍ୟକୁ ନେଇ ଅନେକ ପାରମ୍ପାରିକ ଜ୍ଞାନ ଥିଲା । ଆଜି ଯେତେବେଳେ ବଜାରରେ ଏହାର ଚାହିଦା ବଢିଛି, ଚାଷୀ ଅଧିକ ଖୁସି ହୋଇ ମାଣ୍ଡିଆ ଚାଷ କରିବା କଥା । ତଥାପି ଗାଁର ଚାଷୀ ହତାଶା ପ୍ରକାଶ କରୁଛି । ସରକାରୀ ସହାୟତା ପରେ ବି ବହୁତ କମ ଚାଷୀ ମାଣ୍ଡିଆ ଚାଷ କରୁଛନ୍ତି । ପାଇକମାଳର କୁଦୋଗୁଡ଼ା ଗାଁର ଛାତ୍ରୀ ଲୋପାମୁଦ୍ରା ପ୍ରଧାନ ନିଜ ଅଜା ମାଧବ ସାହୁ (୭୩ ବର୍ଷ)ଙ୍କ ନିକଟରୁ କୁଦୋଗୁଡ଼ାର ଖାଦ୍ୟ ସଂସ୍କୃତି ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଲିପିବଦ୍ଧ କରିଛନ୍ତି । ମାଧବ ସାହୁ, ଜଣେ ଅବସରପ୍ରାପ୍ତ ଶିକ୍ଷକ ଖାଦ୍ୟ ସଂସ୍କୃତିରେ ଆସିଥିବା ପରିବର୍ତ୍ତନ ଓ ଲୋକଙ୍କର ସ୍ଵାସ୍ଥ୍ୟ ସମ୍ପର୍କରେ ଗଭୀର ଭାବରେ ଅନୁଧ୍ୟାନ କରିଛନ୍ତି । ତାଙ୍କ ମତରେ, “ଆଗ କାଳରେ ଗାଁରେ ଧାନ ଚାଷ କମ୍ ହେଉଥିଲା । ଲୋକେ ପଡ଼ିଆ ଜମି ଗୁଡିକରେ କୁଦୋ, ମାଣ୍ଡିଆ, ଗୁର୍ଜି, ମୁଗ, ବିରି, ଚୀନାବାଦାମ, କୋଳଥ, ହରଡ଼, ରକ୍ସି, ବାଜରା ଚାଷ କରୁଥିଲେ । ଲୋକଙ୍କର ନିତିଦିନିଆ ଖାଦ୍ୟ ଥିଲା କୋଦଭାତ, ମହୁଲ ସିଝା, ମାଣ୍ଡିଆ ଜାଉ ତଥା ଶୁଖିଲା ଫଳମୂଳ । ଘିଅ, ଗୋରସ, ଦହି, ମହି, ଖିରସା, ମହୁ, ମୁଢି ଯଥେଷ୍ଟ ଖାଇବାକୁ ପାଉଥିଲେ । ସେମାନେ ସୁସ୍ଥ ସବଳ ଓ ଦୀର୍ଘ ଜୀବୀ ଥିଲେ । ଗୁରଜୀ ପିଠା ଲୋକଙ୍କର ଏକ ଭଲ ଜଳଖିଆ ଥିଲା । ଆଖୁ ଚାଷ ହେଉଥିଲା । ଲୋକେ ଗୁଡ଼ର ବ୍ୟବହାର କରୁଥିଲେ । ଆଟ ଜମିରେ କନ୍ଦମୂଳ ଚାଷ କରି ତାକୁ ନିଆଁରେ ପୋଡ଼ି ବା ସିଝାଇ ଖାଉଥିଲେ । ବାସି ପଖାଳ ଲୋକଙ୍କର ପ୍ରିୟ ଖାଦ୍ୟ ଥିଲା । ମୁଗ ଡାଲିକୁ ବାଟି ଗୁଡ଼ ମିଶାଇ ତେଲରେ ଛାଣୁଥିଲେ ଏବଂ ଗୋରସରେ ପକାଇ ଖାଉଥିଲେ । ଏହାକୁ ଦୁଧୁରା କୁହାଯାଉଥିଲା ଯାହା ବର୍ତ୍ତମାନ ନାହିଁ । ସେମାନଙ୍କର ନିତିଦିନିଆଁ ଖାଦ୍ୟକୁ ଆମେ ବର୍ତ୍ତମାନ ଭିଟାମିନ୍ କହୁଛୁଁ । ଏହି ଖାଦ୍ୟ ସବୁ ଧୀରେ ଧୀରେ ପୁରା ଲୋପ ପାଇଗଲାଣି” । ଲୋକଙ୍କୁ ଏବେ ଅନେକ ନୂଆ ରୋଗ ହେଉଛି କହି ସେ ଦୁଃଖ ପ୍ରକାଶ କରିଥିଲେ ।
ନୂଆ ପିଢୀ ପ୍ରାୟ ମାଣ୍ଡିଆ ବିଷୟରେ ଜାଣି ନାହାନ୍ତି । ଏକଥା କେବଳ ଗୋଟିଏ ଗାଁରେ ନୁହେଁ ପାଇକମାଳର ଅନେକ ଗାଁରେ ଦେଖିବାକୁ ମିଳିଛି। ପାଇକମାଳର ବିଭିନ୍ନ ସ୍କୁଲକୁ ଗାଁ ଇତିହାସ ଆଲୋଚନା ପାଇଁ ଯାଇଛୁ । ଆଲୋଚନା ସମୟରେ ପିଲାମାନଙ୍କୁ ଆମର ପ୍ରଶ୍ନ ଥିଲା ତୁମ ଭିତରୁ ଆଜି ସକାଳ ଜଳଖିଆରେ ମାଣ୍ଡିଆ ଖାଅ କି । ଜଣେ ଦୁଇଜଣକୁ ଛାଡିଦେଲେ ସମସ୍ତେ ଆମକୁ ଜଳ ଜଳ କରି ଚାହୁଁଥିଲେ । ମାଣ୍ଡିଆର ଚେହେରା ଅନେକ ଛାତ୍ରଛାତ୍ରୀ ଦେଖି ନାହାନ୍ତି । ଗୋଟିଏ ଅଞ୍ଚଳର ଖାଦ୍ୟ ସଂସ୍କୃତିର ଏ କି ଦୁର୍ଦ୍ଦଶା !
ଅନ୍ୟପଟେ ଗଣମାଧ୍ୟମରେ ଦିନରାତି ଚର୍ଚ୍ଚା ଚାଲିଛି ମାଣ୍ଡିଆ, ସୁଆଁ, କୁଦୋ, ବାଜରା ଭଳି ଖାଦ୍ୟ ଖାଇବା ପାଇଁ । ସହର, ବଜାର ଓ ଅନଲାଇନ ପ୍ଲାଟଫର୍ମ ଗୁଡିକରେ ଏହାର ବ୍ୟବସାୟିକ ମୂଲ୍ୟ ବହୁତ ବଢିଛି । ବିଭିନ୍ନ କମ୍ପାନୀର ରଙ୍ଗୀନ ପ୍ୟାକେଟ ହୋଇ ବ୍ରାଣ୍ଡ ଲାଗି ବଜାରରେ ମିଳୁଛି । ଆମ ସହିତ ଆଲୋଚନା ସମୟରେ କିଛି କର୍ମୀ ନିଜର ଅନୁଭୂତି ପ୍ରକାଶ କରିଛନ୍ତି । ସେମାନଙ୍କ ମତରେ, ‘ପୂର୍ବେ ଘରେ ଘରେ ଅକ୍ଟୋବର ମାସ ଭିତରେ ଖାଦ୍ୟ ସରି ଯାଉଥିଲା । ଲୋକମାନେ କୋଦ ଚାଷ କରୁଥିଲେ । କୁଦୋ ଦୁଇ ମାସ ଭିତରେ ହୋଇଯାଏ । ସେମାନେ ଖାଦ୍ୟ ସରିଗଲେ କୁଦୋ ଖାଆନ୍ତି । ଏବେ ଧାନ ରହିଲେ ବର୍ଷେ ପରେ ପୋକ ଲାଗିଯାଉଛି । ଆଗ କୁଦୋ, ମାଣ୍ଡିଆ, ଗୁଞ୍ଜି ବର୍ଷ ବର୍ଷ ପୋକ ନଲାଗି ରହୁଥିଲା। ଗୋଟେ ବର୍ଷ କୁଦୋ ଚାଷ କଲେ ଦୁଇ ତିନି ବର୍ଷ କୁଦୋ ଚାଉଳ ଖାଉଥିଲେ । ଏବେ ତ ଲୋକଙ୍କର ଖାଦ୍ୟ ଅଭାବ ନାହିଁ । ଲୋକ କୁଦୋ ଖାଇବା ଛାଡି ଦେଲେଣି । ବିଶେଷକରି ଯୁବ ପିଢୀ କୁଦୋ ଖାଇବାକୁ ପସନ୍ଦ କରୁ ନାହାନ୍ତି । କୁଦୋ ଖାଇବା ପାଇଁ ଢିଙ୍କିରେ କୁଟିବାକୁ ହେବ । କେହି ପରିଶ୍ରମ କରିବାକୁ ଚାହୁଁ ନାହାନ୍ତି । ଧାନ ଅମଳ ପାଇଁ କିମ୍ବା ଧାନ ଭାଙ୍ଗି ଚାଉଳ କରିବା ପାଇଁ ଯେମିତି ମେସିନ ଅଛି କୁଦୋ, ମଣ୍ଡିଆ ପାଇଁ ସେମିତି ମିଲ ଗାଁ ମାନଙ୍କୁ ଆସିନାହିଁ । ଏବେ ତ ଗାଁରେ ଢିଙ୍କି ବି ନାହିଁ । ଏହାଛଡା ଧାନ ଭଳି ମାଣ୍ଡିଆ ଓ କୁଦୋ ଏତେ ପରିମାଣରେ ଲାଭ ଦେଉନି । ଲାଭ ପାଇବା ପାଇଁ ଲୋକେ ଆଜିକାଲି ଧାନ ଛାଡି ଏବେ କପା ଚାଷ ଓ ମକା ଚାଷ କଲେଣି । ଲୋକଙ୍କୁ ଅଧିକ ପଇସା ଦରକାର । କପା କଲେ ମାଟି ଖରାପ ହୋଇଯିବ ସେମାନେ ଜାଣିଛନ୍ତି । ସବୁ ଜାଣି ବି ଲୋକେ କରୁଛନ୍ତି” ।
ତାଙ୍କ ଅନୁଭୂତି ମନେ ପକେଇଦିଏ ଅଶିଦଶକର କଥା । ରେଡିଓରେ କୃଷି ସଂସାର କାର୍ଯ୍ୟକ୍ରମ ସବୁଦିନେ ଚାଲେ । ଲୋକମାନେ କାନ ଡେରି ପ୍ରତ୍ୟେକ ଦିନ ଶୁଣନ୍ତି । ରେଡିଓ ହିଁ ମୁଖ୍ୟ ମାଧ୍ୟମ ଥିଲା ଗାଁ ଗାଁକୁ ବାର୍ତ୍ତା ପ୍ରଚାର କରିବାର । କେବେ ଧାନ ବୁଣିବେ, କେବେ ସାର ପକେଇବେ, କେବେ ଔଷଧ ପକେଇବେ ରେଡିଓରେ ପ୍ରଚାର କରାଯାଏ । ପ୍ରତି ବ୍ଲକ ପାଇଁ ଗ୍ରାମ ସେବକ ନିଯୁକ୍ତି ହୋଇଥାନ୍ତି ଯିଏ ସାର, ବିଷ ପ୍ରୟୋଗ ବିଷୟରେ ଚାଷୀଙ୍କୁ ଶିକ୍ଷାଦେବେ । ଆମ ଚାଷୀ ଯେଉଁ ଚାଷ ହଜାର ହଜାର ବର୍ଷ ଧରି କରୁଥିଲେ ସେହି ଚାଷୀଙ୍କୁ ସରକାର ବିଦେଶରୁ ଆସିଥିବା ସବୁଜ ବିପ୍ଲବ ଧାରାରେ ପକେଇଲେ। ଚାଷୀ ଧାନ, ଧଣିଚା, ପନିପରିବା, ମାଛ ସବୁ ଏକାଠି କରୁଥିଲା । ଚାଷୀର ଲକ୍ଷ୍ୟ କେବେ ବି ଲାଭ ପାଇବା ନଥିଲା । କିନ୍ତୁ ସବୁଜ ବିପ୍ଲବର ଦଶ ବର୍ଷ ଭିତରେ ସବୁ ଚାଷ ଛାଡି ଚାଷୀ ଖାଲି ଧାନ ଚାଷ କଲେ । ପାଇକମାଳର ଗନ୍ଧମାର୍ଦ୍ଦନ ପାହାଡ ତଳର ଏହି ଜଙ୍ଗଲିଆ ଗାଁ ଗୁଡିକ ବି ଏହି ପ୍ରଚାର ଦ୍ଵାରା ପ୍ରଭାବିତ ହୋଇଛନ୍ତି ।
ଗତ କିଛିବର୍ଷ ତଳେ ସରକାର ମିଲେଟ ମିସନ/ ଶ୍ରୀ ଆନ୍ନ ଅଭିଯାନ ତିଆରି କରି ମିଲେଟ ଚାଷ କରିବା ପାଇଁ ଚାଷୀ ମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି । କିଛି ଚାଷୀ ପୁଣିଥରେ ମାଣ୍ଡିଆ, କୁଦୋ, ଗୁଞ୍ଜି ଚାଷ କରିବା ଆରମ୍ଭ କରିଛନ୍ତି । କିନ୍ତୁ ଲୋକଙ୍କର ଖାଦ୍ୟ ଥାଳିକୁ କୁଦୋ, ମାଣ୍ଡିଆ, ରସକୀ, ଗୁଞ୍ଜି ଏଯାଏ ଫେରିନାହିଁ । ଏହାର କ’ଣ କ’ଣ କାରଣ ହୋଇପାରେ ବୋଲି ବାରମ୍ବାର ମନରେ ପ୍ରଶ୍ନ ଆସିଛି । ଲୋକ କେଉଁଥିପାଇଁ ନିଜ ଖାଦ୍ୟ ସଂସ୍କୃତିକୁ ପୂରାପୂରି ଭୁଲି ଯାଉଛନ୍ତି ? ଆଧୁନିକ ଜୀବନ ଶୈଳୀ, ଯୁବପିଢୀର ପାରମ୍ପରିକ ଖାଦ୍ୟ ପ୍ରତି ବିତୃଷ୍ଣା, ବଜାରୀକାରଣ, ଲାଭ ଖୋର ମନୋବୃତ୍ତି, ପରିଶ୍ରମ କାତର, ରୋଜଗାରର ଅଭାବ, ଦାଦନ ଏସବୁ ସମସ୍ଯା କଣ ଆମ ଖାଦ୍ୟ ସଂସ୍କୃତି ବଦଳିବା ପଛର କାରଣ ନା ଆଉ କିଛି କାରଣ ରହିଛି?
ମୋ ଦୃଷ୍ଟିରେ ବିକାଶ ନାମରେ ଲୋକଙ୍କୁ ଯେମିତି ନିଜ ବାସ ସ୍ଥାନ, ସଂସ୍କୃତି ଛାଡି ଚାଲିଯିବା ପାଇଁ ବାଧ୍ୟ କରାଯାଉଛି ସେମିତି ନିଜ ପାରମ୍ପାରିକ ଖାଦ୍ୟକୁ ଛାଡିବା ପାଇଁ ଏକ ଷଡଯନ୍ତ୍ର ହୋଇଛି । ସବୁଜ ବିପ୍ଲବ ସମୟରେ ଏହା ଆରମ୍ଭ ହୋଇଛି । ଲୋକଙ୍କୁ ମାଗଣା ସାର, ବିଷ ଓ ହାଇବ୍ରୀଡ ଧାନ ବିହନ ବାଣ୍ଟିବା ଠାରୁ କୃଷିକୁ ଲାଭଖୋର କରାଇବା ପର୍ଯ୍ୟନ୍ତ ଏକ ରୀତିମତ ପ୍ରକ୍ରିୟା ଗତ ଷାଠିଏ ଦଶକରୁ ଆରମ୍ଭ ହୋଇଛି । ଏ ବିଷୟରେ ଶ୍ରୀଯୁକ୍ତ ନଟବର ଷଡଙ୍ଗୀ ବିଭିନ୍ନ ଆଲୋଚନାରେ ବାରମ୍ବାର କହିଛନ୍ତି । ଏହା କେବଳ ପାଇକମାଳର ଗାଁ ଭିତରେ ସୀମିତ ନାହିଁ । ସମଗ୍ର ଭାରତରେ ପାରମ୍ପରିକ ଖାଦ୍ୟର ଏହି ଦୁରବସ୍ଥା ଆମେ ଦେଖୁଛନ୍ତି। ବହୁମୂଖୀ କୃଷି ଥିଲା ଭାରତର ଚାଷୀର ମୂଳଦୁଆ । ଚାଷୀ ଏକା ସାଙ୍ଗରେ ଧାନ, ପନିପରିବା, ଡାଲି, କୁଦୋ, ମାଣ୍ଡିଆ, ଗୁଞ୍ଜି, ତୈଳ ବୀଜ ଚାଷ କରୁଥିଲା ଓ ଖାଉଥିଲା । ଏହି ମୂଳଦୁଆକୁ ଭାଙ୍ଗିଲା ସବୁଜ ବିପ୍ଲବ । ଉପକୂଳ ଠାରୁ ପାହାଡ଼ ଜଙ୍ଗଲ ଅଞ୍ଚଳ ସମସ୍ତେ ସବୁଜ ବିପ୍ଲବ ଦ୍ଵାରା ଆକ୍ରାନ୍ତ । ଚାଷୀମାନେ ବୁଝୁଛନ୍ତି ସେମାନେ କଣ ହରେଇଛନ୍ତି । ସେମାନଙ୍କ ଆଖିରେ ଗଭୀର ହତାଶା ରହିଛି । କିନ୍ତୁ କିଛି କରିପାରୁ ନାହାନ୍ତି । ମୋ ଦୃଷ୍ଟିରେ ରଞ୍ଜିତପୁରର ସେହି ଲୋକଙ୍କ ପ୍ରଶ୍ନ କେବଳ ଏକ ବ୍ୟକ୍ତିଗତ ଅଭିଯୋଗ ନୁହେଁ। ଏହା ଗାଁର ଚାଷୀମାନଙ୍କର ଖାଦ୍ୟ ସଂସ୍କୃତିକୁ ନେଇ ଏକ ଐତିହାସିକ ଅଭିଯୋଗ। ସବୁଜ ବିପ୍ଲବ ଆମ ଚାଷୀଙ୍କ ଉତ୍ପାଦନ କିଛିଦିନ ପାଇଁ ବଢ଼େଇଲା, ସତ । କିନ୍ତୁ ତା’ର ସ୍ଵୟଂସମ୍ପୂର୍ଣ୍ଣ ଖାଦ୍ୟ ସଂସ୍କୃତି ଯେଉଁଥିରେ ମାଣ୍ଡିଆ, ଧାନ, କୁଦୋ, ଗୁଞ୍ଜି, ମାଛ, ମୁଗ, ବିରି, ପନିପରିବା, ଜଙ୍ଗଲର ଖାଦ୍ୟ ଓ ଋତୁ ସହ ଯୋଡିହୋଇ ଖାଦ୍ୟ ଚକ୍ର ରହିଥିଲା, ତାହା ସବୁଦିନ ପାଇଁ ହଜିଗଲା। ଏଥିପାଇଁ ଆମେ ସମସ୍ତେ ଦାୟୀ । ସରକାର କିଛି ନୂଆ ଯୋଜନା ନେଇ ଆମ ପାଖକୁ ପହଞ୍ଚିବା ବେଳେ ଆମେ ଏହାକୁ ତର୍ଜମା କରିଥିଲେ କି ? କେବଳ ବିଶ୍ଵ ବଜାର, ବଡ ବଡ କମ୍ପାନୀ ଓ ସରକାରଙ୍କୁ ଆମେ ଦୋଷ ଦେଲେ ଚଳିବ ନାହିଁ । ନିଜର ଭୁଲ ଠିକ ବିଚାର କରିବା ଶକ୍ତି ଆମେ ହରେଇ ବସିଛନ୍ତି । ସରକାରଙ୍କୁ ବି ପ୍ରଶ୍ନ କରିବା ଆମ ଦାୟିତ୍ଵ । ଆମ ଖାଦ୍ୟ ସଂସ୍କୃତି ଯଦି ଆଜି ଆମେ ହରେଇଛନ୍ତି ତାକୁ ପୁଣିଥରେ ଫେରାଇବା ପାଇଁ ଆମେ କଣ କରିଛନ୍ତି ?
ବ୍ରାଣ୍ଡ ଓ ପ୍ରଚାର ଭିତରେ ଆମ ପାରମ୍ପରିକ ଖାଦ୍ୟ ସବୁଦିନ ପାଇଁ ହଜିଯିବାପାଇଁ ବସିଛି । ଯଦି ଏହାକୁ ସଚେତନ ଭାବରେ ସୁରକ୍ଷିତ କରିବାପାଇଁ କିଛି ପଦକ୍ଷେପ ନିଆ ନଯାଏ, ଡ୍ୟାମ ପାଣିରେ ମାଣ୍ଡିଆ ଗ୍ରାମର କୁଟେନ ବୁଡିଯିବା ପରି, ପାରମ୍ପରିକ ଖାଦ୍ୟ ସଂସ୍କୃତି ବି ନୀରବରେ, ଅଦୃଶ୍ୟ ହୋଇଯିବ ।
