ନବାନ୍ନର ଶାସ୍ତ୍ରୀୟ ମହିମା: ଏକ ସମ୍ୟକ ଆଲୋଚନା

Swayamprava Parhi (Chief Editor)
8 Min Read

କୃଷି ସହିତ ଯୋଡ଼ିହୋଇଛି ଅନେକ ପର୍ବପର୍ବାଣୀ । ସମଗ୍ର ଓଡ଼ିଶାରେ ଯେତେସବୁ ପର୍ବପର୍ବାଣୀ ପାଳନ କରାଯାଏ ତା’ର ମୁଖ୍ୟ ଆକର୍ଷଣ ହେଉଛି ଖାଦ୍ୟ । ପିଲାଠାରୁ ବଡ଼ଯାଏ ସମସ୍ତେ ଅପେକ୍ଷାକରନ୍ତି କେବେ ରଜ ଆସିବ, କେବେ ନବାର୍ଣ୍ଣ ପୁଣି କେବେ ଗମହାପୂର୍ଣ୍ଣିମା ତ କେବେ ଚିତଉ ଅମାବାସ୍ୟାକୁ…କିଛି ପର୍ବ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବହୁତ ଜାକଜମକରେ ପାଳନ କରାଯାଏ, ଯେମିତି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇକୁ ଗଣପର୍ବ ଭାବରେ ଗ୍ରହଣକରାଯାଇଛି । କୃଷକ ବର୍ଷର ପ୍ରଥମ ଅନ୍ନକୁ ପୂଜାକରନ୍ତି ଓ ସମସ୍ତେ ଏକାଠି ହୋଇ ଖାଦ୍ୟଗ୍ରହଣ କରନ୍ତି । କୃଷିସହିତ ସମ୍ପର୍କିତ ଏହିପର୍ବ ଏବେ କୃଷିର ବିପର୍ଯ୍ୟୟ ସମୟରେ କେଉଁଭଳି ପାଳନ କାରାଯାଉଛି ନିଶ୍ଚୟ ଏକ ଗମ୍ଭୀର ପ୍ରଶ୍ନ ଯାହା ପରବର୍ତ୍ତି ସମୟରେ ଆଲୋଚନା କରିବାପାଇଁ ଆମେ ପ୍ରୟାସ କରିବୁ ।               – ସମ୍ପାଦକ

Support Samadhwani

ଭାରତୀୟ ଜନ ମାନସରେ ‘ଅନ୍ନ’ର ସ୍ୱତନ୍ତ୍ର ଏକ ମହିମାନ୍ୱିତ ଆସନ ଓ ପ୍ରତିଷ୍ଠା ଯୁଗ ଯୁଗ ଧରି ରହିଛି । ଅନ୍ନରେ ଯେ ଅପୂର୍ବ, ଅସାଧାରଣ ପ୍ରାଣ ପ୍ରଦାୟିନୀ ଶକ୍ତି ରହିଛି ଏ ସତ୍ୟକୁ ସର୍ବତୋ ଭାବେ ସର୍ବତ୍ର ନାନାଦି ପୂଜା, ଉପାସନା, ଉତ୍ସବ, ପର୍ବପର୍ବାଣୀରେ ସ୍ୱୀକୃତ ହୋଇଆସିଛି । ବେଦ ବର୍ଣ୍ଣିତ ଏକମାତ୍ର ଦେବୀ ‘ଅଦିତି’ଙ୍କର ଅନ୍ୟ ଏକ ରୂପ ହେଲା ଅନ୍ନପୂର୍ଣ୍ଣା ବା ଆଜିର ଲକ୍ଷ୍ମୀ ଦେବୀ । ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ନାନାଦି ରୂପରେ, ରୀତିନୀତିରେ ଏ ଶସ୍ୟର ଦେବୀଙ୍କୁ ପୂଜା କରାଯାଇଥାଏ । ପଶ୍ଚିମ ଓଡ଼ିଶାର ମୁଖ୍ୟପର୍ବ ‘ନୂଆଁଖାଇ’ ବା ‘ନବାର୍ଣ୍ଣ’ ତା ଭିତରୁ ଅନ୍ୟତମ । ଏହା ଏକ ଗଣପର୍ବ । ଏ ପର୍ବର ମହାତ୍ମ୍ୟ ଦିନକୁ ଦିନ କ୍ରମ-ପ୍ରସାରୀତ ହୋଇ ସମସ୍ତଙ୍କ ଦ୍ୱାରା ସ୍ୱୀକୃତ ହେବାରେ ଲାଗିଛି । ଦେଖିଛି ପୁରୁଷାନୁକ୍ରମେ ପଶ୍ଚିମ ଓଡ଼ିଶାରେ ବସବାସ କରି ଆସୁଥିବା ଅଣ-ଓଡ଼ିଆ ବନ୍ଧୁଗଣ ବି ନିଜସ୍ୱ ଭଙ୍ଗୀରେ ଏ ପର୍ବକୁ ପାଳନ କଲେଣି । ଭାରତର ବିଭିନ୍ନ ପ୍ରାନ୍ତରେ ଏ ପର୍ବ ବିଭିନ୍ନ ଋତୁରେ ବା ସମୟରେ ନାନା ରୂପରେ ମହାସମାରୋହରେ ପାଳିତ ହୁଏ ।

ତୈତରୀୟ ଉପନିଷଦ ଭୃଗୁବଲ୍ଲୀରେ ଅନ୍ନର ବିଶେଷ ମହିମା ବର୍ଣ୍ଣନ ରହିଛି ଏକ ଉପାଖ୍ୟାନ ମାଧ୍ୟମରେ । ଭୃଗୁ ନାମକ ଏକ ପ୍ରସିଦ୍ଧ ଚାଷୀ ଥିଲେ । ସେ ବରୁଣଙ୍କ ପୁତ୍ର ଥିଲେ । ତାଙ୍କ ମନରେ ପରମାତ୍ମାଙ୍କୁ ଜାଣିବା ପାଇଁ ପ୍ରବଳ ଜିଜ୍ଞାସା ହେବାରୁ ନିଜ ପିତାଙ୍କ ପାଖକୁ ଗଲେ । ପଚାରିଲେ, ‘ଭଗବନ୍! ମୁଁ ବ୍ରହ୍ମକୁ ଜାଣିବାକୁ ଚାହେଁ । ଆପଣ କୃପା ପୂର୍ବକ ବ୍ରହ୍ମତତ୍ତ୍ୱ କ’ଣ ତାକୁ ବୁଝେଇ ଦିଅନ୍ତୁ ।’ ପିତା ବରୁଣଙ୍କ ଉତ୍ତର ଥିଲା ଏଇୟା- “ଅନ୍ନ, ପ୍ରାଣ, ନେତ୍ର, ଶ୍ରୋତ, ମନ ଏବଂ ବାଣୀ ଏସବୁ ବ୍ରହ୍ମ ଉପଲବ୍ଧିର ଦ୍ୱାର ଅଟେ । ଏ ସବୁରେ ବ୍ରହ୍ମସତ୍ତା ସ୍ଫୁରିତ ହୋଇଥାଏ । ପ୍ରତକ୍ଷ୍ୟରେ ଦେଖାଯାଉଥିବା ସମସ୍ତ ପ୍ରାଣୀ ଉତ୍ପନ୍ନ ହୁଅନ୍ତି, ଉତ୍ପନ୍ନ ହୋଇ ଯାହାର ସହଯୋଗରୁ ଯାହାଠୁଁ ବଳ ପ୍ରାପ୍ତ କରି ବଞ୍ଚିବାରେ ସମର୍ଥ ହୁଅନ୍ତି ଏବଂ ମହାପ୍ରଳୟ କାଳରେ ଯେଉଁଠି ଏ ସମସ୍ତେ ବିଲୀନ ହୋଇଯାନ୍ତି ସେ ସବୁକୁ ଜାଣିବା ପାଇଁ ଚେଷ୍ଟା କର । ସେ ହିଁ ‘ବ୍ରହ୍ମ’ ଅଟନ୍ତି ।”

କେତେକ ବ୍ୟକ୍ତି ଏହାକୁ ଅନ୍ନବ୍ରହ୍ମ ମନେ କରି ପାତ୍ରରେ ଗୋଟିଏ ବି ଉଚ୍ଛିଷ୍ଟ ଅନ୍ନ ତ୍ୟାଗ କରନ୍ତି ନାହିଁ ଆଉ କିଛି ଅଳ୍ପ କିଛି (ନାମକୁ ମାତ୍ର) ଅନ୍ନ ଅବଶେଷ ଅନ୍ନ ପଶୁ, ପକ୍ଷୀ, କୀଟ ମାନଙ୍କ ଉଦ୍ଦେଶ୍ୟରେ ଛାଡ଼ି  ଯାଇଥାନ୍ତି । ମୋର ୰ପିତା ତାହା କରୁଥିଲେ । ମୋର ୨ଜଣ ସହଯୋଗୀ ୰ ଶିକ୍ଷକ ପ୍ରଥମ ଶ୍ରେଣୀର ଥିଲେ । ଦ୍ୱିତୀୟ ଅନୁବାକ୍ୟରେ କୁହାଯାଇଛି “ଅନ୍ନ ବ୍ରହ୍ମୋତି ବାଜାନାତ୍” । ବ୍ରହ୍ମର ସମସ୍ତ ଲକ୍ଷଣ ଅନ୍ନରୁ ହିଁ ମିଳିଥାଏ । ସମସ୍ତ ପ୍ରାଣୀ ଅନ୍ନର ପରିଣାମଭୂତ ବୀର୍ଯ୍ୟରୁ ଉତ୍ପନ୍ନ ହୁଅନ୍ତି । ଅନ୍ନରୁ ସେମାନଙ୍କର ଜୀବନ ସୁରକ୍ଷିତ ହୋଇ ରହେ ଇତ୍ୟାଦି । ତୃତୀୟ ଅନୁବାକ୍ୟରେ କୁହାଯାଇଛି “ପ୍ରାଣୋ ବ୍ରହ୍ମୋତି ବ୍ୟଜାନାତ୍” ପ୍ରାଣ ହିଁ ବ୍ରହ୍ମ ଅଟେ । ସମସ୍ତ ପ୍ରାଣୀଙ୍କର ପ୍ରାଣରୁ ଉତ୍ପନ୍ନ ଘଟେ । ଚତୁର୍ଥ ଅନୁବାକ୍ୟରେ କୁହଯାଇଛି “ମନୋ ବ୍ରହ୍ମୋତି ବ୍ୟଜାନାତ୍” । ମନରୁ ସମସ୍ତ ପ୍ରାଣୀଙ୍କର ଉତ୍ପତ୍ତି ଘଟେ । ଏପରିକି ସ୍ତ୍ରୀ ଓ ପୁରୁଷଙ୍କର ମାନସିକ ପ୍ରେମପୂର୍ଣ୍ଣ ସମ୍ବନ୍ଧରୁ ହିଁ ପ୍ରାଣ ବୀଜ ରୂପରେ ମାତାର ଗର୍ଭକୁ ଯାଇ ଉତ୍ପନ୍ନ ହୁଏ ଓ ହେବା ପରେ ମନରୁ ହିଁ ଇନ୍ଦ୍ରୀୟ ମାନଙ୍କ ଦ୍ୱାରା ସମସ୍ତ ଜୀବନ ଉପଯୋଗୀ ବସ୍ତୁକୁ ଭୋଗ କରି ଜୀବିତ ରହେ ଓ ମୃତ୍ୟୁ ପରେ ମନରେ ହିଁ ପ୍ରବିଷ୍ଟ ହୋଇଯାଏ । ଆମର ଉପନିଷଦ ସବୁରେ ଉଚ୍ଚସ୍ତରୀୟ ଜ୍ଞାନ, ବୁଦ୍ଧି ଓ ବିଚାର ସବୁର ସମାବେଶ ଘଟିଛି । ପଞ୍ଚମ  ଅନୁବାକରେ କୁହାଯାଇଛି “ବିଜ୍ଞାନ ବ୍ରହ୍ମୋତି ବ୍ୟଜନାତ୍” । ବିଜ୍ଞାନ ସ୍ୱରୂପ ଚେତନ ଜୀବାତ୍ମା ହିଁ ବ୍ରହ୍ମ ଅଟେ । ସମସ୍ତ ପ୍ରାଣୀ ଜୀବାତ୍ମାରୁ ଉତ୍ପନ୍ନ ହୁଅନ୍ତି । ଜୀବାତ୍ମାରୁ ସମସ୍ତ ଜୀବଙ୍କର ଉତ୍ପତ୍ତି ଘଟେ । ଯଦି ଜୀବାତ୍ମା ନ ରହେ ମନ, ଇନ୍ଦ୍ରୀୟଗଣ ପ୍ରାଣ ଆଦିର ସ୍ଥିତି ସମ୍ଭବ ନୁହେଁ । ପିତା ପୁତ୍ରକୁ କହୁଛନ୍ତି- “ତପ ଆଚରଣ କର କାରଣ ତପ ହିଁ ବ୍ରହ୍ମ ଅଟେ ।” (ତପୋ ବ୍ରହ୍ମୋତି) । ଷଷ୍ଠ ଅନୁବାଦ ‘ଆନନ୍ଦୋ ବ୍ରହ୍ମୋତି ବ୍ୟଜାଯତ୍’ । ଭୃଗୁ କହିଛନ୍ତି- “ଆନନ୍ଦ ହିଁ ବ୍ରହ୍ମ ଅଟେ” । ଏ ଆନନ୍ଦମୟ ପରମାତ୍ମା ହିଁ ଅନ୍ନମୟ ଆଦି ସମସ୍ତଙ୍କର ଅନ୍ତରାତ୍ମା ଅଟନ୍ତି । ଏସବୁ ତାଙ୍କର ସ୍ଥୂଳ ରୂପ ଅଟନ୍ତି । ଏ ଆନନ୍ଦମୟ ସ୍ୱରୂପ ପରଂବ୍ରହ୍ମ ଆଦି-କାରଣ ଅଟନ୍ତି କାରଣ ସେ ସୃଷ୍ଟି ହେବା ପୂର୍ବରୁ ଥିଲେ । ତାଙ୍କର ଲେଶ ମାତ୍ର ଆନନ୍ଦ ପ୍ରାପ୍ତ କରି ସମସ୍ତ ପ୍ରାଣୀ ବଞ୍ଚି ରହିଛନ୍ତି । ଏ ଆନନ୍ଦମୟ ସର୍ବାନ୍ତର୍ଯ୍ୟାମୀ ପରମାତ୍ମାଙ୍କର ଅଚିନ୍ତ୍ୟ ଶକ୍ତି ପ୍ରେରଣାରୁ ସମସ୍ତ ପ୍ରାଣୀ ବଞ୍ଚି ରହିଛନ୍ତି । ସପ୍ତମ ଅନୁବାଦ କୁହେ- ‘ଅନ୍ନଂ ନ ନିନ୍ଦ୍ୟାତ’ । ଅନ୍ନର ନିନ୍ଦା କର ନାହିଁ । ‘ତଦୃତମ ପ୍ରାଣୋ ବା ଅନ୍ନମ୍’ । ପ୍ରାଣ ହିଁ ଅନ୍ନ ଅଟେ । ଶରୀର ପ୍ରାଣ ଆଧାର ଉପରେ ସ୍ଥିତ ଅଟେ । ‘ଶରୀରେ ପ୍ରାଣଃ ପ୍ରତିଷ୍ଠିତଃ’ । ଶରୀର ଆଧାର ଉପରେ ପ୍ରାଣ ପ୍ରତିଷ୍ଠିତ । ଶରୀର ପ୍ରାଣରୂପୀ ଅନ୍ନର ଭୋକ୍ତା ଅଟେ । ଏ ମନ୍ତ୍ର ବା ଶ୍ଲୋକରେ ପ୍ରାଣକୁ ଅନ୍ନ ବୋଲି କୁହାଯାଇଛି କାରଣ ଏହା ଅନ୍ନ ରସକୁ ଶରୀର ସାରା ସଂଚାଳିତ କରେ ବା କରାଏ । ଏଥିରେ (୧) ଶରୀର (୨) ପ୍ରାଣ (୩) ବ୍ରହ୍ମ ପାରିଷ୍ପରୀକ ସଂପର୍କ ବା ଅନୁସଂଗର ଆଲୋଚନା କରାଯାଇଛି । କୁହାଯାଇଛି, ଯେ ଏ ରହସ୍ୟକୁ ଜାଣେ ସେ ଆପେ ଆପେ ଅନ୍ନରୂପକ ପ୍ରାଣ ଓ ପରେ ବ୍ରହ୍ମରେ ପ୍ରତିଷ୍ଠିତ ହୋଇଯାଏ । ଶରୀର ଓ ପ୍ରାଣର ସମ୍ବନ୍ଧ ଅନ୍ୟୋନାଶ୍ରୟ ଅଟେ । ତେଣୁ ଅନ୍ନକୁ ‘ହେୟ’ ମନେ କରି ନଷ୍ଟ କର ନାହିଁ ଆଜି ଯାହାକି ସାମୁହିକ ଭୋଜି (ୟସଦ୍ଭଦ୍ଭରକ୍ସ କ୍ଟ୍ରବକ୍ସଗ୍ଧଚ୍ଚ) ସବୁରେ ଦେଖାଯାଉଛି । ଘରଣୀକୁ ‘ଗୃହଲକ୍ଷ୍ମୀ’ ବୋଲି କୁହାଯାଏ । ପୂର୍ବେ ମାଁ ମାନେ ଏ ଧରଣର ଅନ୍ନ ଫୋଫଡ଼ା ଫୋପାଡ଼ି କରୁଥିବା ସନ୍ତାନ ମାନଙ୍କୁ ‘ଲକ୍ଷ୍ମୀଛଡ଼ା’ ହୁଅନା ବୋଲି କହୁଥିଲେ । ‘ନବାନ୍ନ’ର ସଂଦେଶ ହେଲା, ଯେମିତି ଖାଇବ, ସେତିକି ମାଗ । ଖାଦ୍ୟ ଲୋଭ ବଶବତ୍ ଅଧିକ ମାଗ ନାହିଁ । ଅନ୍ନ ବା ଖାଦ୍ୟକୁ ଅଯଥାରେ ନଷ୍ଟ କର ନାହିଁ । ମାନୁଛି କିଏ? ଅଷ୍ଟମ ଅନୁବାକ୍ରେ କୁହାଯାଇଛି- ‘ଅନ୍ନ ନ ପରିଚକ୍ଷୀତ୍” । ତଦ୍ ବ୍ରତମ । ଏଥିରେ ଜଳ ଓ ଅଗ୍ନିକୁ ମଧ୍ୟ ଅନ୍ନ ରୂପେ ସ୍ୱୀକାର କରାଯାଇଛି । କୁହାଯାଇଛି ନିୟମ କର ‘ମୁଁ କେବେ ବି ଅନ୍ନର ଅବହେଳନ କରିବି ନାହିଁ, ଅର୍ଥାତ ଅନ୍ନର ଉଲ୍ଲଂଘନ, ଦୁରୁପଯୋଗ ବା ପରିତ୍ୟାଗ’ କରିବି ନାହିଁ । ସବୁ ମନ୍ତ୍ରରେ ଗୋଟିଏ ଶ୍ଲୋକର ବାରମ୍ବାର ପୁନରାବୃତ୍ତି ଘଟିଛି, ‘ସ ଯ ଏତଦନ୍ନମନ୍ନେ ପ୍ରତିଷ୍ଠିତଂ ବେଦ ପ୍ରତିତିଷ୍ଠତି’ । ଏଥିରେ ବେଦର ଅର୍ଥ ହେଲା (ଯେ ଏ ରହସ୍ୟକୁ) ଭଲ ଭାବରେ ବୁଝିଛି । ନବମ ଅନୁବାକ । ‘ଅନ୍ନ ବହୁ କୁର୍ବାତ’ ତଦ୍ ବ୍ରତମ । ଏଥିରେ ପୃଥିବୀ ଓ ଆକାଶ ଏ ଉଭୟଙ୍କୁ ଅନ୍ନ ରୂପରେ ଗ୍ରହଣ କରାଯାଇଛି । ଏହାର କାରଣ ହେଲା ଆମର ଶରୀର ପଞ୍ଚଭୂତରେ ଗଢ଼ା । ଜୀବ ସୃଷ୍ଟିର ଉପାଦାନ ଭାବେ ଏ ସବୁ ସ୍ୱୀକୃତ ହୋଇଛି । ଆଧୁନିକ ବିଜ୍ଞାନ ମଧ୍ୟ ଏ ତତ୍ତ୍ୱକୁ ସ୍ୱୀକାର କରେ । ଏ ମନ୍ତ୍ରଟି ହେଲା ଶେଷ ମନ୍ତ୍ର । ଏଥିର ସନ୍ଦେଶ ହେଲା ‘ମୁଁ ଅନ୍ନର ଅତି ବୃଦ୍ଧି କରିବି’ । ଏହା ଅଭ୍ୟୁଦୟ ଓ ବିସ୍ତାର ସୂଚକ । କୃଷି ଭୂମି ଏବେ ସଂକୁଚିତ । ବୃହତ୍ ଚାଷୀ ଚାଷବାସ ପରିତ୍ୟାଗ କରି ଆନ୍ଧ୍ର ଚାଷୀଙ୍କ ହାତରେ ଅର୍ପଣ କରି ସାରିଲେଣି । କୃଷି ଉତ୍ପାଦନ ମଧ୍ୟ କ୍ରମଶଃ ରସାତଳଗାମୀ ହେବାରେ ଲାଗିଛି ।

Support Samadhwani

ନବାନ୍ନ ଏକ କୃଷି ଭିତ୍ତିକ ପର୍ବ ହେଲେ ହେଁ ଏହା ମୈତ୍ରୀ, ବନ୍ଧୁତା ସହଯୋଗର ବାର୍ତ୍ତା ବହନ କରେ । ଏହା ଏକ ଗଣପର୍ବ ହେଲେ ହେଁ ପୂର୍ବ ପରି ଏହା ସାମାଜିକ, ଗୋଷ୍ଠୀ ଜୀବନର ଭେଟ୍ଘାଟ ସନ୍ଦେଶ ବହନ କରୁ ନାହିଁ । ଭକ୍ତି, ସମ୍ମାନବୋଧ ମଧ୍ୟ କ୍ରମଶଃ ଲୀନ ହେବାକୁ ବସୁଛି । ଅପରାହ୍ନରେ ନାମ ସଂକୀର୍ତ୍ତନ୍ୟ ସହ ସମସ୍ତେ ଦେବାଳୟ ସବୁକୁ ଯାଇ ଦେବଦର୍ଶନ କରିବା ପ୍ରଥା ବି ଲୋପ ପାଇବାକୁ ବସୁଛି । ଗ୍ରାମ ମାନଙ୍କରେ ‘ଛେର ଛେରିଆ’ ପ୍ରଥା ବି ଏବେ ଅବଲୁପ୍ତ । ଆଜିର ଏ ମହରଗ ଯୁଗରେ ପିଠାପଣା ଦେବା ନେବା ପ୍ରଥା ବି ଲୋପ ପାଇବାକୁ ବସୁଛି । ଏ ସବୁ ଅବକ୍ଷୟ ସତ୍ତେ୍ୱ ବି ଅନେକ ସାହି, ପଡ଼ା, ଛୋଟ ଗାଁରେ ବେଶ ପରଷ୍ପର ସହଯୋଗରେ ଓ ମହା ଆନନ୍ଦ ଉତ୍ସାହ ସହିତ ମିଳିମିଶି ଏକତ୍ର ନବାର୍ଣ୍ଣ ଭୋଜନ କରିବା ଏକ ନୂତନ ଆଶା ନବୀନ ପରମ୍ପରାର ସନ୍ଦେଶ ବହନ କରୁଛି ।

ସୌଜନ୍ୟ – ଗଣଇସ୍ତାହାର

ଶ୍ରୀ ଜଗତ୍ ପ୍ରସାଦ ଦାଶ (ଚିପିଲିମା, ସମ୍ବଲପୁର)

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଗାଁ'ର ଜୀବନୀ ବା ଗାଁ ଇତିହାସ ଲିପିବଦ୍ଧ କରିବା ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Village Biography/ Village History Documentation" Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.