କୁଦୋଗୁଡ଼ାରୁ ଭୁବନେଶ୍ୱରପୁର: ଗୋଟିଏ ଗାଁ’ର ସାଂସ୍କୃତିକ ଯାତ୍ରା

ଆମ ଗାଁ ଆମ ଜୀବନ

ଲୋପାମୁଦ୍ରା ପ୍ରଧାନ
500 Views
22 Min Read

ଲୋପାମୁଦ୍ରା ପ୍ରଧାନ ୨୦୨୩ ମସିହାରେ ଭୁବନେଶ୍ୱରପୁର ଉଚ୍ଚବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀଥିବା ସମୟରେ ନିଜ ଗାଁ ସମ୍ପର୍କରେ ଗବେଷଣା କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ତାଙ୍କ ମାତାଙ୍କ ନାମ ପ୍ରେମଶିଲା ପ୍ରଧାନ, ବାପାଙ୍କ ନାମ ଲୋକନାଥ ପ୍ରଧାନ । ତାଙ୍କ ଗାଁ’ର ନାମ ଭୁବନେଶ୍ୱରପୁର ଯାହା ପୂର୍ବରୁ କୁଦୋଗୁଡ଼ା ଥିଲା । ଲୋପମୁଦ୍ରା ନିଜ ଗାଁ’ର ଇତିହାସ ଓ ସଂସ୍କୃତିକୁ ଲିପିବଦ୍ଧ କରିବା ସମୟରେ ତାଙ୍କ ଗାଁ’ର ନାମ କୁଦୋଗୁଡ଼ାରୁ ଭୁବନେଶ୍ୱରପୁର ପରିବର୍ତ୍ତନର ହେବା ଓ ଏହାର ସାଂସ୍କୃତିକ ଯାତ୍ରା ସମ୍ପର୍କରେ ଅନୁସନ୍ଧାନ କରିଛନ୍ତି । ଗାଁ’ର ବୟସ୍କ ଲୋକ ଓ ନିଜ ଅଜାଙ୍କ ସହିତ ବସି ସେ ଗାଁ’ର ଅତୀତର କାହାଣୀ, ପୁରୁଣା ଘଟଣାବଳୀ ଶୁଣିଛନ୍ତି । ୨୦୨୫ ମସିହା ଖରାଛୁଟିରେ ସେ ନିଜ ଗାଁ ସମ୍ପର୍କରେ ଲିପିବଦ୍ଧ କାମ ଶେଷ କରିଛନ୍ତି । ଏହି କାମ ମାଧ୍ୟମରେ ସେ “ଭିଲେଜ ବାୟୋଗ୍ରାଫର୍ସ କମ୍ୟୁନିଟି”ର ସଦସ୍ୟ ମଧ୍ୟ ହୋଇଛନ୍ତି । – ସମ୍ପାଦକ

Support Samadhwani

ଗାଁ ଇତିହାସ ଲେଖିବା ସମୟର ଅନୁଭୂତି

ପ୍ରଥମ ଥର ସ୍ଵୟଂପ୍ରଭା ମେଡ଼ାମ ଯେବେ ଆମ ବିଦ୍ୟାଳୟକୁ ଆସିଲେ ଏବଂ କହିଲେ ତମେମାନେ ସମସ୍ତେ ତୁମ ଗାଁର ଇତିହାସ ଲେଖିବ, ସେତେବେଳେ ମୋ ମନରେ ଇଚ୍ଛା ହେଲା ଜାଣିବାପାଇଁ କି ଆମ ଗାଁର ନା ଏମିତି କେମିତି ହେଲା । ପୂର୍ବରୁ ଆମ ଗାଁ କେମିତି ଥିଲା, ଏହା ଜାଣିବାକୁ ଇଚ୍ଛା ହେଲା । ମୁଁ ଯାଇ ଯେତେବେଳେ ଏ କଥା ମା, ବାପାଙ୍କୁ କହିଲି, ସେ ଭାରି ଖୁସି ହେଲେ ଓ କହିଲେ ତୁ ଲେଖିକି ଗାଁ’ର ଇତିହାସ ଜାଣ । ତା’ପରେ ମୁଁ ଗାଁ’ର ବିଭିନ୍ନ ବ୍ୟକ୍ତି, ଗାଁ’ର ବୟୋଜେଷ୍ଠମାନଙ୍କ ପାଖକୁ ଯାଇ ଏହା ପଚାରିଥିଲି । ସେତେବେଳେ ସେମାନେ ମଧ୍ୟ ଭାରି ଖୁସିହେଲେ । ସେମାନେ ଆଗ୍ରହର ସହିତ ଗାଁ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଗାଁ’ରେ ପ୍ରଥମ ବସତି ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ କହିଲେ । ଏଥିରେ ମୁଁ ଅନେକ ଲୋକଙ୍କୁ ପଚାରିଲି ଯେପରି- ନନ୍ଦଲାଲା ସାହୁ (୮୫) ବର୍ଷ, ଦୀର୍ଯ୍ୟୁ ରଣା (୭୨) ବର୍ଷ, ଦୀନମଣୀ ହାତୀ (୭୮) ବର୍ଷ, ନିଳକଣ୍ଠ ଶତ୍‌ନାମି (୩୭) ବର୍ଷ, ସୁରେଶରଣା (୪୯) ବର୍ଷ, ଆଶା କର୍ମୀ (୫୦) ବର୍ଷ ଏବଂ ଏଥିରେ ମୋ ଅଜା ମାଧବ ସାହୁ (୭୩) ବର୍ଷ ମୋତେ ବହୁତ ସାହାଯ୍ୟ କରିଛନ୍ତି । ଗାଁ’ର ଇତିହାସକୁ ଲିପିବଦ୍ଧ କରିବା ଏକ ସାଧାରଣ ଘଟଣା ନୁହେଁ । ଏହା ଏକ ଯୁଗାନ୍ତକାରି ପଦକ୍ଷେପ । ଏହା ଅତି କମ୍‌ ଲୋକଙ୍କଠାରୁ ମଧ୍ୟ ସଂଗ୍ରହ କରାଯାଏ । ଯେତେବେଳେ ମୁଁ ଲୋକଙ୍କୁ ପଚାରିଲି ସେତେବେଳେ ଲକ୍ଷ କଲି ଯେ, ଏହା କେବଳ ମୋର କାର୍ଯ୍ୟ ନୁହେଁ । ଏହା ସେମାନଙ୍କର ଦାୟୀତ୍ୱ । ସେମାନଙ୍କ ଗାଁ ପ୍ରତି ମମତା କଳ୍ପନା କରି ହେବନାହିଁ । ଗାଁ’ର ବିବରଣୀ ସହିତ ଗାଁ’ର ଜନସାଧାରଣ ପରିଚିତ ହେବେ । ଏହି ଆନନ୍ଦରେ ସେମାନେ ମୋତେ ଉତ୍ସାହର ସହିତ ଗାଁ’ର ଇତିହାସ ଲେଖିବାରେ ସାହାଯ୍ୟ କଲେ । ମୁଁ ମଧ୍ୟ ଏହି ଇତିହାସ ଲେଖା ଶେଷ କରିବା ପରେ ଅନେକ କଥା ଜାଣିବାପାଇଁ ପାଇଲି । ମୁଁ ଦଶମ ପରୀକ୍ଷା ଦେଇ ସାରିବା ପରେ ୨୦୨୫ ମସିହା ଖରାଛୁଟି ସମୟ ପର୍ଯ୍ୟନ୍ତ ଏହି କାମ ସହିତ ଯୋଡି ହୋଇ ରହିଛି । ଆଗକୁ ମଧ୍ୟ ମୁଁ କାମ ସହିତ ରହିବାପାଇଁ ନିଷ୍ପତ୍ତି ନେଇଛି, ସେଥିପାଇଁ ଭିଲେଜ ବାୟୋଗ୍ରାଫର୍ସ କମ୍ୟୁନିଟିର ସଦସ୍ୟ ହୋଇଛି ।

ଭୁବନେଶ୍ୱରପୁର ଅତୀତ:

ଆମ ଗାଁ’ର ନାମ ଭୁବନେଶ୍ୱରପୁର । ଏହା ବରଗଡ଼ ଜିଲ୍ଲାର ପାଇକମାଲଠାରୁ ଭାୟା କୋକନରା, ଛେତ ଗାଁ ବାଟ ଦେଇ ୧୨ କି.ମି. ଦୂରରେ ଅବସ୍ଥିତ । ଆମ ଗାଁ’ର ନାମ ପ୍ରଥମେ କୁଦୋଗୁଡ଼ା ରଖାଯାଇଥିଲା । ଗାଁ’ଟି ଘଞ୍ଚ ଜଙ୍ଗଲ ଅଞ୍ଚଳରେ ହୋଇଥିବାରୁ କୁଦୋ ଚାଷ ଭଲ ଭାବରେ ହେଉଥିଲା । ପ୍ରାୟ ୧୭୦୦ ମସିହା ବେଳକୁ ଆମ ଗାଁ ପ୍ରତିଷ୍ଠା ହୋଇଥିଲା । ଖେମଡ଼ା ଗ୍ରାମରୁ ୮ ଘର କୁମ୍ଭାର ଆସି ଏଠାରେ ଜଙ୍ଗଲ ସଫାକରି ( ବର୍ତ୍ତମାନର କୁମ୍ଭାର ପଡ଼ାଠାରେ ) ପ୍ରଥମ ବସତି ସ୍ଥାପନ କରିଥିଲେ । କୁମ୍ଭାର ସଂପ୍ରଦାୟର ଲୋକେ ଗ୍ରାମର ପ୍ରଥମ ବାସିନ୍ଦା ଥିଲେ । ତାଙ୍କ ସହିତ ବିଂଝାର, ସହରା, କୋଲ, ହରିଜନ, ଚମାର ସଂପ୍ରଦାୟର କିଛି ଲୋକ ଆସିଥିଲେ । କ୍ରମେ ଶୋଭାରାମ ରଣା ଗାଁ’ର ଗୌନ୍ତିଆ ହୋଇଥିଲେ । ୧୯୦୭ – ୦୮ ମସିହାରେ ରଜା ବନ୍ଦୋବସ୍ତ ସମୟରେ ପଦ୍ମପୁର ଜମିଦାରଙ୍କ ତରଫରୁ ଭୁବନେଶ୍ଵର ଦେୱାନ ଏହି ଗ୍ରାମକୁ ଆସିଥିଲେ । ସେ ଗାଁ’ର ନାମକୁ ପରିବର୍ତ୍ତନ କରି ତାଙ୍କରି ନାମ ଅନୁସାରେ ରଖିବାକୁ ଇଛାପ୍ରକାଶ କରିଥିଲେ । ସେହିଦିନ ଠାରୁ ଗାଁ’ର ନାମ ଭୁବନେଶ୍ଵରପୁର ରହିଅଛି । ପଦ୍ମପୁର ଜମିଦାରଙ୍କୁ ୧୦୦୦ ଟଙ୍କା ଦେଇ ଗାଁ’ର ଗୌନ୍ତିଆ ପଟ୍ଟା ( ୩୦୦ ଏକର ) ପାଇଥିଲେ । ପରେ ଦେୱାନଙ୍କ ସହିତ କୌଣସି କାରଣରୁ ଝଗଡ଼ା ହୋଇଥିଲା । ଜମିଦାର ଗୌନ୍ତିଆ ପଟ୍ଟା ଭଲଭାବରେ ଲେଖିଦେବାକୁ କହି ନେଇ ଯାଇଥିଲେ । ଆଉ ଫେରାଇଲେ ନାହିଁ । ଗୌନ୍ତିଆ ଗାଁ’ରେ ପୋଖରୀ ଖୋଳାଇଥିଲେ । ତା’ପରେ ଜମିଦାର କୁଦୋଗୁଡ଼ାକୁ ଖମାର କରିବା ଉଦ୍ଦେଶ୍ୟରେ ମହୁଲ ପାଲିରୁ ତେଲି ସଂପ୍ରଦାୟର ଲୋକଙ୍କୁ ଆଣି ଏଠାରେ ରଖାଇଲେ । କେତେ ଦିନ ଗଲା ପରେ ସେମାନଙ୍କୁ ଗୌନ୍ତିଆ ପଟ୍ଟା ଦେଇଥିଲେ । ସେହି ଦିନଠାରୁ ତେଲି ସଂପ୍ରଦାୟର ଲୋକେ ଗୌନ୍ତିଆ ହୋଇ ଆସୁଛନ୍ତି । ରାମ ଦାସ ସାହୁ, ସଂକୀର୍ତ୍ତନ ସାହୁ, ନିତ୍ୟାନନ୍ଦ ସାହୁ, ଗୌର ସାହୁ, ପଞ୍ଚାନନ ସାହୁ, ଭୋଜରାଜ ସାହୁ ଗୌନ୍ତିଆ ହୋଇ ଆସିଛନ୍ତି । ତାପରେ ତେଲି ସଂପ୍ରଦାୟର ବହୁତ ଲୋକ ଏଠାକୁ ଆସି ବସବାସ କରିଥିଲେ । ଧୀରେ ଧୀରେ ଗଉଡ଼, ବ୍ରାହ୍ମଣ, ଭଣ୍ଡାରି, କୁଲି, ହରିଜନ, ପ୍ରତ୍ୟେକ ସଂପ୍ରଦାୟର ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଲା ।

Support Samadhwani

ଲୋପମୁଦ୍ରା ପ୍ରଧାନ ଓ ଅଜା – ମାଧବ ସାହୁ

ବର୍ତ୍ତମାନ :

ଆମ ଗ୍ରାମର ଲୋକ ସଂଖ୍ୟା ପ୍ରାୟ ୪୦୦୦ । ଆମ ଗାଁ’ରେ ୭୫୦ଟି ଘର ଅଛି । ସବୁ ପ୍ରାୟ ପକ୍କା ଘର । କେତେକ ଆଂଶିକ ପକ୍କାଘର ଅଛି । ଗାଁ’ରେ ବର୍ତ୍ତମାନ କୁମ୍ଭାର, ବିଂଝାଲ୍, ସହରା, ତେଲି, ଗଉଡ଼, କୋଲ, କୁଲି, ଭଣ୍ଡାରି, ବ୍ରାହ୍ମଣ, ମାଲି, ହରିଜନ, ଚମାର ସଂପ୍ରଦାୟର ଲୋକ ବାସକରନ୍ତି । ଗାଁ’ରେ ବଢେଇ କାମ, ମାଟିପାତ୍ର, ତିଆରି, ଲୁହାକାମ, ଲୁଗାବୁଣା ହୁଏ । ଗାଁ’ର ଶେଷଦେବ ସାହୁ ବଢେଇ କାମ କରି ଜିଲ୍ଲାସ୍ତରରେ ପୁରସ୍କୃତ ହୋଇଛନ୍ତି । ଗାଁ’ର ଉତ୍ତର ପଶ୍ଚିମ ଦିଗରେ ଏକ ବିରାଟ ପ୍ରସ୍ତର ଉପରେ କୁଟେନ୍‌ ଚୁଆଁ ( କ୍ଷୁଦ୍ର କୂଅ ) ରେ ବର୍ଷସାରା ପାଣି ଥାଏ । ଏଠାରେ ଭୀମ ପାହା ଏବଂ ଭୀମ ବାଟି ଚାରିଗୋଟି ଅଛି । ଗାଁ’ରେ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ଅଛି । ପ୍ରାଥମିକରେ ୧୭୦ ଜଣ, ଉ.ପ୍ରା ୧୫୦ ଏବଂ ଉଚ୍ଚ ବିଦ୍ୟାଳୟରେ ୧୩୦ ଜଣ ଛାତ୍ରଛାତ୍ରୀ ପଢନ୍ତି । ଗାଁ’ରେ ଅତୀତରେ ଜଳର ଉତ୍କଟ ଅଭାବ ଥିଲା । ୪ କି.ମି. ଯାଇ ପାଣି ଆଣୁଥିଲେ । ଏବେ ଗାଁ’ରେ ନଳ କୂପର ବ୍ୟବସ୍ଥା ଅଛି ।

ଗାଁ’ର ବିଶିଷ୍ଟ ଲୋକମାନେ ପ୍ରତିବର୍ଷ ଅନେକ ଥର ସଭା କରି ଗାଁ’ର ଭଲମନ୍ଦ ବିଷୟରେ ଆଲୋଚନା କରନ୍ତି । ତା’ଛଡ଼ା ପ୍ରତ୍ୟେକ ସଂପ୍ରଦାୟର ଜାତିଗତ ସଂଗଠନ ରହିଛି । ଜାତିଗତ ସମସ୍ୟାର ସମାଧାନ ଏହା ଜରିଆରେ ହୋଇଥାଏ । ଏଠାରେ ଏକ ଉଲ୍ଲେଖନୀୟ ପରମ୍ପରା ରହିଛି । ବିବାହ କିମ୍ୱା ଶୁଦ୍ଧିକ୍ରିୟା ସମୟରେ ବନ୍ଧୁବାନ୍ଧବ ତଥା ପଡ଼ୋଶୀ ଏପରି ଆର୍ଥିକ ସାହାଯ୍ୟ କରନ୍ତି ଯେ, କର୍ତ୍ତା ନିକଟରେ ଟଙ୍କାଟିଏ ନଥିଲେ ବି କାର୍ଯ୍ୟ ସୁରୁଖୁରୁରେ ହୋଇଥାଏ । ବିବାହ ପାଇଁ ଲୋକେ ଚାଉଳଠାରୁ ଆରମ୍ଭ କରି ପତ୍ୟେକ ଜିନିଷ ଦେଇଥାନ୍ତି । ମୃତାହ କାର୍ଯ୍ୟରେ ସମ୍ପର୍କୀୟ ଲୋକମାନେ ଭୋଜିର ଖର୍ଚ୍ଚ ବହନ କରିଥାନ୍ତି ।

 

ଆମ ଗାଁ’ର ପର୍ବପର୍ବାଣି ଓ ଖାଦ୍ୟପେୟ:

ଗାଁ’ରେ ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ଲକ୍ଷ୍ମୀ ମନ୍ଦିର ରହିଅଛି । ତେଣୁ ରଥଯାତ୍ରା, ଜାଗର ପର୍ବ ଏବଂ ମାଣବସା ଆଦି ପର୍ବ ପାଳିତ ହୋଇଥାଏ । ପୌଷ ପୂର୍ଣ୍ଣିମାରେ ଛେର୍‌ଛେରା ପର୍ବ ପାଳିତ ହୁଏ । ପ୍ରତ୍ୟେକ ପରିବାରର ଲୋକେ ଆରିସା ପିଠା, କାକରା ପିଠା, ବିରି ବରା, ମୁଗ ବରା, ଗହମ ବରା ପ୍ରାୟ ତିଆରି କରନ୍ତି । ତା’ଛଡ଼ା ମଇଦା, ବେସନରେ ପକୋଡ଼ି, ସିଙ୍ଗଡ଼ା, ଆଳୁଚପ, ନଳୀ, ପାମ୍ପଡ, ତିଆରି କରିବାର ଦେଖାଯାଏ । ନିଜର ପଡ଼ୋଶୀମାନଙ୍କୁ ବଣ୍ଟନ କରିବାର ବିଧି ରହିଛି । ନବାନ୍ନ ସମୟରେ ଦେବାଦେବୀ ପୂଜାରେ ଖିରି, ପୁରି, ମୁଗବରା, ଅରୁଆ ଭାତ, ଡ଼ାଲି, ତରକାରୀ ରନ୍ଧା ଯାଇଥାଏ । କୁକୁଡ଼ା ବଳି ମଧ୍ୟ ଦିଆଯାଇଥାଏ । ଶ୍ରାବଣ ଅମାବାସ୍ୟାରେ ହରାଳୀ ପର୍ବ ପାଳନ କରାଯାଇଥାଏ । ଏହି ଦିନ ହଳ ଲଙ୍ଗଳ ପୂଜା କରାଯାଇଥାଏ । ବଳଦମାନଙ୍କୁ ଭାତ, ଡ଼ାଲି, କ୍ଷିରି ଖାଇବାକୁ ଦେଇଥାନ୍ତି । ଗାଁ’ର ଦେବତା ଡୁଙ୍ଗୁରୀରେ ଥିବା ଦେବୀ ପୀଠରେ ଠାକୁର ଦେବତା, ବୁଢାରଜା, ଭାତ ପରଶି, ଛେତଗେଁନ୍‌ ମାଉଳିଙ୍କୁ ହରାଳୀ, ନବାନ୍ନ, କାଦୋଯାତ୍ରା, ମାଡେନ ଯାତ୍ରା ଦିନ ପୂଜା କରା ଯାଇଥାଏ । ବଡ଼ ଡଙ୍ଗରରେ ସିଦ୍ଧବାବା ପୂଜା କରାଯାଇଥାଏ । ଗାଁ ପୋଖରୀରେ ଭାଦ୍ରବ ଅମାବାସ୍ୟା ଦିନ ସାତବହନୀ ବା କଁଟାଗୁସିଏନ ପୂଜା କରାଯାଇଥାଏ । ଗାଁ’ର ଦେବାଦେବୀ ପୀଠରେ ବଳି ଦେବାର ପରମ୍ପରା ରହିଛି । ଆଗ କାଳରେ ଏତେ ପ୍ରକାରର ଖାଦ୍ୟ ନଥିଲା । ଲୋକେ ବିବାହ ଉତ୍ସବରେ ଜଳଖିଆ ପାଇଁ ଚୂଡ଼ା, ଗୁଡ଼, ଲିଆ, ଗୋରସର ବ୍ୟବହାର କରୁଥିଲେ । ବିବାହ ଭୋଜିରେ ଭାତ, ଡ଼ାଲି, ମାଂସ ସହିତ ଜୁଖା, ଆରିସା ପିଠା ଦେଉଥିଲେ । ଆରିସା ପିଠା ପଶ୍ଚିମ ଓଡିଶାର ଏକ ଲୋକପ୍ରିୟ ପିଠା । ଭାଦ୍ରବ ମାସରେ ଲୋକେ ଧାନ ଫସଲ ପ୍ରଥମ କରି ଅମଳ କରନ୍ତି । ଚାଷୀ ମନରେ ଆନନ୍ଦ ଆସେ । ନବାନ୍ନ ଏକ କୃଷି ଭିତ୍ତିକ ପର୍ବ । ନବାନ୍ନ ଦିନ ଗାଁ ଦେବାଦେବୀ ପୀଠରେ ପ୍ରଥମେ ନୂଆଁ ଅନ୍ନରେ ଭୋଗ ଲାଗେ । ତାପରେ ଗାଁ’ରେ ଲୋକେ ନିଜ ଦେବାଦେବୀ ପୂଜା କରି ନୂଆଁ ଅନ୍ନରେ ଭୋଗ ଲଗାନ୍ତି । ଧୂମ୍‌ଧାମରେ ଖାଦ୍ୟ ପେୟର ବ୍ୟବସ୍ଥା ହୁଏ । ଘରର ସମସ୍ତେ ଏକାଠି ବସି ଖାଆନ୍ତି । ଖାଇ ସାରିବା ପରେ ଘରର ବଡ଼ ଲୋକଙ୍କୁ ସାନ ମାନେ ନମସ୍କାର କରନ୍ତି । ଉପର ବେଳା ମଜା ମଜଲିସ୍‌ର କାର୍ଯ୍ୟକ୍ରମ ହୁଏ । ପରେ ବୁଲି ବୁଲି ନୂଆଁଖାଇ ଭେଟ୍‌ଘାଟ୍‌ ହୁଅନ୍ତି । ଗାଁ’ରେ କୀର୍ତ୍ତନ ଦଳ, ମହିଳା କୀର୍ତ୍ତନ ଦଳ, ମହିଳା ଦଣ୍ଡନୃତ୍ୟ ଦଳ ରହିଛନ୍ତି । ଗାଁ’ରେ ପର୍ବପର୍ବାଣି ସମୟରେ ମହିଳାମାନେ ସମ୍ୱଲପୁରୀ ଶାଢୀ ତଥା ପୁରୁଷମାନେ ଧୋତି ଢିଲା ପରିଧାନ କରନ୍ତି । ଗାଁ’ରେ ରଥଯାତ୍ରା ସମୟରେ ପ୍ରାୟ ସବୁଘରେ ପିଠାପଣା କରନ୍ତି । ଆରିସା, ବିରିବରା, ମିଠା, ମୁଗବରା, ପକୋଡି ଇତ୍ୟାଦି କରନ୍ତି । ଆଗରୁ ଗୁଡ଼ ଚାଉଳରେ ତିଆରି ବାରଗୁଲିଆ, ହଳଦୀ ଗଣ୍ଠି, ପାଗ୍‌ଲା ବରା ହେଉଥିଲା, ଯାହା ଏବେ ଆଉ ନାହିଁ । ସକାଳେ ଆଧିକାଂଶ ଘରେ ଚା ସହିତ ଚକୁଳି ପିଠା ହୁଏ । ଚା ମୁଢି ତ ନିତିଦିନିଆଁ ଖାଦ୍ୟ । ମଧ୍ୟାହ୍ନରେ ଭାତ, ଡ଼ାଲି, ଶାଗ, ମାଛ, ମାଂସ, ତରକାରୀ ଖାଆନ୍ତି । ରାତିରେ ଭାତ, ରୁଟି, ଡ଼ାଲି ଇତ୍ୟାଦି ଖାଇଥାନ୍ତି ।

ଆଗକାଳରେ ମାଣ୍ଡିଆ ଟିଖିରି, କୋଦ ଟିଖିରି, ଜଙ୍ଗଲି ଛତୁ, ମହୁଲ ସିଝା, ଫେନ୍‌ ଶାଗ, କରଡ଼ି, ହେଣ୍ଡୁଆ ଖାଉଥିଲେ । ଗୁଡ଼ର ବ୍ୟବହାର ଥିଲା । ଏବେ ଖାଦ୍ୟପେୟରେ ଅଧିକ ତେଲ ମସଲାର ବ୍ୟବହାର ହେଲାଣି । ମାଣ୍ଡିଆ, କୋଦର ବହୁଳ ବ୍ୟବହାର ଥିଲା । ଏବେ ପୁଣିଥରେ ଲୋକେ ଚାଷ କରି ଖାଉଛନ୍ତି । ଆମ ମାଁ’ମାନେ ସୁଆଁଳି ପିଠା, ଆରିସା ପିଠା, ମଣ୍ଡା ଇତ୍ୟାଦି ପାରମ୍ପରିକ ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ ଠିକ୍‌ ଭାବେ ଜାଣିଛନ୍ତି । ସେମାନେ ଚାଉଳ ଚୂନା ଓ ଗୁଡ଼ ବ୍ୟବହାର କରି ଜତନି ତିଆରି କରି ତେଲରେ ଛାଣନ୍ତି । ଆରିସା ପିଠା ଦୀର୍ଘ ଦିନ ଧରି ରଖି ଖାଆନ୍ତି । ଆଜି କାଲିର ଝିଇ ବୋହୂ ମାନେ ଚୂନା ବଦଳରେ ସୁଜି ପିଠଉରେ ଏହି ସବୁ ଖାଦ୍ୟ ତିଆରି କରୁଛନ୍ତି । ମଇଦା, ସୁଜି, ବେସନ, ଅଟା ବ୍ୟବହାର କରି ମଣ୍ଡା, ସୁଆଁଳି, ଲଡୁ, ଗଜା, କାଳସେଇ ଇତ୍ୟାଦି ତିଆରି କରୁଛନ୍ତି । ଆଜିକାଲି ଖାଦ୍ୟ ବଦ୍‌ହଜମି, ସୁଗର, ବ୍ଲଡ୍‌ପ୍ରେସର, ଦୃଷ୍ଟିଶକ୍ତି ହୀନତା ଜ୍ୱର ଆଦି ରୋଗ ଅଧିକ ମାତ୍ରାରେ ଦେଖାଯାଏ । ଲୋକେ ଚିକିତ୍ସା ପାଇଁ ଡ଼ାକ୍ତରଖାନା ଯାଆନ୍ତି । ଗାଁ’ରେ ଆୟୁର୍ବେଦିକ ଚିକିତ୍ସାଳୟ ଏବଂ କ୍ଲିନିକ ରହିଅଛି । ଗାଁ’ରେ ବସନ୍ତ, ହଇଜା, ଆଗରୁ ବେଶୀ ପରିମାଣରେ ହେଉଥିଲା ଯାହା ଏବେ ଆଉ ନାହିଁ ।

ଚାଷବାସ:  

ଗାଁ’ରେ ଧାନ, ମୁଗ, ବିରି, ମାଣ୍ଡିଆ, ବାଜରା, ମକା, ପନିପରିବା ଚାଷ ହୁଏ । ଧାନ ଚାଷ ଅଧିକ ହୋଇଥାଏ । ଗାଁ’ରେ ୨୦୦୦ ଏକର ଚାଷ ଜମି ଅଛି । ତା’ଛଡ଼ା ବହୁପରିମାଣରେ ଚାଷ ଅନୁପଯୋଗୀ ଜଙ୍ଗଲ ଜମି ଅଛି । ଚାଷ ପାଇଁ ବର୍ଷାଜଳ ଉପରେ ନିର୍ଭର କରନ୍ତି । ଗାଁ’ର ପ୍ରାୟ ୨୦ ଜଣ ଚାଷୀ ଗଭୀର ନଳକୂପ ଖନନ କରି ଉଭୟ ଋତୁରେ ଚାଷ କରୁଛନ୍ତି । ଗାଁ’ର ପ୍ରାୟ ୪୦୦ ଜଣ ଲୋକ ବାହାର ରାଜ୍ୟକୁ ଯାଇ କାମ କରୁଛନ୍ତି । ତାମିଲନାଡୁ, ଗୁଜୁରାଟ, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଯାଇ ଇଟାଗଢିବା, ବଢେଇକାମ, ସୁତା ମିଲରେ କାମ କରୁଛନ୍ତି । ବର୍ତ୍ତମାନ ଯେତେ ପରିମାଣରେ ଧାନ ଚାଷ ଜମି ଅଛି, ପୂର୍ବେ ଏତେ ପରିମାଣରେ ନଥିଲା । ଅଧିକାଂଶ ପଡିଆ ଜମି ଥିଲା । ତେଣୁ ଆଗକାଳରେ ଧାନ ଚାଷ କମ୍‌ ହେଉଥିଲା । ଏପରିକି ଲୋକଙ୍କୁ ଚାଉଳର ଅଭାବ ପଡୁଥିଲା । ପଡିଆ ଜମି ଗୁଡିକରେ କୁଦୋ, ମାଣ୍ଡିଆ, ଗୁର୍‌ଜି, ମୁଗ, ବିରି, ଚୀନାବାଦାମ, କୋଳଥ, ହରଡ, ରକ୍‌ସି ( ବାଜରା ଜାତୀୟ ) ଚାଷ କରୁଥିଲେ । ଗୁରଜୀ ପିଠା ଲୋକଙ୍କର ଏକ ଭଲ ଜଳଖିଆ ଥିଲା । ଲୋକେ କୁଦୋ ଭାତ ଅନେକ ସମୟରେ ଖାଉଥିଲେ । ଲୋକେ ଭାତର ଅଭାବ ମେଣ୍ଟାଇବା ପାଇଁ ମହୁଲ ସିଝା, ମହି ମୁଢି, ଉଖୁଡ଼ା ଇତ୍ୟାଦି ଖାଇଥିଲେ । ଆଖୁ ଚାଷ ହେଉଥିଲା । ଲୋକେ ଗୁଡର ବ୍ୟବହାର କରୁଥିଲେ । ଆଟ ଜମିରେ କନ୍ଧମୂଳ ଚାଷ କରାଯାଉଥିଲା । ତାକୁ ନିଆଁରେ ପୋଡ଼ାଇ ବା ସିଝାଇ ଜଳଖିଆ ଆକାରରେ ଖାଇଥିଲେ । ବାସି ପଖାଳ ଲୋକଙ୍କର ପ୍ରିୟ ଖାଦ୍ୟ ଥିଲା । ଏହି ଖାଦ୍ୟ ସବୁ ଏବେ ଆଉ ନାହିଁ । ଏବେ ଲୋକମାନେ ଚାଉଳ ବିରିରେ ତିଆରି ପିଠା ଖାଉଛନ୍ତି । ସୁଜି, ମୁଢି, ଚା ଲୋକେ ଜଳଖିଆ ଆକାରରେ ଖାଉଛନ୍ତି । ଭାତ, ରୁଟି, ଲୋକଙ୍କର ମୁଖ୍ୟ ଖାଦ୍ୟ । ଏବେ ମାଛ, ବ୍ରଏଲର ମାଂସ ଅଧିକ ବ୍ୟବହାର କରୁଛନ୍ତି । ଆଗ କାଳରେ ଲୋକେ ମଦ ସହିତ ଗୋରସ, ପିଠା, ମୁଢି, ଗୁଡ଼ ଆଦି ଖାଦ୍ୟ ଖାଉଥିଲେ । ଦୀର୍ଘ ଜୀବି ଥିଲେ । କିନ୍ତୁ ଏବେ ମଦ ପିଉଛନ୍ତି, କିନ୍ତୁ ଖାଦ୍ୟ ଖାଉ ନାହାନ୍ତି । ମଦର ସୀମା ଡେଉଁଯାଉଛି । ଆଗ ମଦ ପିଇ ଲୋକେ ଶରୀରକୁ ସୁସ୍ଥ ରଖି ପାରୁଥିଲେ ।

ଗାଁ ଲୋକମାନଙ୍କର ଖାଦ୍ୟ ପୂର୍ବାପେକ୍ଷା ଅନେକ ବଦଳିଛି କାରଣ ପୂର୍ବେ ଯେଉଁସବୁ ଫସଲ ହେଉଥିଲା ଏବେ ସେସବୁ ଫସଲ ପ୍ରାୟ ଲୋପ ପାଇଗଲାଣି । ଗୁର୍‌ଜୀ, ମାଣ୍ଡିଆ, କୋଦ, କନ୍ଦମୂଳ, ଏବେଆଉ ଭଲ ଭାବେ ମିଳୁନାହିଁ । ବାସି ପଖାଳ ଥିଲା । ଏସବୁ ଖାଦ୍ୟ ଅଭାବରେ ଆଜି ଲୋକେ ସୁସ୍ଥ ରହିପାରୁ ନାହାନ୍ତି । ମହୁଲ ସିଝା ହଜମି ଭଳି କାମ କରୁଥିଲା । କିନ୍ତୁ ଏବେ ଆଉ ନାହିଁ । ଏବେ ଲୋକେ ଧାନ ଚାଷ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ପୁଣି କପା ଅର୍ଥକାରୀ ଫସଲ ଭାବେ କରୁଛନ୍ତି । ଚୀନାବାଦାମ, ମୁଗ, ବିରି, ମକା, ମାଣ୍ଡିଆ ବେଶୀ କରୁନାହାନ୍ତି ।

ଗାଁ ପରିବେଶ:

ଗାଁ’ର ଚାରିପାଖରେ ପାହାଡ଼ିଆ ଅଞ୍ଚଳ ରହିଅଛି । ବୃକ୍ଷଲତା ଅଧିକ ଥିବାରୁ ଏଠାରେ ବର୍ଷା ଭଲ ଭାବରେ ହେଉଥିବାର ଅନୁମାନ କରାଯାଏ । ଏଠାରେ ପର୍ଣ୍ଣମୋଚୀ ଜଙ୍ଗଲ ରହିଅଛି । ଜଙ୍ଗଲରେ ସାଗୁଆନ, ସେଣା, ମହୁଲ, ଚାରକୋଳି, ନିମ୍ୱ, ଶାଳ, ପିଆଶାଳ, ଭେଲୁଆଁ, ହରିଡ଼ା, ବାଉଁଶ ଗଛ ରହିଅଛି । ମହୁଲ ଗଛରୁ ମହୁଲ ସଂଗ୍ରହ କରି ଲୋକେ ଆରାମରେ ଚଳିଯାଉଛନ୍ତି । ଚାର, କେନ୍ଦୁପତ୍ର, ହରିଡ଼ା, ଚକଡ଼ା ମଞ୍ଜି ସଂଗ୍ରହ କରି ଲୋକେ ବେଶ୍‌ ଦୁଇ ପଇସା ରୋଜଗାର କରନ୍ତି । ଗାଁ’ରେ ଭେରୁଁ, ମହାନିମ୍ୱ ଗଛ ଆଗ ବେଶୀ ଥିଲା । ଏବେ ଆଉ ନାହିଁ । ଗାଁ’ର ପରିବେଶ ସୁରକ୍ଷିତ ରହିଛି । ଜଙ୍ଗଲରେ ବାର୍‌ହା, ଭାଲୁ ରହୁଥିବାରୁ ଲୋକେ ଜଙ୍ଗଲରକୁ ବେଶୀ ନଷ୍ଟକରି ପାରୁ ନାହାନ୍ତି । ଗାଁ’ରେ ଚାରଣଭୂମି ବହୁପରିମାଣରେ ଥିଲେ ମଧ୍ୟ ଲୋକେ ଗୋମିଷାଦି ପଶୁ ବେଶି ରଖୁନାହାନ୍ତି । କେବଳ ଛେଳି ବହୁସଂଖ୍ୟାରେ ପାଳୁଛନ୍ତି । ଆମ ଜଙ୍ଗଲରେ ମୈନା, ଲୁଆ ପକ୍ଷୀ ଦେଖାଯାନ୍ତି । ଗାଁ’ରେ ଲୋକେ ଗଛ କାଟି ଜାଳେଣି ତଥା ଘର ତିଆରି କରୁଛନ୍ତି । ବଳଦଙ୍କୁ ଚାଷ କାମରେ ବ୍ୟବହାର କରନ୍ତି । ଛେଳି, ମେଣ୍ଢା, କୁକୁଡ଼ା ମାଂସ ପାଇଁ ରଖନ୍ତି । ଗାଁ’ରେ ମହୁଲ ଗଛକୁ ବିଶେଷ ଗୁରୁତ୍ୱ ଦିଆଯାଏ । କାରଣ ମହୁଲ ଗଛରୁ ମହୁଲ ଓ ଟୋଲ ଅମଳ ହୋଇଥାଏ । ମରୁଡି ହେଲେ ମଧ୍ୟ ସେମାନେ ଏଥିପାଇଁ ଚଳି ଯାଆନ୍ତି । ତେଣୁ ମହୁଲ ଗଛ କାଟନ୍ତି ନାହିଁ । ମହୁଲରୁ ତିଆରି ମଦ ଏକ ନିଶା । ନିଶା ନ ହେଲେ ନାଚଗୀତ ହୁଏ ନାହିଁ । ତେଣୁ କରମା ପୂଜାରେ ମଦର ବ୍ୟବହାର ହୋଇଥାଏ । ମଦ ପିଇ କରମ୍‌ଶାନୀ ପୂଜା କରି ଲୋକେ ଚର୍ତୁବର୍ଗ ଫଳ ପ୍ରାପ୍ତି ହୁଏ ବୋଲି କହନ୍ତି । ଆମ ଗାଁ’ରେ ଘରଚଟିଆ, ମଇନା, ଚିଲ, ଶାଗୁଣା, ଶୁଆ, ଶାରୀ, ବିଲୁଆ ପରି ପଶୁପକ୍ଷୀ ବର୍ତ୍ତମାନ ଲୁପ୍ତ ପ୍ରାୟ । ପାଳ ତିଆରି ଘରରେ ଚଟିଆ ଠିକ୍‌ ଭାବେ ରହୁଥିଲେ ଏବେ ଯାହା ନାହିଁ । ଏହି ସବୁ ପଶୁପକ୍ଷୀ ବହୁସଂଖ୍ୟାରେ ଥିଲେ । ଜଙ୍ଗଲ କ୍ଷୟ ହେତୁ ଶୁଆଶାରୀ ନାହାନ୍ତି । ମଲା ଜାବଜନ୍ତୁ ଅଭାବରେ ଶାଗୁଣା ନାହିଁ । କୀଟନାଶକର ପ୍ରୟୋଗ ଦ୍ୱାରା ଅନେକ ପଶୁପକ୍ଷୀ ଲୁପ୍ତ ହୋଇଯାଉଛନ୍ତି । ବର, ପିପ୍‌ପଳ, ପାଁକେଳ, ଡିମ୍ୱିରି, ଜାମୁକୋଳି ଗଛ ପ୍ରତି ଲୋକଙ୍କର ଆଦର ନାହିଁ । ପରିବେଶ ପଶୁପକ୍ଷୀଙ୍କୁ ସୁହାଇଲା ଭଳି ନାହିଁ । ଆମ ଗାଁ’ରେ ଅବସ୍ଥିତ ଜଙ୍ଗଲ ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଆମେ ଭଲ ପବନ ପାଉ । ଜଙ୍ଗଲରୁ ମହୁଲ, ଟୋଲ ସଂଗ୍ରହ କରି ବିକ୍ରି କରନ୍ତି ଓ ଭଲ ଭାବରେ ଚଳି ପାରନ୍ତି । ଚାରକୋଳି ମଞ୍ଜି, କେନ୍ଦୁପତ୍ର, ହରିଡ଼ା, ଚକଡ଼ା ମଞ୍ଜି, ତେନ୍ତୁଳି, ବାହାଡ଼ା, ଅଁଳା, କରଡି ବିକି ଲୋକେ ଦି ପଇସା ରୋଜଗାର କରନ୍ତି । ତ୍ରିଫଳା ଚୂର୍ଣ୍ଣ ବିଷୟରେ ଲୋକେ ଜାଣନ୍ତି । ଆୟୁର୍ବେଦୀୟ ଔଷଧ ରୋଗକୁ ସମୂଳେ ନାଶ କରେ ଏହା ଗାଁ ବଇଦ କହନ୍ତି ।

ଗାଁ’ରେ ଲୋକସଂଖ୍ୟା ଦିନକୁ ଦିନ ବଢିଲେ ମଧ୍ୟ ଗାଁ ଲୋକଙ୍କୁ ଏବେ ଗାଁ’ର ପରିବେଶ ବଦଳିବାର ଦେଖାଯାଉ ନାହିଁ । ପୂର୍ବ ଭଳି ଲୋକେ ଠିକ୍‌ ଭାବରେ ଚଳୁଛନ୍ତି । ଗାଁ’ରେ ଜଙ୍ଗଲ ଜଗୁଳିଆ ରହୁଛନ୍ତି । ତେଣୁ ଜଙ୍ଗଲର ସୁରକ୍ଷାରେ କିଛି ବାଧା ହେଉନାହିଁ । ସରକାରୀ ସ୍ତରରେ ଗଛ ଲଗାଇବା ଜଙ୍ଗଲର ଚାରିପଟେ ନାଳ ଖୋଳିବା କାମ ଠିକ୍‌ଭାବେ ଚାଲିଛି । ଲୋକେ ଜଙ୍ଗଲର ସୁରକ୍ଷାପାଇଁ ଏକମତ । ଗାଁ’ର ଉତ୍ତର ପଶ୍ଚିମ ଦିଗରେ କୁଟେନ୍‌ ପାହାଡ଼ର ତଳ ଦେଶରେ ଏକ ବିରାଟ ପ୍ରସ୍ତର ଉପରେ କୁଟେନ୍‌ ଚୂଆଁ, ଭୀମ ବାଟି, ଭୀମ ପାହା ରହିଅଛି । କୂଅଟି କମ୍‌ ଓସାରିଆ ଏବଂ ଗଭୀର । ଏଥିରେ ବର୍ଷସାରା ପାଣି ରହିଥାଏ । ଏହା ଏକ ପର୍ଯ୍ୟଟନ ସ୍ଥଳୀ ହେବା ଉଚିତ । ଦିନକୁ ଦିନ ଗାଁ ଉନ୍ନତି ଆଡକୁ ଯାଉଥିବା ଲକ୍ଷ୍ୟ କରାଯାଉଛି ।

ସମସ୍ୟା ଓ ସମାଧାନ:

ଗ୍ରାମର ଉନ୍ନତି ନିମନ୍ତେ ବିଶିଷ୍ଟ ଲୋକମାନେ ବିଭିନ୍ନ ସମୟରେ ସଭାର ଆୟୋଜନ କରିଥାନ୍ତି । ତା’ଛଡ଼ା ପ୍ରତ୍ୟେକ ସଂପ୍ରଦାୟର ସଂଗଠନ ରହିଛି । ସେମାନେ ଜାତିଗତ ସମସ୍ୟା ସମାଧାନ କରନ୍ତି । ଏଠାରେ ବିବାହ ଏବଂ ଶୁଦ୍ଧିକ୍ରିୟା ସମୟରେ ଏକ ଉଲ୍ଲେଖନୀୟ ପରମ୍ପରା ଦେଖାଯାଏ । ବିବାହ ସମୟରେ ବନ୍ଧୁବାନ୍ଧବ ତଥା ପଡୋଶୀ ଏପରି ଆର୍ଥିକ ସାହାଯ୍ୟ କରନ୍ତି ଯେ କର୍ତ୍ତା ନିକଟରେ ଟଙ୍କାଟିଏ ନଥିଲେ ବି ବିବାହ କାର୍ଯ୍ୟ ସୁରୁଖୁରୁରେ ହୋଇଥାଏ । ଲୋକେ ଚାଉଳ, ଡ଼ାଲି, ତେଲ, ଚିନି, ମାଛ, ମାଂସ, କଂସାବାସନ ଚାନ୍ଦା ଆକାରରେ ଦେଇଥାନ୍ତି । ଶୁଦ୍ଧିକ୍ରାୟାରେ ମଧ୍ୟ ତଦ୍ରୁପ ସାହାଯ୍ୟ କରନ୍ତି ।

ଗାଁ’ରେ ସାପ୍ତାହିକ ବଜାର ପ୍ରତି ବୁଧବାର ଦିନ ବସେ । ଲୋକେ ପନିପରିବା, ବିକ୍ରିକରିବାକୁ ନିଅନ୍ତି । ଧାନ, ମହୁଲ, ଟୋଲ, ଚାର, ହରିଡ଼ା, ଚକଡ଼ା ମଞ୍ଜିକୁ ଗ୍ରାମ୍ୟ ବ୍ୟବସାୟୀଙ୍କଠାରେ ବିକ୍ରି କରନ୍ତି । ବିବାହ ସାମଗ୍ରୀ କିଣିବା ପାଇଁ ଦୂର ଯାଗାକୁ ଯିବାକୁ ପଡେ । ଗାଁ’ର ପ୍ରାୟ ୨୦୦ ଜଣ ଲୋକ ବିଭିନ୍ନ ବ୍ୟବସାୟ କରି ଚଳୁଥିବାର ଦେଖାଯାଏ । ବଜାରରୁ ଲୁଗାପଟା, ଫେନ୍‌ସି ଜିନିଷ, କିରାନା ସାମାନ, କଂସାବାସନ, ଲୁହା ସାମଗ୍ରୀ ଇତ୍ୟାଦି ଲୋକେ କିଣନ୍ତି । ମହୁଲ, ଟୋଲ ଅଧିକ ପରିମାଣରେ ହେଉଥିବାରୁ ବାହାର ବେପାରୀ ଆସି ଏଠାରୁ କିଣି ନିଅନ୍ତି । ଏହାଦ୍ୱାରା ଗାଁ ବ୍ୟବସାୟୀଙ୍କୁ କିଛି ଅସୁବିଧା ହୁଏ ନାହିଁ ।

ମୁଁ ଆମ ଗାଁ’ର ବୟସ୍କ ତଥା ମୋ ଅଜା, ମାଧବ ସାହୁ ଯାହାଙ୍କ ବୟସ ୭୫ ବର୍ଷ, ସେମାନଙ୍କ ନିକଟରୁ ଏହିସବୁ ତଥ୍ୟ ସଂଗ୍ରହ କରିଛି । ଆମ ଗାଁ’ର ଅତୀତର ଗୋଟିଏ ଗପ ମଧ୍ୟ ସଂଗ୍ରହ କରିଛି ।

 ଅତୀତର ବୈଦ୍ୟ (ଗାଁ’ର ଅତୀତର ଗୋଟିଏ ଗପ)

ଆମ ଗାଁ’ର ନାମ ଭୁବନେଶ୍ୱରପୁର । ପୂର୍ବରୁ ଏହାର ନାମ ଥିଲା କୁଦୋଗୁଡ଼ା । ତା ଆଗରୁ ଏଇ ସ୍ଥାନଟି ଥିଲା ଜଙ୍ଗଲ, ପାହାଡ, ପର୍ବତମୟ । ଖରା ମାସ ଖେମଡା ଗାଁର କେତେ ଜଣ କୁମ୍ଭାର ଲୋକ ବୁଲି ବୁଲି ଏଠାରେ ପହଞ୍ଚି ଥିଲେ । କୁରେଇ ଗଛର ଫୁଲର ମହକରେ ତାଙ୍କ ମନ ଆନନ୍ଦିତ ହୋଇଉଠିଥିଲା । ସେମାନେ ଜାଣିଥିଲେ ଯେ, ଏହି ଗଛର ଛାଲି ସ୍ତ୍ରୀ ମାନଙ୍କର ମାସିକ ଧର୍ମର ଏକ ଔଷଧ । ତା ଛଡା ଅନେକ ଔଷଧୀୟ ବୃକ୍ଷ ସେମାନଙ୍କ ନଜରକୁ ଆସିଥିଲା । ସେମାନେ ଦେଖିଲେ ରେଙ୍ଗାଲ ଗଛ ତଳେ ରେଙ୍ଗାଲ ମଞ୍ଜି ପଡିଛି । ଚାର, କେନ୍ଦୁ, ଭେଲୁଆଁ, ଆମ୍ୱ, ଜାମୁକୋଳି, ଖଜୁରୀ, ଡିମିରି, ଅଁଳା, ହରିଡା, ବାହାଡା ଗଛ ଗୁଡିକ ଫଳରେ ପରିପୂର୍ଣ୍ଣ । ସେମାନେ ଏହି ସବୁ ଫଳ ପେଟ ପୁରା ଖାଇ ଏକ ପଥର ଚଟାଣ ଉପରେ ଦେଖିଲେ ଏକ ଛୋଟ କୂଅ ଯେଉଁଥିରେ ପାଣି ଅଛି । ଏହା ବର୍ତ୍ତମାନର କୁଟେନ୍‌ ଚୂଆଁ । ପାଣି ପିଇଲେ ସେମାନେ ସ୍ଥାନଟିର କିଛି ଗୋଟିଏ ମହିମା ଉପଲବ୍‌ଧି କଲେ । ଏହି ଅଞ୍ଚଳର ପରିବେଶ ତାଙ୍କୁ ଖୁବ୍‌ ଭଲ ଲାଗିଲା । ଘରକୁ ଫେରିବା ବାଟରେ ସେମାନେ ଏହି ସ୍ଥାନରେ ଘର ତିଆରି କରି ରହିବାକୁ ମନସ୍ଥ କଲେ । ପରେ ୮ଟି ପରିବାର ଏଠାକୁ ଆସି ଜଙ୍ଗଲ ସଫାକରି ବସତି ସ୍ଥାପନ କରିଥିଲେ । ସେମାନେ ବହୁସଂଖ୍ୟାରେ ଗାଈଗୋରୁ, ଛେଳିମେଣ୍ଢା ପାଳନ କଲେ । ଧାନ ଚାଷ ସାଙ୍ଗକୁ କୋଦ, ମାଣ୍ଡିଆ ଚାଷ କଲେ । ମହୁଲ ତଥା ଅନ୍ୟାନ୍ୟ ଶୁଖିଲା ଫଳକୁ ସାଇତି ରଖିଲେ । ହିଂସ୍ର ଜନ୍ତୁଙ୍କ ପ୍ରତି ସଜାଗ ରହିଲେ । ତାଙ୍କର ନିତିଦିନିଆ ଖାଦ୍ୟ ଥିଲା କୋଦଭାତ, ମହୁଲ ସିଝା, ମାଣ୍ଡିଆ ଜାଉ ତଥା ଶୁଖିଲା ଫଳମୂଳ । ଘିଅ, ଷୋରିସ, ଦହି, ମହି, ଖିରସା, ମହୁ, ମୁଢି ଯଥେଷ୍ଟ ଖାଇବାକୁ ପାଉଥିଲେ । ସେମାନେ ସୁସ୍ଥ ସବଳ ଓ ଦୀର୍ଘ ଜୀବୀ ଥିଲେ । ବୃକ୍ଷ ଗୁଡିକର ଔଷଧୀୟ ଗୁଣ ଜଣାଥିଲା । ଅନେକ ସମୟରେ କଉ (ଅର୍ଜୁନ), ନିମ୍ୱ, ମହାନିମ୍ୱ, ଆମ୍ୱ, ଜାମୁକୋଳି, ମହୁଲ ତଥା ଅନ୍ୟାନ୍ୟ ଛେଲିକୁ ଆଣି ସିଝାଇ ସମସ୍ତେ ପିଉଥିଲେ । ଏହା ରକ୍ତ ସଫାକାରୀ, ହୃତ୍‌ରୋଗ ତଥା ହଜମୀର ଔଷଧ । ଘିଅ, ମହୁ ହେଉଛି ଜ୍ୱରର ମହୌଷଧୂ । ସେମାନେ ଅନେକ ସମୟରେ ଘାଣ୍ଟ ପିଠା, ଆରିସା, କାକରା, ମଣ୍ଡା, ବରା ଇତ୍ୟାଦି ଖାଉଥିଲେ । ମୁଗ ଡାଲିକୁ ବାଟି ଗୁଡ଼ ମିଶାଇ ତେଲରେ ଛାଣୁଥିଲେ ଏବଂ ଗୋରସରେ ପକାଇ ଖାଉଥିଲେ । ଏହାକୁ ଦୁଧୁରା କୁହାଯାଉଥିଲା ଯାହା ବର୍ତ୍ତମାନ ନାହିଁ । ସେମାନଙ୍କର ନିତିଦିନିଆଁ ଖାଦ୍ୟକୁ ଆମେ ବର୍ତ୍ତମାନ ଭିଟାମିନ୍‌ କହୁଛୁଁ । ଅତୀତର ଯୁଗକୁ ଘି ମହୁର ଯୁଗ କୁହାଯାଉଥିଲା । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଘି ମହୁର ସେବନ ବିଧି ରହିଛି । ମୋଟାପଣ ଦୂର କରିବାକୁ ମହୁର ବ୍ୟବହାର ରହିଛି । ଘି ମହୁ ବିନା ଉତ୍ତମ ସ୍ୱାସ୍ଥ୍ୟ ଅସମ୍ଭବ । ଘି ମହୁକୁ ବୈଦ୍ୟଙ୍କ ସହିତ ତୁଳନା କରାଯାଇଛି । ଘି ମହୁକୁ ଅତୀତର ବୈଦ୍ୟ କୁହାଯାଇଛି । ମୁଁ ଅନୁଭବ କଲି ଯେ, ଗାଁର ଇତିହାସ ଲେଖିବା ଅର୍ଥ ଗାଁର ଯଶ, ଖ୍ୟାତି, ଚାଲିଚଳଣି, ଐତିହ୍ୟ, ପରମ୍ପରା, ସଂସ୍କୃତିକୁ ଲୋକ ଲୋଚନକୁ ଆଣିବା ଏବଂ ପ୍ରଚାର ପ୍ରସାର ଫଳରେ ଗାଁର ମର୍ଯ୍ୟାଦା ବୃଦ୍ଧି କରିବା । ଗାଁର ବିଭିନ୍ନ ପରିବାର ପାଖକୁ ଯାଇ ମିଳିମିଶି କରିବା ଫଳରେ ମୋର ନିଜର ବ୍ୟବହାରରେ ଅନେକ ପରିବର୍ତ୍ତନ ଆସିଛି । ଲୋକଙ୍କଠାରୁ ନିଜର ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିବା ପାଇଁ ବିଭିନ୍ନ ଉଦାହରଣ ଉପସ୍ଥାପିତ କରିବାର ଶୈଳୀ ବିଷୟରେ ଅନୁଭୂତି ହେଲା । ସଙ୍ଗେସଙ୍ଗେ ନିଜର ଭବିଷ୍ୟତ ଭନ୍ନତି ପାଇଁ ମାର୍ଗ ବିଚ୍ଛେବାର ଅନୁଭୂତି ହେଲା । ଏହା ଲେଖିବାରୁ ମୋତେ ବହୁତ ଭଲ ଲାଗିଲା । ଯେଉଁ ଯେଉଁ ତଥ୍ୟ ମୁଁ ମୋ ଗାଁ ବିଷୟରେ ଜାଣିନଥିଲି ତାହା ଜାଣିଲି ଏବଂ ଗାଁ ବିଷୟରେ ଅନେକ ନୂଆଁ ନୂଆଁ କଥା ଜାଣିବା ଶୁଣିବାରେ ବହୁତ ଖୁସି ଲାଗିଲା । ବହୁତ ଖୁସି ଲାଗିଲା ଏହା ଜାଣିବାରେ କି ଆମ ଗାଁର ନାମ ଏମିତି କେମିତି ହେଲା । ମୁଁ ସ୍ୱୟଂପ୍ରଭା ମେମ୍‌ କୁ ଧନ୍ୟବାଦ କହୁଛି କି ସେ ଏ କାର୍ଯ୍ୟକୁ ଆରମ୍ଭ କଲେ ଓ ସେ ଏହି କାର୍ଯ୍ୟରେ ସୁଫଳ ପାଆନ୍ତୁ ବୋଲି ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ।

ଆମ ଗାଁ ଭୁବନେଶ୍ୱରପୁର ପାଇଁ ମୁଁ ଗୋଟିଏ କବିତା ମଧ୍ୟ ଲେଖିଛି:

ଏଇ ମୋର ଗାଆଁଟି
ଭୁବନେଶ୍ୱରପୁର ତା ନାଆଁ
କେଡେ ସୁନ୍ଦର ତା ମାଟି ।୦।

ପାହାଡ ଘେରା       ଗାଆଁଟି ମୋର
ଗଛ ରହିଛି            ନାନା ଜାତିର
ମହୁଲ ଗଛ           ଜୀବନ ପୋଷା
ଅଭାବ ଏଠି ନାହିଁ ଟି ।୧।

ଗାଆଁ ମୁରବି          ଗାଆଁର ହିତେ
ସଭା କରନ୍ତି           କେତେ ଯେ କେତେ
ସଭିଏଁ ଲୋକ         ପାଆନ୍ତି ତାର
ସୁବିଧା ବଡ ହିତ ଟି ।୨।

କୁଟୁମ୍ୱ ପରି-          ପୋଷଣ ପାଇଁ
ପରିବେଶ ଯେ        ଉତ୍ତମ ହୋଇ
ଦୂର ଜାଗାର          ଅନେକ ଲୋକ
କରନ୍ତି ଏଠି ବସତି ।୩।

ବିବାହ ବ୍ରତ           ମୃତାହ କାର୍ଯ୍ୟେ
ସହଯୋଗର         ସୁଅ ଯେ ଛୁଟେ
ସୁରୁଖୁରୁରେ          କାମ ଯେ ଚଳେ
ଅଭାବନୀୟ ପ୍ରଥାଟି ।୪।

ବର୍ହା, ଭାଲୁର         ଆଶ୍ରୟ ସ୍ଥଳ
ସର୍ପ ଅଛନ୍ତି           ମାଳକୁ ମାଳ
ହିଂସ୍ର ଜନ୍ତୁଙ୍କୁ          ଭୟ ନ କରି
ସୁଖରେ ଦିନ କାଟନ୍ତି ।୫।

Share This Article
Student Historian (Bhubaneswarpur High School, Bhubaneswarpur, Paikmal, Baragarh)