ପଶ୍ଚିମ ଓଡ଼ିଶାର ପ୍ରାଚୀନ ସାଂସ୍କୃତିକ ବିଭବ ମଧ୍ୟରୁ କରମସାନୀ ମହୋତ୍ସବ ଅନ୍ୟତମ । ଭାଦ୍ରବ ଓ ଆଶ୍ୱୀନ ମାସରେ ଆଦିବାସୀ ମାନେ କରମସାନୀ ଉତ୍ସବ ପାଳନ କରିଥାନ୍ତି । ଏହି ଉତ୍ସବରେ କରମସାନୀ ଗଛକୁ ପୂଜା କରାଯାଏ । ପୂର୍ବେ ଜଙ୍ଗଲକୁ ଯାଇ କରମସାନୀ ଗଛ ମୂଳରେ ଏହି ପୂଜା କରାଯାଉଥିବା ବେଳେ ଏବେ ସେହି ଗଛର ଡ଼ାଳକୁ ଅଣାଯାଇ ଉତ୍ସବ ପାଳନ କରାଯାଇଥାଏ। ଏହି ଗଛର ଡ଼ାଳରେ କରମସାନୀ ଦେବୀ ବିରାଜିତ ଏବଂ କରମସାନୀ ଦେବୀଙ୍କ ପୂଜାର୍ଚ୍ଚନା କଲେ ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି । ସନ୍ତାନ ପ୍ରାପ୍ତି ପରେ ମାନସିକ କରିଥିବା ଭକ୍ତମାନେ କରମସାନୀ ପୂଜା କରିଥାନ୍ତି । ଲୋକେ ରାତି ସାରା ଉଜାଗର ରହି ନାଚଗୀତ କରିଥାନ୍ତି ।
କରମସାନୀ ଓଡ଼ିଶାରେ ଏକ ଲୋକନୃତ୍ୟର ମାନ୍ୟତା ପାଇଛି । ଏଥିରେ ସ୍ପତନ୍ତ୍ର ପ୍ରକାରର ବାଦ୍ୟଯନ୍ତ୍ର ମାନ୍ଦଲ ଏବଂ କସ୍ତାଲର ବ୍ୟବହାର ହୋଇଥାଏ । ଜଣେ ମାନ୍ଦଲ ବାଦକ ଏବଂ ଦୁଇଜଣ ଗାୟକଙ୍କୁ ନେଇ କରମସାନୀ ନୃତ୍ୟ ଦଳ ଗଠିତ । ଗୋଡ଼ରେ ଚାପ୍ ବା ଘୁଙ୍ଗୁର ବାନ୍ଧି ଗୀତ ଗାଇ ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରି କରମସାନୀ ନୃତ୍ୟଦଳ ଲୋକଙ୍କ ମନୋରଞ୍ଜନ କରିଥାନ୍ତି । ପାରମ୍ପରିକ ଗୀତ ସହ, ଛାନ୍ଦ, ଚମ୍ପୁ,ଭଜନ, ଲୋକଗୀତ ଆଦି ପରିବେଷଣ କରିଥାନ୍ତି। ବରଗଡ଼ ଜିଲ୍ଳାର ବିଭିନ୍ନ ସ୍ଥାନରେ ପ୍ରତିବର୍ଷ କରମସାନୀର ଆୟୋଜନ ହୋଇଥାଏ । ଛୋଟ ପିଲାଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଏହାର ମଜା ନେଇଥାନ୍ତି । ବରଗଡ଼, ସମ୍ବଲପୁର,ସୋନପୁର, ସୁନ୍ଦରଗଡ଼, ଦେବଗଡ଼,ଝାରସୁଗୁଡ଼ା,ବଲାଙ୍ଗିର, ନୁଆଁପଡ଼ା ଆଦି ଜିଲ୍ଳା ସମେତ ପଡ଼ୋଶୀ ଛତିଶଗଡ଼ରେ ବହୁ ସଂଖ୍ୟାରେ କରମସାନୀ କଳାକାର ରହିଛନ୍ତି । ପିଢୀ ପରେ ପିଢୀ ଏହି କଳାକାର ସମୂହ ନିଜ ସଂସ୍କୃତି ଓ ପରମ୍ପରାକୁ ବଂଚାଇ ରଖିଛନ୍ତି ।