କିଛି ଗାଁ’ କିଛି ଅନୁଭୂତି : “ଜାମସେଠ୍”

Swayamprava Parhi
Swayamprava Parhi 224 Views
26 Min Read

ଜାମସେଠ୍ ଗାଁ’ର ଇତିହାସ ଓ ସଂସ୍କୃତି ଲେଖିବା ସମୟର ଅନୁଭୂତି ପାଇକମାଳ ବ୍ଲକର ଜାମସେଠ ହାଇସ୍କୁଲର ଆଉଜଣେ ଛାତ୍ରୀ ହେଉଛନ୍ତି ଲିଜା ପ୍ରଧାନ । ଲିଜା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,ଜାମସେଠରେ ଦଶମ ଶ୍ରେଣୀରେ ପାଠ ପଢନ୍ତି । ତାଙ୍କ ଗ୍ରାମର ନାମ ଜାମସେଠ୍ । ଆମ ଭିଲେଜ ହିଷ୍ଟ୍ରି ଟିମ ଠାରେ ତାଙ୍କ ଗାଁ ଦେଖିବା ପାଇଁ ଯାଇଥିଲା । ଖୁବ ବଡ ଗାଁ’ ଜାମସେଠ । ଗାଁ ଭିତରକୁ ପଶିବା ବେଳେ ରାସ୍ତାରେ ଆମେ ଅନେକ ଜାମୁକୋଳି ଗଛ ଦେଖିଲୁ । ଗାଁ ଭିତରେ ଗୋଟିଏ ବଡ ଦେବୀ ମନ୍ଦିର । ଲିଜା କହିଲେ ମ୍ୟାମ ଆପଣ ଆମ ଗାଁ’କୁ ଦୀପାବଳି ପର ଦିନ ଆସିବେ ଦେଖିବେ ଏଠି କେତେବଡ଼ ମେଲ ଲାଗିବ । ଯଦିଓ ଆମେ ଦୀପାବଳି ପରେ ଆଉ ତାଙ୍କ ଗାଁ’କୁ ଯାଇପାରି ନଥିଲୁ । ଆମ ଟିମର ଅନ୍ୟତମ ଭିଡ଼ିଓ ଏକ୍ସପର୍ଟ ଉମେଶ ଚନ୍ଦ୍ର ବିଶ୍ଵାଳ କିନ୍ତୁ ତାଙ୍କ ଗାଁ’କୁ ଦୀପାବଳି ପରେ ଯାଇଥିଲେ ଓ ଗାଁର ସଂସ୍କୃତିକ କାର୍ଯ୍ୟକ୍ରମକୁ ଭିଡ଼ିଓ ରେକର୍ଡ଼ କରିବାପାଇଁ ଲିଜାଙ୍କୁ ଉତ୍ସାହିତ କରିଥିଲେ । ଲିଜା ନିଜର ଗାଁ ଇତିହାସ ଲେଖିବା ସମୟର ଅନୁଭୂତିକୁ ପ୍ରକାଶ କରି ଯାହା ଲେଖିଛନ୍ତି ଏଠାରେ ପ୍ରକାଶ କରାଯାଇଛି । 

Support Samadhwani

ଜାମସେଠ୍ ଗାଁ’ର ଇତିହାସ ଓ ସଂସ୍କୃତି ଲେଖିବା ସମୟର ଅନୁଭୂତି

ମୋର ନାମ ଲିଜା ପ୍ରଧାନ I ମୁଁ ଦଶମ ଶ୍ରେଣୀର ଛାତ୍ରୀ ଓ ଜାମସେଠ୍ ସ୍କୁଲରେ ପାଠ ପଢ଼େ I ଦିନେ ଆମ ସ୍କୁଲରେ ସାର ଓ ମାଡାମ ମାନେ ଆସିଥିଲେ I ସେମାନେ ଆମକୁ ମିଲେଟ୍ ବିଷୟରେ ଜଣାଇଲେ ଓ ମାଡାମ ଗାଁ ଇତିହାସ ଲେଖିବାକୁ କହିଲେ । ସେ 5ଟି ପ୍ରଶ୍ନ ଦେଇ କହିଲେ ତମ ଗାଁ’ର ବୟସ୍କ ଲୋକଙ୍କୁ ପଚାରି ଲେଖିବ  I ମୁଁ ଘରକୁ ଯାଇ ଦାଦା ଓ ବଡ଼ ବାପାଙ୍କୁ ପଚାରିଲି । ପ୍ରଥମେ ସେ କହିଲେ ତୁ କ’ଣ କରିବୁ ଏସବୁ ଜାଣି । ମୁଁ କହିଲି ଆମ ସ୍କୁଲକୁ ମାଡାମ ଆସିଥିଲେ ବୋଲି ତା’ପରେ ସେ ଆମ ଗାଁ’ ବିଷୟରେ ମୋତେ ସବୁକଥା କହିଲେ I
ମୁଁ ଯେତେବେଳେ ଗାଁ’ର ଇତିହାସ ଲେଖିବା ପାଇଁ ଗାଁ’ ଲୋକଙ୍କୁ ଭେଟିଲି ସେ ସମୟରେ ମତେ ଲୋକଙ୍କୁ ପଚାରିବା ବହୁତ କଷ୍ଟ ହୋଇଥିଲା Iଲୋକଙ୍କୁ ବୁଝାଇ ବୁଝାଇ ପଚାରିଲା ବେଲେ ସେମାନେ କହୁଥିଲେ, ମୁଁ କହିପାରିବି ନାହିଁ I ବାପାଙ୍କ ସାଥିରେ ଯାଇ ମୁଁ ଗାଁ’ର ବୃଦ୍ଧ ଦାଦା ଓ ମାମାଙ୍କୁ ପଚାରିଲି । ମୋର ବାପା ମଧ୍ୟ ଆମ ଗାଁ’ର ଇତିହାସ ଲେଖିବାରେ ମୋତେ ବହୁତ ସାହାର୍ଯ୍ୟ କରିଛନ୍ତି I ମୁଁ ଆମ ଗାଁ’ର ସ୍ୱାସ୍ଥ୍ୟ ବିଷୟରେ ଆଶା ଦିଦି ଓ ଅଙ୍ଗନବାଡି ଦିଦିଙ୍କୁ ପଚାରିଲି I ଆଶା ଦିଦିଙ୍କୁ ତାଙ୍କର କାମ ଓ ତାଙ୍କୁ ଏହି କାମ କରି କେମିତି ଲାଗୁଛି ସେ ବିଷୟରେ ପଚାରିଲି I ସେ ମୋତେ ସ୍ୱାସ୍ଥ୍ୟ ବିଷୟରେ ବହୁତ କିଛି କହିଲେ I କେଉଁ ସମୟରେ କେଉଁ ଟୀକା ଔଷଧ ଦିଅନ୍ତି ସେ କହିଲେ I ମୁଁ ଯେତେବେଳେ ଅଙ୍ଗନବାଡ଼ି ଦିଦିଙ୍କୁ ପଚାରିଲି ସେ ମତେ କହିଲେ ତୁ ଜାଣିକି କ’ଣ କରିବୁ I ତୋର କି କାମରେ ଆସିବ? ମୁଁ କହିଲି ଆମ ସ୍କୁଲରେ ସାର ଓ ମାଡାମମାନେ ଆସିଥିଲେ । ସେମାନେ ମୋତେ ଗାଁ’ର ଇତିହାସ ଓ ଖାଦ୍ୟ,ସଂସ୍କୃତି ବିଷୟରେ ଲେଖିବାପାଇଁ କହିଛନ୍ତି I ମତେ ସ୍ୱାସ୍ଥ୍ୟ ବିଷୟରେ କୁହ ମୁଁ ଲେଖିବି । ତ’ପରେ ସେ ମୋତେ ଉତ୍ତର ଦେଲେ । 

ଆମ ଗାଁ’ର ନାମ ଜାମସେଠ୍ ପୁର ।  ଆମ ଗାଁ’ରେ ସବୁ ପ୍ରକାରର ଜାମକୋଳି ଗଛ ଥିଲା ,ସେଥିପାଇଁ ଗାଁ’ର ଲୋକମାନେ କଥା କଥାରେ ଜାମ ଗାଁ ବୋଲି କହୁଥିଲେ ।  ଦିନେ ଗାଁ’ର ଲୋକମାନେ ମାଟି ଗୁଡିରେ ପୂଜା କରୁଥିଲେ ସେଠାରେ ଗୋଟିଏ ଜାମ କୋଳି ଗଛ ଥିଲା ସେଇଟାକୁ ଦେଖି ଗାଁ’ର ଲୋକମାନେ ଜାମସେଠ୍ ନାମରେ ନାମିତ କଲେ ।  :ଆମ ଗାଁକୁ ଆଦିବାସୀ ଲୋକମାନେ ପ୍ରତିଷ୍ଠା କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଲୋକ ତାଙ୍କର ନାମ ଛୀନୁ ନାଏକ ଯିଏକି ଗାଁ’ର ଦେବୀ ଦେବତାଙ୍କୁ ସ୍ଥାପନ କରିଥିଲେ । ଗାଁକୁ ପରେ ପରେ ହରିଜନ,କୁଲତା,ଗୌଡ଼,କୁମ୍ଭାର,ସଅଂରା ,ବିନାଝାଲ ମାନେ ଆସି ବସତି ସ୍ଥାପନ କଲେ । ଆମ ଗାଁ’ର ଲୋକସଂଖ୍ୟା ହାରାହାରି ୧୪୮୪ । ଆମ ଗାଁରେ ଏବେ ୩୭୫ଟି ଘର ଅଛି ଏବଂ ୧୭୦ଟି ପକ୍କାଘର ଓ ୧୯୫ଟି ଚାଳ ଘର ଅଛି । କୁଲତା, ଗୌଡ଼, ବିଂଝାଳ, କୁମ୍ଭାର, ମାଝୀ, ବୁଝାରୀ, କଟକିଆ, କେଉଁଟ, ଅଗରିହା ଏହିସବୁ ଲୋକ ଆମ ଗାଁ’ରେ ବସବାସ କରନ୍ତି । ଆମ ଗାଁରେ ଚିତ୍ରକଳା ଓ କାଠକାମ କାରିଗରୀ ଅଛନ୍ତି। ଆମ ଗାଁରେ କେହି କଳାକାର କିମ୍ବା ଅନ୍ୟ କେହି ଲୋକ ସରକାରୀ ବା ବେସରକାରୀ ଭାବେ ପୁରସ୍କୃତ ହୋଇନାହାନ୍ତି । ଆମ ଗାଁରେ ଅତୀତରେ କେହି ସ୍ୱାଧୀନତା ସଂଗ୍ରାମ କିମ୍ବା ଅନ୍ୟ କିଛି ଗୁରୁତ୍ୱପୂର୍ଣ କାମରେ ଭାଗ ନେଇ ନାହାନ୍ତି। ଆମ ଗାଁରେ ଦର୍ଶନୀୟସ୍ଥାନ ବା ପର୍ଯ୍ୟଟନ ସ୍ଥଳ ନାହିଁ । ଆମ ଅତି ସରଳ ସୁନ୍ଦର ଗାଁ । ଆମ ଗାଁରେ ଦୁଇଟି ସ୍କୁଲ ଅଛି ଓ ଅଙ୍ଗନବାଡି କେନ୍ଦ୍ର ତିନିଟି ଅଛି। ବର୍ତ୍ତମାନ ଆମ ସ୍କୁଲରେ ୨୬୦ଟି ପିଲା ପାଠ ପଢୁଛି। ଗାଁରେ ପାଠପଢ଼ୁ ନଥିବା ଓ ଅଧାରୁ ପାଠ ଛାଡିଥିବା ପିଲା ସଂଖ୍ୟା ପ୍ରାୟ ଶତକଡା ୨୫ ଭାଗ । ସେମାନେ କୌଣସି କାମ ନ ପାଇବାରୁ ବାହାର ରାଜ୍ୟକୁ ଯାଉଛନ୍ତି କାମ ପାଇଁ । ଗାଁରେ ଅତୀତରେ ପାଣି ଆଣିବାପାଇଁ ଝରଣା, ପୋଖରୀକୁ ଯାଉଥିଲେ । ଏବେ ଗାଁରେ ନଦୀ, ନଳକୂପ,କୂଅ ରହିଛି। ଗାଁରେ ପାଣିର ଅସୁବିଧା ହୁଏନାହିଁ । ଯଦି ଅସୁବିଧା ହେଲେ ନଦୀ, ପୋଖରୀରୁ ପାଣି ଆଣି ବ୍ୟବହାର କରନ୍ତି। 

Support Samadhwani

ଗାଁର ସବୁଠାରୁ ପୁରୁଣା ବା ବୟସ୍କ ଲୋକ ହେଉଛନ୍ତି ନିତ୍ୟା ମାଝୀ । ସେ ତାଙ୍କ ପିଲାବେଳେ ଶୁଣିଥିଲେ ଯେ, ଆମ ଗାଁ’ରେ ସବୁ ପ୍ରକାର ଜାମ କୋଳି ଗଛ ଥିଲା । ଯଥା-ରାଏଜାମ,ଛୋଟ ଜାମ ଇତ୍ୟାଦି । ଆଉ ଆମ ଗାଁ’ରେ ଧାନ ମିଲ ଥିଲା । ଆମ ଗାଁ ଚାରିଆଡେ ଘଞ୍ଚ ଜଙ୍ଗଲ ଥିଲା । ଆମ ଗାଁ ନଦୀ ପାଖରେ ସେମେଲ ଗଛ ଥିଲା ଓ ପାଖରେ ଭଣାର ଘାରିଏନ ପୂଜା କରୁଥିଲେ । ଆମ ଗାଁ’ର ମାତା ଗୁଡ଼ିଠାରେ ବରଗଛଟିଏ ଥିଲା ସେଠାରେ ବାଦୁଳି ପକ୍ଷୀମାନେ ରହୁଥିଲେ । ସେହି ବର ଗଛଠାରୁ  ସେମେଲ ଗଛକୁ ପ୍ରତିଦିନ ଯିବା ଆସିବା କରୁଥିଲେ । ସବୁ ପକ୍ଷୀ ଏକାସାଥିରେ ଯାଉଥିଲେ ।  ଗାଁ’ର ଛୋଟ ଛୋଟ ପୁଅ, ଝିଅମାନେ ହାତକୁ ଟେକି ଆ ଆ ବୋଲି ଡାକୁଥିଲେ । ଯଦି ତାଙ୍କ ହାତରେ ଧଳା ଧଳା କିଛି ଦେଖିବାକୁ ମିଳେ ତାହେଲେ ସେମାନେ ଭାବୁଥିଲେ ଯେ ପକ୍ଷୀମାନେ ଆମକୁ କିଛି ବର ଦେଲେ । ଦିନେ ବହୁତ ଜୋରରେ ଖରା ବର୍ଷା ହେଲା ଯେ ବାଦୁଳି ପକ୍ଷୀ ଓ ଅନ୍ୟ ପକ୍ଷୀ ମାନେ କିଏ ଗଛ ତଳେ ତ କିଛି ସୁଆଳରେ ପଡି ପଡି ମରିଯାଇଥିଲେ । ସେଦିନଠାରୁ ଆମ ଗାଁ’ରେ ବାଦୁଳି ପକ୍ଷୀ କମ ସଂଖ୍ୟାରେ ଦେଖା ଗଲେ । କିନ୍ତୁ ଏବେ ଗୋଟିଏ ବି ବାଦୁଳି ଦେଖାଯାଉନାହାନ୍ତି । ଆମ ଗାଁ’ରେ ଗୋଟିଏ ସମିଲ ଥିଲା । ସେତେବେଳେ ପାଟଣା ଆଡୁ ପୋଷାକ ଆଣିଲେ ବାଟରେ ପୋଲିସ ମାନେ ଅଟକାଇ ରଖୁଥିଲେ ।  ଝିଅମାନେ କପଟୀ ପିନ୍ଧୁଥିଲେ ଓ ସ୍ତ୍ରୀ ଲୋକମାନେ କାପଟା ପିନ୍ଧୁଥିଲେ । ଆମ ଗାଁ’ର ଲୋକମାନେ ରାଜାକଟାକୁ ପିଇବାପାଇଁ ପାଣି ଆଣି ଯାଉଥିଲେ ନ ହେଲେ ଡଙ୍ଗ ନଦୀଠାରେ ବାଲି କୂଅ ଖୋଳି ପାଣି ଆଣି ବ୍ୟବହାର କରୁଥିଲେ । ଯେତେବେଳେ ଆମ ଗାଁ’ରେ ରାସ୍ତା ତିଆରି ହେଲା ସେତେବେଳେ ଲାଲଚୁରନି ବସ ପ୍ରଥମେ ଚାଲିଲା । ଗାଁ’ର ଛୁଆମାନେ ତାକୁ ଦେଖି ଡରୁଥିଲେ । ସେମାନେ ଭାବୁଥିଲେ ଆମକୁ ନେଇଯିବବୋଲି ।    

 ଆମ ମା’ମାନେ ଗାଁକୁ ବିବାହ କରି ଆସିବାବେଳେ ଆମ ଗାଁ’ରେ ମନ୍ଦିର ନଥିଲା । ଏବେ କାଳୀ ମନ୍ଦିର,ଶିବ ମନ୍ଦିର,ହନୁମାନ ମନ୍ଦିର ତିଆରି ହେଲାଣି । ତିନିଟି ନଳକୂଅ ଖନନ ହେଲା । ଆଗରେ ଗଛ ବେଶୀ ଥିଲା ଓ ଘର ସଂଖ୍ୟା କମ ଥିଲା । ସେ କାଳରେ ଚାଳଛପର ଘର ତଥା ଖପର ଘର ସଂଖ୍ୟା ଅଧିକ ଥିଲା । କାହା ଘରେ ମଧ୍ୟ ଶୌଚାଳୟ ନଥିଲା । ସମସ୍ତେ ନିତ୍ୟ କର୍ମ କରିବାକୁ ବାହାରକୁ ଯାଉଥିଲେ । ଘରେ ଘରେ ପିଇବା ପାଣିର ବ୍ୟବସ୍ଥା ନଥିଲା । ସମସ୍ତେ ଗାଁ ପୋଖରୀରୁ ବା କୂଅକୁ ଯାଉଥିଲେ ଗାଧେଇବା ପାଇଁ । ବିଭିନ୍ନ ପ୍ରକାର ପୋଷ ବ୍ରତ ଯଥା – ଭାଇ ଜିଉଁନ୍ତିଆ,ପୁଅ ଜିଉଁନ୍ତିଆ,ଜନ୍ମାଷ୍ଟମୀ,ଅଁଳା ନବମୀ ଏଗୁଡିକ ମିଶି ଗୋଟିଏ ଜାଗାରେ କରୁଥିଲେ । ବର୍ତ୍ତମାନ ଅଲଗା ଅଲଗା ସ୍ଥାନରେ କରୁଛନ୍ତି ।  

ଧର୍ମ ସ୍ଥାନ ଓ ପର୍ବପର୍ବାଣି 

ଆମ ଗାଁ’ରେ ମାଟିଗୁଡ଼ି,ଛୁଟିଗୁଡି,ଘମକାସାରୁ,ମାତା ଗୁଡ଼ି,କାଳୀ ମନ୍ଦିର,ଶିବ ମନ୍ଦିର,ଜଗନ୍ନାଥ ମନ୍ଦିର,ଠାକୁରବୁଢା,ଗଛ ମୂଳରେ ଠାକୁରାଣୀ ଏହିସବୁ ଧର୍ମ ପୀଠ ବା ପୂଜାସ୍ଥଳୀ ଅଛି । ଆମ ଗାଁ’ରେ ନୂଆଖାଇ,କାଳୀ ପୂଜା,ରଥଯାତ୍ରା ଏହି ସବୁ ପର୍ବ ପର୍ବାଣି ପାଳନ କରାଯାଏ । ପୂର୍ବରୁ ଗାଁ’ରେ ବଳି ପ୍ରଥା, ବିହନ ପର୍ବ, ମୁଠି ଛିଆ ପର୍ବ, ଏହି ସବୁ ପର୍ବ ପରମ୍ପରାରେ ଥିଲା ,ଏବେ ମଧ୍ୟ ଏହି ସବୁ ପ୍ରଥା ଗାଁ’ରେ କରନ୍ତି । ଗାଁ’ରେ ଲୋକମାନେ ଧର୍ମ ପୀଠ ବ୍ୟତୀତ ଅନ୍ୟ ସ୍ଥାନରେ ପଥରକୁ ଠାକୁର ବୁଢାଙ୍କୁ ଦେବତା ଭାବରେ ପୂଜା କରନ୍ତି । ଆମ ଗାଁ’ରେ ନୂଆଖାଇ ପର୍ବରେ ନୂଆଖାଇ ଭେଟ କରନ୍ତି । ଆମ ଗାଁ’ରେ କୀର୍ତନ ଦଳ, ନାଟକ ଦଳ, ବାଦ୍ୟ ବଜେଇବା ପାଇଁ ବଜନିଆ ଦଳ ଅଛନ୍ତି । ଗାଁ’ରେ ଯାନିଯାତ୍ରା ଓ ଉତ୍ସବ ସମୟରେ ମହିଳମାନେ ସମ୍ବଲପୁରୀ ଶାଢ଼ୀ ବା ଅନ୍ୟ ଶାଢ଼ୀ ପିନ୍ଧନ୍ତି ଏବଂ ପୁରୁଷମାନେ ନୂତନ ପେଣ୍ଟ ସାଟ ବା ଧୋତି ପିନ୍ଧନ୍ତି । ଗାଁ’ରେ ପର୍ବପର୍ବାଣୀରେ ଆରିସା ପିଠା, କାକରା ପିଠା, ଦୁଧରା ପିଠା, ଘାଣ୍ଟ ତରକାରୀ, କ୍ଷୀରି, ମଣ୍ଡା ପିଠା, ମୁଗ ସିଝା, ପୋଡ଼ ପିଠା ଇତ୍ୟାଦି କରନ୍ତି । ନୂଆଁଖାଇ ପର୍ବରେ ଆରିସା ପିଠା ଏବଂ ନୂଆ ଧାନର ଚୁଡା କରନ୍ତି । ପୌଷ ପୂର୍ଣ୍ଣମା ଦିନ ମଣ୍ଡା ପିଠା ଓ କାକରା ପିଠା ସମସ୍ତଙ୍କ ଘରେ କରନ୍ତି । ମାର୍ଗଶୀର ଗୁରୁବାରରେ ମୁଗ ସିଝା ଭାତ, ଡାଲି ଏବଂ ଦଶପୁର ଦିଆ ମଣ୍ଡା ପିଠା କରନ୍ତି । ପର୍ବପର୍ବାଣି ମାନଙ୍କରେ ସମସ୍ତଙ୍କ ଘରେ ଅରୁଆ ଚାଉଳର ଭାତ ଏବଂ ମୁଗ ଡାଲି ରନ୍ଧା ହୁଏ । ନୁଆଁଖାଇ ପର୍ବରେ ମା’ ସମଲେଇଙ୍କୁ ସାରୁ ତରକାରୀ ଭୋଗ ଲଗାଯାଏ । ଆଗ କାଳରେ ପର୍ବପର୍ବାଣି ମାନଙ୍କରେ ସୁଆଁ ଓ କାଙ୍ଗୁକୁ କ୍ଷୀରି ବନାଇ ଖାଉଥିଲେ । ବର୍ତ୍ତମାନ ଆଉ ମିଳୁନାହିଁ । ମାଣ୍ଡିଆକୁ ପିଠା କରି ଖାଉଥିଲେ ଏବଂ ଗୁଞ୍ଜିକୁ ଭାଜି ସେଥିରେ ବିଭିନ୍ନ ଲଡୁ ତିଆରି କରୁଥିଲେ । କିଆ ଗଛର ଚେରକୁ ଲେଆ ରାନ୍ଧୁଥିଲେ । 

ଖାଦ୍ୟପେୟ 

ଖାଦ୍ୟ ଭିତରେ ଆମେ ପ୍ରତିଦିନ ଘରେ ସକାଳ ଚା,ଚକୁଳି ପିଠା,ବରା,ସୁଜି,ଇଟିଲି,ସିମେଇ ଇତ୍ୟାଦି ଖାଉଛୁ । ମଧ୍ୟାହ୍ନରେ ଭାତ, ଡାଲି, ତରକାରୀ, ଶାଗ ଭଜା, ଖଟା, ଲେଥା, ପନିର ଆଦି ମାଧ୍ୟାନ ଭୋଜନ କରୁ । ସନ୍ଧ୍ୟାରେ ପୁରି ତରକାରୀ,ପକୁଡି,ବିରିବରା ଇତ୍ୟାଦି ସନ୍ଧ୍ୟାବେଳେ ଖାଉ । ରାତିରେ ଅଧିକାଂଶ ଲୋକ ଭାତ,ଡାଲି,ଭଜା,ତରକାରୀ ଖାଆନ୍ତି ଓ କେତେକ ଲୋକ ରୁଟି ଖାଆନ୍ତି । ବାପା, ମା’, ଜେଜେ, ଜେଜେମା, ଅଜା, ଆଈ, ଦାଦା, ନାନା ତାଙ୍କ ପିଲାବେଳେ ସେମାନେ ମହୁଲ ପିଠା, ଗୁଞ୍ଜି ପିଠା, କନ୍ଦା, କୋଳଥକୁ ସିଝାଇ ଓ ମହୁଲକୁ ସିଝାଇ ଖାଉଥିଲେ। ଜଙ୍ଗଲରୁ ଫଳମୂଳ ଆଣି ଖାଉଥିଲେ । ଏବେ ଛୁଆମାନେ ନୂତନ ନୂତନ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । ପ୍ରଥମେ ପୁଷ୍ଟିକର ଖାଦ୍ୟ ସବୁ ଖାଉଥିଲେ ଏବେ ଦେହ ଖରାପ ହେବାପରି ଖାଦ୍ୟକୁ ସମସ୍ତେ ପସନ୍ଦ କରନ୍ତି । ଆମ ଗାଁ’ର ଲୋକେ ଆଗ ତାଳ ଗଜା , କଳାସୂ, କରନି, ବାସୁମତି, ଜିରାଗୁନି, ମାଣ୍ଡିଆ, ଟିଖିରୀ, ଗୁଞ୍ଜି, କାକରା ପିଠା, କୁଦୋ ଖାଉଥିଲେ ଏବେ ଆଉ ସେହି ଖାଦ୍ୟ ଖାଉନାହାନ୍ତି କିନ୍ତୁ ଏସବୁ ପୁଷ୍ଟିସାର ଖାଦ୍ୟ ଅଟେ ।  ପିଲାମାନେ ଏବେ ବେଶୀ ମନଚୁରିଆନ,ପାସ୍ତା,ମ୍ୟାଗି,ପିଜ୍ଜା,ଗୁପଚୁପ,ବରା ଇତ୍ୟାଦି ଖାଇବାକୁ ଭଲ ପାଉଛନ୍ତି । ଆମ ଗାଁ’ରେ ସୁଆଁ,ମାଣ୍ଡିଆ,ବାଜରା, ଜୁଆର, ଗୁନ୍ଦଲି ,କୋଦ ଏସବୁ ପୁଷ୍ଟିଶସ୍ୟ ଖାଦ୍ୟ ଆଉ ଖାଉନାହାନ୍ତି । ଆମ ଗାଁ’ର ପାରମ୍ପରିକ ଖାଦ୍ୟ ଗୁଡିକ ହେଲା ଦୁଧରା ପିଠା,ଆରିସା ପିଠା,ପୋଡ଼ ପିଠା ଇତ୍ୟାଦି । 

ଦୁଧରା ପିଠା ତିଆରି କରିବା ପାଇଁ – ପ୍ରଥମେ ଝୁନଗା ମଞ୍ଜିକୁ ପାଣିରେ ରଖି ,ବତୁରି ଗଲେ ତାକୁ ବାଟି ଦିଅନ୍ତି । ସେଥିରେ କ୍ଷୀର,ଲୁଣ,ଗୁଡ଼,ଦେଇ ଘାଣ୍ଟି ଘାଣ୍ଟି ମିଶାଇଦିଅନ୍ତି । ତାପରେ କଡେଇରେ ତେଲ ଗରମ କରିକି ଛାଣି ଦେଇଥାନ୍ତି । ତାପରେ ପିଠା ତିଆରି ହୋଇଯାଇଥାଏ । 

ପୋଡ଼ ପିଠା- ପୋଡ଼ ପିଠା ତିଆରି କରିବା ପାଇଁ ଗୋଟେ ଗିନା ଚାଉଳକୁ ବତୁରେଇ ତାକୁ ବହଳିଆ ବାଟି ଆଉ ଗୁଡ଼, ନଡ଼ିଆ, ଚିନି, କାଜୁବାଦାମକୁ ଭାଜି ପାନ ମଧୁରୀ,ଗୋଲମରିଚ,ଜିରା,ଇଲାଇଚି,ଲବଙ୍ଗ ନେବା । ଗୋଟେ ଗିନା ଘିଅ । ପ୍ରଥମେ କଡେଇରେ ପାଣି ଗରମ କରି ଗୁଡ଼ ପକେଇବା,ଚିନି ଦେଇକି ଗୋଳେଇଦେବା। ଗୁଡ଼ ଆଉ ଚିନି ମିଳେଇବା ପର୍ଯ୍ୟନ୍ତ । ତାପରେ ତେଜ ପତ୍ର ଛୋଟ ଛୋଟ କାଟିଥିବା ନଡ଼ିଆ,କାଜୁବାଦାମ କୁ ପକେଇବା । ସ୍ୱାଦ ଅନୁସାରେ ଲୁଣ ଦେଇ ଘାଣ୍ଟିଦେବା ଯେଉଁ ପିଠଉ ବାଟିକି ରଖିଥିବା ତାକୁ ଧୀରେ ଧୀର ତରଲେଇ ଗଲେଇବା ପକେଇ ଚାଲୁଥିବା,ଘାଣ୍ଟି ଚଳୁଥିଲେ ଯେପର୍ଯ୍ୟନ୍ତ ସିଝିବ ତାପରେ ଗୋଟେ ଚାମଚ ଦେଶୀ ଘିଅ ଓ ରାଶି,ପାନ ମଧୁରୀ ଇତ୍ୟାଦିକୁ ମସଲା ବନେଇ ତାକୁ ପକେଇବା । ଏବେ ଗୋଟେ ବଡ଼ କଡେଇ କୁ ନେଇ ତେଲ ପକେଇବା ଗୋଟିଏ କଦଳୀ ପତ୍ର ନେବା ସେଥିରେ ଘିଅ ଦେବା ତାକୁ କଡେଇରେ ରଖିବା ତାପରେ ସେଥିରେ ଜନ୍ତୁଣିକୁ ଦେବା ଓ ତାକୁ ସଜାଇ ଦେବା,ତାପରେ ଛୋଟ କଦଳୀ ପତ୍ର ଦେବା ପରେ ତାକୁ ଢାଙ୍କି ଦେବା ସିଝିବା ପର୍ଯ୍ୟନ୍ତ । ଆଜି କାଲିର ଝିଅ,ବୋହୁମାନେ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିଛନ୍ତି । ଯେମିତି ଆରିସା ପିଠା ବିଷୟରେ ଜାଣିଛନ୍ତି । ପ୍ରଥମେ ଚାଉଳକୁ ବତୁରେଇକି ଛାଣି ଦେଇଥାନ୍ତି । ତାକୁ ନେଇ ଢ଼ି଼ଙ୍କିରେ କୁଟନ୍ତି କିମ୍ବା ମିଲରେ ଗୁଣ୍ଡ କରନ୍ତି । କଡେଇରେ ଅଳ୍ପ ପାଣି ଗରମ କରି ସେଥିରେ ଗୁଡ଼ ପକାନ୍ତି ଅନ୍ୟ ଗୋଟିଏ କଡେଇରେ ରାଶିକୁ ଭାଜିବା । ଗୁଡରେ ପାନ ମଧୁରୀକୁ ଢ଼ାଳିବା ଗୋଳେଇଦେବା। ଗୁଡ଼ ପୋଡି ଆସିଲେ ଗୋଟିଏ ଗିନାରେ ପାଣି ରଖି ଗୁଡକୁ ଟିକେ ସେଥିରେ ପକାଇ ଦେଖିବା,ଜେଲି ପରି ହେଲେ ସେଥିରେ ଚୁନାକୁ କମ କମ ଦେଇକି ମିଶାଇବା । ଗୋଟିଏ କଡେଇରେ ତେଲ ଗରମ କରନ୍ତି ତାପରେ ଚୁନାରେ ତିଆରି ହୋଇଥିବା ଜତନିକୁ ଛୋଟ ଛୋଟ ଗୋଲ କରିକି ତା ମଝିରେ ଟିକିଏ ପତଳା କରି ତେଲରେ ଛାଣି ଦେଇ ସାରିଲାପରେ ଆରିସା ପିଠା ହୋଇଯାଇଥାଏ ।    

ସ୍ୱାସ୍ଥ୍ୟ 

ଆମ ଗାଁ’ର ଲୋକମାନଙ୍କୁ ଥଣ୍ଡା,କାଶ,କାଛୁକୁଣ୍ଡିଆ,ମ୍ୟାଲେରିଆ,ବସନ୍ତ ରୋଗ ହେଲେ ଶ୍ରୀମତି ଦୁର୍ବାସିନୀ ପ୍ରଧାନ ଆଶା ଦିଦିଙ୍କ ପାଖକୁ ଯାଇ ଚିକିତ୍ସା ପାଇଁ ସାହାଯ୍ୟ ଲୋଡ଼ନ୍ତି । ଗାଁ’ରେ ଲୋକମାନେ ଅଧିକ ଅସୁସ୍ଥ ହେଲେ ଡାକ୍ତର ଖାନା ଯାଇଥାନ୍ତି । ଆମ ଗାଁ’ରେ ହଇଜା, କାଛୁକୁଣ୍ଡିଆ ଆଦି ଜଳବାହିତ ରୋଗ ଦେଖାଯାଏ । ଭିଟାମିନ ଅଭାବରେ ପୋଲିଓ, ଅନ୍ଧାରକଣା, କଳଖିଆ, ଜିଭ ଘା ଆଦି ଦେଖାଯାଏ । ପୁଷ୍ଟିହୀନତା ରୋଗ ହେଲେ ଜିଭରେ ଘା ହେବା,ଓଜନ କମିବା,ଚର୍ମ ଓ ଓଠ ଶୁଖିଲା ଦେଖାଯାଏ,ମୁଣ୍ଡର ଚୁଟି କମ ବୟସରେ ପାଚିଯାଇଥାଏ । ଆମ ଗାଁ ପଂଚାୟତରେ ପ୍ରାଥମିକ ସ୍ୱାସ୍ଥ୍ୟସେବା କେନ୍ଦ୍ର ଅଛି । ଗାଁ’ର ସମସ୍ତଲୋକ ଡାକ୍ତର ଖାନାକୁ ଯାଆନ୍ତି । କିନ୍ତୁ ଆଗର ଜେଜେ ମା’,ଜେଜେ ବାପା ଅଛନ୍ତି ସେମାନେ ଗୁଣିଆ,ବୌଦ୍ୟ ପାଖକୁ ଯାଆନ୍ତି । ପ୍ରସୂତି ପାଇଁ ଗାଁ’ର ସବୁ ସ୍ତ୍ରୀ ଲୋକ ଡାକ୍ତର ଖାନାକୁ ଯାଆନ୍ତି । ଆମ ଗାଁ ଗୋଟିଏ ବାହ୍ୟ ପରିମଳ ମୁକ୍ତ ଗାଁ । ଗତ 11 ବର୍ଷରୁ ବାହ୍ୟ ପରିମଳ ମୁକ୍ତ ହୋଇ ଆସୁଛି । ଆଗେ ଆମ ଗାଁ’ରେ ଡାଇରିଆ,ମେଲେରିଆ,କୃଷ୍ଠ,ପୋଲିଓ,ବସନ୍ତ,ଯକ୍ଷ୍ମା,ମହାମାରୀ ରୋଗ ଅଧିକ ମାତ୍ରାରେ ଦେଖାଯାଉଥିଲା ଯାହା ଏବେ ଦେଖାଯାଉ ନାହିଁ । ଆମ ଗାଁ ପରିସ୍କାର ପରିଚ୍ଛନ୍ନ ଅଟେ । ଗାଁ’କୁ ମିଶନ ଶକ୍ତି ବା S.H.G ଗ୍ରୁପ ଓ ଗାଁ କଲ୍ୟାଣ ସମିତି ପରିସ୍କାର ରଖନ୍ତି । ଆଶା ଦିଦି,ଅଙ୍ଗନୱାଡି ଦିଦି ,ସ୍ୱାସ୍ଥ୍ୟ କର୍ମୀ ଗାଁ’ର ଲୋକମାନେ ମିଶି ସ୍ଵଚ୍ଚ ଭାରତ ଅଭିଯାନ କରନ୍ତି । ବର୍ଷା ହେଲେ ମଶା ମାଛିରୁ ରକ୍ଷା ପାଇବା ପାଇଁ ଗାଁ’କୁ ପ୍ରଥମେ ପରିଷ୍କାର କରନ୍ତି ଘର ଘେରରେ ମଶାରୀ,କଏଲ ବ୍ୟବହାର କରନ୍ତି । ଆମେ ସୁରକ୍ଷିତ ନହେଲେ ଆମକୁ ମେଲେରିଆ,ଜ୍ୱର ହେବ । ଲୋକମାନେ ମଶା ଠାରୁ ରକ୍ଷା ପାଇବା ପାଇଁ ସନ୍ଧ୍ୟାବେଳେ ବିଭିନ୍ନ ପ୍ରକାର ଧୂଆଁ ଦିଅନ୍ତି । ମାଛି ମାନଙ୍କର ବଂଶ ବୃଦ୍ଧି ନ ହେବାପାଇଁ ଘରେ ଘରେ ମାଛି ମାରିବା ଔଷଧ ଛିଞ୍ଚନ କରନ୍ତି । ନାଳ ନର୍ଦ୍ଧମାରେ ଜମି ଯାଇଥିବା ପାଣିକୁ ପରିଷ୍କାର କରନ୍ତି।  ଆମ ଗାଁ’ରେ ସବୁ ମାସର ପ୍ରଥମ ବୁଧବାର ଦିନ ବୟସ ଅନୁସାରେ ଶିଶୁମାନଙ୍କୁ ପ୍ରତିଷେଧକ ଟୀକା ଦିଆଯାଏ । ଗତ କୋରନା ସମୟରେ ମଧ୍ୟ ଟୀକା ସମସ୍ତଙ୍କୁ ଦିଆଯାଇଥିଲା । ଗାଁ’ରେ ଏବେ କୋରନା, ଆଖୀଧରା, ରୋଗ, ଫାଇଲେରିଆ, କ୍ରାବସ, ଟାଇଫଏଡ ଏହିସବୁ ନୂଆ ରୋଗରେ ଆକ୍ରାନ୍ତ ହେଉଛନ୍ତି । ବର୍ତ୍ତମାନ ଦେଖିବାକୁ ଗଲେ ଗାଁ’ରେ ଲୋକମାନେ ବିଭିନ୍ନ ପ୍ରକାରର ରୋଗରେ ଆକ୍ରାନ୍ତ ହେଉଛନ୍ତି । ଯେପରିକି-କୋରନା ରେ ପୀଡିତ ହୋଇ ମୃତ୍ୟୁ । ଏହା ସହିତ ଟାଇଫଏଡ, ଆଖୀଧରା ପରି ଭୁତାଣୁ ଜନିତ ରୋଗ ଦ୍ୱାରା ମଧ୍ୟ ଆକ୍ରାନ୍ତ ହେଉଛନ୍ତି ।  

ଚାଷବାସ 

ଆମ ଗାଁ’ରେ ଧାନ,ମୁଗ,ବିରି,ମାଣ୍ଡିଆ,କପା,ପନିପରିବା,କୋଳଥ,ମକା,ଚିନାବାଦାମ,ଆଖୁ ଇତ୍ୟାଦି ଚାଷ କରାଯାଏ । ଧାନ,କପା  ଅଧିକ ମାତ୍ରାରେ ଚାଷ କରାଯାଏ ।  ପୂର୍ବରୁ ଲୋକମାନଙ୍କର ମୁଖ୍ୟ ଖାଦ୍ୟ ସୁଆଁ,ମାଣ୍ଡିଆ,କୁଦୋ,ଗୁଞ୍ଜି,ସୁନିଆଁ,କୁସମା ଧାନର ଚାଉଳ ଥିଲା । ଗାଁ’ରେ 9 ସିଟ ଏକର ଜମି ଅଛି । 5 ସିଟ ଜମି ଚାଷପାଇଁ ଉପଯୋଗୀ ଓ 4 ସିଟ ଜମି ଅନୁପଯୋଗୀ । ଗାଁ’ରେ ସବୁ ଲୋକମାନେ ଚାଷକାମ ଉପରେ ନିର୍ଭର କରନ୍ତି । ଆମ ଗାଁ’ରେ ଚାଷ ବ୍ୟତୀତ ଲୋକମାନେ ଆଉ ଅନ୍ୟ କାମ କରନ୍ତି । ଯଥା-ବେପାର, ବିଜନେସ, ଶିକ୍ଷକ, ଅଙ୍ଗନବାଡି ଦିଦି, ପୋଲିସ,ଏବଂ ଅଧିକାଂଶ ଲୋକ ଚାଷୀ ଅଟନ୍ତି । ଆମ ଗାଁ ଲୋକମାନେ ବିହନକୁ ବସ୍ତାରେ ସାଇତି ରଖୁଛନ୍ତି । ଆଗ କାଳରେ ଭଦ୍ରିରେ ରଖୁଥିଲେ । ଗାଁ’ରେ ଚାଷକାମ ପାଇଁ ଜଳସେଚନର ବ୍ୟବସ୍ଥା ଅଛି । ଗାଁ’ର ଲୋକମାନେ ଚାଷକାମ ପାଇଁ ବର୍ଷା ଓ ଉଠା ଜଳସେଚନ ଉପରେ ନିର୍ଭର କରନ୍ତି । ଆମ ଗାଁ’ରେ ଜଳସେଚନ ପାଇଁ ସେତେ କିଛି ବ୍ୟବସ୍ଥା ନାହିଁ । ପ୍ରାୟ ୧୦ ଜଣ ଚାଷୀ ଜଳସେଚନର ବ୍ୟବସ୍ଥା ଦ୍ୱାରା ଉପକୃତ ହେଉଛନ୍ତି । 

ଗାଁ’ରେ ଧାଡି ପଦ୍ଧତିରେ ଚାଷ କରାଯାଏ । ଗାଁ’ରେ ବିଭିନ୍ନ ପ୍ରକାର ଫଳଗଛ ଗୁଡିକୁ ରୋପଣ କରି ସେଥିରୁ ଅମଳ କରାଯାଏ । ଯଥା-ଆମ୍ବ,କଦଳୀ ଇତ୍ୟାଦି । ହଳଦୀ ଚାଷ କରୁଥିବା ଲୋକମାନେ ଜମିକୁ ପ୍ରଥମେ ପୋଡି ଦିଅନ୍ତି ଓ ପରେ ସେଥିରେ ମୃତିକା ପ୍ରସ୍ତୁତି କରି ହଳଦୀ ଲଗାନ୍ତି । ଯେଉଁଥିରେ ଅଧିକ ଅମଳ କରିଥାନ୍ତି । ଏହା ସହିତ ଧାନ,ମୁଗ,ବିରି ଇତ୍ୟାଦି ଫସଲକୁ ବୁଣା ଯାଏ । ମାଣ୍ଡିଆ,ଧାନ ଭଳି ଶସ୍ୟକୁ ପ୍ରଥମେ ଅନ୍ୟତ୍ର ଜାଗାରେ ଗଜା କରାଇ ଗଛକୁ ବଢ଼ାଯାଏ ଏବଂ 1 ରୁ ଅଧା ଫୁଟ ହେବାପରେ ପ୍ରଥରୁ କରାଯାଇଥିବା ଜମିରେ ରୋପଣ କରାଯାଏ  । କପା ମଞ୍ଜିକୁ ନିର୍ଦ୍ଧିଷ୍ଟ ଦୂରତା ଅନୁସାରେ ରୋପଣ କରି ଚାଷ କରାଯାଏ । ଯଥା-କଲରା,ଜହ୍ନି,ଭେଣ୍ଡି,କାକୁଡି,ଫୁଲକୋବି,ବିଲାତି,ବାଇଗଣ,ବନ୍ଧାକୋବି ଇତ୍ୟାଦି କୁ ଚାଷ କରାଯାଏ ।  

8-ଫସଲର ନାମ                                                                                                       କେତେ ଅମଳ ହୁଏ (ଏକରକୁ/କୁଇଣ୍ଟାଲ ) 

  (1)ଧାନ                                                                                                               15  କୁଇଣ୍ଟାଲ 

  (2)ବିରି                                                                                                               2/3 କୁଇଣ୍ଟାଲ 

  (3)ମୁଗ                                                                                                               2/3 କୁଇଣ୍ଟାଲ 

  (4)ମାଣ୍ଡିଆ                                                                                                           3 କୁଇଣ୍ଟାଲ 

  (5)ବାଜରା                                                                                                            5 ରୁ 7 କୁଇଣ୍ଟାଲ 

  (6)ଯଅ                                                                                                                2 କୁଇଣ୍ଟାଲ 

  (7)ଗୁନ୍ଦଲି                                                                                                             3 କୁଇଣ୍ଟାଲ  

  (8)କୋଦ                                                                                                             5 ରୁ 6 କୁଇଣ୍ଟାଲ 

ଗାଁ’ରେ ବର୍ଷକରେ ଦୁଇ ଥର ଚାଷ ହୁଏ । ଖରିପ ଫସଲରେ-ଧାନ, ମକା, ଚିନାବାଦାମ, କପା, ବିରି, ମୁଗ, କୋଳଥ, ମାଣ୍ଡିଆ ଇତ୍ୟାଦି । ରବି ଫସଲରେ- ଗହମ, ବୁଟ, ମଟର, ରାଶି ଇତ୍ୟାଦି । ଗ୍ରାମାଞ୍ଚଳର ଲୋକମାନେ କାମ ନପାଇ ବାହାର ରାଜ୍ୟକୁ ଚାଲିଯାଉଥିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ପ୍ରାୟତଃ ଆମ ଓଡିଶାରୁ ଗୁଜୁରାଟ,ତାମିଲନାଡୁ ଇତ୍ୟାଦି ରାଜ୍ୟକୁ ଯାଉଥିବା ଜଣା ପଡିଛି । ଏମାନେ କୃଷିଋଣ ପରିଶୋଧ କରି ନ ପାରି କିମ୍ବା ସାହୁକାରର ପାଉଣା ଦେବାକୁ ଯାଇ,ବାହାର ରାଜ୍ୟର ବିଭିନ୍ନ ଫ୍ୟାକ୍ଟ୍ରି ମାଲିକ ମାନଙ୍କ ଦଲାଲ ମାଧ୍ୟମରେ କିଛି ଅଗ୍ରୀମ ଟଙ୍କା ନେଇ ଅନ୍ୟ ରାଜ୍ୟକୁ ଚାଲିଯାଉଥିବାର ଅନେକ ଉଦାହରଣ ରହିଛି । ଏ ଖଟିଖିଆ ଗରିବ ଲୋକମାନେ ସେଠାରେ ଇଟା ତିଆରି କରିବା,କଳାକାରଖାନାରେ କାମ କରିବା ଶୁଣାଯାଏ । ଦାଦନ ଖଟିବାକୁ ଯାଉଥିବା କିଛି ଲୋକମାନେ ନିଜର ଚାଷ ଜମିକୁ ଛାଡିଯାଉଥିବା ହେତୁ କୃଷିକ୍ଷେତ୍ରରେ ଅନେକ ପ୍ରଭାବ ପଡୁଛି । ବେଳେବେଳେ ଖେତ ପଡିଆ ରହିଯାଉଛି । ଫଳରେ ଆମ ରାଜ୍ୟରେ ଯେତିକି ଉତ୍ପାଦନ ହେବା କଥା ହେଇପାରୁନାହିଁ । ଏଥିପାଇଁ କିଛି ଲୋକ ନିଜ ପିଲା ଛୁଆଙ୍କୁ ସିଜନାଲ ହଷ୍ଟେଲରେ ଛାଡି ବାହାରେ ଅନେକ ଦିନଧରି ରହିଯାଉଛନ୍ତି । ଏପରିକି ନିଜ ଟଙ୍କା ମୁତାବକ କାମ କରିସାରିଲା ପରେ ମଧ୍ୟ କିଛି ଦୁଷ୍ଟ ପ୍ରକୃତିର ମାଲିକ ମାନେ ଜୋର ଜବରଦସ୍ତ ଅଧିକ କାମ କରିବାକୁ ବାଧ୍ୟ କରୁଛନ୍ତି । ଏପରି ଶୋଷଣର ଶିକାର ହୋଇ ଠିକ ସମୟରେ ଘରକୁ ଫେରିପାରୁନଥିବା ଛୋଟ ଚାଷୀ କୃଷି କାର୍ଯ୍ୟ କରିପାରୁ ନଥିବା ଦେଖାଯାଏ । ଶ୍ରମିକ ଅଭାବରୁ ବଡ ଚାଷୀମାନେ ବି ଠିକ ଭାବରେ ଚାଷ କାମ କରିପାରୁନାହାନ୍ତି । ଦାଦନ ଶ୍ରମିକ ମାନଙ୍କୁ ଫେରାଇ ଆଣିବା ପାଇଁ କାମ ଧନ୍ଦା ଯୋଗାଇଦେବା ନିହାତି ଜରୁରୀ ଅଟେ । ଲୋକମାନଙ୍କୁ ସଚେତନ କରାଇବା ସହିତ ସରକାରୀ ଯୋଜନା ଗୁଡିକରେ ସାମିଲ କରିବା ଏବଂ କୃଷି କ୍ଷେତ୍ରରେ ଆହୁରି ସୁବ୍ୟବସ୍ଥା ହେଲେ ହୁଏତ ଏ ସମସ୍ୟା ଦୁରେଇ ପାରେ ।    

ଆମ ଗାଁ’ରେ ପୁଷ୍ଟିଶସ୍ୟ ଚାଷ ହେଉଛି । ଆମ ଗାଁ’ରେ-ମାଣ୍ଡିଆ,ପନିପରିବା,ଧାନ ଆଦି ପୁଷ୍ଟିଶସ୍ୟ ଚାଷ ହେଉଛି । ପୂର୍ବରୁ ଆମ ଗାଁ’ରେ କୋଦ,ମାଣ୍ଡିଆ,ଗୁଞ୍ଜି,କାଙ୍ଗୁ ଚାଷ ହେଉଥିଲା । ଯାହା ଏବେ ଏହିସବୁ ଚଷ କରୁନାହାନ୍ତି । ଆମ ଗାଁ’ରେ ପ୍ରାୟ କମ ଲୋକ ପୁଷ୍ଟିଶଷ୍ୟଯୁକ୍ତ  ଖାଦ୍ୟ ଖାଉଛନ୍ତି ଆଉ ଅଧିକାଂଶ ଲୋକ ପୁଷ୍ଟିଶସ୍ୟଯୁକ୍ତ ଖାଦ୍ୟକୁ ଖାଉନାହାନ୍ତି  । ସେ ଭିତରୁ କିଛି ଲୋକ ନିଜେ ଚାଷ କରୁଛନ୍ତି ଓ ଅଧିକାଂଶ ଲୋକ ବଜାରରୁ କିଣି ଆଣୁଛନ୍ତି । ଖାଦ୍ୟ ବ୍ୟତୀତ ପୁଷ୍ଟିଶସ୍ୟ ମାଣ୍ଡିଆକୁ ମେଡ଼ିସିନ ତିଆରି ହେବାପାଇଁ ବ୍ୟବହାର କରୁଛନ୍ତି । ପୁଷ୍ଟିଶସ୍ୟ ଜାତୀୟ ଖାଦ୍ୟରୁ ଆମ ଶରୀରକୁ ଶକ୍ତି,ପୁଷ୍ଟିହୀନତା ଦୂର କରେ ଓ ସୁସ୍ଥ ରଖେ । ପୁଷ୍ଟିଶସ୍ୟକୁ ତୋଳି ଅମଳ କରାଯାଏ ଓ ମାଣ୍ଡିଆ ଭଳି ପୁଷ୍ଟିଶଷ୍ୟକୁ ଦାଆରେ କାଟି ବା ଖୁଣ୍ଟି ଆଣନ୍ତି । ସାଇତି ରଖିବା ପାଇଁ ପୁଷ୍ଟିଶସ୍ୟ ତୋଳି ଆଣି ସେଥିରେ ପାଉଁଶ, ଲିମ୍ବପତ୍ର ରେ ମିଶାଇ ରାଖାଯାଏ । ଘରେ ପ୍ରଥମେ ନଡା ବିଛଣା ଦେଇ ତା ଉପରେ ବୁରା ରେ ଧାନ କିମ୍ବା ଅନ୍ୟ ପୁଷ୍ଟିଶସ୍ୟ କୁ ରଖିଥାନ୍ତି । ପୁଷ୍ଟିଶଷ୍ୟ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଦ୍ୱାରା 2023 ବର୍ଷରୁ ମିଲେଟ ବର୍ଷ ଭାବରେ ଘୋଷଣା କରିଛନ୍ତି । ଏହା ସହ ବିଭିନ୍ନ ସ୍ଥାନରେ ମିଲେଟ ଉତ୍ସବମାନ ପାଳିତ ହେଉଛି । ପଞ୍ଚାୟତ ମାନଙ୍କରେ ମାଣ୍ଡିଆ ଭଳି ପୁଷ୍ଟି ଶସ୍ୟ ଯୋଗାଇ ଦିଆଯାଉଛି ଏବଂ ଯେଉଁମାନେ ମାଣ୍ଡିଆ ଚାଷ କରୁଛନ୍ତି ସେମାନଙ୍କୁ ସରକାର ପାରିଶ୍ରମିକ ବାବଦକୁ ପଇସା ଦେଉଛନ୍ତି ଏବଂ ସେମାନଙ୍କଠାରୁ ମାଣ୍ଡିଆ କିଣୁଛନ୍ତି । 

ଗାଁ ପରିବେଶ 

ଗାଁ’ର ଚାରିପାଖରେ ଘେରି ରହିଥିବା ପାଣି,ପବନ,ଗଛଲତା,ପଶୁପକ୍ଷୀ,ଘରଦ୍ୱାର ଇତ୍ୟାଦିକୁ ଆମେ ଗାଁ’ର ପରିବେଶ ବୁଝିଥାଉ । ଆମ ଗାଁ’ରେ ଆଗରୁ ସବୁ ଋତୁ ଅନୁଭବ ହେଉଥିଲା । ଗାଁ’ରେ ଏବେ ବର୍ଷା ଋତୁ,ଗ୍ରୀଷ୍ମ,ଶୀତ ଋତୁ ଅନୁଭବ ହେଉଛି । ଆଗରୁ ଗାଁ’ରେ ଗାଈ,ମଇଁଷି,କୁକୁର,ବିରାଡ଼ି,ଶୁଆ,ବଣି,ମେଣ୍ଢା,ଛେଳି ଓ କୁକୁଡ଼ା ,ପାରା,ବତକ ଗୃହପାଳିତ ପଶୁ ଓ ପକ୍ଷୀ ଥିଲେ । ଏବେ ଗାଁ’ରେ ଗାଈ,ମେଣ୍ଢା,ଛେଳି,ପାରା,ଶୁଆ,କୁକୁଡ଼ା,ବାତକ ଏହିସବୁ ପଶୁ ଓ ପକ୍ଷୀ ଦେଖାଯାଆନ୍ତି । ଆମ ଗାଁ ପାଖରେ ଜଙ୍ଗଲ ଅଛି । ତାର ନାଁ ହେଲା ମଧ୍ୟମ ଘଞ୍ଚ ରକାଶି ଡଙ୍ଗର ଓ ଅନ୍ୟଟି ଗନ୍ଧମାର୍ଦ୍ଧନ ପର୍ବତ,ଯାହାକି ଔଷଧିୟ ଗଛରେ ପରିପୂର୍ଣ ।  ଜଙ୍ଗଲରୁ ଲୋକମାନେ କାଠ,ଫଳମୂଳ,ଚେରମୂଳି ଔଷଧ,କେନ୍ଦୁ,ମହୁଲ,ଚାର,କରଡ଼ି,ଝୁଣା ବିଭିନ୍ନ ପ୍ରକାର ପତ୍ର ଯଥା-କେନ୍ଦୁ ପତ୍ର,ଶାଳ ପତ୍ର,ପଳାସ ପତ୍ର ଇତ୍ୟାଦି ସଂଗ୍ରହ କରନ୍ତି । ଆମ ଗାଁ’ରେ ନୀଳଗିରି ଗଛ,ଜାମ୍ବ,କୃଷ୍ଣ ଚୁଡା, କଦମ୍ବ, ଆମ୍ବ, ବରଗଛ, ତେନ୍ତୁଳି, ଦେବଦାରୁ, ପଣସ, ଅଁଳା, ଖଜୁରୀ, ନିମ୍ବ, ତାଳ, ଶାଗୁଆନ, ବାଉଁଶ, ପିଜୁଳି, ଲେମ୍ବୁ, ମହୁଲ ଗଛ, ବେଲ ଗଛ, ଜାମୁ ଗଛ, ଓ ଅନ୍ୟାନ୍ୟ ଗଛ ଦେଖାଯାଏ । ପୂର୍ବରୁ ଗାଁରେ :ବାଉଁଶ,ନଡ଼ିଆ,ବେଲ,ପୂର୍ବରୁ ଥିଲା ଯାହାକି ଏବେ ଦେଖାଯାଉନି । ଆଗରୁ  ଗାଁ’ରେ କିଛି ପ୍ରାକୃତିକ ଦୁର୍ବିପାକ ହେଇଥିଲା – ବନ୍ୟା ଓ ମରୁଡି ହୋଇଥିଲା ।  । ଆମ ଜେଜେ ମା’,ଜେଜେ ବାପା’ ପିଲା ଥିଲାବେଳେ ଗାଁ’ର ଚାରିପଟେ ଜଙ୍ଗଲ ଥିଲା ଏବଂ ଘରଦ୍ୱାର ତଥା ଲୋକ ସଂଖ୍ୟା କମ ଥିଲା । ସବୁଆଡେ ଚାଳ ଛପର ଘରଥିଲା । ଡାକ୍ତର ଖାନା,ସ୍କୁଲ,ବ୍ୟାଙ୍କ,ଓ ନ ଥିଲା । ନଳକୂପ ନଥିବାରୁ ଲୋକମାନେ ରାଜ କଟା ବନ୍ଧରୁ ପାଣି ଆଣି ରୋଷେଇ ଓ ଅନ୍ୟାନ୍ୟ କାମରେ ବ୍ୟବହାର କରୁଥିଲେ । ଆମ ଗାଁ ନଦୀ ଠାରେ ପୋଲ ନଥିଲା । ବର୍ଷା ହେଲେ ଅନ୍ୟ ଗ୍ରାମକୁ ପାଠ ପଢି ଯିବାକୁ ଅସୁବିଧା ହେଉଥିଲା । ଆମ ଗାଁ’ରେ କରତ କଳ ଥିଲା ଓ ପଞ୍ଚାୟତ ପାଖରେ ଧାନ ମିଲ ଥିଲା । ଲୋକମାନଙ୍କର ସମସ୍ତଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିଲା । ଗାଁ’ରେ କୌଣସି ଗାଡି ଚଳାଚଳ ହେଉନଥିଲା । ବର୍ତ୍ତମାନ ବିଭିନ୍ନ ସ୍କୁଲ,ନଳକୂପ ଖନନ,ପିଇବା ପାଣିଯୋଗାଣ,ବସଷ୍ଟାଣ୍ଡ,ରାସ୍ତା ତିଆରି ପଂଚାୟତ RI ଅଫିସ /ରାଜ୍ୟସ୍ୟ ନିରୀକ୍ଷକ କାର୍ଯ୍ୟଳୟ ଇତ୍ୟାଦି ଅନୁଷ୍ଠାନ ତିଆରି ହୋଇଛି । ବର୍ତ୍ତମାନ ଖପରା ଘର ସଂଖ୍ୟା କମିବାରେ ଲାଗିଛି ଏବଂ ପକ୍କା ଘର ସବୁଆଡେ ଚାଲିଛି ।  ଗାଁ’ରେ ଗୃହପାଳିତ ପଶୁ ମାନଙ୍କ ପାଇଁ ଚାରଣ ଭୂମି ଅଛି । ଆଗରୁ ବହୁପରିମାଣରେ ଥିଲା କିନ୍ତୁ ଏବେ ସେହି ଜମିରେ ଚାଷ ହେଉଛି ଓ ଘର ମଧ୍ୟ ତିଆରି କରୁଛନ୍ତି । ସେଥିପାଇଁ ଧିରେ ଧିରେ ଚାରଣ ଭୂମି କମି କମି ଗଲାଣି । 

ଆମ ଗାଁ’ ହାଟ/ବଜାର

ଆମ ଗାଁ’ର ପଞ୍ଚାୟତରେ  ହାଟ/ବଜାର ବସେ ନାହିଁ । ଆମ ଗାଁ’ରୁ ପନିପରିବା, ମସଲା ଜାତୀୟ ଦ୍ରବ୍ୟ, ପୋଷାକ, ଚପଲ, ଫେଂସି ସାମାନ ଇତ୍ୟାଦି ଜିନିଷ ହାଟ/ବଜାରକୁ ବିକ୍ରିପାଇଁ ନିଆଯାଏ । ଗାଁ ଲୋକେ ପନିପରିବା,ପୋଷାକ,ବାସନ,ସୁନା,ରୂପା,ପୁସ୍ତକ,ଖାଦ୍ୟ ଦ୍ରବ୍ୟ ଇତ୍ୟାଦି କିଣନ୍ତି । ଆମ ଗାଁ’ରେ ଛୋଟ ବେପାରୀ/ବ୍ୟବସାୟୀମାନେ ଅଛନ୍ତି । ହାଟ ବଜାରରେ ବ୍ୟବସାୟ କରି ଜୀବିକା ନିର୍ବାହ କରିଥିବା ଲୋକ ସଂଖ୍ୟା ପ୍ରାୟ 50ରୁ ଉର୍ଦ୍ଧ୍ଵ । ଗ୍ରାମବାସୀଙ୍କ ଦ୍ୱାରା ହାଟରେ ପନିପରିବା,ମସଲା,ଚପଲ,ସୁନା ବିକ୍ରି କରାଯାଏ ଏହି ସବୁ ଲାଭ ଜନକ ଦ୍ରବ୍ୟ ଅଟେ । ସୁନା,ରୂପା,ଇଲେକ୍ଟ୍ରିକ ସାମଗ୍ରୀ ଯାନବାହନ କିଣିବାକୁ ଗାଁ ଲୋକଙ୍କୁ ଦୁରକୁ ଯିବାକୁ ପଡିଥାଏ । ଆମ ବଜାରରେ ଗାଁ’ର ପାରମ୍ପରିକ ହସ୍ତଶିଳ୍ପ,କଳାକୃତି ବିକ୍ରି ହୁଏ । ଯଥା-ମୂର୍ତ୍ତି,ବସ୍ତ୍ର,ପୋଷାକ,ମାଟିପାତ୍ର ଇତ୍ୟାଦି ମିଳିଥାଏ । ଆମ ଗାଁ :ହାଟ/ବଜାରରେ ବିକ୍ରି ହେଉଥିବା ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟର ନାମ ହେଲା -ଚେରମୂଳି,କାଠ,ବାଉଁଶ ଗଜା,କନ୍ଦମୂଳ,ଝୁଣା,ଶାଳ ପତ୍ର,ମହୁ,ହରଡା ଏହିସବୁ ବିକ୍ରି ହେଉଛି । 

ସମସ୍ୟା: 

ଆମ ଗାଁ’ର ଲୋକମାନଙ୍କର ମୂଳ ସମସ୍ୟା ଭିତରେ ଜନ ସଂଖ୍ୟା ବୃଦ୍ଧି ଫଳରେ ଗାଁ’ର ଲୋକମାନଙ୍କୁ ରହିବାର ଅସୁବିଧା ହେଉଛି ଏବଂ ଗାଁ ଭିତରେ ଏକତାର ଅଭାବ ମଧ୍ୟ ଦେଖାଯାଉଛି । ନାଳ ନର୍ଦ୍ଧମାର ସୁବିଧା ନଥିବାରୁ ଅଳିଆ ପକେଇବାପାଇଁ ଅସୁବିଧା ହେଉଛି । ଜଳସେଚନର ଅସୁବିଧା ହେତୁ ବର୍ଷକୁ କେବଳ ଗୋଟିଏ ଥର ଚାଷୀମାନେ ଚାଷ କରୁଛନ୍ତି ।

Share This Article