ବିଷୁବ ଦିବସରେ ଯୁବକଳାକାର ମାନଙ୍କର ଶପଥ (ସମ୍ପାଦକୀୟ)

"ଆଳାପ" ଧାରାବାହିକ କାର୍ଯ୍ୟକ୍ରମ ଜରିଆରେ ୟୁଟ୍ୟୁବ ମାଧ୍ୟମରେ ସମଗ୍ର ଦେଶବାସୀଙ୍କ ନିକଟରେ ଉପଲବ୍ଧ କରିବା ପାଇଁ ସମଧ୍ୱନି ତରଫରୁ ପ୍ରୟାସ ଆରମ୍ଭ ହୋଇଛି

Swayamprava Parhi (Chief Editor)
5 Min Read

ଯୁବ କଳାକାର ମାନଙ୍କର ସଙ୍ଗୀତାନୁରାଗ ଓ ସଙ୍ଗୀତ ସାଧନାକୁ ଓଡ଼ିଶାବାସୀ ସମ୍ମାନ ପ୍ରଦର୍ଶନ କରିବା ଜରୁରୀ ן ଏକଥା ଜଣେ କି ଦୁଇଜଣ କଳାକାର ନୁହଁ ରାଜ୍ୟର ଅଧିକାଂଶ ଯୁବ କଳାକାର ମାନଙ୍କର କ୍ଷୋଭ ଓ ବେଦନାର ବିଷୟ  ן ରାଜ୍ୟର ସାଂସ୍କୃତିକ ପରିବେଶ ସବୁବେଳେ ସରଗରମ ରହୁଥିବାବେଳେ ଯୁବ କଳାକାରମାନେ ଏମିତି ଦୁଃଖ ପ୍ରକାଶ କରିଛନ୍ତି ן ଏହା ରାଜ୍ୟର ସଂସ୍କୃତିର କେଉଁ ଦିଗକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି ? କେତୋଟି କାର୍ଯ୍ୟକ୍ରମ କରିଦେଇ କିଛି ଯୁବକଳାକାରଙ୍କୁ ସାମିଲ କରିବା ଫଳରେ ଏହାର ସମାଧାନ ହୋଇପାରିବ ନା  ଏ ଦିଗରେ କିଛି ଦୀର୍ଘ ମିଆଦୀ ପଦକ୍ଷେପ ନେବା ଜରୁରୀ, ବିଷୟଟି ଉପରେ ଅଧିକ ଚର୍ଚ୍ଚା କରାଯିବା ଆବଶ୍ୟକ ן ଏ ସମ୍ପର୍କରେ କିଛି ଚର୍ଚ୍ଚା କରିବା ଆଗରୁ ଯୁବ କଳାକାର ମାନଙ୍କୁ ପ୍ରଥମେ ଶୁଣିବା ଓ ସେମାନଙ୍କ ବ୍ୟଥାଟିକୁ ବୁଝିବା ଅତି ଜରୁରୀ, ଏକଥା ସମଧ୍ୱନି ହୃଦୟଙ୍ଗମ କରିଛି  ן କଳାକାର ମାନଙ୍କୁ ଶୁଣିବାପାଇଁ ଓ ଲୋକଙ୍କୁ ଏଦିଗରେ ନିଜର ମତାମତ ଦେବାପାଇଁ ସମଧ୍ୱନି ଏକ ମଞ୍ଚ ଭାବରେ ନିଜର ଭୂମିକା ନିର୍ଣ୍ଣୟ କରିଛି  ן ବିଷୁବ ଦିବସରେ ଏହି କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେ଼ମୀ ପରିସରରେ ן

Support Samadhwani

ଏପ୍ରିଲ ୧୪, ୨୦୨୩  ତାରିଖ ଦିନ ବିଷୁବ ଦିବସ ଅବସରରେ ସମଧ୍ୱନି ସାଂସ୍କୃତିକ ସଙ୍ଗଠନ ଲୋହିଆ ଏକାଡେ଼ମୀଠାରେ ଆୟୋଜନ କରିଥିଲା ଏକ ବିଷୁବ ଉତ୍ସବ ן ଏହି ବିଷୁବ ଉତ୍ସବଟି ଯଦିଓ ସୀମିତ ଥିଲା କେବଳ  ଓଡ଼ିଶାର ପ୍ରତିଭାଦୀପ୍ତ ଯୁବ କଳାକାରମାନଙ୍କ ମଧ୍ୟରେ ן ଓଡ଼ିଶାରେ ଯୁବ କଳାକାରମାନେ କେଉଁଭଳି ଷ୍ଟେଜ ପାଉଛନ୍ତି ବା ସେମାନଙ୍କୁ ନିଜ କଳାର ପ୍ରଦର୍ଶନ ପାଇଁ କେଉଁଭଳି ଭାବରେ ରାଜ୍ୟବାସୀ ତଥା ରାଜ୍ୟ ସରକାର ସୁଯୋଗ ଦେଉଛନ୍ତି ସେ ସମ୍ପର୍କରେ କିଛି ହୃଦୟସ୍ପର୍ଶୀ ଆଲୋଚନା କରାଯାଇଥିଲା ଓ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଦୁଇଜଣ ପ୍ରତିଭାଦୀପ୍ତ ଯୁବ କଳାକାର ପ୍ରଶାନ୍ତ କୁମାର ଜେନା ଓ ଖିତିପ୍ରକାଶ ମହାପାତ୍ରଙ୍କୁ ଏହି ଅବସରରେ ସମ୍ମାନୀତ କରାଯାଇଥିଲା ן

ବର୍ଷ ବର୍ଷ ଧରି ସାଧନା କରୁଥିବା ଯୁବ କଳାକାରମାନେ ନିଜ ମନର ବ୍ୟଥା ପରିପ୍ରକାଶ କରିଥିବା କିଛି ଭିଡ଼ିଓ ସେଠାରେ ପ୍ରଦର୍ଶନ କରାଯାଇଥିଲା ן ସେହିଭଳି କିଛି ଭିଡିଓକୁ “ଆଳାପ” ଧାରାବାହିକ କାର୍ଯ୍ୟକ୍ରମ ଜରିଆରେ ୟୁଟ୍ୟୁବ ମାଧ୍ୟମରେ ସମଗ୍ର ଦେଶବାସୀଙ୍କ ନିକଟରେ ଉପଲବ୍ଧ କରିବା ପାଇଁ ସମଧ୍ୱନି ତରଫରୁ ପ୍ରୟାସ ଆରମ୍ଭ ହୋଇଛି ן ଖୁବ ଶୀଘ୍ର ଏହି କାର୍ଯ୍ୟକ୍ରମଟି ଆପଣଙ୍କ ନିକଟରେ ଉପଲବ୍ଧ ହେବ ן ଆଶା କରୁଛୁ ଏହି “ଆଳାପ” କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ଅଣଆଲୋଚିତ ବିଷୟ ଆମକୁ ଜାଣିବାପାଇଁ ମିଳିବ ן କଳାକାର ଜୀବନର ସଂଘର୍ଷ, ବିଭିନ୍ନ ପ୍ରକାର ବିଦ୍ୱେଷକୁ ସାମ୍ନା କଲାପରେ ବି କଳାକୁ ବଞ୍ଚାଇବା ପାଇଁ ଓ କଳାକାର ହୋଇ ନିଜକୁ ପ୍ରତିଷ୍ଠିତ କରିବାପାଇଁ ଯେଉଁ ଆତ୍ମ ପ୍ରତ୍ୟୟ ଯୁବକ ମାନଙ୍କ ଭିତରେ ଭରି ରହିଛି ଆଜିବି ଓଡ଼ିଶାର ସଙ୍ଗୀତ ଜଗତଟି ସେହି ଦୃଢ଼ ଆତ୍ମ ପ୍ରତ୍ୟୟ ପାଇଁ ହିଁ ବଞ୍ଚିରହିଛି ן କେମିତି ଏହିଭଳି ଯୁବ ପ୍ରତିଭାମାନେ ଆଗକୁ ଯିବେ ଓ ଲୋକଙ୍କ ନିକଟରେ ନିଜ କଳା ଓ ପ୍ରତିଭାର ଉପସ୍ଥାପନା କରିବେ ଏହା ସମ୍ପୂର୍ଣ୍ଣ ସମାଜ ଓ କଳାପ୍ରେମୀ ମାନଙ୍କ ଉପରେ ହିଁ ଅନେକାଂଶରେ ନିର୍ଭର କରେ ן ସେହି ଅଣଆଲୋଚିତ ଯୁବ ପ୍ରତିଭା ମାନଙ୍କୁ ଆମେ ଆଲୋଚନାର ପରିସରଭୁକ୍ତ କରିବା ଓ କେମିତି ସଙ୍ଗୀତ ଆମ ପରିବାର ଓ ଆମ ସମାଜ ଜୀବନରେ ସ୍ଥାନୀତ ହେବ ସେଥିପାଇଁ ଏକ ପରିବେଶ ସୃଷ୍ଟି କରିବା ହେଉଛି ଆମର ଦାୟିତ୍ୱ ן

Support Samadhwani

ସଙ୍ଗୀତ ସାଧନାର ପଥରେ ସମଧ୍ୱନି ଗୁଣ୍ଡୁଚି ମୂଷାଟିଏ ହୋଇ ଏହି ଯୁବ କଳାକାରମାନେ ଗଢି ଚାଲିଥିବା ସଙ୍ଗୀତର ସେତୁରେ ନିଜର ଏକ ଛୋଟ ଯୋଗଦାନଟିଏ ଦେବାପାଇଁ ବଦ୍ଧପରିକର ן ଆପଣମାନେ ଶ୍ରୋତା ଭାବରେ ଓ ସଂସ୍କୃତିର ରକ୍ଷକ ଭାବରେ ମଧ୍ୟ କିଛି ଦାୟିତ୍ୱ ନିର୍ବାହ କରିବାକୁ ହେବ ן ପ୍ରତ୍ୟେକ ଦିନ ଏହି ଯୁବ ପ୍ରତିଭାମାନଙ୍କୁ ଶୁଣିବାର ଅଭ୍ୟାସ ଓ ସେମାନଙ୍କୁ ମତାମତ ଦେଇ ଉତ୍ସାହିତ କରିବାର ଅଭ୍ୟାସ କରିବାକୁ ହେବ ן ଆସନ୍ତୁ ସମସ୍ତେ ମିଶି ଆମ ଯୁବ ପ୍ରତିଭାଙ୍କୁ ଶଙ୍ଖୁଳିବା ଓ ସେମାନଙ୍କର ସାଧନାକୁ ସମ୍ମାନ ଦେଇ ତାଙ୍କୁ କିଛି ସମୟପାଇଁ ସବୁଦିନେ ଶୁଣିବା ଆରମ୍ଭ କରିବା ן ଏମିତିରେ ଆମର କାନ ସଙ୍ଗୀତକୁ ଜାଣିବା ବୁଝିବା ଆରମ୍ଭ କରିବ ଓ ଭବିଷ୍ୟତ ପିଢ଼ି ପାଇଁ ଏକ ସାଙ୍ଗୀତିକ ପରିବେଶ ତିଆରି କରିପାରିବା ପାଇଁ ମାନସିକତା ସୃଷ୍ଟିହେବ ן

କାରଣ ସଙ୍ଗୀତର ଭୂମିକା କେବଳ ମନରେ ଆନନ୍ଦ ସୃଷ୍ଟି କରିବା ଭିତରେ ସୀମାବଦ୍ଧ ନୁହଁ ବରଂ ଆମ ସମାଜକୁ ଶୃଙ୍ଖଳିତ କରି ଗଢିବା କ୍ଷେତ୍ରରେ ଓ ଆମ ଜୀବନକୁ ଚେତନାଦୀପ୍ତ କରିବାରେ ସଙ୍ଗୀତର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ן ଏହି କାମଟିକୁ ସମଧ୍ୱନି ଯେତେ ପ୍ରୟାସ କଲେବି, ଯେତେ ଦୃଢ଼ତା ପ୍ରଦର୍ଶନ କଲେବି ଆଗେଇନେଇ ପାରିବନାହିଁ ଯଦି ଏଥିରେ ଯୁବକଳାକାର ମାନେ ଏକାଠି ସମ୍ମିଳିତ ପ୍ରୟାସ ନକରନ୍ତି ן ଗୁରୁ, କଳାକାର ଓ ସଂସ୍କୃତି ପ୍ରେମୀ ଜନଗଣଙ୍କର ଏକାଠି ପ୍ରୟାସ ହିଁ ଏହି ଲକ୍ଷକୁ ଆଗେଇନେବା କ୍ଷେତ୍ରରେ ଏକ ବଳିଷ୍ଠ ଭୂମିକା ନିର୍ବାହ କରିବ ବୋଲି ଆମର ଆଶା ଓ ବିଶ୍ୱାସ ן

ଯେଉଁ ଆତ୍ମପ୍ରତ୍ୟୟର କଥା ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର କଳାକାର ପ୍ରଶାନ୍ତ କୁମାର ଜେନା ଓ ଖିତିପ୍ରକାଶ ମହାପାତ୍ରଙ୍କୁ ସମ୍ମାନିତ କରିବା ସମୟରେ ବିଶିଷ୍ଟ ଶିକ୍ଷାବିତ୍, ସମାଜ ବିଜ୍ଞାନୀ, ଲେଖକ ତଥା ଗଣିତର ପ୍ରଫେସର ବୀରେନ୍ଦ୍ର ନାୟକ ଓ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଗୁରୁ କରୁଣାକର ନାୟକ କହିଥିଲେ ଓ ଯେଉଁ ଆତ୍ମପ୍ରତ୍ୟୟର ଉଦାହରଣ ସମଦୃଷ୍ଟିର ସମ୍ପାଦକ ତଥା ସମାଜ ବିଜ୍ଞାନୀ ସୁଧୀର ପାଟ୍ଟନାୟକ ନିଜର ଅଭିଭାଷଣରେ ବଡେ ଗୁଲାମଅଲ୍ଲୀ ସାହେବ ତଥା ମହାତ୍ମା ଗାନ୍ଧୀଙ୍କ ଉଦାହରଣ ଦେଇ କହିଥିଲେ, ସେହି ଆତ୍ମ ପ୍ରତ୍ୟୟକୁ ସମଗ୍ର ସମାଜରେ ପ୍ରତିଷ୍ଠାକରିବାରେ ସଙ୍ଗୀତର ଯେଉଁ ଭୂମିକା ରହିଛି ତାକୁ ଆମେ ଶ୍ରୋତା ଭାବରେ ବୁଝିବା ଓ ଏହାକୁ ହାସଲ କରିବା ଦିଗରେ କିଛି ପଦକ୍ଷେପ ନେବାପାଇଁ ଆଗେଇ ଆସିବାକୁ ସମଧ୍ୱନି ପୁଣିଥରେ ଆହ୍ୱାନ ଦେଉଛି ן

ଆସନ୍ତୁ ଓଡ଼ିଶାରେ ସଂଗୀତ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ନିଜେ ଏକାଠି ହୋଇ ଏକ ଉଦ୍ୟମ ଆରମ୍ଭ କରିବା  ן

 

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଗାଁ'ର ଜୀବନୀ ବା ଗାଁ ଇତିହାସ ଲିପିବଦ୍ଧ କରିବା ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Village Biography/ Village History Documentation" Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.