ବିଶ୍ୱକବି ଓ ଚିତ୍ରଶିଳ୍ପୀ ରବୀନ୍ଦ୍ରନାଥ ଠାକୁର

9 Min Read

ଆଧୁନିକତାର ଆନ୍ଦୋଳନର ଅଗ୍ରଣୀ ଥିଲେ ରବୀନ୍ଦ୍ର ନାଥ ଠାକୁର । ସେହି ସମୟର ଯୁବ ଶିଳ୍ପୀମାନଙ୍କୁ ରବୀନ୍ଦ୍ରନାଥଙ୍କ ଆହ୍ୱାନ ଥିଲା-ନିର୍ଭୀକ ଭାବେ ଚିତ୍ରରେ ପ୍ରୟୋଗମାନ କରିଚାଲ । ନୂତନ ପୀଢ଼ିର ଚିତ୍ରଶିଳ୍ପୀମାନଙ୍କୁ ସେ କହୁଥିଲେ ଭାରତୀୟ କଳାର ଦ୍ୱାହି ଦେଇ ପୁରାତନ ପନ୍ଥୀ ଭାବେ ବୈଶିଷ୍ଟ ପୂର୍ଣ୍ଣ ଭାବଧାରାକୁ ଜାବୁଡ଼ି ନଧରି ନୂତନତାର ଅନ୍ୱେଷଣରେ ଲାଗିପଡ଼ । ୧୯୨୨ରେ କଲିକତାରେ ଚୌହାନ (Bauhaus) ଗୋଷ୍ଠୀର ଶିଳ୍ପୀ ଯଥା-ୱାଜିଲ କାଣ୍ଡନ୍‌ସି, ପଲକ୍ଲୀ, ଫେଲୋନିଙ୍ଗେର ଏବଂ ଜୋହାନ୍‌ସ ଆଇଟନ୍ ପ୍ରଭୃତି ଯେଉଁ ପ୍ରଦର୍ଶନୀ ଆୟୋଜନ କରିଥିଲେ ତା’ର ସିଧାସଳଖ ପ୍ରଭାବ ରବୀନ୍ଦ୍ରନାଥଙ୍କ ଉପରେ ପଡ଼ିଥିଲା ଏବଂ ଶିଳ୍ପୀମାନଙ୍କ ପ୍ରତି ତାଙ୍କର ଉପରୋକ୍ତ ଆହ୍ୱାନଟି ଏହି ପ୍ରଭାବରୁ ଉତ୍ପନ୍ନ ହୋଇଥାଏ ବୋଲି କୁହାଯାଇପାରେ ।

ଆଭାସବାଦ ଓ ଅତିବାସ୍ତବବାଦ ଦ୍ୱାରା ରବୀନ୍ଦ୍ରନାଥ ନିଜକୁ ବହୁଳ ଭାବେ ନିୟମବଦ୍ଧ କରିଥିଲେ ହେଁ ଭାରତରେ ୧୯୪୦ ବେଳକୁ ଆଭାସବାଦ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ହୋଇଥିଲା । ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଘଟଣାମାନ ଆବଶ୍ୟକୀୟ ପ୍ରାଣୋଦକ ଯୋଗାଇ ଦେଇଥିଲା । ରବୀନ୍ଦ୍ରନାଥ ୧୯୨୦ ବେଳର ଚିତ୍ରରେ ପ୍ରତୀକବାଦ ଓ ରହସ୍ୟବାଦ (Mystricism) ର ଯେଉଁ ସ୍ପଷ୍ଟ ତଥା ବହୁଳ ପରିପ୍ରକାଶ ଘଟିଥିଲା, ପରବର୍ତ୍ତୀ ସମୟରେ ଶିଳ୍ପୀମାନେ ତା’ଠାରୁ ଦୂରେଇ ଯାଇଥିଲେ । ୧୯୨୦ ରୁ ୧୯୩୦ ଭିତରେ ରବୀନ୍ଦ୍ରନାଥ ଯେଉଁ ସବୁ ଛବିମାନ ସୃଷ୍ଟି କରିଥିଲେ, ସେଥିରେ ଅତିବାସ୍ତବବାଦ (surrealism) ପରୀକ୍ଷା ନିରୀକ୍ଷାର ସୂତ୍ରପାତ ହୋଇଥିଲା । ଏହି କୃତିଗୁଡ଼ିକ ସ୍ୱତଃ ଗତିଶୀଳ ହେବା ସହିତ ଅବାସ୍ତବ, କଳ୍ପନା ଓ ଅବଚେତନ ମନର ସ୍ୱାଭାବିକ ପ୍ରତିକ୍ରିୟା ଉପରେ ଅଧିକ ଗୁରୁତ୍ୱ ଆରୋପିତ କଲା । ଦୁର୍ଭାଗ୍ୟବଶତଃ ରବୀନ୍ଦ୍ରନାଥଙ୍କ ପରେ କିଛି ବର୍ଷ ଅନ୍ତତଃ କୌଣସି ଶିଳ୍ପୀ ଅତି ବାସ୍ତବବାଦ ଶୈଳୀ ଉପରେ ପରୀକ୍ଷା ନିରୀକ୍ଷା ଚଳାଇନଥିଲେ । ୧୯୫୦ ପରଠାରୁ ଏନ୍‌.ଏସ୍‌. ଦେବେନ୍ଦ୍ର ସ୍ୱଳ୍ପ ପରିମାଣରେ ଏଦିଗରେ କିଛି କାର୍ଯ୍ୟ କରିଥିଲେ । ଷଷ୍ଠ ଦଶକରେ ଅତି ବାସ୍ତବ ଶୈଳୀରେ ପରୀକ୍ଷା ନିରୀକ୍ଷା ଧିମେଇ ଯାଇଥିଲା । ମାତ୍ର ୧୯୭୦ ପରଠାରୁ ଏହି ଶୈଳୀ ଅବଲମ୍ବନରେ ଗମ୍ଭୀର ଭାବେ କିଛି କାର୍ଯ୍ୟ ଚାଲିଲା । ମନଃ କଳ୍ପନର ବିଭିନ୍ନ ବିଭବ ଯଥା-ରୂପକ ଶ୍ରେଣୀୟ ପୌରାଣିକ, ପରି କାହାଣୀଭିତ୍ତିକ ତଥା ପ୍ରତୀକ ଶ୍ରେଣୀର ଛବି ଉପରେ ବହୁ କାଳ୍ପନିକ ଶିଳ୍ପୀ ନିଷ୍ଠାର ସହ କାର୍ଯ୍ୟ କରିଥିଲେ ।

ଆଭାସବାଦର ଶିଳ୍ପୀ ରବିନ୍ଦ୍ରନାଥ ଠାକୁରଙ୍କର ଜନ୍ମ କଲିକତାର ଯୋଡ଼ାଶାଙ୍କୋ ଅଞ୍ଚଳରେ ମେ’ ମାସ ୬ତାରିଖ ୧୮୬୧ ମସିହାରେ । କଲିକତା ଏକଦା ଭାରତର ରାଜଧାନୀ ଥିଲା । ସେତେବେଳେ ଆମ ଦେଶରେ ବ୍ରିଟିଶମାନେ ରାଜୁତି କରୁଥିଲେ । ରବୀନ୍ଦ୍ର ନାଥ ଏକ ଧନୀ ପ୍ରତିଷ୍ଠିତ ଠାକୁର ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଦେବେନ୍ଦ୍ର ନାଥ ଠାକୁର ଓ ଜେଜେ ବାପାଙ୍କ ନାମ ଥିଲା ଦ୍ୱାରିକାନାଥ ଠାକୁର । ଏହି ପରିବାରରେ ବଡ଼ ବଡ଼ ଚିତ୍ରକର, ଲେଖକ, କବି ଓ ସଂଗୀତଜ୍ଞ ଜନ୍ମ ଗ୍ରହଣ କରିଥିଲେ । ବଙ୍ଗଳା ଭାଷାକୁ ପ୍ରତିଷ୍ଠା କରିବା ଦିଗରେ ଏହି ପରିବାରର ଯଥେଷ୍ଟ ଅବଦାନ ଥିଲା । ଦେବେନ୍ଦ୍ରନାଥଙ୍କ ସାତ ପୁଅ ମଧ୍ୟରେ ରବୀନ୍ଦ୍ରନାଥ ଅନ୍ୟତମ । କିଶୋର ଅବସ୍ଥାରେ ସେ ମା’ଙ୍କୁ ହରାଇଥିଲେ । ପିତା ଜମିଦାରୀ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ବହୁ ସମୟ ବାହାରେ ବିତାଉଥିଲେ ଏଣୁ ତାଙ୍କ ଦେଖାଶୁଣା ଦାୟିତ୍ୱ ଚାକର, ପୂଜାରୀଙ୍କ ଉପରେ ନ୍ୟସ୍ତ ଥିଲା । ସେମାନେ ତାଙ୍କୁ ବାହାରକୁ ଛାଡ଼ୁ ନଥିଲେ । ସେହି ମହଲ ଭିତରେ ତାଙ୍କ ଭାଇ ସୌମେନ୍ଦ୍ର ଓ ନାନି ପୁଅ ସତ୍ୟ ସହ ଖେଳବୁଲାରେ ସମୟ କାଟୁଥିଲେ । ନିର୍ଜନତା ବାଳକ ରବୀନ୍ଦ୍ରନାଥର ସହଚର ଥିଲା । ସେ ବାହାରକୁ ନଯାଇ ମଧ୍ୟ ବହୁତ କଥା ଦେଖି ଦେଖି ଶିଖି ଯାଉଥିଲେ ଓ ବହୁତ କଥା ମଧ୍ୟ ଲେଖି ପକାଉଥିଲେ । ଏକା ଏକା ମନେ ମନେ ବହୁ କଥା ଚିନ୍ତା କରି ତାଙ୍କ ପିଲାଦିନ କଟିଥିଲା ।

ପିଲାଦିନେ ତାଙ୍କ ଭାଇମାନଙ୍କ ସହ ସ୍କୁଲ ଯାଉଥିଲେ । ମାତ୍ର ସ୍କୁଲର ଆଦବ କାଇଦା, ଗୁରୁଜୀଙ୍କ ଆକଟ, ଦଣ୍ଡ ବିଧାନ ତାଙ୍କୁ ଭଲ ନଲାଗିବାରୁ ସେ ଗୋଟାଏ ପରେ ଗୋଟାଏ ତିନୋଟି ସ୍କୁଲ ବଦଳାଇଥିଲେ । ସେ ଭଲ ଛାତ୍ର ଥିଲେ ମଧ୍ୟ ଶିକ୍ଷକମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିନଥିଲେ । ଏଣୁ ସେ ସ୍କୁଲ ଯିବା ବନ୍ଦ କରି ଦେଲେ । ରବୀନ୍ଦ୍ରନାଥଙ୍କ ପିତା ପୁଅର ସ୍କୁଲ ପ୍ରତି ଅମନଯୋଗିତା ଦେଖି ଘରେ ଶିକ୍ଷକ ରଖି ପୁଅକୁ ପାଠ ପଢ଼ାଇଥିଲେ । ସେ ତାଙ୍କ ପାଖରେ ଅଙ୍କ, ଇତିହାସ, ବିଜ୍ଞାନ ଇତ୍ୟାଦି ପଢ଼ୁଥିଲେ । ଏଥିସହ ସଂଗୀତ, ଚିତ୍ରକଳା, କୁସ୍ତି କସରତ ପାଇଁ ଅନ୍ୟାନ୍ୟ ଶିକ୍ଷକମାନଙ୍କୁ ନିଯୁକ୍ତି ଦେଇଥିଲେ । ଏଥର ପୁଣି ଏକ ନୂଆ ସ୍କୁଲରେ ନାମ ଲେଖାଇଲେ ମାତ୍ର ସବୁଥର ଭଳି ଏଥର ମଧ୍ୟ ବିଦ୍ୟାଳୟ ତାଙ୍କୁ ଭଲ ଲାଗିଲା ନାହିଁ । ଏଣୁ ପିତା ତାଙ୍କୁ ଅନ୍ୟତ୍ର ପଠେଇବା ପାଇଁ ଚିନ୍ତା କଲେ ।

ବାରବର୍ଷ ବୟସରେ ରବୀନ୍ଦ୍ରନାଥଙ୍କ ବ୍ରତୋପୟନ ବିଧି ସମ୍ପନ୍ନ ହେଲା ପରେ ସେ ଅମୃତସର ଯାଇ ଶିଖ୍ ମନ୍ଦିର ଦର୍ଶନ କରିଥିଲେ । ସେଠାରୁ ସେ ଡେଲହାଉସୀ ଗଲେ । ପିତାଙ୍କୁ ସଂସ୍କୃତ ପାଠ ଶିକ୍ଷା କରି କାଳୀ ଦାସଙ୍କ ‘ମେଘଦୂତ’ କାବ୍ୟ ପାଠ କରିଥିଲେ । ଭାଷା ଠିକ୍ ଭାବେ ବୁଝିନଥିଲେ ମଧ୍ୟ କାବ୍ୟର ଶବ୍ଦ ସଂଯୋଜନା ତାଙ୍କୁ ପ୍ରଭାବିତ କରିଥିଲା । ସେ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ଦେଢ଼ବର୍ଷ ରହି ଇଂରାଜୀ, ସଂଗୀତ ଓ ଚିତ୍ର କଳା ଉପରେ ଯଥେଷ୍ଟ ଜ୍ଞାନ ଲାଭ କଲେ । ତାଙ୍କ ବଡ଼ ଭାଇ ଜ୍ୟୋତିନ୍ଦ୍ରନାଥ ସଂଗୀତ ଓ ନାଟକ ପ୍ରିୟ ଥିଲେ । ତାଙ୍କ ପ୍ରଭାବରୁ ରବୀନ୍ଦ୍ରନାଥ ସଂଗୀତ ଓ ନାଟକ ପ୍ରତି ଆକୃଷ୍ଟ ହୋଇଥିଲେ । ସମୟକ୍ରମେ ରବୀନ୍ଦ୍ରନାଥ ସୁନ୍ଦର ଭାବେ ସଂଗୀତ ଗାନ କରିବା ସହ ଅଭିନୟରେ ଦକ୍ଷତା ଅର୍ଜନ କରିଥିଲେ । ସେ ନାଟକ ମଧ୍ୟ ରଚନା କରିଥିଲେ ଓ ସେଥିରେ ରଚନା କରିଥିବା ଗୀତର ସ୍ୱର ମଧ୍ୟ ନିଜେ ସଂଯୋଜନା କରିଥିଲେ ।

୧୯୦୧ ମସିହାରେ ତାଙ୍କ ପତ୍ନୀ ମୃଣାଳିନୀଙ୍କର ବିୟୋଗ ଘଟିଲା । ତାଙ୍କ ଜୀବନରେ ଦୁଃଖର କଳା ବାଦଲ ଛାଇଗଲା । ମୃତ୍ୟୁର କରାଳ ସ୍ରୋତ ତାଙ୍କ ପିତା, ପୁତ୍ର, କନ୍ୟା ଓ ପ୍ରିୟତମ ବନ୍ଧୁ ଜଣଙ୍କ ପରେ ଜଣେ ଭାସି ଗଲେ । ସେ ତା ପରେ ଶାନ୍ତିନିକେତନ ଠାରେ ଏକ ବିଦ୍ୟାଳୟ ପ୍ରତିଷ୍ଠା କଲେ । ମୁକ୍ତ ପରିବେଶ ଭିତରେ ପିଲାମାନଙ୍କ ମନସ୍ତତ୍ତ୍ୱକୁ ଅଧ୍ୟୟନ କରି ଏଠାରେ ପାଠ୍ୟଦାନ ଆରମ୍ଭ କରାଗଲା । ସଂଗୀତ, ନାଟକ, ନୃତ୍ୟ, ଚିତ୍ରକଳା, ବାଦ୍ୟ ମଧ୍ୟରେ ସେ ପ୍ରକୃତି ଓ ଜୀବନ ଦର୍ଶନର ଶିକ୍ଷା ଦେଉଥିଲେ । ସେ ସୁନ୍ଦର ଜଳରଂଗର ଚିତ୍ର ଅଙ୍କନ କରୁଥିଲେ । ୧୯୧୧ ମସିହାରେ ସେ ବିଲାତ ଚାଲିଗଲେ । ଇତିମଧ୍ୟରେ ସେ ଅନେକ ପଦ୍ୟ, କବିତା, ଉପନ୍ୟାସ, ପ୍ରବନ୍ଧ, ନାଟକ ଇତ୍ୟାଦି ଲେଖି ପ୍ରତିଷ୍ଠା ଅର୍ଜ୍ଜନ କରିଥିଲେ । ତାଙ୍କ ଯଶ ସାରା ପୃଥିବୀର ଚାରିଆଡ଼େ ବ୍ୟାପି ଯାଇଥିଲା । ସେ ବିଲାତ ଯାଇଥିବାବେଳେ ଇଂଲଣ୍ଡର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରି ତାଙ୍କ କବିତା ଶୁଣାଇଥିଲେ । ତାଙ୍କ ‘ଗୀତାଞ୍ଜଳି’ର କବିତା ସେମାନଙ୍କୁ ମୁଗ୍ଧ କରିଥିଲା । ୧୯୧୩ରେ ପୃଥିବୀର ଶ୍ରେଷ୍ଠ ସାହିତ୍ୟ ଭାବେ ‘ଗୀତାଞ୍ଜଳି’ ନୋବେଲ ପୁରସ୍କାର ଲାଭ କରିଥିଲା । କବି ସ୍ୱଦେଶକୁ ମନପ୍ରାଣ ଭରି ଭଲ ପାଉଥିଲେ । ଯେତେବେଳେ ଦେଶରେ କୌଣସି ଅଭାବ ଅସୁବିଧା ଘଟୁଥିଲା, ସେତେବେଳେ ଦେଶବାସୀଙ୍କ ସହାୟତା ପାଇଁ ସେ ବାହାରି ପଡ଼ୁଥିଲେ । ସେତେବେଳେ ତାଙ୍କର ଏପ୍ରକାର ସମାଜ ସେବା ଓ କର୍ମ ତତ୍ପରତା ଦେଖି ଇଂରେଜ ସରକାର ତାଙ୍କୁ ‘ନାଇଟ୍‌’ ଉପାଧିରେ ଭୂଷିତ କରିଥିଲେ । ମାତ୍ର ୧୯୧୯ରେ ପଞ୍ଜାବରେ ଶିଖ୍ ମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ଯଥା-ମଣ୍ଟେଗୁ ଚେମସଫୋର୍ଡ଼ ନୀତି, ଜାଲିଆନାୱାଲାବାଗ ହତ୍ୟାକାଣ୍ଡ, ରାଓଲାଟ ଆଇନର ବର୍ବରତାକୁ ବିରୋଧ କରିବା ପ୍ରତିବାଦରେ ସରକାରଙ୍କୁ ସେ ନାଇଟ୍ ଉପାଧି ଫେରାଇ ଦେଇଥିଲେ । ଭାରତବର୍ଷରେ ଅସହିଷ୍ଣୁତାକୁ ବିରାଧ କରି ଲେଖକମାନେ ପୁରସ୍କାର ଫେରାଉଥିବାର ଯେଉଁ ନଜିର 2015-16 ଦେଖାଯାଇଥିଲା ତାହାର ଜନକ ଥିଲେ ରବୀନ୍ଦ୍ରନାଥ ଠାକୁର ।

୧୯୪୦ରେ ଇଂଲଣ୍ଡର ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ ଶାନ୍ତିନିକେତନ ଠାରେ ଏକ ଉତ୍ସବର ଆୟୋଜନ କରି ତାଙ୍କୁ ଏହିଠାରେ ଡକ୍ଟରେଟ୍ ଉପାଧି ପ୍ରଦାନ କରିଥିଲେ । ୧୯୪୧ ଅପ୍ରେଲ ମାସ ତାଙ୍କ ଅଶୀତମ ଜନ୍ମତିଥି ପାଳିତ ହେଲା ମହା ଆଡ଼ମ୍ବର ସହକାରେ । ସେତେବେଳେ ସେ ଅସୁସ୍ଥ ଅନୁଭବ କରୁଥିଲେ । ତା’ର ତିନିମାସ ପରେ ଅର୍ଥାତ୍ ଜୁଲାଇ ମାସରେ ତାଙ୍କର ଦେହାନ୍ତ ଘଟିଥିଲା ।

ସେ ଏକାଧାରରେ କବି, ଗାଳ୍ପିକ, ପ୍ରାବନ୍ଧିକ, କଣ୍ଠଶିଳ୍ପୀ, ଅଭିନେତା, ନାଟ୍ୟକାର ଓ ଚିତ୍ରଶିଳ୍ପୀ ଥିଲେ । ତାଙ୍କ ଦେହାନ୍ତ ସହ ସେ ଆରମ୍ଭ କରିଥିବା ଚିତ୍ରରେ ପ୍ରତୀକ ବାଦ ଓ ରହସ୍ୟବାଦର ମଧ୍ୟ କ୍ରମଶଃ ହଜିଗଲା । ରବୀନ୍ଦ୍ରନାଥଙ୍କ ବିୟୋଗ ୧୯୫୦ ପରେ ଅବଶ୍ୟ ସ୍ୱଳ୍ପ ପରିମାଣରେ ଶିଳ୍ପୀମାନେ କିଛି କାର୍ଯ୍ୟ କରିଥିଲେ । କିନ୍ତୁ ପରେ ପରେ ଏହା କ୍ରମଶଃ ମନ୍ଥର ହୋଇଗଲା । ମାତ୍ର ତାଙ୍କ ହାତଗଢ଼ା ଶାନ୍ତିନିକେତନ ଆଜି ସମଗ୍ର ବିଶ୍ୱରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ଲାଭ କରିଛି । ବୋଲପୁର ଠାରେ ଏହି ବିଶ୍ୱବିଦ୍ୟାଳୟ ଚିରକାଳ ମନୁଷ୍ୟ ଜାତି ମଧ୍ୟରେ ଏକତାର ମନ୍ତ୍ର ପ୍ରଚାର କରୁଥିବ । ଏଠାରେ ନାନା ଦେଶର ଛାତ୍ରଛାତ୍ରୀମାନେ ଶିକ୍ଷାଲାଭ କରୁଅଛନ୍ତି । ଏହା ବିଶ୍ୱକଳା କେନ୍ଦ୍ରରେ ପରିଣତ ହୋଇପାରିଛି । ରବୀନ୍ଦ୍ରନାଥଙ୍କ ମୃତ୍ୟୁ ବେଳକୁ ୫୮ଟି କବିତା ୪୫ଟି ନାଟକ ୫୪ଟି ପ୍ରବନ୍ଧ ଓ ୧୨ଟି ପାଠ୍ୟ ପୁସ୍ତକ ରଚନା କରିଯିବା ସହ ୧୬୯ଟି କ୍ଷୁଦ୍ରଗଳ୍ପ, ୨୨୦୯ଟି ସଂଗୀତ ଧର୍ମୀ କବିତା ରଚନା କରିଯାଇଥିଲେ । ଏଥିସହ ଅନେକ ପେଣ୍ଟିଙ୍ଗ, ଜଳରଂଗ ଓ ପେନ୍‌ସିଲ ଚିତ୍ରଣ ଛାଡ଼ି ଯାଇଛନ୍ତି । ଯାହା ତାଙ୍କ ନାମରେ ଗ୍ୟାଲେରୀ ଖୋଲାଯାଇ ସେଥିରେ ତାଙ୍କ ଚିତ୍ରର ସଂରକ୍ଷଣ କରାଯାଇଛି । କଳା ଭବନରେ ଥିବା ଆର୍ଟ ଗ୍ୟାଲେରୀରେ ସଂଗୃହୀତ ହୋଇ ରହିଛି । ଦିଲ୍ଲୀ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀରେ ମଧ୍ୟ ସଂଗୃହିତ ହୋଇ ରହିଛି । ତାଙ୍କ ଛବି ମଧ୍ୟରେ ରବୀନ୍ଦ୍ରନାଥଙ୍କ ଦ୍ୱାରା ଲିଖିତ “ଜନଗଣ ମନ ଅଧିନାୟକ” ଗୀତଟି ସ୍ୱାଧୀନ ଭାରତର ରାଷ୍ଟ୍ରୀୟ ସଂଗୀତ ରୂପେ ଗୃହୀତ ହୋଇଅଛି, ଯାହା କୋଟି କୋଟି ନରନାରୀଙ୍କ କଣ୍ଠରେ ଧ୍ୱନିତ ହେଉଥିବ ।

ନାରୀର ଚିତ୍ର (veiled women), ନାରୀର ମୁହଁ (women face), ଛିଡ଼ା ହୋଇଥିବା ବେଳର ଚିତ୍ର (standing figure), ଫୁଲ ଦାନୀ (vase), ମୁହଁ (face), ମୁଖର ଆକୃତି (study in face), ଫୁଲର ଚିତ୍ର (flower study), ପୁରୁଷ ଓ ନାରୀ (men and women), ସାତଟି ମିଳିତ ଚିତ୍ର (seven figure), ଛବି ଅନ୍ୟତମ । ଏତଦ୍‌ବ୍ୟତୀତ ତାଙ୍କର ଆହୁରି ଅନେକ ଛୋଟ ଛୋଟ ଛବି ରହିଛି ଦିଲ୍ଲୀ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀରେ । ସେ ଏଗୁଡ଼ିକ ନିଜ ସଉକରେ ବେଳେ ବେଳେ ତିଆରି କରିଥାଆନ୍ତି ମୁଖ୍ୟତଃ ସେ ଲେଖକ ଭାବେ ପ୍ରସିଦ୍ଧ ଅର୍ଜ୍ଜନ କରିଛନ୍ତି ।

Share This Article
ଚିତ୍ରକର, କଳା ଶିକ୍ଷକ, ଲେଖକ