ବିଶିଷ୍ଟ ଜନବିଜ୍ଞାନ କର୍ମୀ ତଥା ନାଟ୍ୟ ନିର୍ଦ୍ଦେଶକ ନିହାର ମିଶ୍ରଙ୍କ ଦ୍ଵାରା ଏହି ନାଟକ ସମୀକ୍ଷା କେବଳ “ଆଖିର କ୍ୟୁଁ?” ନାଟକର ଏକ ମୂଲ୍ୟାଙ୍କନ ନୁହେଁ, ବରଂ ଆମ ସମାଜରେ କୃଷି, କୃଷକ, ଚାଷୀଜୀବନ, କୃଷି ସଂକଟ ଓ ବିକାଶର ବିରୋଧାଭାସକୁ ଗଭୀର ଭାବେ ଆଲୋଚନା କରିଥାଏ। ଲେଖକ ନିଜର ଜନବିଜ୍ଞାନ ଆନ୍ଦୋଳନର ଅନୁଭବକୁ ନେଇ ନାଟକକୁ ଏକ ସମାଜ ପରିବର୍ତ୍ତନ ଓ ସଚେତନତା ସୃଷ୍ଟି କରିବାର ମାଧ୍ୟମ ଭାବେ ଦେଖାଇଛନ୍ତି। ଏହି ସମୀକ୍ଷାରେ ସେ ଗ୍ରାମୀଣ ଜୀବନର ଯଥାର୍ଥ ଚିତ୍ର ଓ ଯୁବ ନାଟ୍ୟଚେତନାର ଉଦ୍ୟମ ଦୁଇଟିକୁ ସମାନ ଗୁରୁତ୍ୱ ଦିଆଯାଇଛି। – ସମ୍ପାଦକ

ଆମ ଦେଶ ଏକ କୃଷି ପ୍ରଧାନ ଦେଶ ଭାବେ ପରିଚିତ। ଓଡ଼ିଶାର ଅଧିକାଂଶ ଲୋକ ଚାଷ କାମ ଉପରେ ନିର୍ଭରଶୀଳ। କିନ୍ତୁ ଦୁଃଖର ବିଷୟ ହେଉଛି, ଚାଷୀ ମୁଣ୍ଡଝାଳ ତୁଣ୍ଡରେ ମାରି ଦେଶକୁ ଅନ୍ନ ଯୋଗାଇ ଆସୁଥିଲା ବେଳେ ନିଜେ ଅନେକ ସମୟ ଭୋକରେ ରହିବାକୁ ବାଧ୍ୟ ହେଉଛି। ଗ୍ରାମ ଓ ଗ୍ରାମୀଣ ଅଞ୍ଚଳରେ ଆଜିପର୍ଯ୍ୟନ୍ତ ଅନେକ ସ୍ଥାନରେ ଜମିଦାରୀ ପ୍ରଥାର ପ୍ରଚଳନ ଆଜି ବି ଦେଖାଯାଏ। ଜମିଦାରମାନେ ଛୋଟ ଚାଷୀ ଓ ଭୂମିହୀନ ଚାଷୀମାନଙ୍କୁ ନିଜ ଜମିରେ କାମ କରାଇ ନିଜ ସ୍ୱାର୍ଥ ପୂରଣ କରନ୍ତି। ଚାଷୀମାନେ ଜମିର ମାଲିକ ନୁହଁନ୍ତି, ସେଥିପାଇଁ ଫସଲର ଅଧିକାଂଶ ଅଂଶ ଜମିଦାରଙ୍କୁ ଦେଇବାକୁ ପଡ଼େ। ଏହି ଅନ୍ୟାୟ ଶୋଷଣ ଫଳରେ ଚାଷୀମାନେ ଋଣ, ଦାରିଦ୍ର୍ୟ ଓ ଭୋକର ଚକ୍ରରେ ବନ୍ଦୀ ହୋଇଯାନ୍ତି।
ସବୁଜ ବିପ୍ଳବ ଭାରତର କୃଷି ଇତିହାସରେ ଏକ ଗୁରୁତ୍ତ୍ଵପୂର୍ଣ୍ଣ ଘଟଣା ଯାହା ଅନେକ ନକାରାତ୍ମକ ପରିଣାମ ଦେଇଛି। ଉଚ୍ଚ ଉତ୍ପାଦନଶୀଳ ବିହନ, ରସାୟନିକ ସାର ଓ କୀଟନାଶକର ଅତ୍ୟଧିକ ବ୍ୟବହାର ଫଳରେ ମାଟିର ଉର୍ବରତା ନଷ୍ଟ କରିବା ସହ ଚାଷପାଇଁ ଅଧିକ ପାଣି ଆବଶ୍ୟକ ପଡୁଛି । ଏହା ଫଳରେ ଚାଷୀମାନେ ପ୍ରତିବର୍ଷ ଅଧିକ ସାର ଓ ଔଷଧ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି, ଯାହା ତାଙ୍କ ଖର୍ଚ୍ଚ ବଢ଼ାଇ ଚାଲିଛି। ଏହା ସହିତ ମାଟି ଓ ଜଳ ପ୍ରଦୂଷଣ, ଭୂଗର୍ଭ ଜଳସ୍ତର ହ୍ରାସ, ପାଣି ଉପରେ ଅଧିକ ନିର୍ଭରତା, ଓ ଜୈବ-ବିବିଧତାର ହ୍ରାସ ହୋଇଛି । ଅନେକ ଚାଷୀ ସେଥିପାଇଁ ଅଧିକ ଖର୍ଚ୍ଚ ବହନ କରି ନପାରି ଋଣରେ ବୁଡ଼ି ରହୁଛନ୍ତି । ଫଳସ୍ୱରୂପ ଅନେକ ସ୍ଥାନରେ ଚାଷୀ ଆତ୍ମହତ୍ୟା ଘଟଣା ଦେଖାଯାଉଛି । ସବୁଜ ବିପ୍ଳବ ଉତ୍ପାଦନ ବଢ଼ାଇଛି ସତ କିନ୍ତୁ ଗ୍ରାମୀଣ ଅସମତା, ପରିବେଶରେ ସଙ୍କଟ ଓ ଆର୍ଥିକ ଅସ୍ଥିରତା ମଧ୍ୟ ସୃଷ୍ଟି କରିଛି ।
ସମ୍ପ୍ରତି ଚାଷୀମାନେ ଅଧିକ ଲାଭର ଆଶାରେ ପାରମ୍ପରିକ ଫସଲ ଚାଷ କରିବା ଛାଡ଼ି କପା ଭଳି ବାଣିଜ୍ୟିକ ଫସଲ ଚାଷ କରିବାକୁ ଆରମ୍ଭ କରିଛନ୍ତି । କିନ୍ତୁ ଏହି ଫସଲଗୁଡ଼ିକର ଖର୍ଚ୍ଚ ଅଧିକ ଓ ବଜାର ଅନିଶ୍ଚିତ ଥିବାରୁ ବହୁ ଚାଷୀ ଋଣରେ ବାନ୍ଧି ହୋଇପଡ଼ୁଛନ୍ତି। ଏହି ଫସଲ ଅଧିକ ପାଣି ଓ ସାର ଚାହିଁଥିବାରୁ ମାଟିର ଉର୍ବରତା ନଷ୍ଟ ହେଉଛି । ସେଥିପାଇଁ ଯେତେବେଳେ ବଜାର ଦାମ କମିଯାଉଛି, ସେତେବେଳେ ଚାଷୀମାନେ ଅତ୍ୟଧିକ କଷ୍ଟ ଭୋଗ କରୁଛନ୍ତି। ଏଭଳି ଅସ୍ଥିର ଆର୍ଥିକ ପରିସ୍ଥିତି ଫଳରେ ଅନେକ ଚାଷୀ ଦେଶରେ ଆତ୍ମହତ୍ୟା ପର୍ଯ୍ୟନ୍ତ କରୁଛନ୍ତି, ଯାହା ଏକ ଦୁଃଖଦ ସତ୍ୟ।
ଦେଶର ବିକାଶ ବିଷୟରେ ଆଲୋଚନାରେ କରିବା ସମୟରେ ସବୁବେଳେ ଶିଳ୍ପ, ପ୍ରଯୁକ୍ତି ଓ ସହରୀକରଣକୁ ଗୁରୁତ୍ୱ ଦିଆଯାଏ, କିନ୍ତୁ ଯିଏ ଦେଶକୁ ଅନ୍ନ ଯୋଗାଉଛି ସେହି ଚାଷୀଙ୍କ ବିଷୟରେ ଅନେକ ସମୟରେ ଚର୍ଚ୍ଚା ନହୋଇ ଅବହେଳିତ ହୋଇ ରହିଯାଏ। “ବିକାଶ” ବୋଲି କୁହାଯାଉଥିବା ଏହି ପ୍ରକ୍ରିୟାର ମୁଖ୍ୟ ଲାଭ ଅଧିକ ସହର ଓ ଶିଳ୍ପ ଅଞ୍ଚଳକୁ ଯାଇଥାଏ । ଗାଁର ଚାଷୀ ଆଜି ମଧ୍ୟ ଋଣ କରନ୍ତି, ବର୍ଷା ଉପରେ ନିର୍ଭରକରି ଚାଷ କରନ୍ତି, ଓ ଅସ୍ଥିର ବଜାରରେ ଜୀବନ ଜୀବିକା ନିର୍ବାହ କରିବା ସେମାନଙ୍କ ପାଇଁ ଦୁର୍ବିସହ ହୋଇପଡୁଛି । ବିକାଶର ନାମରେ ଅନେକ ସମୟରେ ଜମି ଅଧିଗ୍ରହଣ, ବନ୍ଧ ନିର୍ମାଣ ଓ ଶିଳ୍ପ ପ୍ରକଳ୍ପ ଫଳରେ ଚାଷୀମାନେ ନିଜ ଜମି ଓ ଜୀବିକା ହରାଉଛନ୍ତି। ତେଣୁ ଯେପର୍ଯ୍ୟନ୍ତ ବିକାଶ ପ୍ରକ୍ରିୟା ମଧ୍ୟରେ ଚାଷୀଙ୍କ ସୁରକ୍ଷା, ଅଧିକାର ଓ ନ୍ୟାୟ ସଂଗତ ଭାଗୀଦାରୀ ସୁନିଶ୍ଚିତ ହେବ ନାହିଁ, ସେ ପର୍ଯ୍ୟନ୍ତ ସେହି ବିକାଶକୁ ସତ୍ୟ ବିକାଶ ବୋଲି କହିହେବ ନାହିଁ। ଚାଷୀ ବଞ୍ଚିଲେ ଚାଷ ବଞ୍ଚିବ – ଏହି ସତ୍ୟକୁ ଆମେ ସବୁବେଳେ ମନେ ରଖିବା ଉଚିତ।
ଏହିଭଳି ଏକ ପୃଷ୍ଠଭୂମି ଆଧାରିତ ହିନ୍ଦୀ ଭାଷାର ନାଟକ “ଆଖିର କ୍ୟୁଁ?”
ଗତ ୨୦୨୫ ମସିହା, ଅକ୍ଟୋବର 6 ତାରିଖ ଦିନ ଆଗ୍ରା ସହରରେ ସଂସ୍କୃତି ଭାରତୀୟ ଆଗ୍ରା (Rangodaya 2025, National Theatre festival, organised by Sanskar Bharati, Agra) ଦ୍ଵାରା ଅନୁଷ୍ଠିତ ହେଉଥିଲା ଜାତୀୟ ନାଟକ ପ୍ରତିଯୋଗିତା ରଙ୍ଗୋଦୟ ୨୦୨୫ । ଏଥିରେ ରାଉରକେଲାର ଯୁବନାଟ୍ୟ ସଂଗଠନ ” ପଞ୍ଚତତ୍ତ୍ଵ” ଦ୍ୱାରା ପ୍ରଦର୍ଶିତ ହୋଇଥିଲା ନାଟକ ପ୍ରଶଂସିତ ହୋଇଥିଲା ଏହି ହିନ୍ଦୀ ଭାଷାର ନାଟକ “ଆଖିର କ୍ୟୁଁ?”। ଜାତୀୟ ନାଟକ ପ୍ରତିଯୋଗିତାର ଆୟୋଜକ ଅନୁଷ୍ଠାନ, ଉପସ୍ଥିତ ଦର୍ଶକ, ମଞ୍ଚଦୂତମ୍ (ବାରାଣସୀ), ଅନୁଭୂତି (ସାହାଜାନପୁର), ସତ୍ୟନାଟ୍ୟ ଅନୁଷ୍ଠାନ (ଭିଲାଇ), ଦ ରଙ୍ଗ (ଝାରଖଣ୍ଡ) ଭଳି ବିଭିନ୍ନ ରାଜ୍ୟରୁ ଆସିଥିବା ନାଟ୍ୟସଂସ୍ଥା ଗୁଡ଼ିକର ନିର୍ଦ୍ଦେଶକ, ବରିଷ୍ଠ କଳାକାରମାନେ ନାଟକର ବିଷୟ ବସ୍ତୁ ଓ ପ୍ରଦର୍ଶନ ଶୈଳୀକୁ ଏକ ସାହସିକ ପଦକ୍ଷେପ ବୋଲି କହିଥିଲେ । ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାନା ଭଳି କୃଷି ପ୍ରଧାନ ଅଞ୍ଚଳରେ ଏଭଳି ନାଟକ ପ୍ରଦର୍ଶନର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।
ଏହି ଯୁବନାଟ୍ୟ ସଂଗଠନ “ପଞ୍ଚତତ୍ତ୍ଵ” ଗ୍ରୁପକୁ ମୁଁ ଗଠନ କରିନାହିଁ । ଗ୍ରୁପ୍ ଟି ୨୦୧୮ ମସିହାରେ ଶ୍ରୀ ଜନ୍ମଞ୍ଜୟ ମହାନ୍ତିଙ୍କ ନେତୃତ୍ଵରେ ଗଠିତ ହୋଇଥିଲା । ସେତେବେଳେ ସେ ଏକ ଡିପ୍ଲୋମା କଲେଜରେ ନୂଆ କରି ଆଡମିସନ ନେଇଥିଲେ । ସେତେବେଳେ ସେ ରାଉରକେଲାର ବିଭିନ୍ନ ନାଟ୍ୟାନୁଷ୍ଠାନ ମାନଙ୍କରେ ଅଭିନୟ କରୁଥିଲେ । ତେଣୁ ନିଜ ବୟସର ସେହିଭଳି ପିଲାମାନଙ୍କୁ ନେଇ ସେ ସଂସ୍ଥାଟିଏ ଗଠନ କଲେ । ସେହିଦିନରୁ ଏହି ସଂଗଠନ ଜରିଆରେ ସେମାନେ ଦେଶର ବିଭିନ୍ନ ଅଞ୍ଚଳରେ ହେଉଥିବା ପ୍ରତିଯୋଗିତା ଗୁଡ଼ିକରେ ଅଂଶଗ୍ରହଣ କରିଆସୁଛନ୍ତି । ଚଳିତ ବର୍ଷ ଏହି “ପଞ୍ଚତତ୍ତ୍ଵ” ସଂସ୍ଥା ଟି ଟ୍ରସ୍ଟ ଆଇନରେ ପଞ୍ଜୀକୃତ ମଧ୍ୟ ହୋଇଛି । ପିଲାମାନଙ୍କର ଉତ୍ସାହ ଦେଖି ମୁଁ ଗତ 3 ବର୍ଷ ହେଲା ସେମାନଙ୍କ ସହିତ ଜଡ଼ିତ ହୋଇଛି ଏବଂ ତାଙ୍କୁ ନାଟକ କରିବା ଦିଗରେ ସାହାଯ୍ୟ କରୁଛି ।
ନାଟକର ଭବିଷ୍ୟତ ଯୁବ ପିଢ଼ି ହାତରେ । କିନ୍ତୁ ଦୁଃଖର ବିଷୟ ଯେ ଏହିଭଳି ଉଦ୍ୟମ ଗୁଡ଼ିକୁ ପ୍ରତିଷ୍ଠିତ ନାଟ୍ୟସଂସ୍ଥା, ସରକାରୀ ବିଭାଗ ଗୁଡ଼ିକର ସହଯୋଗ ମିଳିପାରିନାହିଁ, ଯାହାଦ୍ୱାରା ସମୟକ୍ରମେ ଅନେକ ସଂଗଠନ ନିରୁପାୟ ହୋଇ ନାଟକ କରିବା ବନ୍ଦ କରିଦିଅନ୍ତି ।
ମୋ ନିଜ ବିଷୟରେ କହିବାକୁ ଗଲେ ମୁଁ ପେଶାଦାର ନାଟ୍ୟକର୍ମୀ ନୁହେଁ । ମୁଁ ଜଣେ ସାମାଜିକ କର୍ମୀ । ବିଗତ ୩୦/୪୦ ବର୍ଷ ହେବ ଜଣେ ଜନବିଜ୍ଞାନ କର୍ମୀ ହିସାବରେ ସାମାଜିକ ପରିବର୍ତ୍ତନପାଇଁ କାମ କରୁଛି । ଏହି କାମରେ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ୧୯୯୦ ମସିହାରୁ ନାଟକକୁ ବ୍ୟବହାର କରିଆସୁଛି । ଏ ଦିଗରେ ଭାରତ ଜ୍ଞାନବିଜ୍ଞାନ ଜାଠା ୧୯୯୦ରୁ ପଥପ୍ରାନ୍ତ ନାଟକ ମାଧ୍ୟମରେ ଆନ୍ଦୋଳନର କରି ଆସିଛି । ଆରମ୍ଭରୁ ଏବେ ଯାଏଁ ଶିକ୍ଷା, ସ୍ୱାସ୍ଥ୍ୟ , ଆତ୍ମନିର୍ଭରଶୀଳତା, ଲିଙ୍ଗ ବିଷମତା, ଚାଷୀ- ଶ୍ରମିକ, ଆଦିବାସୀ ବନାମ୍ ପ୍ରଚାରିତ ବିକାଶ ଧାରା ଆଦି ମୌଳିକ ପ୍ରସଙ୍ଗ ଗୁଡ଼ିକୁ ନେଇ ନାଟକ ତିଅରି କଲାବେଳେ ଜଣେ ଲେଖକ, ନିର୍ଦ୍ଦେଶକ ତଥା ଅଭିନେତାର ପରିଚୟ ମଧ୍ୟ ପାଇଛି । ମୋର ଲକ୍ଷ୍ୟ ଓଡ଼ିଶାରେ ଜନବିଜ୍ଞାନ ଆନ୍ଦୋଳନ ମାଧ୍ୟମରେ ସାଧାରଣ ମଣିଷର ସମସ୍ୟା ବିଷୟ ଉତ୍ଥାପନ କରିବା ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ଏହି ବିଷୟରେ ବୁଝେଇବା । ଏ ଦିଗରେ ମୁଁ ଯାହାକିଛି କାର୍ଯ୍ୟ କରିବାପାଇଁ ନିଷ୍ପତ୍ତି ନେଇଛି ।
