ଓଡ଼ିଶା ଛତିଶଗଡ଼ ସୀମାନ୍ତରେ ଥିବା ଗାଁ ଟିଏ । ଗାଁର ନାଁ ସାନ ସରେଇପାଲି । ଓଡ଼ିଶାର ବରଗଡ଼ ଜିଲ୍ଳା ଅମ୍ବାଭୋନା ବ୍ଳକ ଅଧିନରେ ରହିଥିବା ଏହି ଗାଁ ଗୁଲାବନ୍ଧ ଭାବରେ ମଧ୍ୟ ପରିଚିତ। ଛୋଟିଆ ଗାଁ ଟିଏ। ଗାଁକୁ ଲାଗି ଏକ ବଡ଼ ଜଳାଶୟ ରହିଛି। ଏହାକୁ ଲାଗି ଛତିଶଗଡ଼ ସୀମା। ଜଳାଶୟ ଉପରେ ଉଭୟ ରାଜ୍ୟର ଲୋକେ ନିର୍ଭର କରନ୍ତି । ବର୍ଷାପାଣି କୁ ସଂଚୟ କରି ଓଡ଼ିଶା ଏବଂ ଛତିଶଗଡ଼ ଉଭୟ ରାଜ୍ୟର ଜମିକୁ ଏହି ଜଳାଶୟ ଜରିଆରେ ପାଣି ମାଡ଼ିଥାଏ। ଗାଁର ପ୍ରାୟ ସମସ୍ତେ ଚାଷ ଉପରେ ନିର୍ଭରଶୀଳ। ଏହି ଗାଁରେ ସମୂହ ନୁଆଁଖାଇ ପର୍ବ ପାଳନର ଏକ ପରଂପରା ସୃଷ୍ଟି ହୋଇଛି। ୧୯୯୧ ମସିହାରେ ଗାଁର କେତେଜଣ ବର୍ଷିଆନ ବ୍ୟକ୍ତି ଏକାଠି ନୂଆଁଖାଇ ପର୍ବ ପାଳନ କରିବାର ନିଷ୍ପତି ନେଇଥିଲେ। ସେହିବର୍ଷ ଠାରୁ ପ୍ରତିବର୍ଷ ଏହା ନିରବଛିନ୍ନ ଭାବରେ ଚାଲି ଆସିଛି।
ସାନସରେଇପାଲି ର ପିଲାଠୁ ବୁଢାଯାଏ ସମସ୍ତେ ମନ୍ଦିର ନିକଟରେ ଏକାଠି ହୋଇଥାନ୍ତି । ଆଖପାଖ ଗାଁ ଏବଂ ପଡ଼ୋଶୀ ଛତିଶଗଡ଼ରୁ ମଧ୍ୟ ବନ୍ଧୁ ପରିଜନ ତଥା ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଏ । ଅତିଥିମାନେ ଏକାଠି ନୁଆଁଖାଇ ପର୍ବ ପାଳନ କରିବାର ମହତ୍ୱ ସଂପର୍କରେ ଆଲୋଚନା କରନ୍ତି । ସଭା ସରିବା ପରେ ଗାଁର ସବୁ ଲୋକଙ୍କ ପାଇଁ ପଂକ୍ତି ଭୋଜନର ଆୟୋଜନ ହୁଏ । ଜାତି, ଧର୍ମ,ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମେସ୍ତ ଧାଡ଼ିରେ ବସନ୍ତି । ଗାଁର ଜଣେ ବର୍ଷିଆନ ବ୍ୟକ୍ତି ସମସ୍ତଙ୍କ ନୁଆଁ ଚାଉଳରେ ପ୍ରସ୍ତୁତ ଭୋଗ ପ୍ରଥମେ ସମସ୍ତଙ୍କୁ ଦିଅନ୍ତି । ସମସ୍ତଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଅନ୍ନ ପ୍ରସାଦ ପରଷା ଯାଇଥାଏ । ଗାଁର ଜଣେ ବୟସ୍କ ବ୍ୟକ୍ତିଙ୍କ କହିବା ଅନୁସାରେ ପ୍ରଥମେ ପ୍ରଥମେ ବିଭିନ୍ନ ଜାତିର ଲୋକେ ଅଲଗା ଅଲଗା ଧାଡ଼ିରେ ବସୁଥିଲେ । ଏବେ ଆଉ ତାହା ନାହିଁ । ଛୁଆଁଅଛୁଆଁ ଭେଦ ଭାବ ଦୂର ହୋଇଛି ଏହାହିଁ ଏକାଠି ନୁଆଁଖାଇ ପାଳନର ସବୁଠାରୁ ବଡ଼ ଉପଲବ୍ଧି । ଏକାଠି ନୁଆଁଖାଇ ପାଳନ କରିବାର ପଂରପରା ଗାଁରେ ଭାତୃଭାବ ଓ ଏକତାକୁ ମଜବୁତ କରିଛି । ସବୁଠାରୁ ବଡ଼ କଥା ହୋଇଛି ଏହି ଗାଁରେ ଗୋଟିଏ ବି ମାଳି ମୋକଦ୍ଦମା ନାହିଁ । ଗାଁରେ ପଂଚ ପରଂପରା ରହିଛି । ଗାଁ ଲୋକଙ୍କ ମଧ୍ୟରେ ସବୁ ବିବାଦର ଆପୋଷ ସମାଧାନ ହୋଇଥାଏ। ଯୁବକ ମାନଙ୍କ ମଧ୍ୟରେ ଗାଁର ଏକତା ବଜାୟ ରଖିବା ପାଇଁ ନିଷ୍ଠା ରହିଛି । ଗାଁରେ ଗଢିଉଠିଥିବା କୀର୍ତନ, ଭାଗବତ, କୃଷ୍ଣଗୁରୁ, ଖଞ୍ଜଣୀଭଜନ ଆଦି ବିଭିନ୍ନ ସାଂସ୍କୃତିକ ଦଳ ମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟର ବାତାବରଣ ଅନ୍ୟମାନଙ୍କୁ ଆକର୍ଷିତ କରିଛି । ସାନସରେଇପାଲିର ସାମୁହିକ ନୁଆଁଖାଇ ର ପ୍ରଭାବ ଅନ୍ୟ ଗାଁ ମାନଙ୍କରେ ପଡ଼ିଛି । ସୀମାନ୍ତ ଛତିଶଗଡ଼ର କେତେକ ଗାଁରେ ସାମୁହିକ ନୁଆଁଖାଇ ପାଳନ କରାଯାଉଛି।